ଶୂନ୍ୟ ରୁ କିଙ୍ଗ ମେକର ଭୂମିକାରେ କଂଗ୍ରେସ, ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି

Published: Nov 11, 2019, 8:12 pm IST

ସମୀକ୍ଷା ବ୍ୟୁରୋ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକ ଟେଲିଭିଜନ ବିତର୍କ ରେ ବିଜେପିର ବଡପାଟିଆ ପ୍ରବକ୍ତା ସମ୍ବିତ ପାତ୍ର କହିଥିଲେ-ମହାରାଷ୍ଟ୍ରରେ ବିଜେପିର ପ୍ରତିପକ୍ଷ କେହି ନାହାନ୍ତି। କଂଗ୍ରେସକୁ ଅପମାନିତ କଲା ଭଳି ସମ୍ବିତ କହିଥିଲେ ଯେ ଟିକଟ ଯାଚିଲେ ମଧ୍ୟ କଂଗ୍ରେସ ରୁ ଟିକଟ ନେବାକୁ କେହି ଆସୁନାହାନ୍ତି। ବିଜେପି ର ଏହି ମାତ୍ରାଧିକ ଆତ୍ମବିଶ୍ବାସ ଆଜିର ତାରିଖରେ ଆତ୍ମଘାତୀ ସାବ୍ୟସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନିର୍ବାଚନୀ ସଭାଗୁଡ଼ିକରେ କଂଗ୍ରେସ ଓ ଏନସିପି ବିରୋଧରେ “ଡୁବ ମରୋ” ଭଳି ଅପଭାଷାର ପ୍ରୟୋଗ ପଛରେ ଏହି ଅତ୍ୟଧିକ ଆତ୍ମବିଶ୍ବାସ ଓ ଅହଂକାର ହିଁ ରହିଥିଲା।

ଖୋଦ କଂଗ୍ରେସ ନେତୃତ୍ୱ ମଧ୍ୟ ମହାରାଷ୍ଟ୍ରରେ ଦଳର ପ୍ରଦର୍ଶନକୁ ନେଇ ବିଶେଷ ଆଶାବାଦୀ ନ ଥିଲେ। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ବିଲକୁଲ ନିର୍ବାଚନ ପ୍ରଚାରକୁ ଆସିନଥିବା ବେଳେ ରାହୁଲ ଗାନ୍ଧୀ ମାତ୍ର ଦୁଇଟି ସଭା ରେ ଯୋଗ ଦେଇଥିଲେ। ତେବେ ଘଟଣାଚକ୍ର ରେ ଆଜି ମହାରାଷ୍ଟ୍ରରେ ସରକାର ଗଢ଼ିବାର ଲଗାମ କଂଗ୍ରେସ ହାତରେ ରହିଛି। ୪୪ଆସନ ଜିଣିଥିବା କଂଗ୍ରେସ ଆଜି ମହାରାଷ୍ଟ୍ର ରାଜନୀତିର ନିର୍ଣ୍ଣାୟକ ଭୂମିକାରେ।

ଶିବସେନା, ଏନସିପି ଓ କଂଗ୍ରେସର ଅସାଧାରଣ ମେଣ୍ଟ ହାତକୁ କ୍ଷମତା ଆସିବା ଯଦି ଚୂଡାନ୍ତ ହୁଏ, ତାହେଲେ କଂଗ୍ରେସ ହିଁ ଆଗାମୀ ଦିନ ରେ ସବୁଠାରୁ ବେଶି ଲାଭବାନ ହେବ। କୌଣସି ଆଶା ରଖି ନିର୍ବାଚନ ଲଢି ନଥିବା କଂଗ୍ରେସ ହାତକୁ ଆସି ଥିବା ଏ ଅପ୍ରତ୍ୟାଶିତ ଲାଭକୁ ଥଳ ନିଜର ଭବିଷ୍ୟତ ସଜାଡିବାରେ ଉପଯୋଗ କରିବ।

Related posts