Categories
ଜାତୀୟ ଖବର ବିଶେଷ ଖବର

ସିବିଆଇ ପଞ୍ଜାରେ ଖବରକାଗଜ ମାଲିକ, ସରକାରୀ ବିଜ୍ଞାପନ ହାତେଇବାରେ କରୁଥିଲେ ଠକେଇ

ନୂଆଦିଲ୍ଲୀ, ବିଜ୍ଞାପନ ନାମରେ ହୋଇଛି ଏକ ବଡ ଠକେଇ। ଖବରକାଗଜ ପ୍ରକାଶ କରୁଥିବା କହି କେତେକ ଖବରକାଗଜ ମାଲିକ ଦୀର୍ଘ ବର୍ଷ ଧରି ଠକେଇ କରିଆସୁଥିଲେ। ଯାହାକୁ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ। ଏଥିରେ ସୂଚନା ଓ ପ୍ରସାରଣ ବିଭାଗ ଅଧିନରେ ଥିବା ବ୍ୟୁରୋ ଅଫ ଆଉଟ ରିଚ୍ ଆଣ୍ଡ କମ୍ୟୁନିକେସନର କେତେକ ଅଧିକାରୀ ମଧ୍ୟ ସଂପୃକ୍ତ ଅଛନ୍ତି। ଏ ନେଇ ଖବରକାଗଜ ସହିତ ସଂପୃକ୍ତ ଥିବା ତିନି ଜଣଙ୍କ ନାମରେ ମାମଲା ଋଜୁ କରିଛି ସିବିଆଇ।

ଘଟଣାରୁ ଜଣାପଡିଛି ଯେ, ହରିଶ ଲାମ୍ବା, ଆରତୀ ଲାମ୍ବା ଏବଂ ଅଶୋକ କୁମାର 6ଟି ବିଭିନ୍ନ ଖବର କାଗଜ ପ୍ରକାଶିତ କରୁଛନ୍ତି। ସେଥି ମଧ୍ୟରୁ ତିନୋଟି ଖବରକାଗଜ ସରକାରୀ ବିଜ୍ଞାପନ ପାଇବା ପାଇଁ ବ୍ୟୁରୋ ଅଫ ଆଉଟ ରିଚ୍ ଆଣ୍ଡ କମ୍ୟୁନିକେସନ ବା ବିଓସି ର ଏମପ୍ୟାନେଲ କରାଇ ନେଇଛନ୍ତି। ଏହି ତିନୋଟି ଖବରକାଗଜ ହେଲା ଅର୍ଜୁନ ଟାଇମସ୍, ହେଲଥ ଅଫ ଭାରତ ଏବଂ ଦିଲ୍ଲୀ ହେଲଥ୍।

ସିବିଆଇ ତଦନ୍ତ କରିବା ପରେ ଜାଣିବାକୁ ପାଇଲା ଯେ, ଏହି ତିନୋଟି ଖବରକାଗଜ ବିଓସିରେ ଜାଲ କାଗଜ ପତ୍ର ଦେଇ ବିଜ୍ଞାପନ ହାସଲ ପାଇଁ ଯୋଗ୍ୟ ହୋଇଛନ୍ତି। ବିଓସିକୁ ଦେଇଥିବା କାଗଜପତ୍ରରୁ ଜଣାପଡିଲା ଯେ ଏହି ଖବରକାଗଜର ସର୍କୁଲେସନ ସଂଖ୍ୟା ହେଲା ଦୈନିକ ଦେଢ ଲକ୍ଷ। ପ୍ରତି ଖବରକାଗଜର ପୃଷ୍ଠା ସଂଖ୍ୟା ହେଲା ଆଠ। ହେଲେ ସିବିଆଇ ଯାଞ୍ଚ ପରେ ଅବଗତ ହେଲା ଯେ, ଏହି ଖବରକାଗଜ ସର୍କୁଲେସନ ସଂଖ୍ୟା ମାତ୍ର 150 ଖଣ୍ଡ।

ସେହିପରି ଏମାନେ 2017 ମସିହାରେ ବିଓସିକୁ ଜଣାଇଥିଲେ ଯେ, ଅର୍ଜୁନ ଟାଇମସ ଖବରକାଗଜର ପବ୍ଲିସର ହେଉଛନ୍ତି ଅଶୋକ କୁମାର ଏବଂ ମାଲିକ ହେଉଛନ୍ତି ହରିସ୍ ଲାମ୍ବା। ଏହି ପେପର ନୂଆଦିଲ୍ଲୀର ଡଲଫିନ ପେକ୍ଟୋଗ୍ରାଫି ପ୍ରେସର ଛପାଯାଉଛି। ହେଲେ ସିବିଆଇ ଏହି ପ୍ରେସ ଯାଞ୍ଚ କରିବା ପରେ ସେଠାରେ ଏହି ପେପର ଛପାଯାଉ ନ ଥିବାର ଜାଣିବାକୁ ପାଇଲେ। ହେଲେ ଅର୍ଜୁନ ଟାଇମସ ଦୈନିକ 25 ହଜାର 8ଶହ କପି ଛପାଯାଉଛି ବୋଲି ବିଓସିକୁ ରିପୋର୍ଟ ଦିଆଯାଇଥିଲା।

ହିସାବରୁ ଜଣାପଡିଛି ଯେ, ଏହି ଖବରକାଗଜ ଗତ 3 ବର୍ଷରେ 62 ଲକ୍ଷ ଟଙ୍କାର ସରକାରୀ ବିଜ୍ଞାପନ ନେଇଛି। ଏହା ସଂପୂର୍ଣ୍ଣ ଜାଲ ଖବରକାଗଜ ଜଣାପଡିବା ପରେ ସିବିଆଇ ଏମାନଙ୍କ ବିରୋଧରେ ମାମଲା ଋଜୁ କରିଛି। ଏପରିକି ବିଓସିର କେତେକ ଅଧିକାରୀଙ୍କ ବିରୋଧରେ ମଧ୍ୟ ମାମଲା ଋଜୁ ହୋଇଛି। ଏମାନେ ବିଓସି ଅଧିକାରୀଙ୍କୁ ହାତ କରି ବିଜ୍ଞାପନ ପାଇବା ପାଇଁ ଯୋଗ୍ୟ କରାଇଥିବାର ସିବିଆଇ ଜାଣିବାକୁ ପାଇଛି।

Categories
ଆଞ୍ଚଳିକ

ପରିବେଶ ସୁରକ୍ଷା ପାଇଁ ନିଆରା ବିଭାଘର

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ତାଳତୁମ୍ବ ଗ୍ରାମରେ ପରିବେଶ ସୁରକ୍ଷା ପାଇଁ ଏକ ନିଆରା ବିଭାଘର ଦେଖିବାକୁ ମିଳିଛି। ଦୁଇ ଔଷଧୀୟ ବୃକ୍ଷ ଅଶ୍ୱତ୍ଥ ଓ ବର ମଧ୍ୟରେ ଏକ ନିଆରା ବିଭାଘର ଦେଖିବାକୁ ମିଳିଛି।

ଉକ୍ତ ଦୁଇ ବୃକ୍ଷ ବାୟୁମଣ୍ଡଳକୁ ଅଧିକ ଅମ୍ଲଜାନ ଯୋଗାଉ ଥିବାରୁ ଓ କରୋନାର ପ୍ରକୋପକୁ ପ୍ରତିହତ କରିବା ପାଇଁ ଏହି ଅଭିନବ ପ୍ରକ୍ରିୟା ହୋଇଥିଲା। ଗ୍ରାମର ସନାତନ ମହାପାତ୍ର, ପତ୍ନୀ ରମାମଣି ମହାପାତ୍ର, ପ୍ରଦୀପ ବାରିକ ଓ ପତ୍ନୀ ସୂର୍ଯ୍ୟକାନ୍ତି ବାରିକ ଉଭୟ ବୃକ୍ଷଙ୍କ ପିତାମାତା ସାଜି ଏହି ମହନୀୟ କାର୍ଯ୍ୟ ତୁଲାଇଛନ୍ତି। ପୁରୋହିତ ମନ୍ତ୍ରପାଠ କରିବା ସହିତ ଚତୁର୍ଦ୍ଦିଗରେ ଅଧ୍ୟାମିôକ ବାତାବରଣ ସୃଷ୍ଟି ହୋଇଥିଲା।

ଏହା ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ସହିତ ନାରାୟଣ ଓ ଳକ୍ଷ୍ମୀ ସାରା ବିଶ୍ୱାବାସୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଥିଲା ବୋଲି ମହିମା ସେବା ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ, ସମାଜସେବୀ ନାରାୟଣ ଖୁଣ୍ଟିଆ ଏକ ପ୍ରେସ୍ ବାର୍ତ୍ତାରେ ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆର୍‌ଆର୍‌ଭିଏଲ୍ ପକ୍ଷରୁ ୩,୪୯୭ କୋଟି ଟଙ୍କା ମୂଲ୍ୟରେ ଜଷ୍ଟ୍ ଡାଏଲ୍‌ର ୪୦.୯୫% ଅଂଶଧନ ଅଧିଗ୍ରହଣ ଘୋଷଣା

ମୁମ୍ବାଇ: ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ୩୪୯୭ କୋଟି ଟଙ୍କା ମୂଲ୍ୟରେ ଜଷ୍ଟ୍ ଡାଏଲ୍ ଲିମିଟେଡ୍‌ର ୪୦.୯୫ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି।

