Categories
ଆଜିର ଖବର ରାଜ୍ୟ ଖବର

ବୀର ଛବିଳ ସାଏଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ଛତିଶଗଡ଼ ରାଜ୍ୟପାଳ

କୁଦୋପାଲି/ସମ୍ବଲପୁର: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରୁ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଆଇସିଏଚଆର୍ ମାଧ୍ୟମରେ କୁଦୋପାଲିର ଇତିହାସ ଉପରେ ଗବେଷଣା କରିବ। ଆଗାମୀ ଦିନରେ ଏହି ଘଟଣାବଳୀକୁ ଏକ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ପାଇଁ ଯୋଜନା କରାଯିବ ବୋଲି ଶନିବାର ସମ୍ବଲପୁର ଜିଲ୍ଲା କୁଦୋପାଲି ଠାରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି କୁଦୋପାଲିକୁ ଏକ ଜାତୀୟ ସ୍ତରର ରମଣୀୟ ପ୍ରେରଣାର ତୀର୍ଥ କ୍ଷେତ୍ର ଭାବରେ ଗଢି ତୋଳିବା ପାଇଁ ଆମ ସମସ୍ତଙ୍କର ଉଦ୍ୟମ ଜରୁରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ବୀର ଛବିଳ ସାଏଙ୍କ ୧୬୬ତମ ବଳିଦାନ ଦିବସ ପାଳନ କରୁଥିବାରୁ ସ୍ଥାନୀୟ ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇବା ସହ ସେ କହିଛନ୍ତି ଯେ ଓଡ଼ିଶାର ସ୍ୱତନ୍ତ୍ରତା ସଂଗ୍ରାମର ଅନେକ ଅକୁହା କଥା ଓ ଗାଥା ଅଛି। ଇତିହାସ ପୃଷ୍ଠାରେ ଅନାଲୋଚିତ ଅଜଣା ନାୟକ ମାନଙ୍କୁ ଖୋଜି ସେମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ପରିଚିତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି। ଅନାଲୋଚିତ ସଂଗ୍ରାମୀଙ୍କ ବୀରଗାଥାକୁ ଲୋକଲୋଚନକୁ ଆଣିବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି।

