Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ସମ୍ପନ୍ନ

ଭୁବନେଶ୍ୱର: ରୋଗୀଙ୍କୁ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ
ଚିକିତ୍ସା ଭାବେ ଉଭା ହୋଇଥିବା ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍ ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ସଫଳତାର ସହ ସମ୍ପନ୍ନ ହୋଇଛି।

ଏହି ପ୍ରକ୍ରିୟା ପରିଚାଳନା କରିଥିବା ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରଞ୍ଜିତ କୁମାର ପାତ୍ର କହିଛନ୍ତି ଯେ ଏହି ଅସ୍ତ୍ରୋପଚାର ପରେ ରୋଗୀ ଯବଣାରୁ ମୁକ୍ତି ପାଇଥାଏ। ସେହିପରି ଆର୍ଥ୍ରାଇଟିସ୍‌ ସମସ୍ୟା ଯୋଗୁଁ ସୃଷ୍ଟି ହେଉଥିବା ଆଣ୍ଠୁ ଯବଣା ମଧ୍ୟ ସମ୍ପୂର୍ଣ୍ଣ ଦୂର ହୋଇଥାଏ ବୋଲି ସେ କହିଛନ୍ତି।

ଯବଣା ମୁକ୍ତ ହେବା ସହ ସଂପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଦ୍ୱାରା ଆଣ୍ଠୁରେ ନଷ୍ଟ ହୋଇଥିବା ହାଡ ଓ କାର୍ଟିଲେଜକୁ ବାହାର କରାଯାଇ କୃତ୍ରିମ ଅଂଶ ଲଗାଯାଇଥାଏ ଯାହା ଦ୍ୱାରା ଆଣ୍ଠୁ ସାଧାରଣ ଭାବେ କାର୍ଯ୍ୟକ୍ଷମ ହୋଇଥାଏ। ଏହା ଦ୍ୱାରା ମଣିଷର ଜୀବନଧାରାରେ ଉନ୍ନତି ପରିଲକ୍ଷିତ ହୋଇଥାଏ ବୋଲି ସେ କହିଛନ୍ତି।

ଡାକ୍ତର ପାତ୍ର କହିଛନ୍ତି ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ଡାହାଣ ଆଣ୍ଠୁରେ ଯବଣା ଓ ସମସ୍ୟା ନେଇ ଜଣେ ମହିଳା ରୋଗୀ ହସ୍ପିଟାଲ୍‌କୁ ଆସିଥିଲେ। ସେହି ସମୟରେ ସେ ଠିକ୍ ଭାବେ ଚାଲିପାରୁ ନଥିଲେ।

ସଂପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ପରେ ତାଙ୍କର ଡାହାଣ ଆଣ୍ଠୁରେ ଆଡ୍‌ଭାନ୍ସଡ ଅଷ୍ଟିଓଆର୍ଥ୍ରାଇଟିସ୍ ସମସ୍ୟା ଥିବା ସହ ହାଡ଼ କ୍ଷୟ ପାଇଥିବା ଜଣାପଡ଼ିଥିଲା। ଏଥି ସହିତ ତାଙ୍କର ରକ୍ତହୀନତା, ରକ୍ତଚାପ ଓ ହାଇପୋଥାଇରଏଡ୍ ସମସ୍ୟା ଥିବାର ଜଣାପଡ଼ିଥିଲା ବୋଲି ସେ କହିଛନ୍ତି।

ତାଙ୍କର ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ କରିବାର ଯୋଜନା କରାଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା, ଗୁରୁତର ଅଷ୍ଟିଓ ପୋରୋସିସ୍ ଓ ହାଡ଼ କ୍ଷୟକୁ ଦୃଷ୍ଟିରେ ରଖି ଖୁବ୍ ଯତ୍ନର ସହ ଆଣ୍ଠୁରେ ଇମପ୍ଳାଂଟ ଲଗାଯିବା ସହ ବୋନ୍‌ ସିମେଂଟ ସହ ପ୍ରତ୍ୟାରୋପଣ କରାଯାଇଥିଲା।

ଅସ୍ତ୍ରୋପଚାର ସମୟରେ କିମ୍ବା ପରେ କୌଣସି ସମସ୍ୟା ରୋଗୀଙ୍କ ଠାରେ ଦେଖା ଦେଇନଥିବା ଡାକ୍ତର ପାତ୍ର କହିଛନ୍ତି। ଏହି ଅସ୍ତ୍ରୋପଚାରରେ ହସ୍ପିଟାଲ୍‌ର ଆନେସ୍‌ଥେସିଓଲୋଜିଷ୍ଟ ଡାକ୍ତର ଶାରଦା ପ୍ରସନ୍ନ ଦାଶ ଓ ଅନ୍ୟ ଓଟି କର୍ମଚାରୀମାନେ ସହଯୋଗ କରିଥିଲେ।

ହସ୍ପିଟାଲ୍‌ର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ କହିଛନ୍ତି ଯେ ଗତ ୧ ମାସ ମଧ୍ୟରେ ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ହିପ୍ ରିପ୍ଲେସ୍‌ମେଂଟ ଓ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ସହ ପ୍ରାୟ ୨୫ଟି ଅସ୍ତ୍ରୋପଚାର କରାଯାଇଛି। ଏଥିରେ ଇଏନ୍‌ଟି, ଗାଏନାକୋଲୋଜି ଏବଂ ୟୁରୋଲୋଜି ବିଭାଗ ପକ୍ଷରୁ ମଧ୍ୟ ରୋଗୀମାନଙ୍କର ବିଭିନ୍ନ ଅସ୍ତ୍ରୋପଚାର ସାମିଲ ଅଛି ବୋଲି
ସେ କହିଛନ୍ତି।

ଗତ ଫେବୃଆରୀ ୧୪ ତାରିଖରେ ଉଦ୍‌ଘାଟିତ ହୋଇଥିବା ଏହି ହସ୍ପିଟାଲ୍‌ରେ ୬ ମୋଡୁଲାର ଓଟି ଓ ୪୦ଟି ଆଇସିୟୁ ବେଡ୍ ଥିବା ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

୨୦୨୪ ସାଧାରଣ ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ହେଲା ୬୫.୬୮% ମତଦାନ

ନୂଆଦିଲ୍ଲୀ: ୭ ଏବଂ ୮ ମଇ ୨୦୨୪ରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ଗଣମାଧ୍ୟମ ବିବୃତ୍ତିକୁ ବଜାୟ ରଖି ଚଳିତ ସାଧାରଣ ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟରେ ୯୩ଟି ସଂସଦୀୟ କ୍ଷେତ୍ରରେ ୬୫.୬୮% ମତଦାନ ରେକର୍ଡ କରାଯାଇଛି। ତୃତୀୟ ପର୍ଯ୍ୟାୟ ପାଇଁ ଲିଙ୍ଗଭିତ୍ତିକ ମତଦାନ ସଂଖ୍ୟା ନିମ୍ନରେ ଦିଆଯାଇଛି:

ପର୍ଯ୍ୟାୟ- ପୁରୁଷ ମତଦାନ ହାର- ମହିଳାଙ୍କ ମତଦାନ ହାର- ତୃତୀୟ ଲିଙ୍ଗୀ ମତଦାନ ହାର- ସାମଗ୍ରିକ ମତଦାନ ହାର

ତୃତୀୟ ପର୍ଯ୍ୟାୟ- ୬୬.୮୯%- ୬୪.୪୧%- ୨୫.୨% – ୬୫.୬୮%

ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟରେ ବିହାରର ୨ଟି ଓ ମଧ୍ୟପ୍ରଦେଶର ୪ଟି ମତଦାନ କେନ୍ଦ୍ରରେ ପୁନଃମତଦାନ ଶେଷ ହୋଇଛି। ଭୋଟର୍ ଟର୍ଣ୍ଣାଆଉଟ୍ ଆପ୍ରେ ସଂସଦୀୟ କ୍ଷେତ୍ର ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତ୍ତିରେ ତଥ୍ୟ ମଧ୍ୟ ଉପଲବ୍ଧ ରହିଛି। ଗୋଟିଏ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ଫର୍ମ ୧୭ସିର ନକଲ ମଧ୍ୟ ପ୍ରାର୍ଥୀଙ୍କୁ ସେମାନଙ୍କ ପୋଲିଂ ଏଜେଣ୍ଟଙ୍କ ମାଧ୍ୟମରେ ପ୍ରଦାନ କରାଯାଏ। ଫର୍ମ ୧୭ ସିର ବାସ୍ତବ ତଥ୍ୟ ବଳବତ୍ତର ରହିବ ଯାହା ପୂର୍ବରୁ ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଇଛି।

ପୋଷ୍ଟାଲ ବାଲଟ୍ ଗଣତି ଏବଂ ମୋଟ ଭୋଟ୍ ଗଣତିରେ ଏହାକୁ ଯୋଡ଼ିବା ସହିତ ଚୂଡ଼ାନ୍ତ ମତଦାନ କେବଳ ଗଣତି ପରେ ଉପଲବ୍ଧ ହେବ। ପୋଷ୍ଟାଲ ବାଲଟ୍ ରେ ସର୍ଭିସ ଭୋଟର, ଅନୁପସ୍ଥିତ ଭୋଟର (୮୫+ ବର୍ଷରୁ ଅଧିକ, ଭିନ୍ନକ୍ଷମ, ଅତ୍ୟାବଶ୍ୟକ ସେବା ଇତ୍ୟାଦି) ଏବଂ ନିର୍ବାଚନ ଡ୍ୟୁଟିରେ ଥିବା ଭୋଟରଙ୍କୁ ଦିଆଯାଇଥିବା ପୋଷ୍ଟାଲ ବାଲଟ୍ ଅନ୍ତର୍ଭୁକ୍ତ । ବୈଧାନିକ ବ୍ୟବସ୍ଥା ଅନୁଯାୟୀ ଦୈନିକ ପ୍ରାପ୍ତ ପୋଷ୍ଟାଲ ବାଲାଟ୍ ର ହିସାବ ସମସ୍ତ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଏ।

Categories
ଆଜିର ଖବର ରାଜ୍ୟ ଖବର

ନିର୍ବାଚନ ପ୍ରଚାରକୁ ଜୋରଦାର କଲା ବିଜେଡ଼ି: ଟାଙ୍ଗୀରେ ଭୋଟ ଭିକ୍ଷା କଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ

ଖୋର୍ଦ୍ଧା: ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ଥିବା ବେଳେ ପ୍ରଚାରକୁ ଜୋରଦାର କରିଛି ବିଜେଡି। ଟାଙ୍ଗୀ ବ୍ଲକର ଭୂଷଣ୍ଡପୁର, ବାଲିପାଟପୁର, କନ୍ତଳବାଇ, ଉଜ୍ଜଳା ଗୋପୀନାଥ ପୁର, ସୁନ୍ଦର ପୁର, ମଙ୍ଗଳା ଯୋଡି ଓ ଟାଙ୍ଗୀ ଠାରେ ମାରାଥନ ପ୍ରଚାର କରିଛି ବିଜେଡି।

ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଜୋରଦାର କରିଛନ୍ତି ପ୍ରଚାର। ଉଭୟ ପ୍ରାର୍ଥୀ ଭୂଷଣ୍ଡ ପୁରରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ପ୍ରଚାର କାର୍ଯ୍ୟ। ମନ୍ମଥ ରାଉତରାୟଙ୍କ ସହ ରାଜେନ୍ଦ୍ର ସାହୁ ଏକ ଖୋଲା ଜିପ ରେ ବୁଲି ବୁଲି ନବୀନ ପଟ୍ଟନାୟକଙ୍କ ସରକାରଙ୍କ ସମସ୍ତ କାର୍ଯ୍ୟକାରୀ ଯୋଜନାର ସଫଳ ରୂପାୟନ ବର୍ଣ୍ଣନା କରିଥିଲେ। ଭୂଷଣ୍ଡପୁର ଠାରୁ ଟାଙ୍ଗୀ ପର୍ଯ୍ୟନ୍ତ ଦୀର୍ଘ ୨୦ କିଲୋମିଟର ପର୍ଯ୍ୟନ୍ତ ସାମିଲ ହୋଇଥଲେ ହଜାର ହଜାର କର୍ମୀ।

ନବୀନ ପଟ୍ଟନାୟକ ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡର ଅଟକଳକୁ ବୃଦ୍ଧି କରିବାକୁ ଦେଇ ଥିବା ଇସ୍ତାହାର ଓ ଇଲେକ୍ଟ୍ରି ବିଲ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଛାଡ, ମହିଳା SHG ମାନଙ୍କୁ ସୁଧ ଛାଡ ଏପରି ବହୁ ନିର୍ବାଚନୀ ଇସ୍ତାହାର ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ।

