Categories
ବିଶେଷ ଖବର

ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା: ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ୧୪ଟି ରାଜ୍ୟ ୬୨୦୦ କିଲୋମିଟର ଯାତ୍ରା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବେ। ଏହା ଜାନୁଆରୀ ୧୪ରୁ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ। ଏହି ଯାତ୍ରା ୧୪ଟି ରାଜ୍ୟ ଓ ୮୫ଟି ଜିଲ୍ଲା ପରିକ୍ରମା କରିବ। ଏହି ସମୟରେ ରାହୁଲ ଗାନ୍ଧି ବସ୍ ଓ ପାଦରେ ୬ ହଜାର ୨୦୦ କିଲୋମିଟରରୁ ଅଧିକ ଯାତ୍ରା କରିବେ।

ଭାରତ ଯୋଡୋ ଯାତ୍ରା ପରେ କଂଗ୍ରେସ ଦଳ ଭାରତ ନ୍ୟାୟ ଯାତ୍ରା ଆୟୋଜନ କରିବ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏବଂ ଜୟରାମ ରମେଶ ବୁଧବାର ଦଳୀୟ ମୁଖ୍ୟାଳୟରେ ଗଣମାଧ୍ୟମକୁ କହିଛନ୍ତି। ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୁଜରାଟ ଦେଇ ମହାରାଷ୍ଟ୍ରରେ ଶେଷ ହେବ।

ନ୍ୟାୟ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ମଲ୍ଲିକାର୍ଜୁନ ଖଡଗେ
କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି ଯେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ ନ୍ୟାୟ ପାଇଁ ଭାରତ ନ୍ୟାୟ ଯାତ୍ରା ଉଦ୍ଦିଷ୍ଟ। ଏହି ଯାତ୍ରାରେ ରାହୁଲ ଯୁବକ, ମହିଳା ଏବଂ ଅବହେଳିତ ଲୋକଙ୍କୁ ଭେଟିବେ। ବସ ଯାତ୍ରାରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବେ। ଯାତ୍ରାର କିଛି ଛୋଟ ଅଂଶ ମଧ୍ୟ ପାଦରେ ଅଲଗା ଅଲଗା କଭର କରାଯିବ।

ଡିସେମ୍ବର ୨୮ତାରିଖରେ ଦଳର ପ୍ରତିଷ୍ଠା ଦିବସ ଅବସରରେ ନାଗପୁରରେ ଏକ ବିଶାଳ ରାଲି କରାଯିବ। ଏହାର ନାମ ହେଉଛି: ଆମେ ପ୍ରସ୍ତୁତ ଅଛୁ। ଏହି ବିଶାଳ ରାଲି ୨୦୨୪ ଲୋକସଭା ନିର୍ବାଚନର ଶଙ୍ଖନାଦ କରିବ।

୧୪୫ ଦିନ ଧରି ଭାରତ ଯୋଡ଼ୋ ଯାତ୍ରା କରିସାରିଛନ୍ତି ରାହୁଲ ଗାନ୍ଧି

ଏହା ପୂର୍ବରୁ ରାହୁଲ ଗାନ୍ଧି ୭ ସେପ୍ଟେମ୍ବର ୨୦୨୨ରୁ ୩୦ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା କରିଥିଲେ। ୧୪୫ ଦିନର ଏହି ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇ ଜମ୍ମୁ-କଶ୍ମୀରରେ ଶେଷ ହୋଇଥିଲା। ଏହାପରେ ରାହୁଲ ୧୨ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳକୁ ୩୫୭୦ କିଲୋମିଟର ଯାତ୍ରା କରିଥିଲେ।
ଶ୍ରୀନଗରର ଶେର-ଏ-କଶ୍ମୀର କ୍ରିକେଟ୍ ଷ୍ଟାଡିୟମରେ ରାହୁଲ ଗାନ୍ଧୀ କହିଥିଲେ, ମୁଁ ନିଜ ପାଇଁ କିମ୍ବା କଂଗ୍ରେସ ପାଇଁ ନୁହେଁ ବରଂ ଦେଶବାସୀଙ୍କ ପାଇଁ ଏହି ଯାତ୍ରା କରିଛି। ଆମର ଉଦ୍ଦେଶ୍ୟ ହେଉଛି ସେହି ବିଚାରଧାରା ବିରୋଧରେ ଠିଆ ହେବା ଯାହା ଏହି ଦେଶର ଭିତ୍ତିଭୂମିକୁ ନଷ୍ଟ କରିବାକୁ ଚାହୁଁଛି।

ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧି ୧୨ଟି ସଭାକୁ ସମ୍ବୋଧିତ କରିବା ସହ ୧୦୦ରୁ ଅଧିକ ସଭା ଓ ୧୩ଟି ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ଚାଲିବା ସମୟରେ ୨୭୫ରୁ ଅଧିକ ଆଲୋଚନାରେ ଭାଗ ନେଇଥିଲେ, କେଉଁଠି ଅଟକି ପାଖାପାଖି ୧୦୦ ଆଲୋଚନା କରିଥିଲେ।

ରାଜନୈତିକ ଉଦ୍ଦେଶ୍ୟ ଅପେକ୍ଷା ରାହୁଲଙ୍କ ଲୁକ୍ ଓ ଟି-ସାର୍ଟ କୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା

ରାହୁଲଙ୍କ ଏହି ଯାତ୍ରାରେ ତାଙ୍କ ଲୁକ୍ ରାଜନୀତି ଅପେକ୍ଷା ଅଧିକ ଚର୍ଚ୍ଚାରେ ରହିଥିଲା। ସେପ୍ଟେମ୍ବର ୭ରେ କନ୍ୟାକୁମାରୀରେ ଯାତ୍ରା ଆରମ୍ଭ କରିବା ସମୟରେ ରାହୁଲଙ୍କ ମୁହଁରେ ହାଲ୍କା ଦାଢ଼ି ଥିଲା, କିନ୍ତୁ ପାଖାପାଖି ପାଞ୍ଚମାସ ପରେ ତାଙ୍କ ଚେହେରା ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ମୁହଁରେ ଘନ ଦାଢ଼ି ଥିବାରୁ ମୁଣ୍ଡର କେଶ ମଧ୍ୟ ବଢ଼ିଥିଲା। ଏଠାରେ ରାହୁଲଙ୍କ ଧଳା ଟି-ସାର୍ଟ ମଧ୍ୟ ଚର୍ଚ୍ଚାରେ ରହିଥିଲା, ଯାହାକୁ ପିନ୍ଧି ସେ କଠିନ ଶୀତରେ ମଧ୍ୟ ବୁଲୁଥିବାର ଦେଖିବାକୁ ମିଳିଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

8 ଟି ରାଜ୍ୟରେ ବ୍ୟାପିଲା କରୋନାର JN.1 ଭାରିଆଣ୍ଟ, ଏପର୍ଯ୍ୟନ୍ତ 109 ଟି ମାମଲା ଚିହ୍ନଟ, କେଉଁଠାରେ ସର୍ବାଧିକ ମାମଲା?

ନୂଆଦିଲ୍ଲୀ: କରୋନା ପୁଣିଥରେ ଭାରତରେ ଦେଖିବାକୁ ମିଳିଛି ଏବଂ ଏହାର ସବ୍-ଭାରିଆଣ୍ଟ JN.1 ଦ୍ରୁତ ଗତିରେ ବ୍ୟାପିଛି। ସୂଚନାନୁସାରେ, 26 ଡିସେମ୍ବର ମଙ୍ଗଳବାର ପର୍ଯ୍ୟନ୍ତ ସାରା ଦେଶରେ JN.1 ଭାରିଆଣ୍ଟର 109 ଟି ମାମଲା ରୁଜୁ ହୋଇଛି। ଏହି ଜୀବାଣୁ ଏପର୍ଯ୍ୟନ୍ତ ଦେଶର 8 ଟି ରାଜ୍ୟରେ ବ୍ୟାପିଛି।

ସରକାରୀ ସୂତ୍ରରୁ ପ୍ରକାଶ ଯେ ଗୁଜୁରାଟରୁ 36 ଟି, କର୍ଣ୍ଣାଟକର 34 ଟି, ଗୋଆରୁ 14 ଟି, ମହାରାଷ୍ଟ୍ରର 9 ଟି, କେରଳର 6 ଟି, ରାଜସ୍ଥାନର 4 ଟି, ତାମିଲନାଡୁର 4 ଟି ଏବଂ ତେଲେଙ୍ଗାନାରୁ 2 ଟି ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ଅଧିକାଂଶ ରୋଗୀଙ୍କୁ ଘରେ ପୃଥକ ବାସରେ ରଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଛତିଶଗଡ ରାଜ୍ୟପାଳଙ୍କ ଦ୍ଵାରା ପୁସ୍ତକ ଉନ୍ମୋଚନ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ରାଜ୍ୟ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ଦ୍ଵାରା ଲିଖିତ ‘ଦିବସ ୧୦୧’ ପୁସ୍ତକ ଛତିଶଗଡ ମହାମହିମ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଙ୍କ ଦ୍ଵାରା ଭୁବନେଶ୍ଵର ସ୍ଥିତ ବାସଭବନ ପରିସରରେ ଉନ୍ମୋଚନ ହୋଇଯାଇଛି। ଏଥିସହିତ ପୂର୍ବରୁ ମଧ୍ୟ ଓଡିଶାର ପ୍ରାକ୍ତନ ମହାମହିମ ରାଜ୍ୟପାଳ ପ୍ରଫେସର ଡଃ ଗଣେଶୀ ଲାଲଙ୍କ ଦ୍ଵାରା ଶ୍ରୀ ନାୟକଙ୍କ ଲିଖିତ ପୁସ୍ତକ ‘ଶରିର ଗାଥା’ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଉକ୍ତ ପୁସ୍ତକରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପାଳିତ ହେଉଥିବା ୧୦୧ ଟି ଗୁରୁତ୍ୱପୂର୍ଣ୍ଣ ଦିବସ ଗୁଡିକର ତାତ୍ପର୍ଯ୍ୟ, ଉଦ୍ଦେଶ୍ୟ ଓ କାରଣ ସମ୍ପର୍କରେ ବିଶଦ ଭାବରେ କବିତା ମାଧ୍ୟମରେ ପ୍ରକାଶ କରାଯାଇଛି।

ଏକାଧାରରେ ଶ୍ରୀ ନାୟକ ଜଣେ ଉତ୍ତମ ଶିକ୍ଷକ ସହ ଜଣେ ସୁନାମଧନ୍ୟ ସାହିତ୍ୟିକ ଓ ଲେଖକ। ବର୍ତ୍ତମାନ ସୁଦ୍ଧା ତାଙ୍କର ୫ ଗୋଟି ଲିଖିତ ପୁସ୍ତକ ଉନ୍ମୋଚିତ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟର ପୁରାତନ ବିଦ୍ୟାର୍ଥୀମାନଙ୍କର ୨୨ ତମ ବନ୍ଧୁମିଳନ

