ରାଷ୍ଟ୍ରପତିଙ୍କ ଗଣତନ୍ତ୍ର ଦିବସ ବାର୍ତ୍ତା : ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସା ବାଣୀ ଏବେ ଦେଶ ପାଇଁ ଅଧିକ ମହତ୍ତ୍ବପୂର୍ଣ୍ଣ

Published: Jan 25, 2020, 7:47 pm IST

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ସମ୍ବୋଧନ କରିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶରେ ନ୍ୟାୟ, ସ୍ବତନ୍ତ୍ରତା, ସମାନତା ତଥା ଭାଇଚାର ପାଇଁ ଗଣତାନ୍ତ୍ରିକ ଆଦର୍ଶ ପ୍ରତି ସର୍ବଦା ପ୍ରତିବଦ୍ଧ ରହିବା ପାଇଁ କହିଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ସରକାରଙ୍କର ଜଳଜୀବନ ମିଶନ, ଜିଏସ୍‌ଟି, ଉଜ୍ଜ୍ବଳା, ଆୟୁଷ୍ମାନ ଯୋଜନାର ପ୍ରଶଂସା କରିଛନ୍ତି । ଦେଶର ବିକାଶ ପାଇଁ ନିରନ୍ତର ପ୍ରୟାସ କରାଯାଉଛି ବୋଲି କହିବା ସହିତ  ଦେଶର ବିକାଶ ପାଇଁ ଏକ ସୁଦୃଢ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ରହିବା ନିତାନ୍ତ ଜରୁରୀ ବୋଲି କହିଛନ୍ତି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ମଜବୁତ କରିବା ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି । ସେହିପରି ଶିକ୍ଷାକୁ ବିଶ୍ବସ୍ତରୀୟ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି କରିବାକୁ କହିଛନ୍ତି ରାଷ୍ଟ୍ରପତି। 2020 ଅଲମ୍ପିକ୍‌ ପାଇଁ ଖେଳାଳୀମାନଙ୍କ ପ୍ରତି ଦେଶବାସୀଙ୍କ ଶୁଭେଚ୍ଛା ରହିଛି । ଏହି ଅବସରରେ ଦେଶର ସୁରକ୍ଷା ବଳ ଓ ଇସ୍ରୋକୁ ମୁକ୍ତ କଣ୍ଠରେ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି। ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ପ୍ରତି ସୁରକ୍ଷା ବଳଙ୍କ ବଳିଦାନ ଅଦ୍ବିତୀୟ ବୋଲି କହିଛନ୍ତି ମହାମହିମ । ସେହିପରି ପ୍ରବାସୀ ଭାରତୀୟଙ୍କ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି। ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସା ବାଣୀ ଏବେ ଦେଶ ପାଇଁ ଅଧିକ ମହତ୍ତ୍ବପୂର୍ଣ୍ଣ ହୋଇପଡିଛି ବୋଲି କହିଛନ୍ତି ରାଷ୍ଟ୍ରପତି । ଚଳିତ 71 ତମ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଛନ୍ତି ବ୍ରାଜିଲ୍‌ର ରାଷ୍ଟ୍ରପତି ଜାଇର୍‌ ବୋଲ୍‌ଜୋନାରୋ  । (ଏଜେନ୍ସି)

Related posts