Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଚିଲିକା କରୋନା ଅପଡେଟ୍: ଆଜି ତଳମୁହାଁ ସଂକ୍ରମଣ, ଆସନ୍ତାକାଲି ବନ୍ଦ ରହିବ ଟୀକାକରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ତଳମୁହାଁ ଅଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୯ ଜଣ, ଚିଲିକା ବ୍ଲକରେ ୭ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୫ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୬ ଜଣ, ଚିଲିକା ବ୍ଲକରୁ ୫ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୬୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୬ ଜଣ, ଚିଲିକା ବ୍ଲକରେ ୮୧ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୧୮ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ ଟୀକାକରଣ ବନ୍ଦ ରହିବ ବୋଲି ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫ ହଜାର ୨୮୧ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫ ହଜାର ୨୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୮୦୦, କଟକରୁ ୫୧୦, ଯାଜପୁରରୁ ୩୦୮, ବାଲେଶ୍ଵରରୁ ୨୮୬, କେନ୍ଦ୍ରାପଡାରୁ ୨୮୫, ମୟୂରଭଞ୍ଜରୁ ୨୭୬, ଅନୁଗୁଳରୁ ୨୫୩, ଭଦ୍ରକରୁ ୨୪୪, ପୁରୀରୁ ୨୩୧, ବୌଦ୍ଧରୁ ୨୧୩, ସୁନ୍ଦରଗଡରୁ ୨୦୪, ଜଗତସିଂହପୁରରୁ ୧୮୭, ଢେଙ୍କାନାଳରୁ ୧୬୯, କୋରାପୁଟରୁ ୧୪୪, ନବରଙ୍ଗପୁରରୁ ୧୩୪, ବରଗଡରୁ ୧୦୪, ରାୟଗଡାରୁ ୧୦୩, କେନ୍ଦୁଝରରୁ ୮୪, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୭୧, ମାଲକାନଗିରିରୁ ୬୮, ସୋନପୁରରୁ ୫୭, ବଲାଙ୍ଗୀରିରୁ ୪୧, ଗଞ୍ଜାମରୁ ୪୧, ସମ୍ବଲପୁରରୁ ୪୧, ଗଜପତିରୁ ୩୧, ଝାରସୁଗୁଡାରୁ ୨୪, ଦେବଗଡରୁ ୨୧, ନୂଆପଡାରୁ ୧୫ ଏବଂ ଷ୍ଟେଟ ପୁଲରୁ ୧୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୩୫ ହଜାର ୧୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୩ ହଜାର ୯୨୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୨୯ ହଜାର ୮୫୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୦ ହଜାର ୪୭୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୪୯ କୁ ବୃଦ୍ଧି ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ୨୦,୭୦୦ କୋଟି ଟଙ୍କା କଳାଧନ ଗଚ୍ଛିତ, ସ୍ପଷ୍ଟି କରଣ ଦେଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା କିଛି ରିପୋର୍ଟ ଦର୍ଶାଇଥିଲା ଯେ ସ୍ୱିସ୍ ବ୍ୟାଙ୍କଗୁଡ଼ିକରେ ଭାରତୀୟଙ୍କ ଜମାରାଶି ପାଣ୍ଠି ପରିମାଣ ୨୦୧୯ ଶେଷ ସୁଦ୍ଧା ଥିବା ୬,୬୨୫ କୋଟି ଟଙ୍କା, ୨୦୨୦ ଶେଷ ବେଳକୁ ୨୦,୭୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱକୁ ବୃଦ୍ଧି ପାଇଛି। ବିଗତ ୧୩ ବର୍ଷ ମଧ୍ୟରେ ଏହା ସର୍ବାଧିକ ଜମାରାଶି ବୋଲି ମଧ୍ୟ ରିପୋର୍ଟରେ ଦର୍ଶାଯାଇଥିଲା ।

ଗଣମାଧ୍ୟମ ରିପୋର୍ଟ ଗୁଡ଼ିକରେ ଏହା ମଧ୍ୟ ଦର୍ଶାଯାଇଥିଲା ଯେ ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ (ଏସଏନବି)କୁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଦିଆଯାଇଥିବା ଜମାରାଶି ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି ଏବଂ ସ୍ୱିଜରଲାଣ୍ଡରେ ଭାରତୀୟଙ୍କ ଦ୍ୱାରା ଧାରଣ କରାଯାଇଥିବା ବହୁ ଆଲୋଚିତ ତଥାକଥିତ କଳାଧନ ପରିମାଣର ସଂକେତ ଦେଉନାହିଁ । ଏହାବ୍ୟତୀତ, ଏହି ପରିସଂଖ୍ୟାନରେ ସେହି ଅର୍ଥରାଶିକୁ ସାମିଲ କରାଯାଇ ନାହିଁ, ଯାହା ଭାରତୀୟ, ପ୍ରବାସୀ ଭାରତୀୟ ଓ ଅନ୍ୟ ଲୋକମାନେ ସ୍ୱିସ୍ ବ୍ୟାଙ୍କଗୁଡ଼ିକରେ ତୃତୀୟ- ରାଷ୍ଟ୍ର ସଂସ୍ଥାଗୁଡ଼ିକ ନାମରେ ରଖିଥାଇ ପାରନ୍ତି ।

ତଥାପି, ୨୦୧୯ ଶେଷରୁ ଗ୍ରାହକ ଜମାରାଶି ପ୍ରକୃତରେ ହ୍ରାସ ପାଇଛି । ୨୦୧୯ ଶେଷରୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ଜରିଆରେ ଧାରଣ କରାଯାଇଥିବା ପାଣ୍ଠିଗୁଡ଼ିକ ଅଧାରୁ ଅଧିକ ହୋଇଛି। ‘ଗ୍ରାହକଙ୍କଠାରୁ ଅନ୍ୟ ଦେୟ ରାଶି’ରେ ସବୁଠୁ ଅଧିକ ବୃଦ୍ଧି ହୋଇଛି । ଏଗୁଡ଼ିକ ବଣ୍ଡ୍, ସିକ୍ୟୁରିଟି ଓ ବିଭିନ୍ନ ଅନ୍ୟ ଆର୍ଥିକ ସାଧନ ଆକାରରେ ହୋଇଛି ।

ଏହା ସୂଚାଇବା ଉଚିତ ଯେ ଭାରତ ଓ ସ୍ୱିଜରଲାଣ୍ଡ ଟିକସ ମାମଲାରେ ଆପୋସ ପ୍ରଶାସନିକ ସହାୟତା ସଂକ୍ରାନ୍ତ ବହୁପାକ୍ଷିକ ସମ୍ମିଳନୀ(ଏମଏଏସି)ରେ ସ୍ୱାକ୍ଷରକାରୀ ରହିଛନ୍ତି ଏବଂ ଉଭୟ ରାଷ୍ଟ୍ର ବହୁପକ୍ଷୀୟ ସକ୍ଷମ ପ୍ରାଧିକରଣ ବୁଝାମଣା (ଏମସିଏଏ) ମଧ୍ୟ ସ୍ୱାକ୍ଷର କରିଛନ୍ତି, ଯାହା ଅନୁଯାୟୀ, ୨୦୧୮ କ୍ୟାଲେଣ୍ଡର ବର୍ଷରୁ ଆଗାମୀ ବର୍ଷଗୁଡ଼ିକ ପାଇଁ ବାର୍ଷିକ ଆର୍ଥିକ ଆକାଉଣ୍ଟ ସୂଚନା ବିନିମୟ ନିମନ୍ତେ ଦୁଇ ରାଷ୍ଟ୍ର ମଧ୍ୟରେ ସ୍ୱୟଂକ୍ରିୟ ତଥ୍ୟ ଆଦାନପ୍ରଦାନ (ଏଇଓଆଇ) ସକ୍ରିୟ ହୋଇଯାଇଛି ।

