Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଡଃ ଵି.ଆର.ଆମ୍ଵେଦକରଙ୍କ ୧୩୩ ତମ ଜୟନ୍ତୀ ଉତ୍ସବ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳ ଙ୍କ ସଦ୍ଭାବନା ଗୃହ ରେ ଡଃ ଵି ଇର ଆମ୍ବେଦକର ଙ୍କ ଜୟନ୍ତୀ ଉତ୍ସବରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। କାର୍ଯ୍ୟସୂଚୀ ଅନୁସାରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇଥିଲା। ପରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ସ୍ଵାଗତ ଭାଷଣ ରଖି ଥିଲେ। ପରେ ମଞ୍ଚାସୀନ ଅତିଥି ‌ମାନେ ଭାଷଣ ‌ର‌ଖିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଆମ୍ବେଦକରଙ୍କ ଜିବନୀ ଵିଷୟରେ ପିଲା ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଆମ୍ବେଦକର ତାଙ୍କ ଜୀବନ ରେ ପାଠ ପ୍ରତି ଆକାଂକ୍ଷା ଏବଂ କଠିନ ପରିଶ୍ରମ ବଳରେ ଆଗକୁ ଵଢିପାରିଥିଲେ। ଅନ୍ୟ ଦେଶ ତୁଳନାରେ ଭାରତ ଏକ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର, କେବଳ ତାଙ୍କର ଅବଦାନ ସମ୍ବିଧାନ ପାଇଁ ପରିଗଣିତ ହୋଇପାରିଛି। ଅର୍ଥନୀତି/ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ, ବିଶ୍ଵନାଥ ତରାଇ ବୟସର ପ୍ରଥମ ୨୫ ଵର୍ଷ ଭଲଭାବରେ ପାଠ ପଢିଥିଲେ ଅବଶିଷ୍ଟ ସମୟ ସୁଖରେ କାଳାତିପାତ କରିବାକୁ ହୁଏ ବୋଲି ଉପଦେଶ ପ୍ରଦାନ କରିଥିଲେ।

ପିଲାମାନଙ୍କୁ ଆମ୍ବେଦକରଙ୍କ ଜିବନୀ ଉପରେ ଆଧାରିତ ପ୍ରଶ୍ନ ପଚାରିଥିଲେ ଏବଂ ବିଦ୍ୟାଳୟ ମାନଙ୍କରେ ଆଲୋଚନା ମାଧ୍ୟମରେ ପିଲାମାନେ ଆଗକୁ ଯାଇପାରିବେ ବୋଲି ମତପୋଷଣ କରିଥଲେ। ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀ ଡଃ ଗିତାନଶୁ ମୋହନ ଦାଶ /ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଦିଲିପ ହିଆଲ /ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଧ୍ୟା ରାଣୀ ରାଉତ ଆମ୍ବେଦକର ଙ୍କ ବିଷୟରେ ପିଲାମାନଙ୍କର ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଉତ୍ସବରେ ଶିକ୍ଷକ/ଶିକ୍ଷୟିତ୍ରୀ/ଛାତ୍ର, ଛାତ୍ରୀ /ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ/ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ।

ଜିଲ୍ଲା ସଂସ୍କୃତି ଅଧିକାରୀ ଚଉଧୁରି ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଶେଷରେ ସଭା ସାଙ୍ଗ କରାଯାଇଥିଲା।

Categories
ଆଞ୍ଚଳିକ

ଚିଲିକାରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ

ଚ଼ିଲିକା (ସୀତାରାମ ଅଗ୍ରୱାଲ): ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ସୋରଣ ପଞ୍ଚାୟତର‌ ବିଜୁ ଜନତା ଦଳର ପୂର୍ବତନ ସରପଞ୍ଚ ରତିକାନ୍ତ ବୈରିଗଞ୍ଜନ (କୁଲୁ)ଙ୍କ ନେତୃତ୍ବରେ ଆଗଧାଡି଼ର ବିଜେଡ଼ି କର୍ମକର୍ତ୍ତା ଦିଲୀପ ବୈରିଗଞ୍ଜନ, ବିଜୟ ବରାଳ, ସୁକାନ୍ତ ମହାରଣା, ବିଭୂ ସାହୁ, ଅଖିଳ ମାଝୀ, ଲକ୍ଷ୍ମୀଧର ବେହେରା, ଧୂଶା ବେହେରା, ଉପେନ୍ଦ୍ର ଚ଼ମ୍ପତ୍ତି, ବିକାଶ ବେହେରା, ପାଣ୍ଡବ ବେହେରା, ଯୁଧିଷ୍ଠିର ଜେନା, ବିକ୍ରମ ନାୟକ ପ୍ରମୁଖ ଭାରତୀୟ ଜନତା ପାର୍ଟିର ନୀତି ଓ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ‌ ହୋଇ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ବରିଷ୍ଠ ବିଜେପି ନେତା ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ସାମିଲ୍ ହୋଇଛନ୍ତି। ଦଳରେ ସାମିଲ୍ ହୋଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଥିଲେ ଡ଼ାଃ ହରିଚ଼ନ୍ଦନ ଓ ଶ୍ରୀ ହରିଚ଼ନ୍ଦନ।

ଏହି ମିଶ୍ରଣ ପର୍ବରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ତଥା ଚି଼ଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଦୁଷ୍ମନ୍ତ ହରିଚ଼ନ୍ଦନ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ଜିଲ୍ଲା ଭାଜପା ଉପସଭାପତି ସୁମନ୍ତ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସର୍ବେଶ୍ଵର ପ୍ରଧାନ, ସୋରଣ ପଞ୍ଚାୟତ ସରପଞ୍ଚ ଶେଷଦେବ ବେହେରା, ମାନସିଂହପୁର ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ରତ୍ନାକର ବେହେରା, ସୋରଣ ପଞ୍ଚାୟତ ଭାଜପା ସଭାପତି ବିଦ୍ୟାଧର ପ୍ରଧାନ, ବାଲୁଗାଁ ନଗର ମଣ୍ଡଳ ଭାଜପା ପ୍ରଭାରୀ ଦୁଃଶାସନ ଜେନା, ଯୁବ ସଂଗଠକ ତପନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ରତିକାନ୍ତ ବୈରିଗଞ୍ଜନ (କୁଲୁ) ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଦଳରେ ସାମିଲ୍ ହେବା ଦ୍ବାରା ଦଳର ସଂଗଠନ ତୃଣମୂଳ ସ୍ତରରେ ଆହୁରି ଦୃଢ଼ ହେବ ବୋଲି ମତ ପ୍ରକାଶ କରିଥଲେ ଚିଲିକା ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

“ଇସ୍ରାଏଲ୍ ଶକ୍ତିଶାଳୀ”: ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିଛି। ଏହା ସମଗ୍ର ବିଶ୍ୱରେ ଟେନସନ ସୃଷ୍ଟି କରିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତା ଏବେ ଏକ ଭିନ୍ନ ଦିଗକୁ ଯାଇଛି। ଏହି ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଇସ୍ରାଏଲ ଶକ୍ତିଶାଳୀ, ଆମର ସେନା ଶକ୍ତିଶାଳୀ ଏବଂ ଆମ ଦେଶର ଲୋକମାନେ ମଧ୍ୟ ଶକ୍ତିଶାଳୀ। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଭିଡିଓ ମାଧ୍ୟମରେ ସମ୍ବୋଧିତ କରିବାବେଳେ ସେ ଏହାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଆମେ ଏକାଠି ମିଶି ଏହାର ସାମ୍ନା କରିବୁ।

ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ କହିଛି ଯେ, ଏହା ଶନିବାର ଦିନ ଇସ୍ରାଏଲ ଉପରେ ଡଜନ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ଆଇଡିଏଫ ନିଶ୍ଚିତ କରିଛି ଯେ, ଇରାନ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ବର୍ତ୍ତମାନ ଇସ୍ରାଏଲ୍ ବାୟୁସେନାର ଅନେକ ବିମାନ ଷ୍ଟାଣ୍ଡବାଇରେ ଅଛି, ଆମେ କୌଣସି ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ।

ଆମେରିକା, ଫ୍ରାନ୍ସ, ବ୍ରିଟେନ ସମେତ ଅନେକ ଦେଶ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ମାଧ୍ୟମରେ ଲୋକମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ଯେ, ଇସ୍ରାଏଲ ଏକ ଶକ୍ତିଶାଳୀ ଦେଶ। ଆମର ସୈନ୍ୟ ମଧ୍ୟ ଶକ୍ତିଶାଳୀ। ଆମର ଲୋକମାନେ ମଧ୍ୟ ଶକ୍ତିଶାଳୀ। ଭଗବାନଙ୍କ ସାହାଯ୍ୟରେ ଆମେ ସାହସର ସହିତ ସାମ୍ନା କରିବୁ।

Categories
ଆଜିର ଖବର ଜାତୀୟ ଖବର

ସଲମାନ ଖାନଙ୍କ ଘର ବାହାରେ ଚାଲିଲା ଗୁଳି, ଅଭିନେତାଙ୍କ ସୁରକ୍ଷା ବଢାଇଲା ପୋଲିସ

ମୁମ୍ବାଇ: ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ଘଟଣା ଆଜି ସକାଳେ ସାମ୍ନାକୁ ଆସିଛି। ପୋଲିସ ମଧ୍ୟ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସଲମାନ ଖାନଙ୍କ ପ୍ରତି ବିପଦକୁ ଦୃଷ୍ଟିରେ ରଖି ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଏଭଳି ପରିସ୍ଥିତିରେ ପୁଣି ଥରେ ପ୍ରଶ୍ନ ଉଠିଛି ଯେ ସଲମାନ ଖାନଙ୍କ ପାଇଁ କିଏ ଅଧିକ ବିପଦ? ପ୍ରକାଶ ଯେ, ସଲମାନ ଖାନଙ୍କୁ ବିଷ୍ନୋଇ ଗ୍ୟାଙ୍ଗ ବହୁତ ବିପଦ। ଲରେନ୍ସ ବିଷ୍ନୋଇ ଏବଂ ଭାରତ-କାନାଡାର ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର ସଲମାନ ଖାନଙ୍କୁ ଅନେକ ଥର ହତ୍ୟା କରିବାକୁ ଧମକ ଦେଇଛନ୍ତି।

ସଲମାନଙ୍କୁ ହତ୍ୟା କରିବା ପାଇଁ ବିଷ୍ନୋଇ ଏବଂ ଗୋଲଡି ଅନେକ ଥର ମୁମ୍ବାଇ ପଠାଇଛନ୍ତି। ଲରେନ୍ସଙ୍କର ଏକ ସ୍ୱତନ୍ତ୍ର ଗ୍ୟାଙ୍ଗଷ୍ଟର ସମ୍ପତ ନେହେରା ମଧ୍ୟ ୨୦୧୮ରେ ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ନଜର ରଖିଥିଲା। ତେବେ ଆକ୍ରମଣ କରିବା ପୂର୍ବରୁ ହରିୟାଣା ପୋଲିସ ନେହେରାଙ୍କୁ ଗିରଫ କରିଥିଲା। ଜେରା ବେଳେ ସେ ସଲମାନଙ୍କ ଉପରେ ହୋଇଥିବା ଆକ୍ରମଣର ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ପ୍ରକାଶ କରିଥିଲେ।

