Categories
PIB_NEWS ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପବ୍ଲିକ ସେକ୍ଟର ବ୍ୟାଙ୍କ ସଂସ୍କାର ଏଜେଣ୍ଡା – ଇଏଏସ୍‍ଇ ୪.୦ ସଂସ୍କରଣକୁ ଉନ୍ମୋଚନ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ର୍ନିମଳା ସୀଥାରମଣ ଆଜି ୨୦୨୧-୨୨ ପାଇଁ ପବ୍ଲିକ ସେକ୍ଟର ବ୍ୟାଙ୍କ (ପିଏସ୍‍ବି) ସଂସ୍କାର ଏଜେଣ୍ଡା ” ଇଏଏସ୍‍ଇ ୪.୦ ର ଚତୁର୍ଥ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି – ପ୍ରଯୁକ୍ତିବିଦ୍ୟା-ସକ୍ଷମ, ସରଳୀକୃତ ଏବଂ ସହଯୋଗୀ ବ୍ୟାଙ୍କିଙ୍ଗ । ସେ ୨୦୨୦-୨୧ ପାଇଁ ପିଏସ୍‍ବି ସଂସ୍କାର ଏଜେଣ୍ଡା ଇଏଏସ୍‍ଇ ୩.୦ ପାଇଁ ବାର୍ଷିକ ରିପୋର୍ଟ ଉନ୍ମୋଚନ କରିଥିଲେ ଏବଂ ଇଏଏସ୍‍ଇ ୩.୦ ବ୍ୟାଙ୍କିଙ୍ଗ୍ ସଂସ୍କାର ସୂଚକାଙ୍କରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କଗୁଡିକୁ ସମ୍ମାନିତ କରିବା ପାଇଁ ପୁରସ୍କାର ବିତରଣ ଉତ୍ସବରେ ଅଂଶଗ୍ରହଣ କରିଥିଲେ ।

ଏହି କାର‌୍ୟ୍ୟକ୍ରମରେ ଆର୍ଥିକ ସେବା ବିଭାଗର ଅତିରିକ୍ତ ସଚିବ ଶ୍ରୀ ପଙ୍କଜ ଜୈନ, ଆର୍ଥିକ ସେବା ବିଭାଗର ଅତିରିକ୍ତ ସଚିବ ଏବଂ ଆଇବିଏର ଅଧ୍ୟକ୍ଷ ଶ୍ରୀ ଅମିତ ଅଗ୍ରୱାଲ ଏବଂ ଶ୍ରୀ ରାଜକିରଣ ରାୟ ଜି ମଧ୍ୟ ଉପସ୍ଥିତ ଥିଲେ । ଏସବିଆଇ, ବିଓବି ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶୀର୍ଷ ପୁରସ୍କାର ଜିଣିଛନ୍ତି

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ଏବଂ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଇଏଏସ୍‍ଇ ସୂଚକାଙ୍କକୁ ଆଧାର କରି ପିଏସ୍‍ବି ସଂସ୍କାର ଇଏଏସ୍‍ଇ ୩.୦ ପାଇଁ ସର୍ବୋତ୍ତମ ପ୍ରଦର୍ଶନକାରୀ ବ୍ୟାଙ୍କ ଭାବେ ପୁରସ୍କାର ଜିତିଛନ୍ତି ।

ଇଣ୍ଡିଆନ ବ୍ୟାଙ୍କ୍‍ କ୍ଷେତ୍ର ସ୍ତରରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ପୁରସ୍କାର ଲାଭ କରିଛି । ଏସବିଆଇ, ବିଓବି, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କ ପିଏସ୍‍ବି ସଂସ୍କାର ଏଜେଣ୍ଡା ଇଏଏସ୍‍ଇ ୩.୦ ର ବିଭିନ୍ନ ବିଷୟବସ୍ତୁରେ ଶୀର୍ଷ ପୁରସ୍କାର ଜିତିଥିଲେ ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର, ଫ୍ୟାମିଲି ପେନସନ ପରିମାଣ ଶେଷ ଦରମାର ୩୦ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ, ବ୍ୟାଙ୍କ କର୍ମଚାରୀମାନଙ୍କ ପରିବାରକୁ ଆଶ୍ବସ୍ତି ପ୍ରଦାନ କରିବାର ଏକ ପଦକ୍ଷେପ ସ୍ବରୂପ, ଫ୍ୟାମିଲି ପେନସନ ପରିମାଣ ଶେଷ ଦରମାର ୩୦ ପ୍ରତିଶତକୁ ବୃଦ୍ଧି କରିବା ଲାଗିଇଣ୍ଡିଆନ ବ୍ୟାଙ୍କସ୍ ଆସୋସିଏସନ୍ସ (ଆଇବିଏ)ର ପ୍ରସ୍ତାବକୁ ସରକାର ମଞ୍ଜୁର କରିଛନ୍ତି। ଏହି ପଦକ୍ଷେପ ଫଳରେ ପ୍ରତ୍ୟେକ ବ୍ୟାଙ୍କ କର୍ମଚାରୀଙ୍କ ପାରିବାରିକ ପେନସନ ପରିମାଣ ୩୦,୦୦୦ରୁ ୩୫,୦୦୦ ଟଙ୍କାକୁ ବୃଦ୍ଧି ପାଇବ। ଆଜି ମୁମ୍ବାଇ ଠାରେ ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗର ସଚିବ ଦେବାଶୀଷ ପଣ୍ଡା ଏହି ଘୋଷଣା କରିଛନ୍ତି।

ଆର୍ଥିକ ବ୍ୟାପାର ବିଭାଗ ସଚିବ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ ଯେ, ରାଷ୍ଟ୍ରାୟତ୍ତ କ୍ଷେତ୍ର ବ୍ୟାଙ୍କ କର୍ମଚାରୀଙ୍କ ମଜୁରି ସଂଶୋଧନ ଉପରେ ୧୧ତମ ଦ୍ବିପକ୍ଷୀୟ ସେଟଲମେଣ୍ଟକୁ ଜାରି ରଖି, ଫ୍ୟାମିଲି ପେନସନ ଏବଂ ଏନପିଏସ ଅନ୍ତର୍ଗତ ନିଯୁକ୍ତିଦାତାଙ୍କ ଯୋଗଦାନ ପାଇଁ ଏକ ପ୍ରସ୍ତାବ ଦିଆଯାଇଥିଲା। ନଭେମ୍ବର ୧୧, ୨୦୨୦ରେ ବିଭିନ୍ନ ବ୍ୟାଙ୍କ ୟୁନିଅନ ଓ ଆଇବିଏ ମଧ୍ୟରେ ଏହି ଦ୍ବିପକ୍ଷୀୟ ସେଟଲମେଣ୍ଟ ସ୍ବାକ୍ଷରିତ ହୋଇଥିଲା। ଏହାକୁ ଆଧାର କରି ମିଳିଥିବା ପ୍ରସ୍ତାବକୁ ଅର୍ଥ ମନ୍ତ୍ରୀ ମଞ୍ଜୁର କରିଥିବା ସଚିବ ସୂଚନା ଦେଇଛନ୍ତି।

ସଚିବ ଆହୁରି କହିଥିଲେ ଯେ ପୂର୍ବରୁ ଏହି ଯୋଜନାରେ ପେନସନ ଭୋଗୀମାନେ ଏକ ସମୟରେ ୧୫, ୨୦, ୩୦ ପ୍ରତିଶତ ସ୍ଲାବରେ ପେନସନ ଉଠାଣ କରୁଥିଲେ। ଏହାର ସର୍ବାଧିକ ସୀମା ୯,୨୮୪ଟଙ୍କା ନିର୍ଦ୍ଧାରଣ କରାଯାଇଥିଲା। ଏହା ଅତ୍ୟନ୍ତ ସ୍ବଳ୍ପ ପରିମାଣ ଥିଲା ଏବଂ ଅର୍ଥ ମନ୍ତ୍ରୀ ଶ୍ରୀମତୀ ସୀତାରମଣ ଏହାକୁ ନେଇ ଚିନ୍ତିତ ଥିଲେ। ସେ ଏଥିରେ ସଂଶୋଧନ ଆଣିବାକୁ ଚାହିଁଥିଲେ ଯାହା ଫଳରେ ବ୍ୟାଙ୍କ କର୍ମଚାରୀମାନଙ୍କ ପରିବାରବର୍ଗ ଜୀବନ ନିର୍ବାହ ପାଇଁ ଆବଶ୍ୟକ ପରିମାଣର ଅର୍ଥ ପାଇପାରିବେ।

ସରକାର ମଧ୍ୟ ଏନପିଏସ ଅଧୀନରେ ନିଯୁକ୍ତିଦାତାଙ୍କ ଯୋଗଦାନକୁ ବର୍ତ୍ତମାନର ୧୦ ପ୍ରତିଶତରୁ ବୃଦ୍ଧି କରି ୧୪ ପ୍ରତିଶତ କରିବା ଲାଗି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ପରିବର୍ଦ୍ଧିତ ଫ୍ୟାମିଲି ପେନସନ ଦ୍ବାରା ସରକାରୀ ବ୍ୟାଙ୍କ କର୍ମଚାରୀମାନଙ୍କର ହଜାର ହଜାର ପରିବାର ସଦସ୍ୟ ଉପକୃତ ହେବେ। ସେହିପରି ନିଯୁକ୍ତିଦାତାଙ୍କ ଯୋଗଦାନ ବୃଦ୍ଧି କରାଯିବା ଫଳରେ ଏନପିଏସ ଅଧୀନରେ ବ୍ୟାଙ୍କ କର୍ମଚାରୀଙ୍କୁ ଅଧିକ ଆର୍ଥିକ ସୁରକ୍ଷା ମିଳିପାରିବ।

ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଥିବା ଅର୍ଥ ମନ୍ତ୍ରୀ ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କ ଗୁଡ଼ିକର ପ୍ରଦର୍ଶନ ସମୀକ୍ଷା କରିଥିଲେ ଏବଂ ସ୍ମାର୍ଟ ବ୍ୟାଙ୍କିଙ୍ଗ ପାଇଁ ଇଜ୍ ୪.୦ ସଂସ୍କାର ଏଜେଣ୍ଡାର ଶୁଭାରମ୍ଭ କରିଥିଲେ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆଙ୍କରୋଜ ଇନ୍‌ଫ୍ରାଷ୍ଟ୍ରକଚର ବିନିଯୋଗ କରିବ ୧୫ ହଜାର କୋଟି ଟଙ୍କା, ମିଳିଲା କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ, ଆଙ୍କରେଜ ଇନ୍‌ଫ୍ରାଷ୍ଟକଚର ଇନ୍‌ଭେଷ୍ଟମେଂଟ ହୋଲ୍ଡିଂ ଲିମିଟେଡ (କମ୍ପାନୀ) ଭାରତରେ ୧୫ କୋଟି ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ପୁ୍‌ଞ୍ଜି ନିବେଶ ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଆଜି ଅନୁମୋଦନ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏହି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମତି ମିଳିଛି । ଆଙ୍କରେଜ୍ ଇନ୍‌ଫ୍ରାଷ୍ଟକଚର ଇନ୍‌ଭେଷ୍ଟମେଣ୍ଟ ହୋଲ୍ଡିଂ ଲିମିଟେଡ, ଏକ ଭାରତୀୟ ନିବେଶ କମ୍ପାନୀ ଯାହା ଭିତ୍ତିଭୂମି ଓ ନିର୍ମାଣ- ବିକାଶ ଉଦ୍ୟୋଗରେ ପୁଞ୍ଜିନିବେଶ ପାଇଁ ସ୍ୱତନ୍ତ୍ର ଭାବେ ଗଠିତ ହୋଇଛି । ପରିବହନ ଓ ଲଜିଷ୍ଟିକ୍ (ରଶଦ) କ୍ଷେତ୍ରରେ ମଧ୍ୟ ଏହା ପୁଞ୍ଜି ଖଟାଇବ । ଏଥିରେ ବିମାନବନ୍ଦର, ବିଭିନ୍ନ ଅନୁସାରୀ ଉଦ୍ୟୋଗ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ନିର୍ମାଣ କ୍ଷେତ୍ର ଅନ୍ତର୍ଭୁକ୍ତ ।

