Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଅକ୍ଷୟ ତୃତୀୟାରେ ଧାନ ବୁଣିଲେ, ହଳ କଲେ ଖୋର୍ଦ୍ଧା କଂଗ୍ରେସ ପ୍ରାର୍ଥୀ ସୋନାଲୀ ସାହୁ

ଖୋର୍ଦ୍ଧା: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ଚାଷୀ ପୁଅ ଅକ୍ଷୀ ମୁଠି ଅନୁକୂଳ କରିଥାଏ। ଅର୍ଥାତ ବର୍ଷା ଋତୁ ଆସୁଥିବାରୁ ଅକ୍ଷୟ ତୃତୀୟା ଦିନ ବୁଣାବୁଣି କାମ ଆରମ୍ଭ ହୋଇଥାଏ। ଏହା ଓଡିଶାରେ ବେଶ ପ୍ରାଚୀନ ପରଂପରା। ଏହିଦିନ ଚଷା ପୁଅ ନୂଆ ବସ୍ତ୍ର ପରିଧାନ କରି ବିଲରେ ପୂଜାପାଠ କରି ଲିପାପୋଛା ହୋଇଥିବା ଗଉଣୀରେ ଧାନ ବୁଣିଥାଏ। ହଳ ମଧ୍ୟ କରିଥାଏ।

ତେବେ ଏଥର ଏହି ପବିତ୍ର ଦିନଟି ନିର୍ବାଚନ ଋତୁରେ ପଡଥିବାରୁ ରାଜନୈତିକ ନେତାମାନେ ଏହାକୁ ହାତ ଛଡା କରି ନାହାଁନ୍ତି। ସେମାନେ ମଧ୍ୟ ସେମାନଙ୍କର ସମର୍ଥକଙ୍କ ଗହଣରେ ବିଲକୁ ଯାଇ ମୁଠି ଅନୁକୂଳ କରିଛନ୍ତି। ଠିକ ସେହିପରି ଖୋର୍ଦ୍ଧା ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ସୋନାଲୀ ସାହୁ ମଧ୍ୟ ଚାଷୀଙ୍କ ପରି ମୁଠି ଅନୁକୂଳ କରିଛନ୍ତି।

ଆଜି ସକାଳୁ ଖୋର୍ଦ୍ଧାର ଲେଣ୍ଡୁ ପଞ୍ଚାୟତରେ ସେ ନିଜ ସମର୍ଥକଙ୍କ ଗହଣରେ ମୁଠି ଅନୁକୂଳ କରିଛନ୍ତି। ସୋନାଲି ବିଲରେ ପୂଜାପାଠ ପରେ ଗଉଣୀ ଧରି ଧାନ ବୁଣିଛନ୍ତି। ସେହିପରି ସେ ସାଥୀମାନଙ୍କ ସହିତ ହଳ କରିବା ଏବଂ ଟ୍ରାକ୍ଟର ଚଳାଇ ଏହି ମହାନ ପରଂପରାକୁ ପାଳନ କରିଛନ୍ତି। ଝିଅ ହୋଇ ସୋନାଲିଙ୍କର ଏହି ଉଦ୍ୟମକୁ ସେଠାକାର ଲୋକେ ବେଶ ପସନ୍ଦ କରିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଟିକେଟ କଟିବା ପରେ ନୀରବି ଗଲେ ଯାଜପୁର ଜିଲ୍ଲାର ତିନି ବିଧାୟକ, ପ୍ରଚାରରେ ମିଳୁନି ଦେଖା

ଭୁବନେଶ୍ବର: ଯାଜପୁର ଜିଲ୍ଲାରେ ରାଜନୀତି ଧିରେ ଧିରେ ଘନେଇ ଆସୁଥିବା ବେଳେ ହଠାତ ସେଥିରେ ଦେଖାଦେଇଛି ନିରୁତ୍ସାହ। କାରଣ ହେଲା ସେହି ଜିଲ୍ଲାର ତିନି ବିଧାୟକଙ୍କ ଟିକେଟ କଟିବା ପରେ ସେମାନେ ଏକ ପ୍ରକାର ନୀରବି ଯାଇଛନ୍ତି। ନା ପୂର୍ବପରି ସକ୍ରିୟ ହେଉଛନ୍ତି ନା ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି।

କୋରେଇରେ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସଂଧ୍ୟାରାଣୀ ଦାସ ପ୍ରାର୍ଥୀ ହେବା ପରେ ସେଠାକାର ରାଜନୀତି ସରଗରମ ହୋଇଛି। ହେଲେ ସେଠାକାର ବିଧାୟକ ଅଶୋକ ବଳଙ୍କ ଟିକେଟ କଟିବା ପରେ ସେ ଏକ ପ୍ରକାର ରାଜନୀତିରୁ ଦୂରେଇ ଯାଉଥିବାର ପରିଲକ୍ଷିତ ହୋଇଛି। ସଂଧ୍ୟାରାଣୀ ଦାସ ନାମାଙ୍କନ ଦାଖଲ ବେଳେ ବବି ଦାସ ଯାଜପୁର ଆସିଥିଲେ। ସେତେବେଳେ ଅଶୋକ ବଳଙ୍କ ଦେଖା ମିଳିଥିଲା। ହେଲେ ତା ପରଠାରୁ ସେ ପ୍ରାର୍ଥୀଙ୍କ ସହିତ ବୁଲିବା ଆଉ କେହି ଦେଖି ନାହାଁନ୍ତି।

ସେହିପରି ବଡଚଣାରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଅମର ଶତପଥୀଙ୍କ ଟିକେଟ କଟିବା ପରେ ସେ ଭୁବନେଶ୍ବରରେ ରହୁଛନ୍ତି। ସେଠାରେ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିବା ପରେ ଅମର ଅସନ୍ତୁଷ୍ଠ ହୋଇଛନ୍ତି। ଉପରେ ମନରେ ସେ ଦଳ ପାଇଁ କାମ କରିବେ ବୋଲି କହୁଥିଲେ ମଧ୍ୟ ଭିତରେ ଭିତରେ ତାଙ୍କର ଆଗ୍ରହ ନାହିଁ। ବଡଚଣା ପ୍ରଚାରରେ ତାହା ସ୍ପଷ୍ଟ ଭାବେ ଜଣାପଡିଛି।

ବଡଚଣାରୁ ଛଅ ଥର ବିଧାୟକ ହୋଇଥିବା ଅମର ଶତପଥୀଙ୍କୁ ଦଳ ଟିକେଟ କାଟିବା ପରେ ଉପସଭାପତି ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ ସେଥିରେ ସେ କୁଆଡେ ସନ୍ତୁଷ୍ଠ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି। ଅନ୍ୟପଟେ ତାଙ୍କ ସମର୍ଥକମାନେ ମଧ୍ୟ କିଏ କେମିତ ସାହାଯ୍ୟ କରିବାକୁ ଆସୁଛନ୍ତି। ହେଲେ ସେମାନଙ୍କ ମନ ମଧ୍ୟ ବର୍ଷାଙ୍କ ପାଖରେ ନାହିଁ।

ସେହିପରି ଯାଜପୁରର ବରୀ ନିର୍ବାଚନ ମଣ୍ଡଳୀରେ ବିଧାୟିକା ସୁନନ୍ଦା ଦାସଙ୍କ ଟିକେଟ କାଟି ଦଳ ସେଠାରୁ ବିଶ୍ବରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ଫଳରେ ସୁନନ୍ଦା ମଧ୍ୟ ଅସନ୍ତୁଷ୍ଠ ହେବା ସ୍ବାଭାବିକ। ଟିକେଟ କଟିବା ପରେ ତାଙ୍କ ସ୍ବାମୀ ଦେବେନ୍ଦ୍ର ଦାସଙ୍କୁ ବିଜେଡି ସାଧାରଣ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରିଛି। ହେଲେ ସେଥିରେ ମଧ୍ୟ ସେ ସନ୍ତୁଷ୍ଠ ନାହାଁନ୍ତି। ଫଳରେ ସୁନନ୍ଦା ମଧ୍ୟ ଏ ପର୍ଯ୍ୟନ୍ତ ମଇଦାନକୁ ଓହ୍ଲାଉ ନାହାଁନ୍ତି। ତେବେ ବିଜେଡି ଏହି ଖବର ଜାଣିବା ପରେ ମାନଭଂଜନ ପାଇଁ ପୁଣି ପ୍ରଚେଷ୍ଠା ଆରମ୍ଭ କରିଥିବାର ଜଣାପଡିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମୟୁରଭଞ୍ଜରେ ଜେଏମଏମ ପ୍ରାର୍ଥୀ ଅଞ୍ଜନୀଙ୍କ ଦମଦାର ପ୍ରଚାର, ଯୋଗଦେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଓ କଳ୍ପନା

ଭୁବନେଶ୍ବର: ମୟୁରଭଂଜ ଲୋକସଭା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଜେଏମଏମ ପ୍ରାର୍ଥୀ ଅଞ୍ଜନୀ ସୋରେନ। ସେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ହୋଇଥିବାରୁ ସେଠାରେ କଂଗ୍ରେସ କାହାକୁ ପ୍ରାର୍ଥୀ କରି ନାହିଁ। ତାଙ୍କ ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରା ଏବଂ ପ୍ରଚାରରେ ଯୋଗଦେବା ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଯୋଗ ଦେଇଥିଲେ।

ଗତକାଲି ଉଭୟ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଏବଂ କଲ୍ପନା ଏକ ହେଲିକାପ୍ଟରରେ ଆସି ମୟୁରଭଂଜରେ ଓହ୍ଲାଇଥିଲେ। ସେଠାରେ ତାଙ୍କୁ ସାଂସଦ ପ୍ରାର୍ଥୀ ଅଞ୍ଜନୀଙ୍କ ସହିତ ହଜାରହଜାର ସମର୍ଥକ ସ୍ବାଗତ କରିଥିଲେ। ସେଠାରୁ ସମସ୍ତେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଦାଖଲ କରିଥିଲେ। ଏହାପରେ ଏକ ବିଶାଳ ଜନସମାବେଶକୁ କଳ୍ପନା ଉଦବୋଧନ ଦେଇଥିଲେ।

ମୟୁରଭଞ୍ଜର ଲୋକସଭା ପ୍ରାର୍ଥୀ ଅଞ୍ଜନୀ ସୋରେନ ହେଉଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଝିଅ। ସେ ମୟୁରଭଂଜରେ ବିବାହ କରିଛନ୍ତି। ଅଞ୍ଜନୀ ପୂର୍ବରୁ ମୟୁରଭଂଜ ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି। ସେହିପରି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ହେଉଛନ୍ତି ମୟୁରଭଂଜର ଝିଅ। ସେ ହେମନ୍ତ ସୋରେନଙ୍କୁ ବିବାହ କରି ଝାଡଖଣ୍ଡରେ ରହୁଛନ୍ତି।

ହେମନ୍ତ ସୋରେନ ଜେଲ ଯିବା ପରେ ବର୍ତ୍ତମାନ ଓଡିଆ ଝିଅ କଳ୍ପନା ସୋରେନ ଝାଡଖଣ୍ଡ ନିର୍ବାଚନର ମଙ୍ଗ ଧରିଛନ୍ତି। ତାଙ୍କ ନେତୃତ୍ବରେେ ବର୍ତ୍ତମାନ ଝାଡଖଣ୍ଡରେ ଦଳ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଖଣ୍ଡପଡା,ପାରାଦ୍ୱୀପ, କଟକ, ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେଡିର ଶତାଧିକ ନେତା ବିଜେପିରେ ସାମିଲ

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଖଣ୍ଡପଡା, ପାରାଦ୍ୱୀପ, କଟକ, ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେଡିର ଶତାଧିକ ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ନୟାଗଡ ଜିଲ୍ଲା ବିଜେଡି ଉପସଭାପତି ଗୟାଧର ପରିଡା ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି ।

ଶ୍ରୀ ପରିଡାଙ୍କ ସମେତ ଭାପୁର ବ୍ଲକ ପୂର୍ବତନ ସଭାପତି ଜିତେନ୍ଦ୍ର କୁମାର ରଣସିଂହ, କେନ୍ଦୁପଲ୍ଲୀ ଗ୍ରାମ ପଂଚାୟତ ସରପଂଚ ତାରେଶ୍ୱର ମାଝୀ, ସମିତିସଭ୍ୟ ଦିପକ କୁମାର ଜେନା, ସରପଂଚ ସନ୍ତୋଷ କୁମାର ପଣ୍ଡା, ନିରୁପମା ମହାରଣା, ମଞ୍ଜୁଲତା ସେଠୀ, ସୁରେଖା ସାହୁ, ସୁଭଦ୍ରା ବେହେରା, ବିଜୟ କୁମାର କର, ନିବେଦିତା ସ୍ୱାଇଁ, ତୋଫାନ ପ୍ରଧାନ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ପାରାଦୀପ ନିର୍ବାଚନ ମଣ୍ଡଳୀର କୁଜଙ୍ଗ ବ୍ଲକ ସରପଂଚ ରୋହିତ କୁମାର ଜେନା ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି। ଶ୍ରୀ ଜେନାଙ୍କ ସହ ସରୋଜ କୁମାର ସେଠୀ, ଜ୍ଞାନଦୀପ ପଟ୍ଟନାୟକ, ଲୋକନାଥ ନାୟକ, ଗଗନବିହାରୀ ରାଉତ ପ୍ରମୁଖ ବିଜେପିରେ ଯୋଗ ଦେଲେ। କଟକ ନିର୍ବାଚନ ମଣ୍ଡଳୀର ଓଡ଼ିଶା ସୁରକ୍ଷା ସେନା ସଭାପତି ଅଭିଶେକ ଯୋଶୀ, ରାଜ୍ୟ ସାଧାରଣ ସମ୍ପାଦକ ସବ୍ୟସଚ୍ଚୀ ଶତପଥୀ, ରାଜେଶ ପାତ୍ର, ଅଶି୍ୱନୀ କୁମାର ଦାସ, ଅନୁରାଧା ଦାସ ଓ ସତ୍ୟନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସାଲେପୁର ନିର୍ବାଚନ ମଣ୍ଡଳୀର ଲୋକସେବା ଫାଉଣ୍ଡେସନ ସଭାପତି ହିମାଂଶୁ କୁମାର ମହାନ୍ତି, ପୂର୍ବତନ ସରପଂଚ ଧ୍ରୁବ ଚରଣ ମହାନ୍ତି, ପ୍ରତାପ ବିଶ୍ୱାଳ ଓ ତାପସ କୁମାର ସାହୁ ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି।

ଏହି ମିଶ୍ରଣ ପର୍ବରେ ପରିବେଶ, ଜଙ୍ଗଲ ମନ୍ତ୍ରୀ ଭୂପିନ୍ଦର ଯାଦବ, କଟକ ସାଂସଦ ପ୍ରାର୍ଥୀ ଭର୍ତୃହରି ମହତାବ, ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ସାଲେପୁର ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତୀରୀୟ ପିନ୍ଧାଇ ସ୍ୱାଗତ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବେଗୁନିଆ ଓ ଟାଙ୍ଗୀରେ ପାଣ୍ଡିଆନଙ୍କ ଦମଦାର ପ୍ରଚାର, ଅପରାଜିତା ଷଡଙ୍ଗୀଙ୍କୁ କଲେ ଟାର୍ଗେଟ