ମୁମ୍ବାଇ ପୋଲିସ, ଦିଲ୍ଲୀ ପୋଲିସ ସମେତ ପ୍ରାୟ ସମସ୍ତ ଅନୁସନ୍ଧାନକାରୀ ସଂସ୍ଥା ଜାଣନ୍ତି ଯେ, ସଲମାନ ଖାନଙ୍କୁ ବିଷ୍ନୋଇ ଗ୍ୟାଙ୍ଗରୁ ବିପଦ ଅଛି। ଲରେନ୍ସ ବିଷ୍ନୋଇ ଥରେ ଫିଲ୍ମ ‘ରେଡ଼ି’ ସୁଟିଂ ସମୟରେ ସଲମାନଙ୍କୁ ତାଙ୍କ ଗୁଣ୍ଡ ମାଧ୍ୟମରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ, କିନ୍ତୁ ଅସ୍ତ୍ରଶସ୍ତ୍ର ନ ଥିବାରୁ ଏହି ଯୋଜନା ବିଫଳ ହୋଇଥିଲା। ବିଷ୍ନୋଇ ତାଙ୍କ ବିଶେଷ ଏଜେଣ୍ଟ ନରେଶ ଶେଟ୍ଟୀଙ୍କୁ ସଲମାନ ଖାନଙ୍କ ଉପରେ ଆକ୍ରମଣ କରିବାର ଦାୟିତ୍ୱ ଦେଇଥିଲେ। ଗ୍ୟାଙ୍ଗଷ୍ଟର ନରେଶ ଶେଟ୍ଟୀ, ଜାନୁଆରୀ ୨୦୨୦ ମାସରେ ମୁମ୍ବାଇରେ ଏକ ମାସ ରହିଥିଲା ଏବଂ ସଲମାନ ଖାନଙ୍କ ଘରକୁ ଅନେକ ଥର ନଜର ରଖିଥିଲା। କିନ୍ତୁ ସେ ତାଙ୍କ ଯୋଜନାରେ ସଫଳ ହୋଇପାରିଲା ନାହିଁ।

Categories
ଆଜିର ଖବର ଜାତୀୟ ଖବର

ବିଜେପିର ସଙ୍କଳ୍ପ ପତ୍ର: ତିନି କୋଟି ଘର, ପାଇପ୍ ଯୋଗେ ଶସ୍ତା ରନ୍ଧନ ଗ୍ୟାସ୍, ଜାଣନ୍ତୁ ଆଉ କ’ଣ ରହିଛି ପ୍ରତିଶ୍ରୁତି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ସଂକଳ୍ପ ପତ୍ର ପ୍ରକାଶ କରିଛି। କେନ୍ଦ୍ରରେ ସରକାର ଗଠନ କରିବା ପରେ ଏହା ସମଗ୍ର ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବ ବୋଲି ବିଜେପି ପ୍ରତିଶୃତି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଦଳର ‘ସଂକଳ୍ପ ପତ୍ର’ ବିକଶିତ ଭାରତର ଚାରୋଟି ମଜବୁତ ସ୍ତମ୍ଭ – ଯୁବକ, ମହିଳା, ଗରିବ ଏବଂ କୃଷକଙ୍କୁ ସଶକ୍ତ କରିବ।

ସଙ୍କଳ୍ପ ପତ୍ରରେ ମୋଦୀ ଗରିବ, ମହିଳା ଓ କୃଷକଙ୍କ ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ଇସ୍ତାହାର ମୁତାବକ, ଗରିବଙ୍କ ପାଇଁ ଅଧିକ ୩ କୋଟି ଘର ନିର୍ମାଣ ହେବ। ସେମାନଙ୍କ ସହ ଯୁବ ଗୋଷ୍ଠୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଗରୀବଙ୍କୁ ଆୟୁଷ୍ମାନ ଯୋଜନା ଅଧିନରେ ଶସ୍ତାରେ ଔଷଧ ମିଳିବ। ମାଗଣାରେ ବିଜୁଳି ମିଳିବ। ଏହାସହ ବିଜୁଳି ଦ୍ୱାରା କର୍ମ ମଧ୍ୟ ଯୋଗାଇ ଦିଆଯିବ।

ମୋଦୀ ଆହୁରୀ ମଧ୍ୟ ଘୋଷଣା କରିଛନ୍ତି ଯେ, ପ୍ରତି ଘରକୁ ଶସ୍ତା ପାଇପ ଲାଇନ୍ ରନ୍ଧନ ଗ୍ୟାସ ଯୋଗାଇଦିଆଯିବ। ଜିରୋ ବିଲ୍ ବିଜୁଳି ଯୋଗାଣ ବ୍ୟବସ୍ଥା କରାଯିବ। ବଳକା ବିଜୁଳିର ପଇସା ମଧ୍ୟ ମିଳିବ। ‘ମୁଦ୍ରା ଯୋଜନା’ ଅଧିନରେ ଅର୍ଥ ରାଶିକୁ ୧୦ ଲକ୍ଷରୁ ବୃଦ୍ଧି କରି ୨୦ ଲକ୍ଷ କରାଯିବ।

୭୦ ବର୍ଷ ଓ ତଦୁର୍ଦ୍ଧ୍ୱ ବ୍ୟକ୍ତି ଏବଂ ଟ୍ରାନ୍ସଜେଣ୍ଡରଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନା ଅନ୍ତର୍ଭୁକ୍ତ କରାଯିବ।

ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ। ସେମାନଙ୍କୁ ପିଏମ୍ ଆବାସ ଯୋଜନାରେ ପ୍ରାଥମିକତା ଦିଆଯିବ।

ଦେଶରେ ୭୦୦ରୁ ଅଧିକ ଏକଲବ୍ୟ ବିଦ୍ୟାଳୟ ଖୋଲାଯିବ।

ଏହାସହ ଜାରି ଥିବା ମାଗଣା ରାସନକୁ ଆହୁରି ୫ ବର୍ଷ ଯାଏଁ ବିତରଣ କରାଯିବ ବୋଲି ଘୋଷଣା କରିଛନ୍ତି ମୋଦୀ।

ସର୍ବୋପରି ବିଜେପି ସରକାର ଗରୀବଙ୍କ ପେଟ ଓ ପକେଟ ଭରିବା ଉପରେ ଗ୍ୟାରେଣ୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକ ଲକ୍ଷପତି ହେବାର ସୁଯୋଗ, ଦେଖନ୍ତୁ “ଦେଖିବା ନିତି ହେବା ଲକ୍ଷପତି” ମେଗା ପ୍ରତିଯୋଗିତା

ଭୁବନେଶ୍ଵର: ଓଡ଼ିଶାର ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ପୁଣିଥରେ ନେଇଆସିଛି ଆପଣଙ୍କ ପାଇଁ ଲକ୍ଷପତି ହେବାର ସୁବର୍ଣ୍ଣ ସୁଯୋଗ। ଜୀ ସାର୍ଥକରେ ପୁଣି ଥରେ ଆରମ୍ଭ ହୋଇ ଯାଇଛି ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି” ଯାହା ପୂର୍ବ ଅପେକ୍ଷା ନିଆରା ହୋଇଛି । ଏହି ପ୍ରତିଯୋଗିତା ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ। ପ୍ରତିଦିନ ସନ୍ଧ୍ୟା ୬:୩୦ରୁ ରାତି ୯:୩୦ ମଧ୍ୟରେ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଧାରାବାହିକ ମଧ୍ୟରେ କିଛି ସରଳ ପ୍ରଶ୍ନର ଉତ୍ତର ମିସକଲ୍ ମାଧ୍ୟମରେ ଦେଇ ଆପଣ ହୋଇପାରିବେ ଲକ୍ଷପତି। କାର୍ଯ୍ୟକ୍ରମର ନାଁ ରହିଛି “ଦେଖିବା ନିତି ହେବା ଲକ୍ଷପତି”। ଯେଉଁଠାରେ ବମ୍ପର ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖାଯାଇଛି।

ପ୍ରତିଯୋଗିତାରେ ଭାଗ ନେବା ପାଇଁ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ଦିଆ ଯାଇଥିବା ନମ୍ବରରେ ମିସଡ କଲ କରିବାକୁ ହେବ। ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୬ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ଟଙ୍କାର ଭାଉଚର ମିଳିବ। ତେବେ ପୁରା ପ୍ରତିଯୋଗିତାର ଜଣେ ମେଗା ବିଜେତାଙ୍କୁ ମିଳିବ ୧ଲକ୍ଷ ଟଙ୍କା ନଗଦ ପୁରସ୍କାର।

ଜୀ ସାର୍ଥକର ସର୍ବଦା ଦର୍ଶକଙ୍କ ସହିତ ନିଜ ସମ୍ପର୍କ ଯୋଡ଼ିବା ପାଇଁ ନୂଆ ନୂଆ ପ୍ରୟାସ ଜାରି ରଖିଥାଏ, ସେହିପରି “ଦେଖିବା ନିତି ହେବା ଲକ୍ଷପତି” ଏକ ମାଧ୍ୟମ। ତେଣୁ ଦର୍ଶକମାନେ ଏହି ପ୍ରତିଯୋଗିତାର ସମ୍ପୂର୍ଣ୍ଣ ଲାଭ ଉଠାଇବା ପାଇଁ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ ପ୍ରକାଶ କରିଛନ୍ତି। ଜୀ ସାର୍ଥକ ଦେଖନ୍ତୁ ଲକ୍ଷପତି ହୁଅନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ଗାଁଠୁ ସହର

ରଣପୁର: ଆଜି ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଶାରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ। ଏହି ଦିନ ହନୁମା ଜୟନ୍ତୀ ମହାଆଡମ୍ବର ସହକାରେ ପାଳନ କରାଯାଇଥାଏ।

ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ। ତେଣୁ ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ବର୍ଷ ଆରମ୍ଭ ହେଉଥିବାରୁ ପ୍ରତି ଓଡ଼ିଆ ଘରେ ଦେବୀଦେବତାଙ୍କଠାରେ ସ୍ୱତନ୍ତ୍ର ପୂଜା, ହୋମ ଆଦି ଯଥାବିଧି ପାଳନ କରାଯାଏ। ଏହି ଦିନଠାରୁ ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଆରମ୍ଭ ହୁଏ। ଏହି ସମୟରେ ସୂର୍ଯ୍ୟ କିରଣର ପ୍ରଖରତା ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧିପାଏ ବୋଲି କୁହାଯାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା କରାଯାଇଥାଏ। ତେଣୁ ଆଜି ଦିନରେ ଠାକୁରଙ୍କ ପାଖରେ ପଣା ଭୋଗର ବିଧି ରହିଛି । ସେଥିପାଇଁ ଏହି ଦିନକୁ ପଣା ସଂକ୍ରାନ୍ତି ବୋଲି କୁହାଯାଏ।

ଏହି ସଂକ୍ରାନ୍ତିଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହାକୁ ଜଳ ସଂକ୍ରାନ୍ତି ବୋଲି କୁହାଯାଏ। ହିନ୍ଦୁ ପରିବାରରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଠେକିରେ ଜଳ ରଖି ତା’ର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଏ। ଏହି ଠେକିକୁ ବସୁନ୍ଧରା ଠେକି କୁହାଯାଏ। ମହାବିଷୁବ ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ।

ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ପବିତ୍ର ଦିନରେ ହନୁମାନ ଜୟନ୍ତୀ ପାଳନ କରାଯାଏ। ଏହି ଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ। ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ ପାଳିତ ହୁଏ। ଓଡ଼ିଶାର ସମସ୍ତ ହନୁମାନ ପୀଠରେ ସ୍ୱତନ୍ତ୍ର ପୂଜା ଓ ହନୁମାନ ଚାଳିସା ପାଠ କରାଯାଏ।