ଟାଙ୍ଗୀ ଏନଏସି ରେ ଶୋଭାଯାତ୍ରା ପହଞ୍ଚିବା ପରେ ଟାଙ୍ଗୀ ଦୁଲଣା ସାହିର ବାସିନ୍ଦା ମାନେ ଉଭୟ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇ ପୁଷ୍ପ ହାର ଦେବା ସହ ଉତ୍ତରୀୟ ପ୍ରଦାନ କରି ନବୀନ ସରକାରଙ୍କ ଶୁଭ ମନାସି ଥିଲେ। ଯୋଡି ଶଙ୍ଖରେ ଭୋଟ ଦେଇ ଜିତାଇବାକୁ ଜନତାଙ୍କୁ ଉଭୟ ପ୍ରାର୍ଥୀ ନିବେଦନ କରିଥିଲେ।

ଏଥିରେ ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇ ତାଙ୍କର ବିଜୟ କାମନା କରିବା ସହିତ କିପରି ବିପୁଳ ଭୋଟରେ ଉଭୟଙ୍କୁ ଜିତାଇବେ, ସେଥିପାଇଁ ଶପଥ ନେଇଥିଲେ।

ଏହି ପ୍ରଚାର କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ରାମଚନ୍ଦ୍ର ମହାପାତ୍ର, ବ୍ଳକ ଅଧ୍ୟକ୍ଷ ରିସ୍ନା ମାନ୍ଧାତା, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସ୍ୱଦେଶ ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଡାକ୍ତରଖାନା ନର୍ସମାନଙ୍କ ବିନା ଅଧୁରା: ସୋଆ ଉପସଭାପତି

ଭୁବନେଶ୍ୱର: ନର୍ସମାନଙ୍କର ସେବା ଯତ୍ନ ଦ୍ୱାରା ହିଁ ରୋଗୀମାନେ ସୁସ୍ଥ ହୋଇଥାନ୍ତି। ନର୍ସମାନଙ୍କୁ ମା’ମାନଙ୍କ ସହିତ ମଧ୍ୟ ତୁଳନା କରାଯାଏ। ତେଣୁ ଡାକ୍ତରଖାନା ନର୍ସମାନଙ୍କ ବିନା ଅଧୁରା ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତୀ ଦାସ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ମେ ୧୨ରେ ଆନ୍ତର୍ଜାତିକ ସେବିକା ଦିବସ ଅବ୍ୟବହିତ ପୂର୍ବରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଛନ୍ତି ଯେ ବିଗତ କିଛି ବର୍ଷରେ ମହାମାରୀ କୋଭିଡ ପ୍ରଳୟରୁ ସମାଜକୁ ବଂଚାଇବାରେ ନର୍ସମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନର୍ସମାନଙ୍କର ତ୍ୟାଗ ଓ ନିଷ୍ଠାପର ସେବା ଦ୍ୱାରା ସୋଆ ଅନେକ ସୁନାମ ଅର୍ଜନ କରିଛି। ତେଣୁ ସେ ସେମାନଙ୍କୁ ନିଜର ହୃଦୟର କୃତଜ୍ଞତା ଜ୍ଞାପନ କରୁଛନ୍ତି ବୋଲି ଶ୍ରୀମତି ଦାସ କହିଛନ୍ତି।

ସ୍ୱାସ୍ଥ୍ୟ ସେବାର ପ୍ରତ୍ୟେକ ସୋପାନରେ ନର୍ସମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭବିଷ୍ୟତରେ କୌଣସି ପ୍ରକାରର ବିପଦ ଆସିଲେ ନର୍ସମାନେ ଦୃଢ଼ଭାବେ ଏହାକୁ ପ୍ରତିହିତ କରିପାରିବେ ବୋଲି ତାଙ୍କର ଆଶା ଓ ବିଶ୍ୱାସ ରହିଛି ଶ୍ରୀମତି ଦାସ କହିଛନ୍ତି। ଆନ୍ତର୍ଜାତିକ ନର୍ସେସ ଦିବସ ଅବସରରେ ସେ ହସ୍ପିଟାଲ୍‌ର ସମସ୍ତ ନର୍ସମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

ଏହି ଅବସରରେ ବ୍ରହ୍ମପୁର ସ୍ଥିତ କଲେଜ ଅଫ୍ ନର୍ସିଂର ଅଧ୍ୟକ୍ଷା ପ୍ରଫେସର (ଡାକ୍ତର) ରାଜଲକ୍ଷ୍ମୀ ମିଶ୍ର ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କର କାର୍ଯ୍ୟଧାରାକୁ ଅଧିକ ସଫଳ କରିବା ନିମନ୍ତେ କ୍ଲିନିକାଲ ଗବେଷଣା କ୍ଷେତ୍ରରେ ସେମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ପ୍ରସୂତିମାନଙ୍କର ଚିକିତ୍ସା କରୁଥିବା ନର୍ସମାନେ ଅଧିକ ପ୍ରଶିକ୍ଷିତ ହେବାର ଆବଶ୍ୟକତା ଥିବା ସେ କହିଥିଲେ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ଯୋଗ ଦେଇ ନର୍ସମାନଙ୍କୁ ହସ୍ପିଟାଲ୍‌ର ମେରୁଦଣ୍ଡ ବୋଲି ସମ୍ବର୍ଦ୍ଧନ କରି ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ ହସ୍ପିଟାଲ୍ ବିଏସ୍‌କେୱାଇ ଯୋଜନାକୁ ପରିଚାଳନାରେ ଏବଂ ସୋଆ ପରିଚାଳିତ କୋଭିଡ ହସ୍ପିଟାଲଗୁଡ଼ିକର ଉତମ ସ୍ୱାସ୍ଥ୍ୟସେବାକୁ ନେଇ ଶ୍ରେଷ୍ଠ ହସ୍ପିଟାଲ୍ ଭାବେ ସମ୍ବର୍ଦ୍ଧିତ କରିବାରେ ନର୍ସମାନଙ୍କ ଭୂମିକା ସବୁଠାରୁ ଅଧିକ ବୋଲି କହିଥିଲେ।

ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ର ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଧୁନିକ ନର୍ସିଂର ପଥଦର୍ଶକ ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କର ୨୦୪ ତମ ଜନ୍ମ ଦିବସ ଚଳିତ ବର୍ଷ ପାଳନ କରାଯାଉଥିବା ବେଳେ ଏଥରର ପ୍ରସଙ୍ଗ “ଆୱାର ନର୍ସେସ୍‌, ଆୱାର ଫ୍ୟୁଚର୍‌, ଦ ଇକୋନୋମିକ ପାୱାର ଅଫ୍ କେୟାର” ରହିଥିବା ଶ୍ରୀମତି ମିଶ୍ର କହିଥିଲେ।

ଏହି ଅବସରରେ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ ଲେଙ୍କା, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱରର ମେଡିକାଲ୍ ସୁପରିଟେଣ୍ଡେଂଟ ଇନ୍‌ଚାର୍ଜ ପ୍ରଫେସର (ଡାକ୍ତର) ରଚିତା ଷଢ଼ଙ୍ଗୀ ଓ ଆଡିସ୍‌ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ ଶୋଭାମଞ୍ଜରୀ ସାମଲ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଶ୍ରୀମତି ସାମଲ ନର୍ସମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ଶପଥପାଠ କରାଇଥିଲେ। ସେହିପରି ଅତିଥିମାନଙ୍କ ଦ୍ୱାରା ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିବା ବେଳେ କେକ୍ କଟାଯାଇ ଏହି ସ୍ୱତନ୍ତ୍ର ଦିବସ ପାଳନ କରାଯାଇଥିଲା।

ନର୍ସିଂ ସପ୍ତାହ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ସୋଆ ଉପସଭାପତି ଓ ଅନ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ। ସମ୍ ହସ୍ପିଟାଲ୍‌ର ସିନିୟର ନର୍ସିଂ ଏଜୁକେଟର ତଥା ସମ୍ ନର୍ସିଂ କଲେଜର ଆସିଷ୍ଟାଂଟ ପ୍ରଫେସର ନିବେଦିତା ରାଉତ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ କାବେରୀ ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚିଲିକା: ପ୍ରଥମ ଥର ହେବ ଶ୍ରୀଜଗନ୍ନାଥଙ୍କର ୨୪ ବେଶ ପ୍ରଦର୍ଶନୀ, ଚତୁର୍ଦ୍ଧାମୂର୍ତ୍ତିଙ୍କ ନିର୍ମାଣ କାମର ହେଲା ଶୁଭ ଅନୁକୂଳ

ଚିଲିକା (ସୀତାରାମ ଅଗ୍ରୱାଲ): ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଉଳାବନ୍ଧ ଗ୍ରାମରେ ଶ୍ରୀଜଗନ୍ନାଥଙ୍କର ୨୪ ଗୋଟି ବେଶ ପ୍ରଦର୍ଶନୀ ନିମନ୍ତେ ଦାରୁ (ଲିମ୍ବ କାଠ) ରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ନିର୍ମାଣ କାମର ଶୁଭ ଅନୁକୂଳ ହୋଇଯାଇଅଛି। ପରମ ପୂଜ୍ୟ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କର ପରାମର୍ଶ କ୍ରମେ, ପୂରୀ ଝାଞ୍ଜପୀଠ ମହନ୍ତ ପୂଜ୍ୟ ବାବା ସଚ୍ଚିଦାନନ୍ଦ ଦାଶ ମହାରାଜ, ଚିନ୍ମୟ ମିଶନ ପଟିଆଲାର ସ୍ୱାମୀ ମାଧବାନନ୍ଦ ସରସ୍ବତୀ, ଶ୍ରୀମନ୍ଦିର ଦଇତାପତି ରଘୁନାଥ ଦାଶ ମହାପାତ୍ର ଓ ଅନ୍ୟାନ ଜଗନ୍ନାଥ ସଂସ୍କୃତି ଗବେଷକ ମାନଙ୍କ ସହିତ ଲୀଳାକ୍ଷେତ୍ର କାଙ୍କଣଶିଖରୀ ଟ୍ରଷ୍ଟର ସଭାପତି ଡ଼ଃ ସୁଶାନ୍ତ କୁମାର ସାହୂ ବିଚାର ବିମର୍ଶ କରି ମହାପ୍ରଭୁଙ୍କର ଏହି ଅନନ୍ୟ କାର୍ଯ୍ୟକ୍ରମକୁ ଶୁଭ ଅନୁକୂଳ କରାଇଥିଲେ।

ବଉଳାବନ୍ଧ ଗ୍ରାମର ନୀଳମଣି ମହାରଣା ଓ ପ୍ରମୋଦ ମହାରଣା ଏହି ୨୪ ଗୋଟି ବେଶକୁ ନିର୍ମାଣ କରିବାକୁ ଭକ୍ତିପୂତ ଭାବରେ ପ୍ରଗଢା ଇଛା ପ୍ରକାଶ କରିଥିଲେ। ଦଇତାପତି ରଘୁନାଥ ଦାଶଙ୍କ ପ୍ରେରିତ ଶ୍ରୀଜଗନ୍ନାଥଙ୍କର ଶ୍ରୀଅଙ୍ଗ ଲାଗି ଗୀତଗୋବିନ୍ଦ ଖଣ୍ଡୁଆ ପାଟ କୁ କାଙ୍କଣଶିଖରୀର ଆଦ୍ୟ ସେବକ ହାଡୁବନ୍ଧୁ ପଟ୍ଟନାୟକ ଦୁଇ ବିଶ୍ୱକର୍ମାଙ୍କୁ ଲାଗି କରାଇଥିଲେ। ବଉଳାବନ୍ଧ ଗ୍ରାମର ପ୍ରଭୁ ବୃନ୍ଦାବନ ଦେବଙ୍କ ମନ୍ଦିରରେ ଅନୁଷ୍ଠିତ ଏହି ଶୁଭ ଅନୁକୂଳ ଅବସରେ ଶ୍ରୀମନ୍ଦିରରୁ ଦଇତାପତି ରଘୁନାଥ ଦାଶ ମହାପାତ୍ର, ଦୂରଭାସା ଯୋଗେ, ଦୁଇ ବିଶ୍ୱକର୍ମାଙ୍କୁ ନିଷ୍ଠା ଓ ଭକ୍ତିର ସହିତ ମହାପ୍ରଭୁଙ୍କର ଏହି ମହାନ କାମକୁ ଆଗେଇ ନେବାକୁ ଆଶୀର୍ବାଦ ଦେଇଥିଲେ।

