Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀଲୋକନାଥ ଦେଵ ଶିଶୁ ମନ୍ଦିର ସ୍କୁଲରେ ୨୭ ତମ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ

ଖୋର୍ଦ୍ଧା: ପବିତ୍ର ଶିଶୁ ଦିବସ ଅବସରେ ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ କୁମାରବସ୍ତ ଶ୍ରୀ ଲୋକନାଥ ଦେଵ ଶିଶୁ ମନ୍ଦିର ସ୍କୁଲରେ ୨୭ ତମ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ପ୍ରଦୀପ କୁମାର ରାଉତଙ୍କ ସଂଯୋଜନା ଓ ସ୍କୁଲର ପ୍ରିନ୍ସପାଲ ସ୍ୱପ୍ନାରାଣୀ ପାଟଶାଣୀଙ୍କ ବାର୍ଷିକ ବିବରଣୀ ପାଠ କରିଥିଲେ।

ଅପରାହ୍ନ ୪ ଘଣ୍ଟିକାରେ ପ୍ରଥମ ଅଧିବେଶନ ରେ ଅତିଥି ରୂପେ ପିପିଲ ତହସିଲର ଅତିରିକ୍ତ ତହସିଲଦାର ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ମହାନ୍ତି, ସମାଜସେବୀ ଗୋପାଳକୃଷ୍ଣ ପ୍ରଧାନ, ଲକ୍ଷ୍ମୀଧର ଛୋଟରାୟ, ଗ୍ରାମ୍ୟ କମିଟିର ସମ୍ପାଦକ ଦିବ୍ୟସିଂହ ପାତ୍ରଙ୍କ ସହିତ ବିଦ୍ୟାଳୟର ପ୍ରତିଷ୍ଠାତା, ଶିକ୍ଷାବିତ ନବକିଶୋର ପାତ୍ର ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ରେ ଛୋଟ ଛୋଟ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେବା ସହିତ ପିଲାମାନେ ଆତ୍ମବିଶ୍ୱାସ ଓ ଦୃଢ଼ ସଂକଳ୍ପ ନେଇ ଆଗେଇଲେ ନିଶ୍ଚିତ ସଫଳତା ପାଇବେ ବୋଲି କହିଥିଲେ। ପରେ କୃତି ପିଲାଙ୍କୁ ପୁରସ୍କୃତ କରାଯାଇଥିଲା।

ସେହିପରି ଦ୍ୱିତୀୟ ଅଧିବେଶନରେ ଅତିଥି ରୂପେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ,ବିଜେପି ଜିଲ୍ଲା ସଭାପତି ରଶ୍ମି ମହାପାତ୍ର, ସମାଜସେବୀ ରାମଚନ୍ଦ୍ର ସାମନ୍ତରାୟ, ବିଶ୍ୱରଂଜନ ବଡ଼ଜେନା, ସୁବାସ ପାତ୍ର, ପ୍ରତିଷ୍ଠାତା ନବକିଶୋର ପାତ୍ର ପ୍ରମୁଖ ଯୋଗ ଦେଇ ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ପାଇଁ ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ପିଲାଙ୍କ ମନର ସ୍ଥିରତା, ଏକାଗ୍ରତା, ନିଷ୍ଠା ଆସିବା ପାଇଁ ଭଲ ପରିବେଶ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ।

ପରେ ବିଦ୍ୟାଳୟର ଚମ୍ପିୟାନ ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା, ପିଲାଙ୍କୁ ଓ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରଯାଇଥିଲା ବେଳେ ଏହି ଅବସରେ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ହୋଇଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ କୃତି ୫୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହିତ ଶିକ୍ଷୟତ୍ରୀ ପ୍ରିୟଙ୍କା ପାଟଶାଣୀ, ମମିତା ପବନସିଂ, ସୋନାଲି ମହରଣା, ପ୍ରଣତି ସାହୁ, ଲିଲି ସ୍ୱାଇଁ, ଶିକ୍ଷକ ଡମ୍ବରୁଧର ଦାସ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିଶୁ ଦିବସ ଅବସରରେ କ୍ରାନ୍ତିର ଅଭିନବ ପ୍ରୟାସ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସ୍ଥାନୀୟ ବ୍ରହ୍ମା ନଗରସ୍ଥିତ ପ୍ରଥମ ସରଣୀସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ଶିଶୁ ଦିବସ ଅବସରରେ ରଙ୍ଗରଙ୍ଗ ସାଂସ୍କୃତିକ ସହ ଶିଶୁ କର୍କଟ ସଚେତନତା କାର୍ଯ୍ୟକ୍ରମ ରେଡ୍ ରୋଜ ଶିଶୁ ଦିବସ-୨୦୨୪ ସ୍ଥାନୀୟ ହିଲିପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ମହାସମାରୋହର ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ ମୂଖ୍ୟ ଅତିଥି ରୁପେ ଯୋଗ ଦେଇ କୁନି କୁନି ପିଲାମାନଙ୍କୁ ଆଜିର ଦିନର ମହତ୍ତ୍ଵ ସହ ଜଙ୍କ ଖାଦ୍ୟ ନ ଖାଇବାକୁ ପରାମର୍ଶ ଦେଇଥିଲେ।

କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡ. ଦେବାନନ୍ଦ ଦାଶ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିବା ବେଳେ ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ, ଏସ.ଏମ.ଆଇ.ଟିର ସଭାପତି ଡଃ. ଭଗବାନ ଗନ୍ତାୟତ, ବ୍ରହ୍ମପୁର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଦୀପକ କୁମାର ସାହୁ, ଗଞ୍ଜାମ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ସାହୁ, ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କୁନିକୁନି କଳାକାରମାନଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନ ତରଫରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କର୍କଟ ରୋଗର କାରଣ ଓ ନିରାକରଣ ବିଷୟରେ ବିସ୍ତୃତ ବିବରଣୀ ଉଲ୍ଲେଖ କରିଥିଲେ।

ଏତଦବ୍ୟତୀତ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅରବିନ୍ଦ ବେହେରା, ଏମକେସିଜି ମେଡିକାଲ୍ କଲେଜ ଓ ହସ୍ପିପିଟାଲର ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ହେମନ୍ତ କୁମାର ସିଂ, କାଲାମ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ସମ୍ପାଦକ ସନ୍ତୋଷ କୁମାର ଜେନା, ସମାଜସେବୀ ତଥା ଯୁବ ବ୍ୟବସାୟୀ କେ.ରାଜ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଥିବା ସମସ୍ତ ଅବିଭାବକ ଓ ବିଦ୍ୟାର୍ଥୀମାନକୁ ଶିଶୁ ଦିବସ ଉଦ୍ଦେଶ୍ୟ ସହ ଶିଶୁ କର୍କଟ ରୋଗ ଉପରେ ସଚେତନ କରାଇଥିଲେ। ଡାକ୍ତର ସିଂ ଶିଶୁ କର୍କଟ ରୋଗ ଉପରେ ସମସ୍ତଙ୍କୁ ସଚେତନ କରିବା ସହ ତାର କ୍ରାନ୍ତି ଅନୁଷ୍ଠାନର ଡ.ଦାଶ ଦର୍ଶକଙ୍କୁ ଶିଶୁ କର୍କଟ ଉପରେ ସଚେତନ କରି କର୍କଟ ମୁକ୍ତ ଭାରତ ପାଇଁ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର କୁନି କୁନି କଳାକାର ସହ ବିଭିନ୍ନ ବିଦ୍ୟାଳୟର ଶିଶୁ ମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। କ୍ରାନ୍ତି ଅନୁଷ୍ଠାନର କଳାକାର ଚର୍ଚ୍ଚିକା ଙ୍କ ମା କାଳୀ ନୃତ୍ୟ ଦର୍ଶକମାନଙ୍କୁ ବେଶ୍ ମନଛୁଆଁ ହୋଇଥିଲା। ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପ୍ରାୟ ସାତ ଶହ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବାସହ କୃତି ଛାତ୍ରଛାତ୍ରୀ ମାନକୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ସମସ୍ତ ଦର୍ଶକମାନେ ଆଗ୍ରହର ସହ କାର୍ଯକ୍ରମକୁ ଉପଭୋଗ କରିବା ସହ କୁନି କୁନି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।ଦଳଗତ ନୃତ୍ୟ ପ୍ରତିଯୋଗିତାରେ ଦିଲ୍ଲୀ ପବ୍ଲିକ ସ୍କୁଲ, ସରସ୍ଵତୀ ଶିଶୁ ମନ୍ଦିର ମାଝିଗଉଁ,,ଲିଟ୍ଟଲ୍ ସ୍କୋଲର ସ୍କୁଲ୍ ଓ ବ୍ରହ୍ମପୁର ପବ୍ଲିକ ସ୍କୁଲ କୁ ପୁରସ୍କୃତ କରାଯାଇଥିଲା। ମହାନ୍ ସଂଘ ସଭାପତି ସୁଶାନ୍ତ ସାବତ ଓ ଶ୍ରଦ୍ଧା ଫାଉଣ୍ଡେସନ ସଭାପତି ପ୍ରଣବ କୁମାର ପଣ୍ଡା ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ଦେବରାଜ ରାଉତ, ଅନିଲ କୁମାର ସେଠୀ, ଅରୁଣ ପଟ୍ଟନାୟକ, ସ୍ନିଗ୍ଧା ମହାରଣା, ପରମାନନ୍ଦ ପଣ୍ଡା, ରାଜାରାମ ପାଢୀ, ମିନୋତି ପଟ୍ଟନାୟକ, ଧନଜୟ ପାଣିଗ୍ରାହୀ, ୟା. ଲାବନ୍ୟା, ଚର୍ଚ୍ଚିକା ଦାଶ ଓ ଚିନ୍ମୟାନନ୍ଦ ଦାଶଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: କାର୍ତ୍ତିକ ପୂଜା ମହାଆଡମ୍ବରରେ ପାଳିତ, ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି ଶ୍ରୀରାମ ମନ୍ଦିର ଆକୃତିର ତୋରଣ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅନ୍ତର୍ଗତ ଭଗବତୀ ସାହିସ୍ଥିତ ଶ୍ରୀ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ କାର୍ତ୍ତିକ ପୂଜା ମହାଆଡମ୍ବରରେ ପାଳିତ ହୋଇଯାଇଛି।  ଉକ୍ତ ଅନୁଷ୍ଠାନ ଚଳିତ ବର୍ଷ ୫୧ ବର୍ଷରେ ପାଦ ଥାପିଥିବା ବେଳେ କମିଟି ପକ୍ଷରୁ ଚଳିତ ବର୍ଷ ଭୁବନେଶ୍ୱର ଶ୍ରୀ ରାମ ମନ୍ଦିର ଆକୃତିର ଅବିକଳ ନକଲ ତୋରଣ ନିର୍ମାଣ କରାଯାଇଛି ଯାହାକି ଖୁବ ଚିତାକର୍ଷକ ହୋଇଛି।

ଏହି ଅବସରରେ କମିଟି ସଭ୍ୟମାନଙ୍କ ପକ୍ଷରୁ ଦିନ ତମାମ ପୂଜାର୍ଚ୍ଚନା ଜାରି ରହିଥିବା ବେଳେ ହଜାର ହଜାର ଭକ୍ତ ପ୍ରଭୁ କାର୍ତ୍ତିକେଶ୍ୱର ଦେବଙ୍କ ଦର୍ଶନ ଲାଭ କରିଥିଲେ।

ସୂଚନା ଥାଉକି ବାଣପୁର ଅଞ୍ଚଳର କେବଳ ଭଗବତୀ ସାହି ଠାରେ ହିଁ ପ୍ରତିବର୍ଷ କାର୍ତ୍ତିକେଶ୍ୱର ମୂର୍ତ୍ତି ପୂଜା ପାଆନ୍ତି। ଦୀର୍ଘ ୫୦ ବର୍ଷ ଧରି କମିଟି ସଦସ୍ୟମାନେ ଶୃଙ୍ଖଳିତ ଭାବେ ଉକ୍ତ ପୂଜା ପାଳନ କରିଆସୁଥିବା ବେଳେ ଆସନ୍ତା ୨୬ ତାରିଖରେ କମିଟି ପକ୍ଷରୁ ଏକ ନାଟକର ଆୟୋଜନ କରାଯାଇଛି।

ଉକ୍ତ ନାଟକରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆଦିଲ୍ଲୀରେ ଭଗବାନ ବିର୍ସା ମୁଣ୍ଡାଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀର ବାନ୍ସେରା ପାର୍କରେ ଭଗବାନ ବିର୍ସା ମୁଣ୍ଡାଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ, ଦିଲ୍ଲୀର ଲିୟୁଟନାଂଟ ଗଭର୍ଣର ଶ୍ରୀ ବିନୟ କୁମାର ସାକ୍ସେନା, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ୨୦୨୧ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ (ନଭେମ୍ବର ୧୫) କୁ ଜନଜାତୀୟ ଗୌରବ ଦିବସ (ଆଦିବାସୀ ଗୌରବ ଦିବସ) ଭାବରେ ପାଳନ କରାଯିବ। ଏହି ଦିନ ଭଗବାନ ବିର୍ସା ମୁଣ୍ଡା ଝାଡ଼ଖଣ୍ଡର ଏକ ଛୋଟ ଗାଁରେ ଜନ୍ମ ଗ୍ରହଣ କରିଥିଲେ। ଶ୍ରୀ ଶାହ କହିଛନ୍ତି ଯେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆଗାମୀ ବର୍ଷ ଅର୍ଥାତ୍ ୧୫ ନଭେମ୍ବର, ୨୦୨୫ ପର୍ଯ୍ୟନ୍ତ ଆଦିବାସୀ ଗୌରବ ବର୍ଷ ଭାବେ ପାଳନ କରାଯିବ। ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ମୋଦୀ ସରକାର ସରାଇ କାଲେ ଖାଁ ଛକର ନାମ ପରିବର୍ତ୍ତନ କରି ଭଗବାନ ବିର୍ସା ମୁଣ୍ଡା ଛକ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଭଗବାନ ବିର୍ସା ମୁଣ୍ଡା କେବଳ ତାଙ୍କ ମୂଳ ଆଦିବାସୀ ସଂସ୍କୃତିର ମୁକ୍ତିଦାତା ନୁହଁନ୍ତି, ବରଂ ତାଙ୍କର ୨୫ ବର୍ଷର ସ୍ଵଳ୍ପ ଜୀବନକାଳରେ ସେ ନିଜ ଜୀବନ କିପରି ବଞ୍ଚିବେ ଏବଂ ଆମ ଜୀବନରେ କ’ଣ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ରହିବା ଉଚିତ ତାହା ଦେଶର ଅନେକ ଲୋକଙ୍କୁ ବୁଝାଇଥିଲେ। ଭଗବାନ ବିର୍ସା ମୁଣ୍ଡା ନିଶ୍ଚିତ ଭାବେ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ମହାନ ନାୟକ ବୋଲି ସେ କହିଛନ୍ତି। ୧୮୭୫ ମସିହାରେ ଜନ୍ମଗ୍ରହଣ କରିଥିବା ଭଗବାନ ବିର୍ସା ମୁଣ୍ଡା ଅଳ୍ପ ବୟସରେ ମାଧ୍ୟମିକ ଶିକ୍ଷା ଗ୍ରହଣ ସମୟରେ ଧର୍ମ ପରିବର୍ତ୍ତନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଶ୍ରୀ ଶାହ କହିଥିଲେ ଯେ, ଯେତେବେଳେ ସମଗ୍ର ଭାରତ ଏବଂ ବିଶ୍ୱର ଦୁଇ ତୃତୀୟାଂଶ ଇଂରେଜ ଶାସନ କରୁଥିଲେ, ସେତେବେଳେ ବିର୍ସା ମୁଣ୍ଡା ଧର୍ମ ପରିବର୍ତ୍ତନ ବିରୋଧରେ ଦୃଢ଼ତାର ସହ ଠିଆ ହେବାର ସାହସ ପ୍ରଦର୍ଶନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏହି ସଂକଳ୍ପ ଏବଂ ସାହସିକତା ତାଙ୍କୁ ଏହି ଦେଶର ଜଣେ  ନେତାରେ ପରିଣତ କରିଥିଲା। ରାଞ୍ଚିର ଜେଲରୁ ଇଂଲଣ୍ଡର ରାଣୀଙ୍କ ପର୍ଯ୍ୟନ୍ତ ଜାତୀୟ ନାୟକ ବିର୍ସା  ମୁଣ୍ଡା ଜୀ ଦେଶବାସୀଙ୍କ ସ୍ୱର ପାଲଟିଛନ୍ତି।