ଆଜି ବିଷୁବ ସଂକ୍ରାନ୍ତି ଦଣ୍ଡ ଠାକୁରଙ୍କ ଉଦଯାପନୀ ଦିବସ ଅବସରରେ ଭଗତାମାନେ ଆଜି ନିଆଁରେ ଚାଲିଥିଲେ। ପ୍ରଥମେ ଠାକୁର ପୁଷ୍କରିଣୀରେ ସ୍ନାନ କରିବା ପରେ ଏକ ଶୋଭାଯାତ୍ରାରେ ଠାକୁର ନାଚି ନାଚି କୋଠି ନିକଟକୁ ଆସିଥିଲେ। ତାପରେ ପୂଜା ପାଠ ପରେ ଦଣ୍ଡ ଠାକୁର ପ୍ରଥମେ ଝାମୁ ଗାଡ଼ ନିଆଁରେ ଚାଲିଥିଲେ। ତାପରେ ପାଟ ଭଗତା, ଅନ୍ୟ ଭଗତାମାନେ ଏବଂ ମାନସିକ ଧାରୀ ଭକ୍ତମାନେ ଝାମୁ ନିଆଁରେ ଚାଲିଥିଲେ। ଝାମୁ ଚଲା ସରିଲା ପରେ ରଣପୁର ବଡ଼ କୋଠି ଓ ସାନ କୋଠି ପାଟ ଭଗତାମାନେ ଦେହର କଣ୍ଟା ଫୋଡି ରଣପୁରର ବିଭିନ୍ନ ସାହି ସାହି ବୁଲିଥିଲେ। ଏହା ସହିତ ପୁରୁଣାବସନ୍ତ, ସାନଗଡ଼, କଙ୍କିଆ, ବରମୂଳ, ସରଙ୍ଗାଧରପୁର, ଲେମ୍ବୋଡ଼ି ଆଦି ବିଭିନ୍ନ ଠାରେ ଏହି ଝାମୁ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ପ୍ରବଳ ଖରା ହେତୁ ବିଭିନ୍ନ ଗ୍ରାମ ତଥା ଛକମାନଙ୍କରେ ସ୍ବେଛାସେବମାନେ ଦହି ପଣା, ଲେମ୍ବୁ ପଣା ବଣ୍ଟନ କରିଥିଲେ।

ସେହିପରି ରଣପୁର ମଣିନାଗ ପର୍ବତ ପାଦ ଦେଶରେ ଅବସ୍ଥିତ ଦୁର୍ଗ ମହାବୀରଙ୍କ ପୀଠରେ ଚାରିଦିନ ଧରି ଚାଲିଥିବା ଅଷ୍ଟଦ୍ଦଶ ବିଶ୍ୱଶାନ୍ତି ମହାଯଜ୍ଞର ଗୋଧୂଳି ସମୟରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇ ଯାଇଛି। ଏହି ଯଜ୍ଞ ଦେଖିବା ପାଇଁ ରଣପୁର ସମେତ ଆଖ ପାଖ ଅଞ୍ଚଳରୁ ଶହ ଶହ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଭକ୍ତମାନଙ୍କୁ ରାମ ଖେଚୁଡି ଓ କ୍ଷୀର ପ୍ରସାଦ ବଣ୍ଟନ କରାଯାଇଥିଲା। ଦୁର୍ଗ ମହାବୀର ଉନ୍ନୟନ କମିଟିର ସଦସ୍ୟମାନେ ଏହି ଯଜ୍ଞରେ ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଗ୍ରୀଷ୍ମକାଳୀନ ବିଦ୍ୟୁତ ଚାହିଦା ପୂରଣ ପାଇଁ ଗ୍ୟାସ ଭିତ୍ତିକ ପାୱାର ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବାକୁ ପଦକ୍ଷେପ

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ଦେଶରେ ଅଧିକ ବିଦ୍ୟୁତ ଚାହିଦା ପୂରଣ କରିବା ପାଇଁ ଭାରତ ସରକାର ଗ୍ୟାସ ଭିତ୍ତିକ ପାୱାର ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗ୍ୟାସ ଭିତ୍ତିକ ଉତ୍ପାଦନ କେନ୍ଦ୍ରରୁ ସର୍ବାଧିକ ବିଦ୍ୟୁତ ଉତ୍ପାଦନ ସୁନିଶ୍ଚିତ କରିବା ପାଇଁ ସରକାର ବିଦ୍ୟୁତ ଆଇନ, ୨୦୦୩ ର ଧାରା ୧୧ ଅଧୀନରେ ସମସ୍ତ ଗ୍ୟାସ ଭିତ୍ତିକ ଉତ୍ପାଦନ କେନ୍ଦ୍ରଗୁଡିକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି (ଯାହା ଅଧୀନରେ ଉପଯୁକ୍ତ ସରକାର ନିର୍ଦ୍ଦିଷ୍ଟ କରିପାରିବେ ଯେ ଏକ ଉତ୍ପାଦନ କମ୍ପାନୀ ଅସାଧାରଣ ପରିସ୍ଥିତିରେ ସେହି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କୌଣସି ଉତ୍ପାଦନ ଷ୍ଟେସନ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କରିବ)।

ମୁଖ୍ୟତଃ ବାଣିଜ୍ୟିକ କାରଣରୁ ଗ୍ୟାସ ଭିତ୍ତିକ ଉତ୍ପାଦନ କେନ୍ଦ୍ର (ଜିବିଏସ)ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବର୍ତ୍ତମାନ ଅବ୍ୟବହୃତ। ଆମଦାନୀ-କୋଇଲା ଭିତ୍ତିକ ପାୱାର ପ୍ଲାଣ୍ଟଗୁଡ଼ିକ ପାଇଁ ସମାନ ଢଙ୍ଗରେ ଥିବା ଧାରା ୧୧ ଅଧୀନରେ ଏହି ଆଦେଶର ଉଦ୍ଦେଶ୍ୟ ଆଗାମୀ ଉଚ୍ଚ ଚାହିଦା ଅବଧି ମଧ୍ୟରେ ଗ୍ୟାସ୍ ଭିତ୍ତିକ ଉତ୍ପାଦନ କେନ୍ଦ୍ରରୁ ବିଦ୍ୟୁତ୍ ଉପଲବ୍ଧତାକୁ ଅପ୍ଟିମାଇଜ୍ କରିବା। ଏହି ଆଦେଶ ମେ ୧, ୨୦୨୪ରୁ ଜୁନ୍ ୩୦, ୨୦୨୪ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ ଏବଂ ଯୋଗାଣ ପାଇଁ ବଳବତ୍ତର ରହିବ। ଅର୍ଡର ଏଠାରେ ଉପଲବ୍ଧ ହୋଇପାରିବ।

ଗ୍ରିଡ୍-ଇଣ୍ଡିଆ ଗ୍ୟାସ ଭିତ୍ତିକ ଉତ୍ପାଦନ କେନ୍ଦ୍ରଗୁଡିକୁ ବିଦ୍ୟୁତ ଆବଶ୍ୟକତା ସମ୍ପର୍କରେ ଅବଗତ କରାଇବ

ଏହି ବ୍ୟବସ୍ଥା ଅନୁଯାୟୀ, ଗ୍ରୀଡ୍-ଇଣ୍ଡିଆ ଗ୍ୟାସ୍ ଭିତ୍ତିକ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ କେତେ ଦିନ ପାଇଁ ଗ୍ୟାସ୍ ଭିତ୍ତିକ ବିଦ୍ୟୁତ୍ ଆବଶ୍ୟକ ତା’ର ଆଗୁଆ ସୂଚନା ଦେବ। ବିତରଣ ଲାଇସେନ୍ସଧାରୀଙ୍କ ସହ ବିଦ୍ୟୁତ କ୍ରୟ ଚୁକ୍ତି (ପିପିଏ) ଧାରଣ କରୁଥିବା ଗ୍ୟାସ ଭିତ୍ତିକ ଉତ୍ପାଦନ କେନ୍ଦ୍ରଗୁଡିକ ପ୍ରଥମେ ପିପିଏ ଧାରକମାନଙ୍କୁ ସେମାନଙ୍କର ଶକ୍ତି ପ୍ରଦାନ କରିବେ। ଯଦି କୌଣସି ପିପିଏ ଧାରକ ଅଫର କରିଥିବା ବିଜୁଳି ବ୍ୟବହାର ନ କରନ୍ତି, ତେବେ ଏହାକୁ ପାୱାର ମାର୍କେଟରେ ପ୍ରଦାନ କରାଯିବ। ପିପିଏ ସହିତ ବନ୍ଧା ନଥିବା ଗ୍ୟାସ୍ ଭିତ୍ତିକ ଉତ୍ପାଦନ କେନ୍ଦ୍ରଗୁଡ଼ିକ ବିଦ୍ୟୁତ୍ ବଜାରରେ ସେମାନଙ୍କ ଉତ୍ପାଦନ ପ୍ରଦାନ କରିବା ଆବଶ୍ୟକ। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ଅଧ୍ୟକ୍ଷଙ୍କ   ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

ଗ୍ରୀଷ୍ମ ଋତୁରେ ବିଦ୍ୟୁତ ଚାହିଦା ପୂରଣ କରିବା ପାଇଁ ଭାରତ ସରକାର ନେଇଥିବା ବିଭିନ୍ନ ପଦକ୍ଷେପର ଏକ ଅଂଶ ବିଶେଷ ଭାବେ ଗ୍ୟାସ୍ ଭିତ୍ତିକ ଉତ୍ପାଦନ କେନ୍ଦ୍ର କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଶକ୍ତି ଏବଂ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରୀ ଶ୍ରୀ ଆର.କେ.ସିଂ ଏ ନେଇ ଏକାଧିକ ବୈଠକ କରି ଗରମ ଋତୁରେ ଭାରକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ବିଜୁଳି ଉପଲବ୍ଧତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଗ୍ରୀଷ୍ମ ବିଦ୍ୟୁତ ଚାହିଦା ପୂରଣ ପାଇଁ ଅନ୍ୟାନ୍ୟ ପଦକ୍ଷେପ

ଗ୍ରୀଷ୍ମ ଚାହିଦା କୁ ପୂରଣ କରିବା ପାଇଁ ସରକାର ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିଛନ୍ତି, ଏହା ବ୍ୟତୀତ ଗ୍ୟାସ ଭିତ୍ତିକ ଉତ୍ପାଦନ ଷ୍ଟେସନ ଉପରେ ନିଷ୍ପତ୍ତି ନେଇଛନ୍ତି:

ପାୱାର ପ୍ଲାଣ୍ଟର ଯୋଜନାବଦ୍ଧ ରକ୍ଷଣାବେକ୍ଷଣ ମୌସୁମୀ ଋତୁକୁ ସ୍ଥାନାନ୍ତର କରାଯିବ

ନୂତନ କ୍ଷମତା ବୃଦ୍ଧିକୁ ତ୍ୱରାନ୍ୱିତ କରାଯିବ

ଥର୍ମାଲ ପାୱାର ପ୍ଲାଣ୍ଟର ଆଂଶିକ ବିଚ୍ଛିନ୍ନତା ହ୍ରାସ କରାଯାଉଛି

କ୍ୟାପ୍ଟିଭ୍ ଉତ୍ପାଦନ କେନ୍ଦ୍ର ସହିତ ଅତିରିକ୍ତ ବିଦ୍ୟୁତ୍ ବ୍ୟବହାର କରାଯିବ

ଏନର୍ଜି ଏକ୍ସଚେଞ୍ଜରେ ବିକ୍ରି ପାଇଁ ମିଳିବ ଅତିରିକ୍ତ ଶକ୍ତି

ଆମଦାନୀ-କୋଇଲା ଭିତ୍ତିକ ପାୱାର ପ୍ଲାଣ୍ଟ ପାଇଁ ଧାରା ୧୧, ଉତ୍ପାଦନ ପାଇଁ ସମ୍ପୂର୍ଣ୍ଣ କ୍ଷମତା ଉପଲବ୍ଧ କରିବାକୁ ନିର୍ଦ୍ଦେଶ