ଏହି କମ୍ପାନୀ ମଧ୍ୟ ବେଙ୍ଗାଲୁରୁ ଆନ୍ତର୍ଜାତିକ ବିମାନ ବନ୍ଦର ସରକାରୀ ଅଂଶଧନ ନିଜ ହାତକୁ ନେବ । ସେହିଭଳି ଓଣ୍ଟାରିଓ ଇଙ୍କ୍ କମ୍ପାନୀରୁ ୯୫୦କୋଟି ଟଙ୍କାର ନିବେଶ ପାଇବ । ଓଣ୍ଟାରିଓ ଇଙ୍କ୍ ଓଏସିର ସମ୍ପୂର୍ଣ୍ଣ ମାଲିକାନରେଥିବା ଏକ ସହାୟକ ସଂସ୍ଥା । ଓଏସି କାନାଡାର ସର୍ବବୃହତ୍ ପେନ୍‌ସନ୍ ଯୋଜନା ଓଏମ୍‌ଇଆର୍‌ଏସ୍‌ର ପରିଚାଳକ ।

ଏହି ନିବେଶ ଭାରତୀୟ ଭିତ୍ତିଭୂମି, ନିର୍ମାଣ ଓ ବିମାନବନ୍ଦର କ୍ଷେତ୍ରର ବିକାଶ ପାଇଁ ବିଶେଷ ସହାୟକ ହେବ । ଘରୋଇ ସହଯୋଗରେ ଦେଶରେ ବିଶ୍ୱସ୍ତରୀୟ ବିମାନବନ୍ଦର ଓ ପରିବହନ ସଂକ୍ରାନ୍ତ ଭିତ୍ତିଭୂମି ନିର୍ମାଣ କରିବାକୁ ସରକାର ଯେଉଁ ଉଦ୍ୟମ କରୁଛନ୍ତି ଏହା ତାହାକୁ ତ୍ୱରାନ୍ୱିତ କରିବ ।

ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସଂସ୍ଥାର ସମ୍ପତ୍ତିକୁ ଲିଜ୍ ଦେଇ ଅର୍ଥ ସଂଗ୍ରହ କରିବାକୁ ସରକାର ନିକଟରେ ଯେଉଁ ଜାତୀୟ ମନିଟାଇଜେସନ ପାଇପଲାଇନ(ଏନ୍‌ଏମ୍‌ପି) ଘୋଷଣା କରିଛନ୍ତି ଏହି ନିବେଶ ସେଥିପାଇଁ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି । ସରକାର ଯେଉଁ ସବୁ ରାଷ୍ଟ୍ରାୟତ୍ତ ଭିତ୍ତିଭୂମି ସମ୍ପତ୍ତିକୁ ଲିଜ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସେଥିପାଇଁ ଏହି ସଂସ୍ଥା ପାଣ୍ଠି ଯୋଗାଇବ ।

ସରକାର ଲିଜ୍‌ଆଉଟ ଯୋଜନାରେ ସଡକ, ରେଳବାଇ, ବିମାନବନ୍ଦର, ଷ୍ଟାଡିୟମ, ବିଜୁଳି ପରିବହନ ଲାଇନ, ଗ୍ୟାସ ପାଇପଲାଇନ ଆଦିକୁ ଘରୋଇ ପରିଚାଳକଙ୍କୁ ଲିଜ୍ ସୂତ୍ରରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏନ୍‌ଏମ୍‌ପି ଅନ୍ତର୍ଭୁକ୍ତ କେତେକ କ୍ଷେତ୍ରରେ ଅନୁସାରୀ ଉଦ୍ୟୋଗ ପାଇଁ ଅଙ୍କରେଜ ଇନ୍‌ଫ୍ରାଷ୍ଟ୍ରକଚର କମ୍ପାନୀ ପୁଞ୍ଜି ଲଗାଇବାକୁ ପ୍ରସ୍ତାବ ଦେଇଛି ।

ଏହି ନିବେଶ ଫଳରେ, ବିଶେଷକରି ଅନୁସାରୀ ଉଦ୍ୟୋଗରେ ସିଧାସଳଖ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହିସବୁ ଉଦ୍ୟୋଗରେ ବିପୁଳ ଅର୍ଥ ବ୍ୟୟ ହେବା ସହିତ ଲୋକଶକ୍ତିର ପ୍ରଚୁର ଆବଶ୍ୟକତା ରହିଛି । ତେଣୁ ନିଯୁକ୍ତି ସୁଯୋଗ ବଢିବ । ନିର୍ମାଣ ଓ ଆନୁଷଙ୍ଗିକ କାର‌୍ୟ୍ୟ ସମୟରେ ଅନେକ ଲୋକ ପରୋକ୍ଷଭାବେ ମଧ୍ୟ ନିଯୁକ୍ତି ସୁବିଧା ପାଇବେ ।

Categories
ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ କ୍ରୀଡ଼ାଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସକାଶେ ସରକାର ସୃଷ୍ଟି କରିବେ ଅନୁକୂଳ ବାତାବରଣ

ଭୁବନେଶ୍ୱର,  ନିକଟରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ବିଶେଷ ଭାବେ ହକିରେ ଆମ କ୍ରୀଡ଼ାବିତ୍‌ଙ୍କ ଚମତ୍କାର ପ୍ରଦର୍ଶନରେ ଉତ୍ସାହିତ ରାଜ୍ୟ ସରକାର ରାଜ୍ୟରେ କ୍ରୀଡ଼ାଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଦିଗରେ ଅଗ୍ରସର ହେଉଥିବା ବିଷୟରେ ଆସୋଚାମ୍‌ର ଏକ ଆଭାସୀ ସମ୍ମିଳନୀରେ ଶିଳ୍ପ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି। ଏଥିପାଇଁ ଶିଳ୍ପ ଉଦ୍ୟୋଗୀମାନଙ୍କୁ ଆମନ୍ତ୍ରଣ କରାଯାଉଛି । ଏହା ହେଲେ ଦେଶର କ୍ରୀଡ଼ା ଚାହିଦା ପୂରଣ ହେବା ସହ ଏହା ଆନ୍ତର୍ଜାତିକ ବଜାରକୁ ମଧ୍ୟ କ୍ରୀଡ଼ା ଉପକରଣ ଯୋଗାଇପାରିବ ବୋଲି ସେ କହିଛନ୍ତି ।

ଆଜି ଆୟୋଜିତ ‘ବୈଶ୍ୱିକ ମୂଲ୍ୟ ଶୃଙ୍ଖଳ ପାଇଁ ଓଡ଼ିଶା ରାଜ୍ୟ ଦକ୍ଷତା ସୃଷ୍ଟି’ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଓଡ଼ିଶା ନିବେଶକମାନଙ୍କ ନିମନ୍ତେ ଏକ ପ୍ରକୃଷ୍ଟ ରାଜ୍ୟ ବୋଲି କହିବା ସହ ରାଜ୍ୟରେ ଉତ୍ପାଦନର ୟୁନିଟ୍‌ ମୂଲ୍ୟ ଦେଶରେ ସବୁଠୁ କମ୍‌ ଥିବା ଦର୍ଶାଇ ଆମେ ଶିଳ୍ପକୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇବା ସହ ରିହାତି ପ୍ରଦାନ କରୁଛୁ ବୋଲି କହିଥିଲେ ।

ଏହି ଅବସରରେ ରାଜ୍ୟରେ ଥିବା ପର୍ଯ୍ୟଟନ ବିଭବର ବର୍ଣ୍ଣନା କରି ସେ ଲଣ୍ଡନ କିମ୍ବା ସୁଇଜରଲ୍ୟାଣ୍ଡ ଯିବା ପରିବର୍ତ୍ତେ ପର୍ଯ୍ୟଟକ ଥରେ କଳାହାଣ୍ଡି ବୁଲି ଆସି ଏଠାରେ ଥିବା ନୈସର୍ଗିକ ଶୋଭା ସମ୍ଭାର, ସ୍ଥାନୀୟ ଜନଜାତିଙ୍କ ନିଆରା ଜୀବନଶୈଳୀ ଏବଂ ସେମାନଙ୍କ ଜୀବନଧାରା ବିଷୟରେ ଅବଗତ ହେବାକୁ ଆହ୍ୱାନ ଜଣାଇଥିଲେ ।

ଏହି ଅବସରରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଥିଲେ ଯେ ପାରମ୍ପରିକ ଭାବେ ଓଡ଼ିଶା ଖଣିଖାଦାନ ଭରା ଏକ ରାଜ୍ୟ ଭାବେ ଜଣାଶୁଣା । ମାନବଜାତିର ବଞ୍ଚିବା ନିମନ୍ତେ ଆବଶ୍ୟକ ଥିବା ସମସ୍ତ ଉପକରଣର କଞ୍ଚାମାଲ ଏଠାରେ ଉପଲବ୍ଧ । ତା’ଛଡ଼ା ବିଶ୍ୱର ଯେକୌଣସି କାରଖାନା ପାଇଁ ଦରକାର ପଡ଼ୁଥିବା ଖଣିଜ ଓଡ଼ିଶାରେ ମିଳୁଥିବା ସେ ଦର୍ଶାଇଥିଲେ ।

ଓଡ଼ିଶାର ଅବସ୍ଥିତି, ବିଶେଷ ଭାବେ ୪୮୦ କିଲୋମିଟର ଦୈର୍ଘ୍ୟ ଉପକୂଳ ଏବଂ ବହୁସଂଖ୍ୟକ ବନ୍ଦର ବୈଶ୍ୱିକ ମୂଲ୍ୟ ଶୃଙ୍ଖଳକୁ ମଜବୁତ୍‌ କରିବାରେ ଉପଯୋଗୀ ମନେହୁଏ । ଏହା ବ୍ୟତୀତ ରାଜ୍ୟରେ ପର୍ଯ୍ୟାପ୍ତ କୁଶଳୀ ମାନବସମ୍ବଳ ରହିଛି, ଯାହା ଦେଶର ଶିଳ୍ପ କ୍ଷେତ୍ରକୁ ସମୃଦ୍ଧ କରିବାରେ ବିଶେଷ ଯୋଗଦାନ ଦେଇପାରିଛି । ରାଜ୍ୟ ସରକାରଙ୍କ ନିର୍ମଳ ଶିଳ୍ପନୀତି, ସିଙ୍ଗଲ ଓି୍ୱନ୍‌ଡୋ ସିଷ୍ଟମ୍‌, ବ୍ୟବସାୟ ନିମନ୍ତେ ସର୍ବନିମ୍ନ ମୂଲ୍ୟ ଆଦି ସୁବିଧା ଶିଳ୍ପଜଗତକୁ ଉତ୍ସାହିତ କରିପାରୁଥିବା ସେ କହିଥିଲେ ।

