Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଧର୍ମେନ୍ଦ୍ରଙ୍କ ଲାଗି ଅପରାଜିତା କଣ୍ଟା !!
ବିଶେଷ ଖବର

ଧର୍ମେନ୍ଦ୍ରଙ୍କ ଲାଗି ଅପରାଜିତା କଣ୍ଟା !!

November 19, 2018No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ-

 

ହଠାତ ଓଡିଶାରେ ଜଣେ ନୂଆ ନେତ୍ରୀଙ୍କ ଆବିର୍ଭାବ ହୋଇଛି। ଜନ୍ମରେ ବିହାରୀ, ହେଲେ ଓଡିଆ ଘରର ବୋହୁ। ଓଡିଶା କ୍ୟାଡରର ଆଇଏଏସ ଅଧିକାରୀ ଥିଲେ। ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଅପରାଜିତା ଷଢଙ୍ଗୀ ଚାକିରୀ ଛାଡି ରାଜନୀତି କରିବେ ବୋଲି ଶୁଣାଯାଉଛି। ହଁ, ଶୁଣା ଯାଉଛି। ସେ ଏଯାଏ କିଛି ସ୍ପଷ୍ଟ କରିନାହାନ୍ତି। ତାଙ୍କ ଟୁଇଟରରେ ସେ କିଛି ପରୋକ୍ଷ ସୂଚନା ଦେଇଛନ୍ତି, ହେଲେ ତାହା ଅତ୍ୟନ୍ତ ଅସ୍ପଷ୍ଟ । ଅବସର ଗ୍ରହଣର ଢେର ଆଗରୁ ଚାକିରି ଛାଡି ସେ ରାଜନୀତିକୁ ଆସିବା ପଛରେ କଣ କାରଣ ରହିଛି, ସେକଥା ସେ ରାଜନୀତିରେ ଯୋଗ ଦେଇସାରିଲା ପରେ ଜଣାପଡିବ। ହେଲେ ତାଙ୍କୁ ନେଇ ମୁଖ୍ୟ ଧାରାର ଗଣମାଧ୍ୟମ ଓ ସୋସିଆଲ ମିଡିଆ ରେ ଯେଉଁ ପ୍ରକାର ଚର୍ଚ୍ଚା ଚାଲିଛି, ତାହା ବେଶ ମଜାଦାୟକ। ହଠାତ ଓଡିଶାର ସବୁ ପ୍ରମୁଖ ବିରୋଧୀ ନେତା ଏବେ ଅପ୍ରାସଙ୍ଗିକ ହୋଇପଡିଛନ୍ତି। ଅପରାଜିତା ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଦ୍ବନ୍ଦ୍ବୀ ହେବେ ବୋଲି, କଳ୍ପନା କରାଯାଉଛି। ଏବେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ନିରଞ୍ଜନ ପଟ୍ଟନାୟକ, ଦାମୋଦର ରାଉତ, ପ୍ରତାପ ଷଢଙ୍ଗୀ ପ୍ରମୁଖଙ୍କୁ ପଛକୁ ଠେଲି ରାଜନୀତିରେ ପାଦ ଥାପିନଥିବା ଜଣେ ନବାଗନ୍ତୁକାଙ୍କୁ ନେଇ ଏତେ ବ୍ୟାକୁଳ ଚର୍ଚ୍ଚା ର କାରଣ କଣ? ଏହା ପଛରେ କେଉଁ ଶକ୍ତି ରହିଛି ଓ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଅପରାଜିତାଙ୍କ ବ୍ରାଣ୍ଡ ମୂଲ୍ୟ ବଢାଇବାକୁ କେଉଁମାନେ ଉଦ୍ୟମ କରୁଛନ୍ତି, ସେକଥା ଖୋଜିବା, ନିହାତି ଜରୁରୀ।