୨୦୧୯ ଏବଂ ୨୦୨୦ରେ ଉଭୟ ରାଷ୍ଟ୍ର ମଧ୍ୟରେ ପ୍ରତ୍ୟେକ ରାଷ୍ଟ୍ରର ନିବାସୀଙ୍କ ବାବଦରେ ଆର୍ଥିକ ଆକାଉଣ୍ଟ ସୂଚନାର ବିନିମୟ ହୋଇଥିଲା । ଆର୍ଥିକ ଆକାଉଣ୍ଟଗୁଡ଼ିକର ସୂଚନା ବିନିମୟ ନିମନ୍ତେ ପ୍ରଚଳିତ ନ୍ୟାୟିକ ବ୍ୟବସ୍ଥା ପରିପ୍ରେକ୍ଷୀରେ (ଯାହାର ଟିକସ ଫାଙ୍କି ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ନିବାରଣ ପ୍ରଭାବ ରହିଛି), ସ୍ୱିସ୍ ବ୍ୟାଙ୍କଗୁଡ଼ିକରେ ଜମାରାଶିର କୌଣସି ସମ୍ଭାବ୍ୟ ଆଖିଦୃଶିଆ ବୃଦ୍ଧି ହୋଇଥିବା ଦର୍ଶାଉ ନାହିଁ, ଯାହା ଭାରତୀୟ ନାଗରିକଙ୍କ ଅଘୋଷିତ ଆୟରୁ ବାହାରେ ଥିବ ।

ଏହାଛଡ଼ା, ନିମ୍ନଲିଖିତ କାରଣଗୁଡ଼ିକ ଜମାରାଶିରେ ସମ୍ଭାବ୍ୟ ବୃଦ୍ଧି ବାବଦରେ ବ୍ୟାଖ୍ୟା କରିପାରେ:

ବ୍ୟବସାୟିକ କାରବାରରେ ବୃଦ୍ଧି କାରଣରୁ ସ୍ୱିଜରଲାଣ୍ଡରେ ଭାରତୀୟ କମ୍ପାନିଗୁଡ଼ିକ ଦ୍ୱାରା ଜମାରାଶିରେ ବୃଦ୍ଧି

ଭାରତରେ ସ୍ଥାପିତ ସ୍ୱିସ୍ ବ୍ୟାଙ୍କ ଶାଖାଗୁଡ଼ିକର କାରବାର ଯୋଗୁ ଜମାରେ ବୃଦ୍ଧି

ଭାରତରେ ଏକ ସ୍ୱିସ୍ କମ୍ପାନିର ଏକ ସହଯୋଗୀ ସଂସ୍ଥା ପାଇଁ ପୁଞ୍ଜି ବୃଦ୍ଧି ଏବଂ

ବକେୟା ଡେରିଭେଟିଭ୍ ଆର୍ଥିକ ସାଧନ ସହ ଜଡ଼ିତ ଦେଣନେଣରେ ବୃଦ୍ଧି

ଗଣମାଧ୍ୟମ ଦ୍ୱାରା ଦର୍ଶାଯାଇଥିବା ରିପୋର୍ଟ ଆଧାରରେ ପ୍ରାସଙ୍ଗିକ ତଥ୍ୟ ସମେତ ଜମାରାଶି ବୃଦ୍ଧି/ହ୍ରାସ ପାଇଁ ଉଦ୍ଦିଷ୍ଟ ସମ୍ଭାବ୍ୟ କାରଣ ସଂକ୍ରାନ୍ତରେ ସ୍ୱିସ୍ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ମତାମତ ଦେବା ପାଇଁ ଅନୁରୋଧ କରାଯାଇଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କେଲୋବେନୀରେ ହାତୀ ଘଉଡାଉଥିବା ବେଳେ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ: ୩ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ରାତିରେ ନାକଟିଦେଉଳ ରେଞ୍ଜ ଅଧିନସ୍ଥ କେଲୋବେନୀ ଗ୍ରାମରେ ହାତୀ ଘଉଡାଉଥିବା ବେଳେ ବନବିଭାଗର କର୍ମଚାରୀଙ୍କୁ କେଲୋବେନୀ ଗ୍ରାମର ୩ ଜଣ ବ୍ୟକ୍ତି ମରଣାତ୍ମକ ଆକ୍ରମଣ କରି ଜେଲ ଯିବା ଖବର ହସ୍ତଗତ ହୋଇଛି।

ପୋଲିସ୍ ସୁତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ ଅଧିନସ୍ଥ ବାଟଗାଁ ପଂଚାୟତ କେଲୋବେନୀ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ହାତୀପଲ ପଳାଇ ଆସିଥିବା ଖବର ବନ ବିଭାଗ କର୍ମଚାରୀମାନେ ଜାଣି ପାରି କେଲୋବେନୀ ଗ୍ରାମକୁ ଯାଇ ହାତୀ ଘଉଡାଉଥିଲେ। ହିତସରା ଗ୍ରାମର ସୁଜିତ୍ ବାଗ୍ ହାତୀ ଓାଚର ଭାବରେ ମଧ୍ୟ ହାତୀ ଘଉଡାଇବା କାମରେ ନିୟୋଜିତ ଥିଲେ। କେଲୋବେନୀ ଗ୍ରାମର ଓାଡ୍‌ମେମ୍ବର ରମେଶ ବେହେରା, ପ୍ରମୋଦ ସାହୁ ଓ ଅଜିତ୍ କିସାନ୍ ପ୍ରମୁଖ ସଂଘବଧ ଭାବରେ ସୁଜିତ୍ ବାଗ୍ ଙ୍କୁ ଆକ୍ରମଣ କରିଥିଲେ। ସୁଜିତ୍ ର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି। ତାଙ୍କୁ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତିକରାଯାଇଥିଲା। ସେ ଏବେ ସୁସ୍ଥଥିବା ଜଣା ପଡିଛି। ଏହା ପୂର୍ବ ଶତୃତାକୁ ନେଇ ମାଡପିଟ ହୋଇଥିବା ଜଣା ପଡିଛି।

ଗୁରୁତର ଆହତ ସୁଜିତ ନାକଟିଦେଉଳ ଥାନାରେ ଲିଖିତାକାରରେ ଅଭିଯୋଗ କରିବା ପରେ ନାକଟିଦେଉଳ ପୋଲିସ୍ ସେମାନଙ୍କୁ ଗିରଫ କରିବା ସହ ଆଜି ସଂଧ୍ୟାରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ପ୍ରକାଶ କରିଛନ୍ତି। ନାକଟିଦେଉଳ ଥାନାରେ ଏକ କେସ୍ ରୁଜୁ ହେବା ସହ ୩ ଜଣଙ୍କ ନାମରେ ୩୪୧,୨୯୪,୩୨୩,୩୫୩ ,୫୦୬ ଦଫାରେ ଗିରଫ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ୟୁପି ନିର୍ବାଚନ ପୂର୍ବରୁ ପୂର୍ବତନ ଆଇଏଏସ ଏକେ ଶର୍ମାଙ୍କୁ ବିଜେପି ଦେଲା ବଡ ଦାୟିତ୍ଵ: ହେଲେ ପ୍ରଦେଶ ଉପସଭାପତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ଆଇଏଏସ ଏକେ ଶର୍ମାଙ୍କୁ ବିଜେପି ବଡ ଦାୟିତ୍ଵ ଦେଇଛି। ତାଙ୍କୁ ଦଳର ପ୍ରଦେଶ ଉପସଭାପତି ଭାବେ ଦାୟିତ୍ଵ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକେ ଶର୍ମାଙ୍କ ଭଲ ସମ୍ପର୍କ ଥିବା କୁହାଯାଉଛି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଲୋକସଭା ସଂସଦୀୟ ଅଞ୍ଚଳ ବାରଣାସି ପାଇଁ ତାଙ୍କୁ କୋଭିଡ-୧୯ ଲଢେଇରେ ତଦାରଖ ଦାୟିତ୍ଵ ଦିଆଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସ୍ମାର୍ଟସିଟି ପ୍ରକଳ୍ପ ପାଇଁ ମାଷ୍ଟରକ୍ୟାଣ୍ଟିନ ଛକରୁ ଘୋଡ଼ା ସ୍ଥାନାନ୍ତର ହେଲେ କିଛି ଅସୁବିଧା ନାହିଁ: ସମାଜବାଦୀ ପାର୍ଟି