ଏଥିନେଇ ଆର୍‌ଆର୍‌ଭିଏଲ୍‌, ଜଷ୍ଟ୍ ଡାଏଲ୍ ଲିମିଟେଡ୍ ଓ ଭିଏସ୍‌ଏସ୍ ମନିଙ୍କ ତରଫରୁ ଏକ ନିର୍ଦିଷ୍ଟ ଚୁକ୍ତି କାର୍ଯ୍ୟକାରୀ କରାଯାଇଛି । ସେହି ଚୁକ୍ତି ଅନୁଯାୟୀ ସେୟାର ପିଛା ୧୦୨୨.୨୫ ଟଙ୍କା ମୂଲ୍ୟରେ ୨.୧୨ କୋଟି ଇକ୍ୱିଟି ସେୟାରର ଅଗ୍ରାଧିକାର ଆବଂଟନ (ପ୍ରିଫରେନ୍ସିଆଲ ଆଲଟମେଂଟ୍‌) କରାଯି । ଭିଏସ୍‌ଏସ୍ ମଣିଙ୍କ ଠାରୁ ସେୟାର ପିଛା ୧୦୨୦ ଟଙ୍କା ମୂଲ୍ୟରେ ଆର୍‌ଆର୍‌ଭିଏଲ୍ ୧.୩୧ କୋଟି ସେୟାର (୧୫.୬୨%) ଅଧିଗ୍ରହଣ କରିବ।

ସେବିର ଅଧିଗ୍ରହଣ ନିୟମ ଅନୁସାରେ ଜଷ୍ଟ୍ ଡାଏଲ୍‌ର ୨.୧୭ କୋଟି ଇକ୍ୱିଟି ସେୟାରକୁ (୨୬%) ଅଧିଗ୍ରହଣ କରିବା ଲାଗି ଆର୍‌ଆର୍‌ଭିଏଲ୍ ତରଫରୁ ସାର୍ବଜନୀନ ଅଂଶଧନକାରୀ (ପବ୍ଲିକ୍ ସେୟାରହୋଲ୍‌ଡର)ମାନଙ୍କ ପାଇଁ ସାର୍ବଜନୀନ ଘୋଷଣା କରାଯିବ। ଅଧିଗ୍ରହଣ ପରବର୍ତୀ ଅଭିବୃଦ୍ଧି ପର୍ଯ୍ୟାୟ ଲାଗି ଭିଏସ୍‌ଏସ୍ ମଣି ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଜଷ୍ଟ୍ ଡାଏଲ୍‌ର ନେତୃତ୍ୱ ନେବା ଜାରି ରଖିବେ।

ଆର୍‌ଆର୍‌ଭିଏଲ୍ ତରଫରୁ ନିବେଶ କରାଯାଇଥିବା ପୁଞ୍ଜି ଜଷ୍ଟ୍ ଡାଏଲ୍‌ର ବିକାଶ ଓ ସଂପ୍ରସାରଣରେ ସହାୟକ ହେବା ସହିତ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ଅଧିକ ଭଲ ଢଙ୍ଗରେ ତାଲିକାଭୁକ୍ତ ତଥା ବାଣିଜ୍ୟ ପ୍ଲାଟଫର୍ମରେ ସାମିଲ କରି ଅଭିବୃଦ୍ଧି ଓ ସମ୍ପ୍ରସାରଣକୁ ଆଗକୁ ବଢ଼ାଇବାରେ ସହାୟକ ହେବ। ଜଷ୍ଟ୍ ଡାଏଲ୍ ଏହାର ପ୍ଲାଟଫର୍ମରେ ଅନୁସନ୍ଧାନ ସୁବିଧାର ସମ୍ପ୍ରସାରଣ କରିବ ଏବଂ ନିୟୁତାଧିକ ଉତ୍ପାଦ ଓ ସେବା କାରବାରରେ ଉନ୍ନତି ଆଣିବ । ଏହି ନିବେଶ ଜଷ୍ଟ୍ ଡାଏଲ୍‌ର ବର୍ତମାନ ରହିଥିବା ୩୦.୪ ନିୟୁତ ଲିଷ୍ଟିଙ୍ଗ ସମେତ ତ୍ରୟମାସରେ ଏହାର ପ୍ଲାଟଫର୍ମ ବ୍ୟବହାର କରୁଥିବା ୧୨୯.୧ ନିୟୁତ ଏକକ ଗ୍ରାହକମାନଙ୍କ ପାଇଁ ବେଶ୍ ସହାୟକ ହେବ।

ଏହି କାରବାର ସମ୍ପର୍କରେ ଇଶା ଅମ୍ବାନି, ନିର୍ଦେଶକ, ଆର୍‌ଆର୍‌ଭିଏଲ୍ କହିଛନ୍ତି ଯେ, “ଜଷ୍ଟ୍ ଡାଏଲ୍ ଓ ପ୍ରଥମ ପିଢ଼ିର ଉଦ୍ୟୋଗୀ ଶ୍ରୀଯୁକ୍ତ ଭିଏସ୍‌ଏସ୍ ମଣି, ଯିଏ ନିଜର ବ୍ୟବସାୟ ପରିଚାଳନା କୌଶଳ, ବୁଦ୍ଧିମତା ଓ ଦୃଢ଼ତା ଜରିଆରେ ଏକ ସୂଦୃଢ଼ ବ୍ୟବସାୟ ନିର୍ମାଣ କରିପାରିଛନ୍ତି, ତାଙ୍କ ସହିତ ସହଯୋଗିତା ସ୍ଥାପନ କରି ରିଲାଏନ୍ସ ବେଶ୍ ଉତ୍ସାହିତ। ଜଷ୍ଟ୍ ଡାଏଲ୍‌ର ନିବେଶ ଆମର ନିୟୁତାଧିକ ସହଯୋଗୀ କ୍ଷୁଦ୍ର ବ୍ୟବସାୟୀ୍‌, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ସଂସ୍ଥାଗୁଡିକଙ୍କ ପାଇଁ ଡିଜିଟାଲ୍ ପରିବେଶକୁ ଆହୁରି ସୁଦୃଢ଼ କରିବା ସହିତ ନିଉ-କମର୍ସ ପ୍ରତି ରହିଥିବା ଆମ ପ୍ରତିବଦ୍ଧାତକୁ ଦର୍ଶାଉଛି । ଆମେ ବ୍ୟବସାୟକୁ ଆହୁରି ଆଗକୁ ବଢ଼ାଉଥିବା ବେଳେ ଜଷ୍ଟ୍ ଡାଏଲ୍‌ର ଅତ୍ୟନ୍ତ ଅଭିଜ୍ଞ ପରିଚାଳନା ଟିମ୍ ସହିତ ଆଗକୁ କାର୍ଯ୍ୟ କରିବାକୁ ଆମେ ଉତ୍ସାହୀ ରହିଛୁ।’’

ଭିଏସ୍‌ଏସ୍ ମଣି, ପ୍ରତିଷ୍ଠାତା ଓ ସିଇଓ, ଜଷ୍ଟ୍ ଡାଏଲ୍ କହିଛନ୍ତି ଯେ, “୨୫ ବର୍ଷ ପୂର୍ବେ, ଆମର ବ୍ୟବହାରକାରୀ ଏବଂ କ୍ରେତାଙ୍କୁ ବିକ୍ରେତାଙ୍କ ସହ ଯୋଡ଼ିବା ଲାଗି ଉତ୍ସର୍ଗୀକୃତ ଭାବେ ଏକ ଦ୍ରୁତ, ମୁକ୍ତ, ଭରସାଯୋଗ୍ୟ ଓ ବ୍ୟାପକ ସୂଚନା ପ୍ରଦାନ କରୁଥିବା ଏକ ସଂଯୁକ୍ତ ଏକକ ପ୍ଲାଟଫର୍ମ ଗଠନ କରିବା ଲାଗି ଆମେ ଏକ ଲକ୍ଷ୍ୟ ରଖିଥିଲୁ। ଆମର ଲକ୍ଷ୍ୟ ଅଭ୍ୟୁଦୟ ହୋଇ କେବଳ ଯେ ଅନୁସନ୍ଧାନ ଓ ଆବିଷ୍କାର ସେବା ପ୍ରଦାନ କରିଥିଲା ତାହା ନୁହେଁ ବରଂ ଆମର ବି୨ବି ପ୍ଲାଟଫର୍ମ ଜରିଆରେ ମର୍ଚାଂଟ ବା ବ୍ୟବସାୟୀମାନଙ୍କ ମଧ୍ୟରେ ବାଣିଜ୍ୟ କାରବାର ବଢ଼ାଇଥିଲା ଏବଂ ଆମର ପ୍ଲାଟଫର୍ମ ସହ ଯୋଡ଼ିହେବା ଯୋଗୁୂଁ ଗ୍ରାହକମାନେ ମର୍ଚାଂଟ୍ କାରବାର ସହ ଯୋଡ଼ି ହୋଇପାରିଥିଲେ। ରିଲାଏନ୍ସ ସହ ଆମର ଏହି ସହଭାଗିତା ସେହି ଲକ୍ଷ୍ୟକୁ ପୂରଣ କରିବ ଏବଂ ଆଗାମୀ ଦିନରେ ବ୍ୟବସାୟରେ ବ୍ୟପକ ସକାରାତ୍ମକ ପରିବର୍ତନ ଆଣିବାରେ ସହାୟକ ହେବ।’’

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୭ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୪୯୯୨ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪ ହଜାର ୯୯୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୨୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୮ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ, ମୟୂରଭଞ୍ଜ ଏବଂ ପୁରୀ ଜିଲ୍ଲାରୁ ୬ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବରଗଡ ଜିଲ୍ଲାରୁ ୪ ଜଣ, ନୟାଗଡ ଜିଲ୍ଲାରୁ ୩ ଜଣ, ଅନୁଗୁଳ, ଭଦ୍ରକ, ବୌଦ୍ଧ, ଗଜପତି, ଯାଜପୁର, କଳାହାଣ୍ଡି, କନ୍ଧମାଳ ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୨ ହଜାର ୧୧୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୨୫ ହଜାର ୫୨୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୧ ହଜାର ୫୪୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪ ହଜାର ୯୯୨ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ପାରିବାରିକ କଳହ ଯୋଗୁଁ ଘର ଛାଡି ଶ୍ଵଶୁର ଘରକୁ ଯାଉଥିଲେ ଦମ୍ପତି: ନାଚୁଣୀରେ ହେଲା ଦୁର୍ଘଟଣା, ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର

ସୀତାରାମ ଅଗ୍ରୱାଲ
ଚିଲିକା: ପାରିବାରିକ କଳହ ଯୋଗୁଁ ମଧ୍ୟ ରାତ୍ରରେ ଘରୁ ବାହାରି ଶ୍ୱଶୁର ଘରକୁ ଯାଉଥିବା ବେଳେ ଦମ୍ପତିଙ୍କ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଅଛନ୍ତି। ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ନାଚୁଣୀ ଷଣ୍ଢ ଛକ ନିକଟରେ ଦମ୍ପତିଙ୍କ ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଜଙ୍କିଆ ଥାନା ଗୋଳବାଇ ଗ୍ରାମର ସୁଶାନ୍ତ କୁମାର ସାହୁ(୩୮) ଗତ କିଛି ଦିନ ତଳେ ଟାଙ୍ଗୀ ଥାନା ନଇରୀ ଗ୍ରାମର ଛବି ସାହୁ(୧୮) ଙ୍କୁ ବିବାହ କରିଥିଲେ। ସୁଶାନ୍ତ ସାହୁଙ୍କର ଏହା ଥିଲା ଦ୍ୱୀତିୟ ବିବାହ। ପ୍ରଥମ ସ୍ତ୍ରୀ ମରିଯିବାରୁ ସେ ପୁଣି ଥରେ ଦ୍ୱିତୀୟ ବିବାହ କରିଥିଲେ। ଏହି ବିବାହକୁ କେନ୍ଦ୍ର କରି ସୁଶାନ୍ତଙ୍କ ଭାଇମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଆସୁଥିଲା।

ଗତ କାଲି ରାତିରେ ସୁଶାନ୍ତଙ୍କ ଭାଇମାନେ ପୁଣି ଥରେ ସୁଶାନ୍ତ ଓ ତାଙ୍କ ପତ୍ନୀ ଛବି ସାହୁଙ୍କ ସହ ଗଣ୍ଡଗୋଳ କରିବାରୁ ଉଭୟ ଏଥିରେ ଅତିଷ୍ଠ ହୋଇ ବିଳମ୍ବିତ ରାତିରେ ଘରୁ ବାହାରି ପଡିଥିଲେ। ସୁଶାନ୍ତ ତାଙ୍କ ପତ୍ନୀଙ୍କୁ ସାଙ୍ଗରେ ଧରି ଶ୍ୱଶୁର ଘରକୁ ଯାଉଥିଲେ। ସ୍କୁଟିରେ ଯିବା ସମୟରେ ବିଳମ୍ବିତ ରାତ୍ରିରେ ହରିପୁର ଷଣ୍ଢ ଛକ ନିକଟରେ ଅଜଣା ଗାଡି ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସ୍ୱାମୀ ସ୍ତ୍ରୀ ଦୁହେଁ ସ୍କୁଟିରୁ ଛିଟିକି ପଡିଥିଲେ।

ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଏବଂ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଉଭୟଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ଟାଙ୍ଗୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ଏବଂ କୁହୁଡି ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦେଇଥିଲେ। ହେଲେ ଡାକ୍ତର ସେଠାରେ ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଵା ବେଳେ ତାଙ୍କ ପତ୍ନୀ ଛବିଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଈଛି। କୁହୁଡି ଫାଣ୍ଡି ପୋଲିସ ସ୍କୁଟି ଜବତ କରି ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୩୮ ହଜାର ୭୯ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୮ ହଜାର ୭୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୬୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୦ ଲକ୍ଷ ୬୪ ହଜାର ୯୦୮ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୩ ହଜାର ୯୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨ ଲକ୍ଷ ୨୨ ହଜାର ୭୯୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୨୪ ହଜାର ୪୨୨ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୨ ହଜାର ୧୮୨ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୫୮ ଜଣ ଚିହ୍ନଟ ହୋଇଥିବା ବେଳେ ୯୨୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୨ ହଜାର ୧୧୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୨୫ ହଜାର ୫୨୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୧ ହଜାର ୫୪୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୯୨୪ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୧୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୧୦ ଜଣ, କଟକ ଜିଲ୍ଲାରୁ ୩୦୮ ଜଣ, ଅନୁଗୁଳ ଜିଲ୍ଲାରୁ ୮୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୬୧ ଜଣ, ବରଗଡ ଜିଲ୍ଲାରୁ ୧୫ ଜଣ, ଭଦ୍ରକ ଜିଲ୍ଲାରୁ ୭୬ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୪ ଜଣ, ବୌଦ୍ଧ ଜିଲ୍ଲାରୁ ୧୬ ଜଣ, ଦେବଗଡ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ୭୦ ଜଣ, ଗଜପତି ଜିଲ୍ଲାରୁ ୪ ଜଣ, ଗଞ୍ଜାମ ଜିଲ୍ଲାରୁ ୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୮୭ ଜଣ, ଯାଜପୁର ଜିଲ୍ଲାରୁ ୧୭୫ ଜଣ, ଝାରସୁଗୁଡା ଜିଲ୍ଲାରୁ ୯ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୩ ଜଣ, କନ୍ଧମାଳ ଜିଲ୍ଲାରୁ ୧୪ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫୫ ଜଣ, କେନ୍ଦୁଝର ଜିଲ୍ଲାରୁ ୪୪ ଜଣ, କୋରାପୁଟ ଜିଲ୍ଲାରୁ ୨୮ ଜଣ, ମାଲକାନାଗିରି ଜିଲ୍ଲାରୁ ୨୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୯୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୬ ଜଣ, ନୟାଗଡ ଜିଲ୍ଲାରୁ ୭୫ ଜଣ, ନୂଆପଡା ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ୯୪ ଜଣ, ରାୟଗଡା ଜିଲ୍ଲାରୁ ୨୨ ଜଣ, ସମ୍ବଲପୁର ଜିଲ୍ଲାରୁ ୨୪ ଜଣ, ସୋନପୁର ଜିଲ୍ଲାରୁ ୧୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୫୪ ଜଣ ଏବଂ ଷ୍ଟେଟ ପୁଲରୁ ୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ଗ୍ରାମାଞ୍ଚଳ ଉନ୍ନୟନ ପାଇଁ ନିଆଯାଇପାରେ କିଛି ନିଷ୍ପତି

ଭୁବନେଶ୍ବର, ଆଜି ରାଜ୍ୟ କ୍ୟାବିନେଟର ବୈଠକ ବସିବ। ଅପରାହ୍ନ 5ଟା 30 ମିନଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚ୍ୟୁୟାଲ ମାଧ୍ୟମରେ ଏହି ବୈଠକ ହେବ। ଯେଉଁ ମନ୍ତ୍ରୀମାନେ ଜିଲ୍ଲାରେ ଅଛନ୍ତି ସେମାନେ ଜିଲ୍ଲା କାର୍ଯ୍ୟାଳୟରେ ଭିସିରେ ରହିବେ। ତେବେ ଏହି ବୈଠକରେ 12ଟି ଆଜେଣ୍ଡା ଅଛି ବୋଲି ଜଣାପଡିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରେ ଗ୍ରାମାଞ୍ଚଳ ଉନ୍ନତି ଉପରେ କିଛି ନିଷ୍ପତି ହେବ ବୋଲି ଜଣାପଡିଛି। ତେବେ ଏ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

କାଲି ରାତିରେ ଜଗନ୍ନାଥଙ୍କ ରଥକୁ ରାଗରେ ଭାଙ୍ଗିଦେଲେ ମା ଲକ୍ଷ୍ମୀ

ଭୁବନେଶ୍ବର, ଗତକାଲି ମା ଲକ୍ଷ୍ମୀ ରାଗରେ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଯାଇଥିଲେ। ସେଠାରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗିଦେଲେ। ଏହାପରେ ରାଗ ଶାନ୍ତ କରିବା ପାଇଁ କାଲି ରାତିରେ ଜଗନ୍ନାଥ ମା ଲକ୍ଷ୍ମୀଙ୍କ ଭେଟ ହୋଇଥିଲା। ଏହା ଥିଲା ଗତକାଲି ହେରା ପଞ୍ଚମୀର ରୀତି ନିତି।

କଥିତ ଅଛି ପ୍ରଭୃ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଚାଲିଆସିଲେ। ହେଲେ ସାଙ୍ଗରେ ମା ଲକ୍ଷ୍ମୀଙ୍କୁ ଆଣିଲେ ନାହିଁ। ଏହି ରାଗରେ ମା ଲକ୍ଷ୍ମୀ ଜଗନ୍ନାଥଙ୍କ ରଥ ଭାଙ୍ଗିବା ପରଂପରା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ପୋଲିସର ୪୪୭ଟି ପଦବୀ ପାଇଁ ୧ ଲକ୍ଷ ୩୨ ହଜାର ଆବେଦନକାରୀ, ୨୬ ଜଣ କିନ୍ନର

କଟକ, ଓଡିଶା ପୋଲିସର ବାହାରିଥିବା ୪୪୭ଟି ସବ ଇନସ୍ପେକ୍ଟର ପଦବୀ ପାଇଁ ଆବେଦନ ତାରିଖ ଶେଷ ହୋଇଛି। ଜୁଲାଇ ୧୫ ତାରିଖ ଥିଲା ଆବେଦନର ଶେଷ ଦିନ। ସମସ୍ତ ଆବେଦନକୁ ପ୍ରାରମ୍ଭିକ ଯାଞ୍ଚ ପରେ ଜଣାପଡିଛି ଯେ ମୋଟ ୧ ଲକ୍ଷ ୩୨ ହଜାର ୪୯୫ ଜଣ ଆବେଦନ କରିଛନ୍ତି।

ତେବେ ଏହି ଆବେଦନ ପକ୍ରିୟାରେ ପ୍ରଥମ ଥର ପାଇଁ ୨୬ ଜଣ କିନ୍ନର ଆବେଦନ କରିଛନ୍ତି। ଏଥର ପୋଲିସର ଏହି ପଦବୀ ପାଇଁ ପୁରୁଷ ମହିଳା ସହିତ ଅନ୍ୟାନ୍ୟ ବର୍ଗ ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା। ସେହି ହିସାବରେ ଏଥର ପ୍ରଥମ ଥର ପାଇଁ କିନ୍ନରମାନେ ଆବେଦନ କରିଛନ୍ତି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁଲାଇ 17 ତାରିଖ ଶନିବାର ଦିନ ଏହି ସାତୋଟି ରାଶି ପାଇଁ ରହିଛି ଶୁଭ ଖବର