ପ୍ରକାଶ ଥାଉକି ଦାରୁ ନିର୍ମିତ ୨୪ ବେଶ ପ୍ରଦର୍ଶନୀ ଜଗନ୍ନାଥ ସଂସ୍କୃତିରେ ପ୍ରଥମ ଥର ଅନୁଷ୍ଠିତ ହେବାକୁ ଯାଉଛି। ଏହି ଶୁଭ ଅନୁକୂଳ ପୂଜାରେ ନଈରୀ ଗ୍ରାମର ରମେଶ ପଲେଇଙ୍କ ସହିତ ବଉଳବନ୍ଧ ଗ୍ରାମର ଜିତେନ୍ଦ୍ର ନାୟକ, ବୃନ୍ଦାବନ ମହାରଣା, ସନ୍ତୋଷ ନାୟକ, କାଳୁଚରଣ ବେହେରା ଓ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଅକ୍ଷୀ ମୁଠି ଅନୁକୂଳ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱ ବିଦ୍ୟାଳୟ ଅଧୀନସ୍ଥ କୃଷି ମହାବିଦ୍ୟାଳୟ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅକ୍ଷୀ ମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ନୂଆଗାଁ ସ୍ଥିତ ଆଇଏନ୍‌ଏସ୍ ଫାର୍ମରେ ଅନୁଷ୍ଠିତ ଏହି ଉତ୍ସବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ଭିତିକ ପର୍ବ ଅକ୍ଷୟ ତୃତୀୟାର ତାତ୍ପର୍ଯ୍ୟ ସମ୍ବନ୍ଧରେ ସମ୍ୟକ୍ ଆଲୋକପାତ କରିଥିବା ବେଳେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କୃଷି ବିଜ୍ଞାନର ଅଗ୍ରଗତି ଓ କୃଷି ଭିତିକ ଗବେଷଣାକୁ ନେଇ ବକ୍ତବ୍ୟ ରଖିଥିଲେ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଂଝଗିରି ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ଗବେଷଣା କେନ୍ଦ୍ର (ଏଆର୍‌ଏସ୍‌) ରେ ଅକ୍ଷୀ ମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଇଏଏସ୍ ଡିନ୍ ପ୍ରଫେରସ ରାଉତ ଓ ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ଯୋଗ ଦେଇଥିଲେ।

ଏହି ଉଭୟ ଉତ୍ସବରେ ପ୍ରଫେସର ସରୋଜ ମହାନ୍ତି, ପ୍ରଫେସର ବିବୁଧ ପରାଶର, ଡକ୍ଟର ମନତୋଷ ବୈରାଗ୍ୟ ସମେତ ଫ୍ୟାକଲ୍ଟି, ଗବେଷଣାରତ ଛାତ୍ରଛାତ୍ରୀ, ଗବେଷଣା କର୍ମଚାରୀ ତଥା କୃଷକମାନେ ଯୋଗ ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ ବିରୋଧରେ ଆମେରିକାର ଅଭିଯୋଗକୁ ଭାରତର କଡା ଜବାବ: ଋଷ କଲା ସମର୍ଥନ

ନୂଆଦିଲ୍ଲୀ: ନିକଟରେ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁଙ୍କୁ ନେଇ ଭାରତ ବିରୋଧରେ ଆମେରିକା ଅନେକ ଅଭିଯୋଗ ଆଣିଥିଲା। ଯେତେବେଳେ ଭାରତ ପ୍ରମାଣ ମାଗିଲା, ନିଜକୁ ବିଶ୍ଵର ରାଜା ବୋଲି ବିବେଚନା କରୁଥିବା ଆମେରିକା କୌଣସି ପ୍ରମାଣ ମଧ୍ୟ ଦେଇ ନଥିଲା। ନିର୍ବାଚନ ସମୟରେ ଭାରତର ଭାବମୂର୍ତ୍ତିକୁ ଖରାପ କରିବା ଏବଂ ଭାରତକୁ ଅସ୍ଥିର କରିବା ପାଇଁ ଆମେରିକା ଅଭିଯୋଗ କରିଛି ବୋଲି ଋଷ କହିଛି। ଭାରତ ଏବଂ ଋଷ ମଧ୍ୟରେ ବନ୍ଧୁତା ବହୁତ ପୁରୁଣା ଏବଂ ସାରା ବିଶ୍ୱରେ ଜଣାଶୁଣା। ପ୍ରତ୍ୟେକ ଋତୁରେ ଉଭୟ ଦେଶ ପରସ୍ପର ସାଥିରେ ରୁହନ୍ତି ବୋଲି କହିବା ଅତ୍ୟୁକ୍ତି ହେବନାହିଁ। ଏଭଳି ପରିସ୍ଥିତିରେ, କାନାଡା ପରେ ଭାରତ କେବଳ ଆମେରିକୀୟ ଅଭିଯୋଗର ଉପଯୁକ୍ତ ଉତ୍ତର ଦେଇନାହିଁ, ରୁଷ ମଧ୍ୟ ନିଜର ପୁରୁଣା ବନ୍ଧୁତାକୁ ପୂରଣ କରିବା ପାଇଁ ଖୋଲାଖୋଲି ଭାବେ ମୈଦାନକୁ ଆସିଛି ଏବଂ ବିନା ଦ୍ୱିଧାରେ ଭାରତ ପାଇଁ ବ୍ୟାଟିଂ କରୁଛି।

ଭାରତର ଶକ୍ତିଶାଳୀ ସରକାର ଏବଂ ବିଦେଶ:

ଗତ ୧୦ ବର୍ଷ ଧରି ଭାରତରେ ଏକ ସ୍ଥାୟୀ ସରକାର ଅଛି ଏବଂ ଏହା ସହିତ ଭାରତର ବୈଦେଶିକ ନୀତି ଯୋଗୁଁ ଦେଶର ବିଶ୍ୱସନୀୟତା ଏବଂ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକଳାପ ଅନେକ ପୁଞ୍ଜିବାଦ ଦେଶର ନିଦ ଛଡାଇ ନେଇଛି। ଏସବୁର କାରଣ ହେଉଛି, ଯେଉଁ ଦେଶକୁ ପଛୁଆ ରାଷ୍ଟ୍ରର ଆଖ୍ୟା ଦିଆଯାଇଥିଲା, ଆଜି ବଡ଼ ଦେଶମାନଙ୍କ ସହିତ କାନ୍ଧ ସହିତ କାନ୍ଧ ମିଶାଇ ଆଗକୁ ବଢୁଛି। ଭାରତ ଆଜି ବିଶ୍ୱର ଶୀର୍ଷ ପଞ୍ଚମ ଅର୍ଥନୀତିରେ ପରିଣତ ହୋଇଛି। ଯଦି ଆମେ ଏହି ପ୍ରଗତିର ଗତିର ବିଚାର କରୁ, ତେବେ ଆକଳନ ଅନୁଯାୟୀ ଆସନ୍ତା ୫ ବର୍ଷରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଦେଶ ହେବ। ଗତ କିଛି ବର୍ଷ ଧରି ସୁରକ୍ଷା ପରିଷଦର ସଦସ୍ୟତା ପାଇଁ ଭାରତ କ୍ରମାଗତ ଭାବରେ ନିଜର ଦାବି ଉପସ୍ଥାପନ କରିଆସୁଛି। ଯଦି ଭାରତର ଅର୍ଥନୀତି କ୍ରମାଗତ ଭାବରେ ୮ ପ୍ରତିଶତ ହାରରେ ବଢେ ଏବଂ ଯେତେବେଳେ ଆମେ ବିଶ୍ଵର ତୃତୀୟ ବୃହତ୍ତମ ଅର୍ଥନୀତି ହୋଇଥାଉ, ତେବେ ଭାରତ ଭିଟୋ କ୍ଷମତା ସହିତ ସୁରକ୍ଷା ପରିଷଦର ସଦସ୍ୟତା ପାଇବ। ଭାରତ ସ୍ଥାୟୀ ସଦସ୍ୟତା ପାଇବେ ବୋଲି ଭାବିବା ଭୁଲ ହେବ ନାହିଁ।

ଆମେରିକା ଏବଂ ଏହାର ସହଯୋଗୀ ଦେଶ, ଅନେକ ବଡ ଦେଶ ଚାହାଁନ୍ତି ନାହିଁ ଯେ ଭାରତ ଅଗ୍ରଗତି କରୁ। କାରଣ ସେମାନେ ଭାରତକୁ ଏକ ପଛୁଆ ଦେଶ ଭାବରେ ଦେଖିବାକୁ ପସନ୍ଦ କରନ୍ତି। ତାଙ୍କର ହୃଦୟରୁ ଇଚ୍ଛା ହେଉଛି ଯେ, ଭାରତ ତାଙ୍କ ନିର୍ଦ୍ଦେଶ ପାଳନ କରିବା ଉଚିତ୍। ଗତ ୧୦ ବର୍ଷ ମଧ୍ୟରେ ଭାରତ ଗ୍ଲୋବାଲ ସାଉଥର ନେତା ଭାବରେ ଉଭା ହୋଇଛି, ଅନେକ ବିଶ୍ୱସ୍ତରୀୟ ପଦକ୍ଷେପରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଭାରତରେ ଆୟୋଜିତ ଜି-୨୦ ସମ୍ମିଳନୀ ଐତିହାସିକ ଥିଲା। କାରଣ ପ୍ରଥମ ଥର ପାଇଁ ସମସ୍ତ ଦେଶର ସହମତି ସହିତ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଆଜି ପର୍ଯ୍ୟନ୍ତ ଭାରତ କେବଳ ଅସ୍ତ୍ରଶସ୍ତ୍ର ଆମଦାନୀ କରୁଥିଲା, କିନ୍ତୁ ଆଜି ଏହା ଅସ୍ତ୍ରଶସ୍ତ୍ର ରପ୍ତାନି କରି ବଡ ଦେଶଗୁଡିକୁ ଚ୍ୟାଲେଞ୍ଜ କରୁଛି। ପ୍ରବାସୀ ଭାରତୀୟଙ୍କ ଆତ୍ମବିଶ୍ଵାସ ବୃଦ୍ଧି ପାଇଛି, ଯେଉଁଥିପାଇଁ ପ୍ରବାସୀ ଭାରତୀୟ ମଧ୍ୟ ଭାରତର ପ୍ରଗତିରେ ଭାଗ ନେଉଛନ୍ତି। ଏହି ଆତ୍ମବିଶ୍ୱାସ ହେତୁ ଆଜି ଭାରତୀୟ ବଂଶଜ ଋଷି ସୁନକ ହେଉଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ, ସେ ସେହି ବ୍ରିଟିଶ ଯିଏ ଭାରତକୁ ଶହ ଶହ ବର୍ଷ ଶାସନ କରିଥିଲା।

ଆଜି ଭାରତ ଅନ୍ତର୍ଜାତୀୟ ସ୍ତରରେ ଚତୁର୍ଦିଗରୁ ପ୍ରଶଂସା ବଢୁଛି ଏବଂ ବର୍ତ୍ତମାନ ଆମେରିକାକୁ ଆଖିରେ ଆଖି ମିଶାଇ ଜବାବ ଦେଉଛି। ଆମେରିକା ଭାରତ ବିଷୟରେ ଏହିସବୁ ଜିନିଷ ହଜମ କରିବାରେ ସକ୍ଷମ ନୁହେଁ। ସେ ଚାହୁଁ ନାହିଁ ଯେ, ଭାରତ ଏକ ମଜବୁତ ନେତୃତ୍ୱ ପ୍ରଦାନ କରୁ। ଏହି କାରଣରୁ, ଭାରତରେ ଚାଲିଥିବା ଲୋକସଭା ନିର୍ବାଚନ ସମୟରେ ସେମାନେ ଅସନ୍ତୋଷ ବିସ୍ତାର କରିବା ଉଦ୍ଦେଶ୍ୟରେ ଏପରି ବିବୃତ୍ତି ଦେଉଛନ୍ତି। ସେମାନଙ୍କର ଇଚ୍ଛା ହେଉଛି ଭାରତରେ ଏକ ଢିଲା ସରକାର ଗଠନ ହେଉ, ଯାହା ସଂଖ୍ୟାଗରିଷ୍ଠତା ପାଇଁ ଚେଷ୍ଟା କରିବ।

ବିଶ୍ୱ ରାଜନୀତିରେ ପ୍ରାଧାନ୍ୟ:

