ଅବିସ୍ମରଣୀୟ ଶିକ୍ଷକ, ଶିକ୍ଷାବିତ ଓ ସ୍ରଷ୍ଟା ଚନ୍ଦ୍ରମୋହନ ମହାରଣା

Published: Dec 29, 2018, 1:51 pm IST

କୈଳାସ ଚନ୍ଦ୍ର ଦାଶ

ଊନବିଂଶ ଶତକର ଶେଷଭାଗରେ ତଥା ବିଂଶ ଶତକର ଆଦ୍ୟପାଦରେ ପରିଚିତ ଥିଲେ ଚନ୍ଦ୍ରମୋହନ ମହାରଣା(୧୮୬୯-୧୯୨୯) । ୧୮୯୨ ମସିହାରେ ରଚିତ ଉତ୍କଳପୁତ୍ର ଫକୀରମୋହନଙ୍କ ଉକ୍ରଳ ଭ୍ରମଣଂରେ ତାଙ୍କ ବିଷୟରେ ସୂଚନା ମିଳେ । ଏଥିରେ ଲେଖାଥିଲା-କିହେ ଚନ୍ଦ୍ର ମହାରଣେ ହେଉ ହେଉହେଉ/ମେଲିଦିଅ ଆଉଥରେ କବିତାର ଢେଉ/ଛପାଇବେ ରାମଚନ୍ଦ୍ରେ ଚିନ୍ତା କିରେ ଆଉ/ନେବା ମାରି ଟଙ୍କା ମୁଠେ ଠୁଙ୍କି ଦେବା ବାହୁ//ଏପରି ପ୍ରସଂଗରୁ ଚନ୍ଦ୍ରମୋହନ କବି ହିସାବରେ ପ୍ରଥମେ ପରିଚିତ ଥିବାର ସୂଚନା ମିଳେ । ତେବେ ବିଂଶ ଶତକର ଆଦ୍ୟଭାଗରେ ଓଡିଶାର ଶିକ୍ଷିତ ମଣ୍ଡଳୀରେ ଆଦର୍ଶ ଶିକ୍ଷକ, ଶିକ୍ଷାବିତ୍‍ ଓ ସାହିତ୍ୟପ୍ରେମୀରୂପେ ସୁପରିଚିତ ଥିଲେବୋଲି ଏକ ମତ ଦେଇଥିଲେ ୧୯୬୮ ମସିହାରେ ପ୍ରଜାତନ୍ତ୍ରରେ ବିଶିଷ୍ଟ ସାହିତ୍ୟ ସମାଲୋଚକ ନରେନ୍ଦ୍ରନାଥ ମିଶ୍ର । ତାଙ୍କ ମତରେ ଊନବିଂଶ ଓ ବିଂଶ ଶତକର ସନ୍ଧିକ୍ଷଣରେ ଓଡିଶାର ସାଂସ୍କୃତିକ ଭାବଜଗତରେ ଯେଉଁ ପରିବର୍ତ୍ତନଧାରା ଦେଖାଦେଇଥିଲା ଚନ୍ଦ୍ରମୋହନଙ୍କ ଭଳି ପୁରୋଦୃଷ୍ଟି ସମ୍ପନ୍ନ ପୁରୁଷମାନେ ତାର ଗତି ନିୟନ୍ତ୍ରଣ କରିଥିଲେ । ବାସ୍ତବରେ ବିଂଶ ଶତକରେ ସଂସ୍କୃତିସମୃଦ୍ଧ ପ୍ରଗତିଶୀଳ ଓଡିଶା ଗଠନରେ ଚନ୍ଦ୍ରମୋହନ ବିଶେଷ ଭୂମିକା ଗ୍ରହଣ କରିଥିଲେ ।