ମେଷ: – ଆଜି ଆପଣଙ୍କ ପାଇଁ ଏକ ଖୁସି ଏବଂ ଚମତ୍କାର ଦିନ ହେବ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ବିଷୟରେ ସଚେତନ ରୁହନ୍ତୁ । ବୁଦ୍ଧିମାନ ଭାବରେ କାର୍ଯ୍ୟ କରନ୍ତୁ ଏବଂ ବୁଝାମଣା କରନ୍ତୁ ଏବଂ ସମସ୍ୟାର ସମାଧାନ କରନ୍ତୁ । ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଆଚରଣକୁ ସକାରାତ୍ମକ ରଖନ୍ତୁ । ଶୀଘ୍ର ସଫଳତାର ଦ୍ୱାର ଖୋଲିବ । ତୁମର ରହସ୍ୟକୁ ତୁମର ବିରୋଧୀଙ୍କୁ କୁହ ନାହିଁ । ଆର୍ଥିକ ଦୃଷ୍ଟିରୁ ଉନ୍ନତି ହେବ । ଆପଣଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପାରିବାରିକ କାର୍ଯ୍ୟରେ ଦ୍ୱିଧା କର ନାହିଁ । ସନ୍ଧ୍ୟାରେ ଏକ ପୁରୁଣା ବନ୍ଧୁଙ୍କୁ ଭେଟିବା ସମ୍ଭବ ।

ବୃଷ: – ଆଜି ଭାଗ୍ୟ ଆପଣଙ୍କ ସହିତ ଅଛି । ପରିବାରରୁ ସମ୍ପୂର୍ଣ୍ଣ ସମର୍ଥନ ମିଳିବ । ପିତାମାତାଙ୍କ ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ । ନୂତନ ଗ୍ରାହକଙ୍କ ସହ କଥାବାର୍ତ୍ତା କରିବା ଏକ ଭଲ ଦିନ । ତୁମେ ତୁମର ଜୀବନ ସାଥୀଙ୍କ ସମର୍ଥନ ପାଇବ । ଗୁଜବଠାରୁ ଦୂରରେ ରୁହନ୍ତୁ । କୋର୍ଟରେ ମାମଲା ହୋଇପାରେ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଅଛି । ଆଜି ତୁମର ସ୍ୱାସ୍ଥ୍ୟର ଯତ୍ନ ନିଅ । ଛୋଟ ଅସୁବିଧା ଆପଣଙ୍କୁ ଘେରି ରହିବ। ବିଳମ୍ବିତ ରାତିରେ ଉଠିବା ସ୍ୱାସ୍ଥ୍ୟକୁ ଖରାପ କରିପାରେ ।

ମିଥୁନ: – ଆଜି ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ପ୍ରେମ ପାଇଁ ସମୟ ଉପଯୁକ୍ତ ଅଟେ । ଆଜି ଆପଣ ଏହି ରୋଗରୁ ମୁକ୍ତି ପାଇବେ ଯାହାକି ଅନେକ ଦିନ ଧରି ଚାଲିଆସୁଛି। ପରିବାର ସଦସ୍ୟମାନେ ଆପଣଙ୍କ ଉପରେ ଟିକେ କ୍ରୋଧିତ ହୋଇପାରନ୍ତି । ଆଇନଗତ ବିବାଦ ସମାପ୍ତ ହେବ । ଘରେ କିଛି ପରିବର୍ତ୍ତନ ଆଣିବା ପାଇଁ ପ୍ରଥମେ ଅନ୍ୟ ଲୋକଙ୍କ ମତକୁ ଭଲ ଭାବରେ ଜାଣ । ଆପଣ ପୂର୍ଣ୍ଣ ଉତ୍ସାହ ସହିତ କାର୍ଯ୍ୟ କରିବେ ଏବଂ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ । କିଛି ଲୋକ ଆପଣଙ୍କୁ ଅପମାନିତ କରିବାକୁ ଏବଂ ଆପଣଙ୍କ ଆତ୍ମବିଶ୍ୱାସକୁ ହ୍ରାସ କରିବାକୁ ଚେଷ୍ଟା କରିପାରନ୍ତି । ନୂତନ ଲୋକଙ୍କୁ ଭେଟିବା ଲାଭଦାୟକ ହେବ । ନୂତନ ବ୍ୟକ୍ତିଙ୍କ ସହିତ ଘନିଷ୍ଠତା ବୃଦ୍ଧି ପାଇବ ।

କର୍କଟ : – ଆଜି ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କ ଉପରେ ଖୁସି ହେବେ ଏବଂ ଘରେ ଶାନ୍ତି ରହିବ । ତୁମେ ନିଜକୁ ନିୟନ୍ତ୍ରଣ କର । ଅତ୍ୟଧିକ ରାଗନ୍ତୁ ନାହିଁ କିମ୍ବା ନଚେତ୍ ଏହା ଦ୍ୱାରା କରାଯାଉଥିବା କାର୍ଯ୍ୟ ନଷ୍ଟ ହୋଇପାରେ । କର୍ମକ୍ଷେତ୍ରରେ ବୁଦ୍ଧିମାନ ଭାବରେ କାମ କରିବ । ଆର୍ଥିକ ସମସ୍ୟା ସନ୍ଧ୍ୟା ସୁଦ୍ଧା ସମାଧାନ ହେବ। ଆର୍ଥିକ କାରଣରୁ ତୁମେ ଅସୁବିଧାରେ ପଡ଼ିବ । ଘରେ ଏବଂ ସାଙ୍ଗମାନଙ୍କ ମଧ୍ୟରେ ତୁମର ପରିସ୍ଥିତିକୁ ସୁଧାରିବା ବିଷୟରେ ଚିନ୍ତା କର । ସମସ୍ୟାଗୁଡ଼ିକୁ ଆପଣଙ୍କ ମନରୁ ଫୋପାଡି ଦିଅନ୍ତୁ । ବ୍ୟବସାୟ ଶ୍ରେଣୀର ଲୋକେ ଟଙ୍କା କାରବାର ବିଷୟରେ ସତର୍କ ହେବା ଉଚିତ ଏବଂ ଦୂର ଯାତ୍ରା କରିବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣ ଏକ ନୂତନ ଚାକିରି କିମ୍ବା ପ୍ରୋଜେକ୍ଟ ପାଇପାରନ୍ତି । ଅନ୍ୟମାନଙ୍କ ସହଯୋଗ ହେବ ।

ସିଂହ: – ଆଜି ଦୀର୍ଘ ଦିନ ଧରି ଚାଲିଆସୁଥିବା ସମସ୍ୟାର ସମାଧାନ ହେବ । ଆପଣ ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ପାଇବେ । ଘରେ ଶୁଭ କାମ ହେବାର ସମ୍ଭାବନା ଅଛି । ବ୍ୟବସାୟ ପ୍ରସଙ୍ଗରେ ଭାବପ୍ରବଣ ନିଷ୍ପତ୍ତି ନିଅ ନାହିଁ । ଜୀବନସାଥୀଙ୍କ ସହିତ କିଛି ଟେନସନ ହୋଇପାରେ । ଆଜି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବ । ପରୀକ୍ଷା-ପ୍ରତିଯୋଗିତାରେ ସଫଳତା ପାଇବା ପାଇଁ ଏକ ଦୃଢ ସମ୍ଭାବନା ଅଛି । ଗାଡି ଚଳାଇବା ସମୟରେ ଅତ୍ୟଧିକ ସତର୍କ ରୁହନ୍ତୁ । ଅପରିଚିତ ବ୍ୟକ୍ତିଙ୍କ ସହିତ ବନ୍ଧୁତା କରିବା ସମୟରେ ସତର୍କ ରୁହନ୍ତୁ ।

କନ୍ୟା: – ଆଜି ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ । ଆଜି ତୁମର ସାଥୀକୁ ତୁମର ମୂଲ୍ୟବାନ ସମୟ ଦିଅ, ତୁମର ସାଥୀ ତୁମର ଆବଶ୍ୟକ କରେ । ଏକ ବିଶେଷ ବ୍ୟକ୍ତି କିମ୍ବା ଘନିଷ୍ଠ ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ସମ୍ଭାବନା ଅଛି । ଟଙ୍କା କାରବାରରେ ସାବଧାନ ରୁହନ୍ତୁ । ମନ ଧର୍ମ ପ୍ରତି ଆକର୍ଷିତ ହେବ। ଧାର୍ମିକ ଯାତ୍ରା ଯୋଜନା କରାଯିବ। ଆପଣ ବୈଦ୍ଧିକ କାର୍ଯ୍ୟରେ ସଫଳ ହେବେ । ମନ ଧର୍ମ ପ୍ରତି ଆକର୍ଷିତ ହେବ। ଛାତ୍ରମାନଙ୍କ ପାଇଁ ଏହା ଏକ ଭଲ ଦିନ । ଦୀର୍ଘ ଯାତ୍ରା ଆରାମ ଦେବ ।

