Categories
ଆଜିର ଖବର ଜାତୀୟ ଖବର ଧର୍ମ

ଡିସେମ୍ବର ୨୬ ତାରିଖ ମଙ୍ଗଳବାର ଦିନ କଣ ଘଟିବ ଆପଣଙ୍କର ଭାଗ୍ୟରେ, ଜାଣନ୍ତୁ ଆଜିର ରାଶିଫଳ

ମେଷ- ଯଶ କିର୍ତ୍ତୀ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ବୃଦ୍ଧି ପାଇବ। ଆପଣଙ୍କର ଦୈନନ୍ଦିନ ପରିବର୍ତ୍ତନ କରିବା ଉପଯୁକ୍ତ ହେବ। ଆପଣଙ୍କର ଆଚରଣରେ ଭଦ୍ର ହେବା ଆବଶ୍ୟକ। ଯାନବାହନ ଆନନ୍ଦ ପାଇବେ। ପିଲାମାନଙ୍କର ଯତ୍ନ ନେବା ଆବଶ୍ୟକ ।

ବୃଷ- ଶୁଭ ସଂକଳ୍ପ ସହିତ ଦିନଟି ଆରମ୍ଭ ହେବ। ନୂତନ ବ୍ୟବସାୟରେ ଲାଭର କମ୍ ଆଶା ଅଛି। ପିତାମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ। କ୍ୟାରିୟର ବିଷୟରେ ନିରାଶ ହୁଅନ୍ତୁ ନାହିଁ, ସମୟ ବଦଳିଯିବ। ନୂତନ ଗୃହ ନିର୍ମାଣ ସୃଷ୍ଟି ହେଉଛି।

ମିଥୁନ- ଆପଣଙ୍କର କାର୍ଯ୍ୟ ପଦ୍ଧତିଗୁଡ଼ିକର ଉନ୍ନତି ଆବଶ୍ୟକ। ଆଜି ଟଙ୍କା ପ୍ରବାହ ସହଜ ହେବ। ସ୍ୱାସ୍ଥ୍ୟ ଭଲ ହେବ। ବ୍ୟବସାୟର ବିବାଦ ଶାନ୍ତ ରହିବ। ସମୟ ବଦଳିଯିବ। ଯାନ କିଣିବାର ସମ୍ଭାବନା ସୃଷ୍ଟି ହେଉଛି।

କର୍କଟ- ଆପଣଙ୍କ କର୍ମକ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ପରିବାରର ବୃଦ୍ଧମାନଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବ। ଚାକିରିରେ ବିବାଦ ଶାନ୍ତିପୂର୍ଣ୍ଣ ହେବ। ଲାଭ ସୁଯୋଗ ମିଳିବ। ଘରେ ଶାନ୍ତି ରଖନ୍ତୁ।

ସିଂହ- ଆପଣ ଅନ୍ୟର ସଂପର୍କକୁ ବୁଝିବାକୁ ଚେଷ୍ଠା କରନ୍ତୁ। ଆପଣ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ। ଆପଣ କିଛି କହିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ଦୂର ବନ୍ଧୁଙ୍କୁ ଭେଟିବା ଲାଭଦାୟକ ପ୍ରମାଣିତ ହେବ। ଅନ୍ୟମାନଙ୍କୁ ନିଜ ବ୍ୟକ୍ତିଗତ ପ୍ରସଙ୍ଗରେ କହିବା ବନ୍ଦ କରାନ୍ତୁ।

କନ୍ୟା- କମ୍ କୁହନ୍ତୁ ହେଲେ ଭଲ କୁହନ୍ତୁ । ଶତ୍ରୁମାନେ ମଧ୍ୟ ପ୍ରଶଂସା କରିବେ। ବାହ୍ୟ ବିବାଦ ପରିବାର ଉପରେ ପ୍ରଭାବ ପକାଇବାକୁ ଦିଅନ୍ତୁ ନାହିଁ । ଦାମ୍ପତ୍ୟ ଜୀବନରେ ଶାନ୍ତି ରହିବ । ପ୍ରତିଷ୍ଠା ବୃଦ୍ଧି ପାଇବ। ନ୍ୟାୟ ଭଲ ହେବ।

ତୂଳା- ଚିନ୍ତା କରି କାମ କରନ୍ତୁ। ବାହାର କୌଣସି ଏକ କାର୍ଯ୍ୟ କରିବା ଦ୍ୱାରା ଅସୁବିଧା ହୋଇପାରେ। ଲାଭ ସୁଯୋଗ ମିଳିବ। ଅଫିସ ପରିବେଶ ସପକ୍ଷରେ ରହିବ। ବିବାଦରେ ନୀରବ ରହିବା ଲାଭଦାୟକ ହେବ। ଆପଣ ବରିଷ୍ଠମାନଙ୍କୁ ସମ୍ମାନ ଦିଅନ୍ତୁ।

ବିଛା– ଚାକିରିରେ ବ୍ୟାଘାତ ସୃଷ୍ଟି ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ଉପଯୋଗୀ ଖର୍ଚ୍ଚ ବୃଦ୍ଧି ପାଇବ । ଠକିବାର ସମ୍ଭାବନା ଅଛି । କ୍ରନିକ୍ ରୋଗ ହେବାର ସମ୍ଭାବନା ଅଛି। ସଜାଗ ରୁହନ୍ତୁ।

ଧନୁ- ମାନସିକ ଯନ୍ତ୍ରଣା ବୃଦ୍ଧି ପାଇବ। ମନବଳକୁ ସୁଦୃଢ ରଖନ୍ତୁ। ଅର୍ଥନୈତିକ ବିନିଯୋଗରୁ ଲାଭର ସମ୍ଭାବନା ଅଛି । ପିଲାମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହେବ।

ମକର- ଦିନର ଆରମ୍ଭ ଉପଭୋଗ୍ୟ ହେବ । ଏକ ପୁରୁଣା ବନ୍ଧୁଙ୍କୁ ଭେଟିବା ସମ୍ଭବ । ଲାଭ ଯୋଗ ହେତୁ ଦିନଟି ଶୁଭ ହେବ । ଶତ୍ରୁମାନେ ପରାସ୍ତ ହେବେ। ଭ୍ରମଣ ସମ୍ଭାବନା ଅଛି । ଶ୍ୱାସ ରୋଗରେ ପୀଡିତ ବ୍ୟକ୍ତି ସଜାଗ ରୁହନ୍ତୁ ।

କୁମ୍ଭ- ସମୟ ସହିତ ଆପଣଙ୍କର ନୈତିକ ଧାରଣାକୁ ପରିବର୍ତ୍ତନ କରିବାକୁ ପଡିବ । ଯଦି ଆପଣ ଭଲ ଶାନ୍ତି ଚାହୁଁଛନ୍ତି ତେବେ ଆଚରଣକୁ ପରିବର୍ତ୍ତନ କରିବାକୁ ପଡିବ। ଏହା କଷ୍ଟସାଧ୍ୟ କିନ୍ତୁ ଅସମ୍ଭବ ନୁହେଁ । ଲାଭ ସୁଯୋଗ ବୃଦ୍ଧି ପାଇ ।

ମୀନ- ନିଜ ଉପରେ ବିଶ୍ୱାସ କରନ୍ତୁ, ଅନ୍ୟମାନଙ୍କ ଉପରେ ନୁହେଁ । ଅଳସୁଆଠାରୁ ବଡ଼ ଶତ୍ରୁ ନାହିଁ, ତେଣୁ ସତର୍କ ରୁହନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ।

Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ କରିଛନ୍ତି।

ଦେଶ ପ୍ରତି ତାଙ୍କ ଉତ୍ସର୍ଗକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ବାଜପେୟୀ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ଦେଶର ସମସ୍ତ ପରିବାରଜନଙ୍କ ପକ୍ଷରୁ ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଅଟଳ ବିହାରୀ ବାଜପେୟୀଙ୍କୁ କୋଟି କୋଟି ପ୍ରଣାମ। ମା ଭାରତୀ ପାଇଁ ତାଙ୍କ ସମର୍ପଣ ଏବଂ ସେବା ଭାବ ଅମୃତକାଳରେ ବି ପ୍ରେରଣାର ସ୍ରୋତ ହୋଇ ରହିବ।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

୩ ଦିନ ପରେ ମୁମ୍ବାଇ ଅଭିମୁଖେ ଯାତ୍ରା କଲା ଫ୍ରାନ୍ସରେ ଅଟକ ରହିଥିବା ବିମାନ: ଥିଲେ ୩୦୦ ରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ: ଫ୍ରାନ୍ସରେ ଅଟକ ରହିଥିବା ବିମାନ ଆଜି ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି। ଫ୍ରାନ୍ସର ମିଡିଆ ବିଏଫଏମ ଟିଭି ଏହି ସୂଚନା ଦେଇଛି। ମାନବ ଚାଲାଣ ସନ୍ଦେହରେ ଶୁକ୍ରବାର ଦିନ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଫ୍ରାନ୍ସର ବିମାନ ବନ୍ଦରରେ ଅଟକି ରହିଥିଲା। ଏହି ବିମାନରେ ୩୦୩ ଜଣ ଯାତ୍ରୀ ଥିଲେ, ସେଥିରେ ଅଧିକାଂଶ ଭାରତୀୟ ଥିଲେ।

ରବିବାର ଦିନ ରୋମାନିଆ କମ୍ପାନୀ ‘ଲିଜେଣ୍ଡ ଏୟାରଲାଇନ୍ସ’ ଦ୍ୱାରା ପରିଚାଳିତ ଏ-୩୪୦ ବିମାନକୁ ଫ୍ରାନ୍ସ କର୍ତ୍ତୃପକ୍ଷ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି।

ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇରୁ ୩୦୩ ଜଣ ଯାତ୍ରୀଙ୍କ ସହ ନିକାରାଗୁଆ ଅଭିମୁଖେ ଯାତ୍ରା କରୁଥିବା ବେଳେ ମାନବ ଚାଲାଣ ସନ୍ଦେହରେ ଶୁକ୍ରବାର ଦିନ ପ୍ୟାରିସର ୧୫୦ କିଲୋମିଟର ପୂର୍ବରେ ଥିବା ଭିଟ୍ରି ବିମାନ ବନ୍ଦରରେ ଅଟକି ରହିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଢେଙ୍କାନାଳ ଜବାହର ନବୋଦୟ ବିଦ୍ୟାଳୟରେ ୧୪. ୩୨ କୋଟି ମୂଲ୍ୟ ପ୍ରକଳ୍ପର ଶୁଭ ଦେଲେ କେନ୍ଦ୍ରମନ୍ତ୍ରୀ

ପରଜଙ୍ଗ/ଢେଙ୍କାନାଳ: ଖେଳରେ ସ୍ପିରିଟ୍ ଅଛି। ଖେଳରେ ହାର୍ ଜିତ୍ ଅଛି। ଖେଳରେ ହାରିଲେ ଆଗକୁ ବଢିବାର ପ୍ରେରଣା ମିଳେ ବୋଲି ସୋମବାର ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ସ୍ଥିତ ପିଏମ ଶ୍ରୀ ଜବାହର ନବଦୋୟ ବିଦ୍ୟାଳୟରେ ୧୪. ୩୨ କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଶୁଭ ଦେବା ସହ ଫୁଟବଲ ଫର୍ ସ୍କୁଲ କାର୍ଯ୍ୟକ୍ରମ ଅଧୀନରେ ଫୁଟବଲ ବିତରଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ଚାରି ଦଶନ୍ଧି ଧରି ଢେଙ୍କାନାଳ ଜିଲ୍ଲାରେ ଅନେକ ବଡ ବଡ ବ୍ୟକ୍ତିତ୍ୱ ମାନଙ୍କୁ ତିଆରି କରିବାରେ ଏହି ନବୋଦୟ ବିଦ୍ୟାଳୟର ଯୋଗଦାନ ଅତୁଳନୀୟ।

ଢେଙ୍କାନାଳ ଜିଲ୍ଲାର ବଣମଲ୍ଲୀଙ୍କୁ ପାରିଜାତ ପୁଷ୍ପ ଭଳି ପରିବର୍ତ୍ତନ କରିବାରେ ସ୍କୁଲର ଯଥେଷ୍ଟ ଅବଦାନ ରହିଛି। ଏହି ସ୍କୁଲରେ ଏସଏସସି, ଏସଟି, ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ସମେତ ବହୁସଂଖ୍ୟକ ଛାତ୍ରୀ ବିଶେଷତଃ ଗ୍ରାମାଞ୍ଚଳର ପିଲାମାନେ ପାଠ ପଢୁଛନ୍ତି। ଏହି ସ୍କୁଲରୁ ପାଠ ପଢି ଗରିବ ଓ ସାଧାରଣ ଘରର ପିଲାମାନେ ଅଧିକାଂଶରେ ଡକ୍ଟର, ଇଞ୍ଜିନିୟର, ପ୍ରଫେସର, ପ୍ରାଧ୍ୟାପକ, ଶିକ୍ଷକ, ଶିକ୍ଷୟିତ୍ରୀ, ଏବଂ ସିଏ ହୋଇଛନ୍ତି। ଏହି ସ୍କୁଲରେ ଫାଇନାନ୍ସିଆଲ ମାର୍କେଟ୍ ମ୍ୟାନେଜମେଣ୍ଟ ଉପରେ ଶିକ୍ଷାଦାନ ଦିଆଯାଉଛି। ସ୍କୁଲର ପିଲାମାନେ ଜୀବନରେ ଜୀବନରେ ଉତ୍କର୍ଷତା ହାସଲ କରିଛନ୍ତି।

ଆଜି ଏଠାରେ ଶିଳାନ୍ୟାସ ହୋଇଥିବା ୭୫୦ ସିଟ୍ କ୍ଷମତା ବିଶିଷ୍ଟ ନୂତନ ବହୁମୁଖୀ ସଭାଗାର ପ୍ରାୟ ୬ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ। ଏହାବ୍ୟତିତ ନିର୍ମାଣ ହେବାକୁ ଥିବା ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପଲେକ୍ସରେ ବାସ୍କେଟ୍ ବଲ୍, ଟେନିସ, ବ୍ୟାଡମିଣ୍ଟନ, ଭଲିବଲ୍ ଖେଳିବା ଭଳି ଅତ୍ୟାଧୁନିକ ଓ ଆନୁଷଙ୍ଗିକ ସୁବିଧା ରହିବ। ଏଠାରେ ଏକ ଓପନ ଜିମ, ଆଥଲେଟିକ୍ସ ଟ୍ରାକ ଏବଂ ଫିଲ୍ଡ ଓ ଦର୍ଶକ ଗ୍ୟାଲେରୀର ବି ଉନ୍ନତିକରଣ କରାଯାଉଛି।

