କାଶ୍ମୀର, ଧାରା ୩୭୦, ଦେଶପ୍ରେମୀ ଉଦ୍ଦାମତା ଓ ଯେତେସବୁ ଅନାବନା ଭାବପ୍ରବଣତା- କିଛି ପ୍ରଶ୍ନ ଓ ଉତ୍ତର

Published: Aug 6, 2019, 9:47 am IST

ରଙ୍ଗାଚରଣ ପ୍ରଧାନ

୧. ଧାରା ୩୭୦ ହଟିଗଲେ କାଶ୍ମୀରରେ ଦେଶ ବିରୋଧୀ ଆତଙ୍କବାଦ କମି ଯିବ କି ?
ଉ: ନା । ଏହା ଲାଗି ରହିବ । ସେଇଥିପାଇଁ ତ ଆହୁରି ୩୫୦୦୦ ସୈନ୍ୟ ପଠା ଯାଇଛି ।

୨. କାଶ୍ମୀରର ରାଜନୈତିକ ନେତାଙ୍କୁ ପ୍ରଥମ ଥର ଗିରଫ ଓ ନଜରବନ୍ଦ ରଖା ଯାଇଛି କି ?
ଉ: ନା, ଆଗରୁ ଏପରି ଅନେକ ଥର ହୋଇଛି ।

୩. ଧାରା ୩୭୦ ହଟିଯିବା ପରେ କାଶ୍ମୀର ବାହାର ଲୋକ ସେଠାରେ ଜମି କିଣି ପାରିବ କି ?
ଉ: ହଁ । କିନ୍ତୁ ସେଥିପାଇଁ ଜଣେ କାଶ୍ମୀରୀ ଲୋକ ଜମି ବିକିବାକୁ ରାଜି ହେବା ଦରକାର । ସେ କଦାପି ରାଜି ହେବ ନାହିଁ । ଯଦି ସେ ରାଜି ହେଲା ତେବେ ସେଥିରେ କାହାର ଆପତ୍ତି କାହିଁକି ହେବ ?

୪. ଅମ୍ବାନୀ ଓ ଅଦାନୀ ସହଜରେ ସେଠାରେ ଜମି ପାଇଯିବେ କି ?
ଉ: ସେମାନେ ଏମିତି ବି ଅନ୍ୟ ରାଜ୍ୟଗୁଡିକରେ ଜମି ନେଉଛନ୍ତି । ତାଙ୍କୁ କିଏ ରୋକୁଛି ?

୫. ଏହା ଦ୍ବାରା ଭାରତ ସହିତ କାଶ୍ମୀରର ମିଶ୍ରଣ ପ୍ରକ୍ରିୟା ଚୁଡାନ୍ତ ହେଲା କି ?
ଉ: ଆମେ ଆଗରୁ ବି କହୁଥିଲୁ ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ ଓ ଏବେ ବି କହିବୁ ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ । ଅନ୍ୟ ଦେଶଗୁଡିକ ଆଗରୁ ବି କହୁଥିଲେ ତାହା ଭାରତ ଅଧିକୄତ ଦେଶ ଓ ଏବେ ବି କହିବେ ତାହା ଭାରତ ଅଧିକୄତ ଦେଶ ।

୬. ଏପରି କରିବା ପାଇଁ ଅସାମ୍ବିଧାନିକ ଉପାୟ ଅବଲମ୍ଵନ କରାଯାଇଛି କି ?
ଉ: ନିଶ୍ଚିତ ଭାବେ । ମୂଳ ଚୁକ୍ତିନାମା ଅନୁଯାୟୀ ଏଥିପାଇଁ କାଶ୍ମୀରର ସାମ୍ବିଧାନିକ ସଭାରେ ପ୍ରସ୍ତାବ ଆଗତ ହେବାର ଥିଲା । ନହେଲେ ଅତି କମରେ କାଶ୍ମୀର ବିଧାନସଭାରେ ପ୍ରସ୍ତାବ ଆସିବାର ଥିଲା । ରାଜ୍ୟପାଳଙ୍କ ପ୍ରସ୍ତାବର କିଛି ମାନେ ନାହିଁ । ସେ କାଶ୍ମୀରର ନାଗରିକ ବି ନୁହନ୍ତି । ଏହି ପ୍ରକ୍ରିୟାକୁ କୋର୍ଟରେ ଚାଲେଞ୍ଜ ହେବ ଓ ଆଜି ପର୍ଯ୍ୟନ୍ତ କୋର୍ଟ ଏହି ମାମଲାରେ ଯାହା ମତ ରଖିଛି, ସେହି ଅନୁସାରେ ବାତିଲ ହୋଇଯିବା କଥା ।