ହାଇଡ୍ରୋ ପାୱାର ଉତ୍ପାଦନ ପିକ୍ ନିର୍ଘଣ୍ଟକୁ ସ୍ଥାନାନ୍ତର

କୋଇଲା ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସମସ୍ତ ଅଂଶୀଦାରଙ୍କ ଦ୍ୱାରା ଆଗୁଆ ଯୋଜନା

ବିଶେଷ କରି ଗରମ ପାଗ ଓ ଅଧିକ ଚାହିଦା ସମୟରେ ଅର୍ଥନୈତିକ ଅଭିବୃଦ୍ଧି ଯୋଗୁଁ ଭାରତରେ ବିଦ୍ୟୁତ ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୪ ଗରମ ଋତୁରେ ଦେଶର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ପରିପ୍ରେକ୍ଷୀରେ ଋତୁରେ ଅଧିକ ବିଦ୍ୟୁତ ଚାହିଦାକୁ ଦୃଷ୍ଟିରେ ରଖି ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଡାଲିର ଉପଲବ୍ଧତା ସମୀକ୍ଷା କଲେ ଖାଉଟି ବ୍ୟାପାର ସଚିବ, ଡାଲି ଶିଳ୍ପର ଅଂଶୀଦାରଙ୍କ ସହ ବୈଠକ

ନୂଆଦିଲ୍ଲୀ: ଖାଉଟି ବ୍ୟାପାର ବିଭାଗ ସଚିବ ନିଧି ଖାରେ ୨୦୨୪ ଏପ୍ରିଲ ୧୫ ତାରିଖରୁ ଅନଲାଇନ୍ ଷ୍ଟକ୍ ମନିଟରିଂ କାର୍ଯ୍ୟକ୍ଷମ କରିବା ପୂର୍ବରୁ ଡାଲି ଶିଳ୍ପର ପ୍ରତିନିଧିଙ୍କ ସହ ଏକାଧିକ ଆଲୋଚନାରେ ଗୁରୁତ୍ୱାରୋପ କରିଥିଲେ ଯେ ଯଦି କେହି ଡାଲିର ଆଗୁଆ କାରବାରରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ବିଭିନ୍ନ ବ୍ୟବସ୍ଥା ଅନୁଯାୟୀ ଦୃଢ଼ ଭାବେ ମୁକାବିଲା କରାଯିବ।

ଅଧିକ ଯାଞ୍ଚ ପାଇଁ ଶିଳ୍ପର ମତାମତ ଏବଂ ବିଭିନ୍ନ ମାର୍କେଟ କମ୍ପାନୀମାନଙ୍କ ସହିତ ଷ୍ଟକ ସ୍ଥିତି ସମ୍ବନ୍ଧୀୟ ମାର୍କେଟ୍ ଇଣ୍ଟେଲିଜେନ୍‌ସ ସୂତ୍ରରୁ ମିଳିଥିବା ସୂଚନା ସଂଗ୍ରହ କରାଯାଇଛି।

ସଂଶୋଧିତ ବିନିମୟ ହାର ଏବଂ ମିଆଁମାରରେ ଆମଦାନୀକାରୀଙ୍କ ପାଖରେ ଥିବା ଷ୍ଟକ୍ ପରିପ୍ରେକ୍ଷୀରେ ମିଆଁମାରରୁ ଡାଲି ଆମଦାନୀ ସମ୍ପର୍କିତ ପ୍ରସଙ୍ଗରେ ସେ ୟାଙ୍ଗୁନ୍ ସ୍ଥିତ ଭାରତୀୟ ଦୂତାବାସ ସହିତ ଆଲୋଚନା କରିଥିଲେ। ବାଣିଜ୍ୟ କାରବାରକୁ ସରଳ କରିବା ଏବଂ ଏହାକୁ ଅଧିକ ଦକ୍ଷ କରିବା ପାଇଁ ୨୦୨୪ ଜାନୁଆରି ୨୫ ତାରିଖରୁ ଟଙ୍କା କ୍ୟାଟ ସେଟଲମେଣ୍ଟ ମେକାନିଜମ୍ କାର୍ଯ୍ୟକାରୀ କରାଯାଇଛି ବୋଲି ଭାରତୀୟ ଦୂତାବାସ ସୂଚନା ଦେଇଛି।   ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ମିଆଁମାର ୨୬ ଜାନୁଆରୀ ୨୦୨୪ ରେ ସ୍ପେଶିଆଲ୍ ରୁପି ଭୋଷ୍ଟ୍ରୋ ଆକାଉଣ୍ଟ (ଏସଆରଭିଏ) ଅଧୀନରେ ଦେୟ ପ୍ରକ୍ରିୟା ପାଇଁ ମାର୍ଗଦର୍ଶିକା ଜାରି କରିଛି । ଏହି ନୂଆ ବ୍ୟବସ୍ଥା ଉଭୟ ସମୁଦ୍ର ଓ ସୀମା ବାଣିଜ୍ୟ ଏବଂ ସାମଗ୍ରୀ ଓ ସେବା ବାଣିଜ୍ୟ ପାଇଁ ଲାଗୁ ହେବ। ବ୍ୟବସାୟୀଙ୍କ ଦ୍ୱାରା ଏହି ବ୍ୟବସ୍ଥା ଗ୍ରହଣ କରିବା ଦ୍ୱାରା ମୁଦ୍ରା ରୂପାନ୍ତରଣ ସହିତ ଜଡିତ ଖର୍ଚ୍ଚ ହ୍ରାସ ପାଇବ ଏବଂ ଏକାଧିକ ମୁଦ୍ରା ପରିବର୍ତ୍ତନର ଆବଶ୍ୟକତା ଦୂର କରି ବିନିମୟ ହାର ସହିତ ଜଡିତ ଜଟିଳତା ଦୂର ହେବ ।

ଡାଲି ଆମଦାନୀକାରୀଙ୍କ ମଧ୍ୟରେ ଏହି ବ୍ୟବସ୍ଥାର କାର୍ଯ୍ୟକାରିତା ବିଷୟରେ ପୃଥକ ଭାବରେ ପ୍ରସାର କରାଯାଉଛି ଯେଉଁଥିରେ ସେମାନଙ୍କୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମାଧ୍ୟମରେ ଏସଆରଭିଏ ବ୍ୟବହାର କରି ଟଙ୍କା/ କ୍ୟାଟ ଡାଇରେକ୍ଟ ପେମେଣ୍ଟ ସିଷ୍ଟମ ବ୍ୟବହାର କରିବାକୁ ଅନୁରୋଧ କରାଯାଉଛି ।

୨୦୨୪ ଏପ୍ରିଲ ୧୫ ତାରିଖରୁ https://fcainfoweb.nic.in/psp/ ପୋର୍ଟାଲରେ  ଆମଦାନୀ ହୋଇଥିବା ୟେଲୋ ମଟର ସମେତ ଆମଦାନୀ ହୋଇଥିବା ଡାଲିର ଷ୍ଟକକୁ ସାପ୍ତାହିକ ଭିତ୍ତିରେ ଘୋଷଣା କରିବାକୁ ଆମଦାନୀକାରୀ ଏବଂ ଅନ୍ୟାନ୍ୟ ଶିଳ୍ପ ସଂସ୍ଥା ଯଥା ମିଲର, ଷ୍ଟକିଷ୍ଟ, ରିଟେଲର ଇତ୍ୟାଦିଙ୍କୁ କୁହାଯାଇଛି।  ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ଷ୍ଟକହୋଲ୍ଡିଂ ସଂସ୍ଥା ଦ୍ୱାରା ସାପ୍ତାହିକ ଷ୍ଟକ୍ ପ୍ରକାଶନ କାର୍ଯ୍ୟକାରୀ କରିବାକୁ ଏବଂ ସେମାନଙ୍କ ଦ୍ୱାରା ଘୋଷିତ ଷ୍ଟକ୍ ଯାଞ୍ଚ କରିବାକୁ ମଧ୍ୟ କୁହାଯାଇଛି। ପ୍ରମୁଖ ବନ୍ଦର ଏବଂ ଡାଲି ଶିଳ୍ପ କେନ୍ଦ୍ରରେ ଥିବା ଗୋଦାମଗୁଡ଼ିକରେ ଷ୍ଟକ୍ ସମୟ ସମୟରେ ଯାଞ୍ଚ କରାଯିବା ଉଚିତ ଏବଂ ଷ୍ଟକ୍ ଡିସକ୍ଲୋଜର ପୋର୍ଟାଲରେ ମିଥ୍ୟା ସୂଚନା ପ୍ରଦାନ କରୁଥିବା ଷ୍ଟକ୍ ହୋଲ୍ଡିଂ ସଂସ୍ଥାଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଆଜି ହେଉଛି ପଣା ସଂକ୍ରାନ୍ତି, ଜାଣନ୍ତୁ ଏହି ଦିନ କଣ ଏବଂ କିପରି ପୂଜା କରିବା ଉଚିତ

ଭୁବନେଶ୍ବର, ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ। ଆଜିଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆଗମନ ହୋଇଥାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ।

ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ। ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ହୋଇଥାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି।

ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ। ତେଣୁ ଏହି ଦିନକୁ ପଣା ସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ। ପଣା ସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ମଧ୍ୟ ଖୋଲାଯାଏ। ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ। ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୁଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ।

ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳ ସଂକ୍ରାନ୍ତି ବୋଲି ମଧ୍ୟ କହିଥାନ୍ତି। ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ। ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ମଧ୍ୟ ପଡିଥାଏ।

ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧି ଦିଆଯାଏ। ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ। ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ। ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ।

ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ। ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡନାଚର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ। ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କ ପର୍ବ ନାମରେ ପାଳନ କରାଯାଏ।

Categories
ଆଜିର ଖବର ରାଜ୍ୟ ଖବର

ନିର୍ବାଚନ କମିଶନଙ୍କ ଅନୁମୋଦନ: ଖୋର୍ଦ୍ଧା ଜିଲ୍ଲାରେ ହେବ ମୋଟ ୧୬ ଟି ଅତିରିକ୍ତ ମତଦାନ କେନ୍ଦ୍ର, ଜାଣନ୍ତୁ କେଉଁଠି?