ସେହିଭଳି ଭାବେ ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟି ଦାୟିତ୍ୱରେ ଥିବା ତୁଙ୍ଗବୀର ଛବିଳ ସାଏ ବ୍ରିଟିଶ ମାନଙ୍କ ସହ ଅଦମ୍ୟ ସାହସର ସହ ଲଢି ସେ ସେ ଏବଂ ତାଙ୍କର ୫୩ ସହଯୋଗୀ ସଂଗ୍ରାମୀ ଶହୀଦ ହୋଇଥିଲେ ଓ ୪ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିଲା।  ଆଜି ମଧ୍ୟ ଲୋକମୁଖରେ ଉଚ୍ଚାରିତ ହୁଏ, “ଉଲି… ଉଲି… ଉଲି…, ଛବିଲ୍ ସାଏ ଦିହେ ବାଜଲା ଗୁଲି, କୁଦୋପାଲିର୍ ମଝା ଖୁଲି”। ଏହା ଲୋକ ଅଭିବ୍ୟକ୍ତି ଓ କୁଦୋପାଲି ଅଞ୍ଚଳର ସ୍ୱାଭିମାନର ବଡ ପରିଚୟ। ଆଇସିଏଚଆର ଆନୁକୂଲ୍ୟରେ ଏହି ଘଟଣାବଳୀର ଗବେଷଣା କରାଯିବା ସହ ଏକ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦିଆଯିବ। କୁଦୋପାଲି ଗାଁର ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଶହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଛବିଳ ସାଏ ଓ ତାଙ୍କ ସହଯୋଗୀଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନାହିଁ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମାତୃଭୂମିର ସୁରକ୍ଷା ପାଇଁ ଉଦନ୍ତ ସାଏ, ଧ୍ରୁବ ସାଏ , ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ, କୋଲାବିରା ଜମିଦାର କରୁଣାକର ସିଂହ ନାଏକ, ଘେଁସ ଜମିଦାର ପରିବାରର ମାଧୋ ସିଂହ, କୁଞ୍ଜଲ ସିଂହ, ଐରୀ ସିଂହ, ବୈରୀ ସିଂହ ଓ ହଟେ ସିଂହଙ୍କ ଅବଦାନ ଅତୁଳନୀୟ । ୧୮୫୭ ପୂର୍ବରୁ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଓଡିଆ ଜାତି ଦେଶର ପ୍ରଥମ ସଂଗଠିତ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ ଲଢିଥିଲା ।  ଏହି ସଂଗ୍ରାମୀଙ୍କ ତ୍ୟାଗ ପାଇଁ ଆଜି ଆମ ଦେଶ ଭାରତ ମହାଶକ୍ତି ଭାବେ ନିଜକୁ ପ୍ରତିପାଦିତ କରିପାରିଛି । ଭାରତର ଯୁବକଙ୍କ ପରିଶ୍ରମ ବଳରୁ ଆମ ଦେଶ ଗୌରବର ଅର୍ଜନ କରିଛି । ଆଗାମୀ ୨୫ ବର୍ଷ ଦେଶ ପାଇଁ ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କୁ ସ୍ମୃତିଚାରଣ କରି ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବାର ସଂକଳ୍ପ ନେବା ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ କୁଦୋପାଲି ଘାଟିରେ ଶହୀଦ ହୋଇଥିବା ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଆୟୋଜିତ ପଦଯାତ୍ରାରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଦେବା ସହ ମଶାଲ ଜାଳିଥିଲେ । ମା’ ଓ ମାଟି ପାଇଁ ସଂଗ୍ରାମ କରି ଯେଉଁ ମାଟିରେ ଆମର ବୀର ସନ୍ତାନ ମାନେ ବୀରଗତି ପ୍ରାପ୍ତ କଲେ, ଫାଶୀ ଦଣ୍ଡ ପାଇଲେ ସେହି ରଣଭୂମି କୁଦୋପାଲି ଆମର ତ୍ୟାଗ ଓ ବୀରତ୍ୱର ପ୍ରତୀକ । ଏହି ବୀର ଶହୀଦ ମାନଙ୍କ ତ୍ୟାଗ, ନିଷ୍ଠା ଓ  ପରାକ୍ରମ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ । ସେ କହିଥିଲେ ଓଡ଼ିଆ ଜାତି ସାହସୀ । ପାଇକ ବିଦ୍ରୋହ ତା’ର ଏକ ଜ୍ୱଳନ୍ତ ଉଦାହରଣ । ଓଡ଼ିଆ  ଜାତି କେବେ ପରାଧୀନତାକୁ ସ୍ୱୀକାର କରିନାହିଁ । ବୀର ସୁରେନ୍ଦ୍ର ସାଏ ଓ ଛବିଳ ସାଏଙ୍କ ବଳିଦାନ ଆମ ସମସ୍ତଙ୍କ ପାଇଁ ଅବିସ୍ମରଣୀୟ । ଦେଶକୁ ନିର୍ମାଣ କରିବାକୁ ହେବେ ଜାତିପ୍ରେମର ଆବଶ୍ୟକତା ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଥିଲେ ।

Categories
ଆଞ୍ଚଳିକ

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: କଳିଙ୍ଗ ବୁଦ୍ଧବିହାର ସଭାକକ୍ଷରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜିକ ନ୍ୟାୟ ଆନ୍ଦୋଳନର ଅନ୍ୟତମ ଅଗ୍ରଗଣ୍ୟ ଜନନେତା ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ହେମାନନ୍ଦ ବାବୁଙ୍କ ଜୀବନୀ, ରାଜନୀତି ଓ ସାମାଜିକ ଆନ୍ଦୋଳନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