ଆପାତତଃ ଅପରାଜିତା ବିଜେପିରେ ଯୋଗଦେବେ ଓ ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯିବ ବୋଲି ପ୍ରଚାର କରାଯାଉଥିଲା। ଏବେ କିନ୍ତୁ ଚିତ୍ର ପୂରା ଓଲଟା। କିରଣ ବେଦୀଙ୍କ ପରି ଓଡିଶାରେ ଜଣେ ବାହାରିଆ ନେତାଙ୍କୁ ଓଡିଶା ବିଜେପି ଉପରେ ଲଦି ଦେବାର ଉଦ୍ୟମ କରାଯାଉଛି ବୋଲି, ଭୁବନେଶ୍ୱର ବିଜେପି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ସାଢେ ଚାରି ବର୍ଷ ଧରି ନିଜକୁ ବିଜେପିର ଅଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଭାବୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ଅପରାଜିତାଙ୍କ ଆଗରେ ଗୌଣ ମନେହେଉଛନ୍ତି।

ସୋସିଆଲ ମିଡିଆ ଓ ବିଜେପିର ପରୋକ୍ଷ ସମର୍ଥନରେ ଚାଲିଥିବା କେତୋଟି ଟିଭି ଚ୍ୟାନେଲର ରିପୋର୍ଟ ରେ ଅପରାଜିତାଙ୍କର ରାଜନୀତିରେ ପ୍ରବେଶକୁ ଗୋଟେ ବିରାଟ ରାଜନୈତିକ ଘଟନା ଭାବରେ ଉପସ୍ଥାପନ କରାଯାଉଛି। ଅପରାଜିତାଙ୍କୁ ଏତେ ବଡ କରି ଦେଖାଇବା ପଛରେ ଧର୍ମେନ୍ଦ୍ରଙ୍କ ପକ୍ଷ ଛେଦନ ପ୍ରକ୍ରିୟା ନାହିଁ ତ? ଧର୍ମେନ୍ଦ୍ରଙ୍କୁ ରାଜ୍ୟ ରାଜନୀତିରୁ ଦୂରେଇ ରଖିବା ଲାଗି ଏହା ବିଜେପି କେନ୍ଦ୍ରୀୟ ନେତୃତ୍ବର ଏକ ସୁଚିନ୍ତିତ ଯୋଜନା ବୋଲି କେହି କେହି କହୁଛନ୍ତି। ପୂର୍ବରୁ ଓଡିଶାର ପୁରୁଖା ବିଜେପି ନେତା ଓ ସଂଘ ପରିବାରର ସଂଖ୍ୟାଧିକ ସଦସ୍ୟ ଧର୍ମେନ୍ଦ୍ରଙ୍କ କାର୍ଯକଳାପରେ ଅସନ୍ତୁଷ୍ଟ ଥିଲେ। ବିଜେପି ସଭାପତି ଅମିତ ଶାହ ତାଙ୍କର ଶେଷ ଓଡିଶା ଗସ୍ତରେ ଆସିଥିବା ବେଳେ ଏ ସଙ୍କ୍ରାନ୍ତରେ ତାଙ୍କୁ ଅବଗତ କରାଯାଇଥିଲା। ତେଣୁ ବୋଧେ ଓଡିଶାରେ ଏକ ଚକିତ କଲାପରି ନୂଆ ନେତୃତ୍ଵ ସୃଷ୍ଟି କରିବାକୁ ବିଜେପି ଚାହୁଁଛି।