ଅମିତ ଶାହ କହିଥିଲେ ଯେ ଭଗବାନ ବିର୍ସା ମୁଣ୍ଡା ଏହି ଧାରଣାକୁ ପୁନର୍ଜୀବିତ କରିଥିଲେ ଯେ ଜଳ, ଜଙ୍ଗଲ ଏବଂ ଜମି ଆଦିବାସୀ ପରିବେଶ, ଜୀବିକା ଏବଂ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସେସବୁ ଆଦିବାସୀମାନଙ୍କ ପାଇଁ ସବୁକିଛି। ବିର୍ସା ମୁଣ୍ଡା ଆଦିବାସୀ ସମାଜରେ ବିଭିନ୍ନ ସଚେତନତା ସୃଷ୍ଟି କରିଥିବା ସମ୍ପର୍କରେ ସେ କହିଥିଲେ। ସେ ମଦ୍ୟପାନ, ଜମିଦାରଙ୍କ ଶୋଷଣ ବ୍ୟବସ୍ଥା ଓ ବ୍ରିଟିଶ ରାଜକୁ ବିରୋଧ କରିଥିଲେ ବୋଲି ଶ୍ରୀ ଶାହ ଉଲ୍ଲେଖ କରିଥିଲେ। ଦେଶର ଆଦିବାସୀ ସମାଜର ସାମାଜିକ ସଂସ୍କାର, ସ୍ୱାଧୀନତା ସଂଗ୍ରାମ ଓ ଧର୍ମାନ୍ତର ବିରୋଧୀ ଆନ୍ଦୋଳନ ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ନିକଟରେ ସମଗ୍ର ଦେଶ କୃତଜ୍ଞ ରହିବ ବୋଲି ଶ୍ରୀ ଶାହ କହିଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଭଗବାନ ବିର୍ସା ମୁଣ୍ଡା, ଯାହାକୁ  “ଧରତୀ ଆବା” (ପୃଥିବୀର ପିତା) ମଧ୍ୟ କୁହାଯାଏ, ତାଙ୍କ ଜୀବନକୁ ଦୁଇ ଭାଗରେ ବିଭକ୍ତ କରି ଦେଖାଯାଇପାରେ। ପ୍ରଥମ ଭାଗ ହେଉଛି ଆଦିବାସୀ ସଂସ୍କୃତିର ସୁରକ୍ଷା ଦିଗରେ ତାଙ୍କର ପ୍ରତିବଦ୍ଧତା ଏବଂ ଦ୍ୱିତୀୟ ଭାଗରେ ମାତୃଭୂମିର ସ୍ୱାଧୀନତା ଏବଂ ଏହାର ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେବାର ଉତ୍ସାହ। ମାତ୍ର ୨୫ ବର୍ଷ ବୟସରେ ଭଗବାନ ବିର୍ସା ମୁଣ୍ଡା ବ୍ରିଟିଶ ଶାସନ ବିରୋଧରେ ବିପ୍ଳବର ଜ୍ୟୋତି ପ୍ରଜ୍ୱଳନ କରି ଆଦିବାସୀଙ୍କ ଅବସ୍ଥା ପ୍ରତି କେବଳ ଦେଶ ନୁହେଁ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ସହ ନିଜ କାର୍ଯ୍ୟ ମାଧ୍ୟମରେ ଏପରି ଏକ କାହାଣୀ ଲେଖିଛନ୍ତି ଯେ ୧୫୦ ବର୍ଷ ପରେ ମଧ୍ୟ ଆଜି ସମଗ୍ର ଦେଶ ତାଙ୍କ ଆଗରେ ନତମସ୍ତକ ହେଉଛି।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ, ସାରା ଦେଶରେ ଇଂରେଜମାନଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ସ୍ୱାଧୀନତା ପରେ ଏହି ମହାନ ବୀରମାନଙ୍କୁ ମନେ ରଖାଯାଇନଥିଲା। ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦ କୋଟି ଟଙ୍କା ବ୍ୟୟରେ ଦେଶର ୨୦ ଜଣ ଆଦିବାସୀ ମହାନାୟକଙ୍କ ସଂଗ୍ରହାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଦ୍ୱାରା ପିଲାମାନେ ଏହି ମହାନ ବୀରମାନଙ୍କ ଜୀବନ ସହିତ ପରିଚିତ ହୋଇପାରିବେ।

ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ତିନୋଟି ସଂଗ୍ରହାଳୟ ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ରାଞ୍ଚିରେ ଭଗବାନ ବିର୍ସା ମୁଣ୍ଡା ସଂଗ୍ରହାଳୟ, ଜବଲପୁରରେ ଶଙ୍କର ଶାହ ଏବଂ ରଘୁନାଥ ଶାହ ସଂଗ୍ରହାଳୟ ଏବଂ ଛିନ୍ଦୱାଡାରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟକୁ ଉଦଘାଟନ କରିଛନ୍ତି। ଅବଶିଷ୍ଟ ସମସ୍ତ ସଂଗ୍ରହାଳୟ ୨୦୨୬ ସୁଦ୍ଧା ପ୍ରସ୍ତୁତ ହୋଇଯିବ।

ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଆଦିବାସୀଙ୍କ ଗୌରବ ପାଇଁ ଅନେକ କାମ କରିଛନ୍ତି। ସ୍ୱାଧୀନତାର ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ମୋଦୀ ସରକାର ଜଣେ ଆଦିବାସୀଙ୍କୁ ରାଷ୍ଟ୍ରପତି ହେବାର ସୁଯୋଗ ଦେଇଛନ୍ତି। ଦ୍ରୌପଦୀ ମୁର୍ମୁ ଏକ ଗରିବ ଆଦିବାସୀ ପରିବାରର ଝିଅ ଏବଂ ଆଜି ସେ ଦେଶର ପ୍ରଥମ ନାଗରିକ ପଦବୀରେ ଅଧିଷ୍ଠିତ ହୋଇଛନ୍ତି। ଶ୍ରୀ ଶାହ କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦୀଙ୍କ ସରକାର ନକ୍ସଲବାଦକୁ ପ୍ରାୟ ନିପାତ କରିଛନ୍ତି, ଯାହା ଆଦିବାସୀ ଅଞ୍ଚଳରେ ବିକାଶକୁ ବାଧା ଦେଉଛି ଏବଂ ପିଲାମାନଙ୍କୁ ବିଭ୍ରାନ୍ତ କରୁଛି।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଆଦିବାସୀଙ୍କ ବିକାଶ ପାଇଁ ବିରୋଧୀ ଦଳ ସରକାରଙ୍କ ପାଖରେ ମାତ୍ର ୨୮,୦୦୦ କୋଟି ଟଙ୍କାର ବଜେଟ୍ ଥିବା ବେଳେ ମୋଦୀ ସରକାର ୨୦୨୪-୨୫ ବର୍ଷର ବଜେଟରେ ଆଦିବାସୀଙ୍କ ବିକାଶ ପାଇଁ ୧,୩୩,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ୨୬,୪୨୮ଟି ଆଦିବାସୀ ଗ୍ରାମରେ ସମସ୍ତ ମୌଳିକ ସୁବିଧା ସମ୍ପୂର୍ଣ୍ଣ ଭାବେ ଯୋଗାଇ ଦିଆଯାଇଛି। ଡିଷ୍ଟ୍ରିକ୍ଟ ମିନେରାଲ୍ସ ଫାଉଣ୍ଡେସନ ସ୍କିମ୍ ରେ ଆଦିବାସୀ ଅଂଚଳରେ ୯୭ ହଜାର କୋଟି ଟଙ୍କା ବଣ୍ଟନ, ୭୦୮ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀ ପିଭିଟିଜି ଉନ୍ନୟନ ମିଶନ ଅଧୀନରେ ୧୫ ହଜାର କୋଟି ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଅଧୀନରେ ୨୪ ହଜାର କୋଟି ଟଙ୍କା ୬୩ ହଜାର ଗାଁର ସମ୍ପୂର୍ଣ୍ଣ ବିକାଶ ପାଇଁ ପ୍ରଦାନ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ସ୍ମାରକୀ ମୁଦ୍ରା ଓ ଡାକ ଟିକଟର ଉନ୍ମୋଚନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନଜାତୀୟ ଗୌରବ ଦିବସ ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ବାର୍ଷିକ ଉତ୍ସବର ଶୁଭାରମ୍ଭ କରିବା ସହ ବିହାରର ଜାମୁଇଠାରେ ପାଖାପାଖି ୬୬୪୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି।

ଭାରତର ବିଭିନ୍ନ ଜିଲ୍ଲାରେ ଆଦିବାସୀ ଦିବସ ସମାରୋହରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତବର୍ଷରୁ ଅଭାସୀ ମାଧ୍ୟମରେ ଯୋଗ ଦେଇଥିବା ଅଗଣିତ ଆଦିବାସୀ ଭାଇ ଭଉଣୀଙ୍କୁ ସେ ସ୍ୱାଗତ କରିଥିଲେ। କାର୍ତ୍ତିକ ପୂର୍ଣ୍ଣମୀ, ଦେବ ଦୀପାବଳି ଏବଂ ଶ୍ରୀ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ପାଳନ କରାଯାଉଛି ବୋଲି ଶ୍ରୀ ମୋଦୀ ଆଜିର ଦିନକୁ ଅତ୍ୟନ୍ତ ପବିତ୍ର ଦିନ ବୋଲି ବର୍ଣ୍ଣନା କରିବା ସହ ଏଥିପାଇଁ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଥିବାରୁ ଆଜି ନାଗରିକଙ୍କ ପାଇଁ ଏକ ଐତିହାସିକ ଦିନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଭାରତର ନାଗରିକ ଏବଂ ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଆଜିର ଜନଜାତୀୟ ଗୌରବ ଦିବସର ପୂର୍ବସୂଚୀ ଭାବରେ ଜାମୁଇରେ ଗତ ୩ ଦିନ ମଧ୍ୟରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସ୍ୱଚ୍ଛତା ଅଭିଯାନ ପାଇଁ ସେ ପ୍ରଶାସନ, ଜାମୁଇର ନାଗରିକ ଏବଂ ବିଶେଷ କରି ମହିଳା ମାନଙ୍କ ଭଳି ବିଭିନ୍ନ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଗତବର୍ଷର ଜନଜାତୀୟ ଗୌରବ ଦିବସରେ ସେ ଧାରତି ଆଭା ବିର୍ସା ମୁଣ୍ଡାଙ୍କ ଜନ୍ମଗ୍ରାମ ଉଲିହାଟୁରେ ଥିବା କଥା ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ଚଳିତ ବର୍ଷ ସେ ସହିଦ ତିଲକା ମାଝୀଙ୍କ ସାହସିକତାର ସାକ୍ଷୀ ଥିଲେ ଏବଂ ଦେଶ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ ଆରମ୍ଭ କରୁଥିବାରୁ ଏହି ଅବସର ଅଧିକ ସ୍ୱତନ୍ତ୍ର ଥିଲା। ଆଗାମୀ ବର୍ଷ ବ୍ୟାପି ଏହି ଉତ୍ସବ ଚାଲିବ ବୋଲି ସେ କହିଛନ୍ତି। ବିହାରର ଜାମୁଇଠାରେ ଆଜିର କାର୍ଯ୍ୟକ୍ରମରେ ଭର୍ଚୁଆଲ ଭାବେ ଯୋଗ ଦେଇଥିବା ବିଭିନ୍ନ ଗ୍ରାମର ୧ କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ବିର୍ସା ମୁଣ୍ଡା, ବୁଦ୍ଧରାମ ମୁଣ୍ଡା ଓ ସିଦ୍ଧୁ କାହ୍ନୁଙ୍କ ବଂଶଧର ଶ୍ରୀ ମଣ୍ଡଳ ମୁର୍ମୁଙ୍କୁ ସ୍ୱାଗତ କରି ସେ ଆନନ୍ଦିତ ବୋଲି ଶ୍ରୀ ମୋଦୀ କହିଛନ୍ତି।

ଆଜି ୬୬୪୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ ଘାଟନ ଓ ଶିଳାନ୍ୟାସ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଦିବାସୀ ପିଲାଙ୍କ ଭବିଷ୍ୟତର ଉନ୍ନତି ପାଇଁ ଆଦିବାସୀଙ୍କ ପାଇଁ ପକ୍କା ଘର, ସ୍କୁଲ ଓ ହଷ୍ଟେଲ, ଆଦିବାସୀ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା, ଆଦିବାସୀ ଅଞ୍ଚଳକୁ ସଂଯୋଗ କରୁଥିବା ସଡ଼କ ପ୍ରକଳ୍ପ, ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ଆଦିବାସୀ ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ପାଇଁ ପ୍ରାୟ ଦେଢ଼ ଲକ୍ଷ ଅନୁମୋଦନ ପତ୍ର ରହିଛି। ଦେବ ଦୀପାବଳି ଅବସରରେ ଆଦିବାସୀଙ୍କ ପାଇଁ ୧୧,୦୦୦ ଆବାସ ନିର୍ମାଣ କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ। ଏହି ଅବସରରେ ସେ ସମସ୍ତ ଆଦିବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଆଜିର ଜନଜାତୀୟ ଗୌରବ ଦିବସ ପାଳନ ଏବଂ ଜନଜାତୀୟ ଗୌରବ ବର୍ଷ ଆରମ୍ଭ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଉତ୍ସବ ଏକ ବଡ଼ ଐତିହାସିକ ଅନ୍ୟାୟକୁ ସୁଧାରିବା ପାଇଁ ଏକ ସଚ୍ଚୋଟ ପ୍ରୟାସ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଆଦିବାସୀମାନେ ସମାଜରେ ସେମାନଙ୍କର ଉପଯୁକ୍ତ ମାନ୍ୟତା ପାଇନାହାଁନ୍ତି। ଆଦିବାସୀ ସମାଜର ଅବଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଦିବାସୀ ସମାଜ ହିଁ ରାଜକୁମାର ରାମଙ୍କୁ ଭଗବାନ ରାମରେ ପରିଣତ କରିବା ସହ ଭାରତର ସଂସ୍କୃତି ଏବଂ ସ୍ୱାଧୀନତାର ସୁରକ୍ଷା ପାଇଁ ଶହ ଶହ ବର୍ଷ ଧରି ସଂଗ୍ରାମର ନେତୃତ୍ୱ ନେଇଥିଲା।

