Categories
ଆଞ୍ଚଳିକ

ଗଞ୍ଜାମ ମେରୁଯାତ୍ରା ଉପରେ କଟକଣା, ଉନ୍ନୟନ କାର୍ଯ୍ୟ ଏବଂ ନୀତି ନିର୍ଦ୍ଧାରଣ ପାଇଁ କମିଟି ଗଠନ

ହେମାଙ୍ଗ ପ୍ରସାଦ ରାଉଳ
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ମେରୁ ସଂକ୍ରାନ୍ତି ଅବସରରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଯାତ୍ରା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଛି। ଜନ ଗହଳିରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ମର୍ମରେ ନିର୍ଦ୍ଦେଶ ଜାରି କରିଛନ୍ତି। ବିଧି ମୁତାବକ ପୂଜକ ପୂଜାକାର୍ଯ୍ୟ ତୁଲାଇବେ। କୌଣସି ବାହାର ବ୍ୟକ୍ତି ଏଥିରେ ସାମିଲ ହେବେ ନାହିଁ। ନିର୍ଦ୍ଦେଶ ଅବମାନନା କଲେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କରୋନାକୁ ପ୍ରତିହତ କରିବାପାଇଁ ଏହି ନିଷ୍ପତ୍ତି ଗ୍ରହଣ କରିବାକୁ ପଡୁଛି ବୋଲି ପ୍ରଶାସନ ସ୍ପଷ୍ଟ କରିଛନ୍ତି। ସେହିପରି ଲକ୍ ଡାଉନ୍ ପରେ ପ୍ରଶାସନିକ କାର୍ଯ୍ୟକୁ କିପରି ଶୃଙ୍ଖଳିତ ଓ ଦକ୍ଷତାର ସହିତ ଆଗେଇ ନେଇ ହେବ ସେଥିପାଇଁ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଏକ କମିଟି ଗଠିତ ହୋଇଛି। ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କମିଟିର ଅଧ୍ୟକ୍ଷ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କମିଟିର ରୂପରେଖ ନିର୍ଣ୍ଣୟ କରିବେ। ସମସ୍ତ ବିଭାଗୀୟ ଅଧିକାରୀମାନେ ଲକ୍ ଡାଉନ୍ ପରେ ତୁରନ୍ତ ସେବା ଯୋଗାଇ ଦେବାପାଇଁ କିପରି କାର୍ଯ୍ୟଧାରା ପ୍ରସ୍ତୁତ କରିବେ ତାର ବିବରଣୀ କମିଟି ସମ୍ମୁଖରେ ରଖିବେ। ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ କମିଟିର ସୁପାରିଶ୍ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।

ସରପଞ୍ଚ ମାନଙ୍କ ଦ୍ବିତୀୟ ପର୍ଯ୍ୟାୟ ବୈଠକରେ ଜିଲ୍ଲାପାଳ ଗ଼଼ଞ୍ଜାମରେ କରୋନାପାଇଁ ନିର୍ଦ୍ଧାରିତ ନିୟମ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି। ଜିଲ୍ଲାରେ ଗୋଟିଏ ବି ଆକ୍ରାନ୍ତ ଦୃଷ୍ଟି ଗୋଚର ହେଲେ ସାଧାରଣ ଲୋକଙ୍କୁ କିପରି ଦୁର୍ଦ୍ଦଶା ଭୋଗିବାକୁ ହୁଏ ତାହାମଧ୍ୟ ଜିଲ୍ଲାପାଳ ସୂଚାଇ ଦେଇଛନ୍ତି। ବେସାହାରା ମାନଙ୍କ ପାଇଁ ସରକାରଙ୍କ ରନ୍ଧାଖାଦ୍ୟକୁ ଜଗନ୍ନାଥଙ୍କ ମହାପ୍ରସାଦ ବୋଲି ଜିଲ୍ଲାପାଳ ବର୍ଣ୍ଣନା କରିଥିଲେ। ସେହିପରି କୌଣସି ବାହାର ଲୋକ ଜିଲ୍ଲାରେ ମାସ୍କ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କଲେ ତାଙ୍କୁ ନିବୃତ ରଖିବା ପାଇଁ ସରପଞ୍ଚମାନେ ଅଧିକ ଯତ୍ନବାନ ହେବାକୁ ଜିଲ୍ଲାପାଳ କହିଛନ୍ତି। ପଞ୍ଚାୟତରେ କେହି ଯେପରି ଭୋକିଲା ରହୁନାହାନ୍ତି ତାର ସାର୍ଟିଫିକେଟ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୁଗ୍ମ ଦସ୍ତଖତରେ ପ୍ରଶାସନକୁ ପ୍ରଦାନ କରିବେ। କୌଣସି ସାମାଜିକ କାର୍ଯ୍ୟକ୍ରମ କରି ଗହଳି କଲେ ତାଙ୍କ ବିରୁଦ୍ଧରେ ପୋଲିସ୍ ଏଫ.ଆଇ.ଆର୍. ହେବ। ଭତ୍ତା ବଣ୍ଟନରେ କିଛିବି ଦୁର୍ନୀତି ହେଲେ ସଂପୃକ୍ତ କର୍ମଚାରୀଙ୍କୁ ଜେଲ୍‌ ପଠାଯିବ ବୋଲି ଜିଲ୍ଲାପାଳ ଦୃଢୋକ୍ତି ପ୍ରକାଶ କରିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଆଞ୍ଚଳିକ