ଏହି ନବୋଦୟ ସ୍କୁଲରେ ଛାତ୍ରୀଙ୍କ ସଂଖ୍ୟା ବଢୁଥିବା କାରଣରୁ ଆଉ ଏକ ଛାତ୍ରୀ ନିବାସର ନିର୍ମାଣ ମଧ୍ୟ ନିର୍ମାଣ କରାଯାଉଛି। ଏହି ସମସ୍ତ ପ୍ରକଳ୍ପର ସର୍ବମୋଟ ମୂଲ୍ୟ ୧୪.୩୨ କୋଟି ହେବ। ଆଗାମୀ ଦିନରେ ଏହି ଅତ୍ୟାଧୁନିକ ସୁବିଧା ଗୁଡିକ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଓ ଆତ୍ମବିଶ୍ୱାସ ବଢାଇବା ସହ ସେମାନଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି କରିବାରେ ସହାୟକ ହେବ। ଶିଳାନ୍ୟାସ ହେଇଥିବା ବହୁମୁଖୀ ସଭାଗାରକୁ ‘ଶହୀଦ ବାଜି ରାଉତ ସଭାଗାର’ ନାମରେ ନାମିତ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଛାତ୍ରଛାତ୍ରୀଙ୍କୁ ଫୁଟବଲ୍ ଖେଳ ପ୍ରତି ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଫୁଟବଲ ଫର୍ ସ୍କୁଲ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କରିଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଥିଲେ ଭାରତରେ ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ ସହଯୋଗରେ ମୋଟ ୭୪୦ ଟି ଜିଲ୍ଲାରେ ୧ ଲକ୍ଷ ୫୫ ହଜାର ସ୍କୁଲରେ ୮୨ ଲକ୍ଷ ୪ ହଜାର ୨୭୯ ଫୁଟବଲ ବିତରଣ କରାଯାଉଛି। ଯେଉଁଥିରେ ଫିଫା ପ୍ରାୟ ୧୧ ଲକ୍ଷ ୧୫ ହଜାରରୁ ଉର୍ଦ୍ଧ୍ୱ ଫୁଟବଲ ଦେଉଛି। ଓଡ଼ିଶାରେ ପ୍ରାୟ ୫ ହଜାର ୪୨୭ ଟି ସ୍କୁଲରେ ପାଖାପାଖି ୨୭ ହଜାର ୮୬୮ ଟି ଫୁଟବଲ ବିତରଣ କରାଯିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଢେଙ୍କାନାଳରେ ୧୭୮ଟି ସ୍କୁଲରେ ୮୭୦ଟି ଫୁଟବଲ ବିତରଣ କରାଯିବ। କେବଳ ଏତିକି ନୁହେଁ ଖେଳ ଶିକ୍ଷକ ମାନଙ୍କୁ ଆଧୁନିକ କୌଶଳର ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ଯୋଜନା ହୋଇଛି। ଖେଳରେ ସ୍ପିରିଟ, ଶୃଙ୍ଖଳା ଅଛି। ଖେଳରେ ହାର ଜିତ ଥାଏ ଏବଂ ହାରିଲେ ହିଁ ପ୍ରେରଣା ମିଳିଥାଏ। ଏଥିପାଇଁ ଜାତୀୟ ଶିକ୍ଷା ନୀତିରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ସେମାନଙ୍କ ଦକ୍ଷତା ଓ ପ୍ରତିଭାର ବିକାଶ କରିବା ପାଇଁ ୮ଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷା ଦିଆଯିବ । ସେ ଗୁଡିକ ହେଲା ଭାଷା, ଗଣିତ, ବିଜ୍ଞାନ, ପରିବେଶ ବିଜ୍ଞାନ, ସାମାଜିକ ବିଜ୍ଞାନ, କଳା, କାରିଗରୀ ତଥା ଦକ୍ଷତା ବିକାଶ ଓ ଧନ୍ଦାମୂଳକ ଶିକ୍ଷା ପଢାଯିବ। ଯେତେବେଳେ ୨୦୩୬ ଅଲିମ୍ପିକ୍ସ ପାଇଁ ଆମ ଦେଶ ପ୍ରସ୍ତୁତି ଆରମ୍ଭ କରିଛି, ସେ ଦୃଷ୍ଟିରୁ ଫୁଟବଲ୍ କାର୍ଯ୍ୟକ୍ରମ ଉପଯୋଗୀ ହେବ।

ଢେଙ୍କାନାଳ ପିଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟରେ ଆୟୋଜିତ ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ପ୍ଲାଷ୍ଟିକ ଇଟା, ମାଟି ପରୀକ୍ଷା, ଟେରାକୋଟା ସାମଗ୍ରୀ, ଏଆଇର ମେକାନିକ୍ ମଡେଲ୍ ସମେତ ଅଭିନବ କୌଶଳକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହା ଉପରେ ସେ କହିଥିଲେ ଦେଶର ଯୁବପିଢିଙ୍କ ମଧ୍ୟରେ ସୃଜନଶୀଳତା ସହ ଷ୍ଟାର୍ଟଅପକୁ ବଢାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଦେଶରେ ସ୍ମାର୍ଟ ଇଣ୍ଡିଆ ହାକାଥନ ଆରମ୍ଭ ହୋଇଛି । ଏଆଇ ସ୍କିଲ୍ ମାଧ୍ୟମରେ ରୋଜଗାରର ମାର୍ଗ ଅନ୍ୱେଷଣ କରାଯାଉଛି । ଆଜି ଆୟୋଜିତ ଏହି ପ୍ରଦର୍ଶନୀ ସେ ଦିଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସୃଜନଶୀଳତାର ପରାକାଷ୍ଠା ଦର୍ଶାଉଛି । ଏଥିପାଇଁ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପରିବେଶକୁ ସଫା ରଖିବା ପାଇଁ ପରାମର୍ଶ ଦେଇଥିଲେ । ପ୍ଲାଷ୍ଟିକ ଇଟା ଓ ମାଟି ପରୀକ୍ଷାର ପ୍ରଶିକ୍ଷଣ ଆରମ୍ଭ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଏବେ ନିରାକାରପୁର ଠାରେ ରହଣି କରିବ ପ୍ରଶାନ୍ତି ଏକ୍ସପ୍ରେସ 

ଭୁବନେଶ୍ଵର: ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ, ପରୀକ୍ଷାମୂଳକ ଭିତ୍ତିରେ ନିରାକାରପୁର ଠାରେ 18463/18464 ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ରେଳ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି।

ବେଙ୍ଗାଲୁରୁ ଠାରୁ 29 ଡିସେମ୍ବର ଦିନ ଛାଡି 30 ଡିସେମ୍ବର 2023 ରେ ପହଞ୍ଚିବାକୁ ଥିବା 18464 ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ନିରାକାରପୁର ଠାରେ ରହଣି ପାଇଁ ସ୍ଥିର କରାଯାଇଅଛି।

ଭୁବନେଶ୍ୱରରୁ 31 ଡିସେମ୍ବର, 2023 ଠାରୁ ଛାଡିବାକୁ ଥିବା 18463 ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ନିରାକାରପୁର ଠାରେ ରହଣି କରିବ ରହିବ।

ପ୍ରଶାନ୍ତି ଏକ୍ସପ୍ରେସ ପାଇଁ ଅନ୍ୟ ସ୍ଥିରୀକୃତ ରହଣି ଷ୍ଟେସନ ଓ ସମୟ ସାରଣୀ ଅପରିବର୍ତ୍ତିତ ରହିବ।

Categories
ଆଞ୍ଚଳିକ

ଗମ୍ଭାରୀମୁଣ୍ଡା ସ୍ଥିତ ପଲ୍ଲୀ ସଂସ୍କୃତି କଳା ପରିଷଦରେ ଅଟଳ ବିହାରୀ ବାଜପେୟୀଙ୍କ ୯୯ ତମ ଜୟନ୍ତୀ ପାଳିତ

ବାଣପୁର (ସୀତାରାମ ଅଗ୍ରୱାଲ): ପଲ୍ଲୀ ସଂସ୍କୃତି କଳା ପରିଷଦର ସଭାପତି ଦୁଷ୍ମନ୍ତ ହରିଚ଼ନ୍ଦନଙ୍କ ସଭାପତିତ୍ବରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ୯୯ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପିର ବରିଷ୍ଠ ନେତା ପୃଥ୍ଵୀରାଜ ହରିଚ଼ନ୍ଦନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଅଟଳବିହାରୀ ବାଜପେୟୀଙ୍କ ସାମଗ୍ରିକ ଜୀବନ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ଗୋଲକ ବିହାରୀ ପଟ୍ଟନାୟକ, ସୌମ୍ୟ ରଞ୍ଜନ ସାମନ୍ତରାୟ, ରମେଶ ଚ଼ନ୍ଦ୍ର ସମନ୍ତସିଂହାର, ବିକାଶ ଚନ୍ଦ୍ର ପ୍ରଧାନ, ମନୋଜ ପ୍ରଧାନ, ଶରତ ଚନ୍ଦ୍ର ଛାଟୋଇ, ପ୍ରଭାଶିଷ ପ୍ରଧାନ, ପ୍ରକାଶ ଚନ୍ଦ୍ର ବେହେରା, ସଦାନନ୍ଦ ପାଟ୍ଟଶାଣୀ ଓ ସୁଧାକାର ପ୍ରଧାନ ପ୍ରମୁଖ ଅଟଳବିହାରୀ ବାଜପେୟୀଙ୍କ ଦେଶପ୍ରେମ ଓ ଦେଶ ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ଆଲୋଚ଼ନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ ବିଜେପିର ବିଧାନସଭା ସ୍ତରୀୟ ସାଂଗଠାନିକ ବୈଠକ, ବ୍ୟାକଫୁଟ ରେ ସାଂସଦ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ସମସ୍ତ ବିଧାନ ସଭା କ୍ଷେତ୍ର ମାନଙ୍କରେ ଭାରତୀୟ ଜନତା ପାର୍ଟିର ବିଧାନସଭା ସ୍ତରୀୟ ସାଂଗଠାନିକ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ସେଥିରେ କଳାହାଣ୍ଡି ସାଂସଦ ପଦସ୍ତ ହେଉଥିବାର ଦେଖାଯାଉଛି। ସଂଗଠନକୁ ତୃଣମୂଳ ସ୍ତରରେ କିପରି ମଜବୁତ କରାଯାଇ ପାରିବ ଓ ଲୋକସମ୍ପର୍କ କିପରି ସୁଦୃଢ ହେବ ସେ ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ କର୍ମୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି।

ଗତ ୨୦୧୯ ରେ ନିର୍ବାଚିତ ହେବା ପରେ ନିଜକୁ ନୂଆପଡ଼ା- କଳାହାଣ୍ଡି ସାଂସଦ ବୋଲି ପରିଚୟ ଆରମ୍ଭ କରିଥିବା ସାଂସଦ ବସନ୍ତ ପଣ୍ଡା କର୍ମୀ ମାନଙ୍କୁ ଅଣ ଦେଖା କରୁଥବା ଏପରିକି ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ତଥା ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ମାନଙ୍କୁ ଚିହ୍ନି ନ ଥିବା ବେଳେ ନିର୍ବାଚନ ପାଖକୁ ଆସିଥିବାରୁ ଏବେ ସାଙ୍ଗଠନିକ ସଭା କରିବା କେତେ ଦୂର ସଠିକ ବୋଲି କର୍ମୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି।

ନିଜର ନୂଆପଡ଼ା ବିଧାନସଭା କ୍ଷେତ୍ରରେ ଅଲୋଡା ହେବା ପରେ ରାଜ୍ୟ ସଭାପତି ଥିବା ହେତୁ ନିଜର ରାଜନୈତିକ ପତିଆରା ବଜାୟ ରଖିବା ନିମନ୍ତେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାକୁ ନେଇ ଗଠିତ କଳାହାଣ୍ଡି ସଂସଦୀୟ କ୍ଷେତ୍ରକୁ ବାଛି ନେଇ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ନାମରେ ଭୋଟ ପାଇ ଜିତିଯିବା ପରେ କେବଳ ହାତ ଗଣତି କିଛି ନିକଟ ସମ୍ପର୍କୀୟ ମାନଙ୍କ ବ୍ୟତୀତ ଅନ୍ୟ କାହାକୁ ଧରାଛୁଆ ଦେଉନଥିବା ସାଂସଦ ବସନ୍ତ ପଣ୍ଡା କର୍ମୀ ମାନଙ୍କୁ ସାଙ୍ଗରେ ନେଇ କଳାହାଣ୍ଡି ବିଜେପି ସଙ୍ଗଠନକୁ ଦୁର୍ବଳ କରିଦେଇଥିବା ଚର୍ଚ୍ଚା ହେଉଛି।

ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ସାଂସଦ କର୍ମୀ ମାନଙ୍କ କଥା ବୁଝୁ ନ ଥିବା ହେତୁ ଏବଂ ସାଂସଦ ନିଜ ସମର୍ଥକଙ୍କୁ ଜିଲ୍ଲା ସଭାପତି କରାଇଥିବା ବେଳେ ସେ ମଧ୍ୟ ସାଂସଦଙ୍କ କଥାରେ ଉଠ ବସ ହେଉଥିବା ହେତୁ କର୍ମୀ ମାନେ ଏକପ୍ରକାର ମୁରବି ଶୂନ୍ୟ ହୋଇ ପଡିଥିବା ଆଲୋଚନା ହେଉଥିଲା।

ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସାତ ଗୋଟି ବିଧାନସଭା କ୍ଷେତ୍ରରୁ କେବଳ ଭବାନୀପାଟଣା ବିଧାନ ସଭାରେ ପ୍ରଦୀପ୍ତ ନାୟକ ନିଜସ୍ବ ପାତୀୟାରାରେ ବିଜେପିରୁ ନିର୍ବାଚିତ ହୋଇଥିବା ବେଳେ ସାଂସଦଙ୍କ ନିଜସ୍ବ ନୂଆପଡ଼ା ବିଧାନସଭା କ୍ଷେତ୍ରରେ ବିଜେଡ଼ି ଜୟତୀ ଥିବା ହେତୁ ସାଂସଦଙ୍କ ଲୋକପ୍ରିୟତା ସ୍ପଷ୍ଟ ଜଣାପଡ଼ୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ଏପରିକି ୨୦୧୯ ନିର୍ବାଚନରେ ବସନ୍ତ ପଣ୍ଡା ବିଧାୟାକ ପ୍ରାର୍ଥୀ ମାନଙ୍କୁ ଦଳୀୟ ନିର୍ବାଚନ ଖର୍ଚ୍ଚ ଦେଇ ନ ଥିବା ଏବଂ ଜନୈକ ପ୍ରାର୍ଥୀଙ୍କୁ ଘର ଡିହ ବଦଳରେ ଟିକଟ ଦେଇ ଥିବାର ଅଭିଯୋଗ ହୋଇଥିବା ବେଳେ ସେହି ଅଭିଯୋଗକୁ ବସନ୍ତ ପଣ୍ଡା ଖଣ୍ଡନ କରିଛନ୍ତି। ତଥାପି ମଧ୍ୟ କର୍ମୀ ମହଲରେ ଅସନ୍ତୋଷ ଲାଗି ରହୁଥିବା ଦେଖା ଯାଉଛି।

କର୍ମୀ ମାନଙ୍କୁ ସାଙ୍ଗରେ ନେବାରେ ବସନ୍ତ ବିଫଳ ହେଉଥିବା ଏବଂ କଥା କଥାରେ ଗାଳି ଗୁଲାଜ କରୁଥିବା, କୌଣସି ସମସ୍ୟାର ସମାଧାନ ପାଇଁ କହିଲେ ତୁମେ ଅନ୍ୟ ଦଳର ଲୋକ ହୋଇଥିବ ବୋଲି କହିବା, ବିଜେପି ଜାତୀୟ ସଭାପତି ଜେ ପି ନଡ୍ଡାଙ୍କ ଭବାନୀପାଟଣା କାର୍ଯ୍ୟକ୍ରମରେ ଖାଇବାକୁ ବନ୍ଦୋବସ୍ତ କରି ନ ପାରି ହୋଟେଲରୁ ଖାଇବା ଆଣିବାରୁ ଅତିଥି ମାନେ ନ ଖାଇ ଚାଲିଯିବା ଆଦି ଘଟଣା ଯୋଗୁ ବସନ୍ତଙ୍କ ସାଙ୍ଗଠନିକ ଦକ୍ଷତା ଉପରେ କର୍ମୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କେବଳ ମୋଦୀ ହାୱା ରେ ଥରେ ସିନା ନିର୍ବାଚନୀ ବୈତରଣୀ ପାର ହୋଇଗଲେ ଆଗକୁ କିପରି ପାରି ହେବେ ସେହି ଆଶାରେ ଶେଷ ମୂହୁର୍ତ୍ତ ରେ ସାଙ୍ଗଠନିକ ସଭାରେ ଯୋଗ ଦେବା ନିଷ୍ଫଳ ପ୍ରୟାସ ବୋଲି କର୍ମୀ ମହଲରେ ଆଲୋଚନା ହେଉଛି।