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବେଗୁନିଆ ଓ ଟାଙ୍ଗୀ ଠାରେ ନିର୍ବାଚନ ପ୍ରଚାର କରି ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଛନ୍ତି।

ବେଗୁନିଆ ଏବଂ ଟାଙ୍ଗୀ ଠାରେ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ, ରାଜେନ୍ଦ୍ର ସାହୁ ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରି ସେ କହିଥିଲେ ଯେ ସମ୍ବିଧାନରେ ସମସ୍ତଙ୍କ କ୍ଷମତା ଅଛି। ଆପଣମାନେ ୫ ବର୍ଷ ଆଗରୁ ଯାହାଙ୍କୁ ସାଂସଦ ଭାବରେ ପଠାଇଥିଲେ, ସେ ଆପଣଙ୍କ ପାଇଁ କିଛି କରିଛନ୍ତି କି? ସେ ଲୋକଙ୍କ ପାଇଁ କାମ ନ କରି ସରପଞ୍ଚ, ୱାର୍ଡମେମ୍ବର ଓ ବିଧାୟକଙ୍କ କାମରେ ମୁଣ୍ଡ ଖେଳାଇଥିଲେ। ନିଜ କାମ ଭୁଲି ଗଲେ।

ଏବେ ନିର୍ବାଚନ ଆସିଲା, ଆପଣଙ୍କ କଥା ମନେ ପଡିଲା। ଭୁବନେଶ୍ୱର ଭଳି ଗୋଟେ ସମ୍ମାନଜନକ କ୍ଷେତ୍ରର ସାଂସଦ ଭାବେ ତାଙ୍କର ପ୍ରଥମ କର୍ତ୍ତବ୍ୟ ଥିଲା, ଭାରତ ସରକାରଙ୍କ ଯେଉଁ ବି ଭଲ ଭଲ ଯୋଜନା ରହିଛି, ତାକୁ ଏଠାରେ କାର୍ଯ୍ୟକାରୀ କରାଇଥାନ୍ତେ। ସେ ଚାହିଁଥିଲେ ଏଠାରେ ଶିଳ୍ପ ପାର୍କ, ସେମିକଣ୍ଡକ୍ଟର ପାର୍କ, ଏସଏମଇ ପାର୍କ ଇତ୍ୟାଦି ଆଣିବା ପାଇଁ ଚେଷ୍ଟା କରି ପାରିଥାନ୍ତେ। ଏସବୁ ଆସିଥିଲେ, ଯୁବପୀଢି ରୋଜଗାର ପାଇଥାନ୍ତେ। କିନ୍ତୁ ସେ କିଛି ବି କଲେ ନାହିଁ।

ଖୋର୍ଦ୍ଧାର ଐତିହାସିକ ପାଇକ ବିଦ୍ରୋହ ଏବଂ ପାଇକମାନଙ୍କ ତ୍ୟାଗକୁ ମନେ ପକାଇ ସେ କହିଥିଲେ ଯେ, ଏ ମାଟି ହେଉଛି, ବୀର ପାଇକ ମାଟି। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ବହୁବାର କେନ୍ଦ୍ରକୁ ଲେଖିଛନ୍ତି। କିନ୍ତୁ ସାଂସଦଙ୍କ ଏ ଦିଗରେ କୌଣସି ଅବଦାନ ନାହିଁ । ଆପଣମାନେ ତାଙ୍କୁ କ୍ଷମତା ଦେଲେ । ସେ କ୍ଷମତାର ଦୂରୁପଯୋଗ କଲେ। ଲୋକଙ୍କୁ ଠକିଲେ। ଏ ମାଟିକୁ ଠକିଲେ। ଆପଣ ତାଙ୍କୁ କେବେ କ୍ଷମା କରିବେ ନାହିଁ।

ବେଗୁନିଆ, ବୋଲଗଡ ଓ ଟାଙ୍ଗୀକୁ ଏନ୍‌ଏସି ମାନ୍ୟତା, ବେଗୁନିଆରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଭଳି ଅଞ୍ଚଳରେ ହୋଇଥିବା ଅନେକ ବିକାଶମୂଳକ କାର୍ଯ୍ୟର ହିସାବ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆମକୁ ନିର୍ଦ୍ଦେଶ ଦେଇଛନ୍ତି, ଲୋକଙ୍କ କାମର ହିସାବ ଦେବା ପାଇଁ। ମୁଁ ପୁଣି ଆସିବି, ଆପଣମାନଙ୍କୁ କାମର ହିସାବ ଦେବି। କିନ୍ତୁ ଏବେର ସାଂସଦ ରାଜନୀତିରେ ବ୍ୟସ୍ତ। ଲୋକଙ୍କୁ କେବେ ବି ହିସାବ ଦେବେ ନାହିଁ।

ସେ ପୁଣି କହିଥିଲେ ଯେ ଆମ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ୫ ବର୍ଷରେ ଥରେ ଆପଣମାନଙ୍କ ପାଖକୁ ସୁଯୋଗ ଆସିଛି ତାଙ୍କୁ ଆଶୀର୍ବାଦ କରିବା ପାଇଁ । ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଯୋଡି ଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ସେ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ମନ୍ନଥ ରାଉତରାୟ, ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ ଓ ରାଜେନ୍ଦ୍ର ସାହୁ ନିଜର ଅଭିଭାଷଣ ମାଧ୍ୟମରେ ଭୋଟ ଭିକ୍ଷା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭୁବନେଶ୍ବରରେ କରିବେ ରୋଡ ସୋ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରରେ ରୋଡ ସୋ କରିବେ। ଆଜି ସନ୍ଧ୍ୟା ୬ ଟା ସମୟରେ ମୋଦୀ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଯିବେ। ଉଭୟ ରାସ୍ତାରେ ଲୋକମାନେ ତାଙ୍କୁ ସ୍ବାଗତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିରେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ଏହା ଅଧିନରେ ଥିବା ସାତଟି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀମାନେ ସାଥିରେ ରହିବେ।

ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାରେ ପ୍ରଚାର କରି ଫେରିଯାଇଛନ୍ତି। ତେବେ ଏହି ଗସ୍ତ ସମୟରେ ସେ ବ୍ରହ୍ମପୁର ଓ ନବରଂଗପୁରରେ ଜନସଭା କରିଛନ୍ତି। ତେବେ ସେ ଭୁବନେଶ୍ବରରେ ପ୍ରଚାର କରି ନାହାଁନ୍ତି। ଆଜି ସେ ଏହି ରୋଡ ସୋ କରିବେ। ସେଥିପାଇଁ ରାଜ୍ୟ ବିଜେପି ବେଶ ଚଳଚଞ୍ଚଳ ହୋଇପଡିଛି।

Categories
ଧର୍ମ ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

Akshaya Tritiya Puja: ଆଜିି ଅକ୍ଷୟ ତୃତୀୟାରେ କଣ କଲେ ମିଳିବ ଶୁଭ ଫଳ, କେମିତି କରିବେ ପୂଜା

Akshaya Tritiya Puja: ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଚଳିତ ବର୍ଷ ଏହା ମେ ୧୦ ତାରିଖରେ ପାଳନ କରାଯାଉଛି। ଏହି ଦିନଟି କୃଷକମାନଙ୍କର ଦିନ ବୋଲି କୁହାଯାଏ। କାରଣ କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ବା ଅକ୍ଷୟମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଅକ୍ଷୟ ତୃତୀୟାକୁ ସାରା ଭାରତ ବର୍ଷରେ ଏକ ଅନୁକୂଳର ଦିନ ବୋଲି ଧରାଯାଇଛି । ଏହି ଦିନ ଯାହାକିଛି ଅନୁକୂଳ କଲେ ତାହା ସଫଳ ହୋଇଥାଏ ବୋଲି ବିଶ୍ବାସ ରହିଛି।

ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ ।ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ସହିତ କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ମହାଫଳ ପ୍ରାପ୍ତିହୁଏ । ଏହାକୁ ବ୍ରତ ରୂପେ ପାଳନ କରାଯାଏ। ବ୍ରତୀମାନେ ଶୁଦ୍ଧକାଳରେ ଏହି ବ୍ରତକୁ ଆରମ୍ଭକରି ଆଠବର୍ଷରେ ଉଦ୍‌ଯାପନ କରନ୍ତି।

ଏହି ଦିନ ଜଳଦାନ କଲେ କି ପୁଣ୍ୟଫଳ ମିଳେ ସେ ସଂପର୍କରେ ଚମତ୍କାର ଉପାଖ୍ୟାନଟି ଏହିପରି- ପୁରାକାଳରେ ଜଣେ ପାପୀ ବ୍ରାହ୍ମଣ ଥିଲା । ସେ ତା’ ଜୀବନରେ କିଛି ଦାନ ଧର୍ମକାଯ୍ୟ କରି ନଥିଲା । ଥରେ ତା’ ଗୃହକୁ ଅନ୍ୟ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳଭିକ୍ଷା କଲା। ପାପୀ ବ୍ରାହ୍ମଣ ତାକୁ ଜଳ ନଦେଇ ନିଷ୍ଠୁର ଭାବେ ଗୃହରୁ ବିତାଡିତ କଲା ସମୟରେ ସୁଶିଳା ନାମ୍ନୀ ତା’ର ସ୍ତ୍ରୀ ଆସି ସ୍ୱାମୀକୁ ସେ କାର‌୍ୟ୍ୟରୁ ନିବୃତ୍ତ କଲା ଓ ତୃଷାର୍ତ୍ତକୁ ଜଳଦାନ କଲା। କିଛି ବର୍ଷ ପରେ ପାପୀ ବ୍ରାହ୍ମଣର ମୃତ୍ୟୁ ହେଲା ।

ଯମଦୂତମାନେ ଆସି ତାକୁ ବାନ୍ଧି ନେଇଗଲେ। ଯମପୁରୀରେ ଥାଇ ଥରେ ସେ ତୃଷାର୍ତ୍ତ ହୋଇ ଯମଦୂତଙ୍କୁ ଜଳଭିକ୍ଷା କଲା । ଯମଦୂତମାନେ ତାହାକୁ ତିରଷ୍କାର କରି କହିଲେ- ନିଜ ଜୀବନରେ କେବେ ଜଳଦାନ ନକରି ଜଳଭିକ୍ଷା କରୁଛୁ କିପରି, ପାପୀ ? ଏହି ସମୟରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚି ସ୍ୱହସ୍ତରେ ସେ ବ୍ରାହ୍ମଣକୁ ଜଳଦାନ କଲେ ।

ଦୂତମାନେ ଆଶ୍ଚର‌୍ୟ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ – ଏହି ବ୍ରାହ୍ମଣ ସାରା ଜୀବନ ପାପକର୍ମ କରିଥିଲେ ସୁଦ୍ଧା ଅକ୍ଷୟତୃତୀୟା ଦିନ ଏହାର ସ୍ତ୍ରୀ ତୃଷାର୍ତ୍ତ ବ୍ରାହ୍ମଣକୁ ଜଳଦାନ କରିଥିଲା। ସ୍ତ୍ରୀର ସେହି ପୁଣ୍ୟବଳରୁ ଏହାର ପାପ ଖଣ୍ଡନ ହୋଇଛି । ତେଣୁ ଏହାର ଆଉ ନର୍କଭୋଗ ଯୋଗ ନାହିଁ । ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ନିଜେ ଭୂମିପୂଜା କରି ବୀଜବପନ କରୁଥିଲେ। ଭୂମିକର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି।

ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି । ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ପ୍ରଶସ୍ତ ଶୁଭଦିନ ରୂପେ ବର୍ଣ୍ଣନା କରାଯାଉଛି

Categories
ଆଜିର ଖବର

Akshaya Tritiya in Puri: ଆଜି ଅକ୍ଷୟ ତୃତୀୟାରେ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ

Akshaya Tritiya in Puri: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହିଦିନ ସମସ୍ତ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ସେଥିପାଇଁ ଏହି ପବିତ୍ର ଦିନରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ଏଥିସହିତ ଆଜି ଚନ୍ଦନ ଯାତ୍ରାର ମଧ୍ୟ ଆରମ୍ଭ କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

ରଥ ଖଳାରେ ତିନୋଟି ୧୨ ଫୁଟିଆ କାଠ ରଖାଯାଇ ପୂଜାର୍ଚ୍ଚନା ପରେ ବିଶ୍ଵକର୍ମା ମହାରଣା ସୁନା ଓ ରୂପା କୁରାଢ଼ୀ ସ୍ପର୍ଶ କରି ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ। ପ୍ରଥମେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଚଳନ୍ତି ପ୍ରତିମା ବିମାନରେ ବିଜେ କରିବେ । ବିମାନରେ ଯିବା ସମୟରେ ରଥଖଳାରେ ତିନୋଟି ଆଜ୍ଞାମାଳ ତିନି କାଠରେ ଲାଗି କରାଯିବ। ପରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ବିମାନରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିବା ପରେ ଦିନ ଚାପ ଓ ରାତି ଚାପ ଅନୁଷ୍ଠିତ ହେବ ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

Akshaya Tritiya 2024: ଆଜି ଅକ୍ଷୟ ତୃତୀୟା, ଏହା କାହିଁକି ପାଳନ ହୁଏ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

Akshaya Tritiya 2024 : ପଞ୍ଚଙ୍ଗ ଅନୁଯାୟୀ ଅକ୍ଷୟ ତୃତୀୟାର ପର୍ବ ପ୍ରତିବର୍ଷ ବୈଶାଖ ମାସର ଶୁକ୍ଲ ପକ୍ଷର ତୃତୀୟ ଦିନରେ ପାଳନ କରାଯାଏ। ଏଥର ଅକ୍ଷୟ ତୃତୀୟା ଅକ୍ଷୟ ତେଜ ନାମରେ ମଧ୍ୟ ଜଣାଶୁଣା। ଅକ୍ଷୟ ଅର୍ଥାତ୍ ଯାହା କେବେ ବି କ୍ଷୟ ହୁଏ ନାହିଁ କିମ୍ବା ନଷ୍ଟ ହୁଏ ନାହିଁ। ବୈଶାଖ ମାସର ଶୁକ୍ଲ ପକ୍ଷ ତୃତୀୟାରେ ପାଳନ କରାଯାଉଥିବା ଏହି ପର୍ବର ଉଲ୍ଲେଖ ବିଭିନ୍ନ ପୁରାଣପୋଥୀରେ ଦେଖିବାକୁ ମିଳେ।  ବିଷ୍ଣୁ ଧର୍ମ ସୁତ୍ର, ମତ୍ସ୍ୟ ପୁରାଣ, ନାରଦୀୟ ପୁରାଣ ଏବଂ ଭବିଷ୍ୟ ପୁରାଣ ଇତ୍ୟାଦିରେ ବର୍ଣ୍ଣାନା ଦେଖିବାକୁ ମିଳେ।