ଏହି ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଆସୋଚାମ୍‌ର ଅଧ୍ୟକ୍ଷ ଶ୍ରୀ ସୋହମ୍‌ ମିଶ୍ର, ଆସୋଚାମ୍‌ର ସହ-ଅଧ୍ୟକ୍ଷ ଶ୍ରୀ ଦୀପକ ଗୁଲାଟି, ଟାଟା ପାୱାର କୋ., କଳିଙ୍ଗ ନଗର ପ୍ରକଳ୍ପ ମୁଖ୍ୟ ଶ୍ରୀ ଭକ୍ତି ରାଜ୍‌, ଜିନ୍ଦଲ ଷ୍ଟିଲ୍‌ର ନର୍ବାହୀ ଉପସଭାପତି(କର୍ପୋରେଟ୍‌ ବ୍ୟାପାର) ଶ୍ରୀ ବିଭୁ ପ୍ରସାଦ ମିଶ୍ର, ଫୋୟେନିକ୍ସ ଇଣ୍ଡିଆର ନିର୍ଦ୍ଦେଶକ ତଥା ଆସୋଚାମ୍‌ର ସଦସ୍ୟ ଶ୍ରୀ ଶ୍ରୀକାନ୍ତ ବାଡ଼ିଗା, ଆସୋଚାମ୍‌, ଜାତୀୟ କ୍ରୀଡ଼ା ଓ ଫିଟ୍‌ନେସ୍‌ ଶିଳ୍ପ ପରିଷଦର ଅଧ୍ୟକ୍ଷ ଶ୍ରୀ ରାଜେଶ ଖରବାନ୍ଦା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନରେ ସମ୍ବାଦପତ୍ରର ମୁଖ୍ୟ ଭୂମିକା ଥିଲା, ପ୍ରଦୋଷ ପଟ୍ଟନାୟକ

ଭୁବନେଶ୍ୱର,  ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ଏବଂ ଜାତୀୟତାବାଦ ସୃଷ୍ଟି କରିବାରେ ସମ୍ବାଦପତ୍ରର ମୁଖ୍ୟ ଭୂମିକା ଥିଲା । ଆଜି ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୪ତମ ସ୍ୱତନ୍ତ୍ର ସଂସ୍କୃତି ଚର୍ଚ୍ଚା ସଂପାନ ୭୫ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମାଜସେବୀ, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶ୍ରୀ ପ୍ରଦୋଷ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି ।

କୁଜିବର, ଉତ୍କଳ ଦୀପିକା, ବୋଧଦାୟିକା, ଆଶା, ସମାଜ, ପ୍ରଜାତନ୍ତ୍ର, ଦେଶକଥା, ସାରଥି ଇତ୍ୟାଦି ସାପ୍ତାହିକ ଏବଂ ଦୈନିକ ଖବର କାଗଜ କିପରି ଜନଜାଗରଣ ସୃଷ୍ଟି କରିଥିଲା, ସେ ବିଷୟରେ କ୍ରମାନୁସାରେ ବିଶଦ୍‌ ଭାବରେ ବର୍ଣ୍ଣନା କରିଥିଲେ । ବକ୍ତବ୍ୟର ପ୍ରାରମ୍ଭରେ କଟକର କୁଜିବର ଗ୍ରାମ ମହନ୍ତ ସାଧୁ ସୁନ୍ଦର ଦାଶ କିଭଳି ୧୮୨୨ ମସିହାରେ କୁଜିବର ପତି୍ରକାର ପ୍ରାରମ୍ଭ କରିଥିଲେ , ସେ ବିଷୟରେ ଆଲୋକପାତ କରିଥିଲେ । ଏହା ହେଉଛି ଓଡ଼ିଶାର ପ୍ରଥମ ପତି୍ରକା ।

ଏହାପରେ ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ ସମୟରେ ଜନ୍ମଲାଭ କରିଥିବା ପତି୍ରକା ଉତ୍କଳ ଦୀପିକା ଦୀର୍ଘ ୭୦ ବର୍ଷ ଧରି ୧୯୩୪ ମସିହା ପର୍ଯ୍ୟନ୍ତ ଚାଲିଥିଲା । ଯଦିଓ ଏହାର ଭୂମିକା ଭାରତର ସ୍ୱାଧୀନତା ସଂଗ୍ରାମ ପ୍ରତି ବିଶେଷ ସହାୟକ ହୋଇ ନଥିଲା ତଥାପି ଓଡ଼ିଶାର ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ପତି୍ରକା କିଛି ମାତ୍ରାରେ ଲୋକମାନଙ୍କ ମଧ୍ୟରେ ଜାତୀୟତାବାଦ ସୃଷ୍ଟି କରିବାରେ ସଫଳ ହୋଇଥିଲା । ଏହାପରେ ସାପ୍ତାହିକ ସମାଜର ଜନ୍ମ ଅକ୍ଟୋବର, ୪ ବିଜୟା ଦଶମୀ ଦିନ ହୋଇଥିଲା । ଯାହା ଭାରତର ସ୍ୱାଧୀନତା ସଂଗ୍ରାମକୁ ଜାଗ୍ରତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହି ପତ୍ରିକା ଯୋଗୁଁ ମହାତ୍ମା ଗାନ୍ଧୀଙ୍କ ୧୯୨୧ ମସିହାରେ କଟକ ବାଲିଯାତ୍ରା ପଡ଼ିଆ ସଭା ବହୁମାତ୍ରାରେ ସଫଳ ହୋଇଥିଲା ।

୧୯୨୩ ମସିହାରେ ୨୪ ବର୍ଷ ବୟସରେ ରେଭେନ୍ସା କଲେଜରୁ ହରେକୃଷ୍ଣ ମହତାବଙ୍କ ଦ୍ୱାରା ପ୍ରତିଷ୍ଠା ଲାଭ କରିଥିଲା ସାପ୍ତାହିକ ପ୍ରଜାତନ୍ତ୍ର । ୧୯୩୦ ମସିହାରେ ବାଲେଶ୍ୱରରୁ ଦୈନିକ ଭାବରେ ଏହା କିଛି ଦିନ ପ୍ରକାଶ ପାଇଥିଲା । ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରଜାତନ୍ତ୍ରର ଅବଦାନ ଅତୁଳନୀୟ । ଏହି ଅବସରରେ ସେ ଡ. ହରେକୃଷ୍ଣ ମହତାବଙ୍କ ‘ଚଷାଭାଇର ଶୋକ’ କବିତା କିଭଳି ବହୁଚର୍ଚ୍ଚିତ ହୋଇଥିଲା ସେ ବିଷୟରେ ବର୍ଣ୍ଣନା କରିଥିଲେ ।

ସଂପାନର ମୁଖ୍ୟ ଅତିଥି ବିଭାଗୀୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ଉଦ୍‌ବୋଧନରେ କହିଥିଲେ ଯେ ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନରେ ଯେଉଁସବୁ ତଥ୍ୟ ଆଜି ଇତିହାସ ଓ ଦସ୍ତାବିଜ୍‌ ଭାବରେ ଆମ୍ଭମାନଙ୍କ ନିକଟରେ ଉପଲବ୍ଧ ଅଛି, ସେସବୁ ତତ୍କାଳୀନ ସମ୍ବାଦପତ୍ର ପୃଷ୍ଠାମାନଙ୍କ ଅବଲମ୍ବନରେ ଇତିହାସରେ ସ୍ଥାନ ପାଇଛି । ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ସମସ୍ତ ବିବରଣୀ, ସଂଗ୍ରାମୀମାନଙ୍କର ତ୍ୟାଗ ଓ ଅସୀମ ଅବଦାନ ଇତ୍ୟାଦି ସେତେବେଳେ ସମ୍ବାଦପତ୍ରଗୁଡ଼ିକରେ ପ୍ରସାରିତ ହୋଇଥିଲା, ଆଜି ସେସବୁ ଆମ ପାଖରେ ପହଞ୍ଚିପାରିଛି ।

ଓଡ଼ିଶାର ବାଲେଶ୍ୱର, କଟକ, ମୟୂରଭଞ୍ଜ, ଦେବଗଡ଼, ପାରଳାଖେମୁଣ୍ଡି, ସମ୍ବଲପୁର ଇତ୍ୟାଦି ସ୍ଥାନରୁ ସମ୍ବାଦପତ୍ରମାନ ପ୍ରକାଶ ପାଇଥିଲା । ବିଶେଷ କରି ଆଶା, ନବୀନ, ଉତ୍କଳ ଦୀପିକା, ସମ୍ବଲପୁର ହିତୈଷିଣୀ, ସତ୍ୟବାଦୀ, ସମାଜ, ପ୍ରଜାତନ୍ତ୍ର ଇତ୍ୟାଦି ଓଡ଼ିଆ ସମ୍ବାଦପତ୍ର ଇତ୍ୟାଦି ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ନିଚ୍ଛକ ଚିତ୍ର ଉପସ୍ଥାପନ କରିଥିଲେ ବୋଲି ସେ ବର୍ଣ୍ଣନା କରିଥିଲେ ।

ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ଉଲ୍ଲେଖ କରିଥିଲେ ଯେ ଓଡ଼ିଶାରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ଓ ସ୍ୱାଧୀନତା ଆନ୍ଦୋଳନ ସଂପର୍କିତ ତଥ୍ୟ, ବିବରଣୀ, ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ଗସ୍ତ, ଚିଠିପତ୍ର, ଲୋକସମୂହର ଯୋଗଦାନ, ସତ୍ୟାଗ୍ରହ, ଅସହଯୋଗ, ନିର୍ଯାତନା ତଥା ଅତ୍ୟାଚାର ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ବାଦ ପରିବେଷଣ ଓ ତଥ୍ୟ ପ୍ରଦାନ ସମ୍ବାଦପତ୍ରଗୁଡ଼ିକ ଅଧିକ ଲୋକଙ୍କୁ ଜାଗ୍ରତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୋଲେମାନ୍‌ ଅଲ୍ଲୀ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇଥିବାବେଳେ ଅଭିଲେଖାଗାରର ଶ୍ରୀ ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୨୧ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୫୬, କଟକରୁ ୮୯, ଯାଜପୁରରୁ ୪୪, ବାଲେଶ୍ବରରୁ ୩୫, ମୟୂରଭଞ୍ଜରୁ ୨୯, ଅନୁଗୁଳରୁ ୨୬, ଜଗତସିଂହପୁରରୁ ୨୬, ଭଦ୍ରକରୁ ୧୯, ନୟାଗଡରୁ ୧୭, କେନ୍ଦ୍ରାପଡାରୁ ୧୫, ପୁରୀରୁ ୧୪, ବରଗଡରୁ ୧୩, ସୁନ୍ଦରଗଡରୁ ୧୩, ସମ୍ବଲପୁରରୁ ୧୧, କେନ୍ଦୁଝରରୁ ୧୦, ଦେବଗଡରୁ ୭, ମାଲକାନଗିରିରୁ ୬, ନବରଙ୍ଗପୁରରୁ ୬, ନୂଆପଡାରୁ ୬, ବଲାଙ୍ଗୀରିରୁ ୪, ଗଞ୍ଜାମରୁ ୩, ରାୟଗଡାରୁ ୩, କଳାହାଣ୍ଡିରୁ ୨, କୋରାପୁଟରୁ ୨, ବୌଦ୍ଧରୁ ୧, ଢେଙ୍କାନାଳରୁ ୧ ଏବଂ ଷ୍ଟେଟ ପୁଲରୁ ୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୮ ହଜାର ୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୨୧୦ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୫୦୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୪୯୨ କୁ ବୃଦ୍ଧି ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏସୀୟ ବିକାଶ ବ୍ୟାଙ୍କ୍‌ ଦ୍ୱାରା ଆୟୋଜିତ ଅର୍ନ୍ତଜାତୀୟ ସ୍କିଲ୍ସ ଫୋରମରେ ଯୋଗ ଦେଲେ ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର, ଏସୀୟ ବିକାଶ ବ୍ୟାଙ୍କ୍‌ ଦ୍ୱାରା ଆୟୋଜିତ ନବମ ଅର୍ନ୍ତଜାତୀୟ ସ୍କିଲ୍ସ ଫୋରମରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଦକ୍ଷତା ବିକାଶ ନା ମାନବ ରୂପାନ୍ତରଣ ( ସ୍କିଲ ଡେଭଲପ୍‌ମେଣ୍ଟ ଅର୍‌ ହ୍ୟୁମାନ ଟ୍ରାନ୍ସଫରମେସନ) ବିଷୟବସ୍ତୁ ଉପରେ ଶ୍ରୀ ବାଗ୍‌ଚୀ ନିଜର ବକ୍ତବ୍ୟ ରଖିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ନିର୍ଦ୍ଦେଶରେ କିଭଳି ଓଡିଶା ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଅନନ୍ୟ ରାଜ୍ୟ ଭାବେ ଉଭା ହୋଇପାରିଛି ସେ ସଂପର୍କରେ ସମସ୍ତଙ୍କୁ ଶ୍ରୀ ବାଗ୍‌ଚୀ ଅବଗତ କରାଇଥିଲେ। ଶ୍ରୀ ବାଗ୍‌ଚୀ ଏହି ଅବସରରେ କହିଥିଲେ ଯେ ନେତା, ନୀତି ର୍ନିଦ୍ଧାରକ ଏବଂ ଦକ୍ଷତା ବିକାଶ ସଂସ୍ଥାନମାନଙ୍କ ନିକଟରେ ଦକ୍ଷତା କ୍ଷେତ୍ରରେ ରହିଥିବା ଅସମାନତା ଦୂର କରିବା ପାଇଁ ଉତ୍ତମ ସୁଯୋଗ ରହିଛି।