ଗତ ଫେବୃୟାରୀ ୨୫ ତାରିଖ ସନ୍ଧ୍ୟାରେ ସମ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଥିଲା। ସେ ଓଡ଼ିଶାର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ଓ ପଶ୍ଚିମାଞ୍ଚଳର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଝାରସୁଗୁଡ଼ା ଜିଲ୍ଲାର ଠାକୁରପଡ଼ା ଗ୍ରାମରେ ସେ ଏକ ଅଣରାଜନୈତିକ ସାଧାରଣ ଆଦିବାସୀ ପରିବାରରେ ୧ ଡ଼ିସେମ୍ବର, ୧୯୩୯ରେ ଜନ୍ମଗ୍ରହଣ କରିଥିଲେ। ମାତା ତ୍ରିମଣି ବିଶ୍ୱାଳ ଓ ପିତା ବାସୁଦେବ ବିଶ୍ୱାଳଙ୍କ ସେ ତୃତୀୟ ସନ୍ତାନ ଥିଲେ। ବିଦ୍ୟାଳୟ ଶିକ୍ଷା ଗ୍ରହଣ ସମୟରୁ ତାଙ୍କର ବହୁମୁଖି ପ୍ରତିଭାର ସଙ୍କେତ ମିଳିଥିଲା। ସେ କ୍ରୀଡ଼ା, କଳା, ସାହିତ୍ୟ ଓ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇପାରିଥିଲେ। କ୍ରୀଡ଼ା ଶିକ୍ଷକରୁ ଜୀବନ ଆରମ୍ଭ କଲା ପରେ ରାଜନୀତିରେ ଯୋଗଦେଇ ୧୯୬୭ ମସିହାରେ କର୍ମିିରା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।

୧୯୭୪ ମସିହାରେ ଲାଇକେରା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିିତ ହୋଇଥିଲେ। ସେ ୫ଥର ବିଧାୟକ ଓ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଓ କଂଗ୍ରେସର ରାଜ୍ୟ ସଭାପତି ମଧ୍ୟ ଥିଲେ। ଗରିବ ଓ ନିରାଶ୍ରୟ, ଆଦିବାସୀ ଦଳିତ ମାନଙ୍କର ସେ ଅଦ୍ୱିତୀୟ ନେତା ଥିଲେ। ଭୁବନେଶ୍ୱର ଆମ୍ବେଦକର କଲେଜ ଓ ଏ.ଜି. ଛକଠାରେ ଥିବା ବାବାସାହେବ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବା ଓ ଆମ୍ବେଦକର ଛକ ନାମକରଣ କରିବାରେ ତାଙ୍କର ଅବଦାନ ଥିଲା ଅତୁଳନୀୟ।

ଆମ୍ବେଦକର ଜୟନ୍ତୀ ପାଳନରେ ସେ ଅଗ୍ରଣୀ ଭୂମିକା ନେଉଥିଲେ। ଏପରି ଜନନେତାଙ୍କର ବିୟୋଗରେ ସମଗ୍ର ଓଡ଼ିଶା ଆଜି ମ୍ରିୟମାଣ। ତାଙ୍କର ବିୟୋଗରେ ଓଡ଼ିଶାରେ ଏକ ଅପୂରଣୀୟ କ୍ଷତି ଘଟିଲା। ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ସ୍ୱର୍ଗତ ବିଶ୍ୱାଳଙ୍କ ଜୀବନୀ ଓ ରାଜନୈତିକ ପ୍ରତିଷ୍ଠାତା ଓ ଦୃଢତା ଉପରେ ଆଲୋକପାତ କରିଥିଲେ  ପୂର୍ବତନ ପଞ୍ଚାନନ କାନୁନଗୋ ହେମାନନ୍ଦ ବାବୁଙ୍କ ବ୍ୟକ୍ତିତ୍ୱ, ମହନୀୟତା ଓ ସାମାଜିକ ନ୍ୟାୟ ନିମିତ୍ତ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ଭଜମନ ବେହେରା ସ୍ୱର୍ଗତ ବିଶ୍ୱାଳ ଡକ୍ଟର ଆମ୍ବେଦକରଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଦଳିତ, ଆଦିବାସୀ ଓ ଗରିବ ଅସହାୟମାନଙ୍କ କାର୍ଯ୍ୟ କରିବା ସହିତ ଡଃ ଆମ୍ବେଦକରଙ୍କ ସ୍ମୃତି ରକ୍ଷା ପାଇଁ କାର୍ଯ୍ୟ କରିଥିଲେ ବୋଲି ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଇଂ ଅଲେଖ ଚନ୍ଦ୍ର ମଲ୍ଲିକ, ସମାଜସେବୀ ତଥା ଯୁବନେତା ଅମିୟ ପାଣ୍ଡବ, ଅବଦୁଲ କଲାମ ଆଜାଦ, ସମାଜସେବୀ ମାନସ ଜେନା, ନାରୀନେତ୍ରୀ ପ୍ରତିମା ମଲ୍ଲିକ, ସମାଜବାଦୀ ନେତା ରାଧାକାନ୍ତ ସେଠି ଓ ସମାଜବାଦୀ ଦଳର ସୁଦର୍ଶନ ପ୍ରଧାନ, ରାଜନେତା ବିକ୍ରମ ସ୍ୱାଇଁ, ମାନଗୋବିନ୍ଦ ସେଠୀ, ସୁନାକର ବେହେରା ପ୍ରମୁଖ ବକ୍ତାମାନେ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସଭା ତରଫରୁ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯିବା ସହିତ ତାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଯୁବନେତା ବିଦ୍ୟାଧର ଦେହୁରୀ ଏହି ସଭାରେ ସଭାପତିତ୍ୱ କରିଥିଲେ ଏବଂ ଲକ୍ଷ୍ମଣ ମଲ୍ଲିକ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