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ପୁରାତନ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଏକ ବନ୍ଧୁମିଳନ ଉତ୍ସବ ବଡ଼ଦିନ ଅବସରରେ ଆୟୋଜିତ ହୋଇଯାଇଛି। ପ୍ରତିବର୍ଷ ନିର୍ଦ୍ଧାରିତ ଏହି ଦିନରେ ବନ୍ଧୁମିଳନର ଆୟୋଜନ କରାଯାଇଥାଏ। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଏହି ପରିଷଦର ଶିକ୍ଷକ ସଭାପତି ବିପିନ କୁମାର ସାହୁ ଯୋଗଦାନ କରି ନିଜର ଅଭିଭାଷଣରେ ‘ପୁରାତନ ବିଦ୍ୟାର୍ଥୀମାନେ ବିଦ୍ୟାଳୟର ଗୌରବ, ସେମାନେ ସମାଜରେ ପ୍ରତିଷ୍ଠା ଲାଭ କଲେ ମାତା-ପିତା ତଥା ଶିକ୍ଷକ ଶିକ୍ଷୟିତ୍ରୀ ଆନନ୍ଦିତ ହେବେ’ ବୋଲି କହିଥିଲେ।

ଏହି ଅବସରରେ ପୁରାତନ ଛାତ୍ର ପରିଷଦର ଶିକ୍ଷକ ଉପସଭାପତି ଶିତିକଣ୍ଠ ପତି ବିଦ୍ୟାଳୟର ଗୌରବ ବୃଦ୍ଧିନିମନ୍ତେ ପୁରାତନ ଛାତ୍ରମାନେ ପ୍ରୟାସ କରିବା ଉଚିତ ବୋଲି କହିଥିଲେ। ପ୍ରାକ୍ତନ ସମାଜବିଜ୍ଞାନ ଶିକ୍ଷୟିତ୍ରୀ ମୃଣାଳିନୀ ଦାସ ପୁରାତନ ବିଦ୍ୟାର୍ଥୀମାନଙ୍କୁ ନିଜର ଦୀର୍ଘଦିନର ଶିକ୍ଷା ଅଭିଜ୍ଞତାରୁ କିଛି ଉପଦେଶାତ୍ମକ କଥା କହିବା ସହ ଦୁନିଆରେ ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ। ଏହି ପରିଷଦର ସଂଯୋଜିକା ଶିକ୍ଷୟିତ୍ରୀ ଜ୍ୟୋସ୍ନା ମଙ୍ଗରାଜ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏଥିରେ ଶିକ୍ଷକ କୋଷାଧ୍ୟକ୍ଷ ସୁଶାନ୍ତ କୁମାର ସାମଲ, ଶୁଭ୍ରାଂଶୁ ମୋହନ ଦାଶ, ଅଖିଳ ରଞ୍ଜନ ଦାଶ ଆଦି ଅନେକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ପରିଶେଷରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ମୁଖ୍ୟ ଶାସନ ସଚିବଙ୍କ ତୃତୀୟ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୮ ଏବଂ ୨୯, ୨୦୨୩ ରେ ଦିଲ୍ଲୀରେ ମୁଖ୍ୟ ଶାସନ ସଚିବମାନଙ୍କର ତୃତୀୟ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଏହା ହେଉଛି ତୃତୀୟ ସମ୍ମିଳନୀ, ପ୍ରଥମଟି ୨୦୨୨ ଜୁନ୍ ରେ ଧର୍ମଶାଳାରେ ଏବଂ ଦ୍ୱିତୀୟ ସମ୍ମିଳନୀ ଜାନୁଆରୀ ୨୦୨୩ରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା।

ସମବାୟ ସଂଘୀୟତାର ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ ପ୍ରେରିତ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଅଂଶୀଦାର ଶାସନ ଏବଂ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଏ। ଚଳିତ ବର୍ଷ ଡିସେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବଙ୍କ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ।

ଏହି ତିନି ଦିନିଆ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି, ମୁଖ୍ୟ ଶାସନ ସଚିବ ଏବଂ ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ମିଶାଇ ୨୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିବେ। ଏହା ସରକାରୀ ହସ୍ତକ୍ଷେପ ଗୁଡିକର ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରି ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳ ଜନସାଧାରଣଙ୍କ ଉନ୍ନତ ମାନର ଜୀବନ ଧାରଣ ପାଇଁ ସହଯୋଗୀ କାର୍ଯ୍ୟ ପାଇଁ ଭିତ୍ତିଭୂମି ସ୍ଥାପନ କରିବ ।

ଚଳିତ ବର୍ଷ ମୁଖ୍ୟ ଶାସନ ସଚିବଙ୍କ ନ୍ୟାସନାଲ କନଫରେନ୍ସର ମୁଖ୍ୟ ଫୋକସ୍ ହେବ ‘ଇଜ୍ ଅଫ୍ ଲିଭିଂ’। ଏହି ସମ୍ମିଳନୀ ଏକ ସାଧାରଣ ବିକାଶ ଏଜେଣ୍ଡାର ବିକାଶ ଏବଂ କାର୍ଯ୍ୟକାରିତା ଏବଂ ରାଜ୍ୟମାନଙ୍କ ସହ ଭାଗିଦାରୀରେ ସମନ୍ୱିତ କାର୍ଯ୍ୟ ପାଇଁ ବ୍ଲୁପ୍ରିଣ୍ଟ ଉପରେ ଗୁରୁତ୍ୱାରୋପ କରିବ ।

କଲ୍ୟାଣମୂଳକ ଯୋଜନାଗୁଡ଼ିକର ସହଜ ଉପଲବ୍ଧତା ଏବଂ ସେବା ଯୋଗାଣରେ ଗୁଣବତ୍ତା ଉପରେ ବିଶେଷ ଗୁରୁତ୍ୱାରୋପ କରି ସମ୍ମିଳନୀରେ ୫ଟି ଉପ-ବିଷୟ ବସ୍ତୁ ଉପରେ ଆଲୋଚନା କରାଯିବ ଯାହା ହେଉଛି ଭୂମି ଓ ସମ୍ପତ୍ତି; ବିଜୁଳି; ପିଇବା ପାଣି; ସ୍ଵାସ୍ଥ୍ୟ ଏବଂ ବିଦ୍ୟାଳୟ ଶିକ୍ଷା। ଏହାବ୍ୟତୀତ ସାଇବର ସିକ୍ୟୁରିଟି: ନୂତନ ଚ୍ୟାଲେଞ୍ଜ ଉପରେ ମଧ୍ୟ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଆଇ,  ଭୂମିରୁ କାହାଣୀ ଉପରେ  ଦୃଷ୍ଟିକୋଣ: ଆକାଂକ୍ଷୀ ବ୍ଲକ ଏବଂ ଜିଲ୍ଲା କାର୍ଯ୍ୟକ୍ରମ; ରାଜ୍ୟଗୁଡ଼ିକର ଭୂମିକା: ଯୋଜନା ଏବଂ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକର ପ୍ରଯୁଜ୍ୟତା ଏବଂ ପୁଞ୍ଜି ବ୍ୟୟ ବୃଦ୍ଧି; ଶାସନରେ ଏଆଇ: ଆହ୍ୱାନ ଏବଂ ସୁଯୋଗ।

ଏହାବ୍ୟତୀତ ନିଶା ମୁକ୍ତି ଓ ଥଇଥାନ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ। ଅମୃତ ସରୋବର; ପର୍ଯ୍ୟଟନ ପ୍ରୋତ୍ସାହନ, ବ୍ରାଣ୍ଡିଂ ଏବଂ ରାଜ୍ୟଗୁଡ଼ିକର ଭୂମିକା; ଏବଂ ପିଏମ ବିଶ୍ୱକର୍ମା ଯୋଜନା ଏବଂ ପିଏମ ସ୍ୱନିଧି । ଏହି ସମ୍ମିଳନୀରେ ପ୍ରତ୍ୟେକ ବିଷୟବସ୍ତୁ ଅଧୀନରେ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ଶ୍ରେଷ୍ଠ ଅଭ୍ୟାସ ଉପସ୍ଥାପନ କରାଯିବ ଯାହା ଦ୍ୱାରା ରାଜ୍ୟମାନେ ନିଜ ନିଜ ଆବଶ୍ୟକତା ଅନୁଯାୟୀ ଗୋଟିଏ ରାଜ୍ୟ କିମ୍ବା କୌଶଳରେ ହାସଲ କରିଥିବା ସଫଳତାକୁ ଅନୁସରଣ କରିପାରିବେ ।

Categories
ଆଞ୍ଚଳିକ

ଗମ୍ଭାରିମୁଣ୍ଡା: ୨୯ ବର୍ଷ ପରେ ପତିତପାବନ ବାଣୀ ମନ୍ଦିରର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରିମୁଣ୍ଡା ସ୍ଥିତ ପତିତପାବନ ବାଣୀ ମନ୍ଦିର ୧୯୯୪ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମା’ ଖିଲାମୁଣ୍ଡାଙ୍କ ପିଠରେ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ କାଶୀନାଥ ଲେଙ୍କା, ଧନେଶ୍ଵର ଭୋଳ, ସୁରେଶ ସାମନ୍ତରାୟ, ଦୂର୍ଗାପ୍ରସାଦ ମହାରଣା, ଗୌରହରି ଦଳବେହେରା ଓ ଯୁଧିଷ୍ଠିର ସ୍ଵାଇଁଙ୍କୁ ଅତିଥି ଭାବେ ନିମନ୍ତ୍ରିତ କରାଯାଇଥିଲା।

ଦୀର୍ଘ ୨୯ ବର୍ଷ ପରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଏକତ୍ରିତ ହୋଇଥିଲେ। ଯାହାକୁ ନେଇ ୧୯୯୪ ବ୍ୟାଚର ବନ୍ଧୁମାନେ ଭାବବିହ୍ଵଳ ହୋଇପଡିଥିଲେ। ଏହି ସମୟରେ ବନ୍ଧୁମାନଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିଲା। ଏତେ ବର୍ଷର ବ୍ୟବଧାନ ଯୋଗୁଁ ସମସ୍ତ ବନ୍ଧୁମାନଙ୍କର ଚେହେରାରେ ଅନେକ ପରିବର୍ତ୍ତନ ଘଟିଥିବାରୁ ପରସ୍ପରକୁ ଚିହ୍ନିବାରେ କଷ୍ଟକର ହୋଇପଡିଥିଲା। ତଥାପି ସେମାନେ ପୁରୁଣା ସ୍ମୃତିକୁ ମନ ପକାଇ ନିଜ ନିଜ ମଧ୍ୟରେ ପରିଚିତ ହୋଇଥିଲେ।