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ୧୬ଟି ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି ହୋଇଛି। ଭୁବନେଶ୍ୱର ମଧ୍ୟରେ ଗୋଟିଏ, ଭୁବନେଶ୍ୱର ଉତ୍ତରରେ ୫ଟି, ଏକାମ୍ର ଭୁବନେଶ୍ୱରରେ ୯ଟି ଏବଂ ଖୋର୍ଦ୍ଧା ବିଧାନସଭା ଅଧିନରେ ଗୋଟିଏ ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି ହୋଇଛି। ଏହି ଚାରୋଟି ବିଧାନସଭା କ୍ଷେତ୍ରରେ ମୋଟି ୯୩୨ଟି ମତଦାନ କେନ୍ଦ୍ର ଥିବାବେଳେ ଆଉ ୧୬ଟି ଅତିରିକ୍ତ ବୁଥ୍‌ ବୃଦ୍ଧି ହେବା ଦ୍ୱାରା ମୋଟ ବୁଥ୍‌ ସଂଖ୍ୟା ୯୪୮ରେ ପହଞ୍ଚିଛି। ସହରାଞ୍ଚଳରେ ୧୬ ଶହରୁ ଅଧିକ ମତଦାତା ଏବଂ ଗ୍ରାମାଞ୍ଚଳରେ ୧୫ ଶହରୁ ଅଧିକ ଭୋଟର ଥିବା ପୂର୍ବ ମତଦାନ କେନ୍ଦ୍ରରୁ ପୃଥକ କରି ଏହି ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି।

ଏ ସଂକ୍ରାନ୍ତରେ ବିିଭିନ୍ନ ରାଜନୈତିକ ଦଳ ଏବଂ ଅଂଶୀଦାରମାନଙ୍କ ସହ ହୋଇଥିବା ବିଚାରବିମର୍ଶକୁ ଆଧାର କରି ପଠାଯାଇଥିବା ପ୍ରସ୍ତାବକୁ ନିର୍ବାଚନ କମିଶନ ଅନୁମୋଦନ କରିବା ପରେ ଏହି ୧୬ଟି ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି ହୋଇଛି। ଏହି ମତଦାନ କେନ୍ଦ୍ରଗୁଡ଼ିକ ସଂପୃକ୍ତ ମୂଳ ମତଦାନ ଥିବା କ୍ୟାମ୍ପସ୍‌ ମଧ୍ୟରେ ହିଁ ରହିବ। ୧୧୨-ଭୁବନେଶ୍ୱର ମଧ୍ୟ ବିଧାନସଭା ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଝାରପଡ଼ା(ବୁଥ୍‌ ନଂ ୧୮୦), ୧୧୩-ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଳାରାହାଙ୍ଗ (ବୁଥ୍‌ ନଂ ୨୩), ସରକାରୀ ପ୍ରାଥମିକ ବିଦ୍ୟାଳୟ, ପଟିଆ (ବୁଥ ନଂ ୨୯), ମହର୍ଷି ମହିଳା ମହାବିଦ୍ୟାଳୟ, ଶୈଳଶ୍ରୀବିହାର (ବୁଥ୍‌ ନଂ-୬୯), ସରକାରୀ ପ୍ରାଥମିକ ବିଦ୍ୟାଳୟ, ଜନତାନଗର, ସାଲିଆସାହି (ବୁଥ୍‌ ନଂ-୧୪୫), ସରକାରୀ ଉଚ୍ଚ ବିଦ୍ୟାଳୟ, ପଳାଶୁଣି (ବୁଥ୍‌ ନଂ ୨୨୬), ୧୧୪-ଏକାମ୍ର ଭୁବନେଶ୍ୱର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସରକାରୀ ଉଚ୍ଚବିଦ୍ୟାଳୟ, ଘାଟିକିଆ (ବୁଥ୍‌ ନଂ-୭ ଓ ୧୨), ସରକାରୀ ଉଚ୍ଚ ବିଦ୍ୟାଳୟ, ଖଣ୍ଡଗିରି (ବୁଥ୍‌ ନଂ ୪୪ ଓ ୪୭), ସରକାରୀ ଉଚ୍ଚ ବିଦ୍ୟାଳୟ, ଡୁମୁଡୁମା ଗ୍ରାମ (ବୁଥ୍‌ ନଂ ୧୨୪ ଓ ୧୨୬), ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଯଦୁପୁର (ବୁଥ୍‌ ନଂ ୧୩୮), ବିଏମ୍‌ ସରକାରୀ ଉଚ୍ଚ ବିଦ୍ୟାଳୟ, ପୁରୁଣା ଭୁବନେଶ୍ୱର (ବୁଥ୍‌ ନଂ ୧୫୧), ସେଣ୍ଟ ଜାଭିୟର ହାଇସ୍କୁଲ, କେଦାରଗୌରୀ (ବୁଥ୍‌ ନଂ-୧୫୭) ଏବଂ ୧୧୭-ଖେର୍ଦ୍ଧା ବିଧାନସଭା କ୍ଷେତ୍ର ଅନୁର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଡ଼ଖୋରଧା (ବୁଥ୍‌ ନଂ ୪୩)ରେ ଏହିସବୁ ଅତିରିକ୍ତ ବୁଥ୍‌ ଖୋଲିଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମେରୁରେ ଓହଳତମ ଖେଳିଲେ ଭଗତା: ଆଜି ନିଆଁରେ ଚାଲିବେ ଭଗତା

ରଣପୁର: ଆଜି ପବିତ୍ର ମେରୁ ଉପବାସ ରଣପୁରରେ ମହାସମାରୋହରେ ପାଳିତ ହୋଇଯାଇଛି। ଓଡିଶାର ଧର୍ମ ସଂସ୍କୃତି କହିଲେ ବିଷ୍ନୁ ଏବଂ ଶିବଙ୍କୁ ନେଇ ଆଧାରିତ ହୋଇଥାଏ। କିଛି ବ୍ୟକ୍ତି ବିଷ୍ଣୁଙ୍କୁ ଉପାସନା କରୁଥିଲା ବେଳେ ଆଉ କିଛି ବ୍ୟକ୍ତି ଶିବଙ୍କୁ ଉପାସନା କରିଥାନ୍ତି। ଗାଁ ଗହଳି ପୁରପଲ୍ଲୀରେ ସବୁଆଡେ ଆଜି ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି।

ଆଜି ଶୈବ ଉପାସକମାନେ ରଣପୁର ଅଚଂଳରେ ଏକ ଗଣ ପର୍ବ ଭାବରେ ମେରୁ ପର୍ବକୁ ପାଳନ କରିଥାନ୍ତି। ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ନିର୍ଜଳ ଉପବାସ କରି ଅପରାହ୍ନରେ ଦଣ୍ଡ ଠାକୁରଙ୍କ ସ୍ନାନ ପରେ ସମସ୍ତେ ସ୍ନାନ କରି ପ୍ରଭୁଙ୍କ ଅଧରପଣା ସେବନ କରିଥାନ୍ତି। ସନ୍ଧ୍ୟାରେ ସମସ୍ତ ଦଣ୍ଡ ପାଟବେତ କୋଠୀ ସାମ୍ନାରେ ଭକ୍ତା ମାନେ ନିଷ୍ଠା ପରାକାଷ୍ଠାର ସହ ଓହଳତପ କରିଥାନ୍ତି। ଗୋଡ ଦୁଇଟିକୁ ଉପରେ ବାନ୍ଧି ରଖି ଅଗ୍ନି କୁଣ୍ଡରେ ଓହଳି ଦଣ୍ଡ ପାଟବେତଙ୍କୁ ଆରାଧନା କରିଥିବାର ଦେଖିବାକୁ ମିଳିଥିଲା।

ରଣପୁର ସ୍ୱପ୍ନେଶ୍ୱର ଦେବ, ଚଣ୍ଡେଶ୍ୱର ଦେବ, ଲେମ୍ବୋଡି ବାଲୁଙ୍କେଶ୍ୱର, ଲତାର ବାଲୁଙ୍କେଶ୍ୱର ଦେବ, କଙ୍କିଆ ଲୋକେଶ୍ୱର, ପୁରୁଣାବସନ୍ତ ବାଲୁଙ୍କେଶ୍ୱର, ଗୋପାଳପୁର ନୀଳକଣ୍ଠେଶ୍ୱର ଦେବ, ମଝିଆଖଣ୍ଡର କମଳେଶ୍ୱର ଦେବ ଆଦି ସମସ୍ତ ୨୭ କୋଠରୀରେ ଏହି ଓହଳତମ ଦେଖିବା ପାଇଁ ମେରୁ ସନ୍ଧ୍ୟାରେ ପ୍ରବଳ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା। ରବିବାର ଦଣ୍ଡ ଯାତ୍ରାର ଶେଷ ପର୍ବରେ ଭଗତା ମାନେ ନିଆଁରେ ଝାମୁ ଚାଲିବେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ଏପ୍ରିଲ ୧୪ ତାରିଖ ରବିବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ଏକ ଯାତ୍ରା ଯୋଜନା ହେବ। ଘର ବାହାରେ କିଛି ଟେନସନ ହେବ। ସ୍ବାସ୍ଥ୍ୟ ଭଲ ରହିବ।

ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ।  ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ ।  ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ।  କାମ ଆପଣଙ୍କ ମନ ଅନୁସାରେ ହେବ।  ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ଆସିପାରେ।  ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ସହଜରେ ଗ୍ରହଣ କରାଯିବ।

ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ।  ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ ଦୂରରେ ରୁହନ୍ତୁ। ଆପଣଙ୍କର କାମ ଅଧିକ ଧ୍ୟାନ ଆବଶ୍ୟକ କରେ।  ବକ୍ତବ୍ୟର ନିୟନ୍ତ୍ରଣ ନିଅନ୍ତୁ। ଚିନ୍ତା ଏବଂ ଟେନସନ ରହିବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ବ୍ୟବସାୟ ଭଲ କରିବ। ଆୟରେ ନିଶ୍ଚିତତା ରହିବ। ଉପକୃତ ହେବ।

କର୍କଟ – ଭୁଲିଯାଇଥିବା ସାଥୀ ଏବଂ ପରିଦର୍ଶକଙ୍କ ଦେଖାମିଳିବ। ସମ୍ମାନ ପାଇଁ ଖର୍ଚ୍ଚ ହେବ । ଆତ୍ମ ସମ୍ମାନ ରହିବ। ଆପଣ ଉତ୍ସାହଜନକ ସୂଚନା ପାଇବେ। ବଡ କାମ କରିବାକୁ ଇଚ୍ଛା କରିବେ। ପରିବାର ସଦସ୍ୟଙ୍କ ଅଗ୍ରଗତିର ଖବର ଆସିବ। ଖୁସି ହେବ। ପରିବାର ସହାୟତା ରହିବ। କୌଣସି ବ୍ୟକ୍ତିର ବିବାଦରେ ପ୍ରବେଶ କର ନାହିଁ।

ସିଂହ- ଘର ବାହାରେ ଏକ ମନୋରମ ପରିବେଶ ରହିବ।  ଆପଣ ଚାକିରିରେ ଆରାମ ଅନୁଭବ କରିବେ। ବ୍ୟବସାୟରୁ ସନ୍ତୁଷ୍ଟ ହେବ। ପିଲାମାନଙ୍କ ବିଷୟରେ ଚିନ୍ତା କରିବେ।  ବିରୋଧୀ ଏବଂ ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି। ଆପଣ ସାଙ୍ଗମାନଙ୍କଠାରୁ ସମର୍ଥନ ଏବଂ ମାର୍ଗଦର୍ଶନ ପାଇବେ।  ଲାଭ ସୁଯୋଗ ଆସିବ। ଏକ ଯାତ୍ରା ଯୋଜନା ହେବ। ଖୁସି ହେବ।

କନ୍ୟା- ଯାତ୍ରା ଆକର୍ଷଣୀୟ ଏବଂ ଲାଭଦାୟକ ହେବ।  ଉପହାର ଗ୍ରହଣ କରିବାର ସମ୍ଭାବନା ଅଛି।  ବ୍ୟବସାୟରୁ ବ୍ୟବସାୟ ଲାଭଦାୟକ ହେବ। ଘର ବାହାରେ ସଫଳତା ମିଳିବ । ପରିବାରରେ ଶାନ୍ତି ରହିବ। କାର୍ଯ୍ୟରେ ଉତ୍ସର୍ଗୀକୃତ ଏବଂ ଉତ୍ସାହ ରହିବ। ଆପଣ ଖୁସିରେ ସାଙ୍ଗମାନଙ୍କ ସହିତ ସମୟ ବିତାଇବେ।

ତୂଳା- ସ୍ୱାସ୍ଥ୍ୟ ଦୁର୍ବଳ ହେବ।  କରାଯାଉଥିବା କାର୍ଯ୍ୟରେ ବାଧା ଉପୁଜିବ ।  ଚିନ୍ତା ଏବଂ ଟେନସନ ରହିବ।  ନିଜ ସାଥୀଙ୍କ ସହିତ ଯୋଗାଯୋଗ କରନ୍ତୁ ।  ଧର୍ଯ୍ୟ ଧରନ୍ତୁ ।  ବେକାର କାମରୁ ଦୂରେଇ ରୁହନ୍ତୁ ।  ଅନାବଶ୍ୟକ ଲୋକମାନେ ଅସୁବିଧା ସୃଷ୍ଟି କରିପାରନ୍ତି।  ଅନ୍ୟର ବିବାଦ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ ।  ଆୟରେ ନିଶ୍ଚିତତା ରହିବ।  ଆପଣ ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ।ତତ୍ପରତା ନାହିଁ ।