ସେମାନେ ନୀତି ର୍ନିଦ୍ଧାରଣ, ପୁଞ୍ଜିନିବେଶ ଏବଂ ଏହାକୁ କାର୍ଯ୍ୟକାରୀ କରିବା ସମୟରେ ଲିଙ୍ଗଗତ ତାରତମ୍ୟ, ସ୍ୱଳ୍ପ ବେତନ ତଥା ବେତନରେ ଭେଦଭାବ ଏବଂ ଦକ୍ଷତା ବିକାଶ ନିମନ୍ତେ ପୁଷ୍ଟିସାରଯୁକ୍ତ ଖାଦ୍ୟର ଆବଶ୍ୟକତା ଉପରେ ଧ୍ୟାନ ଦେବା ଆବଶ୍ୟକ। ବିଶେଷ କରି ଦକ୍ଷତା ବିକାଶ କ୍ଷେତ୍ରରେ ମହିଳାମାନଙ୍କର ଭାଗୀଦାରି ବଢାଇବା ସହ ସେମାନଙ୍କ ପୁଷ୍ଟିସାର ଖାଦ୍ୟର ଆବଶ୍ୟକତାକୁ ଗୁରୁତ୍ୱ ଦେବାକୁ ପଡିବ ବୋଲି ଶ୍ରୀ ବାଗ୍‌ଚୀ ପ୍ରକାଶ କରିଥିଲେ।

ଦକ୍ଷତା ବିକାଶ ପରେ ଯୁବଗୋଷ୍ଠୀଙ୍କୁ ଅପ୍‌-ସ୍କିଲିଂ ଏବଂ ରିସ୍କିଲିଂ କରାଇବାର ଆବଶ୍ୟକତା ରହିଛି। ଔପଚାରିକ କ୍ଷେତ୍ରରେ ସମୟ, ଶ୍ରମ ଏବଂ ଅର୍ଥ ବିନିଯୋଗ କରି ଯୁବଗୋଷ୍ଠୀଙ୍କୁ ରିସ୍କିଲିଂ ଏବଂ ଅପ୍‌- ସ୍କିଲିଂ କରାଯାଇପାରିବ ଯାହା ଅନୌପଚାରିକ କ୍ଷେତ୍ରରେ ଅସମ୍ଭବ। ଭାରତରେ ମଜୁରୀ ପ୍ରଦାନରେ ବହୁତ ତାରତମ୍ୟ ରହୁଛି। ଆମକୁ ସର୍ବନିମ୍ନ ମଜୁରୀରୁ ଉପଯୁକ୍ତ ମଜୁରୀ ବିଷୟରେ ଚିନ୍ତା କରିବାକୁ ପଡିବ ବୋଲି ଶ୍ରୀ ବାଗ୍‌ଚୀ କହିଥିଲେ। ଏହି କାର୍ଯ୍ୟକ୍ରମ ଏସୀୟ ବିକାଶ ବ୍ୟାଙ୍କର ଏକ ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ଅଟେ। ପ୍ରତ୍ୟେକ ଦୁଇ ବର୍ଷରେ ଥରେ ଏହାକୁ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ୨୩ ଅଗଷ୍ଟରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଛି।

ସୂଚନାଯୋଗ୍ୟ ଚଳିତ ବର୍ଷ କୋଭିଡ୍‌ ମହାମାରୀ ଯୋଗୁଁ ଏହାକୁ ଭର୍ଚୁଆଲି ଆୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ତିନି ହଜାରରୁ ଅଧିକ ଅର୍ନ୍ତଜାତୀୟ ସ୍ତରର ବୁଦ୍ଧିଜୀବୀ, ନୀତି ର୍ନିଦ୍ଧାରକ, ବିଶିଷ୍ଟ ଶିକ୍ଷା ବିଶେଷଜ୍ଞ, ଶିକ୍ଷାବିତ୍‌, ବିଭିନ୍ନ ଦକ୍ଷତା ବିକାଶ ସଂସ୍ଥାର ପ୍ରତିନିଧି ଏବଂ ଏଡିବି ସହଯୋଗୀ ରାଷ୍ଟ୍ରର ସଦସ୍ୟମାନେ ସାମିଲ ହୋଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆନ୍ତଃରାଜ୍ୟ ସୀମାବିବାଦ ସମ୍ବନ୍ଧୀୟ ଗୃହ କମିଟି ବୈଠକ, କୋଟିଆକୁ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ଆଜି ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆନ୍ତଃରାଜ୍ୟ ସୀମାବିବାଦ ସମ୍ବନ୍ଧୀୟ ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ରାଜ୍ୟ ଓ ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋରାପୁଟ ଜିଲ୍ଲାର ୨୧ଟି କୋଟିଆ ଗ୍ରାମପୁଞ୍ଜର ସମସ୍ୟା ବାବଦରେ ଆଲୋଚନା ହୋଇଥିଲା ।

ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ  କ୍ରମ ଏହି ଗ୍ରାମଗୁଡ଼ିକରେ ବ୍ୟବସ୍ଥା କରାଯାଇଛି । ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ବିଦୁ୍ୟତ ଯୋଗାଣ, ପାନୀୟ ଜଳଯୋଗାଣ, ରାସନ୍‌ କାର୍ଡ ବ୍ୟବସ୍ଥା ଆଦି କରାଯାଇଛି । ସରକାରୀ ଅଧିକାରୀମାନେ ସେମାନଙ୍କ ସହ ନିରନ୍ତର ଯୋଗାଯୋଗ ସ୍ଥାପନ କରି ସେମାନଙ୍କୁ ସୁବିଧା ଯୋଗାଇ ଦେଉଛନ୍ତି ବୋଲି କୋରାପୁଟ ଜିଲ୍ଲାପାଳ ଗୃହ କମିଟିକୁ ଅବଗତ କରାଇଥିଲେ ।

ଏହି ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଅମର ଶତପଥୀ ଯୋଗଦେଇଥିବାବେଳେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, ବିଧାୟକ ଭୂପିନ୍ଦର ସିଂ, ମୋହନ ଚରଣ ମାଝୀ, ଡ. ନୃସିଂହ ଚରଣ ସାହୁ, ନାଉରି ନାଏକ, କେ. ନାରାୟଣ ରାଓ ପ୍ରମୁଖ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ।କୋଟିଆକୁ ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ କମିଟ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା।

ରାଜ୍ୟ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଟି. ଆଓ, ବିଧାନ ସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

Categories
ଜୀବନ ଶୈଳୀ ଧର୍ମ ବିଶେଷ ଖବର

ବାସ୍ତୁ ଶାସ୍ତ୍ର: ଘର ପାଇଁ ନୂଆ ଜମି କିଣୁଛନ୍ତି କି? ଏହି ସାଧାରଣ ଉପାୟରେ ଜମିର ଭଲମନ୍ଦ ପରୀକ୍ଷା କରନ୍ତୁ

ନୂଆଦିଲ୍ଲୀ, ବାସ୍ତୁ ଶାସ୍ତ୍ର ଜୀବନର ସନ୍ତୁଳନ ପ୍ରଦାନ କରେ । ଯେତେବେଳେ ଏହି ସନ୍ତୁଳନ ଅସମାନ ହୁଏ, ମଣିଷ ଏକାକୀ ଏବଂ ସମୁଦାୟ ଭାବରେ ଅନେକ ପ୍ରକାରର ଅସୁବିଧା ଏବଂ ସମସ୍ୟାର ଶିକାର ହୁଏ । ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ପାଞ୍ଚଟି ଉପାଦାନରୁ ସୃଷ୍ଟି ହୋଇଥିବା ଜୀବଙ୍କର ଦକ୍ଷତା ବିକାଶ କରିବାର ଶକ୍ତି ସ୍ୱୟଂଚାଳିତ ଭାବରେ ପାଞ୍ଚଟି ଉପାଦାନ – ପୃଥିବୀ, ଜଳ, ବାୟୁ, ଅଗ୍ନି ଏବଂ ଆକାଶର ଉପଯୁକ୍ତ ବ୍ୟବହାର ଦ୍ୱାରା ନିର୍ମିତ ଏକ ବାସଗୃହରେ ସୃଷ୍ଟି ହୁଏ।

ମାନବ ଶରୀର 5 ଟି ଉପାଦାନରେ ଗଠିତ – ବାସ୍ତୁ ଏକ ପ୍ରାଚୀନ ବିଜ୍ଞାନ । ଆମ ସାଧୁମାନେ ଏହି ବିଜ୍ଞାନକୁ ଆମ ଚାରିପାଖରେ ଥିବା ବିଶ୍ବରେ ଥିବା ନକାରାତ୍ମକ ଶକ୍ତିରୁ ରକ୍ଷା କରିବାର ଲକ୍ଷ୍ୟରେ ବିକଶିତ କରିଥିଲେ । ବାସ୍ତୁ ବେଦରୁ ଉତ୍ପନ୍ନ ହୋଇଛି, ଯାହା ଅଥର୍ବବେଦର ଏକ ଅଂଶ । ଏହି ସୃଷ୍ଟି ସହିତ ମାନବ ଶରୀର ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶରେ ମଧ୍ୟ ନିର୍ମିତ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ ଏହି ଉପାଦାନଗୁଡ଼ିକ ଜୀବନ ଏବଂ ବିଶ୍ବକୁ ପ୍ରଭାବିତ କରୁଥିବା ମୁଖ୍ୟ କାରଣ ଅଟେ । ନିର୍ମାଣ କାର୍ଯ୍ୟରେ ପ୍ଲଟ ଏବଂ ଏହାର ଆଖପାଖ ସ୍ଥାନଗୁଡ଼ିକର ଗୁରୁତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ବାସ୍ତୁରେ ଜମିର ବିଶେଷ ଗୁରୁତ୍ୱ – ସ୍ଥାପତ୍ୟମାନେ ଆଖପାଖର ଜିନିଷଗୁଡିକୁ ଦେଖି ପ୍ଲଟର ଶୁଭ ଏବଂ ଉଦ୍ଦିଷ୍ଟ ଅବସ୍ଥା ଅନୁମାନ କରନ୍ତି । ଷଡଯନ୍ତ୍ରର କେଉଁ ଦିଗ ଏବଂ ଏହା ଷଡଯନ୍ତ୍ରକୁ କିପରି ପ୍ରଭାବିତ କରିବ, ଏହାର ସୂଚନା କେବଳ ବାସ୍ତୁ ଶାସ୍ତ୍ରୀଙ୍କ ନୀତି ଅଧ୍ୟୟନ ଏବଂ ବିଶ୍ଳେଷଣ ମାଧ୍ୟମରେ ମିଳିପାରିବ । ସୁଦୀର୍ଘ ବିଲ୍ଡିଂ, ଇଜିପ୍ଟର ପିରାମିଡ୍ ଇତ୍ୟାଦି ନିର୍ମାଣରେ ବାସ୍ତୁ ଶାସ୍ତ୍ରୀ ବ୍ୟବହାର କରାଯାଇଛି । ଆମେ ବିନା ଦ୍ୱିଧାରେ ବାସ୍ତୁକୁ ବ୍ୟବହାର କରିବା ଉଚିତ। ଘର ନିର୍ମାଣରେ ତିନି ପ୍ରକାରର ବାସ୍ତୁ – ଆବାସିକ – ଘର ଏବଂ ଫ୍ଲାଟ; ବାଣିଜ୍ୟିକ ଏବଂ ଔଦ୍ୟୋଗିକ; ଧାର୍ମିକ – ଧର୍ମଶାଳା, ଜଳଭଣ୍ଡାର ଏବଂ ଧାର୍ମିକ ଅନୁଷ୍ଠାନ ପ୍ରୟୋଗ ହୁଏ। ବାସ୍ତୁରେ ଜମିର ବିଶେଷ ଗୁରୁତ୍ୱ ରହିଛି । ଜମି ବାଛିବାବେଳେ ଜମି କିମ୍ବା ମାଟିର ଗୁଣକୁ ବିଚାର କରାଯିବା ଉଚିତ୍। 

