Categories
ଆଜିର ଖବର

ଦେଶକୁ ବଞ୍ଚାଇବା ପାଇଁ ବିଜେପିକୁ ଭୋଟ ଦିଅନ୍ତୁନି : ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଆକ୍ରମଣ କରିଛନ୍ତି। ମୋଦିଙ୍କୁ ନିର୍ବାଚନ ହାରିବାର ଭୟ (ହାରାତଙ୍କ) ରହିଛି ବୋଲି କହିଛନ୍ତି ମମତା। ଏହା ସହିତ ଦେଶ ବଞ୍ଚାଇବାକୁ ବିଜେପିକୁ ଭୋଟ କରନ୍ତୁ ନାହିଁ ବୋଲି ମମତା କହିଛନ୍ତି। ମୋଦିଙ୍କ ମନ୍ତବ୍ୟ ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପରେ ବର୍ତ୍ତମାନ ଦିଦିଙ୍କ ନିଦ ହଜି ଯାଇଛିର ପ୍ରତିକ୍ରିୟାରେ ମମତା ଏହି ମନ୍ତବ୍ୟ ଦେଇଛନ୍ତି। ବିଜେପି ଲୋକଙ୍କ ମଧ୍ୟରେ ଜାତିଆଣ ଭାବ ସୃଷ୍ଟି କରି ନିର୍ବାଚନରେ ବିଜୟୀ ହେବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛନ୍ତି ମମତା। ନିର୍ବାଚନ ହାରିବାର ଭୟ ମୋଦିଙ୍କ ମୁହଁରେ ସ୍ପଷ୍ଟ ଜଣାପଡୁଛି। ବିଜେପି ଉତ୍ତର ପ୍ରଦେଶ, ରାଜସ୍ଥାନ, ନୂଆଦିଲ୍ଲୀ, ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ଗୁଜରାତ ଏବଂ ଓଡିଶାରେ ପରାଜୟର ସାମ୍ନା କରିବାକୁ ଯାଉଛି ବୋଲି କହିଥିଲେ ମମତା। ବିକାଶ କରିନଥିବା ଉପରେ ବିଜେପିର ଆରୋପକୁ ନେଇ ମମତା କହିଥିଲେ ଏନେଇ ପଶ୍ଚିମବଙ୍ଗର ଜନତା ବିଚାର କରିବେ।

Categories
ବିଶେଷ ଖବର

କନ୍ଧମାଳ, ବିଜେପି ଲାଗି ଏବେ କେବଳ ପୁରୁଣା ଦିନର ସ୍ମୃତି, କିନ୍ତୁ ବିଜେଡି ଲାଗି ସବୁଠୁ ସହଜ ଆସନ

କେଦାର ମିଶ୍ର

କନ୍ଧମାଳ ଲୋକସଭା ଲାଗି ଅଚ୍ୟୁତ ସାମନ୍ତ ହିଁ ପ୍ରଥମ ଓ ଶେଷ ପସନ୍ଦ- ଏକଥା କହିଲା ବେଳେ ବାଲିଗୁଡାର ଜଣେ ପୁରୁଣା ବିଜେପି କର୍ମୀ ଏକ ପ୍ରକାର ଥମ ଥମ ହୋଇପଡିଥିଲେ। କନ୍ଧମାଳ, ଏକଦା ବିଜେପି ପାଇଁ ଥିଲା ସାମ୍ପ୍ରଦାୟିକତାର ପରୀକ୍ଷାଗାର। ଜାତି ଓ ପରିଚୟ ଆଧାରରେ ଆଦିବାସୀ ତଥା ଦଳିତଙ୍କ ମଧ୍ୟରେ ସାମାଜିକ ବିଭାଜନ ସୃଷ୍ଟି କରି ବିଜେପି ଏଠାରୁ ବେଶ ରାଜନୈତିକ ଫାଇଦା ଉଠାଇଥିଲା। ସଂଘ ପରିବାରର ପରୀକ୍ଷାଗାର ଭାବରେ କନ୍ଧମାଳ ବହୁ ଦଙ୍ଗା ଓ ରକ୍ତପାତ ଦେଖିଛି। ୨୦୦୭-୦୮ ର ଭୟଙ୍କର କନ୍ଧମାଳ ଦଙ୍ଗାର ହିଂସା, ରକ୍ତପାତ, ଜଳାପୋଡା ଓ ଧର୍ଷଣର କଳଙ୍କିତ ସ୍ମୃତି କୁ ପଛରେ ପକାଇ କନ୍ଧମାଳ ଗତ ଦଶକରେ ଗୋଟେ ନୂଆ ଇତିହାସ ରଚନା କରିଛି। ସାମ୍ପ୍ରଦାୟିକତାର ବିଷ ବଳୟରୁ ମୁକୁଳି କନ୍ଧମାଳ ସୌହାର୍ଦ୍ଦ୍ୟ ଓ ଶାନ୍ତିର ରାସ୍ତାରେ ଚାଲିଛି। ଅନ୍ତତଃ ୨୦୧୪ ନିର୍ବାଚନ ପରଠୁ କନ୍ଧମାଳରେ ବିଜେପିର ଅବକ୍ଷୟ ଆରମ୍ଭ ହୋଇଛି। ଗତ ସାଧାରଣ ନିର୍ବାଚନରେ ଏଠାରୁ ବିଜେଡି ପ୍ରାର୍ଥୀ ହେମେନ୍ଦ୍ର ନାରାୟଣ ସିଂ ୫୦.୨୮% ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ସେଠାରୁ ମାତ୍ର ୧୨.୯୫% ଭୋଟ ପାଇଥିଲେ। ହେମେନ୍ଦ୍ରଙ୍କ ମୃତ୍ୟୁ ପରେ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନରେ ତାଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ଵରୀ ୬୧.୫୪% ଭୋଟ ପାଇଥିଲେ। ଏହି ଉପ ନିର୍ବାଚନରେ ଯଦିଓ ବିଜେପି ପ୍ରାର୍ଥୀ ରୁଦ୍ରମାଧବ ରାୟଙ୍କ ଭୋଟ ପ୍ରତିଶତ ୧୦.୦୭% ବଢିଥିଲା, ସମାନୁପାତରେ ବିଜେଡ଼ିର ଭୋଟ ପ୍ରତିଶତ ମଧ୍ୟ ୧୧.୩୩% ବଢିଥିଲା।

