ପ୍ରଶାସନର ଖାମଖିଆଲୀ ନୀତି ଯୋଗୁଁ ଟ୍ରାଫିକ୍‌ ସମସ୍ୟାରେ ଅଣନିଃଶ୍ବାସୀ ବ୍ରହ୍ମପୁରବାସୀ

Published: Feb 20, 2020, 9:28 am IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ହଳଦିଆପଦର ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ୧୩ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀ ଗତ ଫେବୃୟାରୀ ୨, ୨୦୧୬ରୁ ଉଦ୍‌ଘାଟନ କରିଥିଲେ। ଇତିମଧ୍ୟରେ ପ୍ରାୟ ୪ ବର୍ଷ ବିତିଗଲାଣି। ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ପ୍ରସଂଗ ବର୍ତ୍ତମାନ ଶୀତଳ ଭଣ୍ଡାରରେ ପଡ଼ି ରହିଛି। ବ୍ରହ୍ମପୁର ସହରର ଟ୍ରାଫିକ୍ ବ୍ୟବସ୍ଥା ଦିନକୁ ଦିନ ଭୁଷୁଡ଼ିବାବେଳେ ବୁଢ଼ିଆଣୀ ଜାଲ ସଦୃଶ୍ୟ ସହର ବର୍ତ୍ତମାନ। ଦିନକୁ ଦିନ ବ୍ରହ୍ମପୁର ଟ୍ରାଫିକ୍ ସମସ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ପଟେ ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରିତର ବିବାଦର ସମାଧାନ ହୋଇପାରୁନାହିଁ। ପ୍ରଶାସନ ଆଜିକୁ ଦୀର୍ଘ ତିନିବର୍ଷ ହେଲା ଘରୋଇ ବସ୍ ମାଲିକ ସଂଘ ପାଖରେ ମୁଣ୍ଡ ନୁଆଁଉଛି କହିଲେ କିଛି ଭୁଲ୍ ହେବ ନାହିଁ

ବ୍ରହ୍ମପୁର ଟ୍ରାଫିକ୍ ସମସ୍ୟାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ହଳଦିଆପଦରଠାରେ ଏକ ନୂତନ ବସ୍ ଟର୍ମିନାଲ୍ ନିର୍ମାଣ କରିଥିଲେ। ଇତିମଧ୍ୟରେ ଉଦ୍‌ଘାଟନ ହୋଇ ପ୍ରାୟ ୪ ବର୍ଷ ହୋଇଗଲାଣି। କିନ୍ତୁ ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରଣ ହେବାର ନାଁ ଧରୁନି । ପ୍ରଶାସନ ଯେତେ ଚେଷ୍ଟା କଲେ ମଧ୍ୟ ଘରୋଇ ବସ୍ ସଂଘ ତାଙ୍କ ଜିଦ୍‌ରେ ଅଟଳ। ବିଭିନ୍ନ ବାହାନା ଏଭଳିକି ହାଇକୋର୍ଟରୁ ରହିତାଦେଶ ଆଣି ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରିତ ହେବାକୁ ଦେଉନାହାନ୍ତି । ଏହିପଟେ ଏତେମାତ୍ରାରେ ବସ୍ ବୃଦ୍ଧି ପାଇଲାଣି ଯେ, ସହରବାସୀ ଟ୍ରାଫିକ୍‌ରେ ଅଣନିଶ୍ୱାସୀ ହୋଇଗଲେଣି। ଦିନକୁ ଦିନ ଦୁର୍ଘଟଣା ମଧ୍ୟ ଘଟୁଛି। ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଗତ କିଛି ଦିନ ତଳେ ବିଡ଼ିଏ ଏବଂ ବ୍ରହ୍ମପୁର ମ୍ୟୁନିସିପାଲ୍‌ଟି କର୍ପୋରେସନ ମିଳିତ ସହଯୋଗରେ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଏହି ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରିତ ପାଇଁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହାର ସୁଫଳ ମଧ୍ୟ ମିଳିଲା ନାହିଁ ।

ବ୍ରହ୍ମପୁର ଜନସାଧାରଣ ଭାବିଥିଲେ ଏଥର ନିଶ୍ଚିନ୍ତ ଭାବେ ବସ୍‌ଷ୍ଟାଣ୍ଡଟି ସ୍ଥାନାନ୍ତରିତ ହେଲେ ହୁଏତ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇପାରିବ କିନ୍ତୁ ପ୍ରଶାସନର ଖାମଖିଆଲି ମନୋବୃତ୍ତି ଯୋଗୁଁ ଟ୍ରାଫିକ୍ ସମସ୍ୟାକୁ ଦ୍ୱିଗୁଣିତ କରିଦେଲା। ସୂଚନାଥାଉକି ବିଡ଼ିଏ କାମର ବାହାନା ଦେଖାଇ ପୁରାତନ ବସ୍‌ଷ୍ଟାଣ୍ଡକୁ ବିଭିନ୍ନ ଜାଗାରେ ଖୋଳି ବସ୍ ଉକ୍ତ ଜାଗାକୁ ଯିବାକୁ ଦେଇନଥିଲା । ଯାହାଫଳରେ ଗାତ ଖୋଳା ହେବା ଯୋଗୁଁ ବସ୍‌ଗୁଡ଼ିକ ବସ୍‌ଷ୍ଟାଣ୍ଡ ଭିତରେ ପଶି ପାରୁନଥିଲେ। କିନ୍ତୁ ପ୍ରଶାସନକୁ ଚାଲେଞ୍ଜ କରି ସହରର ବିଭିନ୍ନ ନୋ ପାର୍କିଂ ଜାଗାରେ ବସ୍‌ଗୁଡ଼ିକ ଛିଡ଼ା କରାଇଲେ। ଏଥିପ୍ରତି ନା ପୋଲିସ୍ ପ୍ରଶାସନ ନା ଜିଲ୍ଲା ପ୍ରଶାସନ ସବୁ ଦେଖି ନ ଦେଖିଲା ପରି ରହିଲା। ଦୁଇତିନି ଦିନ ବ୍ୟବଧାନରେ ବସ୍ ମାଲିକ ସଂଘ ଏବଂ ପ୍ରଶାସନ ଭିତରେ କି ସମ୍‌ଝୋତା ହେଲା ପୁଣିଥରେ ବସ୍‌ଗୁଡ଼ିକ ବସ୍‌ଷ୍ଟାଣ୍ଡ ଭିତରେ ପ୍ରବେଶ କଲା । କିନ୍ତୁ ପୂର୍ବରୁ ଗୋଟିଏ ପଟେ ବସ୍ ଭିତରେ ପଶି ଅନ୍ୟପଟେ ବାହାରୁଥିଲା।

