Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମର୍ଦ୍ଦଳର ମହାନାୟକ; ଗୁରୁ ବନମାଳୀ ମହାରଣା
ବିଶେଷ ଖବର

ମର୍ଦ୍ଦଳର ମହାନାୟକ; ଗୁରୁ ବନମାଳୀ ମହାରଣା

November 17, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର –

କେତେ କେତେ ବାୟକ ଆସିଛନ୍ତି ଓ ଯାଇଛନ୍ତି। ଓଡିଶୀ ସଙ୍ଗୀତର ବିଶାଳ ପରମ୍ପରାରେ ଅନେକ ନାୟକ ଓ ମହାନାୟକଙ୍କ ଭିଡ଼। ହେଲେ ସେ ଭିଡ଼ ଭିତରେ ସବୁଠୁ ଛୋଟିଆ ଲୋକଟି, ସବୁଠୁ ବଡ଼ କାମ କରି ଆଜି ଆମ ଗହଣରୁ ବିଦାୟ ନେଇଛନ୍ତି। ସେ ବନମାଳୀ ମହାରଣା, ଓଡ଼ିଶୀ ମର୍ଦ୍ଦଳର ମହାନାୟକ, ଓଡ଼ିଶୀ ବାଦ୍ୟ ପରମ୍ପରାର ଏକକ ଛତ୍ରପତି, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ବିଜେତା, ଓଡ଼ିଶୀ ମର୍ଦ୍ଦଳ ଏକାଡେମୀର ପ୍ରାଣ ପ୍ରତିଷ୍ଠାତା, ଅନନ୍ୟ ଗୁରୁ ଓ ଓଡ଼ିଶୀ ସଙ୍ଗୀତର ଗୁରୁଣାମ ଗୁରୁ। ଅଦ୍ଭୁତ ଯାଦୁକରୀ ଶକ୍ତି ଥିଲା ତାଙ୍କ ହାତରେ। ତାଳର ଛନ୍ଦ ଓ ମାତ୍ରା, ଗୁଣ ଓ ଲୟ ଏବଂ ସବୁକୁ ମିଶାଇ ଏକ ଅପୂର୍ବ ଭାବ ନିର୍ମାଣରେ ତାଙ୍କର ସମକକ୍ଷ ବାଦ୍ୟକାର ଆମ ସମୟରେ ନାହାନ୍ତି। ଓଡ଼ିଶୀ ମର୍ଦ୍ଦଳକୁ ଓଡ଼ିଶୀ ନୃତ୍ୟର ସହଯୋଗୀ ବାଦ୍ୟ ପର୍ଯାୟରୁ ଉନ୍ନୀତ କରି ତାହାକୁ ଏକ ସ୍ଵୟଂ ସମ୍ପୁର୍ଣ୍ଣ ବାଦ୍ୟର ମାନ୍ୟତା ଦେବାରେ ତାଙ୍କର ସବ୍ୟସାଚୀ ଭୂମିକା ରହିଛି। ତାଳର ବ୍ୟାକରଣ ଓ ମର୍ଦ୍ଦଳର ବାଣୀକୁ ବ୍ୟାପକ କରାଇବାରେ ତାଙ୍କର ଐତିହାସିକ ଭୂମିକାକୁ ଏ ଜାତି ଭୁଲି ପାରିବ ନାହିଁ।

ପୁରୀ ଜିଲ୍ଲାର ରଘୁରାଜପୁର, ବନମାଳୀ ମହାରଣାଙ୍କ ଜନ୍ମସ୍ଥାନ। ଏଇ ହେଉଛି ସେ ରଘୁରାଜପୁର ଯିଏ ଆମକୁ ଦେଇଛି କେଳୁଚରଣ ମହାପାତ୍ରଙ୍କୁ। ଦେଇଛି ପଟ୍ଟଚିତ୍ର ଓ ଗୋଟିପୁଅ ନାଚର ପରମ୍ପରା। ୧୬, ମଇ, ୧୯୪୧ରେ ତାଙ୍କର ଜନ୍ମ। ସମ୍ପର୍କୀୟ ଭାଇ କେଳୁଚରଣ ଥିଲେ ତାଙ୍କର ମାର୍ଗଦର୍ଶକ। ଗାଁ’ ରୁ ଆରମ୍ଭ ହୁଏ ବାଜା ବଜେଇବା। ପରେ ଆସନ୍ତି କଟକ। ସେତେବେଳେ ଅନ୍ନପୂର୍ଣ୍ଣା ଥିଏଟରରେ ଛୋଟମୋଟ କାମରେ ସହଯୋଗ କରନ୍ତି। ହାତରେ ଥାଏ କିଛି ଗୋଟେ ବଜାଇବାର ନିଶା। ସୁଯୋଗ ଆସେ, ଯେତେବେଳେ ଥିଏଟରର ମୁଖ୍ୟ ବାଦକ ବେମାର ପଡ଼ନ୍ତି। ସାନପିଲା ବନମାଳୀଙ୍କ ଅଶିଖା ହାତର ଯାଦୁକରୀ ସମସ୍ତଙ୍କୁ ମୁଗ୍ଧ କରେ। ଆସ୍ତେ ଆସ୍ତେ ଅନ୍ନପୂର୍ଣ୍ଣାର ମୁଖ୍ୟ ତାଳ ରଚନାକାର ଭାବରେ ସେ ପ୍ରତିଷ୍ଠା ପାଆନ୍ତି।

