Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଜେପି-ବିଜେଡି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି: ଉଭୟ ପକ୍ଷରୁ ବାଣପୁର ଥାନାରେ ଏତଲା

ବାଣପୁର: ସାଧାରଣ ନିର୍ବାଚନ ଶେଷ ହେବାର କିଛି ମାସ ପରେ ଚିଲିକା ନିର୍ବାଚନମଣ୍ଡଳୀରେ ଦେଖାଦେଇଛି ରାଜନୈତିକ ଉଷ୍ମତା। ପଞ୍ଚାୟତ ବୈଠକରେ ବିଜେପି ଓ ବିଜେଡି ସମର୍ଥିତ ଜନ ପ୍ରତିନିଧିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଏବଂ ପରେ ଥାନାକୁ ଯାଇଛି ମାମଲା। ଉଭୟ ପକ୍ଷଙ୍କ ପକ୍ଷରୁ ୨ ଗୋଟି ପୃଥକ ପୃଥକ ଏତଲା ଦିଆଯାଇଥିବା ବେଳେ ଦୁଇ ଗୋଟି ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଥିବା ବାଣପୁର ଆଇଆଇସି ରମେଶ କୁମାର ଦେବତା କହିଛନ୍ତି।

ସୂଚନା ମୁତାବକ ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ମାସିକ ବୈଠକ ଜାରି ରହିଥିବା ବେଳେ ୧୨ ନମ୍ବର ୱାର୍ଡ ର ବିଜେପି ସମର୍ଥିତ ୱାର୍ଡ ସଭ୍ୟା ରଶ୍ମିତା ହୋତା ଗତ ରବିବାର ଦିନ ପଞ୍ଚାୟତ କାର୍ଯ୍ୟାଳୟରେ ବିନା ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତି ଏବଂ ନିର୍ବାଚିତ ପ୍ରତିନିଧିଙ୍କ ଅଜାଣତରେ କିପରି ପିଡ଼ିଏସ ସାମଗ୍ରୀ ବଣ୍ଟନ କରାଗଲା ବୋଲି ପ୍ରଶ୍ନ କରିଥିଲେ। ଉକ୍ତ ପ୍ରଶ୍ନରେ ଉତକ୍ଷିପ୍ତ ହୋଇ ସରପଞ୍ଚ ସରୋଜିନୀ ପ୍ରଧାନ ୱାର୍ଡ ସଭ୍ୟା ଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ ଏବଂ ଅନ୍ୟ ଜଣେ ୱାର୍ଡ ସଭ୍ୟାଙ୍କୁ ଜାତିଆଣ ଆକ୍ଷେପ କରିଥିବା ବିଜେପି ସମର୍ଥିତ ୱାର୍ଡ ସଭ୍ୟାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ସେହିପରି ଭାବେ ବିଜେପି ସମର୍ଥିତ ୱାର୍ଡ ସଭ୍ୟା ବୈଠକ ଚାଲୁଥିବା ସମୟରେ ମୋବାଇଲରେ ବୈଠକର ଭିଡିଓ ଉତ୍ତୋଳନ କରୁଥିବାରୁ ସରପଞ୍ଚ ଏହାକୁ ବିରୋଧ କରିଥିଲେ ଏବଂ ବାରଣ କରିବାକୁ ସରପଞ୍ଚଙ୍କୁ ୱାର୍ଡ ସଭ୍ୟାମାନେ ଗାଳିଗୁଲଜ କରିଥିବା ବିଜେଡି ସମର୍ଥିତ ସରପଞ୍ଚଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଉଭୟ ଅଭିଯୋଗ କୁ ଆଧାର କରି ପୋଲିସ ଜାତିଆଣ ଆକ୍ଷେପକୁ ମିଶାଇ କେସ ନମ୍ବର ୩୬୩/୨୪ ଏବଂ ୩୬୪/୨୪ ରେ ଦୁଇ ଗୋଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି। ତେବେ କିଛି ମାସର ଶାନ୍ତି ପରେ ଚିଲିକାରେ ବିଜେପି ବିଜେଡି ମଧ୍ୟରେ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଦେଶବ୍ୟାପୀ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ବୈଠକ

ନୂଆଦିଲ୍ଲୀ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ ଥିବା ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା- ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନଆରଏଲଏମ) ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ଜାତୀୟ ଅଭିଯାନର ତୃତୀୟ ସଂସ୍କରଣ ‘ନଇ ଚେତନା ୩.୦’ର ରଣନୈତିକ ରୂପରେଖ ପ୍ରସ୍ତୁତ କରିବା ପାଇଁ ଗତକାଲି ଏକ ଆନ୍ତଃ-ମନ୍ତ୍ରଣାଳୟ ବୈଠକ ଡାକିଥିଲା।

ଗ୍ରାମ୍ୟ ଉନ୍ନୟନ ସଚିବ ଶୈଳେଶ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦେଶବ୍ୟାପୀ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା ସୃଷ୍ଟି ଏବଂ ପ୍ରତିକ୍ରିୟା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସହଯୋଗ ଏବଂ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରିବା ଲାଗି ସାତଟି ମନ୍ତ୍ରଣାଳୟର ପ୍ରତିନିଧିମାନେ ଏକାଠି ହୋଇଥିଲେ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀମତୀ ସ୍ମୃତି ଶରଣ ଏହି ବୈଠକର ଶୁଭାରମ୍ଭ କରି ନଇ ଚେତନା ଅଭିଯାନର ପୂର୍ବ ସଂସ୍କରଣଗୁଡ଼ିକର ପ୍ରମୁଖ ତଥ୍ୟ ଉପସ୍ଥାପନ କରିବା ସହ ସହଯୋଗୀ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ନଇ ଚେତନା-୩.୦ ର ଲକ୍ଷ୍ୟ ଓ ଢାଞ୍ଚା ସମ୍ପର୍କରେ ସମୀକ୍ଷା କରିଥିଲେ।

ନଭେମ୍ବର ୨୫, ୨୦୨୪ରୁ ଆରମ୍ଭ ହବାକୁଥିବା ଏହି ଅଭିଯାନ ଡିସେମ୍ବର ୨୩, ୨୦୨୪ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିବ। ଜନ ଆନ୍ଦୋଳନ (ଲୋକଙ୍କ ଆନ୍ଦୋଳନ)ର ଭାବନାକୁ ପ୍ରତିଫଳିତ କରି ଡିଏୱାଇ-ଏନଆରଏଲଏମର ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ନେଟୱାର୍କ ଦ୍ୱାରା ଏହି ପଦକ୍ଷେପ ନିଆଯିବ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ପ୍ରସାରଣ, ମହିଳା ଓ ଶିଶୁ ବିକାଶ, ପଞ୍ଚାୟତିରାଜ, ଯୁବ ବ୍ୟାପାର, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଏବଂ ନ୍ୟାୟ ବିଭାଗ ସମେତ ବିଭିନ୍ନ ମନ୍ତ୍ରଣାଳୟ ଅଂଶଗ୍ରହଣ କରିଥିଲେ। ପ୍ରତିଷେଧକ ପ୍ରୟାସକୁ ସୁଦୃଢ଼ କରିବା, ସହାୟତା ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ଅଭିଯାନର ଉଦ୍ଦେଶ୍ୟକୁ ଆଗକୁ ବଢ଼ାଇବା ପାଇଁ ପ୍ରତ୍ୟେକ ମନ୍ତ୍ରଣାଳୟର ଦକ୍ଷତାର ଉପଯୋଗ କରିବା ଉପରେ ଆଲୋଚନା ହୋଇଥିଲା। ପ୍ରତ୍ୟେକ ମନ୍ତ୍ରଣାଳୟର ଭୂମିକା ନିର୍ଦ୍ଧାରଣ କରି ଏକ ଯୁଗ୍ମ ଉପଦେଷ୍ଟା ଚିଠା ଉପରେ ଆଲୋଚନା ଏବଂ ସମୀକ୍ଷା କରାଯାଇଥିଲା। ଏହି ଆଲୋଚନାରେ ବିଭିନ୍ନ ପ୍ରକାରହିଂସାକୁ ପ୍ରାଥମିକତା ଦିଆଯାଇପାରିବ ଏବଂ ଏହି ପ୍ରତିବନ୍ଧକଗୁଡ଼ିକର ସମାଧାନ ପାଇଁ କ’ଣ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା।

ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ଚରଣଜିତ ସିଂହ ତାଙ୍କ ବକ୍ତବ୍ୟରେ ବୈଠକରେ ଦିଆଯାଇଥିବା ପରାମର୍ଶକୁ ପ୍ରଶଂସା କରିବା ସହ ମିଶନ ମୋଡରେ ଅଭିଯାନକୁ ଆନୁଷ୍ଠାନିକ କରିବା ପାଇଁ ପରାମର୍ଶକୁ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଥିଲେ।

ଶେଷ ବକ୍ତବ୍ୟରେ ଶୈଳେଶ କୁମାର ସିଂହ ଲିଙ୍ଗଭିତ୍ତିକ ହିଂସାର ମୁକାବିଲା କରିବା ଏବଂ ବ୍ୟାପକ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟଗୁଡ଼ିକରେ ମିଳିତ ଆଭିମୁଖ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ନଇ ଚେତନା ଅଭିଯାନ ତୃଣମୂଳ ସ୍ତରର ପଦକ୍ଷେପ ମାଧ୍ୟମରେ ଲିଙ୍ଗଭିତ୍ତିକ ହିଂସାର ମୁକାବିଲା ପାଇଁ ସଚେତନତା ବୃଦ୍ଧି କରିବା ଏବଂ ସଚେତନ ପଦକ୍ଷେପ ନେବାକୁ ଚାହୁଁଛି। ଆରମ୍ଭରୁ ନଇ ଚେତନା ଦେଶବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରି ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ପାଇଁ ଏକ ଯଥେଷ୍ଟ ଆନ୍ଦୋଳନ ସୃଷ୍ଟି କରିଛି। ଏହାର ପ୍ରଥମ ବର୍ଷରେ ଏହି ଅଭିଯାନ ୩.୫ କୋଟି ଲୋକଙ୍କ ପାଖରେ ପହଞ୍ଚଥିବାବେଳେ ଦ୍ୱିତୀୟ ସଂସ୍କରଣ ନଇ ଚେତନା ୨.୦ରେ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫.୫ କୋଟି ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ ଏବଂ ଦେଶବ୍ୟାପୀ ଲିଙ୍ଗ ଭିତ୍ତିକ ହିଂସା ଉପରେ ୯ ଲକ୍ଷରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ରେ ପିଆଇବି ପକ୍ଷରୁ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆଜି ନୟାଗଡ଼ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନାଚକ୍ର ଓ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ର କହିଥିଲେ, ପିଆଇବି ଗତ ୧୦୦ ବର୍ଷ ଧରି ଭାରତ ସରକାରଙ୍କ ପ୍ରମୁଖ ଯୋଗାଯୋଗ ସଂସ୍ଥା ଭାବେ କାର୍ଯ୍ୟ କରି ଆସୁଛି। ସରକାର ଏବଂ ଗଣମାଧ୍ୟମ ମଧ୍ୟରେ ରହିଥିବା ସମ୍ପର୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପିଆଇବି ପକ୍ଷରୁ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଥାଏ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ରୋଜିନା ଦାସ କହିଥିଲେ, ଗଣତନ୍ତ୍ରରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। ଏହା ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ସମ୍ପର୍କର ସେତୁ ଭାବେ କାମ କରିଥାଏ।

ବାର୍ତ୍ତାଳାପର ବୈଷୟିକ ଅଧିବେଶନରେ ଅଂଶଗ୍ରହଣ କରି ଡାକ ବିଭାଗ ନୟାଗଡ଼ ଡିଭିଜନର ଅଧିକ୍ଷକ ଖଗେଶ୍ୱର ମଲ୍ଲିକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଯୋଜନା ବିଷୟରେ ସୂଚନା ଦେବା ସହିତ ନୟାଗଡ଼ ଜିଲ୍ଲାରେ ଏହାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ନୟାଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ତ୍ରିଲୋଚନ ବେହେରା ଜିଲ୍ଲାରେ ପିଏମ ବିଶ୍ୱକର୍ମା ଏବଂ ପିଏମଇଜିପି ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ରଥ ନୟାଗଡ଼ ଜିଲ୍ଲାରେ ପିଏମ ଆବାସ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ଶେଷରେ ପିଆଇବି ଭୁବନେଶ୍ୱର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫୦ରୁ ଅଧିକ ସାମ୍ବାଦିକ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ବିଭିନ୍ନ ଯୋଜନା ସମ୍ପର୍କରେ ମତ ବିନିମୟ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅପରାଧୀକ ଷଡ଼ଯନ୍ତ୍ର ମାମଲା: ଅଭିଯୁକ୍ତ ବିଧାୟକ ରମେଶ ଜେନାଙ୍କ ସମେତ ୯ ନିର୍ଦ୍ଦୋଷରେ ଖଲାସ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ୨୦୧୪ ଅକ୍ଟୋବର ମାସରେ ସାନଖେମୁଣ୍ଡି ବ୍ଳକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ପୋଲିସ ଗଣ୍ଡଗୋଳର ସୁଚନା ପାଇ ପାଟପୁର ଥାନା ପୋଲିସ୍ ଗମ୍ଭାରିଡା ଗ୍ରାମକୁ ଘେରାଉ କରି ରଖିଥିଲା। ଏହି ସମୟରେ ଗୋଟିଏ ସ୍କର୍ପିଓ ଗାଡ଼ି ସେହି ରାସ୍ତାଦେଇ ଗଲାବେଳେ ସନ୍ଦେହ ପ୍ରକଟ କରି ପୋଲିସ ଗାଡିଟିକୁ ଅଟକାଇ ଯାଞ୍ଚ କଲା ବେଳେ ସେହି ଗାଡ଼ି ଭିତରୁ ବୋମା, ଖଣ୍ଡା, ଠେଙ୍ଗା ଓ ବିସ୍ପୋରକ ସାମଗ୍ରୀ ଜବତ କରିବା ସହ ୮ ଜଣ ଯୁବକଙ୍କୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା କରିଥିଲା।

ସେମାନେ ତତ୍କାଳୀନ ବିଧାୟକ ରମେଶ ଜେନାଙ୍କ ନିର୍ଦ୍ଦେଶନାରେ ଗଣ୍ଡଗୋଳ ଘଟାଇବା ପାଇଁ ଆସିଥିଲେ ବୋଲି ବୟାନ ଦେଇଥିଲେ। ଅଟକ ଯୁବକ ମାନଙ୍କ ବୟାନକୁ ଭିତ୍ତି କରି ପୋଲିସ ଉକ୍ତ ଯୁବକ ମାନଙ୍କ ସହ ରମେଶ ଜେନାଙ୍କ ନାମରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଜିଲ୍ଲା ଅଦାଲତରେ ବିଚାରଣା ଚାଲିଥିଲା ଓ ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ମାନ୍ୟବର ଅତିରିକ୍ତ ଜିଲ୍ଳା ଜଜ୍ ୩ ବିଧାୟକ ରମେଶ ଜେନାଙ୍କ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରରେ କେଉଁ ଦଳ ଦେଲେ କେତେ ପ୍ରାର୍ଥୀ?: ଜାଣନ୍ତୁ ଏମଭିଏ-ମହାୟୁତୀର ସ୍ଥିତି, ଅନେକ ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ!

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ମହାରାଷ୍ଟ୍ରରେ ନାମାଙ୍କନ ପତ୍ରର ଶେଷ ଦିନ ଥିଲା ଏବଂ ମଧ୍ୟାହ୍ନ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଫାଇନାଲ ହୋଇଥିଲେ। ଅନେକ ପ୍ରାର୍ଥୀ ଆଗରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଥିବାବେଳେ ଅନ୍ୟମାନେ ହଠାତ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ମହାରାଷ୍ଟ୍ରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ନଭେମ୍ବର ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ୭,୯୯୫ ପ୍ରାର୍ଥୀ ୧୦,୯୦୫ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଉଭୟ ମେଣ୍ଟରୁ ଆସିଥିବା ଚିତ୍ରରେ, ମହାୟୁତୀରେ ୨୮୮ ଟି ସିଟ୍ ମଧ୍ୟରୁ ୧୪୮ ଟି ଆସନରେ ବିଜେପି, ଶିବସେନା ସିନ୍ଦେ ୮୦ ଟି ଆସନରେ ଏବଂ ଏନସିପି ଅଜିତ ପାୱାର ୫୩ ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି। ୬ ଟି ଆସନରେ ଅନ୍ୟ ପାର୍ଟୀ ଏବଂ MNS ପାଇଁ ୧ ଟି ସିଟ୍ ଦିଆଯାଇଅଛି।

ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦିତାରେ ମହାବିକାଶ ଅଘାଡିର ସର୍ବାଧିକ ସିଟ୍ ଅଛି:

ଏନସିପି (ଶରଦ) ର ଅନିଲ ସାୱନ୍ତ ମଧ୍ୟ ପଣ୍ଢରପୁରରେ କଂଗ୍ରେସର ଭାଗୀରଥ ଭାଲକେଙ୍କ ବିରୋଧରେ ଲଢୁଛନ୍ତି।

ମାନଖୁର୍ଦ ଶିବାଜୀ ନଗରରେ ଶିବସେନା (ଉଦ୍ଧବ) ର ରାଜେନ୍ଦ୍ର ୱାଘମାରେଙ୍କ ବିରୋଧରେ ସମାଜବାଦୀ ପାର୍ଟିର ଆବୁ ଅଜମୀ ଲଢୁଛନ୍ତି।

ସୋଲାପୁର ଦକ୍ଷିଣରେ ଶିବସେନା (ଉଦ୍ଧବ) ର ଅମର ପାଟିଲଙ୍କ ବିରୋଧରେ କଂଗ୍ରେସର ଦିଲୀପ ମାନେ ଟିକେଟ ପାଇଛନ୍ତି।

ଦିଗ୍ରସରେ ଶିବସେନା (ଉଦ୍ଧବ) ପ୍ରାର୍ଥୀ ପୱନ ଜୟସ୍ଵାଲ ମଧ୍ୟ କଂଗ୍ରେସର ମାଣିକରାଓ ଠାକରେଙ୍କ ସହ ମୁହାଁମୁହିଁ ହୋଇଛନ୍ତି।

ସାଙ୍ଗୋଲାରେ ପିଡବ୍ଲ୍ୟୁଡିର ବାବାସାହେବ ଦେଶମୁଖ ସମ୍ମୁଖରେ ମଧ୍ୟ ଶିବସେନା (ଉଦ୍ଧବ) ଦୀପକ ଆବା ସାଲୁଙ୍କେଙ୍କୁ ଟିକେଟ ମିଳିଛି।

ପରଣ୍ଡାରେ ଏନସିପି (ଶରଦ) ର ରାହୁଲ ମୋଟେଙ୍କ ବିରୋଧରେ ଶିବସେନା (ଉଦ୍ଧବ) ର ରଞ୍ଜିତ ପାଟିଲ ପ୍ରାର୍ଥୀ ହୋଇଛନ୍ତି।

ମିରାଜରେ ଶିବସେନା (ଉଦ୍ଧବ) ର ତାନଜୀ ସାତପୁତେଙ୍କ ବିରୋଧରେ କଂଗ୍ରେସର ମୋହନ ୱନଖଣ୍ଡେଙ୍କୁ ପ୍ରାର୍ଥୀ କରାଯାଇଛି।

ମହାୟୁତୀର ବନ୍ଧୁତ୍ୱପୂର୍ଣ୍ଣ ଲଢେଇ:

ଅଣୁଶକ୍ତିନଗରରେ ଏନସିପି (ଅଜିତ) ସାନା ମଲିକଙ୍କୁ ଟିକେଟ ଦେଇଛନ୍ତି, କିନ୍ତୁ ଶିବସେନା (ସିନ୍ଦେ) ର ଅବିନାଶ ରାଣେ ମଧ୍ୟ ସେଠାରେ ପ୍ରାର୍ଥୀ ହୋଇଛନ୍ତି।

ମାନଖୁର୍ଦ ଶିବାଜୀ ନଗରରେ ଏନସିପି (ଅଜିତ) ନବାବ ମଲିକଙ୍କୁ ଟିକେଟ ଦେଇଥିବାବେଳେ ଶିବସେନା (ସିନ୍ଦେ) ର ସୁରେଶ କୃଷ୍ଣ ପାଟିଲ ଏହି ପ୍ରତିଯୋଗିତାରେ ଅଛନ୍ତି।

ବରୁଡ-ମୋର୍ସି ଆସନରେ ଏନସିପି (ଅଜିତ) ଦେବେନ୍ଦ୍ର ଭୁୟାରଙ୍କୁ ଟିକେଟ୍ ଦେଇଥିବାବେଳେ ଏଠାରେ ବିଜେପି ମଧ୍ୟ ଉମେଶ ୟାୱାଲକର ପ୍ରାର୍ଥୀ ଦେଇଛି।

ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟରେ ଉଦ୍ଧବଙ୍କ ଶିବସେନା ଅଧିକାଂଶ ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇରେ ଦେଖିବାକୁ ମିଳେ, ଯଦିଓ ଜାମ୍ମୁ କାଶ୍ମୀରରେ ଇଣ୍ଡିଆ ଆଲାଇନ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ମଧ୍ୟ ହୋଇଥିଲା ଯେଉଁଠାରେ ଉଭୟ କଂଗ୍ରେସ ଏବଂ ଏନସି ତିନିଟି ଆସନରେ ପ୍ରାର୍ଥୀ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜି ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ: ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଦେବେ ଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଗୁଜରାଟ ଗସ୍ତ କରିବେ। ଆଜି ସେ ଏକତା ନଗର, କେଭାଡିଆ ଯିବେ ଏବଂ ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ଏକତା ନଗରରେ ୨୮୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଏହାପରେ ସନ୍ଧ୍ୟା ପ୍ରାୟ ୬ ଟାରେ ସେ ଆରମ୍ଭ ୬.୦ରେ ୯୯ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧିତ କରିବେ। ଅକ୍ଟୋବର ୩୧ ତାରିଖ ସକାଳ ପ୍ରାୟ ୭ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପୁଷ୍ପମାଲ୍ୟ ଅର୍ପଣ କରିବେ ଏବଂ ଏହା ପରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବ ।

ପ୍ରଧାନମନ୍ତ୍ରୀ ଏକତା ନଗରରେ ବିଭିନ୍ନ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡିକ ପର୍ଯ୍ୟଟନ ଅଭିଜ୍ଞତାକୁ ବଢ଼ାଇବା, ଉପଲବ୍ଧତା ରେ ଉନ୍ନତି ଆଣିବା ଏବଂ ଏହି ଅଞ୍ଚଳରେ ସ୍ଥାୟୀତା ପଦକ୍ଷେପକୁ ସମର୍ଥନ କରିବା ଲକ୍ଷ୍ୟ ରଖିଛି।