ବିଜୁ ପଟ୍ଟନାୟକ ମେମୋରିୟାଲ୍ ଟ୍ରଫି: ଧାନବାଦ ଷ୍ଟାରସ୍ ବିଜୟୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଲ୍‌ଫା ସ୍ପୋଟିଂ କ୍ଲବ୍‌ ବ୍ରହ୍ମପୁର ତରଫରୁ ଆୟୋଜିତ ବିଜୁ ପଟ୍ଟନାୟକ ମେମୋରିଅଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସପ୍ତମ ଦିବସରେ ଧାନବାଦ ଷ୍ଟାରସ୍ ବିଜୟୀ ହୋଇଛି । ଗ୍ରୁପ୍‌ ବିର ଦ୍ୱିତୀୟ କ୍ୱାଟର ଫାଇନାଲ୍ ରାମେଶ୍ୱର ସ୍ପୋଟିଂ (ବ୍ରହ୍ମପୁର) ଏବଂ ଧାନବାଦ ଷ୍ଟାର୍ସ (ଝାରଖଣ୍ଡ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରାମେଶ୍ୱର ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୩୦.୨ ଓଭରରେ ସମସ୍ତ ୱିକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲା । ଦଳ ପାଇଁ ସର୍ବାଧିକ ଉଜଙ୍ଗ ଗଉଡ଼ ୭୧ ବଲ୍‌ରେ ୫୩ ରନ କରିଥିଲେ । ଦ୍ୱିତୀୟ ଇନିସ୍‌ରେ ଧନବାଦ୍ ଷ୍ଟାର୍ସ ଦଳ ୩୦.୪ ଓଭରରେ ୮ ୱିକେଟ ହରାଇ ୧୬୨ ରନ କରି ବିଜୟ ହୋଇ ସେମିଫାଇନାଲ୍‌ରେ ପ୍ରବେଶ କରିଛି । ଦଳ ପକ୍ଷରୁ ଅକ୍ଷୟ କୁମାର ଗୌର ସର୍ବାଧିକ ୬୧ ବଲ୍‌ରେ ୬୧ ରନ କରିଥିଲେ । ଆମ୍ପାୟର ଭାବେ ପ୍ରସନ୍ନ ପାଢ଼ୀ ଏବଂ ସୁଶାନ୍ତ କୁମାର ପଣ୍ଡା, ସ୍କୋରର ଭାବେ ଅମ୍ବିକା ପ୍ରସାଦ ପାଣିଗ୍ରାହୀ ଓ ବିକାଶ ସାମଲ ଏବଂ ଆଲ୍‌ଫା ଦଳର କର୍ମକର୍ତ୍ତାଗଣ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆଜିର ମ୍ୟାଚରେ ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବେ ଗୁପ ବିର ସେମିଫାଇନାଲ୍‌ରେ ପ୍ରବେଶ କରିଛି ଧାନବାଦ୍ ଷ୍ଟାର୍ସ । ମୁଖ୍ୟ ଅତିଥି ରୂପେ ଆଲ୍‌ଫା ଦଳର ସାଧାରଣ ସଂପାଦକ ବିଜୟ ଭାସ୍କର ସିଂ ସାମନ୍ତ ଉପସ୍ଥିତ ରହି ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଅକ୍ଷୟ କୁମାର ଗୌରଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା ।

Categories
ଆଞ୍ଚଳିକ

ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 27 ତମ ବାର୍ଷିକ ଉତ୍ସବ

କୃଷ୍ଣଚନ୍ଦ୍ର ସୁଆଁସିଆ
ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଳକର ମୁଣ୍ଡମରାଇର ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 27 ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦିଗାମ୍ବର ବିଷୋୟୀ ଅଧ୍ଯକ୍ଷତା କରିବା ବେଳେ ଯୁକ୍ତଦୁଇ ପରିଷଦ ଉପସଚିବ ଡ.କୁଳମଣି ଓଝା ମୁଖ୍ୟ ଅତିଥି, ଧରାକୋଟ ବିଡିଓ ବିଭୁଧ ଗଡନାୟକ ମୁଖ୍ୟ ବକ୍ତା ଏବଂ ଧରାକୋଟ ତହସିଲଦାର କବିରାଜ ପ୍ରଧାନ, ଧରାକୋଟ ବ୍ଳକ ଅଧ୍ୟକ୍ଷା ରୀନା ଗୌଡ, ସମିତି ସଭ୍ୟା ସୁନିତା କୁମାରୀ ଗୌଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉପସ୍ଥିତ ଛାତ୍ରଛାତ୍ରୀ ମାନେ ନିଜର ଚରିତ୍ର ଗଠନକୁ ଗୁରୁତ୍ବ ଦେଇ ସମାଜ, ଶିକ୍ଷାନୁଷ୍ଠାନର ସୁନାମକୁ ଦ୍ବିଗୁଣିତ କରିବା ଉପରେ ଅତିଥିଗଣ ଆଲୋକପାତ କରିଥିବା ସମୟରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଉପସ୍ଥିତିରେ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ ବହୁ ଅଭିଭାବକ ସାମିଲ ହୋଇଥିଲେ।

