ପ୍ରାଚୀନ ଭିତରେ ସମକାଳ ର ଜୀବନବୋଧ ଖୋଜୁଥିବା ଚିତ୍ରଶିଳ୍ପୀ ପ୍ରତୁଲ୍ ଦାଶଙ୍କ ସହ ଏକ ସାକ୍ଷାତକାର

Published: Nov 4, 2018, 6:54 pm IST

ପ୍ରତୁଲ୍ ଦାଶ,ସମକାଳୀନ ଭାରତୀୟ ଚିତ୍ର ଜଗତରେ ଏକ ଚର୍ଚ୍ଚିତ ନାମଚିତ୍ର ସଂରଚନାରେ ଅଭିନବ ରୀତି  ଓ ଅଣପାରମ୍ପରିକ କଳା ସଂସ୍ଥାପନା ପାଇଁ ପ୍ରତୁଲଙ୍କ ସୁନାମ ରହିଛିତାଙ୍କର ଜନ୍ମ ଓଡିଶାର ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ । ତାଙ୍କର କଳାକର୍ମଗୁଡିକ ଭିନ୍ନ ଭିନ୍ନ ଧାରଣାକୁ ଆଧାର କରି ସୃଷ୍ଟ । ବି.କେ କଲେଜ ଭୁବନେଶ୍ୱରରୁ ସ୍ନାତକ ଏବଂ ଦିଲ୍ଲୀ କଲେଜ ଅଫ୍ ଆର୍ଟରୁ ସ୍ନାକତ୍ତୋର କରିବା ପରେ ସେ ଏବେ ଦିଲ୍ଲୀରେ ଚିତ୍ରାଭ୍ୟାସ କରୁଛନ୍ତି ।ପ୍ରତୁଲ ନିଜ ବିଷୟବସ୍ତୁ ଚୟନ ବେଳେ ବାସ୍ତବତା ଓ ସାମାଜିକ ଜୀବନର ଛୋଟ ଛୋଟ ଘଟନା ସହ ନିଜକୁ ସାମିଲ କରନ୍ତିତାଙ୍କ ଚିତ୍ର କାନଭାସ ରେ ହେଉ ବା ସଂସ୍ଥାପନା କ୍ଷେତ୍ରରେ, କେବେ କେମିତି ଅଡିଓ ଭିଜୁଆଲ ନିର୍ମାଣରେ ମଧ୍ୟ ସେ କୁହୁକ ସର୍ଜନ କରିପାରନ୍ତି। ତାଙ୍କ ଚିତ୍ର ସାଧାରଣ ମଣିଷର କଥାକୁ ଅସାଧାରଣ କଳାଶକ୍ତି ପ୍ରଦାନ କରିବାରେ ସମର୍ଥ।   ନିଜର କଳାତ୍ମକ ଉପସ୍ଥାପନାରେ ପ୍ରତୁଲ ସମାଜ, ସ୍ଥାନାନ୍ତରଣ ଭଳି ସମସ୍ୟା , ଜୀବଜଗତର ସଙ୍କଟ  ଆଦି ବିଷୟ ଉପରେ ଆଲୋକପାଟ  କରିଥାନ୍ତି ।

ସମ୍ପ୍ରତି ଭୁବନେଶ୍ୱର ଆର୍ଟ ଟ୍ରେଲ ରେ ନିଜର ପ୍ରସ୍ତୁତି ରଖୁଥିବା ଆମ ସମୟର ପ୍ରଖ୍ୟାତ ଚିତ୍ରଶିଳ୍ପୀ ପ୍ରତୁଲ ଦାଶଙ୍କ ସହ କିଛି କଥାବାର୍ତ୍ତା। –

ଉପସ୍ଥାପନା- ସୁମିତ୍ରା ପାଢୀ

 ପ୍ର.୧- ଆପଣ ଏବେ କରୁଥିବା ଚିତ୍ରାଭ୍ୟାସ ସଂପର୍କରେ କଣ କହିବାକୁ ଚାହିଁବେ?