ତେବେ ସେମାନଙ୍କର ମିଳିତ ପ୍ରୟାସରେ “ବନ୍ଧୁ ମିଳନ” କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ଚଳିତ ବର୍ଷ ପରି ଆଗାମୀ ବର୍ଷ ମାନଙ୍କରେ ଏଭଳି ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯିବ ଏବଂ ରହିଯାଇଥିବା ବନ୍ଧୁମାନଙ୍କୁ ଏକାଠି କରିବାକୁ ପ୍ରୟାସ କରିବେ ବୋଲି ଆମ ପ୍ରତିନିଧିଙ୍କୁ ୧୯୯୪ ବ୍ୟାଚର ବ୍ୟବସ୍ଥାପକ ଗ୍ରୁପ ସୂଚନା ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସାଉଦି ଆରବର କ୍ରାଉନ ପ୍ରିନ୍ସ ଓ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରାଉନ୍ ପ୍ରିନ୍ସ ତଥା ସାଉଦି ଆରବର ପ୍ରଧାନମନ୍ତ୍ରୀ ଏଚଆରଏଚ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲଅଜିଜ୍ ଅଲ୍ ସୌଦଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି।

ସେପ୍ଟେମ୍ବର ୨୦୨୩ରେ କ୍ରାଉନ୍ ପ୍ରିନ୍ସଙ୍କ ଭାରତ ଗସ୍ତ ପରବର୍ତ୍ତୀ ସମୟରେ ଦ୍ୱିପାକ୍ଷିକ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ର ଅଗ୍ରଗତି ସମ୍ପର୍କରେ ଉଭୟ ନେତା ସମୀକ୍ଷା କରିଥିଲେ। ସେମାନେ ଭବିଷ୍ୟତ ପାଇଁ ଆଗଧାଡ଼ିର ଦ୍ୱିପାକ୍ଷିକ ଭାଗିଦାରୀ ଏଜେଣ୍ଡା ଉପରେ ମଧ୍ୟ ଆଲୋଚନା କରିଥିଲେ।

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ଉପରେ ନେତାମାନେ ମତ ବିନିମୟ କରିଥିଲେ। ସେମାନେ ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି କୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ।

ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ଏବଂ ନୀତିଗତ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଏବଂ ପ୍ରଭାବିତ ଜନସାଧାରଣଙ୍କ ପାଇଁ ମାନବିକ ସହାୟତା ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଏହି ଅଞ୍ଚଳରେ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଦୁଇ ନେତା ସହମତ ହୋଇଥିଲେ। ସାମୁଦ୍ରିକ ନିରାପତ୍ତା ବଜାୟ ରଖିବା ଏବଂ ନାଭିଗେସନ୍ ର ସ୍ୱାଧୀନତା ଉପରେ ମଧ୍ୟ ସେମାନେ ଗୁରୁତ୍ୱାରୋପ କରିଥିଲେ।

ଏକ୍ସପୋ ୨୦୩୦ ଏବଂ ଫିଫା ଫୁଟବଲ ବିଶ୍ୱକପ୍ ୨୦୩୪ ପାଇଁ ଆୟୋଜକ ଭାବେ ମନୋନୀତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସାଉଦି ଆରବକୁ ଶୁଭେଚ୍ଛା ଜଣାଇଛନ୍ତି ।

ଦୁଇ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ପୁରସ୍କାର ଫେରାଇବେ କୁସ୍ତିଯୋଦ୍ଧା!, ବଜରଙ୍ଗ ପୁନିଆଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କୁସ୍ତି ମହାସଂଘ ବିରୋଧରେ କୁସ୍ତିଯୋଦ୍ଧାମାନଙ୍କ ବିରୋଧ ଜାରି ରହିଛି। ତେବେ କୁସ୍ତି ସଙ୍ଗଠନକୁ ନେଇ ସର୍ବଶେଷ ବିବାଦ ପରେ କେନ୍ଦ୍ର ସରକାର ମହାସଂଘ ନିର୍ବାଚନ ପରେ ନବ ନିର୍ବାଚିତ କମିଟିକୁ ଭଙ୍ଗ କରି ଦେଇଛନ୍ତି। ଏହି ବିବାଦ ମଧ୍ୟରେ ଅନେକ କୁସ୍ତି ଯୋଦ୍ଧା ଏବଂ ଅନ୍ୟ ଖେଳାଳିମାନେ ମଧ୍ୟ ପୁରସ୍କାର ଫେରସ୍ତ ବିଷୟରେ ଆଲୋଚନା କରିଛନ୍ତି। କୁସ୍ତି ସଂଘ ଏବଂ କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ରାଜନୀତି ମଧ୍ୟ ଚାଲିଛି। କିଛି ଦିନ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଏହି କୁସ୍ତିଯୋଦ୍ଧାମାନଙ୍କୁ ଭେଟିଥିଲେ। ଏଥି ସହ ବର୍ତ୍ତମାନ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଜରଙ୍ଗ ପୁନିଆଙ୍କୁ ଭେଟିଛନ୍ତି। ରାହୁଲ ଗାନ୍ଧୀ ଏବଂ ବଜରଙ୍ଗ ପୁନିଆଙ୍କ ଏହି ସାକ୍ଷାତ ହରିୟାଣାର ଝଜ୍ଜରରେ ଆୟୋଜିତ ଏକ ବୈଠକରେ ହୋଇଥିଲା।

କହିବାକୁ ଗଲେ କିଛି ଦିନ ପୂର୍ବରୁ ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗାଟ ଘୋଷଣା କରିଛନ୍ତି ଯେ, ସେ ତାଙ୍କ ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାର ଫେରାଇବେ। ସାକ୍ଷୀ ମଲିକ କୁସ୍ତିରୁ ଅବସର ଘୋଷଣା କରିବା ପରେ ଏବଂ ବଜରଙ୍ଗ ପୁନିଆ ତାଙ୍କ ପଦ୍ମଶ୍ରୀ ଫେରାଇବାର ଏକ ସପ୍ତାହ ଭିତରେ ବିନେଶ ଫୋଗାଟଙ୍କ ଏହି ଘୋଷଣା ଆସିଥିଲା। ପ୍ରକାଶ ଯେ, ସେହି ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ବିରୋଧ କରିଥିବା ସେହି କୁସ୍ତିଯୋଦ୍ଧାମାନଙ୍କ ମଧ୍ୟରେ ବିନେଶ ଫୋଗାଟ ମଧ୍ୟ ଥିଲେ। ବ୍ରିଜଭୂଷଣ ଶରଣ ସିଂଙ୍କୁ ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଏବଂ ବିନେଶ ଫୋଗାଟଙ୍କ ପରି ଅନେକ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଥିଲା ଏବଂ ଏହି ତିନିଜଣ କୁସ୍ତିଯୋଦ୍ଧା ତାଙ୍କ ବିରୋଧରେ ବିକ୍ଷୋଭ କରିବାର ଅଗ୍ରଭାଗରେ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ରାହୁଲ ଗାନ୍ଧୀ କରିବେ ‘ଭାରତ ନ୍ୟାୟ ଯାତ୍ରା’, ଜାନୁଆରୀ ୧୪ରୁ ମଣିପୁରରୁ ଆରମ୍ଭ ହେବ ଏହି ଯାତ୍ରା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ନୟା ଯାତ୍ରା’ କରିବାକୁ ଯାଉଛନ୍ତି। ଭରତ ଯୋଡୋ ଯାତ୍ରା ପରେ ବର୍ତ୍ତମାନ ରାହୁଲ ଏହି ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯାତ୍ରା ମଣିପୁରରୁ ଆରମ୍ଭ ହେବ ବୋଲି ଜଣାପଡିଛି। ଯାହା ଜାନୁୟାରୀ ୧୪ ତାରିଖରୁ ଆରମ୍ଭ ହୋଇପାରେ। ତେବେ ଏହି ଯାତ୍ରାରେ ରାହୁଲ ଗାନ୍ଧୀ ମୋଟ ୬୨୦୦ କିମି ପଦ ଯାତ୍ରା କରିବେ ବୋଲି ସୂଚନା ରହିଛି।

Categories
ଆଜିର ଖବର ଜାତୀୟ ଖବର

ୟୁଟ୍ୟୁବରେ ୨ କୋଟି ସବସ୍କ୍ରାଇବର ଥିବା ଦୁନିଆର ପ୍ରଥମ ନେତା ହେଲେ ପିଏମ ମୋଦୀ, ଏହି ମାସରେ ୨୨ କୋଟି ଭ୍ୟୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଦୁନିଆର ପ୍ରଥମ ନେତା ହୋଇଛନ୍ତି, ଯାହାଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ (ପିଏମ ମୋଦି ୟୁଟ୍ୟୁବ୍ ଚ୍ୟାନେଲ୍) ର ୨ କୋଟି ସବସ୍କ୍ରାଇବର ଅଛନ୍ତି। ନରେନ୍ଦ୍ର ମୋଦୀଙ୍କ ନାମରେ ପିଏମ ମୋଦୀଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ଅଛି। ଏହି ଚ୍ୟାନେଲରେ ୪.୫ ବିଲିୟନ ଅର୍ଥାତ୍ ୪୫୦ କୋଟି ଭ୍ୟୁ ହୋଇସାରିଛି। ଏହି ମାସରେ, ପିଏମ ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲର ମୋଟ ଭ୍ୟୁଜ ୨୨.୪ କୋଟି, ଯାହା ଏକ ରେକର୍ଡ। ଗତ ବର୍ଷ ଫେବୃଆରୀରେ ପିଏମ ମୋଦୀଙ୍କ ଚ୍ୟାନେଲ (ପିଏମ ମୋଦୀ ୟୁଟ୍ୟୁବ ଚ୍ୟାନେଲ) ର ସବସ୍କ୍ରାଇବରଙ୍କ ସଂଖ୍ୟା ୧ କୋଟି ଅତିକ୍ରମ କରିଥିଲା।

ପିଏମ ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲରେ ତିନୋଟି ଲୋକପ୍ରିୟ ଭିଡିଓ ଅଛି। ସେଗୁଡିକର ମୋଟ ଭ୍ୟୁଜ ହେଉଛି ୧୭୫ ନିୟୁତ। ପ୍ରଧାନମନ୍ତ୍ରୀ ମୋଦୀ ୨୦୦୭ ରେ ନିଜର ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ। ତା’ପରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଜନ ଯୋଗାଯୋଗରେ ସୋସିଆଲ ମିଡିଆର ଶକ୍ତି ବଢିବାରେ ମୋଦୀ ଭାରତୀୟ ରାଜନୀତିରେ ଅଗ୍ରଣୀ ବୋଲି ବିବେଚନା କରାଯାଏ।

ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ୟୁଟ୍ୟୁବ୍ ଚ୍ୟାନେଲ୍ ‘ଯୋଗ ୱିଥ ମୋଦୀ’ରେ ମଧ୍ୟ ୭୩,୦୦୦ ରୁ ଅଧିକ ଗ୍ରାହକ ଅଛନ୍ତି।

ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ପିଏମ ମୋଦୀଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି:

ପିଏମ ମୋଦୀଙ୍କ ପରେ ସୋସିଆଲ ମିଡିଆରେ ଲୋକପ୍ରିୟତା ଦୃଷ୍ଟିରୁ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସନାରୋ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ୬୪ ଲକ୍ଷ ସବସ୍କ୍ରାଇବର ଅଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତୃତୀୟ ସ୍ଥାନରେ ଅଛନ୍ତି, ତାଙ୍କର ୧୧ ଲକ୍ଷ ସବସ୍କ୍ରାଇବର ଅଛନ୍ତି। ଏହି ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚତୁର୍ଥ ସ୍ଥାନରେ ଅଛନ୍ତି। ବିଡେନଙ୍କର ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ୭,୯୪,୦୦୦ ସବସ୍କ୍ରାଇବର ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ

ରଣପୁର: ଗତ କାଲି ରାତିରେ ଅସୁସ୍ଥ ଦନ୍ତାର ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି। ନୟାଗଡ଼ ଜିଲ୍ଲା ରଣପୁର ବନ ବିଭାଗ ଅଧୀନରେ ଥିବା କାଞ୍ଚନପୁର କାଜୁ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀ କିଛି ଦିନ ହେବ ବୁଲୁ ଥିବା ଦେଖିବାକୁ ମିଳିଥିଲା। ଏ ନେଇ ସ୍ଥାନୀୟ ଗ୍ରାମବାସୀମାନେ ବନ ବିଭାଗରେ ଜଣାଇ ଥିଲେ। ବିଭିନ୍ନ ଗଣ ମାଧ୍ୟମରେ ମଧ୍ୟ ଏହି ଖବର ପରିବେଷଣ କରାଯାଇଥିଲା। ତୁରନ୍ତ ବନ ବିଭାଗ ହାତୀଟିକୁ ଟାଙ୍କୁ ଲାଇଜାର କରି ଚିକିତ୍ସା କରିବା ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଥିଲେ।

ଯାହା ଫଳରେ ଅସୁସ୍ଥ ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ଆରମ୍ଭ କରିଥିଲା ବନ ବିଭାଗ। ହାତୀକୁ ଚିକିତ୍ସା କରିବା ପାଇଁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଆସିଥିଲେ। କିନ୍ତୁ ଗୋଟାଏ ଦିନ ଚିକିତ୍ସା କରି ସେମାନେ ସେଠାରୁ ପଳାଇ ଯାଇଥିଲେ।

ଚିକିତ୍ସା ପରେ ମଧ୍ୟ ହାତୀଟିର ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା। ଏପରିକି ହାତୀଟି ଠିଆ ହେବା ପାଇଁ ଅସମର୍ଥ ହୋଇଥିଲା। ହାତୀର ଆଗ ପଟ ଗୋଡ଼ରେ ଗଭୀର କ୍ଷତ ସହ ସଂକ୍ରମଣ ଥିଲା। ଗତ କାଲି ରାତିରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟ ହୋଇଯାଇଥିବା ଜଣାପଡିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଦକ୍ଷିଣ ଆଫ୍ରିକା ନାମରେ ଥିଲା ପ୍ରଥମ ଦିନ, ଟିମ୍ ଇଣ୍ଡିଆ ର ସ୍କୋର ୨୦୮/୮

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଗତକାଲିଠାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚର ପ୍ରଥମ ଦିନରେ ଆୟୋଜକ ଦକ୍ଷିଣ ଆଫ୍ରିକା ଦଳ ଭାରତ ଉପରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଛି। ଦିନ ଶେଷ ସୁଦ୍ଧା ଭାରତୀୟ ଦଳ ୫୯ ଓଭରରେ ୮ ୱିକେଟ୍ ହରାଇ ୨୦୮ ରନ୍ ସ୍କୋରରେ ପହଞ୍ଚିଛି। ବର୍ଷା ଶେଷରେ ଖେଳକୁ ବ୍ୟାହତ କରିଥିଲା ଏବଂ ଶେଷରେ ପ୍ରଥମ ଦିନର ଖେଳ ବନ୍ଦ ହୋଇଥିଲା। ଭାରତ ପାଇଁ କେ.ଏଲ୍ ରାହୁଲ ୭୦ ଏବଂ ମହମ୍ମଦ ସିରାଜ ଖାତା ନ ଖୋଲି ଅପରାଜିତ ଫେରିଥିଲେ। ଆଫ୍ରିକୀୟ ଦ୍ରୁତ ବୋଲର କାଗିସୋ ରାବାଡା ସର୍ବାଧିକ ୫ ଟି ୱିକେଟ୍ ନେଇଥିଲେ।

Categories
ଆଞ୍ଚଳିକ

ପଞ୍ଚାୟତ ସାରା କୁଢକୁଢ ଆବର୍ଜନା: ଖତ ଖାଉଛି ଅଳିଆ ବୁହା ଗାଡି

ବଡଚଣା: କଥାରେ ଅଛି “ଗାଁ ପରିମଳ ଧୋବା ତୁଠରୁ” ପରିଷ୍କାର ପରିଚ୍ଛନ୍ନତା ଏକ ମାନବୀୟ ଜୀବନର ମୁଖ୍ୟ ଆଦର୍ଶଣୀୟ ଜୀବନଚର୍ଯ୍ୟା। କେବଳ ପାଠ୍ୟପୁସ୍ତକର ଅଧ୍ୟାୟ ଭାବରେ ନୁହେଁ ବା କୈାଣସି ସାର ଗର୍ଭକ ଭାଷଣର ଧାଡି, ସୁଧ ଆଚରଣ ଯେପରି ଜଣେ ମଣିଷର ଉତ୍ତମ ବ୍ୟକ୍ତିତ୍ୱକୁ ପ୍ରଦର୍ଶିତ କରିଥାଏ ସେହିଭଳି ସ୍ୱଚ୍ଛତାକୁ ଜଣେ ନିଜ ଚେତନାର ଜାଗରଣ ଭାବରେ ଚିନ୍ତା କରିବା ଏବଂ ଏହାକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବାର ପ୍ରାସଙ୍ଗିକତା ରକ୍ଷା କରେ।

ବଡଚଣା ବ୍ଲକ ଅନ୍ତର୍ଗତ ପତରାଜପୁର ଗ୍ରାମପଞ୍ଚାୟତର ସ୍ୱଚ୍ଛତା ବାଟବଣା ହୋଇଅଛି। ପଞ୍ଚାୟତର ଚାରିଆଡେ କମ୍ପୋଷ୍ଟପିଟ ଓ ଡଷ୍ଟବିନ ତିଆରି ହୋଇଥିବାର ଦେଖିବାକୁ ମିଳୁଛି। କିନ୍ତୁ ସେସବୁ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଅଛି। ସେହି ଅଳିଆ ଗୁଡିକ ବହୁ ଦିନ ରହିଯିବାରୁ ସେହି ସ୍ଥାନରୁ ଦୁର୍ଗନ୍ଧ ଗ୍ୟାସ ବାହାରୁଅଛି। ଦୀର୍ଘ ଦିନରୁ ଏହି ଅଳିଆ ଗଦା ହୋଇଥିବାବେଳେ ଏହାପ୍ରତି କାହାର ନଜର ନାହିଁ କି ଅଳିଆ ସଫା କରିବା ପାଇଁ ଉଦ୍ୟମ କରାଯାଇନାହିଁ।

ଅନ୍ୟପଟେ ପଞ୍ଚାୟତ ସମ୍ମୁଖରେ ଦୁଇଟି ଅଳିଆ ବୁହା ଗାଡି ଛିଡା ହୋଇଥିବାର ଦେଖିବାକୁ ମିଳୁଛି। ବହୁ ଦିନ ଧରି ଖରା ବର୍ଷାରେ ବାହାରେ ଛିଡା ହୋଇଥିବାରୁ ସେଗୁଡିକ କଳଙ୍କି ଲାଗି ନଷ୍ଟ ହୋଇଗଲାଣି। ପଞ୍ଚାୟତର ବିଭିନ୍ନ କାନ୍ଥ ମାନଙ୍କରେ ଅଳିଆ ବାହାରେ ପକାଇଲେ ଦଣ୍ଡନୀୟ ଅପରାଧ ବୋଲି ଲେଖାହୋଇଅଛି। ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ମାଟି,ପାଣି ଓ ପବନ ଏହି ପ୍ରଦୂଷଣ ମଧ୍ୟରେ ଅର୍ନ୍ତଭୂକ୍ତ। ଲୋକମାନେ ଅଳିଆ ଗଦାରେ ଅଳିଆ ପକାଇଲା ପରେ ସେଗୁଡିକ ସଫା କରାଯାଉନଥିବାରୁ ସେମାନେ ଅଳିଆ କେଉଁଠାରେ ପକାଇବେ ବୋଲି ପ୍ରଶ୍ନ ଉଠାଇଛନ୍ତି।

ପଞ୍ଚାୟତରେ ଏଣେତେଣେ ପଡିଥିବା ଅଳିଆ ଆବର୍ଜନାକୁ ଯଥାସମ୍ଭବ ମିଳିଥିବା ଅଳିଆ ଗାଡି କିମ୍ବା ଅନ୍ୟ ଉପାୟରେ ସଫାସୁତୁରା କରାଗଲେ ପରିବେଶ ଦୂଷିତ ହେବ ନାହିଁ ବୋଲି ଗ୍ରାମବାସୀମାନେ ମତ ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

କୌଣସି ଏକ ଗୁରୁତ୍ବପୂର୍ଣ୍ଣ କାମ କରିବାକୁ ଯାଉଛନ୍ତି କି? ତେବେ ନିଶ୍ଚିତ ଭାବେ ଏହା ଉପରେ ଦିଅନ୍ତୁ ଧ୍ୟାନ

ଚାଣକ୍ୟ ନୀତି: ଚାଣକ୍ୟ ନୀତିରେ ରହିଛି ଯେ, ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ, ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ।

ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି ସଫଳ ହେବେ କି ନାହିଁ ତାହା କେହି କହିପାରିବେ ନାହିଁ। ସେଥିପାଇଁ ଚାଲାକ ବ୍ୟକ୍ତି କେବେ ବି ନିଜର କାମ ସଫଳ ବା ସଂପୂର୍ଣ୍ଣ ନ ହେବା ପୂର୍ବରୁ କାହାକୁ କହେ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଶାସନର ଦୃଷ୍ଟି ଅଡୁଆଳରେ ଗରିବ ପରିବାର