ପ୍ରଧାନମନ୍ତ୍ରୀ ଆରମ୍ଭ ୬.୦ରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ୯୯ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ବୋଧିତ କରିବେ। ଚଳିତ ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ‘ଆତ୍ମନିର୍ଭର ଓ ବିକଶିତ ଭାରତର ରୋଡ୍ ମ୍ୟାପ୍’। ୯୯ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମ – ଆରମ୍ଭ ୬.୦ – ଭାରତର ୧୬ଟି ସିଭିଲ୍ ସର୍ଭିସ୍ ଏବଂ ଭୁଟାନର ୩ଟି ସିଭିଲ୍ ସର୍ଭିସର ୬୫୩ ଜଣ ଅଫିସର ପ୍ରଶିକ୍ଷଣର୍ଥୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

ଅକ୍ଟୋବର ୩୧ ରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିବେ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବେ। ସେ ଏକତା ଦିବସ ଶପଥ ପାଠ କରାଇବେ ଏବଂ ଏକତା ଦିବସ ପରେଡ୍ ର ସାକ୍ଷୀ ହେବେ ଯେଉଁଥିରେ ୯ଟି ରାଜ୍ୟ ଏବଂ ୧ଟି କେନ୍ଦ୍ରଶାସିତ ଅଞ୍ଚଳର ୧୬ଟି ମାର୍ଚିଂ ଦଳ, ୪ଟି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ, ଏନସିସି ଏବଂ ଏକ ଶୋଭାଯାତ୍ରା ଦଳ ସାମିଲ ହେବେ। ଏନଏସଜିର ହେଲ୍ ମାର୍ଚ ଦଳ, ବିଏସଏଫ ଓ ସିଆରପିଏଫ ମହିଳା ଓ ପୁରୁଷ ବାଇକ୍ ଆରୋହୀଙ୍କ ଡେୟାରଡେଭିଲ୍ ସୋ, ବିଏସଏଫ ଦ୍ୱାରା ଭାରତୀୟ ମାର୍ଶାଲ ଆର୍ଟର ମିଶ୍ରଣ ଉପରେ ଏକ ଶୋ, ସ୍କୁଲ ପିଲାଙ୍କ ପାଇପ୍ ବ୍ୟାଣ୍ଡ୍ ଶୋ, ଭାରତୀୟ ବାୟୁସେନା ଦ୍ୱାରା ‘ସୂର୍ଯ୍ୟ କିରଣ’ ଫ୍ଲାଇପାଷ୍ଟ ଆଦି ବିଶେଷ ଆକର୍ଷଣ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସଂସ୍କୃତି

ହିନ୍ଦୁମାନଙ୍କଠାରୁ ପ୍ରତିଶୋଧ ନେଉଛି କାନାଡା!: ଦୀପାବଳି ପର୍ବ ପାଳନ ଉପରେ ଲଗାଇଲା କଟକଣା

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଭଲ ନାହିଁ, ଯାହାର ପ୍ରଭାବ ବର୍ତ୍ତମାନ ସେଠାରେ ରହୁଥିବା ହିନ୍ଦୁମାନଙ୍କ ଉପରେ ମଧ୍ୟ ଦେଖାଯାଉଛି। ସେଠାରେ ଥିବା ଦିୱାଲୀ ପର୍ବକୁ କାନାଡା ସରକାର ରଦ୍ଦ କରିଛନ୍ତି। ବାସ୍ତବରେ, କାନାଡାର ବିରୋଧୀଦଳ ନେତା ପିୟରେ ପୋଏଲିଭର ଏବଂ କଞ୍ଜର୍ଭେଟିଭ ପାର୍ଟି ୨୦୨୪ ର ଦିୱାଲୀ ଉତ୍ସବକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ହିନ୍ଦୁ, ଶିଖ, ବୌଦ୍ଧ ଏବଂ ଜୈନ ସମ୍ପ୍ରଦାୟରେ ବିରାଟ ଅସନ୍ତୋଷ ଦେଖାଯାଉଛି। କାନାଡାର ହିନ୍ଦୁ ମୋର୍ଚ୍ଚା ଏହି ପଦକ୍ଷେପକୁ ନିନ୍ଦା କରି ଏହାକୁ କାନାଡାର ବିଭିନ୍ନ ସାଂସ୍କୃତିକ ସମ୍ପ୍ରଦାୟ ପ୍ରତି ଅସମ୍ବେଦନଶୀଳତାର ପ୍ରତୀକ ବୋଲି କହିଛି। ସେ କହିଛନ୍ତି ଯେ, ଦୀପାବଳି ପାଳନ ନକରିବା, ଯାହାକି ଆଲୋକ ଏବଂ ଏକତାର ପର୍ବ ଅଟେ, ଏହା ସମ୍ପ୍ରଦାୟର ଏକ ବଡ଼ ବର୍ଗକୁ ଅବହେଳା କରୁଛି।

କାନାଡା ହିନ୍ଦୁ ଫୋରମ୍ ବିଶ୍ୱାସ କରେ ଯେ, ଦୀପାବଳି ଉତ୍ସବକୁ ବାତିଲ କରିବାର ନିଷ୍ପତ୍ତି ହେଉଛି ରାଜନୈତିକ ତୁଷ୍ଟିକରଣ। ସେ ଏହା ମଧ୍ୟ କହିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ପରି ଲୋକମାନେ ଏହି ଉତ୍ସବକୁ ସମ୍ମାନ ଦେଇଛନ୍ତି, କିନ୍ତୁ କାନାଡାର କଞ୍ଜର୍ଭେଟିଭ ପାର୍ଟିର ନେତା ଏହି ସମ୍ପ୍ରଦାୟର ଭାବନାକୁ ଅଣଦେଖା କରିଛନ୍ତି। ଏହି ନିଷ୍ପତ୍ତି ଦର୍ଶାଏ ଯେ, କେତେକ ନେତାଙ୍କ ପାଇଁ ରାଜନୀତି ଅପେକ୍ଷା ସାଂସ୍କୃତିକ ସମାରୋହ ଏବଂ ଧାର୍ମିକ ଗୁରୁତ୍ୱ କମ୍ ରହିଛି।

କାନାଡାର ହିନ୍ଦୁ, ଶିଖ, ବୌଦ୍ଧ ଏବଂ ଜୈନ ସମ୍ପ୍ରଦାୟ ପ୍ରାୟ ୨.୫ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ସାଂସ୍କୃତିକ ସ୍ତମ୍ଭକୁ ପ୍ରତିନିଧିତ୍ୱ କରନ୍ତି। ଏହି ସମ୍ପ୍ରଦାୟଗୁଡିକ ବିଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବ୍ୟବସାୟ ପରି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ସେମାନଙ୍କୁ ଅଣଦେଖା କରିବା ଅର୍ଥ କାନାଡାର ସଂସ୍କୃତି ଏବଂ ବିକାଶରେ ସେମାନଙ୍କର ଭୂମିକାକୁ ଅଣଦେଖା କରିବା। ଏହି ପରିପ୍ରେକ୍ଷୀରେ ହିନ୍ଦୁ ଫୋରମ୍ ଏହି ନିଷ୍ପତ୍ତିକୁ କାନାଡା ସମାଜ ପାଇଁ ଏକ ଦୁର୍ବଳ ବିନ୍ଦୁ ବୋଲି ବର୍ଣ୍ଣନା କରିଛି।

କାନାଡିୟ ହିନ୍ଦୁ ଫୋରମ୍ କହିଛି ଯେ, ଆସନ୍ତା ନିର୍ବାଚନରେ ​​ଏହି ସମ୍ପ୍ରଦାୟଗୁଡିକ ଏକତ୍ରିତ ହୋଇ ସେମାନଙ୍କର ସାଂସ୍କୃତିକ ଅଧିକାର ଏବଂ ମୂଲ୍ୟବୋଧର ସୁରକ୍ଷା ପାଇଁ ଉପଯୁକ୍ତ ନେତା ଚୟନ କରିବା ଆବଶ୍ୟକ ଅଟେ। ସେ କହିଛନ୍ତି ଯେ, ସମ୍ପ୍ରଦାୟ ବର୍ତ୍ତମାନ ନେତାମାନଙ୍କୁ ସମର୍ଥନ କରିବା ଉଚିତ ଯେଉଁମାନେ ବିବିଧତା ଏବଂ ସଂସ୍କୃତିକୁ ସମ୍ମାନ କରନ୍ତି ଏବଂ ସେମାନଙ୍କ ଭାବନାକୁ ବୁଝନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପେଟ୍ରୋଲ ଏବଂ ଡିଜେଲ ଉପରେ ସରକାରଙ୍କ ଦିୱାଲୀ ଉପହାର, ଅନେକ ରାଜ୍ୟରେ ହେଲା ଶସ୍ତା

ନୂଆଦିଲ୍ଲୀ: ଦିୱାଲୀ ଅବସରରେ କେନ୍ଦ୍ର ସରକାର ଦେଶର କୋଟି କୋଟି ଲୋକଙ୍କୁ ଏକ ବଡ ଉପହାର ଦେଇଛନ୍ତି। ସେମାନଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅନେକ ରାଜ୍ୟରେ ହ୍ରାସ ପାଇଛି କାରଣ ସରକାର ପେଟ୍ରୋଲ ଏବଂ ଡିଜେଲ ଡିଲରଙ୍କ ୭ ବର୍ଷର ଚାହିଦା ପୂରଣ କରିଛନ୍ତି, ଯେଉଁଥିରେ ଡିଲର ମାର୍ଜିନ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ, ଆଇଓସି ପରି ତୈଳ ମାର୍କେଟିଂ କମ୍ପାନୀଗୁଡିକ ମଧ୍ୟ ଦୂର ଦୂରାନ୍ତର ଗ୍ରାହକଙ୍କୁ ଉପକୃତ କରିବା ପାଇଁ ଆନ୍ତଃ ରାଜ୍ୟ ମାଲ ପରିବହନକୁ ଯୁକ୍ତିଯୁକ୍ତ କରିବାକୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ହେଉଛି ତୈଳ ପାଇଁ ପରିବହନ ହାର ମଧ୍ୟ ପରିବର୍ତ୍ତନ କରାଯାଇଛି, ଯାହା ଦୂର ସ୍ଥାନରୁ ତେଲ ମାର୍କେଟିଂ କମ୍ପାନୀ (ଓଏମସି) ର ପେଟ୍ରୋଲ ଏବଂ ଡିଜେଲ ଡିପୋରୁ ଅଣାଯାଇଥାଏ। ଏହି ପରିବର୍ତ୍ତିତ ମୂଲ୍ୟ ଗତ ରାତିରୁ କାର୍ଯ୍ୟକାରୀ ହୋଇଛି।

ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ୱିଟରରେ ଏହି ନିଷ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରି ଲେଖିଛନ୍ତି ଯେ …

ଧନତେରସର ଶୁଭ ଅବସରରେ ପେଟ୍ରୋଲ ପମ୍ପ ଡିଲରମାନଙ୍କୁ ତୈଳ କମ୍ପାନୀଗୁଡିକ ଦେଇଥିବା ବଡ ଉପହାରକୁ ହୃଦୟରୁ ସ୍ୱାଗତ! ୭ ବର୍ଷ ଧରି ଚାଲିଥିବା ଦାବି ପୂରଣ ହୋଇଛି! ଗ୍ରାହକମାନେ ଉନ୍ନତ ସେବା ପାଇବେ କିନ୍ତୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ବୃଦ୍ଧି ଘଟିବ ନାହିଁ। ସୁଦୂର ସ୍ଥାନରେ (ତୈଳ ମାର୍କେଟିଂ କମ୍ପାନୀଗୁଡିକର ପେଟ୍ରୋଲ ଏବଂ ଡିଜେଲ ଡିପୋ ଠାରୁ ବହୁ ଦୂରରେ) ଉପଭୋକ୍ତାଙ୍କୁ ଉପକୃତ କରିବା ପାଇଁ ଆନ୍ତଃ ରାଜ୍ୟ ମାଲ ପରିବହନ ଆନ୍ଦୋଳନକୁ ଯୁକ୍ତିଯୁକ୍ତ କରିବା ପାଇଁ ଏକ ପ୍ରମୁଖ ନିଷ୍ପତ୍ତି। ଏହା ଅନେକ ସ୍ଥାନରେ ଗ୍ରାହକଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲକୁ ଶସ୍ତା କରିବ!

Image

ନିର୍ବାଚନ ସମୟରେ ଆଚରଣ ବିଧି ବଳବତ୍ତର ଥିବା ରାଜ୍ୟ ବ୍ୟତୀତ ଦେଶର ଅନେକ ରାଜ୍ୟରେ ଡିଲର ମାର୍ଜିନ-କମିଶନ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ସବୁଠାରୁ ବଡ ସୁବିଧା ହେଉଛି ଅନେକ ରାଜ୍ୟରେ ସାଧାରଣ ଗ୍ରାହକଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲ ଶସ୍ତା ହୋଇଛି। ଓଡିଶା, ଛତିଶଗଡ, ଅରୁଣାଚଳ ପ୍ରଦେଶ ଏବଂ ହିମାଚଳ ପ୍ରଦେଶ ଭଳି ଅନେକ ରାଜ୍ୟ ଅଛି ଯେଉଁଠାରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇବ। ସରକାରଙ୍କ ନିଷ୍ପତ୍ତି ପରେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଆନ୍ତଃ ରାଜ୍ୟ ମାଲ ପରିବହନ ରାସନାଇଜେସନ୍ ଉପରେ ମଧ୍ୟ ନିଷ୍ପତ୍ତି ନେଇଛନ୍ତି, ଯାହା ପରେ ଡିଲରମାନେ ଅନ୍ୟ ରାଜ୍ୟରୁ ତୈଳ ଉତ୍ପାଦନ ଉପରେ ଭଲ ମାର୍ଜିନ୍ କମିଶନ ପାଇବେ। ଯଦି ଏହାର ଲାଭ ଖୁଚୁରା ଗ୍ରାହକଙ୍କ ପାଇଁ ବିସ୍ତାର କରାଯିବ ତେବେ ପେଟ୍ରୋଲ ଏବଂ ଡିଜେଲ ଗ୍ରାହକଙ୍କ ପାଇଁ ଶସ୍ତା ହେବ।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ସଂସ୍କୃତି

ଦୀପାବଳି ପାଳନ ନେଇ ଭାରତ ଓ ପାକିସ୍ଥାନକୁ କଣ କହିଥିଲେ ମହାତ୍ମା ଗାନ୍ଧୀ

ନୂଆଦିଲ୍ଲୀ: ୭୭ ବର୍ଷ ପୂର୍ବେ ୧୯୪୭ ମସିହା ନଭେମ୍ବର ୧୨ ତାରିଖରେ ସ୍ୱାଧୀନ ଭାରତ ନିଜର ପ୍ରଥମ ଦୀପାବଳି ପାଳନ କରିଥିଲା। ତେବେ ଦେଶ, ବିଶେଷ କରି ଉତ୍ତର ଓ ପୂର୍ବାଞ୍ଚଳ ଭାରତ ବିଭାଜନର ଯନ୍ତ୍ରଣାରୁ ମୁକ୍ତି ପାଉଥିବାରୁ ଆଲୋକ ପର୍ବର କୌଣସି ଉତ୍ସବ ପାଳନ ହୋଇ ନ ଥିଲା।

ବିଭାଜନ ପରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ଏବଂ ରକ୍ତପାତ ଧାର୍ମିକ ଭିତ୍ତିରେ ସମ୍ପ୍ରଦାୟ ମଧ୍ୟରେ ଗଭୀର ଘୃଣାର ମଞ୍ଜି ବୁଣିଥିଲା। କ୍ଷତ କଞ୍ଚା ଥିଲା, ଆଘାତ ସତେଜ ଥିଲା। ଦେଶ ସାମ୍ପ୍ରଦାୟିକ ଭିତ୍ତିରେ ବିଭାଜିତ ହୋଇଥିଲା ଏବଂ ଗଭୀର ଅବିଶ୍ୱାସ ଥିଲା। ଏହି ସମୟରେ ଜାତିର ପିତା ମହାତ୍ମା ଗାନ୍ଧୀ ଜାତିର ଆହତ ବିବେକକୁ ଆଧ୍ୟାତ୍ମିକ ଭାବରେ ବାନ୍ଧି ରଖିବା ପାଇଁ ନିଜର ଦୀପାବଳି ବାର୍ତ୍ତା ଦେଇଥିଲେ।

ଭଗବାନ ରାମଙ୍କ ପ୍ରବଳ ଅନୁଗାମୀ ଗାନ୍ଧୀ ମହାକାବ୍ୟ ରାମାୟଣରୁ ସମାନତା ଆଣି ଦୀପାବଳି ପର୍ବ ପାଳନ କରିବା ପାଇଁ ନିଜ ଭିତରେ ରାମ ବା ଭଲଭାବ ଖୋଜିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଥିଲେ। ବିଭାଜନ ପରେ ଭୟରେ ପଳାଇ ଆସିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଫେରାଇ ଆଣିବା ପାଇଁ ଗାନ୍ଧୀ ଭାରତ ଓ ପାକିସ୍ତାନକୁ ଉପଦେଶ ଦେଇଥିଲେ। ନଚେତ୍ ଦୀପାବଳିର ମର୍ଯ୍ୟାଦା ପାଳନ ହୋଇପାରିବ ନାହିଁ ବୋଲି ସେ କହିଥିଲେ।

୧୯୪୭ ମସିହା ନଭେମ୍ବର ୧୨ ତାରିଖରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା ସଭାରେ ଦିଆଯାଇଥିବା ହିନ୍ଦୀ ଭାଷଣର ଅନୁବାଦ ଏପରି…

ଭାଇ ଓ ଭଉଣୀ,

ଆଜି ଦୀପାବଳି ଏବଂ ଏହି ଅବସରରେ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ହିନ୍ଦୁ କ୍ୟାଲେଣ୍ଡରରେ ଏହା ଏକ ମହାନ ଦିନ ଅଟେ। ବିକ୍ରମ ସମ୍ବତ ଅନୁଯାୟୀ ଆସନ୍ତାକାଲି, ଗୁରୁବାରଠାରୁ ନୂଆବର୍ଷ ଆରମ୍ଭ ହେବ। ଆପଣ ନିଶ୍ଚୟ ଜାଣିଥିବେ ଯେ ପ୍ରତିବର୍ଷ ଦୀପାବଳି କାହିଁକି ଆଲୋକ ପର୍ବ ଭାବରେ ପାଳନ କରାଯାଏ। ରାମ ଓ ରାବଣଙ୍କ ମଧ୍ୟରେ ହୋଇଥିବା ମହାନ ଯୁଦ୍ଧରେ ରାମ ଭଲ ଶକ୍ତିର ପ୍ରତୀକ ଥିଲେ ଏବଂ ରାବଣ ମନ୍ଦ ଶକ୍ତିର ପ୍ରତୀକ ଥିଲେ। ରାମ ରାବଣଙ୍କୁ ଜିତିଥିଲେ ଏବଂ ଏହି ବିଜୟ ଭାରତରେ ରାମରାଜ୍ୟ ପ୍ରତିଷ୍ଠା କରିଥିଲା।

ହଁ ! ଆଜି ଭାରତରେ କୌଣସି ରାମରାଜ୍ୟ ନାହିଁ। ତେବେ ଆମେ ଦୀପାବଳି କିପରି ପାଳନ କରିପାରିବା ? ଯେଉଁମାନଙ୍କ ଭିତରେ ରାମ ଅଛନ୍ତି ସେମାନେ ହିଁ ଏହି ବିଜୟକୁ ପାଳନ କରିପାରିବେ। କାରଣ କେବଳ ଭଗବାନ ହିଁ ଆମ ଆତ୍ମାକୁ ଆଲୋକିତ କରିପାରିବେ ଏବଂ କେବଳ ସେହି ଆଲୋକ ହିଁ ପ୍ରକୃତ ଆଲୋକ।

ଆଜି ଯେଉଁ ଭଜନ ଗାନ କରାଯାଇଥିଲା ସେଥିରେ ଭଗବାନଙ୍କୁ ଦର୍ଶନ କରିବା ପାଇଁ କବିଙ୍କ ଇଚ୍ଛାକୁ ଗୁରୁତ୍ୱ ଦିଆଯାଇଛି। କୃତ୍ରିମ ଆଲୋକ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥାଏ କିନ୍ତୁ ଆଜି ଆମକୁ ଯାହା ଦରକାର ତାହା ହେଉଛି ଆମ ହୃଦୟରେ ପ୍ରେମର ଆଲୋକ। ଆମ ଭିତରେ ପ୍ରେମର ଆଲୋକ ଜଳିବାକୁ ପଡ଼ିବ। ତା’ହେଲେ ହିଁ ଆମେ ଅଭିନନ୍ଦନର ଯୋଗ୍ୟ ହୋଇପାରିବୁ।

ଆଜି ହଜାର ହଜାର ଲୋକ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆପଣ ସମସ୍ତେ ଆପଣଙ୍କ ହୃଦୟରେ ହାତ ରଖି କହିପାରିବେ କି ହିନ୍ଦୁ, ଶିଖ ହୁଅନ୍ତୁ କି ମୁସଲମାନ, ପ୍ରତ୍ୟେକ ପୀଡ଼ିତ ଆପଣଙ୍କ ନିଜ ଭାଇ କିମ୍ବା ଭଉଣୀ ? ଏହା ଆପଣଙ୍କ ପାଇଁ ପରୀକ୍ଷା। ରାମ ଏବଂ ରାବଣ ଭଲ ଏବଂ ମନ୍ଦ ଶକ୍ତି ମଧ୍ୟରେ ଅସୀମ ସଂଘର୍ଷର ପ୍ରତୀକ ଅଟନ୍ତି। ପ୍ରକୃତ ଆଲୋକ ଭିତରୁ ଆସିଥାଏ।

କେତେ ଦୁଃଖୀ ହୃଦୟରେ ପଣ୍ଡିତ ଜବାହରଲାଲ ନେହେରୁ ଆହତ କଶ୍ମୀର ଦେଖି ଫେରିଛନ୍ତି ! ଗତକାଲି ଓ ଆଜି ଅପରାହ୍ନରେ ମଧ୍ୟ ସେ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇପାରି ନ ଥିଲେ। ସେ ମୋ ପାଇଁ ବାରାମୁଲାରୁ କିଛି ଫୁଲ ଆଣିଛନ୍ତି। ପ୍ରକୃତିର ଏଭଳି ଉପହାରକୁ ମୁଁ ସର୍ବଦା ମନେ ରଖିଥାଏ। କିନ୍ତୁ ଆଜି ଲୁଟ୍, ନିଆଁ ଓ ରକ୍ତପାତ ସେହି ସୁନ୍ଦର ଜମିର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଛି। ଜବାହରଲାଲ ମଧ୍ୟ ଜମ୍ମୁ ଯାଇଥିଲେ। ସେଠାରେ ମଧ୍ୟ ସବୁ କିଛି ଠିକ୍ ଠାକ୍ ନାହିଁ।