ତେବେ ରାଜନୀତିରେ ଅପରାଜିତାଙ୍କ ପରିଚୟ ଓ ପ୍ରଭାବ କଣ? ସେ ହଠାତ ଏତେ ଅଧିକ ରାଜନୈତିକ ଚର୍ଚ୍ଚା କୁ ଆସିବାର କି କାରଣ ରହିଛି? ସ୍ପଷ୍ଟ ଭାବରେ ଦେଖିଲେ, ଓଡିଶା ପ୍ରଶାସନର ଅନ୍ୟ ଶହ ଶହ ଆଇଏଏସ ଅଧିକାରୀଙ୍କ ପରି ଅପରାଜିତା ମଧ୍ୟ ଜଣେ ଅତ୍ୟନ୍ତ ବିଶ୍ଵସ୍ତ ଓ ଆଜ୍ଞାବହ ଅଧିକାରୀ ଥିଲେ। ଚାକିରି ରେ ରହି ବିଦ୍ରୋହ କରିବା କିମ୍ବା କିଛି ଗୋଟେ ବଡ କଥା କରିବାର ସାହସ ତାଙ୍କର ନଥିଲା। ତାଙ୍କୁ ଅଶୋକ ଖେମକା କିମ୍ବା ହୃଷୀକେଶ ପଣ୍ଡାଙ୍କ ପରି ଅତ୍ୟନ୍ତ କଡା ଅଧିକାରୀ ସେ ନଥିଲେ। ବରଂ ସେ ପୂରା ଚାକିରି ଜୀବନରେ ଜୀ ହଜୁରି କରିଛନ୍ତି ଓ ଭଲ ପଦବୀ ରେ ରହି ଆସିଛନ୍ତି। ଗଣ ଶିକ୍ଷା ବିଭାଗର ସଚିବ ଥିଲାବେଳେ ସେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଯେଉଁ ୟୁନିଫର୍ମ ବ୍ୟବସ୍ଥା କରିଥିଲେ, ତାହା ଅତ୍ୟନ୍ତ ଅରୁଚିକର ଓ ଓଡିଶା ପାଇଁ ଅନାବଶ୍ୟକ ବ୍ୟବସ୍ଥା ଥିଲା। ସେ ହୁଏତ ୟୁନିଫର୍ମ ମାଧ୍ୟମରେ ଓଡିଶା ହସ୍ତତନ୍ତର ବିକାଶ କରିପାରିଥାନ୍ତେ। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବରେ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ମୁନାଫା ଦେବାକୁ ଗୋଲାପି ଶାଢୀର ପ୍ରଚାର କରାଗଲା। ସେହିପରି ଭୁବନେଶ୍ଵର ମହାନଗର ନିଗମର କମିଶନର ଥିବା ବେଳେ ସେ ସୌନ୍ଦର୍ୟକରଣ ନାଁରେ ଯେଉଁ ସିମେଣ୍ଟ ଗଢା ମିରିଗ ମୟୂର ସବୁ ବସାଇଥିଲେ, ସେ ଗୁଡିକ ତିନିମାସ ପରେ ଭଙ୍ଗାରୁଜା ହୋଇଗଲା। ରାଜମହଲ ଓଭର ବ୍ରିଜ କାମ ଆରମ୍ଭ ହେବାର ମାତ୍ର କିଛି ଦିନ ଆଗରୁ ଏତେ ଗୁଡିଏ ଟଙ୍କା ପାଣିରେ ପଡିଥିଲା। ସରକାରୀ ଅଧିକାରୀ ଭାବରେ ତାଙ୍କର ଏମିତି କିଛି ଜନମଙ୍ଗଳ ପଦକ୍ଷେପ ନାହିଁ ଯାହାକୁ ଦେଖି ତାଙ୍କର ରାଜନୈତିକ ଭବିଷ୍ୟତ ଉଜ୍ଜଳ ବୋଲି କହିହେବ।