ଅକ୍ଷୟ ତୃତୀୟା ଏପରି ଏକ ମୁହୂର୍ତ୍ତ କିମ୍ବା ଏପରି ଏକ ତାରିଖ ଯେଉଁଥିରେ କି ସବୁ ପ୍ରକାରର ଶୁଭ କାର୍ଯ୍ୟ କରାଯାଇଥାଏ। ଏହିଦିନ ସମସ୍ତ ପ୍ରକାରର ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରିବ। ଧାର୍ମିକ ଗ୍ରନ୍ଥରେ କୁହାଯାଇଛି ଯେ ଅକ୍ଷୟ ତୃତୀୟା ଦିନ କରାଯାଇଥିବା ଦାନ ଏବଂ ଗୁଣାତ୍ମକ କାର୍ଯ୍ୟର ଫଳ କେବେ ବି ନଷ୍ଟ ହୁଏ ନାହିଁ। ଏହି ତାରିଖରେ, ସମସ୍ତ ଶୁଭ ଏବଂ ଶୁଭ କାର୍ଯ୍ୟ ପଞ୍ଚାଙ୍ଗ ନ ଦେଖି କରାଯାଇଥାଏ। ବିବାହ କରିବା, ସୁନା କିଣିବା, ଲକ୍ଷ୍ମୀଙ୍କୁ ପୂଜା କରିବା ଅକ୍ଷୟ ତୃତୀୟା ଦିନ ବିଶେଷ ମହତ୍ତ୍ୱ ରହିଛି।

ବିଶ୍ୱାସ କରାଯାଏ ଯେ, ପ୍ରଭୁ ପର୍ଶୁରାମ ଏବଂ ହଏଗ୍ରୀବଙ୍କର ଜନ୍ମ ଅକ୍ଷୟ ତୃତୀୟାଙ୍କ ଦିନ ହୋଇଥିଲା। ଅକ୍ଷୟ ତୃତୀୟା ଦିନ, ଦ୍ୱାପର ଯୁଗ ସମାପ୍ତ ହେଲା ଏବଂ ତ୍ରେତୟା ଯୁଗ ଆରମ୍ଭ ହେଲା। ମହାଭାରତର ଯୁଦ୍ଧ ଅକ୍ଷୟ ତୃତୀୟା ଦିନ ଶେଷ ହୋଇଥିଲା। ଏହି ଦିନଠାରୁ, ବେଦବ୍ୟାସ ଏବଂ ଭଗବାନ ଗଣେଶ ମହାଭାରତ ଲେଖିବା ଆରମ୍ଭ କରିଥିଲେ।

ମାତା ଗଙ୍ଗା ଅକ୍ଷୟ ତୃତୀୟା ଦିନ ପୃଥିବୀରେ ପହଞ୍ଚିଥିଲେ। ଅକ୍ଷୟ ତୃତୀୟା ଦିନ ସୁଦାମା ଭଗବାନ କୃଷ୍ଣଙ୍କୁ ଭେଟିବାକୁ ଆସିଥିଲେ। ଏହି ଦିନ ବ୍ରହ୍ମାଙ୍କ ପୁତ୍ର ଅକ୍ଷୟ କୁମାରଙ୍କ ଆର୍ବିଭାବ ମଧ୍ୟ ହୋଇଥିଲା। ଏହି ଦିନ ଶ୍ରୀ ବଦ୍ରିନାଥଙ୍କର ମୂର୍ତ୍ତି ସ୍ଥାପନ କରାଯାଇ ପୂଜା କରାଯାଏ ଏବଂ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କୁ ଦର୍ଶନ କରାଯାଏ। ବଦ୍ରିନାରାୟଣଙ୍କ ଦ୍ୱାର ମଧ୍ୟ ଏହି ତାରିଖରୁ ଖୋଲିଥାଏ। ବୃନ୍ଦାବନସ୍ଥିତ ଶ୍ରୀ ବାଙ୍କେବିହାରୀ ମନ୍ଦିରରେ ପ୍ରଭୃଙ୍କ ପାଦ ଦର୍ଶନ କେବଳ ଏହିଦିନ ହୋଇଥାଏ। କାରଣ ବର୍ଷସାରା ଠାକୁର ପୋଷାକରେ ଆଚ୍ଛାଦିତ ହୋଇ ରହିଥାନ୍ତି।

ବିଶ୍ୱାସ କରାଯାଏ ଯେ ଅକ୍ଷୟ ତ୍ରିଟିଆ ଉପରେ, ତୁମର ଭଲ ଆଚରଣ ଏବଂ ଗୁଣ ସହିତ ଅନ୍ୟମାନଙ୍କ ଆଶୀର୍ବାଦ ଗ୍ରହଣ କରିବା ଆବଶ୍ୟକ। ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ଉପାସନା ବିଶେଷ ଫଳପ୍ରଦ ବୋଲି ବିବେଚନା କରାଯାଏ। ଏହି ଦିନରେ କରାଯାଇଥିବା ଆଚରଣ ଏବଂ ଭଲ କାର୍ଯ୍ୟଗୁଡ଼ିକ ଅକ୍ଷୟ ହୋଇ ରହିଥାଏ।

ଏହି ଦିନକୁ ରୋଷେଇ ଘର ଏବଂ ରୋଷେଇ ଘରର ଖାଦ୍ୟ  ଦେବୀ ମାତା ଅନ୍ନପୂର୍ଣ୍ଣାଙ୍କ ଜନ୍ମଦିନ ଭାବରେ ମଧ୍ୟ ବିବେଚନା କରାଯାଏ। ଅକ୍ଷୟ ତୃତୀୟା ଦିନ ମାତା ଅନ୍ନପୂର୍ଣ୍ଣାଙ୍କୁ ମଧ୍ୟ ପୂଜା କରାଯାଏ ଏବଂ ଭଣ୍ଡାରକୁ ପୂର୍ଣ୍ଣ ରଖିବା ପାଇଁ ମା’ଙ୍କଠାରୁ ଆର୍ଶିବାଦ ଭିକ୍ଷା କରାଯାଏ।  ଅନ୍ନପୂର୍ଣ୍ଣାଙ୍କ ଉପାସନା ଦ୍ବାରା ରୋଷେଇ ଘର ଏବଂ ଖାଦ୍ୟର ସ୍ୱାଦକୁ ବଢିଥାଏ।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

Akshaya Tritiya Rashifal: ଏହି ରାଶିର ବ୍ୟକ୍ତିଙ୍କର ହେବ ଅନୂକୁଳ, ଯାହା ସେ କେବେ ଭାବି ନ ଥିବେ

ମେଷ- ଆଜି ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି। ବ୍ୟବସାୟରେ ଆପଣ ଭଲ ସଫଳତା ପାଇବ ଏବଂ ତୁମେ କଠିନ ପରିଶ୍ରମ କରିବେ। ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ଆଜି କୈଣସି ନୂଆ ଘରୋଇ ଜିନିଷ କିଣିବେ ।

ବୃଷ– ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ। ମାନସିକ ସମସ୍ୟା ହେତୁ ସବୁଠାରୁ ଅସୁବିଧାଜନକ ହେବ। ଯାହାର କୈଣସି ନିର୍ଦ୍ଦିଷ୍ଟ କାରଣ ରହିବ ନାହିଁ, କିନ୍ତୁ ଆପଣ ଭାବିବାରେ ଅଧିକ ସମୟ ଦେବେ । ଆପଣ ଖର୍ଚ୍ଚ ବଢିବ କିନ୍ତୁ ଆୟ ମଧ୍ୟ ଭଲ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସଜାଇବାକୁ ଚେଷ୍ଟା କରିବ । କାର୍ଯ୍ୟ ସଂପର୍କରେ, ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ। ଘରଲୋକମାନେ ଆପଣଙ୍କ କାର୍ଯ୍ୟରେ ସହାୟକ ହେବେ ଏବଂ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବେ । ବିବାହିତ ଲୋକମାନେ ଘରୋଇ ଜୀବନରେ ସନ୍ତୁଷ୍ଟ ହେବେ, ଯେଉଁମାନେ ପ୍ରେମ ଜୀବନ ବିତାଉଛନ୍ତି, ସେମାନେ ନିଜ ପ୍ରିୟଙ୍କ ସହିତ ବିବାହ ବିଷୟରେ କଥାବାର୍ତ୍ତା କରିପାରିବେ।

ମିଥୁନ– ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଆପଣ ନିଜ ପିଲାମାନଙ୍କ ସହିତ ସମୟ ବିତାଇବାକୁ ଭଲ ପାଇବେ ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନେବେ । ଏହା ଆପଣଙ୍କୁ ଏକ ନୂତନତା ଅନୁଭବ ଆଣିବ ଏବଂ ଶକ୍ତି ବୃଦ୍ଧି କରିବ। ବିବାହିତ ଲୋକମାନେ ସେମାନଙ୍କର ଘରୋଇ ଜୀବନରେ କିଛି ଚାପ ଅନୁଭବ କରିବେ ଏବଂ ଘରେ କୈଣସି ସମସ୍ୟା ଏହା ହୋଇପାରେ । ଆଜି ପ୍ରେମ ଜୀବନ ବିତାଉଥିବା ଲୋକମାନେ ନିଜ ପ୍ରିୟଙ୍କ ସହିତ ବୁଲିବାକୁ କୈଣସି ସ୍ଥାନକୁ ଯିବେ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ଆପଣଙ୍କ କାର୍ଯ୍ୟ ପ୍ରଶଂସିତ ହେବ ।

କର୍କଟ- ଆଜି ଆପଣ ପରିବାରକୁ ଭଲ ସମୟ ଦେବ । ଘରୋଇ କାର୍ଯ୍ୟ ଉପରେ ମଧ୍ୟ ଆପଣଙ୍କର ଧ୍ୟାନ ରହିବ । କିଛି ଚ୍ୟାଲେଞ୍ଜ ଆସିବ, ଯାହାକୁ ଆପଣ ଭଲ ସାମ୍ନା କରିବେ । ପାରିବାରିକ ଜୀବନରେ ପ୍ରେମର ଏକ ନୂଆ ଅନୁଭବ ଦେଖାଯିବ ଏବଂ ପରିବାର ସହିତ କୈଣସି ସ୍ଥାନରେ ଖାଇବାକୁ ବାହାରକୁ ଯିବାର କଳ୍ପନା ସୃଷ୍ଟି ହେବ । ବ୍ୟବସାୟରେ କିଛି ଅସୁବିଧା ହୋଇପାରେ, କିନ୍ତୁ କାମ ପାଇଁ ଭଲ ହେବ । ବିବାହିତ ଜୀବନ ଚାପ ମଧ୍ୟରେ ଉତ୍ଥାନ-ପତନରେ ପରିପୂର୍ଣ୍ଣ ହେବ କିନ୍ତୁ ପ୍ରେମ ଜୀବନ ଖୁସି ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ କିନ୍ତୁ ତୁମର କ୍ରୋଧକୁ ଏଡ଼ାଇବାକୁ ପଡିବ।

ସିଂହ- ଆଜି ଭ୍ରମଣର ସମୟ ରହିଛି, କିନ୍ତୁ ସତର୍କତା ରଖନ୍ତୁ କାରଣ ଭ୍ରମଣ ସମୟରେ କିଛି ଅସୁବିଧା ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ କାରଣ ଆଜି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦୁର୍ବଳ ରହିବ। ଆଜି ଖର୍ଚ୍ଚ ବଢିବ, ଯାହା ଆପଣଙ୍କ ଟେନସନକୁ ବଢାଇପାରେ। ଆୟ ସ୍ୱାଭାବିକ ହେବ। ପାରିବାରିକ ପରିବେଶ ସୁଖରେ ପରିପୂର୍ଣ୍ଣ ହେବ। ପ୍ରେମ ଜୀବନ ପାଇଁ ଦିନାମାନ ଟିକେ ଦୁର୍ବଳ। ଆପଣଙ୍କର ପ୍ରିୟଙ୍କ ସହିତ ଅସୁବିଧା ହୋଇପାରେ। ଆଜି କାର୍ଯ୍ୟ ଚାପ ଆପଣଙ୍କ ଉପରେ ରହିବ।

କନ୍ୟା- ଆଜି ଆପଣଙ୍କର ଦିନଟି ସାଧାରଣତଃ ଅନୁକୂଳ ରହିବ। ଟଙ୍କା ସମ୍ବନ୍ଧୀୟ ପ୍ରସଙ୍ଗରେ ଆପଣ ଆଜି ଭାଗ୍ୟବାନ ହେବେ। ଟଙ୍କା ଆସିବ ଏବଂ ଆୟକୁ ମଜବୁତ କରିବା ପାଇଁ ସମସ୍ତ ପ୍ରୟାସ କରାଯିବ। ଘର ମାଲିକମାନଙ୍କ ପାଇଁ ଉପହାର ଆଣିପାରେ । ପ୍ରେମ ଜୀବନରେ କିଛି ଅସୁବିଧା ହେବ। ଆପଣଙ୍କ ପ୍ରିୟଙ୍କ ମଧ୍ୟରେ ସଠିକ୍ ବୁଝାମଣା ହୋଇପାରିବ ନାହିଁ ଏବଂ ବିବାହିତ ଲୋକମାନେ ସେମାନଙ୍କ ଘର ଜୀବନକୁ ଭଲ ଉପଭୋଗ କରିବେ। ଆପଣଙ୍କ ଜୀବନ ସାଥୀ ମଧ୍ୟ ଏକ ଭଲ ଲାଭ ଦେଇପାରନ୍ତି। ବ୍ୟବସାୟରେ ଲାଭ ହେବ । ଚାକିରି କ୍ଷେତ୍ରରେ ମଧ୍ୟ ଦିନଟି ଭଲ । ଆପଣ ପଦୋନ୍ନତି ପାଇବାର ସମ୍ଭାବନା ଅଛି କାରଣ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ।

ତୂଳା- ଆପଣଙ୍କର ଆଜି ଏକ ସାଧାରଣ ଦିନ ରହିବ । ଆପଣ ପ୍ରତ୍ୟେକ କାର୍ଯ୍ୟକୁ ଭଲ ଉପାୟରେ କରିବାକୁ ଚେଷ୍ଟା କରିବେ ଏବଂ ଆପଣ ମଧ୍ୟ ଅନୁଭବ କରିବେ । ଆପଣ ଚାହୁଁଛନ୍ତି ଯେ ସମସ୍ତ କାର୍ଯ୍ୟ ସମୟ ପୂର୍ବରୁ ସମାପ୍ତ ହେଉ ଏବଂ ଆପଣ ଏଥିପାଇଁ କଠିନ ଚେଷ୍ଟା କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ, ଯାହା ଆପଣଙ୍କୁ ଏଥିରେ ସାହାଯ୍ୟ କରିବ । କୈଣସି ସ୍ଥାନରୁ ହଠାତ୍ ରାଶି ଆସିବ ଏବଂ ଆପଣଙ୍କ ଚେହେରାରେ ଫୁଲ ଫୁଟିବ । ତଥାପି, ପରିବାରରେ କିଛି ଟେନସନ ହୋଇପାରେ । ଯେଉଁମାନେ ଆଜି ନିଯୁକ୍ତି ପାଇଛନ୍ତି ସେମାନେ ସେମାନଙ୍କର କାର୍ଯ୍ୟ ଉପରେ ଧ୍ୟାନ ଦେବାର ଭଲ ଫଳ ​​ଦେଖିବାକୁ ପାଇବେ। ଆପଣଙ୍କର କଠିନ ପରିଶ୍ରମ ସଫଳ ହେବ ଏବଂ ଆପଣଙ୍କର ବିରୋଧୀମାନେ ଶାନ୍ତ ରହିବେ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ଅଟେ । ବିବାହିତ ଲୋକମାନେ ନିଜ ଘରୋଇ ଜୀବନରେ ପ୍ରେମ ଅନୁଭବ କରିବେ।