ଶ୍ରୀ ଶାମଲଦାସ ଗାନ୍ଧୀ ଏବଂ ଧେବରଭାଇଙ୍କ ଅନୁରୋଧକ୍ରମେ ସର୍ଦ୍ଦାର ପଟେଲଙ୍କୁ ଜୁନାଗଡ଼ ଯିବାକୁ ପଡ଼ିଥିଲା। ଉଭୟ ଜିନ୍ନା ଏବଂ ଭୁଟ୍ଟୋ କ୍ରୋଧିତ କାରଣ ସେମାନେ ଅନୁଭବ କରନ୍ତି ଯେ ଭାରତ ସରକାର ସେମାନଙ୍କୁ ପ୍ରତାରଣା କରିଛନ୍ତି ଏବଂ ଜୁନାଗଡ଼କୁ ସଂଘରେ ମିଶିବାକୁ ଚାପ ପକାଉଛନ୍ତି।

ଦେଶରେ ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା ପାଇଁ ଘୃଣା ଓ ସନ୍ଦେହକୁ ହୃଦୟରୁ ଦୂର କରିବା ସମସ୍ତଙ୍କ କର୍ତ୍ତବ୍ୟ। ଯଦି ଆପଣ ନିଜ ଭିତରେ ଭଗବାନଙ୍କ ଉପସ୍ଥିତି ଅନୁଭବ କରୁନାହାଁନ୍ତି ଏବଂ ନିଜର ଛୋଟ ଛୋଟ ଆଭ୍ୟନ୍ତରୀଣ ଝଗଡ଼ାକୁ ଭୁଲିବେ ନାହିଁ, ତେବେ କାଶ୍ମୀର କିମ୍ବା ଜୁନାଗଡ଼ରେ ସଫଳତା ନିରର୍ଥକ ସାବ୍ୟସ୍ତ ହେବ। ଭୟରେ ପଳାଇ ଆସିଥିବା ସମସ୍ତ ମୁସଲମାନଙ୍କୁ ଫେରାଇ ନ ଆଣିବା ପର୍ଯ୍ୟନ୍ତ ଦୀପାବଳି ପାଳନ କରାଯାଇପାରିବ ନାହିଁ। ପାକିସ୍ତାନ ମଧ୍ୟ ସେଠାରୁ ପଳାଇ ଆସିଥିବା ହିନ୍ଦୁ ଓ ଶିଖମାନଙ୍କ ସହ ସମାନ କାର୍ଯ୍ୟ ନ କଲେ ବଞ୍ଚିପାରିବ ନାହିଁ।

ଆସନ୍ତାକାଲି ମୁଁ ଆପଣଙ୍କୁ କହିବି କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବିଷୟରେ ମୁଁ କ’ଣ କରିପାରିବି। ଗୁରୁବାରଠାରୁ ଆରମ୍ଭ ହେଉଥିବା ନୂଆ ବର୍ଷରେ ଆପଣ ଏବଂ ସମଗ୍ର ଭାରତ ଖୁସି ହୁଅନ୍ତୁ। ଭଗବାନ ଆପଣଙ୍କ ହୃଦୟକୁ ଉଜ୍ଜ୍ୱଳ କରନ୍ତୁ ଯାହାଦ୍ୱାରା ଆପଣ କେବଳ ପରସ୍ପର କିମ୍ବା ଭାରତ ନୁହେଁ ବରଂ ସମଗ୍ର ବିଶ୍ୱର ସେବା କରିପାରିବେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

ଦୀପାବଳି

ଦୁଷ୍ମନ୍ତ କୁମାର ପଣ୍ଡା

ଦୀପାବଳି ଶବ୍ଦ ହିଁ ଆଲୋକ ସମ୍ପର୍କିତ। “ ଦୀପ୍ “ ଅର୍ଥ ଦୀପ୍ତ ହେବା। ଏହି ଦୀପ୍ ରୁ ଉତ୍ପନ୍ନ ଦୀପ ଶବ୍ଦର ଅନ୍ୟ ଅର୍ଥ ଅଗ୍ନିଶିଖା। ଅଗ୍ରଗତି ଓ ଆସିମତା ଏହି ଆଲୋକର ଅନ୍ତସ୍ବର। ତେଣୁ ଆର୍ଯ୍ୟ ଋଷି ଏହି ଆଲୋକ ପାଇଁ ଦୀପଂ ଦେହି ଜ୍ୟୋତିଂ ଦେହି ବୋଲି ଆକୁଳ ନିବେଦନ କରିଛନ୍ତି।

ଦୀପାବଳି ହିନ୍ଦୁ ମାନଙ୍କର ଏକ ଜାତୀୟ ପର୍ବ। ସାରା ଭାରତ ବର୍ଷ ରେ ଦୀପାବଳି ପର୍ବ ମହା ସମାରୋହ ରେ ପାଳିତ ହୋଇଥାଏ। ଉତ୍ତର ଭାରତରେ ତଥା ଅନ୍ୟତ୍ର କେତେକ ସମ୍ପ୍ରଦାୟ ବିଶେଷ ଭାବରେ ଏହାକୁ ତିନିଦିନ ପାଳନ କରିଥାନ୍ତି। ହିନ୍ଦୁ ମାନଙ୍କର ଏହା ଏକ ବଡ ପର୍ବ। ପ୍ରାଚୁର୍ଯ୍ୟର ଉତ୍ସବ ରୂପେ ଏହି ଦିନଟି ଓଡ଼ିଶାର କେତେକ ଲୋକ ପାଳନ କରିଥାନ୍ତି।

ଭାରତୀୟ ମାନେ ଏହାକୁ ଦୀପାବଳି ବା ଦିବାଲି ନାମରେ ଆନନ୍ଦରେ ପାଳନ କରିବା ସହିତ ଏହାକୁ ଆଲୋକର ପର୍ବ ନାମରେ ନାମିତ କରିଥାନ୍ତି । ଉତ୍ତର ଓ ପଶ୍ଚିମ ଭାରତରେ ଲକ୍ଷ୍ମୀ ପୂଜା ଦୀପାବଳିର ଏକ ପ୍ରଧାନ ଅଂଶ । ଯେ ଯେଉଠି ଥିଲେ ମଧ୍ୟ ଘରକୁ ଫେରି ଆସନ୍ତି । ଆନନ୍ଦ ମୁଖରିତ ପରିବାର ବର୍ଗଙ୍କର ଦୀପସଜ୍ଜା ଏବଂ ଆତସ ବାଜିର ବିସ୍ଫୋରଣ ରେ ଗ୍ରାମ ଗ୍ରାମ ସହର ପ୍ରକାଶିତ ଓ ମୁଖରିତ ହୋଇ ଉଠେ । ସାଧାରଣ ଗରିବ ପରିବାର ମଧ୍ୟ ଗୋଠ ମାତିଳେ ଖଣ୍ଡିଆ ମାତିଲା ପରି ସାଧ୍ୟ ମତେ କିଛି ଯୋଗାଡ଼ କରି ପର୍ବ ପାଳନ କରିବାକୁ ବାଧ୍ୟ ହୋଇଥାଏ । ନୂତନ ବ୍ୟବସାୟ ଆରମ୍ଭ, ନାଟ୍ୟାରମ୍ଭ, ଅଳଙ୍କାର ଧାରଣ ଆଦି ନୂତନ କାର୍ଯ୍ୟ କରାଯାଇଥାଏ ।

“କୋଷମୁଳାଃ ସର୍ବାରମ୍ଭ” ଅର୍ଥାତ ଯେ କୌଣସି ମରମର ଆରମ୍ଭ କରିବା ପାଇଁ କୋଷ ହେଉଛି ମୂଳ । ଅର୍ଥାତ ଅର୍ଥ ହେଉଛି ପ୍ରଥମ ଆବଶ୍ୟକତା, ଯେହେତୁ ଧନ ଧାନ୍ୟ ଶ୍ରୀ ଆରୋଗ୍ୟ ସୌନ୍ଦର୍ଯ୍ୟ ର ଦାତ୍ରୀ ଭାବେ ଭଗବତୀ ମହା ଲକ୍ଷ୍ମୀ ଏହି ଦିନ ଆରାଧୀତା ହୋଇଥାନ୍ତି । ତେଣୁ ହିନ୍ଦୁ ଆଧ୍ୟାତ୍ମିକତା ଏବଂ ଭଗବତ ବିଶ୍ବାସୀ ତାକୁ ନବ କର୍ମାରମ୍ଭ ର ପ୍ରେରଣା ଯୋଗାଇ ଦେଇଥାଏ ଓ ତାକୁ ଆସ୍ତିକ କରି ଗାଡି ତୋଳେ । ଅର୍ଥ ର ପ୍ରତିବନ୍ଧ କୁ ଦୂର କରି ଆସ୍ତିକତା ତା ଭିତରେ ଅନ୍ତର୍ବଳ ଓ ଆତ୍ମବିଶ୍ଵାସ ଭରି ଦେଇଥାଏ ଆଗେଇ ଯିବା ପାଇଁ । ଏହି ଶରତ ଓ ହେମନ୍ତ ସନ୍ଧିର ଲକ୍ଷ୍ମୀ ପୂଜା ସମଗ୍ର ଦେଶରେ ଏକ ଯଜ୍ଞ ସ୍ବରୂପ ହୋଇପଡେ । “ଯଜ୍ଞ କର୍ମ ସମ୍ୟୁଦଭବଃ” ଗୀତାବାଣୀ ଅନୁଯାୟୀ ସମଗ୍ର ଦେଶ କର୍ମ ମୁଖର ହୋଇଉଠେ । ଆତସବାଜି, ଦୀପ, ତେଲ, ପୂଜା ସାମଗ୍ରୀ, ଖାଦ୍ୟଦ୍ରବ୍ୟ ସମେତ ମିଷ୍ଟାନ୍ନ ପ୍ରଭୃତିର ବ୍ୟବସାୟ ଓ ବ୍ୟବହାର ବଢିଯାଏ । ଅତୀତରେ ଓଡ଼ିଶାର ସାଧବ ମାନେ ବହିର୍ବାଣିଜ୍ୟ ସମାପନ କରି ଦୀପାବଳୀ ସମୟକୁ ଫେରିଆସି ପୁଣି କାର୍ତ୍ତିକ ପୁର୍ଣିମା ପରଦିନ ବାଣିଜ୍ୟ ଯାତ୍ରା ଆରମ୍ଭ କରୁଥିଲେ । ଓଡିଆମାନେ ଦୀପଦାନ ପୂର୍ବକ ଏହି ସ୍ମୃତିକୁ ଉଜ୍ଜୀବିତ କରି ରଖିଛନ୍ତି । ଏହା ହିଁ ଦୀପାବଳି ର ସ୍ଥାନୀୟ ତାତ୍ପର୍ଯ୍ୟ ।

ଭାରତ ବ୍ୟତୀତ ଅନ୍ୟାନ୍ୟ ଦେଶରେ ମଧ୍ୟ ଦୀପାବଳି ଆଲୋକ ଉତ୍ସବ ମହା ସମାରୋହରେ ପାଳନ କରାଯିବା ର ପରମ୍ପରା ରହିଛି । ଏହି ସାଂସ୍କୃତିକ ପର୍ବର ରଉପ ଅବଶ୍ୟ ଭିନ୍ନ ଭିନ୍ନ ଅଟେ । ଏହି ପର୍ବ ଭାରତୀୟ ସଂସ୍କୃତିକ ଜୀବନର ବାର୍ତ୍ତାବହ, ବହୁ ଇତିହାସର ସ୍ମୃତିଧାରକ ଅ ଆନଂଦ ଓ ଆଲୋକର ପର୍ବ ପର୍ବାଣି ଏବଂ ଆଲୋକ ର ପର୍ବ ଦୀପାବଳିକୁ ଅନ୍ଧାର ଉପରେ ଆଲୋକର ବିଜଯ ରୂପେ ଶିକ୍ଷିତ ଲୋକମାନେ ବିଚାର କରୁଥିବା ବେଳେ ନିମ୍ନ ସ୍ତର ର ଲୋକ ମାନେ ଭୟ ଓ ହତାଶ ର ବିତାଡନ ନିମନ୍ତେ ଏହାକୁ ପାଳନ କରାଯାଉଛି ବୋଲି ଧରି ନେଇଛନ୍ତି ।

କେବଳ ଓଡ଼ିଶା ନୁହେଁ ସାରା ଭାରତରେ କାର୍ତ୍ତିକ ଅମାବାସ୍ୟା କୁ ଦୀପାବଳି ଅମାବାସ୍ୟା ଭାବେ ପାଳନ କରାଯାଇଥାଏ । ସାରାରାତି ପ୍ରାୟ ସମସ୍ତ ଓଡ଼ିଆଙ୍କ ଘର ଓ ବାହାର ଆଲୋକିତ ହୋଇଥାଏ ଦୀପ ଆଲୋକ ମାଳ ରେ । ଏହି ଉତ୍ସବ କାହିଁକି ପାଳନ କରାଯାଏ ସେହି ବିଷୟ ରେ କଲିକା ପୁରାଣ, ସ୍କନ୍ଧ ପୂରାଣ, ଲିଙ୍ଗ ପୂରାଣ ଆଦି ରେ ବର୍ଣ୍ଣିତ ହୋଇଛି । ଦୀପାବଳି ଅମାବାସ୍ୟା ର ପୂର୍ବ ଦିନ ଚତୁର୍ଦଶୀକୁ ନରକ ଚତୁର୍ଦଶୀ ବୋଲି କୁହାଯାଏ କାରଣ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ମହାକାଳୀଙ୍କ ସହାୟତାରେ ନରକକସୁରକୁ ବଧ କରିଥିଲେ । କାର୍ତ୍ତିକ ଅମାବାସ୍ୟା ଦିନ ଜଗଜ୍ଜନନୀ ମହାକାଳୀଙ୍କ ପୂଜା କରାଯିବାର ବିଧି ରହିଛି । ଏହି ଦୀପାବଳି ସହ କାଳୀପୂଜାର ସମ୍ବନ୍ଧ ଥିବାରୁ ଏହା ଦୀପାବଳି ବା ଦିବାଲି ଭାବରେ ନାମିତ ହେବା ସହ କାଳୀପୂଜା ବା ଶ୍ୟାମା କାଳୀପୂଜା ଦିବସ ରୂପେ ସର୍ବତ୍ର ସ୍ଵୀକୃତ । ଏହି ଦିନ ରାତିରେ ପ୍ରତିଘରୁ ନିଃସୃତ ହୋଇଥାଏ ଦୀପଦାନ ଏବଂ ବାଣ ଫୁଟାଇବା କାର୍ଯ୍ୟ ।

ସାଧାରଣତଃ ଓଡିଆମାନେ ପିମ୍ପେଇ ଡାକ କରିଥାନ୍ତି ଅ ଆଶ୍ବିନ ମାସର ମହାଳୟା ଓ କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ପିତୃ ପୁରୁଷ ଙ୍କ ନିମିତ୍ତ ପୂଜା କରିବା ପାଇଁ ଶ୍ରେଷ୍ଠ ତିଥି ଅଟେ । ଏହିଦିନ ରାତିରେ ପ୍ରତିଘରୁ ନିଃସୃତ ହୁଏ ବଡ ବଡୁଆଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ବଂଶଧର ତଥା ଆତ୍ମୀୟଙ୍କ କଣ୍ଠରୁ ନିବେଦନ “ପିତୃଲୋକ ପରିତ୍ୟଜ୍ୟ ଆଗତ ଯେ ମହାଲୟେ, ଉଜ୍ବଳଂ ଜ୍ୟୋତିଶାଂ ମାର୍ଗ ପ୍ରପସ୍ୟନ୍ତେ ବ୍ରଜନ୍ତୁତେ” । ଅର୍ଥାତ ପିତୃଲୋକ ତ୍ୟାଗ କରି ମହଳୟା ରେ ଯେଉଁ ମାନେ ଆସିଥିଲେ ସେମାନେ ଏହି ତେଜୋଦୀପ୍ତ ମାର୍ଗ ଦର୍ଶନ କରନ୍ତୁ । ମାସକ ତଳେ ମହାଳୟା ଅମାବାସ୍ୟା ଯାଇଛି, ସେହିଦିନ ପିତୃ ପୁରୁଷ ଙ୍କୁ ତର୍ପଣ ଅର୍ପଣ କରାଯାଇଥିଲା । ଆଜି ସେହି ପିତୃ ପୁରୁଷ ତାଙ୍କର ଉତ୍ତର ପୁରୁଷ ତଥା ଆତ୍ମୀୟଙ୍କ ଘରୁ ଶ୍ରଦ୍ଧା ନିବେଦନ ଗ୍ରହଣ କରି ଫେରି ଯାଉଛନ୍ତି । ତେଣୁ ସେହି ମାନଙ୍କୁ ମାର୍ଗ ଦର୍ଶନ ପାଇଁ ଘରେ ଘରେ ଦୀପ ପ୍ରଜ୍ବଲନ କରିବା ସହିତ କାଉଁରିଆ କାଠି ଜଲାଇ ମାତୃ ଭାଷାରେ ନିବେଦନ କରାଯାଇଥାଏ।

ବିଶେଷତଃ ଓଡ଼ିଶାରେ ଦୀପାବଳୀ ଦିନ ଗୟା ଶ୍ରାଦ୍ଧ ବା ଦୀପଦାନ ଶ୍ରାଦ୍ଧ ଅନୁଷ୍ଠିତ ହୁଏ । ତୁଳସୀ ଚଉଁରା ପାଖରେ କିମ୍ବା ପୟା ଦଣ୍ଡା ଖୋଲି କିମ୍ବା ମୁରୁଜରେ ଚିତା କାଟି ପିତୃ ପୁରୁଷଙ୍କୁ ଫଳ ମୂଳ ତଥା ଦୀପଦାନ କରାଯାଇଥାଏ । ବଡ ବଡିଆ ଅର୍ଥାତ ପିତୃପୁରୁଷଙ୍କୁ କଉଁରିଆ କାଠି ଜଳି ଲୋକେ ଆଲୋକ ପ୍ରଦର୍ଶନ କରିଥାନ୍ତି । ଯେଉଁ ପିତୃ ପୁରୁଷ ମାନେ ପିତୃପକ୍ଷ ଅର୍ଥାତ ଆଶ୍ଵିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆସି ଜୀବିତ ଉତ୍ତର ଦାୟାଦ ଙ୍କ ଠାରୁ ତର୍ପଣ ଏବଂ ମହାଲୟାରେ ପିଣ୍ଡ ପ୍ରଭୃତି ଗ୍ରହଣ କରି ଏଠାରେ ଥାଆନ୍ତି ସେମାନଙ୍କର ପ୍ରୟାଣ ଉଦ୍ଦେଶ୍ୟରେ ପିତୃ ଲୋକେ ପଥ ପ୍ରଦର୍ଶନ ପାଇଁ ଏହି ଆଲୋକ ବର୍ତ୍ତିକା ର ପ୍ରଦର୍ଶନ ପୂର୍ବକ ଭକ୍ତିପୂତ ଭାବେ ଦୀପାବଳି ପାଳନ କରାଯାଇଥାଏ । ସାଧାରଣ ଲୋକେ କହିଥାନ୍ତି, ହେ ପିତୃପୁରୁଷ ଅନ୍ଧାରରେ ଆସିଥିଲ ଏବେ ଆଲୋକରେ ଯାଅ । ଆମର ମଙ୍ଗଳ ହେବ, ଅଜ୍ଞାନ ଅନ୍ଧାରରୁ ଅଆମକୁ ମୁକ୍ତ କରି ଜ୍ଞାନାଲୋକ ର ମାର୍ଗର ପଥିକ କର, ସତ ପଥରେ ଯିବାକୁ ମାର୍ଗ ପ୍ରଦର୍ଶନ କର ।

ଏହି ପବିତ୍ର ଦୀପାବଳିରେ ଆଉ ଏକ ଉତ୍ସବ ମଧ୍ୟ ପାଳନ କରାଯାଇଥାଏ, ତାହା ହେଉଛି ଶ୍ୟାମା କାଳି ପୂଜା । ଭଗବତୀ ବ୍ରହ୍ମ ସ୍ବରୂପା ମହା କାଳୀଙ୍କର ଏହି ଦିନ ଆବିର୍ଭାବ ଉତ୍ସବ ପାଳିତ ହୋଇଥାଏ । ସୃଷ୍ଟି ( ମାତୃ ରୂପା ), ସ୍ଥିତି ( ବର ଓ ଅଭୟ ରୂପା ) ଏବଂ ସଂହାର ( ଖଡଗ ଓ ମୁଣ୍ଡ ଧାରିଣୀ ରୂପା) ଅର୍ଥାତ ସୃଷ୍ଟି ସ୍ଥିତ୍ୟନ୍ତ କାରିଣୀ ଜଗଦମ୍ବା ମହାକାଳୀଙ୍କର ଆରାଧନା ପଛରେ ମାନବ ସମାଜ ତାର ଦୁର୍ଗତି ନାଶ କରି ସାଂସାରିକ ଐଶ୍ବର୍ଯ୍ୟ ଭୋଗ ପୂର୍ବକ ମୁକ୍ତି କାମନା କରିଥାଏ । ଏହି ମହାଶକ୍ତି ମହାମାୟା ତ୍ରିପୁର ସୁନ୍ଦରୀ ମହାକାଳୀଙ୍କ ର ଆରାଧନା ରେ ମାନବ ଭୋଗ ଏବଂ ଐଶ୍ବର୍ଯ୍ୟ ର ଅଧିକାରୀ ହୋଇ ମୋକ୍ଷ ଲାଭ କରିଥାଏ ।
ଦୀପାବଳି ପର୍ବ ପାଳନ କରିବା ପଛରେ ଅନେକ ପୌରଣିକ ଓ ଐତିହାସିକ ପୃଷ୍ଠ ଭୂମି ନିହିତ । ପୁରାଣରେ ବର୍ଣ୍ଣିତ ଅଛି ଯେ, ମହାପ୍ରତାପୀ ନରକାସୁର ର ଅତ୍ୟାଚାର ରେ ଦେବଗଣ ଭୀତତ୍ରସ୍ତ ହୋଇ ଶ୍ରୀକୃଷ୍ଣ ଙ୍କର ଶରଣାପନ୍ନ ହେଲେ । ଷୋହଳ ସହସ୍ର କନ୍ୟାନକୁ ସେମାନଙ୍କ ଆର୍ତ୍ତନାଦ ଶୁଣି ଶ୍ରୀକୃଷ୍ଣ ବାକୁଳାଞ୍ଚଳ ପର୍ବତରେ ପ୍ରବେଶ କରି ପ୍ରଥମେ ନରକାସୁରର ପୁତ୍ର ଭଗଦତ୍ତ ର ସଂହାର କରି ପରେ ନରକାସୁର କୁ ନାଶ କରିଥିଲେ । ଦେବଗଣ ସନ୍ତୁଷ୍ଟ ହେଲେ ମାତ୍ର ପରେ ପୃଥ୍ବୀ ଦେବୀଙ୍କର ବିନୟ ଅନୁରୋଧରେ ଭଗବାନ ଶ୍ରୀକୃଷ୍ଣ ଭଗଦତ୍ତ କୁ ଜୀବ ଦାନ ଦେଇ ସିଂହାସନାରୂଢ କରାଇ ବନ୍ଦୀଥିବା ଷୋହଳ ସହସ୍ର ସୁନ୍ଦରୀ କନ୍ୟା ଙ୍କୁ ମୁକ୍ତି ଦେଇ ସସମ୍ମାନେ ଦ୍ବାରିକା ପଠାଇ ଥିଲେ । ସମସ୍ତଙ୍କ ମନରେ ଆନନ୍ଦର ଢେଉ ଖେଳିଗଲା ଓ ଶାନ୍ତି ପ୍ରତିଷ୍ଠିତ ହେଲା । ସମସ୍ତେ ଆନନ୍ଦ ଉଲ୍ଲାସ ରେ ଉତ୍ସବ ପାଳନ କଲେ । ସେହି ଉତ୍ସବକୁ ନରକୋତ୍ସବ ବୋଲି ମଧ୍ୟ କୁହାଯାଇଥାଏ । ସେହିଦିନ ଚତୁର୍ଦଶୀ ତିଥି ଥିବା ହେତୁ ସେହି ଦିନକୁ ନରକ ଚତୁର୍ଦଶି ମଧ୍ୟ କୁହା ଯାଇ ଥାଏ । ପରଦିନ ନରକାସୁର ର ବଧ ହେବା ପରେ ସମସ୍ତେ ନିର୍ଭୟରେ ଆଲୋକ ଜଲାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ବାଗତ କରିବାରୁ
ଦୀପା ବଳି ଉତ୍ସବ ସେହିଦିନରୁ ପାଳିତ କରାଯାଉଥିବା ଜଣାଯାଏ।

