ଆଙ୍କରୋଜ ଇନ୍‌ଫ୍ରାଷ୍ଟ୍ରକଚର ବିନିଯୋଗ କରିବ ୧୫ ହଜାର କୋଟି ଟଙ୍କା, ମିଳିଲା କ୍ୟାବିନେଟ ଅନୁମୋଦନ

Published: Aug 25, 2021, 11:24 pm IST

ନୂଆଦିଲ୍ଲୀ, ଆଙ୍କରେଜ ଇନ୍‌ଫ୍ରାଷ୍ଟକଚର ଇନ୍‌ଭେଷ୍ଟମେଂଟ ହୋଲ୍ଡିଂ ଲିମିଟେଡ (କମ୍ପାନୀ) ଭାରତରେ ୧୫ କୋଟି ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ପୁ୍‌ଞ୍ଜି ନିବେଶ ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଆଜି ଅନୁମୋଦନ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏହି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମତି ମିଳିଛି । ଆଙ୍କରେଜ୍ ଇନ୍‌ଫ୍ରାଷ୍ଟକଚର ଇନ୍‌ଭେଷ୍ଟମେଣ୍ଟ ହୋଲ୍ଡିଂ ଲିମିଟେଡ, ଏକ ଭାରତୀୟ ନିବେଶ କମ୍ପାନୀ ଯାହା ଭିତ୍ତିଭୂମି ଓ ନିର୍ମାଣ- ବିକାଶ ଉଦ୍ୟୋଗରେ ପୁଞ୍ଜିନିବେଶ ପାଇଁ ସ୍ୱତନ୍ତ୍ର ଭାବେ ଗଠିତ ହୋଇଛି । ପରିବହନ ଓ ଲଜିଷ୍ଟିକ୍ (ରଶଦ) କ୍ଷେତ୍ରରେ ମଧ୍ୟ ଏହା ପୁଞ୍ଜି ଖଟାଇବ । ଏଥିରେ ବିମାନବନ୍ଦର, ବିଭିନ୍ନ ଅନୁସାରୀ ଉଦ୍ୟୋଗ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ନିର୍ମାଣ କ୍ଷେତ୍ର ଅନ୍ତର୍ଭୁକ୍ତ ।

ଏହି କମ୍ପାନୀ ମଧ୍ୟ ବେଙ୍ଗାଲୁରୁ ଆନ୍ତର୍ଜାତିକ ବିମାନ ବନ୍ଦର ସରକାରୀ ଅଂଶଧନ ନିଜ ହାତକୁ ନେବ । ସେହିଭଳି ଓଣ୍ଟାରିଓ ଇଙ୍କ୍ କମ୍ପାନୀରୁ ୯୫୦କୋଟି ଟଙ୍କାର ନିବେଶ ପାଇବ । ଓଣ୍ଟାରିଓ ଇଙ୍କ୍ ଓଏସିର ସମ୍ପୂର୍ଣ୍ଣ ମାଲିକାନରେଥିବା ଏକ ସହାୟକ ସଂସ୍ଥା । ଓଏସି କାନାଡାର ସର୍ବବୃହତ୍ ପେନ୍‌ସନ୍ ଯୋଜନା ଓଏମ୍‌ଇଆର୍‌ଏସ୍‌ର ପରିଚାଳକ ।

ଏହି ନିବେଶ ଭାରତୀୟ ଭିତ୍ତିଭୂମି, ନିର୍ମାଣ ଓ ବିମାନବନ୍ଦର କ୍ଷେତ୍ରର ବିକାଶ ପାଇଁ ବିଶେଷ ସହାୟକ ହେବ । ଘରୋଇ ସହଯୋଗରେ ଦେଶରେ ବିଶ୍ୱସ୍ତରୀୟ ବିମାନବନ୍ଦର ଓ ପରିବହନ ସଂକ୍ରାନ୍ତ ଭିତ୍ତିଭୂମି ନିର୍ମାଣ କରିବାକୁ ସରକାର ଯେଉଁ ଉଦ୍ୟମ କରୁଛନ୍ତି ଏହା ତାହାକୁ ତ୍ୱରାନ୍ୱିତ କରିବ ।

ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସଂସ୍ଥାର ସମ୍ପତ୍ତିକୁ ଲିଜ୍ ଦେଇ ଅର୍ଥ ସଂଗ୍ରହ କରିବାକୁ ସରକାର ନିକଟରେ ଯେଉଁ ଜାତୀୟ ମନିଟାଇଜେସନ ପାଇପଲାଇନ(ଏନ୍‌ଏମ୍‌ପି) ଘୋଷଣା କରିଛନ୍ତି ଏହି ନିବେଶ ସେଥିପାଇଁ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି । ସରକାର ଯେଉଁ ସବୁ ରାଷ୍ଟ୍ରାୟତ୍ତ ଭିତ୍ତିଭୂମି ସମ୍ପତ୍ତିକୁ ଲିଜ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସେଥିପାଇଁ ଏହି ସଂସ୍ଥା ପାଣ୍ଠି ଯୋଗାଇବ ।

ସରକାର ଲିଜ୍‌ଆଉଟ ଯୋଜନାରେ ସଡକ, ରେଳବାଇ, ବିମାନବନ୍ଦର, ଷ୍ଟାଡିୟମ, ବିଜୁଳି ପରିବହନ ଲାଇନ, ଗ୍ୟାସ ପାଇପଲାଇନ ଆଦିକୁ ଘରୋଇ ପରିଚାଳକଙ୍କୁ ଲିଜ୍ ସୂତ୍ରରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏନ୍‌ଏମ୍‌ପି ଅନ୍ତର୍ଭୁକ୍ତ କେତେକ କ୍ଷେତ୍ରରେ ଅନୁସାରୀ ଉଦ୍ୟୋଗ ପାଇଁ ଅଙ୍କରେଜ ଇନ୍‌ଫ୍ରାଷ୍ଟ୍ରକଚର କମ୍ପାନୀ ପୁଞ୍ଜି ଲଗାଇବାକୁ ପ୍ରସ୍ତାବ ଦେଇଛି ।

ଏହି ନିବେଶ ଫଳରେ, ବିଶେଷକରି ଅନୁସାରୀ ଉଦ୍ୟୋଗରେ ସିଧାସଳଖ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହିସବୁ ଉଦ୍ୟୋଗରେ ବିପୁଳ ଅର୍ଥ ବ୍ୟୟ ହେବା ସହିତ ଲୋକଶକ୍ତିର ପ୍ରଚୁର ଆବଶ୍ୟକତା ରହିଛି । ତେଣୁ ନିଯୁକ୍ତି ସୁଯୋଗ ବଢିବ । ନିର୍ମାଣ ଓ ଆନୁଷଙ୍ଗିକ କାର‌୍ୟ୍ୟ ସମୟରେ ଅନେକ ଲୋକ ପରୋକ୍ଷଭାବେ ମଧ୍ୟ ନିଯୁକ୍ତି ସୁବିଧା ପାଇବେ ।

Related posts