ବିଛା- ଆଜି ଆପଣଙ୍କଠାରୁ ଅଧିକ ପରିଶ୍ରମ ଏବଂ ପ୍ରୟାସ ଆଶା କରିବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଦୁର୍ବଳ ହେବ । ଏହାକୁ ଧ୍ୟାନ ଦେବାକୁ ପଡିବ । ଖର୍ଚ୍ଚ ବୃଦ୍ଧି ପାଇବ । ମାନସିକ ଚାପ ଦ୍ୱାରା ଆପଣ ଅନାବଶ୍ୟକ ଭାବରେ ବିଚଳିତ ହେବେ, କିନ୍ତୁ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ଯାଇପାରେ । ବିବାହିତ ଲୋକମାନେ ଘରୋଇ ଜୀବନରେ ନିଜ ପତି-ପତ୍ନୀଙ୍କ ନିକଟତର ହେବେ ଏବଂ ପରସ୍ପର ସହିତ ବୁଝାମଣା ଭଲ ହେବ । ପ୍ରେମ ଭାବନା ବୃଦ୍ଧି ପାଇବ । ପ୍ରେମ ଜୀବନ ବିତାଉଥିବା ଲୋକଙ୍କ ମଧ୍ୟରେ ଥିବା ତିକ୍ତତା ମଧ୍ୟ ଆଜି ଦୂର ହେବ ଏବଂ ଆପଣ ଖୁସି ଦେଖାଯିବେ । ପାରିବାରିକ ଜୀବନ ସନ୍ତୋଷଜନକ ହେବ । ଆଜି, ହଠାତ୍ ଭ୍ରମଣର ସମ୍ବାବନା ଦେଖାଦେବ ।

ଧନୁ- ଆଜି ଆପଣଙ୍କ ପାଇଁ ଅନୁକୂଳ ଦିନ। ଆପଣଙ୍କର ଉଦ୍ୟମ ଅର୍ଥ ଦୃଷ୍ଟିରୁ ସଫଳ ହେବ। କୈଣସି ସ୍ଥାନରୁ ଟଙ୍କା ଆସିବ ଏବଂ ଆପଣଙ୍କର ଅଟକି ଯାଇଥିବା କାମ ପୁଣି ଆରମ୍ଭ ହେବ। ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ । ପାରିବାରିକ ଜୀବନ ଆପଣଙ୍କୁ ଶକ୍ତିଶାଳୀ କରିବ। ଆଜି ପ୍ରେମ ଜୀବନରେ ଶୁଭ ଦିନ । ଆଜି ଆପଣଙ୍କର ପ୍ରିୟଙ୍କ ହୃଦୟ ଖୋଲିବ। ବିବାହିତ ବ୍ୟକ୍ତିମାନେ ସେମାନଙ୍କ ଘରୋଇ ଜୀବନରେ କିଛି ଅସୁବିଧା ଅନୁଭବ କରିବେ କିନ୍ତୁ ଏହା ନିଜ ଜୀବନସାଥୀଙ୍କୁ କହିବା ଆବଶ୍ୟକ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମକର- ଆଜି ଆପଣଙ୍କ ପାଇଁ ମଧ୍ୟମ ଉପକାରୀ ହେବ । ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ଆପଣଙ୍କ ସ୍ୱାସ୍ଥ୍ୟରେ ଥିବା ଅସାବଧାନତା ହେତୁ ଆଜି ଆପଣଙ୍କୁ କିଛି ଅସୁବିଧା ହୋଇପାରେ । ପେଟ ବ୍ୟଥା କିମ୍ବା ଗ୍ୟାସର ଅସୁବିଧା ହୋଇପାରେ । କାର୍ଯ୍ୟ ସହିତ ଆପଣ ଭଲ ଫଳାଫଳ ପାଇବ ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ରହିବ। ଆପଣ କାର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବେ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟ ଆପଣଙ୍କୁ ସନ୍ତୁଷ୍ଟ କରିବ। ପ୍ରେମ ଜୀବନରେ ଆପଣ ରୋମାନ୍ସ କରିବାର ଏକ ସୁଯୋଗ ପାଇବେ। ବିବାହିତ ଲୋକମାନେ ସେମାନଙ୍କର ଘରୋଇ ଜୀବନକୁ ଆହୁରି ସୁନ୍ଦର କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ। ଆଜି ବ୍ୟବସାୟରେ ଏକ ସଫଳ ଦିନ ହେବ। କିଛି ନୂତନ ଲୋକଙ୍କୁ ଭେଟିବାର ସୁଯୋଗ ମିଳିବ।

କୁମ୍ଭ- ଆଜି ଆପଣଙ୍କ ପାଇଁ ମଧ୍ୟମ ଉପକାରୀ ହେବ। ସ୍ବାସ୍ଥ୍ୟ ଅବନତି ଜାରି ରହିବ। କୈଣସି କାରଣରୁ ଆପଣ ଟିକେ ବିବ୍ରତ ଦେଖାଯିବେ, କିନ୍ତୁ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ, ଯାହାଫଳରେ କିଛି କାମ କଠିନ ପରିଶ୍ରମ ବିନା କରାଯିବ। ପରିବାରରେ ଖୁସି ହେବ। ପରିବାର ସହିତ ସମୟ ବିତାଇବେ। ବିବାହିତ ଲୋକମାନେ ସେମାନଙ୍କର ପାରିବାରିକ ଜୀବନରେ ଖୁସି ହେବେ। ଜୀବନ ସାଥୀ ଆପଣଙ୍କୁ ଖୁସି ଦେବାକୁ ଚେଷ୍ଟା କରିବେ ଏବଂ ଆପଣଙ୍କ ପାଇଁ କିଛି ନୂଆ କରିବେ। ବୋଧହୁଏ ଆଜି ଆପଣ ସେମାନଙ୍କ ପସନ୍ଦର ଖାଦ୍ୟ ଖାଇବା ପାଇଁ ନିଜ ପ୍ରେମ ଜୀବନ ଅତିବାହିତ କରୁଥିବା ବ୍ୟକ୍ତିଙ୍କ ପାଇଁ ରୋମାଣ୍ଟିକ୍ ହେବ। ବ୍ୟବସାୟୀମାନେ କିଛି ସମସ୍ୟାର ସମ୍ମୁଖୀନ ହେବେ।

ମୀନ-ଆଜିର ଦିନଟି ଆପଣଙ୍କ ପାଇଁ ଦ୍ରୁତ ଗତିରେ ସୁଖରେ ପରିପୂର୍ଣ୍ଣ ହେବାକୁ ଯାଉଛି, ଆପଣଙ୍କ ମନ କୈଣସି ଜାଗାରେ ରହିବ ନାହିଁ, କିନ୍ତୁ ଅନେକ ଯୋଜନା ଏକାସାଙ୍ଗରେ ଆପଣଙ୍କ ମନରେ ଘଟିବ, ଯେପରିକି କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଆପଣ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଭଲ ଉପଦେଶ ପାଇବ। ଚିନ୍ତା ବଢିବ, ତଥାପି, କାର୍ଯ୍ୟ ସମ୍ବନ୍ଧରେ ଭଲ ଫଳାଫଳ ମିଳିବ। କିନ୍ତୁ ଅଜ୍ଞାତ ଭୟ ମନରେ ରହିବ। ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ବିଜେଡିର ଇସ୍ତାହାର, ଯୁବକଙ୍କ ପାଇଁ ଏକ ଲକ୍ଷ କୋଟି, ମାଗଣା ବିଜୁଳି ପ୍ରତିଶୃତି

ଭୁବନେଶ୍ବର: ପ୍ରକାଶ ପାଇଛି ବିଜେଡିର ନିର୍ବାଚନ ଇସ୍ତାହାର ବା ଘୋଷଣା ପତ୍ର। ଏହାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନମୋଚନ କରିଛନ୍ତି। ତାଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପଟ୍ଟନାୟକ, ଇସ୍ତାହାର କମିଟ ଅଧ୍ୟକ୍ଷ ଚନ୍ଦ୍ରଶେଖର ସାହୁ, ସାଂସଦ ଅମର ପଟ୍ଟନାୟକ, ସାଂସଦ ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେେ ନବୀନ ୯ ଟି ଗ୍ୟାରେଣ୍ଟି ପ୍ରଦାନ କରିଛନ୍ତି।

ଏହି ଘୋଷଣା ପତ୍ରରେ ଉପସ୍ଥାପିତ ହୋଇଥିବା ଗ୍ୟାରେଣ୍ଟିଗୁଡିକ ୫ଟି ଗଭର୍ନାନ୍ସ ମାଧ୍ୟମରେ କାର୍ଯ୍ୟକାରୀ ହେବ ଏବଂ ଓଡିଶା ଗଠନର ଶହେ ବର୍ଷ ପାଳନ କରିବାର ୨ ବର୍ଷ ପୂର୍ବରୁ ୨୦୩୪ ସୁଦ୍ଧା ଓଡିଶାକୁ ସମସ୍ତଙ୍କ ସହଯୋଗ ଓ ଦୃଢ ନେତୃତ୍ୱ ବଳରେ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶରେ ଏକ ନମ୍ବର ରାଜ୍ୟର ମାନ୍ୟତା ପ୍ରଦାନ କରିବ। ଏଥିରେ ଯାହା ରହିଛି ତାହା ହେଲା..

୧. ଓଡିଶାର ଯୁବକମାନଙ୍କ ନିମନ୍ତେ ୧୦ ବର୍ଷ ପାଇଁ ଏକ ଲକ୍ଷ କୋଟି ଅଲଗା ବଜେଟ୍ ରଖାଯିବ। ଏହି ଯୁବ ବଜେଟ୍ ଜଳବାୟୁ ଏବଂ ଜେଣ୍ଡର ବଜେଟ୍ ଭଳି ବିଧାନସଭାରେ ଉପସ୍ଥାପିତ ହେବ। ଯୁବକମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଆଧାର କରି ପ୍ରତିବର୍ଷ ଏଥିରୁ ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ। ବିଶ୍ୱରେ ଏହା ପ୍ରଥମ ପ୍ରକାରର ପ୍ରୟାସ ହେବ ଯେଉଁଠାରେ ଯୁବକମାନେ ନିଜ ପରିଚୟ ଏବଂ ଓଡିଶାର ପରିଚୟ ସୃଷ୍ଟି କରିପାରିବେ । ନୂଆ ଓ ମ୍ୟାଜିକ୍ କାର୍ଡ ଦ୍ୱାରା ଏକାଧିକ ସୁବିଧା ସୁଯୋଗ ସହିତ ପରିସର ବିସ୍ତାର ହେବ। ନୂଆ ଓ ଛାତ୍ରବୃତ୍ତି ବାଳିକାମାନଙ୍କ ପାଇଁ ବାର୍ଷିକ ୧୪,୦୦୦ ଏବଂ ପୁଅମାନଙ୍କ ପାଇଁ ବାର୍ଷିକ ୧୨,୦୦୦ କୁ ବୃଦ୍ଧି କରାଯିବ। ସରକାରୀ ପ୍ରବେଶ ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟତା ହାସଲ କରିବା ପରେ ଡିପ୍ଲୋମା ଏବଂ ଡିଗ୍ରୀ ପାଠ୍ୟକ୍ରମ କରୁଥିବା କଲେଜରେ ପଢୁ ଥିବା ସମସ୍ତ ଯୋଗ୍ୟ ଛାତ୍ରଙ୍କୁ ଏହା ପ୍ରଦାନ କରାଯିବ।

ଆସନ୍ତା ପାଞ୍ଚ ବର୍ଷରେ ୨ ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ। ସ୍ୱୟମ୍ ଉଦ୍ୟୋଗୀ ରୁଣକୁ ବ୍ୟାପକ କଭରେଜ୍ ସହିତ ଏକ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି କରାଯିବ। ଓଡିଶାରେ ଏକ ନୂତନ କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ, ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଏବଂ ଏଆଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଏହି ସମସ୍ତ ପଦକ୍ଷେପ ଯୁବକମାନଙ୍କୁ ସଶକ୍ତ କରିବା ଏବଂ ଓଡିଶାକୁ ଏକ ବୃହତ ଅଭିବୃଦ୍ଧି ପଥରେ ଆଗେଇ ନେବାକୁ ସକ୍ଷମ କରିବ।

୨. ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସମଗ୍ର ଇକୋସିଷ୍ଟମକୁ ଶକ୍ତିଶାଳୀ କରାଯିବ ଯାହା ଓଡିଶାକୁ ଦେଶର ଶ୍ରେଷ୍ଠ ତିନୋଟି ଅର୍ଥନୈତିକ ବିକଶିତ ରାଜ୍ୟରେ ପରିଣତ କରିବ। ଖଣିଜ ଭିତ୍ତିକ ଶିଳ୍ପ ବ୍ୟତୀତ ସେମିକଣ୍ଡକ୍ଟର, ଆଇଟି ଶିଳ୍ପ, କୃତ୍ରିମ ବୁଦ୍ଧିମତା ଇତ୍ୟାଦି ସହିତ ନୂତନ ଯୁଗ, ବୈଷୟିକ ଏବଂ ନୂତନ ଅର୍ଥନୀତି ଉପରେ ଧ୍ୟାନ ଦିଆଯିବ। ଓଡ଼ିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ। ଉତ୍ପାଦନ ନିବେଶକୁ ଆକର୍ଷିତ କରିବାରେ ଆମେ ଆଗେଇ ଆସିବା। ପରିବେଶ ଅନୁକୂଳ ପର‌୍ୟ୍ୟଟନ ପାଇଁ ୧୦୦ ଟି ସ୍ଥାନ ଉପରେ ଧ୍ୟାନ ଦିଆଯିବ। ଖ୍ୟାତି ସମ୍ପନ୍ନ ବୈଷୟିକ ଏବଂ ପରିଚାଳନା ସଂସ୍ଥାଗୁଡ଼ିକ ଓଡ଼ିଶାରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଉତ୍ସାହିତ ହେବେ। ଏହି ସବୁ ଓଡ଼ିଶାର ଯୁବକମାନଙ୍କ ଦ୍ୱାରା ସଶକ୍ତ ହେବ। ଯୋଜନାବଦ୍ଧ ସହରୀକରଣ ଅଭିବୃଦ୍ଧି, ଉତ୍ପାଦକତା ସୃଜନାତ୍ମକ ଏବଂ ପରିବର୍ତ୍ତନ ବୃଦ୍ଧି କରିବ। ଆଗାମୀ ୧୦ ବର୍ଷରେ ଆମେ ସହରୀ ଜନସଂଖ୍ୟାକୁ ଦ୍ୱିଗୁଣିତ କରିବୁ।