ଆଉ ଏକ କିମ୍ବଦନ୍ତୀ ରୁ ଜଣାଯାଏ ଯେ, ପ୍ରଭୁ ଶ୍ରୀରାମ ଚନ୍ଦ୍ର ଜଗତଜନନୀ ମାଁ ଦୂର୍ଗାଙ୍କୁ ସାଧନ କରି ବିଜୟା ଦଶମୀ ଦିନ ପାପାଚାରୀ ରାବଣ କୁ ବଧ କରିବା ପରେ ଏହି ଦିନ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରଜା ମାନେ ପ୍ରିୟ ରାଜା ରାମଚନ୍ଦ୍ରଙ୍କୁ ସମ୍ବର୍ଦ୍ଧନା ଓ ଅଭିନନ୍ଦନ ଜଣାଇବା ପାଇଁ ସମଗ୍ର ଅଯୋଧ୍ୟା ନଗରୀ କୁ ଅଜସ୍ର ଦୀପଲୋକରେ ସୁସଜ୍ଜିତ କରିଥିଲେ । ସେହି ଶୋଭନୀୟ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଦୀପାବଳିର ସୂତ୍ରପାତ ବୋଲି କୁହ ଯାଇଥାଏ । ତ୍ରୁତୀୟତଃ ଅନ୍ୟ ହିନ୍ଦୁ ପୂରାଣ ଓ ଶାସ୍ତ୍ର ରେ ମଧ୍ୟ ଏହି ଦୀପାବଳି “ ବଳି ରାଜ୍ୟ ଉତ୍ସବ “ ଭାବରେ ପ୍ରଖ୍ୟାତ । ଏହି ଦିନ ରାଜା ବଳି ମର୍ତ୍ତ୍ୟ କୁ ଆଗମନ କରିଥିବା ଯୋଗୁଁ ତାଙ୍କର ପ୍ରଜାମାନେ ଏହି ଦିବସ ଟିକୁ ଦୀପମାଳା ରେ ସଜାଇ ରକାଙ୍କୁ ସ୍ବାଗତ କରିଥିଲେ । ଏହି ଅନନ୍ଦୋତ୍ସବ ସୂତ୍ର ରୁ ଦୀପାବଳି ଉତ୍ସବ ର ଆରମ୍ଭ ହୋଇଥିବା କୁହାଯାଇଥାଏ । ଏହି ଦିନ ଟିକୁ ବଳିରାଜ୍ୟ ଉତ୍ସବ ବୋଲି ମଧ୍ୟ କୁହ ଯାଇଥାଏ । ପୁନଶ୍ଚ ଜୀବ ଜଗତ ସୃଷ୍ଟି ହେବା ପୂର୍ବରୁ ଏ ଜଗତ ଘୋର ଅନ୍ଧକାରରେ ପୂର୍ଣ୍ଣ ଥିଲା । ସେହି ଅନ୍ଧକାର ମୟ ଧରଣି ର ଅନ୍ୟ ନାମ ହିଁ ନରକ । କାଳ କ୍ରମେ ସୁର୍ଯ୍ୟ ଙ୍କ ଉତ୍ପତ୍ତି ହେବା ପରେ ସେହି ଅନ୍ଧକାର କୁ ଦୂର କଲେ । ସେହି ଆଲୋକର ସ୍ମାରକୀ ପାଇଁ ଦକ୍ଷିଣ ଭାରତରେ ନରକାସୁର ବୃତ୍ତାନ୍ତ ପାଇଁ ଦୀପାବଳି ନାରକ ଚତୁର୍ଦଶୀ ଭାବରେ ପାଳିତ ହୋଇଥାଏ ।

ଏହା ଛଡା ଐତିହାସିକ ପୃଷ୍ଠଭୂମି ର ଏକ କିମ୍ବଦନ୍ତୀ ରୁ ଜଣାଯାଏ ଯେ, ଉଜ୍ଜୟନୀ ର ରାଜା ବିକ୍ରମାଦିତ୍ୟ ଏହିଦିନ ସିଂହସନାରୂଢ ହୋଇଥିବାରୁ ଲୋକେ ଦୀପ ଜାଳି ରାଜାଙ୍କୁ ଅଭ୍ୟର୍ଥନା କରିଥିଲେ । ମୋଗଲ ଯୁଗର ପ୍ରସିଦ୍ଧ ଐତିହାସିକ ଆବୁଲ ଫାଜଲ ତାଙ୍କର “ ଆଇନ-ଇ-ଆକବରୀ” ରେ ଦିଵାଳି ସମ୍ବନ୍ଧରେ ଲେଖିବାକୁ ଯାଇ ଉଲ୍ଲେଖ କରିଛନ୍ତି । ବଣିକ ଗୋଷ୍ଠୀ ମଧ୍ୟରେ ଏହା ଏକ ସର୍ବାପେକ୍ଷା ଅଧିକ ଲୋକପ୍ରିୟ ପର୍ବ । ମୋଗଲ ସମ୍ରାଟ ଆକବର ମଧ୍ୟ ଏହି ପର୍ବ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିଥିବାର “ ଆଇନ-ଇ-ଆକବରୀ” ରୁ ଜଣାଯାଏ । କନୌଜ ର ରାଜା ହର୍ଷବର୍ଦ୍ଧନ ତାଙ୍କର ଗୋଟିଏ ନାଟକ “ନାଗାବଳୀ” ରେ ଏହି ଉତ୍ସବକୁ “ଦୀପପ୍ରତି ପଦୂତ୍ସବ” । ଏହିସବୁ ଭିତ୍ତିଭୂମିକୁ ବଡ ଦେଲେ ସୁଦ୍ଧା ୧୬୬୨ ଖ୍ରୀଷ୍ଟାବ୍ଦ ରେ ଏହି କାର୍ତ୍ତିକ ଅମବାସ୍ୟା ତିଥିରେ ଶିଖ ଧର୍ମାବଲମ୍ବୀ ମାନଙ୍କ ଷଷ୍ଠ ଧର୍ମଗୁରୁ ଗୋବିନ୍ଦ ସିଂ ୫୨ ଜଣ ରାଜପୁତ ଙ୍କ ସହ ଗ୍ୱାଲିୟର ଦୁର୍ଗ ରୁ ମୁକ୍ତ ହୋଇଥିଲେ । ସେହି ଦିନ ଶିଖ ମାନେ ଅମୃତସରର ସ୍ବର୍ଣ୍ଣ ମନ୍ଦିରକୁ ଦୀପମାଳାରେ ସୁସଜ୍ଜିତ କରିବା ସହିତ ଦରଗା ସାହେବ ପୁଷ୍କରିଣୀରେ ସ୍ନାନ କରି ଅତି ପବିତ୍ର ଭାବରେ ଦିନଟି କଟାଇ ଥାନ୍ତି । ଏତଦ ବ୍ୟତୀତ ଆର୍ଯ୍ୟ ସମାଜର ପ୍ରବର୍ତ୍ତକ ସ୍ବାମୀ ଦୟାନନ୍ଦ ସରସ୍ବତୀ ଙ୍କର ତିରୋଧାନ ମଧ୍ୟ ଏହି ଦିନରେ ହୋଇଥିଲା । ସ୍ବାମୀ ରାମତୀର୍ଥ ଙ୍କ ଆବିର୍ଭାବ ଓ ତିରିଧାନ ମଧ୍ୟ ଏହି ଦିନରେ ହୋଇଥିଲା । ତେଣୁ ଆର୍ଯ୍ୟ ସମାଜର ଲୋକେ ଏହି ଦିନଟିକୁ ମହା ଆନନ୍ଦରେ ପାଳନ କରିଥାନ୍ତି ।

ତେବେ ଦୀପାବଳି ଯେ ଏକ ସାଂସ୍କୃତିକ ପରମ୍ପରାର ପ୍ରତିକ ଏହା ଦୃଢତାର ସହ କୁହାଯାଇପାରେ। “ତମସୋ ମାଁ ଜ୍ୟୋତିର୍ଗମୟ, ମୃତ୍ୟୋ ର୍ମା ଅମୃତୋମୟ”, ଆଲୋକର ଆଲିଙ୍ଗନ ପାଇଁ ଏ ବାଣୀ କେବଳ ଯେ ପ୍ରାଚ୍ୟ ଭୂଖଣ୍ଡରେ ଉଚ୍ଚାରିତ ହୋଇଛି ତହ ନୁହେଁ । ଏ ଆକାଂକ୍ଷା ସର୍ବ ବ୍ୟାପୀ। ପାଶ୍ଚାତ୍ୟ ଭୂଖଣ୍ଡରେ ମଧ୍ୟ ସେହି ଆକୁଳ କାକୁତି କେବଳ ଆଲୋକ ପାଇଁ। ଅଗ୍ନି ସମସ୍ତ ଜୀବ ଜଗତରେ ମୂଳ ହେତୁ ଜୀବନର ଅନ୍ୟ ନାମ ଆଲୋକ। ଏହି ଆଲୋକ ଅମୃତ ସାନ୍ନିଧ୍ୟ ଲାଭ କଲେ ମନୁଷ୍ୟର ହୃଦୟ ଉପବନରେ ଶାନ୍ତି ମୈତ୍ରୀ, କାରୁଣ୍ୟ, ସତ୍ୟ ଆଦିର ସୁବାସିତ ସୁମନ ବିକଶିତ ହୋଇଥାଏ । ଆଲୋକ ପଥର ଯାତ୍ରୀ ହେଲେ ବ୍ୟକ୍ତି ଅମରତ୍ଵ ଲାଭ କରେ।

ଜୁନାଗଡ, କଳାହାଣ୍ଡି, ଓଡ଼ିଶା ୭୬୬୦୧୪
ଯୋଗାଯୋଗ – ୯୧୧୪୯୩୯୩୨୯

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଡବ୍ଲୁଏଏଫଏକ୍ସ ୱେଭ୍ସ ଭିଏଫଏକ୍ସ ଚାଲେଞ୍ଜର ଶୁଭାରମ୍ଭ କଲା ଏବିଏଆଇ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘କ୍ରିଏଟ୍‌ ଇନ୍‌ ଇଣ୍ଡିଆ’ (ଭାରତରେ ନିର୍ମାଣ) ସଂକଳ୍ପକୁ ସାକାର କରିବା ଲାଗି ଦେଶର ଅଗ୍ରଣୀ ଏଭିଜିସି (ଏନିମେସନ, ଭିଜୁଆଲ ଇଫେକ୍ଟସ୍‌, ଗେମିଂ ଓ କମିକ୍ସ) ସଂଘ-ଏବିଏଆଇ ଦ୍ୱାରା ଡବ୍ଲୁଏଏଫଏକ୍ସ ୱେଭ୍ସ ଭିଏଫଏକ୍ସ ଚାଲେଞ୍ଜର ଶୁଭାରମ୍ଭ ଘୋଷଣା କରାଯାଇଛି। ଭିଜୁଆଲ ଇଫେକ୍ଟସ୍‌ (ଭିଏଫଏକ୍ସ) କ୍ଷେତ୍ରରେ ଭାରତର ଦୃଢ଼ ପ୍ରତିଭା ଇକୋସିଷ୍ଟମକୁ ଆବିଷ୍କାର କରିବା, ଲୋକଲୋଚନକୁ ଆଣିବା ଏବଂ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଡବ୍ଲୁଏଏଫଏକ୍ସ ଚାଲେଞ୍ଜକୁ ପ୍ରସ୍ତୁତ କରାଯାଇଛି।

ଭାରତର ଚଳଚ୍ଚିତ୍ର ଏବଂ ଗଣମାଧ୍ୟମ ଶିଳ୍ପରେ ଭିଜୁଆଲ ଇଫେକ୍ଟରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଥିବା ବେଳେ ଏହି ଜାତୀୟ ପ୍ରତିଯୋଗିତାର ଉଦ୍ଦେଶ୍ୟ ହେଉଛି ଶିଳ୍ପର ଚାହିଦା ପୂରଣ କରିବା ଏବଂ ବିଶ୍ୱ ସ୍ତରରେ ଭାରତର ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ଏବଂ ଦକ୍ଷତାକୁ ଆଗକୁ ବଢ଼ାଇବା ପାଇଁ ନୂଆ ପିଢ଼ିର ଭିଏଫଏକ୍ସ ପେସାଦାରଙ୍କୁ ପ୍ରସ୍ତୁତ କରିବା।

ନିଜର ସୃଜନଶୀଳତା ଏବଂ କାହାଣୀ ପାଇଁ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ଭାରତୀୟ ସିନେମା ବର୍ତ୍ତମାନ ବିଶ୍ୱସ୍ତରୀୟ ମାନଦଣ୍ଡରେ ଅନ୍ତର୍ଜାତୀୟ ସମକକ୍ଷଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି, କାରଣ ଏହାର ଅଧିକାଂଶ ବିକାଶ ଆମର ଭିଏଫଏକ୍ସ ଦକ୍ଷତା ପାଇଁ ହୋଇଛି। ଏହି ଅଭିବୃଦ୍ଧି ସତ୍ତ୍ୱେ, ବଢୁଥିବା ଚାହିଦା ପୂରଣ କରିବା ପାଇଁ ଏହି କ୍ଷେତ୍ରରେ ଦକ୍ଷ ପେସାଦାରଙ୍କ ଅଭାବ ରହିଛି, ଯାହା ନିରନ୍ତର ଶିଳ୍ପ ଅଭିବୃଦ୍ଧି ଲାଗି ଭିଏଫଏକ୍ସରେ ଦକ୍ଷତା ବିକାଶ ଏବଂ ନିୟୋଜନକୁ ଗୁରୁତ୍ୱପୂର୍ଣ୍ଣ କରିଛି। ଯୁବ ପ୍ରତିଭାମାନଙ୍କୁ ଖୋଜିବା ଏବଂ ସେମାନଙ୍କୁ ଏଭିଜିସି କ୍ଷେତ୍ରରେ ଆକର୍ଷଣୀୟ ସୁଯୋଗ ପାଇଁ ପ୍ରସ୍ତୁତ କରିବା ପାଇଁ ଡବ୍ଲୁଏଏଫ୍ଏକ୍ସ ୱେଭ୍ସ ଭିଏଫଏକ୍ସ ଚ୍ୟାଲେଞ୍ଜ- ଏବିଏଆଇର ପ୍ରମୁଖ ପ୍ରତିଯୋଗିତା ପ୍ରସ୍ତୁତ କରାଯାଇଛି।

ଏବିଆଇର ସଭାପତି ତଥା ଟେକ୍ନିକୋଲର ଗ୍ରୁପର ଏସିଆ ପ୍ରଶାନ୍ତ ମହାସାଗରୀୟ ପରିଚାଳନା ନିର୍ଦ୍ଦେଶକ ବିରେନ ଘୋଷ ବ୍ୟବସାୟ ପାଇଁ ଡବ୍ଲୁଏଏଫଏକ୍ସ ଏବଂ ୱେଭ୍ସର ବିଶେଷ ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ବୈଷୟିକ ଉନ୍ନତି ଏବଂ ଅତ୍ୟାଧୁନିକ ଇମର୍ସିଭ କଣ୍ଟେଣ୍ଟ ଗ୍ରାହକଙ୍କ ଅଭିଜ୍ଞତାକୁ ବଢ଼ାଇବା ସହିତ ସୃଜନଶୀଳ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସୁଛି ବୋଲି ସେ କହିଛନ୍ତି। ‘‘ଆମେ ଏହି ନୂତନ ଅର୍ଥବ୍ୟବସ୍ଥା ପ୍ରବେଶ କରିବା ସହିତ, ଚିତ୍ର ଓ କାହାଣୀ ଟିଭି ଓ ଚଳଚ୍ଚିତ୍ରଠାରୁ ଆଗକୁ ବଢ଼ି ସଂଗ୍ରହାଳୟ, ବିମାନବନ୍ଦର ଏବଂ ସର୍ବସାଧାରଣ ସ୍ଥାନରେ ପହଞ୍ଚିଛି। ଏହା ଅଭିନବତାକୁ ପ୍ରୋତ୍ସାହିତ କରିବ ଏବଂ ନୂତନ ଦକ୍ଷତା ପ୍ରତିଭା ଓ ବିବିଧ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବ,’’  ଶ୍ରୀ ଘୋଷ କହିଛନ୍ତି।

କର୍ଣ୍ଣାଟକସ୍ଥିତ ଏଭିଜିସି-ଏକ୍ସଆର ଶିଳ୍ପ ପାଇଁ ଅଗ୍ରଣୀ ବାଣିଜ୍ୟ ସଂଘ ଏବିଏଆଇ  ସମସ୍ତ ଉଦୀୟମାନ ଭିଜୁଆଲ ଇଫେକ୍ଟ କଳାକାରଙ୍କୁ ଚମତ୍କାର ଭିଏଫଏକ୍ସ ମାଷ୍ଟରପିସ୍ ତିଆରି କରିବା ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇ ‘ୱାଫ୍ ଏକ୍ସ ଚ୍ୟାଲେଞ୍ଜ’ର ଜାତୀୟ ପଦକ୍ଷେପ ଆରମ୍ଭ କରିଛି।

ପ୍ରଥମ ପର୍ଯ୍ୟାୟରେ ଏକ ଅନଲାଇନ୍ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ଅନୁଷ୍ଠିତ ହେବ ଯେଉଁଥିରେ ଆମେ ୨୦୦୦+  ଆବେଦନ ଆଶା କରାଯାଉଛି, ଯେଉଁଥିରୁ ‘ପ୍ରି-ସିଲେକ୍ସନ’ ବିଚାରକ ୧୦ ଜଣ ଛାତ୍ର ଏବଂ ୧୦ ଜଣ ବୃତ୍ତିଗତ ପ୍ରତିଯୋଗୀଙ୍କୁ ଦ୍ବିତୀୟ ପର୍ଯ୍ୟାୟକୁ ଯିବା ଏବଂ ଜୋନାଲ ସ୍ତରୀୟ ବ୍ୟକ୍ତିଗତ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚୟନ କରିବେ। ଏହାପରେ ଜୋନାଲ ବିଜେତାମାନେ ଗ୍ରାଣ୍ଡ ଫିନାଲେରେ ପ୍ରବେଶ କରିବେ ଯାହା ଜାତୀୟ ପୁରସ୍କାର ବିଜେତା ପ୍ରସିଦ୍ଧ ଭିଏଫଏକ୍ସ ସୁପରଭାଇଜରଙ୍କୁ ନେଇ ଗଠିତ ଗ୍ରାଣ୍ଡ ଜୁରି ସମ୍ମୁଖରେ ୨୪ ଘଣ୍ଟିଆ ଭିଏଫଏକ୍ସ ମାରାଥନ ଫର୍ମାଟରେ ଅନୁଷ୍ଠିତ ହେବ ।

ଡବ୍ଲ୍ୟୁଏଏଫ୍ଏକ୍ସରେ ଅଂଶଗ୍ରହଣକାରୀମାନେ ୩୦ ସେକେଣ୍ଡର ଭିଏଫଏକ୍ସ କ୍ଲିପ୍ ମାଧ୍ୟମରେ “ଡେଲି ଲାଇଫ୍ ସୁପରହିରୋ” ବିଷୟବସ୍ତୁକୁ ପ୍ରଦର୍ଶିତ କରିବେ ଏବଂ ଯୋଗ୍ୟତା ପର୍ଯ୍ୟାୟରେ ଅନଲାଇନରେ ସେମାନଙ୍କ କାର୍ଯ୍ୟ ଦାଖଲ କରିବେ। ପ୍ରତିଯୋଗିତାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଏବଂ ଅନ୍ୟ ଉପହାର ରଖାଯାଇଛ । ସେମାନେ ସ୍ୱତନ୍ତ୍ର ଷ୍ଟୁଡିଓ ଇଣ୍ଟର୍ନସିପ୍ ମଧ୍ୟ କରିବେ। ଅନଲାଇନ୍ କ୍ୱାଲିଫାୟର୍ସ ବିଜେତାମାନେ ଚଣ୍ଡିଗଡ଼, ମୁମ୍ବାଇ, ବେଙ୍ଗାଲୁରୁ ଏବଂ କୋଲକାତାରେ ହେବାକୁ ଥିବା ଜୋନାଲ ଫାଇନାଲ୍ସରେ ପ୍ରବେଶ କରିବେ, ଯେଉଁଠାରେ ସେମାନେ ବିଶିଷ୍ଟ ଶିଳ୍ପ ବିଶେଷଜ୍ଞଙ୍କ ଏକ ପ୍ୟାନେଲ ସମ୍ମୁଖରେ ସେମାନଙ୍କ କାର୍ଯ୍ୟ ପ୍ରଦର୍ଶନ କରିବେ। ଫେବ୍ରୁଆରି ୫ରୁ ୯ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ହେବାକୁ ଥିବା ୱେଭସ୍‌ ସମିଟ୍ ର ଗ୍ରାଣ୍ଡ ଫିନାଲେରେ ଶ୍ରେଷ୍ଠ ଫାଇନାଲିଷ୍ଟମାନେ ଭାଗନେବେ। ଡବ୍ଲ୍ୟୁଏଏଫ୍ଏକ୍ସ ଚ୍ୟାଲେଞ୍ଜକୁ ଉଦ୍ୟୋଗ ବିଶେଷଜ୍ଞଙ୍କ ଏକ ବିଶିଷ୍ଟ ପ୍ୟାନେଲ୍ ଦ୍ୱାରା ବିଚାର କରାଯିବ।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ଭବନରେ କୋଣାର୍କ ଚକର ପ୍ରତିକୃତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକର ୪ଟି ପ୍ରତିକୃତି ସ୍ଥାପନ କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ ଓ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କୋଣାର୍କ ଚକ ସ୍ଥାପନ ରଖାଯାଇଛି। ରାଷ୍ଟ୍ରପତି ଭବନରେ ପାରମ୍ପରିକ ସାଂସ୍କୃତିକ ଓ ଐତିହାସିକ ଉପାଦାନକୁ ସାମିଲ କରିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ଏହା ହେଉଛି ଗୋଟିଏ ଅଂଶବିଶେଷ।

ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତା ପାଇଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଓଡ଼ିଶାର ମନ୍ଦିର ସ୍ଥାପତ୍ୟର ଏକ ଉତ୍କୃଷ୍ଟ ନମୁନା।  ସୂର୍ଯ୍ୟ ଦେବତାଙ୍କୁ ନେଇ ଯାଉଥିବା ଏକ ବିରାଟ ରଥ ଆକାରରେ ଏହା ନିର୍ମିତ ହୋଇଥିଲା। କୋଣାର୍କ ଚକ ଭାରତର ସାଂସ୍କୃତିକ ଐତିହ୍ୟର ପ୍ରତୀକ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଫାର୍ମାସୀ କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମଙ୍ଗଳବାର ସାରା ଦେଶରେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ନିମନ୍ତେ ୧୨ ହଜାର ୮୫୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଉପକଣ୍ଠ ଗୋଠପାଟଣା ଠାରେ ଥିବା ଡ୍ରଗ୍ସ ଟେଷ୍ଟିଂ ଲବ୍ରୋଟେରୀ ସେଣ୍ଟରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ମୁକେଶ ମହାଲିଙ୍ଗ।

ଏହି ଅବସରରେ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲର ଫର୍ମାସୀ ବିଭାଗର କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ଆଇଏମ୍ ଏସ ଆଣ୍ଡ ସମ୍ ହସ୍ପିଟାଲ ଫାର୍ମାସୀ କର୍ମଚାରୀ ଓ ଛାତ୍ରାଛାତ୍ରୀଙ୍କ ସହ କିଛି ସମୟ ବିତାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେମାନଙ୍କ ସହ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଆଲୋଚନା କରିବାବେଳେ ଫାର୍ମାସୀ ଟେଷ୍ଟିଙ୍ଗ ବିଷୟରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ।

ଏହି ଡ୍ରଗ୍ସ ଟେଷ୍ଟିଂ ଲବ୍ରୋଟାରୀ ସେଣ୍ଟର ସେମାନଙ୍କୁ ଅନେକ ସାହାଯ୍ୟ କରିବ ବୋଲି ମଧ୍ୟ କହିବା ସହ ସମ୍ ଫାର୍ମାସୀ କର୍ମଚାରୀ ଓ ଛାତ୍ରାଛାତ୍ରୀଙ୍କ ସହ ବେଶ୍ ଆନନ୍ଦିତ ଭାବେ ଫଟୋ ଉଠାଇଥିଲେ ମୁଖ୍ଯମନ୍ତ୍ରୀ ଶ୍ରୀ ମାଝୀ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ଅକ୍ଟୋବର ୩୦ ତାରିଖ, ବୁଧବାର: ପାଞ୍ଚୋଟି ରାଶିର ଭାଗ୍ୟ ଚମକିବ

ମେଷ:– ଆଜି ଗଣ୍ଡଗୋଳଠାରୁ ଦୂରରେ ରହିବା ଉଚିତ୍। ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରନ୍ତୁ। ବ୍ୟବସାୟ ଏବଂ ଚାକିରିରେ ସବୁକିଛି ଆପଣଙ୍କ ଅନୁଯାୟୀ ହେବ। ତୃତୀୟ ବ୍ୟକ୍ତିଙ୍କ ଆଗମନ ପୂର୍ବରୁ ପ୍ରେମ ସମ୍ପର୍କ ନଷ୍ଟ ହୋଇଯିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଜମି କିମ୍ବା ଘର କିଣିବାର ସମ୍ଭାବନା ରହିଛି।

ବୃଷ:– ଆଜି ବେଶୀ ଧର୍ଯ୍ୟର ସହିତ କାମ କରିବା ଉଚିତ୍। ସାଙ୍ଗମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ। ଅଜାଣତରେ, କିଛି ବଡ ଭୁଲ ହେତୁ ଆପଣ ବିଚଳିତ ହେବେ। ବର୍ତ୍ତମାନ ଚାକିରିରେ ଉତ୍ସର୍ଗୀକୃତ ଅନୁଭବ ଆପଣଙ୍କ ପାଇଁ ଲାଭଦାୟକ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ। ସଂପର୍କରେ ଆସିଥିବା ସମସ୍ୟା ଦୂର ହୋଇଯାଉଛି। ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ।

ମିଥୁନ: – ଆଜି ଆପଣ ଏକ ଯାତ୍ରା କରିବାକୁ ଯୋଜନା କରିବେ। ଏହା ପରିବାରରେ ସୁଖର ଆଣି ଦେବ । ଅଫିସରେ ଆପଣଙ୍କର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ। କିନ୍ତୁ ବ୍ୟବସାୟରେ ପ୍ରତାରିତ ହେବେ। ଆପଣଙ୍କ ସପକ୍ଷରେ ଥିବା ବ୍ୟକ୍ତିଙ୍କୁ ଭଲ ପାଆନ୍ତୁ। ପିଲାମାନଙ୍କୁ ସଠିକ୍ ମାର୍ଗଦର୍ଶନ ଦେବେ।

କର୍କଟ: – ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଭଲ। ସମସ୍ତ କାର୍ଯ୍ୟ ଦକ୍ଷତାର ସହିତ ନିଶ୍ଚିତ ହେବ। ଦେଶ ବାହାରେ ଭ୍ରମଣ ଏବଂ ଚାକିରି ବ୍ୟବସାୟର ସମଷ୍ଟି ପାଲଟିଛି। ଜୀବନସାଥୀଙ୍କ ପ୍ରତି ଆପଣଙ୍କର ଗଭୀର ପ୍ରେମ ପ୍ରତିଫଳିତ ହେବ। ଶିଶୁର ଶିକ୍ଷା ଆଶ୍ବସନାଦାୟକ ହେବ। ଆଜି ଆପଣଙ୍କର ଲକ୍ଷ୍ମୀଙ୍କ ଆଶୀର୍ବାଦ ଦିନ ଅଟେ।

ସିଂହ – ଆଜି ସବୁକିଛି ରଙ୍ଗୀନ ପାଇବେ। ପରିବାର ଏବଂ ସାଙ୍ଗମାନଙ୍କ ସହିତ ପିକନିକ କରିବାକୁ କୌଣସି ସ୍ଥାନକୁ ଯିବେ। ଆଜି ପ୍ରେମ ଏବଂ ଉତ୍ସର୍ଗୀକୃତତା ବୃଦ୍ଧି କରିବ।  ଚାକିରିରେ ସତର୍କ ରୁହନ୍ତୁ, ଆପଣଙ୍କର ଅଫିସରେ କେହି ଜଣେ ଅଛନ୍ତି ଯିଏ ଆପଣଙ୍କ କାମରେ ଇର୍ଷା କରନ୍ତି। ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଜିତିବେ। ପ୍ରେମ ପାଇଁ ଶୁଭ ଦିନ। କିଛି ବିଶେଷ ଜିନିଷ କିଣିବେ।

କନ୍ୟା-  ଆଜି ଆପଣ ଭାଗ୍ୟବାନ ହେବେ, ବିନିଯୋଗ ପାଇଁ ସମୟ ଭଲ। କାର୍ଯ୍ୟ ଚାପ ବହୁତ ଅଧିକ ହେବ। କିନ୍ତୁ ତୁମେ ସବୁକିଛି ହସର ସହିତ କରିବେ। ପରିବାର ପାଇଁ ସମୟ ବାହାର କରନ୍ତୁ। କଳା କ୍ଷେତ୍ରରେ ନିଜକୁ ନିୟୋଜିତ କରନ୍ତୁ, ଭଲ ହେବ।

ତୂଳା : – ଆଜି, ଚୁପଚାପ୍ ବସ ଏବଂ କ’ଣ ପରିବର୍ତ୍ତନ ହେବା ଆବଶ୍ୟକ ସେ ବିଷୟରେ ଚିନ୍ତା କର। ବ୍ୟବସାୟ ଏବଂ ଚାକିରିରେ ସବୁକିଛି ସ୍ୱାଭାବିକ ହେବ। ଅଧିକ ଲାଭ କିମ୍ବା କ୍ଷତି ହେବ ନାହିଁ। କାହା ସହିତ ପ୍ରେମ ହେବାର ସମ୍ଭାବନା ଅଛି। ଏକ ଦୁର୍ଘଟଣାରୁ ବଞ୍ଚିବାରେ ଅସୁବିଧା ହେବ। କେହି ଦୁଃଖ ଖବର ଦେଇପାରେ।

ବିଛା: – ଆଜି ବହୁତ ଭଲ ଦିନ ହେବ। ସମସ୍ତ ପ୍ରକାରର ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ସମାନ ଭାବରେ ଆସିବ। କାର୍ଯ୍ୟ ଅଗ୍ରଗତି କରିବ। ସମ୍ପର୍କ ପ୍ରତି ଅଧିକ ସମ୍ବେଦନଶୀଳ। ବନ୍ଧୁମାନେ ସହଯୋଗ କରିବେ ଏବଂ ପରିବାରକୁ ମନୋରଞ୍ଜନ କରିବେ। ସମ୍ପର୍କର କୌଣସି ଅନିଶ୍ଚିତତା ହେତୁ ଦିନଟି ଜଟିଳତାରେ ପରିପୂର୍ଣ୍ଣ ହେବ। କାର୍ଯ୍ୟାଳୟରେ ନୂତନ ଦାୟିତ୍ବ ରହିବ।

ଧନୁ : –ଆଜି ବୁଲିବାକୁ ଯୋଜନା କରିବେ। ଚାକିରିରେ ଭୁଲ ବୁଝାମଣାର ସମ୍ଭାବନା ଅଛି। ସାବଧାନ ରୁହନ୍ତୁ, ଆପଣଙ୍କ ମୁଣ୍ଡରେ ଅନ୍ୟର କାର୍ଯ୍ୟ ପାଇଁ ଦାୟିତ୍ବ ଗ୍ରହଣ କରନ୍ତୁ ନାହିଁ। ପତ୍ନୀଙ୍କୁ ଏକ ବିଶେଷ ବନ୍ଧୁଙ୍କ ସହିତ ପରିଚିତ କରାଇବେ। ଯାହା ଆପଣଙ୍କ ଜୀବନରେ ସୁଖ ଆଣିବ। ଆପଣ ପିଲାଙ୍କ ସୁଖ ମଧ୍ୟ ପାଇପାରିବେ।

ମକର: – ଆଜି  ପ୍ରେମ ସମ୍ପର୍କ ପାଇଁ ଭଲ ହେବ। ପ୍ରେମ ସଂପର୍କରେ ବିବାହ କରିବାର ସମସ୍ତ ସମ୍ଭାବନା ରହିବ। ପରିବାର କିମ୍ବା ଭାଇଭଉଣୀଙ୍କ ସହ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ। ସମସ୍ତେ ଏକ ନୂତନ ପ୍ରୋଜେକ୍ଟ ପାଇବା ପରେ ଚାକିରିରେ ତୁମ ବିଷୟରେ କଥାବାର୍ତ୍ତା କରିବେ। ବ୍ୟବସାୟ ହେଉ କିମ୍ବା ଏକ ନୂତନ କାର୍ଯ୍ୟ, ଆପଣଙ୍କର ସମସ୍ତ ଅଗ୍ରଗତିର ପଥ ଖୋଲିବ।

କୁମ୍ଭ: – ଆଜି ଏକ ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି, ଭବିଷ୍ୟତରେ ଏହା ବହୁତ ସହାୟକ ହେବ। ବନ୍ଧୁତ୍ୱରେ ବିଚ୍ଛିନ୍ନତାକୁ ଦୂର କରିବା ପାଇଁ ଏହା ଏକ ଭଲ ଦିନ। କ୍ୟାରିୟରରେ ଭଲ ଆଶା ଅଛି, ଆବଶ୍ୟକତାଠାରୁ ଅଧିକ କାମ କରିବାର ଆବଶ୍ୟକତା ଅଛି। ପରିବାର ସହିତ ଏକ ଭଲ ସମୟ ବିତାଇବେ।

ମୀନ: – ଆଜି, ଆପଣଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥାବାର୍ତ୍ତା କରିବାକୁ ପଡ଼ିବ, ବ୍ୟକ୍ତବ୍ୟରେ ସଂଜମତା ରଖିବାକୁ ପଡ଼ିବ। ଏପରି କିଛି କୁହ ନାହିଁ ଯାହାକୁ କେହି ଖରାପ ଅନୁଭବ କରିବେ। ଖାଇବା ଏବଂ ପିଇବା ଉପରେ ଧ୍ୟାନ ଦିଅନ୍ତୁ। ଆପଣ ଚାକିରିରେ ସହକର୍ମୀଙ୍କଠାରୁ ସମର୍ଥନ ପାଇବେ ଯାହା ଦ୍ବାରା ଆପଣ ଆପଣଙ୍କର କାର୍ଯ୍ୟକୁ ଭଲ ଭାବରେ କରିପାରିବେ। ପରିବାର ଏବଂ ପିଲାମାନଙ୍କ ସହଯୋଗ ମିଳିବ।

Categories
ଆଞ୍ଚଳିକ

ବାଣପୁର ବରିଷ୍ଠ ନାଗରିକ ସଂଘ ଆନୁକୁଲ୍ୟରେ ସମ୍ବର୍ଦ୍ଧନା ସଭା

ବାଣପୁର: ଆଜି ଅପରାହ୍ନରେ ବରିଷ୍ଠ ନାଗରିକ ସଂଘ, ବାଣପୁର ଆନୁକୁଲ୍ୟରେ ସ୍ଥାନୀୟ ଶ୍ରୀ ଶ୍ରୀ ରଙ୍କନାଥଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଡ.ଚିନ୍ତାମଣି ମିଶ୍ର ସଭାପତିତ୍ୱ କରିବା ସହ ସଂଘର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସମ୍ପାଦକ ବସନ୍ତ କୁମାର ନାୟକ ସଂଘର ପଞ୍ଜିକରଣ ଓ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ନଳିନୀକାନ୍ତ ପଟ୍ଟନାୟକ, ଡ଼. ସୁଧାଂଶୁ ଶେଖର ମିଶ୍ର,ଡ.ସୁରେନ୍ଦ୍ରନାଥ ପାତ୍ର ଓ ମଧୁସୂଦନ ପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପରିଶେଷରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ବାଣପୁର ଓ ଚିଲିକା ଅଞ୍ଚଳର ପାଞ୍ଚ ଜଣ ଯୁବ ପ୍ରତିଭାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଦୀର୍ଘ ବର୍ଷର ଉଦ୍ୟମ ଫଳରେ ବାଣପୁର ଅଞ୍ଚଳରେ ବରିଷ୍ଠ ନାଗରିକ ସଂଘର ପଞ୍ଜିକରଣ ହୋଇଥିବାରୁ ସମସ୍ତ ସଭ୍ୟମାନେ ଖୁସିବ୍ୟକ୍ତ କରିଥିଲେ। ଉକ୍ତ ସଭାରେ ବାଣପୁର ଅଞ୍ଚଳର ଶତାଧିକ ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ। ତେବେ ବରିଷ୍ଠ ନାଗରିକମାନଙ୍କୁ ବାର୍ଷିକ ଦେୟ ଦେଇ ସଭ୍ୟ ପଦ ଗ୍ରହଣ କରିବାକୁ ସଂଘ ତରଫରୁ ଅନୁରୋଧ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ବିପର୍ଯ୍ୟୟ ହ୍ରାସ ପାଇଁ ଜାତୀୟ ଦିବସ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ  ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ବିପର୍ଯ୍ୟୟ ହ୍ରାସ ପାଇଁ ଜାତୀୟ ଦିବସକୁ “ପ୍ରାରମ୍ଭିକ କାର୍ଯ୍ୟ ପାଇଁ ପ୍ରାରମ୍ଭିକ ଚେତାବନୀ” ବିଷୟବସ୍ତୁକୁ ନେଇ ପାଳନ କରଯାଇଥିଲା। ଉପ – ଜିଲ୍ଲାପାଳ ତଥା ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ଦ୍ଵାରା ସକାଳ ୮:୦୦ ଟାରେ ପତାକା ଦେଖାଯାଇ ଏକ ରାଲି ଏବଂ ମିନି-ମାରାଥନ୍ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଯାହା ବି. ଜେ. ବି. ହାଇସ୍କୁଲ, ଖୋର୍ଦ୍ଧାରୁ ଆରମ୍ଭ କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶେଷ ହୋଇଥିଲା। ରାଲି ପରେ ଆସିଷ୍ଟାଣ୍ଟ ଅଗ୍ନିଶମ ଅଧିକାରୀଙ୍କ ଦଳ ଦ୍ୱାରା ପ୍ରସ୍ତୁତି ମୂଳଲିପି ପ୍ରଦର୍ଶନ ପାଇଁ ଏକ କୃତ୍ରିମ ଅଭ୍ୟାସ  କରାଯାଇଥିଲା।

ଜିଲ୍ଲା ପରିଷଦର ଉପସଭାପତି ତଥା ଖୋର୍ଦ୍ଧା ନଗର ପାଳିକା ଅଧ୍ୟକ୍ଷଙ୍କ ସମେତ ପ୍ରମୁଖ ଅଂଶଗ୍ରହଣକାରୀଙ୍କ ସହ ଜିଲ୍ଲା ପରିଷଦର ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଶପଥ ଗ୍ରହଣ ସମାରୋହ ଏବଂ ମୂଳ ବିଷୟବସ୍ତୁ ସହିତ ଜଡିତ ପ୍ରବନ୍ଧ, ବିତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ୨୪ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ ସହିତ ସମାପ୍ତ ହୋଇଥିଲା। ଏହା ସହିତ, ମିନି-ମାରାଥନର ବିଜେତାମାନଙ୍କୁ ସେମାନଙ୍କ ସଫଳତା ପାଇଁ ସ୍ୱୀକୃତି ଦିଆଯାଇଥିଲା। ଏହି ସମାବେଶ ସଫଳତାର ସହିତ ୧୦୦ରୁ ଅଧିକ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କୁ ଏକତ୍ରିତ କରି ସମାଜରେ ବିପର୍ଯ୍ୟୟ ପ୍ରସ୍ତୁତିର ଗୁରୁତ୍ୱତାର ବାର୍ତ୍ତା ଦେଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଉତ୍ସର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସଜାଗ ଏବଂ ସତର୍କତା ପାଇଁ ତିନି ରେଳ କର୍ମଚାରୀ ପୁରସ୍କୃତ

ଭୁବନେଶ୍ୱର: ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଆୟୋଜିତ ଏକ ସମ୍ବର୍ଧନା ସଭାରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଉତ୍ସର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସଜାଗ ଏବଂ ସତର୍କତା ପାଇଁ ତିନିଜଣ ରେଳ କର୍ମଚାରୀଙ୍କ ଅତୁଳନୀୟ ପ୍ରଦର୍ଶନକୁ ସ୍ୱୀକୃତି ଦେଇ ପୁରସ୍କୃତ କରିଛନ୍ତି। ସେମାନଙ୍କର ତୀବ୍ର କାର୍ଯ୍ୟକଳାପ ପ୍ରମୁଖ ଦୁର୍ଘଟଣାକୁ ରୋକିବାରେ, ଉଭୟ ମାନବ ଜୀବନ ରକ୍ଷା କରିବା ଏବଂ ଟ୍ରେନ୍ ଚଳାଚଳର ଧାରାକୁ ଅକ୍ଷ୍ୟୁର୍ଣ୍ଣ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ଏହି ଉତ୍ସବରେ ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା, ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ରେଳପଥ ମଧ୍ୟରେ ସୁରକ୍ଷା ପ୍ରତି ସାମୂହିକ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ।

ବିଶାଖାପାଟଣାର ମୁଖ୍ୟ ଟ୍ରାଫିକ୍ ଇନ୍ସପେକ୍ଟର ଜି. ଶ୍ରୀଧର; ସମ୍ବଲପୁର ନିକଟ ସରଲା ଆରଓଏଚ (ROH) ର ଟେକ୍ନିସିଆନ-I ସୁଶାନ୍ତ କୁମାର ଗିରି ଏବଂ ବିଜୟନଗରମ ଷ୍ଟେସନର ଟେକ୍ନିସିଆନ-II ଭି ରାମକୃଷ୍ଣଙ୍କୁ ସେମାନଙ୍କର ତୀବ୍ର କାର୍ଯ୍ୟକାରିତା ପାଇଁ ପୁରସ୍କୃତ କରାଯାଇଥିଲା। ଟ୍ରେନଗୁଡିକର ନିରାପଦ ଏବଂ ଦକ୍ଷ ଚଳାଚଳ ସୁନିଶ୍ଚିତ କରିବାକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ଗ୍ୟାଙ୍ଗମେନ, ଟ୍ରଲିମେନ, ଗେଟେମେନ, OHE ଖଲାସି ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ଉତ୍ସର୍ଗୀକୃତ ଉଦ୍ୟମକୁ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ ପ୍ରଶଂସା କରିଛନ୍ତି। ମହାପ୍ରବନ୍ଧକ ସେମାନଙ୍କର କଠିନ ପରିଶ୍ରମକୁ ସ୍ୱୀକୃତି ଦେବା ଉପରେ ଗୁରୁତ୍ୱାରୋପ କରିବା ସହ ଯାତ୍ରୀମାନଙ୍କ ପାଇଁ ସୁଗମ ତଥା ନିରାପଦ କାର୍ଯ୍ୟର ଲକ୍ଷ୍ୟକୁ ଦୃଢ଼କରି ସେମାନଙ୍କ କର୍ତ୍ତବ୍ୟରେ ଆନ୍ତରିକତା ଏବଂ ସତର୍କତା ବଜାୟ ରଖିବାକୁ ସମସ୍ତ ରେଳ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।