୭. ଏହା ଦ୍ବାରା ଏକ ଦେଶ ଏକ ସମ୍ବିଧାନ ହେବ କି ?
ଉ: ମୋଟେ ନୁହେଁ । ଏବେ ବି ଅନେକ ରାଜ୍ୟକୁ ସମ୍ବିଧାନରେ ବିଶେଷ କ୍ଷମତା ଦିଆଯାଇଛି । ଜାମ୍ମୂ କାଶ୍ମୀରର ସ୍ବତନ୍ତ୍ର ପତାକା ହଟିଯିବ । ମାତ୍ର ଏହି ବିଜେପି ସରକାର ନାଗାଲାଣ୍ଡକୁ ସ୍ବତନ୍ତ୍ର ପତାକା ଦେଇ ସାରିଛି । ଆମେରିକା ଭଳି ଦେଶରେ ଥିବା ରାଜ୍ୟଗୁଡିକରେ ନିର୍ବାଚନ ପ୍ରକ୍ରିୟା ହିଁ ଭିନ୍ନ । ସେ ଦେଶରେ ଏକତା ଓ ଅଖଣ୍ଡତା କ୍ଷୁର୍ଣ ହେଉନି ।

୭. ବିଲ୍ ପାଇଁ ଯେତିକି ଆଲୋଚନା ହେବା କଥା ତାହା ହୋଇଛି କି ?
ଉ: ହୋଇ ନାହିଁ । ହୋଇଥିଲେ ବି ଫଳ ଅଲଗା ହୋଇ ନଥାନ୍ତା। କେବଳ ଏହି ବିଲ୍ ପାଇଁ ନୂହେଁ, ଆହୁରୀ ଅନେକ ସଂଖ୍ୟକ ବିଲ୍ ଏହିପରି ପାଶ୍ ହେଉଛି । ତେଣୁ ସମସ୍ୟାଟି କେବଳ କାଶ୍ମୀର ବିଷୟକ ନୂହେଁ ।

୮. ଅତୀତରେ କଂଗ୍ରେସ କରିଥିବା ଭୁଲର ଆଜି ସଂଶୋଧନ ହେଲା କି ନୂହେଁ ?
ଉ: ଧାରା ୩୭୦କୁ ଆଗରୁ କଂଗ୍ରେସ ସରକାର ଖୋଳ କରିସାରିଛି । କଂଗ୍ରେସ ଦ୍ବାରା ଶେଖ୍ ଅବଦୁଲ୍ଲାଙ୍କୁ ଗିରଫ କରି, ସେଠାରେ ବକ୍ସି ଗୁଲାମ ମହମ୍ମଦ ଓ ସୟଦ୍ ମୀର୍ କାଶିମ୍ ଭଳି ସଖି କଣ୍ଢେଇ ମୁଖ୍ୟମନ୍ତ୍ରୀ ଥିବା ବେଳେ ଆଦେଶ ଜାରି କରି ଧାରା ୩୭୦କୁ ଅନେକ ଦୁର୍ବଳ କରାଯାଇ ସାରିଛି । ୧୯୫୫ରୁ ୧୯୯୫ ମଧ୍ୟରେ ପ୍ରାୟ ୨୦୦ଟି ଏପରି ସାମ୍ବିଧାନିକ ଆଦେଶ ବଳରେ କାଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ସ୍ବାୟତତା କାଢି ନିଆ ଯାଇଛି । ଆଜି କେବଳ ଯାହା କପଡାଟା ଗଲା ।