Categories
ଆଜିର ଖବର ଜୀବନ ଶୈଳୀ

‘ମାଷ୍ଟର ସେଫ୍’ର ଫାଇନାଲରେ ଗଞ୍ଜାମର ଓଡିଆ ପୁଅ ଅବିନାଶ

କୃଷ୍ଣଚନ୍ଦ୍ର ସୁଆଁସିଆ
ଗଞ୍ଜାମ : ମ‌ନୋରଞ୍ଜନ ଚା‌ନେଲ୍ ‘ଷ୍ଟାର୍‌ ପ୍ଲସ୍‌’ରେ ପ୍ରସାରିତ ହେଉଥିବା ରିୟଲିଟି କୁକ୍ ସୋ’ ‘ମାଷ୍ଟର୍‌ ସେଫ୍’ର ସିଜିନ୍‌-୬ର ଫାଇନାଲ୍‌ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ । ଗଞ୍ଜାମ ଜିଲ୍ଲା ଆସ୍କା ଅନ୍ତର୍ଗତ କାଳଷଣ୍ଡପୁର ଗାଁର ଅବିନାଶ ପ୍ରାରମ୍ଭରୁ ଇନ୍‌ଫୋସିସ୍‌ରେ ଇଞ୍ଜିନିୟର ଭାବେ ଚାକିରି କରିଥିଲେ । ଅବିନାଶ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କ୍ରମାଗତ ଭାବେ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ବିଚାରକଙ୍କ ମନ ଜିଣିବା ସହିତ ଫାଇନାଲ୍‌ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି । ମାଷ୍ଟରସେଫ୍‌ରେ ସେ ଓଡ଼ିଶାର ପ୍ରସିଦ୍ଧ ଖାଦ୍ୟ ଖେଚୁଡ଼ି, ମୁଗ ଓ ମାଛ ତରକାରୀ ରୋଷେଇ କରି ବିଚାରକଙ୍କର ମନ ଜିଣିଥିଲେ । ଜାତୀୟ ସ୍ତରରେ ଅବିନାଶଙ୍କ ଏଭଳି ଯାତ୍ରା ପାଇଁ ନିଜ ଜନ୍ମ ମାଟିରୁ ଆରମ୍ଭ କରି ସମଗ୍ର ଓଡିଶାବାସୀଙ୍କ ପ୍ରଂଶସାର ସୁଅ ଛୁଟୁଛି । ଫାଇନାଲରେ ବିଜୟ ହେବା ପାଇଁ ସମସ୍ତେ ଶୁଭକାମନା ଜଣାଉଥିବା ଦେଖିବାକୁ ମିଳୁଛି ।

Categories
ଆଞ୍ଚଳିକ

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସମୀକ୍ଷା ବ୍ୟୁରୋ
ଶେରଗଡ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଭାଗିରଥି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତହସିଲଦାର ଡ.ଦୟାସିନ୍ଧୁ ତ୍ରୀପାଠୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ମୁଖ୍ୟବକ୍ତା ଭାବେ ତହସିଲଦାର ମହୋଦୟ କବିତା ମାଧ୍ୟମରେ ବିଭିନ୍ନ ଦିଗରେ ବର୍ତ୍ତମାନ ସମୟରେ ଦେଖାଯାଉଥିବା ପରିବର୍ତ୍ତନକୁ କଠୋର ସମାଲୋଚନା କରିଥିଲେ । ପ୍ରଧାନ ଶିକ୍ଷକ ଭାଗିରଥି ପ୍ରଧାନ ଶିକ୍ଷା ଦ୍ୱାରା ସମସ୍ତ ଅନ୍ଧକାର ଦୁରୀଭୂତ ହୋଇପାରିବ ଓ ସମସ୍ତଙ୍କ ସହଯୋଗରେ ବିଦ୍ୟାଳୟରେ ଶୈକ୍ଷିକ ବ୍ୟବସ୍ଥା ସ୍ଥାପନ ସକାଶେ ସହଯୋଗ ଲୋଡିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ଟୁନା ନାହାକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ହ୍ରୁଦାନନ୍ଦ ରଣା, ଚିନ୍ମୟ ପଟ୍ଟନାୟକ, ସିମାଞ୍ଚଳ ବେହେରା ସହଯୋଗ କରିଥିଲେ ।

Categories
ବିଶେଷ ଖବର

ଗଂଜାମ ବସ ଟ୍ରାଜେଡି: ଏପରି ଦୁର୍ଘଟଣାରୁ ଜୀବନ ବଞ୍ଚିବା ଅସମ୍ଭବ, ହେଲେ ବରକନ୍ୟାଙ୍କ ଭାଗ୍ୟ ବଳରେ ବଞ୍ଚିଗଲା ୩୩ଟି ଜୀବନ

ସଂପଦ ଦଳାଇ

ଗଂଜାମ ବସ ଟ୍ରାଜେଡି କେବଳ ଓଡିଶା କାହିଁକି ସାରା ଭାରତରେ ଏକ ଦୁଃଖଦ ଘଟଣା। ଛୋଟିଆ ଅସାବଧାନତା କାରଣ ଯୋଗୁଁ ଦଶ ଜଣଙ୍କ ଜୀବନ ହାନି ଘଟିଛି। ବର୍ତ୍ତମାନ ଏହି ଖବର ଓଡିଶା ଗଣ ମାଧ୍ୟମରେ ବଡ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ସମସ୍ତଙ୍କ ଗୋଟିଏ ନଜର ଦଶ ଜଣଙ୍କର ପ୍ରାଣହାନୀ ଘଟିଗଲା। ନିଶ୍ଚିତ ଭାବେ ଏହାଠାରୁ ବଡ ଦୁଃଖଦ ଘଟଣା କିଛି ହୋଇ ନ ପାରେ। ହେଲେ ଆଉ ଏକ ବଡ କଥା ଗଣମାଧ୍ୟମର ଉହାଡରେ ରହିଯାଉଛି। ତାହା ହେଲା ଦଶ ଜଣ ମୃତ୍ୟୁ ମୁଖରେ ପଡିବା ଯେପରି ଏକ ବଡ ଦୁର୍ଘଟଣା, ସେହିପରି ୩୩ଟି ଜୀବନ ବଞ୍ଚିବା ମଧ୍ୟ ଏକ ବଡ ଘଟଣା ବୋଲି କୁହାଯାଇପାରିବ। କାରଣ ଯଦି ଦୁର୍ଘଟଣାକୁ ତର୍ଜ୍ଜମା କରାଯାଏ, ସେପରି ପରିସ୍ଥିତିରେ ଗୋଟିଏ ବି ଜୀବନ ବଞ୍ଚିବା ଅସମ୍ଭବ। ଯଦି ପୁରା ଘଟଣାକୁ ତର୍ଜ୍ଜମା କରାଯାଏ ତେବେ ଘଟଣାଟି କେତେ ଭୟଙ୍କର ଥିଲା ତାହା ଯେକେହି ଜାଣିବ ଥରି ଉଠିବ।