କନ୍ଧମାଳ ଲୋକସଭା ଅନ୍ତର୍ଗତ ୭ ଟି ଯାକ ବିଧାନସଭା ଆସନ ଯଥା ଭଞ୍ଜନଗର, ଘୁମୁସର ଉଦୟଗିରି, ବାଲିଗୁଡା, ଫୁଲବାଣୀ, କଣ୍ଟାମାଳ, ବୌଦ ଓ ଦଶପଲ୍ଲା ବିଧାନସଭା ଭିତରୁ କେବଳ ଜି.ଉଦୟଗିରିକୁ ବାଦ ଦେଲେ ବାକି ସବୁଠି ବିଜେଡି ବିଧାୟକ ଜିତିଥିଲେ। କଂଗ୍ରେସ ବିଧାୟକ ଜାକବ ପ୍ରଧାନ ଗତଥର ଏକମାତ୍ର କଂଗ୍ରେସ ବିଧାୟକ ଭାବରେ ଏଠାରୁ ଜିତିଥିଲେ ମଧ୍ୟ କଂଗ୍ରେସ ଏଥର ତାଙ୍କୁ ଟିକଟ ଦେଇନାହିଁ। ଏଥର ନିର୍ବାଚନରେ କନ୍ଧମାଳର ସମୀକରଣ ବହୁ ବିଚିତ୍ର। ଉଭୟ ବିଜେପି ଓ ବିଜେଡି ଲୋକସଭା ପ୍ରାର୍ଥୀ କନ୍ଧମାଳ ବାହାର ଲୋକ ହୋଇଥିବା ବେଳେ ସ୍ଥାନୀୟ କଂଗ୍ରେସ ପ୍ରାର୍ଥୀ ମନୋଜ ଆଚାର୍ୟଙ୍କ ସେତେ ବେଶୀ ପ୍ରଭାବ ନାହିଁ। ଶେଷ ମୁହୂର୍ତ୍ତରେ ବିଜେପିରେ ଯୋଗଦାନ କରିଥିବା ପୂର୍ବତନ ବାଲେଶ୍ଵର ସାଂସଦ ଐର ଖାରବେଳ ସ୍ଵାଇଁଙ୍କୁ ବିଜେପି ଏଠାରେ ଥଇଥାନ କରିଛି। କନ୍ଧମାଳ ସହିତ ଦୂର ଦୂର ପର୍ୟନ୍ତ ଖାରବେଳଙ୍କର କୌଣସି ସମ୍ପର୍କ ନଥିବା ବେଳେ ସ୍ଥାନୀୟ ବିଜେପି ସଙ୍ଗଠନରେ ମଧ୍ୟ ତାଙ୍କୁ ନେଇ ସଙ୍କଟ ରହିଛି।

ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ମନୋଜ ଆଚାର୍ୟ ରାଜନୀତିରେ ନବାଗତ ଓ ତାଙ୍କର ପ୍ରଭାବ କେବଳ ବାଲିଗୁଡା ଅଞ୍ଚଳରେ ସୀମିତ। ଏ ପ୍ରକାର ଶୂନ୍ୟସ୍ଥାନ ଭିତରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଜଗତସିଂପୁର ଜିଲ୍ଲାର ଲୋକ ହୋଇଥିଲେ ମଧ୍ୟ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ଆଦିବାସୀ ଶିକ୍ଷାନୁଷ୍ଠାନ “କିସ’ ଜରିଆରେ ତାଙ୍କର ବିଶେଷ ପରିଚୟ ରହିଛି। କନ୍ଧମାଳର ପ୍ରାୟ ସବୁ ଗାଁ ରୁ କିଛି କିଛି ପିଲା “କିସ’ ରେ ପାଠ ପଢୁଛନ୍ତି ଓ ଏହା ହିଁ ଅଚ୍ୟୁତଙ୍କୁ କନ୍ଧମାଳରେ ଏକ ସହଜ ପରିଚିତି ଦେଇଛି। ବାକି ଦୁଇ ପ୍ରତିପକ୍ଷ ଦଳର ଲୋକ ଏଠାରେ ପ୍ରାୟ ଅପରିଚିତ ହୋଇଥିବାବେଳେ ଅଚ୍ୟୁତ ସାମନ୍ତଙ୍କର କନ୍ଧମାଳ ଜିଲ୍ଲାରେ ଖାସ ପରିଚୟ ରହିଛି। ଯାହା ବାଲିଗୁଡାର ସେ ବିଜେପି କର୍ମୀ କହୁଥିଲେ, କିଛି କଂଗ୍ରେସ କର୍ମୀଙ୍କ ମତ ମଧ୍ୟ ସେୟା। ଶ୍ରୀ ସାମନ୍ତ କନ୍ଧମାଳରେ ଏକ ପ୍ରକାର ସର୍ବଦଳୀୟ ପ୍ରାର୍ଥୀ ହୋଇପଡିଛନ୍ତି। ପ୍ରାଥମିକ ଭାବରେ ଶ୍ରୀ ସାମନ୍ତଙ୍କୁ ନେଇ ସ୍ଥାନୀୟ ବିଜେଡି ନେତାଙ୍କ ଭିତରେ ଯେଉଁ ହିଚକିଚ ଥିଲା, ତାହା ଏବେ ଆଉ ନାହିଁ। ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଚୟନ ଶ୍ରୀ ସାମନ୍ତଙ୍କୁ ଏକପ୍ରକାର ବୋନସ ବୋଲି କୁହାଯାଇପାରେ।

ତେବେ ବିଜେଡି ଓ ଶ୍ରୀ ସାମନ୍ତଙ୍କ ଲାଗି ସବୁଠୁ ବଡ ଆହ୍ଵାନ ବୌଦ ଜିଲ୍ଲାରେ ରହିଛି। କଣ୍ଟାମାଳ ବିଧାୟକ ମହୀଧର ରଣା ଲୋକଙ୍କ ରୋଷର ଶିକାର ହେଉଥିବାବେଳେ ବୌଦ ବିଧାୟକ ତଥା ବିଧାନସଭା ବାଚସ୍ପତି ପ୍ରଦୀପ ଅମାତଙ୍କ ପ୍ରତି ଲୋକ ସମର୍ଥନ ଢେର କମିଛି। ଉଭୟ ଆସନରେ ବିଜେଡ଼ିର ଅସନ୍ତୁଷ୍ଟ ପ୍ରାର୍ଥୀ ପରିସ୍ଥିତି କୁ ଆହୁରି ଜଟିଳ କରିଛନ୍ତି। ଦଶପଲ୍ଲା ଆସନରେ ମଧ୍ୟ ବିଜେଡି ଅସନ୍ତୋଷର ସାମ୍ନା କରୁଛି। ଏହି ସବୁ ଆସନକୁ ଜିଣିବା ଏଥର ବିଜେଡି ଲାଗି ସବୁଠୁ କଷ୍ଟକର ହୋଇପଡିବ। କଣ୍ଟାମାଳ ଆସନ ବିଜେଡି ର ହାତଛଡା ହେବା ଏକପ୍ରକାର ସୁନିଶ୍ଚିତ ମନେ ହେଉଥିବାବେଳେ ପ୍ରଦୀପ ଅମାତଙ୍କୁ ବୌଦରେ ଜିଣିବା ଲାଗି ପ୍ରଚୁର ସଂଘର୍ଷ କରିବାକୁ ପଡିବ। ଏଠାରେ ସିପିଆଇ ର ପ୍ରାର୍ଥୀ ଅବକାଶ ସାହୁଙ୍କର ହରଭଙ୍ଗା ଅଞ୍ଚଳରେ ଯଥେଷ୍ଟ ଭଲ ସଂଗଠନ ରହିଛି। ସେ ବିଜେଡି ଭୋଟ ବିଭାଜିତ କରି ପାରନ୍ତି। ତେବେ ବିଧାନସଭା କ୍ଷେତ୍ରରେ ରହିଥିବା ସମସ୍ୟା ଓ ସଙ୍କଟର କୌଣସି ପ୍ରଭାବ ଅଚ୍ୟୁତ ସାମନ୍ତଙ୍କ ଉପରେ ପଡୁନାହିଁ। ବିଜେଡ଼ିର ଯେଉଁ ଅଳ୍ପ କେତେଜଣ ସାଂସଦ ପ୍ରାର୍ଥୀଙ୍କ ବିଜୟ ସବୁଠୁ ସହଜ ବୋଲି କୁହାଯାଇପାରେ, ସେଥିରେ ଅଚ୍ୟୁତ ସାମନ୍ତଙ୍କ ନାମ ଏକ ନମ୍ବରରେ ଆସିବ।