ଯଦି ଜମିରେ କୋଇଲା ଇତ୍ୟାଦି ମିଳୁଛି – ଆପଣଙ୍କ ନୂଆ ଜମିରେ ଜମି ମାଲିକଙ୍କ ହାତ ସହିତ ସମାନ ଗାତଟିଏ ଖୋଳନ୍ତୁ। ଗୋଟିଏ ହାତ ଲମ୍ବା ଏବଂ ଗୋଟିଏ ହାତ ଚଉଡା କରି ଜମି ପରୀକ୍ଷା ପାଇଁ ପ୍ଲଟ୍ ଖୋଳନ୍ତୁ। ଏଥିରୁ ମାଟି ବାହାର କରିବା ପରେ ସମାନ ମାଟି, ସେହି ଗର୍ତ୍ତରେ ପୁନର୍ବାର ଭରିବା ଉଚିତ୍ । ଏହା କରିବା ଦ୍ବାରା, ଯଦି ମାଟି ରହିଯାଏ, ତେବେ ଜମି ଭଲ, ଯଦି ଏହା ସଂପୂର୍ଣ୍ଣ ଭରିଯାଏ, ତେବେ ଏହା ମଧ୍ୟମ ଅଟେ ଏବଂ ଯଦି ଏହା କମ୍ ପଡ଼େ ତେବେ ଏହା ଠିକ୍ ନୁହେଁ।  ନିମ୍ନ ଜମିରେ ବିଲଡିଂ ନିର୍ମାଣ କରାଯିବା ଉଚିତ୍ ନୁହେଁ ।

ସେହିଭଳି, ପୂର୍ବ ପରିମାପ ଅନୁଯାୟୀ ଏକ ଗାତ ଖୋଳିବା ଏବଂ ଏହାକୁ ପାଣିରେ ଭରିବା, ଯଦି ଜଳ ତୁରନ୍ତ ଏଥିରେ ଶୋଷିତ ନ ହୁଏ, ତେବେ ଏହା ଭଲ ଏବଂ ଯଦି ତୁରନ୍ତ ଶୋଷିତ ହୁଏ, ତେବେ ବୁଝିବାକୁ ପଡିବ ଯେ, ଜମି କମ୍ ଅଟେ । ଯଦି ଖନନ ସମୟରେ ହାଡ, କୋଇଲା ଇତ୍ୟାଦି ମିଳୁଛି, ତେବେ ଏପରି ଜମିରେ କୋଠା ନିର୍ମାଣ କରାଯିବା ଉଚିତ୍ ନୁହେଁ।

ସିଂହ ମୁଖୀ ଏବଂ ଗୋମୁକି ପ୍ଲଟ୍ – ଯଦି ଖନନ ସମୟରେ ଇଟା ପଥର ବାହାରକୁ ଆସେ, ତେବେ ଏହିପରି ଜମି ଲାଭଦାୟକ ଅଟେ । ବିହନ ବୁଣିବା ଦ୍ୱାରା ମାଟି ମଧ୍ୟ ପରୀକ୍ଷା କରାଯାଏ । ଯେଉଁ ଜମିରେ ଉଦ୍ଭିଦ ଠିକ୍ ସମୟରେ ବୃଦ୍ଧି ପାଏ ଏବଂ ବିହନ ଠିକ୍ ସମୟରେ ବଢେ, ତେବେ ସେହି ଜମି ଭଲ ଅଟେ । ଯେଉଁ ପ୍ଲଟ ଉପରେ କ୍ଳାନ୍ତ ବ୍ୟକ୍ତି ବସି ବସି ଶାନ୍ତି ପାଆନ୍ତି, ତା’ପରେ ସେହି ଜମି ଏକ କୋଠା ନିର୍ମାଣ ପାଇଁ ଉପଯୁକ୍ତ ଅଟେ ।

ବାସ୍ତୁ ଶାସ୍ତ୍ରରେ ମଧ୍ୟ ଜମିର ଆକାରର ଯତ୍ନ ନେବାକୁ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି। ବର୍ଗ ଭୂମି ସର୍ବୋତ୍ତମ, ଆୟତାକାର ମଧ୍ୟ ଶୁଭ ଅଟେ । ଏହା ବ୍ୟତୀତ ସିଂହ ମୁଖୀ ଏବଂ ଗୋମୁକି ପ୍ଲଟ୍ ମଧ୍ୟ ଭଲ ଅଛି । ସିଂହ ମୁଖୀ ବ୍ୟବସାୟିକ ଏବଂ ଗୋମୁକି ଆବାସିକ ଦର୍ଶନ ବ୍ୟବହାର ପାଇଁ ଉପଯୁକ୍ତ ।

ଯେକୌଣସି ବିଲ୍ଡିଂରେ ପ୍ରାକୃତିକ ଶକ୍ତିର ପ୍ରବାହ ଦିଗ ଅନୁଯାୟୀ ଅଟେ, ତେଣୁ ଯଦି ବିଲଡିଂ ସଠିକ୍ ଦିଗରେ ନିର୍ମିତ ହୁଏ, ତେବେ ସେହି ବିଲ୍ଡିଂରେ ରହୁଥିବା ବ୍ୟକ୍ତି ପ୍ରାକୃତିକ ଶକ୍ତିର ସଠିକ୍ ଲାଭ ଉଠାଇ ପାରିବେ, ଯାହା ଦ୍ବାରା ଭାଗ୍ୟ ବୃଦ୍ଧି ପାଇବ ।

Categories
ଆଞ୍ଚଳିକ

ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣର ଜନକ ବିପ୍ରଚରଣ ମହାନ୍ତିଙ୍କ ଦ୍ଵାଦଶ ବାର୍ଷିକ ଶ୍ରାଦ୍ଧୋତ୍ସଵ ପାଳିତ

ଭୁବନେଶ୍ବର, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶାର ବିଶିଷ୍ଟ ଚାରୁକଳା ଓ ଭାସ୍କର୍ଯ୍ୟଶିଳ୍ପୀ ,ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣର ଜନକ ବିପ୍ରଚରଣ ମହାନ୍ତିଙ୍କ ଦ୍ଵାଦଶ ବାର୍ଷିକ ଶ୍ରାଦ୍ଧୋତ୍ସଵ ଭୁବନେଶ୍ୱର ଶାସ୍ତ୍ରୀନଗରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ପାଳିତ ହୋଇଯାଇଛି।

ଓଡିଶାରେ ବ୍ରୋଞ୍ଜ ମୃତ୍ୟିର ଜନକ ଥିଲେ ବିପ୍ରଚରଣ। ବର୍ତ୍ତମାନ ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ଯେଉଁ ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନ ହୋଇଛି ତାହା ହେଉଛି ଶିଳ୍ପୀ ବିପ୍ରଚରଣଙ୍କ ହାତର କମାଲ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ସ୍ବାଧୀନତା ଦିବସ ରେ ଗାୟିକା ସୁସ୍ମିତା ଦାସଙ୍କ ‘ନୂଆ ଠିକଣା’

ଭୁଵନେଶ୍ବର , ଆୟଗିରି ନନ୍ଦିନୀ , ପୃଥିବୀ ମଂଥନ ପରି ଗୀତ ପ୍ରସ୍ତୁତ କରିଥିବା ସୁପରହିଟ ଯୋଡି ଗାୟିକା ସୁସ୍ମିତା ଦାସ ଏବଂ ନିର୍ଦେଶକ ଦେବ ମେହର ଏହି ସ୍ୱାଧୀନତା ଦିବସ ପରିପେକ୍ଷୀରେ ସ୍ରୋତାଙ୍କୁ ଆଉ ଏକ ସୁନ୍ଦର ଗୀତ ଭେଟି ଦେଇଛନ୍ତି। ଯାହାର ନାମ ରହିଛି ‘ନୂଆ ଠିକଣା’।ଏହି ଗୀତ ଟି ରେ ଏକ ଝିଅ ଏବଂ ତାର ବାଇକରେ ଯାତ୍ରା କୁ ଦର୍ଶାଯାଇଛି। ଗୀତଟିର ଭିଡ଼ିଓ ରେ ମଧ୍ୟ ସିନେମା ରେ ଦେଖାଯାଉଥିରେ ପାହାଡ , ପର୍ବତ , ଝରଣା , ନଈ ଆଦି କୁ ଖୁବ ସୁନ୍ଦର ଭାବେ ଦର୍ଶାଯାଇଛି।

ମୁଜ଼ୀକ ଭିଡ଼ିଓ ର ଏକ ନୂଆ ରୂପରେ ଦର୍ଶାଯାଇଛି , ଯେଉଁଠି ଏକ ମହିଳା ତାର ପାରିବାରିକ ଦୁଃଖକଷ୍ଟ କୁ ଭୁଲାଇବାକୁ ଯାଇ ଅଧା ରାତିରେ ବାଇକ ଟିଏ ଧରି ବାହାରିପଡିଛି ଏବଂ ତାର ଏହି ଯାତ୍ରା ରେ ନାନାଦି ସମସ୍ୟା ରୁ କିପରି ସମ୍ମୁଖୀନ ହେବାପରେ ନୂଆ ଜୀବନେ ଟେ ଖୋଜି ପାଇଛି ଏହା ହେଉଛି ଏହି ଗୀତ ର ସାରମର୍ମ। ଏହି ଗୀତଟିର ନାଁ ରଖାଯାଇଛି “ନୂଆ ଠିକଣା କୁ ’ ଏବଂ ଏହାକୁ ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ସ୍ରୋତାଙ୍କୁ ଉସର୍ଗ କରିଛନ୍ତି ସୁସ୍ମିତା ।