ବିଶ୍ଵ ରାଜନୀତିରେ ପ୍ରାଧାନ୍ୟ ପାଇଁ ଏହା ଏକ ଲଢେଇ ଏବଂ ଏହା ବହୁତ ଦୂରକୁ ଯିବ। ଆମେରିକା ବର୍ତ୍ତମାନ ବିଶ୍ୱ ରାଜନୀତିରେ ନିଜର ଆଭିମୁଖ୍ୟ ହରାଇଛି ଏବଂ ଋଷ ମଧ୍ୟ ଏହାକୁ ଚ୍ୟାଲେଞ୍ଜ କରିଛି। ଏଭଳି ପରିସ୍ଥିତିରେ ଅର୍ଥନୈତିକ, ରାଜନୈତିକ ଏବଂ ସାମରିକ ଶକ୍ତି ଦୃଷ୍ଟିରୁ ଶକ୍ତିଶାଳୀ ତୃତୀୟ ଦେଶ ଭାରତ ମଧ୍ୟ ଗ୍ଲୋବାଲ ସାଉଥର ଅଗ୍ରଣୀ ଅଟେ, ଏଭଳି ପରିସ୍ଥିତିରେ ପାଶ୍ଚାତ୍ୟ ଦେଶମାନେ ଏହି ଜିନିଷଗୁଡିକ ହଜମ କରିବାରେ ସକ୍ଷମ ନୁହଁନ୍ତି। ଏଭଳି ପରିସ୍ଥିତିରେ ଭାରତକୁ ସୀମିତ ରଖିବା ପାଇଁ ପ୍ରୟାସ କରାଯାଉଛି। ଦୀର୍ଘ ଦଶନ୍ଧି ଧରି ଋଷ ଏବଂ ଭାରତ ଭଲ ବନ୍ଧୁ ଥିଲେ। କାଶ୍ମୀର ପ୍ରସଙ୍ଗରେ ଋଷ ଭାରତକୁ ସମର୍ଥନ କରିଆସୁଛି, ସେହି ସମୟରେ ଋଷ ପାକିସ୍ତାନକୁ ଆତଙ୍କବାଦୀଙ୍କୁ ପ୍ରତିପୋଷଣ କରୁଥିବା ଦେଶ ଭାବରେ ଦେଖୁଛି। ପାକିସ୍ତାନରୁ ବାଂଲାଦେଶର ସ୍ଵାଧୀନତା ପାଇଁ ଋଷ ଭାରତକୁ ସମର୍ଥନ କରିଥିଲା। ମିଳିତ ଜାତିସଂଘରେ ସ୍ଥାୟୀ ସଦସ୍ୟତା ପାଇଁ ଋଷ ସର୍ବଦା ଭାରତକୁ ସମର୍ଥନ କରିଆସୁଛି। ଆଣବିକ ପରୀକ୍ଷଣ ପରେ ଭାରତ ଋଷର ସମର୍ଥନ ପାଇଲା, ଯେତେବେଳେ ଆମେରିକା ଏବଂ ଏହାର ସହଯୋଗୀ ଦେଶମାନେ ଭାରତ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଲେ। ଋଷ ଭାରତ ସହିତ ଏହାର ଅନେକ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ବାଣ୍ଟିଛି। ଭାରତ ଏବଂ ଋଷ ଅନେକ ମିଳିତ ଉଦ୍ୟମ କରୁଛନ୍ତି, ବ୍ରାହ୍ମୋସ୍ କ୍ଷେପଣାସ୍ତ୍ର ଏହାର ଏକ ଉଦାହରଣ। ଋଷ ଭାରତର ଏକ ପୁରୁଣା ବନ୍ଧୁ ଏବଂ ଅସମୟରେ ମଧ୍ୟ ସାଥିରେ ରହିଛି। ଋଷ ଚାହୁଁଛି ଯେ ଭାରତ ଶକ୍ତିଶାଳୀ ହେଉ, ନିଜ ପାଦରେ ଠିଆ ହେଉ, ଯାହା ଦ୍ଵାରା ପୁଞ୍ଜିପତି ଦେଶର ସ୍ୱାର୍ଥ ପୂରଣ ହୋଇପାରିବ ନାହିଁ ଏବଂ ସେହି ସମୟରେ ଭାରତ ଏହି ବଡ ଦେଶମାନଙ୍କ ସହ ଆଖିରେ ଆଖି ମିଶାଇ କଥା ହୋଇପାରିବ।

ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା:

ଋଷ ମଧ୍ୟ ଭାରତକୁ ତାର ବନ୍ଧୁ ଭାବରେ ବିବେଚନା କରେ ଏବଂ ଭାରତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଋଷକୁ ସମର୍ଥନ କରିଛି। ଉଦାହରଣ ସ୍ୱରୂପ, ନିକଟରେ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ସମଗ୍ର ବିଶ୍ୱ ଋଷ ଉପରେ ଅନେକ କଟକଣା ଲାଗୁ କରିଥିଲାବେଳେ ଋଷ ଏବଂ ବିଶ୍ୱସ୍ତରୀୟ ମଞ୍ଚରେ ଭାରତ ଦୃଢ ଭାବରେ ଠିଆ ହୋଇଥିଲା। ଭାରତ ଏହାର ଜାତୀୟ ସ୍ୱାର୍ଥ ଅନୁସରଣ କରୁଥିବାବେଳେ ପରୋକ୍ଷରେ ଋଷକୁ ସମର୍ଥନ କରେ ଏବଂ ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ଋଷରୁ ତୈଳ କ୍ରୟ କରିଛି। ସେପଟେ ଋଷରୁ ତୈଳ କିଣି ଭାରତ ମଧ୍ୟ ୟୁରୋପକୁ ସାହାଯ୍ୟ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ସେଂଟର ଫର୍ ଏନ୍‌ଟରପ୍ରେନ୍ୟୁୟରସିପ୍ ଆଣ୍ଡ ଇନୋଭେସନ୍ ମ୍ୟାନେଜମେଂଟ ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡ୍ରୀ (ଆଇଭିଏସ୍‌ଏଏଚ୍‌) ରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ କରାଇବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ‘ସେଂଟର ଫର୍ ଏନ୍‌ଟରପ୍ରେନ୍ୟୁୟରସିପ୍ ଆଣ୍ଡ ଇନୋଭେସନ୍ ମ୍ୟାନେଜମେଂଟ’ ଶୁକ୍ରବାର ସୋଆର ଉପସଭାପତି ଶାଶ୍ୱତୀ ଦାସଙ୍କ ଦ୍ଵାରା ଉଦ୍ଘାଟିତ ହୋଇଛି।

ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ଶ୍ରୀମତି ଦାସ ଏହି ସେଂଟରକୁ ଉଦ୍ଘାଟନ କରି ଏହା ଦ୍ୱାରା ଏଗ୍ରିକଲ୍‌ଚର ଏବଂ ଭେଟେରିନାରୀ ସାଇନ୍ସେସ୍ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନିଜେ ରୋଜଗାରକ୍ଷମ ହେବା ନିମନ୍ତେ ତାଲିମ ପାଇ ପାରିବେ ବୋଲି କହିଥିଲେ । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର କିଭଳି ପ୍ରଚାର ପ୍ରସାର ଓ ବିକ୍ରି ହୋଇ ପାରିବ ସେ ନେଇ ଏଠାରେ ସେମାନଙ୍କୁ ପ୍ରଶିକ୍ଷିତ କରାଯିବ ବୋଲି ଶ୍ରୀମତି ଦାସ କହିଛନ୍ତି।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉପସ୍ଥିତ ରହି ଏହି ସେଂଟର ବିଷୟରେ ତଥ୍ୟ ପ୍ରଦାନ କରିବା ସହ ବଜାରରେ ସୋଆ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟ କିଭଳି ଉପଲବ୍ଧ ହେବ ଏବଂ ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ।

ଏହି ସେଂଟରର ମୁଖ୍ୟ ପ୍ରଫେସର ସମରେନ୍ଦ୍ର ମହାନ୍ତି ବିସ୍ତୃତ ସୂଚନା ଦେଇ ଆଇଏଏସ୍ ଏବଂ ଆଇଭିଏସ୍‌ଏଏଚ୍‌ର ଛାତ୍ରଛାତ୍ରୀମାନେ ନିଜ ନିଜ ଅନୁଷ୍ଠାନରେ ଉଭୟ ଥିଓରୀ ଓ ପ୍ରାକ୍ଟିକାଲ୍ ପାଠ୍ୟକ୍ରମର ଜ୍ଞାନ ଆହରଣ କରିବା ପରେ ନିଜକୁ କିଭଳି ସ୍ୱାବଲମ୍ବୀ ହୋଇ ଉଦ୍ୟୋଗୀ ହୋଇ ପାରିବେ, ଅଭିନବ ପ୍ରଚେଷ୍ଟା କରିପାରିବେ ଓ ବ୍ୟବସାୟ ପରିଚାଳନା କରିପାରିବେ ସେ ସମ୍ପର୍କିତ ପ୍ରଶିକ୍ଷଣ ଦିଆଯିବ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଆଇଭିଏସ୍‌ଏଏଚ୍‌ର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସଙ୍କ ସମେତ ଆଇଏଏସ୍ ଏବଂ ଆଇଭିଏସ୍‌ଏଏଚ୍‌ର ସମସ୍ତ ଫ୍ୟାକଲ୍ଟି ଓ ସୋଆ କର୍ମକର୍ତାଗଣ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ପକ୍ଷରୁ ନୂଆ ‘ଓଟିଟି ଷ୍ଟ୍ରିମିଂ ପ୍ଲାନ’ର ଶୁଭାରମ୍ଭ, ୮୮୮ ଟଙ୍କାରେ ୧୫ ପ୍ରମୁଖ ଓଟିଟି ଆପ୍

ଭୁବନେଶ୍ୱର: ରିଲାଏନ୍ସ ଜିଓ ଷ୍ଟ୍ରିମିଂ ପ୍ରେମୀଙ୍କ ପାଇଁ ଏକ ନୂଆ ପୋଷ୍ଟପେଡ ଓଟିଟି ବଣ୍ଡଲ ପ୍ଲାନ ଆଣିଛି। ଏହି ପ୍ଲାନ୍ ଜରିଆରେ ଗ୍ରାହକଙ୍କୁ ୧୫ଟି ପ୍ରମୁଖ ପ୍ରିମିୟମ୍ ଓଟିଟି ଆପ୍ ସହ ଅସୀମିତ ଡାଟା ମିଳୁଛି ଯାହାଦ୍ୱାରା ସେମାନେ ଯେତେବେଳେ ଚାହିଁବେ ନିଜ ପସନ୍ଦର ଆପ୍‌‌ରେ ଏହି ପ୍ରୋଗ୍ରାମ୍ ଦେଖିପାରିବେ। ମାସିକ ୮୮୮ ଟଙ୍କା ମୂଲ୍ୟର ଏହି ସୁଲଭ ପ୍ଲାନ ଉଭୟ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କ ପାଇଁ ଉପଲବ୍ଧ।

ନୂଆ ପ୍ଲାନରେ ଗ୍ରାହକଙ୍କୁ ୩୦ ଏମବିପିଏସ ସ୍ପିଡ ମିଳିବ। ଏହାବ୍ୟତୀତ ନେଟଫ୍ଲିକ୍ସର ବେସିକ୍ ପ୍ଲାନ୍‌‌, ଆମାଜନ୍ ପ୍ରାଇମ୍ ଏବଂ ଜିଓସିନେମା ପ୍ରିମିୟମ୍ ଭଳି ୧୫ରୁ ଅଧିକ ପ୍ରମୁଖ ଓଟିଟି ଆପ୍‌‌କୁ ଏହି ପ୍ଲାନ୍‌‌ରେ ଅନ୍ତର୍ଭୁକ୍ତ କରାଯାଇଛି। ଅର୍ଥାତ୍ ଏହି ଲୋକପ୍ରିୟ ଆପ୍‌‌ଗୁଡ଼ିକର ସବସ୍କ୍ରିପସନ ଏହି ପ୍ଲାନରେ ଉପଲବ୍ଧ ହେବ। ଏହି ପ୍ଲାନର ଆଉ ଏକ ବିଶେଷ ବୈଶିଷ୍ଟ୍ୟ ହେଉଛି, ନୂଆ ଗ୍ରାହକ ହୁଅନ୍ତୁ କିମ୍ବା ବର୍ତ୍ତମାନ ୧୦ ଏମବିପିଏସ କିମ୍ବା ୩୦ ଏମବିପିଏସ ପ୍ଲାନ ବ୍ୟବହାର କରୁଥିବା ଉପଭୋକ୍ତା, ୮୮୮ ଟଙ୍କାର ପୋଷ୍ଟପେଡ ପ୍ଲାନ ସମସ୍ତଙ୍କ ପାଇଁ ଉପଲବ୍ଧ। ବର୍ତ୍ତମାନ ପ୍ରିପେଡ୍ ପ୍ଲାନ୍ ରହିଥିବା ସମସ୍ତ ଉପଭୋକ୍ତା ସହଜରେ ଏହି ନୂଆ ପୋଷ୍ଟପେଡ୍ ପ୍ଲାନ୍‌‌କୁ ଅପଗ୍ରେଡ୍ କରିପାରିବେ।