ପ୍ରତ୍ୟେକ କର୍ମଚାରୀଙ୍କ ପରିଶ୍ରମ ଆମର ରେଳ ନେଟୱାର୍କର ସୁରକ୍ଷା ତଥା ନିରାପତ୍ତା ପାଇଁ ସହାୟକ ହୋଇଥାଏ ବୋଲି ଶ୍ରୀ ଫୁଙ୍କୱାଲ କହିଛନ୍ତି। ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ ଯାତ୍ରା ଜାରି ରଖିବା ପାଇଁ ଆମେ ସଜାଗ ରହିବା ଜରୁରୀ ବୋଲି ସେ ଉଲ୍ଲେଖ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଶ୍ୱ ଷ୍ଟ୍ରୋକ ଦିବସ ଅବସରରେ ଚିନ୍ତା: ଆଜି ପରିବର୍ତ୍ତିତ ଜୀବନଶୈଳୀ ପାଲଟିଛି ବ୍ରେନ୍ ଷ୍ଟ୍ରୋକର ପ୍ରମୁଖ କାରଣ

ଭୁବନେଶ୍ୱର: ବ୍ରେନ୍‌ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ହୋଇଛି। ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ୍ ସର୍ବାଧିକ ମୃତ୍ୟୁର କାରଣ ପାଲଟିଛି। ସେହିପରି ଷ୍ଟ୍ରୋକ ଯୋଗୁଁ ସୃଷ୍ଟି ହେଉଥିବା ଗୁରୁତର ଅକ୍ଷମତା ରୋଗୀଙ୍କ ବାକି ଜୀବନକୁ ଜଟିଳ କରିଦେଉଛି।

ବିଶ୍ୱ ଷ୍ଟ୍ରୋକ୍ ଦିବସ ଅବସରରେ ବ୍ୟାପକ ସଚେତନତା ଲାଗି ଆଇଏଫଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ‘ଷ୍ଟ୍ରୋକମୁକ୍ତ ଜୀବନ’ ଶୀର୍ଷକରେ ଏକ ବିଶେଷ କାର୍ଯ୍ୟକ୍ରମ କରାଯାଉଛି। ଏହା ଅକ୍ଟୋବର ୨୯ରୁ ନଭେମ୍ବର ୭ ତାରିଖ ଯାଏଁ, ୧୦ ଦିନ ଧରି ଚାଲିବ।

ଏହି କାର୍ଯ୍ୟକ୍ରମରେ ଷ୍ଟ୍ରୋକର କାରଣ, ଲକ୍ଷଣ ଏବଂ ନିରାକରଣ ବିଷୟରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ବିଭିନ୍ନ ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯାଉଛି। ଓଡ଼ିଶାର ବିଶିଷ୍ଟ ଡାକ୍ତରମାନଙ୍କ ସାକ୍ଷାତକାରକୁ ଆଧାରକରି ଏହି ଭିଡିଓ ପ୍ରସ୍ତୁତ କରାଯାଉଛି ବୋଲି ଅଭିଯାନର ନିର୍ଦ୍ଦେଶକ ତଥା ସ୍ୱାସ୍ଥ୍ୟପ୍ଲସର ସିଇଓ ସିଦ୍ଧାର୍ଥ ରଥ କହିଛନ୍ତି।

ଏହି ଅବସରରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶେଷ ସଚେତନତା କର୍ମଶାଳାର ମଧ୍ୟ ଆୟୋଜନ କରାଯାଉଛି। ସେହିପରି ଷ୍ଟ୍ରୋକ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ଏକ ସୂଚନା ପୁସ୍ତିକାର ପ୍ରକାଶନ କରାଯାଉଛି। ଆଇଏଫଆଇ ଫାଉଣ୍ଡେସନ ‘ୱାର୍ଲ୍ଡ ଷ୍ଟ୍ରୋକ ଅର୍ଗାନାଇଜେସନ’ର ସଦସ୍ୟ ରହିଛି। ଫାଉଣ୍ଡେସନ ପକ୍ଷରୁ ଗତ ଦୁଇବର୍ଷ ଧରି ବ୍ୟାପକ ଷ୍ଟ୍ରୋକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

‘‘ଭାରତରେ ପ୍ରତି ୪୦ ସେକେଣ୍ଡରେ ଜଣେ ଲୋକ ବ୍ରେନ-ଷ୍ରୋ ାକରେ ଆକ୍ରାନ୍ତ ହେଉଛନ୍ତି। ପ୍ରତି ୪ ମିନିଟରେ ଜଣେ ମୃତ୍ୟୁବରଣ କରୁଛନ୍ତି। ଓଡ଼ିଶାରେ ବ୍ରେନ୍-ଷ୍ଟ୍ରୋକ୍ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ବର୍ତ୍ତମାନ ଷ୍ଟ୍ରୋକ ଭଳି ବିଭିନ୍ନ ଅଣସଂକ୍ରାମକ ରୋଗର ମାତ୍ରା ବଢ଼ିଚାଲିଛି। ଏଥିପ୍ରତି ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ଲୋକମାନେ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀ ଆପଣାଇବା ଜରୁରୀ,’’ କହିଛନ୍ତି ‘ଷ୍ଟ୍ରୋକମୁକ୍ତ ଜୀବନ’ର ପରାମର୍ଶଦାତା ତଥା ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୧୫ ନିୟୁତ ଲୋକ ଷ୍ଟ୍ରୋକରେ ଆକାନ୍ତ ହେଉଛନ୍ତି। ତା’ ଭିତରୁ ପ୍ରାୟ ୫ ନିୟୁତ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ଆଉ ୫ ନିୟୁତ ଲୋକ ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତାର ଶିକାର ହେଉଛନ୍ତି। ଏପରିକି ୪୦ ବର୍ଷରୁ କମ୍ ବୟସର ଲୋକଙ୍କ କ୍ଷେତ୍ରରେ ଏବେ ଷ୍ଟ୍ରୋକ ଦେଖାଯଉଛି, ଯାହାର ମୁଖ୍ୟ କାରଣ ଉଚ୍ଚ ରକ୍ତଚାପ।

ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ୱ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଷ୍ଟ୍ରୋକର ପ୍ରତିଷେଧକ, ଚିକିତ୍ସା ଏବଂ ଷ୍ଟ୍ରୋକ ପରବର୍ତ୍ତୀ ପରିଚାଳନା ସମ୍ପର୍କରେ ଆଜି ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି।

‘ଷ୍ଟ୍ରୋକମୁକ୍ତ ଜୀବନ’ ଅଭିଯାନର ଅଧ୍ୟକ୍ଷ ରହିଛନ୍ତି ଓଡ଼ିଶାଲାଇଭର ସମ୍ପାଦକ ନୀଳାମ୍ବର ରଥ। ଭୁବନେଶ୍ଵରସ୍ଥିତ ଆପୋଲୋ ହସ୍ପିଟାଲ୍ସ ଏହି ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମର ଆସୋସିଏଟ୍ ପାର୍ଟନର ରହିଛି।

Categories
ଆଜିର ଖବର ଜାତୀୟ ଖବର

୧୨,୮୫୦ କୋଟିର ସ୍ୱାସ୍ଥ୍ୟସେବା କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଧନନ୍ତରୀ ଜୟନ୍ତୀ ଏବଂ ନବମ ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏଆଇଆଇଏ)ରେ ପ୍ରାୟ ୧୨,୮୫୦ କୋଟି ଟଙ୍କାର ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଧନନ୍ତ୍ୱରୀ ଜୟନ୍ତୀ ଓ ଧନତେରସ ଅବସରର ଉଲ୍ଲେଖ କରିବା ସହ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ । ଅଧିକାଂଶ ଲୋକ ନିଜ ଘର ପାଇଁ କିଛି ନୂଆ କିଣିବା ସହ ଦୀପାବଳି ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଥିବାରୁ ସେ ଦେଶର ସମସ୍ତ ବ୍ୟବସାୟୀ ମାଲିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ହଜାର ହଜାର ଦୀପରେ ଆଲୋକିତ ହେଉଥିବାରୁ ଏହି ଦୀପାବଳି ଏକ ଐତିହାସିକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। “ଚଳିତ ବର୍ଷ ଦୀପାବଳିରେ ଭଗବାନ ରାମ ପୁଣି ଥରେ ନିଜ ବାସଭବନକୁ ଫେରିଛନ୍ତି”, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପ୍ରତୀକ୍ଷାର ଅନ୍ତ ୧୪ ବର୍ଷ ପରେ ନୁହେଁ ବରଂ ୫୦୦ ବର୍ଷ ପରେ ଶେଷରେ ଶେଷ ହୋଇଛି।

ଶ୍ରୀ ମୋଦୀ କହିଛନ୍ତି ଯେ, ଚଳିତ ବର୍ଷର ଧନତେରସ ପର୍ବ ସମୃଦ୍ଧି ଓ ସ୍ୱାସ୍ଥ୍ୟର ମିଶ୍ରଣ ନୁହେଁ ବରଂ ଭାରତର ସଂସ୍କୃତି ଓ ଜୀବନ ଦର୍ଶନର ପ୍ରତୀକ। ଋଷି ଓ ସନ୍ଥମାନଙ୍କୁ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ବୁଝାଇଥିଲେ ଯେ ସ୍ୱାସ୍ଥ୍ୟକୁ ସର୍ବୋଚ୍ଚ ସମ୍ପତ୍ତି ବୋଲି ବିବେଚନା କରାଯାଏ ଏବଂ ଏହି ପ୍ରାଚୀନ ଧାରଣା ଯୋଗ ଆକାରରେ ସମଗ୍ର ବିଶ୍ୱରେ ଗ୍ରହଣୀୟତା ଲାଭ କରୁଛି। ଆଜି ୧୫୦ରୁ ଅଧିକ ଦେଶରେ ଆୟୁର୍ବେଦ ଦିବସ ପାଳନ କରାଯାଉଥିବାରୁ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରି କହିଥିଲେ ଯେ ଏହା ଆୟୁର୍ବେଦ ପ୍ରତି ବଢୁଥିବା ଆକର୍ଷଣ ଏବଂ ପ୍ରାଚୀନ ଅତୀତରୁ ବିଶ୍ୱ ପ୍ରତି ଭାରତର ଅବଦାନର ପ୍ରମାଣ।

ଗତ ଏକ ଦଶନ୍ଧି ମଧ୍ୟରେ ଆୟୁର୍ବେଦ ଜ୍ଞାନର  ଆଧୁନିକ ଚିକିତ୍ସା ସହିତ ମିଶ୍ରଣ ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ଏହି ଅଧ୍ୟାୟର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ସେ କହିଛନ୍ତି। ୭ ବର୍ଷ ପୂର୍ବେ ଆୟୁର୍ବେଦ ଦିବସରେ ସେ ଏହି ଅନୁଷ୍ଠାନର ପ୍ରଥମ ପର୍ଯ୍ୟାୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର ସୌଭାଗ୍ୟ ଲାଭ କରିଥିଲେ ଏବଂ ଆଜି ଭଗବାନ ଧନନ୍ତ୍ୱରୀଙ୍କ ଆଶୀର୍ବାଦରେ ସେ ଅନୁଷ୍ଠାନର ଦ୍ବିତୀୟ ପର୍ଯ୍ୟାୟକୁ ଉଦଘାଟନ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ଆୟୁର୍ବେଦ ଓ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉନ୍ନତ ଗବେଷଣା ଅଧ୍ୟୟନ ସହିତ ପଞ୍ଚକର୍ମ ଭଳି ପ୍ରାଚୀନ ଜ୍ଞାନକୌଶଳକୁ ଏହି ଅନୁଷ୍ଠାନରେ ଆଧୁନିକ ଜ୍ଞାନକୌଶଳରେ ମିଶାଇ ଦେଖିବା  ସମ୍ଭବ ହେବ ବୋଲି ସେ ଉଲ୍ଲେଖ କରିଥିଲେ। ଏହି ଉନ୍ନତି ପାଇଁ ଶ୍ରୀ ମୋଦୀ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏକ ରାଷ୍ଟ୍ରର ପ୍ରଗତି ସିଧାସଳଖ ନାଗରିକଙ୍କ ସ୍ୱାସ୍ଥ୍ୟ ସହିତ ସମାନ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହାର ନାଗରିକଙ୍କ ସ୍ୱାସ୍ଥ୍ୟ ପ୍ରତି ସରକାରଙ୍କ ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ ଏବଂ ସ୍ୱାସ୍ଥ୍ୟ ନୀତିର ପାଞ୍ଚଟି ସ୍ତମ୍ଭ ବିଷୟରେ ଆଲୋକପାତ କରିଥିଲେ। ପ୍ରତିଷେଧକ ସ୍ୱାସ୍ଥ୍ୟସେବା, ରୋଗର ଶୀଘ୍ର ଚିହ୍ନଟ, ମାଗଣା ଓ ଶସ୍ତା ଚିକିତ୍ସା ଓ ଔଷଧ, ଛୋଟ ସହରରେ ଡାକ୍ତରଙ୍କ ଉପଲବ୍ଧତା ଏବଂ ଶେଷରେ ସ୍ୱାସ୍ଥ୍ୟ ସେବାରେ ବୈଷୟିକ ଜ୍ଞାନକୌଶଳର ପ୍ରସାର ଆଦି ଏହି ୫ଟି ସ୍ତମ୍ଭକୁ ସେ ତାଲିକାଭୁକ୍ତ କରିଥିଲେ। “ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସାମଗ୍ରିକ ସ୍ୱାସ୍ଥ୍ୟ ଭାବରେ ଦେଖୁଛି”, ଶ୍ରୀ ମୋଦୀ କହିଲେ ଯେ ଆଜିର ପ୍ରକଳ୍ପଗୁଡିକ ଏହି ପାଞ୍ଚଟି ସ୍ତମ୍ଭର ଝଲକ ପ୍ରଦାନ କରେ। ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ ଆୟୁଷ ସ୍ୱାସ୍ଥ୍ୟ ଯୋଜନା ଅଧୀନରେ ୪ଟି ଉତ୍କର୍ଷ କେନ୍ଦ୍ର ସୃଷ୍ଟି, ଡ୍ରୋନ୍ ବ୍ୟବହାର କରି ସ୍ୱାସ୍ଥ୍ୟ ସେବାର ସମ୍ପ୍ରସାରଣ, ଋଷିକେଶସ୍ଥିତ ଏମସରେ ହେଲିକପ୍ଟର ସେବା, ଏମସ, ନୂଆଦିଲ୍ଲୀ ଏବଂ ଏମସ, ବିଳାସପୁରରେ ନୂତନ ଭିତ୍ତିଭୂମି, ଦେଶର ଅନ୍ୟ ପାଞ୍ଚଟି ଏମସରେ ସେବା ସମ୍ପ୍ରସାରଣ ବିଷୟରେ ଉଲ୍ଲେଖ କରିଥିଲେ। ମେଡିକାଲ କଲେଜ ପ୍ରତିଷ୍ଠା, ନର୍ସିଂ କଲେଜର ଭୂମି ପୂଜନ ଓ ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡିତ ଅନ୍ୟାନ୍ୟ ପ୍ରକଳ୍ପ। ଶ୍ରମିକଙ୍କ ଚିକିତ୍ସା ପାଇଁ ଅନେକ ହସ୍ପିଟାଲ ପ୍ରତିଷ୍ଠା ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଏହା ଶ୍ରମିକଙ୍କ ଚିକିତ୍ସା କେନ୍ଦ୍ର ରେ ପରିଣତ ହେବ ବୋଲି କହିଥିଲେ। ଉନ୍ନତ ଔଷଧ ଏବଂ ଉଚ୍ଚମାନର ଷ୍ଟେଣ୍ଟ ଏବଂ ପ୍ରତିରୋପଣ ଉତ୍ପାଦନ ଏବଂ ଭାରତର ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଫାର୍ମା ୟୁନିଟ୍ ଗୁଡ଼ିକର ଉଦଘାଟନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ମଧ୍ୟରୁ ଅଧିକାଂଶ ଏପରି ପୃଷ୍ଠଭୂମିରୁ ଆସିଛନ୍ତି ଯେଉଁଠାରେ ଅସୁସ୍ଥତାର ଅର୍ଥ ସମଗ୍ର ପରିବାର ଉପରେ ବଜ୍ରପାତ ହୁଏ ଏବଂ ବିଶେଷ କରି ଗରିବ ପରିବାରରେ ଯଦି କୌଣସି ବ୍ୟକ୍ତି ଗମ୍ଭୀର ରୋଗରେ ପୀଡ଼ିତ ହୁଅନ୍ତି, ତେବେ ପରିବାରର ପ୍ରତ୍ୟେକ ସଦସ୍ୟ ଗଭୀର ଭାବରେ ପ୍ରଭାବିତ ହୁଅନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକ ସମୟ ଥିଲା ଯେତେବେଳେ ଲୋକମାନେ ଚିକିତ୍ସା ପାଇଁ ସେମାନଙ୍କ ଘର, ଜମି, ଗହଣା, ସବୁକିଛି ବିକ୍ରି କରୁଥିଲେ ଏବଂ ବିପୁଳ ପକେଟ୍ ଖର୍ଚ୍ଚ ବହନ କରିବାକୁ ଅସମର୍ଥ ହେଉଥିଲେ ଏବଂ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଏବଂ ପରିବାରର ଅନ୍ୟାନ୍ୟ ପ୍ରାଥମିକତା ମଧ୍ୟରୁ ଗୋଟିଏ ବାଛିବାକୁ ପଡୁଥିଲା।

ଶ୍ରୀ ମୋଦୀ କହିଥିଲେ ଯେ ଗରିବଙ୍କ ନିରାଶା ଦୂର କରିବା ପାଇଁ ଆମ ସରକାର ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିଛନ୍ତି, ଯେଉଁଠାରେ ଗରିବଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବାର ଖର୍ଚ୍ଚ ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବହନ କରିବେ । ଦେଶର ପ୍ରାୟ ୪ କୋଟି ଗରିବ ଲୋକ ବିନା ଟଙ୍କାରେ ଚିକିତ୍ସା କରାଇ ଆୟୁଷ୍ମାନ ଯୋଜନାରୁ ଉପକୃତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ଦେଶର ବିଭିନ୍ନ ରାଜ୍ୟରେ ଆୟୁଷ୍ମାନ ଯୋଜନାର ହିତାଧିକାରୀଙ୍କୁ ଭେଟିବା ବେଳେ ସେ ସନ୍ତୁଷ୍ଟ ଅନୁଭବ କରନ୍ତି ଯେ ଏହି ଯୋଜନା ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆଶୀର୍ବାଦ, ସେ ଡାକ୍ତର ହୁଅନ୍ତୁ କିମ୍ବା ପାରାମେଡିକାଲ କର୍ମଚାରୀ ହୁଅନ୍ତୁ।

ଆୟୁଷ୍ମାନ ଯୋଜନାର ସମ୍ପ୍ରସାରଣକୁ ନେଇ ସନ୍ତୋଷ ବ୍ୟକ୍ତ କରି ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରତ୍ୟେକ ବୟସ୍କ ବ୍ୟକ୍ତି ଏହାକୁ ଅପେକ୍ଷା କରିଛନ୍ତି ଏବଂ ତୃତୀୟ ଥର ପାଇଁ ନିର୍ବାଚିତ ହେଲେ ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବୟସ୍କଙ୍କୁ ଆୟୁଷ୍ମାନ ଯୋଜନା ପରିସରଭୁକ୍ତ କରିବାର ନିର୍ବାଚନୀ ଗ୍ୟାରେଣ୍ଟି ପୂରଣ ହେଉଛି। ଆୟୁଷ୍ମାନ ବୟ ବନ୍ଦନା କାର୍ଡ ମାଧ୍ୟମରେ ଦେଶର ୭୦ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ବୟସ୍କ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ମାଗଣା ରେ ଚିକିତ୍ସା କରାଯିବ । ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ କାର୍ଡ ସାର୍ବଜନୀନ ଏବଂ ଗରିବ ହେଉ କି ମଧ୍ୟବିତ୍ତ କିମ୍ବା ଉଚ୍ଚବର୍ଗର, ଆୟ ଉପରେ କୌଣସି ପ୍ରତିବନ୍ଧକ ନାହିଁ | ଏହି ଯୋଜନା ଏହାର ସାର୍ବଜନୀନ ପ୍ରୟୋଗ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସୂଚନା ଦେଇ ଶ୍ରୀ ମୋଦୀ କହିଥିଲେ ଯେ ଘରେ ଜଣେ ବୟସ୍କଙ୍କ ପାଇଁ ଆୟୁଷ୍ମାନ ବୟ ବନ୍ଦନା କାର୍ଡ ଦ୍ୱାରା ପକେଟ୍ ବ୍ୟୟ ବହୁ ପରିମାଣରେ ହ୍ରାସ ପାଇବ। ଏହି ଯୋଜନା ପାଇଁ ସେ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଏହି ଯୋଜନା କାର୍ଯ୍ୟକାରୀ ହୋଇନଥିବା ମଧ୍ୟ ସୂଚନା ଦେଇଛନ୍ତି।

ଗରିବ ହୁଅନ୍ତୁ ବା ମଧ୍ୟବିତ୍ତ, ଚିକିତ୍ସା ଖର୍ଚ୍ଚ ହ୍ରାସ କରିବା ପାଇଁ ସରକାରଙ୍କ ପ୍ରାଥମିକତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ୧୪,୦୦୦ରୁ ଅଧିକ ଜନଔଷଧି କେନ୍ଦ୍ର ର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠାରେ ୮୦ ପ୍ରତିଶତ ରିହାତିରେ ଔଷଧ ଉପଲବ୍ଧ। ଶସ୍ତା ଔଷଧ ଉପଲବ୍ଧ ଥିବାରୁ ଗରିବ ଓ ମଧ୍ୟବିତ୍ତ ମାନେ ୩୦ ହଜାର କୋଟି ଟଙ୍କା ସଞ୍ଚୟ କରିବାରେ ସଫଳ ହୋଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଷ୍ଟେଣ୍ଟ ଓ ଆଣ୍ଠୁ ପ୍ରତିରୋପଣ ଭଳି ଉପକରଣର ମୂଲ୍ୟ ହ୍ରାସ କରାଯାଇଛି, ତେଣୁ ସାଧାରଣ ନାଗରିକଙ୍କୁ ୮୦,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ିବ ନାହିଁ। ମାରାତ୍ମକ ରୋଗ ରୋକିବା ଏବଂ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ଜୀବନ ବଞ୍ଚାଇବା ପାଇଁ ମାଗଣା ଡାଏଲିସିସ୍ ଯୋଜନା ଏବଂ ମିଶନ ଇନ୍ଦ୍ରଧନୁଷ ଅଭିଯାନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଦେଶର ଗରିବ ଓ ମଧ୍ୟବିତ୍ତ ଲୋକମାନେ ମହଙ୍ଗା ଚିକିତ୍ସା ବୋଝରୁ ମୁକ୍ତ ନ ହେବା ପର୍ଯ୍ୟନ୍ତ ସେ ବିଶ୍ରାମ ନେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।