ଗଂଜାମ ଜିଲ୍ଲାର ଡଙ୍କଲପାଡୁ ଗାଁର ୟୁ ସନ୍ୟାସୀଙ୍କ ପୁଅ ଅଶୋକଙ୍କ ବାହାଘର ସେହି ଗ୍ରାମରୁ ପାଞ୍ଚ କିଲୋଟମିଟର ଦୂରରେ ଥିବା ଚିକରପଡା ଗାଁର ବୁଲୁ ରେଡ୍ଡୀଙ୍କ ଝିଅ ସହିତ ଠିକ ହୋଇଥିଲା। ରବିବାର ଦିନ ଥିଲା ନିର୍ବନ୍ଧ। କନ୍ୟାଘରକୁ ଯିବା ପାଇଁ ବରଘରର ୪୩ ଜଣ ଯାତ୍ରୀଙ୍କୁ ନେଇ ବସଟି ବାହାରି ଥିଲା। ହେଲେ ମେଣ୍ଡରାଜପୁରରେ ତଳକୁ ଓହଳିଥିବା ୧୧ କେଭି ଲାଇନ ତାରରେ ବସର କ୍ୟାରେଜ ହୁକ ଲାଗିଯାଇଥିଲା। ହୁକରେ ତାର ଲାଗିଯିବା ମାନେ ସେହି ତାର ବାହାରିବା କଷ୍ଟକର ହୋଇ ପଡିଥିଲା। ଡ୍ରାଇଭର ବସରେ କରେଣ୍ଟ ଲାଗିଛି ବୋଲି ବଡ ପାଟିରେ କହି ତଳକୁ ଡେଇଁ ପଳାଇ ଯାଇଥିଲା। ଅନ୍ୟମାନେ ମଧ୍ୟ ଜୀବନ ବିକଳରେ ତଳକୁ ଡେଇଁବା ବେଳେ ବିଦ୍ୟୁତ ଆଘାତ ଲାଗି ଛଟପଟ ହୋଇ ମରିଗଲେ।

ବସ ଭିତରେ ନିଜର ସଂପର୍କିୟମାନେ ଏପରି ମୃତ୍ୟୁ ନିଜ ଆଖିରେ ଦେଖିବେ ତାହା କେବେ ବିଶ୍ବାସ କରିପାରି ନ ଥିଲେ। ଏହି ମୃତକଙ୍କ ଭିତରେ ବରର ଦୁଇ ଭଉଣୀ ମଧ୍ୟ ଅଛନ୍ତି। ବସରୁ ବିଦ୍ୟୁତ ସଂଯୋଗ କାଟିବାକୁ ଲାଗିଯାଇଥିଲା ଦୀର୍ଘ ସମୟ। ସେହି ଭିତରେ ପାଞ୍ଚ ଜଣଙ୍କର ଏବଂ ପରବର୍ତ୍ତି ସମୟରେ ପାଞ୍ଚ ଜଣଙ୍କର ଜୀବନ ଚାଲିଗଲା। ତେବେ ଏହି ଭୟଙ୍କର ଘଟଣା ଭିତରେ ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା ଥିଲା ବସ ଭିତରେ ଥିବା ଲୋକଙ୍କର ଜୀବନ ବଞ୍ଚିଯିବା। କାରଣ ବସଟି ସାରା ୧୧ କେଭି ବିଦ୍ୟୁତ ଭିତରେ ଡହଡହ ହେଉଥିବା ବେଳେ ସେଥିରେ ଥିବା ଜୀବନଟିଏ ଜୀବନ ଖୋଜି ବଞ୍ଚିବା ସମ୍ଭବ ହୋଇପାରିଛି। କହିବାକୁ ଗଲେ ସେମାନଙ୍କୁ ଭଗବାନ ହିଁ ବଞ୍ଚାଇ ଦେଲେ। ଏହା କେବଳ ସେମାନଙ୍କର ଭାଗ୍ୟ ଟାଣ ସହ ବରକନ୍ୟା ଯୋଡିଙ୍କ ଭାଗ୍ୟ ଟାଣ ଯୋଗୁଁ ସମ୍ଭବ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ସାଧାରଣତଃ ଯେ କୌଣସି ବିବାହ ବେଳେ କିମ୍ବା ବିବାହ ପୂର୍ବରୁ କିଛି ଅଘଟଣ ଘଟିଲେ ତାହା ବରକନ୍ୟାଙ୍କ ଭାଗ୍ୟ ସହିତ ତୂଳନା କରାଯାଇଥାଏ। ଏପରି କି ସବୁ ଦୋଷ କନ୍ୟା ଉପରେ ଲଦି ଦେବା ଆମ ରକ୍ଷଣଶିଳ ସମାଜର ଏକ ବିଲକ୍ଷଣ ରହିଛି। ହେଲେ ଗଂଜାମ ବସ ଟ୍ରାଜେଡି କହୁଛି ବରକନ୍ୟାଙ୍କ ଭାଗ୍ୟ ଟାଣ ଥିବାରୁ ୩୩ ଜଣ ଜୀବନ ବଞ୍ଚିପାରିଛି। କାରଣ ଦୁର୍ଘଟଣାଟି ଯେପରି ଭୟଙ୍କର ଥିଲା ସେଥିରୁ ଜୀବନ ବଞ୍ଚିବା ଏକ ରକମର ମୁସ୍କିଲ ଥିଲା। ହେଲେ ସେପରି ପରିସ୍ଥିତିକୁ ମୁକାବିଲା କରି ୩୩ ଜଣଙ୍କର ଜୀବନ ବଞ୍ଚିବା କିଛି ଛୋଟ କଥା ନୁହେଁ। ଏହି ସଂପୂର୍ଣ୍ଣ ଘଟଣାରେ ଯଦି ମାତ୍ର ଦୁଇ ଜଣଙ୍କୁ ଦୋଷାରୋପ କରାଯିବ ତେବେ ସେ ପ୍ରଥମେ ହେବ ବସ ଡ୍ରାଇଭର ଏବଂ ଦ୍ବିତୀୟରେ ଶକ୍ତି ବିଭାଗ। ଏହି ଦୁଇଙ୍କୁ ଛାଡିଦେଲେ ଏହି ବଡ ଦୁଃଖଦ ଦୁର୍ଘଟଣାରେ ଆଉ କାହାକୁ ଦୋଷାରୋପ କରାଯାଇ ପାରିବ ନାହିଁ।