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ମାଷ୍ଟରକ୍ୟାଣ୍ଟିନ ଛକରେ ୧୯୮୮ ମସିହାରେ ସ୍ଥାପିତ ହୋଇଥିବା ଘୋଡ଼ା ଓ ଯୋଦ୍ଧା ପ୍ରତିମୂର୍ତ୍ତିକୁ ରାଜଭବନ ଛକକୁ ସ୍ଥାନାନ୍ତର କରାଗଲେ କୌଣସି ଅସୁବିଧା ହେବନାହିଁ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ସ୍ମାର୍ଟସିଟି ପ୍ରକଳ୍ପ ଭୁବନେଶ୍ୱର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଆଖି ଆଗରେ ରଖି କରାଯାଉଛି। ତେଣୁ କିଛି ପୁରୁଣା ପ୍ରତିମୂର୍ତ୍ତିକୁ ହଟାଇ ନୂଆ ପ୍ରକଳ୍ପ ସବୁ କରିବାର ଆବଶ୍ୟକତା ରହିଛି।

ଏହି ଦୃଷ୍ଟିରୁ ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ଥାପିତ ହୋଇଥିବା ଘୋଡ଼ା ଓ ଯୋଦ୍ଧା ପ୍ରତିମୂର୍ତ୍ତିକୁ ଭୁବନେଶ୍ୱରର ଅନ୍ୟ ଏକ କେନ୍ଦ୍ରସ୍ଥଳ ରାଜଭବନ ଛକକୁ ସ୍ଥାନାନ୍ତର କରିବା ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହାକୁ ଆମ୍ଭେ ସ୍ୱାଗତ କରୁଛୁ। କିଛି ରାଜନୈତିକ ଦଳ ଏହି ପ୍ରସଙ୍ଗକୁ ନେଇ ଗୋଳିଆ ପାଣିରୁ ମାଛ ଧରିବାର ଯେଉଁ ଉଦ୍ୟମ କରୁଛନ୍ତି, ସେଥିରୁ ସେମାନେ କ୍ଷାନ୍ତ ହେବାକୁ ସମାଜବାଦୀ ପାର୍ଟି ସେମାନଙ୍କୁ ବିନମ୍ର ଅନୁରୋଧ କରୁଛି।

ଜନସାଧାରଣଙ୍କ ହିତ ଓ ରାଜଧାନୀର କ୍ରମବର୍ଦ୍ଧିଷ୍ଣୁ ଆବଶ୍ୟକତା ଦୃଷ୍ଟିରୁ ଘୋଡ଼ାକୁ ସ୍ଥାନାନ୍ତର କରାଯାଇ ରାଜଭବନ ଛକରେ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଯଥାର୍ଥ ଓ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି।

ଏହା କାହାର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କିମ୍ବା କାହାକୁ ଆଘାତ ଦେବା ପାଇଁ କରାଯାଉ ନାହିଁ, ବରଂ ରାଜଧାନୀ ଭୁବନେଶ୍ୱରର ଭବିଷ୍ୟତ ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନିଆଯାଇଛି। ତେଣୁ ଏହାକୁ ବିରୋଧ ନକରି ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତେ ସହଯୋଗ କରିବାକୁ ସେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକୁ ନିବେଦନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ସଂସ୍କୃତି

ଭୁବନେଶ୍ୱରରେ ବିଶ୍ୱନାଥ ଓ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁରଠାରେ ଶ୍ରୀ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱନାଥ ଓ ପାର୍ବତୀଙ୍କ ଦ୍ୱାଦଶତମ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ କୁଆଖାଇ ନଦୀରୁ କଳସ ପାତ୍ରରେ ପାଣି ଆଣି ଘଟ ସ୍ଥାପନ କରାଯାଇଥିଲା। କୋଭିଡ କଟକଣାକୁ ମାନ୍ୟତା ଦେଇ ମୁହଁରେ ମାସ୍କ ପିନ୍ଧି ମୋଟ ୭ଜଣ ଉପସ୍ଥିତ ରହି ଦେବ ଦମ୍ପତ୍ତିଙ୍କୁ ଆବାହନ କରିଥିଲେ।

ପ୍ରଭୁ ବିଶ୍ୱନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଦୁଇ ଦିନ ବ୍ୟାପୀ ଶିବ-ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଦିବା ୫ ଘଟିକାରେ ଦେବ ଦମ୍ପତ୍ତିଙ୍କର ହସ୍ତଗଣ୍ଠି ଏବଂ ହରିହରଙ୍କ ସମେତ ସର୍ବ ଦେବାଦେବୀଙ୍କର ଭେଟ ଓ ଖଇ କଉଡ଼ି ଖେଳ ହୋଇଥିଲା।

ଏହି ଉତ୍ସବରେ ପୂଜକ ଶରଦା ପ୍ରସନ୍ନ ପଣ୍ଡା ଓ ସରୋଜ କୁମାର ପାଢୀ ପୂଜାର୍ଚ୍ଚନା କରିଥିଲେ। ବରପିତା ଭାବେ ମ୍ୟାନେଜିଙ୍ଗ ଟ୍ରଷ୍ଟି ବିଶ୍ୱନାଥ ମହାନ୍ତି ଏବଂ ତାଙ୍କ ସହଧର୍ମିଣୀ ରେବତୀ ସ ନିଜର ଭୂମିକା ନିର୍ବାହ କରିଥିବା ବେଳେ କନ୍ୟାପିତା ଭାବେ ରବୀନ୍ଦ୍ର କୁମାର ଜେନା ଓ ପତ୍ନୀ ରଶ୍ମିତା ଜେନା, ଅନିତା, କଳ୍ପନା ପ୍ରମୁଖ ଦେବ ଦମ୍ପତ୍ତିକୁ ବନ୍ଦାପନା କରିଥିଲେ।

ଜୁନ୍ ୧୬ ତାରିଖ ଅର୍ଥାତ୍ ଶେଷ ରଜଦିନ ଶୀତଳଷଷ୍ଠୀ ଅବସରରେ ରୁଦ୍ରାଭିଷେକ, ୧୦୮ ବେଲପତ୍ର ପ୍ରଦାନ ପୂର୍ବକ ଅପରାହ୍ନ ୫ ଘଟିକାରେ ୫ଜଣ ମୁଖା ପିନ୍ଧି ସାମାଜିକ ଦୂରତା ରକ୍ଷା କରି ହାତଘଣ୍ଟି ଓ ଶଙ୍ଖ ବାଦନ କରି ନଗର ପରିକ୍ରମା କରିଥିଲେ। ଏହ ବିବାହ ଉତ୍ସବ ନରାଡ଼ମ୍ବର ଭାବେ ସମ୍ପନ୍ନ ହୋଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ୨୬ ଟି ଦୂରଗାମୀ ସ୍ବତନ୍ତ୍ର ଟ୍ରେନ ପୁରୀ ଯିବ ନାହିଁ, ଜାଣନ୍ତୁ କାରଣ

ଭୁବନେଶ୍ବର, କୋଭିଡ଼୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ ଓଡିଶା ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଜୁଲାଇ ମାସରେ ରଥ ଯାତ୍ରା ସମୟରେ ପୁରୀ ଆଡକୁ ଟ୍ରେନ୍ ସେବା ଉପରେ ପ୍ରତିବନ୍ଧ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ୨୬ ଟି ଦୂର ଦୂରଗାମୀ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ପର‌୍ୟ୍ୟନ୍ତ ଚଳାଚଳ କରିବ ଏବଂ ଖୋର୍ଦ୍ଧା ରୋଡରୁ ଯାତ୍ରା ପ୍ରାରମ୍ଭ କରିବ। ଉଭୟ ଦିଗରୁ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଚଳାଚଳ ବାତିଲ ରହିବ। ସେହି ଟ୍ରେନଗୁଡିକ ହେଲା