ଷାଠିଏ ଦଶକରେ ଓଡିଶୀ ନୃତ୍ୟର ପୁନଃ ପ୍ରତିଷ୍ଠା ବେଳେ ସେ ମହାନ ଗୁରୁ କେଳୁଚରଣ ମହାପାତ୍ରଙ୍କ ସହଯୋଗୀ ଭୂମିକା ତୁଲାଇଥିଲେ। ସେତେବେଳେ କେଳୁବାବୁ ଏବଂ ବନୁବାବୁ ଥିଲେ, ରାମ ଲକ୍ଷ୍ମଣ। ଦୁଇ ଭାଇଙ୍କ ଭିତରେ ଅପୂର୍ବ ସ୍ନେହ, ସଖ୍ୟ, ସହଯୋଗୀତା ଓ ସର୍ଜନଶୀଳ ସମ୍ପର୍କ ରହିଥିଲା। କେଳୁବାବୁଙ୍କ ପ୍ରାୟ ସବୁ ନୃତ୍ୟ ରଚନାରେ ବନମାଳୀ ମହାରଣା ଥିଲେ ତାଙ୍କର ସହଯୋଗୀ। ଯଦିଓ କେଳୁ ବାବୁ ନିଜେ ଜଣେ, ଧୂରୀଣ ମର୍ଦ୍ଦଳ ଶିଳ୍ପୀ ଥିଲେ, ତଥାପି ବନମାଳୀଙ୍କ ଉପରେ ତାଙ୍କର ଆସ୍ଥା ଥିଲା ପ୍ରବଳ।

ସବୁ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ସଙ୍ଗୀତଶିଳ୍ପୀଙ୍କ ପାଇଁ ବନୁସାର୍ ଥିଲେ ପ୍ରଥମ ପସନ୍ଦର ଶିଳ୍ପୀ। ଯେମିତି ବନୁସାରଙ୍କ ମର୍ଦ୍ଦଳ ନବାଜିଲେ ପାଦ ଚଳିବ ନାହିଁ। ପରବର୍ତ୍ତୀ ସମୟରେ ଓଡ଼ିଶା ସଙ୍ଗୀତ ନାଟକ ମହାବିଦ୍ୟାଳୟରେ ମର୍ଦ୍ଦଳ ବିଭାଗର ମୁଖ୍ୟ ଭାବରେ ସେ ଯୋଗ ଦିଅନ୍ତି। ଆଜି ଓଡିଶାରେ ଯେତେ ସବୁ ମର୍ଦ୍ଦଳ ବାଦକ, ସମସ୍ତେ ଗୁରୁ ବନମାଳୀଙ୍କ ଶିଷ୍ୟ। ହାତ ଧରି ବହୁ ଶିଷ୍ୟ ପ୍ରଶିଷ୍ୟଙ୍କୁ ସେ ଗଢ଼ିଛନ୍ତି। ବହୁ ଅନୁଷ୍ଠାନ ଓ ଉତ୍ସବର ଆୟୋଜନ କରିଛନ୍ତି। ମର୍ଦ୍ଦଳରେ ଲିଙ୍ଗଭେଦ ଭାଙ୍ଗିଛନ୍ତି। ଖାଲି ଯେ ପୁରୁଷ ବାଦ୍ୟକାର ହେବେ, ଏମିତି ଏକ ପରମ୍ପରାକୁ ଭାଙ୍ଗି ବହୁ ମହିଳା ବାଦ୍ୟଶିଳ୍ପୀଙ୍କୁ ସେ ତାଳବାଦ୍ୟ ଶିଖେଇଛନ୍ତି। ନିଜର ଦୁଇ ନାତୁଣୀଙ୍କୁ ମର୍ଦ୍ଦଳ ବିଦ୍ୟା ଶିଖେଇ ମଞ୍ଚ ପ୍ରବେଶ କରାଇଛନ୍ତି। ଓଡ଼ିଶୀ ନୃତ୍ୟର ବ୍ୟାକରଣରେ ଛନ୍ଦ ଓ ତାଳକୁ ଯୋଡ଼ିବାରେ ତାଙ୍କର ଅବଦାନ ବହୁତ ବେଶୀ।