ବାଲେଶ୍ୱର ଜିଲ୍ଲାର ରେମୁଣା ନିକଟବର୍ତ୍ତୀ ପୁରୁଷୋତ୍ତମପୁର ଗ୍ରାମରେ ଗୋଟିଏ ସ୍ୱର୍ଣ୍ଣକାର ପରିବାରରେ ଜନ୍ମଗ୍ରହଣ କରିଥିଲେ ଚନ୍ଦ୍ରମୋହନ । ତାଙ୍କର ପିତା ଅନାଦି ମହାରଣା କୌଳିକ ବ୍ୟବସାୟରେ ସୁଖୀଥିଲେ । ରେମୁଣାର ଦେଶୀୟ ଭାଷା ବିଦ୍ୟାଳୟରେ ତାଙ୍କର ଶିକ୍ଷାରମ୍ଭ ହୋଇଥିଲା । ସେ ଏହି ବିଦ୍ୟାଳୟରୁ କୃତିତ୍ୱସହ ପାସ୍‍ କରି ଛାତ୍ରବୃତ୍ତି ପାଇ ବାଲେଶ୍ୱର ଜିଲ୍ଲା ସ୍କୁଲରେ ପାଠପଢିଥିଲେ । କଲିକତା ବିଶ୍ୱବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ପ୍ରାଦେଶିକ ବୃତ୍ତି ପାଇ ଏଫ୍‍.ଏରେ ପ୍ରଥମ ସ୍ଥାନ ଅଧିକାର କରି ମାତ୍ର ୨୦ ବର୍ଷ ବୟସରେ ୧୮୮୯ ଖ୍ରୀଷ୍ଟାବ୍ଦରେ ବିଏ ପାସ୍‍ କରି ଶିକ୍ଷକ ଜୀବନ ଆରମ୍ଭ କରିଥିଲେ । ସେ ବାଲେଶ୍ୱର, ପୁରୀ ପ୍ରଭୃତି ବିଭିନ୍ନ ଜିଲ୍ଲା ସ୍କୁଲରେ ଶିକ୍ଷକ, ଜିଲ୍ଲା ଶିକ୍ଷା ବିଭାଗୀୟ କର୍ମଚାରୀ ଓ ଦୀର୍ଘକାଳ କଟକ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରିଥିଲେ । ଐତିହାସିକ କୃପାସିନ୍ଧୁ ମିଶ୍ରଙ୍କର ସେ ଶିକ୍ଷକ ଥିଲେ । ଶିକ୍ଷାବିତ୍‍ ଭାବରେ ସାହିତ୍ୟ ଓ ଭାଷା ଶିକ୍ଷାରେ ଚନ୍ଦ୍ରମୋହନ ବିଶେଷ ଧ୍ୟାନ ଦେଇଥିଲେ । ସେ ବ୍ୟାକରଣ ପ୍ରତି ସର୍ବଦା ଧ୍ୟାନ ଦେଇଥିଲେ । ସେ ସମୟର ପ୍ରତିଷ୍ଠିିତ କବି ଓ ଲେଖକମାନଙ୍କର ରଚନାରେ ଭାଷାଗତ ତୃଟି ଦେଖିଲେ ତାହାର ତୀବ୍ର ସମାଲୋଚନା କରୁଥିଲେ । ସେସମୟରେ ଓଡିଆ ଭାଷା ଓ ସାହିତ୍ୟରେ ବଙ୍ଗ ପ୍ରଭାବକୁ ସେ ସମାଲୋଚନା କରିଥିଲେ । ଓଡିଆ ଭାଷାକୁ ସ୍ୱକୀୟ ରୀତିରେ ପୁଷ୍ଟ ଓ ପୁଷ୍କଳ କରିବାକୁ ସେ ପ୍ରବଳ ଆଗ୍ରହ ଦେଖାଇଥିଲେ । କର୍ମବହୁଳ ଜୀବନରେ ଅବସର ସମୟରେ ସାମୟିକ ଭାବରେ ସେ ସାହିତ୍ୟ ସାଧନା କରୁଥିଲେ । ସେ ବାସ୍ତବବାଦୀ, ସ୍ୱାଧିନଚେତା ଓ ଜାତିପ୍ରାଣ ଥିଲେ । ବିଏ ଶ୍ରେଣୀରେ ଛାତ୍ର ଅବସ୍ଥାରେ ତାଙ୍କର ପ୍ରଥମ କବିତା ପୁସ୍ତକ ନବୋଦ୍ୟମ ୧୮୮୮ ଖ୍ରୀଷ୍ଟାବ୍ଦରେ ଓଡିଶା ପ୍ରିଟିଂ କର୍‍ପୋରେସନ୍‍ ଦ୍ୱାରା ପ୍ରକାଶିତ ହୋଇଥିଲା । ରାଜକର୍ମଚାରୀମାନଙ୍କର ଲେଖା ପ୍ରକାଶ ଉପରେ ଅନେକ ସମୟରେ କଟକଣା ଥିବାରୁ ସେ ଅନେକ ଲେଖା ଛଦ୍ମନାମରେ ପ୍ରକାଶ କରିଥିଲେ । ପରେ ଉକ୍ରଳ ସାହିତ୍ୟ ପତ୍ରିକା ପ୍ରକାଶ ଆରମ୍ଭରୁ ତାଙ୍କର ଲେଖା ଅଧିକ ପ୍ରକାଶ ପାଇଲା । କବି ହିସାବରେ ସେ ସଫଳ ହୋଇନଥିଲେ ମଧ୍ୟ ବିଷୟ ନିର୍ବାଚନ, ଭାବପ୍ରକାଶ ସକଳ କ୍ଷେତ୍ରରେ ତାଙ୍କର ମୌଳିକ ପ୍ରତିଭାର ସୁନ୍ଦର ନିଦର୍ଶନ ତାଙ୍କ କବିତା ମଧ୍ୟରେ ଦେଖିବାକୁ ମିଳିଥିଲା ।