ରୋଗ ସହିତ ଜଡ଼ିତ ବିପଦ ଏବଂ ଅସୁବିଧାକୁ ହ୍ରାସ କରିବା ରେ ଠିକ୍ ସମୟରେ ରୋଗ ନିର୍ଣ୍ଣୟ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଶୀଘ୍ର ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ପାଇଁ ସମଗ୍ର ଦେଶରେ ୨ ଲକ୍ଷରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି ବୋଲି ସେ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ ଏହି ଆରୋଗ୍ୟ ମନ୍ଦିର କୋଟି କୋଟି ନାଗରିକଙ୍କୁ କର୍କଟ, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗକୁ ସହଜରେ ଯାଞ୍ଚ କରିବାରେ ସକ୍ଷମ କରିଥାଏ। ସେ କହିଛନ୍ତି ଯେ ଠିକ୍ ସମୟରେ ରୋଗ ନିର୍ଣ୍ଣୟ କରାଗଲେ ତୁରନ୍ତ ଚିକିତ୍ସା ମିଳିଥାଏ, ଯାହା ଶେଷରେ ରୋଗୀଙ୍କ ଖର୍ଚ୍ଚ ସଞ୍ଚୟ କରିଥାଏ। ଇ-ସଞ୍ଜୀବନୀ ଯୋଜନା ଅଧୀନରେ ସ୍ୱାସ୍ଥ୍ୟସେବା ବୃଦ୍ଧି ଏବଂ ନାଗରିକଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ସରକାର ପ୍ରଯୁକ୍ତିବିଦ୍ୟାର ଉପଯୋଗ କରୁଛନ୍ତି, ଯେଉଁଠାରେ ୩୦ କୋଟିରୁ ଅଧିକ ଲୋକ ଅନଲାଇନରେ ଡାକ୍ତରଙ୍କ ପରାମର୍ଶ ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ। “ଡାକ୍ତରଙ୍କ ମାଗଣା ଏବଂ ସଠିକ ପରାମର୍ଶ ସ୍ୱାସ୍ଥ୍ୟ ସେବା ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିଛି”, ସେ ଆହୁରି ମଧ୍ୟ କହିଛନ୍ତି। ଶ୍ରୀ ମୋଦୀ ୟୁ-ୱିନ୍ ପ୍ଲାଟଫର୍ମର ଶୁଭାରମ୍ଭ କରିବାକୁ ଘୋଷଣା କରିଛନ୍ତି ଯାହା ଭାରତକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈଷୟିକ ସ୍ତରରେ ଉନ୍ନତ ଇଣ୍ଟରଫେସ୍ ପ୍ରଦାନ କରି । ସେ କହିଛନ୍ତି ଯେ ମହାମାରୀ ସମୟରେ ବିଶ୍ୱ ଆମର କୋ-ୱିନ୍ ପ୍ଲାଟଫର୍ମର ସଫଳତା ଦେଖିଛି ଏବଂ ୟୁପିଆଇ ପେମେଣ୍ଟ ସିଷ୍ଟମର ସଫଳତା ଏକ ବିଶ୍ୱସ୍ତରୀୟ କାହାଣୀରେ ପରିଣତ ହୋଇଛି, ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ମାଧ୍ୟମରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ସଫଳତାକୁ ଦୋହରାଇବାକୁ ଭାରତ ଲକ୍ଷ୍ୟ ରଖିଛି।

ଗତ ୬ରୁ ୭ ଦଶନ୍ଧି ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ଅଭୂତପୂର୍ବ ଅଗ୍ରଗତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଗତ ୧୦ ବର୍ଷ ମଧ୍ୟରେ ଆମେ ରେକର୍ଡ ସଂଖ୍ୟକ ନୂତନ ଏମସ ଏବଂ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବା ଦେଖିଛୁ”। ଆଜିର ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ଡାକ୍ତରଖାନା ଉଦଘାଟିତ ହୋଇଛି। କର୍ଣ୍ଣାଟକର ନରସାପୁର ଏବଂ ବୋମ୍ମାସାନ୍ଦ୍ରା, ମଧ୍ୟପ୍ରଦେଶର ପିଥମପୁର, ଆନ୍ଧ୍ରପ୍ରଦେଶର ଅଚିତାପୁରମ୍ ଏବଂ ହରିୟାଣାର ଫରିଦାବାଦରେ ନୂତନ ମେଡିକାଲ କଲେଜର ଶିଳାନ୍ୟାସ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏହାବ୍ୟତୀତ ଉତ୍ତରପ୍ରଦେଶର ମିରଟରେ ନୂତନ ଇଏସଆଇସି ହସ୍ପିଟାଲ ଉପରେ କାମ ଆରମ୍ଭ ହୋଇଛି ଏବଂ ଇନ୍ଦୋରରେ ଏକ ନୂତନ ହସ୍ପିଟାଲ ଉଦଘାଟିତ ହୋଇଛି।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଡାକ୍ତରଖାନା ସଂଖ୍ୟା ବୃଦ୍ଧି ଡାକ୍ତରୀ ସିଟ୍ ରେ ଆନୁପାତିକ ବୃଦ୍ଧିକୁ ପ୍ରତିଫଳିତ କରୁଛି । କୌଣସି ଗରିବ ପିଲାଙ୍କ ଡାକ୍ତର ହେବାର ସ୍ୱପ୍ନ ଭାଙ୍ଗିବ ନାହିଁ ଏବଂ ଭାରତରେ ବିକଳ୍ପ ଅଭାବରୁ କୌଣସି ମଧ୍ୟବିତ୍ତ ଛାତ୍ରଛାତ୍ରୀ ବିଦେଶରେ ପାଠ ପଢ଼ିବାକୁ ବାଧ୍ୟ ହେବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଗତ ୧୦ ବର୍ଷ ମଧ୍ୟରେ ପାଖାପାଖି ୧ ଲକ୍ଷ ନୂଆ ଏମ୍ ବିବିଏସ୍ ଓ ଏମ୍ ଡି ସିଟ୍ ଯୋଡ଼ାଯାଇଛି ବୋଲି ଶ୍ରୀ ମୋଦୀ ସୂଚନା ଦେଇଥିଲେ ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ଆଉ ୭୫,୦୦୦ ସିଟ୍ ଘୋଷଣା କରିବାକୁ ପ୍ରତିଶ୍ରୁତି ଦୋହରାଇଥିଲେ।

୭.୫ ଲକ୍ଷ ପଞ୍ଜିକୃତ ଆୟୁଷ ଚିକିତ୍ସକ ଦେଶର ସ୍ୱାସ୍ଥ୍ୟସେବାରେ ଯୋଗଦାନ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ସେ ଏହି ସଂଖ୍ୟାକୁ ଆହୁରି ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଭାରତରେ ସ୍ବାସ୍ଥ୍ୟ ଏବଂ ସୁସ୍ଥତା ପର୍ଯ୍ୟଟନର ବଢୁଥିବା ଚାହିଦା ଉପରେ ଆଲୋକପାତ କରିଥିଲେ। ପ୍ରତିଷେଧକ କାର୍ଡିଓଲୋଜି, ଆୟୁର୍ବେଦିକ ଅର୍ଥୋପେଡିକ୍ସ ଏବଂ ଆୟୁର୍ବେଦିକ ଥଇଥାନ କେନ୍ଦ୍ର ଭଳି କ୍ଷେତ୍ରକୁ ଉଭୟ ଭାରତ ତଥା ବିଦେଶରେ ବିସ୍ତାର କରିବା ପାଇଁ ଯୁବ ଓ ଆୟୁଷ ଚିକିତ୍ସକମାନେ ପ୍ରସ୍ତୁତ ହେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଆୟୁଷ ଡାକ୍ତରଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି ହେଉଛି। ଆମର ଯୁବପିଢ଼ି ଏହି ସୁଯୋଗ ମାଧ୍ୟମରେ କେବଳ ନିଜକୁ ଉନ୍ନତ କରିବେ ନାହିଁ ବରଂ ମାନବତା ପାଇଁ ଏକ ମହାନ ସେବା ପ୍ରଦାନ କରିବେ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଏକବିଂଶ ଶତାବ୍ଦୀରେ ଔଷଧର ଦ୍ରୁତ ଅଗ୍ରଗତି ବିଷୟରେ ଉଲ୍ଲେଖ କରିଥିଲେ ଏବଂ ପୂର୍ବରୁ ଦୁରାରୋଗ୍ୟ ରୋଗର ଚିକିତ୍ସାରେ ସଫଳତା ପାଇଥିଲେ। ବିଶ୍ୱ ଚିକିତ୍ସା ସହିତ ସୁସ୍ଥତାକୁ ଗୁରୁତ୍ୱ ଦେଉଥିବା ବେଳେ ଭାରତ ପାଖରେ ଏହି କ୍ଷେତ୍ରରେ ହଜାର ହଜାର ବର୍ଷର ଜ୍ଞାନ ରହିଛି। ପ୍ରଧାନମନ୍ତ୍ରୀ ଆୟୁର୍ବେଦ ନୀତି ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆଦର୍ଶ ଜୀବନଶୈଳୀ ଏବଂ ବିପଦ ବିଶ୍ଳେଷଣ ଡିଜାଇନ୍ କରିବା ଉଦ୍ଦେଶ୍ୟରେ ପ୍ରକୃତି ପରୀକ୍ଷା ଅଭିଯାନର ଶୁଭାରମ୍ଭ ଘୋଷଣା କରିଥିଲେ। ଏହି ପଦକ୍ଷେପ ବିଶ୍ୱସ୍ତରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ପୁନଃସଂକଳ୍ପିତ କରିପାରିବ ଏବଂ ସମଗ୍ର ବିଶ୍ୱ ପାଇଁ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରିପାରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଅଶ୍ଵଗନ୍ଧା, ହଳଦୀ ଓ ଗୋଲମରିଚ ଭଳି ପାରମ୍ପରିକ ଔଷଧକୁ ବୈଜ୍ଞାନିକ ଅଧ୍ୟୟନ ମାଧ୍ୟମରେ ମାନ୍ୟତା ଦେବା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। “ଆମର ପାରମ୍ପରିକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ପରୀକ୍ଷାଗାର ବୈଧତା କେବଳ ଏହି ଔଷଧର ମୂଲ୍ୟ ବୃଦ୍ଧି କରିବ ନାହିଁ ବରଂ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ମଧ୍ୟ ସୃଷ୍ଟି କରିବ”, ସେ କହିଛନ୍ତି, ଅଶ୍ୱଗନ୍ଧାର ବଢୁଥିବା ଚାହିଦାକୁ ସୂଚାଇ, ଯାହା ଚଳିତ ଦଶନ୍ଧି ଶେଷ ସୁଦ୍ଧା ୨.୫ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ଆୟୁଷର ସଫଳତା କେବଳ ସ୍ୱାସ୍ଥ୍ୟ କ୍ଷେତ୍ର ନୁହେଁ ବରଂ ଅର୍ଥନୀତିକୁ ମଧ୍ୟ ପରିବର୍ତ୍ତନ କରୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆୟୁଷ ଉତ୍ପାଦନ କ୍ଷେତ୍ର ୨୦୧୪ରେ ୩ ବିଲିୟନ ଡଲାରଥିବା ବେଳେ ଆଜି ଏହା ପ୍ରାୟ ୨୪ ବିଲିୟନ ଡଲାରକୁ ବୃଦ୍ଧି ପାଇଛି, ଯାହା କି ମାତ୍ର ୧୦ ବର୍ଷ ମଧ୍ୟରେ ୮ ଗୁଣ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ବର୍ତ୍ତମାନ ୯୦୦ରୁ ଅଧିକ ଆୟୁଷ ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ଷମ ହୋଇଛି ଏବଂ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ ୧୫୦ଟି ଦେଶକୁ ଆୟୁଷ ଉତ୍ପାଦର ବିଶ୍ୱବ୍ୟାପୀ ରପ୍ତାନୀ ଉପରେ ଆଲୋକପାତ କରିଥିଲେ, ଯାହା ସ୍ଥାନୀୟ ଜଡ଼ିବୁଟି ଏବଂ ସୁପରଫୁଡକୁ ବିଶ୍ୱସ୍ତରୀୟ ସାମଗ୍ରୀରେ ପରିଣତ କରି ଭାରତୀୟ କୃଷକମାନଙ୍କୁ ଉପକୃତ କରିଥିଲା । ଗଙ୍ଗା ନଦୀ କୂଳରେ ପ୍ରାକୃତିକ ଚାଷ ଏବଂ ଔଷଧଚାଷକୁ ପ୍ରୋତ୍ସାହିତ କରୁଥିବା ନମାମି ଗଙ୍ଗେ ପ୍ରକଳ୍ପ ଭଳି ପଦକ୍ଷେପ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଭାରତର ଜାତୀୟ ଚରିତ୍ର ଏବଂ ସାମାଜିକ ଢାଞ୍ଚାର ଆତ୍ମା। ବିଗତ ୧୦ ବର୍ଷ ମଧ୍ୟରେ ସରକାର ଦେଶର ନୀତିକୁ ‘ସବକା ସାଥ, ସବ୍ କା ବିକାଶ’ର ଦର୍ଶନ ସହିତ ଯୋଡ଼ିଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ୨୫ ବର୍ଷ ମଧ୍ୟରେ ଏହି ପ୍ରୟାସ ଏକ ବିକଶିତ ଏବଂ ସୁସ୍ଥ ଭାରତ ପାଇଁ ଏକ ମଜଭୁତ ଭିତ୍ତିଭୂମି ସ୍ଥାପନ କରିବ ବୋଲି ଶ୍ରୀ ମୋଦୀ ଶେଷରେ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ମନ୍ତ୍ରୀ ଜେପି ନଡ୍ଡା ଏବଂ ଶ୍ରମ ଓ ନିଯୁକ୍ତି ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଫ୍ଲାଗସିପ୍ ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମ-ଜେଏୱାଇ)ରେ ଏକ ପ୍ରମୁଖ ସଂଯୋଜନ ଭାବରେ ପ୍ରଧାନମନ୍ତ୍ରୀ ୭୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ସମ୍ପ୍ରସାରଣ ର ଶୁଭାରମ୍ଭ କରିଛନ୍ତି। ଏହା ସମସ୍ତ ବରିଷ୍ଠ ନାଗରିକଙ୍କୁ ଆୟ ନିର୍ବିଶେଷରେ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବାରେ ସହାୟକ ହେବ।

ସମଗ୍ର ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ । ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଏକାଧିକ ସ୍ୱାସ୍ଥ୍ୟସେବା ଅନୁଷ୍ଠାନର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଭାରତର ପ୍ରଥମ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନର ଦ୍ୱିତୀୟ ପର୍ଯ୍ୟାୟକୁ ଉଦଘାଟନ କରିଥିଲେ। ଏଥିରେ ପଞ୍ଚକର୍ମ ହସ୍ପିଟାଲ, ଔଷଧ ଉତ୍ପାଦନ ପାଇଁ ଆୟୁର୍ବେଦିକ ଫାର୍ମାସି, ସ୍ପୋର୍ଟସ ମେଡିସିନ୍ ୟୁନିଟ୍, ସେଣ୍ଟ୍ରାଲ ଲାଇବ୍ରେରୀ, ଆଇଟି ଓ ଷ୍ଟାର୍ଟଅପ୍ ଇନକ୍ୟୁବେସନ୍ ସେଣ୍ଟର ଓ ୫୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମ୍ ରହିଛି। ସେ ମଧ୍ୟପ୍ରଦେଶର ମନ୍ଦସୌର, ନିମଚ ଏବଂ ସିଓନୀରେ ତିନୋଟି ମେଡିକାଲ କଲେଜର ଉଦଘାଟନ କରିଛନ୍ତି। ଏହାବ୍ୟତୀତ ସେ ହିମାଚଳ ପ୍ରଦେଶର ବିଳାସପୁର, ପଶ୍ଚିମବଙ୍ଗର କଲ୍ୟାଣୀ, ବିହାରର ପାଟନା, ଉତ୍ତରପ୍ରଦେଶର ଗୋରଖପୁର, ମଧ୍ୟପ୍ରଦେଶର ଭୋପାଳ, ଆସାମର ଗୌହାଟୀ ଏବଂ ନୂଆଦିଲ୍ଲୀର ବିଭିନ୍ନ ଏମସରେ ସୁବିଧା ଏବଂ ସେବା ସମ୍ପ୍ରସାରଣର ଶୁଭାରମ୍ଭ କରିଛନ୍ତି। ଛତିଶଗଡ଼ର ବିଳାସପୁରସ୍ଥିତ ସରକାରୀ ମେଡିକାଲ କଲେଜରେ ସୁପର ସ୍ପେଶାଲିଟି ବ୍ଲକ ଏବଂ ଓଡ଼ିଶାର ବରଗଡ଼ରେ ଏକ କ୍ରିଟିକାଲ କେୟାର ବ୍ଲକକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଶିବପୁରୀ, ରତଲାମ, ଖଣ୍ଡୱା, ରାଜଗଡ଼ ଏବଂ ମନ୍ଦସୌରରେ ୫ଟି ନର୍ସିଂ କଲେଜର ଶିଳାନ୍ୟାସ କରିଛନ୍ତି। ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ-ଏଭିଆଇଏମ୍) ଅଧୀନରେ ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଣିପୁର, ତାମିଲନାଡୁ ଏବଂ ରାଜସ୍ଥାନରେ ୨୧ଟି କ୍ରିଟିକାଲ କେୟାର ବ୍ଲକ୍ ଏବଂ ନୂଆଦିଲ୍ଲୀର ଏମସ ଏବଂ ହିମାଚଳ ପ୍ରଦେଶର ବିଳାସପୁରରେ ଅନେକ ସୁବିଧା ଏବଂ ସେବା ସମ୍ପ୍ରସାରଣ ଆଦି ରହିଛି।

ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଏକ ଇଏସଆଇସି ହସ୍ପିଟାଲର ଉଦଘାଟନ କରିବା ସହ ହରିୟାଣାର ଫରିଦାବାଦ, କର୍ଣ୍ଣାଟକର ବୋମ୍ମାସାନ୍ଦ୍ରା ଏବଂ ନରସାପୁର, ମଧ୍ୟପ୍ରଦେଶର ଇନ୍ଦୋର, ଉତ୍ତରପ୍ରଦେଶର ମିରଟ ଏବଂ ଆନ୍ଧ୍ରପ୍ରଦେଶର ଅଚୁତପୁରମରେ ଇଏସଆଇସି ହସ୍ପିଟାଲର ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ପାଖାପାଖି ୫୫ ଲକ୍ଷ ଇଏସଆଇ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସେବା ଲାଭ ପ୍ରଦାନ କରିବ।

ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଣକୁ ବୃଦ୍ଧି କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାରକୁ ବିସ୍ତାର କରିବାକୁ ପ୍ରଧାନମନ୍ତ୍ରୀ ଦୃଢ ସମର୍ଥକ ଅଟନ୍ତି। ସ୍ୱାସ୍ଥ୍ୟସେବାକୁ ଅଧିକ ସୁଲଭ କରିବା ପାଇଁ ସେବା ପ୍ରଦାନକୁ ବଢ଼ାଇବା ପାଇଁ ଡ୍ରୋନ୍ ଟେକ୍ନୋଲୋଜିର ଅଭିନବ ବ୍ୟବହାର ରେ ପ୍ରଧାନମନ୍ତ୍ରୀ ୧୧ଟି କ୍ଷେତ୍ର ସ୍ତରୀୟ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ଡ୍ରୋନ୍ ସେବାର ଶୁଭାରମ୍ଭ କରିଥିଲେ। ସେଗୁଡ଼ିକ ହେଲା ଉତ୍ତରାଖଣ୍ଡର ଏମସ ଋଷିକେଶ, ତେଲେଙ୍ଗାନାର ଏମସ ବିବିନଗର, ଆସାମର ଗୌହାଟୀ, ମଧ୍ୟପ୍ରଦେଶର ଏମସ ଭୋପାଳ, ରାଜସ୍ଥାନର ଏମସ ଯୋଧପୁର, ବିହାରର ଏମସ ପାଟନା, ହିମାଚଳ ପ୍ରଦେଶର ଏମସ ବିଳାସପୁର, ଉତ୍ତରପ୍ରଦେଶର ଏମସ ରାୟବରେଲି, ଛତିଶଗଡ଼ର ଏମସ ରାୟପୁର, ଆନ୍ଧ୍ରପ୍ରଦେଶର ଏମସ ମଙ୍ଗଳାଗିରି ଏବଂ ମଣିପୁରର ରିମସ ଇମ୍ଫାଲ। ସେ ଏମସ ଋଷିକେଶରୁ ହେଲିକପ୍ଟର ଜରୁରୀକାଳୀନ ଚିକିତ୍ସା ସେବାର ଶୁଭାରମ୍ଭ କରିଥିଲେ, ଯାହା ଦ୍ରୁତ ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରିବ।

ପ୍ରଧାନମନ୍ତ୍ରୀ ୟୁ-ୱିନ୍ ପୋର୍ଟାଲର ଶୁଭାରମ୍ଭ କରିଥିଲେ। ଟିକାକରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲ କରି ଗର୍ଭବତୀ ମହିଳା ଓ ଶିଶୁମାନେ ଉପକୃତ ହେବେ। ଏହା ଦ୍ୱାରା ଗର୍ଭବତୀ ମହିଳା ଏବଂ ଶିଶୁ (ଜନ୍ମରୁ ୧୬ ବର୍ଷ ପର୍ଯ୍ୟନ୍ତ) ୧୨ଟି ଟିକା ପ୍ରତିରୋଧଯୋଗ୍ୟ ରୋଗ ବିରୋଧରେ ଜୀବନ ରକ୍ଷାକାରୀ ଟିକା ଠିକ୍ ସମୟରେ ପ୍ରଦାନ ସୁନିଶ୍ଚିତ ହେବ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଆନୁଷଙ୍ଗିକ ଏବଂ ସ୍ୱାସ୍ଥ୍ୟସେବା ପେସାଦାର ଏବଂ ଅନୁଷ୍ଠାନଗୁଡିକ ପାଇଁ ଏକ ପୋର୍ଟାଲର ଶୁଭାରମ୍ଭ କରିଥିଲେ। ଏହା ବର୍ତ୍ତମାନର ସ୍ୱାସ୍ଥ୍ୟସେବା ପେସାଦାର ଏବଂ ଅନୁଷ୍ଠାନର ଏକ କେନ୍ଦ୍ରୀଭୂତ ଡାଟାବେସ୍ ଭାବରେ କାର୍ଯ୍ୟ କରିବ।