Categories
ଆଜିର ଖବର

ବୁଦ୍ଧିମତାର ସହ ମତାଧିକାର ସାବ୍ୟସ୍ତ କରିବାକୁ ନିବେଦନ କଲେ ରାହୁଲ୍‌

ଆଜି ସପ୍ତଦଶ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ଅନୁଷ୍ଠିତ ହେଉଛି। ଏହି ଉଦ୍ଦେଶ୍ୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଏକ ଟୁଇଟ୍‌ କରିଛନ୍ତି। ଏହି ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବା ସହିତ ଦେଶବାସୀଙ୍କୁ ବୁଦ୍ଧିମତାର ସହ ଭୋଟ ଦେଇ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି। ଗତ ନିର୍ବାଚନରେ ବିଜେପିର ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଭାଜପା ଦେଇଥିବା ପ୍ରତିଶ୍ରୁତି ମଧ୍ୟରେ ୨ କୋଟି ନିଯୁକ୍ତି ମିଳିନି କି ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିଲାନି, କି ଭାଜପା ଦେଇଥିବା ‘ଅଚ୍ଛେଦିନ୍‌’ ମଧ୍ୟ ଆସିଲାନି। କିନ୍ତୁ ବିମୁଦ୍ରାକରଣ କରାଗଲା, କୃଷକଙ୍କ ସହ ପ୍ରତାରଣା ସାଙ୍ଗକୁ ରାଫେଲ୍‌ ମାମଲାର ଦେଶବାସୀଙ୍କ ସହ ଧୋକ୍କା କରାଯାଇଛି। ସାରା ଦେଶରେ ମିଥ୍ୟା, ହିଂସା, ଘୃଣା, ଭୟର ବାତାବରଣ ସୃଷ୍ଟି କରାଯାଇଛି। ସେଥିପାଇଁ ଭୋଟ୍‌ ଦେଇ ଉପଯୁକ୍ତ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବା ପାଇଁ ଆହ୍ବାନ ଦେଇଛନ୍ତି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ଗୁଗୁଲର ଡୁଡୁଲ୍‌ରେ ମତଦାନ ପାଇଁ ସଚେତନତା ବାର୍ତ୍ତା

ଭାରତୀୟ ଗଣତନ୍ତ୍ରର ମହାପର୍ବ ‘ ନିର୍ବାଚନ’କୁ ସମ୍ମାନ ଜଣାଇ ଗୁଗଲ ସଚେତନତା ବାର୍ତ୍ତା ଜାରି କରିଛି। ଗୁଗଲ ପକ୍ଷରୁ ଏନେଇ ଏକ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରାଯାଇଛି। ଲୋକସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ମତଦାନ ଜାରି ରହିଛି। ସାତଟି ପର୍ଯ୍ୟାୟରେ ହେବାକୁ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଅନୁଷ୍ଠିତ ହେଉଛି। ଆଜି ୧୮ଟି ରାଜ୍ୟ, ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ୯୧ଟି ଲୋକସଭା ସିଟ୍‌ ପାଇଁ ଭୋଟ୍‌ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅବସରରେ ଗୁଗଲ ଡୁଡଲ ପ୍ରସ୍ତୁତ କରି ମତଦାତାଙ୍କୁ ମତଦାନ କରିବାକୁ ସନ୍ଦେଶ ଦେଇଛି। ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସମ, ବିହାର, ଛତିଶଗଡ, ଜାମ୍ମୁ ଏବଂ କାଶ୍ମୀର, ମହାରାଷ୍ଟ୍ର, ମଣିପୁର, ମେଘାଲୟ, ମିଜୋରମ, ନାଗଲାଣ୍ଡ, ଓଡିଶା, ସିକିମ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ୱେଷ୍ଟ ବେଙ୍ଗଲ, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ ଏବଂ ଲାକ୍ଷାଦୀପରେ ମତଦାନ ହେଉଛି।