ଓଡ଼ିଶୀ ମର୍ଦ୍ଦଳର ତାଳ, ମାନ, ଛନ୍ଦ, ମାତ୍ରା, ଖଣ୍ଡି, ଗଡ଼ି, ଅରଷା ଓ ବୃତ୍ତ ନିର୍ମାଣରେ ସେ ଥିଲେ ଅଗ୍ରଗଣ୍ୟ ଗୁରୁ। ଓଡିଶୀ ନୃତ୍ୟର ଆଦିପର୍ବରୁ ଆଜିର ନୂଆ ପିଢ଼ିଙ୍କ ଯାଏଁ ସେ ସମସ୍ତଙ୍କର ପ୍ରିୟ ବନୁସାର୍। ଅନେକଙ୍କ ପାଇଁ ବାପା ବା ଦାଦା। ହେଲେ ସବୁରି ଉପରେ ସେ ମର୍ଦ୍ଦଳର ମହାନାୟକ। ତାଙ୍କ ହାତ ମର୍ଦ୍ଦଳ ଦେହରେ ଲାସ୍ୟ ଓ ତାଣ୍ଡବର ଅପୂର୍ବ ଛଟା ନିର୍ମାଣ କରିବାରେ ସମର୍ଥ ଥିଲା। ବୋଲ୍ ଡାକିବାରେ ତାଙ୍କର ଦକ୍ଷ ଉଚ୍ଚାରଣ ଓ ସ୍ପଷ୍ଟ ଲୟକାରୀ ଶ୍ରୋତାଙ୍କୁ ତଲ୍ଲୀନ କରେ।

ବହୁ ବିଳମ୍ବରେ ୨୦୦୩ ରେ ତାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପ୍ରଦାନ କରାଗଲା। ବହୁ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ହେଲେ ତାଙ୍କ ଅବଦାନ ଆଗରେ ଯେତେ ବଡ଼ ପୁରସ୍କାର ହେଲେ ବି ଫିକା ପଡ଼ିଯିବ। ବନମାଳୀ ମହାରଣାଙ୍କ ଭଳି ଜଣେ ଜିନିୟସ ଯଦି ପଦ୍ମ ପୁରସ୍କାର ପାଇଲେ ନାହିଁ, ସେଟା ପଦ୍ମ ପୁରସ୍କାରର କ୍ଷତି। ସେ ଆମ ସମୟର ମହାନାୟକ ଓ ତାଙ୍କର ଆକଳନ ଇତିହାସ ନିଶ୍ଚୟ କରିବ।

୧୭, ନଭେମ୍ବର, ସମ୍ ହସ୍ପିଟାଲରେ ଏହି ମହାନ ଗୁରୁଙ୍କର ଦେହାବସାନ ଘଟିଛି।

ଫଟୋ- ଗଣେଶ ସାହୁ

Share. Facebook Twitter LinkedIn Email WhatsApp Copy Link

Related Posts

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

July 27, 2026

ବିରୋଧୀଙ୍କ ହଟ୍ଟଗୋଳ ସତ୍ତ୍ୱେ ଲୋକସଭାରେ ପେପର ଲିକ୍ ବିରୋଧରେ ବିଲ୍ ଆଗତ

July 27, 2026

Indian Idol Winner Returns: ଭୁବନେଶ୍ବରରେ ପହଞ୍ଚିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ

July 27, 2026

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଜଣେ ଟାଣୁଆ ନେତା ସୁଶାନ୍ତ ସିଂହଙ୍କ ପରଲୋକ

July 27, 2026
Latest News

ପତଞ୍ଜଳି ଅଟାରେ କୀଟନାଶକ: ବଜାରରୁ ଫେରାଇ ଆଣିବାକୁ ନିର୍ଦ୍ଦେଶ

July 27, 2026

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ୧୧୦୦ ପଦବୀ ପାଇଁ ନିଯୁକ୍ତି: ବିନା ପରୀକ୍ଷାର ହେବ ଚୟନ

July 27, 2026

ଚିଲିକାରେ ଭାଙ୍ଗୁଛି ବିଜେଡି ଗଡ, ବିଜେପିରେ ସାମିଲ ହେଲେ ବହୁ ବିଜେଡି ନେତା

July 27, 2026

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ବିଦାୟ, ଶେଷ ଦର୍ଶନ କଲେ ନବୀନ ପଟ୍ଟନାୟକ

July 27, 2026

ସିଜେପି ପରେ ଆରଏଚଏ ଏବଂ ଇ-୨୦: ଦ୍ରୁତ ଗତିରେ ବଢୁଛି ଫଲୋଅର୍ସଙ୍କ ସଂଖ୍ୟା

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.