ଉତ୍ତମ ଗୁଣବତ୍ତା ସମ୍ପର୍ଣ ସୁବିଧା ସୁଯୋଗ ନିମ୍ନଲିଖିତ ଅଞ୍ଚଳଗୁଡିକ ପାଇଁ ଯୋଗାଇ ଦିଆଯିବ ଚାରୋଟି ମେଗା ସହରୀ କ୍ଲଷ୍ଟର ଯୋଜନା କରାଯାଇଛି , ସେମାନଙ୍କ ମଧ୍ୟରେ ଭୁବନେଶ୍ୱର – କଟକ – ଖୋର୍ଦ୍ଧା – ପୁରୀ କ୍ଲଷ୍ଟର , ସମ୍ବଲପୁର- ଝାରସୁଗୁଡା – ରାଉରକେଲା କ୍ଲଷ୍ଟର , ବାରିପଦା – ବାଲେଶ୍ୱର – ଭଦ୍ରକ କ୍ଲଷ୍ଟର ଏବଂ ବ୍ରହ୍ମପୁର -ଛତ୍ରପୁର – ଗୋପାଳପୁର କ୍ଲଷ୍ଟର। ଆମେ ମଧ୍ୟ ୨୦ ଟି ପ୍ରମୁଖ ସହର ବଲାଙ୍ଗୀର, କୋରାପୁଟ-ଜୟପୁର, ବରଗଡ, ରାୟଗଡା, ଭବାନୀପାଟନା, ପାରାଦୀପ, ଢେଙ୍କାନାଳ , ଯୋଡା-ବଡ଼ବିଲ , କେନ୍ଦୁଝର, ଅନଗୁଳ , ମାଲକାନଗିରି, ନବରଙ୍ଗପୁର, ପାରଳାଖେମୁଣ୍ଡି, ଫୁଲବାଣୀ, ବୌଦ୍ଧ , ସୋନପୁର, ଦେବଗଡ, କେନ୍ଦ୍ରାପଡା ଓ ନୟାଗଡ଼ କୁ ବିକଶିତ କରିବୁ। ଏହି ସହରୀ କ୍ଲଷ୍ଟରଗୁଡ଼ିକ ଚାହିଦା ସୃଷ୍ଟି କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧିର କେନ୍ଦ୍ର ହେବ।

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅନ୍ୟାନ୍ୟ ସୁବିଧା ସହିତ ଏକ ଆନ୍ତର୍ଜାତୀୟ ସହର ଭାବରେ ବିକଶିତ ହେବ। ବିମାନ ବନ୍ଦର ସହିତ ୨୦ଟି ସମସ୍ତ ପ୍ରମୁଖ ସହର ସହିତ ଲକ୍ଷ୍ମୀ ବସ୍ ସଂଯୋଗ ରହିବ। ମେଟ୍ରୋ ଦ୍ୱାରା ଭୁବନେଶ୍ୱର, ଖୋର୍ଦ୍ଧା , ପୁରୀ ଏବଂ କଟକକୁ ସଂଯୋଗ କରିବ ଏବଂ ପର୍ଯ୍ୟାୟ କ୍ରମେ ସମ୍ପ୍ରସାରିତ ହେବ। ବିଜୁ ଅର୍ଥନୈତିକ କରିଡର ମାଧ୍ୟମରେ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ବିକାଶ ଉପରେ ଆମର ବିଶେଷ ଧ୍ୟାନ ରହିବ।

୩. ସ୍ଥିରତା ସହିତ ଅଭିବୃଦ୍ଧି ଉପରେ ଆମର ଧ୍ୟାନ ରହିବ – ଆମର ବର୍ତ୍ତମାନର ତଥା ଭବିଷ୍ୟତ ପିଢ଼ିର ଆବଶ୍ୟକତା ପୂରଣ କରିବ। ଅଭିବୃଦ୍ଧି ଏବଂ ଦାରିଦ୍ର‌୍ୟ ହ୍ରାସ କରିବାରେ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଓଡିଶାର ୭୫ ପ୍ରତିଶତ ପରିବାରର ୧୦୦ ୟୁନିଟ୍ କମ୍ ବ୍ୟବହାର ଏବଂ ଅନ୍ୟ ଦଶ ପ୍ରତିଶତ ୧୦୦ ରୁ ୧୫୦ ୟୁନିଟ୍ ବ୍ୟବହାର କରୁଛନ୍ତି। ଶକ୍ତି ସୁରକ୍ଷା ସହିତ ଏହି ୮୫ -୯୦% ଜନସଂଖ୍ୟାକୁ ଆଚ୍ଛାଦନ କରିବା ପାଇଁ, ଶହେ ୟୁନିଟ୍ ପର‌୍ୟ୍ୟନ୍ତ ଗ୍ରାହକମାନେ ଶୂନ ବିଲ୍ ପାଇବେ ଏବଂ ୧୦୦ ରୁ ୧୫୦ ପର‌୍ୟ୍ୟନ୍ତ ପଚାଶ ୟୁନିଟ୍ ପାଇଁ ରିହାତି ପାଇବେ। ଏହା କେବଳ ରାଜ୍ୟରେ ଶକ୍ତି ସୁରକ୍ଷା ବୃଦ୍ଧି କରିବ ନାହିଁ ବରଂ ବିଦ୍ୟୁତର ଦାୟିତ୍ବପୂର୍ଣ୍ଣ ବ୍ୟବହାରକୁ ମଧ୍ୟ ଉତ୍ସାହିତ କରିବ – ଏହା ସ୍ଥାୟୀ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ହେବ।

୪. ଓଡ଼ିଶାର ଅଭିବୃଦ୍ଧି କାହାଣୀରେ ମଧ୍ୟବିତ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କୁ BSKY କଭରେଜ୍, ୨୦ ଲକ୍ଷ ପର୍ଯ୍ୟନ୍ତ ଗୃହ ରୁଣ ଉପରେ ସୁଧ ସବଭେନ୍ସନ୍, ଏବଂ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି ଓ ଉଚ୍ଚଶିକ୍ଷା ତଥା ସୁଲଭ ପରିବହନ ପାଇଁ ଋଣ ଉପରେ ସୁଧ ସବଭେନ୍ସନ୍ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରାଯିବ। ବିଦ୍ୟୁତ ସବସିଡି ମଧ୍ୟବିତ୍ତ ପରିବାର ପାଇଁ ମଧ୍ୟ ଲାଗୁ ହେବ। ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପରେ ପକେଟ ଖର୍ଚ୍ଚ ହ୍ରାସ ହେଲେ ସଞ୍ଚୟ ବୃଦ୍ଧି ପାଇବ। ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳରେ ଶିଳ୍ପାୟନ ଏବଂ ନିଯୁକ୍ତି ସୃଷ୍ଟି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଭିତରେ ନୂତନ ଆଶା ସଂଚାର କରିବ।

୫. ଓଡିଶାର ଅଭିବୃଦ୍ଧି କାହାଣୀରେ ମହିଳାମାନେ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ସେମାନେ ଏହା ଜାରି ରଖିବେ। ବିନା ସୁଧରେ ୧୫ ଲକ୍ଷ ପର‌୍ୟ୍ୟନ୍ତ ଋଣ ଯୋଗାଇଦେବାରେ ଏହା ଦେଶରେ ପ୍ରଥମ ରାଜ୍ୟ ହେବ। ଆସନ୍ତା ୫ ବର୍ଷ ମଧ୍ୟରେ ଆମର SHG ଗୁଡ଼ିକୁ ୧.୫ ଲକ୍ଷ କୋଟି ଟଙ୍କାର ଆର୍ଥିକ ଲିଙ୍କେଜ୍ ହାସଲ କରି ୨୫୦୦ କୋଟି ଟଙ୍କାର ସୁଧ ସେମାନଙ୍କ ନିକଟକୁ ଫେରାଇ ଦିଆଯିବ। ଏହା ସେମାନଙ୍କୁ ସେମାନଙ୍କର ବ୍ୟବସାୟକୁ ଇନ୍ଧନ ଦେବାରେ ସାହାଯ୍ୟ କରିବ ଏବଂ SHGରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ରୂପାନ୍ତର ତ୍ୱରାନ୍ୱିତ କରିବ। SHG କୁ ଆଗାମୀ ୧୦ ବର୍ଷରେ ୨୦,୦୦୦ କୋଟିର ସରକାରୀ ବ୍ୟବସାୟ ଯୋଗାଇ ଦିଆଯିବ। ବ୍ୟକ୍ତିଗତ ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟ ଆରମ୍ଭ ଏବଂ ବୃଦ୍ଧି ପାଇଁ ୧୦ ଲକ୍ଷ ପର‌୍ୟ୍ୟନ୍ତ ସବସିଡିଯୁକ୍ତ ଋଣ ଯୋଗାଇବା ପାଇଁ ଶହେ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସହାୟତା କରାଯିବ। ମିଶନ୍ ଶକ୍ତି ମହିଳାଙ୍କ ପାଇଁ ପେନସନ ରହିବ। ସମସ୍ତ ତୃଣମୂଳ ସ୍ତରର ମହିଳା କର୍ମୀ, ସମ୍ପ୍ରଦାୟର ସହାୟତା କର୍ମଚାରୀ, ଅଙ୍ଗନୱାଡି କର୍ମୀ, ଏବଂ ଆଶା ଗୁଡିକ ଈଝକଣ କଭରେଜ୍ ଏବଂ ସାମାଜିକ ସୁରକ୍ଷା ପେନସନ ମଧ୍ୟ ପାଇବେ।

୬. ସ୍ୱାସ୍ଥ୍ୟ ଉପରେ ପକେଟ ଖର୍ଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ଏବଂ ମୌଳିକ ମାନବିକ ଅଧିକାର ପାଇଁ ବାଧା ସୃଷ୍ଟି କରେ। ଆମର ପ୍ରମୁଖ ସ୍କିମ୍ ଈଝକଣ ନଵୀନ କାର୍ଡ ପ୍ରବର୍ତ୍ତନ ପ୍ରାୟ ସମସ୍ତ ବର୍ଗଙ୍କୁ କଭରେଜ୍ କରିବ। ଏଥିରେ ମଧ୍ୟବିତ୍ତ, ସରକାରୀ କର୍ମଚାରୀ, ଚୁକ୍ତିଭିତ୍ତିକ ଶ୍ରମିକମାନେ ପର୍ଯ୍ୟାୟ କ୍ରମେ ଅନ୍ତର୍ଭୁକ୍ତ ହେବେ। ଆମେ ଆସନ୍ତା ୧୦ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ପାଇଁ ସର୍ବନିମ୍ନ ଖର୍ଚ୍ଚର ରାଜ୍ୟ ହୋଇପାରିବା। ଏହି ସ୍ୱାସ୍ଥ୍ୟ ନିଶ୍ଚିତତା ଆମ ଜନସଂଖ୍ୟାକୁ ସଶକ୍ତ କରିବ ଏବଂ ଆମ ରାଜ୍ୟକୁ ଆଗକୁ ବଢ଼ାଇବ।

୭. ଅଭିବୃଦ୍ଧି ସହିତ ଅନ୍ତର୍ଭୁକ୍ତ ସର୍ବଦା ଆମର ଉଦ୍ଦେଶ୍ୟ।  ଆଦିବାସୀ, ଜନଜାତି, ଓବିସି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସଶକ୍ତିକରଣ ସର୍ବାଧିକ ପ୍ରାଥମିକତା ଅଟେ। ସ୍ଵୟମ ନିଯୁକ୍ତି ଦିଗରେ ପ୍ରତିବର୍ଷ ୧୦,୦୦୦ ST, SC ଏବଂ OBC ଯୁବକମାନଙ୍କ ପାଇଁ୧,୦୦,୦୦୦ଟଙ୍କାର ଅନୁଦାନ ପ୍ରଦାନ କରିବାକୁ ଆମେ ୧୦ ବର୍ଷ ମଧ୍ୟରେ ୧୦୦୦ କୋଟି ପାଣ୍ଠି ପ୍ରଦାନ କରିବୁ। ସେହିଭଳି, ଏସଟି, ଏସସି ଏବଂ ଓବିସିର ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗୀତା ୧୦,୦୦,୦୦୦ ଟଙ୍କା ପର‌୍ୟ୍ୟନ୍ତ ସୁଧ ଛାଡ ହେବ। ସ୍ଵୟମ ଋଣ ଅନୁଦାନରେ ପ୍ରାଥମିକତା ରହିବ। ଓବିସି, ସଂଖ୍ୟାଲଘୁ, ଏସସି ଏବଂ ଆଦିବାସୀ ଛାତ୍ରମାନଙ୍କ ପାଇଁ ଅଧିକ ହଷ୍ଟେଲ ବ୍ୟବସ୍ଥା ସହିତ ଶିକ୍ଷା ଏବଂ ଅଧିକ ନିଯୁକ୍ତି ଆଗକୁ ବଢାଇବ। ଲାଭ ଯୋଜନା ଦ୍ୱାରା ଛୋଟ ଜଙ୍ଗଲ ଉତ୍ପାଦନ ସଂଗ୍ରହରୁ ଆୟକୁ ତ୍ଵରାନିତ୍ଵ କରିବ, ମୁଖ୍ୟତ ଆଦିବାସୀଙ୍କୁ ଉତ୍ସାହିତ କରିବ। ଗ୍ରାମୀଣ ଗୃହ ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ ପରିବାରକୁ ୧୦ ଲକ୍ଷ ଘର ଯୋଗାଇ ଦିଆଯିବ।

୮. ଖାଦ୍ୟ ସୁରକ୍ଷା ସର୍ବଦା ବିଜେଡି ସରକାରଙ୍କ ଏକ ଗ୍ୟାରେଣ୍ଟି ଅଟେ। ସମସ୍ତ ଯୋଗ୍ୟ ପରିବାରକୁ ରେସନ କାର୍ଡ ଯୋଗ୍ୟତା ଭିତ୍ତିରେ ନିଶ୍ଚିତ ଯୋଗାଇ ଦିଆଯିବ, ଯାହା ସମସ୍ତ ପରିବାରଙ୍କୁ ଅନ୍ତର୍ଭୁକ୍ତ ନିଶ୍ଚିତ କରିବ। କୃଷକମାନେ ରାଜ୍ୟର ଖାଦ୍ୟ ନିରାପତ୍ତାର ମେରୁଦଣ୍ଡ ଅଟନ୍ତି। କୃଷିର ସମଗ୍ର ଇକୋସିଷ୍ଟମ୍ ମଜବୁତ ହେବ। କୃଷି ଉଦ୍ଦେଶ୍ୟରେ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ, ଯାହା ସାରା ରାଜ୍ୟରେ କୃଷକମାନଙ୍କୁ ଉପକୃତ କରିବ। ଏହା ଉତ୍ପାଦନ ବୃଦ୍ଧି ଏବଂ ସେମାନଙ୍କର ଭାର ହ୍ରାସ କରିବାରେ ସାହାଯ୍ୟ କରିବ। ପିଲାମାନଙ୍କର ଶିକ୍ଷା ପାଇଁ ଛାତ୍ରବୃତ୍ତି ଏବଂ ନିର୍ଭରଶୀଳ ଝିଅ ବିବାହ ପାଇଁ ୨୫.୦୦୦ ସହାୟତା ସହିତ କାଳିଆ ଅନୁଦାନ ଜାରି ରହିବ ଏବଂ ବିସ୍ତାର କରାଯିବ। ୧.୫ ଲକ୍ଷ ପର‌୍ୟ୍ୟନ୍ତ ଫସଲ ଋଣ ସୁଧମୁକ୍ତ ହେବ। ମୌସୁମୀ ଅନିଶ୍ଚିତତାକୁ ଦୂର କରିବା ପାଇଁ ମତ୍ସ୍ୟଯିବି ସମ୍ପ୍ରଦାୟକୁ ବାର୍ଷିକ ୧୫,୦୦୦ ପ୍ରଦାନ କରାଯିବ।