Categories
ଆଜିର ଖବର

ଭୋଟ୍‌ ଦେଲେ ବିଶ୍ବର ସବୁଠୁ ଛୋଟ ମହିଳା

ଆଜି ୧୭ତମ ନିର୍ବାଚନର ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିବସ। ଆଜି ସାରା ଭାରତ ବର୍ଷର ୧୮ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୯୧ ଲୋକସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ପ୍ରତି ପାଞ୍ଚବର୍ଷରେ ଥରେ ନିଜର ପସନ୍ଦିତା ଲୋକପ୍ରତିନିଧିକୁ ନିର୍ବାଚିତ କରିବାର ସୁଯୋଗ ମିଳିଥାଏ। ଉତ୍ତମ ଶାସକ ଚୟନ କରିବା ପାଇଁ ଉପଯୁକ୍ତ ଭୋଟ୍‌ ପ୍ରଦାନ ହିଁ ସର୍ବଶ୍ରେଷ୍ଠ ମାଧ୍ୟମ। ତେବେ ଏହି ପ୍ରଥମ ପର୍ଯ୍ୟାୟରେ ସାମିଲ୍‌ ହୋଇଛନ୍ତି ବିଶ୍ବର ସବୁଠାରୁ ଛୋଟ ମହିଳା ଜ୍ୟୋତି ଆମେଗ୍‌। ନାଗପୁର ଲୋକସଭା ଆସନ ପାଇଁ ସେ ମତଦାନ ଦେଇଛନ୍ତି। ୨୫ ବର୍ଷୀୟା ଜ୍ୟୋତିଙ୍କ ଉଚ୍ଚତା ମାତ୍ର ୨୪.୭ ଇଞ୍ଚ। ବିଶ୍ବର ସବୁଠୁ ଛୋଟ ମହିଳା ଭାବେ ଜ୍ୟୋତି ଗିନିଜ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ତେବେ ଜ୍ୟୋତି ଭୋଟ୍‌ ଦେବା ସହିତ ସମସ୍ତଙ୍କୁ ଭୋଟ୍‌ ଦେଇ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବାକୁ ଏକ ସୁନ୍ଦର ବାର୍ତ୍ତା ଦେବା ସହିତ ନିଜର ଭୋଟ୍‌ର କାର୍ଡ ସହ ଭୋଟ୍‌ ଦେଇଥିବା ପ୍ରମାଣ ସ୍ବରୂପ ନିଜର କାଳିଲଗା ଆଙ୍ଗୁଠିକୁ ପ୍ରଦର୍ଶନ କରିଛନ୍ତି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ମହଙ୍ଗା ପଡ଼ିଲା ବାହାଘର କାର୍ଡରେ ମୋଦିଙ୍କୁ ଭୋଟ୍‌ ଦେବା ଅପିଲ୍‌ : ଇସିଙ୍କ ନୋଟିସ୍‌

ଉତ୍ତରାଖଣ୍ଡର ବାଗେଶ୍ବରଠାରେ ନିର୍ବାଚନ ଆଚାର ସଂହିତା ଉଲ୍ଲଂଘନ ହୋଇଥିବାର ଖବର ସାମ୍ନାକୁ ଆସିଛି। ଏଠାରେ ଗରୁଡ୍‌ ବ୍ଲକ୍‌ର ମେଟନାର ବିଜେପି ନେତା ନିଜ ପୁଅର ବାହାଘର କାର୍ଡରେ ମୋଦିଙ୍କୁ ଭୋଟ୍‌ ଦେବାର ଅପିଲ୍‌ କରାଯାଇଥିଲା। ଏହି ମାମଲାରେ ଜିଲ୍ଲା ନିର୍ବାଚନ କମିଶନର ତତ୍‌କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଜେପି ନେତା ଜଗଦୀଶ ଯୋଶୀ ଏପ୍ରିଲ୍‌ ୧୧ରେ ହେବାକୁ ଥିବା ନିର୍ବାଚନରେ ପିଏମ୍‌ ମୋଦିଙ୍କୁ ଭୋଟ୍‌ ଦେବାକୁ ଅପିଲ୍‌ କରି ନିର୍ମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଛନ୍ତି। ଏହି କାର୍ଡଟି ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବା ପରେ ଏହା ସାମ୍ନାକୁ ଆସୁଛି। ବିଜେପି ନେତା ଜଗଦୀଶଙ୍କ ପୁଅଙ୍କ ବାହାଘର ଏପ୍ରିଲ୍‌ ୨୨କୁ କିରଣଙ୍କ ସହିତ ହେବାକୁ ରହିଛି। ଏହି କାର୍ଡରେ ବାରାତ୍‌ରେ ସାମିଲ୍‌ ହେବା ସହିତ ନିର୍ବାଚନ ସମ୍ବନ୍ଧୀୟ ଅପିଲ୍‌ କରାଯାଇଛି। ଏହି କାର୍ଡରେ ପଦ୍ମଫୁଲର ଚିତ୍ର ମଧ୍ୟ ରହିଛି। ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ସାରା ଦେଶରେ ଆଦର୍ଶ ଆଚାର ସଂହିତା ଲାଗୁ ହୋଇଟାଇଛି। ଏବେ ସବୁ ରାଜନୈତିକ ଦଳ ନିର୍ବାଚନ କମିଶନଙ୍କ ପ୍ରଦତ୍ତ ନିୟମ ପାଳନ କରିବାକୁ ବାଧ୍ୟ। ଯୋଶୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଦର୍ଶାଇ ସହକାରୀ ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ (ବାଗଶ୍ୱେର ଏଆର୍‌ଓ) ତାଙ୍କୁ ନୋଟିସ୍‌ ଦେଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ତାଙ୍କୁ କୁହାଯାଇଛି।