ଅନ୍ୟ ପକ୍ଷରେ ଦେବାଦେବୀଙ୍କ ଉପରେ ପ୍ରଗାଢ ବିଶ୍ବାସ ରଖୁଥିବା ସାଂସଦ ବସନ୍ତ ପଣ୍ଡା ଗୁରୁ ଗୁଣିଆ ମାଧ୍ୟମରେ ନିଜର ଓ ନିଜ ସମର୍ଥକଙ୍କ ପାଇଁ ବିଧାନ ସଭା ଟିକଟ ଆଣିବା ସହିତ ନିର୍ବାଚନ ବୈତରଣୀ ମଧ୍ୟ ପାରି ହୋଇଯିବେ ବୋଲି ମଧ୍ୟ ଆଲୋଚନା ହେବାରେ ଲାଗିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏକ ତରଫl ପ୍ରେମକୁ ନେଇ ନାବାଳିକାକୁ ହତ୍ୟା ଉଦ୍ୟମ

ଜୁନାଗଡ଼ (ଦୁଷ୍ମନ୍ତ କୁମାର ପଣ୍ଡା): ଜୁନାଗଡ ଥାନା ଅନ୍ତର୍ଗତ କନ୍ଧ ବ୍ର।ହ୍ମଣୀଗୁଡା ଗ୍ରାମରେ ଏକତରଫା ପ୍ରେମକୁ ନେଇ ଜଣେ ନାବାଳିକାକୁ ହତ୍ୟା ଉଦ୍ୟମ କରାଯାଇଛି। ଗୁରୁତର ଅବସ୍ଥାରେ ପୀଡ଼ିତା ନାବାଳିକା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନଥିବା ବେଳେ ଅଭିଯୁକ୍ତ ଫେରାର୍ ଥିବା ଜଣାଯାଇଛି।

ପ୍ରକାଶ ଯେ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଳି ଗ୍ରାମର ପୀଡିତା ନାବାଳିକା (୧୪) ଜୁନାଗଡ ଥାନା ଅନ୍ତର୍ଗତ କନ୍ଧବ୍ରାହ୍ମଣୀଗୁଡା ମାମୁଁ ଘରକୁ ଆସିଥିଲେ। ବୁଧବାର ରାତ୍ରରେ ଗାଁ ରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ପୀଡିତା ନାବାଳିକା ଶୌଚ ପାଇଁ ବାହାରିଥିଲେ। ଏହି ସମୟରେ ସେହି ଗ୍ରାମର ଜଣେ ଅଜଣା ଯୁବକ ସେଠାରେ ଉପସ୍ଥିତ ରହି ଗାମୁଛାରେ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ଏହା ପରେ ଅଭିଯୁକ୍ତ ସେଠାରେ ପୀଡିତା ମୃତ୍ୟୁ ହୋଇଯାଇଥିବା ଭାବି ସେଠାରୁ ଫେରାର୍ ହୋଇଯାଇଥିଲା।

ନାବାଳିକା ଜଣକ ମୂର୍ମୁଷୁ ଅବସ୍ଥାରେ ରାତି ସାରା ପଡି ରହିଥିଲେ। ଭୋର ସମୟରେ ଗ୍ରାମବାସୀ ଯୁବତୀଜଣଙ୍କ ମୁର୍ମୁଷୁ ଅବସ୍ଥାରେ ପଡିଥିବା ଦେଖି ତାଙ୍କୁ ଉଦ୍ଧାର କରି ମାମୁଁ ଘର ଲୋକଙ୍କୁ ଖବର ଦେଇଥିଲେ। ତୁରନ୍ତ ନାବାଳିକାଙ୍କୁ ଜୁନାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ବର୍ତ୍ତମାନ ପୀଡିତା ନାବାଳିକା ଅବସ୍ତା ସ୍ଥିର ଥିବା ଜଣାପଡ଼ିଛି।

ଏ ସଂକ୍ରାନ୍ତରେ ପୀଡିତାଙ୍କ ମାମୁଁ ଛବି ବିହାରି ଜୁନାଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏସଂକ୍ରାନ୍ତରେ ଜୁନାଗଡ ଥାନା କେଶ୍ ନ୍ ୪୮୮/୨୩ ଅନୁଯାଇ ଆଇ ପି ସି ଧାରା ୩୦୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଜୁନାଗଡ ଥାନା ଅଧିକାରୀ ଶେଷ ଦେବ ବେହେରା ପ୍ରକାଶ କରିଛନ୍ତି। ହେଲେ ଏହି ଘଟଣା ଏକ ଏକତରଫା ପ୍ରେମ ଜନିତ ଘଟଣାକୁ ନେଇ ହୋଇଥିବା ସନ୍ଦେହ କରାଯାଉଥିବା ଚର୍ଚ୍ଚା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଲଲିତ କଳା ଏକାଡ଼େମୀ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ

ଖୋର୍ଦ୍ଧା: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ସହଯୋଗରେ ରାଜ୍ୟରେ ଚିତ୍ରକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ଵାରା ସଂଗୃହିତ ଚିତ୍ରକଳାଗୁଡିକୁ ନେଇ ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀର ଉଦଘାଟନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଦର୍ଶନୀକୁ ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଦୀପ୍ତି ରଞ୍ଜନ ସେଠୀ ଉଦଘାଟନ କରିଛନ୍ତି।

ଓଡ଼ିଶା ଲଳିତ କଳାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ତଥା ଶିଳ୍ପୀମାନଙ୍କର କଳାକୃତି ଯେପରି ରାଜ୍ୟର ଜନସାଧାରଣ ଅନ୍ୟ ଶିଳ୍ପୀ ତଥା ଛାତ୍ର/ ଛାତ୍ରୀମାନେ ଦେଖିବାର ସୁଯୋଗ ପାଇ ପାରିବେ ଏବଂ ଓଡ଼ିଶାର ସବୁ ଜିଲ୍ଲାରେ ଚିତ୍ରକଳାର ପ୍ରଚାର ଓ ପ୍ରସାର କିପରି ଅଧିକ ହୋଇପାରିବ ସେଥିପାଇଁ ଏକାଡେମୀ ତରଫରୁ ଏହି ପ୍ରୟାସ କରାଯାଉଛି। ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ଦିବଙ୍ଗତ ଓ ବରିଷ୍ଠ ଚିତ୍ରଶିଳ୍ପୀ ବିମ୍ବାଧର ବର୍ମା, ବସନ୍ତ ପଣ୍ଡା, ଅନନ୍ତ ପଣ୍ଡା, ଯତୀନ ଦାସ, ଅଜିତ କେଶରୀ ରାୟ, ବିଭୁତି କାନୁନଗୋ ଓ ରବିନାରାୟଣ ନାୟକ ପ୍ରମୁଖଙ୍କ ସହ ବହୁ ଯୁବ ଚିତ୍ରଶିଳ୍ପୀଙ୍କ ମୋଟ ୪୦ ଟି ଚିତ୍ରକଳା ସ୍ଥାନ ପାଇଛି।

ଉକ୍ତ ପ୍ରଦର୍ଶନୀ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ଦିନ ୧୧ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଦର୍ଶନୀ ଅବସରରେ ଜିଲ୍ଲାର ବହୁ ଶିଳ୍ପୀ,କଳାପ୍ରେମୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

ସଚିବ, ଓଡ଼ିଶା ଲଳିତ କଳା ଏକାଡେମୀ ପଞ୍ଚାନନ ସାମଲ/ପୁର୍ବତନ ସଚିବ, ଓଡ଼ିଶା ଲଳିତ କଳା ଏକାଡେମୀ, ଗଜେନ୍ଦ୍ର ସାହୁ/ଚିତ୍ର ଶିଳ୍ପୀ -ଲଲାଟ  କିଶୋର ପ୍ରଧାନ/ଚିତ୍ର ଶିଳ୍ପୀ ଜ୍ଞାନ ରଞ୍ଜନ ଦାଶ/ଚିତ୍ର ଶିଳ୍ପୀ, ବିରଞ୍ଚି ନାରାୟଣ ଚହଟରାୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଘୋଷଣା ହେଲା ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ, ଏହି ନୂଆ ଚେହେରା ହେଲେ ସାମିଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମହିଳା ଦଳ ଭାରତ ଗସ୍ତରେ ଅଛି, ଯେଉଁଠାରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯାଇଛି। ବର୍ତ୍ତମାନ ଭାରତ ଏବଂ ଅଷ୍ଟ୍ରେଲିଆର ମହିଳା ଦଳ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ଟି -୨୦ ସିରିଜ୍ ଖେଳାଯିବ, ଯେଉଁଥିପାଇଁ ବିସିସିଆଇ ଦଳ ଘୋଷଣା କରିଛି। ଉଭୟ ଦିନିକିଆ ଏବଂ ଟି-୨୦ ଦଳର କମାଣ୍ଡ ହରମାନପ୍ରୀତ କୌରଙ୍କୁ ହସ୍ତାନ୍ତର କରାଯାଇଛି। ଏହା ବ୍ୟତୀତ ସ୍ମୃତି ମନ୍ଧନାଙ୍କୁ ଉଭୟ ଦଳର ଉପ-ଅଧିନାୟକ କରାଯାଇଛି। ଯେଉଁଠାରେ ବୋଲିଂ ଅଲରାଉଣ୍ଡର ଶ୍ରେୟଙ୍କା ପାଟିଲ ପ୍ରଥମ ଥର ପାଇଁ ଦିନିକିଆ ଦଳର ଏକ ଅଂଶ ହୋଇପାରିଛନ୍ତି।

ଏହି ସିରିଜ ତିନିଟି ଦିନିକିଆ ମ୍ୟାଚ୍ ସହିତ ଆରମ୍ଭ ହେବ, ଯାହାର ପ୍ରଥମ ମ୍ୟାଚ୍ ଗୁରୁବାର, ଡିସେମ୍ବର ୨୮ ତାରିଖରେ ଖେଳାଯିବ। ତେବେ ତିନୋଟି ଟି -୨୦ ମ୍ୟାଚ୍ ସିରିଜ୍ ଶୁକ୍ରବାର, ଜାନୁୟାରୀ ୦୫ ତାରିଖରୁ ଆରମ୍ଭ ହେବ। ଦିନିକିଆ ମ୍ୟାଚ୍ ସିରିଜ୍ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯିବ। ଏହା ବ୍ୟତୀତ ଟି-୨୦ ସିରିଜର ସମସ୍ତ ମ୍ୟାଚ୍ ନଭି ମୁମ୍ବାଇର ଡିଏ ପାଟିଲ ସ୍ପୋର୍ଟସ ଏକାଡେମୀରେ ଖେଳାଯିବ।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତ ମହିଳା ଦଳ:

ହରମାନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧନା (ଉପ-ଅଧିନାୟକ), ଜେମିମା ରୋଡ୍ରିଗୁସ୍, ଶେଫାଲୀ ବର୍ମା, ଦୀପ୍ତି ଶର୍ମା, ୟାସ୍ତିକା ଭାଟିଆ (ୱିକେଟ କିପର), ରିଚା ଘୋଷ (ୱିକେଟ କିପର), ଅମନଜତ କୌର, ଶ୍ରେୟଙ୍କା ପାଟିଲ, ମନ୍ନତ କାଶ୍ୟପ, ସାଇକା ଇଶାକ, ରେଣୁକା ସିଂ ଠାକୁର, ଟିଟସ୍ ସାଧୁ, ପୂଜା ବସ୍ତ୍ରାକର, ସ୍ନେହ ରାଣା, ହରଲିନ୍ ଦେଓଲ୍।

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତ ମହିଳା ଦଳ:

ହରମାନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧନା (ଉପ-ଅଧିନାୟକ), ଜେମିମା ରୋଡ୍ରିଗୁସ୍, ଶେଫାଲୀ ବର୍ମା, ଦୀପ୍ତି ଶର୍ମା, ୟାସ୍ତିକା ଭାଟିଆ (ୱିକେଟ କିପର), ରିଚା ଘୋଷ (ୱିକେଟ କିପର), ଅମନଜତ କୌର, ଶ୍ରେୟଙ୍କା ପାଟିଲ, ମନ୍ନତ କାଶ୍ୟପ, ସାଇକା ଇଶାକ, ରେଣୁକା ସିଂ ଠାକୁର , ଟିଟସ୍ ସାଧୁ, ପୂଜା ବାସ୍ତୁକର, କନିକା ଅହୁଜା, ମିନ୍ନୁ ମଣି।

ଏହା ହେଉଛି ଦିନିକିଆ ଏବଂ ଟି-୨୦ ସିରିଜର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ:

ଭାରତ ଏବଂ ଅଷ୍ଟ୍ରେଲିଆର ମହିଳା ଦଳ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ ଡିସେମ୍ବର ୨୮ ତାରିଖରୁ ଆରମ୍ଭ ହେବ। ଏହା ପରେ ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୩୦ ତାରିଖରେ ଖେଳାଯିବ। ତେବେ ତୃତୀୟ ଏବଂ ଶେଷ ଦିନିକିଆ ଜାନୁଆରୀ ୨ ତାରିଖରେ ଅନୁଷ୍ଠିତ ହେବ। ଏହା ପରେ ଜାନୁଆରୀ ୦୫ ତାରିଖରୁ ଟି -୨୦ ସିରିଜ୍ ଆରମ୍ଭ ହେବ। ତେବେ ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୦୭ ତାରିଖ ଏବଂ ତୃତୀୟଟି ଜାନୁଆରୀ ୦୯ ତାରିଖରେ ଖେଳାଯିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଚାଇନାରେ ଆତଙ୍କ ସୃଷ୍ଟି କରୁଛି କରୋନାର ନୂଆ ଭାରିଆଣ୍ଟ୍: ଶବଦାହ ସ୍ଥଳରେ ଲମ୍ବା ଲାଇନ

ନୂଆଦିଲ୍ଲୀ: ଚାଇନାରେ କରୋନାର ପ୍ରଭାବ ପୁଣି ଥରେ ଦୃଶ୍ୟମାନ ହେଉଛି। ଏଠାରେ ସଂକ୍ରମଣର ଗତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପରିସ୍ଥିତି ଏପରି ହୋଇଛି ଯେ କରୋନା କାରଣରୁ ମୃତ୍ୟୁ ହେତୁ ଚୀନ୍‌ର ଶବଦାହ ୨୪ ଘଣ୍ଟା କାମ କରୁଛି। ଏଠାରେ ମଧ୍ୟ, କୋଭିଡ୍ ର ନୂତନ ସବ୍-ଭାରିଆଣ୍ଟ୍ ଜେଏନ-୧ ର ବିସ୍ଫୋରଣ ଦେଖାଯାଉଛି। ଭାରତରେ ଜେଏନ-୧ ର ବୃଦ୍ଧି ମାମଲା ମଧ୍ୟ ଚିନ୍ତାର କାରଣ ପାଲଟିଛି।

ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ଚାଇନାର ହେନାନ ପ୍ରଦେଶର ସ୍ଥାନୀୟ ଲୋକଙ୍କ ଉଦ୍ଧେଶ୍ୟରେ କୋଭିଡ କାରଣରୁ ଅବସ୍ଥା ବିଗିଡି ଯାଉଛି। ରିପୋର୍ଟ ଅନୁଯାୟୀ, ସରକାରୀ ଶବଦାହକୁ ଏତେ ସଂଖ୍ୟକ ମୃତଦେହ ଅଣାଯାଇଛି ଯେ ଦିନକୁ ୨୪ ଘଣ୍ଟା ଶବଦାହରେ ମୃତଦେହ ପୋଡି ଦିଆଯାଉଛି। କେବଳ ଏତିକି ନୁହେଁ, ଅନେକ ଶବଗୁଡ଼ିକୁ ଫ୍ରିଜରେ ରଖାଯାଉଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ ଶବଦାହ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି।