ଗୀତ ଟିକୁ ମୋହିତ ଚକ୍ରବର୍ତ୍ତୀ ରଚନା କରି ଥିବାବେଳେ ,ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଜିତ ମିଶ୍ର ଓ କଣ୍ଠ ଦାନ କରିଛନ୍ତି ସୁସ୍ମିତା ଏବଂ ମୁଜ଼ିକ ଭିଡ଼ିଓ ର ନିର୍ଦେଶନା କରିଛନ୍ତି ଦେବ ମେହେର. ଗାୟିକା ସୁସ୍ମିତା କହିଛନ୍ତି ଯେ ସମାଜେ ରେ ଘଟୁ ଥିବା ବିଭିନ୍ନ ସମସ୍ୟା କୁ ଲୋକଙ୍କ ଆଗକୁ ଆଣିବା ପାଇଁ ସେ ଏହି ପରି ଗୀତ ପ୍ରସ୍ତୁତ କରୁଛନ୍ତି , ଏବଂ କହିଛନ୍ତି ସଂଗୀତ ହିଁ ଏକମାତ୍ର ମାଧ୍ୟମ ଯାହା ଜରିଆ ରେ ସାମାଜିକ ସମସ୍ୟା କୁ ଲୋକ ଲୋଚନ କୁ ଅଣାଯାଇ ପାରିବ .ବୋଲି କହିଛନ୍ତି ନିର୍ଦେଶକ ଦେବ ମେହେର । ନିର୍ଦ୍ଦେଶକ ଦେବ ଏପରି ଏକ ଗୀତ ଟିକୁ ନିର୍ଦେଶନା ଦେଇ ଖୁବ ଗର୍ବିତ ଆଉ ଆଶା ରହିଛନ୍ତି ଯେ ତାଙ୍କର ପୂର୍ବ ଭିଡ଼ିଓ ପରି ଏହି ଭିଡ଼ିଓ କୁ ଦର୍ଶକ ପସନ୍ଦ କରିବେ।

Categories
ବିଶେଷ ଖବର ମନୋରଂଜନ ସିନେମା

ଓଡିଆ ସହିତ ବଙ୍ଗଳା ଭାଷାରେ ଆରମ୍ଭ ହେଲା ନୂଆ ଚଳଚିତ୍ର “ଚକ୍ଷୁ ବନ୍ଧନ”

ଭୁବନେଶ୍ୱର: ସାରା ଦେଶ ସମେତ ଓଡିଶା ବି କରୋନା ସହ ଲଢୁଛି । ତଥାପି ଫିଲ୍ମ ରିଲିଜ୍ କରିବାକୁ ଅଣ୍ଟା ଭିଡିଛି ଓଲିଉଡ । ଆସନ୍ତା ସେପ୍ଟେମ୍ବର ୧୦ ଗଣେଶ ପୂଜା ଅବସରରେ ପ୍ରେମ, ପ୍ରତାରଣା, ରହସ୍ୟ ଓ ରୋମାଂଚକର ମୌଳିକ କାହାଣୀକୁ ନେଇ ଏକ ଫିଲ୍ମ ରିଲିଜ୍ ହେ ବାକୁ ଯାଉଛି । ଯାହାର ଟାଇଟଲ ରହିଛି “ଚକ୍ଷୁ ବନ୍ଧନ” ।

ଅନିଶ୍ ଏଣ୍ଟରନେମେଣ୍ଟ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ତପନ କୁମାର ଦାଶ । କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଦିଲ୍ଲୀପ ବଳବନ୍ତରାୟ । ଫିଲ୍ମର ମୁଖ୍ୟ ଭୂମିକାରେ ରାଜ ରାଜେଶ, ଋଷି, ଭୂମିକା ଦାଶ ଓ ବଙ୍ଗଳା ନାୟିକା ଇଶାନୀ ସେନଗୁପ୍ତାଙ୍କୁ ଦେଖିବାକୁ ମିଳିବ । କେବଳ ଓଡିଆ ନୁହେଁ ବରଂ ବଙ୍ଗଳା ଭାଷାରେ ମଧ୍ୟ। ଏହି ଫିଲ୍ମ ର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ରାଜେନ୍ଦ୍ର ମହାନ୍ତ।

ସ୍ୱାର୍ଥ ଓ ଭ୍ରମ ଭଳି ଦୁଇଟି ମାନସିକ ଚିନ୍ତାଧାରା ଉପରେ ଆଧାରିତ ଏହି ଫିଲ୍ମର ସଙ୍ଗୀତ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଅଭିଜିତ ମଜୁମଦାର ଓ ବନି ଗୌରବଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଫିଲ୍ମର ପ୍ରତିଟି ଗୀତ ଖୁବ ମନଛୁଆଁ ତଥା ଅର୍ଥବୋଧକ ହୋଇପାରିଛି ।

ପୂର୍ବରୁ ଅନେକ ଓଲିଉଡ ଫିଲ୍ମ ବଙ୍ଗଳା ଭାଷାରେ ରିଲିଜ୍ ହୋଇଥିଲାବେଳେ ମିଶ୍ରିତ ଫଳାଫଳ ସାମ୍ନାକୁ ଆସିଥିଲା । ତେବେ ରଜ ଅବସରରେ ରିଲିଜ୍ ହେବାକୁ ଥିବା ଫିଲ୍ମ “ଚକ୍ଷୁବନ୍ଧନ” ନିଶ୍ଚିତ ଭାବେ ଦର୍ଶକଙ୍କ ନିକଟରେ ସଫଳତା ହାସଲ କରିବ ବୋଲି ଆଶାୟୀ ଅଛନ୍ତି କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ।

Categories
ଆଜିର ଖବର ଜାତୀୟ ଖବର

ସାରା ଦେଶର ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୭,୫୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ବର୍ତ୍ତମାନ ସଂକ୍ରିୟ ମାମଲା ୩ ଲକ୍ଷ ୨୨ ହଜାର ୩୨୭ କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୯୯% ଅଟେ। ସମଗ୍ର ଦେଶରେ ସମୁଦାୟ ୩ କୋଟି ୧୭ ଲକ୍ଷ ୫୪ ହଜାର ୨୮୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୪ ହଜାର ୧୬୯ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୭.୬୭% କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୫ ଲକ୍ଷ ୧୨ ହଜାର ୩୬୬ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨ ହଜାର ୭୭୬ ଜଣ।  ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୪୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୫ ହଜାର ୭୫୮ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

କରୋନାରେ ରାଜ୍ୟରୁ ୬୯ ଜଣଙ୍କର ମୃତ୍ୟୁ, କଟକ, ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ୱର,  ରାଜ୍ୟରେ ଆଜି ୬୯ କରୋନା ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭ ହଜାର ୫୬୨ କୁ ବୃଦ୍ଧି ପାଇଛି। ଜିଲ୍ଲା ସ୍ତରୀୟ ମୃତ୍ୟୁ ସଂଖ୍ୟା ହେଲା

ଅନୁଗୁଳ ୨ ଜଣ,
ବାଲେଶ୍ୱର ୩ ଜଣ,
ଭଦ୍ରକ ୧ ଜଣ,
କଟକ ୨୫ ଜଣ,
ଢେଙ୍କାନାଳ ୯ ଜଣ,
ଗଞ୍ଜାମ ୨ ଜଣ,
ଜଗତସିଂହପୁର ୨୧ ଜଣ,
କେନ୍ଦୁଝର ୧ ଜଣ,
ଖୋର୍ଦ୍ଧା ୩ ଜଣ,
ପୁରୀ ୨ ଜଣ,

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବଢିବାରେ ଲାଗିଛି ଓଡିଶାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୮୮୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୫୧୫ ଜଣ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୭୨ ଜଣ ଚିହ୍ନଟ ହୋଇଛନ୍ତି। ଗତକାଲି ୬୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତାଜା ସୂଚନା ଅନୁସାରେ ବିଭିନ୍ନ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା

୧- ଅନୁଗୁଳ ଜିଲ୍ଲାରୁ –  ୨୭

୨- ବାଲେଶ୍ୱର ଜିଲ୍ଲାରୁ –  ୫୬

୩- ବରଗଡ଼ ଜିଲ୍ଲାରୁ –  ୯

୪- ଭଦ୍ରକ ଜିଲ୍ଲାରୁ –  ୯

୫- ବୌଦ୍ଦ ଜିଲ୍ଲାରୁ –  ୧

୬- କଟକ ଜିଲ୍ଲାରୁ –  ୧୧୯

୭- ଦେବଗଡ଼ ଜିଲ୍ଲାରୁ –  ୯

୮- ଢେଙ୍କାନାଳ ଜିଲ୍ଲାରୁ –  ୧୬

୯- ଗଜପତି ଜିଲ୍ଲାରୁ –  ୩

୧୦- ଗଞ୍ଜାମ ଜିଲ୍ଲାରୁ –  ୨

୧୧- ଜଗତସିଂହପୁର ଜିଲ୍ଲାରୁ –  ୩୭

୧୨- ଯାଜପୁର ଜିଲ୍ଲାରୁ –  ୪୩

୧୩- ଝାରସୁଗୁଡ଼ା ଜିଲ୍ଲାରୁ –  ୫

୧୪- କଳାହାଣ୍ଡି ଜିଲ୍ଲାରୁ –  ୧

୧୫- କନ୍ଧମାଳ ଜିଲ୍ଲାରୁ –  ୨

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୫

୧୭- କେନ୍ଦୁଝର ଜିଲ୍ଲାରୁ –  ୧୯

୧୮- ଖୋର୍ଦ୍ଧା: ୩୨୩

୧୯- କୋରାପୁଟ ଜିଲ୍ଲାରୁ –  ୪

୨୦- ମାଲକାନଗିରି : ୨

୨୧- ମୟୁରଭଞ୍ଜ ଜିଲ୍ଲାରୁ –  ୩୧

୨୨- ନବରଙ୍ଗପୁର ଜିଲ୍ଲାରେ: ୨

୨୩- ନୟାଗଡ଼ ଜିଲ୍ଲାରୁ –  ୧୧

୨୪- ନୂଆପଡ଼ା ଜିଲ୍ଲାରୁ –  ୩

୨୫- ପୁରୀ ଜିଲ୍ଲାରୁ –  ୩୯

୨୬- ରାୟଗଡ଼ା ଜିଲ୍ଲାରୁ –  ୨

୨୭- ସମ୍ବଲପୁର ଜିଲ୍ଲାରୁ –  ୨୧

୨୮- ସୁନ୍ଦରଗଡ଼ ଜିଲ୍ଲାରୁ –  ୭

୨୯- ଷ୍ଟେଟ ପୁଲ : ୬୯

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ପରୀକ୍ଷା ଫଳ

ଭୁବନେଶ୍ବର: ଆଜି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶ ପାଇଛି। ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଆର୍କିଟେକ୍ଚର, ଫାର୍ମାସୀର ଆଜି ପରୀକ୍ଷା ଫଳ ପ୍ରକାଶ ପାଇଛି। ବିପିୟୁଟି ୱେବସାଇଟ www.bputexam.in ରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର

ଭୁଲରେ ମଧ୍ୟ ବନ୍ଧୁଙ୍କ ସହ ଏଭଳି କାର୍ଯ୍ୟ କରନ୍ତୁ ନହିଁ: ମଧୁର ସମ୍ପର୍କରେ ସୃଷ୍ଟି ହୋଇପାରେ ତିକ୍ତତା