Categories
ବିଶେଷ ଖବର

ଲୋକସଭା ପଠାଇବାକୁ ବିଜୁ ଜନତା ଦଳର “ନୂଆ ମୁହଁ” ଅଭିଯାନ, ବର୍ତ୍ତମାନ ସାଂସଦ ଥିବା ନବେ ଭାଗ ପ୍ରାର୍ଥୀଙ୍କ ଟିକଟ କଟିବ

କେଦାର ମିଶ୍ର

୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରୁ ଲୋକସଭାକୁ ପଠାଇବା ପାଇଁ ଶାସକ ବିଜୁ ଜନତା ଦଳ ନୂଆ ମୁହଁ ଖୋଜୁଛି। ବର୍ତ୍ତମାନ ଲୋକସଭା ସଦସ୍ୟ ଥିବା ପୁରୁଖା ନେତାଙ୍କୁ ବିଶ୍ରାମ ଦେଇ ସେମାନଙ୍କ ସ୍ଥାନରେ ନୂଆ ନେତାଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରାଯିବ ବୋଲି ଏବେ ସ୍ପଷ୍ଟ ସୂଚନା ମିଳୁଛି। ଗତ କାଲି ଢେଙ୍କାନାଳ ଲୋକସଭା ସଦସ୍ୟ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ତଥାଗତ ଶତପଥୀ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ନାହିଁ ବୋଲି ନିଜର ନିଷ୍ପତ୍ତି ଶୁଣାଇ ଦେଇଛନ୍ତି। ଶ୍ରୀ ଶତପଥୀ ବିଜେଡି ଟିକେଟରେ ଗତ ଚାରୋଟି ଯାକ ଲୋକସଭା ନିର୍ବାଚନ ଲଢି ବିଜୟଲାଭ କରିଥିଲେ। ହଠାତ ତାଙ୍କର ରାଜନୈତିକ ସନ୍ୟାସ ପଛରେ ସେ ଯଦିଓ ବ୍ୟକ୍ତିଗତ କାରଣ ଦର୍ଶାଉଛନ୍ତି, ଏହା ପଛରେ କିନ୍ତୁ ବିଜେଡି ମୁଖିଆଙ୍କର ସ୍ପଷ୍ଟ ଇଙ୍ଗିତ ଥାଇପାରେ ବୋଲି ସୂଚନା ମିଳୁଛି। ଯେଉଁମାନେ ଏକାଧିକ ଥର ଲୋକସଭାକୁ ଗଲେଣି ସେମାନଙ୍କୁ ଏଥର ନୂଆ ଭୂମିକାରେ ଦଳ ଦେଖିବାକୁ ଚାହୁଁଛି ବୋଲି ଏକ ସଙ୍କେତ ଏହି ସାଂସଦମାନଙ୍କୁ ଦିଆ ଯାଇଛି।