ଏହାବ୍ୟତୀତ ନିକଟରେ ଘୋଷଣା ହୋଇଥିବା ଜିଓ ଆଇପିଏଲ ଧନ ଧନା ଧନ ଅଫର ମଧ୍ୟ ଏହି ପ୍ଲାନରେ ଲାଗୁ ହେବ। ଜିଓ ଫାଇବର କିମ୍ବା ଏୟାରଫାଇବର ପାଇଁ ଯୋଗ୍ୟ ଗ୍ରାହକମାନେ ସେମାନଙ୍କ ଜିଓ ହୋମ୍ ବ୍ରଡବ୍ୟାଣ୍ଡ କନେକ୍ସନରେ ୫୦ ଦିନର ରିହାତି କ୍ରେଡିଟ୍ ଭାଉଚର ପାଇପାରିବେ। ୨୦୨୪ ମେ ୩୧ ପର୍ଯ୍ୟନ୍ତ ଉପଲବ୍ଧ ଜିଓ ଧନ ଧନା ଧନ ଅଫରକୁ ଟି-୨୦ ସିଜନ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଲୋକସଭା ନିର୍ବାଚନ ମଧ୍ୟରେ ଅଖିଳେଶ ଯାଦବଙ୍କୁ ଝଟକା!: ଇସ୍ତଫା ଦେଲେ ପୂର୍ବତନ ଏସପି ବିଧାୟକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଏକ ବଡ଼ ଝଟକା ଲାଗିଛି। ଜୌନପୁରର ପୂର୍ବତନ ଏସପି ବିଧାୟକ ତଥା ବରିଷ୍ଠ ନେତା ଓମ୍ ପ୍ରକାଶ ଦୁବେ (ବାବା ଦୁବେ) ଦଳ ଛାଡିଛନ୍ତି। କୁହାଯାଉଛି ଯେ, ଜୌନପୁର ଲୋକସଭା ଆସନରୁ ବାବୁ ସିଂ କୁଶୱାଙ୍କୁ ଟିକେଟ୍ ଦିଆଯିବା ଉପରେ ବାବା ଦୁବେ ଅସନ୍ତୁଷ୍ଟ ଥିଲେ। ତାଙ୍କ ଇସ୍ତଫା ହେତୁ ନିର୍ବାଚନରେ ​​ସମାଜବାଦୀ ପାର୍ଟିକୁ କ୍ଷତି ହୋଇପାରେ।

ଓମ୍ ପ୍ରକାଶ ଦୁବେ ଜୌନପୁରର ବଦଲାପୁର ଆସନରୁ ବିଧାୟକ ରହିଛନ୍ତି। ସେ ତାଙ୍କ ଇସ୍ତଫା ଏସପି ସଭାପତି ଅଖିଳେଶ ଯାଦବଙ୍କ ନିକଟକୁ ପଠାଇଛନ୍ତି। ଯେଉଁଥିରେ ସେ ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଇସ୍ତଫା ପରେ ବାବା ଦୁବେଙ୍କ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବାବା ଦୁବେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, “ମୋର ବ୍ୟକ୍ତିଗତ ତଥା ରାଜନୈତିକ ନୀତିର ବିପରୀତ, ମୁଁ ଅତୀତରେ କିମ୍ବା ଉପରୋକ୍ତ ପୃଷ୍ଠଭୂମି ଏବଂ ଆଚରଣ ସହିତ କୌଣସି ବ୍ୟକ୍ତିଙ୍କୁ ସମର୍ଥନ କିମ୍ବା ପ୍ରୋତ୍ସାହିତ କରିବାକୁ ଗ୍ରହଣ କରି ନାହିଁ। ବର୍ତ୍ତମାନ ସୁଦ୍ଧା ମୁଁ ଏହା କରିବାକୁ ଗ୍ରହଣ କରିବି ନାହିଁ। ତେଣୁ ମୁଁ ଏସପି ର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଛି।”

ବାବା ଦୁବେ ୨୦୦୯ ମସିହାରେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ସେ ଏକ ସମୟରେ ବହୁଜନ ସମାଜବାଦୀ ପାର୍ଟିରୁ ବିଦାୟ ନେଇଥିଲେ, ଯେତେବେଳେ ବିଏସପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହିତ ରାଜ୍ୟରେ କ୍ଷମତାରେ ଥିଲା। ଏହା ପରେ ସମାଜବାଦୀ ପାର୍ଟି ତାଙ୍କୁ ୨୦୧୨ ମସିହାରେ ବଦଲାପୁର ଆସନରୁ ଟିକେଟ୍ ଦେଇଥିଲା ଏବଂ ସେ ଜିତିଥିଲେ। କିନ୍ତୁ ତାଙ୍କୁ ୨୦୧୭ ଏବଂ ୨୦୨୨ ରେ ପରାଜୟର ସାମ୍ନା କରିବାକୁ ପଡିଥିଲା।

ଏଥର ସମାଜବାଦୀ ପାର୍ଟି ଜୌନପୁର ଆସନରୁ ବାବୁ ସିଂ କୁଶୱାଙ୍କୁ ଟିକେଟ୍ ଦେଇଛି। ଯେଉଁଥିପାଇଁ ବାବା ଦୁବେ ଏହାକୁ ବିରୋଧ କରିଥିଲେ। ଏହା ପରେ ସେ ବିଶ୍ୱାସ କରିଥିଲେ ଯେ, ସେ ସମାଜବାଦୀ ପାର୍ଟି ଛାଡିପାରନ୍ତି। ତେବେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ। କିନ୍ତୁ ବାବା ଦୁବେଙ୍କ ଇସ୍ତଫା କେବଳ ଲୋକସଭାରେ ନୁହେଁ, ବରଂ ୨୦୨୭ ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ମଧ୍ୟ ଏସପିକୁ କ୍ଷତି ପହଞ୍ଚାଇପାରେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ନମୁନା ପରୀକ୍ଷାରେ ବିଫଳ ହେଲେ ମସଲା କମ୍ପାନୀଗୁଡିକର ବଢିବ ସମସ୍ୟା, ବାତିଲ ହେବ ଲାଇସେନ୍ସ!

ନୂଆଦିଲ୍ଲୀ: ହଂକଂ, ସିଙ୍ଗାପୁର, ମାଲଦ୍ୱୀପ ପରି ଦେଶରେ ମସଲା ଉପରେ ନିଷେଧାଦେଶ ପରେ ବର୍ତ୍ତମାନ ଘରୋଇ ସ୍ତରରେ ମଧ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସରକାର ଏହାର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଛନ୍ତି ଏବଂ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି ମସଲା ନମୁନା ପରୀକ୍ଷାରେ ବିଫଳ ହୁଏ ତେବେ କମ୍ପାନୀଗୁଡିକର ଲାଇସେନ୍ସ ବାତିଲ ହେବ।

ବିଜନେସ୍ ଷ୍ଟାଣ୍ଡାର୍ଡର ଏକ ରିପୋର୍ଟରେ ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ଉଦ୍ଧେଶ୍ୟରେ କୁହାଯାଇଛି ଯେ, ଯଦି କୌଣସି ଭୁଲ ଦେଖାଯାଏ ତେବେ ମସଲା କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଦ୍ୱିଧା କରିବେ ନାହିଁ। ଅଧିକାରୀଙ୍କ କହିବାନୁସାରେ, ଯଦି ଏହା ଜଣାପଡ଼େ ଯେ ମସଲା କମ୍ପାନୀଗୁଡ଼ିକ ପ୍ୟାକେଡ୍ ଉତ୍ପାଦଗୁଡ଼ିକରେ କୀଟନାଶକ ଗ୍ରହଣ ଯୋଗ୍ୟ ସ୍ତରର ନିୟମ ଉଲ୍ଲଂଘନ କରୁଛନ୍ତି, ତେବେ ଏପରି ପରିସ୍ଥିତିରେ ସରକାର ସେମାନଙ୍କର ଲାଇସେନ୍ସ ବାତିଲ କରିବାକୁ ଦ୍ୱିଧା କରିବେ ନାହିଁ।

ଏହି ଦେଶରେ ମସଲା ନିଷେଧ:

ଭାରତୀୟ ମସଲା ବ୍ରାଣ୍ଡ ବର୍ତ୍ତମାନ ବିବାଦର ମୁକାବିଲା କରୁଛି। ଯେତେବେଳେ ହଂକଂ MDH ଏବଂ ଏଭରେଷ୍ଟକୁ ଅନେକ ପ୍ୟାକେଜ୍ ପାଉଡର ମସଲା ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲା ସେତେବେଳେ ବିବାଦ ଆରମ୍ଭ ହୋଇଥିଲା। ହଂକଂର ଖାଦ୍ୟ ନିରାପତ୍ତା ନିୟାମକ କହିଛି ଯେ, ମସଲା ଦ୍ରବ୍ୟରେ କୀଟନାଶକ ଏବଂ ବିପଜ୍ଜନକ ରାସାୟନିକ ପଦାର୍ଥ ରହିଛି। ଏହା ପରେ ସିଙ୍ଗାପୁର ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପଡୋଶୀ ଦେଶ ମାଲଦ୍ୱୀପ ମଧ୍ୟ ପରେ ଉଭୟ ବ୍ରାଣ୍ଡର ଅନେକ ଉତ୍ପାଦକୁ ବଜାରରୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଥିଲା।

୧୫୦୦ ନମୁନା ସଂଗ୍ରହ କରାଯାଇଛି:

ବିବାଦ ପରେ ଘରୋଇ ଖାଦ୍ୟ ନିରାପତ୍ତା ନିୟାମକ FSSAI ମସଲାର ଅନୁସନ୍ଧାନକୁ ଜୋରଦାର କରିଛି। ଭାରତର ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଦେଶରେ ୧୫୦୦ ରୁ ଅଧିକ ମସଲାର ନମୁନା ସଂଗ୍ରହ କରିଛି। ସମସ୍ତ ମସଲା ନମୁନାଗୁଡିକ ବର୍ତ୍ତମାନ ଯାଞ୍ଚ କରାଯାଉଛି। FSSAI ଦ୍ଵାରା ହୋଇଥିବା ଏହି ଅନୁସନ୍ଧାନରେ ରାସାୟନିକ ପଦାର୍ଥ, ମାଇକ୍ରୋବସ୍, ମାଇକୋଟକ୍ସିନ, ସୁଦାନ ରଙ୍ଗ ଇତ୍ୟାଦିର ଉପସ୍ଥିତି ଚିହ୍ନଟ ହେଉଛି। ଇଥାଇଲନ୍ ଅକ୍ସାଇଡ୍ ସହିତ ୨୩୪ କୀଟନାଶକର ଉପସ୍ଥିତି ମଧ୍ୟ ଅନୁସନ୍ଧାନ କରାଯାଉଛି।

ପରୀକ୍ଷା ଫଳାଫଳ ୧୫ ଦିନରେ ଆସିବ:

ହଂକଂ, ସିଙ୍ଗାପୁର ଏବଂ ମାଲଦ୍ୱୀପରେ ଭାରତୀୟ ମସଲା ବ୍ରାଣ୍ଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ FSSAI ନମୁନା ସଂଗ୍ରହ ଆରମ୍ଭ କରିଥିଲା। ନିୟାମକ ଏପ୍ରିଲ ୨୫ ତାରିଖରୁ ନମୁନା ସଂଗ୍ରହ କରିବା ଆରମ୍ଭ କଲା। FSSAI ର ସାରା ଦେଶରେ ୨୩୭ ପରୀକ୍ଷା ଲ୍ୟାବ ଅଛି। ମସଲା ନମୁନା ପରୀକ୍ଷା କରିବାର ଫଳାଫଳ ୧୫ ଦିନ ମଧ୍ୟରେ ଆଶା କରାଯାଏ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