ଶ୍ରମିକନେତା ଯୋଗେନ୍ଦ୍ର ତ୍ରିପାଠୀଙ୍କ ବିୟୋଗରେ ହିନ୍ଦ୍ ମଜଦୁର ସଭା, ଓଡ଼ିଶା ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ସମାଜବାଦୀ ନେତା, ରାଜ୍ୟର ଶ୍ରମିକ ଆନ୍ଦୋଳନର ପୁରୋଧା, ହିନ୍ଦ୍ ମଜଦୁର ସଭା ଓ କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଯେଗେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗରେ ହିନ୍ଦ୍ ମଜଦୁର ସଭା ଓଡ଼ିଶା ଶାଖା କାର୍ଯ୍ୟାଳୟ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇଯାଇଛି।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ଏଚ୍‌.ଏମ୍‌.ଏସ୍ ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ନବକିଶୋର ମଲ୍ଲିକ, ମହିଳା ନେତ୍ରୀ ଲକ୍ଷ୍ମୀ ମହାନ୍ତି, ସଂଯୁକ୍ତା ମହଲ, ବି.ଏନ୍‌. ମହାପାତ୍ର, ରାଜେନ୍ଦ୍ର ଦାସ, ଆଡ଼ଭୋକେଟ ଯୁଗଳ ନାୟକ, ଏଚ୍‌.ଏମ୍‌.ଏସ୍ ମେଡ଼ିଆ ସେଲ୍‌ର ସଂଯୋଜକ ମନୋଜ ବାରିକଙ୍କ ସମେତ ଆଠଗଡ଼, ସମ୍ବଲପୁର, ଖୋର୍ଦ୍ଧା, ଢେଙ୍କାନାଳ, କଟକ ଆଦି ଅଞ୍ଚଳରୁ ଶତାଧିକ ଶ୍ରମିକ କର୍ମୀ, ନେତୃବୃନ୍ଦ ଯୋଗଦେଇ ସ୍ୱର୍ଗତ ତ୍ରିପାଠୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ସ୍ୱର୍ଗତ ତ୍ରିପାଠୀ ଶ୍ରମିକମାନଙ୍କ ପାଇଁ ବିଶେଷକରି ଅଣ ସଂଗଠିତ, ନିର୍ମାଣ ଶ୍ରମିକମାନଙ୍କ ପାଇଁ ଯେଉଁ କାର୍ଯ୍ୟ କରିଯାଇଛନ୍ତି, ତାହା ଚିରଦିନ ପର୍ଯ୍ୟନ୍ତ ଅମର ରହିବ। ଦୀର୍ଘ ୨୫ ବର୍ଷ ଧରି ଏଚ୍‌.ଏମ୍‌.ଏସ୍ ସଂଗଠନ ରାଜ୍ୟ ଶାଖାର ସାଧାରଣ ସମ୍ପାଦକ ଭାବରେ ସେ ଶ୍ରମିକମାନଙ୍କ ନିମନ୍ତେ ଅନେକ କାର୍ଯ୍ୟ କରି ଯାଇଛନ୍ତି, ତାହା ସବୁଦିନ ପାଇଁ ଅମ୍ଲାନ ହୋଇ ରହିବ ବୋଲି ଉପସ୍ଥିତ ନେତୃବୃନ୍ଦ ପ୍ରକାଶ କରିଥିଲେ।