ତେବେ ସ୍ୱାଧୀନତା ପରବର୍ତ୍ତୀ ଦଶନ୍ଧିରେ ସ୍ୱାର୍ଥପର ରାଜନୀତି ଦ୍ୱାରା ଆଦିବାସୀ ସମାଜର ଏଭଳି ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଲୋପ କରିବାକୁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି। ଭାରତର ସ୍ୱାଧୀନତା ପାଇଁ ଉଲଗୁଲାନ ଆନ୍ଦୋଳନ, କୋଲ ବିଦ୍ରୋହ, ସାନ୍ଥାଲ ବିଦ୍ରୋହ, ଭିଲ ଆନ୍ଦୋଳନ ଭଳି ଆଦିବାସୀଙ୍କ ବିଭିନ୍ନ ଅବଦାନ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଆଦିବାସୀଙ୍କ ଅବଦାନ ଅତୁଳନୀୟ। ଅଲ୍ଲୁରୀ ସୀତାରାମ ରାଜୁ, ତିଲକା ମାଝୀ, ସିଦ୍ଧୁ କାହ୍ନୁ, ବୁଧୁ ଭଗତ, ତେଲଙ୍ଗ ଖରିଆ, ଗୋବିନ୍ଦ ଗୁରୁ, ତେଲେଙ୍ଗାନାର ରାମଜୀ ଗୋଣ୍ଡ, ମଧ୍ୟପ୍ରଦେଶର ବାଦଲ ଭୋଇ, ରାଜା ଶଙ୍କର ଶାହା, କୁବର ରଘୁନାଥ ଶାହ, ତନ୍ତ୍ୟା ଭିଲ, ଯାତ୍ରା ଭଗତ, ଲକ୍ଷ୍ମଣ ନାୟକ, ମିଜୋରାମର ରୋପୁଲିଆନି, ରାଜ ମୋହିନୀ ଦେବୀ, ରାଣୀ ଗାଇଦିନିଲନିୟୁ, କାଲିବାଇ, ଗୋଣ୍ଡୱାନାର ରାଣୀ ଦୁର୍ଗାବତୀ ଦେବୀଙ୍କ ଭଳି ସମଗ୍ର ଭାରତର ବିଭିନ୍ନ ଆଦିବାସୀ ନେତାଙ୍କୁ କେବେ ବି ଭୁଲିହେବ ନାହିଁ। ହଜାର ହଜାର ଆଦିବାସୀଙ୍କୁ ଇଂରେଜମାନେ ହତ୍ୟା କରିଥିବା ମାନଗଡ଼ ହତ୍ୟାକାଣ୍ଡକୁ ଭୁଲିହେବ ନାହିଁ ବୋଲି ଶ୍ରୀ ମୋଦୀ କହିଥିଲେ।

ସଂସ୍କୃତି ହେଉ କି ସାମାଜିକ ନ୍ୟାୟ କ୍ଷେତ୍ରରେ ତାଙ୍କ ସରକାରଙ୍କ ମାନସିକତା ଭିନ୍ନ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବା ସେମାନଙ୍କର ସୌଭାଗ୍ୟ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଏବଂ ପିଏମ୍-ଜନମନ ଯୋଜନାରେ ହୋଇଥିବା ସମସ୍ତ କାର୍ଯ୍ୟର ଶ୍ରେୟ ରାଷ୍ଟ୍ରପତିଙ୍କ ନିକଟକୁ ଯାଉଛି। ବିଶେଷ କରି ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ର ସଶକ୍ତୀକରଣ ପାଇଁ ୨୪,୦୦୦ କୋଟି ଟଙ୍କାର ପିଏମ୍ ଜନମନ ଯୋଜନା ଆରମ୍ଭ କରାଯାଇଥିବା କଥା ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଯୋଜନା ଅଧୀନରେ ଦେଶର ଅତି ପଛୁଆ ଜନଜାତିଙ୍କ ବସ୍ତିର ବିକାଶ ସୁନିଶ୍ଚିତ କରାଯାଉଛି।

ଏହି ଯୋଜନାକୁ ଆଜି ଏକ ବର୍ଷ ପୂରିଛି ଏବଂ ଏହି ଯୋଜନା ଅଧୀନରେ ପିଭିଟିଜିମାନଙ୍କୁ ହଜାର ହଜାର ପକ୍କା ଘର ଦିଆଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ପିଭିଟିଜି ବସ୍ତି ଏବଂ ପିଭିଟିଜିର ଅନେକ ଘରେ ହର ଘର ଜଳ ଯୋଜନା ଅଧୀନରେ ପାନୀୟ ଜଳ ମଧ୍ୟରେ ଯୋଗାଯୋଗ ସୁନିଶ୍ଚିତ କରିବା ପାଇଁ ସଡ଼କ ବିକାଶ ପ୍ରକଳ୍ପ ଗୁଡିକ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଯେଉଁମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି ସେମାନଙ୍କୁ ସେ ପୂଜା କରନ୍ତି ବୋଲି ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ପୂର୍ବ ସରକାରମାନଙ୍କ ମନୋଭାବ ଯୋଗୁଁ ଆଦିବାସୀ ସମାଜରେ ଦଶନ୍ଧି ଧରି ମୌଳିକ ଭିତ୍ତିଭୂମିର ଅଭାବ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଡଜନାଧିକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ବିକାଶର ଗତିରେ ପଛରେ ପଡ଼ିଛି। ଶ୍ରୀ ମୋଦୀ କହିଥିଲେ ଯେ ସେମାନଙ୍କ ସରକାର ଚିନ୍ତାଧାରାରେ ପରିବର୍ତ୍ତନ ଆଣି ସେମାନଙ୍କୁ ‘ଆକାଂକ୍ଷୀ ଜିଲ୍ଲା’ ଭାବେ ଘୋଷଣା କରିଛନ୍ତି ଏବଂ ସେମାନଙ୍କ ବିକାଶ ପାଇଁ ଦକ୍ଷ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। ଆଜି ଏଭଳି ଅନେକ ଆକାଂକ୍ଷୀ ଜିଲ୍ଲା ବିଭିନ୍ନ ଉନ୍ନୟନମୂଳକ ମାନଦଣ୍ଡରେ ଅନେକ ବିକଶିତ ଜିଲ୍ଲା ତୁଳନାରେ ଭଲ ପ୍ରଦର୍ଶନ କରିଥିବାରୁ ସେ ଆନନ୍ଦିତ ହୋଇଥିଲେ। ଏହାର ଫାଇଦା ଆଦିବାସୀମାନଙ୍କୁ ମିଳୁଛି ବୋଲି ସେ କହିଛନ୍ତି।

“ଆଦିବାସୀ କଲ୍ୟାଣ ସର୍ବଦା ଆମ ସରକାରଙ୍କ ପ୍ରାଥମିକତା ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଟଳଜୀଙ୍କ ସରକାର ହିଁ ଆଦିବାସୀ ବ୍ୟାପାର ପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରିଥିଲେ। ଗତ ୧୦ ବର୍ଷ ମଧ୍ୟରେ ବଜେଟ୍ ଆବଣ୍ଟନ ୨୫,୦୦୦ କୋଟି ଟଙ୍କାରୁ ୫ ଗୁଣ ବୃଦ୍ଧି କରାଯାଇ ୧.୨୫ ଲକ୍ଷ କୋଟି ଟଙ୍କା କରାଯାଇଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ନିକଟରେ ୬୦,୦୦୦ରୁ ଅଧିକ ଆଦିବାସୀ ଗ୍ରାମ ଉପକୃତ ହେବା ପାଇଁ ଧାରତି ଆଭା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ (ଡିଏଜିଜିୟୁଏ) ନାମକ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ ହୋଇଛି। ଆଦିବାସୀ ଗ୍ରାମରେ ମୌଳିକ ସୁବିଧା ଉପଲବ୍ଧ କରାଇବା ସହ ଆଦିବାସୀ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ଓ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଏହି ଯୋଜନା ମାଧ୍ୟମରେ ୮୦,୦୦୦ କୋଟି ଟଙ୍କା ବିନିଯୋଗ କରାଯାଉଛି। ଏହି ଯୋଜନାର ଏକ ଅଂଶ ଭାବରେ ହୋମ୍ ଷ୍ଟେ ସୃଷ୍ଟି କରିବା ପାଇଁ ପ୍ରଶିକ୍ଷଣ ଏବଂ ସହାୟତା ସହିତ ଆଦିବାସୀ ମାର୍କେଟିଂ ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି। ଏହା ଦ୍ବାରା ପର୍ଯ୍ୟଟନକୁ ସୁଦୃଢ଼ କରିବା ସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପରିବେଶ ପର୍ଯ୍ୟଟନର ସମ୍ଭାବନା ସୃଷ୍ଟି ହେବ, ଯାହା ଆଦିବାସୀଙ୍କ ସ୍ଥାନାନ୍ତରକୁ ରୋକିବ ବୋଲି ସେ କହିଛନ୍ତି।

ଆଦିବାସୀ ଐତିହ୍ୟର ସଂରକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପ୍ରୟାସ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଅନେକ ଆଦିବାସୀ କଳାକାରଙ୍କୁ ପଦ୍ମ ପୁରସ୍କାର ରେ ସମ୍ମାନିତ କରାଯାଇଛି। ରାଞ୍ଚିରେ ଭଗବାନ ବିର୍ସା ମୁଣ୍ଡାଙ୍କ ନାମରେ ଏକ ଆଦିବାସୀ ସଂଗ୍ରହାଳୟ ଆରମ୍ଭ କରାଯାଇଛି ଏବଂ ସମସ୍ତ ସ୍କୁଲ ପିଲାଙ୍କୁ ଏଠାକୁ ଆସି ପାଠ ପଢିବାକୁ ଅନୁରୋଧ କରିଛନ୍ତି। ମଧ୍ୟପ୍ରଦେଶର ଚିନ୍ଦୱାଡାରେ ବାଦଲ ଭୋଇଙ୍କ ନାମରେ ଏକ ଆଦିବାସୀ ସଂଗ୍ରହାଳୟ ଏବଂ ମଧ୍ୟପ୍ରଦେଶର ଜବଲପୁରରେ ରାଜା ଶଙ୍କର ଶାହା ଓ କୁବର ରଘୁନାଥ ଶାହାଙ୍କ ନାମରେ ନାମିତ ଆଦିବାସୀ ସଂଗ୍ରହାଳୟ ଆଜି ଉଦ୍ ଘାଟିତ ହୋଇଛି।

ଆଜି ଶ୍ରୀନଗର ଓ ସିକିମରେ ଦୁଇଟି ଆଦିବାସୀ ଗବେଷଣା କେନ୍ଦ୍ର ଉଦଘାଟିତ ହେବା ସହ ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ଏକ ସ୍ମାରକୀ ମୁଦ୍ରା ଓ ଡାକ ଟିକଟ ଉନ୍ମୋଚନ କରାଯାଇଛି। ଏହି ସମସ୍ତ ପ୍ରୟାସ ଭାରତବାସୀଙ୍କୁ ଆଦିବାସୀଙ୍କ ସାହସିକତା ଏବଂ ସମ୍ମାନ ବିଷୟରେ ନିରନ୍ତର ମନେ ପକାଇବ ବୋଲି ଶ୍ରୀ ମୋଦୀ କହିଥିଲେ।

ଭାରତର ପ୍ରାଚୀନ ଔଷଧ ପ୍ରଣାଳୀରେ ଆଦିବାସୀ ସମାଜର ମହାନ ଅବଦାନ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ଐତିହ୍ୟକୁ ସୁରକ୍ଷିତ ରଖିବା ସହିତ ଭବିଷ୍ୟତ ପିଢ଼ି ପାଇଁ ନୂତନ ଦିଗ ଯୋଡିବାରେ ଲାଗିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଲେହରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସୋୱା-ରିଗପା ପ୍ରତିଷ୍ଠା କରିଛନ୍ତି, ଅରୁଣାଚଳ ପ୍ରଦେଶରେ ଉତ୍ତର-ପୂର୍ବାଞ୍ଚଳ ଆୟୁର୍ବେଦ ଏବଂ ଲୋକ ଚିକିତ୍ସା ଗବେଷଣା ପ୍ରତିଷ୍ଠାନର ଉନ୍ନତିକରଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସରକାର ଡବ୍ଲ୍ୟୁଏଚଓର ତତ୍ତ୍ୱାବଧାନରେ ପାରମ୍ପରିକ ଔଷଧ ପାଇଁ ଆଗାମୀ ଗ୍ଲୋବାଲ ସେଣ୍ଟର ପ୍ରତିଷ୍ଠା କରୁଛନ୍ତି, ଯାହା ଆଦିବାସୀମାନଙ୍କ ପାରମ୍ପରିକ ଔଷଧ ପ୍ରଣାଳୀକୁ ସମଗ୍ର ବିଶ୍ୱରେ ଅଧିକ ପ୍ରସାରିତ କରିବାରେ ସାହାଯ୍ୟ କରିବ।

“ଆଦିବାସୀ ସମାଜର ଶିକ୍ଷା, ଆୟ ଏବଂ ଔଷଧ ଉପରେ ଆମ ସରକାରଙ୍କ ଧ୍ୟାନ ରହିଛି” ବୋଲି ଶ୍ରୀ ମୋଦୀ କହିଥିଲେ । ଡାକ୍ତରୀ, ଇଞ୍ଜିନିୟରିଂ, ସଶସ୍ତ୍ର ବାହିନୀ କିମ୍ବା ବିମାନ ଚଳାଚଳ ଭଳି ବିଭିନ୍ନ କ୍ଷେତ୍ରରେ ଆଦିବାସୀ ପିଲାମାନେ ଆଗେଇ ଆସୁଥିବାରୁ ସେ ଖୁସି ହୋଇଥିଲେ। ଆଦିବାସୀ ଅଂଚଳରେ ଗତ ଏକ ଦଶନ୍ଧି ମଧ୍ୟରେ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଉନ୍ନତ ସମ୍ଭାବନା ସୃଷ୍ଟି ହେବାର ଏହା ପରିଣାମ ବୋଲି ସେ କହିଛନ୍ତି।

ସ୍ୱାଧୀନତା ପରବର୍ତ୍ତୀ ଛଅ ଦଶନ୍ଧି ମଧ୍ୟରେ ଗୋଟିଏ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଥିବା ବେଳେ ଗତ ଦଶନ୍ଧିମଧ୍ୟରେ ତାଙ୍କ ସରକାର ୨ଟି ନୂତନ ଆଦିବାସୀ ବିଶ୍ୱବିଦ୍ୟାଳୟ ଯୋଡ଼ିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିଳ୍ପ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆଇଟିଆଇ) ସହିତ ଅନେକ ଡିଗ୍ରୀ ଏବଂ ଇଞ୍ଜିନିୟରିଂ କଲେଜ ଆରମ୍ଭ ହୋଇଛି। ଶ୍ରୀ ମୋଦୀ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ଆଦିବାସୀ ଅଂଚଳରେ ୩୦ଟି ନୂତନ ମେଡିକାଲ କଲେଜ ଆରମ୍ଭ ହେବା ସହ ବିହାରର ଜାମୁଇରେ ଗୋଟିଏ ସମେତ ଅନେକ ନୂତନ ମେଡିକାଲ କଲେଜରେ କାର୍ଯ୍ୟ ଚାଲିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମଗ୍ର ଦେଶରେ ୭୦୦୦ ଏକଲବ୍ୟ ବିଦ୍ୟାଳୟର ଏକ ଶକ୍ତିଶାଳୀ ନେଟୱାର୍କ ବିକଶିତ କରାଯାଉଛି।

ଡାକ୍ତରୀ, ଇଞ୍ଜିନିୟରିଂ ଓ ବୈଷୟିକ ଶିକ୍ଷାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଭାଷା ବାଧକ ସାଜିଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସରକାର ମାତୃଭାଷାରେ ପରୀକ୍ଷା ଦେବାର ବିକଳ୍ପ ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଏକ ନୂଆ ଆଶା ଦେଇଛି ବୋଲି ସେ କହିଛନ୍ତି।

ଗତ ଦଶନ୍ଧିମଧ୍ୟରେ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ପଦକ ଜିତିବାରେ ଆଦିବାସୀ ଯୁବକମାନଙ୍କ ସଫଳତା ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଦିବାସୀ ଅଂଚଳରେ କ୍ରୀଡ଼ା ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଖେଲୋ ଇଣ୍ଡିଆ ଅଭିଯାନର ଏକ ଅଂଶ ଭାବରେ ଆଧୁନିକ ଖେଳ ପଡ଼ିଆ, କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ କରାଯାଉଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତର ପ୍ରଥମ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ମଣିପୁରରେ ଆରମ୍ଭ ହୋଇଥିଲା।

ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ବାଉଁଶ ସମ୍ବନ୍ଧୀୟ ଆଇନ ଅତ୍ୟନ୍ତ କଠୋର ଥିଲା ଯାହା ଆଦିବାସୀ ସମାଜ ପାଇଁ ବ୍ୟାପକ ଅସୁବିଧା ସୃଷ୍ଟି କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ସରକାର ବାଉଁଶ ଚାଷ ସମ୍ବନ୍ଧୀୟ ଆଇନକୁ ସହଜ କରିଛନ୍ତି। ଅତୀତରେ ୮ରୁ ୧୦ଟି ବନଜାତ ଦ୍ରବ୍ୟ ଥିବା ବେଳେ ପ୍ରାୟ ୯୦ଟି ଜଙ୍ଗଲଜାତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ପରିସରଭୁକ୍ତ କରାଯାଇଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଭାରତରେ ୪୦୦୦ରୁ ଅଧିକ ବନ ଧନ କେନ୍ଦ୍ର କାର୍ଯ୍ୟ କରୁଛି, ଯାହା ପ୍ରାୟ ୧୨ ଲକ୍ଷ ଆଦିବାସୀ କୃଷକଙ୍କୁ ସାହାଯ୍ୟ କରୁଛି।

ଏହି ଯୋଜନା ଆରମ୍ଭ ହେବା ପରଠାରୁ ପ୍ରାୟ ୨୦ ଲକ୍ଷ ଆଦିବାସୀ ମହିଳା ଲକ୍ଷପତି ଦିଦି ହୋଇଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଦିବାସୀ ଉତ୍ପାଦ ଯଥା ବାସ୍କେଟ୍, ଖେଳନା ଏବଂ ଅନ୍ୟାନ୍ୟ ହସ୍ତଶିଳ୍ପ ପାଇଁ ପ୍ରମୁଖ ସହରଗୁଡ଼ିକରେ ଆଦିବାସୀ ହାଟ ସ୍ଥାପନ କରାଯାଉଛି। ଆଦିବାସୀ ହସ୍ତଶିଳ୍ପ ଉତ୍ପାଦ ପାଇଁ ଇଣ୍ଟରନେଟରେ ଏକ ଗ୍ଲୋବାଲ ମାର୍କେଟପ୍ଲେସ ସୃଷ୍ଟି କରାଯାଉଛି ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଅନ୍ତର୍ଜାତୀୟ ନେତା ଏବଂ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବା ସମୟରେ ସୋହରାଇ ଚିତ୍ରକଳା, ୱାର୍ଲି ପେଣ୍ଟିଂ, ଗୋଣ୍ଡ ପେଣ୍ଟିଂ ଭଳି ଆଦିବାସୀ ଉତ୍ପାଦ ଏବଂ କଳାକୃତି ପ୍ରଦାନ କରିବାକୁ ସୁନିଶ୍ଚିତ କରିଥିଲେ।

ସିକେଲ ସେଲ୍ ଆନିମିଆ ଆଦିବାସୀ ସମ୍ପ୍ରଦାୟ ପାଇଁ ଏକ ବଡ଼ ଆହ୍ୱାନ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସରକାର ଏକ ଜାତୀୟ ସିକେଲ ସେଲ୍ ଆନିମିଆ ମିଶନ ଆରମ୍ଭ କରିଛନ୍ତି। ମିଶନର ଗୋଟିଏ ବର୍ଷରେ ସାଢ଼େ ୪ କୋଟି ଆଦିବାସୀଙ୍କ ସ୍କ୍ରିନିଂ କରାଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରଗୁଡ଼ିକୁ ବିକଶିତ କରାଯାଇଥିଲା ଯାହାଦ୍ୱାରା ଆଦିବାସୀମାନଙ୍କୁ ସ୍କ୍ରିନିଂ କରିବା ପାଇଁ ଅଧିକ ଦୂରକୁ ଯିବାକୁ ପଡିବ ନାହିଁ । ଅପହଞ୍ଚ ଆଦିବାସୀ ଅଂଚଳରେ ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ସ୍ଥାପନ କରାଯାଇଛି ବୋଲି ସେ କହିଛନ୍ତି।

ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇରେ ବିଶ୍ୱରେ ଭାରତର ପ୍ରମୁଖ ଭୂମିକା ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଲେ ଯେ ଏହା ଆଦିବାସୀ ସମାଜ ଦ୍ୱାରା ଶିଖାଯାଇଥିବା ମୂଲ୍ୟବୋଧ କାରଣରୁ ହୋଇଛି ଯାହା ଆମ ଚିନ୍ତାଧାରାର ମୂଳ ଆଧାର ଥିଲା । ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବିର୍ସା ମୁଣ୍ଡା ଜନଜାତି ଉପବଂଶ ଗଠନ ପାଇଁ ଆଦିବାସୀ ସମାଜ ପ୍ରକୃତିକୁ ସମ୍ମାନ ଦେଉଛି ବୋଲି ଶ୍ରୀ ମୋଦୀ ଘୋଷଣା କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉପବନରେ ୫୦୦ ହଜାର ବୃକ୍ଷ ରୋପଣ କରାଯିବ।

ନିଜର ଅଭିଭାଷଣ ଶେଷ କରି ଶ୍ରୀ ମୋଦୀ କହିଥିଲେ ଯେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଆମକୁ ବଡ଼ ସଂକଳ୍ପ ନେବାକୁ ପ୍ରେରଣା ଦେଇଥାଏ। ଏକ ନୂତନ ଭାରତ ଗଠନ, ଆଦିବାସୀ ଐତିହ୍ୟର ସଂରକ୍ଷଣ, ଏକ ଶକ୍ତିଶାଳୀ, ସମୃଦ୍ଧ ଏବଂ ଶକ୍ତିଶାଳୀ ଭାରତ ଗଠନକୁ ସୁନିଶ୍ଚିତ କରିବା ପାଇଁ ଆଦିବାସୀ ସମାଜ ଦ୍ୱାରା ଶହ ଶହ ବର୍ଷ ଧରି ସଂରକ୍ଷିତ ଥିବା ଜିନିଷଶିଖିବା ପାଇଁ ଆଦିବାସୀ ଚିନ୍ତାଧାରାକୁ ଆଧାର କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିହାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଜିତନ ରାମ ମାଝୀ, କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ, କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାସୱାନ, ଦୁର୍ଗା ଦାସ ଉଇକେ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧାରତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ବାର୍ଷିକ ଉତ୍ସବର ଶୁଭାରମ୍ଭ ଅବସରରେ ଜନଜାତୀୟ ଗୌରବ ଦିବସ ପାଳନ କରିବା ପାଇଁ ବିହାରର ଜାମୁଇ ଗସ୍ତ କରିଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କରିଥିଲେ । ଏହି ଅଞ୍ଚଳର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଂଚଳରେ ଆଦିବାସୀ ସଂପ୍ରଦାୟର ଉନ୍ନତି ଏବଂ ଭିତ୍ତିଭୂମିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ୬,୬୪୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ।

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ-ଜନମନ) ଅଧୀନରେ ନିର୍ମିତ ୧୧,୦୦୦ ଆବାସର ଗୃହ ପ୍ରବେଶରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ-ଜନମନ ଅଧୀନରେ ଆରମ୍ଭ ହୋଇଥିବା ୨୩ଟି ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ (ଏମଏମୟୁ) ଏବଂ ଆଦିବାସୀ ଅଂଚଳରେ ସ୍ୱାସ୍ଥ୍ୟସେବାର ସୁବିଧା ବୃଦ୍ଧି ପାଇଁ ଧାରତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ (ଡିଏଜିଜିୟୁଏ) ଅଧୀନରେ ଅତିରିକ୍ତ ୩୦ ଏମଏମୟୁକୁ ଉଦଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ଆଦିବାସୀ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଏବଂ ଜୀବିକା ସୃଷ୍ଟିରେ ସହାୟତା କରିବା ପାଇଁ ୩୦୦ ଟି ବନ ଧନ ବିକାଶ କେନ୍ଦ୍ର (ଭିଡିଭିକେ) ଉଦଘାଟନ କରିଥିଲେ ଏବଂ ପ୍ରାୟ ୪୫୦ କୋଟି ଟଙ୍କା ମୂଲ୍ୟର ୧୦ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସମର୍ପିତ କରିଥିଲେ । ସେ ମଧ୍ୟପ୍ରଦେଶର ଛିନ୍ଦୱାଡା ଏବଂ ଜବଲପୁରରେ ଦୁଇଟି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଏବଂ ଜମ୍ମୁ ଓ କଶ୍ମୀର ଏବଂ ସିକ୍କିମର ଗଙ୍ଗଟକରେ ଦୁଇଟି ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ଉଦଘାଟନ କରିଥିଲେ।

ପ୍ରଧାନମନ୍ତ୍ରୀ ଜନମାନ ଙ୍କ ଅଧୀନରେ କମ୍ୟୁନିଟି ହବ୍ ଭାବରେ କାର୍ଯ୍ୟ କରିବା ପାଇଁ ଆଦିବାସୀ ଅଂଚଳରେ ଯୋଗାଯୋଗ ରେ ଉନ୍ନତି ଆଣିବା ପାଇଁ ୫୦୦ କିଲୋମିଟର ନୂତନ ସଡ଼କ ଏବଂ ୧୦୦ ଟି ବହୁମୁଖୀ କେନ୍ଦ୍ର (ଏମପିସି)ର ଶିଳାନ୍ୟାସ କରିଥିଲେ । ଆଦିବାସୀ ପିଲାଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର ପ୍ରତିଶ୍ରୁତିକୁ ଆହୁରି ବଢ଼ାଇବା ପାଇଁ ୧୧୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୫ଟି ଅତିରିକ୍ତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିଥିଲେ।

ପ୍ରଧାନମନ୍ତ୍ରୀ ପାଖାପାଖି ୫୦୦ କୋଟି ଟଙ୍କାର ପିଏମ୍ ଜନମନ ଅଧୀନରେ ୨୫,୦୦୦ ନୂତନ ଆବାସ ଏବଂ ୧୯୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (ବାଜଗୁଆ) ଅଧୀନରେ ୧.୧୬ ଲକ୍ଷ ଆବାସ; ପିଏମ ଜନମନ ଅଧୀନରେ ୬୬ଟି ହଷ୍ଟେଲ ଏବଂ ଡାଜଗୁଆ ଅଧୀନରେ ୩୦୪ଟି ହଷ୍ଟେଲରେ ୧୧୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀ ଜନମାନ ଅଧୀନରେ ୫୦ଟି ନୂତନ ବହୁମୁଖୀ କେନ୍ଦ୍ର, ୫୫ଟି ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ୍ ଏବଂ ୬୫ଟି ଅଙ୍ଗନବାଡ଼ି କେନ୍ଦ୍ର; ଡାଜଗୁଆ ଅଧୀନରେ ଆଶ୍ରମ ସ୍କୁଲ, ହଷ୍ଟେଲ, ସରକାରୀ ଆବାସିକ ବିଦ୍ୟାଳୟ ଆଦିର ଉନ୍ନତିକରଣ ପାଇଁ ୩୩୦ଟି ପ୍ରକଳ୍ପ ସହିତ ସିକଲ୍ ସେଲ୍ ରକ୍ତହୀନତା ଦୂରୀକରଣ ପାଇଁ ୬ଟି ଦକ୍ଷତା କେନ୍ଦ୍ର, ଯାହାର ମୂଲ୍ୟ ପାଖାପାଖି ୫୦୦ କୋଟି ଟଙ୍କା ସମେତ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼: ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଜନଜାତୀୟ ଗୌରବ ଦିବସ ସମାରୋହ ଅନୁଷ୍ଠିତ

ନୟାଗଡ଼: ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ଦ୍ୱାରା ନୟାଗଡ଼ ଦଶପଲ୍ଲା ବ୍ଲକ ଟାକରା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ଖଣ୍ଡପଡ଼ାର ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଦଶପଲ୍ଲାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବିଜେପି ନେତା ରାଘବ ମଲ୍ଲିକ, ଜିଲ୍ଲା ସ୍ତରୀୟ ଅଧିକାରୀ, ହଜାର ହଜାର ଆଦିମ ଜନଜାତି ପୁରୁଷ ମହିଳା ଉପସ୍ଥିତି ଥିଲେ।

ଏହି ଅବସରରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଜନ୍ମ ପ୍ରମାନପତ୍ର ସହ ଜନମନ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଆବାସ ଗୃହର ଗୃହ ପ୍ରବେଶ କରାଯାଇଛି। ଏହି ସ୍ବଚ୍ଛଭାରତ ଅଭିଯାନ, ମଶାରୀ ବଣ୍ଟନ, ଆଧାର କାର୍ଡ କ୍ୟାମ୍ପ, ଆୟୁଷ୍ମାନ ଭାରତ କାର୍ଡ, ପିଏମ କିଷାନ ସମ୍ମାନ ନିଧି ଯୋଜନା ସହ ସରକାରଙ୍କ ବିଭିନ୍ନ ଯୋଜନାକୁ ହିତାଧିକାରୀମାନେ କିପରି ଉପକୃତ ହୋଇପାରିବେ ବ୍ୟବସ୍ଥା ଓ ସଚେତନତା କରିବା ନିମିତ୍ତ ଷ୍ଟଲ ପ୍ରଦର୍ଶିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ଧରିତ୍ରୀ ଆବା(ଠାକୁର) ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (ଡ଼ିଏ-ଜୁଗୁଆ) ପାଳନ ଅବସରରେ ଜନଜାତି ବହୁଳ ମୋଟ ୧୧୩ଟି ଗ୍ରାମରେ ପର୍ଯ୍ୟାୟକ୍ରମେ ପ୍ରଶାସନ ତରଫରୁ ଗ୍ରାମସଭାମାନ କରାଯିବ। ଏଥିରେ ଦଶପଲ୍ଲା ବ୍ଲକର ୧୧୦ଟି ଗ୍ରାମ, ନୂଆଗାଁ ବ୍ଳକର ୨ଟି ଗ୍ରାମ ଏବଂ ଗଣିଆ ବ୍ଲକର ୧ଟି ଗ୍ରାମ ସର୍ବମୋଟ ୧୧୩ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି। ଧରିତ୍ରୀ ଆବା (ଠାକୁର) ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (ଡ଼ିଏ-ଜୁଗୁଆ) ପାଳନ ଅବସରରେ ଆଜି ଟାକରା ଉଚ୍ଚ ବିଦ୍ୟାଳୟରେ ବିଭାଗୀୟ ଷ୍ଟଲ ମାଧ୍ୟମରେ ଜନସାଧାରଣଙ୍କୁ ବିଭିନ୍ନ ବିଷୟରେ ସଚେତନତା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଗୋବରୀ ବାଲିଯାତ୍ରା ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