ଉ- ମୂଳତଃ ମୁଁ ପେ ଣ୍ଟିଂରେ ଉଭୟ ସ୍ନାତକ ଓ ସ୍ନାତକୋତ୍ତର କରିଛି । କିନ୍ତୁ ବର୍ତ୍ତମାନ ମୁଁ ଯେଉଁ ପ୍ରକାର କାମ କରୁଛି ; ସେ ପେଣ୍ଟିଂ ହେଉ ବା ଭିଡ଼ିଓ ହେଉ , ନିର୍ଦ୍ଦିଷ୍ଟ ସ୍ଥାନ ସଂପର୍କିତ କାମ ହେଉ ବା ଧ୍ୱନୀ ସଂପର୍କିତ କାମ ହେଉ ସବୁଗୁଡିକ ଆମର ସାମାଜିକ – ରାଜନୈତିକ – ପରିବେଶ ସଂପର୍କିତ ଅବସ୍ଥା ଓ ବ୍ୟବସ୍ଥାକୁ ସୂଚାଉଛି । ଚିତ୍ର ଆଙ୍କିବା ସମୟରେ ବେଳେବେଳେ ମନେହୁଏ ଯେ ମୁଁ ଯାହା ଚାହୁଁଛି ସେସବୁ ପ୍ରକାଶ ଘଟି ପାରୁନି; କେଉଁଠି ଠାଏ ଧ୍ୱନୀର ଅଭାବ ରହିଯାଉଛି ତ କେଉଁଠି ଦରକାର ପଡୁଛି ଅଭିନୟ । ସେହି ଅଭାବବୋଧରୁ ନିଜକୁ ଅଭିବ୍ୟକ୍ତ କରିବାକୁ ମୁଁ ନୂଆ ମାଧ୍ୟମ ଖୋଜିବୁଲେ  । ତେଣୁ ବିଭିନ୍ନ ମାଧ୍ୟମରେ କାମ କାରିବାଟା ମୋ ଲାଗି ମୋ ଦୈନନ୍ଦିନ ଚିତ୍ରାଭ୍ୟାସର ଏକ ସମ୍ପ୍ରସାରଣ । ମୁଁ କୈାଣସି ମାଧ୍ୟ୍ୟମକୁ ଫ୍ୟାସନ ଭାବେ , ଟ୍ରେଣ୍ଡ ଭାବେ କି କେବଳ ବ୍ୟବହାର କରିବା ପାଇଁ ବ୍ୟବହାର କରେନି । ମୁଁ ଆବଶ୍ୟକତା ଅନୁସାରେ ମାଧ୍ୟମଟିକୁ ବାଛେ । ତେଣୁ କୈାଣସି ମାଧ୍ୟମ ମୋ ପାଇଁ ପୁରୁଣା ନୁହେଁ ।

ପ୍ର.୨- ଏହି ଟ୍ରେଲରେ  ଆପଣ ଯେଉଁ କାମ କାରୁଛନ୍ତି ତାହାକୁ ପୁରୁଣା ଭୁବନେଶ୍ୱର ସହ କେମିତି ଯୋଡୁଛନ୍ତି?

ଉ- ଭୁବନେଶ୍ୱର ମୋ ପାଇଁ ନୂଆ ନୁହେଁ । ମୋ ଜୀବନର ସର୍ଜନାତ୍ମକ ଓ ଗଠନମୂଳକ ଦିନସବୁ  ଏଇଠାରେ ବିତିଛି । ୧୯୯୦ ରୁ ୯୬ ଯାଏଁ ଦୀର୍ଘ ଛଅ ବର୍ଷ ମୁଁ ଏଇ ସହରରେ କଟେଇଛି । ତେଣୁ ଏହି ପବ୍ଲିକ୍ ଆର୍ଟ ପ୍ରକଳ୍ପ ଅବସରରେ ଏଠାକୁ ଅସିବାଟା ଅତୀତର ସ୍ମୃତିକୁ ପୁଣି ସତେଜ କରିଦେବା ପରି ହୋଇଛି । ଏଠାକୁ ଆସି ମନ୍ଦିର ସବୁକୁ  ପୁଣିଥରେ ବୁଲିବା ବେଳେ ଚଟାଣରେ ପଡିଥିବା ଜ୍ୟାମିତିକ ରେଖା ମୋତେ ଆକୃଷ୍ଟ କଲା । ବିନ୍ଦୁସାଗର କୂଳରେ ଏବେ ଆମେ ଯେଉଁଠି ବସିଛନ୍ତି ତାର ଆର ପାଖକୁ ଅନେଇଲା ବେଳକୁ ଏଠାକାର ଭୈାଗୋଳିକ ଅବସ୍ଥିତିରେ ଯେଉଁ  ଅନେକ ପରସ୍ତ ପଡିଗଲାଣି ତାହା ଦିଶିଲା । ଏଇ ସାମ୍ନାରେ ଯେଉଁ ମନ୍ଦିରଟି ଉପରକୁ ଯେତିକି ଦିଶୁଛି ତା ତଳେ ମଧ୍ୟ ସେତିକି ପୋତି ହୋଇ ରହିଛି । କାରଣ ଏ ଭିତରେ ରାସ୍ତା ଅନେକ ଉଚ୍ଚ ହୋଇଗଲାଣି । ଅନନ୍ତ ବାସୁଦେବ ମନ୍ଦିରରେ କୁଡୁଆ ଗୁଡିକ ଦେଖି ଏସବୁ ଯେ ଅନେକ ଦିନରୁ ପୁରୀ ମନ୍ଦିର ହେଉ କି ଏଠାକାର ମନ୍ଦିର ହେଉ ସବୁଠି ବ୍ୟବହାର ହେଉଛି ମନେପଡିଲା । କୁଡୁଆ ହାତରେ ତିଆରି ହୁଏ ବୋଲି ସବୁ ଗୁଡିକ ଭିନ୍ନ । ତେଣୁ ସ୍ୱତନ୍ତ୍ର, ପୁରୁଣା ବି । ଜାଣିଶୁଣି କିଛି ଅଇଁଠା କୁଡୁଆ ବି ସଂଗ୍ରହ କରିଛି । ମୋ ମତରେ ଏହି ସ୍ୱତନ୍ତ୍ରତା ଓ ଭିନ୍ନତା ହିଁ ସୈାନ୍ଦର୍ଯ୍ୟ । ଏହାଛଡା ଏଠାକୁ ଆସିବା ପରେ ସାତ ଦିନ ହେଲା ଗୋଟେ ଘରଚଟିଆ ବି ଦେଖିବାକୁ ପାଉନି । ତେଣୁ ମୋ କାମଟି ମନ୍ଦିର ଚଟାଣର ଜ୍ୟାମିତିକ ରେଖା , ଅତୀତ ସମୟରୁ ତିଆରି ହୋଇଆସୁଥିବା କୁଡୁଆ, ଚଢେଇଙ୍କ ପାଇଁ ନୀଡ, ସମାଜର ବିଭିନ୍ନ ସ୍ତରର ଲୋକ ବ୍ୟବହାର କରୁଥିବା ମାଟିପାତ୍ରକୁ ନେଇ । କଳାକୃତିଟି ସଂପୂର୍ଣ୍ଣ ହେବା ପରେ ଆପଣ ଦେଖିଲେ ଅନୁଭବ କରିପାରିବେ ଏହା ଭିତରେ କେମିତି ଅନେକ ପରସ୍ତ ଲୁଚିରହିଛି ।