ନୂଆଦିଲ୍ଲୀ: ବନ୍ଧୁତା ଜୀବନର ସବୁଠାରୁ ବିଶେଷ ସମ୍ପର୍କ ମଧ୍ୟରୁ ଗୋଟିଏ। ବୋଧହୁଏ ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଏଥିରେ ସହମତ ହେବେ। ଏହି ସମ୍ପର୍କ ଅନ୍ୟ ସମ୍ପର୍କଠାରୁ ମଧ୍ୟ ବହୁତ ଭିନ୍ନ। ପିତାମାତା, ଭାଇ ଓ ଭଉଣୀମାନେ, ଆପଣ ଜନ୍ମ ହେବା ପରେ ଏହି ସମସ୍ତ ସମ୍ପର୍କ ପାଆନ୍ତି। କିନ୍ତୁ ବନ୍ଧୁ ସଂମ୍ପର୍କ ଆପଣଙ୍କ ନିଜ ପସନ୍ଦରେ ସ୍ଥାପନ କରିପାରିବେ। ଆପଣ କାହା ସହିତ ବନ୍ଧୁତା ସ୍ଥାପନ କରିବାକୁ ଚାହୁଁଛନ୍ତି ଏବଂ କାହା ସହିତ ବନ୍ଧୁ ହେବା ପାଇଁ ଇଚ୍ଛା କରନ୍ତି ନାହିଁ, ତାହା ଆପଣ ସ୍ଥିର କରିପାରିବେ। କିନ୍ତୁ ବନ୍ଧୁତ୍ୱର ଏହି ଦୃଢ ସମ୍ପର୍କରେ ମଧ୍ୟ କିଛି ଜିନିଷର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବେଳେବେଳେ ଛୋଟ ଛୋଟ ଭୁଲ୍ ମଧ୍ୟ ଏହି ଅଦ୍ଭୁତ ସଂପର୍କରେ ଏକ ବିଭେଦ ଆଣିଥାଏ। ତେବେ ଆସନ୍ତୁ ଜାଣିବା ସେହି ଭୁଲଗୁଡ଼ିକ ବିଷୟରେ ଯାହା ସାଙ୍ଗମାନଙ୍କ ମଧ୍ୟରେ କେବେବି କରାଯିବା ଉଚିତ ନୁହେଁ।

୧- ଟଙ୍କା କାରବାର:

ବନ୍ଧୁତା ମଧ୍ୟରେ ଟଙ୍କା କାରବାରକୁ ସର୍ବଦା ଏଡାଇବା ଉଚିତ୍। ଅର୍ଥର କାରବାର ଭଲ ସମ୍ପର୍କ ମଧ୍ୟରେ ତିକ୍ତତା ଆଣିପାରେ ଏବଂ ବନ୍ଧୁତ୍ୱର ସମ୍ପର୍କ ଏହା ଦ୍ୱାରା ଦୂରେଇ ଯାଇଥାଏ। ଯଦି ଆପଣ ଜଣେ ବନ୍ଧୁଙ୍କଠାରୁ ଉଧାରରେ ଟଙ୍କା ନେଇଛନ୍ତି, ତେବେ ଠିକ୍ ସମୟରେ ଋଣ ପରିଶୋଧ କରିନିଅନ୍ତୁ।

୨- ବନ୍ଧୁତାକୁ ବ୍ୟବସାୟ ଠାରୁ ଦୂରରେ ରଖନ୍ତୁ:

ଏହା ପ୍ରାୟତଃ ଘଟେ ଯେ ଦୁଇଜଣ ବନ୍ଧୁ ସମାନ ବୃତ୍ତିରେ ଥାଆନ୍ତି କିମ୍ବା ସମାନ କାର୍ଯ୍ୟାଳୟରେ କାର୍ଯ୍ୟ କରନ୍ତି, ଏପରି ପରିସ୍ଥିତିରେ ପ୍ରତିଯୋଗିତାର ଭାବନା ରହିବା ସ୍ୱାଭାବିକ ଏବଂ ଏହା ବେଳେବେଳେ ବନ୍ଧୁତା ମଧ୍ୟରେ ଈର୍ଷାପରାୟଣ ହୋଇଥାଏ, ଯାହା ବନ୍ଧୁତ୍ୱରେ ବିଭେଦ ସୃଷ୍ଟି କରିଥାଏ।

୩- ମିଛ କହିବା ଠିକ୍ ନୁହେଁ:

ଯଦି ତୁମେ କାହାକୁ ତୁମର ପ୍ରକୃତ ବନ୍ଧୁ ବୋଲି ଭାବୁଛ। ତା’ହେଲେ ତାଙ୍କ ଉପରେ ବିଶ୍ୱାସ ରଖ ଏବଂ ମିଛ କୁହ ନାହିଁ। ମିଛ କହିବା ବନ୍ଧୁତ୍ୱରେ ବିଭେଦ ସୃଷ୍ଟି କରେ। କାରଣ ସତ୍ୟ କୌଣସି ରୂପରେ ବାହାରକୁ ଆସିଥାଏ।

୪- ବନ୍ଧୁତା ମଧ୍ୟରେ ନିଜର ସ୍ଥିତି ଆଣନ୍ତୁ ନାହିଁ:

ସ୍ଥିତିକୁ ଦେଖି ବନ୍ଧୁତା କେବେବି କରାଯିବା ଉଚିତ୍ ନୁହେଁ। ଯଦି ତୁମେ ଧନୀ ତେବେ ଜଣେ ଗରିବ ଲୋକ ମଧ୍ୟ ତୁମର ସର୍ବୋତ୍ତମ ବନ୍ଧୁ ହୋଇପାରେ। ସେହିଭଳି, ଯଦି ଆପଣ ଆର୍ଥିକ କିମ୍ବା ସାମାଜିକ ଭାବରେ ଦୁର୍ବଳ ତେବେ ଜଣେ ଧନୀ ବ୍ୟକ୍ତି ମଧ୍ୟ ଆପଣଙ୍କର ସର୍ବୋତ୍ତମ ବନ୍ଧୁ ହୋଇପାରନ୍ତି।

୫- ଗୁପ୍ତ କଥା ପ୍ରଘଟ କରିବା ଉଚିତ ନୁହେଁ:

ଯଦି ଆପଣଙ୍କର ବନ୍ଧୁ ଆପଣଙ୍କୁ ତାଙ୍କ ଜୀବନ ବିଷୟରେ କିଛି ବ୍ୟକ୍ତିଗତ କଥା କହିଛନ୍ତି, ତେବେ ଏହାକୁ କୌଣସି ତୃତୀୟ ବ୍ୟକ୍ତିଙ୍କ ସହିତ ଅଂଶୀଦାର କରନ୍ତୁ ନାହିଁ। ତୃତୀୟ ବ୍ୟକ୍ତିର ଉଦ୍ଦେଶ୍ୟ ଖରାପ ଥିଲେ, ଆପଣଙ୍କ ବନ୍ଧୁଙ୍କ ସହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ସ୍ବାସ୍ଥ୍ୟ

ମୁହଁରେ ବ୍ରଣ ସମସ୍ୟା ଅଛି କି?: ରୋଷେଇ ଘରେ ଥିବା ଏହି ଜିନିଷଗୁଡିକୁ ବ୍ୟବହାର କରନ୍ତୁ, ସୁସ୍ଥ ରହିବ ଚର୍ମ

ନୂଆଦିଲ୍ଲୀ: ଲୋକଙ୍କ ମଧ୍ୟରେ ବ୍ରଣ ସମସ୍ୟା ଅତି ସାଧାରଣ ଅଟେ। ବ୍ରଣ ଆମ ଚେହେରାର ସୌନ୍ଦର୍ଯ୍ଯକୁ ନଷ୍ଟ କରିଥାଏ। ସାଧାରଣତଃ ତେଲିଆ ଚର୍ମ ଥିବା ଲୋକଙ୍କ ପାଇଁ ଏହା ଅଧିକ। ଏହାଦ୍ବାରା ଚର୍ମରେ ପୋଡାଜଳା ଏବଂ ଯନ୍ତ୍ରଣା ମଧ୍ୟ ହୁଏ। ଅଧିକାଂଶ ଲୋକ ବ୍ରଣ କମ କରିବା ପାଇଁ ଚର୍ମ ଯତ୍ନ ଉତ୍ପାଦ ବ୍ୟବହାର କରନ୍ତି, କିନ୍ତୁ ସେଥିରେ ଥିବା ରାସାୟନିକ ପଦାର୍ଥ ବେଳେବେଳେ ଲାଭ ବଦଳରେ ସେମାନଙ୍କର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ କ୍ଷତି ପହଞ୍ଚାଇଥାଏ। ଏପରି ପରିସ୍ଥିତିରେ, ଆପଣ କେବଳ ଘରୋଇ ଉପଚାର କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ରୋଷେଇ ଘରେ ଏକ ସୁସ୍ଥ ଡାଏଟ୍ କରି ଆପଣ ବ୍ରଣକୁ ବିଦାୟ ଦେଇପାରିବେ।

୧- କଖାରୁ ମଞ୍ଜି:

କଖାରୁ ମଞ୍ଜିରେ ଭିଟାମିନ୍ ଇ ଏବଂ ଜିଙ୍କ ଥାଏ ଯାହା ଚର୍ମକୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ରଣ ଏବଂ ଆମର ମୃତ ଚର୍ମକୁ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ, ଯାହା ଦ୍ଵାରା ଆମର ଚର୍ମ ପରିଷ୍କାର ଏବଂ ସୁସ୍ଥ ରହିଥାଏ।

୨- ଦହି:

ଦହି ହେଉଛି ଏକ ପ୍ରୋବାୟୋଟିକ୍, ଯାହା ବ୍ରଣ ହଟାଇବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରୋବାୟୋଟିକ୍ ଚର୍ମରେ ଥିବା ଜୀବାଣୁ ଏବଂ କୀଟାଣୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ, ଯାହା ଅନ୍ୟ ଚର୍ମ ସମସ୍ୟା ସୃଷ୍ଟି କରେ ନାହିଁ।

୩- ବିଟ୍:

ବିଟ୍ ରେ ଭିଟାମିନ୍, ସୋଡିୟମ୍, କ୍ୟାଲସିୟମ୍ ଏବଂ ପୋଟାସିୟମ୍ ଥାଏ, ଯାହା ତ୍ୱଚାକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଶରୀରରେ ରକ୍ତ ସଞ୍ଚାଳନକୁ ବୃଦ୍ଧି କରିଥାଏ। ସଫା ଚର୍ମ ପାଇଁ ବିଟ୍ ଆମ ଶରୀରର ସମସ୍ତ ଆବଶ୍ୟକତା ପୂରଣ କରେ।

୪- ଜଙ୍କ ଫୁଡ୍ ଠାରୁ ଦୂରେଇ ରୁହନ୍ତୁ:

ଜଙ୍କ ଫୁଡରେ ବହୁ ପରିମାଣରେ ଜୀବାଣୁ ଥା’ନ୍ତି, ଯାହାକି ମୁହଁରେ ବ୍ରଣ ହେବାର ସବୁଠାରୁ ବଡ କାରଣ। ଜଙ୍କ ଫୁଡ୍ ଶରୀରରେ ଅନେକ ରୋଗ ସୃଷ୍ଟି କରେ, ଯାହା ଆମ ଚର୍ମ ଉପରେ ପ୍ରଭାବ ପକାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୩୫ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୯୧, କଟକରୁ ୧୩୦, ଯାଜପୁରରୁ ୭୨, ବାଲେଶ୍ବରରୁ ୬୫, ଜଗତସିଂହପୁରରୁ ୩୯, ଅନୁଗୁଳରୁ ୨୨, ଢେଙ୍କାନାଳରୁ ୨୨, ପୁରୀରୁ ୧୯, ନୟାଗଡରୁ ୧୮, ସୁନ୍ଦରଗଡରୁ ୧୭, କେନ୍ଦୁଝରରୁ ୧୪, ବରଗଡରୁ ୧୧, କନ୍ଧମାଳରୁ ୯, କେନ୍ଦ୍ରାପଡାରୁ ୯, ବଲାଙ୍ଗୀରିରୁ ୮, ଗଞ୍ଜାମରୁ ୮, କଳାହାଣ୍ଡିରୁ ୮, ଦେବଗଡରୁ ୬, ସମ୍ବଲପୁରରୁ ୬, ଝାରସୁଗୁଡାରୁ ୫, ମାଲକାନଗିରିରୁ ୫, କୋରାପୁଟରୁ ୪, ନବରଙ୍ଗପୁରରୁ ୪, ସୋନପୁରରୁ ୨, ବୌଦ୍ଧରୁ ୧, ନୂଆପଡାରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୭ ହଜାର ୩୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨ ହଜାର ୩୨୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୪୦୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୪୨୩ କୁ ବୃଦ୍ଧି ହୋଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