ଯଦି କେହି ଜ୍ୟୋତିଷ ଶାସ୍ତ୍ରର ବିଶ୍ବାସୀ ଥିବେ ସେମାନେ ନିଶ୍ଚିତ ସ୍ବୀକାର କରିବେ ଯେ, କେବଳ ବରକନ୍ୟା ଯୋଡିର ଭାଗ୍ୟ ଟାଣ ପାଇଁ ଏହି ୩୩ଟି ଜୀବନ ବଞ୍ଚିବାରେ ସକ୍ଷମ ହୋଇପାରିଛି। ଆଉ ଭବିଷ୍ୟତରେ ଏହି ବରକନ୍ୟା ଯୋଡି ଆହୁରି ଅନେକ ଜୀବନର ରକ୍ଷା କବଚ ପାଲଟିବେ ତାହା ନିଃସନ୍ଦେହରେ ସ୍ବୀକାର କରାଯାଇ ପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ବସ୍‌ ଦୁର୍ଘଟଣା : ମିଳିଲା ମୃତକଙ୍କ ପରିଚୟ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବରଯାତ୍ରୀ ବସ୍‌ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଥିବା ଘଟଣାରେ 9 ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ 9 ଜଣ ମୃତକଙ୍କ ପରିଚୟ ମିଳିଛି । ମୃତକ ମାନେ ହେଉଛନ୍ତି ବି ଏରେମା ରେଡ୍ଡୀ, ବି ଆଚିଆମ୍ମା ରେଡ୍ଡୀ, କେ ସଂଧ୍ୟା, କାମରାଜୁ ରେଡ୍ଡୀ, ବି ମୋହିନି, ବି ରାମେୟା, ସି,ଏଚ ତୁଳସୀ ଆମ୍ମା, ସନ୍ତୋଷୀନି ସାହୁ ଏବଂ ତନୟା ରେଡ୍ଡୀ । ସମସ୍ତ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ଆହତ ମାନଙ୍କୁ ମାଗଣା ଚିକିତ୍ସା ନେଇ ଘୋଷଣା କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ବସ୍‌ ଦୁର୍ଘଟଣା : 2 ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବରଯାତ୍ରୀ ବସ୍‌ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଥିବା ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ 30 ଜଣ ଆହତଙ୍କୁ ବ୍ରହ୍ମପୁରର ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Categories
ଆଞ୍ଚଳିକ