ଅଧିକ ଖବର ଜାଣିବା ପାଇଁ ଏହାକୁ କ୍ଲିକ କରନ୍ତୁ- thesamikhsya.com/odia

ଏହି ଟ୍ରେନ ମଧ୍ୟରେ ରହିଛି ୫ ଟି ସାପ୍ତାହିକ ବିଶେଷ ଟ୍ରେନ ନିର୍ଦ୍ଦିଷ୍ଟ ଦିନମାନଙ୍କରେ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର‌୍ୟ୍ୟନ୍ତ ଚଳାଚଳ କରିବ ଏବଂ ସେଠାରୁ ଯାତ୍ରା ପ୍ରାରମ୍ଭ କରିବ। ସେହିପରି ଦୈନନ୍ଦିନ ଚଳାଚଳ କରୁଥିବା ପାଞ୍ଚଟି ଏବଂ ଦ୍ବି-ସାପ୍ତାହିକ, ତ୍ରି-ସାପ୍ତାହିକ ଓ ସପ୍ତାହରେ ଚାରି ଦିନ ଚଳାଚଳ କରୁଥିବା ବିଶେଷ ଟ୍ରେନ ଏଥିରେ ଅନ୍ତର୍ଭୂକ୍ତ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ କାଉଣ୍ଟଡାଉନ ଆରମ୍ଭ, 7 ଜଣ ଚର୍ଚ୍ଚାରେ, ଓଡିଶାରୁ ଜଣଙ୍କ ନାମ

ନୂଆଦିଲ୍ଲୀ, କେନ୍ଦ୍ର ମନ୍ତ୍ରମଣ୍ଡଳ ଅଦଳବଦଳ ପକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଁଚିଛି। ଯାହା ଜଣପଡିଛି ଆସନ୍ତା 21 ତାରିଖରେ ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିବେ। ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଲାଣି। ଅନ୍ୟପଟେ ଯେଉଁମାନେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ସେମାନଙ୍କୁ ଦିଲ୍ଲୀ ଡକରା ହେଲାଣି।

ଆଜି ଆସାମର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲା ନୂଆଦିଲ୍ଲୀରେ ପହଁଚିଛନ୍ତି। ତେବେ ଏଥର ନୂଆ ମନ୍ତ୍ରୀମଣ୍ଡଳର ରୂପରେଖ କଣ ହେବ ସେ ନେଇ ଜଣାପଡି ନାହିଁ। କେତେଜଣ ଏଥିରେ ସାମିଲ ହେବେ ସେ ନେଇ ମଧ୍ୟ କୌଣସି ସୂଚନା ମିଳି ନାହିଁ। ହେଲେ ଏଥର ନୂଆ ମନ୍ତ୍ରୀ ମଣ୍ଡଳରେ ଯୁବ ଗୋଷ୍ଠୀଙ୍କୁ ଗୁରୁତ୍ବ ଦିଆଯିବ ବୋଲି ଜଣାପଡିଛି।

ତେବେ ନୂଆ ମନ୍ତ୍ରୀ ମଣ୍ଡଳରେ ଯେଉଁମାନେ ସାମିଲ ହେବାର ସମ୍ଭାବନା ରହିଛି ସେମାନଙ୍କୁ ନେଇ ଦିଲ୍ଲୀ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦିଲ୍ଲୀ ସୂଚନା ଅନୁସାରେ ବର୍ତ୍ତମାନ ନୂଆମନ୍ତ୍ରୀ ହେବାରେ ସାତ ଜଣଙ୍କ ନାମ ନିଶ୍ଚିତ ହୋଇଛି। ସେମାନଙ୍କ ମଧ୍ୟରୁ ଯେଉଁମାନେ ଦିଲ୍ଲୀରେ ନାହାଁନ୍ତି, ସେମାନଙ୍କୁ ଡକାରା ଚାଲିଛି ବୋଲି ଜଣାପଡିଛି। ତେବେ ନୂଆ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାରେ ଯେଉଁମାନଙ୍କ ନାମ ଚର୍ଚ୍ଚାରେ ଚାଲିଛି ସେମାନେ ହେଲେ..

1- ଜ୍ୟୋତିରାଦିତ୍ୟ ସିନ୍ଧିଆ- ମଧ୍ୟ ପ୍ରଦେଶର ଟାଣୁଆ କଂଗ୍ରେସ ନେତା ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ସେ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା 4 ଥର ଲୋକସଭା ସଦସ୍ୟ ରହିଆସିଛନ୍ତି।

2-ସର୍ବାନନ୍ଦ ସୋନୱାଲା- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସର୍ବାନନ୍ଦ ସୋନୱାଲା । ନିକଟରେ ଆସାମ ବିଧାନସଭା ନିର୍ବାଚନ ପରେ ସେଠାରେ ହିମନ୍ତ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ହେଲେ ତାପୂର୍ବରୁ ସର୍ବାନନ୍ଦ ମୁଖ୍ୟମନ୍ତ୍ରୀ ଥିଲେ। ହିମନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିବା ପୂର୍ବରୁ ସର୍ବାନନ୍ଦଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ କରାଯିବ ବୋଲି କୁଆଡେ ପ୍ରତିଶୃତି ଦିଆଯାଇଥିଲା।

3-ଦୀନେଶ ତ୍ରିବେଦୀ- ପୂର୍ବତନ ତ୍ରୁଣମୂଳ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ହେଉଛନ୍ତି ଦୀନେଶ। ସେ ଟିଏମସି ଛାଡି ବିଜେପିରେ ଯୋଗଦେଇଛନ୍ତି। ଗତ ଫେବୃୟାରୀରେ ଦୀନେଶ ଟିଏମସି ଏବଂ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଛନ୍ତି।

4-ଭୂପେନ୍ଦର ଯାଦବ- ରାଜସ୍ଥାନରୁ ବିଜେପିର ରାଜ୍ୟସଭା ସଦସ୍ୟ ଅଛନ୍ତି ଭୁପେନ୍ଦର ଯାଦବ। ରାଜସ୍ଥାନରେ ବିଜେପି ମଧ୍ୟରେ ଚାଲିଥିବା ଛକାପଞ୍ଚା ମଧ୍ୟରେ ଭୂପେନ୍ଦର ସମତୁଳ ରଖିପାରିବେ ବୋଲି ଆଶା।

ଓଡିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ବନୀ ବୈଷ୍ଣବ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ନେଇ ଚାଲିଛି ଚର୍ଚ୍ଚା

5-ଅଶ୍ବନୀ ବୈଷ୍ଣବ- ଓଡିଶା କ୍ୟାଡରର ଆଇଏଏସ ଅଫିସର ହେଉଛନ୍ତି ଅଶ୍ବନୀ ବୈଷ୍ଣବ। ନିକଟରେ ସେ ବିଜେପି ପ୍ରାର୍ଥୀଭାବେ ଓଡିଶାରୁ ରାଜ୍ୟସଭାକୁ ନିର୍ବାଚତି ହୋଇ ଯାଇଛନ୍ତି। ତାଙ୍କର ପ୍ରାର୍ଥିତ୍ବକୁ ବିଜେଡି ମଧ୍ୟ ସମର୍ଥନ କରିଥିଲା। ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଚର୍ଚ୍ଚା ହେବା ଦିନଠାରୁ ତାଙ୍କର ନାମ ଚର୍ଚ୍ଚାରେ ରହିଛି।