ଭାରତରେ କରୋନା ପରିସ୍ଥିତି:

ରିପୋର୍ଟ ଅନୁଯାୟୀ, ଦେଶରେ ବର୍ତ୍ତମାନ ୧,୧୮,୯୭୭ ପଜିଟିଭ ମାମଲା ରହିଛି, ସେଥିମଧ୍ୟରୁ ୭,୬୬୭ ଜଣ ରୋଗୀ ଗୁରୁତର ଅବସ୍ଥାରେ ଅଛନ୍ତି। ତେବେ ଦେଶରେ ମୃତ୍ୟୁର ପ୍ରକୃତ ଆକଳନ ମିଳିନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଅସୁସ୍ଥ ଦନ୍ତା ହାତୀକୁ ଚିକିତ୍ସା କଲା ବନ ବିଭାଗ

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବନ ବିଭାଗ ଅଧୀନରେ ଥିବା କାଞ୍ଚନପୁର କାଜୁ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀ ଏବେ କିଛି ଦିନ ହେବ ବୁଲୁ ଥିବା ଦେଖିବାକୁ ମିଳିଥିଲା।  ଏ ନେଇ ସ୍ଥାନୀୟ ଗ୍ରାମବାସୀମାନେ ବନ ବିଭାଗରେ ଜଣାଇ ଥିଲେ। ହାତୀଟିର ଗୋଡ଼ରେ ଗୁଳି ବାଜିଥିବା ଜଣା ପଡିଥିଲା। କୌଣସି ଶିକାରୀ ହାତୀଟିକୁ ଗୁଳି କରିଥିବା ସ୍ଥାନୀୟ ଲୋକମାନେ କହିଥିଲେ। ତୁରନ୍ତ ବନ ବିଭାଗ ହାତୀଟିକୁ ଟାଙ୍କୁଲାଇଜାର କରି ଚିକିତ୍ସା କରିବା ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଥିଲେ।

ଯାହା ଫଳରେ ଆଜି ଅସୁସ୍ଥ ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ଆରମ୍ଭ କରିଛି ବନ ବିଭାଗ। ହାତୀକୁ ଚିକିତ୍ସା କରିବା ପାଇଁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଆସିଥିବା ଜଣା ପଡିଛି। ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ କାଞ୍ଚନପୁର ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀ ବୁଲୁଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା।

ଏଥିପାଇଁ ହରିହରପୁର, କାଞ୍ଚନପୁର ଜଙ୍ଗଲରେ ରଣପୁର ବନବିଭାଗ ଡେରା ପକାଇଥିଲା।  ଗତ କାଲି ରାତି ସାରା ରଣପୁର ରେଞ୍ଜର ୨ଟି ଟିମ ଅସୁସ୍ଥ ଦନ୍ତା କୁ ଖୋଜିବା ପାଇଁ ହରିହରପୁର ଓ କାଞ୍ଚନପୁର ଜଙ୍ଗଲରେ ଖୋଜିଥିଲା। ଅସୁସ୍ଥ ଦନ୍ତା ହାତୀ ମିଳିବା ପରେ ଆଜି ସକାଳୁ ଚିକିତ୍ସା କାର୍ଯ୍ୟ ଆରମ୍ଭ ହୋଇଛି। ହାତୀର ଗୋଡ଼ରେ ଗଭୀର କ୍ଷତ ସହ ସଂକ୍ରମଣ ଥିବା ଜଣା ପଡିଛି। ବର୍ତ୍ତମାନ ହାତୀଟିର ଅବସ୍ଥାରେ ଉନ୍ନତି ଆସିଥିବା ରଣପୁର ରେଞ୍ଜର ସୁଶାନ୍ତ ଦଳେଇ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶା ଟେଲିକମ ବଜାରରେ ଜିଓର ଜୟଯାତ୍ରା ଜାରି, ସେପ୍ଟେମ୍ବରରେ ଯୋଡ଼ିଲା ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୩ ସେପ୍ଟେମ୍ବର ମାସରେ ସର୍ବାଧିକ ସଂଖ୍ୟକ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ରାଜ୍ୟରେ ସେପ୍ଟେମ୍ବର ମାସରେ ନୂତନ ମୋବାଇଲ ଗ୍ରାହକ ଯୋଡ଼ିବାରେ ଜିଓ ଏକମାତ୍ର ସେବା ପ୍ରଦାନକାରୀ ରହିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି । ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ସେପ୍ଟେମ୍ବର ମାସରେ ଓଡ଼ିଶାରେ ୯୮,୦୦୦ରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ, ବିଏସ୍‌ଏନ୍‌ଏଲ୍ ଏବଂ ୱି ଏହି ସମୟରେ ହଜାର ହଜାର ଗ୍ରାହକ ହରାଇଛନ୍ତି । ୨୦୨୩ ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶାରେ ଜିଓର ମୋଟ ପ୍ରାୟ ୧.୪୫ କୋଟି ମୋବାଇଲ ଗ୍ରାହକ ଏବଂ ୨.୪୫ ଲକ୍ଷ ଜିଓଫାଇବର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ଉପଭୋକ୍ତା ରହିଥିବା ଏଥିରେ ପ୍ରକାଶ ପାଇଛି । ଏଥିସହିତ ଉଭୟ ଓୟାରଲେସ୍ ଏବଂ ଓୟାରଲାଇନ୍ କ୍ଷେତ୍ରରେ ରାଜ୍ୟରେ ଜିଓ ନିଜର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି । ତେବେ ଜିଓ ବ୍ୟତୀତ ଅନ୍ୟ ସମସ୍ତ ସେବା ପ୍ରଦାନକାରୀ ସେପ୍ଟେମ୍ବର ମାସରେ ଗ୍ରାହକ ହରାଇବା ଫଳରେ ଓଡ଼ିଶାରେ ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୪ ଲକ୍ଷରୁ ଅଧିକ ହ୍ରାସ ପାଇ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୩.୩୨ କୋଟିରେ ପହଁଚିଥିବା ଜଣାପଡିଛି ।

ଜାତୀୟ ସ୍ତରରେ ମଧ୍ୟ ଜିଓ ସେପ୍ଟେମ୍ବର ମାସରେ ସର୍ବାଧିକ ଗ୍ରାହକ ଯୋଡ଼ି ନିଜର ଆଧିପତ୍ୟ ବଜାୟ ରଖିଛି । ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବରରେ ଜିଓ ଦେଶରେ ୩୪ ଲକ୍ଷରୁ ଅଧିକ ଗ୍ରାହକ ଯୋଡ଼ିଛି, ଯାହା ଫଳରେ ଏହାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୪୯ ନିୟୁତରୁ ଅଧିକ ହୋଇଛି ଏବଂ ଦେଶର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ଏହା ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି ।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ଟେଲିକମ କ୍ଷେତ୍ରରେ ସର୍ବାଧିକ ୪୩.୬% ଗ୍ରାହକ ବଜାର ଅଂଶ ଏବଂ ସର୍ବାଧିକ ୫୨% ରାଜସ୍ୱ ବଜାର ଅଂଶ ସହିତ ଓଡ଼ିଶାର ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ହୋଇରହିଛି । ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ ଓଡ଼ିଶାରେ ଦ୍ରୁତ ଗତିରେ ନିଜର ଟ୍ରୁ-୫ଜି ନେଟୱାର୍କକୁ ବିସ୍ତାର କରୁଛି ଏବଂ ରାଜ୍ୟର ସମସ୍ତ ଜିଲ୍ଲାରେ ୫ଜି ନେଟୱାର୍କ ଉପସ୍ଥିତି ଥିବା ପ୍ରଥମ ଟେଲିକମ ଅପରେଟର ଅଟେ ।

ଜିଓ ନିକଟରେ ଓଡ଼ିଶାରେ ବିଶ୍ୱସ୍ତରୀୟ ସର୍ବାଧୁନିକ ଗୃହ ମନୋରଞ୍ଜନ, ସ୍ମାର୍ଟ ଗୃହ ସେବା ଏବଂ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସମନ୍ୱିତ ଏଣ୍ଡ-ଟୁ-ଏଣ୍ଡ୍ ସମାଧାନ ଜିଓ ଏୟାରଫାଇବର୍ ସେବା ଆରମ୍ଭ କରିଛି । ଜିଓଏୟାରଫାଇବ‍ର୍ ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବ ଏବଂ ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‍ ବ୍ରଡବ୍ୟାଣ୍ଡ୍‌‍ ସୁବିଧା ବିଭିନ୍ନ ଜଟିଳତା ତଥା ସେମାନଙ୍କ ପରିସରକୁ ଅପ୍‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ବିଳମ୍ବ ଘଟିବା କାରଣରୁ ଉପଲବ୍ଧ ହେଉନଥିଲା ସେଭଳି ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ଏହା ସଂଯୋଗ କରିବ । ଭୁବନେଶ୍ୱର ଓ କଟକ ସହରରେ ଜିଓ ଏୟାରଫାଇବର ସେବା ବେଶ ଆଦୃତ ହେବା ସହିତ ଉଭୟ ସହରର ସମସ୍ତ ଘର ଓ ବ୍ୟବସାୟଗୁଡିକୁ ଗୋଟିଏ ସମନ୍ୱିତ ସେବା ମାଧ୍ୟମରେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅଭିଜ୍ଞତା ଉପଭୋଗ କରିପାରିବ ସୁଯୋଗ ପ୍ରଦାନ କରୁଛି ।

Categories
ବିଶେଷ ଖବର

ଆତ୍ମହତ୍ୟା ଏକ ସାମାଜିକ ବ୍ୟାଧି

ସୁବାଷ କୁମାର ତାରଣିଆଁ

ଆତ୍ମହତ୍ୟା କରିବାର ପ୍ରବଣତା ମନୁଷ୍ୟ ମଧ୍ୟରେ କେଉଁ ଆବହମାନ କାଳରୁ ରହିଆସିଛି। ଆତ୍ମହତ୍ୟାକୁ ଏକ ମହାପାପ ବୋଲି ସବୁ ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଛି। ମନୁଷ୍ୟ ମନରେ ଥିବା ଅପୂରଣୀୟ କାମନାରେ ନିରାଶ ହେଲେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ। ଦେଶର ଉନ୍ନତି ଯୁବକମାନଙ୍କ ଦ୍ୱାରା ସମ୍ଭବ। ମାତ୍ର ଯୁବକମାନେ ଏଥିପ୍ରତି ଦୃଷ୍ଟି ନଦେଇ ନିଜ ଜୀବନକୁ ବ୍ୟକ୍ତିକୈନ୍ଦ୍ରିକ କରିଦେଉଛନ୍ତି, ଫଳରେ ବାଧାବିଘ୍ନର ହତାଶାଭାବରେ ସେମାନେ ଆତ୍ମହତ୍ୟାକୁ ଆପଣାଉଛନ୍ତିି। କହିବାକୁ ଗଲେ ଯୁବଗୋଷ୍ଠୀଙ୍କ ସହନଶୀଳତା ଗୁଣର ଘୋର ଅବନତି ଘଟୁଛି। ଯାହାର ପରିଣାମସ୍ୱରୂପ ସେମାନେ ଧୈର୍ଯ୍ୟହରା ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତିି। ସେହିପରି ପାରିବାରିକ, ଆର୍ଥିକ, ସାମାଜିକ ଓ ପ୍ରେମ ଜନିତ କାରଣରୁ ଦର୍ବଳମନା ଓ ନିରାଶ ହେବାରୁ ସମାଜରେ ଆତ୍ମହତ୍ୟା ବୃଦ୍ଧି ପାଉଛି। ପ୍ରେମ ସତ୍ୟ, ଶାଶ୍ୱତ ଓ ପ୍ରେମ ଚିରନ୍ତନ। ଦୁଇଟି ଅଜଣା ଆତ୍ମାର ମିଳନରୁ ସୃଷ୍ଟି ହୋଇଥାଏ ପ୍ରେମ। ମାତ୍ର ପ୍ରେମରେ ଧୋକ୍କା ପାଇଁ ହେଉ ଅବା ତ୍ରିକୋଣୀୟ ପ୍ରେମକୁ ନେଇ ମାନସିକ ଚାପରୁ ଅନେକ ଯୁବକ ଯୁବତୀ ଆତ୍ମହତ୍ୟା ଭଳି ପନ୍ଥାକୁ ଆପଣାଉଛନ୍ତି। ପ୍ରେମ ପାଇଁ କିଏ ରୋଜଗାରିଆ ପୁଅକୁ ହରାଉଛି ତ କିଏ ଉଚ୍ଚଶିକ୍ଷିତା ଝିଅକୁ ହରାଉଛି। ଫଳରେ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି।

୨୦୨୧ ମସିହାରେ ରାଜଧାନୀରେ ୨୭୭ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ୧୯୦ଜଣ ପୁରୁଷ ଥିବାବେଳେ ୮୭ଜଣ ମହିଳା ଥିଲେ। ରଶି ଲଗାଇ ବା ଝୁଲନ୍ତ ଅବସ୍ଥାରେ ୧୩୫ଜଣ ଆତ୍ମହତ୍ୟା କରିଥିବା ବେଳେ ୧୧୯ ଜଣ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏକ ତଥ୍ୟ ଅନୁସାରେ ରାଜ୍ୟରେ ୨୦୧୬ ମସିହାରେ ମୋଟ ୩୧୪ଜଣ ଆତ୍ମହତ୍ୟା କରିଥିଲେ। ସେହିପରି ୨୦୧୭ ମସିହାରେ ୨୩୮ଜଣ, ୨୦୧୮ ମସିହାରେ ୨୪୨ଜଣ, ୨୦୧୯ ମସିହାରେ ୧୭୨ଜଣ, ୨୦୨୦ ମସିହାରେ ୨୫୦ ଏବଂ ୨୦୨୧ ମସିହାରେ ୩୦୦ଜଣ ଆତ୍ମହତ୍ୟା କରିଥିଲେ। ସମ୍ପ୍ରତି ପ୍ରେମ ଜନିତ କାରଣରୁ ରାଜ୍ୟରେ ଆତ୍ମହତ୍ୟା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ଭରତପୁର ଅଞ୍ଚଳର ସୁରେଖା ପଲେଇ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। କିନ୍ତୁ ଯୁବକ ଜଣକ ସୁରେଖାଙ୍କ ଠାରୁ କମ୍ ବୟସର ହୋଇଥିବାରୁ ବିବାହ ପାଇଁ ରାଜି ହୋଇନଥିଲେ। ଫଳରେ ସୁରେଖା ମାନସିକ ଚାପରୁ ଆତ୍ମହତ୍ୟା କରିଥିଲେ। ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଶିକ୍ଷୟିତ୍ରୀ ସବନମ ବର୍ମା ତାଙ୍କ ଠାରୁ କମ୍ ବୟସର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ, କିନ୍ତୁ ଯୁବକ ଜଣଙ୍କ ବିବାହ ପାଇଁ ରାଜି ନହେବାରୁ ସବନମ୍ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ରାଜଧାନୀ ଭୁବନେଶ୍ୱରସ୍ଥ ସାମନ୍ତରାପୁରରେ ରହୁଥିବା ନୀଳାମ୍ବର ସ୍ୱାଇଁ ନାମକ ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ମାତ୍ର କୌଣସି କାରଣରୁ ଯୁବତୀ ଜଣକ ଆତ୍ମହତ୍ୟା କରିବା ପରେ ଭାରସାମ୍ୟ ହରାଇ ନୀଳାମ୍ବର ମଧ୍ୟ ଆତ୍ମହତ୍ୟା କରିଥିଲେ। ମଞ୍ଚେଶ୍ୱର ଅଞ୍ଚଳର ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ମାତ୍ର ଯୁବକଙ୍କ ଠାରୁ ଯୁବତୀ ବୟସରେ ବଡ଼ ହୋଇଥିବାରୁ ବିବାହ ସମ୍ଭବ ହୋଇପାରି ନଥିଲା ଏବଂ ଶେଷରେ ଯୁବକଣକ ଆତ୍ମହତ୍ୟା କରିଥିଲେ।

ଶ୍ୱେତାକୁମାରୀ ନାମକ ଜଣେ ସଫ୍ଟୱେୟାର ଇଞ୍ଜିନିୟର ସୌମ୍ୟଜିତ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଘରଭଡ଼ା ନେଇ ଉଭୟେ ସ୍ୱାମୀ ସ୍ତ୍ରୀ ଭଳି ଚଳୁଥିଲେ। ଏକଥା ଉଭୟଙ୍କ ପରିବାର ମଧ୍ୟ ଜାଣିଥିଲେ। ମାତ୍ର ସୌମ୍ୟଜିତ ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଇବାରୁ ଶ୍ୱେତାଙ୍କୁ ଭୁଲିଯାଇଥିଲେ। ଶ୍ୱେତା ଏକଥା ଜାଣିବା ପରେ ଉଭୟ ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଦେଇଥିଲା ଏବଂ ଶ୍ୱେତା ଆତ୍ମହତ୍ୟା କରିଥିଲେ।

ପ୍ରେମରେ ଧୋକା ଖାଇବା ପରେ କଟକ ଜିଲ୍ଲାର ଜଣେ ଯୁବ ମଡ଼େଲର ସୌମ୍ୟରଞ୍ଜନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସୌମ୍ୟରଞ୍ଜନ ଆତ୍ମହତ୍ୟା କରିବା ପୂର୍ବରୁ ସୁଇସାଇଡ଼ ନୋଟରେ ପ୍ରେମର କାହାଣୀ ବିଷୟରେ ଲେଖିଦେଇ ଯାଇଥିଲେ।

ସୌମ୍ୟରଞ୍ଜନ ମୁମ୍ବାଇରେ ମଡ଼େଲିଂ କରୁଥିଲେ। ମାତ୍ର ମହାମାରୀ କରୋନା ଯୋଗୁ ସେ ଘରକୁ ଫେରି ଆସିଥିଲେ ଏବଂ ଏକ କାଫେ ଖୋଲିଥିଲେ। କାଫେକୁ ଜଣେ ଯୁବତୀ ନିୟମିତ ଆସୁଥିବାରୁ ସୌମ୍ୟଜିତଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁଇବର୍ଷ ଧରି ଉଭୟେ ପ୍ରେମ କରୁଥିଲେ। ଏହି ଘଟଣା ଉଭୟଙ୍କ ପରିବାର ଜାଣିବାରୁ ଉଭୟଙ୍କ ବିବାହ କରିବାକୁ ଯୋଜନା କରିଥିଲେ। କିନ୍ତୁ କୌଣସି କାରଣ ଯୋଗୁ ସୌମ୍ୟଜିତ ମାନସିକ ଚିନ୍ତାରେ ଥିଲେ ଏବଂ ବିଳମ୍ବିତ ରାତିରେ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

ଏ ସମ୍ପର୍କରେ ଯୁବତୀଙ୍କୁ ପଚାରିବାରୁ ସେ ପ୍ରେମ ସମ୍ପର୍କକୁ ଏଡ଼ାଇ ଦେଇଥିଲେ। ମାତ୍ର ଯୁବତୀଜଣଙ୍କ ଆଉ ଜଣେ ଯୁବକ ସହିତ ବୁଲାବୁଲି କରୁଥିବାରୁ ସୌମ୍ୟଜିତ ଏହାକୁ ସହଜରେ ଗ୍ରହଣ କରିପାରୁ ନଥିଲେ। ଏଥିପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅଭିଯୋଗ ହୋଇଥିଲା।

ବିଜେବି ସ୍ୱଂୟଶାସିତ କଲେଜର +୩ ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ର‌୍ୟାଗିଂ ଜନିତ ଆତ୍ମହତ୍ୟା ଘଟଣା ରାଜ୍ୟରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କଲେଜର ତିନିଜଣ ବରିଷ୍ଠ ସହପାଠୀ ରୁଚିକାଙ୍କୁ ମାନସିକ ନିର୍ଯ୍ୟାତନା (ର‌୍ୟାଗିଂ) ଦେଉଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ ଶେଷରେ ରୁଚିକା ଛାତ୍ରୀନିବାସ ଭିତରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ରୁଚିକା ଲେଖିଥିବା ଚିଠିରୁ ଏହା ର‌୍ୟାଗିଂ ଜନିତ ଆତ୍ମହତ୍ୟା ଜଣାପଡ଼ିବାରୁ ଏହି ଘଟଣା ଏବେ ସାରା ରାଜ୍ୟରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଏପରିକି ବିଧାନସଭାରେ ମଧ୍ୟ ରୁଚିକାଙ୍କ ଆତ୍ମହତ୍ୟାକୁ ନେଇ ତୁମୁଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ଭୁବନେଶ୍ୱରର ବିଜେବି କଲେଜରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଲୋକଲୋଚନକୁ ଆସିବା ପରେ ଅଭିଭାବକ ଓ ସାଧାରଣ ଜନତାଙ୍କ ମହଲରେ ଉତ୍ତେଜନା ଲାଗି ରହିଛି। ସାରା ରାଜ୍ୟରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା।

ମଞ୍ଚେଶ୍ୱର ଥାନା ଭାଗବତ ସନ୍ଧାନରେ ପ୍ରଜ୍ଞାପାରମିତା ନାମକ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ୍ ଉଦ୍ଧାର କରିଥିଲା। ସୂଚନା ଅନୁସାରେ ଭାଗବତ ସନ୍ଧାନରେ ରହୁଥିବା ସତ୍ୟ ନାରାୟଣ ଓ ପ୍ରଜ୍ଞାପାରମିତା ଜଣେ ବନ୍ଧୁଙ୍କ ଘରେ ଭୋଜି କରୁଥିଲେ। ହସଖୁସିରେ ସମସ୍ତେ ଭୋଜି ଖାଇଥିଲେ। ଭୋଜି ଖାଇସାରିବା ପରେ ପ୍ରଜ୍ଞା ଘରକୁ ଫେରି ଆସିଥିଲେ କିନ୍ତୁ ସତ୍ୟନାରାୟଣ ଘରକୁ ଫେରିନଥିଲେ। ପରଦିନ ସକଳେ ସତ୍ୟନାରାୟଣ ଘରକୁ ଫେରି ଦେଖନ୍ତି ତ ପ୍ରଜ୍ଞା ବେକରେ ଶାଢୀ ଗୁଡ଼ାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ। ପୋଲିସ୍ ପହଞ୍ôଚ ମୃତଦେହ ଜବତ କରିଥିବା ବେଳେ କେଉଁ କାରଣ ପ୍ରଜ୍ଞା ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ଜଣାପଡ଼ିନଥିଲେ ମଧ୍ୟ ସ୍ୱାମୀଙ୍କ ପରକ୍ରିୟା ପ୍ରୀତିକୁ ନେଇ ପ୍ରଜ୍ଞ ଆତ୍ମହତ୍ୟା କରିଥିବା ତାଙ୍କ ପଡ଼ୋଶୀ ସନ୍ଦେହ କରିଥିଲେ।

ସାମ୍ପ୍ରତିକ ସମୟରେ ଆତ୍ମହତ୍ୟା ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଏଥିପାଇଁ ପରିବାରରେ ପିତାମାତା, ସମ୍ପର୍କୀୟଙ୍କ ଦାୟିତ୍ୱ ସେମାନଙ୍କ ପିଲାମାନଙ୍କ ସ୍ୱଭାବ, ଚାଲିଚଳନ, ହାଭବାବ ଦେଖି ତାହାର କାରଣ ଖୋଜି ସମସ୍ୟାର ସମାଧାନ କରିବା, ଯୁବଗୋଷ୍ଠୀଙ୍କୁ ଆତ୍ମହତ୍ୟା ପ୍ରବଣରୁ ଦୂରେଇ ରହିବା ପାଇଁ ଏକ ସୁସ୍ଥ, ସୁନ୍ଦର ଓ ନରାପଦ ଜୀବନ ଜୀଇଁବା ପାଇଁ ସଚେତନତା ଆବଶ୍ୟକ। ଏଥିପାଇଁ ରାଜ୍ୟ ସରକାର ତଥା ସଚେତନ ନାଗରିକ, ସାମାଜିକ କର୍ମୀ ଓ ସ୍ୱେଚ୍ଛାସେବୀ ସଂଗଠନ ପଦକ୍ଷେପ ନେବା ଆବଶ୍ୟକ। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସଚେତନତା ମୂଳକ ପଦକ୍ଷେପ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ପ୍ରଦର୍ଶନ ଜରିଆରେ ଆତ୍ମହତ୍ୟାକୁ ରୋକାଯାଇ ପାରିବ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଲୋକେ ବେକରେ ତୁଳସୀ ମାଳ କାହିଁକି ପିନ୍ଧନ୍ତି ? ଜାଣନ୍ତୁ ଏହାର କାରଣ ଓ ଫାଇଦା

ନୂଆଦିଲ୍ଲୀ, ଆଜିକାଲି ପ୍ରତ୍ୟେକ ଘରେ ତୁଳସୀ ଗଛ ଦେଖିବାକୁ ମିଳେ। ପରିବାରରେ ସୁଖ ଏବଂ ସମୃଦ୍ଧି ଆଣିବା ପାଇଁ ତୁଳସୀଙ୍କୁ ପୂଜା କରାଯାଏ। ସେହିପରି ତୁଳସୀ ମାଳା ପିନ୍ଧିବା ଭଲ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଯଦି ଭଗବାନ ବିଷ୍ଣୁ ଏବଂ କୃଷ୍ଣଙ୍କ ଭକ୍ତମାନେ ତୁଳସୀ ମାଳ ପିନ୍ଧନ୍ତି, ତେବେ ସେମାନେ ବହୁତ ଲାଭ ପାଆନ୍ତି।

ତୁଳସୀ ମାଳ ପିନ୍ଧିବାର ଲାଭ:

ବେକରେ ତୁଳସୀ ମାଳ ପିନ୍ଧିବା ଦ୍ୱାରା ଜୀବଶକ୍ତି ବୃଦ୍ଧି ପାଇଥାଏ, ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ। ଏହାକୁ ବେକରେ ପିନ୍ଧିବା ଦ୍ୱାରା ଶରୀରକୁ ସଫା, ରୋଗମୁକ୍ତ ଏବଂ ସ୍ବାତିକ ହୋଇଥାଏ। ତୁଳସୀ ମାଳ ସହିତ ଭଗବାନଙ୍କ ନାମ ଜପ କରିବା ଏବଂ ଏହାକୁ ବେକରେ ପିନ୍ଧିବା ଆବଶ୍ୟକୀୟ ଆକ୍ୟୁପ୍ରେସର ପଏଣ୍ଟ ଉପରେ ଚାପ ପକାଇଥାଏ, ଯାହା ମାନସିକ ଉତ୍ତେଜନାକୁ ଉପକାର କରିଥାଏ, ସଂକ୍ରାମକ ରୋଗରୁ ରକ୍ଷା କରିଥାଏ। ଶରୀର-ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ଦୀର୍ଘାୟୁ କରିବାରେ ସାହାଯ୍ୟ କରେ।

କେବଳ ଏତିକି ନୁହେଁ, ତୁଳସୀ ମାଳ ପିନ୍ଧିବା ଶରୀରରେ ବୈଦ୍ୟୁତିକ ଶକ୍ତି ପ୍ରବାହକୁ ବଢାଇଥାଏ ଏବଂ ଜୀବକୋଷର ଶକ୍ତି ଧାରଣ କରିବାର କ୍ଷମତା ବୃଦ୍ଧି କରାଇଥାଏ। ଗଳାରେ ତୁଲସୀ ମାଳା ପିନ୍ଧିବା ଦ୍ୱାରା ବୈଦ୍ୟୁତିକ ତରଙ୍ଗ ସୃଷ୍ଟି ହୁଏ ଯାହା ରକ୍ତ ସଞ୍ଚାଳନକୁ ବନ୍ଦ କରେ ନାହିଁ। ବେକରେ ତୁଲସୀ ମାଳ ପିନ୍ଧିବା ଶବ୍ଦର ସନ୍ତୁଳନ ସୃଷ୍ଟି କରେ ଏବଂ ଏହା ସହିତ ହୃଦୟରେ ଘୁରି ବୁଲୁଥିବା ତୁଲସୀ ମାଳା ହୃଦୟ ଏବଂ ଫୁସଫୁସକୁ ରୋଗରୁ ରକ୍ଷା କରିଥାଏ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଚାଣକ୍ୟନୀତି: ଅନ୍ୟ ଉପରେ ନିର୍ଭର କରି ରହିଲେ ଜୀବନରେ କେବେ ବି ସଫଳତା ହାସଲ କରିପାରିବେ ନାହିଁ

ଚାଣକ୍ୟନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେକେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ।

ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ ଅନ୍ୟର ଉପଦେଶ ଗ୍ରହଣ କର ହେଲେ ନିଜେ ନିଷ୍ପତି ନେବାର ଶିକ୍ଷାଲାଭ କର।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ମାତା ଲକ୍ଷ୍ମୀଙ୍କ ପୂଜାରେ ଏହି ଜିନିଷଗୁଡିକ ଅର୍ପଣ କରନ୍ତୁ, ମିଳିବ ଆଶୀର୍ବାଦ

ଭୁବନେଶ୍ଵର: ମାତା ଲକ୍ଷ୍ମୀଙ୍କୁ ପୂରା ବିଧିବିଧାନ ସହିତ ପୂଜା କରାଯାଇଥାଏ। ଲୋକମାନେ ମାତା ଦେବୀଙ୍କୁ ଖୁସି ରଖିବା ଏବଂ ତାଙ୍କ ଆଶୀର୍ବାଦ ପାଇବା ପାଇଁ ବିଭିନ୍ନ ପ୍ରୟାସ କରନ୍ତି। ମାତା ଲକ୍ଷ୍ମୀଙ୍କ ଅନୁଗ୍ରହରେ କାହାର ଜୀବନ ବଦଳିପାରେ। ଏଥି ସହିତ, ଯଦି ମାତାଙ୍କୁ ପୂଜା କରିବା ସମୟରେ ନିୟମ ପାଳନ କରାଯାଏ ନାହିଁ, ତେବେ ମାତା ଲକ୍ଷ୍ମୀଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିବ। ଦେବୀ ଲକ୍ଷ୍ମୀଙ୍କ ପୂଜାରେ ଭୋଗର ବିଶେଷ ଗୁରୁତ୍ୱ ରହିଛି। ବିଶ୍ୱାସ କରାଯାଏ ଯେ, ଏହି ଖାଦ୍ୟ ଅର୍ପଣ କଲେ ଦେବୀ ଲକ୍ଷ୍ମୀ ଶୀଘ୍ର ପ୍ରସନ୍ନ ହୁଅନ୍ତି। ଆସନ୍ତୁ ଜାଣିବା ମାତା ଦେବୀଙ୍କୁ କେଉଁ ଜିନିଷ ଅର୍ପଣ କରାଯିବା ଉଚିତ୍…..

ପାନ ପତ୍ର:

ମାତା ଲକ୍ଷ୍ମୀ ପାନ ପତ୍ରକୁ ବହୁତ ଭଲ ପାଆନ୍ତି। ଦେବୀ ଲକ୍ଷ୍ମୀଙ୍କୁ ବିଧିବିଧାନ ଅନୁଯାୟୀ ପୂଜା କରିବା ପରେ ସମଗ୍ର ପରିବାର ଦେବୀ ଲକ୍ଷ୍ମୀଙ୍କୁ ପାନ ଅର୍ପଣ କରିବା ଶୁଭ ବୋଲି ବିବେଚନା କରାଯାଏ। ଦେବୀ ଲକ୍ଷ୍ମୀ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇ ସମଗ୍ର ପରିବାରକୁ ଆଶୀର୍ବାଦ ପ୍ରଦାନ କରନ୍ତି।

ମାତା ଲକ୍ଷ୍ମୀ ନଡ଼ିଆକୁ ଭଲ ପାଆନ୍ତି:

ଘରେ ଯେକୌଣସି ପ୍ରକାର ପୂଜାରେ ଭଗବାନ ଏବଂ ଦେବୀଙ୍କୁ ନଡ଼ିଆ ଅର୍ପଣ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଦେବୀ ଲକ୍ଷ୍ମୀଙ୍କ ନଡ଼ିଆ ହେଉଛି ପ୍ରିୟ ଫଳ। ନଡ଼ିଆକୁ ଶ୍ରୀଫଳ ମଧ୍ୟ କୁହାଯାଏ। ଦେବୀ ଲକ୍ଷ୍ମୀଙ୍କୁ ନୈବେଦ୍ୟ ରୂପେ ନଡ଼ିଆ ଆପ୍ରାଣ କଲେ ମାତା ପ୍ରସନ୍ନ ହୁଅନ୍ତି।

ମଖାନା:

ଦେବୀ ଲକ୍ଷ୍ମୀଙ୍କ ପୂଜାରେ ମଖାନା ଅର୍ପଣ କରାଯିବା ଉଚିତ୍। ମଖାନା ବହୁତ ପବିତ୍ର ବୋଲି ବିବେଚନା କରାଯାଏ। ଦେବୀ ଲକ୍ଷ୍ମୀଙ୍କୁ ମଖାନା ଅର୍ପଣ କଲେ ସେ ଶୀଘ୍ର ପ୍ରସନ୍ନ ହୁଅନ୍ତି ଏବଂ ତାଙ୍କ ଭକ୍ତମାନଙ୍କର ଇଚ୍ଛା ପୂରଣ କରନ୍ତି। ବିଶେଷକରି ଶୁକ୍ରବାର ଦିନ, ଜଣେ ପୂଜା ସମୟରେ ମଖାନା ଅର୍ପଣ କଲେ ମା’ଙ୍କ ଆଶୀର୍ବାଦ ମିଳିଥାଏ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ପିଲାମାନଙ୍କୁ ଏହି ୫ ଟି ଜିନିଷ ଶିଖାଇବା ଜରୁରୀ, ତୀକ୍ଷ୍ଣ ଏବଂ ଶକ୍ତିଶାଳୀ ହେବ ମସ୍ତିଷ୍କ

ଜୀବନଶୈଳୀ: ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ଆମର ପରବର୍ତ୍ତୀ ପିଢୀର ସୁସ୍ଥ ଭବିଷ୍ୟତର ଚାବିକାଠି। କିନ୍ତୁ ବର୍ତ୍ତମାନ ପିଲାମାନଙ୍କଠାରେ ମାନସିକ ଚାପ ଦ୍ରୁତ ଗତିରେ ବଡୁଛି, ଯାହା ଏକ ଗୁରୁତର ସମସ୍ୟା ପାଲଟିଛି। ଏହା ପାଇଁ ଅନେକ କାରଣ ଥାଇପାରେ – ଅଧ୍ୟୟନର ଚାପ, ପିତାମାତାଙ୍କ ଉଚ୍ଚ ଆଶା, ପିତାମାତାଙ୍କ ପୃଥକତା, ବ୍ୟସ୍ତବହୁଳ ଜୀବନ ଏବଂ ସୋସିଆଲ ମିଡିଆ, ଯେଉଁ କାରଣରୁ ପିଲାମାନେ ସ୍ନାୟୁ, ନକାରାତ୍ମକତା ଏବଂ ଏକୁଟିଆର ଶିକାର ହେଉଛନ୍ତି। ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ପିଲାଦିନରୁ କିଛି ଜିନିଷ ଶିକ୍ଷା ଦିଆଯିବା ଉଚିତ ଯାହା ଦ୍ଵାରା ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଦୃଢ ହୋଇପାରିବ। କାରଣ ପିଲାଦିନ ହେଉଛି ଏକ ସମୟ ଯେତେବେଳେ ପିଲାମାନଙ୍କର ମସ୍ତିଷ୍କ ଦ୍ରୁତ ଗତିରେ ବିକଶିତ ହୁଏ। ଯଦି ସେମାନଙ୍କୁ ଏହି ବୟସରେ କିଛି ଜିନିଷ ଶିକ୍ଷା ଦିଆଯାଏ, ସେମାନେ ଶୀଘ୍ର ଶିଖନ୍ତି। ଆସନ୍ତୁ ଜାଣିବା ପିଲାମାନଙ୍କୁ କେଉଁ ୫ ଟି ଜିନିଷ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ଦୃଢ କରେ।

ସଙ୍ଗୀତ ଶିକ୍ଷା:

ସଙ୍ଗୀତ ଶିଖିବା ପିଲାମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହା ସେମାନଙ୍କର ମସ୍ତିଷ୍କର ବିକାଶରେ ସାହାଯ୍ୟ କରିଥାଏ ଏବଂ ସେମାନଙ୍କ ମଧ୍ୟରେ ଅନେକ ଭଲ ଅଭ୍ୟାସ ସୃଷ୍ଟି କରିଥାଏ। ଯେତେବେଳେ ପିଲାମାନେ ଏକ ବାଦ୍ୟଯନ୍ତ୍ର ବଜାନ୍ତି, ସେତେବେଳେ ସେମାନଙ୍କର ଧ୍ୟାନ ଏହା ଉପରେ ସମ୍ପୂର୍ଣ୍ଣ କେନ୍ଦ୍ରିତ ହୁଏ। ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ଜିନିଷ ଉପରେ ଧ୍ୟାନ ଦେଇପାରନ୍ତି। ଏହା ସେମାନଙ୍କର ସ୍ମୃତିକୁ ମଜବୁତ କରେ ଏବଂ ସେମାନଙ୍କର ମନକୁ ତୀକ୍ଷ୍ଣ କରେ।

ନୃତ୍ୟ ଶିକ୍ଷା:

ଯେତେବେଳେ ପିଲାମାନେ ନାଚନ୍ତି, ସେମାନଙ୍କ ଭାବଭଙ୍ଗୀକୁ ବୁଝିବାକୁ ପଡେ ଏବଂ ସଂଗୀତ ବାଜିବା ସହିତ ସେମାନଙ୍କ ଶରୀରର ଅଙ୍ଗଗୁଡ଼ିକ ସମନ୍ୱୟ କରିବାକୁ ପଡେ। ଏହା ଉଭୟ ମନ ଏବଂ ଶରୀରକୁ ସକ୍ରିୟ ରଖେ। ଏହା ସେମାନଙ୍କ ମନକୁ ତୀକ୍ଷ୍ଣ କରିଥାଏ।

କ୍ରୀଡା ଶିକ୍ଷା:

ପିଲାମାନଙ୍କୁ କ୍ରୀଡା ଶିକ୍ଷା ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଉଭୟ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଲାଭଦାୟକ ଅଟେ। କ୍ରୀଡା ପିଲାମାନଙ୍କ ମନକୁ ତୀକ୍ଷ୍ଣ କରିଥାଏ। ଖେଳିବାବେଳେ ପିଲାମାନେ ଖେଳର ନିୟମ ବୁଝିବା, ରଣନୀତି ପ୍ରସ୍ତୁତ କରିବା ଏବଂ ପ୍ରତିପକ୍ଷର ଗତିବିଧିକୁ ବୁଝିବା ଆବଶ୍ୟକ କରନ୍ତି। ଏସବୁ ସେମାନଙ୍କ ମନକୁ ସକ୍ରିୟ ରଖେ। ସେମାନେ ଶୀଘ୍ର ନିଷ୍ପତ୍ତି ନେବାକୁ ଶିଖନ୍ତି। ଆହୁରି ମଧ୍ୟ, ଶାରୀରିକ ବ୍ୟାୟାମ ସେମାନଙ୍କ ମସ୍ତିଷ୍କରେ ରକ୍ତ ସଞ୍ଚାଳନକୁ ବଢାଇଥାଏ ଯାହା ସେମାନଙ୍କର ଏକାଗ୍ରତା, ସମସ୍ୟା ସମାଧାନ କ୍ଷମତା ଏବଂ ସ୍ମୃତି ଶକ୍ତିରେ ଉନ୍ନତି ଘଟିଥାଏ।

ଚିତ୍ରାଙ୍କନ ଶିକ୍ଷା:

ପିଲାମାନେ ଚିତ୍ରାଙ୍କନ ଏବଂ ରଙ୍ଗ କରିବା ଭଳି କଳା କାର୍ଯ୍ୟକଳାପ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ଏକ ମଜାଦାର କାର୍ଯ୍ୟକଳାପ ନୁହେଁ ବରଂ ପିଲାମାନଙ୍କ ମନର ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ। ଯେତେବେଳେ ପିଲାମାନେ ଏକ ଚିତ୍ର ଆଙ୍କନ୍ତି କିମ୍ବା ରଙ୍ଗ କରନ୍ତି, ସେତେବେଳେ ସେମାନଙ୍କର ସମ୍ପୂର୍ଣ୍ଣ ଧ୍ୟାନ ସେହି କାର୍ଯ୍ୟ ଉପରେ ରହିଥାଏ। ସେମାନେ ଏକାଗ୍ରତା ହୋଇ ସେହି କାର୍ଯ୍ୟରେ ଦୀର୍ଘ ସମୟ ଧରି ବୁଡି ରହନ୍ତି। ଏହା ସେମାନଙ୍କର ଧ୍ୟାନ ଦେବାର କ୍ଷମତା ବଢାଇଥାଏ।

ବଗିଚାର ଯତ୍ନ ନେବା:

ବଗିଚା ମାଧ୍ୟମରେ ପିଲାମାନେ ଦୈନନ୍ଦିନ ଯତ୍ନ, ଧୈର୍ଯ୍ୟ ଏବଂ ପରିଶ୍ରମ ଶିଖନ୍ତି ଯାହା ଭବିଷ୍ୟତରେ ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଡିସେମ୍ବର ୨୧ ତାରିଖ ରାଶିଫଳ, ଆଜି ୪ ଟି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ହୋଇପାରେ ଧନହାନୀ

ମେଷ- ଜୀବନସାଥୀ ସହିତ ସଂପର୍କ ଅଧିକ ମିଠା ହେବ। ସାଙ୍ଗମାନଙ୍କ ସହିତ ଏକ ଭ୍ରମଣର ଆୟୋଜନ କରିବାକୁ ସମର୍ଥ ହେବେ। ଭାଇ ଏବଂ ପ୍ରିୟଜନଙ୍କ ସହିତ ସମ୍ପର୍କ ଭଲ ହେବ। ସମ୍ମାନ ବୃଦ୍ଧି ପାଇବ। ପ୍ରତିଯୋଗୀମାନେ ଜିତିବେ। ମଧ୍ୟମ ଅବଧି ପରେ, ଦୁର୍ଘଟଣା ଜନିତ ଖବର ଆପଣଙ୍କ ମାନସିକ ସୁସ୍ଥତାକୁ ଅସ୍ୱାସ୍ଥ୍ୟକରରେ ପରିଣତ କରିବ।

ବୃଷ- ଆଜି ଭ୍ରମଣ କିମ୍ବା ସ୍ଥାନାନ୍ତରଣ ସମ୍ଭାବନା ଅଛି। ବ୍ୟବହାରିକ କାର୍ଯ୍ୟଗୁଡିକ ପରିଚାଳନା କରିବା ଶୁଭ ଅଟେ। ଘରର ପରିବେଶ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ରହିବ। କଳାକାରମାନଙ୍କ ପାଇଁ ଶୁଭ, ସେମାନଙ୍କର କାର୍ଯ୍ୟ ଦକ୍ଷତା ଏବଂ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ପିଲାମାନଙ୍କର ଅଗ୍ରଗତି ଦ୍ୱାରା ମନ ଉଡ଼ିଯିବ।

ମିଥୁନ- ଆପଣଙ୍କ ଖର୍ଚ୍ଚରେ ଆପଣକୁ ସଂଯମ ରହିବାକୁ ପଡିବ। ଏହା ସହିତ କ୍ରୋଧ ଏବଂ ଜିଭରେ ସଂଯମତା ରଖିବାକୁ ପଡିବ। ଯାହାଦ୍ୱାରା କାହା ସହିତ ବିତର୍କରେ କୈଣସି କ୍ରୋଧ ନ ଆସେ ଏବଂ ସେହି ସମୟରେ ନକାରାତ୍ମକ ଚିନ୍ତାଧାରା ମଧ୍ୟ ମନରୁ ଦୂରେଇ ଯିବା ଉଚିତ। ମଧ୍ୟମ ସମୟ ଆପଣଙ୍କ ଚିନ୍ତାଧାରାରେ ସ୍ଥିରତା ଦେଖାଇବ। ଆପଣ ଯେ କୈଣସି ସୃଜନଶୀଳ କିମ୍ବା କଳାତ୍ମକ ଧାରାକୁ ଫେରିବେ।

କର୍କଟ- ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ମଧ୍ୟଭାଗ ପରେ, କାମ ଆରମ୍ଭ କରିବା ସହଜ ହେବ। ମନର ଏକାଗ୍ରତା ହେତୁ, ଆପଣ ନିଜ ମନ ଅସନ୍ତୁଷ୍ଟ ରହିବ। ଆପଣ ଶାରୀରିକ ଭାବରେ ଚିନ୍ତିତ ଅନୁଭବ କରିବେ। ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା ଆବଶ୍ୟକ।

ସିଂହ– ଆଜି ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ। ଉଚ୍ଚ ଅଧିକାରୀଙ୍କ କଲ୍ୟାଣ ବ୍ୟବସାୟକୁ ସଫଳ କରିବ ଏବଂ ଲାଭ କରିବ। ବାଣିଜ୍ୟ ପାଇଁ ଶୁଭ ଅଟେ। ବ୍ୟବସାୟ ବଢିବା ସହିତ ବ୍ୟବସାୟୀମାନେ ମଧ୍ୟ ସଫଳତା ଏବଂ ସଂଗ୍ରହ ଟଙ୍କା ପାଇବେ। ପିତା ଏବଂ ବୃଦ୍ଧମାନେ ଉପକୃତ ହେବେ। ସମ୍ମାନ ବୃଦ୍ଧି ପାଇବ।

କନ୍ୟା- ଆପଣଙ୍କ ପାଇଁ ଶୁଭ, ଆପଣ ଦୃଢ ମନୋବଳ ଏବଂ ଆତ୍ମବିଶ୍ୱାସ ସହିତ ଯେ କୈଣସି କାର୍ଯ୍ୟ କରିବାକୁ ସମର୍ଥ ହେବେ। ନିଜ ମନକୁ ଶାନ୍ତି ରଖନ୍ତୁ । ଘରର ପରିବେଶ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ହେବ। କଳାକାରମାନଙ୍କ ପାଇଁ ଶୁଭ, ସେମାନଙ୍କର କାର୍ଯ୍ୟ ଦକ୍ଷତା ଏବଂ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିବ।

ତୂଳା- ଆଜି ଆପଣଙ୍କର ମାନସିକ ଚାପ ଏବଂ ବିଶୃଙ୍ଖଳା ସୃଷ୍ଟି ହୋଇପାରେ। ଶାରୀରିକ କ୍ଷେତ୍ରରେ ଅଳସୁଆ ହେବ। ପେଟ ସମ୍ବନ୍ଧୀୟ ରୋଗ ହେବ। ଆପଣଙ୍କ ଭାଗ୍ୟ କୈଣସି କାର୍ଯ୍ୟରେ ସମର୍ଥନ କରୁନାହିଁ । ବଣିକ ଶ୍ରେଣୀ ସଂଗ୍ରହ ଟଙ୍କା ପାଇବାକୁ ସକ୍ଷମ ହେବେ। ଆପଣ ସମ୍ମାନ ଏବଂ ଉଚ୍ଚ ମାନ୍ୟତା ପାଇବ।

ବିଛା- ଆପଣଙ୍କର ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହୋଇପାରେ। ପରିବାରର ପରିବେଶ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇ ପାରେ। ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଖରାପ କରିପାରେ । ଆପଣ ସାହିତ୍ୟିକ ପ୍ରବୃତ୍ତିରେ କୈତୁହଳପୂର୍ଣ୍ଣ ଖବର ପାଇବେ। ମଧ୍ୟମ ସମୟ ଛାତ୍ରମାନଙ୍କ ପାଇଁ ଅନୁକୂଳ। ସେୟାର ବେଟିଂରେ ଲାଭ ହେବ।

ଧନୁ- ମଧ୍ୟମ ସମୟ ଆପଣଙ୍କ ପାଇଁ ଫଳପ୍ରଦ ହେବ। ନୈତିକତା ଉପରେ ସଂଯମତା ଏବଂ ଅନୈତିକ କାର୍ଯ୍ୟରୁ ଦୂରରେ ରହିବାର ଆବଶ୍ୟକତା ଅଛି । ଶାରୀରିକ ଏବଂ ମାନସିକ ପରିଶ୍ରମ ଅଧିକ ହେବ। ତେଣୁ ଅସୁସ୍ଥତା ମଧ୍ୟ ହୋଇପାରେ । ବ୍ୟବସାୟରେ ଲାଭ ।

ମକର- ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା ଆବଶ୍ୟକ। ଅର୍ଥ ଏବଂ ଖ୍ୟାତି ହରାଇବେ, କିନ୍ତୁ ମଧ୍ୟଭାଗ ପରେ ଆପଣଙ୍କ ମନ ସୃଜନଶୀଳ ପ୍ରବୃତ୍ତି ପ୍ରତି ଆକର୍ଷିତ ହେବ ଏବଂ ଖୁସି ଅନୁଭବ କରିବ। ମନୋବଳ ଦୃଢ ଏବଂ ଆତ୍ମବିଶ୍ୱାସୀ ହେବ। ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ପ୍ରତିଯୋଗୀମାନଙ୍କ ସାମ୍ନାରେ ବିଜୟ ହେବେ। ଭାଷଣରେ ସଂଯମ ରଖନ୍ତୁ।

କୁମ୍ଭ– ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂତନ କାର୍ଯ୍ୟ ପାଇଁ ଖୁସି ମିଳିବ। ମଧ୍ୟଭାଗ ପରେ ଆପଣଙ୍କର କ୍ରୋଧ ଆପଣଙ୍କ ପ୍ରକୃତିରେ ଅଧିକ ରହିବ । ଆପଣଙ୍କ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ।

ମୀନ- ଧର୍ଯ୍ୟବାନ ହୁଅନ୍ତୁ, କାରଣ ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ। ଆପଣ କଳା କ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ ଏବଂ ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ। ଆପଣ ମନୋରଞ୍ଜନ କ୍ଷେତ୍ରରେ ମଧ୍ୟ ଉପଭୋଗ କରିବେ। ବ୍ୟବସାୟୀମାନେ ସଂଗ୍ରହ ଟଙ୍କା ପାଇବାର ସମ୍ଭାବନା ଅଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବୈଶ୍ୱିକ ମାନ୍ୟତା ଲାଭ କରିଛି: ଶ୍ରୀ ଭୂପେନ୍ଦ୍ର ଯାଦବ

ନୂଆଦିଲ୍ଲୀ: କେନ୍ଦ୍ର ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ ଭାରତ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୈଶ୍ୱିକ ମାନ୍ୟତା ଲାଭ କରିଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା, ଇନୋଭେସନ ବା ନବସୃଜନ ଏବଂ ଟେକ୍‌ନୋଲୋଜି କ୍ଷେତ୍ରରେ ଭାରତର ନେତୃତ୍ୱକୁ ସମଗ୍ର ବିଶ୍ୱ ଏବେ ସ୍ୱୀକୃତି ପ୍ରଦାନ କରୁଛି।

ବିଶ୍ୱରେ ଭାରତର ପ୍ରଭାବ ଓ ପ୍ରତିଷ୍ଠା ବୃଦ୍ଧି ସଂକ୍ରାନ୍ତ ଏକ ସାମ୍ବାଦିକ ସମ୍ମଳିନୀରେ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ ଭାରତ ମାତ୍ର ୬୧୫ କୋଟି ଟଙ୍କା ଖର୍ଚ୍ଚ କରି ସଫଳତାର ସହିତ ବିଶ୍ୱର ପ୍ରଥମ ଦେଶଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ôଚପାରିଛି। ଭାରତ ଯେଉଁ ଚନ୍ଦ୍ରଯାନ-୩  ଅଭିଯାନ ଚଳାଇଥିଲା ଏହା ତାହାର ସବୁଠୁ ବଡ ଉପଲବ୍‌ଧି। ଏହି ସଫଳତା ସହିତ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ କରିଛି। ପୂର୍ବରୁ ଭାରତ ଚନ୍ଦ୍ର ଅଭିଯାନରେ ଆନ୍ତର୍ଜାତିକ ସହଯୋଗ ଲୋଡୁଥିଲା। ଚନ୍ଦ୍ରଯାନ-୩ ସେହି ବାହ୍ୟ ନିର୍ଭରଶୀଳତାର ଅବସାନ ଘଟାଇ ଆତ୍ମ ନିର୍ଭରଶୀଳ ହୋଇପାରିଛି। ଭାରତର ଚନ୍ଦ୍ରଯାନ ନିଜସ୍ୱ କାରିଗରୀ  ଜ୍ଞାନକୌଶଳ ଓ ଉଦ୍ୟମରେ ଚନ୍ଦ୍ର ପୃଷ୍ଠର ସବୁଠୁ ସମସ୍ୟା ବହୁଳ ଅଞ୍ଚଳ ଦକ୍ଷିଣ ମେରୁରେ ସଫଳତାର ସହିତ ଅବତରଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଦୂରଦୃଷ୍ଟି ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କରିଛନ୍ତି।

କୋଭିଡ ମହାମାରୀର ସଫଳ ମୁକାବିଲା କରି ଭାରତ କିପରି ସମଗ୍ର ବିଶ୍ୱକୁ ଚକିତ କଲା ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଶ୍ରୀ ଯାଦବ ଏହି ଅବସରରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କୋଭିଡ ମହାମାରୀ ଯେତେବେଳେ ବ୍ୟାପିଲା ସମଗ୍ର ବିଶ୍ୱ ଭାବିଲା ଯେ ଏହାର ପ୍ରଭାବରେ ଭାରତ ଭୁଶୁଡି ପଡିବ। ଭାରତ କିନ୍ତୁ କୋଭିଡ ମହାମାରୀରେ ଭୁଶୁଡି ପଡି ନ ଥିଲା; ବରଂ ଏହାର ସଫଳ ମୁକାବିଲା କରି ସାରା ପୃଥିବୀ ପାଇଁ ଉଦାହରଣ ସୃଷ୍ଟି କଲା।

ଭାରତ କେବଳ ବିଶ୍ୱର ସର୍ବବୃହତ କୋଭିଡ୍ ଟିକାକରଣ ଅଭିଯାନ ସଫଳତାର ସହ ସମ୍ପନ୍ନ କରି ନ ଥିଲା, ଖୁବ୍ କମ୍ ସମୟରେ ଅତି ଦ୍ରୁତ ଗତିରେ ଦେଶର ସବୁ ଲୋକଙ୍କୁ ଟିକା ଦେଇ ଏହା ବିଶ୍ୱରେ ଏକ ରେକର୍ଡ ପ୍ରତିଷ୍ଠା କରିଥିଲା। ଏ କ୍ଷେତ୍ରରେ ଆହୁରି କିଛି ଅଧିକ କଥା ଥିଲା। ଲୋକଙ୍କୁ ଦିଆଯାଇଥିବା କରୋନା ଟିକା ମଧ୍ୟ ଭାରତରେ ତିଆରି ହୋଇଥିଲା। ନିଜ ଦେଶର ଆବଶ୍ୟକତା ପୂରଣ କରି ଭାରତ “ଭ୍ୟାକ୍ସିନ ମୈତ୍ରୀ” କାର୍ଯ୍ୟକ୍ରମରେ ବିଶ୍ୱରେ ଅନେକ ଦେଶକୁ କରୋନା ଟିକା ଯୋଗାଇ ଦେଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ୱର ୧୦୦ରୁ ଅଧିକ ଦେଶ ଉପକୃତ ହୋଇଥିଲେ ବୋଲି ମନ୍ତ୍ରୀ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି।

କୋଭିଡ ମହାମାରୀର ସଫଳ ମୁକାବିଲା କରିବା ପରେ ବିଶ୍ୱସ୍ତରରେ ଭାରତ ଯେଉଁ ପ୍ରଶଂସା ପାଇଥିଲା ସେ ବିଷୟରେ ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ ସେଥିରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ବା ‘ହୁ’ର ପ୍ରଶଂସାମୂଳକ ଉକ୍ତି। ‘ହୁ’ କହିଥିଲା- “ଏକ ପ୍ରସ୍ତୁତ ଭାରତର ଅର୍ଥ ଏକ ପ୍ରସ୍ତୁତ ପୃଥିବୀ।”

ଭାରତର ଅର୍ଥନୀତିକ ଶକ୍ତି ଓ ସାମର୍ଥ୍ୟ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ କୋଭିଡ ସମୟରେ ଏକ ଆଶଙ୍କା ପ୍ରକାଶ ପାଇଲା ଯେ ଏହି ମହାମାରୀ ପରେ ଭାରତର ଅର୍ଥନୀତି ଭୁଶୁଡି ପଡିବ । ମାତ୍ର ସେ ଆଶଙ୍କା ଭୁଲ ପ୍ରମାଣିତ ହେଲା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ନେତୃତ୍ୱ ବଳରେ ଭାରତ ଏକ ସଂକଟକୁ ଏକ ସୁଯୋଗରେ ପରିଣତ କରିବାରେ ସଫଳ ହେଲା । କୋଭିଡ-୧୯ ବିରୋଧରେ ଭାରତର ସଫଳ ଲଢେଇକୁ ସମଗ୍ର ବିଶ୍ୱ ପ୍ରଶଂସା କଲା । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌), ବିଶ୍ୱ ବ୍ୟାଙ୍କ ଓ ଅନ୍ୟାନ୍ୟ ସଂସ୍ଥା ତଥା ସଂଗଠନ ଭାରତର ଅର୍ଥନୀତିକ ପୁନରୁଦ୍ଧାରକୁ ପ୍ରଶଂସା କରିଥିଲେ । କୋଭିଡ ଯୋଗୁଁ ଯେଉଁ  ଢଙ୍ଗରେ ଭାରତର ଅର୍ଥନୀତି ତଳମୁହାଁ ହୋଇଥିଲା ସେହି ଢଙ୍ଗରେ ପୁଣି ଉପର ମୁହାଁ ହେଲା । ଏହି ଅର୍ଥନୀତିକ ପୁନରୁଦ୍ଧାର ପ୍ରକ୍ରିୟାରେ ଭାରତ ଚୀନ ଓ ଆମେରିକାକୁ ମଧ୍ୟ ପଛରେ ପକାଇ ଦେଇଥିଲା । ଅନେକଙ୍କର ସନ୍ଦେହ ଥିଲା ଯେ ଭାରତର ଅର୍ଥନୀତିକ ପୁନରୁଦ୍ଧାର ୟୁ(U) ଆକାରରେ ହେବ; ମାତ୍ର ଭାରତ ଭି(V) ଆକାରର ଅର୍ଥନୀତିକ ପୁନରୁଦ୍ଧାର ହାସଲ କରି ସବୁ ସଂଶୟବାଦୀଙ୍କୁ ଚକିତ କରିଥିଲା ।

ମନ୍ତ୍ରୀ ଶ୍ରୀ ଯାଦବ ଆହୁରି କହିଛନ୍ତି ଯେ ସେତେବେଳେ ଭାରତର ଅର୍ଥନୀତିକ ସ୍ଥିତିର ପୁନରୁଦ୍ଧାରକୁ ମଧ୍ୟ ବିଶ୍ୱ ବ୍ୟାଙ୍କ ଓ ଆର୍ନ୍ତଜାତିକ ମୁଦ୍ରାପାଣ୍ଠି ଆଦି ପ୍ରଶଂସା କରିଥିଲେ । ସେମାନେ କହିଥିଲେ ଯେ ସମଗ୍ର ବିଶ୍ୱ କରୋନା ମହାମାରୀ ପରବର୍ତ୍ତୀ  ଆର୍ଥିକ ମାନ୍ଦାବସ୍ଥା ଓ ଗୁରୁତର ସ୍ଥିତି ଦେଇ ଗତି କରୁଥିବାବେଳେ ଭାରତ ତାହାର ଆର୍ଥିକ ପୁନରୁଦ୍ଧାର ଓ ଅଭିବୃଦ୍ଧିକୁ  ଜାରି ରଖି ସମଗ୍ର ଦୁନିଆ ପାଇଁ ଏକ ଉଜ୍ୱଳ ଉଦାହରଣ ପାଲଟିଥିଲା । “୨୦୨୨ରେ ଭାରତ ଏହାର ପୂର୍ବତନ ଉପନିବେଶବାଦୀ ଶାସକ ରାଷ୍ଟ୍ର ବ୍ରିଟେନକୁ ଜିଡିପି ଆଧାରରେ  ପଛରେ ପକାଇ ବିଶ୍ୱର ପଞ୍ଚ ମ ସର୍ବବୃହତ୍ ଅର୍ଥନୀତିରେ ପରିଣତ ହୋଇଥିଲା । ବିଶ୍ୱବ୍ୟାଙ୍କ ୨୦୨୩ -୨୪ରେ ଭାରତର ଜିଡିପି ଅଭିବୃଦ୍ଧି  ୬.୩ ଶତାଂଶ ହେବ ବୋଲି ଆକଳନ କରିଛି । ଭାରତର ଅଭିବୃଦ୍ଧି ନିରନ୍ତର ଭାବେ ବଢି ବଢି ଚାଲିଛି ଏବଂ ଆମେରିକା (୨.୧%), ଚୀନ (୪.୪.%), ୟୁରୋ ଜୋନ (୦.୭%)କୁ ପଛରେ ପକାଇଛି ବୋଲି ଶ୍ରୀ ଯାଦବ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ତଥ୍ୟ ଉଦ୍ଧାର କରି କହିଛନ୍ତି । ସେ କହିଛନ୍ତି ଯେ ଭାରତ ଏବେ ବିଶ୍ୱର ଏକ ମାନୁଫ୍ୟାକଚରିଂ ହବ୍‌ରେ ପରିଣତ ହେବାକୁ ଯାଉଛି । ସେଥି ପାଇଁ ସମସ୍ତଙ୍କ ନଜର ଭାରତ ଉପରେ ।

“ଆପଲ” କମ୍ପାନୀ ତାହାର ସର୍ବଶେଷ ବ୍ରାଣ୍ଡର ଆଇଫୋନ -୧୫ର ଉତ୍ପାଦନ ଭାରତରେ ଆରମ୍ଭ କରିଛି । ବାହାରୁ ଉପକରଣ ସବୁ ଅଣାଯାଇ ଭାରତରେ ଏହାକୁ ସମବେତ କରି ଏହି ଫୋନ ଉତ୍ପାଦନ କରାଯାଉଛି । ତାଇୱାନର ଫକ୍ସକନ୍ କମ୍ପାନୀ, ଭାରତରେ ବେଦାନ୍ତ କମ୍ପାନା ସହିତ ମିଶି  ଆମ ଦେଶରେ  ସେମିକଣ୍ଡକ୍ଟରା ନିର୍ମାଣ କରିବାକୁ ଉଦ୍ୟମ ଚଳାଇଛି। ୨୦୨୫ ସୁଦ୍ଧାଭାରତ ଜିଡିପିରେ ଜର୍ମାନୀକୁ ଅତିକ୍ରମ କରିବ ଏବଂ ୨୦୨୭ରେ ଜାପାନକୁ ପଛରେ ପକାଇ ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥନୀତିରେ ପରିଣତ ହୋଇ ଆମେରିକାର ଓ ଚୀନ ପଛକୁ ରହିବ ବୋଲି ଶ୍ରୀ ଯାଦବ କହିଛନ୍ତି ।

ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ ଭାରତକୁ ୨୦୪୭ ସୁ୍‌ଦ୍ଧା ବିଶ୍ୱର ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶପଥ ନେଇଛନ୍ତି। ଦେଶର ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଅମୃତକାଳରେ ଭାରତ ଏହି ସଫଳତା ହାସଲ କରିବାର ଲକ୍ଷ୍ୟ ରଖିଛି ।

ଆନ୍ତର୍ଜାତିକ ବ୍ୟବସ୍ଥାରେ ଭାରତର ଭୂମିକାକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ଅବଗତ । ନିଜର ଆଧ୍ୟାତ୍ମିକ ଓ ସାଂସ୍କୃତିକ  ଶକ୍ତି ବଳରେ ଭାରତ ବସୁଧୈବ କୁଟୁମ୍ବକମ୍ ନୀତିରେ ସମଗ୍ର ବିଶ୍ୱକୁ ଏକାଠି କରି ତାହାର ନେତୃତ୍ୱ ନେବାକୁ ଆଗ୍ରହୀ । ତେଣୁ ବିଶ୍ୱର ଲୋକଙ୍କୁ ସୁଖ ଶାନ୍ତିରେ ରଖିବାକୁ ନୀତି ଓ ବ୍ୟବସ୍ଥା ପ୍ରବର୍ତ୍ତନ ଉପରେ ଭାରତ ବୈଶ୍ୱିକ ସ୍ତରରେ ଉଦ୍ୟମ କରୁଛି । ପ୍ରଧାନମନ୍ତ୍ରୀଙ୍କର ବିଚାର, ଦୂରଦୃଷ୍ଟି ଓ ବିଶ୍ୱ ଭାବନା ସମଗ୍ର ପୃଥିବୀକୁ  ଅନୁପ୍ରାଣିତ କରିଥିବାବେଳେ ବିଦେଶରେ ରହିଥିବା ଭାରତୀୟମାନଙ୍କ ଆତ୍ମବିଶ୍ୱାସ ଓ ଆତ୍ମସମ୍ମାନ ମଧ୍ୟ ବଢିଛି । ମୋଦୀ ଏଭଳି ଏକ ସୁରକ୍ଷିତ ଓ ଭରସାଯୋଗ୍ୟ ଭାରତ ଗଠନ କରିବାକୁ ଚାହାନ୍ତି ଯେଉଁଠି ଏହା ନିଜକୁ ନିର୍ଣ୍ଣାୟକ ସ୍ଥିତିରେ ରଖି ବିଶ୍ୱର ପ୍ରମୁଖ ସମସ୍ୟାର ସ୍ଥାୟୀ ସମାଧାନ କରି ସମସ୍ତଙ୍କୁ ସୁଖଶାନ୍ତିରେ ରଖିବାକୁ ସମର୍ଥ ହୋଇପାରିବ । ଏ କ୍ଷେତ୍ରରେ ଭାରତ ପ୍ରୟାସକୁ ମଧ୍ୟ ସଫଳତା ମିଳୁଛି ବୋଲି ଶ୍ରୀ ଯାଦବ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଭାରତର କୋମଳ ଶକ୍ତି ଓ ସାଂସ୍କୃତିକ ଐତିହ୍ୟ ଏହାର ବୈଶ୍ୱିକ ପ୍ରଭାବ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଯୋଗ ଓ ଆୟୁର୍ବେଦ ଭଳି ଭାରତର ପ୍ରାଚୀନ ପରମ୍ପରା ବିଶ୍ୱବ୍ୟାପୀ ଲୋକପ୍ରିୟ  ହେବା ପଛରେ ରହିଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଏକନିଷ୍ଠ ଉଦ୍ୟମ । “ ନାଟୁ ନାଟୁ ଓ ଏଲିଫ୍ୟାଣ୍ଡ ହୁଇସପର”କୁ ଓସ୍କାର  ପୁରସ୍କାର ମିଳିବା ଭାରତୀୟ କୋମଳ ଶକ୍ତିର ଏକ ବଡ ବିଜୟ । ଏହାଛଡା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ଭାରତୀୟମାନେ  ଭାରତୀୟ ମୂଲ୍ୟବୋଧ, ବିଚାର ଓ ପରମ୍ପରାକୁ ପ୍ରୋତ୍ସାହିତ କରି ସାଂସ୍କୃତିକ ବିନିମୟକୁ ବଳ ଦେଉଛନ୍ତି ।

ସେ କହିଛନ୍ତି ଯେ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ବିଶ୍ୱସ୍ତରରେ ଦେଶର ପ୍ରଭାବ ଓ ପ୍ରତିଷ୍ଠାକୁ ବଢାଇଛନ୍ତି । ବିଶ୍ୱ ନେତାମାନଙ୍କ ଉପରେ ମୋଦୀଙ୍କ ପ୍ରଭାବ ବେଶ୍ ଭଲଭାବରେ ପଡିଛି । ସେମାନେ ସମସ୍ୱରରେ ମୋଦୀଙ୍କୁ ପ୍ରଶଂସା କରୁଛନ୍ତି ।

ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ ବିଗତ ୧୦ ବର୍ଷ ମଧ୍ୟରେ ଦେଶର  ସବୁ ସ୍ତରରେ ଏକ ସକାରାତ୍ମକ ମନୋଭାବ ଉଦ୍ରେକ କରିବାରେ ଭାରତ ସଫଳ ହୋଇଛି । ଏବେ ଆମ ଯୁବବର୍ଗ ଚାକିରି ପ୍ରତ୍ୟାଶୀ ହେବା ପରିବର୍ତ୍ତେ ନିଯୁକ୍ତି ପ୍ରଦାନ କରୁଛନ୍ତି । ଦୈନିକ ନୂଆ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିବାରେ ଭାରତ ଏବେ ବିଶ୍ୱର ଏକ ନମ୍ବର । ଷ୍ଟାର୍ଟଅପ୍ ସଂଖ୍ୟା ଦୃଷ୍ଟିରୁ ଆମେ ଏବେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଅଛୁ । ବୃହତ୍ତମ ଷ୍ଟାର୍ଟଅପ୍ ପରିତନ୍ତ୍ର  ଦୃଷ୍ଟିରୁ ବିଶ୍ୱରେ ଭାରତର ସ୍ଥାନ ତୃତୀୟ । ଏବେ ସର୍ବାଧିକ ୟୁନିକର୍ଣ୍ଣ ପ୍ରତିଷ୍ଠା କ୍ଷେତ୍ରରେ ବିଶ୍ୱରେ ଭାରତର ସ୍ଥାନ ୩ ନମ୍ବର । ୨୦୨୧ରେ ଭାରତରେ ପ୍ରତି ୨୯ଦିନରେ ଗୋଟିଏ ୟୁନିକର୍ଣ୍ଣ ଗଠିତ ହେଉଥିଲା । ୨୦୨୨ରେ ଆମକୁ ଗୋଟିଏ ୟୁନିକର୍ଣ୍ଣ ଗଠନ କରିବାକୁ ମାତ୍ର ୯ ଦିନ ଲାଗିଲା ।

ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ଗ୍ରହଣ କରିଥିବା ପଦକ୍ଷେପ ଓ ତାହାର ମୁକାବିଲା ସମ୍ପର୍କରେ ସେ ମଧ୍ୟ କହିଥିଲେ ବିଶ୍ୱ ସ୍ତରରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଭାରତ ଗ୍ରହଣ କରିଥିବା ନେତୃତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ଭାରତ ଏବେ ବିଶ୍ୱରେ ଅକ୍ଷୟ ଶକ୍ତି ଉତ୍ପାଦନ ଓ ବ୍ୟବହାର ବଢାଇବାକୁ ନେତୃତ୍ୱ ନେଇଛି । ୨୦୧୯ର ଗ୍ରୀନ ହାଉସ ଗ୍ୟାସ ଇନଭେନଟୋରୀ ମାଧ୍ୟମରେ ପରିବେଶ ସୁରକ୍ଷା କ୍ଷେତ୍ରରେ କାମ କରୁଛି । ଭାରତର ଉଦ୍ୟମ ଓ ନେତୃତ୍ୱରେ ଆନ୍ତର୍ଜାତିକ ସୌର ମେଣ୍ଟ , ଲିଡ-ଇଟ୍‌, ସିଡିଆର୍‌ଆଇ, ଆଇଆର୍‌ଆଇଏମ୍‌,ଗ୍ରୀନ କ୍ରେଡିଟ୍ ଇନସିଏଟିଭ ଓ ଆର୍ନ୍ତଜାତିକ ବ୍ୟାଘ୍ର ସୁରକ୍ଷା ମେଣ୍ଟକାର୍ଯ୍ୟ କରୁଛି । ୨୦୩୦ ସୁଦ୍ଧା ଯେଉଁ ପରିମାଣ ଅକ୍ଷୟଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ଭାରତ ଘୋଷଣା କରିଥିଲା ୨୦୨୦-୨୧ ସୁଦ୍ଧା ତାହାକୁ ପୂରଣ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ର ସଫଳ ମୁକାବିଲା, ବୈଶ୍ୱିକ ସହଯୋଗ ଓ ନିରନ୍ତର ବିକାଶ କ୍ଷେତ୍ରରେ ଆଜି ଯାହା ସବୁ ସଫଳତା ମିଳିଛି ତାହା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନିଷ୍ଠା, ଆଗ୍ରହ,ଦୂରଦୃଷ୍ଟି ଓ ଦିଗ୍‌ଦର୍ଶନ ଯୋଗୁଁ ସମ୍ଭବ ହୋଇଛି । ଜଳବାୟୁ ଓ ପରିବେଶ ସୁରକ୍ଷା ତାଙ୍କ କାର୍ଯ୍ୟସୂଚୀରେ ଅଗ୍ରାଧିକାର ପାଇଛି । ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ଶାନ୍ତି ରକ୍ଷା ଉଦ୍ୟମରେ ଭାରତର ଭୂମିକା ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଶ୍ରୀ ଯାଦବ ଏହି ଅବସରରେ ଆଲୋକପାତ କରିଛନ୍ତି ।

ସେ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟର କ୍ଷତିଗ୍ରସ୍ତ ଲୋକମାନଙ୍କୁ ତୁରନ୍ତ ରିଲିଫ ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଯୋଗାଇ ମାନବିକତାର ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ବିିଭିନ୍ନ ସ୍ୱଳ୍ପ ବିକଶିତ ରାଷ୍ଟ୍ରଙ୍କୁ ମଧ୍ୟ ଭାରତ ଜେନେରିକ ଔଷଧ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛି । ଟେଲି ମେଡିସିନ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରି ସ୍ୱାସ୍ଥ୍ୟ କ୍ଷେତ୍ରର ସମସ୍ୟା ସମାଧନ କରିବାକୁ ଭାରତ ଉଦ୍ୟମ କରୁଛି ଏବଂ ଅନ୍ୟ ଦେଶକୁ ସାହାଯ୍ୟ ଯୋଗାଉଛି । ଯୁଦ୍ଧ ପ୍ରପୀଡିତ ଦେଶର ଲୋକଙ୍କୁ ଭାରତ ମାନବିକତା ଦୃଷ୍ଟିରୁ ରିଲିଫ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଆସୁଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରା: ୬୩,୦୦୦ ରୁ ଅଧିକ ଅନ – ସ୍ପଟ୍ ପଞ୍ଜୀକରଣ

ଭୁବନେଶ୍ଵର: ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଯୋଜନା ଅଧୀନରେ ୬୩,୦୦୦ ରୁ ଅଧିକ ଅନ – ସ୍ପଟ୍ ପଞ୍ଜୀକରଣ ହୋଇଛି, ଯାହା ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସ୍‌ୱାଇ) ର ଅଂଶ ଭାବରେ ଉତ୍ସର୍ଗୀକୃତ ପ୍ରତିବଦ୍ଧତାକୁ ଦର୍ଶାଇଥାଏ।

ଭିବିଏସୱାଇ ପିଲା ମାନଙ୍କୁ ସକ୍ରିୟ ଭାବରେ ନିୟୋଜିତ କରି ଏକ ସୁସ୍ଥ ଭବିଷ୍ୟତକୁ ପ୍ରୋତ୍ସାହିତ କରୁଛି। ବିଭିନ୍ନ ରାଜ୍ୟ /କେନ୍ଦ୍ରଶାସିତ ଅଞ୍ଚଳରେ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ସଚେତନତା ଅଭିଯାନ ଆୟୋଜନ କରାଯାଉଛି। ଯାତ୍ରା ଆରମ୍ଭ ହେବା ପର ଠାରୁ ୫୭୦୦୦ ରୁ ଅଧିକ ଶିଶୁ ‘ସ୍ୱାସ୍ଥ୍ୟ ବାଳକ ସ୍ପର୍ଦ୍ଧା’ ରେ ଅଂଶଗ୍ରହଣ କରିଛନ୍ତି।

ଭିବିଏସୱାଇରେ ଅଂଶଗ୍ରହଣକାରୀ ମାନଙ୍କ ମଧ୍ୟରୁ ୫୦% ମହିଳା ହୋଇଥିବାରୁ, ଏହା ପ୍ରଗତି ଏବଂ ସଶକ୍ତିକରଣ ପାଇଁ ସେମାନଙ୍କର ଉତ୍ସର୍ଗୀକୃତ ଅନୁସନ୍ଧାନ ଉପରେ ଆଲୋକପାତ କରେ।

ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସମର୍ଥନ କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ (ଏମ୍‌ଓଡବ୍ଲୁସିଡି) ସକ୍ରିୟ ଭାବରେ ସାମିଲ ହୋଇଛି। ଏମ୍‌ଓଡବ୍ଲୁସିଡି “ମେରୀ କହାନୀ ମେରି ଜୁବାନୀ / ମୋ ମୁହଁରେ ମୋ କାହାଣୀ (ଏମକେଏମ୍‌ଜେଡ୍‌)” ଅଭିଯାନ ଅଧୀନରେ ଅଂଶଗ୍ରହଣ କରୁଛି, ଯେଉଁଥିରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ହିତାଧିକାରୀମାନେ ସେମାନଙ୍କର ଅନୁଭୂତି ଏବଂ ଅଙ୍ଗନୱାଡି ସେବାର ସେମାନଙ୍କ ଜୀବନ ଉପରେ ପଡ଼ିଥିବା ପ୍ରଭାବ ବିଷୟରେ କହୁଛନ୍ତି।