ଶିକ୍ଷକ ଜୀବନରେ ଚନ୍ଦ୍ରମୋହନ କଥାବଳୀ ନାମରେ ପାଠ୍ୟପୁସ୍ତକମାଳା ମ୍ୟାକ୍‍ମିଲାନ୍‍ କମ୍ପାନୀ ପକ୍ଷରୁ ପ୍ରକାଶିତ ହୋଇଥିଲା । ଏଥିରେ ଚନ୍ଦ୍ରମୋହନଙ୍କର କେତୋଟି ମୌଳିକ କବିତା ପ୍ରକାଶ ପାଇଥିଲା । ଖଣ୍ଡଗିରି କବିତାଟି ଏକାନ୍ତ ସ୍ମରଣୀୟ । ତାଙ୍କର କବିତାର ବିଶେଷ ମହତ୍ତ୍ୱ ବାସ୍ତବତାବୋଧ । ପ୍ରକୃତି ଚିତ୍ରଣ, ମାନବୀୟ ଘଟଣା ବର୍ଣ୍ଣନା ଉଭୟ କ୍ଷେତ୍ରରେ କବି ନିଜର ବାସ୍ତବ ଦୃଷ୍ଟିର ପରିଚୟ ଦେଇଥିଲେ । ଦୁଃଖ ଦୁର୍ବିପାକ ନିପିଡିତ ସାଧାରଣ ମନୁଷ୍ୟ ଜୀବନରେ ଏକ ଗଭୀରବୋଧ ତାଙ୍କ କବିତାର ପଂକ୍ତିରେ ସ୍ୱତଃ ଉତ୍ସାରିତ ହୋଇଥିଲା । କାରୁଣ୍ୟରସ ସିକ୍ତଭାବର ବିକାଶରେ କବିଙ୍କର ଯଥେଷ୍ଟ ପଟୁତା ଥିଲା । ଅପୂର୍ବ କାରାବଦ୍ଧ ପୁରୁଷର ପତ୍ର, ଶିଶୁ ବିୟୋଗ ଭଳି କବିତା ଏହାର ନିଦର୍ଶନ । ସୁନ୍ଦର ରୂପକଳ୍ପ ଓ ଉପମା ମଧ୍ୟରେ କବି ମନୋଭାବ ପ୍ରକାଶ କରିପାରିଥିଲେ । ରୂପକ କବିତା ମଧ୍ୟରେ ଆବେଗ ସୃଷ୍ଟିର ସାର୍ଥକ ପ୍ରୟାସ ଚନ୍ଦ୍ରମୋହନଙ୍କ ମାଧୁରୀ କବିତାରେ ସୂଚିତ । ପ୍ରକୃତି କବିତା ରଚନାରେ କବି ବିଶେଷ ପଟୁତା ପ୍ରଦର୍ଶନ କରିଥିଲେ । ସେ ପ୍ରକୃତିର ବହିରାଙ୍ଗ ଅପେକ୍ଷା ଆମିôକ ସ୍ୱରୂପ ଆବିଷ୍କାର କରିଥିଲେ । ତାହା ମଧ୍ୟରେ ଶକ୍ତି, ସାହାସ ଓ ଆଦର୍ଶ ମନୁଷ୍ୟତାର ଭାବ ସକଳ ପରିସ୍ପୁଟ ହୋଇଥିବାର ସେ ଲକ୍ଷ୍ୟ କରିଥିଲେ । ନରେନ୍ଦ୍ରନାଥ ମିଶ୍ରଙ୍କ ମତରେ ବିଂଶ ଶତକର ପ୍ରଥମ ପାଦରେ ସତ୍ୟବାଦୀ ଯୁଗକୁ କେନ୍ଦ୍ର କରି ଯେଉଁ ନବଧାରା ଓଡିଆ ସାହିତ୍ୟରେ ପ୍ରବାହିତ ହୋଇଥିଲା ତାହାର ପ୍ରଥମ ପଥଦ୍ରଷ୍ଟା ଥିଲେ ଚନ୍ଦ୍ରମୋହନ ମହାରଣା ।
ସମ୍ବଲପୁର ହିତୈଷିଣୀ ସାପ୍ତାହିକ ପତ୍ରରେ ତାଙ୍କର ଆଲୋଚନା ମଧ୍ୟ ପ୍ରକାଶିତ ହୋଇଥିଲା । ଉକ୍ରଳ ସାହିତ୍ୟର ପ୍ରଥମ ଭାଗ ପ୍ରଥମ ସଂଖ୍ୟାରେ ପ୍ରକାଶିତ ଚନ୍ଦ୍ରମୋହନଙ୍କ ଆଲୋଚନା ସାହିତ୍ୟ ପତ୍ରିକାର ଉପଯୋଗିତା ଗୁରୁତ୍ୱ ଲାଭ କରିଥିଲା । କଟକ ଟ୍ରେନିଂ ସ୍କୁଲରେ ପ୍ରତିଷ୍ଠିତ ୧୮୯୩ ମସିହାର ଆଲୋଚନା ସଭାର ସମ୍ପାଦକ ଥିଲେ ଚନ୍ଦ୍ରମୋହନ ମହାରଣା । ଛାତ୍ରମାନଙ୍କର ସାହିତ୍ୟାଲୋଚନାର ମନୋନ୍ନତି ନିମନ୍ତେ ଏହାର ପରିକଳ୍ପନା ହୋଇଥିଲେ ମଧ୍ୟ ଏହା ସାହିତ୍ୟ ଚର୍ଚ୍ଚାର ଏକ ମୁଖ୍ୟ ପୀଠ ଥିଲା । ନଅ ବର୍ଷପରେ ଏହି ସଭା ସାହିତ୍ୟକ୍ଷେତ୍ରରେ ପ୍ରଶସ୍ତତର ମିଳନଭୂମିରୂପେ ଉକ୍ରଳ ସାହିତ୍ୟ ସମାଜ ନାମ ଗ୍ରହଣ କରିଥିଲା । ଆଲୋଚନା ସଭାରେ ସେ ମଧ୍ୟ ଭୂଗୋଳ ବିଦ୍ୟା ଶୀର୍ଷକ ପ୍ରବନ୍ଧ ପାଠ କରିଥିଲେ ଯାହା ପରେ ଉକ୍ରଳ ସାହିତ୍ୟରେ ପ୍ରକାଶିତ ହୋଇଥିଲା । ଉକ୍ରଳ ସାହିତ୍ୟ ସମାଜରେ ୯ ଫେବୃଆରୀ ୧୯୦୭ରେ ଏକ ଅଧିବେଶନରେ ଚନ୍ଦ୍ରମୋହନ ଇତିହାସ ଶୀର୍ଷକ ପ୍ରବନ୍ଧ ପାଠ କରିଥିଲେ । ଏହି ଆଲୋଚନାରେ ମହାରଣା ତାଙ୍କର ଗଭୀର ଇତିହାସବୋଧର ସୂଚନା ଦେବା ସଂଗସଂଗେ ବୈଜ୍ଞାନିକ ଦୃଷ୍ଟିକୋଣର ପରିଚୟ ଦେଇଥିଲେ । ଇତିହାସର ସଂଜ୍ଞା ନିର୍ଦ୍ଦେଶ କରି ସେ କହିଥିଲେ-“କୌଣସି ବ୍ୟକ୍ତି, ଜାତି, ଦେଶ ବା ଅନୁଷ୍ଠାନର କାର୍ଯ୍ୟ-କାରଣ-ହେତୁ-ସମନ୍ନିତ କାଳକ୍ରମିକ ବିବରଣକୁ ଇତିହାସ କହନ୍ତି ।”