ପ୍ରଧାନମନ୍ତ୍ରୀ ଦେଶରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମରେ ଉନ୍ନତି ଆଣିବା ପାଇଁ ଗବେଷଣା ଓ ବିକାଶ ଏବଂ ପରୀକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଓଡ଼ିଶାର ଭୁବନେଶ୍ୱରର ଗୋଠପାଟଣାଠାରେ ଏକ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାରକୁ ଉଦଘାଟନ କରିଥିଲେ।

ଓଡ଼ିଶାର ଖୋର୍ଦ୍ଧା, ଛତିଶଗଡ଼ର ରାୟପୁରଠାରେ ଯୋଗ ଓ ପ୍ରାକୃତିକ ଚିକିତ୍ସା କ୍ଷେତ୍ରରେ ଦୁଇଟି କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ କରିଛନ୍ତି। ଗୁଜରାଟର ଏନ୍ଆଇପିଇଆର ଅହମ୍ମଦାବାଦଠାରେ ଚିକିତ୍ସା ଉପକରଣ ପାଇଁ ୪ଟି ଉତ୍କର୍ଷ କେନ୍ଦ୍ର, ବଲ୍କ ଔଷଧ ପାଇଁ ତେଲେଙ୍ଗାନାର ଏନ୍ଆଇପିଇଆର ହାଇଦ୍ରାବାଦ, ଫାଇଟୋଫାର୍ମାସ୍ୟୁଟିକାଲ୍ ପାଇଁ ଆସାମର ଏନ୍ଆଇପିଇଆର୍ ଗୁଆହାଟୀ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଆଣ୍ଟି-ଭାଇରାଲ୍ ଔଷଧ ଆବିଷ୍କାର ଓ ବିକାଶ ପାଇଁ ପଞ୍ଜାବର ନାଇପର ମୋହାଲିରେ ଶିଳାନ୍ୟାସ କରିଛନ୍ତି।

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର ଡାଇବେଟିସ୍ ଆଣ୍ଡ ମେଟାବୋଲିକ୍ ଡିସଅର୍ଡର ନାମରେ ୪ଟି ଆୟୁଷ ସେଣ୍ଟର ଅଫ୍ ଏକ୍ସଲେନ୍ସର ଶୁଭାରମ୍ଭ କରିଥିଲେ। ଆଇଆଇଟି ଦିଲ୍ଲୀରେ ରସୌସଧୀଙ୍କ ପାଇଁ ଉନ୍ନତ ବୈଷୟିକ ସମାଧାନ, ଷ୍ଟାର୍ଟଅପ୍ ସହାୟତା ଏବଂ ନିଟ୍ ଶୂନ୍ୟ ସ୍ଥାୟୀ ସମାଧାନ ପାଇଁ ସ୍ଥାୟୀ ଆୟୁଷ ଉତ୍କର୍ଷ କେନ୍ଦ୍ର; ଲକ୍ଷ୍ନୌସ୍ଥିତ କେନ୍ଦ୍ରୀୟ ଔଷଧ ଗବେଷଣା ପ୍ରତିଷ୍ଠାନରେ ଆୟୁର୍ବେଦରେ ମୌଳିକ ଏବଂ ଅନୁବାଦିକ ଗବେଷଣା ପାଇଁ ଉତ୍କର୍ଷ କେନ୍ଦ୍ର; ଏବଂ ନୂଆଦିଲ୍ଲୀର ଜେଏନୟୁରେ ଆୟୁର୍ବେଦ ଏବଂ ପ୍ରଣାଳୀ ମେଡିସିନ୍ ଉପରେ ଉତ୍କର୍ଷ କେନ୍ଦ୍ର ଆଦି ରହିଛି।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଗୁଜୁରାଟର ବାପି, ତେଲେଙ୍ଗାନାର ହାଇଦ୍ରାବାଦ, କର୍ଣ୍ଣାଟକର ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶର କାକିନାଡା ଏବଂ ହିମାଚଳ ପ୍ରଦେଶର ନାଲାଗଡ଼ଠାରେ ଚିକିତ୍ସା ଉପକରଣ ଏବଂ ବଲ୍କ ଔଷଧ ପାଇଁ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଅଧୀନରେ ପାଞ୍ଚଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି ୟୁନିଟଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବଲ୍କ ଔଷଧ ସହିତ ଅଙ୍ଗ ପ୍ରତିରୋପଣ ଏବଂ କ୍ରିଟିକାଲ କେୟାର ଉପକରଣ ଭଳି ଉଚ୍ଚସ୍ତରୀୟ ଚିକିତ୍ସା ଉପକରଣ ଉତ୍ପାଦନ କରିବେ।

ପ୍ରଧାନମନ୍ତ୍ରୀ “ଦେଶ କା ପ୍ରକୃତି ପରୀକ୍ଷଣ ଅଭିଯାନ” ନାମରେ ଏକ ଦେଶବ୍ୟାପୀ ଅଭିଯାନର ଶୁଭାରମ୍ଭ କରିଥିଲେ ଯାହାର ଉଦ୍ଦେଶ୍ୟ ନାଗରିକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା। ସେ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଜଳବାୟୁ ପରିବର୍ତ୍ତନ ଏବଂ ମାନବ ସ୍ୱାସ୍ଥ୍ୟ ଉପରେ ରାଜ୍ୟ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନାର ଶୁଭାରମ୍ଭ କରିଥିଲେ ଯାହା ଜଳବାୟୁ ସହନଶୀଳ ସ୍ୱାସ୍ଥ୍ୟସେବାର ବିକାଶ ଦିଗରେ ଅନୁକୂଳ ରଣନୀତି ପ୍ରସ୍ତୁତ କରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସ୍ତନ କର୍କଟ ମୃତ୍ୟୁଦଣ୍ଡ ନୁହେଁ ବରଂ ଏକ ଚ୍ୟାଲେଞ୍ଜ: ସଠିକ୍ ସମର୍ଥନ ଏବଂ ସଚେତନତା ଦ୍ୱାରା କର୍କଟ ମୁକ୍ତ ଭାରତ ସମ୍ଭବ!!!

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଅକ୍ଟୋବର ମାସରେ ସ୍ତନ କର୍କଟ ସଚେତନତା ମାସ ପାଳନ କରାଯାଏ, ଯାହାକୁ ପ୍ରାୟତଃ “ପିଙ୍କ ଅକ୍ଟୋବର” କୁହାଯାଏ। ଏହି ପରିପେକ୍ଷୀରେ ବ୍ରହ୍ମା ନଗରସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ କ୍ରାନ୍ତି ଅନୁଷ୍ଠାନ ଓ ସରକାରୀ ଆଇ ଟି.ଆଇ ଓ ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର୍ ମିଳିତ ସହଯୋଗରେ ସରକାରୀ ଆଇ ଟି.ଆଇ ଅଡିଟୋରିୟମରେ ସ୍ତନ କର୍କଟ ରୋଗର ଏକ ପ୍ରେରଣାଦାୟକ ତଥା ସୂଚନାପୂର୍ଣ୍ଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ସମୟରେ ସ୍ତନ କର୍କଟ ଏକ ମୁଣ୍ଡବ୍ୟଥାର କାରଣ ସାଜିଛି। କେତେକ କ୍ଷେତ୍ରରେ ଠିକ୍ ସମୟରେ ନିରାକରଣ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ରୋଗର ନିରାକରଣ ସମ୍ଭବ ହୋଇଥାଏ।

ସଚେତନ କରାଯିବା ଦ୍ବାରା ଏହି ରୋଗକୁ ମାତ ଦିଆଯାଇ ପାରିବ। ସ୍ତନ କର୍କଟ ନିରାକରଣ ଏବଂ ଚିକିତ୍ସା ବିଷୟରେ ସଚେତନତା ବୃଦ୍ଧି କରିବା, ବ୍ୟକ୍ତିବିଶେଷ, ବିଶେଷକରି ମହିଳାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ସହିତ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। “କ୍ରାନ୍ତି “ପକ୍ଷରୁ ପ୍ରତି ଲୋକଙ୍କୁ ସଚେତନ କରିବା ସହ “ସ୍ତନ କର୍କଟ ମୃତ୍ୟୁଦଣ୍ଡ ନୁହେଁ ବରଂ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କଲେ ଯାହା ସଠିକ୍ ସମର୍ଥନ ଏବଂ ସଚେତନତା ଦ୍ୱାରା କର୍କଟ ମୁକ୍ତ ଭାରତ ସମ୍ଭବ!!!.”….

ଏହି ବାର୍ତ୍ତା ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା କ୍ୟାନ୍ସର ସର୍ଭାଇଭର ଡ଼ଃ ଦେବାନନ୍ଦ ଦାଶଙ୍କ ସଭାପତିତ୍ବ ରେ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଡ଼ଃ ଦାଶ ସମସ୍ତଙ୍କୁ ସ୍ବାଗତ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। କ୍ରାନ୍ତି ଅନୁଷ୍ଠାନର ସଦସ୍ୟା ନିର୍ମଳା ଦାଶ ଅତିଥିମାନଙ୍କୁ “ଉପଢୌକନ” ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ।

ପ୍ରଥମେ ଆଇ.ଟି.ଆଇ ଅଧ୍ୟକ୍ଷ ଇଂ ରଞ୍ଜନ କୁମାର ପରିଡ଼ା ସ୍ତନ କର୍କଟ ରୋଗ ଉପରେ ସମ୍ୟକ୍ ସୂଚନା ଦେଇ, ଛାତ୍ରୀମାନଙ୍କୁ ନିଜେ ସଚେତନ ହୋଇ ଅନ୍ୟ ମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ।ଏହି ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଏମ.କେ.ସି.ଜି.ମେଡିକାଲ କଲେଜ ଓ ହସପିଟାଲ ର ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ାକ୍ତର ପି .ଶ୍ରୀଲେଖା “ସ୍ତନ୍ୟପାନ ଏବଂ କର୍କଟ ରୋଗର ବିପଦ” ଉପରେ ଉପରେ କରିଥିଲେ। ସ୍ତନ୍ୟପାନ କରାଇବା ଦ୍ୱାରା ସ୍ତନ କର୍କଟ ହେବାର ଆଶଙ୍କା ଯଥେଷ୍ଟ ହ୍ରାସ ପାଇଥାଏ। କମ୍ ବୟସରେ ଋତୁ ସ୍ରାବ, ସନ୍ତାନ ହୀନତା, ବିଳମ୍ବରେ ଗର୍ଭଧାରଣ, ମେଦ ବହୁଳତା, ଚର୍ବି ଜାତୀୟ ଖାଦ୍ୟ ଖାଇବାରୁ ଏହି ସ୍ତନ କର୍କଟ ରୋଗ ହୋଇଥାଏ। ତେବେ ଏହି ରୋଗର ଶୀଘ୍ର ଚିହ୍ନଟ ପରେ ସଠିକ୍ ଚିକିତ୍ସା କରାଗଲେ ରୋଗୀ ଆରୋଗ୍ୟ ହୋଇଥାଏ ବୋଲି ଡକ୍ଟର ଶ୍ରୀଲେଖା ସ୍ପଷ୍ଟ କରିଛନ୍ତି।

ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର୍ ର ରେଡିଏସନ ଓଙ୍କୋଲଜୀ ମୁଖ୍ୟ ଡାକ୍ତର କାହୁଁ ଚରଣ ପାତ୍ର ଓ କ୍ଲିନିକଲ ହେମାଟୋଲଜିଷ୍ଟ୍ ଡାକ୍ତର ଏସ୍ରତ ବାନୋ ରୋଗର କାରଣ, ନିରାକରଣ ଓ ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଥିଲେ। ସ୍ତନ କର୍କଟ ର ଅନ୍ୟ ଏକ ମୁଖ୍ୟ କାରଣ ଲୋକଲଜ୍ୟା ଭୟରେ ପ୍ରାରମ୍ଭିକ ସ୍ତରରୁ ସେମାନେ ରୋଗ କୁ ଲୁଚାଇ ଥାନ୍ତି ଯାହାକି ପରେ କର୍କଟ ର ରୂପ ନେଇ ଥାଏ।

ମହିଳା ମାନେ ସଚେତନ ହୋଇ ଏବଂ ଲୋକ ଲଜ୍ୟାରୁ ଉର୍ଦ୍ଧରେ ରହି ଚିକିତ୍ସା ସହାୟତା ନେଲେ ରୋଗ କୁ ପ୍ରତିହତ କରିପାରିବେ। ବିପଦର କାରଣ, ଶୀଘ୍ର ଚିହ୍ନଟ ଏବଂ ପ୍ରତିରୋଧ ବିଷୟରେ ଆଲୋଚନା କରିଥିଲେ।ଯଦିଓ ବର୍ତ୍ତମାନ ସମୟରେ ଚିକିତ୍ସା କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଛି, ତଥାପି ସାଧାରଣ ଲୋକଙ୍କଠାରେ କର୍କଟ ରୋଗର ଭୟ ଦେଖାଯାଉଛି।

ଅତ୍ୟାଧୁନିକ ଚିକିତ୍ସା ଅଗ୍ରଗତି ଏବଂ ନିୟମିତ ସ୍କ୍ରିନିଂ ଦ୍ବାର ବର୍ତମାନ ଚିକିତ୍ସା ଅତି ସହଜ ସହ ସଫଳ ହୋଇ ପାରୁଛି।ଖଲିକୋଟ ଏକକ ବିଶ୍ବବିଦ୍ୟାଳୟ ର ବାଣିଜ୍ୟ ବିଭାଗ ର ଆସିଷ୍ଟାଣ୍ଟ ପ୍ରଫେସର ତଥା କ୍ୟାନ୍ସର ସର୍ଭାଇଭର୍ ଅନିତା କୁମାରୀ ପାତ୍ର ସେ କିପରି ସ୍ତନ କର୍କଟ ରୋଗରୁ କଷ୍ଟ ଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି, ତାଙ୍କରି ଅନୁଭୂତି ପରିପ୍ରକାଶ କରିବା ସହ ସଚେତନତା ଜାରି ରଖିବା ପାଇଁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସ୍ତନ କର୍କଟ ସଚେତନତା ମାସ ୨୦୨୪ର ବିଷୟବସ୍ତୁ ହେଉଛି ‘ଏକାକି କୌଣସି ବ୍ୟକ୍ତି ଯେଭଳି ସ୍ତନ କର୍କଟ ରୋଗର ସମ୍ମୁଖୀନ ନ ହୁଅନ୍ତି’।

ଅନ୍ୟତମ ଅତିଥି ଚିନ୍ମୟ ମିଶନ ର ସ୍ବାମୀ ନିର୍ଲିପ୍ତାନନ୍ଦ ଆଧ୍ୟାତ୍ମିକ ମାଧ୍ୟମରେ କିପରି କର୍କଟ ରୋଗ ଭଲ ହୋଇ ପାରିବ ପରିପ୍ରକାଶ କରିଥିଲେ।ଏହି ପରିପେଖିରେ କ୍ରାନ୍ତି ଅନୁଷ୍ଠାନର ଡ଼ଃ.ଦାଶ କର୍କଟ ରୋଗରେ ପୀଡିତ ହୋଇ,ସେ କିପରି କଷ୍ଟ ପାଇଛନ୍ତି ତାଙ୍କରି ଅନୁଭୁତି ପରିପ୍ରକାଶ କରିବା ସହ କର୍କଟ ରୋଗର ଚିକିତ୍ସା ବର୍ତ୍ତମାନ ସମୟରେ ଅତ୍ୟନ୍ତ ସହଜ ଓ ଏଥିରୁ ଜଣେ ରୋଗୀ ବଞ୍ଚି ପାରିବ ଏଵଂ ସ୍ତନ କର୍କଟ ମୃତ୍ୟୁଦଣ୍ଡ ନୁହେଁ ବରଂ ଏକ ଚ୍ୟାଲେଞ୍ଜ ଯାହା ସଠିକ୍ ସମର୍ଥନ ଏବଂ ସଚେତନତା ଦ୍ୱାରା କର୍କଟ ମୁକ୍ତ ଭାରତ ସମ୍ଭବ!!! ବୋଲି ଏହି ବାର୍ତ୍ତା ଦେଇଛନ୍ତି।

ଏହି ସଚେତନତା କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନ ର ନିର୍ମଳା ଦାଶ, ସ୍ନିଗ୍ଧା ରାଣୀ ମହାରଣା, ସଞ୍ଜୟ ପାତ୍ର ଓ ସରକାରୀ ଆଇ. ଟି. ଆଇ ର ଟି. ଓ ରତିକାନ୍ତ ପରିଡ଼ା, ରଞ୍ଜନ ମଲ୍ଲିକ, ସମ୍ରାଟ ନାୟକ, ସ୍ୱପ୍ନା ସ୍ୱାଇଁ, ସମୀକ୍ଷା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ଏକତା ଦୌଡ଼’କୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ

ଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଆୟୋଜିତ ‘ଏକତା ଦୌଡ଼’କୁ ସବୁଜ ବତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ବାଷିକୀ ଅକ୍ଟୋବର ୩୧ ତାରିଖରେ ପାଳନ କରାଯାଉଥିବା ଜାତୀୟ ଏକତା ଦିବସର ଅଂଶ ଭାବେ ‘ଏକତା ଦୌଡ଼’ ଆୟୋଜନ କରାଯାଇଛି। କ୍ୟାବିନେଟ ମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଡ. ମନସୁଖ୍ ମାଣ୍ଡଭିୟ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନାଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କ ଉଦବୋଧନରେ କହିଥିଲେ, ଦେଶବାସୀଙ୍କୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ଉଦବୁଦ୍ଧ କରିବା ଲକ୍ଷ୍ୟରେ ମହାନ୍ ନେତା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ୨୦୧୫ ମସିହାରେ ‘ଏକତା ଦୌଡ଼’ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଥିଲେ। ସେହିଦିନରୁ ଆଜି ପର୍ଯ୍ୟନ୍ତ ସମଗ୍ର ଦେଶ ଏକତା ଦୌଡ଼ରୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ସଂକଳ୍ପ ନେବା ସହ ନିଜକୁ ଭାରତ ମାତାର ସେବାରେ ସମର୍ପିତ ମଧ୍ୟ କରୁଛନ୍ତି। ଆଜି ‘ଏକତା ଦୌଡ଼’ ଦେଶର ଏକତା ପାଇଁ ସଂକଳ୍ପ ହେବା ସହ ବିକଶିତ ଭାରତର ସଂକଳ୍ପ ମଧ୍ୟ ହୋଇପାରିଛି। ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ସମ୍ମୁଖରେ ୨୦୪୭ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ବିକଶିତ ଭାରତ ନିର୍ମାଣର ସଂକଳ୍ପ ରଖିଛନ୍ତି, ଯାହାକି ପ୍ରତ୍ୟେକ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଭାରତକୁ ସର୍ବପ୍ରଥମ ସାବ୍ୟସ୍ତ କରିବ।

ଅମିତ ଶାହ କହିଥିଲେ, ଆଜି ଭାରତ ଏକ ବିକଶିତ ଏବଂ ମଜବୁତ ରାଷ୍ଟ୍ର ଭାବେ ସମଗ୍ର ବିଶ୍ୱ ସମ୍ମୁଖରେ ଛିଡ଼ା ହୋଇଛି। ଯଦି ଆମେ ଇତିହାସକୁ ଫେରି ଅନାଇବା, ସ୍ୱାଧୀନତା ପରେ ବର୍ତ୍ତମାନର ଭାରତ ନିର୍ମାଣ ପାଇଁ ୫୫୦ରୁ ଅଧିକ ରାଜା ଶାସିତ ଅଞ୍ଚଳକୁ ଏକାଠି କରିବା କେବଳ ସର୍ଦ୍ଦାର ସାହେବଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ତ୍ୱରିତ ନିର୍ଣ୍ଣୟ ଯୋଗୁ ସମ୍ଭବ ହୋଇ ପାରିଥିଲା। କେବଳ ସର୍ଦ୍ଦାର ପଟେଲଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଆଜି ଭାରତ ଏକଜୁଟ ହୋଇ ବିଶ୍ୱ ସମ୍ମୁଖରେ ମଜୁବତ୍ ସହକାରେ ଛିଡ଼ା ହୋଇପାରିଛି। ଆଜି ଭାରତ ସମଗ୍ର ବିଶ୍ୱ ସମ୍ମୁଖରେ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ହୋଇ ଛିଡ଼ା ହେବା ରାସ୍ତାରେ ଅଛି ଏବଂ ଏହାର ମୂଳଭିତ୍ତି ସର୍ଦ୍ଦାର ପଟେଲ ହିଁ ପକାଇଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସହକାରୀତା ମନ୍ତ୍ରୀ କହିଥିଲେ, ଦୁର୍ଭାଗ୍ୟର କଥା ଯେ, ବର୍ଷ ବର୍ଷ ପର୍ଯ୍ୟନ୍ତ ସର୍ଦ୍ଦାର ପଟେଲଙ୍କୁ ସ୍ମୃତିକୁ ହଜାଇ ଦେବା କାମ କରାଯାଇଥିଲା ଏବଂ ତାଙ୍କୁ ଭାରତ ରତ୍ନ ଭଳି ଉଚିତ ସମ୍ମାନରୁ ମଧ୍ୟ ବଞ୍ଚିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର କେୱଡ଼ିଆରେ ବିଶ୍ୱର ସର୍ବୋଚ୍ଚ ପ୍ରତିମା ସ୍ଥାପନ କରି ସର୍ଦ୍ଦାର ପଟେଲଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବାର କାମ କରିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣ, ଚିନ୍ତାଧାରା ଓ ବାର୍ତ୍ତାକୁ ବାସ୍ତବ ରୂପ ଦେବାର କାମ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଅମିତ ଶାହ କହିଥିଲେ, ସର୍ଦ୍ଦାର ପଟେଲଙ୍କ ମହାନ ଚିନ୍ତାଧାରା ନିଶ୍ଚିତ ଭାବେ ଦେଶର ଯୁବପିଢ଼ିଙ୍କ ପାଇଁ ଆଲୋକବର୍ତ୍ତିକା ସାଜିବ। ‘ଏକତା ଦୌଡ଼’ ମାଧ୍ୟମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଭାରତର ଏକତାକୁ ମଜବୁତ କରିବା ସହ ୨୦୪୭ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବାକୁ ସଂକଳ୍ପ ନେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ।