Categories
ଆଜିର ଖବର ଜାତୀୟ ଖବର

୭୫ ବର୍ଷର ଲୋକସଭା ନିର୍ବାଚନ ଇତିହାସରେ ସର୍ବାଧିକ ପ୍ରଲୋଭନ ସାମଗ୍ରୀ ଜବତ କଲେ ନିର୍ବାଚନ ଆୟୁକ୍ତ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ଜାରି ରହିଥିବା ବେଳେ ଦେଶରେ ଲୋକସଭା ନିର୍ବାଚନର ୭୫ ବର୍ଷର ଇତିହାସରେ ସର୍ବାଧିକ ପ୍ରଲୋଭନ ସାମଗ୍ରୀ ଜବତ କରାଯିବା ଦିଗରେ ନିର୍ବାଚନ ଆୟୋଗଙ୍କୁ ବ୍ୟାପକ ସଫଳତା ମିଳିଛି । ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବା ପୂର୍ବରୁ ଅର୍ଥବଳ ବିରୋଧରେ ନିର୍ବାଚନ ଆୟୋଗଙ୍କ ନେତୃତ୍ୱରେ ପ୍ରବର୍ତ୍ତନ ଏଜେନ୍ସିମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରେକର୍ଡ ୪୬୫୦ କୋଟି ଟଙ୍କା ଜବତ କରିଛନ୍ତି। ୨୦୧୯ରେ ଲୋକସଭା ନିର୍ବାଚନର ସମଗ୍ର ପ୍ରକ୍ରିୟା ଅବଧିରେ ଜବତ ହୋଇଥିବା ୩୪୭୫ କୋଟି ଟଙ୍କା ତୁଳନାରେ ଏହା ଦ୍ରୁତ ବୃଦ୍ଧି ପାଇଛି। ଏହି ସମୟରେ ଓଡ଼ିଶାରୁ କୋଟି ୪୭ ଲକ୍ଷରୁ ଅଧିକ ଟଙ୍କା ଏବଂ ପ୍ରାୟ ୧୩ ଲକ୍ଷ ୨୪ ହଜାର ୧୧୧ ଲିଟର ମଦ ଜବତ ହୋଇଛି ଜବତ ମଦର ଆନୁମାନିକ ମୂଲ୍ୟ ୧୬ କୋଟିରୁ ଅଧିକ ଟଙ୍କା ହେବ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶବ୍ୟାପୀ ଜବତ ହୋଇଥିବା ୪୫ ପ୍ରତିଶତ ଡ୍ରଗ୍ସ ଓ ନିଶାଦ୍ରବ୍ୟ ଉପରେ ଆୟୋଗଙ୍କ ବିଶେଷ ଫୋକସରେ ରହିଛି। ବ୍ୟାପକ ଯୋଜନା, ସହଯୋଗ ବୃଦ୍ଧି ଏବଂ ଏଜେନ୍ସିଗୁଡ଼ିକର ସମନ୍ୱିତ ପ୍ରତିରୋଧ କାର୍ଯ୍ୟ, ସକ୍ରିୟ ନାଗରିକ ଅଂଶଗ୍ରହଣ ଏବଂ ପ୍ରଯୁକ୍ତିବିଦ୍ୟାର ସର୍ବୋତ୍ତମ ନିୟୋଜନ ଦ୍ୱାରା ଏହି ଜବତ ସମ୍ଭବ ହୋଇପାରିଛି ।

ନିର୍ଦ୍ଦିଷ୍ଟ ଭୌଗୋଳିକ କ୍ଷେତ୍ରରେ ଅନୁମତିପ୍ରାପ୍ତ ରାଜନୈତିକ ଖର୍ଚ୍ଚ ସୀମା ଏବଂ ପ୍ରକାଶିତ ସଠିକ ଆର୍ଥିକ ବିବରଣୀ ଠାରୁ ଅଧିକ କଳାଧନର ବ୍ୟବହାର ଦ୍ୱାରା ସମାନ ସୁଯୋଗ ସୃଷ୍ଟି ହେବାରେ ବାଧା ଉତ୍ପନ୍ନ ହୋଇପାରେ । ଅଧିକ ସମ୍ବଳ ସମ୍ପନ୍ନ ଦଳ କିମ୍ବା ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ସୃଷ୍ଟି କରାଯାଇପାରେ । ତେଣୁ ପ୍ରଲୋଭନ ଓ ଦୁର୍ନୀତି ମୁକ୍ତ ଲୋକସଭା ନିର୍ବାଚନ କରାଇବା ଏବଂ ସବୁ ପ୍ରାର୍ଥୀ ଓ ଦଳ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ସଂକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ସ୍ୱରୂପ ଏହି ଜବତ କରାଯାଇଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଶ୍ରୀ ରାଜୀବ କୁମାର ଗତ ମାସରେ ନିର୍ବାଚନ ଘୋଷଣା କରିବା ସମୟରେ ଅର୍ଥ ବଳ ବା ମନି ପାୱାରକୁ ‘୪ଏମ୍’ ଚ୍ୟାଲେଞ୍ଜ ଭାବେ ଦର୍ଶାଇଥିଲେ। ଏପ୍ରିଲ ୧୨ ତାରିଖରେ ସିଇସି ଶ୍ରୀ ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର ଏବଂ ଶ୍ରୀ ସୁଖବୀର ସିଂ ସାନ୍ଧୁ ଏପ୍ରିଲ ୧୯ରେ ହେବାକୁ ଥିବା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ନିୟୋଜିତ ସମସ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା କରିଥିଲେ। ପ୍ରଲୋଭନମୁକ୍ତ ନିର୍ବାଚନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ କଡାକଡ଼ି, ତଦାରଖ ଏବଂ ଚେକିଂ ଉପରେ ଆଲୋଚନା ହୋଇଥିଲା।

ବିଶେଷ କରି ପ୍ରଲୋଭନ ଉପରେ ନଜର ରଖିବା ଏବଂ ନିର୍ବାଚନୀ ଦୁର୍ନୀତିକୁ ରୋକିବା ତଥା କ୍ଷୁଦ୍ର ଓ କମ୍ ଆର୍ଥିକ ସମ୍ବଳ ସମ୍ପନ୍ନ ଦଳମାନଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଲାଗି ନିର୍ବାଚନ ଆୟୋଗଙ୍କ ଅତୁଟ ପ୍ରତିବଦ୍ଧତାକୁ ଏହି ବିପୁଳ ପରିମାଣର ଜବତ ପ୍ରତିଫଳିତ କରୁଛି ।

ତାମିଲନାଡୁର ନୀଳଗିରିରେ ଘଟିଥିବା ଏକ ଘଟଣାରେ କର୍ତ୍ତବ୍ୟରେ ଅବହେଳା ଏବଂ ଜଣେ ବିଶିଷ୍ଟ ନେତାଙ୍କ ଗାଡ଼ିର ପକ୍ଷପାତମୂଳକ ଯାଞ୍ଚ ପାଇଁ ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ଲିଡରଙ୍କୁ ନିର୍ବାଚନ ଆୟୁକ୍ତ ନିଲମ୍ବିତ କରିଛନ୍ତି। ସେହିଭଳି ଅଧିକାରୀମାନେ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଏବଂ ଅନ୍ୟ ରାଜ୍ୟରେ ଜଣେ ଉପ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଯାଞ୍ଚ କରିଛନ୍ତି । ନିର୍ବାଚନ ପ୍ରଚାରରେ ରାଜନେତାଙ୍କୁ ସହଯୋଗ କରୁଥିବା ପ୍ରାୟ ୧୦୬ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଆଚରଣ ବିଧି ଓ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗରେ ଆୟୋଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସଂସଦୀୟ ନିର୍ବାଚନ ଘୋଷଣା ସମୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଇସି ଶ୍ରୀ ରାଜୀବ କୁମାର ବିସିଏଏସ୍ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ମାଗଣା ସାମଗ୍ରୀ ରଖିବା ପାଇଁ ବ୍ୟବହୃତ ଅସ୍ଥାୟୀ ଗୋଦାମ, ଅନ୍ତର୍ଜାତୀୟ ସୀମାପାର୍‌ ଚେକପୋଷ୍ଟ, ଅଣନିର୍ଦ୍ଧାରିତ ବିମାନ ଓ ହେଲିକପ୍ଟରେ ଆୟକର ବିଭାଗ, ବିମାନ ବନ୍ଦର କର୍ତ୍ତୃପକ୍ଷ, ସୀମା ସୁରକ୍ଷା ଏଜେନ୍ସି, ସମ୍ପୃକ୍ତ ଜିଲ୍ଲାର ଏସପି ଓ ଜିଏସଟି ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ଉପରେ ନିର୍ବାଚନ ଆୟୋଗ ଜୋର ଦେଇଥିଲେ । ସବୁ ପରିବହନ ମାର୍ଗରେ ବହୁମୁଖି ଯାଞ୍ଚ ଉପରେ ସମୀକ୍ଷା ସମୟରେ ନିର୍ବାଚନ ଆୟୋଗ ଗୁରୁତ୍ୱାରୋପ କରିଥିଲେ । ସଡ଼କ ପରିବହନ ପାଇଁ ଚେକପୋଷ୍ଟ ଓ ନାକାରେ, ଉପକୂଳ ମାର୍ଗରେ ତଟରକ୍ଷୀ ବାହିନୀ ଦ୍ୱାରା ଏବଂ ହେଲିକପ୍ଟର ଓ ଅଣନିର୍ଦ୍ଧାରିତ ବିମାନରେ ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରା ଯାଞ୍ଚ କରାଯିବା ଉପରେ ଜୋର୍‌ ଦିଆଯାଇଥିଲା ।

୧୩ ଏପ୍ରିଲ ୨୦୨୪ ସୁଦ୍ଧା ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ପିଛା ଜବତ ପରିମାଣ ସଂଲଗ୍ନକ ଏ ରେ ଦିଆଯାଇଛି ।

ଏହା କିପରି ସମ୍ଭବ ହେଲା?

ନିର୍ବାଚନ ଜବତ ପରିଚାଳନା ପ୍ରଣାଳୀ (ଇଏସଏମଏସ) ଟେକ୍ନୋଲୋଜିର ବ୍ୟବହାର ମାଧ୍ୟମରେ ସମସ୍ତ ଏନଫୋର୍ସମେଣ୍ଟ ଏଜେନ୍ସିକୁ ଗୋଟିଏ ପ୍ଲାଟଫର୍ମରେ ଆଣିବା ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହେଉଛି । ନିରୀକ୍ଷଣ ପ୍ରକ୍ରିୟାରେ ବୈଷୟିକ ଜ୍ଞାନକୌଶଳର ପ୍ରଚଳନ ସହିତ ଇସିଆଇର ଏକ ଆଭ୍ୟନ୍ତରୀଣ ବିକଶିତ ପୋର୍ଟାଲ ଇଏସଏମଏସ ଏକ ଉତପ୍ରେରକ ସାବ୍ୟସ୍ତ ହେଉଛି । ଜବରଦଖଲ ଓ ଜବତର ରିଅଲ ଟାଇମ୍ ରିପୋର୍ଟିଂ, ଜବତର ଡୁପ୍ଲିକେସନ ବା ନକଲିକରଣକୁ ଏଡ଼ାଇବା ପାଇଁ ଏହି ଅଭିନବ ଉଦ୍ଭାବନ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ପରୀକ୍ଷଣ କରାଯାଇଥିଲା।

ଏହି ପୋର୍ଟାଲ ସମସ୍ତ ନିୟନ୍ତ୍ରଣ ସ୍ତରରେ ଦ୍ରୁତ ଏବଂ ସମୟୋଚିତ ସମୀକ୍ଷା କରିବାକୁ ସକ୍ଷମ କରି କେବଳ ମାଉସ୍ କ୍ଲିକ୍ ରେ ଡିଜିଟାଲ୍ ଟ୍ରେଲ୍ ଏବଂ ଜବତ ସୂଚନା ଉପଲବ୍ଧତାର ସୁବିଧା ପ୍ରଦାନ କରେ । ତଥ୍ୟ ଅନୁଯାୟୀ, ବିଭିନ୍ନ ଏଜେନ୍ସିର ୬୩୯୮ ଜିଲ୍ଲା ନୋଡାଲ ଅଫିସର, ୭୩୪ ଜଣ ରାଜ୍ୟ ନୋଡାଲ ଅଫିସର, ୫୯୦ ଫ୍ଲାଇଂ ସ୍କ୍ୱାଡ୍ (ଏଫ୍ଏସ୍) ଏବଂ ଷ୍ଟାଟିକ୍ସ ସର୍ଭିଲାନ୍ସ ଟିମ୍ (ଏସଏସଟି)କୁ ରିୟଲ ଟାଇମ୍ ମନିଟରିଂ ଏବଂ ଅପଡେଟ୍ ପାଇଁ ଇଏସ୍ଏମ୍ଏସ୍ ପ୍ଲାଟଫର୍ମରେ ନିୟୋଜିତ କରାଯାଇଛି। ସମସ୍ତ ନୋଡାଲ ଅଧିକାରୀଙ୍କୁ ଇଏସଏମଏସ ବ୍ୟବହାର କରିବାର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ଦିଆଯାଇଛି । ୨୦୨୩ରେ ବିଧାନସଭା ନିର୍ବାଚନ ସମୟରେ ଏହି ବ୍ୟବସ୍ଥା ଦୃଢ଼ ରୂପ ନେଇଥିଲା, ଯେତେବେଳେ ୨୦୧୪.୨୬ କୋଟି ଟଙ୍କା ଜବତ ହୋଇଥିଲା, ଯାହା ପୂର୍ବ ନିର୍ବାଚନରେ ଜବତ ହୋଇଥିବା ୨୩୯.୩୫ କୋଟି ଟଙ୍କାରୁ ଯଥେଷ୍ଟ ଅଧିକ ଥିଲା। ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ସଫଳ ରୂପାୟନ ଓ କ୍ଷେତ୍ରରୁ ମତାମତ ମିଳିବା ପରେ ଚଳିତ ନିର୍ବାଚନରେ ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସମୀକ୍ଷା କରାଯାଇ ଦୃଢ଼ କରାଯାଇଛି।

ସତର୍କ ଏବଂ ବ୍ୟାପକ ଯୋଜନା, ସର୍ବାଧିକ ସଂଖ୍ୟକ ପ୍ରବର୍ତ୍ତନ ଏଜେନ୍ସିର ସମ୍ପୃକ୍ତି: ଏଜେନ୍ସିଗୁଡ଼ିକ ମଧ୍ୟରେ ସହଯୋଗୀ ପ୍ରୟାସ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟରୁ ସର୍ବାଧିକ ସଂଖ୍ୟକ ପ୍ରବର୍ତ୍ତନ ଏଜେନ୍ସି ଏକାଠି ହୋଇଛନ୍ତି।

କ୍ରଂସଂ. ନଂ. ପ୍ରଲୋଭନ ଏଜେ ଏଜେନ୍ସି ନ୍ସିଗୁଡ଼ିକ
1 ନଗଦ ଏବଂ ମୂଲ୍ୟବାନ ଧାତୁ ଆୟକର, ରାଜ୍ୟ ପୋଲିସ, ଆରବିଆଇ, ଏସଏଲବିସି, ଏଏଆଇ, ବିସିଏଏସ, ରାଜ୍ୟ ବେସାମରିକ ବିମାନ ଚଳାଚଳ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଡାକ ବିଭାଗ, ସିଆଇଏସଏଫ
2 ମଦ ରାଜ୍ୟ ପୋଲିସ, ରାଜ୍ୟ ଅବକାରୀ, ଆରପିଏଫ
3 ନିଶା ଦ୍ରବ୍ୟ ରାଜ୍ୟ ପୋଲିସ, ଏନସିବି, ଆଇସିଜି, ଡିଆରଆଇ
4 ମାଗଣା ପ୍ରଲୋଭନ ସିଜିଏସ୍ଟି, ଏସ୍ ଜିଏସ୍ ଟି, ରାଜ୍ୟ ପରିବହନ ବିଭାଗ, ସୀମା ଶୁଳ୍କ, ରାଜ୍ୟ ପୁଲିସ
5 ସୀମା ଅନ୍ୟାନ୍ୟ ଏଜେନ୍ସି ଆସାମ ରାଇଫଲ୍ସ, ବିଏସଏଫ, ଏସଏସବି, ଆଇଟିବିପି, ସିଆରପିଏଫ, ବନ ବିଭାଗ, ରାଜ୍ୟ ପୋଲିସ

ନିର୍ବାଚନର କିଛି ମାସ ପୂର୍ବରୁ ଏବଂ ଜାନୁଆରୀ ୨୦୨୪ରୁ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଅଧିକାରୀମାନେ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରି ନିର୍ବାଚନରେ ଅର୍ଥର ପ୍ରଭାବ ମୁକାବିଲା ଉପରେ ଗୁରୁତ୍ୱ ଦେଇଥିଲେ। ଏହାବ୍ୟତୀତ ଜିଲ୍ଲାଗୁଡ଼ିକର ସମୀକ୍ଷା କରାଯାଇଥିଲା ଏବଂ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଓ ପ୍ରବର୍ତ୍ତନ ଏଜେନ୍ସିମୁଖ୍ୟମାନଙ୍କ ସହ ଆଲୋଚନା କରାଯାଇ ସେମାନଙ୍କ କାର୍ଯ୍ୟଦକ୍ଷତା ଆକଳନ କରିବା ଏବଂ ନିର୍ବାଚନ ସମୟରେ ଆର୍ଥିକ ସମ୍ବଳର ଅପବ୍ୟବହାର ବିରୋଧରେ ଅଧିକ ସତର୍କତାକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା। କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ), ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ) ଙ୍କ ଦ୍ୱାରା ଜାରି ରହିଥିବା ସମୀକ୍ଷାର ଅଧୀନରେ ଅଛନ୍ତି। ଅଧିକାଂଶ ସମୟରେ, ଗୋଟିଏ ଏଜେନ୍ସି ଦ୍ୱାରା କରାଯାଇଥିବା ଆବିଷ୍କାର ଅନ୍ୟମାନଙ୍କ କାର୍ଯ୍ୟକୁ ‘ସୂଚନା ଏବଂ ମାର୍ଗଦର୍ଶନ’ କରିଥାଏ, ଯାହା ଏକ ସମନ୍ୱିତ ଏବଂ ବ୍ୟାପକ ପ୍ରତିରୋଧକ ପ୍ରଭାବ ସୃଷ୍ଟି କରିଥାଏ । ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ବାଚନୀ ଗସ୍ତ ସମୟରେ ସଡ଼କ, ରେଳ, ସମୁଦ୍ର ଏବଂ ଆକାଶମାର୍ଗ ଭଳି ବିଭିନ୍ନ ମାଧ୍ୟମରେ ପ୍ରଲୋଭନ ଯାଞ୍ଚ କରିବାରେ ସମ୍ପୃକ୍ତ ଏଜେନ୍ସିମାନଙ୍କୁ ନେଇ ଗଠିତ ମିଳିତ ଟିମ୍ ର ଗୁରୁତ୍ୱ ଉପରେ ଆୟୋଗ ଜୋର ଦେଇଛନ୍ତି।ଫଳରେ ସରକାରୀ ଘୋଷଣାର କିଛି ମାସ ପୂର୍ବରୁ ଜାନୁଆରୀ ଓ ଫେବ୍ରୁଆରି ମାସରେ ଦେଶବ୍ୟାପୀ ନଗଦ ଟଙ୍କା, ମଦ, ନିଶାଦ୍ରବ୍ୟ, ମୂଲ୍ୟବାନ ଧାତୁ ଓ ମାଗଣା ସାମଗ୍ରୀ ଆକାରରେ ମୋଟ ୭୫୦୨ କୋଟି ଟଙ୍କା ଜବତ ହୋଇଥିଲା। ଫଳରେ ନିର୍ବାଚନ ଅବଧିକୁ ଆଉ ୬ ସପ୍ତାହ ବାକି ଥିବା ବେଳେ ଏପର୍ଯ୍ୟନ୍ତ ମୋଟ ଜବତ ୧୨୦୦୦ କୋଟି ଟଙ୍କାରୁ ଅଧିକ ହୋଇଛି।

ସମାଜରେ ନିଶା ଦ୍ରବ୍ୟ ଉପରେ ଅଧିକ ଧ୍ୟାନ: ଉଲ୍ଲେଖଯୋଗ୍ୟ, ଡ୍ରଗ୍ସ ଜବତ ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଇଥିଲା, ଯାହା ୨୦୨୪ ଜାନୁଆରୀ ଏବଂ ଫେବୃଆରୀରେ ସମୁଦାୟ ଜବତର ପ୍ରାୟ ୭୫% ଥିଲା । ମୁଖ୍ୟ ନିର୍ବାଚନ ଆୟୁକ୍ତର ଶ୍ରୀ ରାଜୀବ କୁମାର ନୋଡାଲ ଏଜେନ୍ସିଗୁଡ଼ିକର ଗସ୍ତ ସମୟରେ ଡ୍ରଗ୍ସ ଏବଂ ନିଶା ଦ୍ରବ୍ୟ ଜବତ କରିବାର ପ୍ରୟାସ ଉପରେ ଜୋର ଦେଇଥିଲେ । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ କଳା ଧନ ବ୍ୟବହୃତ ହେବାର ଆଶଙ୍କା ବ୍ୟତୀତ ନିଶା ଏକ ଗମ୍ଭୀର ସାମାଜିକ ବିପଦ ସୃଷ୍ଟି କରିଥାଏ । ଏହା ଜନସମୁଦାୟ, ବିଶେଷକରି ଯୁବବର୍ଗଙ୍କୁ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି ବୋଲି ସେ ଆଲୋକପାତ କରିଥିଲେ। ନିଶା ଦ୍ରବ୍ୟ ଚୋରା ଚାଲାଣ ପାଇଁ ପ୍ରମୁଖ ମାର୍ଗ ଓ କରିଡର ଚିହ୍ନଟ କରିବା ଏବଂ ପ୍ରଭାବଶାଳୀ ପ୍ରତିରୋଧ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଆୟୋଗ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମହାନିର୍ଦ୍ଦେଶକ ଏବଂ ଏହାର ବରିଷ୍ଠ ଅଧିକାରୀଙ୍କ ସହ ସହଯୋଗ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଗୁଜରାଟ, ପଞ୍ଜାବ, ମଣିପୁର, ନାଗାଲାଣ୍ଡ, ତ୍ରିପୁରା ଏବଂ ମିଜୋରାମ ଭଳି ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ କରିବା ସମେତ ବିଧାନସଭା ନିର୍ବାଚନ ସମୟରେ ଉଲ୍ଲେଖନୀୟ ପରିମାଣରେ ଜବତ କରାଯାଇଛି।

ଅରୁଣାଚଳ ପ୍ରଦେଶରେ ଷ୍ଟେଟିକ୍ ସର୍ଭିଲାନ୍ସ ଟିମ୍ ଦ୍ୱାରା ଯାନବାହନ ଯାଞ୍ଚ

କର୍ଣ୍ଣାଟକର କଲବୁର୍ଗି ଜିଲ୍ଲାରେ ଜବତ ମଦ

ବ୍ୟୟ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ଚିହ୍ନଟ:ଅଧିକ ଧ୍ୟାନ ଦେବା ପାଇଁ୧୨୩ଟି ସଂସଦୀୟ ନିର୍ବାଚନ ମଣ୍ଡଳୀକୁ ବ୍ୟୟ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ଭାବେ ଚିହ୍ନଟ କରାଯାଇଛି। ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଗତ ନିର୍ବାଚନରେ ପ୍ରଲୋଭନ ସାମଗ୍ରୀ ବଣ୍ଟନର ଇତିହାସ ଥିଲା କିମ୍ବା ନିଶା ଦ୍ରବ୍ୟ, ନଗଦ ଟଙ୍କା ଏବଂ ମଦ କାରବାର ସହିତ ଆନ୍ତଃରାଜ୍ୟ ଏବଂ ଅନ୍ତର୍ଜାତୀୟ ସୀମା ଥିଲା ।

ବ୍ୟୟ ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତି:ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ବରିଷ୍ଠ ଅଧିକାରୀମାନେ ନିରପେକ୍ଷ ଓ ପ୍ରଲୋଭନମୁକ୍ତ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ଆଖି ଓ କାନ ଭାବେ କାର୍ଯ୍ୟ କରନ୍ତି। ସଂସଦୀୟ କ୍ଷେତ୍ର ପାଇଁ ମୋଟ ୬୫୬ ଜଣ ବ୍ୟୟ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଥିବା ବେଳେ ଅରୁଣାଚଳ ପ୍ରଦେଶ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ସିକ୍କିମର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୨୫ ଜଣ ନିୟୋଜିତ ହୋଇଛନ୍ତି।ନିର୍ବାଚନ ପ୍ରକ୍ରିୟାର ଦକ୍ଷତା ଏବଂ ଅଭିଜ୍ଞତାର ଚମତ୍କାର ଟ୍ରାକ୍ ରେକର୍ଡ ଥିବା ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ନିୟୋଜିତ କରାଯାଇଛି।

ସିଭିଜିଲ୍ ବ୍ୟବହାର: ଆୟୋଗର ସିଭିଜିଲ୍ ଆପ୍ ମଧ୍ୟ କୌଣସି ପ୍ରକାର ପ୍ରଲୋଭନ ବଣ୍ଟନ ଉପରେ ସିଧାସଳଖ ନାଗରିକଙ୍କ ଠାରୁ ଅଭିଯୋଗ ମାଧ୍ୟମରେ ବ୍ୟୟ ଅନୁଧ୍ୟାନ ପ୍ରକ୍ରିୟାକୁ ସୁଦୃଢ଼ କରିଛି। ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା ପରଠାରୁ ନଗଦ ଟଙ୍କା, ମଦ ଓ ମାଗଣା ସାମଗ୍ରୀ ବଣ୍ଟନ ନେଇ ମୋଟ ୩୨୬୨ଟି ଅଭିଯୋଗ ଆସିଛି।

ନାଗରିକଙ୍କୁ କୌଣସି ଶୋଷଣ ନାହିଁ:ଚଳିତ ନିର୍ବାଚନ ଆରମ୍ଭରେ ଗ୍ରାଉଣ୍ଡ ଲେଭେଲ ଟିମ୍ ଦ୍ୱାରା ପର୍ଯ୍ୟଟକଙ୍କୁ ଅନାବଶ୍ୟକ ଯାଞ୍ଚ ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାକୁ ଗମ୍ଭୀରତାର ସହ ନେଇ ଆୟୋଗ ତୁରନ୍ତ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ପର୍ଯ୍ୟଟକ ଓ ନାଗରିକଙ୍କ ଯାଞ୍ଚ ସମୟରେ ସତର୍କ ଓ ବିନମ୍ର ଆଭିମୁଖ୍ୟର ଆବଶ୍ୟକତା ସମ୍ପର୍କରେ ପରାମର୍ଶ ଦେଇଛନ୍ତି। ଏଥିସହିତ ଜବତ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ ଦୈନିକ ଶୁଣାଣି କରିବାକୁ ଆୟୋଗ ଗଠିତ ‘ଜିଲ୍ଲା ଅଭିଯୋଗ କମିଟି(ଡିଜିସି)’କୁ ନିର୍ଦ୍ଦେଶ ଦେଇଛନ୍ତି। ସିଇଓ ଏବଂ ଡିଇଓମାନଙ୍କୁ ଏହି କମିଟିଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ପଦକ୍ଷେପଗୁଡ଼ିକ ଏକ ବ୍ୟାପକ ବ୍ୟୟ ମନିଟରିଂ ପ୍ରକ୍ରିୟାର ମୂଳଦୁଆ ଭାବରେ କାର୍ଯ୍ୟ କରେ, ଯାହାଫଳରେ ଜନସାଧାରଣଙ୍କୁ ସର୍ବନିମ୍ନ ଅସୁବିଧା ସହିତ ଜବତ ବୃଦ୍ଧି ପାଇଥାଏ । ଆଗାମୀ ଦିନରେ ପ୍ରଚାର ଜୋରଦାର ହେଉଥିବାବେଳେ ଆୟୋଗ ନିଜର ପ୍ରତିଶ୍ରୁତି ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ସତର୍କତା ବଢ଼ାଇବାକୁ ପ୍ରସ୍ତୁତ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଆଇଏଏସ୍ ରେ ବାର୍ଷିିକ ଉତ୍ସବ “ଅର୍ଣ୍ଣ-୨୦୨୪” ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସସେ୍ (ଆଇଏଏସ୍)ରେ ବାର୍ଷିକ ଉତ୍ସବ “ଅର୍ଣ୍ଣ-୨୦୨୪” ଆୟୋଜିତ ହୋଇଯାଇଛି। ଗତ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଆୟୋଜିତ ଏହି ବାର୍ଷିକ ଉତ୍ସବ ରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ କୁଳପତି ପ୍ରଫେସର ମନୋରଂଜନ କର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡିଶାର କୃଷିଭିତିକ ଅର୍ଥନୀତି ଓ ଆଧୁନିକ କୃଷି ବିଜ୍ଞାନ ର ଅଗ୍ରଗତି ରେ ଛାତ୍ରଛାତ୍ରମାନଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ।

ଅନ୍ୟତମ ବିଶିଷ୍ଟ ଅତିଥି ଭାବରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ସୋଆରେ କୃଷି ଶିକ୍ଷା ବ୍ୟବସ୍ଥା ର ଅଭିନବ ପଦକ୍ଷେପ ବିଷୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସୋଆ ର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଯୋଗଦେଇଥିଲେ। କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ। ଆଇଏଏସ୍ ର ପ୍ର୍ରଫେସର ବିଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିôବା ବେଳେ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଓଲିଉଡର ଖ୍ୟାତିନାମା କଣ୍ଠଶିଳ୍ପୀ ଅନ୍ତରା ଚକ୍ର୍ରବର୍ତୀ ଓ ସ୍ୱୟମ୍ ପ୍ରଭାସ ପାଢୀ ଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋଜ୍ଞସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ଘରେ ରହି ଭୋଟ ଦେବେ ୮୫ ବର୍ଷରୁ ଉର୍ଦ୍ଧ୍ଵ ଏବଂ ଦିବ୍ୟାଙ୍ଗ ଭୋଟର, ଶତାୟୁ ଭୋଟରଙ୍କୁ ଜିଲ୍ଲାପାଳଙ୍କ ନିମନ୍ତ୍ରଣ

ଚିଲିକା (ସୀତାରାମ ଅଗ୍ରୱାଲ): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ ଅନୁଯାୟୀ ଶତାୟୁ ଭୋଟର, ୮୫ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୦ ଶତକଡାରୁ ଉର୍ଦ୍ଧ୍ଵ ଦିବ୍ୟାଙ୍ଗ ଭିନ୍ନକ୍ଷମ ଭୋଟର ମାନଙ୍କୁ ଘରେ ରହି ପୋଷ୍ଟାଲ ମତଦାନ ଦେବା ନିମନ୍ତେ ସମସ୍ତ ବ୍ଲକ ପ୍ରଶାସନ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ଓ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଅଭିଯାନର ଆରମ୍ଭ କରାଯାଇଛି।

ଚିଲିକା ବିଡ଼ିଓ ହଳଧର ଶବର, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବିଜ୍ଞାପିତ ଅଞ୍ଚଳ ପରିଷଦରେ ଉକ୍ତ ପ୍ରକ୍ରିୟାର ତଦାରଖ କରିଥିଲେ। ୮୫ ବର୍ଷରୁ ଉର୍ଦ୍ଧ୍ଵ ଏବଂ ଦିବ୍ୟାଙ୍ଗ ଭୋଟରଙ୍କୁ ଘରେ ରହି ମତଦାନ ଦେବାର ସୁବିଧା ନିମନ୍ତେ ସମ୍ପୃକ୍ତ ବୁଥ ଅଫିସର ଓ ସେକ୍ଟର ଅଫିସରଙ୍କ ଦ୍ୱାରା ଫର୍ମ ୧୨ ଡି ସେମାନଙ୍କ ଘରେ ପ୍ରଦାନ କରାଯାଇଥିଲା। ଯାହାକି ସେମାନେ ନିଜର ମତଦାନ ପୋଷ୍ଟାଲ ବ୍ୟାଲଟ ପେପରରେ ଦେବାକୁ ପରାମର୍ଶ ଦିଆଯାଇଛି। ଦୁଇରୁ ତିନି ଦିନ ମଧ୍ୟରେ ସମ୍ପୃକ୍ତ ବୁଥ ଅଫିସର ମତଦାନ କରିଥିବା ବ୍ୟାଲଟ ପେପର ସଂଗ୍ରହ କରି ସେକ୍ଟର ଅଫିସରଙ୍କୁ ପ୍ରଦାନ କରିବେ। ଯାହା ଚିଲିକା ବିଧାନସଭା ରିଟର୍ଣ୍ଣିଂ ଅଫିସର ଓ ପୁରୀ ଲୋକସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଆସନ୍ତା ୨୦ ତାରିଖ ସୁଦ୍ଧା ଦାଖଲ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି।

ଅନୁରୂପ ଭାବେ ବାଣପୁର ବ୍ଲକ ଅଞ୍ଚଳରେ ମଧ୍ୟ ୪୦ ଶତକଡାରୁ ଉର୍ଦ୍ଧ୍ଵ ଦିବ୍ୟାଙ୍ଗ ଏବଂ ୮୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଭୋଟରମାନଙ୍କ ସୁବିଧା ନିମନ୍ତେ ଇଛୁକ ବ୍ୟକ୍ତିମାନଙ୍କ ପାଇଁ ଘରେ ରହି ମତଦାନ କରିବାର ସମସ୍ତ ବ୍ୟବସ୍ଥା କରାଯାଇଥିବା ବିଡ଼ିଓ ଶୀତଲ ଅଗ୍ରୱାଲ କହିଛନ୍ତି।  ତେଣୁ ୧୨ଡି ଫର୍ମରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀମତୀ ଅଗ୍ରୱାଲ।

ଆବେଦନ କରିଥିବା ମତଦାତା ମାନଙ୍କର ମେ ମାସରେ ମତଦାନ କରାଯିବାର ବ୍ୟବସ୍ଥା ହୋଇଛି। ତତସହିତ ବାଣପୁର ବ୍ଲକରେ ୧୦୦ ବର୍ଷରୁ ଉର୍ଦ୍ଧ୍ଵ ୨୨ଜଣ ମତଦାତାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ନିର୍ବାଚନ ଅଧିକାରୀ, ଖୋର୍ଦ୍ଧାଙ୍କ ତରଫରୁ ୧୯ଜଣଙ୍କୁ ମତଦାନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି କି ନିଜର ମୌଳିକ କର୍ତ୍ତବ୍ୟକୁ ସମ୍ପାଦନ କରି ବିଶ୍ୱର ବୃହତମ ଗଣତନ୍ତ୍ରକୁ ମଜବୁତ କରିବା। ଅବଶିଷ୍ଟ ୩ଜଣ ମତଦାତାଙ୍କର ମୃତ୍ୟୁ ହୋଇଥିବା ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି।

ସୂଚନା ଥାଉକି ଶତାୟୁ ଭୋଟରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରା ମତ ସାବ୍ୟସ୍ତ କରିବା ନିମନ୍ତେ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପ୍ରଶାସନ ପକ୍ଷରୁ ବଣ୍ଟନ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଲୋକସଭା ନିର୍ବାଚନରେ ​​ଧନ ବଳ ରୋକିବାକୁ ECI ସତର୍କ, ଦୈନିକ ଜବତ ହେଉଛି ୧୦୦ କୋଟି

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ କହିଛନ୍ତି ଯେ, ମାର୍ଚ୍ଚ ୧ ତାରିଖରୁ ନିର୍ବାଚନ ଅଧିକାରୀମାନେ ପ୍ରତିଦିନ ୧୦୦ କୋଟି ଟଙ୍କା ଜବତ କରୁଛନ୍ତି। ଆୟୋଗ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ​​ଭୋଟ୍ ଆରମ୍ଭ ହେବା ପୂର୍ବରୁ ପ୍ରବର୍ତ୍ତନ ଅଧିକାରୀମାନେ ୪,୬୫୦ କୋଟି ଟଙ୍କା ଜବତ କରିସାରିଛନ୍ତି, ଯାହା ୨୦୧୯ ଲୋକସଭା ନିର୍ବାଚନରେ ​​ହୋଇଥିବା ମୋଟ ଜବତ ଟଙ୍କାଠାରୁ ଅଧିକ ଅଟେ। ଏକ ବିବୃତ୍ତି ଅନୁଯାୟୀ, ୨୦୨୪ ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଦେଶରେ ଲୋକସଭା ନିର୍ବାଚନର ୭୫ ବର୍ଷ ଇତିହାସରେ ସର୍ବାଧିକ ଜବତ କରିବାକୁ ଆୟୋଗ କଡା ପଦକ୍ଷେପ ନେଉଛନ୍ତି।

ଦେଶର ୧୨୩ ଟି ସଂସଦୀୟ ନିର୍ବାଚନମଣ୍ଡଳୀକୁ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ଭାବରେ ଚିହ୍ନଟ କରାଯାଇଛି, ଯାହା ଉପରେ କଡା ନଜର ରଖାଯାଇଛି। ଏହି ନିର୍ବାଚନମଣ୍ଡଳୀରେ କିମ୍ବା ପୂର୍ବ ନିର୍ବାଚନରେ ​​ଅର୍ଥ ବଳ ବ୍ୟବହାର କରିବାର ଇତିହାସ ଅଛି। ଏହି ସ୍ଥାନରେ ଡ୍ରଗ୍ସ, ନଗଦ ଏବଂ ମଦ ଜବତ କରାଯାଇଛି।

ନିର୍ବାଚନ ଆୟୋଗ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ରାଜସ୍ଥାନ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ସର୍ବାଧିକ ଟଙ୍କା ଜବତ ହୋଇଛି। ଆୟୋଗ ଦ୍ୱାରା ନଗଦ, ମଦ, ଡ୍ରଗ୍ସ, ଅଳଙ୍କାର ଏବଂ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଅରବିନ୍ଦ କେଜ୍ରିୱାଲଙ୍କ ସହ “ଆତଙ୍କବାଦୀ ଭଳି ଆଚରଣ”: ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଆଜି ତିହାର ଜେଲରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ବୈଠକ ପରେ ମାନ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଛି ଏବଂ ତାଙ୍କୁ ‘ଦୁର୍ଦ୍ଦାନ୍ତ ଅପରାଧୀ’ ଭଳି ସୁବିଧା ମଧ୍ୟ ଦିଆଯାଉ ନାହିଁ। ଆମ୍ ଆଦମୀ ପାର୍ଟିକୁ ମାନ ଧ୍ୱଂସ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଆସିବା ପରେ AAP ଏକ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହେବ।

ଭଗବନ୍ତ ମାନ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ସାକ୍ଷାତ ଏକ କାଚ କାନ୍ଥ ଦ୍ୱାରା ବିଭକ୍ତ କୋଠରୀରେ ତିହାରରେ ହୋଇଥିଲା। ଉଭୟ ନେତା ପ୍ରାୟ ୩୦ ମିନିଟ୍ ପାଇଁ ଇଣ୍ଟରକମ୍ ମାଧ୍ୟମରେ କଥା ହୋଇଥିଲେ।

ମାନ କହିଛନ୍ତି ଯେ, “ମୁଁ ତାଙ୍କୁ ଦେଖି ଭାବପ୍ରବଣ ହୋଇପଡିଥିଲି। ତାଙ୍କୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ପରି ବ୍ୟବହାର କରାଯାଉଥିଲା। ତାଙ୍କର ଦୋଷ କ’ଣ … ସେ ମୋହଲା କ୍ଲିନିକ୍ ସ୍ଥାପନ କରିଥିଲେ?”

ଜେଲରେ ଦିଲ୍ଲୀର ଲୋକଙ୍କ ପାଇଁ ଚିନ୍ତା କରି ମାନ ତାଙ୍କ ଦଳର ମୁଖ୍ୟଙ୍କୁ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ, କେଜ୍ରିୱାଲ ଆସନ୍ତା ସପ୍ତାହରେ ଦୁଇ ମନ୍ତ୍ରୀଙ୍କୁ ତିହାର ଜେଲକୁ ଡାକିବା ପାଇଁ ଯୋଜନା କରୁଛନ୍ତି।

କେଜ୍ରିୱାଲଙ୍କ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦାବି କେଜ୍ରିୱାଲ ନିଜେ ଏବଂ ଆମ୍ ଆଦମୀ ପାର୍ଟି ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଯୁକ୍ତି ବାଢିଛନ୍ତି ଯେ, ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେବଳ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ନାହାଁନ୍ତି। ସେଥିପାଇଁ କେଜ୍ରିୱାଲ ତିହାର ଜେଲରୁ ତାଙ୍କ ସରକାର ଚଳାଇବା ଜାରି ରଖିଛନ୍ତି। ଏଥିସହ ଜେଲ ଯିବା ପରେ ସେ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ଏବଂ ପିଡବ୍ଲ୍ୟୁଡି ମନ୍ତ୍ରୀ ଆତିଶୀଙ୍କୁ ଦୁଇଟି ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

୨୧ ଅବସରପ୍ରାପ୍ତ ବିଚାରପତିଙ୍କ ସିଜେଆଇ ଙ୍କୁ ଚିଠି: ନ୍ୟାୟପାଳିକାକୁ ଦୁର୍ବଳ କରିବା ପ୍ରୟାସ ଉପରେ କଲେ ଚିନ୍ତା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ୨୧ ଜଣ ଅବସରପ୍ରାପ୍ତ ବିଚାରପତିଙ୍କ ଏକ ଦଳ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଙ୍କୁ ଏକ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ସୁଚିନ୍ତିତ ଚାପ, ଭୁଲ ତଥ୍ୟ ଏବଂ ସାର୍ବଜନୀନ ଅପମାନ ଦ୍ୱାରା ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା କୁହାଯାଇଛି। ସେମାନେ କହିଛନ୍ତି ଯେ, ଏହି ସମାଲୋଚକମାନେ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ଏବଂ ବ୍ୟକ୍ତିଗତ ଲାଭ ଦ୍ୱାରା ପ୍ରୋତ୍ସାହିତ ଏବଂ ନ୍ୟାୟିକ ବ୍ୟବସ୍ଥାରେ ଜନସାଧାରଣଙ୍କ ଆତ୍ମବିଶ୍ୱାସକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରୁଛନ୍ତି।

ତେବେ ଅବସରପ୍ରାପ୍ତ ବିଚାରପତିମାନେ କେଉଁ ଘଟଣା ବିଷୟରେ CJI କୁ ଲେଖିଛନ୍ତି ତାହା ଜଣାଇ ନାହାଁନ୍ତି। ଏଥିମଧ୍ୟରେ ସୁପ୍ରିମକୋର୍ଟର ଚାରିଜଣ ଅବସରପ୍ରାପ୍ତ ବିଚାରପତି ମଧ୍ୟ ଅଛନ୍ତି। ଦୁର୍ନୀତି ମାମଲାରେ ଶାସକ ଭାରତୀୟ ଜନତା ପାର୍ଟି (ବିରୋଧୀ ଦଳ) ଏବଂ ବିରୋଧୀ ଦଳ ମଧ୍ୟରେ ଶବ୍ଦ ଯୁଦ୍ଧ ମଧ୍ୟରେ ଏହି ଚିଠି ଲେଖାଯାଇଛି।

ଜଷ୍ଟିସ୍ (ଅବସରପ୍ରାପ୍ତ) ଦୀପକ ବର୍ମା, କୃଷ୍ଣ ମୁରାରୀ, ଦୀନେଶ ମାହେଶ୍ୱରୀ ଏବଂ ଏମ ଆର ଶାହାଙ୍କ ସମେତ ଅବସରପ୍ରାପ୍ତ ବିଚାରପତିମାନେ ସମାଲୋଚକଙ୍କୁ କୋର୍ଟ ଏବଂ ବିଚାରପତିଙ୍କ ଅଖଣ୍ଡତା ଉପରେ ପ୍ରଶ୍ନ ଉଠାଇ ନ୍ୟାୟିକ ପ୍ରକ୍ରିୟାରେ ପ୍ରଭାବ ପକାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି।

ସେମାନେ କହିଛନ୍ତି ଯେ, ନ୍ୟାୟପାଳିକାକୁ ଅନାବଶ୍ୟକ ଚାପରୁ ରକ୍ଷା କରିବା ଆବଶ୍ୟକ।

ଏଭଳି ଚାପ ବିରୋଧରେ ସୁପ୍ରିମକୋର୍ଟଙ୍କ ନେତୃତ୍ୱାଧୀନ ନ୍ୟାୟପାଳିକାକୁ ମଜବୁତ କରିବା ଏବଂ ଆଇନ ବ୍ୟବସ୍ଥାର ପବିତ୍ରତା ଏବଂ ସ୍ଵାଧୀନତାକୁ ସୁରକ୍ଷିତ ରଖିବାକୁ ସେମାନେ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ଵର: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି। ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ମହେଶ କୁମାର ବେହେରାଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରମୁଖ କାର୍ମିକ ଅଧିକାରୀ ସିଦ୍ଧାର୍ଥ କାଟି ସଂଯୋଜନା କରିଥିଲେ। ଆମ୍ବେଦକର ଜୟନ୍ତୀ ମଧ୍ୟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲଟିୟର ଠାରେ ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀମାନେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷାଙ୍କ ସ୍ବାମୀଙ୍କ ଦ୍ଵାରା ମିଥ୍ୟା ସତ୍ୟ ପାଠ ଦାଖଲ ଅଭିଯୋଗ: ବିଡିଓ ଙ୍କୁ ଓକିଲ ନୋଟିସ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲା ପରିଷଦ ଉପାଧ୍ୟକ୍ଷା ଙ୍କ ସ୍ବାମୀ ପରମେଶ୍ବର ମେହେର ଚିଚୈଗୁଡା ସରପଞ୍ଚ ଭାବେ ନାମାଙ୍କନ ଦାଖଲ ସମୟରେ ନିଜର ଶିକ୍ଷାଗତ ଯୋଗ୍ୟତାକୁ ଲୁଚାଇ ସତ୍ୟ ପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ବାର ଏସୋସିଏସନ ଓକିଲ ସୁଶୀଲ କୁମାର ପଣ୍ଡା ଜୁନାଗଡ ବିଡିଓ ଙ୍କୁ ଲିଗାଲ ନୋଟିସ ଦେଇ ସେହି ମିଥ୍ୟା ସତ୍ୟ ପାଠ ସମ୍ପର୍କରେ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ସୂଚନା ଅଧିକାର ଆଇନ ଅନୁସାରେ ଗତ ୧୭.୦୬.୨୦୨୩ ରେ ଜୁନାଗଡ ବ୍ଲକ ରୁ ମିଳିଥିବା ନୋମିନେସନ ପତ୍ର ର ଫଟୋ କପି ଅନୁସାରେ ଶ୍ରୀ ମେହେର ଙ୍କ କୌଣସି ଶିକ୍ଷା ଗତ ଯୋଗ୍ୟତା ଉଲ୍ଲେଖ କରାଯାଇ ନ ଥିବା ବିଷୟ ଓକିଲ ଶ୍ରୀପଣ୍ଡା ଉଲ୍ଲେଖ କରିଛନ୍ତି।

ଓଡ଼ିଶା ଗ୍ରାମ ପଂଚାୟତ ଆଇନ ୧୯୬୪ ଓ ଓଡ଼ିଶା ପଂଚାୟତ ସମିତି ଆଇନ ୧୯୫୯ ଏବଂ ଓଡ଼ିଶା ଜିଲ୍ଲା ପରିଷଦ ଆଇନ ୧୯୯୧ ର ସଂଶୋଧନ ସେକ୍ସନ ୪୫ ଅନୁସାରେ ନୋମିନେସନ ସମୟରେ ଯେଉ ପ୍ରାର୍ଥୀ ଫୌଜଦାରୀ କେଶ, ସମ୍ପତ୍ତି ଓ ଋଣ ଏବଂ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସଠିକ ତଥ୍ୟ ସହିତ ସତ୍ୟପାଠ ଦାଖଲ କରିବ ନାହି ତେବେ ସେହି ପ୍ରାର୍ଥୀ ଙ୍କର ନାମାଙ୍କନ ପତ୍ର ଗ୍ରହଣୀୟ ହେବ ନାହି ବୋଲି ଆଇନ ରେ ସ୍ପଷ୍ଟ ଉଲ୍ଲେଖ ଥିବା ବେଳେ ଶ୍ରୀ ମେହେର ଙ୍କ ସରପଞ୍ଚ ଭାବେ ନାମାଙ୍କନ ପତ୍ର ଦାଖଲ ସମୟରେ ନିର୍ବାଚନ ଅଧିକାରୀ ତଥା ଜୁନାଗଡ ବିଡିଓଙ୍କ ତରଫରୁ ଦାୟିତ୍ବରେ ଥିବା ସମ୍ପୃକ୍ତ ପଂଚାୟତ ନିର୍ବାଚନ ଅଧିକାରୀ ଅଣଦେଖା କରି ନିଜ ଦାୟିତ୍ବ ସମ୍ପନ୍ନ କର୍ତ୍ତବ୍ୟ ର ଅବହେଳା କରିଥିବା ଓକିଲ ଶ୍ରୀ ପଣ୍ଡା ଉକ୍ତ ପତ୍ର ରେ ଉଲ୍ଲେଖ କରିଛନ୍ତି।

ସେହି କ୍ରମରେ ଜୁନାଗଡ ବିଡିଓ ଆଇନ ଅନୁସାରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଜିଲ୍ଲାପାଳଙ୍କୁ ସେହି କ୍ରମରେ ସୁପାରିଶ କରିବାକୁ ଓକିଲ ଶ୍ରୀ ପଣ୍ଡା ଅନୁରୋଧ କରିଥିବା ଜଣାପଡିଛି। ଅନ୍ୟଥା ଉଚ୍ଚ ନ୍ୟାୟାଳୟ ର ଦ୍ଵାରସ୍ଥ ହେବାକୁ ଚେତାବନୀ ଦେଇଥିବା ଜଣାପଡିଛି। ଜୁନାଗଡ ବିଡିଓ ଶ୍ରୀ ମେହେରଙ୍କ ସତ୍ୟପାଠ କୁ ନାକଚ କରିବା ବଦଳରେ ଅଣଦେଖା କରି ସରପଞ୍ଚ ନାମାଙ୍କନ ପତ୍ରକୁ ଗ୍ରହଣ କରିଦେଇଥିବା ପ୍ରକାଶ।

ସୂଚନା ଯୋଗ୍ୟ ଯେ, ପରମେଶ୍ବର ମେହେର ଚିଚୈଗୁଡା ଗ୍ରାମ ପଂଚାୟତ ର ସରପଞ୍ଚ ଭାବେ ନିର୍ଦ୍ଵନ୍ଦ ରେ ନିର୍ବାଚିତ ହୋଇଥିବା ଜଣାପଡିଛି। ଶ୍ରୀ ମେହେର ଙ୍କ ପତ୍ନୀ ଶ୍ରୀମତୀ ଶୁଦ୍ଧିର ମେହେର ସମ୍ପ୍ରତି କଳାହାଣ୍ଡି ଜିଲ୍ଲା ପରିଚଡ ଉପାଧ୍ୟକ୍ଷ୍ୟା ଅଛନ୍ତି। ଏସମ୍ପର୍କରେ ଜୁନାଗଡ ବିଡିଓ ଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇପାରିନାହିଁ। ସାଧାରଣ ଭାବରେ ମିଥ୍ୟା ସତ୍ୟ ପାଠ ର ଭିନ୍ନ ଅର୍ଥ ବାହାର କରି ସମ୍ପୃକ୍ତ ପଦଧିକାରୀ ମାନେ ସରକାରଙ୍କ ନୀତି ନିୟମ କୁ ଅଣଦେଖା କରୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଆଇନରେ ସ୍ପଷ୍ଟ ନିର୍ଦ୍ଦେଶ ଥିବା ବେଳେ ନିର୍ବାଚନ ଅଧିକାରୀ ମାନେ କିପରି ଓ କାହିଁକି ସେଭଳି ଅନଦେଖା କରୁଛନ୍ତି ସେସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି।
ଜୁନାଗଡ ବ୍ଲକରେ ଏଭଳି ଅନେକ ସମିତି ସଭ୍ୟ ଓ ସରପଞ୍ଚ ନିଜ ନିଜ ନାମାଙ୍କନ ପତ୍ର ଦାଖଲ ସମୟରେ ଏଭଳି ଭୁଲ ସତ୍ୟ ପାଠ ଦାଖଲ କରିଥିବା ଏକ ନିର୍ଭର ଯୋଗ୍ୟ ସୂତ୍ର ରୁ ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସହଜ ଉପାୟ, ପ୍ରତିଦିନ ପ୍ରୟୋଗ କରନ୍ତୁ ଏହି ଘରେ ତିଆରି ସ୍କ୍ରବ୍

ଜୀବନଶୈଳୀ: ତେଲିଆ ଚର୍ମର ସବୁଠାରୁ ବଡ ସମସ୍ୟା ହେଉଛି ବ୍ରଣ ଏବଂ ବ୍ଲାକ ହେଡ୍ସ ସୃଷ୍ଟି କରିବା। ଯେଉଁମାନଙ୍କର ଚର୍ମ ବହୁତ ତେଲିଆ, ସେମାନଙ୍କର ବ୍ରଣ ସମସ୍ୟା ଥାଏ। ବିଶେଷ କରି ବର୍ଷା ଋତୁରେ ଚର୍ମର ତେଲ ସନ୍ତୁଳନ ନଷ୍ଟ ହୁଏ। ଗ୍ରୀଷ୍ମ ଏବଂ ବର୍ଷା ଋତୁରେ ଚର୍ମର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ଝାଳ ଏବଂ ମଇଳା ଚର୍ମର ଖାଲରେ ପ୍ରବେଶ କରେ, ଯାହା ବ୍ଲାକ ହେଡ୍ସ ଏବଂ ବ୍ରଣ ସୃଷ୍ଟି କରେ।

ବ୍ଲାକ ହେଡ୍ସକୁ ଏଡାଇବା ପାଇଁ, ଆପଣ ଦିନକୁ ଅତି କମରେ ୨-୩ ଥର ମୁହଁକୁ ଭଲ ଭାବରେ ସଫା କରିବା ଉଚିତ୍। ସାବୁନ କିମ୍ବା ମୁହଁ ଧୋଇବା ପରିବର୍ତ୍ତେ ମୁହଁକୁ ଏକ ସ୍କ୍ରବ୍ ସହିତ ସଫା କରନ୍ତୁ। ଏହା ଆପଣଙ୍କୁ ବହୁତ ସାହାଯ୍ୟ କରିବ। ସ୍କ୍ରବିଙ୍ଗ୍ ପିମ୍ପଲ୍ ଏବଂ ବ୍ଲାକ ହେଡ୍ସର ସମସ୍ୟାକୁ ହ୍ରାସ କରିଥାଏ। ଏହା ଭିତରୁ ମଇଳା ସଫା କରିଥାଏ। ଆପଣ ଏକ ଘରୋଇ ସ୍କ୍ରବ୍ ମଧ୍ୟ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା ତେଲିଆ ଚର୍ମ ପାଇଁ ଘରେ ଫେସ୍ ସ୍କ୍ରବ୍ କିପରି ତିଆରି କରାଯାଏ?

ତେଲିଆ ଚର୍ମ ପାଇଁ ଫେସ୍ ସ୍କ୍ରବ୍:

– ତେଲିଆ ଚର୍ମ ପାଇଁ ଆପଣ ସହଜରେ ଘରେ ଏକ ସ୍କ୍ରବ୍ ତିଆରି କରିପାରିବେ, ଏଥିପାଇଁ ୨ ଚାମଚ ଦହି ନିଅନ୍ତୁ। ଦହି ଚର୍ମକୁ ଟାଣ କରେ ଏବଂ କମ୍ ତେଲ ଛାଡିଥାଏ।

– ବର୍ତ୍ତମାନ ଏଥିରେ ୧ ଚାମଚ ଓଟସ୍ ମିଶାନ୍ତୁ। ଓଟସ୍ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରେ।

– ସ୍କ୍ରବ୍ କୁ ଦାନାଦାର କରିବା ପାଇଁ ଆପଣ ଅଧା ଚାମଚ ସୁଜି ବ୍ୟବହାର କରନ୍ତୁ।

– ସ୍କ୍ରବରେ ଏକ ଚାମଚ ହଳଦୀ ମିଶାନ୍ତୁ। ଏହା ଚର୍ମ ଉପରେ ଆଣ୍ଟିସେପ୍ଟିକ୍ ଭାବରେ କାମ କରେ।

– ସ୍କ୍ରବରେ ଅଧା ଲେମ୍ବୁ ରସ ମିଶାଇ ମିଶ୍ରଣକୁ ଭଲ ଭାବରେ ମିଶାନ୍ତୁ।

– ଏବେ ମୁହଁକୁ ପାଣିରେ ଧୋଇ ମୁହଁରେ ଭଲ ଭାବେ ସ୍କ୍ରବ୍ ଲଗାନ୍ତୁ।

– ଏହାକୁ ହାଲୁକା ଭାବେ କିଛି ସମୟ ପାଇଁ ଘଷନ୍ତୁ। ଯେତେବେଳେ ଏହା ଦେଖାଯାଏ ଯେ ମଇଳା ସଫା ହୋଇଯାଇଛି, ତେବେ ସାଧା ପାଣିରେ ମୁହଁ ଧୋଇ ଦିଅନ୍ତୁ।

– ଯଦି ଆପଣ ପ୍ରତିଦିନ ଏହି ସ୍କ୍ରବ୍ ବ୍ୟବହାର କରନ୍ତି, ତେବେ ବ୍ରଣ ଏବଂ ବ୍ଲକ ହେଡ୍ସର କୌଣସି ଅସୁବିଧା ହେବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରକାଶ ପାଇବ କି ଦଶମ ଏବଂ ଦ୍ୱାଦଶ ବୋର୍ଡ ଫଳାଫଳ?, ଏହା ହେଉଛି ଅପଡେଟ

ନୂଆଦିଲ୍ଲୀ: CBSE ଦଶମ ଏବଂ ଦ୍ୱାଦଶ ପରୀକ୍ଷାର୍ଥୀଙ୍କ ପାଇଁ ଏକ ଖୁସି ଖବର ଅଛି। ବୋର୍ଡ ଏଥର ଶୀଘ୍ର ଫଳାଫଳ ପ୍ରକାଶ କରିପାରେ। ଏହା ପଛର କାରଣ ହେଉଛି ଲୋକସଭା ନିର୍ବାଚନ। ଚଳିତ ବର୍ଷ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୩ ତାରିଖ ମଧ୍ୟରେ ବୋର୍ଡ ପରୀକ୍ଷା କରାଯାଇଥିଲା।

ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ଦଶମ ବୋର୍ଡ ପରୀକ୍ଷାର ଫଳାଫଳ ଚଳିତ ବର୍ଷ ମେ ମାସର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ। ଗତ ବର୍ଷ ଏହି ଫଳାଫଳ ମଇ ୧୨ ତାରିଖ ଅର୍ଥାତ୍ ମେ ମାସର ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇଥିଲା।

ଏହା କୁହାଯାଉଛି ଯେ, ମେ ୫ ତାରିଖରେ NEET ପରୀକ୍ଷା ପରେ ବୋର୍ଡ ଶୀଘ୍ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ କରିବ। ମଇ ୬ ତାରିଖରୁ ମଇ ୧୧ ତାରିଖ ମଧ୍ୟରେ ଯେକୌଣସି ଦିନ ଦଶମ ଫଳାଫଳ ପ୍ରକାଶ ପାଇପାରିବ। ପ୍ରଥମ ସପ୍ତାହରେ ଏହା ଘୋଷଣା ହେବାର ସମସ୍ତ ସମ୍ଭାବନା ଅଛି। ଛାତ୍ରଛାତ୍ରୀମାନେ CBSE ର ଅଫିସିଆଲ୍ ୱେବସାଇଟରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

୧୬ ଘଣ୍ଟା ଧରି ଲଗାତାର କାମ କରିବା ପରେ ହିନା ଖାନ ଅସୁସ୍ଥ: ଜାଣନ୍ତୁ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ଅପଡେଟ୍

ନୂଆଦିଲ୍ଲୀ: ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ହିନା ଖାନ୍ ଅନ୍ୟତମ। ଅକ୍ସରା ଚରିତ୍ରରେ ଅଭିନୟ କରିଥିବା ହିନା ଖାନ ଘରେ ଘରେ ଲୋକପ୍ରିୟ। ଏହି ସୋ ପରେ ହିନା ଖାନ ବହୁତ ଲୋକପ୍ରିୟ ହୋଇଥିଲେ। ବ୍ୟସ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ହିନା ମଧ୍ୟ ଅନ୍ୟତମ। ସେ ପ୍ରାୟତଃ କିଛି ନା କିଛି ପ୍ରୋଜେକ୍ଟ ପାଇଁ ସୁଟିଂ କରନ୍ତି। ଏଥର ହିନା ତାଙ୍କ ସୁଟରେ ଏତେ ପରିଶ୍ରମ କରିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି।

ନିଜ ଇନଷ୍ଟାଗ୍ରାମ କାହାଣୀରେ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଉଥିବାବେଳେ ହିନା ଖାନ କହିଛନ୍ତି ଯେ, ୧୬ ଘଣ୍ଟା ଧରି ଲଗାତାର କାମ କରିବା କାରଣରୁ ତାଙ୍କ ଅବସ୍ଥା ଖରାପ ହୋଇଯାଇଛି। ହିନା ଏକ ଚିତ୍ର ସେୟାର କରିଛନ୍ତି ଏବଂ ପ୍ରକାଶ କରିଛନ୍ତି ଯେ, ତାଙ୍କ କାମ ମଧ୍ୟରେ ଖାଇବାକୁ ମଧ୍ୟ ସମୟ ନାହିଁ।

କାହାଣୀରେ ହିନା ଖାନ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ତାଙ୍କର ମେକ୍ ଅପ କରାଯାଉଛି ଏବଂ ଅଭିନେତ୍ରୀ ମେକ୍ ଅପ ମଧ୍ୟରେ ଖାଦ୍ୟ ଖାଉଥିବା ନଜର ଆସିଛନ୍ତି। ହିନା ଏହି ଫଟୋ ସହିତ ଲେଖିଛନ୍ତି ଯେ, ବେଳେବେଳେ କାମ ମଧ୍ୟରେ ଏପରି ଖାଦ୍ୟ ଖାଇବାକୁ ପଡେ। ଅନେକ ସମୟରେ ଆରାମରେ ଖାଦ୍ୟ ମଧ୍ୟ ଖାଇ ପାରିବେ ନାହିଁ।

Categories
ଖେଳ ଜାତୀୟ ଖବର

ଆଜି ବାଙ୍ଗାଲୋର ଏବଂ ହାଇଦ୍ରାବାଦ ମଧ୍ୟରେ ଲଢେଇ, ଜାଣନ୍ତୁ ଖେଳାଳି ଏକାଦଶ, ପିଚ୍ ଏବଂ ପାଣିପାଗ ରିପୋର୍ଟ

ନୂଆଦିଲ୍ଲୀ: ୨୦୨୪ ଆଇପିଏଲ୍ ର ୩୦ ତମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଏହି ସଂଘର୍ଷ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହେବ। ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ବେଙ୍ଗାଲୁରୁ ଦଳ ଅତ୍ୟନ୍ତ ଖରାପ ଅବସ୍ଥାରେ ଦେଖାଦେଇଛି। ଅନ୍ୟପକ୍ଷରେ ହାଇଦ୍ରାବାଦ ଭଲ ପ୍ରଦର୍ଶନ କରିଛି, ଏହାସହିତ ସେମାନେ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ଅଛନ୍ତି।

ଦୁହିଁଙ୍କ ମଧ୍ୟରେ ମ୍ୟାଚ୍ ସନ୍ଧ୍ୟା ୭:୩୦ ରେ ଆରମ୍ଭ ହେବ। କେଉଁ ଖେଳାଳିମାନଙ୍କ ସହିତ ଉଭୟ ଦଳ ମ୍ୟାଚ୍‌ରେ ପ୍ରବେଶ କରିବେ? ଏହା ଏକ ବଡ ପ୍ରଶ୍ନ। ତେଣୁ ଆମେ ଉଭୟଙ୍କ ମଧ୍ୟରେ ମ୍ୟାଚ୍ ପାଇଁ ଖେଳାଳି ଏକାଦଶ, ପିଚ୍ ଏବଂ ପାଣିପାଗ ରିପୋର୍ଟ ସହିତ ସବୁକିଛି କହିବୁ।

ପିଚ୍ ରିପୋର୍ଟ:

ଏହି ସଂସ୍କରଣରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମର ପିଚର ଭିନ୍ନ ଆଚରଣ ଦେଖିବାକୁ ମିଳିଛି। ଏଠାରେ ପିଚରେ ଡବଲ୍ ଗତି ଦେଖିବାକୁ ମିଳିଛି, ଯାହା ବ୍ୟାଟ୍ସମ୍ୟାନ୍ ଙ୍କୁ ଅସୁବିଧାରେ ପକାଇଥାଏ। ଏହା ବ୍ୟତୀତ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ପ୍ରାୟ ୨୦୦ ରେ ପହଞ୍ଚିବାରେ ସକ୍ଷମ ନୁହଁନ୍ତି। କିନ୍ତୁ ଏଠାରେ ଦ୍ଵିତୀୟରେ ବ୍ୟାଟିଂ କରିବା ଅଧିକ ସହଜ ହୋଇଯାଏ। ଏଭଳି ପରିସ୍ଥିତିରେ ଆଜି ଟସ୍ ଜିତିଥିବା ଅଧିନାୟକ ପ୍ରଥମେ ଫିଲ୍ଡିଂ କରିବାକୁ ପସନ୍ଦ କରିବେ।

ପାଣିପାଗ ରିପୋର୍ଟ:

ମ୍ୟାଚ୍ ସମୟରେ ବେଙ୍ଗାଲୁରୁରେ ବର୍ଷା ହେବ କି? ରିପୋର୍ଟ ଅନୁଯାୟୀ ଆଜି ବେଙ୍ଗାଲୁରୁରେ ବର୍ଷା ହେବାର ସମ୍ଭାବନା ନାହିଁ। ତାପମାତ୍ରା ପ୍ରାୟ ୨୫ ଡିଗ୍ରୀ ରହିବ। ଏହା ସହିତ ଅନ୍ୟ ଏକ ଆଶ୍ଵସ୍ତି ମଧ୍ୟ ଦୃଶ୍ୟମାନ ହେଉଛି ଯେ ଆଜି ପଡ଼ିଆରେ କାକର ଆସିବାର କୌଣସି ସମ୍ଭାବନା ନାହିଁ, ଯେଉଁଥିପାଇଁ ଦ୍ୱିତୀୟ ଇନିଂସରେ ଦଳ ବୋଲିଂ କରିବାରେ ଦଳ ଅଧିକ ଅସୁବିଧାର ସମ୍ମୁଖୀନ ହେବ ନାହିଁ।

ସାମ୍ନା ସାମ୍ନି ଲଢେଇ:

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲରେ ଏପର୍ଯ୍ୟନ୍ତ ୨୩ ଟି ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚଗୁଡିକରେ ସନରାଇଜର୍ସ ହାଇଦ୍ରାବାଦ ଅଗ୍ରଣୀ ହାସଲ କରି ୧୨ ଟି ମ୍ୟାଚ ଜିତିଥିବାବେଳେ ଆରସିବି ୧୦ ଟି ଜିତିଛି। ଗୋଟିଏ ମ୍ୟାଚ୍ ଅମୀମାଂସିତ ରହିଲା।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଖେଳାଳି ଏକାଦଶ:

ବିରାଟ କୋହଲି, ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ୱିଲ୍ ଜ୍ୟାକ୍, ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ / କ୍ୟାମ ଗ୍ରୀନ୍, ମହିପାଲ ଲୋମୋର, ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ରିସ ଟୋପଲି, ବିଜୟକୁମାର ବିଶାକ, ଆକାଶ ଦୀପ, ମହମ୍ମଦ ସିରାଜ।

ଇମ୍ପାକ୍ଟ ପ୍ଲେୟାର- ସୌରଭ ଚୌହାନ

ସନରାଇଜର୍ସ ହାଇଦ୍ରାବାଦର ସମ୍ଭାବ୍ୟ ଏକାଦଶ:

ଟ୍ରାଭିସ୍ ହେଡ୍, ଅଭିଷେକ ଶର୍ମା, ଏଡେନ ମାର୍କ୍ରାମ, ନୀତୀଶ ରେଡ୍ଡୀ, ହେନ୍ରିଚ୍ କ୍ଲାସେନ୍, ଅବଦୁଲ ସମାଦ, ଶାହାବାଜ ଅହମ୍ମଦ, ପାଟ କମିନ୍ସ, ଭୁବନେଶ୍ୱର କୁମାର, ଜୟଦେବ ଉନଦକଟ, ଟି ନାଟାରାଜନ।

ଇମ୍ପାକ୍ଟ ପ୍ଲେୟାର- ରାହୁଲ ତ୍ରିପାଠୀ / ମୟଙ୍କ ଅଗ୍ରୱାଲ।

Categories
ଆଜିର ଖବର ଜାତୀୟ ଖବର

ପିଏମ ମୋଦୀଙ୍କ ସୁରକ୍ଷା ପାଇଁ ଲାଗିଥିବା ରଶିରେ ଫସି ବାଇକ ଆରୋହୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କେରଳର କୋଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାରେ ବନ୍ଧା ହୋଇଥିବା ଦଉଡି ଯୋଗୁଁ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି। ସୁରକ୍ଷା ଦଉଡିରେ ଫସି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଆଜି ପୋଲିସ ଏହି ସୂଚନା ଦେଇଛି।

ରବିବାର ରାତି ସାଢେ ୧୦ ଟାରେ ଘଟିଥିବା ଏହି ଦୁର୍ଘଟଣାରେ ଭଡୂଥାଲା ନିବାସୀ ମନୋଜ ଉନିଙ୍କର ମୃତ୍ୟୁ ହୋଇଛି। ପୋଲିସ କହିଛି ଯେ, ଉନିଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ଉନିଙ୍କ ପରିବାର ଲୋକ କହିଛନ୍ତି ଯେ, କୌଣସି ସତର୍କ ଚେତାବନୀ ବିନା ରାସ୍ତାରେ ଦଉଡି ବନ୍ଧା ହୋଇଥିଲା ଏବଂ ରାତିରେ ଦଉଡି ଦେଖିବା ବହୁତ କଷ୍ଟସାଧ୍ୟ ଥିଲା।

ବାସ୍ତବରେ କେରଳରେ ଭାରତୀୟ ଜନତା ପାର୍ଟି (ବିଜେପି) ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ। କେରଳର ୨୦ ଟି ଲୋକସଭା ଆସନ ପାଇଁ ଏପ୍ରିଲ ୨୬ ତାରିଖରେ ମତଦାନ ଅନୁଷ୍ଠିତ ହେବ।

Categories
ଜାତୀୟ ଖବର

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଆୟୋଗର ଅଧିକାରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ​​ପ୍ରଚାର କରିବା ପାଇଁ କେରଳ ଗସ୍ତରେ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ଆଜି ଯାଞ୍ଚ କରାଯାଇଛି।

ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ରାଜ୍ୟର ନୀଲଗିରିରେ ନିର୍ବାଚନ ଆୟୋଗର ଅଧିକାରୀମାନେ ଯାଞ୍ଚ କରିଛନ୍ତି। ଏ ସମ୍ପର୍କରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଉଛି ଯେ, ହେଲିକପ୍ଟର ଅବତରଣ କରିବା ମାତ୍ରେ ଆୟୋଗର ଅଧିକାରୀମାନେ ପହଞ୍ଚିଛନ୍ତି। ତା’ପରେ କିଛି ସମୟ ପରେ ରାହୁଲ ଗାନ୍ଧୀ ଏଥିରୁ ବାହାରି ଆସନ୍ତି।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନୀ ରାଲିରେ ପୁଣି ପଥର ମାଡ: ଅଳ୍ପକେ ବର୍ତ୍ତିଲେ ପୱନ କଲ୍ୟାଣ

ନୂଆଦିଲ୍ଲୀ: ରବିବାର ଦିନ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଆସନ୍ତା ମାସରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବାବେଳେ କେହି ଜଣେ ଜନସେନା ପାର୍ଟି ନେତା ତଥା ଟଲିଉଡ ଅଭିନେତା ପୱନ କଲ୍ୟାଣଙ୍କ ଉପରକୁ ପଥର ଫିଙ୍ଗିଥିଲେ, କିନ୍ତୁ ସେ ଏଥିରୁ ରକ୍ଷା ପାଇଯାଇଛନ୍ତି। ଗୁଣ୍ଟୁର ଜିଲ୍ଲାର ତେନାଲିରେ ଏହି ଘଟଣା ଘଟିଥିଲା, ​​ଯେତେବେଳେ ପୱନ କଲ୍ୟାଣ ଟିଡିପି-ଜେଏସପି-ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ନିର୍ବାଚନୀ ରାଲି କରୁଥିଲେ। ଜେଏସପି ନେତାଙ୍କଠାରୁ କିଛି ଦୂରରେ ପଥର ପଡିଥିଲା। ଏହି ଘଟଣା ଯୋଗୁଁ ରାଲି ସମୟରେ ଉତ୍ତେଜନା ବଢିଯାଇଥିଲା।

ଜେଏସପି କର୍ମୀମାନେ ପଥର ଫିଙ୍ଗୁଥିବା ବ୍ୟକ୍ତିଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ସମାନ ଘଟଣା ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନ୍ ମୋହନ ରେଡ୍ଡୀଙ୍କ ନିର୍ବାଚନ ପ୍ରଚାର ସମୟରେ ଘଟିଥିଲା। ଯେଉଁଥିରେ ଜଗନ୍ ମୋହନ ଆହତ ହୋଇଥିଲେ। ଶନିବାର ଦିନ ଅଜିତ ସିଂ ନଗର ଅଞ୍ଚଳରେ ପଥର ମାଡ ହେବା ପରେ YSR କଂଗ୍ରେସ ପାର୍ଟି (YSRCP) ମୁଖ୍ୟଙ୍କ ବାମ ଆଖିରେ ଆଘାତ ଲାଗିଥିଲା।

ଡାକ୍ତରମାନେ ତୁରନ୍ତ ତାଙ୍କୁ ପ୍ରଥମ ଚିକିତ୍ସା କରିଥିଲେ। ମୁଖ୍ୟମନ୍ତ୍ରୀ “ମେମନ୍ଥ ସିଦ୍ଧମ ଯାତ୍ରା” ରେ ଅଛନ୍ତି। ଯେତେବେଳେ ଏହି ଆକ୍ରମଣ ହୋଇଥିଲା ସେତେବେଳେ ସେ ଲୋକଙ୍କୁ ଅଭିବାଦନ ଜଣାଇବା ପାଇଁ ଏକ ବସ୍‌ରେ ଠିଆ ହୋଇଥିଲେ। ଜଗନ୍ ମୋହନ ରେଡ୍ଡୀଙ୍କ ପାଖରେ ଠିଆ ହୋଇଥିବା ବିଜୟୱାଡା ପଶ୍ଚିମr ବିଧାୟକ ଭେଲମପଲ୍ଲୀ ଶ୍ରୀନିବାସ ରାଓଙ୍କ ମଧ୍ୟ ବାମ ଆଖିରେ ଆଘାତ ଲାଗିଥିଲା। ୧୭୫ ସଦସ୍ୟ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭା ଏବଂ ୨୫ ଟି ଲୋକସଭା ଆସନ ପାଇଁ ମେ ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

Categories
ଆଜିର ଖବର ଜାତୀୟ ଖବର

କେ କବିତାଙ୍କୁ ଆଶ୍ଵସ୍ତି ନାହିଁ: ଏପ୍ରିଲ ୨୩ ଯାଏଁ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ସିବିଆଇ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏକ ଦୁର୍ନୀତି ମାମଲାରେ ଏପ୍ରିଲ ୧୫ ତାରିଖରେ ଦିଲ୍ଲୀର ଏକ କୋର୍ଟ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେକବିତାଙ୍କୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ସହ ଜଡିତ ଏକ ଦୁର୍ନୀତି ମାମଲାରେ କେ କବିତାଙ୍କୁ ଗିରଫ କରାଯାଇଥିଲା। ପ୍ରକାଶ ଯେ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେ କବିତାଙ୍କ ୩ ଦିନିଆ ନ୍ୟାୟିକ ହେପାଜତ ଆଜି ଶେଷ ହୋଇଛି। ଏହା ପରେ ତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା।

କୋର୍ଟରେ ଶୁଣାଣି ସମୟରେ କେ କବିତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ସିବିଆଇ ଦାବି କରିଛି। ଏହା ପରେ ତାଙ୍କର ନ୍ୟାୟିକ ହେପାଜତ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟ ମଧ୍ୟରେ କବିତାଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ, ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ କୌଣସି ଆଧାର ନାହିଁ।

ଏପ୍ରିଲ ୧୧ ରେ ସିବିଆଇ କେ କବିତାଙ୍କୁ ତିହାର ଜେଲରେ ଗିରଫ କରାଯାଇଥିଲା। ରିମାଣ୍ଡରେ ନେବା ପରେ କବିତାଙ୍କୁ ସିବିଆଇ ମୁଖ୍ୟାଳୟକୁ ନିଆଯିବ ଏବଂ ସେଠାରେ ତାଙ୍କୁ ପଚରାଉଚରା କରାଯିବ। ଏହାପୂର୍ବରୁ ସିବିଆଇ ଗତ ଏପ୍ରିଲରେ ତିହାରରେ କବିତାଙ୍କୁ ଜେରା କରିଥିଲା।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ନିର୍ବାଚନ ଋତୁରେ ବୋଲ ମାନୁନାହିଁ ତୁଣ୍ଡ: ବଢ଼ି ଚାଲିଛି ରାଜନୈତିକ ବୟାନବାଜି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ ମାତ୍ର କିଛିଦିନ ବାକି ଥିବାବେଳେ ନେତାଙ୍କ ରାଜନୈତିକ ବୟାନବାଜି ବଢ଼ିବାରେ ଲାଗିଛି। ମହିଳା ନେତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ନେଇ ଏବେ ନିର୍ବାଚନ ବଜାର ପଡ଼ୁଛି ଉଠୁଛି।

ଦର ପଚାରିବା ପରେ ହଙ୍ଗାମା

ବିଜେପି ହିମାଚଳର ମଣ୍ଡି ଆସନରୁ କଙ୍ଗନା ରାଣାୱତଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ କଙ୍ଗନା ରାଣାୱତଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। କଙ୍ଗନାଙ୍କ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି ବଜାରରେ କ’ଣ ମୂଲ୍ୟ ଚାଲିଛି, କେହି କହିବେ କି? ଏହାକୁ ନେଇ ହଙ୍ଗାମା ହେବାରୁ ପରେ ତାଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା।

ହେମା ମାଳିନୀଙ୍କ ବିରୋଧରେ ଏହା କ’ଣ ମନ୍ତବ୍ୟ?

ବିଜେପି ନେତା ଅମିତ ମାଲବ୍ୟ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ହେମାମାଳିନୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଉଥିବା ଶୁଣିବାକୁ ମିଳୁଛି। ଏକ ଭିଡିଓରେ ସେ ବିଧାୟକ/ସାଂସଦ କାହିଁକି ହୁଅନ୍ତି ବୋଲି ପ୍ରଶ୍ନ କରୁଥିବା ଦେଖିବାକୁ ମିଳୁଛି। ଯାହାଫଳରେ ସେମାନେ ସ୍ୱର ଉତ୍ତୋଳନ କରି ଆମକୁ ସମସ୍ୟାକୁ ସମାଧାନପାରିବେ। ଏମିତି କୌଣସି ହେମାମାଳିନୀ ନାହାନ୍ତି ଯିଏ ଆପଣଙ୍କୁ ଚାଟିବାକୁ ଚାହୁଁଛନ୍ତି । ତେବେ ଏ ନେଇ ସୁରଜେୱାଲା ସ୍ପଷ୍ଟ କରିଛନ୍ତି।

ଦୁଇଟି ନମ୍ବରୀ ମାଲ…

ଲକେଟ୍ ଚାଟାର୍ଜୀ ହୁଗଲି ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କ ବିରୋଧରେ ଦିଦି ନଂ-୧ ଶୋ’ ପାଇଁ ତୃଣମୂଳ କଂଗ୍ରେସ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ପ୍ରାର୍ଥୀ କରିଛି। ପଶ୍ଚିମବଙ୍ଗ ବିଜେପି ମଜୁମଦାରଙ୍କ ବୟାନର ଏକ ଅଂଶ ସେୟାର କରିଛି। ଭିଡିଓରେ ଟିଏମସି ବିଧାୟକ ଅସିତ ମଜୁମଦାର ତାଙ୍କ ଦଳର ପ୍ରାର୍ଥୀ ରଚନା ବାନାର୍ଜୀଙ୍କୁ ଲକେଟ ଚାଟାର୍ଜୀଙ୍କ ସହ ତୁଳନା କରି ତାଙ୍କୁ ଦୁଇ ନମ୍ବରୀ ମାଲ କହୁଛନ୍ତି।

ମମତାଙ୍କ ବିରୋଧରେ ଏହା କି ପ୍ରକାରର ବୟାନ?

କିଛିଦିନ ତଳେ ବିଜେପି ସାଂସଦ ଦିଲୀପ ଘୋଷ କହିଥିଲେ ଯେ ମମତା ବାନାର୍ଜୀ ଯେଉଁଠି ବି ଯାଆନ୍ତି, ସେ ନିଜକୁ ସେହି ରାଜ୍ୟର ଝିଅ ବୋଲି କହନ୍ତି। ଦିଲ୍ଲୀପ ଘୋଷ କହିଛନ୍ତି ଯେ ମମତା ବାନାର୍ଜୀ ତାଙ୍କ ପିତାଙ୍କୁ ଚିହ୍ନିବା ଉଚିତ। ଘୋଷ ଆହୁରି ମଧ୍ୟ କହିଥିଲେ ଯେ ମମତା ବାନାର୍ଜୀ ଯେତେବେଳେ ଗୋଆ ଯାଆନ୍ତି, ସେ ନିଜକୁ ଗୋଆର ଝିଅ ବୋଲି କହନ୍ତି। ଯେତେବେଳେ ସେ ତ୍ରିପୁରା ଯାଆନ୍ତି, ସେ କୁହନ୍ତି ଯେ ସେ ତ୍ରିପୁରାର ଝିଅ । ସେମାନେ ପ୍ରଥମେ ନିଜ ବାପାଙ୍କୁ ଚିହ୍ନିବା ଦରକାର।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ: ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ସାଂସଦ-ବିଧାୟକ

ଭୁବନେଶ୍ଵର: ଫେବ୍ରୁଆରିରେ ରାଜ୍ୟସଭାର ୫୦ଟି ଆସନ ପାଇଁ ନିର୍ବାଚନ ହୋଇଥିଲା। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ୪୧ ଜଣ ନେତା ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭା ନିର୍ବାଚନରେ ଏଭଳି ସ୍ଥିତି ପ୍ରାୟ ସ୍ୱାଭାବିକ ବୋଲି କୁହାଯାଉଛି। ତେବେ ସାଧାରଣତଃ ଲୋକସଭା ଓ ବିଧାନସଭା ନିର୍ବାଚନରେ ଏହା ଦେଖିବାକୁ ମିଳେ ନାହିଁ କାରଣ ଏହି ନିର୍ବାଚନ ସିଧାସଳଖ ସରକାର ଗଠନ ପାଇଁ ହୋଇଥାଏ । ଆସନ୍ତୁ ଜାଣିବା, ଲୋକସଭା ଓ ବିଧାନସଭା ନିର୍ବାଚନରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିବାର ଚିତ୍ର କେମିତି ରହିଛି…

କେମିତି ଥିଲା ଲୋକସଭା ନିର୍ବାଚନରେ ସ୍ଥିତି?

ଲୋକସଭା ନିର୍ବାଚନରେ ଏପର୍ଯ୍ୟନ୍ତ ୨୮ ଜଣ ସାଂସଦ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ପ୍ରଥମ ଓ ଦ୍ୱିତୀୟ ସାଧାରଣ ନିର୍ବାଚନରେ ୫ ଜଣ ସାଂସଦ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲେ।

୧୯୬୭ ମସିହାର ଚତୁର୍ଥ ସାଧାରଣ ନିର୍ବାଚନରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ୫ ଜଣ ସାଂସଦ ନିର୍ବାଚିତ ହୋଇଥିଲେ।

ଏପର୍ଯ୍ୟନ୍ତ ସର୍ବାଧିକ ଜମ୍ମୁ-କଶ୍ମୀରରୁ ୪ ସାଂସଦ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ୟୁପି, ତାମିଲନାଡୁ, ଆସାମ ସମେତ ୭ଟି ରାଜ୍ୟରେ ୨ରୁ ୨ ଜଣ ସାଂସଦ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

କେବଳ ୨ଟି ଆସନ (ସିକିମ ଓ ଶ୍ରୀନଗର) ଯେଉଁଠାରେ ଏକାଧିକ ଥର ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚନ ହୋଇଥିଲା।

ଦଳଗୁଡ଼ିକର ସ୍ଥିତି କ’ଣ?

ସ୍ୱାଧୀନତା ପରଠାରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ କଂଗ୍ରେସର ୨୦ ସାଂସଦ ନିର୍ବାଚିତ ହୋଇଛନ୍ତି।

ନ୍ୟାସନାଲ କନଫରେନ୍ସ ଓ ସମାଜବାଦୀ ପାର୍ଟିରୁ ୨-୨ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି।

ଏପର୍ଯ୍ୟନ୍ତ ମାତ୍ର ଜଣେ ସ୍ୱାଧୀନ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ଏପର୍ଯ୍ୟନ୍ତ ବିଜେପିର କୌଣସି ସାଂସଦ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇନାହାନ୍ତି।

କେଉଁ ପ୍ରମୁଖ ନେତା ବିନା ପ୍ରତିଦ୍ୱନ୍ଦ୍ୱିତାରେ ସାଂସଦ ହୋଇଥିଲେ?

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା, ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ସି ଜାମିର, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇବି ଚୌହାନ, ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପିଏମ୍ ସୟିଦ ଏବଂ ସମାଜବାଦୀ ପାର୍ଟି ନେତା ଡିମ୍ପଲ ଯାଦବ ପ୍ରମୁଖଙ୍କ ନାମ ରହିଛି।

ବିଧାନସଭା ନିର୍ବାଚନରେ ସ୍ଥିତି କ’ଣ?

ବର୍ତ୍ତମାନ ସୁଦ୍ଧା ୨୯୮ ଜଣ ବିଧାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ନାଗାଲାଣ୍ଡ ୭୭ ବିଧାୟକଙ୍କ ସହ ତାଲିକାର ଶୀର୍ଷରେ ରହିଛି।

ଜମ୍ମୁ-କଶ୍ମୀରରୁ ଏପର୍ଯ୍ୟନ୍ତ ୬୩ ଜଣ ବିଧାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ଅରୁଣାଚଳ ପ୍ରଦେଶରୁ ୪୦ ଜଣ ବିଧାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ଆନ୍ଧ୍ରପ୍ରଦେଶର ୩୪ ଓ ଆସାମରୁ ୧୮ ବିଧାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ୟୁପି ଓ ରାଜସ୍ଥାନରୁ ୬ ଜଣ ବିଧାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

୧୯୬୨ରେ ୬ଟି ରାଜ୍ୟରେ ୪୭ ଜଣ ବିଧାୟକ ନିର୍ବାଚିତ ହୋଇଥିଲେ, ଯାହା ଗୋଟିଏ ବର୍ଷରେ ସର୍ବାଧିକ।

୧୯୯୮ରେ ୪୫ ବିଧାୟକ ନିର୍ବାଚିତ ହୋଇଥିବାବେଳେ ୧୯୬୭ ଓ ୧୯୭୨ରେ ୩୩ରୁ ୩୩ ବିଧାୟକ ନିର୍ବାଚିତ ହୋଇଥିଲେ।

ଚଳିତ ଅରୁଣାଚଳ ପ୍ରଦେଶ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ସମେତ ୧୦ ଜଣ

ବିଜେପି ବିଧାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇସାରିଛନ୍ତି।

ଦଳଗୁଡ଼ିକର ଆକଳନ କ’ଣ?

କଂଗ୍ରେସ ୧୯୫ ବିଧାୟକଙ୍କୁ ନେଇ ଏହି ମାମଲାରେ ଆଗରେ ରହିଛି।

ନ୍ୟାସନାଲ କନଫରେନ୍ସର ୩୪ ଓ ବିଜେପିର ୧୫ ବିଧାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ୨୯ ଜଣ ସ୍ୱାଧୀନ ବିଧାୟକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ରାଜନୀତିରେ ବଢ଼ୁଛି ଦାଗୀ ନେତାଙ୍କ ସଂଖ୍ୟା

ନୂଆଦିଲ୍ଲୀ: ନ୍ୟାୟପାଳିକାଠାରୁ ଆରମ୍ଭ କରି ସରକାର, ରାଜନୈତିକ ଦଳଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ଦେଶର ରାଜନୀତିକୁ ଅପରାଧମୁକ୍ତ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ରାଜନୀତିରେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ ମଧ୍ୟ ତିଆରି ହୋଇଛି, କିନ୍ତୁ ରାଜନୀତିରେ ପ୍ରବେଶ କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ଅପରାଧିକ ପ୍ରବୃତ୍ତିର ଲୋକମାନେ ଦେଶର ରାଜନୀତିକୁ ଆସିବାରେ ଲାଗିଛନ୍ତି। ଏଭଳି ସ୍ଥିତିରେ ରାଜନୀତିରେ ଅପରାଧୀଙ୍କ ସଂଖ୍ୟା କେତେରେ ପହଞ୍ଚିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

କେଉଁ ରାଜ୍ୟରେ ସବୁଠାରୁ ଅଧିକ ଦାଗୀ ନେତା

କେରଳରେ ୧୩୫ ବିଧାୟକଙ୍କ ମଧ୍ୟରୁ ୯୫ ଜଣ ଅର୍ଥାତ୍ ୭୦ ପ୍ରତିଶତ ନିଜ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ବିହାରରେ ୧୬୧ (୬୭ ପ୍ରତିଶତ)/୨୪୨ ବିଧାୟକ (୬୩ ପ୍ରତିଶତ), ଦିଲ୍ଲୀରେ ୪୪/୭୦ ବିଧାୟକ, ମହାରାଷ୍ଟ୍ରରେ ୧୭୫ (୬୨ ପ୍ରତିଶତ)/୨୮୪ ବିଧାୟକ, ତେଲେଙ୍ଗାନାର ୭୨ (୬୧ ପ୍ରତିଶତ), ତେଲେଙ୍ଗାନାର ୧୧୮ ବିଧାୟକ ଏବଂ ତାମିଲନାଡୁର ୧୩୪ (୬୦ ପ୍ରତିଶତ), ୨୨୪ ବିଧାୟକ ସେମାନଙ୍କ ସତ୍ୟପାଠରେ ସ୍ୱୟଂ ଘୋଷିତ ଅପରାଧିକ ମାମଲା ଘୋଷଣା କରିଛନ୍ତି। ଏହାବ୍ୟତୀତ ଦିଲ୍ଲୀର ୭୦ ଜଣ ବିଧାୟକଙ୍କ ମଧ୍ୟରୁ ୩୭ ଜଣ (୫୩ ପ୍ରତିଶତ)ଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ବୋଲି ଏଡିଆର ଦର୍ଶାଇଛି। ବିହାରରେ ୨୪୨ ବିଧାୟକଙ୍କ ମଧ୍ୟରୁ ୧୨୨ (୫୦ ପ୍ରତିଶତ), ମହାରାଷ୍ଟ୍ରରେ ୨୮୪ ବିଧାୟକଙ୍କ ମଧ୍ୟରୁ ୧୧୪ (୪୦ ପ୍ରତିଶତ), ଝାଡ଼ଖଣ୍ଡରେ ୭୯ ବିଧାୟକଙ୍କ ମଧ୍ୟରୁ ୩୧ (୩୯ ପ୍ରତିଶତ), ତେଲେଙ୍ଗାନାରେ ୧୧୮ ବିଧାୟକଙ୍କ ମଧ୍ୟରୁ ୪୬ (୩୯ ପ୍ରତିଶତ) ଏବଂ ଉତ୍ତରପ୍ରଦେଶରେ ୪୦୩ ବିଧାୟକଙ୍କ ମଧ୍ୟରୁ ୧୫୫ (୩୮ ପ୍ରତିଶତ) ବିଧାୟକଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି।

ଓଡ଼ିଶାର ୬୫ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି

ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଏବଂ ଓଡ଼ିଶା ଇଲେକ୍ସନ ୱାଚ୍ (ଓଇଡବ୍ଲ୍ୟୁ)ଦ୍ୱାରା କରାଯାଇଥିବା ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଓଡ଼ିଶା ବିଧାନସଭାର ୬୫ ଜଣ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି।

ଏଡିଆର ପକ୍ଷରୁ ଜାରି ଏକ ସରକାରୀ ବିବୃତିରେ କୁହାଯାଇଛି ଯେ, ଏଡିଆରଦ୍ୱାରା ସତ୍ୟପାଠ ବିଶ୍ଳେଷଣ କରାଯାଇଥିବା ୧୪୬ ବିଧାୟକଙ୍କ ମଧ୍ୟରୁ ରାଜ୍ୟର ମୋଟ ବିଧାୟକଙ୍କ ମଧ୍ୟରୁ ୬୫ ଜଣ (୪୫%) ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଥିବାବେଳେ ୪୭ ଜଣ ବର୍ତ୍ତମାନର ବିଧାୟକ (୩୨%) ଗୁରୁତର ଅପରାଧିକ ମାମଲା ଘୋଷଣା କରିଛନ୍ତି।

ଗୁରୁତର ଅପରାଧିକ ମାମଲା ଥିବା ବିଧାୟକଙ୍କ ମଧ୍ୟରୁ ଦୁଇଜଣ ବିଧାୟକ ହତ୍ୟା ମାମଲା (ଆଇପିସି ଧାରା ୩୦୨) ଏବଂ ୧୧ ଜଣ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ (ଆଇପିସି ଧାରା ୩୦୭) ମାମଲା ଘୋଷଣା କରିଛନ୍ତି।

ତେବେ ୧୨ ଜଣ ବିଧାୟକ ମହିଳାଙ୍କ ବିରୋଧରେ ଅପରାଧ ସଂକ୍ରାନ୍ତ ମାମଲା ଘୋଷଣା କରିଛନ୍ତି।

ରାଜନୈତିକ ଦଳମାନଙ୍କ ମଧ୍ୟରେ ଶାସକ ବିଜୁ ଜନତା ଦଳର ୧୧୧ ବିଧାୟକଙ୍କ ମଧ୍ୟରୁ ୪୪ (୪୦%), ଭାରତୀୟ ଜନତା ପାର୍ଟି (ବିଜେପି)ର ୨୨ ବିଧାୟକଙ୍କ ମଧ୍ୟରୁ ୧୩ (୫୯%) ଏବଂ ଭାରତୀୟ ଜାତୀୟ କଂଗ୍ରେସର ୮ ବିଧାୟକଙ୍କ ମଧ୍ୟରୁ ୫ ବିଧାୟକ (୬୩%) ବିଧାୟକ ଅଛନ୍ତି ବୋଲି ଏଡିଆର କହିଛି।

ସାଂସଦଙ୍କ ସଂଖ୍ୟା ମଧ୍ୟ କିଛି କମ୍‍ ନୁହେଁ

ଏଡିଆର୍ ତଥ୍ୟ ଅନୁଯାୟୀ, ୨୦୦୪ ପରଠାରୁ ଭାରତରେ ସଂସଦକୁ ଅପରାଧିକ ଅଭିଯୋଗ ଥିବା ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୦୪ରେ ୨୪ ପ୍ରତିଶତ ସାଂସଦଙ୍କ ନାମରେ ଅପରାଧିକ ମାମଲା ଥିବାବେଳେ ୨୦୧୯ରେ ଏହା ୪୩ ପ୍ରତିଶତକୁ ବୃଦ୍ଧି ପାଇଛି। ଫେବୃଆରୀ ୨୦୨୩ରେ ଦାଖଲ ହୋଇଥିବା ଏହି ପିଟିସନରେ ଦାବି କରାଯାଇଥିଲା ଯେ ୨୦୦୯ ପରଠାରୁ ଅପରାଧିକ ମାମଲା ଥିବା ସାଂସଦଙ୍କ ସଂଖ୍ୟା ୪୪% ବୃଦ୍ଧି ପାଇଛି। ୨୦୧୯ ଲୋକସଭା ନିର୍ବାଚନରେ ୧୫୯ ଜଣ ସାଂସଦ ନିଜ ବିରୋଧରେ ଗୁରୁତର ଅପରାଧିକ ମାମଲା ଥିବା ଘୋଷଣା କରିଥିଲେ। ଏଥିରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ମହିଳାଙ୍କ ବିରୋଧରେ ଦୁଷ୍କର୍ମ ଓ ଅନ୍ୟାନ୍ୟ ଅପରାଧ ରହିଛି।

Categories
ଆଜିର ଖବର ଜାତୀୟ ଖବର

ସଂରକ୍ଷିତ ଆସନରେ କେଉଁ ଦଳ କେତେ ଜିତିଛି

ଭୁବନେଶ୍ଵର: ୫୪୩ ଆସନ ବିଶିଷ୍ଟ ଲୋକସଭାରେ ୮୪ଟି ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବାବେଳେ ୪୭ଟି ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଏକଦା ଏହି ଆସନଗୁଡ଼ିକରେ କଂଗ୍ରେସର ଆଧିପତ୍ୟ ଥିଲା। ନବେ ଦଶକର ଶେଷବେଳକୁ ଆଞ୍ଚଳିକ ଦଳ ଓ ବିଜେପିର ଦଖଲ ସୁଦୃଢ଼ ହୋଇଥିଲା। ଗଣିତ ଏପରି ଯେ ସଂରକ୍ଷିତ ବର୍ଗର ଭୋଟ୍ ବିଭାଜିତ ହେଲେ ଅନ୍ୟ ବର୍ଗର ଭୋଟର ନିର୍ଣ୍ଣାୟକ ହୋଇଯାଆନ୍ତି। ସଂରକ୍ଷିତ ଆସନରେ କଂଗ୍ରେସ ନିଜର ଆଧିପତ୍ୟ ହରାଇବାରୁ ବିଜେପି ଏବଂ ଆଞ୍ଚଳିକ ଦଳଗୁଡ଼ିକ ବୃଦ୍ଧି ପାଇଲେ।

କେମିତି ଥିଲା ୨୦୧୪ ନିର୍ବାଚନ?

ବିଜେପି ୨୦୧୪ରେ ୬୬ଟି ସଂରକ୍ଷିତ ଆସନ ଜିତି ରେକର୍ଡ କରିଥିଲା।

୨୦୧୪ରେ ବିଜେପି ୪୦ଟି ଏସସି ଓ ୨୬ଟି ଏସଟି ଆସନ ରେ ବିଜୟୀ ହୋଇଥିଲା।

୧୯୯୧ ପରେ କୌଣସି ଦଳକୁ ଏତେ ସଂରକ୍ଷିତ ଆସନ ମିଳିନଥିଲା।

୨୦୧୪ ନିର୍ବାଚନରେ କଂଗ୍ରେସ ମାତ୍ର ୭ଟି ଏସସି ଓ ୫ଟି ଏସଟି ଆସନ ଜିତିପାରିଥିଲା।

ତୃଣମୂଳ କଂଗ୍ରେସ ୧୦ଟି ଏସସି ଓ ୨ଟି ଏସଟି ଆସନ ଜିତି ତୃତୀୟ ସ୍ଥାନରେ ରହିଥିଲା।

ସଂରକ୍ଷିତ ଲୋକସଭା ଆସନ

ଗଣତନ୍ତ୍ରରେ ଅଧାରୁ ଅଧିକ ଭୋଟ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ କୌଣସି ଦଳ କେବେ ୫୦% ଭୋଟ୍ ପାଇଛନ୍ତି କି?

୨୦୧୯ ନିର୍ବାଚନରେ ବିଜେପି କେତେ ଦୂର ଯାଇଥିଲା?

୨୦୧୯ ନିର୍ବାଚନରେ ବିଜେପି ୭୭ଟି ସଂରକ୍ଷିତ ଆସନ ଜିତି ସବୁଠୁ ଆଗରେ ରହିଥିଲା।

୨୦୧୯ରେ ବିଜେପି ୪୬ଟି ଏସସି ଓ ୩୧ଟି ଏସଟି ଆସନରେ ବିଜୟୀ ହୋଇଥିଲା।

ଏହି ନିର୍ବାଚନରେ କଂଗ୍ରେସ ମାତ୍ର ୫ଟି ଏସସି ଓ ୪ଟି ଏସଟି ଆସନରେ ବିଜୟୀ ହୋଇପାରିଥିଲା।

ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ୫ଟି ଆସନରେ ବିଜୟୀ ହୋଇ ଟିଏମସି ତୃତୀୟ ସ୍ଥାନରେ ରହିଛି।

ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ ଓ ରାଜସ୍ଥାନରେ ସମସ୍ତ ସଂରକ୍ଷିତ ଆସନରେ ବିଜେପି ବିଜୟୀ ହୋଇଛି।

ଉତ୍ତରପ୍ରଦେଶରେ ବିଜେପି ୧୭ଟି ଏସସି ଆସନରୁ ୧୪ଟିରେ ବିଜୟୀ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ୟୁପିରେ ଗାନ୍ଧୀ ପରିବାରର ରାଜନୈତିକ ଯାତ୍ରା

ଭୁବନେଶ୍ଵର: ଜରୁରୀକାଳୀନ ପରିସ୍ଥିତି ପରେ ୧୯୭୭ରେ ହୋଇଥିବା ସାଧାରଣ ନିର୍ବାଚନକୁ ଛାଡ଼ିଦେଲେ କଂଗ୍ରେସ ଯେତେ ଖରାପ ହେଉ ନା କାହିଁକି ନେହେରୁ-ଗାନ୍ଧୀ ପରିବାର ଯେତେବେଳେ ୟୁପିରୁ ନିର୍ବାଚନ ଲଢ଼ୁଥିଲେ ଜନସାଧାରଣ ସେମାନକୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ୨୦୧୯ରେ ଆମେଥିରେ ରାହୁଲ ଗାନ୍ଧିଙ୍କ ପରାଜୟ ଏକ ବ୍ୟତିକ୍ରମ ଥିଲା। କିନ୍ତୁ ଏଥର ୟୁପିରେ ଗାନ୍ଧୀ ପରିବାର ପାଇଁ ଏକ ‘ସୁରକ୍ଷିତ’ ଆସନ ନାହିଁ। ଗତ ଦୁଇ ଦଶନ୍ଧି ଧରି ଆମେଠି-ରାୟବରେଲି ଆସନରେ ନିର୍ବାଚନ ଘୋଷଣା ପୂର୍ବରୁ ଗାନ୍ଧୀ ପରିବାରର ପ୍ରାର୍ଥୀତ୍ୱ ସ୍ଥିର ହେଉଥିଲା, ଏଥର ତାହା ମଧ୍ୟ ନାହିଁ।

ସ୍ୱାଧୀନତା ପରେ ହୋଇଥିବା ସମସ୍ତ ନିର୍ବାଚନ ମଧ୍ୟରୁ ୧୯୭୭ ହେଉଛି ଏକମାତ୍ର ନିର୍ବାଚନ ଯେଉଁଥିରେ ଗାନ୍ଧୀ ପରିବାରରୁ କେହି ୟୁପିରୁ ନିର୍ବାଚିତ ହୋଇନାହାନ୍ତି। ସେହି ନିର୍ବାଚନରେ ଆମେଥିରୁ ସଞ୍ଜୟ ଗାନ୍ଧୀ ଓ ରାୟବରେଲିରୁ ଇନ୍ଦିରା ଗାନ୍ଧୀ ନିର୍ବାଚନ ହାରିଥିଲେ।

‘୧୯୯୧ରେ ରାଜୀବ ଗାନ୍ଧି ନିର୍ବାଚନ ଜିତିଥିଲେ, କିନ୍ତୁ ଫଳାଫଳ ଆସିବା ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିଲା, ତେଣୁ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହିପରି ଇନ୍ଦିରାଙ୍କ ସହ ଝଗଡ଼ା ପରେ ଅଲଗା ହୋଇଥିବା ମେନକା ଗାନ୍ଧୀ ମଧ୍ୟ ‘୧୯୯୧ ନିର୍ବାଚନରେ ପିଲିଭିତରୁ ପରାଜିତ ହୋଇଥିଲେ। ତେଣୁ ଦଶମ ଲୋକସଭାରେ ଗାନ୍ଧୀ ପରିବାରର ପ୍ରତିନିଧିତ୍ୱ ନ ଥିଲା। ୧୯୯୬ ଓ ୧୯୯୮ ଲୋକସଭା ନିର୍ବାଚନରେ କଂଗ୍ରେସର ନେତୃତ୍ୱ ନେଉଥିବା ଗାନ୍ଧୀ ପରିବାରର କେହି ନିର୍ବାଚନ ଲଢ଼ିନଥିଲେ। ତେବେ ଭିନ୍ନ ରାଜନୈତିକ ବାଟ ବାଛିଥିବା ମେନକା ଗାନ୍ଧୀ ନିଶ୍ଚିତଭାବେ ଲୋକସଭାରେ ପହଞ୍ଚିଥିଲେ।

ଜବାହରଲାଲ ନେହେରୁ

୧୯୫୧-୫୨ମସିହାରେ ସେ ଆହ୍ଲାବାଦ ଜିଲ୍ଲା (ପୂର୍ବ) ଓ ଜୌନପୁର ଜିଲ୍ଲା (ପଶ୍ଚିମ) ଏବଂ ୧୯୫୭ ଓ ୧୯୬୨ମସିହାରେ ଫୁଲପୁରରୁ ସାଂସଦଭାବେ ନିର୍ବାଚିତ ହୋଇଥିଲେ।

ଫିରୋଜ ଗାନ୍ଧୀ

ସେ ଇନ୍ଦିରା ଗାନ୍ଧୀଙ୍କ ସ୍ୱାମୀ ଥିଲେ। ୧୯୫୨ମସିହାରେ ସେ ରାୟବରେଲି-ପ୍ରତାପଗଡ଼ ଓ ୧୯୫୭ମସିହାରେ ରାୟବରେଲିରୁ ସାଂସଦଭାବେ ନିର୍ବାଚିତ ହୋଇଥିଲେ।

ବିଜୟଲକ୍ଷ୍ମୀ ପଣ୍ଡିତ

ସେ ଜବାହରଲାଲ ନେହେରୁଙ୍କ ଭଉଣୀ ଥିଲେ। ୧୯୫୧-୫୨ରେ ସେ ଲକ୍ଷ୍ନୌରୁ ସାଂସଦ ହୋଇଥିଲେ। ନେହେରୁଙ୍କ ଦେହାନ୍ତ ପରେ ସେ ୧୯୬୪ରେ ଫୁଲପୁର ଉପନିର୍ବାଚନରେ ବିଜୟୀ ହୋଇଥିଲେ ଏବଂ ୧୯୬୭ରେ ଏଠାରୁ ସାଂସଦ ହୋଇଥିଲେ।

ଇନ୍ଦିରା ଗାନ୍ଧୀ

ପୂର୍ବତନ ପ୍ରଧାନମନ୍ତ୍ରୀ ୧୯୬୭, ୭୧ ଓ ୮୦ରେ ରାୟବରେଲିରୁ ସାଂସଦ ଥିଲେ। ୧୯୭୭ରେ ଜୟନାରାୟଣଙ୍କ ଠାରୁ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସଞ୍ଜୟ ଗାନ୍ଧି

ଇନ୍ଦିରା ଗାନ୍ଧିଙ୍କ ସାନ ପୁଅ ସଞ୍ଜୟ ୧୯୭୭ ମସିହାରେ ଆମେଠିରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ।

ରାଜୀବ ଗାନ୍ଧୀ

ବିମାନ ଦୁର୍ଘଟଣାରେ ସଞ୍ଜୟ ଗାନ୍ଧିଙ୍କ ମୃତ୍ୟୁ ପରେ ସେ ୧୯୮୧ ରେ ଉପନିର୍ବାଚନରେ ଆମେଥିରୁ ସାଂସଦ ହୋଇଥିଲେ। ସେ ‘୧୯୮୪, ‘୧୯୮୯ ଏବଂ ‘୧୯୯୧ରେ ଆମେଥିରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ।

ଅରୁଣ ନେହେରୁ

ଗାନ୍ଧି ପରିବାରର ଅରୁଣ ୧୯୮୦ରେ ପ୍ରଥମ ଥର ପାଇଁ ରାୟବରେଲି ଉପନିର୍ବାଚନ ଜିତିଥିଲେ ଏବଂ ‘୧୯୮୪ରେ ଏଠାରୁ ସାଂସଦ ହୋଇଥିଲେ। ୧୯୮୯ରେ ସେ ଜନତା ଦଳ ଟିକେଟରେ ବିଲହୋରରୁ ବିଜୟୀ ହୋଇଥିଲେ

ମେନକା ଗାନ୍ଧୀ

ଇନ୍ଦିରାଙ୍କ ବୋହୂ ତଥା ସଞ୍ଜୟ ଗାନ୍ଧୀଙ୍କ ପତ୍ନୀ ୧୯୮୪ମସିହାରେ ରାଜୀବ ଗାନ୍ଧୀଙ୍କ ବିରୋଧରେ ପ୍ରଥମ ଥର ପାଇଁ ଆମେଠିରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ୨୦୦୪, ୨୦୧୪ରେ ଓଁଲା, ୨୦୦୯ରେ ସୁଲତାନପୁର ସୁଲତାନପୁରରୁ ବିଜେପି ସାଂସଦ ହୋଇଥିଲେ।

ସୋନିଆ ଗାନ୍ଧି

୧୯୯୯ରେ ସେ ଆମେଥିରୁ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ। ସେ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ଲଗାତାର ରାୟବରେଲିର ପ୍ରତିନିଧିତ୍ୱ କରି ଆସୁଥିଲେ। ୨୦୨୪ ସେ ଲୋକସଭା ନିର୍ବାଚନ ଲଢ଼ୁ ନାହାନ୍ତି।

ରାହୁଲ ଗାନ୍ଧି

୨୦୦୪ରେ ଆମେଥିରୁ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ। ୨୦୧୪ ପର୍ଯ୍ୟନ୍ତ ଆମେଥିରେ ବିଜୟୀ ହୋଇଥିଲେ। ୨୦୧୯ରେ ଆମେଠିରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହିବର୍ଷ ସେ କେରଳର ୱେୟନାଡ଼ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ରାହୁଲ ୱେୟନାଡ଼ ସଂସଦୀୟ ଆସନରୁ ନିର୍ବାଚନ ଲଢ଼ୁଛନ୍ତି।

ବରୁଣ ଗାନ୍ଧୀ

୨୦୦୯ରେ ସେ ପ୍ରଥମ ଥର ପାଇଁ ବିଜେପି ଟିକେଟରେ ପିଲିଭିତରୁ ସାଂସଦ ହୋଇଥିଲେ। ୨୦୧୪ରୁ ସୁଲତାନପୁରରୁ ଜିତିଥିଲେ। ‘୨୦୧୯ରେ ପୁଣି ପିଲିଭିତରୁ ବିଜୟୀ ହୋଇଥିଲେ। ଏଥର ନିର୍ବାଚନରେ ତାଙ୍କ ଟିକେଟ୍ ବିଜେପି କାଟି ଦେଇଛି। ସେ ସ୍ୱାଧୀନ କିମ୍ବା ସମାଜବାଦୀ ପାର୍ଟି ପକ୍ଷରୁ ନିର୍ବାଚନ ଲଢ଼ିପାରନ୍ତି।