‘ନିଜ ପାଇଁ ନୁହେଁ, ଅମିତ ଶାହାଙ୍କ ପାଇଁ ଭୋଟ୍ ମାଗୁଛନ୍ତି ମୋଦୀ’: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ତିହାର ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଜନତାଙ୍କ ସହ ଯୋଗ ଦେଇଛନ୍ତି। ଜେଲରୁ ବାହାରିବା ପରେ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଏହି ଲୋକସଭା ନିର୍ବାଚନରେ ​​ସରକାର ବିଜେପି ଦ୍ୱାରା ନୁହେଁ ବରଂ ଇଣ୍ଡିଆ ଆଲାଇନ୍ସ ଦ୍ୱାରା ଗଠନ ହେବ। ତେବେ ସେ ଏକ ବଡ ଦାବି କରି କହିଛନ୍ତି ଯେ, ବିଜେପି ସରକାର ଗଠନ ହୋଇଥିଲେ ମଧ୍ୟ ନରେନ୍ଦ୍ର ମୋଦୀ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ନାହିଁ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, “ଏହି ଲୋକମାନେ (ବିଜେପି) ଇଣ୍ଡିଆ ସହଯୋଗୀ ଦଳକୁ ପଚାରନ୍ତି ତୁମର ପ୍ରଧାନମନ୍ତ୍ରୀ କିଏ, ମୁଁ ବିଜେପିକୁ ପଚାରୁଛି କିଏ ତୁମର ପ୍ରଧାନମନ୍ତ୍ରୀ ହେବ? ଲୋକମାନେ ନିଶ୍ଚିତ ଭାବରେ ଚିନ୍ତା କରୁଛନ୍ତି ଯେ, ଏହା କି ପ୍ରକାର ପ୍ରଶ୍ନ? ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ, କିନ୍ତୁ ଏହା ହେବ ନାହିଁ। ଏହାର କାରଣ ଦର୍ଶାଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, “ଆସନ୍ତା ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୭୫ ବର୍ଷ ବୟସ ହେଉଛି। ବିଜେପିରେ ପ୍ରଧାନମନ୍ତ୍ରୀ ନିଜେ ଏକ ନିୟମ କରିଛନ୍ତି ଯେ, ୭୫ ବର୍ଷରୁ ଅଧିକ ନେତାମାନେ ଅବସର ଗ୍ରହଣ କରିବେ।”

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଲାଲ କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ସୁମିତ୍ରା ମହାଜନ ସେମାନଙ୍କ ବୟସ ହେତୁ ଅବସର ନେଇଥିଲେ। ବର୍ତ୍ତମାନ ନରେନ୍ଦ୍ର ମୋଦୀଙ୍କୁ ୭୫ ବର୍ଷ ବୟସ ହେବାକୁ ଯାଉଛି। ବର୍ତ୍ତମାନ ମୁଁ ବିଜେପିକୁ ପଚାରୁଛି ସେମାନଙ୍କର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ? ଅମିତ ଶାହାଙ୍କୁ ମୋଦୀ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କରିବେ। ସେଥିପାଇଁ ସେ ନିଜ ପାଇଁ ଭୋଟ୍ ମାଗୁନାହାଁନ୍ତି, କିନ୍ତୁ ଅମିତ ଶାହାଙ୍କ ପାଇଁ ମାଗୁଛନ୍ତି।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଯେତେବେଳେ ଆପଣ ବିଜେପିକୁ ଭୋଟ୍ ଦେବାକୁ ଯାଆନ୍ତି, ମନେରଖନ୍ତୁ ଯେ ଆପଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ନୁହେଁ ବରଂ ଅମିତ ଶାହାଙ୍କ ନାମରେ ଭୋଟ୍ ଦେଉଛନ୍ତି। ଏଥି ସହ ସେ ଆହୁରି ମଧ୍ୟ ପଚାରିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ଅବସର ନିଅନ୍ତି, ତେବେ ମୋଦୀଙ୍କ ଗ୍ୟାରେଣ୍ଟି କିଏ ପୂରଣ କରିବ?

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଦଳର ବରିଷ୍ଠ ନେତାଙ୍କ ରାଜନୀତି ଶେଷ କରିଛନ୍ତି। ସେ କହିଛନ୍ତି ଯେ, “ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ​​ବିଜେପିର ବିଜୟ ପରେ ମଧ୍ୟ ଶିବରାଜ ସିଂ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇ ନାହିଁ ଏବଂ ତାଙ୍କ ରାଜନୀତି ଶେଷ ହୋଇଛି। ବସୁନ୍ଧରା ରାଜେ, ମନୋହର ଲାଲ ଖଟ୍ଟର ଏବଂ ରମଣ ସିଂଙ୍କ ଭଳି ନେତାଙ୍କ ସହ ମଧ୍ୟ ସମାନ କାର୍ଯ୍ୟ କରାଯାଇଛି।”

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ବିଶ୍ୱ ହାତ ସ୍ୱଚ୍ଛତା ଦିବସ ପାଳିତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ରେ ଅଣୁଜୀବ ବିଜ୍ଞାନ ବିଭାଗ ପକ୍ଷରୁ ସୋମବାର ‘ବିଶ୍ୱ ହାତ ସ୍ୱଚ୍ଛତା ଦିବସ’ ପାଳିତ ହୋଇଯାଇଛି।

ଆୟୋଜିତ କାର୍ଯ୍ୟକ୍ରମରେ ସମ୍ ଫୁଲନଖରା କ୍ୟାମ୍ପସ୍‌ର ଡିନ୍ ପ୍ରଫେସର ଡାକ୍ତର ଅରକ୍ଷିତ ସ୍ୱାଇଁ, ପାଥୋଲୋଜି ବିଭାଗର ମୁଖ୍ୟ ଡାକ୍ତର କେ. ମୋହିନୀ ରାଓ ଏବଂ ଲାବୋରେଟୋରୀ ର ନିର୍ଦ୍ଦେଶକ ତଥା ଅଣୁଜୀବ ବିଜ୍ଞାନ (ମାଇକ୍ରୋବାୟୋଲୋଜି) ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ସାହୁ ଯୋଗ ଦେଇ ହାତ ଧୋଇବା ଦ୍ୱାରା କିଭଳି ସଂକ୍ରମଣକୁ କିପରି ଦୂରରେ ରଖିହେବ ଏବଂ ଅନ୍ୟ ବ୍ୟକ୍ତି ମଧ୍ୟ ସୁସ୍ଥ ରଖିପାରିବେ ଏ ନେଇ ବିସ୍ତୃତ ଭାବେ ସଚେତନତା ନିମନ୍ତେ ବାର୍ତା ଦେଇଥିଲେ।

ରୋଗୀ ସେବାରେ ସ୍ୱଚ୍ଛ ହାତର ମହତ୍ୱ ତଥା ହାତ ଧୋଇବା ଅଭ୍ୟାସ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ କିଭଳି ସାହାଯ୍ୟ କରେ ତାହା ବକ୍ତାମାନେ ସରଳ ଉପାୟରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ଅବଗତ କରାଇଥିଲେ। ଏଥି ସହିତ ପ୍ରାଚୀନ କାଳରେ ଓ କୋଭିଡ୍ ମହାମାରୀ ସମୟରେ ସ୍ୱଚ୍ଛ ହାତର ମହତ୍ୱ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।

ଅଣୁଜୀବ ବିଜ୍ଞାନ ବିଭାଗର ଡାକ୍ତର ଓ ଷ୍ଟାଫ୍ ମାନଙ୍କ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଘ (WHO) ଏ ବର୍ଷର ସ୍ଳୋଗାନ “ହ୍ୱାଏ ଇଜ୍ ସେୟାରିଂ ନଲେଜ୍ ଏବାଉଟ୍ ହ୍ୟାଣ୍ଡ ହାଇଜିନ୍ ଷ୍ଟିଲ୍ ସୋ ଇମ୍ପୋର୍ଟାଂଟ” ସେ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯାଇ ରୋଗୀ ସେବାରେ ଏହାକୁ ପ୍ରାଧାନ୍ୟ ଦେବା ପାଇଁ ଅନୁରୋଧ କରାଯାଇଥିଲା। ଏହି ବାର୍ତାକୁ ହସ୍ପିଟାଲର ସମସ୍ତ ବିଭାଗୀୟ କର୍ମଚାରୀ ହସ୍ତ ଅଙ୍କିତ ପୋଷ୍ଟର ମାଧ୍ୟମରେ ଅତି ସୁନ୍ଦର ଭାବରେ ଉପସ୍ଥାପିତ କରିଥିଲେ ଏବଂ ଶ୍ରେଷ୍ଠ ବିବେଚିତ ପୋଷ୍ଟରକୁ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମ ଶେଷରେ ଡ୍ରାମା ଏବଂ ନୃତ୍ୟ ପରିବେଷଣ ଜରିଆରେ ସ୍ୱଚ୍ଛ ହାତର ସଠିକ୍ ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସମ୍ ହସ୍ପିଟାଲ୍ ପକ୍ଷରୁ ଆନ୍ତର୍ଜାତିକ ସେବିକା ସପ୍ତାହ ପାଳିତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଲଗାତର ୨୦୨୨ ଓ ୨୦୨୩ରେ ଶ୍ରେଷ୍ଠ ବିଏସ୍‌କେୱାଇ ହସ୍ପିଟାଲ୍‌ର ମାନ୍ୟତା ପାଇଥିବା ବେଳେ କରୋନା ମହାମାରୀ ସମୟରେ ଚିକିତ୍ସା ଓ ପରିଚାଳନା ନେଇ ଶ୍ରେଷ୍ଠ କୋଭିଡ ହସ୍ପିଟାଲ୍ ଭାବେ ପରିଗଣିତ ହୋଇଛି। ତେବେ ହସ୍ପିଟାଲ୍ ଏହି ସବୁ ପ୍ରତିଷ୍ଠା ପାଇବା କ୍ଷେତ୍ରରେ ଡାକ୍ତରମାନଙ୍କ ସହିତ ନର୍ସମାନଙ୍କ ଅବଦାନର ବଡ଼ ଗୁରୁତ୍ୱ ରହିଛି ବୋଲି ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି।

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ମଙ୍ଗଳବାର ଆନ୍ତର୍ଜାତିକ ସେବିକା ସପ୍ତାହ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ସାମନ୍ତସିଂହାର କହିଛନ୍ତି ଯେ ଡାକ୍ତରମାନେ ରୋଗୀମାନଙ୍କର ପରୀକ୍ଷା, ରୋଗ ନିରୂପଣ ଓ ଚିକିତ୍ସା କରୁଥିôବା ବେଳେ ନର୍ସମାନେ ୨୪ ଘଂଟା ଧରି ରୋଗୀମାନଙ୍କର ସେବା କରିଥାନ୍ତି। ତେଣୁ ସେମାନଙ୍କର କାର୍ଯ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ।

ଏହି ଅବସରରେ ରାଜ୍ୟ ସରକାରଙ୍କ ନର୍ସିଂ ବିଭାଗର ନିର୍ଦ୍ଦେଶକ ଡାକ୍ତର ଆର୍ତବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେ ୧୨ ତାରିଖକୁ ନର୍ସିଂ ଦିବସ ଭାବେ ପାଳନ କରାଯାଉଥିବା କହିବା ସହ ସ୍ୱାସ୍ଥ୍ୟ ବିଭାଗ କ୍ଷେତ୍ରରେ ନର୍ସମାନଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ। ତେଣୁ ସେମାନଙ୍କୁ ପ୍ରୋତ୍ସାହିତ କରିବା ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବ୍ରହ୍ମକୁମାରୀ ରାଜଯୋଗିନୀ ବି.କେ. ନମିତା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମାନସିକ ଚାପର ପରିଚାଳନା ଏବଂ ଏ କ୍ଷେତ୍ରରେ ଧ୍ୟାନ କରିବାର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ସେ ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କର ସେବା କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ।

କାର୍ଯ୍ୟକ୍ରମରେ ଆଡିସ୍ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ ଶୋଭାମଞ୍ଜରୀ ସାମଲ ବକ୍ତବ୍ୟ ରଖିଥିବା ବେଳେ ଡେପୁଟି ନସିଂ ସୁପରିଟେଣ୍ଡେଂଟ ନିରୂପମା ଡଗର ଧନ୍ୟବାଦ ଅର୍ପଣ କରିଥିଲେ। ସେବିକା ସପ୍ତାହ ଦିବସ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସମସ୍ତ କ୍ଲିନିକାଲ୍ ଓ ନନ୍‌କ୍ଲିନିକାଲ୍ ବିଭାଗୀୟ ମୁଖ୍ୟ, ସମସ୍ତ ଡିଏନ୍‌ଏସ୍‌, ଏଏନ୍‌ଏସ୍‌, ନର୍ସିଂ ଅଫିସର, ଇନ୍‌ଟର୍ଣ୍ଣ ଓ ଛାଚ୍ରଛାତ୍ରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସିଏଚ୍‌ଆର୍ ଦ୍ୱାରା ସିମେନ୍ ଆନାଲିସିସ୍ ସମ୍ପର୍କିତ ସିଏମ୍‌ଇ ଆୟୋଜିତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଅଧିନସ୍ଥ ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ (ସିଏଚ୍‌ଆର) ଏବଂ ଇଣ୍ଡିଆନ୍ ଫର୍ଟିଲିଟି ସୋସାଇଟିର ମିଳିତ ସହଯୋଗରେ ଗତ ଶନିବାର ‘ସିମେନ୍ ଆନାଲିସିସ୍ ମେଡ୍ ଇଜି: ମାନୁଆଲ୍ ଆଣ୍ଡ ଅଟୋମେଟିକ୍‌’ ଶୀର୍ଷକ ଏକ କଂଟିନୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) ତଥା କର୍ମଶାଳା ଆୟୋଜିତ ହୋଇଯାଇଛି। ହସ୍ପିଟାଲ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ସିଏଚ୍‌ଆର୍‌ର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଜାତା ପ୍ରଧାନ ବକ୍ତବ୍ୟ ରଖିଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏବଂ ଆଇଏଫ୍‌ଏସ୍ ଓଡ଼ିଶା ଶାଖାର ସଂପାଦକ ଡାକ୍ତର ଅକ୍ଷୟ କୁମାର ମହାପାତ୍ର ଉପସ୍ଥିତ ଥିଲେ।