6-ବରୁଣ ଗାନ୍ଧୀ- ମେନକା ତଥା ସ୍ବର୍ଗତ ସଂଜୟ ଗାନ୍ଧୀଙ୍କୁ ପୁତ୍ର ହେଉଛନ୍ତି ବରୁଣ ଗାନ୍ଧୀ। ସେ ବର୍ତ୍ତମାନ ଲୋକସଭା ସଦସ୍ୟ ରହିଛନ୍ତି। ଜଣେ ଯୁବ ଦକ୍ଷ ନେତା ଭାବେ ତାଙ୍କର ଦକ୍ଷତା ରହିଛି।

7-ଜମ୍ୟାଙ୍ଗ ତେସରିଂ ନମଗ୍ୟାଲ- ଲଦାଖରୁ ବିଜେପି ସାଂସଦ ଅଛନ୍ତି ଜମ୍ୟାଙ୍କ ତେସରିଂ ନମଗ୍ୟାଲ। ସେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳର ବିଜେପି ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ଜିଓର ଦବ୍‌ଦବା ଜାରି, ମାର୍ଚ୍ଚରେ ଯୋଡିଛି ୨.୭୨ ଲକ୍ଷରୁ ଅଧିକ ନୂଆ ମୋବାଇଲ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଓଡ଼ିଶା ଦୂରସଂଚାର ବଜାରରେ ନିଜର ଆଧିପତ୍ୟ ବଜାୟ ରଖି ରିଲାଏନ୍ସ ଜିଓ ୨୦୨୧ ମାର୍ଚ୍ଚ ମାସରେ ସର୍ବାଧିକ ୨.୭୨ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବା ଭାରତର ଦୂରସଂଚାର ନିୟାୟକ କର୍ତ୍ତୁପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି।

ଟ୍ରାଇ ପକ୍ଷରୁ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ଓଡ଼ିଶାରେ ପ୍ରାୟ ୪୨% ଗ୍ରାହକ ବଜାର ଅଂଶ ରହିଛି ଏବଂ ରାଜ୍ୟରେ ଏହାର ୧.୪୩ କୋଟିରୁ ଅଧିକ ମୋବାଇଲ ଗ୍ରାହକ ଅଛନ୍ତି। ୨୦୨୧ ମାର୍ଚ୍ଚ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୨.୭୨ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବାବେଳେ ଏହି ମାସରେ ଏୟାରଟେଲ ମାତ୍ର ୬୪,୭୦୧ ଏବଂ ବିଏସଏନଏଲ୍ ୪୯,୧୩୩ ଗ୍ରାହକ ଯୋଗ କରିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି। ଏହି ମାସରେ ଭୋଡାଫୋନ ଆଇଡିଆ ରାଜ୍ୟରେ ୫୨,୭୫୧ ଗ୍ରାହକ ହରାଇଛି। ଏଥିସହିତ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ମାର୍ଚ୍ଚ ମାସରେ ୩.୩୩ ଲକ୍ଷ ବୃଦ୍ଧି ଘଟି ଏହା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୩.୪୩ କୋଟି ଅତିକ୍ରମ କରିଥିବା ଜଣାପଡିଛି। ସର୍ବଭାରତୀୟ ସ୍ତରରେ ମଧ୍ୟ ଜିଓ ୨୦୨୧ ମାର୍ଚ୍ଚ ମାସରେ ସର୍ବାଧିକ ୭୯ ଲକ୍ଷ ନୂଆ ଗ୍ରାହକ ଯୋଗକରିଥିବାବେଳେ ତାହା ପଛକୁ ଏୟାରଟେଲ ପ୍ରାୟ ୪୦ ଲକ୍ଷ ଯୋଗକରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଏବଂ ଦୂୂରସଂଚାର କ୍ଷେତ୍ରରେ ରାଜ୍ୟରେ ମୋଟ ରାଜସ୍ୱର ୫୦ ପ୍ରତିଶତରୁ ଅଧିକ ଅଂଶ ହାସଲ ସହିତ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ହୋଇଛି। ରିଲାଏନ୍ସ ଜିଓ ଏହାର ସର୍ବବୃହତ ଟ୍ରୁ-୪ଜି ନେଟୱର୍କ ବଳରେ ତଥା ଏପର୍ଯ୍ୟନ୍ତ ଅପହଂଚ ରହିଥିବା ଅଂଚଳଗୁଡିକରେ ଦ୍ରୁତ ନେଟୱର୍କ ସଂପ୍ରସାରଣ ଏବଂ ସୁଲଭ ମୂଲ୍ୟରେ ସେବା ସହିତ ସମଗ୍ର ରାଜ୍ୟରେ ନିରବଚ୍ଛିନ୍ନ ହାଇ-ସ୍ପିଡ ଇଂଟରନେଟ ସେବା ଯୋଗାଇ ଗତ କିଛିବର୍ଷ ଧରି ପ୍ରତି ମାସରେ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରୁଛି। ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁଷ୍ଠିତ ନିଲାମ ପ୍ରକ୍ରିୟାରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମକୁ ଜିଓ ସଫଳତାର ସହିତ ସମଗ୍ର ଓଡ଼ିଶାରେ ମୁତୟନ କରିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିଛି ଏବଂ ତଦ୍ଦ୍ୱାରା ରାଜ୍ୟରେ ଏହାର ଗ୍ରାହକଙ୍କ ଅନୁଭୂତିକୁ ସମୃଦ୍ଧ କରିବା ସହିତ ୪ଜି ନେଟ୍‌ୱର୍କ ଓ ଇଂଟରନେଟ୍ ବେଗରେ ବୃଦ୍ଧି ଘଟିଛି। ଏହା ମଧ୍ୟ ନିଜର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବରକୁ ଓଡ଼ିଶାର ବିଭିନ୍ନ ସହର ଓ ନଗରକୁ ଦ୍ରୁତ ସମ୍ପ୍ରସାରଣ କରୁଛି ଏବଂ ଏବେ ସୁଦ୍ଧା ରାଜ୍ୟର ୨୬ରୁ ଉର୍ଦ୍ଧ୍ୱ ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ହେଉଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମୁସଲିମ ବୃଦ୍ଧଙ୍କୁ ଦାଢି କାଟିବା ଏବଂ ମାରିବା ଘଟଣା: ଏସପି ନେତା ଉମ୍ମେଦ ପହଲୱାନଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଗାଜିଆବାଦରେ ମୁସଲିମ୍ ବୃଦ୍ଧଙ୍କୁ ପିଟିବା ଏବଂ ଦାଢି କାଟିବା ଘଟଣାରେ ଆଜି ସମାଜବାଦୀ ନେତା ଉମ୍ମେଦ ପହଲୱାନଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଉମ୍ମେଦ ସହିତ ଗୁଲସନକୁ ମଧ୍ୟ ଗିରଫ କରାଯାଇଛି। ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ହସ୍ପିଟାଲ ନିକଟରୁ ଉଭୟଙ୍କୁ ଗିରଫ କରାଯାଇଛି। ଗାଜିଆବାଦର ଲୋନୀରେ ବୃଦ୍ଧଙ୍କୁ ମାଡ ମରାଯାଇଥିଲା।