ବଡଚଣା: କେନ୍ଦ୍ର ଠାରୁ ରାଜ୍ୟ ପର୍ଯ୍ୟନ୍ତ ଶହଶହ ଯୋଜନା। ଯୋଜନା ଅଧା ବାଟରେ ବାଟବଣା ହେବାରେ ଲାଗିଛି। ସରକାର ଗରିବ ନିରାଶ୍ରୟଙ୍କୁ ଥଇଥାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର, ମୋ କୁଡିଆ, ମଧୁବାବୁ ପେନ୍‌ସନ ଭଳି ଯୋଜନା ପ୍ରଣୟନ କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତୃଣମୁଳ ସ୍ତରରେ ଥିବା ଲୋକେ ଅଧିକରୁ ଅଧିକ କିପରି ସାମିଲ ହୋଇପାରିବେ ସେଥିପାଇଁ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନ ତୀକ୍ଷ୍ନ ଦୃ୍‌ଷ୍ଟି ଦେବା ପାଇଁ ତାଗିଦ କରିଥିବା ବେଳେ ବଡଚଣା ବ୍ଲକ ପତରାଜପୁର ପଞ୍ଚାୟତର ୱାର୍ଡ ନଂ ୫ର ସୀତା ଘଡେଇ (୬୮) ଙ୍କ ସ୍ୱାମୀ ସ୍ୱର୍ଗତ ରୁପ ଘଡେଇଙ୍କ ମୃତ୍ୟୁ ୧୦ବର୍ଷରୁ ଉର୍ଦ୍ଧ୍ୱ ହେଲାଣି। ସ୍ୱାମୀଙ୍କ ମୃତ୍ୟୁ ପରେ ବିଧବା ସୀତା ଘଡେଇ ଭତ୍ତା ପାଇଁ ସରକାରୀ ବାବୁଙ୍କ ପାଖକୁ ଧାଇଁ ଧାଇଁ ୨ବର୍ଷ ପରେ ଭତ୍ତା ହୋଇଥିଲା।

୨ଗୋଟି ପୁଅ ବାହା ହୋଇ ନିଜ ସଂସାର ସହ ବାହାରେ ଦାଦନ ଖଟୁଥିବାରୁ ସୀତା ହରିଜନ ସମ୍ପଦ୍ରାୟର ନିଜ ବେଉସା କୁଲା ବାଉଁସିଆ ବୁଣି ଘର ଘର ବୁଲି ବିକି ଯାହା ପାଏ ଓ ଭତ୍ତାରୁ ଯାହା ମିଳେ ସେଥିରେ ଗୁଜୁରଣ ମେଣ୍ଟାଇଥାଏ। କିନ୍ତୁ ଦୁଃଖର କଥା ଦୀର୍ଘ ୮ମାସରୁ ଉର୍ଦ୍ଧ୍ୱ ହେବ ଭତ୍ତା ପଇସା ପାଇପାରୁନାହିଁ। ପଞ୍ଚାୟତର ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କ ପାଖକୁ ବାରମ୍ବାର ଯାଇ ଯେତେ ନେହୁରା ହେଲେ ମଧ୍ୟ କିଛି ସୁଫଳ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ। ପଚାରିଲେ ତୁମର ବ୍ୟାଙ୍କ ଏକାଉଣ୍ଟକୁ ଆସିବ କହି ଏଡେଇ ଦେଉଛନ୍ତି।

ସେହିପରି ସେହି ୱାର୍ଡର ଭାବ ଘଡେଇ (୭୦) ଙ୍କ ସ୍ୱାମୀ ନନ୍ଦ ଘଡେଇଙ୍କର ସେହି ଅବସ୍ଥା। ଦୀର୍ଘ ୮ମାସରୁ ଉର୍ଦ୍ଧ୍ୱ ହେବ ତାଙ୍କର ମଧ୍ୟ ଭତ୍ତା ମିଳିପାରିନାହିଁ। ସେ ମଧ୍ୟ ସରପଞ୍ଚ ଓ ସରକାରୀ ବାବୁମାନଙ୍କ ପାଖକୁ ଦୈାଡି ଦୈାଡି ନିରାଶ ହୋଇ ଯାଜପୁର ଜିଲ୍ଲାପାଳ ମହୋଦୟଙ୍କୁ ଦେଖାକରିବେ ବୋଲି ଦୁଃଖରେ କାନ୍ଦିକାନ୍ଦି କହିଛନ୍ତି। ବ୍ଲକ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସୀତା ଓ ଭାବ ଘଡେଇଙ୍କୁ ଯଥାଶୀଘ୍ର ତାଙ୍କର ୮ମାସର ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

‘ତୋଷାଳି’ ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ – ୩୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ଆକଳନ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ୧୮ତମ “ତୋଷାଳି” ଜାତୀୟ ହସ୍ତଶିଳ୍ପ ମେଳା ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଡିସେମ୍ବର ୧୫ରୁ ଆରମ୍ଭ ହୋଇଥିବା ଏହି ଜାତୀୟ ସ୍ତରୀୟ ମେଳାରେ ୩୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଆକଳନ କରାଯାଇଛି। ଶେଷ ଦିନରେ ମଧ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବଜାର ସହିତ ଫୁଡ୍ କୋର୍ଟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରତିବର୍ଷ ତୋଷାଳି ମେଳା ଆୟୋଜନ କରାଯାଉଛି। ଚଳିତବର୍ଷ ମେଳାରେ ଜିଆଇ ମାନ୍ୟତା ପାଇଥିବା ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ଜିନିଷ ସହିତ ଜନଜାତି କଳାକୃତି ପ୍ରମୁଖ ଆକର୍ଷଣ ପାଲଟିଥିଲା। ୧୨ ଦିନ ଧରି ଚାଲିଥିବା ଏହି ମେଳାକୁ ୨୫ ଲକ୍ଷରୁ ଅଧିକ ଲୋକ ଆସିଥିବା ଆକଳନ କରାଯାଇଛି।

ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ଭିତରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଏବଂ ତ୍ରିପୁରାର ପୂର୍ବତନ ମୁଖ୍ୟ ଶାସନ ସଚିବ ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

“ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତି କରିବାରେ ସାରା ଦେଶରେ ଓଡ଼ିଶାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହାର ଅଧିକ ପ୍ରସାର ପାଇଁ ତୋଷାଳି ମେଳା ବିଶେଷ ସହାୟକ ହେଉଛିୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରି ପାଇଁ ତୋଷାଳି ମେଳା ଗୋଟିଏ ବଡ଼ ବଜାର ସାଜିଥିବାରୁ ଆଜି ଏହା ସାରା ଦେଶର ଲୋକମାନଙ୍କ ପାଇଁ ଆକର୍ଷଣ ପାଲଟିଛି। ଆଗାମୀ ଦିନରେ ଏହାକୁ ଅନ୍ତର୍ଜାତୀୟ ସ୍ତରର କରିବା ଲାଗି ଲକ୍ଷ୍ୟ ରଖାଯାଇଛି”, କହିଛନ୍ତି ଡକ୍ଟର ଅରବିନ୍ଦ ପାଢ଼ୀ।

ଚଳିତବର୍ଷ ତୋଷାଳି ମେଳା ସଫଳତାର ସହ ଶେଷ ହୋଇଥିବାରୁ ଏହି ଅବସରରେ ଡକ୍ଟର ପାଢ଼ୀ ବିଭାଗ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ଶେଷ ସନ୍ଧ୍ୟାରେ “ତୋଷାଳି” ମଞ୍ଚରେ ଆକର୍ଷଣ ଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ସୋନାଲି ମହାପାତ୍ର। ତାଙ୍କ ନେତୃତ୍ୱରେ ସାଥୀ କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୁଗ୍ଧ କରିଥିଲେ। ସେହିପରି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ବିଭିନ୍ନ ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁଟର (ସିସିଆଇ) ପିଲାମାନେ ଏଠାରେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାର ସିସିଆଇର ମୋଟ ୩୯ ଜଣ ଝିଅ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଅଧ୍ୟକ୍ଷ ପଦ୍ମବିଭୂଷଣ ଡକ୍ଟର ସୁଦର୍ଶନ ସାହୁ, ବିଭାଗୀୟ ସ୍ୱତନ୍ତ୍ର ସଚିବ ସରୋଜ ପଟେଲ, ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଶୋଭନକୃଷ୍ଣ ସାହୁ, ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ପ୍ରଣତି ଛୋଟରାୟ, ବିଭାଗୀୟ ଅତିରିକ୍ତ ସଚିବ ବିକ୍ରମାଦିତ୍ୟ ବାରିକ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ କଲ୍ୟାଣୀ ପଟ୍ଟନାୟକ, ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ତଥା ଏସଆଇଡିଏସିର ସଦସ୍ୟ ସଚିବ ଶିଶିର କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ।

ଚଳିତବର୍ଷ ତୋଷାଳି ମେଳାରେ ୬୦୦ରୁ ଅଧିକ ଷ୍ଟଲ ଖୋଲା ଯାଇଥିଲା। ଏଥିରେ ଓଡ଼ିଶା ତଥା ବିଭିନ୍ନ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପ ଜିନିଷ ପ୍ରମୁଖ ଆକର୍ଷଣ ପାଲଟିଥିଲା। ସମ୍ବଲପୁରୀ ବାନ୍ଧ ଓ ଇକତ ଶାଢ଼ି ତଥା କପଡ଼ା, ଗୋପାଳପୁର ଟସର ଜିନିଷ ଓ କୋଟପାଡ଼ ଶାଢ଼ି ସହିତ ବେଙ୍ଗାଳୁରୁ ଓ ବନାରସର ସିଲ୍କ, ଆନ୍ଧ୍ରପ୍ରଦେଶର ପୋଚମପାଲି, ବେଙ୍ଗଲ ଟାଙ୍ଗାଇଲ୍ ଏବଂ କଶ୍ମୀରର ଉଲ୍ ଜିନିଷର ଭଲ ଚାହିଦା ରହିଥିଲା।

ସେହିପରି ପଥର ଓ କାଠ ଖୋଦେଇ ମୂର୍ତ୍ତି, ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ ସହିତ ଢୋକ୍ରା, ଟେରାକୋଟା, ଜନଜାତି କଳାକୃତି ଓ ଅଳଙ୍କାର ଏବଂ ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀକୁ ଲୋକେ ଆଗ୍ରହର ସହିତ କିଣିଥିଲେ।