ବର୍ତ୍ତମାନ ଓଡିଶାରୁ ଲୋକସଭାରେ ୧୯ ଜଣ ସଦସ୍ୟ ରହିଛନ୍ତି। କେନ୍ଦ୍ରପଡା ସଦସ୍ୟ ପଦରୁ ବୈଜୟନ୍ତ ପଣ୍ଡା ଇସ୍ତଫା ଦେଇଥିବାବେଳେ ଆସ୍କା ସଦସ୍ୟ ଲଡୁ କିଶୋର ସ୍ଵାଇଁଙ୍କ ପରଲୋକ ଘଟିଛି। ତଥାଗତ ଶତପଥୀ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କଲାପରେ ଏବେ ବିଜେଡି ଲୋକସଭା ପ୍ରାର୍ଥୀ ହେବାକୁ ନୂଆ ମୁହଁ ସ୍ଥିରୀକୃତ କରାଯାଉଛି। ଚଳିତ ଲୋକସଭାରେ ବିଜେଡ଼ିର ଅର୍ଜୁନ ଚରଣ ସେଠି (୮ଥର), ପ୍ରସନ୍ନ ପାଟ୍ଟଶାଣୀ (୫ଥର), ଭର୍ତ୍ତୃହରି ମହତାବ(୫ ଥର), ପିନାକୀ ମିଶ୍ର (୩ଥର), ସିଦ୍ଧାନ୍ତ ମହାପାତ୍ର, କଳିକେଶ ନାରାୟଣ ସିଂ ଦେଓ (୨ଥର)  ନିର୍ବାଚିତ ହୋଇ ଯାଇଛନ୍ତି। ବିଜେଡି ୨୦୧୪ ନିର୍ବାଚନରେ ଶକୁନ୍ତଳା ଲାଗୁରି, ରାମଚନ୍ଦ୍ର ହାଂସଦା, ଅର୍କ କେଶରୀ ଦେଓ, ପ୍ରଭାସ ସିଂ, ନଗେନ୍ଦ୍ର ପ୍ରଧାନ, ଝିନ ହିକକା, ବଳଭଦ୍ର ମାଝୀ, କୁଳମଣି ସାମଲ, ରବୀନ୍ଦ୍ର କୁମାର ଜେନା, ରୀତା ତରାଇ, ପ୍ରତ୍ୟୁଷା ରାଜେଶ୍ଵରୀ ଦେବୀ ଓ ସ୍ଵର୍ଗତ ଲଡୁ କିଶୋର ସ୍ଵାଇଁଙ୍କୁ ଲୋକସଭା ପାଇଁ ପ୍ରଥମ ଥର ଟିକଟ ଦେଇ ଜିତାଇଥିଲା। ଅର୍ଥାତ ଲୋକସଭା ପାଇଁ ବିଜେଡ଼ିର ୧୩ ଜଣ ନୂଆ ମୁହଁ ଥିଲେ। (୧୨ ଜଣ ଜିତିଥିବା ବେଳେ ସୁନ୍ଦରଗଡ ଆସନରୁ ଦିଲୀପ ତିର୍କୀ ହାରି ଯାଇଥିଲେ)

୨୦୧୯ ନିର୍ବାଚନରେ ନୂଆ ମୁହଁଙ୍କ ସଂଖ୍ୟା ୧୭ ରୁ ଅଧିକ ହୋଇପାରେ ବୋଲି ଆଶା କରାଯାଉଛି। ତିନି ଅଭିଜ୍ଞ ଲୋକସଭା ସଦସ୍ୟ ଅର୍ଜୁନ ଚରଣ ସେଠି, ପ୍ରସନ୍ନ ପାଟ୍ଟଶାଣୀ ଓ ଭର୍ତ୍ତୃହରି ମହତାବ ଏଥର ଟିକଟ ନ ପାଇବାର ସମ୍ଭାବନା ଅଧିକ। ମୟୂରଭଞ୍ଜ ଲୋକସଭା ସଦସ୍ୟ ରାମଚନ୍ଦ୍ର ହାଂସଦା ନିର୍ବାଚନ ଜିତିବା ପରେ ଚିଟ ଫଣ୍ଡ ମାମଲାରେ ଗିରଫ ହୋଇ ଦୀର୍ଘ ଦିନ ଜେଲରେ ରହିଥିଲେ। ତେଣୁ ତାଙ୍କୁ ଦଳ ଏଥର ପ୍ରାର୍ଥୀ କରିବାର ପ୍ରଶ୍ନ ଉଠୁନାହିଁ। ବ୍ରହ୍ମପୁର ଲୋକସଭା ଆସନରୁ ସିଦ୍ଧାନ୍ତ ମହାପାତ୍ରଙ୍କ ପରିବର୍ତ୍ତେ ଚନ୍ଦ୍ରଶେଖର ସାହୁ ନିର୍ବାଚନ ଲଢିବାର ସମ୍ଭାବନା ସର୍ବାଧିକ। ସମ୍ବଲପୁର ଆସନରେ ପୂର୍ତ୍ତ ବିଭାଗ ସଚିବ ପଦରୁ ଅବସର ନେଇଥିବା ନଳିନୀକାନ୍ତ ପ୍ରଧାନ ବିଜେଡି ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ବରଗଡ, କଳାହାଣ୍ଡି, ଯାଜପୁର, କେଉଁଝର, ଜଗତସିଂପୁର, ଢେଙ୍କାନାଳ, ଆସ୍କା, କେନ୍ଦ୍ରାପଡା, ସମ୍ବଲପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଇତ୍ୟାଦି ଆସନରେ ବିଜେଡି ନୂଆ ମୁହଁକୁ ଟିକଟ ଦେବ।