ତୂଳା: – ନିବେଶ ପାଇଁ ଆଜି ଏକ ଭଲ ଦିନ ବୋଲି ପ୍ରମାଣ କରିପାରେ । କେତେକ ଟେନସନ ଏବଂ ଦ୍ୱନ୍ଦ୍ୱ ଆପଣଙ୍କୁ କ୍ରୋଧିତ ଏବଂ ଅଶାନ୍ତ କରିପାରେ। ତୁମର ଭାବନାକୁ ନିୟନ୍ତ୍ରଣ କର । ପରିବାର ସଦସ୍ୟ ଆପଣଙ୍କ ଭବିଷ୍ୟତ ପାଇଁ ଚିନ୍ତିତ ହେବେ । ଅଫିସରେ ଅଧିକ ସମୟ ବିତାଇବାକୁ ପଡିବ । ଜଣେ ଆଧ୍ୟାତ୍ମିକ ଶିକ୍ଷକ କିମ୍ବା ପ୍ରାଚୀନ ଆପଣଙ୍କୁ ସାହାଯ୍ୟ କରିପାରିବେ । ତୁମର ପ୍ରତିଦ୍ୱନ୍ଦୀମାନେ ତୁମକୁ ପ୍ରାଧାନ୍ୟ ଦେଇପାରନ୍ତି । ଜଣେ ପ୍ରାଚୀନଙ୍କ ମତ ତୁମର ଭଙ୍ଗା ସମ୍ପର୍କକୁ ମରାମତି କରିବ । ଆଜି ଆପଣଙ୍କ ଜୀବନରେ ସଫଳତା ଏବଂ ସୁଖ ଆଣିବ ।

ବିଛା : – ଆଜି ଆପଣଙ୍କୁ ଅଧିକ ଚଲାଇବାକୁ ପଡିବ ଏବଂ ଆପଣ ଦିନସାରା ବ୍ୟସ୍ତ ରହିବେ। ଆପଣ ମନ୍ଦିର ପରିଦର୍ଶନ କରିବାକୁ କିମ୍ବା କୌଣସି ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯୋଜନା କରିପାରିବେ। ସୃଜନଶୀଳ କାର୍ଯ୍ୟ କରିବେ । ଦୀର୍ଘ ଦିନ ଧରି ଆପଣ ଅନୁଭବ କରୁଥିବା ଥକ୍କା ଏବଂ ଚାପରୁ ଆପଣ ଆରାମ ପାଇବେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଯଦି ତୁମେ ଅବିବାହିତ ତେବେ ଆଜି ତୁମ ପାଇଁ ଏକ ପ୍ରସ୍ତାବ ଆସିପାରେ । ଅତୀତରେ ତୁମର କଠିନ ପରିଶ୍ରମର ଫଳ ପାଇପାରିବ । କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା ପ୍ରଶଂସା ପାଇବା ସମ୍ଭାବନା ଅଛି । ସନ୍ଧ୍ୟା ସୁଦ୍ଧା ଟଙ୍କା ସ୍ଥିତିରେ ସୁଧାର ଆସିବ ।

ଧନୁ: – ଆଜି ଆପଣଙ୍କ ବ୍ୟବସାୟ ପାଇଁ ଏକ ଭଲ ଦିନ । ଯେ ପର୍ଯ୍ୟନ୍ତ ତୁମେ ଏହାକୁ ପୂରଣ କରିବାରେ ସକ୍ଷମ ନ ହୋଇଛ, କେବେବି ପ୍ରତିଜ୍ଞା କର ନାହିଁ । ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସତର୍କ ରୁହନ୍ତୁ । ଆଜି ଛାତ୍ରମାନେ ଅଧିକ ପରିଶ୍ରମ କରିବା ଆବଶ୍ୟକ କରନ୍ତି । ସୃଜନଶୀଳ କାର୍ଯ୍ୟରେ ଆଗ୍ରହ ବୃଦ୍ଧି ପାଇବ । ଆଜି ସେହି ଜିନିଷଗୁଡିକ କର ଯାହା ତୁମକୁ ଖୁସି କରେ । ଆଇନଗତ ସମସ୍ୟା ଆପଣଙ୍କୁ ହଇରାଣ କରିପାରେ । ଘରେ ଅତିଥିମାନଙ୍କ ଆଗମନ ଦିନକୁ ସୁନ୍ଦର ଏବଂ ଖୁସି କରିବ । ପୁରୁଣା ଜିନିଷଗୁଡ଼ିକୁ ମନେ ପକାଇ ଆଜି ତୁମର ନଷ୍ଟ କର ନାହିଁ ।

ମକର : – ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜି ଆପଣଙ୍କ ଦିନ ସ୍ୱାଭାବିକ ହେବ । ସରକାରୀ କର୍ମଚାରୀଙ୍କ ସହ ଯୋଗାଯୋଗ ହେବ। ତୃତୀୟ ବ୍ୟକ୍ତିର ହସ୍ତକ୍ଷେପ ତୁମ ଏବଂ ତୁମର ପ୍ରିୟଜନଙ୍କ ମଧ୍ୟରେ ଅସ୍ଥିରତା ସୃଷ୍ଟି କରିବ । କାହାକୁ ଅନ୍ଧ ଭାବରେ ବିଶ୍ୱାସ କର ନାହିଁ । ବ୍ୟକ୍ତିଗତ କାର୍ଯ୍ୟରେ ଜଡିତ ହେବେ । ଖର୍ଚ୍ଚ ବଢିବ କିନ୍ତୁ ଏହା ବିଷୟରେ ଚିନ୍ତା କର ନାହିଁ । ଆଜି ତୁମର ମନ ବୁଲିବ ଏବଂ ତୁମେ ନିଜ ଜୀବନସାଥୀ ଏବଂ ଅନ୍ୟ କାହା ମଧ୍ୟରେ ଭାବପ୍ରବଣ ହୋଇଥିବାର ଅନୁଭବ କରିବେ । ତୁମର ପ୍ରତିଭା ଉପରେ କାମ କର ।

କୁମ୍ଭ: – ଆଜି ତୁମର କ୍ୟାରିୟର ବିଷୟରେ ଏକ ବଡ଼ ନିଷ୍ପତ୍ତି ନେଇ ପାରିବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଥଣ୍ଡା ମନ ସହିତ ଚିନ୍ତା କରନ୍ତୁ । ବଡ ଯୋଜନା ଏବଂ ଚିନ୍ତାଧାରା ମାଧ୍ୟମରେ କେହି ଆପଣଙ୍କ ଧ୍ୟାନ ଆକର୍ଷଣ କରିପାରନ୍ତି । ଆପଣ ଚାଲିବାର ଲାଭ ପାଇବେ। ପ୍ରେମିକ ସହିତ ସନ୍ଧ୍ୟା ରୋମାଣ୍ଟିକ୍ ହେବ। ତୁମେ ଭେଟୁଥିବା ବ୍ୟକ୍ତିଙ୍କ ପ୍ରତି ଭଦ୍ର ଏବଂ ମନୋରମ ହୁଅ । ଯଦି ଆପଣ ବାହାରକୁ ଯିବାକୁ ଯୋଜନା କରନ୍ତି ତେବେ ଏହା ଭଲ ହେବ । ଭୁଲ ବୁଝାମଣା ଦୂର ହେବ ।

ମୀନ: – ଆଜି ଆପଣ ଏକୁଟିଆ ଅନୁଭବ କରିପାରନ୍ତି, ଏହାକୁ ଏଡାଇବା ପାଇଁ, କୌଣସି ସ୍ଥାନକୁ ଯାଇ ସାଙ୍ଗମାନଙ୍କ ସହିତ କିଛି ସମୟ ବିତାନ୍ତୁ । ପରିବାରର ଜଣେ ବୃଦ୍ଧ ସଦସ୍ୟଙ୍କ ସହିତ କିଛି ବିବାଦ ହୋଇପାରେ । ଆର୍ଥିକ ସମସ୍ୟାର ଲକ୍ଷଣ ଅଛି । ଦିନଟି ଦୈନନ୍ଦିନ କାର୍ଯ୍ୟରେ ବିତାଇବ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ତୁମର ଭାବନାକୁ ନିୟନ୍ତ୍ରଣ କର । ବୃତ୍ତିଗତ ବିଷୟକୁ ସହଜରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ନୂତନ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଆପଣଙ୍କର ସର୍ବୋତ୍ତମ ବନ୍ଧୁଙ୍କ ସାହାଯ୍ୟ ତାଲିକାଭୁକ୍ତ କରନ୍ତୁ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୧୫ ବର୍ଷରେ ସୋଆ: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ୱଳ ନକ୍ଷତ୍ର

ଭୁବନେଶ୍ଵର: ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି। ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱାରୋପ ହିଁ ଏହି
ବିଶ୍ୱବିଦ୍ୟାଳୟର ବିଶେଷତ୍ୱ।

ସୋଆ ଭାବେ ପରିଚିତ ଏହି ଡିମ୍‌ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଅନେକ ଛାତ୍ରଛାତ୍ରୀ ଏବେ ପୃଥିବୀରେ ବିଭିନ୍ନ କ୍ଷେତ୍ରରେ ବେଶ ପ୍ରତିଷ୍ଠିତ। ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ଉତ୍କର୍ଷ ପ୍ରମାଣିତ କରି ସୋଆ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି ।

୨୦୦୭ ମସିହା ଜୁଲାଇ ୧୭ ତାରିଖରେ ୟୁଜିସି ଆକ୍ଟ , ୧୯୫୬ର ସେକ୍ସନ୍ ୩ ଅନୁଯାୟୀ କେନ୍ଦ୍ର ସରକାର ସୋଆକୁ ଡିମ୍‌ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ। ବର୍ତ୍ତମାନ ଦେଶ ତଥା ବିଦେଶରୁ ୧୨୦୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢ଼ିବା ପାଇଁ ସୋଆରେ ଶିକ୍ଷା ଗ୍ରହଣ କରୁଛନ୍ତି।

ମାତ୍ର ୧୪ ବର୍ଷର ଏହି ବିଶ୍ୱବିଦ୍ୟାଳୟ ସଫଳତାର ଶିଢ଼ି ଚଢ଼ିଚାଲିଥିବା ବେଳେ ୨୦୧୬ ମସିହାରୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ବିଗତ ୫ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ କ୍ରମାଗତ ଭାବେ ନିଜର ସ୍ଥାନ ବଜାୟ ରଖିଛି।

ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ ୨୦୨୨ରେ ସୋଆ ବିଶ୍ୱ ସ୍ତରରେ ୮୦୧-୧୦୦୦ ବ୍ରାକେଟ୍ ମଧ୍ୟରେ ସ୍ଥାନ ହାସଲ କରିଥିବା ବେଳେ କ୍ୟୁଏସ୍ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍ ୨୦୨୧ରେ ୩୫୧ ରୁ ୪୦୦ ବ୍ରାକେଟ୍ ମଧ୍ୟରେ ସ୍ଥାନୀତ ହୋଇଛି।