“ତୋଷାଳି” ମେଳାରେ ଏଥର ପ୍ରମୁଖ ଆକର୍ଷଣ ଥିଲା “ଥିମ୍ ପାଭିଲିୟନ୍‌”। ଏଥିରେ ଓଡ଼ିଶାର ବିଭିନ୍ନ ଜନଜାତି କଳାକୃତି ସହିତ ଜିଆଇ ମାନ୍ୟତା ପାଇଥିବା ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା। ତା’ସହ ଅହିଂସା ଉପାୟରେ ଓଡ଼ିଶା ପ୍ରସ୍ତୁତ କରୁଥିବା କରୁଣା ସିଲ୍କର ଲାଇଭ୍ ଡେମୋ ଅନ୍ୟତମ ଆକର୍ଷଣ ପାଲଟିଥିଲା।

ତୋଷାଳି ମେଳାରେ ଓଡ଼ିଶାର ବିଭିନ୍ନ କଳା, କାରିଗରିର ଲାଇଭ୍ ଡେମୋ ପ୍ରଦର୍ଶନ କରାଯାଇଥିଲା। ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଡେଭଲପମେଣ୍ଟ ଅଫ୍ ଆର୍ଟ୍ସ ଆଣ୍ଡ କ୍ରାଫ୍ଟସର (ଏସଆଇଡିଏସି) ପ୍ରଶିକ୍ଷାର୍ଥୀମାନେ ମେଳାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

ଚଳିତବର୍ଷ ତୋଷାଳି ମେଳାକୁ ଆସୁଥିବା ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବିଭାଗ ପକ୍ଷରୁ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଥିଲା।

ସେହିପରି ତୋଷାଳି ମେଳା ବୁଲିବାକୁ ଆସୁଥିବା ଲୋକଙ୍କ ପାଇଁ ଖୋଲିଥିଲା ସ୍ୱତନ୍ତ୍ର ଫୁଡ୍ କୋର୍ଟ। ଏଠାରେ ୨୫ଟି ଷ୍ଟଲରେ ଓଡ଼ିଶା ସହିତ ବିଭିନ୍ନ ରାଜ୍ୟର ପାରମ୍ପରିକ ଓ ଆଧୁନିକ ଖାଦ୍ୟର ପସରା ଖୋଲିଥିଲା।

 

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଡିସେମ୍ବର ୨୭ ତାରିଖ ବୁଧବାର ଦିନ ଛଅଟି ରାଶି ପାଇଁ ରହିଛି ଆଶ୍ଚର୍ଯ୍ୟ ଜନକ ଖବର, ଜାଣିଲେ ଖୁସିହେବେ

ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ।

ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା ଆପଣଙ୍କ ମନକୁ ଖୁସି କରିବ। ସନ୍ଧ୍ୟାରେ ଅତିଥିମାନଙ୍କ ଆଗମନ ସହିତ ଘରର ପରିବେଶ ମଧ୍ୟ ସୁଖଦ ରହିବ। ଅଟକିଯାଇଥିବା ଟଙ୍କା ହଠାତ୍ ଫେରସ୍ତ ହୋଇପାରେ। ଆପଣଙ୍କର ଖର୍ଚ୍ଚ ନିୟନ୍ତ୍ରଣରେ ରହିବ। ମନ୍ଦିରରେ ଘିଅ ଦୀପ ଜାଳନ୍ତୁ, ପତି-ପତ୍ନୀଙ୍କ ସମ୍ପର୍କ ମଜବୁତ ହେବ।

ମିଥୁନ- ଧର୍ଯ୍ୟବାନ ହୁଅ, କାରଣ ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ । ବଡ ଯୋଜନା ଏବଂ ଚିନ୍ତାଧାରା ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବ। କୌଣସି ପ୍ରକାରର ବିନିଯୋଗ କରିବା ପୂର୍ବରୁ ସେହି ବ୍ୟକ୍ତିଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁସନ୍ଧାନ କରନ୍ତୁ । ଘରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ,ଆପଣଙ୍କର ବରିଷ୍ଠମାନଙ୍କ ମତାମତ ନିଅନ୍ତୁ, ନଚେତ୍ ସେମାନେ ଆପଣଙ୍କ ଉପରେ ଅସନ୍ତୁଷ୍ଟ ଏବଂ କ୍ରୋଧିତ ହୋଇପାରନ୍ତି। ଅସ୍ଥିର ପ୍ରକୃତି ହେତୁ ଆପଣଙ୍କର ପ୍ରିୟଙ୍କ ସହିତ ଭିନ୍ନତା ହୋଇପାରେ । ଅଫିସରେ ଆପଣଙ୍କ ଶତ୍ରୁମାନେ ମଧ୍ୟ ଆଜି ବନ୍ଧୁ ହେବେ। କେବଳ ଏକ ଛୋଟ ଭଲ କାମ ଯୋଗୁଁ ଆପଣ ଧନ୍ୟବାଦର ପାତ୍ର ହେବେ।

କର୍କଟ – ଆପଣ ଚିନ୍ତା କରୁଥିବା ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତାର ଅଭାବ ଆପଣଙ୍କୁ ଚାପ ଦେଇପାରେ। ଆପଣଙ୍କର ହୃଦୟର ମଣିଷ ଦିନସାରା ଆପଣଙ୍କୁ ମନେ ରଖିବେ । ତାଙ୍କୁ  ଆଶ୍ଚର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ ଏବଂ  ତାଙ୍କ ପାଇଁ ଏକ ସୁନ୍ଦର ଦିନରେ ପରିଣତ କରିବାକୁ ଚିନ୍ତା କରନ୍ତୁ। ଆପଣଙ୍କର ଆତ୍ମବିଶ୍ୱାସ ବଢୁଛି ଏବଂ ପ୍ରଗତି ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ସାମାଜିକ ଏବଂ ଧାର୍ମିକ ଉତ୍ସବ ପାଇଁ ଉତ୍ତମ ଦିନ । ବୈବାହିକ ଜୀବନରେ ସ୍ନେହ ଦେଖାଇବା ପାଇଁ ଏହାର ନିଜର ଗୁରୁତ୍ୱ ରହିଛି ଏବଂ ଆପଣ ଆଜି ଏହିପରି ଜିନିଷ ଅନୁଭବ କରିବେ । ଗାଡି ଚଳାଇବା ସମୟରେ ଆପଣ ସାବଧାନ ହେବା ଆବଶ୍ୟକ। ମା ଦୁର୍ଗାଙ୍କୁ ମିଶ୍ରି ଭୋଗ ଅର୍ପଣ କରନ୍ତୁ, ଆପଣଙ୍କର ଆର୍ଥିକ ଅବସ୍ଥା ଭଲ ହେବ।

ସିଂହ- ଘରର ପରିବେଶ ସୁଖଦ ହେବ । ଆର୍ଥିକ ଲାଭ ସହିତ ବ୍ୟବସାୟରେ ଆପଣ ସନ୍ତୁଷ୍ଟ ଅନୁଭବ କରିବେ । ଆଜି ଆପଣଙ୍କର ବ୍ୟକ୍ତିତ୍ୱର ଉନ୍ନତି ହୋଇପାରେ । ଅତିଥିମାନେ ଆପଣଙ୍କ ଘରେ ପହଞ୍ଚିପାରନ୍ତି । ଆପଣ ରୋଜଗାରର ସୁଯୋଗ ପାଇପାରିବେ । ବ୍ୟବସାୟ ସହିତ ଆପଣଙ୍କୁ ଭ୍ରମଣ କରିବାକୁ ପଡିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ରହିବ। ପତି-ପତ୍ନୀଙ୍କ ସାହାଯ୍ୟରେ କାମ ଶେଷ ହୋଇପାରିବ। ଆପଣଙ୍କର ଆତ୍ମବିଶ୍ୱାସ ବଢିପାରେ। ମନ୍ଦିରରେ କର୍ପୁର ଆଳତି ଲାଗି କରନ୍ତୁ, ବ୍ୟବସାୟରେ ଲାଭ ହେବ । ଆପଣ ବୃତ୍ତିଗତ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିବେ । ନୂତନ ବସ୍ତ୍ର ଏବଂ ଅଳଙ୍କାର ପଛରେ ଟଙ୍କା ଖର୍ଚ୍ଚ ହେବ।

କନ୍ୟା- ଆର୍ଥିକ ଲାଭ ପାଇଁ ଆଜି ଭଲ ସୁଯୋଗ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ। ଭ୍ରମଣରୁ ଆପଣ ଉପକୃତ ହେବେ । ଆପଣ ଜଣେ ବନ୍ଧୁଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ପରିବାରର ସମସ୍ତ ସଦସ୍ୟଙ୍କ ସହିତ ପାରସ୍ପରିକ ସମନ୍ୱୟ ରହିବ। ଆପଣ ଆଧ୍ୟାତ୍ମିକତା ପ୍ରତି ଅଧିକ ଆଗ୍ରହୀ ହେବେ । ଆପଣ ଯାହା ବି କରିବାକୁ ଚେଷ୍ଟା କରନ୍ତି, ଆପଣ ସେହି କାର୍ଯ୍ୟରେ ଭଲ ସଫଳତା ପାଇବେ । ଗଣେଶ ଭଗବାନଙ୍କୁ ଲଡୁ ଭୋଗ ପ୍ରଦାନ କରନ୍ତୁ, ଆପଣ ଲାଭର ସୁଯୋଗ ପାଇବେ। ଆଜି ଲାଭଦାୟକ ପ୍ରମାଣିତ ହେବ, କାରଣ ଏହା ଲାଗୁଛି ଯେ ଜିନିଷଗୁଡ଼ିକ ଆପଣଙ୍କ ସପକ୍ଷରେ ଯିବ ଏବଂ ଆପଣ ସବୁକିଛିର ଶୀର୍ଷରେ ରହିବେ।

ତୂଳା- ଆଜି ଆପଣଙ୍କୁ ଆରାମ ଏବଂ ଘନିଷ୍ଠ ବନ୍ଧୁ ଏବଂ ପରିବାର ସହିତ ଖୁସିର କିଛି ମୁହୂର୍ତ୍ତ ବିତାଇବାକୁ ପଡିବ। ଟଙ୍କା ଆପଣଙ୍କର ମୁଷ୍ଟିରୁ ସହଜରେ ଚାଲିଯିବ। ଆପଣ ପରିବାର ପ୍ରତି ଅଶାଳୀନ ବ୍ୟବହାର କରନ୍ତୁ ନାହିଁ। ଏହା ପାରିବାରିକ ଶାନ୍ତିକୁ ବିଘ୍ନ କରିପାରେ। ଭୁଲ ଧାରଣା କିମ୍ବା କୌଣସି ଭୁଲ ବାର୍ତ୍ତା ଆପଣଙ୍କ ଥଣ୍ଡା ଦିନରେ ଗରମ କରିଦେଇପାରେ। ସୃଜନାତ୍ମକ କାର୍ଯ୍ୟରେ ନିୟୋଜିତ ଥିବା ଲୋକମାନଙ୍କ ପାଇଁ ଏହା ଏକ ସଫଳତାର ଦିନ। ସେମାନେ ଖ୍ୟାତି ଏବଂ ସ୍ୱୀକୃତି ପାଇବେ ଯାହାକୁ ସେମାନେ ଦୀର୍ଘ ସମୟ ଧରି ଖୋଜୁଥିଲେ। ନୂତନ ଚିନ୍ତାଧାରା ଯାଞ୍ଚ କରିବାର ଉତ୍ତମ ସମୟ।