ବିଛା- ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ।  ଯାତ୍ରା ଚିତ୍ତାକର୍ଷକ ହେବ। ଲାଭ ସୁଯୋଗ ଆସିବ । ଚାକିରିରେ ଆରାମ ମିଳିବ। ଯେ କୌଣସି ଜରୁରୀ ଜିନିଷ ଶୀଘ୍ର ନଷ୍ଟ ହୋଇପାରେ ।  ଆଇନଗତ ବାଧା ଉପୁଜିପାରେ। ବିବାଦ କର ନାହିଁ । ବ୍ୟବସାୟ ଭଲ କରିବୃ। ଘର ବାହାରେ ସୁଖ ମିଳିବ।

ଧନୁ- ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ। କାର୍ଯ୍ୟ ପଦ୍ଧତିରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ ସଫଳ ହେବ। ସମ୍ମାନ ପାଇବେ। ଚାକିରୀରେ ସଫଳତା ହେବ।  ଲାଭ ସୁଯୋଗ ଆସିବ।  ଘର ବାହାରେ ଖୁସିର ପରିବେଶ ରହିବ। ପରିବାର ସହାୟତା ଗ୍ରହଣ କରାଯିବ।  ବଡ କାମ କରିବାକୁ ଇଚ୍ଛା କରିବେ।  ସଫଳତାର ମାଧ୍ୟମ ସଂଗ୍ରହ କରିବ। ବିପଦ କାର୍ଯ୍ୟ କରନ୍ତୁ ନାହିଁ ।

ମକର –  ଜଣେ  ଜ୍ଞାନୀ ବ୍ୟକ୍ତିଙ୍କ ସମର୍ଥନ ପାଇବାର ସମ୍ଭାବନା ଅଛି। ତନ୍ତ-ମନ୍ତ୍ର ପ୍ରତି ଆଗ୍ରହୀ ହେବେ। କୈଣସି କୂଟନୀତିଜ୍ଞଙ୍କ ସମର୍ଥନ ମିଳିପାରିବ। ଲାଭର ଦ୍ୱାର ଖୋଲିବ। ଆଘାତ ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ ।ଦିନତମାମ ବ୍ୟସ୍ତ ରହିବେ । ଆପଣ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରିବେ। ବିବାଦରୁ ଦୂରେଇ ରୁହନ୍ତୁ । ଟଙ୍କା ଗ୍ରହଣ କରାଯିବ। ଲଜ୍ଜିତ ହୁଅନ୍ତୁ ନାହିଁ।

କୁମ୍ଭ – ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଘାତ ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । ଆୟ ହ୍ରାସ ହୋଇପାରେ । ଘର ବାହାରେ ସହଯୋଗ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ଲୋକମାନେ ସେମାନଙ୍କର ମତ ବ୍ୟାଖ୍ୟା କରିବାକୁ ସମର୍ଥ ହେବେ ନାହିଁ । ଅପାରଗତା ପାଇଁ ବିପୁଳ ଖର୍ଚ୍ଚ ହେବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ବନ୍ଧୁମାନେ ସହଯୋଗ କରିବେ। ଟଙ୍କା ସମ୍ଭବ ।

ମୀନ- ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ଜଣେ ବରିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟରେ କାର୍ଯ୍ୟ ପ୍ରତିବନ୍ଧକ ହଟାଯିବ ଏବଂ ଲାଭର ପରିସ୍ଥିତି ସୃଷ୍ଟି ହେବ। ପରିବାର ସଦସ୍ୟମାନେ ଭଲ ବ୍ୟବହାର କରିବେ। ବ୍ୟବସାୟ ଭଲ କରିବ। ନୂତନ ଲୋକଙ୍କୁ ଯୋଗାଯୋଗ କରାଯିବ। ଆୟ ବୃଦ୍ଧି ପାଇବ ଏବଂ ସୁସ୍ଥ ରହିବ। ଚିନ୍ତା କମିଯିବ । ତତ୍ପର ହୁଅନ୍ତୁ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଜଗନ୍ ମୋହନ ରେଡ୍ଡୀଙ୍କ ରୋଡ୍ ସୋ’ରେ ପଥର ମାଡ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଆହତ

ନୂଆଦିଲ୍ଲୀ: ଶନିବାର ରାତିରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା YSRCP ମୁଖ୍ୟ ଜଗନ୍ ମୋହନ ରେଡ୍ଡୀଙ୍କୁ ପଥର ମାଡରେ ଆହତ ହୋଇଛନ୍ତି। ଜଗନ୍ ମୋହନ ରେଡ୍ଡୀଙ୍କ ଉପରେ ଏହି ଆକ୍ରମଣ ଅଜିତ ସିଂ ନଗରରେ ଘଟିଛି। ରୋଡ୍ ସୋ ସମୟରେ ପଥର ମାଡରେ ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କ କପାଳରେ ଆଘାତ ଲାଗିଥିଲା।

ବିଜୟୱାଡାର ସିଂହ ନଗରରେ ଏକ ବସ୍ ଯାତ୍ରା ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଉପରକୁ ପଥର ଫିଙ୍ଗିଥିଲା। ଜଗନ୍ ଙ୍କ ବାମ ଆଖି ଉପରେ କପାଳରେ ସାମାନ୍ୟ ଆଘାତ ଲାଗିଥିଲା। ଯାହାଫଳରେ ତାଙ୍କର କ୍ଷତ ସ୍ଥାନରେ ଦୁଇଟି ସିଲାଇ ପଡିଥିବା ସୂଚନା ମିଳିଥିଲା। ଏହି ସମୟ ମଧ୍ୟରେ ଡାକ୍ତରମାନେ ତାଙ୍କୁ ବସ୍ ଭିତରେ ଚିକିତ୍ସା କରିଥିଲେ ଏବଂ ଏହା ପରେ ଅଭିଯାନ ପୁନଃ ଆରମ୍ଭ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ଜାରି କଲା ପ୍ରାର୍ଥୀ ତାଲିକା: ଓଡିଶାର ୯ ଟି ଲୋକସଭା ଆସନ ପାଇଁ ଘୋଷଣା ହେଲା ନାମ

ଭୁବନେଶ୍ବର: ଆଜି ରାଜ୍ୟର ୯ ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ବରରୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ୟାସିର ନଓ୍ବାଜଙ୍କୁ ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ବାଲେଶ୍ବର ଆସନରୁ ପ୍ରାର୍ଥୀ କରାଯାଇଛି। ସେହିଭଳି କେନ୍ଦୁଝରରୁ ମୋହନ ହେମ୍ବ୍ରମ, ଭଦ୍ରକରୁ ଅନନ୍ତ କୁମାର ସେଠୀ, ଯାଜପୁରରୁ ଅଞ୍ଚଳ ଦାସ, ଢେଙ୍କାନାଳରୁ ସଶ୍ମିତା ବେହେରା, କେନ୍ଦ୍ରାପଡାରୁ ସିଦ୍ଧାର୍ଥ ସ୍ବରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର କୁମାର ସେଠୀ, ପୁରୀରୁ ସୁଚରିତା ମହାନ୍ତିଙ୍କୁ ଦପ୍ରାର୍ଥୀ କରାଯାଇଛି।

ପ୍ରାର୍ଥୀ ତାଲିକା

ଭୁବନେଶ୍ୱର- ୟାସିର ନଓ୍ବାଜ

ପୁରୀ- ସୁଚରିତା ମହାନ୍ତି

ଭଦ୍ରକ (ଏସସି) – ଅନନ୍ତ କୁମାର ସେଠୀ

କେନ୍ଦୁଝର (ଏସଟି) – ମୋହନ ହେମ୍ବ୍ରମ

ବାଲେଶ୍ବର- ଶ୍ରୀକାନ୍ତ କୁମାର ଜେନା

ଯାଜପୁର (ଏସସି)- ଅଞ୍ଚଳ ଦାସ

ଢେଙ୍କାନାଳ- ସଶ୍ମିତା ବେହେରା

କେନ୍ଦ୍ରାପଡା- ସିଦ୍ଧାର୍ଥ ସ୍ବରୂପ ଦାସ

ଜଗତସିଂହପୁର – ରବୀନ୍ଦ୍ର କୁମାର ସେଠୀ

Categories
ଆଜିର ଖବର ରାଜ୍ୟ ଖବର

ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନିର୍ବାଚନୀ ପ୍ରଚାର: ଘର ଘର ବୁଲି ପହଞ୍ଚାଉଛନ୍ତି ମୋଦିଙ୍କ ବାର୍ତ୍ତା

ପୁରୀ: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ଦଳଗୁଡିକର ପ୍ରଚାର ପ୍ରସାର ସେତେ ବୃଦ୍ଧି ପାଉଛି। କିନ୍ତୁ ପୁରୀ ଲୋକସଭାର ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ରଙ୍କ ପ୍ରଚାର ବହୁ ମାତ୍ରାରେ ବୃଦ୍ଧି ପାଇଛି। ନିଜ ଲୋକସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଘରକୁ ଘର ବୁଲି ଲୋକଙ୍କ ସହ ସିଧା ସଳଖ କଥା ହେଉଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ସେ ଆଜି ପିପିଲ ନିର୍ବାଚନମଣ୍ଡଳୀର ସୁଜନପୁର ଗାଁରେ ଅଗ୍ନିକାଣ୍ଡରେ ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି। ଏହି ଦୁଃଖଦ ପରିସ୍ଥିତିରେ ସେମାନଙ୍କ ସାଥୀରେ ଛିଡ଼ା ହେବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ ମଧ୍ୟ କରିଛନ୍ତି। ଏହା ସହିତ ସମ୍ବିତ ପାତ୍ର ସତ୍ୟବାଦୀ ବିଧାନସଭା କ୍ଷେତ୍ର ଅଧୀନ ସିରେଇ ପଞ୍ଚାୟତର ସୁଦଘର ଗାଁ ଏବଂ ଟିପୁରି ଗ୍ରାମ ପରିଦର୍ଶନ କରିଛନ୍ତି।

ଏହି ଅବସରରେ ସୁଦାଘର ଗାଁଠାରେ ମା’ ଚଣ୍ଡୀଙ୍କର ଏବଂ ଟିପୁରି ଗାଁର ହନୁମାନ ମନ୍ଦିର ଦର୍ଶନ କରି ସ୍ଥାନୀୟ ଲୋକଙ୍କର ମଙ୍ଗଳ କାମନା କରିଛନ୍ତି। ଏହି ଅବସରରେ ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳ ଗସ୍ତ ସମୟରେ ଡକ୍ଟର ସମ୍ବିତ ପାତ୍ର ପ୍ରତିକ୍ରିୟା ଦେଇ କହିଥିଲେ ଯେ, ” ପୁରୀବାସୀ ଦେଉଥିବା ଅପାର ସ୍ନେହ ଶ୍ରଦ୍ଧା ମୋତେ ଏକ ନୂତନ ଶକ୍ତି ପ୍ରଦାନ କରିଛି ଏବଂ ମୁଁ ନିଶ୍ଚିତ ଯେ ଏଥର ପୁରୀ ଲୋକସଭାରେ ଭରତୀୟ ଜନତା ପାର୍ଟି ବିପୁଳ ପରିମାଣରେ ଭୋଟ ପାଇ ବିଜୟୀ ହେବ।”

