ବିଶ୍ବକପ୍‌ ରାଉଣ୍ଡ ଅପ୍‌ : ପଦାର୍ପଣ ଟୁର୍ଣ୍ଣାମେଣ୍ଟରେ ଓ୍ବେଷ୍ଟ ଇଣ୍ଡିଜର ବାଜିମାତ୍‌

Published: May 16, 2019, 5:04 pm IST
world cup coundown

ସରୋଜ ଜେନା

ଆସନ୍ତା ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍‌ର ମହାକୁମ୍ଭ ବିଶ୍ବକପ୍‌ । ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନ୍‌ସିଲ୍‌ (ଆଇସିସି) ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ପ୍ରତି ଚାରିବର୍ଷରେ ଥରେ ଆୟୋଜିତ ହେଉଛି । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିଛନ୍ତି ଇଂଲଣ୍ଡ ଏବଂ ଓ୍ବେଲ୍‌ସ କ୍ରିକେଟ୍‌ ବୋର୍ଡ । କ୍ରିକେଟ ବିଶ୍ବକପ୍‌ର ଏହି ୧୨ତମ ସଂସ୍କରଣ ମେ ୩୦ରୁ ଜୁଲାଇ ୧୪ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।  ୪୮ ମ୍ୟାଚ୍‌ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଟିମ୍‌ ଅଂଶଗ୍ରହଣ କରୁଛନ୍ତି । ବର୍ମିଂହାମ, ବ୍ରିଷ୍ଟଲ୍‌, କାର୍ଡିଫ୍‌, ଚେଷ୍ଟର ଲେ ଷ୍ଟ୍ରିଟ୍‌, ଲଣ୍ଡନ୍‌, ଲିଡ୍‌ସ୍‌, ମାଞ୍ଚେଷ୍ଟର, ନଟିଂହାମ୍‌, ସାଉଥାମ୍ପଟନ୍‌ ଏବଂ ଟଣ୍ଟନ୍‌ର ୧୧ଟି ଷ୍ଟାଡିୟମ୍‌ରେ ଏହି ୪୮ ଟି ମ୍ୟାଚ୍‌ ଖେଳାଯିବ । ମାଞ୍ଚେଷ୍ଟରରେ ସର୍ବାଧିକ ୬ଟି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ କ୍ରିକେଟର ମକ୍କା ଲର୍ଡସ୍‌ରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ୧୯୯୨ ପରି ଏହି ଟୁର୍ଣ୍ଣାମେଣ୍ଟଟି ମଧ୍ୟ ରାଉଣ୍ଡ ରବିନ୍‌ ଲିଗ୍‌ ଫର୍ମାଟ୍‌ରେ ଖେଳାଯିବ । ୧୧ଟି ସଂସ୍କରଣ ମଧ୍ୟରୁ ଅଷ୍ଟ୍ରେଲିଆ ୫ ଥର ବିଶ୍ବ ଚାମ୍ପିୟନ୍‌ ରହିଥିବାବେଳେ, ଓ୍ବେଷ୍ଟ ଇଣ୍ଡିଜ୍‌ ଏବଂ ଭାରତ ଦୁଇଥର ଲେଖାଏଁ ଏହି ଟ୍ରଫି ହାସଲ କରିଛନ୍ତି । ଦୁଇ ଏସୀୟ ରାଷ୍ଟ୍ର ପାକିସ୍ତାନ ଏବଂ ଶ୍ରୀଲଙ୍କା ଥରେ ଲେଖାଏଁ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ଆମର ଏହି ପ୍ରଚ୍ଛଦରେ ପ୍ରତ୍ୟେକ ବିଶ୍ବକପ୍‌ ସଂସ୍କରଣରେ ବିଜୟୀ ଦଳର ପ୍ରଦର୍ଶନ ସମ୍ପର୍କରେ ଆଲୋକପାତ କରାଯିବ । ପ୍ରଥମ ବିଶ୍ବକପ୍‌ର ବିଶ୍ବବିଜୟୀ ଦଳ ଓ୍ବେଷ୍ଟ ଇଣ୍ଡିଜ୍‌ର ସଫଳତାକୁ ନେଇ ଆମର ବିଶେଷ ଆଲୋଚନା ।