ସେହିପରି ୨୦୨୦ରେ ଉଚ୍ଚକୋଟୀର ପାରଦର୍ଶିତା ନିମନ୍ତେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ଡାଏମଣ୍ଡ ୟୁନିଭର୍ସିଟି ରେଟିଙ୍ଗ୍ ହାସଲ କରିଛି ସୋଆ। ପୂର୍ବ ଭାରତର ଏକ ମାତ୍ର ଶିକ୍ଷାନୁଷ୍ଠାନ ଭାବେ କୋଭିଡ୍ ୧୯ ଲକ୍‌ଡାଉନ୍ ସମୟରେ ଅନ୍‌ଲାଇନ୍ ଶିକ୍ଷା ପ୍ରଦାନ ଓ ପାଠ୍ୟକ୍ରମ ପରିଚାଳନା ନିମନ୍ତେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଇ-ଲିଡ୍ ସମ୍ମାନ ମିଳିଛି।

ସେହିପରି ଟାଇମ୍‌ସ ହାୟର୍ ଏଜୁକେସନ୍ (ଟିଏଚ୍‌ଇ) ୱାର୍ଲ୍ଡ ର‌୍ୟାଙ୍କିଙ୍ଗ୍ ୨୦୨୧ରେ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଙ୍ଗ କ୍ଷେତ୍ରରେ ୧୦୦୧ ପ୍ଲସ୍ କ୍ୟାଟେଗୋରିରେ ସୋଆ ସ୍ଥାନ ପାଇଥିବା ବେଳେ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଓ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ୬୦୧ ରୁ ୮୦୦ ବ୍ରାକେଟ୍‌ରେ ସ୍ଥାନ ପାଇପାରିଛି। ସେହିପରି ହେଲ୍‌ଥ ସାଇନ୍‌ସେସ୍ କ୍ୟାଟେଗୋରିରେ ସୋଆ ୬୦୧ ପ୍ଲସ୍ ର‌୍ୟାଙ୍କରେ ରହିଥିବା ବେଳେ ଟିଏଚ୍‌ଇ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ସ ୨୦୨୧ରେ ୪୦୧ ପ୍ଲସ୍ ବ୍ରାକେଟରେ ସ୍ଥାନ ପାଇଛି। ସେହିପରି ଟିଏଚ୍‌ଇ ଏମିର୍ଜିଂ ଇକୋନୋମିଜ୍ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ସ ୨୦୨୧ ରେ ୫୦୦ ପ୍ଲସ୍‌ କ୍ୟାଟେଗୋରିରେ ସ୍ଥାନିତ ହୋଇଛି ସୋଆ।

ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିସନ୍ କାଉନ୍‌ସିଲ୍ (ନାକ୍‌) ସୋଆକୁ ଉନ୍ନତମାନର ଗୁଣାତ୍ମକ ଓ ଶୈକ୍ଷିକ କାର୍ଯ୍ୟଧାରା ନିମନ୍ତେ ‘ଏ’ ଗ୍ରେଡ୍‌ରେ ରିଆକ୍ରେଡିଟେଡ୍ କରିଛି। ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସୋଆର ୧୧ ଜଣ ଗବେଷକ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ସମ୍ମାନଜନକ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଛନ୍ତି।

ସୋଆରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମ୍ୟାନେଜମେଂଟ, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍‌, ନର୍ସିଂ, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ବାୟୋଟେକ୍ନୋଲୋଜି, ହସ୍ପିଟାଲ ମ୍ୟାନେଜମେଂଟ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଲ ଏବଂ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ କ୍ଷେତ୍ରରେ ୨୪ଟି ଅଣ୍ଡର ଗ୍ରାଜୁଏଟ୍ ,୬୭ ପୋଷ୍ଟ ଗ୍ରାଜୁଏଟ୍‌, ୧୫ ପୋଷ୍ଟ ମାଷ୍ଟର୍ସ, ପିଏଚ୍‌ଡି ଏବଂ ପୋଷ୍ଟ ଡକ୍ଟରାଲ୍ ପାଠ୍ୟକ୍ରମ ଉପଲବ୍ଧ।

ପ୍ରତ୍ୟେକ ବର୍ଷ ସୋଆର ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ନିଯୁକ୍ତି ସୁଯୋଗ ପାଉଛନ୍ତି। କୋଭିଡ୍ ମହାମାରୀ ସତ୍ୱେ ୨୦୨୧ରେ ଗ୍ରାଜୁଏଟ୍ ହେଉଥିବା ସୋଆର ୯୧ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ମାଇକ୍ରୋସଫ୍‌ଟ, ଆମାଜନ୍‌, ଫିନାଷ୍ଟ୍ରା, ରବର୍ଟ ବୋସ, ଡେଲ୍‌, ପିଡବ୍ଲୁସି, କ୍ଲାଉଡ୍‌ଗିନ଼୍ ଡିଲଏଟ୍‌, ଇନ୍‌ଫର୍ମାଟିକା, ଟେମେନୋସ୍‌, ମ୍ୟାକ୍ ସଫ୍ଟୱେର, ଏନ୍‌ପିସିଆଇ, ସେଲ୍‌ସଫୋର୍ସ ଓ ରାପ୍ୟୁଟା ରୋବୋଟିକ୍ସ ଭଳି କମ୍ପାନୀରେ ଉଚ୍ଚକୋଟୀର ନିଯୁକ୍ତି ସୁଯୋଗ ପାଇଛନ୍ତି।

ଅଧିକାଂଶ ଛାତ୍ରଛାତ୍ରୀ ଏକରୁ ଅଧିକ କମ୍ପାନୀରେ ଚାକିରୀ ସୁଯୋଗ ପାଇଥିବା ବେଳେ ପ୍ରାୟ ୯୦ଟି କମ୍ପାନୀ ଏହି ରିକ୍ରୁଟମେଂଟ ନିମନ୍ତେ ସୋଆ କ୍ୟାମ୍ପସ୍‌କୁ ଆସିଥିଲେ।ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ଏହି ବିଶ୍ୱବିଦ୍ୟାଳୟ ନିକଟରେ ୭୭୩୪ ସ୍କୋପସ୍ ଇଣ୍ଡେକ୍ସ ପ୍ରକାଶନ ରହିଥିବା ବେଳେ ଏହାର ଏଚ୍‌-ଇଣ୍ଡେକ୍ସ ୭୦ ରହିଛି।

ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ୍ ମେଡିସିନ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଓ ସମ୍ ହସ୍ପିଟାଲ୍ ଏକ ୧୬୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଯାହା ପୂର୍ବ ଭାରତରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ରୋଗୀମାନେ ଏଠାରେ ସୁଲଭ ମୂଲ୍ୟରେ ଉତମ ଚିକିତ୍ସା ପାଇପାରୁଛନ୍ତି।

ଗତବର୍ଷ କୋଭିଡ ମହାମାରୀର ପ୍ରଥମ ଲହରୀ ରାଜ୍ୟକୁ ଆକ୍ରାନ୍ତ କରିବା ସମୟରେ ସୋଆ ଏହି ଭୟଙ୍କର ପରିସ୍ଥିତିର ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହା ସରକାରଙ୍କ ସହଯୋଗିତାରେ ଓଡ଼ିଶାରେ ୨୩୪୧ଟି ଶଯ୍ୟା ବିଶିଷ୍ଟ ୪ ଟି କୋଭିଡ ହସ୍ପିଟାଲ୍ ତଥା ୨ଟି କୋଭିଡ କେୟାର ସେଂଟରର ପରିଚାଳନା କରି ଏହି ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ଚିକିତ୍ସା କରିବାରେ ସଫଳ ହୋଇଥିଲା। ଏହି କୋଭିଡ ହସ୍ପିଟାଲ୍ ଗୁଡ଼ିକ ଭୁବନେଶ୍ୱର, ତାଳଚେର, କେନ୍ଦ୍ରାପଡା ଓ ଚାନ୍ଦପୁର ଠାରେ ସ୍ଥାପିତ ହୋଇଥିବା ବେଳେ କୋଭିଡ କେୟାର ସେଂଟର ଗୁଡ଼ିକ ଜଟଣୀ ଓ ଜାମୁଝରି ଠାରେ ସ୍ଥାପିତ ହୋଇଥିଲା।

ସେହିପରି ଚଳିତ ବର୍ଷ ରାଜ୍ୟ ମହାମାରୀର ଦ୍ୱିତୀୟ ଲହରୀର ସମ୍ମୁଖୀନ ହୋଇଥିବା ବେଳେ ସୋଆ ପକ୍ଷରୁ ସରକାରଙ୍କ ସହାୟତାରେ ଭୁବନେଶ୍ୱର, କେନ୍ଦ୍ରାପଡା, ତାଳଚେର, ଚାନ୍ଦପୁର ଓ ପୁରୀ ଠାରେ ୨୨୦୦ ରୁ ଅଧିକ ଶଯ୍ୟା ବିଶିଷ୍ଟ ୫ଟି ଡାକ୍ତରଖାନା ଓ ଜଟଣୀ ଠାରେ ଏକ କୋଭିଡ କେୟାର ସେଂଟର ପରିଚାଳନା କରାଯାଉଛି। ଏଥିରେ ଆଇଏମ୍‌ଏସ୍ ଓ ସମ୍‌
ହସ୍ପିଟାଲ୍‌ର ୫୦୦ ଡାକ୍ତରଙ୍କ ସହ ଅସଂଖ୍ୟ ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସଂସଦ ଅଧିବେଶନ ପୂର୍ବରୁ ଦୁଇ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚୀନ ମାମଲାର ସୂଚନା ଦେଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ। ସଂସଦ ଅଧିବେଶନ ଆରମ୍ଭ ହେବ ପୂର୍ବରୁ ଏନସିପି ଅଧ୍ୟକ୍ଷ ଶରଦ ପାୱାର ଏବଂ କଂଗ୍ରେସର ବରିଷ୍ଠ ନେତା ଏକେ ଆଣ୍ଟୋନୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ ମାମଲା ବିଷୟରେ ସୂଚନା ଦେଇଛନ୍ତି। ପୂର୍ବରୁ ଶରଦ ପାୱାର ଏବଂ ଏକେ ଆଣ୍ଟୋନୀ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଛନ୍ତି। ଏନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ଚୀନ ମାମଲାରେ ସେହି ଦୁଇ ନେତାଙ୍କୁ ଚୀନ ମାମଲାରେ ସୂଚନା ଦେଇଛନ୍ତି।