ବ୍ଲକ ପ୍ରଶାସନ ଓ ବିଜୁ ଯୁବ ବାହିନୀର ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମୀକ୍ଷା ବ୍ୟୁରୋ
ଶେରଗଡ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ମା କରଞ୍ଜେଇ ପୀଠରେ ବ୍ଲକ ପ୍ରଶାସନ ଓ ବିଜୁ ଯୁବ ବାହିନୀର ମିଳିତ ଉଦ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ପରିବେଶର ଗନ୍ତାଘର ଓ ଜାତୀୟ ପକ୍ଷୀ ମୟୂର ମାନଙ୍କ ବିହାର ପାଇଁ ଜନମାନସକୁ ଆକ୍ରୁଷ୍ଟ ପାଇଁ ଉକ୍ତ ପୀଠ ବେଶ୍ ପରିଚିତ । ତେଣୁ ଉକ୍ତ ପୀଠର ମୌଳିକ ଅସୁବିଧାକୁ ସମାଧାନ କରିବା ସହିତ ଏକ ତୀର୍ଥସ୍ଥଳୀ ଭାବେ ଏହାକୁ ପ୍ରାଥମିକ ଦେବାକୁ ବହୁବାର ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ବ୍ଲକ ପ୍ରଶାସନ ଓ ବିଜୁ ଯୁବ ବାହିନୀ ତରଫରୁ ସଫେଇ କରାଯାଇଥିଲା । ଏହା ସହିତ ଅଧିକାରୀ ମାନଙ୍କ ଉପସ୍ଥିତରେ କରଞ୍ଜେଇ ପୀଠର ସମସ୍ୟା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଶେରଗଡ଼ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁଙ୍କ ଆବାହକତ୍ଵରେ ଓ ବ୍ଲକ ସଂଯୋଜକ ଆଲୋକ ପଟ୍ଟନାୟକଙ୍କ ସଂଯୋଜନାରେ ସମ୍ପାଦନ ହୋଇଥିଲା । ଆସ୍କା ବିଡିଓ ପ୍ରଦୀପ କୁମାର ପଣ୍ଡା, ଆସ୍କା ସିଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆସ୍କା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ, ଶେରଗଡ଼ ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ ପଟ୍ଟନାୟକ, ବ୍ଲକ ବିଜେଡି ସଭାପତି ଶରତ ପାତ୍ର, ଜିଲ୍ଲାପରିଷଦ ପ୍ରମୋଦ ପାତ୍ର, ନରେନ୍ଦ୍ରପୁର ସରପଞ୍ଚ ବିନୋଦ ବେହେରାଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଓ ବିଜୁ ଯୁବ ବାହିନୀ ସଦସ୍ୟ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସର୍ବାଧିକ ଆଙ୍ଗୁଠି ପାଇଁ ଗିନିଜ୍‌ ବୁକ୍‌ରେ ସାମିଲ ହେଲେ ଗଞ୍ଜାମ ମହିଳା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: ସର୍ବାଧିକ ଆଙ୍ଗୁଠି ପାଇଁ ଗିନିଜ୍‌ ବୁକ୍‌ ତାଲିକାରେ ସାମିଲ ହୋଇଛନ୍ତି ଓଡିଶାର ଜଣେ ମହିଳା। ଗଞ୍ଜାମର କଡପଡାର ଜନୈକ ମହିଳା ଜଣକ ଗିନିଜ୍‌ ବୁକ୍‌ରେ ନିଜ ନାମ ପଞ୍ଜୀକରଣ କରିଛନ୍ତି। ନିଜ ଗ୍ରାମରେ ଉକ୍ତ ମହିଳାଙ୍କୁ ଡାହାଣୀ ବୋଲି କୁହାଯାଉଥିବାରୁ ସେ ଘରୁ ବାହାରନ୍ତି ନାହିଁ।

ମହିଳାଙ୍କର ସମୁଦାୟ ୩୧ଟି ଆଙ୍ଗୁଳି ରହିଛି। ୬୫ ବର୍ଷୀୟା ଏହି ବୃଦ୍ଧାଙ୍କର ପାଦରେ ୧୯ଟି ଏବଂ ହାତରେ ୧୨ଟି ଆଙ୍ଗୁଳି ରହିଛି। ପୂର୍ବରୁ ଗୁଜରାଟର ଦେବେନ୍ଦ୍ର ସୂତାର ୨୮ଟି ଆଙ୍ଗୁଳି ପାଇଁ ଗିନିଜ୍‌ ବୁକ୍‌ ରେକର୍ଡରେ ସାମିଲ ହୋଇଥିଲେ।

 

Categories
ଭିଡ଼ିଓ

ଫାଇଭ୍ ଟି ସଚିବଙ୍କ ଅଚାନକ ଗଞ୍ଜାମ ଗସ୍ତ |

Categories
ଆଞ୍ଚଳିକ ରାଜ୍ୟ ଖବର

ବିବେକାନନ୍ଦ ଜୟନ୍ତୀ ଅବସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ସମୀକ୍ଷା ବ୍ୟୁରୋ
ଗଞ୍ଜାମ/ହିଞ୍ଜିଳିକାଟୁ: ଜାତୀୟ ଯୁବ ଦିବସ ତଥା ବିବେକାନନ୍ଦ ଜୟନ୍ତୀ ଅବସରରେ ତ୍ରିରଙ୍ଗା ସେବା ସଙ୍ଘ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ଶିବରରେ ନଗରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମନୋରଞ୍ଜନ ସାହୁ ଏବଂ ତ୍ରିରଙ୍ଗା ସେବା ସଙ୍ଘ ଉପ ସଭାପତି ପ୍ରଭାତ କୁମାର ମହାରଣା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଉଭୟ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏଲ୍‌ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ଡ. ରଶ୍ମୀ ରଞ୍ଜନ ଯୋଗଦାନ କରି ଏହି ଶିବିର ପରିଚାଳନା କରିଥିଲେ। ହସ୍ପିଟାଲର କାର୍ଯ୍ୟବାହ ଅଧିକାରୀ ଆଲୋକ କୁମାର ସ୍ବାଇଁ ତାଙ୍କୁ ସହଯୋଗ ପ୍ରଦାନ କରିଥିଲେ। ଏହି ଶିବିରରେ ୧୧୮ ଜଣ ରୋଗୀ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଫାଇଦା ଉଠାଇଥିଲେ। ଏହା ବ୍ୟତିତ ୪୦ ଜଣ ରୋଗୀଙ୍କୁ ମୋତିଆ ବିନ୍ଦୁ ଅପରେସନ ପାଇଁ ଚିହ୍ନଟ କରାଯାଇଥିଲା। ସେମାନଙ୍କୁ ମାଗଣା ଅସ୍ତ୍ରୋପଚାର ପାଇଁ ଆମ୍ବପୁଆ ହସ୍ପିଟାଲକୁ ପଠାଯାଇଥିଲା। କାର୍ଯ୍ୟକ୍ରମରେ ତ୍ରିରଙ୍ଗା ସେବା ସଂଘର କିରଣ ପୃଷ୍ଟି, ସୁମନ ସାହୁ, ଶିବ ବାଡତ୍ୟା, ନୀଳମାଧବ ପାତ୍ର, ଅମର ନାଥ, ନିରଞ୍ଜନ ସାହୁ, ଆଶିଷ ପ୍ରଧାନ, ଅଭିଷେକ ପ୍ରଧାନ, ରାକେଶ ଭୂୟାଁ, ଅନୀଲ ପୃଷ୍ଟି, ପ୍ରୀତମ ସାହୁ, ସତୀଶ ସାହୁ, ସରୋଜ ପାତ୍ର, କାହ୍ନୁ ଗୌଡ ଏବଂ ବଳରାମ ପାତ୍ର ପ୍ରମୁଖ ମସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଥାନା ଅଧିକାରୀଙ୍କୁ ମାଡ ଅଭିଯୋଗରେ ଏସ୍‌ଆଇ ନିଲମ୍ବିତ