ଟ୍ରାଫିକ୍ ଜାମ୍ ହେଲେ ବି କିଛି ଟା ସୁବିଧା ଥିଲା। କିନ୍ତୁ ପ୍ରଶାସନ ଗୋଟିଏ ପଟେ ଖୋଳା ହୋଇଥିବା ଜାଗାକୁ ପ୍ୟାକିଂ କରି ବସ୍‌କୁ ଯିବାକୁ ଦେଲା । କିନ୍ତୁ ଅନ୍ୟପଟେ ଯେମିତି ଖୋଳା ହୋଇଥିଲା ସେହିଭଳି ଆଜି ବି ପଡ଼ି ରହିଛି। ନା’ ବିଡ଼ିଏ ସେଠାରେ କୌଣସି କାର୍ଯ୍ୟ କରୁଛି, ନା ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରିବା ପାଇଁ ପଦକ୍ଷେପ ନେଉଛି। ଗୋଟିଏ ପଟେ ବସ୍ ପଶିବା ଏବଂ ସେହିପଟେ ହିଁ ପୁଣିଥରେ ବାହାରିବା ବହୁ ଅସୁବିଧା ହେଉଥିଲେ ସୁଦ୍ଧା ଘରୋଇ ବସ୍ ଏବଂ ସରକାରୀ ବସ୍ ତାଙ୍କ ଜିଦ୍‌ରେ ଅଟଳ ଥିଲାପରି ଅଡ଼ି ବସିଛନ୍ତି। ଯାହାଫଳରେ କମାପଲ୍ଲୀ ଛକଠାରୁ ଗେଟ୍ ବଜାର ଛକ ପର୍ଯ୍ୟନ୍ତ ଟ୍ରାଫିକ୍ ସମସ୍ୟା ଏତେ ମାତ୍ରାରେ ବଢ଼ିଯାଇଛି ଉକ୍ତ ରାସ୍ତାରେ ସହରବାସୀ ଅଣନିଶ୍ୱାସୀ ହୋଇପଡ଼ନ୍ତି।

ଯଦି ଜିଲ୍ଲା ପ୍ରଶାସନ ଉକ୍ତ ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରିପାରୁନାହିଁ ତେବେ ରାସ୍ତାଟାକୁ ଖୋଳି ଟ୍ରାଫିକ୍ ଜାମ କରିବାର କି ଅଧିକାର ଅଛି। ଯେପରି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ଠିକ୍ ସେହିଭଳି ଯଦି ବ୍ରହ୍ମପୁର ସହରରେ କୌଣସି  ଘର ଆଗରେ ଖୋଳାଯାଇଥାଏ ତେବେ ବିଏମ୍‌ସି ଘର ମାଲିକକୁ ଜୋରିମାନା ପକାଇଥାଏ। ରାସ୍ତା ଅବରୋଧ କଲେ ଜୋରିମାନା, ବେଆଇନ ପାର୍କିଂ କଲେ ଜୋରିମାନା, କିନ୍ତୁ ଏ ବ୍ୟବସ୍ଥାକୁ ବିଡ଼ିଏ କିମ୍ବା ବିଏମ୍‌ସିକୁ ଜୋରିମାନା ପକାଇବ କିଏ ବୋଲି ସହରର ବୁଦ୍ଧିଜୀବୀ ଏବଂ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି। ବିଡ଼ିଏର ଏହି ପଦକ୍ଷେପକୁ ସହରବାସୀ ନିନ୍ଦା କରିବା ସହ ତୁରନ୍ତ ଏହି ଖୋଳାଯାଇଥିବା ରାସ୍ତାକୁ ପୁଣିଥରେ ଚାଲୁ କଲେ ହୁଏତ ଟ୍ରାଫିକ୍ ସମସ୍ୟାର କିଛି ମାତ୍ରାରେ ସମାଧାନ ହୋଇପାରିବ ବୋଲି ସହରବାସୀ ଆଶା ରଖିଛନ୍ତି। ଗୋଟିଏ ପଟେ ବ୍ରହ୍ମପୁର ସହର ଘରୋଇ ବସ୍ ଏବଂ କଲେଜ ବସ୍‌ଗୁଡ଼ିକ ବେଆଇନ ପାର୍କିଂ କରି ରାସ୍ତାଜାମ୍ କରୁôଥିବା ଦେଖିବାକୁ ମିଳୁଛି । ଯଦି ଜିଲ୍ଲା ପ୍ରଶାସନ ବେଆଇନ ପାର୍କିଂ ଏବଂ ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରିତକୁ ନେଇ ସାମୁହିକ ପଦକ୍ଷେପ ନେଇପାରିଥାନ୍ତା ତେବେ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ଲୋକେ କୁହନ୍ତି।

Related posts