ଏହି ବୈଠକରେ ସିଡିଏସ ବିପିନ ରାୱତ ଏବଂ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ସାମିଲ ଥିଲେ। ସଂସଦ ଅଧିବେଶନ ପୂର୍ବରୁ ବିରୋଧୀ ଦଳର ବରିଷ୍ଠ ନେତାଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଏଭଳି ଆଲୋଚନା ଏକ ସାଧାରଣ ଶିଷ୍ଟାଚାର ବୋଲି କୁହାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡା’ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଅବସରପ୍ରାପ୍ତ ପ୍ରଶାସକ ତଥା କଥାକାର ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡା’ର ଲୋକାର୍ପଣ କରିଛନ୍ତି।

ମାଟିର ମହକରେ ନିଜକୁ ହଜାଇ ଦେଇଥିବା ପ୍ରଦୀପ୍ତ ତାରି ଭିତରେ ହିଁ ଶାଶ୍ବତର ସନ୍ଧାନ କରିଛନ୍ତି। ନିଜର ପରିଚୟ ସୃଷ୍ଟି କରିଛନ୍ତି ଓ ନିଜର ଜୀବନାନୁଭୂତିକୁ ସାହିତ୍ୟ ରଙ୍ଗରେ ରଙ୍ଗାଇଛନ୍ତି। ମାଟିର ଘୋଡା ସହିତ ମାଟି ଶିଲଟର ପୃଥିବୀ, ମାଟି ଘଟର ଜୀବନ ଓ ନିଜ ମାଟିର ଗନ୍ଧ ଆଦି ଗଳ୍ପ ସଂକଳନ ଶ୍ରୀ ମହାପାତ୍ରଙ୍କ ଉଜ୍ଜଳ ସାରସ୍ବତ ପ୍ରତିଭାର ପ୍ରତିଶୃତି ବହନ କରୁଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଥାକାର ଶ୍ରୀ ମହାପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ପୁସ୍ତକଟିର ସଫଳତା କାମନା କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକ୍‌ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ବ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବା ସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି  ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମିଶନ ଶକ୍ତି ହେଉଛି, ଓଡିଶାର ୭୦ ଲକ୍ଷ ମା ମାନଙ୍କର ଏକ ବିରାଟ ଅନୁଷ୍ଠାନ। ଏହା ହେଉଛି ଓଡିଶାର ବିକାଶ ବାହିନୀ। ସେମାନଙ୍କ ଦକ୍ଷତା ଉପରେ ଆସ୍ଥାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ‘ଆପଣମାନେ ଆଗକୁ ବଢନ୍ତୁ, ମୁଁ ଆପଣମାନଙ୍କ ସାଥିରେ ଅଛି।’

କୋଭିଡ ସମୟରେ ମିଶନ ଶକ୍ତିର ମା ମାନେ ବହୁତ ଭଲ କାମ କରିଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯେ ଆଜି ହେଉଛି ଏକ ଐତିହାସିକ ଦିବସ। ବ୍ଲକ୍‌ସ୍ତରରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଯେଉଁ ମିଶନ ଶକ୍ତି ଭବନ ଗଠନ ହେବ, ସେଥିରେ ମା ମାନେ ତାଲିମ ପାଇବେ, ଉତ୍ପାଦିତ ଦ୍ରବ୍ୟ ପାଇଁ ବିକ୍ରୟ କେନ୍ଦ୍ର ଖୋଲିପାରିବେ ଏବଂ ସେମାନଙ୍କ ନିଜସ୍ବ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ମା ମାନେ କୋଭିଡ ସମୟରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳନା ଠାରୁ ଆରମ୍ଭ କରି ମାସ୍କ ତିଆରି, ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଆଦି ଅନେକ ଭଲ କାମ କରି ମିଶନ ଶକ୍ତି ଆନ୍ଦୋଳନର ସୁନାମ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ, ‘ମୁଁ ସବୁବେଳେ କହି ଆସିଛି, ମା ସଶକ୍ତ ହେଲେ, ପରିବାର ସଶକ୍ତ ହେବ। ସମାଜ ସଶକ୍ତ ହେବ । ଗୋଟିଏ ଜାତି ସଶକ୍ତ ହେବ। ଇତିହାସର ଧାରା ମଧ୍ୟ ବଦଳିଯିବ।’

ମିଶନ ଶକ୍ତିର ମା ମାନଙ୍କ ସଫଳତା ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଜୀବନଜୀବିକା ଠାରୁ ଆରମ୍ଭ କରି ବିଭିନ୍ନ ବିକାଶ କାମରେ ଆପଣମାନେ ସାମିଲ ହୋଇ ଭଲ କାମ କରିଛନ୍ତି। ଆଜିର ଆଲୋଚନାରେ ରାଜ୍ୟର ବିଭିନ୍ନ ଅଞ୍ଚଳର – କୋରାପୁଟର ବୋରିଗୁମା ଠାରୁ ଆରମ୍ଭ କରି କଟକର ନିଆଳୀ ପର୍ଯ୍ୟନ୍ତ, ଆମର ବ୍ଳକ୍‌ସ୍ତରୀୟ ମହାସଂଘର ମା ମାନଙ୍କର କାମ ଦେଖି ଯେ କେହି ଗର୍ବ ଅନୁଭବ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ‘ମୋର ବିଶ୍ବାସ, ଦିନେ ଆପଣମାନଙ୍କ ଭିତରୁ ବଡ ବଡ ଉଦ୍ୟୋଗୀ ବାହାରିବେ।’

ରାଜ୍ୟ ସରକାର ବ୍ଲକ ଲେବୁଲ ଫେଡେରେସନର ଆବର୍ତ୍ତନ ପାଣ୍ଠି ଭାବରେ ୮୪.୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ମିଶନ ଶକ୍ତିର ମା ମାନଙ୍କୁ ରାଜ୍ୟ ସରକାର ବିନା ସୁଧରେ ଋଣ ଦେଉଛନ୍ତି। ଗତ ବର୍ଷ ସୁଧ ରିହାତି ଭାବରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କା ଦେଇଥିବା ବେଳେ, ଏବର୍ଷ ଏହାକୁ ୨୦୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମିଶନ ଶକ୍ତିର ମହିଳା ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରି କହିଥିଲେ ଯେ ଯେ କୌଣସି ବ୍ୟବସାୟ ପାଇଁ ପୁଞ୍ଜି ଯୋଗାଣ ସଞ୍ଜୀବନୀ ପରି କାର୍ଯ୍ୟ କରେ। ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଆବର୍ତ୍ତନ ପାଣ୍ଠି କରିଛନ୍ତି, ତାହା ମିଶନ ଶକ୍ତିକୁ ସ୍ବାବଲମ୍ବୀ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ। ମିଶନ ଶକ୍ତି ମା ମାନଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗ ଆଣିଛି ବୋଲି ସେମାନେ ମତ ଦେଇଥିଲେ।

କାର୍ଯ୍ୟକ୍ରମରେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏବଂ ମିଶନ ଶକ୍ତିର ଉପଦେଷ୍ଟା ଡଃ ଲୋପାମୁଦ୍ରା ବକ୍‌ସିପାତ୍ର ପ୍ରମୁଖ ସେମାନଙ୍କର ମତାମତ ରଖି କହିଥିଲେ ଯେ ମିଶନ ଶକ୍ତି ଆଜି ମା ମାନଙ୍କ ସାମାଜିକ ଅର୍ଥନୈତିକ ପରିବର୍ତ୍ତନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଭଳି ଏକ ନୀରବ ବିପ୍ଲବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପର୍ଣ୍ଣ ନେତୃତ୍ବରେ ସେମାନେ ଉଚ୍ଚପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୟୁରଭଂଜ ମୋରଡା ମିଶନ ଶକ୍ତି ମହାସଂଘର ଅଧ୍ୟକ୍ଷା ବିଷ୍ଣୁପ୍ରିୟା ଦାସ, କଟକ କଣ୍ଟାପଡା ମିଶନ ଶକ୍ତି ମହାସଂଘର ସଂପାଦିକା ବିଷ୍ଣୁପ୍ରିୟା ପାତ୍ର, ସମ୍ବଲପୁର ନାକଟିଦେଉଳ ମିଶନ ଶକ୍ତି ମହାସଂଘର ସଂପାଦିକା ଗୀତାଞ୍ଜଳି ପ୍ରଧାନ, କୋରାପୁଟ ନନ୍ଦପୁର ମିଶନ ଶକ୍ତି ମହାସଂଘର ସଂପାଦିକା ହେମଲତା ପ୍ରଧାନ ଓ ଢେଙ୍କାନାଳ ଗଁଦିଆ ମିଶନ ଶକ୍ତି ମହାସଂଘର ସଂପାଦିକା ନିର୍ମଳା ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରି ଏହି ସ୍ବତନ୍ତ୍ର ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ସମସ୍ତେ ଆଜି ନିଜର ପରିଚୟ ପାଇପାରିଛୁ। ମୁଖ୍ୟମନ୍ତ୍ରୀ ଆମ ମାନଙ୍କ ପାଖରେ, ଆମ ସୁଖଦୁଃଖରେ ସବୁବେଳେ ଠିଆ ହୋଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆମେ କୃତଜ୍ଞ। ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ।