ବିଛା- ଆଜି ଆପଣ ଚାପରୁ ମୁକ୍ତି ପାଇପାରିବେ। ଆପଣ ଆରାମ ଅନୁଭବ କରିବେ। ସାମାଜିକ ଭାବରେ ତୁମର ପ୍ରତିଷ୍ଠା ବୃଦ୍ଧି ପାଇବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ମଜା ଏବଂ ମନୋରଞ୍ଜନ ପାଇଁ ଏକ ସୁଯୋଗ ରହିବ। ଲୋକମାନେ ଆପଣଙ୍କୁ ସାହାଯ୍ୟ କରିବା ଜାରି ରଖିବେ। ତୁମର ଯାତ୍ରା ଲାଭଦାୟକ ହେବ। ପରିବାର ସହିତ ଖୁସିର ମୁହୂର୍ତ୍ତ ବିତାଇ ପାରିବେ। ପ୍ରେମ-ସମ୍ପର୍କ ଦୃଢହୋଇପାରେ। ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଆଗ୍ରହ ବଢାଇ ପାରିବେ। ଆପଣ କିଛି ନୂତନ ସୁଯୋଗ ପାଇବାର ସମ୍ଭାବନା ଅଛି। ଆପଣଙ୍କର ଗୁରୁଙ୍କଠାରୁ ଆଶୀର୍ବାଦ ନିଅନ୍ତୁ, ପାରିବାରିକ ଜୀବନ ସୁଖଦ ହେବ ।

ଧନୁ- କୌଣସି କାର୍ଯ୍ୟରେ ଚିନ୍ତା ନ କରି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଆଜି ଆପଣଙ୍କ ପ୍ରିୟ ଲୋକଙ୍କଠାରୁ ଉପକୃତ ହେବ। ଇଚ୍ଛାଶକ୍ତିର ଅଭାବ ଆପଣଙ୍କୁ ଭାବପ୍ରବଣ ଏବଂ ମାନସିକ ଅସୁବିଧାରେ ପକାଇପାରେ । ଯଦି ଆପଣ ଆୟ ଅଭିବୃଦ୍ଧିର ଉତ୍ସ ଖୋଜୁଛନ୍ତି, ସୁରକ୍ଷିତ ଅର୍ଥନୈତିକ ପ୍ରକଳ୍ପରେ ବିନିଯୋଗ କରନ୍ତୁ। ଘରେ ସମନ୍ୱୟ ରକ୍ଷା କରିବା ପାଇଁ ଏକାଠି କାମ କରନ୍ତୁ । ଆପଣଙ୍କର ଧୀରେ ଧୀରେ କିନ୍ତୁ ସ୍ଥିର ଭାବରେ ପ୍ରେମର ନିଆଁରେ ଜଳିବ । ଆପଣ ଅଳସୁଆ ଏବଂ ନିରୁତ୍ସାହିତ ମନୋଭାବ ହେତୁ ଆପଣ ଅଫିସରେ ବିବାଦର କେନ୍ଦ୍ର ହେବେ । ଯଦି ଆପଣ ସପିଂ କରିବାକୁ ଯାଆନ୍ତି, ଅତ୍ୟଧିକ ପକେଟ ଖୋଲିବାକୁ ଏଡ଼ାନ୍ତୁ ।

ମକର- ଧାର୍ମିକ ଏବଂ ଆଧ୍ୟାତ୍ମିକ ଆଗ୍ରହର କାର୍ଯ୍ୟ କରିବା ପାଇଁ ଶୁଭ ଦିନ। ଶୀଘ୍ର ଟଙ୍କା ରୋଜଗାର କରିବାକୁ ଆପଣଙ୍କର ପ୍ରବଳ ଇଚ୍ଛା ଅଛି । ଆପଣଙ୍କ ସମସ୍ୟା ଆପଣଙ୍କ ପାଇଁ ବହୁତ ବଡ ହୋଇପାରେ, କିନ୍ତୁ ଆପଣଙ୍କ ଆଖପାଖର ଲୋକମାନେ ଆପଣଙ୍କ ଯନ୍ତ୍ରଣା ବୁଝିବେ ନାହିଁ । ବୋଧହୁଏ ସେମାନେ ଅନୁଭବ କରନ୍ତି ଯେ ସେମାନଙ୍କ ସହିତ ଏହାର କୌଣସି ସମ୍ପର୍କ ନାହିଁ । ଅନେକ ଲୋକଙ୍କ ପାଇଁ ଆଜିର ରୋମାଣ୍ଟିକ୍ ସନ୍ଧ୍ୟା ସୁନ୍ଦର ଉପହାର ଏବଂ ଫୁଲରେ ପରିପୂର୍ଣ୍ଣ ହେବ।

କୁମ୍ଭ- ସାମାଜିକ ଭାବରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ମଜା ଏବଂ ମନୋରଞ୍ଜନ ପାଇଁ ଏକ ସୁଯୋଗ ରହିବ। ଆପଣଙ୍କ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । କାର୍ଯ୍ୟଭାର ଆପଣଙ୍କ ଉପରେ ସାମାନ୍ୟ ଅଧିକ ହୋଇପାରେ । ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏକ ଧାରଣା ସୃଷ୍ଟି କରିପାରିବ । ପରିବାର ସମ୍ବନ୍ଧରେ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଆପଣ ଜଣେ ବନ୍ଧୁଙ୍କ ସହିତ ପରାମର୍ଶ କରିପାରିବେ । ପିତାଙ୍କ ସହିତ ସମ୍ପର୍କ ସମନ୍ୱୟ ଆଣିବେ। ଆପଣ ପିଲାମାନଙ୍କଠାରୁ ସମର୍ଥନ ପାଇପାରିବେ । ଆପଣଙ୍କ ପରିବାର ଶକ୍ତିଶାଳୀ ହେବ।

ମୀନ- କଠିନ ଅର୍ଥନୈତିକ ଅବସ୍ଥା ହେତୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଝିରେ ଅଟକି ଯାଇପାରେ। ଆପଣ ଚାହୁଁଥିବା ଲୋକଙ୍କ ସହିତ ଉପହାର ବିନିମୟ କରିବା ଏକ ଭଲ ଦିନ। ଏକପାଖିଆ ପ୍ରେମ ଆପଣଙ୍କୁ ନିରାଶ କରିପାରେ। ଆପଣଙ୍କ ସାଥୀଙ୍କୁ ଆପଣଙ୍କ ଯୋଜନା ସହିତ ସଂଯୁକ୍ତ ରହିବାକୁ ମନାଇବାରେ ଅସୁବିଧା ହେବ । ଯଦି ଆପଣ ଆଜି ପ୍ରକୃତରେ ଲାଭ ଚାହୁଁଛନ୍ତି  ତେବେ ଅନ୍ୟମାନଙ୍କ ମତାମତକୁ ଭଲଭାବେ ଶୁଣନ୍ତୁ। ଆପଣଙ୍କ ଜୀବନସାଥୀ ସହିତ ଆପଣଙ୍କର ଭାବପ୍ରବଣତା ଦୁର୍ବଳ ହେବାକୁ ଲାଗିବ । କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ଭଲ ହେବ। ହନୁମାନ ଚଲିସା ପଢନ୍ତୁ। ସମସ୍ତେ ଆପଣଙ୍କ ସହିତ ଭଲରେ ରହିବେ । ଗାଡି ଚଳାଇବା ସମୟରେ ଆପଣ ସାବଧାନ ହେବା ଆବଶ୍ୟକ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ସମାରୋହକୁ ଉଦଘାଟନ କଲେ ଛତିଶଗଡ ରାଜ୍ୟପାଳ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଭଗବତୀ ବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ତିନିଦିନ ଧରି ପାଳନ ହେବାକୁ ଥିବା ରଜତ ଜୟନ୍ତୀ ସମାରୋହ ଆଜି ଉଦଘାଟିତ ହୋଇଯାଇଛି। ସକାଳେ କଳସ ଓ ମଶାଲ ଶୋଭାଯାତ୍ରା ମା’ଭଗବତୀ ମନ୍ଦିରରୁ ବାହାରି ବିଦ୍ୟାଳୟରେ ପହଁଚିଲା ପରେ ଅପରାହ୍ନରେ ଗାୟତ୍ରୀ ମହାଯଂଜ୍ଞ, ଏବଂ ଶାରୀରିକ ଓ ରଙ୍ଗମଞ୍ଚ ଅନୁଷ୍ଠିତ ହୋଇଥିଲା।

ଆଜିର ଉଦଘାଟନ ଉତ୍ସବର ସଭା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜକିଶୋର ଭୋପାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି ସଭାପତି କୁଳମଣି ମିଶ୍ର, ସମ୍ମାନିତ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଗୁଜୁରାଟ ବାନପ୍ରସ୍ତ ସାଧକ ଆଶ୍ରମ ସଚିବ ସ୍ୱାମୀ ମୁକ୍ତାନନ୍ଦଜୀ ପରିବ୍ରାଜକ ଯୋଗ ଦେଇଥିଲେ।

ମୁଖ୍ୟବକ୍ତାଙ୍କ ଅଭିଭାଷଣରେ ଅଭିଭାବକମାନେ ନିଜ ମନର କଥାକୁ ପିଲା ଉପରେ ଲଦି ଦିଅନ୍ତୁ ନାହିଁ ବୋଲି କହିଥିଲେ। ପିଲାର ମସ୍ତିକ ଧାରଣ କ୍ଷମତାଠାରୁ ଅଧିକ ବୋଝ ନ ଲଦି ପିଲା ଉପରେ ଭରସା ରଖନ୍ତୁ। ଏହି ବିଦ୍ୟାମନ୍ଦିରରେ ଖାଲି ବିଦ୍ୟା ଅଧ୍ୟୟନ କରାଯାଇ ନଥାଏ ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବାକୁ ମଧ୍ୟ ପିଲା ମାନଙ୍କୁ ଶିକ୍ଷା ଦିଆଯାଏ।

ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ଭାରତର ସଂସ୍କୃତିକୁ ସାରା ବିଶ୍ୱ ଆଜି ଗ୍ରହଣ କରିଛି ବୋଲି କହିଥିଲେ। ଭାରତର ସଂସ୍କୃତି ଯୁଦ୍ଧ ନୁହେଁ ସର୍ବଦା ଶାନ୍ତିର ବାର୍ତ୍ତାଦିଏ। ଭାରତୀୟ ଦର୍ଶନ ହେଉଛି ବସୁଧେୟିବ କୁଟୁମ୍ବକମ। ତେଣୁ ଏହି ଦର୍ଶନରେ ଅନୁପ୍ରାଣିତ ହେବାକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବାଣପୁର ମାଟି ହେଉଛି ଏକ ବୀର ମାଟି, ଏହାର ଐତିହ୍ୟ ବହୁ ପ୍ରାଚୀନ, ଏ ଜାତି ହେଉଛି ସ୍ୱାଭିମାନର ଜାତି। ଏହାକୁ ରକ୍ଷା କରିବା ଦାୟିତ୍ୱ ହେଉଛି ପିଲା ମାନଙ୍କର। ମୋ ମା, ମୋ ମାଟି, ମୋ ଭାଷା ଓ ମୋ ଦେଶକୁ ରକ୍ଷା କରିବାକୁ ମହାମହିମ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ବାଣପୁର ଅଂଚଳର ବିଭିନ୍ନ ବର୍ଗ ଯଥା ଶିକ୍ଷାବିତ, ଡାକ୍ତର ଏବଂ ସମାଜସେବୀଙ୍କୁ ଉପଢୌକନ ଦେଇ ମହାମହିମ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ।  ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ରାଜ୍ୟପାଳଙ୍କ ଆଗରେ ପାଇକ ଆଖଡ଼ାର କଳା କୌଶଳ ପ୍ରଦର୍ଶନ କରିଥିବାରୁ ରାଜ୍ୟପାଳ ଖୁସି ବ୍ୟକ୍ତ କରିଥିଲେ।

ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଆଇନଜୀବୀ ଶ୍ୟାମସୁନ୍ଦର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରଧାନଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ବିଜୁ ଜନତା ଦଳ ଓଡ଼ିଶାର ବିକାଶ ଓ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ହୋଇ କାର୍ଯ୍ୟ କରି ଚାଲିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ଲୋକଙ୍କ ହିତରେ କାର୍ଯ୍ୟ କରିବା ପାଇଁ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ। ୨୬ ବର୍ଷ ଧରି ସେହି ଦଳ ନିରବଚ୍ଛିନ୍ନ ଭାବେ ଓଡ଼ିଶାବାସୀଙ୍କ ସେବା କରି ଆସୁଛି ଏବଂ ଓଡ଼ିଶାର ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଛି। ସେବା ଓ ସାମାଜିକ ଅଙ୍ଗୀକାରବଦ୍ଧତା ଯୋଗୁଁ ଆଜି ଏହା ଦେଶର ଏକ ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବେ ପ୍ରଶଂସନୀୟ ପରିଚିତି ହାସଲ କରିଛି ଏବଂ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଏକ ଛୋଟ ଚାରାଗଛରୁ ମହାଦ୍ରୁମରେ ପରିଣତ ହୋଇଥିବା ବିଜେଡି ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ବିକାଶ ଓ ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ହୋଇ ନିଷ୍ଠାପର ଭାବେ କାମ କରିଚାଲିବ।

ଆଜି ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସରେ ଭୁବନେଶ୍ବର ବିମାନବନ୍ଦର ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ରାଜ୍ୟବାସୀଙ୍କୁ ଏଭଳି ବିଶ୍ବାସ ଓ ଭରସା ଦେଇଛନ୍ତି ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ତାଙ୍କ ସହିତ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ରାଜ୍ୟର ୧୪୭ଟି ଯାକ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପଳିତ ହୋଇଥିଲା। ଦଳର ଲକ୍ଷଲକ୍ଷ କର୍ମୀ ବିଭିନ୍ନ ସ୍ଥାନରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବିଭିନ୍ନ ସାମାଜିକ ଓ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସେମାନେ ଓଡ଼ିଶାବାସୀଙ୍କ ସେବା ଏବଂ ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ସଂକଳ୍ପ ନେବା ସହ ଏକ ସଶକ୍ତ, ସମୃଦ୍ଧ ଓ ସ୍ବାଭିମାନୀ ନବୀନ ଓଡ଼ିଶା ଗଠନ ପାଇଁ ବ୍ରତୀ ହେବେ ବୋଲି ଶପଥ ପାଠ କରିଥିଲେ।

ସକାଳ ୭ଟାବେଳେ ଶଙ୍ଖ ଭବନରେ ବିଜୁ ଜନତା ଦଳର ପତାକା ଉତ୍ତୋଳନ କରାଯିବା ସହ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସକାଳ ୮ଟାରେ ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଏକ ବିଶାଳ ସାଇକଲ ରାଲି କଟକର ଆନନ୍ଦ ଭବନରୁ ବାହାରି ଦିନ ପ୍ରାୟ ସାଢ଼େ ୯ଟାବେଳେ ବିମାନବନ୍ଦର ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା।

ଏହି ସାଇକଲ ଶୋଭାଯାତ୍ରାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ଯୁବ ବିଜେଡି ଉପଦେଷ୍ଟା ପ୍ରଣବ ବଳବନ୍ତରାୟ, ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଂଜନ ତ୍ରିପାଠୀ, ବିଧାୟକ ଦିବ୍ୟଶଙ୍କର ମିଶ୍ର, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ମେୟର ସୁଲୋଚନା ଦାସ ଏବଂ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ। ସମସ୍ତେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବା ପରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଶଙ୍ଖଭବନରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

୨୭ ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ: ପ୍ରତିଷ୍ଠା ଦିବସ ପାଳିଲା ରଣପୁର ବିଜେଡି

ରଣପୁର: ଆଜି ସାରା ରାଜ୍ୟରେ ବିଜୁ ଜନତା ଦଳ ୨୭ତମ ପ୍ରତିଷ୍ଠା ଦିବସ ପାଳିଥିଲା। ଏହି ଅବସରରେ ରଣପୁର ବିଜୁ ଜନତା ଦଳ ମଧ୍ୟ ଧୁମ ଧାମ ସହ ପ୍ରତିଷ୍ଠା ଦିବସ ପାଳନ କରିଥିଲା।

୧୯୯୭ରେ ଜନ୍ମ ନେଇଥିବା ବିଜୁ ଜନତା ଦଳ ଏପର୍ଯ୍ୟନ୍ତ ୨୬ଟି ବର୍ଷ ପାଳନ କରି ସାରିଥିବା ବେଳେ ମଙ୍ଗଳବାର ଦିନ ୨୭ ବର୍ଷରେ ପାଦ ଥାପି ପ୍ରତିଷ୍ଠା ଦିବସ ପାଳନ କରିଥିଲା। ଏହି ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ଆରମ୍ଭ କରିଛି ୨୦୨୪ ନିର୍ବାଚନ ଯାତ୍ରା। ତୃଣମୂଳ ଲୋକଙ୍କ ପାଖରେ ପହଂଚି ଘରେ ଘରେ ବିଜେଡି କର୍ମୀ ପହଞ୍ଚାଇବେ ନବୀନଙ୍କ ବିକାଶ ବାର୍ତ୍ତା। ଜାନୁଆରୀ ୨୩ ରୁ ମାର୍ଚ୍ଚ ୫ ତାରିଖ ଯାଏଁ ପ୍ରତି ଘରକୁ ଯିବେ ବିଜେଡି କର୍ମୀ। ଜନ ସମ୍ପର୍କ ଯୋଡ଼ିବେ, ଦଳର ପ୍ରଚାର କରିବେ।

ଏହି ପରିପ୍ରେକ୍ଷୀରେ ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଗଣଦୌଡ଼, ନଗର ପରିକ୍ରମା ସହ ବିଶାଳ ସଭା ଆୟୋଜିତ ହୋଇଥିଲା। ପ୍ରଥମେ ରଣପୁର ପଞ୍ଚୁଦୋଳ ପଡିଆରେ ଥିବା ଶହୀଦ ରଘୁଦିବାକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଏହା ପରେ ମଣିନାଗ ପର୍ଯ୍ୟନ୍ତ ଏକ ପଦଯାତ୍ରା କରା ଯାଇଥିଲା। ଏହା ପରେ ମଣିନାଗ ପୀଠ ଠାରେ ଏକ ବିଶାଳ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ପ୍ରାୟ ୫ ହଜାର ଲୋକ ଯୋଗ ଦେଇଥିଲେ।

ଏଥିରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଏବଂ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଅଭିଭାଷଣ ଦେଇ କର୍ମୀମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ମନ୍ତ୍ର ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ନଗର ସଭାପତି ଲିଙ୍ଗରାଜ ନାୟକ, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ବ୍ଲକ ସଭାପତି ସଚିକାନ୍ତ ଷଡ଼ଙ୍ଗୀ, କିଶୋର ପଟ୍ଟନାୟକ, ନାରାୟଣ ମହାପାତ୍ର, ବିଜୟକେତନ ସାହୁ, ରଞ୍ଜନ ଦାଶ, ଲିଟୁ ସ୍ୱାଇଁ, ଦିନେଶ ପରିଡା, କମଳାକ୍ଷୀ ଦେଵିଦର୍ଶିନୀଙ୍କ ସହ ସମସ୍ତ ବିଜେଡି କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଉରକେଲାରୁ କୋଲକତାକୁ ଆରମ୍ଭ ହେବ ବିମାନ ସେବା: ସପ୍ତାହରେ ୩ ଦିନ ଉଡିବ ବିମାନ

ଭୁବନେଶ୍ବର: ପ୍ରଥମଥର ପାଇଁ ରାଉରକେଲାରୁ କୋଲକତା ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର Viability Gap Funding ଜରିଆରେ ଯୋଗାଇ ଦେଇଛନ୍ତି। ରାଜ୍ୟ ସରକାର ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି। ଏହା ଦ୍ୱାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟ୍‌ରେ ରାଉରକେଲାରୁ କୋଲକତା ଯାତ୍ରା କରିପାରିବେ।

ଆଲାଏନ୍ସ ଏୟାର ପକ୍ଷରୁ ସପ୍ତାହକୁ ୩ ଦିନ- ମଙ୍ଗଳବାର, ଗୁରୁବାର, ଶନିବାର- ବିମାନ ସେବା ଯୋଗାଇ ଦିଆଯିବ। ଏହା ଦ୍ୱାରା ସୁନ୍ଦରଗଡ ଜିଲ୍ଲାରେ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ସମ୍ଭାବନା ସୃଷ୍ଟି ହୋଇଛି। ପ୍ରାରମ୍ଭିକ ବିମାନ ଦେୟ ୧୯୯୯ ଟଙ୍କା ରହିଛି।