ଚନ୍ଦ୍ରମୋହନ ମହାରଣାଙ୍କର ବହୁ ପ୍ରବନ୍ଧ ଓ କବିତା ଉତ୍କଳ ସାହିତ୍ୟରେ ପ୍ରକାଶିତ । ଉକ୍ରଳ ସାହିତ୍ୟ ଷଷ୍ଠ ଭାଗ, ଚତୁର୍ଥ ସଂଖ୍ୟାରେ ପ୍ରକାଶିତ ଆଲୋଚନା ଶ୍ରୀଧରସ୍ୱାମୀ ଏବଂ ଏହାର ୨୨ ଭାଗ, ଚତୁର୍ଥ ସଂଖ୍ୟାରେ ପ୍ରକାଶିତ ଫକୀରମୋହନ ପ୍ରବନ୍ଧ ତାଙ୍କର ଜ୍ଞାନଗାରିମାର ପରିଚାୟକ । ୧୯୦୩ ଖ୍ରୀଷ୍ଟାବ୍ଦ ବେଳକୁ ଯେତେବେଳେ ଓଡିଆମାନେ ଭାଗବତ ଟୀକାକାର ଶ୍ରୀଧରସ୍ୱାମୀଙ୍କ ଜନ୍ମସ୍ଥାନ ରେମୁଣା ବୋଲି ଜାଣିନଥିଲେ ମହାରଣା ସେ ସମ୍ପର୍କରେ ତଥ୍ୟ ଆଲୋକକୁ ଆଣିଲେ-ପ୍ରବନ୍ଧଟି ପାଠକଲେ ତାଙ୍କର ଓଡିଆ ଅସ୍ମିତା ସଂରଚନାର ସଂକେତ ମିଳେ ।