ଏହି ଅବସରରେ ବ୍ରହ୍ମପୁର, ଢେଙ୍କାନାଳ ଓ ବାରିପଦାର ୩ଟି ସ୍ବୟ ସହାୟକ ଗୋଷ୍ଠୀ ମାନଙ୍କୁ ଆଚାର ବ୍ୟବସାୟ ପାଇଁ HDFC Bank ତରଫରୁ ଏକକାଳୀନ ୪୭ ଲକ୍ଷ ଟଙ୍କାର ଋଣ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ ସେମାନଙ୍କ ଦ୍ବାରା ଉତ୍ପାଦିତ ୧୨୦ ମେଟ୍ରିକ ଟନ୍ ଆଚାର ମିଶନ ଶକ୍ତି ଦ୍ବାରା ପରିଚାଳିତ ରାଜ୍ୟର ୧୭୭ଟି ଆହାର କେନ୍ଦ୍ରରେ ବ୍ୟବହାର ହେଉଛି।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ନିଜର ସ୍ବାଗତ ଭାଷଣ ରଖି ମିଶନ ଶକ୍ତିର କମିଶନର ତଥା ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ କହିଲେ ଯେ ଗୋଟିଏ ଯୋଜନାକୁ ଏକ ସ୍ବତନ୍ତ୍ର ବିଭାଗ ଭାବରେ କାର୍ଯ୍ୟକାରୀ କରିବାରେ ଓଡିଶା ହେଉଛି ସାରା ଭାରତବର୍ଷରେ ଏକମାତ୍ର ରାଜ୍ୟ। ଏଥିରୁ ମହିଳା ମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କେତେ ଗୁରୁତ୍ବ ଦେଉଛନ୍ତି, ତାହା ଅନୁମେୟ।

ସୂଚନାଯୋଗ୍ୟ ଯେ ଗତ ଦୁଇ ବର୍ଷରେ ମିଶନ ଶକ୍ତିର ବିଭିନ୍ନ ସ୍ବୟ ସହାୟକ ଗୋଷ୍ଠୀ ମାନଙ୍କ ଠାରୁ ୨୮୦୦ କୋଟି ଟଙ୍କାର ବିଭିନ୍ନ ଦ୍ରବ୍ୟ ଓ ସେବା କ୍ରୟ କରାଯାଇଛି। ସେ କହିଥିଲେ ଯେ ୨୦୨୧-୨୨ ବର୍ଷ ପାଇଁ ମିଶନ ଶକ୍ତିର ମା ମାନଙ୍କ ପାଇଁ ୬୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି।

ମିଶନ ଶକ୍ତିର ନିର୍ଦ୍ଦେଶିକା ଧନ୍ୟବାଦ ଅର୍ପଣ କରିଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୧୧: ସୁସ୍ଥ ହେଲେ ୨୩୫ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୮୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୨୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ହଜାର ୧୯୪ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୨୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୩ ହଜାର ୩୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୨୪୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୫୯୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୩୧୭ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୩୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୮୦, କଟକରୁ ୪୫୦, ପୁରୀରୁ ୧୫୦, ବାଲେଶ୍ବରରୁ ୧୪୯, ମୟୂରଭଞ୍ଜରୁ ୧୨୨, ଜଗତସିଂହପୁରରୁ ୯୬, ଭଦ୍ରକରୁ ୯୩, ନୟାଗଡରୁ ୭୨, କେନ୍ଦୁଝରରୁ ୬୦, ଅନୁଗୁଳରୁ ୫୮, ସୁନ୍ଦରଗଡରୁ ୫୭, କେନ୍ଦ୍ରାପଡାରୁ ୫୬, ଢେଙ୍କାନାଳରୁ ୪୮, କୋରାପୁଟରୁ ୪୨, ରାୟଗଡାରୁ ୩୮, ମାଲକାନାଗିରିରୁ ୩୪, ସମ୍ବଲପୁରରୁ ୨୪, କନ୍ଧମାଳରୁ ୨୩, ସୋନପୁରରୁ ୧୨, ବୌଦ୍ଧରୁ ୧୧, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୮, ଗଞ୍ଜାମରୁ ୬, ନବରଙ୍ଗପୁରରୁ ୫, ଦେବଗଡରୁ ୪, ବରଗଡରୁ ୩, ଗଜପତିରୁ ୩, ବଲାଙ୍ଗୀରିରୁ ୨, ନୂଆପଡାରୁ ୧ ଏବଂ ଷ୍ଟେଟ ପୁଲରୁ ୧୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୨୫ ହଜାର ୫୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୯ ହଜାର ୯୨୯ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୪୨୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୯୨୪ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରରେ ଟ୍ରେନିଂ ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ: ଜଣେ ପାଇଲଟ ମୃତ, ଅନ୍ୟ ଜଣେ ଆହତ

ମୁମ୍ବାଇ: ମହାରାଷ୍ଟ୍ରର ଜଳଗାଓଁରେ ଏକ ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

ପୋଲିସର ସୂଚନା ମୁତାବକ, ଟ୍ରେନିଂ ଏକାଡେମୀର ହେଲିକ୍ୟାପ୍ଟରରେ ଜଣେ ମହିଳାଙ୍କ ସମେତ ଦୁଇଜଣ ପାଇଲଟ ଥିଲେ। ଟ୍ରେନିଂ ଚାଲିଥିବା ବେଳେ ହେଲିକ୍ୟାପ୍ଟରଟି କୌଣସି ଏକ କାରଣବଶତଃ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି ଏବଂ ଆଉ ଜଣେ ଆହତ ହୋଇଛନ୍ତି।

Categories
ଆଞ୍ଚଳିକ

ଆସନ୍ତାକାଲି ଚିଲିକାରେ ୭୦୦ ଲୋକଙ୍କୁ ଦିଆଯିବ ଟୀକା: ଜାଣନ୍ତୁ କେଉଁ କେନ୍ଦ୍ର ପାଇଁ କେତେ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ୭୦୦ ଲୋକଙ୍କୁ କେବଳ ଦ୍ଵିତୀୟ ଡୋଜ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୨୦୦ ଡୋଜ

୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୧୦୦ ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ- ୨୦୦ ଡୋଜ
୨ – ନଈରୀ ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ
୩- ଜରିପଡ଼ା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

ଚିଲିକାର ସବୁ ଟିକାକେନ୍ଦ୍ରରେ ସକାଳ ୯ ଘଟିକାରୁ ଅପରାହ୍ନ ୪ ଘଟିକା ଯାଏଁ ଟୀକାକରଣ କାର୍ଯ୍ୟକ୍ରମ ଚାଲୁ ରହିବ।

Categories
ଆଜିର ଖବର ରାଜ୍ୟ ଖବର

ଭାଲୁ ଆକ୍ରମଣରେ ଜଣେ ଆହତ: ଡାକ୍ତରଖାନାରେ ଭର୍ତ୍ତି

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ରେଞ୍ଜ ଅଧିନସ୍ଥ ଅଙ୍ଗାବିରା ଗ୍ରାମରେ ଜନୈକ ବ୍ୟକ୍ତିକୁ ଭାଲୁ ଆକ୍ରମଣ କରିଥିବା ଜଣା ପଡିଛି।

ଖବରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ୍ଜ ଅଧିନସ୍ଥ ଅଙ୍ଗାବିରା ଗ୍ରାମର ରାଜା ସ୍ୱାଇଁ ନାମକ ବ୍ୟକ୍ତି ଜଙ୍ଗଲକୁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କର ଜଙ୍ଘରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି। ତାଙ୍କୁ ଗ୍ରାମବାସୀ ଉଦ୍ଧାର କରି ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା କରି ତାକୁ ପୁଣି ରେଢାଖୋଲ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରଯାଇଥିବା ଜଣା ପଡିଛି।

Categories
ଆଜିର ଖବର ଆଞ୍ଚଳିକ

ଦର ଦାମ ବୃଦ୍ଧିକୁ ନେଇ ବାଣପୁରରେ ପ୍ରତିବାଦ: କେନ୍ଦ୍ର ସରକାର ବିରୋଧରେ ବର୍ଷିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ସୀତାରାମ ଅଗ୍ରୱାଲ

ବାଣପୁର: ଅତ୍ୟାବଶ୍ୟକୀ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଓଡ଼ିଶାର ସମସ୍ତ ବ୍ଲକ/ସହରାଞ୍ଚଳରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପସଭାପତି ତଥା ଚିଲିକା ନିର୍ବାଚନମଣ୍ଡଳୀର ସଂଗଠକ ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଘଣ୍ଟ ବାଡେଇ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଉଦ୍ଦେଶ୍ୟରେ ଏକ ପ୍ରତିବାଦ ସଭାର ମଧ୍ୟ ଆୟୋଜନ କରାଯାଇଥିଲା।

ଉକ୍ତ ପ୍ରତିବାଦ ସଭାରେ ଓଡିଶାର ପୂର୍ବତନ ମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନେତୃବୃନ୍ଦ ଯୋଗଦେଇଥିଲେ। ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ଲାଗି ସୁରେଶ ରାଉତରାୟ ଏବଂ ପ୍ରଦୀପ କୁମାର ସ୍ୱାଇଁ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରବଳ ବର୍ଷିଥିଲେ।

ପ୍ରତିବାଦ ସଭା ପରେ ସୁରେଶ ରାଉତରାୟଙ୍କ ନେତୃତ୍ୱରେ କୋଭିଡ କଟକଣା ଅନୁଯାୟୀ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହା ବାଣପୁର ବ୍ଲକ ସମ୍ମୁଖରୁ ବାହାରି ନଗର ପରିକ୍ରମା କରି ବିଶରପାଟଣା ଛକ ପର୍ଯ୍ୟନ୍ତ ଯାଇଥିଲା। ତେବେ ସୁରେଶ ରାଉତରାୟଙ୍କୁ ଦେଖିବା ପାଇଁ ଜନସାଧାରଣଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷାକରିବା ପାଇଁ ବାଣପୁର ଆଇଆଇସିଙ୍କ ତତ୍ୱାବଧାନରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।