ଏହା ସହିତ ସମ୍ବିତ ପାତ୍ର ସତ୍ୟବାଦୀ ବିଧାନସଭା ସ୍ଥିତ ସୀରେଇ ଗ୍ରାମ ପଞ୍ଚାୟତର ରାଧାମୋହନପୁର, ଚରକପୁର ଏବଂ ପସିଆପଦା ଗ୍ରାମରେ ଜନସମ୍ପର୍କ ଅଭିଯାନରେ ମଧ୍ୟ ସେ ସାମିଲ ହୋଇଥିଲେ। ଏହି ଅବସରରେ ସେ ପୁରୀ ଲୋକସଭାକୁ ବିକଶିତ କରିବା ପାଇଁ ପଦ୍ମ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ବିଜେପିକୁ ବିଜୟୀ କରିବା ସହିତ ଦେଶରେ ପୁଣି ଥରେ ମୋଦୀ ସରକାର ଗଠନ କରିବା ନିମନ୍ତେ ସମ୍ପୂର୍ଣ୍ଣ ସଙ୍କଳ୍ପିତ ବୋଲି କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ତିନୋଟି ନବଜାତ ଶିଶୁଙ୍କୁ ନୂଆ ଜୀବନ ଦେଲେ ସମ୍ ଶିଶୁରୋଗ ଡାକ୍ତର

ଭୁବନେଶ୍ୱର: ଗୋଟିଏ ମା’ର ଗର୍ଭରୁ ଏକା ସାଙ୍ଗେ ଜନ୍ମଲାଭ କରିଥିବା ତିନୋଟି ଅପରିପକ୍ୱ ଶିଶୁଙ୍କୁ ଦୀର୍ଘ ଦିନର ପ୍ରଚେଷ୍ଟା ଓ ଚିକିତ୍ସା ପ୍ରଦାନ କରି ନୂଆ ଜୀବନ ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନବଜାତ ଶିଶୁରୋଗ ବିଭାଗର ଡାକ୍ତରୀ ଟିମ୍।

ଏହି ସନ୍ତାନଙ୍କର ପରିବାର ବାଲୁଗାଁ ଅଂଚଳର ହୋଇଥିବା ବେଳେ ତିନି ସନ୍ତାନ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଥିବା ଇନ୍ – ଭିଟ୍ରୋଫର୍ଟିଲାଇଜେସନ୍ (ଆଇଭିଏଫ୍‌) ପ୍ରକ୍ରିୟାରେ ଜନ୍ମ ଗ୍ରହଣ କରିଥିଲେ। ତେବେ ଜନ୍ମ ଗ୍ରହଣ କରିବାର ନିର୍ଦ୍ଧାରିତ ପ୍ରସବ ସମୟ ପୂର୍ବରୁ ମାତ୍ର ୨୮ ସପ୍ତାହ ପରେ ଏକ ସଂଗେ ୩ଟି ସନ୍ତାନ ଅପରିପକ୍ୱ ଭାବେ ଜନ୍ମ ହୋଇଥିଲେ। ଜନ୍ମ ସମୟରେ ଏହି ଶିଶୁମାନଙ୍କ ମଧ୍ୟରୁ ଦୁଇ ଶିଶୁଙ୍କର ଓଜନ ୧ କେଜି ଅନ୍ୟ ଶିଶୁର ଓଜନ ୮୦୦ ଗ୍ରାମ ଥିବା ବେଳେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ଥିଲା।

ତେଣୁ ସେମାନଙ୍କୁ ତୁରନ୍ତ ହସ୍ପିଟାଲ୍‌ର ନବଜାତ ଶିଶୁ ବିଭାଗର ଏନ୍‌ଆଇସିୟୁରେ ଭର୍ତି କରାଯାଇ ସମସ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା ବୋଲି ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାଶିଷ ନନ୍ଦ କହିଛନ୍ତି।

ଦୀର୍ଘ ସମୟ ଧରି ଇନ୍‌ଭେସିଭ୍ ଭେଂଟିଲେସନ୍ ଏବଂ ପ୍ରାୟ ୩ମାସ ଧରି ନନ୍ – ଇନ୍‌ଭେସିଭ୍ ଭେଂଟିଲେଟରରେ ଶିଶୁମାନଙ୍କୁ ରଖାଯାଇ ଚିକିତ୍ସା କରାଯାଇଥିଲା। ସମସ୍ତ ଚିକିତ୍ସା ଓ ପ୍ରଚେଷ୍ଟା ଦ୍ୱାରା ଏହି ୩ ଶିଶୁଙ୍କୁ ବଂଚାଇ ରଖିବା ସକ୍ଷମ ହୋଇପାରିଲା ବୋଲି ପ୍ରଫେସର ନନ୍ଦ କହିଛନ୍ତି।

ଶିଶୁର ଚିକିତ୍ସା ଓ ଯତ୍ନ କରିବାରେ ଡାକ୍ତର ନନ୍ଦଙ୍କ ସମେତ ଡାକ୍ତର ରତନ କୁମାର ଦାସ, ଡାକ୍ତର ବିଜୟ କୁମାର, ଡାକ୍ତର ବିନୀତ ପାଣିଗ୍ରାହୀ, ଡାକ୍ତର ଭାବଗ୍ରାହୀ ମଲ୍ଲିକ୍‌, ଡାକ୍ତର କଳ୍ପିତା ସାହୁ, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର ସୁରେଶ ତ୍ରିପାଠୀ, ଡାକ୍ତର ଦେବୀ ପ୍ରସାଦ ସାହୁ, ଡାକ୍ତର ଭାଗ୍ୟଶ୍ରୀ ମହାପାତ୍ର, ଡାକ୍ତର ଏସ୍ ମନିଷା ସକ୍ରିୟ ଭାବେ ଜଡିତ ଥିଲେ। ଏନ୍‌ଆଇସିୟୁର ସମସ୍ତ ନର୍ସ ଏବଂ ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିକିତ୍ସା କ୍ଷେତ୍ରରେ ହିଁ ଭବିଷ୍ୟତ ନିର୍ଦ୍ଧାରଣ କରିବ ଟେଲିମେଡିସିନ୍ ଓ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ

ଭୁବନେଶ୍ୱର: ଅପହଂଚ ଇଲାକା ଯେଉଁଠାରେ ସ୍ୱାସ୍ଥ୍ୟ ସେବା ଠିକ୍ ଭାବେ ପହଂଚିପାରୁନି ସେଠାରେ ଟେଲିମେଡିସିନ୍ ହିଁ ଜନସାଧାରଣଙ୍କର ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇପାରିବ। ଏଥି ନିମନ୍ତେ ଚିକିତ୍ସା ବିଜ୍ଞାନ (ମେଡିସିନ୍‌) ଓ ଇଞ୍ଜିନିୟରିଂ ଏକତ୍ର ହୋଇ ସମାଜର ହିତ ନିମନ୍ତେ କାର୍ଯ୍ୟ କରିବା ଉଚିତ୍ ବୋଲି ଚିକିତ୍ସା ବିଶେଷଜ୍ଞ ତଥା ଟେଲିମେଡିସିନ୍ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ଡାକ୍ତର ରାମାସାମୀ କିମ୍ କହିଛନ୍ତି।

ଟେଲିମେଡିସିନ ସୋସାଇଟି ଅଫ୍ ଇଣ୍ଡିଆ (ଓଡ଼ିଶା ଚାପ୍‌ଟର) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମିଳିତ ଆନୁକୂଲ୍ୟରେ ଟିଏସ୍‌ଆଇ ଓଡ଼ିଶା ଶାଖାର ୧୨ ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତର କିମ୍ କହିଛନ୍ତି ଯେ କୋଭିଡ ମହାମାରୀର ପରିସ୍ଥିତି ଟେଲିମେଡିସିନ୍‌କୁ ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ଯୋଡିଛି। ଯଦିଓ ଏ କ୍ଷେତ୍ରରେ ଅନେକ ଆହ୍ୱାନ ରହିଛି ତଥାପି ଏହାର ସମାଧାନ କିପରି କରାଯାଇପାରିବ ସେ ଦିଗରେ ଆମେ ସଚେତନ ହେବା ଆବଶ୍ୟକ। ତେବେ ଏ କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଅନେକ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି।

ସେହିପରି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଡାକ୍ତର କିମ୍ କହିଛନ୍ତି ଯେ ସେମାନେ ଯେଉଁ ସ୍ମାର୍ଟଫୋନ୍ ହାତରେ ଧରିଛନ୍ତି ତାହାର ଅନ୍ୟ ବ୍ୟବହାର ନ କରି ସମାଜର ହିତ ପାଇଁ କାର୍ଯ୍ୟରେ ଲଗାନ୍ତୁ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ଓଡ଼ିଶା ସରକାର ଟେଲିମେଡିସିନ୍ କ୍ଷେତ୍ରରେ ଅନେକ କାର୍ଯ୍ୟ କରୁଥିବା ବେଳେ ସୋଆ ବିଶ୍ୱବିଦ୍ୟାଳୟ ମଧ୍ୟ ଏ ଦିଗରେ ସମସ୍ତ ସହଯୋଗ କରିବ। ଗ୍ରାମାଂଚଳରେ ଟେଲିମେଡିସିନ୍‌ର ଅନେକ ଆବଶ୍ୟକତା ରହିଛି ବୋଲି କହିବା ସହ କୋଭିଡ ସମୟରେ ଟେଲିମେଡିସିନ୍ ଅନେକ ଜୀବନ ବଂଚାଇ ପାରିଛି ବୋଲି ସେ କହିଛନ୍ତି।
ଏହି ଅବସରରେ ଟିଏସ୍‌ଆଇ ଓଡ଼ିଶା ଶାଖାର ସଭାପତି ଡାକ୍ତର ରାମନାଥ ମିଶ୍ର ମେଡିକାଲ୍ କଲେଜ ଗୁଡ଼ିକରେ ଚିକିତ୍ସା ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଟେଲିମେଡିସିନ୍‌ର ଅନେକ ଗୁରୁତ୍ୱ ରହିଛି ବୋଲି କହିଥିଲେ। ଚିକିତ୍ସା ଶିକ୍ଷା କ୍ଷେତ୍ରକୁ ଅଧିକ ବିସ୍ତୃତ କରିବା ନିମନ୍ତେ ଟେଲିମେଡିସିନ୍ ହିଁ ଭବିଷ୍ୟତର ବିକଳ୍ପ ବୋଲି କହିବା ସହ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେହି ଅନୁପାତରେ ଫ୍ୟାକଲ୍ଟିଙ୍କର ସଂଖ୍ୟା ବଢ଼ିପାରୁ ନାହିଁ। ତେଣୁ ଏ କ୍ଷେତ୍ରରେ ଟେଲିମେଡିସିନ୍ ଅନେକ ସହାୟକ ହୋଇପାରିବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଟେଲିମେଡିସିନ୍ ନେଟ୍‌ୱାର୍କ ନିମନ୍ତେ ଉପଦେଷ୍ଟା ତଥା ଏହି ସମ୍ମିଳନୀର ସଂଯୋଜକ ଡକ୍ଟର ବିଶ୍ୱ ନାରାୟଣ ମହାନ୍ତି ସ୍ୱାଗତ ଭାଷଣ ଦେବା ଅବସରରେ ୨୦୦୧ ମସିହାରୁ ଓଡ଼ିଶାରେ ଟେଲିମେଡିସିନ୍‌ର ପ୍ରଚଳନ ଆରମ୍ଭ ହୋଇଥିବା କହିଥିଲେ। ବର୍ତ୍ତମାନ ଏହା ପ୍ରାୟ ସମସ୍ତ ସରକାରୀ ମେଡିକାଲ୍ କଲେଜ ସହ ଯୋଡି ହୋଇ ଯାଇଥିବା ପ୍ରକାଶ କରିଥିଲେ।

ଏହି ଅବସରରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଶିକ୍ଷାନୁଷ୍ଠାନର ପୂର୍ବତନ ଡିନ୍ ପ୍ରଫେସର (ଡାକ୍ତର) ଗଙ୍ଗାଧର ସାହୁ, ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଓ ସମ୍ମିଳନୀର ସଂଯୋଜକ ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

୧୨୦୦ କୋଟି ଚାନ୍ଦା ଦେଇଥିବା ମେଘା ଇଞ୍ଜିନିୟରିଂ ବିରୋଧରେ ସିବିଆଇ ରୁଜୁ କଲା ମାମଲା

ନୂଆଦିଲ୍ଲୀ: ନିର୍ବାଚନୀ ଚାନ୍ଦା ଯୋଜନାରେ ସର୍ବାଧିକ ଦାନ କରିଥିବା ବ୍ୟକ୍ତିଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡର ଅଧିକାରୀମାନଙ୍କ ଉପରେ ଦୁର୍ନୀତି ଅଭିଯୋଗ ହୋଇଛି। ଏହି ଅଧିକାରୀଙ୍କ ବିରୋଧରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିବିଆଇ ଦ୍ୱାରା ଏକ ଦୁର୍ନୀତି ମାମଲା ରୁଜୁ ହୋଇଛି। ନିର୍ବାଚନୀ ଚାନ୍ଦା ମାଧ୍ୟମରେ ରାଜନୈତିକ ଦଳମାନଙ୍କୁ ଏହି କମ୍ପାନୀ ଦ୍ଵାରା ୧୨୦୦ କୋଟି ଟଙ୍କା ଦାନ କରାଯାଇଥିଲା।

NISP ପାଇଁ ୩୧୫ କୋଟି ମୂଲ୍ୟର ଏକ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଦୁର୍ନୀତି ଅଭିଯୋଗରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ବିରୋଧରେ ଇସ୍ପାତ ମନ୍ତ୍ରଣାଳୟର NMDC ଆଇରନ୍ ଏବଂ ଷ୍ଟିଲ୍ ପ୍ଲାଣ୍ଟର ୮ ଜଣ ଅଧିକାରୀଙ୍କ ସହ ସିବିଆଇ ଏହି ମାମଲା ପଞ୍ଜିକରଣ କରିଛି।

ଏହି ସମୟରେ, ମେଘା ଇଞ୍ଜିନିୟରିଂ ଏବଂ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ନିର୍ବାଚନୀ ଚାନ୍ଦା ସହ ଜଡିତ ତଥ୍ୟ ବାହାରିବା ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ରାଜନୈତିକ ଦଳମାନଙ୍କୁ ଦାନ ତାଲିକାର ଶ୍ରେଷ୍ଠ ୧୦ ତାଲିକାରେ ଏହି କମ୍ପାନୀ ଦ୍ୱିତୀୟ ବୃହତ୍ତମ କ୍ରେତା ଭାବରେ ଉଭା ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାର ନଳବଣରେ ଅଗ୍ନିକାଣ୍ଡ: ବିପଦରେ ଜଳଜୀବ

ଚିଲିକା (ସୀତାରାମ ଅଗ୍ରୱାଲ): କାଳୁପଡା ଘାଟ ଜେଟି ନିକଟରେ ନଳ ବଣରେ ଅଗ୍ନିକାଣ୍ଡ ଘଟିଥିବା ଏକ ବଡ ସୂଚନା ମିଳିଛି। ନଳ ବଣରେ ଅଗ୍ନିକାଣ୍ଡ ଯୋଗୁଁ ବିପଦରେ ଜଳଜୀବଙ୍କ ଜୀବନ ପଡିଛି। ଗଣମାଧ୍ୟମରେ ଏହି ଖବର ପ୍ରସାରଣ ପରେ କାଳୁପଡାଘାଟ ଜେଟିରେ ବାଲୁଗାଁ ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକ ପହଞ୍ଚିଛନ୍ତି। ଏବଂ ସେଠାରୁ ଡ଼ଙ୍ଗାରେ ଚିଲିକା ଭିତରକୁ ଯାଇ ଡ଼ିଏଫଓ ଅମ୍ଲାନ ଅନୁଧ୍ୟାନ କରୁଛନ୍ତି।

ବର୍ତ୍ତମାନ ସିଡିଏ ପକ୍ଷରୁ ମୋଟର ପମ୍ପ ଦ୍ଵାରା ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ଡିଏଫଓ କହିଛନ୍ତି। ନଳବଣରେ ନିଆଁ ଲାଗିବ ଦ୍ୱାରା ବିରଳ ଫିସିଂ କ୍ୟାଟ ସହ ବହୁ ଜଳଜୀବ ବିପଦରେ ପଡୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅମ୍ଲାନ ନାୟକ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା, ପଦାଧିକାରୀଙ୍କ ସମେତ ୧୩୦୦ କର୍ମୀ ଛାଡିଲେ ଦଳ

ଜୟପୁର: ରାଜସ୍ଥାନ କଂଗ୍ରେସ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି ଏବଂ ନାଗୌର ଜିଲ୍ଲାର କ୍ଷିଂବସର ବିଧାନସଭାର ପଦାଧିକାରୀଙ୍କ ସମେତ ୧୩୦୦ କର୍ମୀ ଦଳ ଛାଡିଛନ୍ତି। କଂଗ୍ରେସ ପାର୍ଟିରୁ ନିଲମ୍ବିତ ହୋଇଥିବା କୁଚେରା ମ୍ୟୁନିସିପାଲିଟି ଅଧ୍ୟକ୍ଷ ତେଜପାଲ ମିର୍ଧା ଏହି ସୂଚନା ଦେଇଛନ୍ତି। ବାସ୍ତବରେ ନାଗୌର ଲୋକସଭା ଆସନରେ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲପି) ସହିତ କଂଗ୍ରେସ ମେଣ୍ଟ ଗଠନ କରି ଏହାକୁ ଆରଏଲପି ପାଇଁ ଖାଲି ରଖିଛି। ନାଗୌର ସାଂସଦ ତଥା ଆରଏଲପି ମୁଖ୍ୟ ହନୁମାନ ବେନିୱାଲଙ୍କୁ କଂଗ୍ରେସ ଏଠାରେ ପ୍ରାର୍ଥୀ କରିଛି। ଏହି ସମୟରେ ବେନିୱାଲଙ୍କ ଅଭିଯୋଗକୁ ଭିତ୍ତି କରି ନାଗୌରରୁ ବିଜେପି ପ୍ରାର୍ଥୀ ଜ୍ୟୋତି ମିର୍ଧାଙ୍କ ସପକ୍ଷରେ ପ୍ରଚାର କରିଥିବାରୁ ତିନିଜଣ କଂଗ୍ରେସ କର୍ମୀଙ୍କୁ ସୋମବାର ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି।

କଂଗ୍ରେସ ନେତା- ପୂର୍ବତନ ବିଧାୟକ ଭରାରାମ, କୁଚେରା ପୌରପାଳିକାର ଅଧ୍ୟକ୍ଷ ତେଜପାଲ ମିର୍ଧା ଏବଂ ସୁଖରାମ ଡୋଡୱାଡିଆଙ୍କ ନିଲମ୍ବନ ପରେ ତୁରନ୍ତ ନାଗୌରରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ କ୍ରୋଧ ବଢିଥିଲା। ଏହି ନିଲମ୍ବନକୁ ବିରୋଧ କରି ତିନିଜଣ କଂଗ୍ରେସ ନେତା ଦଳର ସଦସ୍ୟତାରୁ ଇସ୍ତଫା ଦେଇଥିଲେ।

ଏକ ସାମ୍ବାଦିକ ସମ୍ମିଳନୀରେ ତେଜପାଲ ମିର୍ଦ୍ଧା କହିଛନ୍ତି ଯେ, “ବିଧାନସଭା ନିର୍ବାଚନ ସମୟରେ ନାଗୌରରେ କଂଗ୍ରେସ ଏକ ଦୃଢ ସ୍ଥିତିରେ ଥିଲା। ଦଳ ଆଠଟି ଆସନ ମଧ୍ୟରୁ ଚାରିଟି ଜିତିଥିଲା। ଲୋକସଭା ନିର୍ବାଚନରେ ​​ଏହାର ସ୍ଥିତି ସମାନ ଥିଲା।” ନାଗୌରରେ କଂଗ୍ରେସକୁ ଧ୍ୱଂସ କରିବାକୁ ହନୁମାନ ବେନିୱାଲ ଚେଷ୍ଟା କରୁଛନ୍ତି।

କଂଗ୍ରେସ ହାଇକମାଣ୍ଡ ସ୍ଥାନୀୟ କଂଗ୍ରେସ ରାଜ୍ୟ ୟୁନିଟର ସହମତି ବିନା ଆରଏଲପି ସହ ଚୁକ୍ତି କରିଥିଲେ। ଏହି ମେଣ୍ଟ ଆମ ଉପରେ ଜୋର କରି ଲାଗୁ କରାଯାଇଛି। ସମଗ୍ର ଜିଲ୍ଲାରେ କଂଗ୍ରେସକୁ ପରାସ୍ତ କରିବାକୁ ଆରଏଲପି କାର୍ଯ୍ୟ କରିଥିଲା। ଆମେ କେବେ ବି ବିଜେପି ସହିତ ମଞ୍ଚ ସେୟାର କରିନାହୁଁ। ତଥାପି ବେନିୱାଲ ଆମକୁ ଦଳରୁ ବହିଷ୍କାର କରିଥିଲେ। କୌଣସି ସୂଚନା କିମ୍ବା କାରଣ ଦର୍ଶାଅ ନୋଟିସ ବିନା କଂଗ୍ରେସ ସିଧାସଳଖ ତୁଗଲାକି ଆଦେଶ ଜାରି କରି ଆମକୁ ବହିଷ୍କାର କଲା।

ବିହିସ୍କୃତ କଂଗ୍ରେସ କର୍ମୀଙ୍କ ସହ ନିର୍ବାଚିତ ଜନ ପ୍ରତିନିଧୀଙ୍କ ମଧ୍ୟରେ ୨୧ ଜଣ କାଉନସିଲର, ୮ ଜଣ ପୂର୍ବତନ କାଉନସିଲର, ୭ ଜଣ ପଞ୍ଚାୟତ କମିଟି ସଦସ୍ୟ, ଜଣେ ବ୍ଲକ ସଭାପତି, ୧୦ ଜଣ ଉପସଭାପତି, ୨୪ ଜଣ ସାଧାରଣ ସଚିବ, ୨୨ ଜଣ ସଚିବ, ୧୨ ଜଣ ସହ-ସଚିବ, ୩୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ, ୨୬୪ ବୁଥ ସଭାପତି, ଜଣେ NSUI, ଜଣେ ଯୁବ କଂଗ୍ରେସ ବିଧାନସଭା ସଭାପତି ଏବଂ କଂଗ୍ରେସ ସଂଗଠନ ସହ ଜଡିତ ପ୍ରାୟ ୪୦୦ ପଦାଧିକାରୀ ମଧ୍ୟ ଇସ୍ତଫା ଦେଇଛନ୍ତି। ଏହା ବ୍ୟତୀତ ପ୍ରାୟ ୫୦୦ କଂଗ୍ରେସ କର୍ମୀ ମଧ୍ୟ କଂଗ୍ରେସ ଛାଡିଛନ୍ତି।

ଏହି ସମୟରେ କଂଗ୍ରେସ କର୍ମୀ ବରୁଣ ପୁରୋହିତ କହିଛନ୍ତି, “ଏହା ହେଉଛି ବିଜେପିର ପ୍ରଚାର। ଏହା ସବୁ ନକଲି। ଭିଡ଼ ଭିତରେ ଥିବା ଲୋକମାନେ ସବୁବେଳେ କଂଗ୍ରେସ ସଦସ୍ୟ ନୁହଁନ୍ତି।