ଏହାର ପରବର୍ତ୍ତୀ ଅଧିବେଶନରେ ସିଏଚ୍‌ଆର୍‌ର ସିନିୟର ଏମ୍ବ୍ରିଓଲୋଜିଷ୍ଟ ଡାକ୍ତର ଚିଦାନନ୍ଦ ଦାଶ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମ ଅନୁଯାୟୀ ପାରମ୍ପରିକ ବୀର୍ଯ୍ୟ ବିଶ୍ଲେଷଣ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନା କରିଥିବା ବେଳେ ଏଡିଭିୱାଇ କେମିକାଲ୍‌ସର ସେଲ୍ସ ମୁଖ୍ୟ ଶୁଭଙ୍କର ଦାସ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ) ଏବଂ ଅଟୋମେଟିକ ସିଷ୍ଟମ୍ସ ବ୍ୟବହାର ମାଧ୍ୟମରେ କିଭଳି ବୀର୍ଯ୍ୟ ବିଶ୍ଲେଷଣ କରାଯାଇପାରିବ ସେ ନେଇ ତଥ୍ୟ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ ଗ୍ରୀଷ୍ମକାଳୀନ କ୍ୟାମ୍ପ ଆରମ୍ଭ

ଭୁବନେଶ୍ୱର: ଗ୍ରୀଷ୍କକାଳୀନ ଛୁଟି ସମୟରେ ସ୍କୁ୍‌ଲ ଛାତ୍ରଛାତ୍ରୀମାନଙ୍କୁୁ କ୍ରୀଡ଼ା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବା ସହ ମାନସିକ ବିକାଶରେ ସହାୟତା କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ୧୦ ଦିନିଆ ଗ୍ରୀଷ୍ମକାଳୀନ ଶିବିର ଅର୍ଥାତ୍ ସମର କ୍ୟାମ୍ପ ଆରମ୍ଭ ହୋଇଛି।

ସୋଆ କ୍ୟାମ୍ପସ ୨ ସ୍ପୋର୍ଟ୍ସ କମ୍ପଲେକ୍ସରେ ଚାଲିବାକୁ ଥିବା ‘ସମର କ୍ୟାମ୍ପ’ର ଶୁଭାରମ୍ଭ କରିବା ଅବସରରେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଛାତ୍ରଛାତ୍ରୀମାନଙ୍କର ଶାରୀରିକ ସୁସ୍ଥତା ଓ ମାନସିକ ସ୍ତରରେ ବିକାଶ ନେଇ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି। ପାଠପଢ଼ା ସହିତ କ୍ରୀଡ଼ା ଅଭ୍ୟାସ ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହୋଇଥାଏ। ତେଣୁ ଛୁଟି ସମୟରେ ଏଭଳି ଶିବିର ଦ୍ୱାରା ଛାତ୍ରଛାତ୍ରୀ ବେଶ ଉତ୍ସାହିତ ହୋଇପାରିବେ ବୋଲି ପ୍ରଫେସର ଦାସ କହିଛି।

ଭୁବନେଶ୍ୱରର ବିଭିନ୍ନ ସ୍କୁଲ୍‌ର ୫ମ ରୁ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଶିବିରରେ ଯୋଗ ଦେଇଛନ୍ତି ।

ଏହି ଶିବିରରେ ଭଲିବଲ୍‌, ବାସ୍କେଟବଲ୍‌, ଟେବୁଲ୍ ଟେନିସ୍‌, ଲନ୍ ଟେନିସ, କ୍ରିକେଟ, ଖୋ ଖୋ, କବାଡି ଓ ଚେସ୍ ଭଳି କ୍ରୀଡ଼ାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରତ୍ୟେକ ଦିନ ଅପରାହ୍ଣ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି କ୍ୟାମ୍ପ ଚାଲିବ।

ସୋଆ ପକ୍ଷରୁ ଚତୁର୍ଥ ବର୍ଷ ପାଇଁ ଏହି କ୍ୟାମ୍ପର ଆୟୋଜନ କରାଯାଇଛି। ସୋଆର କ୍ରୀଡା ଅଫିସର ସୁନୀତା ବର୍ମାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

INDIA ସହଯୋଗୀ ଦଳ ସହିତ ଅଲଗା ହେଲେ ଏସପି ବିଧାୟକ!, ସ୍ମୃତି ଇରାନୀଙ୍କ ପାଇଁ ଭୋଟ୍ ମାଗୁଛି ପରିବାର

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ବିଧାୟକ ମହାରାଜୀ ଦେବୀଙ୍କ ବିଦ୍ରୋହୀ ସ୍ୱର ଉତ୍ତରପ୍ରଦେଶର ଆମେଥୀ ଲୋକସଭା ଆସନରେ ଦେଖିବାକୁ ମିଳୁଛି। ମହାରାଜୀ ଦେବୀ ଗାୟତ୍ରୀ ପ୍ରସାଦ ପ୍ରଜାପତୀଙ୍କ ପତ୍ନୀ, ଯିଏକି ଏସପି ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ଏବଂ ଆମେଥୀ ବିଧାନସଭା ଆସନରୁ ଏସପି ବିଧାୟକ ଅଟନ୍ତି, କିନ୍ତୁ ଆଜିକାଲି ତାଙ୍କ ପରିବାର ଇଣ୍ଡିଆ ମେଣ୍ଟ ବଦଳରେ ବିଜେପି ସାଂସଦ ସ୍ମୃତି ଇରାନୀଙ୍କ ସମର୍ଥନରେ ପ୍ରଚାର କରୁଛନ୍ତି।

ଏସପି ବିଧାୟକ ମହାରାଜୀ ଦେବୀ ପ୍ରଜାପତିଙ୍କ ପୁଅ ଅନୁରାଗ ପ୍ରଜାପତି ଏବଂ ଝିଅ ଅଙ୍କିତା ପ୍ରଜାପତି ଖୋଲାଖୋଲି ଭାବେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ସମର୍ଥନରେ ଆସିଛନ୍ତି। ସେମାନେ ସ୍ମୃତିଙ୍କ ସଭାରେ ଯୋଗଦେଉଛନ୍ତି ଏବଂ କଂଗ୍ରେସ ପରିବର୍ତ୍ତେ ବିଜେପି ସପକ୍ଷରେ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରୁଛନ୍ତି। ସେମାନଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସ୍ମୃତି ଇରାନୀଙ୍କୁ ଜିତେଇବାକୁ ଚେଷ୍ଟା କରୁଛନ୍ତି।

ମହାରାଜୀ ଦେବୀଙ୍କ ଝିଅ ଅଙ୍କିତା ପ୍ରଜାପତି ଶୁକ୍ରବାର ଦିନ ଆମେଥୀରେ ଏକ ସଭାରେ ବିଜେପି ସାଂସଦ ସ୍ମୃତି ଇରାନୀଙ୍କ ସହ ନଜର ଆସିଥିଲେ। ଏହି ସଭାରେ ତାଙ୍କ ପୁଅ ଅନୁରାଗ ପ୍ରଜାପତି ମଧ୍ୟ ଉପସ୍ଥିତ ଥିଲେ। ଲୋକମାନଙ୍କୁ ସମ୍ବୋଧିତ କରି ଅଙ୍କିତା କହିଛନ୍ତି ଯେ, “ମୁଁ ଆପଣମାନଙ୍କୁଙ୍କୁ ଅନୁରୋଧ କରୁଛି ଯେ ତାଙ୍କୁ ସାହାଯ୍ୟ କରନ୍ତୁ ଏବଂ ତାଙ୍କୁ ବିଜୟୀ କରନ୍ତୁ। ମୁଁ ଆପଣ ସମସ୍ତଙ୍କଠାରୁ ଜାଣିବାକୁ ଚାହେଁ ଯେ, ଦିଦିଙ୍କୁ ଆଶୀର୍ବାଦ ଦେଉଛନ୍ତି କି ନାହିଁ, ଆପଣମାନେ ସମସ୍ତେ ହାତ ଉଠାଇ କୁହନ୍ତୁ।”

ଏସପି ବିଧାୟକଙ୍କ ପୁଅ ଓ ଝିଅ ବିଜେପି ପାଇଁ ପ୍ରଚାର କରୁଥିବା ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହା ପ୍ରଥମ ଘଟଣା ନୁହେଁ ଯେ, ଏସପି ବିଧାୟକ ମହାରାଜୀ ଦେବୀଙ୍କ ବିଦ୍ରୋହୀ ମନୋଭାବ ଦେଖାଯାଉଛି। ଏହାପୂର୍ବରୁ, ୟୁପିରେ ରାଜ୍ୟସଭା ଆସନ ପାଇଁ ନିକଟରେ ଅନୁଷ୍ଠିତ ନିର୍ବାଚନରେ ​​ମଧ୍ୟ ମହାରାଜୀ ଦେବୀ ଏସପି ସମର୍ଥନରେ ଭୋଟ୍ ଦେଇନାହାଁନ୍ତି। ଏହି ସମୟ ମଧ୍ୟରେ ମହାରାଜୀ ଦେବୀ ଅନୁପସ୍ଥିତ ରହିଥିଲେ, ଯାହା ବିଜେପିକୁ ସମର୍ଥନ ଭାବରେ ଦେଖାଯାଉଛି।

କଂଗ୍ରେସର କେ.ଏଲ୍ ଶର୍ମା ଆମେଥୀରେ ଇଣ୍ଡିଆନ୍ ଆଲାଇନ୍ସରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କର ପ୍ରତିଯୋଗିତା ବିଜେପି ସାଂସଦ ସ୍ମୃତି ଇରାନୀଙ୍କ ସହ। ୨୦୧୯ ନିର୍ବାଚନରେ ​​ସ୍ମୃତି ଇରାନୀ କଂଗ୍ରେସ ସାଧାରଣ ସମ୍ପାଦକ ରାହୁଲ ଗାନ୍ଧୀଙ୍କୁ ଏହି ଆସନରୁ ପରାସ୍ତ କରିଥିଲେ, ଏହା ପରେ ରାହୁଲ ଗାନ୍ଧୀ ବର୍ତ୍ତମାନ ରାଏବରେଲିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେପି ଏହାକୁ ରାହୁଲ ଗାନ୍ଧୀଙ୍କ ଭୟ ବୋଲି କହୁଥିବାବେଳେ କଂଗ୍ରେସ ଏହି ପଦକ୍ଷେପକୁ ରଣନୀତିର ଏକ ଅଂଶ ବୋଲି ଦାବି କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରରେ “ସ୍କୁଲ ଅଫ୍ ଇଞ୍ଜିନିୟରିଂ” ବିଭାଗର ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରର “ସ୍କୁଲ ଅଫ୍ ଇଞ୍ଜିନିୟରିଂ” ବିଭାଗର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୦୨୩-୨୪ ବ୍ୟାଚରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

“ସ୍କୁଲ ଅଫ୍ ଇଞ୍ଜିନିୟରିଂ” ବିଭାଗ ଅଧୀନରେ ବର୍ତ୍ତମାନ ମୋଟ ୫ଟି ଅତ୍ୟାଧୁନିକ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦିଆଯାଉଛି। ତେବେ ୨୦୨୩-୨୪ ବ୍ୟାଚରେ ମେକାଟ୍ରୋନିକ୍ସ, ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍‌, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ୍ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ବିଷୟରେ ତାଲିମ ଶେଷ କରି ଛାତ୍ରଛାତ୍ରୀମାନେ ବାହାରିଛନ୍ତି।

ଏହି ତୃତୀୟ ସମାବର୍ତ୍ତନ ଉତ୍ସବ ଅବସରରେ ପ୍ରତ୍ୟେକ ବିଷୟରୁ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଥିଲା। ଏହିଭଳି ମୋଟ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ପଦକ ଦିଆଯାଇଥିଲା।