୯. ଆମର ସମୃଦ୍ଧ ସଂସ୍କୃତି ଏବଂ ଭାଷାର ପ୍ରୋତ୍ସାହନ ଏବଂ ସଂରକ୍ଷଣ ଅର୍ଥନୈତିକ ଅଭିବୃଦ୍ଧି ସହିତ ହାତ ମିଳାଇଥାଏ। ଆମର ଉପାସନା ସ୍ଥାନ, ଐତିହ୍ୟ ସ୍ଥଳ ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ସହିତ ଜଡିତ ସ୍ଥାନଗୁଡିକ ସଂରକ୍ଷଣ କରିବା ପାଇଁ ଏକ ହେରିଟେଜ୍ ବିକାଶ ପାଣ୍ଠି ଭାବରେ ୧୦୦୦ କୋଟିର ଏକ କର୍ପସକୁ ପୃଥକ କରାଯିବ। ଶାସ୍ତ୍ରୀୟ ଭାଷା ଭାବରେ ଓଡିଆର ବିକାଶ ଏବଂ ପ୍ରୋତ୍ସାହନ ପାଇଁ ୧୦୦ କୋଟି ରଖାଯାଇଛି। ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଠାରୁ ଶାସ୍ତ୍ରୀୟ ଭାଷା ଭାବରେ ଓଡିଆର ପ୍ରଚାର ,ପ୍ରସାର ଓ ଗବେଷଣା ପାଇଁ ଜିରୋ ପାଣ୍ଠି ଗ୍ରହଣ କରାଯାଇଛି। ଆମେ ପୁଣିଥରେ କେନ୍ଦ୍ରକୁ ଅନୁରୋଧ କରିବୁ ଯେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଏବଂ ହୋ, ମୁଣ୍ଡାରି ଏବଂ ଭୁମିଜଙ୍କୁ ଅଷ୍ଟମ କାର‌୍ୟ୍ୟସୂଚୀରେ ଅନ୍ତର୍ଭୁକ୍ତ କରାଯାଉ।

ପଶ୍ଚିମ ଓଡିଶାର ଭାଷାର ବିକାଶ ତଥା ଗବେଷଣା , ଅଧ୍ୟୟନ ଏବଂ ଅନୁସନ୍ଧାନ ପାଇଁ ୨୫ କୋଟି ଟଙ୍କାର କର୍ପସ୍ ଫଣ୍ଡ ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବୁ। ଓଡିଶାର ପ୍ରସିଦ୍ଧ ବ୍ୟକ୍ତିତ୍ୱ ସହିତ ସଂଯୁକ୍ତ ଶହେ ଗୋଟି ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଭାବରେ ବିକଶିତ କରାଯିବ। ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ଭଳି ପ୍ରତିବର୍ଷ କଳିଙ୍ଗଶ୍ରୀ ଏବଂ କଳିଙ୍ଗଭୂଷଣ ପୁରସ୍କାର ପ୍ରଦାନ କରାଯିବ। ସମଗ୍ର ରାଜ୍ୟରେ ଭଗବଦ୍ ଟୁଙ୍ଗିର ସଂରକ୍ଷଣ ପାଇଁ ଅର୍ଥ ଯୋଗାଇଦିଆଯିବ।ଏହା ଆମ ଯୁବକମାନଙ୍କୁ ସେମାନଙ୍କର ସଂସ୍କୃତି, ଐତିହ୍ୟ ଏବଂ ଭାଷାରେ ଗର୍ବ ଅନୁଭବ କରିବାକୁ ସଶକ୍ତ କରିବ ଏବଂ ଆତ୍ମବିଶ୍ୱାସ ସହିତ ଭବିଷ୍ୟତକୁ ଆଗକୁ ବଢାଇବାକୁ ସକ୍ଷମ କରିବଯିବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆ ଆଇପିଏସ ଅଧିକାରୀମାନଙ୍କୁ ନିର୍ବାଚନ ପରିଚାଳନା ସମ୍ବନ୍ଧରେ ଅବଗତ କରାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଭାରତୀୟ ପୋଲିସ ସେବା (ଆର୍‌. ଆର୍‌.-୨୦୨୩)ର ୫୭ ଜଣ ଶିକ୍ଷାନବିସ ଅଧିକାରୀ ଆଜି ମୁଖ୍ୟ ନିର୍ବାଚନ ଅଧିକାର, ଓଡ଼ିଶାଙ୍କ କାର୍ଯ୍ୟାଳୟକୁ ଆସି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କ ଠାରୁ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପରିଚାଳନା ସମ୍ବନ୍ଧରେ ଅବଗତ ହୋଇଛନ୍ତି। ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶିକ୍ଷାନବିସ ଅଧିକାରୀମାନଙ୍କୁ ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ବିଷୟରେ ଅବଗତ କରାଇଥିଲେ।

ଭାରତୀୟ ପୋଲିସ ସେବା (ଆର୍‌.ଆର୍‌-୨୦୨୩)ର ୫୭ ଜଣ ଶିକ୍ଷାନବିସ ଅଧିକାରୀ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଗସ୍ତ କରି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ଶିକ୍ଷାନବିସ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍ୱାଗତ କରାଯାଇଥିଲା । ଏହାପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟସ୍ଥ ମିଡ଼ିଆ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସମସ୍ତ ଶିକ୍ଷାନବିସ ଅଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ ।

ଶ୍ରୀ ଧଳ ନିର୍ବାଚନ ପ୍ରକ୍ରିୟାର ତୃଣମୂଳ ସ୍ତରରୁ ଆଲୋଚନା କରି ମତଦାତା ତାଲିକାରେ କିପରି ସମସ୍ତ ବର୍ଗ ଓ ଅଞ୍ଚଳର ମତଦାତାମାନଙ୍କୁ ସାମିଲ କରି ଏକ ସମାବେଶୀ ମତଦାତା ତାଲିକା ପ୍ରସ୍ତୁତ କରାଯାଇଛି ତାହା ଦର୍ଶାଇଥିଲେ। ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରଥମ ଥର ମତଦାତା (୧୮ଣ୍ଟ), ଯୁବ ମତଦାତା, ମହିଳା, ତୃତୀୟ ଲିଙ୍ଗ ଓ ଅନ୍ୟାନ୍ୟ ସମସ୍ତ ବର୍ଗର ମତଦାତାମାନଙ୍କୁ ମିଶାଇ ୩.୩୬ କୋଟି ମତଦାତାଙ୍କର ଏକ ସମ୍ମିଳିତ ତାଲିକା ପ୍ରସ୍ତୁତ କରାଯାଇଛି ।

ବିଏଲ୍‌ଓ ମାସ୍‌କଟ୍‌ ‘ମିତାଦିଦି’ ବିଷୟରେ ଆଲୋଚନା କରି ଶ୍ରୀ ଧଳ ସେମାନଙ୍କୁ ‘ବୁଥ୍‌ସ୍ତରର ଅଧିକାରୀ: ଗଣତନ୍ତ୍ରର ପ୍ରହରୀ’ ରୂପେ ଅଭିହିତ କରିଥିଲେ। ଏହି ଅବସରରେ ଓଡ଼ିଶାର ମତଦାତା ଲିଙ୍ଗ ଅନୁପାତ ୯୭୪କୁ ବୃଦ୍ଧି ପାଇଁ କରାଯାଇଥିବା ପ୍ରୟାସକୁ ଶିକ୍ଷାନବିସ ଅଧିକାରୀମାନେ ଭୂୟସୀ ପ୍ରଶଂସା କରିଥିଲେ।

ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସୁରକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା କରି ମୁଖ୍ୟ ନିର୍ବାଚନ ଅଧିକାରୀ ସାଧାରଣ ପ୍ରଶାସନ ଓ ପୋଲିସ ପ୍ରଶାସନ କିଭଳି ଭାବରେ ସମସ୍ତ ସ୍ତରରେ ଏକ ଟିମ୍‌ ଭଳି କାର୍ଯ୍ୟ କରୁଛନ୍ତି, ତାହା ଅବଗତ କରାଇଥିଲେ । ମାଓପ୍ରବଣ ଅଞ୍ଚଳରେ ନିର୍ବାଚନ ପାଇଁ କେଉଁସବୁ ବିଶେଷ ବ୍ୟବସ୍ଥା କରାଯାଇଛି, ତାହା ଆଲୋଚନା ହୋଇଥିଲା।

ଏବେ ଯେହେତୁ ସମସ୍ତ ଶିକ୍ଷାନବିସ ପୋଲିସ ଅଧିକାରୀ ଗଞ୍ଜାମ, ଗଜପତି, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, ମାଲକାନଗିରି, ନବରଙ୍ଗପୁର ଆଦି ୮ଟି ଜିଲ୍ଲାରେ ଟ୍ରେନିଂ ପ୍ରାପ୍ତ ହେବେ, ସେମାନଙ୍କୁ ତୃଣମୂଳ ସ୍ତରରୁ ପ୍ରତିଟି ବିଷୟକୁ ଭଲ ଭାବରେ ବୁଝି ତା’ର କି୍ରୟାନ୍ୱୟନ ସମ୍ପର୍କରେ ଅଭିଜ୍ଞତା ପ୍ରାପ୍ତ କରିବାକୁ ଶ୍ରୀ ଧଳ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ।

ଭାରତ ନିର୍ବାଚନ ଆୟୋଗଙ୍କ ନିର୍ବାଚନ ପରିଚାଳନା ବ୍ୟବସ୍ଥା ବିଷୟରେ ଆଲୋଚନା କରି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଦେଶରେ ନିର୍ବାଚନକୁ ମୁକ୍ତ, ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଗ୍ରହଣ କରାଯାଉଥିବା ସମସ୍ତ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ଏଥିରେ ପୋଲିସ ଅଧିକାରୀମାନଙ୍କ ବିଶେଷ ଭୂମିକା ବିଷୟରେ ଆଲୋଚନା କରି ଲୋକଙ୍କ ବିଶ୍ୱାସକୁ ବଜାୟ ରଖି କାର୍ଯ୍ୟ କରିବାର ଗୁରୁତ୍ୱ ବିଷୟରେ ସୂଚିତ କରିଥିଲେ ।

ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟରେ ମେ ୧୩ରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସମସ୍ତ ବିଧାନସଭା କ୍ଷେତ୍ରରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ବିଷୟରେ ଶ୍ରୀ ଧଳ ସବିଶେଷ ଆଲୋଚନା କରିଥିଲେ । ଆଦର୍ଶ ଆଚରଣ ବିଧି, ଏମ୍‌ସିଏମ୍‌ସି, ଜବତ ବ୍ୟବସ୍ଥା, ପ୍ରବର୍ତ୍ତନ ସଂସ୍ଥା, ଏଫ୍‌ଏସ୍‌ଟି, ଏସ୍‌ଏସ୍‌ଟି, ବୋର୍ଡର ଚେକ୍‌ ପୋଷ୍ଟ, ଡିସ୍‌ପର୍‌ସାଲ୍‌ ବ୍ୟବସ୍ଥା, ସାଇଲେନ୍ସ ପିରିୟଡ଼୍‌ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ।

ପ୍ରବଳ ରୌଦ୍ରତାପ ମଧ୍ୟରେ ନିର୍ବାଚନ ପରିଚାଳନାର ଆହ୍ୱାନ ବିଷୟରେ ଆଲୋଚନା କରି ଶ୍ରୀ ଧଳ ବୁଥ୍‌ସ୍ତରରେ ତା’ର ମୁକାବିଲା ପାଇଁ କରାଯାଉଥିବା ବ୍ୟବସ୍ଥା ଯଥା-ପାନୀୟ ଜଳ, ଛାଇ ବ୍ୟବସ୍ଥା, ଓଆର୍‌ଏସ୍‌ ପାଉଡ଼ର, ଅଂଶୁଘାତ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା, ସ୍ୱାସ୍ଥ୍ୟକର୍ମୀ, ଭ୍ରାମ୍ୟମାଣ ହେଲଥ୍‌ ୟୁନିଟ୍‌ ଆଦି ବିଷୟରେ ସୂଚିତ କରିଥିଲେ । ଏହି ସମସ୍ତ ଆଲୋଚନା ପରେ ଭାରତୀୟ ପୋଲିସ ସେବାର ଶିକ୍ଷାନବିସ ଅଧିକାରୀମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ । ଏହି ଅବସରରେ ସେଠାରେ ହୋମ୍‌ ଭୋଟିଙ୍ଗ୍‌, ମତଦାତା ସଚେତନତା ସମ୍ବନ୍ଧୀୟ ବିଭିନ୍ନ ଭିଡିଓ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ।

ଏହି ସଭାରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାୟକ, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶିକା ଶ୍ରୀମତୀ ସାଏନି ଏସ୍‌, ଜାତୀୟ ପୋଲିସ ଏକାଡେମୀର ଉପନିର୍ଦ୍ଦେଶକ ଶ୍ରୀ ଅଜିତ ପ୍ରତାପ ସିଂ ଓ ଅନ୍ୟତମ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର ଉପସ୍ଥିତ ରହି ଶିକ୍ଷାନବିସ ପୋଲିସ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ୍‍ ପ୍ରଚାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ୍‍ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ତିନୋଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର, ଆସ୍କା ଓ ଫୁଲବାଣୀ ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ରାଲିରେ ସେ ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ କରିଥିଲେ।

ନିର୍ବାଚନ ପ୍ରଚାରର କୋଳାହଳ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ନିରାଡ଼ମ୍ୱର ଶୈଳୀର ପ୍ରଚାର ଲୋକଙ୍କ ହୃଦୟକୁ ଛୁଇଁଥିଲା। ଉଚ୍ଛସିତ ଜନତା ମୁଖ୍ୟମନ୍ତ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତରରେ ସେମାନେ ‘ହଁ’ ଧ୍ୱନିରେ ସଭାସ୍ଥଳ ପ୍ରକମ୍ପିତ କରିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‍, କାଳିଆ ଯୋଜନା, ନୂଆ-ଓ ଛାତ୍ରବୃତ୍ତି ଯୋଜନା ଆଦି ସବୁ ଯୋଜନା ବିଷୟରେ ଲୋକ ଦେଇଥିଲେ ବିଶାଳ ସମ୍ମତି।

ଶେଷରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ନବୀନ ପଟ୍ଟନାୟକ ଭଲ ତ ? ଏଥିରେ ଉପସ୍ଥିତ ସବୁ ଲୋକ ଠିଆ ହୋଇ କରତାଳି ଦେଇ ବହୁତ ଜୋର୍‍ରେ ‘ହଁ’ ମାରି ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ କହିଥିଲେ ବିରୋଧୀ ଦଳ ମିଛ କହୁଛନ୍ତି ଓ ତାଙ୍କ ନେତାମାନେ ମଧ୍ୟ ଖାଲି କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି। ନିର୍ବାଚନରେ ଭଲ ପ୍ରାର୍ଥୀଙ୍କୁ ବାଛନ୍ତୁ, ଅପରାଧୀ ପ୍ରାର୍ଥୀଙ୍କୁ ବାଛନ୍ତୁ ନାହିଁ, ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖଚିହ୍ନରେ ଭୋଟ ଦିଅନ୍ତୁ ବୋଲି ସେ ନିବେଦନ କରିଥିଲେ।

ସଭାରେ ଯୋଗ ଦେଇ ବରିଷ୍ଠ ବିଜୁ ଜନତା ଦଳ ନେତା କହିଥିଲେ ଯେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଆମ ନିର୍ବାଚନ ଇସ୍ତାହାର ଘୋଷଣା କରିବେ। ସବୁବର୍ଗ ପାଇଁ, ବିଶେଷ କରି ଯୁବବର୍ଗ ପାଇଁ ଏହି ଇସ୍ତାହାର ଆଣିବ ଖୁସି ଖବର। ସାରା ଓଡ଼ିଶା ପାଇଁ ଖୁସି ଆଣିଦେବ।ସେ ଦଳୀୟ କର୍ମୀମାନଙ୍କୁ ଅନୁରୋଧ କରି କହିଥିଲେ ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇଥିବା ସମସ୍ତ ପ୍ରତିଶ୍ରୃତି ଓ ବିକାଶବାର୍ତ୍ତାକୁ ଘରେ ଘରେ ପହଞ୍ଚାଅ। ସମସ୍ତଙ୍କୁ ସଚେତନ କର ଓ ବିରୋଧୀ ଦଳର ମିଛକୁ, ସେମାନଙ୍କ ଅପପ୍ରଚାରକୁ ପ୍ରତିହତ କର।

ସେ କହିଥିଲେ ଯେ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ୭ଟି ବିଧାନସଭା ମଧ୍ୟରୁ ଆମର ୫ଜଣ ପ୍ରାର୍ଥୀ ହେଉଛନ୍ତି ମହିଳା। ଲୋକସଭା ପ୍ରାର୍ଥୀ ମଧ୍ୟ ଜଣେ ଯୁବ ମହିଳା। ଏଥିରୁ ଆପଣମାନେ ଜାଣନ୍ତୁ ମହିଳା ସଶକ୍ତିକରଣ ଉପରେ ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତାହା କରନ୍ତି । କଂଗ୍ରେସ, ବିଜେପି କେବଳ କଥା କହନ୍ତି, ସେମାନେ କେବଳ ବଡ଼ ବଡ଼ କଥା କହନ୍ତି କିଛି କରନ୍ତି ନାହିଁ। ବିଜେପି ଇସ୍ତାହାର କେବଳ ମିଛର ଗନ୍ତାଘର ବୋଲି ସେ କହିଥିଲେ। ୨୦୧୪ ଓ ୨୦୧୯ରେ ମଧ୍ୟ ସେମାନେ ମିଛ କହିଥିଲେ। ୨୦୨୪ ଇସ୍ତାହାରରେ ମଧ୍ୟ ସେମାନେ ପ୍ରବଳ ମିଛ ପ୍ରତିଶ୍ରୃତି ଦେଇଛନ୍ତି, ସେମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ।

ବିଜେପି ଦଳ ଉପରେ ଆକ୍ରମଣ କରି ସେ କହିଲେ ଯେ ବିଜେପି ଗତ ୨୪ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ଠିକ୍ କରିପାରୁନାହାନ୍ତି। କାରଣ ସେମାନେ ଜାଣିଛନ୍ତି ଯେଉଁଦିନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ ସେହିଦିନ ତାଙ୍କର ଆସନ ସଂଖ୍ୟା ୧୦ରୁ ବି କମିଯିବ।
ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି, ଏଥିରେ ବିଜେଡ଼ିର ୯୦ ପ୍ରତିଶତ ଷ୍ଟ୍ରାଇକ୍‍ ରେଟ୍‍ ରହିଛି, ଏହାକୁ ଶତ ପ୍ରତିଶତ କରିବା ପାଇଁ ଆହ୍ୱାନ ଦେଇଥିଲେ।

ଗୋପାଳପୁରରେ ସେ କହିଲେ ବିରୋଧୀ ଦଳରୁ ଚୋରମାନେ ଯିଏ ବି ପ୍ରାର୍ଥୀ ହୋଇଛନ୍ତି ସେମାନଙ୍କୁ ମୁହଁତୋଡ଼ ଜବାବ ଦିଆଯିବ। ସେ କହିଲେ ଯେ କିଛିଦିନ ତଳେ ବିରୋଧୀ ଦଳ ଏଠାରେ ପ୍ରୋଗ୍ରାମ କରିଥିଲେ, ସେ ପ୍ରୋଗ୍ରାମ ଏବଂ ଏଇ ପ୍ରୋଗ୍ରାମ ମଧ୍ୟରେ ଫରକ୍‍ ଅଛି, ମୁଖ୍ୟମନ୍ତ୍ରୀଙ୍କୁ ଏତେସଂଖ୍ୟାରେ ଆପଣଙ୍କ ଭଲପାଇବା ଏକ ଭଲ ବାର୍ତ୍ତା ଦଉଛି।

କନ୍ଧମାଳ ଲୋକସଭା ଆସନରେ ଅଭିଭାଷଣ ସମୟରେ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇଭଉଣୀମାନଙ୍କୁ ବହୁତ ଭଲ ପାଆନ୍ତି। ଆପଣଙ୍କ ସୁଖଦୁଖର ସାଥି ହୋଇଅଛନ୍ତି । ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଜନଜାତି ଉନ୍ନୟନ ପରିଷଦ ଗଠନ କରିଛନ୍ତି। ବିଭିନ୍ନ ଛୋଟ ବଡ଼ ଜଙ୍ଗଲ. ଅବକାରୀ ତଥା ପୋଲିସ କେସ୍‍ରେ ଛନ୍ଦି ହୋଇ ସେମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ମୁଖ୍ୟମନ୍ତ୍ରୀ ତାକୁ ସହୃଦୟତାର ସହିତ ନେଇ ସେମାନଙ୍କ ଉପରୁ ୫୦,୦୦୦ ପୋଲିସ କେସ ରଦ୍ଦ କରିଛନ୍ତି।

ଏହି ସଭାଗୁଡ଼ିକରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍‍ସିପାତ୍ର, ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ ଓ କନ୍ଧମାଳ ଲୋକସଭା ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତଙ୍କ ସହିତ ସବୁ ବିଧାନସଭା ମଣ୍ଡଳୀର ପ୍ରାର୍ଥୀମାନେ ନିଜର ଅଭିଭାଷଣ ରଖି ଯୋଡ଼ିଶଙ୍ଖରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ଅବକାରୀ ବିଭାଗର ଚଢାଉ, ମିଳିଲା ୨୧ କେଜି ୧୫୦ ଗ୍ରାମ ଗଞ୍ଜେଇ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗକୁ ମିଳିଛି ସଫଳତା। ଜାତୀୟ ରାଜପଥରେ ଚଢ଼ାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ସୂଚନା ମୁତାବକ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ ସୁନାଖେଳା ଓଭରବ୍ରିଜ ନିକଟରେ ୩ ଜଣ ଯୁବକ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ସୂଚନା ପାଇ ଚଢ଼ାଉ କରିଥିଲେ ବାଲୁଗାଁ ଅବକାରୀ ଅଧିକାରିଣୀ ସ୍ମିତା ପଣ୍ଡା ଓ ଟିମ।

ଚଢ଼ାଉ ବେଳେ ତିନି ଯୁବକଙ୍କ ନିକଟରୁ ୨୧ କେଜି ୧୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶ ର ଫଇଜାଲ(୨୬), ମୁସାରଫ(୨୩) ଏବଂ ଜିସାନ (୨୨) l ତେବେ ଅଭିଯୁକ୍ତ ମାନେ ଉକ୍ତ ଗଞ୍ଜେଇ କେଉଁଠୁ ଆଣିଲେ ଏବଂ କୁଆଡ଼େ ନେଉଥିଲେ ସେବିଷୟରେ ଏଯାବତ ମୁହଁ ଖୋଲିନାହାନ୍ତି। ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଅବକାରୀ ଅଧିକାରିଣୀ ଶ୍ରୀମତୀ ପଣ୍ଡା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରରେ ଶେଷ ତାରିଖ

ଭୁବନେଶ୍ବର: ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଥିଲା ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଆଜି ଯେଉଁମାନେ ପ୍ରାର୍ଥୀ ପ୍ରତ୍ୟାହାର କରିବା କଥା ତାହା କରିସାରିଥିବେ। ଫଳରେ ଆସନ୍ତାକାଲି ନିର୍ବାଚନ ମଇଦାନରେ କେତେଜଣ ପ୍ରାର୍ଥୀ ରହିଲେ ତାହା ଜଣାପଡିବ। ଏହା ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ଲାଗୁ ହୋଇଛି।

ଏଥିରେ ଓଡିଶାର ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ଵର ଲୋକସଭା ଏବଂ ଏହାର ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିସନରଙ୍କ ଘୋଷଣା ଅନୁସାରେ ଯେଉଁ ତାରିଖ ଘୋଷଣା ହୋଇଛି ତାହା ହେଲା

ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ- ୨୯ ଏପ୍ରିଲ ୨୦୨୪
ପ୍ରାର୍ଥୀପତ୍ର ଶେଷ ତାରିଖ-୦୬ ମେ
ପ୍ରାର୍ଥୀ ପତ୍ର ଯାଞ୍ଚ- ୦୭ ମେ
ପ୍ରାର୍ଥୀ ପତ୍ର ପ୍ରତ୍ୟାହାର- ୦୯ ମେ
ଭୋଟ ଗ୍ରହଣ- ୨୫ ମେ
ଭୋଟ ଗଣତି- ୪ ଜୁନ

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍‌ସ ଭୁବନେଶ୍ୱରରେ ବିରଳ ସିନୋଭିଆଲ୍‌ ସାର୍କୋମା ଟ୍ୟୁମର୍‌ର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ପ୍ରତିବଦ୍ଧତା, ନିଷ୍ଠାପର ପ୍ରୟାସ ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ଏମ୍‌ସ ଭୁବନେଶ୍ୱର। ପଶ୍ଚିମବଙ୍ଗର ଜଣେ ୫୧ବର୍ଷ ବୟସ୍କ ପୁରୁଷ (ରବୀନ୍ଦ୍ର ବିଶୁଇ)ଙ୍କ ଖପୁରୀର ଉପର ଅଂଶ(ସ୍କାଲ୍‌ପ)ରୁ ପ୍ରାୟ ୭ କେଜି ଓଜନର ବିରଳ ସିନୋଭିଆଲ୍‌ ସାର୍କୋମା ଟ୍ୟୁମରକୁ ସଫଳତାର ସହିତ ଅସ୍ତ୍ରୋପଚାର କରାଯାଇଛି।

ଦୀର୍ଘ ବର୍ଷ ହେବ ସେ ଭୋଗୁଥିବା ଏହି ମାରାତ୍ମକ ଟ୍ୟୁମର୍‌କୁ କାଢ଼ି, ଏମ୍‌ସର ଡାକ୍ତରୀଦଳ ତାଙ୍କୁ ଏକ ନୂତନ ଜୀବନ ଦେଇଥିବା ଶ୍ରୀ ବିଶୁଇ ପ୍ରକାଶ କରିଛନ୍ତି। ଖପୁରୀର ଉପର ଭାଗରେ ସାଧାରଣତଃ ଏହି ଜାତୀୟ ଟ୍ୟୁମର୍‌ ଦେଖାଯାଇନଥାଏ। ମାତ୍ର ଥରେ ହେଲେ ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ। ତେଣୁ ଅତ୍ୟନ୍ତ ସତର୍କତାର ସହିତ ଏହାକୁ କଢ଼ାନଗଲେ ରୋଗୀ ପାଇଁ ଏହା ବିପଦପୂର୍ଣ୍ଣ ପ୍ରତିପାଦିତ ହୋଇଥାଏ। ଭାରତରେ ଏପରି ଅସ୍ତ୍ରୋପଚାର ଦ୍ବିତୀୟ ଥର ପାଇଁ ସମ୍ପାଦିତ ହୋଇଥିବା କୁହାଯାଉଛି।

ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହି ବିରଳ ଅପରେସନ୍‌ରେ ସଂପୃକ୍ତ ଥିବା ଡାକ୍ତରୀ ଦଳ ତଥା ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏମ୍‌ସ ଭୁବନେଶ୍ବର ରାଜ୍ୟ ତଥା ପଡ଼ୋଶୀ ରାଜ୍ୟବାସୀଙ୍କୁ ସର୍ବଦା ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ପ୍ରତିବଦ୍ଧ ଥିବା ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ଉକ୍ତ ରୋଗୀ ଜଣଙ୍କ ଏହି ବିରଳ ଟ୍ୟୁମ୍‌ର ଚିକିତ୍ସା ପାଇଁ ବିଭିନ୍ନ ହସ୍‌ପିଟାଲରୁ ନିରାଶ ହୋଇ ଫେରିବା ପରେ ଏମ୍‌ସ ଭୁବନେଶ୍ୱରର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ଆସିଥିଲେ। ତେବେ ଏପରି କାର୍ଯ୍ୟକୁ ସିଦ୍ଧିରେ ପୂରଣ କରିବାକୁ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗୀୟ ମୁଖ୍ୟ ଡ. ସଞ୍ଜୟ କୁମାର ଗିରିଙ୍କ ନେତୃତ୍ବରେ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି, ସର୍ଜିକାଲ୍ ଅଙ୍କୋଲୋଜି, ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ୍ ସର୍ଜରୀ, ଆନାସ୍ଥେସିଓଲୋଜି ଏବଂ ପାଥୋଲୋଜି ବିଶେଷଜ୍ଞଙ୍କୁ ନେଇ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇ, ଏହି ଅପରେସନ୍‌ ନିମନ୍ତେ ରଣନୀତି ପ୍ରସ୍ତୁତ ହୋଇଥିଲା।