‘ତାଲିବାନ ଭଳି ଶାସନ’: କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ଗିରଫକୁ ନେଇ ବିଜେପିର ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଉପରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଅଭିଯୋଗରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ପୋଲିସ ଗିରଫ କରିଛି। ତେବେ ରାଣେଙ୍କୁ ଗିରଫ ପରେ ବିଜେପି ପକ୍ଷରୁ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳ କହିଛି ଯେ, କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ଗିରଫଦାରୀ ଗଣତାନ୍ତ୍ରିକ ନୁହେଁ। ସେ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଯାହା କହିଛନ୍ତି ତାହା ସହ ସହମତ ନୁହଁନ୍ତି, କିନ୍ତୁ ତାଙ୍କ ବିରୋଧରେ ଭୁଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଜେପି ସଭାପତି ଜେପି ନଡ୍ଡା ଟ୍ୱିଟ୍ କରି କହିଛନ୍ତି ଯେ, ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଜୀଙ୍କୁ ଗିରଫ କରିବା ସାମ୍ବିଧାନିକ ମୂଲ୍ୟବୋଧର ଉଲ୍ଲଂଘନ। ଏହିପରି କାର୍ଯ୍ୟ ଦ୍ୱାରା ଆମେ ଭୟଭୀତ ହେବୁ ନାହିଁ। ଜନ-ଆଶୀର୍ବାଦ ଯାତ୍ରାରେ ବିଜେପିକୁ ମିଳୁଥିବା ସମର୍ଥନକୁ ନେଇ ଏହି ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆମେ ଗଣତାନ୍ତ୍ରିକ ଉପାୟରେ ଯୁଦ୍ଧ ଜାରି ରଖିବୁ, ଜଣ-ଆଶୀର୍ବାଦ ଯାତ୍ରା ଜାରି ରହିବ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ନେଇ ନାରାୟଣ ରାଣେଙ୍କ ବିବାଦୀୟ ମନ୍ତବ୍ୟରୁ ବିଜେପି ନିଜକୁ ଦୂରେଇ ରଖିଥିଲା, କିନ୍ତୁ ଏଥି ସହ କେନ୍ଦ୍ର ମନ୍ତ୍ରୀ ରାଣେଙ୍କୁ ସମର୍ଥନ କରିଥିଲା। ଦଳର ମୁଖ୍ୟ ଜେପି ନଡ୍ଡା ରାଣେଙ୍କ ଗିରଫଦାରୀକୁ ସାମ୍ବିଧାନିକ ମୂଲ୍ୟବୋଧର ଉଲ୍ଲଂଘନ ବୋଲି କହିଥିବାବେଳେ ରାଜ୍ୟ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନାଭିସ୍ ତାଲିବାନ ଭଳି ଶାସନ ବିଷୟରେ କହିଛନ୍ତି।

ଫଡନାଭିସ୍ କହିଛନ୍ତି ଯେ ରାଣେଙ୍କ ମନ୍ତବ୍ୟକୁ ବିଜେପି ସମର୍ଥନ କରୁନାହିଁ, କିନ୍ତୁ ତାଙ୍କ ସହ ଦଳ ଶତପ୍ରତିଶତ ଛିଡା ହୋଇଛି। ରାଜ୍ୟ ପୋଲିସ ଫୋର୍ସକୁ “ପ୍ରତରୋଧ ରାଜନୀତି” ପାଇଁ ଏକ ଉପକରଣ ଭାବେ ବ୍ୟବହାର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। “ତାଲିବାନ ଭଳି ଶାସନ” ନୁହେଁ ବରଂ ଆଇନ ଶୃଙ୍ଖଳା ରହିବା ଉଚିତ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।

ନାରାୟଣ ରାଣେଙ୍କ ଗିରଫଦାରୀ ପ୍ରସଙ୍ଗରେ ବିଜେପି ମୁଖପାତ୍ର ସମ୍ବିଟ ପାତ୍ର କହିଛନ୍ତି ଯେ, ନାରାୟଣ ରାଣେଙ୍କ ମାମଲା ଗୁରୁତର। ନାରାୟଣ ରାଣେ ବ୍ୟବହାର କରିଥିବା କିଛି ଶବ୍ଦ ପ୍ରୟୋଗ କରିଛନ୍ତି, ଯାହାକୁ ଦୂରେଇ ରଖାଯାଇପାରେ। ମହାରାଷ୍ଟ୍ରର ୪୨ ଜଣଙ୍କ ମଧ୍ୟରୁ ୨୭ ଜଣ ମନ୍ତ୍ରୀ ଅଛନ୍ତି, ଯେଉଁମାନଙ୍କ ନାମରେ ମାମଲା ରହିଛି। ଅନିଲ ଦେଶମୁଖ ୧୦୦ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି, ସେ ଜେଲରେ ଅଛନ୍ତି କି? ପୋଲିସ ଅନିଲ ପରଖଙ୍କୁ ମଧ୍ୟ ପଚାରୁ ନାହିଁ। ଆଜି ମହାରାଷ୍ଟ୍ରରେ ଗଣତନ୍ତ୍ର ଲଜ୍ଜାଜନକ ହୋଇଛି। ସରଜିଲ ଇମାମଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇନାହିଁ। ମହିଳାଙ୍କ ବିରୋଧରେ ସଞ୍ଜୟ ରାଉତ ଅନେକ ଟିପ୍ପଣୀ ଦେଇଛନ୍ତି। କିନ୍ତୁ କୌଣସି ଏଫ୍ଆଇଆର୍ ପଞ୍ଜିକୃତ ହୋଇନାହିଁ।

ଜୁଲାଇ ମାସରେ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ନାରାୟଣ ରାଣେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ୍ ସଙ୍ଗମେଶ୍ୱର ଯାଇଥିଲେ। ୨୦ ବର୍ଷ ମଧ୍ୟରେ ଗିରଫ ହୋଇଥିବା ରାଣେ ହେଉଛନ୍ତି ପ୍ରଥମ କେନ୍ଦ୍ର ମନ୍ତ୍ରୀ। ଗିରଫଦାରୀରୁ ସୁରକ୍ଷା ମାଗିଥିବା ଆବେଦନ ଉପରେ ଏକ ଜରୁରୀ ଶୁଣାଣିକୁ ବମ୍ବେ ହାଇକୋର୍ଟ ମନା କରିଦେଇଥିବା ବେଳେ ରାଣେଙ୍କ ଗିରଫଦାରୀ ଆଶଙ୍କା ବଢିଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶର ସମସ୍ତ ରାଜ୍ୟକୁ ଛାଡି ଶୀର୍ଷରେ ପହଞ୍ଚିଲା ଉତ୍ତରପ୍ରଦେଶ: ଏହି କାର୍ଯ୍ୟ ପାଇଁ ହେଲା ପ୍ରଥମ

ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟକୁ ଛାଡି ଉତ୍ତରପ୍ରଦେଶ ଶୀର୍ଷରେ ପହଞ୍ଚିଛି। ଦେଶରେ ଦୁଗ୍ଧ ଉତ୍ପାଦନରେ ଉତ୍ତରପ୍ରଦେଶ ଏକ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ କ୍ଷୀର ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସରକାରୀ ମୁଖପାତ୍ରଙ୍କ କହିବାନୁସାରେ, ୨୦୧୬-୧୭ ରେ ୟୁପିରେ ଦୁଗ୍ଧ ଉତ୍ପାଦନ ୨୭୭.୬୯୭ ଲକ୍ଷ ମେଟ୍ରିକ୍ ଟନ୍ ଥିଲା, ଯାହା ୨୦୧୯-୨୦ ରେ ୩୧୮.୬୩୦ ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି। ଗତ ଚାରିବର୍ଷ ମଧ୍ୟରେ ରାଜ୍ୟରେ ୧,୨୪୨.୩୭ ଲକ୍ଷ ମେଟ୍ରିକ୍ ଟନ୍ କ୍ଷୀର ଉତ୍ପାଦନ ହୋଇଛି।

ଦୁଗ୍ଧ ଉତ୍ପାଦନରେ ବୃଦ୍ଧି ହେତୁ ୟୁପିରେ ନିଯୁକ୍ତି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ ଚାରି ବର୍ଷ ମଧ୍ୟରେ ଅମୁଲ ସମେତ ୬ ଟି ବଡ କମ୍ପାନୀ ଦୁଗ୍ଧ ପ୍ରକଳ୍ପରେ ୧୭୨ କୋଟି ଟଙ୍କା ବିନିଯୋଗ କରିଛନ୍ତି। ଏଥି ସହିତ, ଅନ୍ୟ ସାତୋଟି କମ୍ପାନୀ ମଧ୍ୟ ଏଠାରେ ନିବେଶ କରିବାକୁ ଆଗ୍ରହୀ ଅଛନ୍ତି। ଏଥିସହ, ୧୫ ନିବେଶକ ସେମାନଙ୍କ ୟୁନିଟ୍ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଦୁଗ୍ଧ କ୍ଷେତ୍ରରେ ବିନିଯୋଗ ହେତୁ ରାଜ୍ୟର ଗ୍ରାମାଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଲୋକମାନେ କ୍ରମାଗତ ଭାବରେ ଗାଈ ଏବଂ ବଳଦ ପାଳନ କରି ଦୁଗ୍ଧ ବ୍ୟବସାୟ କରିବାକୁ ଯାଉଛନ୍ତି। ସରକାରୀ ଆକଳନ ଅନୁଯାୟୀ ଭାରତର ମୋଟ ଦୁଗ୍ଧ ଉତ୍ପାଦନର ୧୭ ପ୍ରତିଶତ ଦୁଗ୍ଧ କେବଳ ଉତ୍ତରପ୍ରଦେଶରୁ ଉତ୍ପାଦନ ହେଉଛି।

ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ୟୁପିର କାନପୁର, ଲକ୍ଷ୍ନୌ, ବାରାଣାସୀ, ମେରଟ, ବରେଲି, କନ୍ନୌଜ, ଗୋରଖପୁର, ଫିରୋଜାବାଦ, ଅଯୋଧ୍ୟା ଏବଂ ମୁରାଦାବାଦ ଜିଲ୍ଲାରେ ଗ୍ରୀନଫିଲ୍ଡ ଦୁଗ୍ଧ ସ୍ଥାପନ କରାଯାଉଛି। ଏଥିସହିତ ଝାନ୍ସି, ନୋଏଡା, ଆଲିଗଡ ଏବଂ ପ୍ରୟାଗରାଜରେ ଚାରୋଟି ପୁରୁଣା ଡାୟରିକୁ ନବୀକରଣ କରାଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ସମସ୍ତ ଜିଲ୍ଲାରେ ଗୋସୁରକ୍ଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨୭୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ସହିତ, ଦରିଦ୍ର ତଥା ଅନାବଶ୍ୟକ ଗାଈ ମାନଙ୍କର ସୁରକ୍ଷା ତଥା ରକ୍ଷଣାବେକ୍ଷଣ ପାଇଁ ବିସ୍ତୃତ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଦୁଗ୍ଧ ଉତ୍ପାଦନରେ ରାଜସ୍ଥାନ ଦୁଇ ନମ୍ବରରେ ଥିବାବେଳେ ଆନ୍ଧ୍ରପ୍ରଦେଶ ତୃତୀୟ ସ୍ଥାନରେ ରହିଛି।