ଇଲେକ୍ଟ୍ରିକାଲ ଟେକ୍ନୋଲୋଜିରୁ ରାଭା ଅନନ୍ତ କୁମାର ସ୍ୱର୍ଣ୍ଣ ପାଇଥିବା ବେଳେ ରୋଶନ କୁମାର ବ୍ରହ୍ମା ରୌପ୍ୟ ଓ ବିପ୍ଲବ ସାହୁ ବ୍ରୋଞ୍ଜ ପଦକ ପାଇଛନ୍ତି। ମେକାଟ୍ରୋନିକ୍ସ ଟ୍ରେଡରେ ସୁନିଲ ମହାପାତ୍ରଙ୍କୁ ସ୍ୱର୍ଣ୍ଣ, ବିକ୍ରମ ସାହୁଙ୍କୁ ରୌପ୍ୟ, ସୁଜିତ କୁମାର ବିଶୋଇଙ୍କୁ ବ୍ରୋଞ୍ଜ ମିଳିଥିଲା । ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନର ଛାତ୍ର ପଦ୍ମଲୋଚନ ସାହୁଙ୍କୁ ସ୍ୱର୍ଣ୍ଣ, ସନ୍ତୋଷ କୁମାର ପ୍ରଧାନଙ୍କୁ ରୌପ୍ୟ ଏବଂ ବିଜୁ ରାଉତଙ୍କୁ ବ୍ରୋଞ୍ଜ ମିଳିଥିଲା।

ସେହିପରି ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସର ଛାତ୍ର ସୁଦୟ ନାଏକ, ଚିନ୍ମୟ କୁମାର ବାରିକଙ୍କୁ ରୌପ୍ୟ ଏବଂ ଲକ୍ଷ୍ମୀନାରାୟଣ ଦାଶଙ୍କୁ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଥିଲା। ଇଲେକ୍ଟ୍ରିକାଲ ଟେକ୍ନୋଲୋଜିର ଛାତ୍ର ଆକାଶ କୁମାର ସାହୁଙ୍କୁ ବେଷ୍ଟ ଟ୍ରେନି ଭାବେ ପୁରସ୍କାର ପାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ନିୟୋଜନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦାୟୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେହିପରି ଅନୁସୂଚିତ ଜାତି କଲ୍ୟାଣର ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ ଏବଂ ଓଏଓଏଫଡିସିର ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ସମାବର୍ତ୍ତନ ଉତ୍ସବରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଟି ଥମ୍ବିରାଜା ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗର ନିର୍ଦ୍ଦେଶକ ପିଚାଇନ୍ ଆନ୍ଥୋନିସାମି, ସ୍କୁଲ ଅଫ୍ ସର୍ଭିସେସର ନିର୍ଦ୍ଦେଶକ ଲିମ୍ ଲାଇ ସୁନ୍ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବୌଦ୍ଧ-ଚମ୍ପାପୁର ରେଳ ସେକ୍ସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ଵର: ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ମହେଶ କୁମାର ବେହେରା ଆଜି ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବୌଦ୍ଧ-ଚମ୍ପାପୁର ରେଳ ସେକ୍ସନର ନିରୀକ୍ଷଣ କରିଛନ୍ତି। ନିରୀକ୍ଷଣ ସମୟରେ ଶ୍ରୀ ବେହେରା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଅବଗତ ହୋଇଛନ୍ତି।

ନିର୍ମାଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରି ପ୍ରକଳ୍ପର ଠିକ ସମୟରେ କାର୍ଯ୍ୟ ଶେଷ କରିବା ଏବଂ ପ୍ରସ୍ତାବିତ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ବେହେରା ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ପ୍ରକଳ୍ପର ମୋଟ ଦୈର୍ଘ୍ୟ 301 କିମି ମଧ୍ୟରୁ ମୋଟ 152.805 କିମି ରେଳ ଲାଇନ କାର୍ଯ୍ୟକ୍ଷମ ହୋଇସାରିଛି। ଏହି ପ୍ରକଳ୍ପ ଶୀଘ୍ର ଶେଷ ହେବା ପାଇଁ ରେଳବାଇ ଉଭୟ ପାର୍ଶ୍ୱରୁ ଅର୍ଥାତ୍ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀର ପାର୍ଶ୍ୱରୁ ଏହି ପ୍ରକଳ୍ପରେ ନିର୍ମାଣ କାର୍ଯ୍ୟ କରୁଛି।

ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ 105.8 କିମି ଏବଂ ବଲାଙ୍ଗୀରରୁ ସୋନପୁର ପର୍ଯ୍ୟନ୍ତ 47 କିଲୋମିଟର ରେଳ ଲାଇନ ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇସାରିଛି।

ଖୋର୍ଦ୍ଧା ରୋଡ-ବଲାଙ୍ଗୀର ପ୍ରକଳ୍ପରେ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଅଗ୍ରଗତିରେ ଅଛି।  ସୋନପୁର-ପୁରୁଣାପାଣି-ଝରମୁଣ୍ଡା-ବୌଦ୍ଧ ମଧ୍ୟରେ ପ୍ରାୟ 22 କି.ମି. ରେଳ ଲାଇନ ନିର୍ମାଣ କାର୍ଯ୍ୟ ସମାପ୍ତ ହେଇସାରିଥିବାବେଳେ ଏହି ମାର୍ଗରେ ସଫଳତାର ସହିତ ଇଞ୍ଜିନ ଗଡ଼ିବା ଏବଂ ପରୀକ୍ଷଣ କାର୍ଯ୍ୟ ମଧ୍ୟ କରାଯାଇଛି। ଏହା ବ୍ୟତୀତ, ଝରମୁଣ୍ଡା ଠାରୁ ଚମ୍ପାପୁର ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଅଗ୍ରଗତିରେ ଅଛି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁରରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶ: ଯୋଗ ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ରଣପୁର: ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପୁରୀ ଲୋକସଭା କ୍ଷେତ୍ର ଅଧିନସ୍ଥ ରଣପୁର ନିର୍ବାଚନ ମଣ୍ଡଳୀ ରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇ ବିରୋଧୀ କଂଗ୍ରେସ୍ ଓ ବିଜେଡି ବିପକ୍ଷରେ ବିଷୋଦଗାର କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ଏକ ସ୍ଥିର ସରକାର ଦେବାରେ ସମର୍ଥ ହୋଇଛି। ସମଗ୍ର ବିଶ୍ୱରେ ଭାରତବର୍ଷ ର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି।

ଚଳିତ ନିର୍ବାଚନରେ ପୁରୀ ଲୋକସଭା କ୍ଷେତ୍ର ର ପ୍ରାର୍ଥୀ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ୍ ପାତ୍ର ଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ମୋଦିଜୀଙ୍କ ୪୦୦ ପାର ନାରାକୁ ସାକାର କରିବା ପାଇଁ ନିବେଦନ କରିଥିଲେ। ସେହିଭଳି ରଣପୁର ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ସୁରମା ପାଢୀଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ।

ଏହି ସମାବେଶରେ ଯୋଗ ଦେଇଥିବା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ସାଳିଆ ଡ୍ୟାମରୁ ଭେଟବର ଡ୍ୟାମ୍ କୁ ସଂଯୋଗୀକରଣ ବ୍ୟବସ୍ଥା, ରଣପୁର ର ମଣିନାଗ ମନ୍ଦିର ଓ ଅସୁରକୁମାରୀ କ୍ଷେତ୍ରକୁ ବିକଶିତ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢି ତୋଳିବା, ରଣପୁର ରେ ଆଧୁନିକ ଡାକ୍ତରଖାନା ପ୍ରତିଷ୍ଠା କରିବା, ସୁନାଖଳା ରୁ ଭାୟା ରଣପୁର ଦେଇ କାଳୁପଡା କୁ ରେଳ ସଂଯୋଗୀକରଣ କରାଯିବା, ରଣପୁର ରୁ ରଥଯାତ୍ରା ପାଇଁ ନୂତନ ଭାବେ ତିନି ରଥ ନିର୍ମାଣ କରିବା ଓ ବିସି ହାଇସ୍କୁଲ୍ କୁ ଆଧୁନିକୀକରଣ କରିବା ନେଇ ପ୍ରତିଶୃତି ରଖିଥିଲେ।

ସେହିଭଳି ବିଧାୟିକା ପ୍ରାର୍ଥୀ ସୁରମା ପାଢୀ ମୋଦୀ ସରକାର ଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ରାଜ୍ୟ ସରକାର ଙ୍କୁ କଡା ସମାଲୋଚନା କରିଥିଲେ । ଚଳିତ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଙ୍କୁ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ। ଯୁବ ସଂଗଠକ ପ୍ରିୟବ୍ରତ ପ୍ରହରାଜ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଂଙ୍କଳ୍ପ ସମାବେଶ ରେ ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଲୋକସଭା କ୍ଷେତ୍ର ସଂଯୋଜକ ଶଙ୍କର୍ଷଣ ପରିଡା, ଜିଲ୍ଲା ସଭାପତି ତାପସ ମାର୍ଥା, ବ୍ଲକ୍ ଅଧ୍ୟକ୍ଷା ନିର୍ମଳା ବେହେରା ଓ ଗୋପାଳପୁର ଜିଲ୍ଲା ପରିଷଦ ଲକ୍ଷ୍ମୀପ୍ରିୟା ତରେଇ ପ୍ରମୁଖ ମଂଚାସୀନ ହୋଇ ନିଜ ନିଜର ଅଭିଭାଷଣ ରଖିଥିଲେ।

ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳା ବିଜେପି କର୍ମୀ ମାନେ ଏହି ବିଜୟ ସଙ୍କଳ୍ପ ସମାବେଶ ରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ବିଜେଡ଼ି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଖୋର୍ଦ୍ଧା: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରଚାରକୁ ଜୋରଦାର କରିଛି ବିଜେଡି। ଟାଙ୍ଗୀ ବ୍ଲକର ବଡପାରି ଓ ରାମଚନ୍ଦ୍ରପୁର ଠାରେ ମାରାଥନ ପ୍ରଚାର କରିଛି ବିଜେଡି। ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଙ୍କ ସହ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଜୋରଦାର କରିଛନ୍ତି ପ୍ରଚାର।

ଉଭୟ ପ୍ରାର୍ଥୀ ବଡପାରୀ ରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବଡପାରୀ ର ମା ଭଗବତୀ ଦେବୀଙ୍କ ପୀଠରେ ଉଭୟ ପ୍ରାର୍ଥୀ ପହଞ୍ଚି ମାଙ୍କୁ ପ୍ରଣିପାତ କରିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ସଭା କାର୍ଯ୍ୟ।

ନବୀନ ପଟ୍ଟନାୟକଙ୍କ ସରକାରଙ୍କ ସମସ୍ତ କାର୍ଯ୍ୟକାରୀ ଯୋଜନାର ସଫଳ ରୂପାୟନ ବିଷୟରେ ମନ୍ମଥ ବର୍ଣ୍ଣନା କରିଥିଲେ। ଗତକାଲି ନବୀନ ପଟ୍ଟନାୟକ ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ ର ଅଟକଳ କୁ ବୃଦ୍ଧି କରିବାକୁ ଦେଇଥିବା ଇସ୍ତାହାର ଓ ଇଲେକ୍ଟ୍ରି ବିଲ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଛାଡ, ମହିଳା SHG ମାନଙ୍କୁ ସୁଧ ଛାଡ ଏପରି ବହୁ ନିର୍ବାଚନୀ ଇସ୍ତାହାର ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ।

ଏଥିରେ ୫୦୦ ରୁ ଅଧିକ ବିଜେଡି କର୍ମୀ ଯୋଗ ଦେଇ ତାଙ୍କର ବିଜୟ କାମନା କରିବା ସହିତ ବିପୁଳ ଭୋଟରେ ଉଭୟ ଙ୍କୁ ଜିତାଇବା ଲାଗି ଶପଥ ନେଇଥିଲେ।

ସେହିଭଳି ରାମଚନ୍ଦ୍ର ପୁର ପଞ୍ଚାୟତରେ ମଧ୍ୟ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ରାମଚନ୍ଦ୍ର ପୁର ଗ୍ରାମରେ ଅନୁଷ୍ଠିତ ସଭାରେ ୬୦୦ ରୁ ଅଧିକ କର୍ମୀ ଯୋଗଦେଇ ବିଜେଡିକୁ ବିପୁଳ ଭୋଟ୍ ରେ ଜିତାଇବାକୁ ଶପଥ ନେଇଥିଲେ।

ଏହି ପ୍ରଚାର କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ରାମଚନ୍ଦ୍ର ମହାପାତ୍ର, ବ୍ଳକ ଅଧ୍ୟକ୍ଷ ରିସ୍ନା ମାନ୍ଧାତା, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ଜେନା, ସରପଞ୍ଚ ମଧୁ ସୁଦନ ପଳାଇଙ୍କ ସହ ବହୁ ବିଜେଡି କର୍ମୀ ଓ ନେତା ସାମିଲ ହୋଇଥିଲେ।