୯. ଏହା ଦ୍ବାରା କାଶ୍ମୀରର ବିଛିନ୍ନତାବାଦୀ ହିଁସା ବଢିବ କି ?
ଉ: ପୁରା ସମ୍ଭାବନା ଅଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ସେଠାରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଉଥିବା ଯୁବକଙ୍କ ସଂଖ୍ୟା ବଢିଛି । ସେହି ଯୁବକମାନଙ୍କୁ ମତେଇବା ପାଇଁ ଆତଙ୍କବାଦୀଙ୍କୁ ଆହୁରି ଗୋଟିଏ ଯୁକ୍ତି ମିଳିଗଲା । ଆଗରୁ ସୈନ୍ୟ ପଠାଇ ସେମାନଙ୍କୁ ଜବତ କରାଯାଉଥିଲା । ଏବେ ବି ସେଇଆ ହେବ । ଧାରା ୩୭୦ କାଶ୍ମୀରର ବସ୍ତୁସ୍ଥିତି ଉପରେ କୌଣସି ଉନ୍ନତି ଆଣିବ ନାହିଁ ।

୧୦. ଆନ୍ତର୍ଜାତିକ ପ୍ରତିକ୍ରିୟା ତୀବ୍ର ହେବନି କି ?
ଉ: ସମସ୍ତେ ହଲ୍ଲା କରିବେ। କାହା ପାଖରେ ଏତେ ସମୟ ନାହିଁ ଯେ କିଏ ଏ ପ୍ରସଙ୍ଗରେ ସକ୍ରୀୟ ଭାବେ ମୁଣ୍ଡ ପୁରେଇବ। ସମସ୍ତଙ୍କର ବଜାର ଦଖଲ ଚିନ୍ତା। ଭାରତୀୟ ବଜାର ସେମାନଙ୍କ ପାଇଁ ଆଉ ଅଧିକ ଖୋଲିଦେଲେ ସେମାନେ ଚୁପ୍ ରହିବ । ଶକ୍ତିଶାଳୀ ଦେଶମାନେ ନିୟମିତ ଭାବେ ଆନ୍ତର୍ଜାତିକ ଚୁକ୍ତି ଭଙ୍ଗ କରିଥାନ୍ତି । ସବୁ କିଛି ଭାରତର କୂଟନୈତିକ ଦକ୍ଷତା ଓ ବଜାର ଖୋଲିବା ଉପରେ ନିର୍ଭର କରେ ।

୧୧. ଏହା ଦ୍ବାରା କାଶ୍ମୀର ପଣ୍ଡିତଙ୍କ ପ୍ରତି ନ୍ୟାୟ ହେଲାନି କି ?
ଉ: କେବଳ ବିଜେପି ଓ ପାକିସ୍ଥାନ କାଶ୍ମୀରକୁ ହିନ୍ଦୁ-ମୁସଲମାନ ସମସ୍ୟା ରୁପେ ଦେଖିଥାନ୍ତି । ବାବରି ମସଜିଦ୍ ଧ୍ବଂସ ପାଇଲା ବେଳେ କାଶ୍ମୀରରେ ତାହାର କୌଣସି ପ୍ରଭାବ ପଡି ନଥିଲା । ଧାରା ୩୭୦ର କାଶ୍ମୀର ପଣ୍ଡିତଙ୍କ ସ୍ଥିତି ସହ କୌଣସି ସମ୍ପର୍କ ନାହିଁ ।

୧୨. ଦେଶପ୍ରେମର ବିଜୟ ହେଲାନାହିଁ କି ?
ସେମାନଙ୍କ ପାଖରେ ଶହ ଶହ ମେଗାମିଡିଆ ଅଛି । କାଲି ଅମିତ୍ ଶାହାର ଝାଡା କ୍ଲିଅର୍ ହେଲେ ସେମାନେ ଏହାକୁ ଦେଶପ୍ରେମର ଉଦାହରଣ ରୂପେ ପ୍ରଚାର କରିବେ । ବିଜେପି ସମର୍ଥକମାନଙ୍କ ମଧ୍ୟରୁ ଅନେକ ସନ୍ନି ଦେଓଲଙ୍କ ଗଦ୍ଦର ଛବିରେ ଅନୁପ୍ରାଣିତ ହୋଇ ଦେଶପ୍ରେମୀ ହୋଇଛନ୍ତି । ବର୍ତ୍ତମାନ ରସାତଳକୁ ଯାଇଥିବା ଅର୍ଥନୀତିରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏହି ଦେଶପ୍ରେମ କିଛି ଦିନ କାମରେ ଆସିବ । କିନ୍ତୁ, ବର୍ଷ ଶେଷରେ ଜିଡିପି ୬%ରୁ ବି କମ୍ ରହିବ ।

Related posts