ତାଙ୍କ ମୃତ୍ୟୁପରେ ଉକ୍ରଳ ସାହିତ୍ୟରେ ବିଶ୍ୱନାଥ କର ଏକ ବିବରଣୀ ୩୦ ଭାଗ ପ୍ରଥମ ସଂଖ୍ୟାରେ ଉପସ୍ଥାପନ କରିଥିଲେ । ଏହା ଥିଲା ତାଙ୍କ ସମ୍ପର୍କରେ ଏକ ବଳିଷ୍ଠ ଆକଳନ । ତାଙ୍କ ମତରେ ଚନ୍ଦ୍ରମୋହନଙ୍କ ପରି ସୁପଣ୍ଡିତ, ସୁକବି, ସୁନିପୁଣ ସମାଲୋଚକ,ସୁଗଭୀର ଚିନ୍ତାଶୀଳ ବ୍ୟକ୍ତି ସମଗ୍ର ଉକ୍ରଳ ଖଣ୍ଡରେ ବିରଳ । ତାଙ୍କ ପରି ସୁଶିକ୍ଷକ ଓ ସୁଦକ୍ଷ ପରିଦର୍ଶନ କର୍ମଚାରୀ ମଧ୍ୟ ଅଳ୍ପ ଦେଖାଯାଇଅଛନ୍ତି । ବୟସରେ ତରୁଣ ହେଲେ ମଧ୍ୟ ସାହିତ୍ୟ କ୍ଷେତ୍ରରେ ଶିଷ୍ୟସ୍ଥାନୀୟ ହେଲେ ମଧ୍ୟ ରାଧାନାଥ ଓ ମଧୁସୂଦନ ଚନ୍ଦ୍ରମୋହନଙ୍କର ମତ ପ୍ରତି ଗଭୀର ଆସ୍ଥା ଦେଖାଇଥିଲେ । ତାଙ୍କ ଜୀବନର ପ୍ରଭାବ ବହୁବ୍ୟକ୍ତିଙ୍କ ଜୀବନର ଗତି ଫେରାଇ ଦେଇଥିଲା-ଅନେକ ସ୍ଥଳରେ କିଞ୍ôଚତ୍‍ ପରିମାଣରେ ହେଲେ ସାହିତ୍ୟିକ ଦୃଷ୍ଟି ଖୋଲି ଦେଇଥିଲା ।

ପୂର୍ବତନ ଇତିହାସ ପ୍ରାଧ୍ୟାପକ, ବିଜେବି ନଗର, ସି-୩/୨, ଭୁବନେଶ୍ୱର-୧୪

Related posts