ସୋସିଆଲ ମିଡିଆରେ ଅପରାଜିତାଙ୍କର ପ୍ରଭାବ ମଧ୍ୟ ସେତେ ଖାସ ନୁହେଁ। ସେ ମାତ୍ର ମାସେ ତଳେ ନିଜର ଟୁଇଟର ଆକାଉଣ୍ଟ ଖୋଲିଛନ୍ତି। ଏଇ ମାସେ ଭିତରେ ସେ କରିଥିବା ଟୁଇଟ ସଂଖ୍ୟା ମାତ୍ର ୧୦। ତାଙ୍କର ଅନୁସରଣକାରୀଙ୍କ ସଂଖ୍ୟା ୩୬୧୧ ଓ ସେ ନିଜେ ୮ ଜଣଙ୍କୁ ଟୁଇଟରରେ ଅନୁସରଣ କରୁଛନ୍ତି। ତେବେ ସେ ଅନୁସରଣ କରୁଥିବା ନେତାଙ୍କ ଭିତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପ୍ରବକ୍ତା ପୀତାମ୍ବର ଆଚାର୍ୟ, ରତନ ଟାଟା ଓ ଆଉ ତିନିଜଣ ଆଇଏଏସ ଅଧିକାରୀ। ହେଲେ ଅପରାଜିତାଙ୍କୁ ଅନୁସରଣ କରୁଥିବା ଲୋକଙ୍କ ଭିତରେ ଅଛନ୍ତି ଓଡିଶାର ବହୁ ସାମ୍ବାଦିକ ଓ ସଂଘ ତଥା ବିଜେପି ସମର୍ଥକ। ଫେସବୁକ ରେ ମଧ୍ୟ ସେ ଏହି ବର୍ଷ ଯୋଗ ଦେଇଛନ୍ତି ଓ ସେଠାରେ ମଧ୍ୟ ତାଙ୍କ କାର୍ଯକଳାପ ବିଶେଷ ରାଜନୈତିକ ନୁହେଁ। ତେଣୁ ସୋସିଆଲ ମିଡିଆରେ ଅପରାଜିତାଙ୍କୁ କେନ୍ଦ୍ରକରି ଯାହା ଚର୍ଚ୍ଚା ହେଉଛି, ତାହାର ପ୍ରାୟୋଜକ ହୁଏତ ଅନ୍ୟ କେହି ନିଶ୍ଚୟ।

ବିଜେପିରେ ଅପରାଜିତାଙ୍କ ଆଗରୁ ଆହୁରି କିଛି ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଯୋଗଦେଇଛନ୍ତି। ସେମାନେ ଅପରାଜିତାଙ୍କ ଠାରୁ ବରିଷ୍ଠ ଓ ପ୍ରଭାବଶାଳୀ। ତେଣୁ ବିଜେପି ଭିତରେ ହଠାତ ଅପରାଜିତାଙ୍କ ନେତୃତ୍ୱ ଗୋଟେ ପ୍ରକାର ଆଶ୍ଵସ୍ତିକର ପରିସ୍ଥିତି ସୃଷ୍ଟି କରିବା। ସିଧା କେନ୍ଦ୍ରୀୟ ନେତୃତ୍ବର ସୁପାରିଶରେ ଅପରାଜିତାଙ୍କ ଯୋଗଦାନ  ଓଡିଶା ବିଜେପିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବଡ ମୁଣ୍ଡବିନ୍ଧାର କାରଣ ହେବ। ଏକଦା ଧର୍ମେନ୍ଦ୍ର ନିଜ ନେତୃତ୍ବ ପାଇଁ କଣ୍ଟା ବୋଲି ମନେ କରୁଥିବା ପ୍ରତାପ ଷଢଙ୍ଗୀ, ଜୁଏଲ ଓରାମ, କନକ ବର୍ଦ୍ଧନ ସିଂଦେଓ ପ୍ରମୁଖଙ୍କୁ କୋଣଠେସା କରିଥିଲେ। ଆଜି ହଠାତ ତାଙ୍କ ନେତୃତ୍ୱ ଜଣେ ବାହାରି- ଅନଭିଜ୍ଞ ଅଧିକାରୀଙ୍କ ଦ୍ଵାରା ଆହ୍ୱାନର ସମ୍ମୁଖୀନ ହେଉଛି। ବିଜେପି ସୋସିଆଲ ମିଡିଆର ପରିଚିତ ମୁହଁ ମାନେ ଯେତେବେଳେ ଅପରାଜିତାଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ପ୍ରଚାର କରୁଛନ୍ତି, ସେତେବେଳେ ଧର୍ମେନ୍ଦ୍ରଙ୍କ ପାଇଁ ଅପରାଜିତା ଗୋଟେ ବଡ ଆତଙ୍କ ତଥା କଣ୍ଟକ ହେବାର ସମ୍ଭାବନା ଅଧିକ।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.