କେନ୍ଦ୍ରାପଡା: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ନମୀ ଅବସରରେ ଗୋବରୀ ବାଲିଯାତ୍ରାର ୨ୟ ବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ କମିଟିର ସଭାପତି ବିବେକାନନ୍ଦ ମହାରଣାଙ୍କ ନେତୃତ୍ୱରେ ଏବଂ ସଂପାଦକ କରୁଣାକର ଦାସଙ୍କ ତତ୍ୱାବଧାନରେ ପୂର୍ବାହ୍ନ ୯ ଘଟିକା ସମୟରେ ବହୁ ଆଡମ୍ବର ପୂର୍ଣ୍ଣ ଭାବେ ତିନିମହାଣୀ, ଚଟିପୋଲ, ସନ୍ନିକଟ ଗୁଲନଗର ଗ୍ରାମ ଗୋବରୀ ନଦୀ ପଠାରେ ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପୋଲିସ୍, ଫାୟାର ଓ ଆମ୍ବୁଲାନସ୍ ଟମ୍ ସହିତ ଶାନ୍ତି, ଶ୍ରୁଙ୍ଖଳାର ସହିତ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୀତାଞ୍ଜଳୀ ସେଠୀ ଯୋଗ ଦେଇଥିଲେ। ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ୭ ଜଣ ସାଧବପୁଅ ମାନଙ୍କୁ ୭ ଜଣ ସାଧବ ବୋହୁମାନେ ବନ୍ଦାପନା କରି ଘଣ୍ଟ, ଘଣ୍ଟା, ଶଂଙ୍ଖ, ହୁଳହୁଳି, ଫୁଲ, ଚନ୍ଦନ ଦେଇ ସୁସଜିତ ବେଶରେ ବୋଇତରେ ଐତିହ୍ୟ, ସଂସ୍କ୍ରୁତି, ପରମ୍ପରାକୁ ଉଜୀବିତ କରି ରଖିବା ପାଇଁ ଦରିଆ ଆରପାରିକୁ ବାଣୀଜ୍ୟ, ବ୍ୟବସାୟ କରିବା ଉଦ୍ଧେଶ୍ୟରେ ମେଲାଣୀ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କମିଟିର ଉପସଭାପତି ପ୍ରଫୁଲ୍ଲ କୁମାର ଦାସ ଓ ସହସମ୍ପାଦକ ଶାନ୍ତି ସ୍ୱରୂପ ଭୂୟାଁ। ମଞ୍ଚ ସମ୍ମୁଖରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ମାଧବ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ନୀହାର ରଂଜନ ସାହୁ, ସମାଜସେବୀ ଉମେଶ ଦାସ, କୋଷାଧ୍ୟକ୍ଷ ପବିତ୍ର ବେହେରା, ଅକ୍ଷୟ ସେନାପତୀ, ନାରୀନେତ୍ରୀ ପାର୍ବତୀ ବେହେରା, ଚାରୁଲତା ଭୂୟାଁ, ଅଭିଜୀତ ଦାସ, ପ୍ରିୟତ୍ତମା ରାଉଳ, ତନୁଜା ଥାପା, ନୃତ୍ତ୍ୟ ଶିକ୍ଷକ ଦୀପକ କୁମାର ସାହୁ, କବି ଅଶୋକ କୁମାର ସାହୁ, ବୈଜୟନ୍ତି ଗୋଛାୟତ, ଇନ୍ଦୁରେଖା ସାହାଣୀ, ବର୍ଷାରାଣୀ ସେଠୀ, କାଳନ୍ଦୀ ସେଠୀ, କବୟିତ୍ରୀ ସ୍ୱର୍ଣ୍ନଲତା ସ୍ୱାଇଁ, ଭାବନ ସାହୁ, ଜୟନ୍ତୀ ଦାସଙ୍କ ସମେତ ଅନୀତା ମହାନ୍ତି, ନୀରଞ୍ଜନ ପରିଡା ଓ ନୀହାର ରଞନ ପରିଡା ପ୍ରମୂଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ।

ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ସ୍ଥାନୀୟ ସମିତି ସଭ୍ୟ ରବିନ୍ଦ୍ର କୁମାର ସାହୁ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଶୀତଦିନେ ମୂଳା ଖାଇବା ଦ୍ୱାରା ନିୟନ୍ତ୍ରିତ ହେବ ରକ୍ତଚାପ, ଜାଣନ୍ତୁ ଏହା ଖାଇବାର ୫ ଟି ଲାଭ

ସ୍ୱାସ୍ଥ୍ୟ ଟିପ୍ସ: ଶୀତଦିନେ, ରଙ୍ଗୀନ ପନିପରିବା ବଜାରକୁ ଆସେ। ମାର୍କେଟଗୁଡିକ ଲାଲ ରଙ୍ଗର ଗାଜର, ଧଳା କୋବି, ଧଳା ମୂଳା ଏବଂ ସବୁଜ ପନିପରିବାରେ ପରିପୂର୍ଣ୍ଣ। ସୁସ୍ଥ ରହିବା ପାଇଁ ଆପଣଙ୍କ ଖାଦ୍ୟରେ ସମସ୍ତ ପନିପରିବା ଅନ୍ତର୍ଭୁକ୍ତ କରିବା ଉଚିତ୍। ମୂଳା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ପନିପରିବା। ରକ୍ତଚାପ ରୋଗୀମାନେ ସେମାନଙ୍କ ଖାଦ୍ୟରେ ମୂଳା ଅନ୍ତର୍ଭୁକ୍ତ କରିବା ଜରୁରୀ। ମୂଳା ଖାଇବା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ରକ୍ତବାହୀକୁ ଉପକାର କରିଥାଏ। ଆପଣ ସାଲାଡ କିମ୍ବା ଭଜା ଭାବରେ ମୂଳା ଖାଇପାରିବେ। ଏହା ବ୍ୟତୀତ ଆପଣ ସ୍ୱାଦ ପାଇଁ ମୂଳା ପରଟା ମଧ୍ୟ ଖାଇପାରିବେ। ଶରୀରକୁ ମୂଳା ଖାଇବାର 5 ଟି ଉପକାର କ’ଣ ଜାଣନ୍ତୁ |

ମୂଳା ଖାଇବାର ଉପକାରିତା:

୧– ରକ୍ତଚାପକୁ ନିୟନ୍ତ୍ରଣରେ ରଖେ: ରକ୍ତଚାପର ଜଣେ ରୋଗୀ ଖାଦ୍ୟରେ ମୂଳା ଅନ୍ତର୍ଭୁକ୍ତ କରିବା ଜରୁରୀ। ମୂଳାରେ ପୋଟାସିୟମ୍ ମିଳିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଉଚ୍ଚ ରକ୍ତଚାପର ରୋଗୀ ମୂଳା ଖାଇବା ଜରୁରୀ।

୨- ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ: ମୂଳା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ। ମୂଳାରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ସି ମିଳିଥାଏ। ଯାହାଫଳରେ କାଶ ଏବଂ ଥଣ୍ଡା ସମସ୍ୟା ଆପଣଙ୍କୁ ବ୍ୟଥିତ କରେ ନାହିଁ। ମୂଳା ଖାଇବା ଦ୍ୱାରା ପୋଡା ଏବଂ ଜଳା ସମସ୍ୟା ମଧ୍ୟ କମିଯାଏ।

୩- ହୃଦୟକୁ ସୁସ୍ଥ ରଖେ: ମୂଳା ଖାଇବା ଦ୍ୱାରା ହୃଦୟ ସଠିକ୍ ଭାବରେ କାମ କରିବା ଆରମ୍ଭ କରେ। ମୂଳାଟିରେ ଆଣ୍ଟୋସିୟାନିନ ଥାଏ, ଯାହା ହୃଦୟ ପାଇଁ ଭଲ ଅଟେ। ପ୍ରତିଦିନ ମୂଳା ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମିଯାଏ। ମୂଳା ରେ ଭଲ ପରିମାଣର ଫୋଲିକ୍ ଏସିଡ୍ ଏବଂ ଫ୍ଲାଭୋନାଏଡ୍ ଥାଏ। ଯେଉଁଥିପାଇଁ ରକ୍ତରେ ଅମ୍ଳଜାନ ଯୋଗାଣ ବୃଦ୍ଧି ପାଇଥାଏ।

୪- ରକ୍ତ ନଳୀକୁ ମଜବୁତ କର: କୋଲାଜେନ୍ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ରକ୍ତବାହୀକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ। ମୂଳା ଆଥେରୋସ୍କ୍ଲେରୋସିସ୍ ପରି ଗୁରୁତର ରୋଗର ଆଶଙ୍କା ହ୍ରାସ କରେ।

୫- ମେଟାବୋଲିଜିମ୍ ବୃଦ୍ଧି କରେ: ମୂଳା ଖାଇବା ଦ୍ୱାରା ପେଟ ସୁସ୍ଥ ରହିଥାଏ। ଏହାର ବ୍ୟବହାର ଦ୍ୱାରା ହଜମ ପ୍ରକ୍ରିୟା ଶକ୍ତିଶାଳୀ ହୁଏ। ଅମ୍ଳତା, ମେଦବହୁଳତା, ଗ୍ୟାଷ୍ଟ୍ରିକ୍ ସମସ୍ୟା ଏବଂ ବାନ୍ତି ସମସ୍ୟା ମୂଳା ଖାଇ ଭଲ ହୋଇପାରିବ।

ବିଦ୍ର: ଏହି ପ୍ରବନ୍ଧରେ ଉଲ୍ଲେଖ କରାଯାଇଥିବା ପଦ୍ଧତି ଏବଂ ଦାବିକୁ ନିଶ୍ଚିତ କରାଯାଏ ନାହିଁ। ଏଗୁଡିକ କେବଳ ପରାମର୍ଶ ଭାବରେ ଗ୍ରହଣ କରନ୍ତୁ। ଏହିପରି କୌଣସି ଚିକିତ୍ସା /ଔଷଧ / ଡାଏଟ୍ ଅନୁସରଣ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର

ଝାଡ଼ଖଣ୍ଡରେ ଅଟକିଲା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର, ବିମାନ ଉଡ଼ାଣ ପାଇଁ ଏଟିସିରୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ​​ପ୍ରଚାର କରିବାକୁ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ଆଜି ରୋକିଦିଆଯାଇଛି। କୁହାଯାଉଛି ଯେ, କ୍ଲିୟରାନ୍ସ ଅଭାବରୁ ରାହୁଲଙ୍କ ହେଲିକପ୍ଟରକୁ ଉଡ଼ାଣ କରିବାକୁ ଦିଆଯାଇନାହିଁ। ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ମହାଗାମାରେ ଅଟକାଇ ଦିଆଯାଇଛି।

କଂଗ୍ରେସ ଅଭିଯୋଗ କରିଛି ଯେ, ରାହୁଲଙ୍କ ହେଲିକପ୍ଟର ପ୍ରାୟ ଏକ ଘଣ୍ଟା ପାଇଁ ଅଟକି ରହିଛି। କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରଚାର ପାଇଁ ଆଜି ଝାଡ଼ଖଣ୍ଡରେ ପହଞ୍ଚିଛନ୍ତି। ତାଙ୍କର ଚକାଇରେ ଏକ ସାଧାରଣ ସଭା ଅଛି। ଏହି କାରଣରୁ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯାଇନଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ସଙ୍କଟରେ ଟିମ ଇଣ୍ଡିଆ!: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ବିରାଟ କୋହଲି ଆହତ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଆଘାତ ଖବର ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ ପାଇଁ ଗୋଟିଏ ସପ୍ତାହ ବି ବାକି ନାହିଁ, ଏପଟେ ବିରାଟଙ୍କ ଆଘାତ ହେବାର ସମ୍ଭାବନା ଟିମ୍ ଇଣ୍ଡିଆ ଉପରେ ମଧ୍ୟ ମାନସିକ ଚାପ ପକାଇପାରେ। ବିରାଟ ଆହତ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି, କିନ୍ତୁ ଆଘାତର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପ୍ରକାଶ ଯେ, ନଭେମ୍ବର ୨୨ ତାରିଖରୁ ପର୍ଥରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ଖେଳାଯିବ।

ଅଷ୍ଟ୍ରେଲୀୟ ମିଡିଆ ଚ୍ୟାନେଲ ଅନୁଯାୟୀ ବିରାଟ କୋହଲିଙ୍କୁ ଗୁରୁବାର କିଛି ସ୍କାନ କରିବାକୁ ପଡିବ, କିନ୍ତୁ ଏହାର କାରଣ ଜଣାପଡିନାହିଁ। ଭଲ ଖବର ହେଉଛି ଯଦିଓ କୋହଲି କୌଣସି ପରୀକ୍ଷା କରିସାରିଛନ୍ତି, ତଥାପି ତାଙ୍କୁ ଆଜି ସିମୁଲେସନ୍ ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିଛି। ଏହି ସିମୁଲେସନ୍ ମ୍ୟାଚ୍ ରେ କୋହଲି ୧୫ ରନ୍ ସ୍କୋର କରିଥିଲେ ମଧ୍ୟ ଏହି ସମୟ ମଧ୍ୟରେ କେ.ଏଲ୍ ରାହୁଲଙ୍କ କାରଣରୁ ଟିମ୍ ଇଣ୍ଡିଆର ଟେନସନ ବୃଦ୍ଧି ପାଇଛି। ବ୍ୟାଟିଂ କରୁଥିବା ବେଳେ ରାହୁଲଙ୍କ କାନ୍ଧରେ ବଲ ବାଜିଥିଲା, ସେ ବ୍ୟାଟିଂ ଜାରି ରଖିବାକୁ ଚେଷ୍ଟା କରିଥିଲେ, କିନ୍ତୁ କିଛି ସମୟ ପରେ ସେ ଆହତ ଅବସର ନେଇ ପାଭିଲିୟନକୁ ଫେରିବାକୁ ବାଧ୍ୟ ହୋଇଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ରାଜନୈତିକ ବିରୋଧୀଙ୍କୁ ଷଡଯନ୍ତ୍ର!: ହନିଟ୍ରାପ କରି ବିଜେପି ବିଧାୟକଙ୍କୁ HIV ସଂକ୍ରମିତ କରିବା ଅଭିଯୋଗ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ପୋଲିସ ଇନ୍ସପେକ୍ଟର ଗିରଫ ହେବା ପରେ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ଉତ୍ତେଜନା ଦେଖାଦେଇଛି। ଏହି ସମଗ୍ର ବିଷୟ ହନିଟ୍ରାପ ଏବଂ ରାଜନୈତିକ ବିରୋଧୀଙ୍କୁ ଏଚ୍.ଆଇ.ଭି ସଂକ୍ରମିତ କରିବାର ଷଡଯନ୍ତ୍ର ସହିତ ଜଡିତ। ଗିରଫ ପୋଲିସ ଇନ୍ସପେକ୍ଟର ବିଜେପି ବିଧାୟକ ମୁନିରାତ୍ନା ନାଇଡୁଙ୍କ ସହ ମିଶି ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଜେପି ବିଧାୟକ ମୁନିରାତ୍ନା ନାଇଡୁ ଜଣେ ମହିଳାଙ୍କୁ ଉତ୍ପୀଡନ କରିବା ସହ ତାଙ୍କୁ ରାଜନୈତିକ ବିରୋଧୀଙ୍କୁ ହନିଟ୍ରାପରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। କର୍ଣ୍ଣାଟକ ପୋଲିସର ଏସଆଇଟି ଟିମ୍ ଏହି ସମଗ୍ର ମାମଲା ସହ ଜଡିତ ଦୁଇଟି ମାମଲାର ତଦନ୍ତ କରୁଛି। ଏସଆଇଟି ଅଭିଯୋଗ କରିଛି ଯେ, ରାଜରାଜଶ୍ଵରୀ ନଗର ବିଧାୟକ ନାଇଡୁ ଏବଂ ତାଙ୍କ ସହଯୋଗୀମାନଙ୍କୁ ହେବାଗୋଡି ଷ୍ଟେସନରେ ଥାନାର ଇନ୍ସପେକ୍ଟର ଅୟନା ରେଡ୍ଡୀ ହନିଟ୍ରାପରେ ସାହାଯ୍ୟ କରିଛନ୍ତି।

ମୁନିରତ୍ନା ନାଇଡୁଙ୍କ ଅୟନା ରେଡ୍ଡୀ ବିଶ୍ଵସ୍ତ ବୋଲି କୁହାଯାଉଛି। ଏସଆଇଟି ତାଙ୍କୁ ଗିରଫ କରିଥିଲା, ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ। ଅନ୍ୟପକ୍ଷରେ ବିଜେପି ବିଧାୟକ ମୁନିରାତ୍ନା ନାଇଡୁଙ୍କୁ ଏହି ମାମଲାରେ ଜାମିନ ମିଳିଛି। ଜଣେ ୪୦ ବର୍ଷ ବୟସ୍କା ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି ଯେ, ବିଜେପି ବିଧାୟକ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରି ହନିଟ୍ରାପରେ ବ୍ୟବହାର କରିଥିଲେ।

କର୍ଣ୍ଣାଟକ ବିଧାନସଭାରେ ବିଜେପି ନେତା ତଥା ବିରୋଧୀଦଳର ନେତା ଆର ଅଶୋକଙ୍କୁ ମଧ୍ୟ ଏସଆଇଟି ଡକାଇ ଥିବାରୁ ନାଇଡୁ ତାଙ୍କୁ ହନିଟ୍ରାପ କରିବା ସହ ତାଙ୍କୁ ଏଚ୍‌ଆଇଭି ସଂକ୍ରମିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ନିକଟରେ ଆର ଅଶୋକଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା, ​​ଯେଉଁଥିରେ ସେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଭି ସୋମନ୍ନାଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ଏଥିରେ ସେ ଦାବି କରିଛନ୍ତି ଯେ, ଏହି ମାମଲାରେ ଜଣେ ଅଭିଯୁକ୍ତ ତାଙ୍କୁ ଏଚଆଇଭି ସଂକ୍ରମିତ କରିବାର ଷଡଯନ୍ତ୍ର କରିଛନ୍ତି। ଆର ଅଶୋକ ଏହା ମଧ୍ୟ ଦାବି କରିଛନ୍ତି ଯେ, ଏହି ସୂଚନା ସାମ୍ନାକୁ ଆସିବା ପରେ ତାଙ୍କ ପରିବାର ତାଙ୍କୁ ଦେଶ ଛାଡିବାକୁ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ନବରଙ୍ଗପୁରରେ ପାଳିତ 

ନବରଙ୍ଗପୁର: ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ସମଗ୍ର ଦେଶ ସହ ନବରଙ୍ଗପୁର ଜିଲ୍ଲାରେ ପାଳନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ସମ୍ୱନ୍ୱିତ ଆଦିବାସୀ ବିକାଶ ସଂସ୍ଥା ପକ୍ଷରୁ ସ୍ଥାନୀୟ ଆର ସିଡି ସ୍କୁଲ ପଡ଼ିଆରେ ଜିଲ୍ଲା ସ୍ତରୀୟ ଜନଜାତୀୟ ଦିବସ ପାଳିତ ହୋଇଛି। ବିଧାୟକ ଗୌରୀ ଶଙ୍କର ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

ଧରତୀ ଆବା ଗ୍ରାମ ଉତ୍କର୍ଷ ଅଭିଯାନରେ ଜିଲ୍ଲାର ୧୬୩ ଗ୍ରାମ ପଞ୍ଚାୟତର ୫୩୬ ଟି ଗ୍ରାମରେ ସାମିଲ ଥିବା ନେଇ ଏହି କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଥିଲା। ଏଥିସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନଜାତୀୟ ଉନ୍ନୟନ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। ଏଥି ସହ ଜନଜାତି ଉନ୍ନୟନ ସମ୍ପର୍କରେ ବିଭିନ୍ନ ଷ୍ଟଲ ଜରିଆରେ ସଚେତନ କରାଯାଇଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ ଓ ରାଜ୍ୟ ସ୍ତରୀୟ ଜନଜାତି ଗୌରବ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପ୍ରଦର୍ଶନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦଶ ଦିନରେ ସୁନା 5000 ଶସ୍ତା, 10,000 ରୁ ଅଧିକ ଖସିଲା ରୂପା ଦର: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଧନତେରସ୍ ଏବଂ ଦିୱାଲୀ ପର୍ଯ୍ୟନ୍ତ ସୁନା ଓ ରୂପା ମୂଲ୍ୟ ନୂତନ ରେକର୍ଡ ସୃଷ୍ଟି କରୁଥିବାବେଳେ ଗତ 10 ଦିନ ମଧ୍ୟରେ ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ କ୍ରମାଗତ ଭାବରେ ଶସ୍ତା ହୋଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ମାତ୍ର 10 ଦିନ ମଧ୍ୟରେ ସୁନା ଏହାର ଉପର ସ୍ତରରୁ 6 ପ୍ରତିଶତ ଶସ୍ତା ହୋଇଛି ଏବଂ ଏହା 4750 ଟଙ୍କା ହ୍ରାସ ପାଇଛି। ଏଥି ସହିତ ରୂପା ରେକର୍ଡ ହ୍ରାସ ହୋଇଛି ଏବଂ 10 ଦିନରେ 10,000 ଟଙ୍କା ଶସ୍ତା ମୂଲ୍ୟ ଦେଖାଇଛି। ରୂପା 1 ଲକ୍ଷ ଟଙ୍କା ଅତିକ୍ରମ କରିଥିଲା, ​​କିନ୍ତୁ ବର୍ତ୍ତମାନ ଏହାର ମୂଲ୍ୟ କିଲୋଗ୍ରାମରେ 90 ହଜାର ଟଙ୍କା ପର୍ଯ୍ୟନ୍ତ ଦେଖାଯାଉଛି। 79,700 ଟଙ୍କାରେ ପହଞ୍ଚିଥିବା ସୁନା ବର୍ତ୍ତମାନ ପ୍ରାୟ 74,950 ଟଙ୍କା ରହିଛି।

ନଭେମ୍ବର 4 ରେ ଆମେରିକାରେ ନିର୍ବାଚନ ଏବଂ ସେଠାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ହୋଇଥିବାରୁ ବିଟକଏନର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ସୁରକ୍ଷିତ ସମ୍ପତ୍ତି ସୁନା ଓ ରୂପା ହାର କ୍ରମାଗତ ଭାବେ ହ୍ରାସ ପାଉଛି। ଟଙ୍କାର କ୍ରମାଗତ ହ୍ରାସ ଏବଂ ଡଲାର, ସୁନା ଓ ରୂପା ବୃଦ୍ଧି ସହିତ ଗତି ବଜାୟ ରଖିବା ସେମାନଙ୍କ ଗତି ମନ୍ଥର କରିଦେଇଛି। ଆଜି ଡଲାର ସୂଚକାଙ୍କ 106 ଅତିକ୍ରମ କରିଛି।

ବିବାହ ଋତୁରେ କିଣିବାର ସୁଯୋଗ ଖୋଜୁଥିବା ସେହି ବ୍ୟକ୍ତିମାନେ ଏହି ସମୟରେ ଭାରତରେ ସୁନା ଶସ୍ତା ହେବାର ଲାଭ ପାଇପାରିବେ। ଯେଉଁମାନେ ସୁନା କିଣୁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ସହିତ ଭାରତୀୟମାନେ କୌଣସି ରାଜନୈତିକ କିମ୍ବା କୂଟନୈତିକ ସଂଯୋଗ ଦେଖନ୍ତି କି ନାହିଁ, ସେମାନେ ମୂଲ୍ୟବାନ ଧାତୁ କିଣିବାରେ ନିଶ୍ଚିତ ଭାବରେ ଲାଭ ଦେଖୁଛନ୍ତି। ଟ୍ରମ୍ପଙ୍କ ବିଜୟ ହେତୁ ଡଲାରର ମଜବୁତ ଟଙ୍କା ଉପରେ ଚାପ ସୃଷ୍ଟି କରିଛି ଏବଂ ସୁନା ଦର କ୍ରମାଗତ ଭାବେ ହ୍ରାସ ପାଇଛି। ଏଥର ରପ୍ତାନି ଏବଂ ଆମଦାନୀ ପରିସଂଖ୍ୟାନରେ ମଧ୍ୟ ସୁନା ଓ ରୂପା ଆମଦାନୀ ଯଥାକ୍ରମେ ହ୍ରାସ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଶୈଳବାଳା ମହିଳା କଲେଜର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସୋଆରେ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ଠାରେ ବିଶ୍ୱବିଦ୍ୟାଳୟ ପକ୍ଷରୁ କଟକସ୍ଥିତ ଶୈଳବାଳା ମହିଳା ସ୍ୱୟଂଚାଳିତ ମହାବିଦ୍ୟାଳୟର ଗୃହ ବିଭାଗ ସ୍ନାତକୋତର ଛାତ୍ରୀମାନଙ୍କ ପାଇଁ ନଭେମ୍ବର ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ହୋଟେଲ ଅପରେସନ ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଆଜିର ଯୁବପିଢିକୁ ହୋଟେଲ ଶିଳ୍ପର ଚାରିଟି ପ୍ରମୁଖ ବିଭାଗ ଯଥା ଫ୍ରଂଟ ଅଫିସ, ହାଉସ୍ କିପିଙ୍ଗ୍‌, ଫୁଡ୍ ଆଣ୍ଡ ବେଭେରେଜ୍ ସର୍ଭିସ୍ ଓ ପ୍ରଡକ୍ସନ ଉପରେ ପ୍ରଶିକ୍ଷିତ କରାଇ ସେମାନଙ୍କର ଦୃଷ୍ଟିକୋଣ, ଦକ୍ଷତା ଓ ଜ୍ଞାନ ବଢାଇବା ପାଇଁ ଅବସର ପ୍ରଦାନ କରିବା ଏବଂ ଏହି ସଂପୂର୍ଣ୍ଣ କାର୍ଯ୍ୟକ୍ର୍ରମ ମାଧ୍ୟମରେ ସେମାନଙ୍କୁ ଆବଶ୍ୟକୀୟ ଦକ୍ଷତା ଏବଂ କ୍ଷମତା ପ୍ରଦାନ କରିବା। ଏହି କାର୍ଯ୍ୟକ୍ରମରେ ଗ୍ର୍ରାହକ ସେବା, ଯୋଗାଯୋଗ, ସମସ୍ୟା ସମାଧାନ ଏବଂ ସଂଚାଳନ ଭଳି ଅନ୍ୟାନ୍ୟ କ୍ଷେତ୍ର ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଥିଲା।

ଏହି ସଂପୂର୍ଣ୍ଣ କାର୍ଯ୍ୟକ୍ରମରେ ପେଶାଦାର ଓ ପ୍ରବୀଣ ବ୍ୟକ୍ତି ବିଶେଷଙ୍କ ତତ୍ୱାବଧାନରେ ଆତିଥ୍ୟ ଓ ପର୍ଯ୍ୟଟନ ଶିଳ୍ପ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଏଥିରେ ଶୈଳବାଳା ମହିଳା ମହାବିଦ୍ୟାଳୟର ୪୩ ଜଣ ଛାତ୍ରୀ ଓ କିଛି ଅଧ୍ୟାପିକା ଅଂଶ ଗ୍ରହଣ କରିଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ର୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଉପସ୍ଥିତ ରହି ଛାତ୍ରୀମାନଙ୍କର ଜୀବନରେ ଏହି ପ୍ରଶିକ୍ଷଣର ଉପାଦେୟତା ଓ ଗୁରୁତ୍ୱକୁ ବ୍ୟାଖ୍ୟା କରିଥିଲେ ଏବଂ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଛାତ୍ରୀମାନଙ୍କୁ  ପ୍ରୋତ୍ସାହିତ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆନ୍ତର୍ଜାତୀୟ ବିଶ୍ୱ ସ୍କୋଏ ମାର୍ଶାଲ ଆର୍ଟ: ବାଲୁଗାଁର ସୌମ୍ୟରଞ୍ଜନଙ୍କୁ ୨ଟି ସ୍ଵର୍ଣ୍ଣ ପଦକ

ବାଲୁଗାଁ: ଉଜବେକିସ୍ଥାନରେ ଆୟୋଜିତ ଆନ୍ତର୍ଜାତୀୟ ୪ର୍ଥ ବିଶ୍ୱ ସ୍କୋଏ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ବାଲୁଗାଁର ସୌମ୍ୟରଞ୍ଜନ ନାୟକ ୨ଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।ଉଜବେକିସ୍ଥାନରେ ଆୟୋଜିତ ଆନ୍ତର୍ଜାତୀୟ ୪ର୍ଥ ବିଶ୍ୱ ସ୍କୋଏ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଭାରତରୁ ୨୩ ଜଣ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଶା ସ୍କୋଏ ମାର୍ଶାଲ ଆର୍ଟ ତରଫରୁ ବାଳକ ବିଭାଗରେ ଖୋର୍ଦ୍ଧା ବାଲୁଗାଁରୁ ସୌମ୍ୟରଞ୍ଜନ ନାୟକ ଓ ବାଳିକା ବିଭାଗରେ ନୟାଗଡ଼ରୁ ମିନତୀ ସାହୁ ମନୋନୀତ ହୋଇଥିଲେ।

ତେବେ ଅକ୍ଲାନ୍ତ ପରିଶ୍ରମ, ପ୍ରଚେଷ୍ଟା ତଥା ଆତ୍ମବିଶ୍ୱାସ ବଳରେ ବିଶ୍ୱ ସ୍ତରୀୟ ପ୍ରତିଯୋଗିତାରେ ୨ଟି ସ୍ଵର୍ଣ୍ଣ ପଦକ ହାସଲ କରିଥିବା ସୌମ୍ୟରଞ୍ଜନ କହିଛନ୍ତି। ବାଲୁଗାଁ ରାଜୀବ ନଗରର କୃପାସିନ୍ଧୁ ନାୟକ ଓ ସ୍ବର୍ଗତ ଝୁନୁ ନାୟକଙ୍କ କନିଷ୍ଠ ପୁଅ ସୌମ୍ୟରଞ୍ଜନଙ୍କ ସଫଳତା ତଥା ଏ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ନେଇ ସାଙ୍ଗସାଥି, ବନ୍ଧୁ, ଆତ୍ମୀୟ ପରିଜନ ଓ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଛୁଟିବାରେ ଲାଗିଛି।

ସେ ଦୀର୍ଘ ୭ ବର୍ଷ ଧରି ଶେଖ ସଲ୍ଲାଉଦ୍ଦିନଙ୍କ ସଂସ୍ପର୍ଶରେ ଆସି ଜିଲ୍ଲା, ରାଜ୍ୟ, ଜାତୀୟ ସ୍ତରରେ ସ୍କୋଏ ମାର୍ଶାଲ ଆର୍ଟରେ ଅଂଶଗ୍ରହଣ କରି ଅନେକ ପଦକ ହାସଲ କରିଛନ୍ତି। ପ୍ରଥମ ଥର ବିଶ୍ୱ ସ୍କୋଏ ମାର୍ଶାଲ ଆର୍ଟରେ ଦେଶ ପାଇଁ କୃତିତ୍ୱ ହାସଲ କରିଥିବା ସୌମ୍ୟରଞ୍ଜନଙ୍କୁ ବାଲୁଗାଁ ବାପୁଜି କ୍ଲବ ସଭାପତି ହରେକୃଷ୍ଣ ନାୟକଙ୍କ ତତ୍ୱାବଧାନରେ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଅଞ୍ଚଳବାସୀଙ୍କ ପ୍ରଚେଷ୍ଟାରେ ଏକ ଶୋଭାଯାତ୍ରାରେ ବାଲୁଗାଁ ସହର ପରିକ୍ରମା କରାଯାଇଥିଲା।

ଉକ୍ତ ଶୋଭାଯାତ୍ରାରେ ମାର୍ଶାଲ ଆର୍ଟ ପ୍ରଶିକ୍ଷାର୍ଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଞ୍ଚଳବାସୀ ସାମିଲ ହୋଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା!, ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଆହତ ହେଲେ କେଏଲ ରାହୁଲ

ନୂଆଦିଲ୍ଲୀ: ସମସ୍ତ ଭାରତୀୟ ଏବଂ ଅଷ୍ଟ୍ରେଲିୟ ପ୍ରଶଂସକ ଉତ୍ସାହର ସହିତ ବର୍ଡର-ଗାଭାସ୍କର ଟ୍ରଫିକୁ ଅପେକ୍ଷା କରିଛନ୍ତି। ଯେଉଁଥିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ପ୍ରଥମ ଟେଷ୍ଟ ମ୍ୟାଚ୍ 22 ରୁ 26 ନଭେମ୍ବର ମଧ୍ୟରେ ଖେଳାଯିବ। କିନ୍ତୁ ସିରିଜ୍ ଆରମ୍ଭ ପୂର୍ବରୁ ଭାରତୀୟ ଦଳ ଏବଂ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଆସିଛି। ଖବର ହେଉଛି ଅଭ୍ୟାସ ଅଧିବେଶନରେ କେ.ଏଲ୍ ରାହୁଲ ଆହତ ହୋଇଛନ୍ତି।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ପୂର୍ବରୁ ପର୍ଥରେ ଅଭ୍ୟାସ ଅଧିବେଶନରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଆହତ ହୋଇଛନ୍ତି। ଭାରତୀୟ ଦଳ WACA ଗ୍ରାଉଣ୍ଡରେ ତିନି ଦିନିଆ ଆନ୍ତଃ- ସ୍କ୍ବାଡ୍ ଅଭ୍ୟାସ ମ୍ୟାଚ୍ ଖେଳିବା ଆରମ୍ଭ କରିଥିଲା, ଯେଉଁଠାରେ ରାହୁଲ ମ୍ୟାଚ୍ ସିମୁଲେସନ ସମୟରେ ବାଉନ୍ସର୍ ବଲରେ ଆହତ ହୋଇଥିଲେ।

ଅଭ୍ୟାସ ସମୟରେ, କେ.ଏଲ୍ ରାହୁଲ ତାଙ୍କ କାନ୍ଧରେ ଏକ ଦୃତ ବାଉନ୍ସର୍ ରେ ଆଘାତ ପାଇଥିଲେ, ଯେଉଁଥିପାଇଁ ସେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଟିମ୍ ଫିଜିଓ ତୁରନ୍ତ ଆସି ରାହୁଲଙ୍କ ଚିକିତ୍ସା କରିଥିଲା। ଆଘାତ ସତ୍ତ୍ୱେ ରାହୁଲ ଖେଳ ଜାରି ରଖିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅସହଜ ମନେ ହୋଇ ପଡ଼ିଆ ଛାଡିବାକୁ ପଡିଥିଲା। ଏହି ଘଟଣା ପୂର୍ବରୁ ରାହୁଲ ଭଲ ଫର୍ମରେ ଦେଖାଯାଉଥିଲେ ଏବଂ ସେ 29 ରନ୍ ସ୍କୋର କରିଥିଲେ। ତେବେ ଆଘାତ ହେତୁ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଲା।

କେଏଲ ରାହୁଲଙ୍କ ଆଘାତ ଏବେ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଓପନିଂ ଯୋଡିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଥମ ଟେଷ୍ଟରେ ରୋହିତ ଶର୍ମା ଖେଳିବାର କୌଣସି ସମ୍ଭାବନା ନାହିଁ, ତେଣୁ ଆଶା କରାଯାଉଥିଲା ଯେ, ରାହୁଲ କିମ୍ବା ଅଭିମନ୍ୟୁ ଈଶ୍ଵରନ୍ ଯଶସ୍ୱୀ ଜୟସ୍ଵାଙ୍କ ସହ ଖୋଲିପାରନ୍ତି। ଅଭ୍ୟାସ ମ୍ୟାଚରେ ରାହୁଲ ଯଶସ୍ୱୀଙ୍କ ସହ ଓପନ କରି ଦୃତ ଗତିରେ 29 ରନ୍ ସ୍କୋର କରି ଭଲ ଫର୍ମରେ ଦେଖାଯାଉଥିଲେ, କିନ୍ତୁ ଆଘାତ ହେତୁ ତାଙ୍କୁ ବାହାରକୁ ଯିବାକୁ ପଡିଥିଲା।

ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, ଅଭିମନ୍ୟୁ ଇଶ୍ଵରନ, ଶୁବମାନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ଋଷଭ ପନ୍ତ (ୱିକେଟ୍ କିପର), ସରଫରାଜ ଖାନ, ଧ୍ରୁଭ ଜୁରେଲ (ୱିକେଟ୍ ରକ୍ଷକ), ରବି ଅଶ୍ୱିନ, ଆର ଜାଡେଜା, ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସିଦ୍ଧ କୃଷ୍ଣ, ହର୍ଷିତ ରାଣା, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର।

ରିଜର୍ଭ: ମୁକେଶ କୁମାର, ନବଦୀପ ସାଇନି, ଖାଲିଲ ଅହମ୍ମଦ।

Categories
ଆଜିର ଖବର ଜାତୀୟ ଖବର

‘ଆରଏସଏସ ଏକ ଆତଙ୍କବାଦୀ ସଂଗଠନ’: କଂଗ୍ରେସ ନେତାଙ୍କ ବିବାଦୀୟ ବିବୃତ୍ତି 

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ କୁ ନେଇ ରାଜ୍ୟରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। କଂଗ୍ରେସ ଏବଂ ଏହାର ସହଯୋଗୀମାନେ କ୍ରମାଗତ ଭାବରେ ବିଜେପି ଏବଂ ଆରଏସଏସକୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ ମହାରାଷ୍ଟ୍ରର ବରିଷ୍ଠ ନେତା ହୁସେନ୍ ଡାଲୱାଇ ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଗଠନ (ଆରଏସଏସ) କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

କଂଗ୍ରେସ ନେତା ହୁସେନ୍ ଦଲୱଇ ଆଜି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଗଠନ (ଆରଏସଏସ) କୁ ଆତଙ୍କବାଦୀ ସଂଗଠନ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଲୋକଙ୍କୁ ହିଂସା ଶିକ୍ଷା ଦେଉଛନ୍ତି ବୋଲି କହିଛନ୍ତି।

‘ଆରଏସଏସ ଏକ ଆତଙ୍କବାଦୀ ସଂଗଠନ’:

କଂଗ୍ରେସ ନେତା ହୁସେନ୍ ଦଲୱଇ କହିଛନ୍ତି ଯେ, “ଆରଏସଏସ ଏକ ଆତଙ୍କବାଦୀ ସଂଗଠନ। ସେମାନେ ଲୋକଙ୍କୁ ହିଂସା ଶିକ୍ଷା ଦିଅନ୍ତି। ଆରଏସଏସ ପିଲାମାନଙ୍କୁ ଚାରିଟି ଜିନିଷ ଶିଖାଏ। ପ୍ରଥମତଃ ସେମାନେ ପିଲାମାନଙ୍କୁ ମିଛ କହିବା ଶିଖାନ୍ତି। ଦ୍ଵିତୀୟତଃ ସେମାନେ ପିଲାମାନଙ୍କୁ ହିଂସା ଶିକ୍ଷା ଦିଅନ୍ତି। ଯାହା ସମ୍ପୂର୍ଣ୍ଣ ଭୁଲ ଅଟେ। ସେମାନେ କୁହନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ କାରଣରୁ ଦେଶ ବିଭାଜନ ହୋଇଛି। ଏଥିପାଇଁ ଲୋକମାନେ ଭୟଭୀତ ହୋଇପଡିଛନ୍ତି।

ଆରଏସଏସ ବିରୋଧରେ ଗୁରୁତର ଅଭିଯୋଗ:

ଆରଏସଏସ ବିରୋଧରେ ଗୁରୁତର ଅଭିଯୋଗ କରି ସେ କହିଛନ୍ତି ଯେ, “ଆରଏସଏସ ଏକ ବିପଜ୍ଜନକ ସଂଗଠନ ଏବଂ ମୁଁ ଏହାର ପ୍ରମାଣ ଦେଉଛି। ପ୍ରଥମ ପ୍ରମାଣ ହେଉଛି ଜନ ସଂଘର ପ୍ରତିଷ୍ଠାତାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ଘଟଣାର ତଦନ୍ତ ପାଇଁ ବଲରାଜ ମଧୋକଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ତିନିମାସ ଧରି ମଧୋକ ସବୁଆଡେ ଯାତ୍ରା କରି ରିପୋର୍ଟ ପ୍ରସ୍ତୁତ କରିଥିଲେ। ସେ ବାରାଣାସୀ ଏବଂ ଅନ୍ୟାନ୍ୟ ସ୍ଥାନକୁ ଯାଇଥିଲେ ମଧ୍ୟ ରିପୋର୍ଟ ଲୁଚି ରହିଥିଲା। ସେ ଏକ ପୁସ୍ତକ ମଧ୍ୟ ପ୍ରକାଶ କରିଥିଲେ, ଯେଉଁଥିରେ ସେ ଏହି ରିପୋର୍ଟ ବିଷୟରେ ସବୁକିଛି ସାର୍ବଜନୀନ କରିଥିଲେ।”

ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ଆରଏସଏସ ଦାୟୀ:

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ଆରଏସଏସ ଦାୟୀ। ଆଜି ପର୍ଯ୍ୟନ୍ତ ସେମାନେ ଏଥିପାଇଁ କ୍ଷମା ମାଗି ନାହାଁନ୍ତି। ଆଜି ପର୍ଯ୍ୟନ୍ତ ସେମାନେ କହି ନାହାଁନ୍ତି ଯେ ତାଙ୍କୁ ହତ୍ୟା କରାଯାଇଛି ଏବଂ ଏହା ଆମର ଦୋଷ। ଏହା ବ୍ୟତୀତ ସେମାନେ କହିଛନ୍ତି ଯେ, ହିନ୍ଦୁମାନେ ସେହିମାନେ,ଯେଉଁମାନେ ଭାରତର ପରମ୍ପରାକୁ ଅନୁସରଣ କରନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ସେମାନଙ୍କର ମୁଖପାତ୍ର ମୋ ବିଷୟରେ କୁହନ୍ତି ଯେ ମୁଁ ହିନ୍ଦୁମାନଙ୍କୁ ହତ୍ୟାକାରୀ ବୋଲି କହିଛି। ଆଦୌ ନୁହେଁ, ଜଣେ ହିନ୍ଦୁ କିପରି ଆତଙ୍କବାଦୀ ହୋଇପାରିବ?” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ହିନ୍ଦୁ ହେଉଛନ୍ତି ସେମାନେ, ଯେଉଁମାନେ ଭାରତର ସମ୍ପୂର୍ଣ୍ଣ ପରମ୍ପରା, ମହାରାଷ୍ଟ୍ରର ପରମ୍ପରାକୁ ପାଳନ କରନ୍ତି, ଯେପରିକି ତୁକାରାମ ଏବଂ ଜ୍ଞାନେଶ୍ୱର ମହାରାଜ। ଆମେ ମହାତ୍ମା ଫୁଲେ, ବାବା ସାହେବ ଆମ୍ବେଦକର, ମହାତ୍ମା ଗାନ୍ଧୀ, ଶିବାଜୀ ମହାରାଜଙ୍କୁ ବିଶ୍ଵାସ କରୁ।”

Categories
ଆଜିର ଖବର ଜାତୀୟ ଖବର ସିନେମା

ଦିନେ ବିଜେପିକୁ କରୁଥିଲେ ଟାର୍ଗେଟ, ଏବେ ବିକ୍ରାନ୍ତ ମେସୀଙ୍କ ବଦଳିଲା ଚିନ୍ତାଧାରା: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ‘ଦ୍ୱାଦଶ ଫେଲ’ ଅଭିନେତା ବିକ୍ରାନ୍ତ ମେସୀ ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସାବରମତି ରିପୋର୍ଟ’ ପାଇଁ ହେଡଲାଇନରେ ଅଛନ୍ତି। ଏହାର ଟ୍ରେଲର ରିଲିଜ ହେବା ପରଠାରୁ ଫିଲ୍ମକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଛି। ଏସବୁ ମଧ୍ୟରେ ବିକ୍ରାନ୍ତ ମେସୀଙ୍କ ରାଜନୈତିକ ଦୃଷ୍ଟିକୋଣ ମଧ୍ୟ ବଦଳି ଯାଇଛି। କିନ୍ତୁ ବର୍ତ୍ତମାନ ବିକ୍ରାନ୍ତ ରାଜନୈତିକ ଦଳରେ ଯୋଗ ଦେଇଛନ୍ତି। ଏକ ସାକ୍ଷାତକାରରେ ଅଭିନେତା ଏହାର କାରଣ ମଧ୍ୟ ପ୍ରକାଶ କରିଛନ୍ତି।

ଏହି କାରଣରୁ ବଦଳିଲା ଦୃଷ୍ଟିକୋଣ:

ପ୍ରକୃତରେ ଶୁଭାଙ୍କର ମିଶ୍ରଙ୍କ ପୋଡକାଷ୍ଟରେ କଥା ହେବାବେଳେ ସାବରମତି ରିପୋର୍ଟ ଅଭିନେତା କହିଛନ୍ତି ଯେ, “ଲୋକମାନେ ବଦଳି ଯାଅନ୍ତି। ମୁଁ ବର୍ତ୍ତମାନ ସେହି ବ୍ୟକ୍ତି ନୁହେଁ, ଯାହା ୧୦ବର୍ଷ ପୂର୍ବେ ଥିଲି। ମୁଁ ଆଶା କରେ ଯେ, ମୁଁ ୧୦ ବର୍ଷ ପରେ ସେହି ବ୍ୟକ୍ତି ହୋଇ ରହିବି ନାହିଁ, ବର୍ତ୍ତମାନ ମୁଁ ଯାହା ରହିଛି। ଗତ କିଛି ବର୍ଷ ମଧ୍ୟରେ ମୋର ଦୃଷ୍ଟିକୋଣ ବଦଳଛି। କିନ୍ତୁ ମୁଁ ଯେପରି କହିଛି, ମୁଁ ଏବେ ବି ଧର୍ମନିରପେକ୍ଷ ବ୍ୟକ୍ତି ଅଟେ।”

ଚିନ୍ତାଧାରା କିପରି ବଦଳିଗଲା?:

‘ଦ୍ୱାଦଶ ଫେଲ’ ଅଭିନେତା କହିଛନ୍ତି ଯେ, ଦେଶର ଅନେକ ପ୍ରାନ୍ତରୁ ଆସିଥିବା ଲୋକଙ୍କ ସହ ଯୋଗାଯୋଗ କରିବା ପରେ ତାଙ୍କର ଦୃଷ୍ଟିକୋଣ ବଦଳିଛି। ଅଭିନେତା କହିଛନ୍ତି ଯେ, “ମୁଁ ଦେଶ ଭ୍ରମଣ କରେ, ଲୋକଙ୍କୁ ଭେଟିଥାଏ। ମୁଁ ହଜାର ହଜାର ଲୋକଙ୍କୁ ଭେଟିଛି। ଆମର ନିଜ ଆଖି ଏବଂ କାନ ମଧ୍ୟ ଅଛି। କିଛି ଜିନିଷ ଯାହା ମୁଁ ପୂର୍ବରୁ ଭୁଲ୍ ବୋଲି ଭାବିଥିଲି, ଆଜି ମୁଁ ସେପରି ଭାବୁନାହିଁ। ସେହି ଜିନିଷଗୁଡିକ ଏତେ ଭୁଲ ନଥିଲା, ଯାହା ମୁଁ ଭାବିଥିଲି। ମୋର ଚିନ୍ତାଧାରା ଏବେ ବଦଳିଛି।

ମୁଁ ଗାଁକୁ ଯାଏ, ଲୋକଙ୍କୁ ଭେଟିଥାଏ, ଆଲୋଚନା କରେ, ନିଜ ଆଖିରେ ଜିନିଷ ଦେଖେ। ମୋତେ ନିଜକୁ ମଧ୍ୟ ଶାନ୍ତ କରିବାକୁ ପଡିବ। ମୋତେ କାହାର ସ୍ଥିତିକୁ ନିରପେକ୍ଷ ଭାବରେ ଦେଖିବା ଆବଶ୍ୟକ ଏବଂ ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ନହେବା ଉଚିତ।

‘ସାବରମତି ରିପୋର୍ଟ’ କେବେ ମୁକ୍ତିଲାଭ କରିବ?

ବିକ୍ରାନ୍ତ ମେସୀଙ୍କ ଅଭିନୀତ ‘ସାବରମତି ରିପୋର୍ଟ’ ନିର୍ଦ୍ଦେଶନା ଦେଇଛନ୍ତି ଧୀରଜ ସରନା। ଏହି ଚଳଚ୍ଚିତ୍ର ଦେଶର ସବୁଠାରୁ ବଡ ତଥା ଯନ୍ତ୍ରଣାଦାୟକ ଘଟଣା ଉପରେ ଆଧାରିତ ବୋଲି କୁହାଯାଉଛି। ଏହି ଚଳଚ୍ଚିତ୍ର ୨୭ ଫେବୃଆରୀ ୨୦୦୨ ରେ ସାବରମତି ଏକ୍ସପ୍ରେସରେ ଘଟିଥିବା ଘଟଣାକୁ ଉଜାଗର କରିବ। ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତ ମେସୀଙ୍କ ବ୍ୟତୀତ ରାଶି ଖନ୍ନା, ସନ୍ଦୀପ ବେଦ, ନାଜନୀନ ପାଟନୀ, ପ୍ରିନ୍ସ କଶ୍ୟପ, ରୋହିତ ଅମେରିଆ ପ୍ରମୁଖ ଅଭିନୟ କରିଛନ୍ତି। ସୂଚନା ଅନୁଯାୟୀ ସାବରମତି ରିପୋର୍ଟ ନଭେମ୍ବର ୧୫ ତାରିଖରେ ବଡ ପରଦାରେ ଆସିବ।

Categories
ଆଜିର ଖବର ଜାତୀୟ ଖବର

ରେଳ ଷ୍ଟେସନରେ ସହଜ ହେଲା ୱାଇଫାଇ ବ୍ୟବହାର କରିବା! ଏହିପରି ମାଗଣା ସେବାର ଲାଭ ଉଠାନ୍ତୁ

ନୂଆଦିଲ୍ଲୀ: ଯେତେବେଳେ ବି ଆମେ ଟ୍ରେନରେ ଯାତ୍ରା କରୁ, ଆମେ ନେଟୱର୍କ ସମସ୍ୟାର ସମ୍ମୁଖୀନ ହେଉ। ଏପରି ପରିସ୍ଥିତିରେ, ବେଳେବେଳେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ମଝିରେ ଅଟକିଯାଏ। କିନ୍ତୁ କିପରି ଆପଣ ରେଳବାଇର ମାଗଣା ୱାଇଫାଇ ପାଇବେ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ହୋଇପାରିବ? ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରେଳବାଇ ମଧ୍ୟ ଏହାର ଯାତ୍ରୀମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନିଏ ଏବଂ ଏହାର ଅନେକ ଷ୍ଟେସନରେ ମାଗଣା ୱାଇଫାଇ ସୁବିଧା ଯୋଗାଉଛି। କିନ୍ତୁ ଯାତ୍ରୀମାନଙ୍କ ମନରେ ଏକ ପ୍ରଶ୍ନ ଅଛି ଯେ, ଏହି ସୁବିଧା କିପରି ବ୍ୟବହାର କରାଯିବ?ଏପରି ପରିସ୍ଥିତିରେ, ଆପଣ ମାଗଣା ୱାଇ-ଫାଇ ସଂଯୋଗ କରିବାକୁ ଏହି ପଦକ୍ଷେପଗୁଡ଼ିକୁ ଅନୁସରଣ କରିପାରିବେ।

ଆପଣ ଅଧ ଘଣ୍ଟା କିମ୍ବା ଅଧିକ ସମୟ ପାଇଁ ରେଳ ପ୍ଲାଟଫର୍ମରେ ୱାଇଫାଇ ସଂଯୋଗ କରିପାରିବେ। ଏଥିପାଇଁ ରେଲଟେଲ ରେଲଓୟାରା ନାମରେ ୱାଇ-ଫାଇ ଉପଲବ୍ଧ କରାଯାଇଛି। ଅନେକ ସହରରେ ଏଥିପାଇଁ ଆପଣଙ୍କୁ ୧୦ ଟଙ୍କା ପ୍ୟାକ୍ କିଣିବାକୁ ପଡିବ। ପ୍ରକାଶ ଯୋଗ୍ୟ ଯେ, ଗୋଟିଏ ଷ୍ଟେସନ୍ କିମ୍ବା କୌଣସି ସର୍ବସାଧାରଣ ୱାଇ-ଫାଇ ବ୍ୟବହାର କରିବା ସମୟରେ ବ୍ୟକ୍ତିଗତ ମୋବାଇଲ୍ ଡାଟା ଲିକ୍ ହେବାର ଆଶଙ୍କା ଥାଏ।

ରେଳ ନେଟୱର୍କ ସହିତ କିପରି ସଂଯୋଗ ହେବେ?:

– ସର୍ବପ୍ରଥମେ ଆପଣଙ୍କ ସ୍ମାର୍ଟଫୋନରେ ୱାଇଫାଇ ସେଟିଙ୍ଗକୁ ଯାଆନ୍ତୁ। ଏହା ପରେ ରେଳ ନେଟୱାର୍କ ଚୟନ କରନ୍ତୁ।

– ଏହା ପରେ railwire.co.in ୱେବସାଇଟ୍ କୁ ଯାଆନ୍ତୁ।

– ଏଠାରେ ଆପଣଙ୍କର ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ ଏବଂ ଦାଖଲ କରନ୍ତୁ।

– ଏଠାରେ OTP ଆପଣଙ୍କ ଫୋନରେ ଆସିବ। ଏହା ସହିତ, ନେଟୱର୍କ ପାସୱାର୍ଡ ପ୍ରବେଶ କରନ୍ତୁ ଏବଂ ତାପରେ କ୍ଲିକ୍ କରନ୍ତୁ।

– ବର୍ତ୍ତମାନ ଆପଣ ରେଳବାଇ ସହିତ ସଂଯୁକ୍ତ, ବର୍ତ୍ତମାନ ଆପଣ ମାଗଣା ୱାଇଫାଇ ଉପଭୋଗ କରିପାରିବେ।

– ସେବା କେବଳ ରେଳ ଷ୍ଟେସନରେ ଉପଲବ୍ଧ।

ଉଲ୍ଲେଖ ଯୋଗ୍ୟ ଯେ, ରେଳବାଇର ଇଣ୍ଟରନେଟ୍ ସେବା କେବଳ ରେଳ ଷ୍ଟେସନରେ ଉପଲବ୍ଧ। ଏହା ଆପଣଙ୍କ ଟ୍ରେନ୍ ଯାତ୍ରାରେ ଉପଯୋଗୀ ନୁହେଁ। ଆପଣ Railwire.co.in ପରିଦର୍ଶନ କରି ରେଳବାଇର ଇଣ୍ଟରନେଟ୍ ପ୍ୟାକେଜ୍ ବିବରଣୀ ପାଇପାରିବେ।

Categories
ଆଜିର ଖବର ଜାତୀୟ ଖବର

ରାସନ କାର୍ଡରୁ କଟିବ ଏହି ଲୋକଙ୍କ ନାମ, ଜାଣନ୍ତୁ କିପରି ଯାଞ୍ଚ କରିପାରିବ ଆପଣଙ୍କର ସ୍ଥିତି?

ନୂଆଦିଲ୍ଲୀ: ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଦେଶର କୋଟି କୋଟି ଲୋକ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ପାଆନ୍ତି। ଭାରତରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନକୁ ଦୁଇଥର ଖାଇବା ପାଇଁ ବ୍ୟବସ୍ଥା କରିପାରନ୍ତି ନାହିଁ। ଭାରତ ସରକାର ଏଭଳି ଅଭାବୀ ଲୋକଙ୍କୁ ସାହାଯ୍ୟ କରନ୍ତି। ଭାରତ ସରକାର ଏଭଳି ଲୋକଙ୍କୁ ଖୁବ୍ କମ୍ ମୂଲ୍ୟରେ ରାସନ ପ୍ରଦାନ କରନ୍ତି। ଏଥିପାଇଁ ସରକାର ଏହି ଲୋକଙ୍କୁ ରେସନ କାର୍ଡ ମଧ୍ୟ ପ୍ରଦାନ କରୁଛନ୍ତି। ଯାହା ସାହାଯ୍ୟରେ ଲୋକମାନେ ସରକାରୀ ଯୋଜନାର ଲାଭ ପାଆନ୍ତି।

ରେସନ କାର୍ଡ ପାଇବା ପାଇଁ ସରକାର କିଛି ଯୋଗ୍ୟତା ମାନଦଣ୍ଡ ସ୍ଥିର କରିଛନ୍ତି। ଯାହା ସମସ୍ତ ଲୋକଙ୍କୁ ସଂପୂର୍ଣ୍ଣ କରିବାକୁ ପଡିବ। ଯଦି କେହି ଏହି ଯୋଗ୍ୟତା ମାନଦଣ୍ଡ ପୂରଣ କରନ୍ତି ନାହିଁ। ତେଣୁ ତାଙ୍କର ରେସନ କାର୍ଡ ତିଆରି ହୋଇପାରେନାହିଁ। ନିୟମ ଅନୁଯାୟୀ, ଏହି ଲୋକଙ୍କ ନାମ ମଧ୍ୟ ରେସନ କାର୍ଡରୁ ଅପସାରିତ ହୋଇଛି। ସମ୍ପ୍ରତି ସରକାର ସମସ୍ତ ରେସନ କାର୍ଡଧାରୀଙ୍କ ପାଇଁ ଇ-କେୱାଇସି କରିବା ବାଧ୍ୟତାମୂଳକ କରିଛନ୍ତି। ସମସ୍ତ ରେସନ କାର୍ଡଧାରୀମାନେ ଇ- KYC କରିବାକୁ ଆବଶ୍ୟକ କରନ୍ତି। ନଚେତ୍ ଏହି ରେସନ କାର୍ଡଧାରୀଙ୍କ ନାମ ରେସନ କାର୍ଡରୁ ବନ୍ଦ ହୋଇଯିବ। ଏଥିପାଇଁ ସରକାର ଡିସେମ୍ବର ୩୧ ତାରିଖ ୨୦୨୪ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।

ପ୍ରକାଶ ଯେ, ସରକାର ଏହି ସମୟସୀମାକୁ ଦୁଇଥର ବଢାଇ ସାରିଛନ୍ତି। ଏବଂ ବର୍ତ୍ତମାନ ଏହାକୁ ଆଗକୁ ନେବା ପାଇଁ କୌଣସି ସୂଚନା ନାହିଁ। ଏହାର ଅର୍ଥ, ଯେଉଁମାନେ ଡିସେମ୍ବର ୩୦ ତାରିଖ ସୁଦ୍ଧା ସେମାନଙ୍କର KYC କରିନାହାଁନ୍ତି, ସେମାନଙ୍କ ନାମ ରାସନ କାର୍ଡରୁ ହଟାଯିବ। ଏହା ବ୍ୟତୀତ, ଅନେକ ରେସନ କାର୍ଡଧାରୀ ଅଛନ୍ତି ଯେଉଁମାନେ ନକଲି ଦଲିଲ ଆଧାରରେ ସେମାନଙ୍କର ରେସନ କାର୍ଡ ପାଇଛନ୍ତି। ଯେଉଁମାନେ ନକଲି ରାସନ କାର୍ଡରେ ସରକାରୀ ଯୋଜନାର ଲାଭ ନେଉଛନ୍ତି। ସରକାର ଏଭଳି ରେସନ କାର୍ଡଧାରୀଙ୍କୁ ଚିହ୍ନଟ କରୁଛନ୍ତି। ସେହି ଲୋକମାନେ, ଯେଉଁମାନେ ନକଲି ଦଲିଲ ଆଧାରରେ ଠକେଇ ଦ୍ୱାରା ପ୍ରସ୍ତୁତ ରେସନ କାର୍ଡ ପାଇଛନ୍ତି। ସେହି ସମସ୍ତ ଲୋକଙ୍କ ନାମ ସେମାନଙ୍କ ରାସନ କାର୍ଡରୁ ହଟେଇଦିଆଯାଉଛି। ଆପଣଙ୍କର ନାମ ରେସନ କାର୍ଡରେ ଅଛି, ଆପଣ ରେସନ ଡିଲରଙ୍କ ନିକଟକୁ ଯାଇ ଏହା ବିଷୟରେ ସୂଚନା ପାଇପାରିବେ।

ଅନ୍ୟଥା, ଆପଣ ଘରେ ବସି ଅନଲାଇନରେ ଆପଣଙ୍କର ସ୍ଥିତି ଯାଞ୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, nfsa.gov.in/Default.aspx ର ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପଡିବ। ଏବଂ ସେଠାରେ ଆବଶ୍ୟକ ସୂଚନା ପ୍ରବେଶ କରି ଆପଣ ସ୍ଥିତି ଯାଞ୍ଚ କରିପାରିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଭାରତକୁ ବଡ ଝଟକା!: ପର୍ଥରେ ପ୍ରଶିକ୍ଷଣ ଅଧିବେଶନରେ ଆହତ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର ନାହିଁ। ପ୍ରଶିକ୍ଷଣ ଅଧିବେଶନରେ ଟିମ୍ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନ୍ ଆହତ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ସରଫରାଜ ଖାନ କାନ୍ଧରେ ଆଘାତ ପାଇବା ପରେ ପର୍ଥରେ ପଡ଼ିଆ ଛାଡିଥିଲେ। ଯଦିଓ ସରଫରାଜ ଖାନଙ୍କ ଆଘାତ ସମ୍ପର୍କରେ ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ, ଭାରତୀୟ ଦଳ ପରିଚାଳନା ସହିତ ପ୍ରଶଂସକଙ୍କ ହୃଦସ୍ପନ୍ଦନ ନିଶ୍ଚିତ ଭାବେ ବୃଦ୍ଧି ପାଇଛି। ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ସରଫରାଜ ଖାନ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥ ଟେଷ୍ଟ ପୂର୍ବରୁ ସରଫରାଜ ଖାନଙ୍କ ଆଘାତ ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସି ଖବର ନୁହେଁ।

ଫକ୍ସ ସ୍ପୋର୍ଟସ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛି। ଏହି ଭିଡିଓରେ ଦେଖିବାକୁ ମିଳେ ଯେ, ସରଫରାଜ ଖାନ କାନ୍ଧରେ ଆଘାତ ପରେ ପଡ଼ିଆ ଛାଡି ଯାଉଛନ୍ତି। ସରଫରାଜ ଖାନ ମଧ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ସୋସିଆଲ ମିଡିଆରେ ସରଫରାଜ ଖାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ମନ୍ତବ୍ୟ ଦେଇ ନିଜର ମତାମତ ଦେଉଛନ୍ତି।

https://x.com/FoxCricket/status/1856958074147201436?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1856958074147201436%7Ctwgr%5Ee53de5710546ec71a145bae6ba75014ce77252f3%7Ctwcon%5Es1_&ref_url=https%3A%2F%2Fwww.abplive.com%2Fsports%2Fcricket%2Fsarfaraz-khan-walks-off-after-painful-elbow-hit-during-training-session-in-perth-ind-vs-aus-bgt-latest-sports-news-2823411

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯିବ:

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ଏହି ସିରିଜ୍ ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେଉଛି। ଦୁଇ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ନଭେମ୍ବର ୨୨ ତାରିଖରୁ ନଭେମ୍ବର ୨୬ ତାରିଖ ମଧ୍ୟରେ ଖେଳାଯିବ। ଏହା ପରେ ଡିସେମ୍ବର ୬ ତାରିଖରୁ ଉଭୟ ଦଳ ମୁହାଁମୁହିଁ ହେବେ। ସେହିଭଳି ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଡିସେମ୍ବର ୧୪ ତାରିଖରୁ ଡିସେମ୍ବର ୧୮ ତାରିଖ ମଧ୍ୟରେ ଖେଳାଯିବ। ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ଡିସେମ୍ବର ୨୬ ତାରିଖରୁ ମେଲବୋର୍ଣ୍ଣ ପଡିଆରେ ଖେଳାଯିବ। ଏଥି ସହିତ, ଏହି ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ଜାନୁଆରୀ ୩ ତାରିଖରୁ ସିଡନୀରେ ଖେଳାଯିବ।