ସମୀକ୍ଷା ବ୍ୟୁରୋ
ଗଞ୍ଜାମ,01/01 : ଥାନା ଅଧିକାରୀଙ୍କୁ ମାଡ ଅଭିଯୋଗରେ ଗଞ୍ଜାମର ପାଟପୁର ଥାନା ଏସ୍‌ଆଇ ପ୍ରିତୀମଞ୍ଜରୀ ଗଡନାୟକଙ୍କୁ ନିଲମ୍ବନ କରାଯାଇଛି । ଥାନା ଅଧିକାରୀ ଅଜୟ ବାରିକଙ୍କୁ ମାଡ ମାରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି । ଅତିରିକ୍ତ ଏସ୍‌ପି ଏହି ମାଡମରା ଘଟଣାର ଯାଞ୍ଚ କରିଥିବା ବେଳେ ନିଲମ୍ବିତ ଏସ୍‌ଆଇ ପ୍ରିତୀମଞ୍ଜରୀ ଏବଂ ତାଙ୍କ ସ୍ବାମୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ।

Categories
ଆଞ୍ଚଳିକ

ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲାପାଳ: ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ନିଜ ଗାଡିରେ ନେଲେ ଚିକିତ୍ସାଳୟ

ସମୀକ୍ଷା ବ୍ୟୁରୋ
ଶେରଗଡ଼/ହିଞ୍ଜିଳିକାଟୁ, ୨୨/୧୨ : ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ମାନବିକତାର ଏକ ନିଦର୍ଶନ ଦେଖିବାକୁ ମିଳିଛି। ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ନିଜ ସରକାରୀ ଗାଡିରେ ଚିକିତ୍ସାଳୟ ନେଇ ଜିଲ୍ଲାପାଳ ପ୍ରଶଂସା ସାଉଁଟିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରବିବାର ସକାଳ ୯:୦୦ ସମୟରେ ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳିକାଟୁ ଠାରୁ ଶେରଗଡ଼ରେ ଅନୁଷ୍ଠିତ ହେଉଥିବା ମାଗଣା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ଏହି ସମୟରେ ଶେରଗଡ଼ ବ୍ଲକ ଅନ୍ତର୍ଗତ ମାରୁଡି ଗ୍ରାମରେ ଶିବ ପ୍ରଧାନ ନାମକ ଜନୈକ ଲୋକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଉକ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ନିଜ ଗାଡିରେ ଆହତଙ୍କୁ ବସାଇ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତି କରିଥିଲେ। ଏହା ସହିତ ଆହତଙ୍କ ଚିକିତ୍ସା ନିଜ ଉପସ୍ଥିତିରେ ମଧ୍ୟ କରାଇଥିଲେ। ଜିଲ୍ଲାପାଳଙ୍କ ଏପରି ପଦକ୍ଷେପ ଦ୍ବାରା ସାଧାରଣ ଜନତାଙ୍କ ପ୍ରତି ସରକାରୀ କର୍ମଚାରୀଙ୍କ ମନୋଭାବ ନେଇ ସାଧାରଣରେ ରହିଥିବା ଚିନ୍ତାଧାରାରେ ପରିବର୍ତ୍ତନ ଆସିବ ବୋଲି କୁହାଯାଇଛି। ଡାକ୍ତରଖାନାରେ ଉପସ୍ଥିତ ସାଧାରଣ ଲୋକ ଜିଲ୍ଲାପାଳଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

 

Categories
ବିଶେଷ ଖବର

ବ୍ରହ୍ମପୁର ହର୍ବାଲ ମେଳା ଗୋପାଳପୁରରେ କାହିଁକି?