ଉମ୍ମେଦ ପହଲୱାନ ଉପରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି। ବୃଦ୍ଧାଙ୍କୁ ପିଟିବା ଅଭିଯୋଗରେ ଶେଷରେ ଅଭିଯୁକ୍ତ ଗୁଲଶନକୁ ମଧ୍ୟ ଦିଲ୍ଲୀ ପୋଲିସ ଗିରଫ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ ୧୧ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ ଏବେ ଦିଲ୍ଲୀରୁ ଗାଜିଆବାଦ ନେବା ପାଇଁ ପୋଲିସ ବ୍ୟବସ୍ଥା କରୁଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କରୋନା କଟକଣା କଡାକଡି କରିବାକୁ ସବୁ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏକ ପ୍ରକାର ଆଶ୍ଵସ୍ତି ମିଳୁଛି। ହେଲେ ଲୋକେ ସଂପୂର୍ଣ୍ଣ ବିପଦ ମୁକ୍ତ ଭାବିବା ଠିକ ନୁହେଁ। ସମସ୍ତ ରାଜ୍ୟ ସରକାର କରୋନା କଟକଣା ପ୍ରତି ଧ୍ୟାନ ଦେବା ଉଚିତ। କଟକଣାକୁ କଡାକଡି କରିବା ପାଇଁ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭାଲ୍ଲା ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ସତର୍କ କରାଇଛନ୍ତି। ଅନଲକ ହେଉଥିବା ସ୍ଥାନଗୁଡିକରେ କଟକଣା ଉପରେ ନଜର ରଖିବାକୁ ଅଜୟ ଭାଲ୍ଲା କହିଛନ୍ତି। ସଂକ୍ରମଣ କମୁଥିବାରୁ କେତେକ ରାଜ୍ୟରେ କଟକଣାକୁ କୋହଳ କରାଯାଉଛି।

ତେବେ କଟକଣା କୋହଳ ବେଳେ ଆଦୌ ବେପରୁଆ ନହେବାକୁ କେନ୍ଦ୍ର ଗୃହ ସଚିବ ସତର୍କ କରାଇଛନ୍ତି। ବର୍ତ୍ତମାନ ବିପଦ ସଂପୂର୍ଣ୍ଣ ଟଳିନି, କରୋନାରେ ଲଗାମ ପାଇଁ ପଞ୍ଚସୂତ୍ରୀ ଫର୍ମୁଲାକୁ କଡାକଡି ପାଳନ କରିବା ପାଇଁ ଅଜୟ କହିଛନ୍ତି। କୋଭିଡ ନିୟମ ମାଣିବା ସହ ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ ଟୀକାକରଣ ଉପରେ ଗୁରୁତ୍ଵ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସଂକ୍ରମଣ ଦେଖାଯାଉଥିବା ସ୍ଥାନରେ ତୁରନ୍ତ ମାଇକ୍ରୋ କଣ୍ଟେନମେଣ୍ଟ କରିବାକୁ  ପରାମର୍ଶ ଦିଆଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଡବ୍ଲୁଟିସି ଫାଇନାଲ ମ୍ୟାଚରେ ବର୍ଷା ଆଶଙ୍କା: ମ୍ୟାଚ ଡ୍ର’ ହେଲେ କେଉଁ ଦଳ ହେବ ଚମ୍ପିୟାନ, ଜାଣନ୍ତୁ ଆଇସିସିର ନିୟମ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଫାଇନାଲ ମ୍ୟାଚରେ ବର୍ଷା ସମ୍ଭାବନା ଯୋଗୁଁ ଖେଳାପ୍ରେମୀମାନେ ଚିନ୍ତାରେ ପଡିଛନ୍ତି। ଇଂଲଣ୍ଡର ସାଉଥେମ୍ପଟନରେ ଲଗାତର ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ବାଧାପ୍ରାପ୍ତ ହୋଇଛି।

ତେବେ ଆଗାମୀ ଦିନରେ ଆହୁରି ବର୍ଷା ହେବା ସମ୍ଭାବନା ଥିବାରୁ ଫାଇନାଲ ମ୍ୟାଚକୁ ନେଇ ଆଶଙ୍କା ବଢିଛି। ପ୍ରଥମ ଦିନ ଖେଳ ବାତିଲ ହୋଇଥିଲେ ମଧ୍ୟ ଆଉ ୫ ଦିନ ଖେଳ ବାକି ଅଛି। ଇଂଲଣ୍ଡ ଜଳବାୟୁର ସ୍ଥିତିକୁ ଦେଖି ପୂର୍ବରୁ ଆଇସିସି ଏହି ମ୍ୟାଚ ପାଇଁ ଆଉ ଏକ ରିଜର୍ଭ ଡେ’ ର ବ୍ୟବସ୍ଥା କରିଥିଲା। ଏହି ମ୍ୟାଚ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବେଳେ ୨୩ ତାରିଖଟି ରିଜର୍ଭ ଡେ’ ଭାବେ ଆଇସିସି ଘୋଷଣା କରିଥିଲା।

ଆଇସିସି ମୁତାବକ, ଯେତେବେଳେ ପ୍ରଥମ ୫ ଦିନରେ ମୋଟ ୩୦ ଘଣ୍ଟା ଖେଳାଯାଇପାରିବ ନାହିଁ, ସେତେବେଳ ଏହି ରିଜର୍ଭ ଡେ’ ର ବ୍ୟବହାର କରାଯାଇପାରିବ। ବର୍ତ୍ତମାନ ପ୍ରଥମ ଦିନର ଖେଳ ବାଧାପ୍ରାପ୍ତ ହୋଇଥିବାରୁ ଏହି ଦିନର ସମସ୍ତ ଓଭର ଭରଣ କରିବା ପାଇଁ ପ୍ରତ୍ୟେକ ଦିନ ଅତିରିକ୍ତ ଓଭର ଖେଳାଯିବ। ଏହାପରେ ମଧ୍ୟ ଅବଶିଷ୍ଟ ଖେଳ ପାଇଁ ରିଜର୍ଭ ଡେ’ ର ବ୍ୟବହାର କରାଯାଇପାରିବ।

ଏହାପରେ ଯଦି ମ୍ୟାଚ ଡ୍ର କିମ୍ବା ଟାଇ ରହେ, ତେବେ ଦୁଇ ଦଳକୁ ସଂଯୁକ୍ତ ବିଜେତା ଭାବେ ଘୋଷଣା କରାଯିବ। ଆଇସିସି ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଆରମ୍ଭ ହେବା ପୂର୍ବରୁ ଆଇସିସି ଏଭଳି ନିଷ୍ପତ୍ତି ୨୦୧୮ ମସିହା ଜୁନ ମାସରେ ନେଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବରିଷ୍ଠ ଆଇଏଏସ ଗୁରୁପ୍ରସାଦ ମହାପାତ୍ରଙ୍କ କରୋନାରେ ପରଲୋକ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର, ବରିଷ୍ଠ ଆଇପିଏସ ଦେବାଶିଷ ମହାପାତ୍ରଙ୍କ ପରଲୋକ ଖବର ପରେ ରାଜ୍ୟ ଆଉ ଜଣେ ବରିଷ୍ଠ ଆଇଏଏସଙ୍କୁ ମଧ୍ୟ ହରାଇଛି। କରୋନାରେ ଗୁରୁତର ହୋଇପଡିଥିବା ଓଡିଆ ଆଇଏଏ, ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ ଘଟିଛି। ସେ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଥିଲେ। ୧୯୮୬ ବ୍ୟାଚ୍ ଗୁଜୁରାଟ କ୍ୟାଡରର ଆଇଏଏସ୍ ଗୁରୁପ୍ରସାଦ ହେଉଛନ୍ତି ଓଡିଶାର ପ୍ରଖ୍ୟାତ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ପୁତ୍ର।

ଗୁରୁପ୍ରସାଦ କେନ୍ଦ୍ର ସରକାରଙ୍କ ଡିପିଆଇଆଇଟି (ଡିପାର୍ଟମେଣ୍ଟ ଫର୍ ପ୍ରମୋସନ ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାସନାଲ ଟ୍ରେଡ୍) ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ସେ ଏୟାରପୋର୍ଟ ଅଥରିଟ ଅଫ ଇଣ୍ଡିଆର ଅଧ୍ୟକ୍ଷ ମଧ୍ୟ ଥିଲେ। ସେ ମଧ୍ୟ ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନର କମିସନର ଭାବରେ କାର୍ଯ୍ୟ କରିଥିଲେ ଏବଂ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବରେ ନିଯୁକ୍ତ ହୋଇଥିଲେ।

ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ପିୟୁଶ ଗୋଏଲ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

୪୫୦ ଦିନରେ ପ୍ରତାପ ସାହୁଙ୍କ କରୋନା ସେବା: ଲୋକଙ୍କୁ ମାଗଣରେ ଯୋଗାଉଛନ୍ତି ଶୁଖିଲା ଏବଂ ରନ୍ଧା ଖାଦ୍ୟ

ଭୁବନେଶ୍ୱର: ମହାମାରୀ କରୋନାର ପ୍ରଥମ ଲହର ପରେ ବର୍ତ୍ତମାନ ଦ୍ୱିତୀୟ ଲହର ସାରା ରାଜ୍ୟ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ବିଶେଷକରି କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ରାଜ୍ୟ ସରକାର ବାଧ୍ୟ ହୋଇ ପର୍ଯ୍ୟାୟକ୍ରମେ ଲକଡ଼ାଉନ ଓ ସଟଡ଼ାଉନ ଘୋଷଣା କରିଚାଲିଛନ୍ତି।

ଏଥିଯୋଗୁ ଲୋକମାନେ ନିଜର ଜୀବନ ଜୀବିକା ହରାଇ ବସିଛନ୍ତି। ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଏକ ପ୍ରକାର ଦୋହଲି ଯାଇଛି। ଅଧିକାଂଶ ଲୋକ ଓଳିଏ ଖାଇଲେ ଓଳିଏ ଉପାସ ରହି ଏକ ପ୍ରକାର ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ଲୋକମାନଙ୍କ ଏପରି ଅବସ୍ଥାକୁ ହୃଦୟଙ୍ଗମ କରି ସମାଜସେବୀ ପ୍ରତାପ ସାହୁ ସହଯୋଗର ହାତ ବଢାଇଛନ୍ତି।
ଗତ ୨୦୨୦ ମସିହା ଫେବୃୟାରୀ ମାସରେ ଦେଖା ଦେଇଥିବା କରୋନା ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ପର୍ଯ୍ୟନ୍ତ ଦୀର୍ଘ ୪୫୦ ଦିନ ଧରି କ୍ରମାଗତ ଭାବେ ଶ୍ରୀଯୁକ୍ତ ସାହୁ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି।

ପ୍ରତିଦିନ ସକାଳ ୮ଟାରୁ ନିଜର ନିତ୍ୟକର୍ମ ସାରି ପ୍ରତାପ ବାହାରି ଯାଇ ବିଭିନ୍ନ ଅଞ୍ଚଳ ବୁଲି ଲୋକମାନଙ୍କୁ ମାଗଣାରେ ମାସ୍କ, ସାନିଟାଇଜର, ସାବୁନ, ବିସ୍କୁଟ, ଶୁଖିଲା ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦେବା ସହିତ ବିଭିନ୍ନ ସରକାରୀ, ବେସରକାରୀ ଅଫିସ୍‌, ବସ୍‌ଷ୍ଟାଣ୍ଡ, ରେଲ୍‌ୱେ ଷ୍ଟେସନ, ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ସାନିଟାଇଜ କରିଥାନ୍ତି। ଏହା ସହ କରୋନାରୁ ରକ୍ଷା ପାଇବା ପାଇଁ ସବୁଦିନ ସାବୁନରେ ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ ମଧ୍ୟ କରିଥାଆନ୍ତି।

ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରରେ ପ୍ରତାପ ଘରକୁ ଘର ବୁଲି ସାନିଟାଇଜ୍ କରିବା, ଲୋକମାନଙ୍କ ଅମ୍ଲଜାନ ଓ ତାପମାତ୍ରା ମାପିବା ସହ ସେମାନଙ୍କୁ ଅମ୍ଲଜାନ ଓ ତାପମାତ୍ରା ବିଷୟରେ ସଚେତନ କରିଥାନ୍ତି। ଲୋକମାନଙ୍କ ବ୍ୟତୀତ ପଶୁପକ୍ଷୀମାନଙ୍କ ସେବା କରିବାକୁ ମଧ୍ୟ ପ୍ରତାପ ଭୁଲିନାହାଁନ୍ତି। କରୋନାର ଏହି ବିପତ୍ତି ସମୟରେ ବୁଲା କୁକୁରମାନଙ୍କୁ ଖାଇବାକୁ ଦେବା, ସେମାନଙ୍କ ରହିବା ପାଇଁ ‘ବିଶ୍ୱାସ’ ଗୃହ ନିର୍ମାଣ କରିବା, ପକ୍ଷୀମାନଙ୍କ ପିଇବା ପାଇଁ ପାଣିର ବ୍ୟବସ୍ଥା ମଧ୍ୟ କରିଥାନ୍ତି।

ବର୍ତ୍ତମାନ ସୁଦ୍ଧା ପ୍ରତାପ କଟକ, ଖୋର୍ଦ୍ଧା, ଭୁବନେଶ୍ୱର, ପୁରୀ ଆଦି ବିଭିନ୍ନ ଜିଲ୍ଲା ବୁଲି ସାନିଟାଇଜ କରିବା, ମାସ୍କ ବାଣ୍ଟିବା, ଲୋକମାନଙ୍କୁ ଶୁଖିଲା ଏବଂ ରନ୍ଧା ଖାଦ୍ୟ ଯୋଗାଇ ଚାଲିଛନ୍ତି। ଏ ସମ୍ପର୍କରେ ପ୍ରତାପ କୁହନ୍ତି, ଯେ ପର୍ଯ୍ୟନ୍ତ ଓଡ଼ିଶାରେ କରୋନାର ପ୍ରକୋପ ନ କମିଛି, ସେପର୍ଯ୍ୟନ୍ତ ଲୋକଙ୍କୁ ସେବା ଯୋଗାଇ ଚାଲିଥିବି ଏବଂ ଆଗକୁ ଆସୁଥିବା କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କିଛି ସମୟ ପରେ କଟକରେ ପହଞ୍ଚିବ ଦେବାଶିଷ ପାଣିଗ୍ରାହୀଙ୍କ ମରଶରୀର

କଟକ, ଆଉ କିଛି ସମୟ ମଧ୍ୟରେ ବରିଷ୍ଠ ଆଇପିଏସ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମରଶରୀର କଟକରେ ପହଞ୍ଚିବ। ଗତକାଲି ରାତିରେ ତାଙ୍କର କୋଲକତାର ଏକ ଘରୋଇ ହସପିଟାଲରେ ଦେହାନ୍ତ ହୋଇଥିଲା। ଏହାପରେ ରାତିରେ ଏକ ସ୍ବତନ୍ତ୍ର ଗାଡିରେ ତାଙ୍କର ମରଶରୀର କଟକ ଅଣାଯାଉଛି।

କଟକ ଆସିବା ରାସ୍ତାରେ ବାଲେଶ୍ବରରେ କିଛି ସମୟ ପାଇଁ ତାଙ୍କର ଶେଷ ଦର୍ଶନ କରିଥିଲେ। ବାଲେଶ୍ବର ଭିଜିଲାନସ ଏସପିଙ୍କ ସମେତ ବରିଷ୍ଠ ଅଧିକାରୀ ସେଠାରେ ଶେଷ ଦର୍ଶନ କରିଥିଲେ। ସେହିପରି କଟକ ଆସିବା ପରେ ତାଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯିବ। ଏହାପରେ କଟକ ସତୀଚଉରାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା ଘଟଣା: ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ନିଜକୁ ପୃଥକ କଲେ ବିଚାରପତି ଇନ୍ଦିରା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପରେ ହୋଇଥିବା ହିଂସା ମାମଲାର ଶୁଣାଣୀ ପାଇଁ ସୁପ୍ରିମକୋର୍ଟର ବିଚାରପତି ନିଜକୁ ଅଲଗା କରିଦେଇଛନ୍ତି। ବିଚାରପତି ଇନ୍ଦିରା ବାନାର୍ଜୀ ଏହି ମାମଲାର ଶୁଣାଣିରୁ ନିଜକୁ ପୃଥକ ରଖିଛନ୍ତି।