Categories
ଆଞ୍ଚଳିକ

ବାଲିକୁଦାର ଲବ୍ଧ ପ୍ରତିଷ୍ଠିତ ଲେଖକଙ୍କ ଶ୍ରଦ୍ଧାଞ୍ଜଳି ସଭା

ରମେଶ ମହାନ୍ତି
ଜଗତସିଂହପୁର: ବାଲିକୁଦା ବ୍ଲକ୍ ଓଷକଣା ହାଇସ୍କୁଲର ପୁର୍ବତନ ପ୍ରଧାନ ଶିକ୍ଷକ ଗଦାଧର ସ୍ବାଇଁଙ୍କ ଏକାଦଶାହ ଉପଲକ୍ଷେ ବାଲିକୁଦାର ପୂଜ୍ୟପୁଜା ସଂସଦ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସ୍ମତି ସଭା ଅନୁଷ୍ଠିତ ହୋଇଯାଇଛି। ପୂଜ୍ୟପୁଜା ସଂସଦ ସଭାପତି କୈଳାସ ଚନ୍ଦ୍ର ବିଶ୍ବାଳଙ୍କ ପୈାରହିତରେ ଅନୁଷ୍ଠିତ ଏହି ସଭାରେ ଶ୍ରଦ୍ଧାଞ୍ଜଳି ସଭାରେ ଗଦାଧର ସ୍ବାଇଁଙ୍କ ତୈଳଚିତ୍ର ନିକଟରେ ତିର୍ତ୍ତୋଲ ବ୍ଲକର ପୂର୍ବତନ ଶିକ୍ଷା ଅଧିକାରୀ ସୁକାନ୍ତ ରାୟ ପ୍ରଦୀପ ପ୍ରଜ୍ଜୋଳନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଂଘର ସମ୍ପାଦକ ନରେଶ ଦାସ, ନାଉଗାଁ ବ୍ଲକ ଶିକ୍ଷକ ସଂଘର ସମ୍ପାଦକ ନରେଶ ଚନ୍ଦ୍ର ସାହୁ, ଓଷକଣା ହାଇସ୍କୁଲର ପ୍ରଧାନ ଶିକ୍ଷକ ଜ୍ଞାନରଂଜନ ମହାନ୍ତି, ପଣ୍ଡିତ ଅଜୟ କୁମାର ମିଶ୍ର, ଶିକ୍ଷକ ବାମନ ଦାସ, ବିଶ୍ମୟ ମଲ୍ଲ ସମେତ ଶତାଧିକ ଶିକ୍ଷକ ,ଛାତ୍ର ଓ ନିକଟସ୍ଥ ଗ୍ରାମର ଜନସାଧାରଣ ଉପସ୍ଥିତ ରହି ପୁଷ୍ପାଞ୍ଜଳି ପ୍ରଦାନ କରିବା ସହିତ ଗଦାଧର ସାର୍ ଙ୍କ ନିର୍ଭିକତା ଛାତ୍ରଛାତ୍ରୀ ବସ୍ରଳତା ଓ ସମାଜ ସଂସ୍କାରକଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ। ତାଙ୍କର ମୃତ୍ୟୁରେ ବାଲିକୁଦାର ଜଣେ ଲବ୍ଧ ପ୍ରତିଷ୍ଠିତ ଲେଖକ ତଥା ସମାଜ ସଂସ୍କାରକୁ ହରାଇଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ପ୍ରକାଶଥାଉକି ମାଛଗାଁ ପଞ୍ଚାୟତର ଜମ୍ପର ଠାରେ ଗଦାଧର ସ୍ବାଇଁ ତା.୧୭.୦୧.୧୯୫୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଗାଦିବ୍ରହ୍ମ ବିଦ୍ୟାପିଠ ଡିହସାହିରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରି ଓଷକଣା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ଅବସର ନେଇଥିଲେ। ହଠାତ ହୃଦଘାତରେ ତା. ୦୬.୦୪.୨୧ ରିଖ ରାତିରେ ଶେଷ ନିଶ୍ବସ ତ୍ୟାଗ କରିଥିଲେ। ଗାଁ ମଶାଣିରେ ତାଙ୍କର ଶେଷକୃତ୍ବ ସମ୍ପର୍ଣ୍ଣ ହୋଇଥିଲା। ଏକମାତ୍ର ପୁଅ ତଥା ଶିକ୍ଷକ ଜ୍ଞାନ ରଞ୍ଜନ ସ୍ବାଇଁ ମୁଖାଗ୍ନୀ ଦେଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ଛତିଶଗଡ଼ର ସୁକୁମା-ବିଜାପୁର ସୀମାରେ ନକ୍ସଲବାଦୀଙ୍କ ଆକ୍ରମଣରେ ୨୨ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି ଏବଂ ୩୦ରୁ ଉର୍ଦ୍ଧ୍ୱ ଯବାନ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏହି ପରିପ୍ରେକ୍ଷୀରେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଉତ୍କଳ ଜୟଦେବ ତରଫରୁ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନଛକଠାରେ ସହିଦ ବୀର ଯବାନ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୦ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀମାନେ ଉପସ୍ଥିତ ରହି ସହିଦ ବୀର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ମହମବତୀ ଜାଳି ଏକ ମିନିଟ୍ ନୀରବ ପ୍ରାର୍ଥନା କରିବା ସହିତ ଆହତ ଯବାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡ଼ିଆରଆର ହରିଶଙ୍କର ଜେନା, ପିଡ଼ିଆରଆର ସ୍ମୃତିରଞ୍ଜନ ବିଶ୍ୱାଳ, ଅନୁଷ୍ଠାନର ସଭାପତି ତାପସ ରଞ୍ଜନ ମଲ୍ଲିକ, ସମ୍ପାଦକ ରଞ୍ଜନ କୁମାର ମହାପାତ୍ର, ଶିକ୍ଷାବିତ୍ ନାରାୟଣ ବେହେରା, ପ୍ରତୀକ ନନ୍ଦ, ସୁଶ୍ରୀ କାମିନୀ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଶୋକାକୁଳ ପରିବେଶରେ ଅନୁଷ୍ଠିତ ହେଲା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସ୍ବର୍ଗତ ସତ୍ୟ ସେନାପତିଙ୍କ ଶ୍ରଦ୍ଧାଞ୍ଜଳି ସଭା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ଦିବଂଗତ ଯୁବ ସଂଗଠକ ଯଥା ଅସୀମିତ ପ୍ରତିଭାର ଅଧିକାରୀ ସ୍ବର୍ଗତ ସତ୍ୟ ନାରାୟଣ ସେନାପତିଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି। ଦ୍ଵାଦଶହ ଦିବସ ଅବସରରେ ବାଲୁଗାଁ ସ୍ଥିତ କଳିଙ୍ଗ ଯୁବକ ସଙ୍ଘ ପରିସରରେ ଉକ୍ତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବାସହ ଏକ ସ୍ମରଣିକା ଉନ୍ମୋଚନ ହୋଇଯାଇଅଛି।

ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ସମ୍ମାନିତ ଅତିଥି ପୂର୍ବତନ ବିଧାୟକ ଚିଲିକା ଡ଼ା ବିଭୁତି ଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଂଜନ ବଡ଼ଜେନା, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, କଳିଙ୍ଗ ଯୁବକ ସଙ୍ଘର ସଭାପତି ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ଆତ୍ମାର ସଦଗତି ନିମନ୍ତେ ସ୍ବର୍ଗତ ସେନାପତିଙ୍କ ତୈଳ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।

ପ୍ରାପ୍ତ ସୂଚନା ମୁତାବକ ଚଳିତ ମାସ ୧୫ ତାରିଖରେ ସ୍ବର୍ଗତ ସତ୍ୟନାରାୟଣ ସେନାପତି ୪୧ ବର୍ଷ ବୟସରେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମସ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ସ୍ବର୍ଗତ ସେନାପତିଙ୍କ ବିୟୋଗରେ ଘର ପରିଜନଙ୍କ ମନୋବଳ ଭାଙ୍ଗିଯିବା ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ବହୁତ କମ ବୟସରେ ରାଜନୀତିରେ ପାଦ ଥାପି ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ଭାବେ ନିଜର ଦକ୍ଷତା ବଳରେ ଦଳକୁ ମଜଭୁତ କରୁଆସୁଥିବା ଏହି ନେତାଙ୍କ ବିୟୋଗରେ ସମ୍ପୃକ୍ତ ଅଂଚଳରୁ ବିଜେପିର ଅଗ୍ରଗତିରେ ବ୍ରେକ ଲାଗିଥିବା ଅନୁମାନ କରାଯାଉଛି। ଯାହାକି ଏହି କିମ୍ବଦନ୍ତୀ ପୁରୁଷଙ୍କ ସ୍ଥାନ ପୂରଣ କରିବା ଅସମ୍ଭବ ବୋଲି ପୂର୍ବତନ ବିଧାୟକ ଡ଼ା ହରିଚନ୍ଦନ ମତବ୍ୟକ୍ତ କରିଥିଲେ।