ପ୍ର.୩- ଆପଣଙ୍କ ମତରେ ସ୍ମାର୍ଟ ସିଟି ଭୁବନେଶ୍ୱରର ରୂପରେଖ କେମିତି ହେବା କଥା?

ଉ- ସ୍ମାର୍ଟ ସିଟି ଶବ୍ଦଟିକୁ ହିଁ ମୁଁ ବୁଝିପାରେନି । ମୁଁ ପ୍ରଗତିର ବିରୋଧୀ ନୁହେଁ  କିନ୍ତୁ ଆମକୁ ସେଥିପାଇଁ କେତେ ହରାଇବାକୁ ପଡୁଛି ସେଇଟା ହିଁ ଭାବିବାର କଥା । ସ୍ମାର୍ଟ ସିଟି ସ୍ୱାଗତଯୋଗ୍ୟ କିନ୍ତୁ ଆମକୁ ଏଥିଲାଗି ଅନେକ ଦାୟିତ୍ୱ ନେବାକୁ ପଡିବା ସହ ଅନୁଭବି ହେବାକୁ ହେବ ।

୪-ପ୍ର. ଭୁବନେଶ୍ୱର ଆର୍ଟ ଟ୍ରେଲ୍ କେତେ ପ୍ରାସଙ୍ଗିକ ବୋଲି ଆପଣ ଭାବନ୍ତି?

ଉ. ନିଶ୍ଚିନ୍ତ ଭାବେ ଏହା ଏକ ସୁନ୍ଦର ପ୍ରୟାସ । ଏହି କଥାଟି କିନ୍ତୁ ଅନେକ ବର୍ଷ ଆଗରୁ ହେବାର ଥିଲା । ମୋ ମତରେ ଏହି ଟ୍ରେଲ୍ କେବଳ ଏକ ଆରମ୍ଭ ମାତ୍ର । ଆଗକୁ ଆହୁରି ଏମିତି ଅନେକ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି । ଏହି ପ୍ରକଳ୍ପ ମାଧ୍ୟମରେ ଭୁବନେଶ୍ୱର ଓ ଓଡିଶା ଜାତୀୟ ଓ ଆନ୍ତର୍ଜାତିକ ସମସାମୟିକ କଳା କ୍ଷେତ୍ରରେ ପରିଚୟ ସୃଷ୍ଟି କରୁଛି, ଯାହା ଖୁବ୍ ଭଲ କଥା  । ଏଠାକାର ଜନସାଧାରଣଙ୍କର ମଧ୍ୟ କଳା ବିଷୟରେ ନୂଆ ଧାରଣା ତିଆରି ହେଉଛି । ତେଣୁ ସବୁ ଦୃଷ୍ଟିରୁ ଏହା ଏକ ନୂଆ ଆରମ୍ଭ ।

Related posts