ଶ୍ରୀ ବିଶୁଇ ଦୁଇ ଦଶନ୍ଧି ହେବ ଏହି ଟ୍ୟୁମ୍‌ରରେ ପିଡ଼ୀତ ଥିଲେ। ମାତ୍ର ଗତ କିଛି ମାସ ମଧ୍ୟରେ ଏହା ଅହେତୁକ ଭାବେ ବୃଦ୍ଧି ପାଇ ପ୍ରାୟ ୭ କେଜିରେ ପହଞ୍ଚିଥିଲା। ଯାହାକି ତାଙ୍କ ଜୀବନକୁ ଦୁର୍ବିସହ କରିପକାଇଥିଲା। ବିରଳ ସିନୋଭିଆଲ୍ ସାର୍କୋମା ଟ୍ୟୁମର୍ ଭାବରେ ଚିହ୍ନଟ ହେଲା ପରେ, ପାରମ୍ପାରିକ ଚିକିତ୍ସା ପଦ୍ଧତି ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।

ଏହି ଜଟିଳ ଅସ୍ତ୍ରୋପଚାରର ପ୍ରଥମ ସୋପାନରେ ରେଡିଓଲୋଜି ବିଭଗାର ଡ. ମନୋଜ କୁମାର ନାୟକଙ୍କ ଦ୍ବାରା ଧମନୀ ଏବଂ ବାମ ଓସିପିଟାଲ୍ ଧମନୀକୁ ଲକ୍ଷ୍ୟ କରି ରକ୍ତବାହୀଗୁଡ଼ିକ ସହିତ ସଠିକ୍ ସଂଯୋଗୀକରଣ କରାଯାଇଥିଲା। ପରେ ନ୍ୟୁରାସର୍ଜରୀ ବିଭାଗ ମୁଖ୍ୟ ଡ. ରବି ନାରାୟଣ ସାହୁ, ସର୍ଜିକାଲ୍‌ ଅଙ୍କୋଲୋଜି ବିଭାଗର ଡ. କନଭ ଗୁପ୍ତା, ଡ. ଅନିଲ କୁମାର, ଡ. ଫନୀନ୍ଦ୍ର କୁମାର ସ୍ବାଇଁ, ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ଡ. ଦୀନେଶ, ଡ. ସଞ୍ଜୟ କୁମାର ଗିରି, ଡ. ସାନ୍ତନୁ ସୁବା, ଡ. ରଞ୍ଜିତ କୁମାର ସାହୁ, ଡ. ଅପର୍ଣ୍ଣା କାନୁନ୍‌ଗୋ, ଡ. ଗୋପିକା ଜିତ୍‌, ଡ. ଆକାଙ୍ଖା ରାଜପୁତ ଏବଂ ଡ. ଆହାନାଙ୍କ ଦ୍ବାରା ବିଭିନ୍ନ ପ୍ରକ୍ରିୟା ସମ୍ପାଦିତ ହୋଇଥିଲା। ଅତ୍ୟନ୍ତ ଜଟିଳ ପଦ୍ଧତି ସହାୟତାରେ ଦୀର୍ଘ ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ମାରାତ୍ମକ ଟ୍ୟୁମରର ସଫଳ ଅସ୍ତ୍ରୋପଚାର ସମାପ୍ତ ହୋଇଥିଲା।

ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ୬ୟୁନିଟ୍‌ ରକ୍ତ ସହିତ ଅନ୍ୟାନ୍ୟ ବିଭିନ୍ନ ଆବଶ୍ୟକତାକୁ ଡ. ଅପରାଜିତା ପଣ୍ଡାଙ୍କ ନେତୃତ୍ବରେ ଗଠିତ ଦଳ ପୂରଣ କରିଥିଲା। ସେହିପରି  ସୂର୍ଯ୍ୟ, ଅଶୋକା, ସିବାଞ୍ଜଳି, ପ୍ରମୋଦଙ୍କୁ ନେଇ ଗଠିତ ଉତ୍ସର୍ଗୀକୃତ ନର୍ସିଂ ଦଳ ବିଶେଷ ଯତ୍ନ ନେଇଥିଲେ। ସଫଳ ଅସ୍ତ୍ରୋପଚାର ପରେ ରୋଗୀକୁ ଅଧିକ ନିରୀକ୍ଷଣ ଏବଂ ଚିକିତ୍ସା ପ୍ରଦାନ ନିମିତ୍ତ ୱାର୍ଡକୁ ସ୍ଥାନାନ୍ତର କରିବା ପୂର୍ବରୁ ୨୪ ଘଣ୍ଟା ପାଇଁ ଆଇସିୟୁରେ ରଖାଯାଇଥିଲା। ଚିକିତ୍ସା ପ୍ରକ୍ରିୟାରେ ଡ. ପ୍ରୀତିନନ୍ଦା ମିଶ୍ର ପାଥୋଲୋଜିକାଲ୍ ମୂଲ୍ୟାଙ୍କନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଏପରି ବିରଳ ଅସ୍ତ୍ରୋପଚାର କେବଳ ଯେ ସ୍ବାସ୍ଥ୍ୟ ବିଜ୍ଞାନର ପରାକାଷ୍ଠାକୁ ପ୍ରଦର୍ଶିତ କରିଥିଲା, ବରଂ ଏମ୍‌ସ ଭୁବେନଶ୍ବରର ବିଭିନ୍ନ ବିଭାଗ ମଧ୍ୟରେ ଥିବା ବଳିଷ୍ଠ ଟିମ୍‌ୱାର୍କ୍‌କୁ ପ୍ରମାଣିତ କରିଛି। ଏମ୍‌ସ ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ଏପରି ଏକ ଅଦ୍ଭୁତ କାର୍ଯ୍ୟ ପାଇଁ ଡାକ୍ତରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆସନ୍ତାକାଲି ଭୁବନେଶ୍ବରରେ ମୋଦୀଙ୍କ ରୋଡ ସୋ, ଯାଞ୍ଚ କଲେ ଏସପିଜି କମାଣ୍ଡୋ, ପହଞ୍ଚିଲା ସ୍ବତନ୍ତ୍ର ଗାଡି

ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବରରେ ବିଶାଳ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ତାଙ୍କର ସ୍ବତନ୍ତ୍ର ଗାଡି ଭୁବନେଶ୍ବରରେ ପହଞ୍ଚି ସାରିଛି। ଏଥିସହିତ ସୁରକ୍ଷା ପାଇଁ ରାଜଧାନୀରେ ପହଞ୍ଚିଛନ୍ତି ଏସପିଜି କମାଣ୍ଡୋ। ସେମାନେ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଯାଞ୍ଚ କରୁଛନ୍ତି।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଧ୍ୟାରେ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ରାସ୍ତାର ଦୁଇ ପାର୍ଶ୍ବରେ ଲୋକମାନେ ଛିଡା ହୋଇ ତାଙ୍କୁ ସ୍ବାଗତ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏ ନେଇ ବିଜେପି ଶିବିର ବେଶ ଚଳଚଞ୍ଚଳ ହୋଇପଡିଛି। ବିଶେଷ କରି ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବେଶ ଉତ୍ସାହିତ ହୋଇପଡିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ପ୍ରକାଶ ପାଇବ ବିଜୁ ଜନତା ଦଳର ନିର୍ବାଚନ ଇସ୍ତାହାର

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ବିଜୁ ଜନତା ଦଳର ନିର୍ବାଚନ ଇସ୍ତାହାର। ଭୁବନେଶ୍ବରର ଶଙ୍ଖ ଭବନରେ ଦଳ ତରଫରୁ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀର ମଧ୍ୟ ଆୟୋଜନ କରାଯାଇଛି। ବର୍ତ୍ତମାନ ନିର୍ବାଚନ ପାଖେଇ ଯାଇଥିଲେ ମଧ୍ୟ ବିଜେଡି ତାହାର ଇସ୍ତାହାର ପ୍ରକାଶ କରି ନାହିଁ। ଅନ୍ୟପକ୍ଷରେ ଅନ୍ୟ ଦଳଗୁଡିକ ତାଙ୍କର ଇସ୍ତାହାର ପ୍ରକାଶ କରିସାରିଲେଣି।

ତେବେ ପ୍ରଚାର ବେଳେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଇସ୍ତାହାରକୁ ନେଇ ମତ ରଖିଥିଲେ। ସେ କହିଥିଲେ ଯେ, ଅନ୍ୟ ଦଳ ନିର୍ବାଚନ ଜିତିବା ପାଇଁ ଇସ୍ତାହାର ପ୍ରକାଶ କରିଛନ୍ତି। ହେଲେ ବିଜେଡି ଓଡିଶାର ବିକାଶ ପାଇଁ ଇସ୍ତାହାର ପ୍ରକାଶ ପାଇବ। ବିଜେଡି ଇସ୍ତାହାର ଦେଶର ସବୁଠାରୁ ଶ୍ରେଷ୍ଠ ଇସ୍ତାହାର ହେବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

କୋରେଇ ଆସନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ

ଯାଜପୁର: କୋରେଇ ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସନ୍ଦ୍ୟାରାଣୀ ଦାସ। ତାଙ୍କ ହଜାର ହଜାର ସମର୍ଥକଙ୍କ ସହିତ ଏକ ଶୋଭାଯାତ୍ରାରେ ଆସି ସେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ତା ପୂର୍ବରୁ ସେ ପାଣିକୋଇଲି ତାରିଣୀ ମନ୍ଦିରରେ ପୂଜା ଅର୍ଚ୍ଚନା କରି ନାମାଙ୍କନ ଦାଖଲ ପାଇଁ ଯାଇଥିଲେ।

ସନ୍ଧ୍ୟାରାଣୀ 4 ସେଟ ନାମାଙ୍କନ ଦାଖଲ କରିଛନ୍ତି। କୋରେଇ ହେଉଛି ତାଙ୍କ ସ୍ବାମୀ ସ୍ବର୍ଗତ ଅଶୋକ ଦାସଙ୍କ ଗଡ। ସେଠାରୁ ଅଶୋକ ଦାସ ଲଗାତର ଜିତି ଆସୁଥିଲେ। ତାଙ୍କର ପରଲୋକ ପରେ ସେଠାରୁ ଅନ୍ୟମାନେ ଛିଡା ହୋଇଥିଲେ। ତାଙ୍କ ପୁତ୍ର ପ୍ରଣବ ପ୍ରକାଶ ଦାସ ବର୍ତ୍ତମାନ ବିଜେଡିର ଜଣେ ଟାଣୁଆ ନେତା। ସେ ସମ୍ବଲପୁର ଲୋକସଭା ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ବ୍ୟବସାୟ ରାଜ୍ୟ ଖବର

ଚେକିଂ ବେଳେ ମିଳିଲା ୮ କୋଟି ନଗଦ ଟଙ୍କା, ପୋଲିସ ତାଜୁବ

ନୂଆଦିଲ୍ଲୀ: ପୋଲିସର ଚେକିଂ ବେଳେ ମିଳିଛି କୋଟି କୋଟି ଟଙ୍କା। ଖାଲି ନଗଦ କ୍ୟାସ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନିର୍ବାଚନ ସମୟରେ ଏପରି ବିପୁଳ ପରିମାଣର ଟଙ୍କା କାହାର, କେଉଁଠି ଆସିଲା ଏତେ ଟଙ୍କା ତାହା ପୋଲିସର ମୁଣ୍ଡ ଖରାପ କରିଦେଇଛି। ସେତିକି ନୁହେଁ ଏହି ଟଙ୍କା ଏକ ଲରିରେ ଯେପରି ନିଆଯାଉଥିଲା ତାହା ମଧ୍ୟ ବଡ ଆଶ୍ଚର୍ଯ୍ୟର କଥା।

ଏହି ଘଟଣାଟି ଆନ୍ଧ୍ର ପ୍ରଦେଶର ଏନଟିଆର ଜିଲ୍ଲା ଚେକ ଗେଟ ଚେକିଂ ବେଳ ଜଣାପଡିଛି। ସେଠାରେ ଥିବା ଗରିକାପାଡୁ ଚେକ ଗେଟରେ ସାଧାରଣ ଚେକିଂ ବେଳେ ଏହି ଘଟଣା ପଦାକୁ ଆସିଛି। ବଡ ବଡ ପାଇପ ଲୋଡ ହୋଇଥିବା ଏକ ଲରିର ଡ୍ରାଇଭର ଓ ହେଲପର ହାଲଭାବ ଦେଖି ଚେକିଂ ଅଧିକାରୀଙ୍କ ସନ୍ଦେହ ହୋଇଥିଲା।

ସେମାନେ ଗାଡିକୁ ସାଇଟ କରି ଭଲଭାବରେ ଚେକ କରିବା ପରେ ଜଣାପଡିଥିଲା ଯେ, ଲରି ଭିତରେ ଏକ ସ୍ବତନ୍ତ୍ର ଚ୍ୟାମ୍ବର କରାଯାଇଛି। ତାହାକୁ ଖୋଲିବାରେ ପରେ ସେଥିରେ ମିଳିଥିଲା ଟଙ୍କା ଓ ଟଙ୍କା। ଯାହା ୮ କୋଟି ଟଙ୍କା ବୋଲି ଜଣାପଡିଛି। ଏ ନେଇ ଆନ୍ଧ୍ର ପୋଲିସ ଅଧିକ ତଦନ୍ତ କରୁଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ପ୍ରଚାରରେ ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଜାଣନ୍ତୁ କେଉଁଠି କରିବେ ସଭା

ଭୁବନେଶ୍ବର: ଆଜି ନିର୍ବାଚନ ପ୍ରଚାରରେ ଓଡିଶା ଆସୁଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ସେ ପୂର୍ବରୁ ଓଡିଶା ପ୍ରଚାରରେ ଆସିବାର ଥିଲା। ହେଲେ କୌଣସି କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆସିପାରି ନ ଥିବାରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗ ଦେଇଥିଲେ। ହେଲେ ଆଜି ସେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସଭା କରିବେ ବୋଲି ଜଣାପଡିଛି।

ସୂଚନା ଅନୁସାରେ ଗଡକରୀ ଆଜି ଦିନ ୧୨ଟା ୧୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିବେ । ଏହାପରେ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଯାଇ ପୁରୀ ତାଳବଣିଆ ହେଲିପ୍ୟାଡରେ ମଧ୍ୟହ୍ନ ୧୨ଟା ୩୫ ମିନିଟରେ ପହଞ୍ଚିବେ। ପ୍ରଥମେ ସେ ଦିନ ୧ ଟାରୁ ୧ଟା ୪୫ ମିନିଟ ମଧ୍ୟରେ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବେ ।

ଏହାପରେ ଶ୍ରୀମନ୍ଦିରରୁ ବାହାରି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବାସଗୃହକୁ ଯିବେ।ଅପରାହ୍ଣ ୩ଟା ୩୦ ମିନିଟରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବିଜେପିର ପ୍ରଚାର ବିରାଟ ସମାବେଶକୁ ସମ୍ବୋଧିତ କରିବେ । ସେଥିପାଇଁ ପୁରୀ ବିଜେପି ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେଠାରେ ଗଡକରୀ ପୁରୀ ଲୋକସଭା ପାଇଁ ସମ୍ବିତ ପାତ୍ରଙ୍କ ସହିତ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ସେ ନିବେଦନ କରିବେ।