୧୯୭୫ ମସିହାରେ ଇଂଲଣ୍ଡରେ ଖେଳା ଯାଇଥିବା କ୍ରିକେଟ୍‌ ଇତିହାସର ପ୍ରଥମ ବିଶ୍ବକପ୍‌ ‘ଦ ପ୍ରୁଡେନ୍‌ସିଆଲ୍‌ କପ୍‌’ ନାମରେ ପରିଚିତ । କ୍ରିକେଟର ଏହି ପଦାର୍ପଣ ବିଶ୍ବକପ୍‌ରେ କ୍ଲାଇବ୍‌ ଲୟେଡ୍‌ଙ୍କ ନେତୃତ୍ବାଧୀନ ଓ୍ବେଷ୍ଟଇଣ୍ଡିଜ୍‌ ଟାଇଟଲ୍‌ ହାସଲରେ ସଫଳ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟଟି ୬୦ ଓଭର ବିଶିଷ୍ଟ ରହିଥିବା ବେଳେ ଜଣେ ବୋଲର ୧୨ଓଭର ବୋଲିଂ କରୁଥିଲେ । ଜୁନ୍‌ ୭ରୁ ଜୁନ୍‌ ୨୧ମଧ୍ୟରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ଟି ଟିମ୍‌ ଅଂଶ ଗ୍ରହଣ କରିଥିବା ବେଳେ ଓ୍ବେଷ୍ଟ ଇଣ୍ଡିଜ୍‌ ଚାମ୍ପିୟନ୍‌ ହୋଇଥିଲା । ଏଥିରେ ଅଷ୍ଟ୍ରେଲିଆ ରନର୍ସଅପ୍‌ ହୋଇଥିଲା । ଲର୍ଡସ୍‌ରେ ଅନୁଷ୍ଠିତ ଫାଇନାଲ୍‌ରେ ଦଳ ୧୭ ରନ୍‌ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଅଧିନାୟକ ଭାବରେ ବିଶ୍ବକପ୍‌ ଫାଇନାଲ୍‌ରେ ଶତକ ହାସଲ କରିବାର ସୌଭାଗ୍ୟ ହାସଲ କରିଥିଲେ କ୍ଲାଇବ୍‌ ଲୟେଡ୍‌ । ଟୁର୍ଣ୍ଣାମେଣ୍ଟରେ ୬ଟି ପୂର୍ଣ୍ଣକାଳୀନ ଟେଷ୍ଟ୍‌ ସଦସ୍ୟ ରହିଥିବା ବେଳେ ଶ୍ରୀଲଙ୍କା ଏବଂ ପୂର୍ବ ଆଫ୍ରିକା ଆମନ୍ତ୍ରିତ ଦଳ ଭାବରେ ଖେଳିଥିଲେ । ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲ୍ୟାଣ୍ଡର ଗ୍ଲେନ୍‌ ଟର୍ଣ୍ଣର ସର୍ବାଧିକ ୩୩୩ ରନ୍‌ ସଂଗ୍ରହ କରିଥିବା ବେଳେ ଅଷ୍ଟ୍ରେଲିଆର ଗ୍ୟାରୀ ଗିଲ୍‌ମୋର୍‌ ସର୍ବାଧିକ ୧୧ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୭ଟି ଶତକ ହୋଇଥିବା ବେଳେ ଟର୍ଣ୍ଣର ଏକାକୀ ଦୁଇଟି ଶତକ ହାସଲ କରିଥିଲେ । ପୁଲ୍‌ ଏରେ ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଭାରତ ଏବଂ ପୂର୍ବ ଆଫ୍ରିକା ରହିଥିବା ବେଳେ ପୁଲ୍‌ ବିରେ ଓ୍ବେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ, ପାକିସ୍ତାନ ଏବଂ ଶ୍ରୀଲଙ୍କା ସ୍ଥାନ ପାଇଥିଲେ । ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଓ୍ବେଷ୍ଟ ଇଣ୍ଡିଜ୍‌ ଏବଂ ଅଷ୍ଟ୍ରେଲିଆ ସେମି ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ । ସେମି ଫାଇନାଲ୍‌ରେ ଆୟୋଜକ ଇଂଲଣ୍ଡକୁ ୪ ଓ୍ବିକେଟ୍‌ରେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ । ଇଂଲଣ୍ଡ ମାତ୍ର ୯୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିବା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ ଗ୍ୟାରୀ ଗିଲ୍‌ମୋର (୧୪/୬ ଏବଂ ୨୮*) ଅଲରାଉଣ୍ଡ ପ୍ରଦର୍ଶନ କରିଥିଲେ । ସେହିପରି ନ୍ୟୁଜିଲ୍ୟାଣ୍ଡକୁ ୫ ଓ୍ବିକେଟ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲା କ୍ଲାଇବ୍‌ ଲୟେଡଙ୍କ ଦଳ । ବର୍ଣ୍ଣାର୍ଡ ଜୁଲିଏନ୍‌ (୨୭/୪)ଙ୍କ ପ୍ରଦର୍ଶନ ବଳରେ ନ୍ୟୁଜିଲ୍ୟାଣ୍ଡ ୧୫୮ରେ ସୀମିତ ରହିଥିବା ବେଳେ ଆଲ୍‌ଭିନ୍‌ କାଳୀଚରଣଙ୍କ ୭୨ ରନ୍‌ ବଳରେ ନ୍ୟୁଜିଲ୍ୟାଣ୍ଡ 5 ଓ୍ବିକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିଥିଲା । ଳର୍ଡସ୍‌ରେ ଅନୁଷ୍ଠିତ ଫାଇନାଲ୍‌ରେ ଲୟଡ୍‌ଙ୍କ ଶତକ (୧୦୨) ବଳରେ ଇଣ୍ଡିଜ୍‌ ନିର୍ଦ୍ଧାରିତ ଓଭରରେ ୨୧୯ ରନ୍‌ ସଂଗ୍ରହ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ୨୭୪ ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇ ଟାଇଟଲ୍‌ ହରାଇଥିଲା । ଏହି ମ୍ୟାଚ୍‌ରେ ୫ ଅଷ୍ଟ୍ରେଲୀୟ ଖେଳାଳି ରନ୍‌ ଆଉଟ୍‌ ହୋଇଥିଲେ । ଭାରତୀୟ ଦଳ ଏହି ବିଶ୍ବକପ୍‌ରେ ପଦାର୍ପଣ କରିଥିବା ବେଳେ ୩ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ଏହା ସହିତ ମହାନ ଭାରତୀୟ ଓପ୍‌ନର ଗାଭାସ୍କର ଏହି ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ମଧ୍ୟ ହାସଲ କରିଥିଲେ । ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଗାଭାସ୍କର ୧୭୪ ବଲ୍‌ର ସମ୍ମୁଖୀନ ହୋଇ ମାତ୍ର ୩୬ ରନ୍‌ ସଂଗ୍ରହ କରିଥିଲେ ଯାହାକୁ ସେ ସମୟରେ କଡା ସମାଲୋଚନା କରାଯାଇଥିଲା ।

Related posts