ସମଗ୍ର ଅଞ୍ଚଳର ସାଙ୍ଗଠନିକ ସୁଦୃଢତାକୁ ସମ୍ମାନ ଜଣାଇ ସ୍ବର୍ଗତ ଶ୍ରୀ ସେନାପତି ନିଜକୁ ସ୍ଥାନୀୟ ଅଞ୍ଚଳର ଜଣେ ପ୍ରତିଷ୍ଠିତ ତଥା ପ୍ରଖର ରାଜନୈତିକ ବ୍ୟକ୍ତିତ୍ୱ ଭାବେ ଉପସ୍ଥାପନ କରିବା ସହ ସମାଜସେବୀ ଭାବେ ଜନ ସମାଜରେ ନିଜକୁ ଖୁବ କମଦିନ ମଧ୍ୟରେ ପ୍ରତିଷ୍ଠିତ କରିପାରିଥିଲେ ବୋଲି ଚିଲିକା ବିଧାୟକ ଶ୍ରୀ ଜଗଦ୍ଦେବ ବକ୍ତବ୍ୟ ରଖିଥିଲେ।

ନିଜର ଜ୍ଞାନ କୌଶଳ ତଥା ଯୁବସମାଜ ଭିତରେ ସ୍ଥାନୀୟ ଅଞ୍ଚଳରେ ନାନାଦି ଉନ୍ନତିମୂଳକ କାର୍ଯ୍ୟ କରିବା ସହ ସୁଖ ଦୁଃଖର ସାଥି ହୋଇ ସମଗ୍ର ଅଞ୍ଚଳକୁ ନିଜର ପ୍ରିୟଭାଜନ କରିପାରିଥିଲେ ଏହି ଦିବଂଗତ ନେତା ବୋଲି ଶ୍ରୀ ବଡ଼ଜେନା ଅତି କୋହଭରା କଣ୍ଠରେ ପ୍ରତିପାଦନ କରିଥିଲେ।

ଜଣେ କାର୍ଯ୍ୟଦକ୍ଷ, ମିଷ୍ଟଭାଷୀ, ମେଳାପୀ ସମାଜସେବୀଙ୍କ ବିୟୋଗରେ ସମଗ୍ର ଅଞ୍ଚଳ ଭାଙ୍ଗିପଡିଥିବା ବେଳେ ସେହି ଆତ୍ମାର ସଦଗତି ତଥା ପ୍ରିୟଭାଜନଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି ଶ୍ରୀ ଦୁଷ୍ମନ୍ତ ହରିଚନ୍ଦନ ପ୍ରକାଶ କରିଥିଲେ।

ସ୍ବର୍ଗତ ସେନାପତିଙ୍କ ଅନ୍ତିମ ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ରଙ୍କ ସମେତ ବହୁ ପ୍ରତିଷ୍ଠିତ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଯୁବ ବିଜେପି ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କୋଭିଡ ନିୟମ ପାଳନ କରି ଆନ୍ତରିକ ଶ୍ରଦ୍ଧା ଜ୍ଞାପନ କରିଥିଲେ। ଏହି ଅବସରରେ ଦିବଂଗତ ଶ୍ରୀ ସେନାପତିଙ୍କ ସ୍ମୃତିକୁ ବଜାୟ ରଖିବା ପାଇଁ ନିଜର ଜୀବନଶୈଳୀ ଉପରେ ଆଧାରିତ ‘ଲୁହ’ ପତ୍ରିକା ଉନ୍ମୋଚନ କରାଯାଇଥିଲା।