ବିଚାରପତି କହିଛନ୍ତି ଯେ, ସେ ଏହି ମାମଲାର ଶୁଣାଣୀ କରିବାକୁ ଚାହୁଁ ନାହାନ୍ତି। ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ପୀଡିତ ପରିବାର ସୁପ୍ରିମକୋର୍ଟ ପହଞ୍ଚିଥିଲେ। ପଶ୍ଚିମବଙ୍ଗ ସରକାର ଠାରୁ ଏହି ମାମଲା ପାଇଁ ସୁପ୍ରିମକୋର୍ଟ ଉତ୍ତର ମାଗିଥିଲେ।

ଯାହାର ଉତ୍ତର ରଖି ସରକାର କହିଥିଲା ଯେ, ଯାଚିକା କର୍ତ୍ତା ରାଜନୀତିରେ ପ୍ରେରିତ ହୋଇଛନ୍ତି, ତେଣୁ ଏହି ଆବେଦନକୁ ଖାରିଜ କରାଯାଉ।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ-କାଶ୍ମୀରକୁ ନେଇ ଦେଖାଗଲା ରାଜନୈତିକ ହଲଚଲ: ପ୍ରଧାନମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ପୁଣି ଥରେ ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଆସନ୍ତା ୨୪ ତାରିଖକୁ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇପାରନ୍ତି। ଏଥିରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ଲାଗି ଆଲୋଚନା ହେବା ସମ୍ଭାବନା ରହିଛି।

୨୦୧୯ ଅଗଷ୍ଟ ମାସରେ ଜମ୍ମୁ-କାଶ୍ମୀରରେ ଧାରା ୩୭୦ ହଟାଇବା ଏବଂ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶରେ ବାଣ୍ଟିବା ପରେ କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ପାଖାପାଖି ୨ ବର୍ଷ ପରେ ଜମ୍ମୁ-କାଶ୍ମୀରରେ ଚାଲିଥିବା ରାଜନୈତିକ ଗତିରୋଧ ସମାପ୍ତ କରିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଏହା ଏକ ବଡ ପ୍ରୟାସ ବୋଲି କୁହାଯାଉଛି।

ଏହି ବୈଠକ ପାଇଁ ଜମ୍ମୁ-କାଶ୍ମୀରର ନେତାଙ୍କୁ ମଧ୍ୟ ଡକାଯାଇଛି। ଗତକାଲି ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରର ୯ ଟି ରାଜନୈତିକ ଦଳକୁ ସର୍ବଦଳୀୟ ବୈଠକ ପାଇଁ ନିମନ୍ତ୍ରଣ କରାଯାଇଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସାଥିରେ ଏହି ସର୍ବଦଳୀୟ ବୈଠକରେ ୧୬ ଟି ରାଜନୈତିକ ଦଳକୁ ଡାକିବା ସମ୍ଭାବନା ରହିଛି। ତେବେ ଏହି ବୈଠକରେ ବିଧାନସଭା ନିର୍ବାଚନ ସହ ପୂର୍ଣ୍ଣ ରାଜ୍ୟ ମାନ୍ୟତାକୁ ନେଇ ଆଲୋଚନା ହେବା ସମ୍ଭାବନା ରହିଛି।

କେନ୍ଦ୍ର ପକ୍ଷରୁ ନ୍ୟାସନାଲ କନଫରେନ୍ସ ଦଳର ଅଧ୍ୟକ୍ଷ ଫାରୁକ ଅବଦୁଲା, ପିଡିପି ମୁଖ୍ୟ ମହାବୁବା ମୁଫ୍ତି, ଜମ୍ମୁ-କାଶ୍ମୀର ଅପନୀ ପାର୍ଟିର ଅଲତାଫ ବୁଖାରୀ ଏବଂ ପିପୁଲ୍ସ କନଫରେନ୍ସର ମୁଖ୍ୟ ସଜ୍ଜାଦ ଲୋନଙ୍କୁ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି। ଏହାସହ ସର୍ବଦଳୀୟ ବୈଠକରେ ଜମ୍ମୁ-କାଶ୍ମୀରର ବିଜେପି ଏବଂ କଂଗ୍ରେସ ନେତା ସାମିଲ ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ୬୦ ହଜାର ୭୫୩ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୦ ହଜାର ୭୫୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୬୪୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୮ ଲକ୍ଷ ୨୩ ହଜାର ୫୪୬ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୫ ହଜାର ୧୩୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୬ ଲକ୍ଷ ୭୮ ହଜାର ୩୯୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୭ ଲକ୍ଷ ୬୦ ହଜାର ୧୯ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୨ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୫୪୯ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୪୯ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ଝାରସୁଗୁଡା, ପୁରୀ, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡା, ବରଗଡ ଓ କୋରାପୁଟ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଅନୁଗୁଳ, ମାଲକାନାଗିରି, ମୟୂରଭଞ୍ଜ ଓ ନୂଆପଡା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି, ସୋନପୁର ଓ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୩ ହଜାର ୯୨୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୨୯ ହଜାର ୮୫୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୦ ହଜାର ୪୭୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୪୯ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୩ ହଜାର ୪୨୭ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୪୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୯୫୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୭୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୩ ହଜାର ୯୨୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୨୯ ହଜାର ୮୫୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୦ ହଜାର ୪୭୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୦୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୪୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୫୩ ଜଣ, କଟକ ଜିଲ୍ଲାରୁ ୩୯୬ ଜଣ, ଅନୁଗୁଳ ଜିଲ୍ଲାରୁ ୧୩୮ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୬୧ ଜଣ, ବରଗଡ ଜିଲ୍ଲାରୁ ୫୨ ଜଣ, ଭଦ୍ରକ ଜିଲ୍ଲାରୁ ୧୩୯, ବଲାଙ୍ଗୀରି ଜିଲ୍ଲାରୁ ୪୦, ବୌଦ୍ଧ ଜିଲ୍ଲାରୁ ୩୧, ଦେବଗଡ ଜିଲ୍ଲାରୁ ୨୨, ଢେଙ୍କାନାଳ ଜିଲ୍ଲାରୁ ୭୮ ଜଣ, ଗଜପତି ଜିଲ୍ଲାରୁ ୨୭ ଜଣ, ଗଞ୍ଜାମ ଜିଲ୍ଲାରୁ ୨୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୮ ଜଣ, ଯାଜପୁର ଜିଲ୍ଲାରୁ ୨୮୫ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୦ ଜଣ, କଳାହାଣ୍ଡିରୁ ୩୫ ଜଣ, କନ୍ଧମାଳ ଜିଲ୍ଲାରୁ ୪୧ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୧୧ ଜଣ, କେନ୍ଦୁଝର ଜିଲ୍ଲାରୁ ୪୭ ଜଣ, କୋରାପୁଟ ଜିଲ୍ଲାରୁ ୭୨ ଜଣ, ମାଲକାନାଗିରି ଜିଲ୍ଲାରୁ ୩୮ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୬୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୦ ଜଣ, ନୟାଗଡ ଜିଲ୍ଲାରୁ ୧୪୨ ଜଣ, ନୂଆପଡା ଜିଲ୍ଲାରୁ ୨୦ ଜଣ, ପୁରୀ ଜିଲ୍ଲାରୁ ୨୧୭ ଜଣ, ରାୟଗଡା ଜିଲ୍ଲାରୁ ୯୪ ଜଣ, ସମ୍ବଲପୁର ଜିଲ୍ଲାରୁ ୩୨ ଜଣ, ସୋନପୁର ଜିଲ୍ଲାରୁ ୩୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୮ ଜଣ ଏବଂ ଷ୍ଟେଟ ପୁଲରୁ ୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।