କେବଳ ବଲାଙ୍ଗୀର ଓ ପୁରୀ ଆସନକୁ ବାଦ ଦେଲେ ଅନ୍ୟ କୌଣସି ଆସନରେ ବର୍ତ୍ତମାନର ସଦସ୍ୟ ଟିକଟ ପାଇ ନ ପାରନ୍ତି ବୋଲି ନିର୍ଭରଯୋଗ୍ୟ ସୂତ୍ର କହୁଛି। ଏମିତି ବି ହୋଇପାରେ ଯେ ପୂରା ୨୧ ଟି ଯାକ ଲୋକସଭା ଆସନ ପାଇଁ ବିଜେଡି ନୂଆ ମୁହଁକୁ  ପ୍ରାର୍ଥୀ କରିପାରେ। ଲୋକସଭାରେ ୩୩% ସ୍ଥାନ ସଂରକ୍ଷଣ ଦାବୀକୁ ବଳ ଦେବାକୁ ହୁଏତ ଦଳ ତରଫରୁ ଅତିକମରେ ୭ ଜଣ ମହିଳାଙ୍କୁ ଟିକଟ ଦେବାକୁ ଦଳ ବିଚାର ବିମର୍ଶ କରୁଛି। କିଛି ପୁରୁଣା ବିଧାୟକଙ୍କୁ ଲୋକସଭାକୁ ପଠାଇବାର ଯୋଜନା ମଧ୍ୟ କରାଯାଉଛି। ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲ୍ଲିକ, ଅରୁଣ ସାହୁ ପ୍ରମୁଖଙ୍କୁ ଲୋକସଭା ପ୍ରାର୍ଥୀ କରିବାର ସମ୍ଭାବନାକୁ ଏଡାଇ ଦିଆ ଯାଇନପାରେ।

ସଂସଦୀୟ ଦଳରେ ବିଭାଜନ ସୃଷ୍ଟି ପାଇଁ ଦଳର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ୨୦୧୬-୧୭ ରେ ଯେଉଁ ଉଦ୍ୟମ କରିଥିଲେ, ସେଥିରୁ ବିଜେଡି ବେଶୀ ଅଭିଜ୍ଞ ନେତାଙ୍କୁ ଆଉ ଲୋକସଭାକୁ ପଠାଇବାକୁ ଚାହୁଁନାହିଁ। ୨୦୧୯ ଲୋକସଭା ଝୁଲା ହେବାର ସମ୍ଭାବନାକୁ ଆଖି ଆଗରେ ରଖି ବିଜେଡି ନିଜର ନୂଆ ମୁହଁ ଅଭିଯାନ ବିଷୟରେ ଅଧିକ ଗୁରୁତ୍ଵର ସହ ବିଚାର କରୁଛି। ତେବେ ପୁରୁଖା ନେତାଙ୍କୁ ଟିକେଟ ନଦେଲେ ସେମାନେ ଦଳ ପାଇଁ କି ପ୍ରକାର ସଙ୍କଟ ଓ ସମସ୍ୟା ସୃଷ୍ଟି କରିପାରିବେ, ସେ ବିଷୟରେ ମଧ୍ୟ ବିଜେଡି ଭିତରେ ତନାଘନା ଚାଲିଛି। ତଥାଗତ ଶତପଥିଙ୍କ ପରେ ହୁଏତ ଆଉ ଜଣେ ଦୁଇ ଜଣ  ପୁରୁଖା ନେତା ରାଜନୀତିରୁ ସନ୍ୟାସ ନେବା କଥା ଘୋଷଣା କରିପାରନ୍ତି କିମ୍ବା ଦଳ ବଦଳ କରିପାରନ୍ତି।

ବିଜେଡି ସବୁ ସମ୍ଭାବନାର ଗଣିତକୁ ଆଖି ଆଗରେ ରଖି ନୂଆ ମୁହଁ ମାନଙ୍କ ତାଲିକା ତିଆରି କରୁଛି ବୋଲି ଏକ ବିଶେଷ ସୂତ୍ର ରୁ ଜଣା ପଡିଛି।