ସମୀକ୍ଷା ବ୍ୟୁରୋ

ଆୟୁର୍ବେଦ ଜଡ଼ିବୁଟି ଚିକିତ୍ସା ପରମ୍ପରାକୁ ଗଂଜାମର ଅବଦାନ ଅତୁଳନୀୟ। ଏଇ ମାଟିରେ କବିରାଜ ଚିକିତ୍ସା ବେଶ୍ ସମୃଦ୍ଧ। ଦିନଥିଲା ଲୋକମାନେ କେବଳ ଆୟୁର୍ବେଦ ଚିକିତ୍ସା ପାଇଁ ଆସିକା, ବ୍ରହ୍ମପୁର, କବିସୂର୍ଯ୍ୟନଗର ଓ ଅବିଭକ୍ତ ଗଜପତିର କାଶୀନଗରକୁ ଚିହ୍ନୁଥିଲେ। ସେ ସମୟରେ ଘରେ ଘରେ ଆୟୁର୍ବେଦ ଚିକିତ୍ସା ହଁ ଥିଲା ସମସ୍ତଙ୍କ ପ୍ରିୟ। ଆୟୁର୍ବେଦର ଏନ୍ତୁଡି ଶାଳ ହେଉଛି ଗଞ୍ଜାମ ଜିଲ୍ଲା। ଆଜକୁ 10ରୁ 11 ବର୍ଷ ତଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ସ୍ଥାନୀୟ ସିଟି ହାଇସ୍କୁଲ ଖେଳପଡ଼ିଆଠାରେ ପ୍ରଥମ ବ୍ରହ୍ମପୁର କଳିଙ୍ଗ ହର୍ବାଲ୍‌ ମେଳାର ଆୟୋଜନ କରାଯାଇଥିଲା। ପ୍ରଥମ ତିନିବର୍ଷ ତିନିଦିନ ଧରି ଚାଲି ଆସୁଥିବା ଏହା ଲୋକଙ୍କ ପ୍ରିୟଭାଜନ ହେବା ପରେ ଏହାକୁ ପାଞ୍ଚଦିନକୁ ବଢ଼ାଇ ଦେବା ଔଷଧୀୟ ସଂସ୍ଥା ଭୁବନେଶ୍ୱର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଡ଼ିଏଫ୍ଓ ବ୍ରହ୍ମପୁର ଅଧ୍ୟକ୍ଷତାରେ ହେଉଥିବା ଏଇ ହର୍ବାଲ ମେଳାରେ ରାଜ୍ୟର କୋଣନୁକୋଣରେ ଜଡ଼ିବୁଟି ବୈଦ୍ୟମାନେ ଆସି ପସରା ମେଲାଇ ବସିବା ସହ ପ୍ରାଚୀନ ବୈଦ୍ୟ ପରମ୍ପରା, ବୃକ୍ଷ, ଲତା, ଚେରମୂଳ, ପତ୍ର ଓ ବିଭିନ୍ନ କିସମର ଔଷଧୀୟ ବୃକ୍ଷଲତା ବିକ୍ରି କରିବା ସହ ପ୍ରତ୍ୟେକ ଷ୍ଟଲରେ ରୋଗୀ ମଧ୍ୟ ଚିକିତ୍ସା ସେବା ପାଉଥିଲେ। ୫୦ ଗୋଟି ଷ୍ଟଲରେ ବିକ୍ରି ହେଉଥିବା ଜଡ଼ିବୁଟି ଔଷଧ ନିଶ୍ଚୟ ସହରବାରସୀଙ୍କୁ ଖୁସୀ କେବଳ ଦେଉନଥିଲା ବରଂ ବ୍ରହ୍ମପୁରବାସୀଙ୍କୁ ବେଶ୍ ସ୍ୱାସ୍ଥ୍ୟସେବାର ଉପକାର କରି ଆସୁଥିଲା। କିନ୍ତୁ ବିଗତ ତିନିବର୍ଷ ଧରି ଆଉ ହର୍ବାଲ ମେଳା ଆୟୋଜନ ବ୍ରହ୍ମପୁର ନହେବା ଫଳରେ ଅନେକଙ୍କ ମନରୁ ଏଇ ଆଶା ଲିଭିଗଲା ଯେ ଆଉ ବିଶୁଦ୍ଧ ଜଡ଼ିବୁଟି ଚେରଲତା ଦେଖିବାକୁ କୌଣସି ମେଳାରେ ମିଳିବ ନାହିଁ। ଏଇ ମେଳା ଆୟୋଜନର ଶ୍ରେୟ ରାଜ୍ୟ ଜଂଗଲ ଓ ପରିବେଶ ବିଭାଗର ଅଧିକାରୀଙ୍କୁ ନିଶ୍ଚୟ ଯିବ । ସେମାନଙ୍କ ଆନ୍ତରିକ ଉଦ୍ୟମ ନିଷ୍ଠା ଓ ପ୍ରଚେଷ୍ଟାରୁ ସୁଫଳ ହୋଇ ଆସୁଥିବା ହର୍ବାଲ ମେଳା ଲୋକମାନଙ୍କ ହୃଦୟ ଜିଣିଥିଲା।

କିନ୍ତୁ ଏଇ ବର୍ଷ ଦୁଇବର୍ଷର ବ୍ୟବଧାନ ପରେ ଗୋପାଳପୁର ବେଳାଭୂମି ମହୋତ୍ସବ ସହ ଯୋଡ଼ି ଦେଇ ହର୍ବାଲ ମେଳା ସମୁଦ୍ର ବେଳାଭୂମିରେ ହେଉଛି। ଏହା ପଛର ରହସ୍ୟ କ’ଣ। କାହାର ଚାପରେ ବ୍ରହ୍ମପୁର ହର୍ବାଲ ମେଳା ଗୋପାଳପୁରରେ। ବ୍ରହ୍ମପୁରବାସୀଙ୍କ ପାଇଁ ବ୍ରହ୍ମପୁର ହର୍ବାଲ ମେଳା ବହୁ ଗୁରୁତ୍ୱବହନ କରେ। ସ୍ୱାସ୍ଥ୍ୟସେବା ଜଡ଼ିବୁଟି ବିକ୍ରି ଓ ବିଜ୍ଞାନ ସମ୍ମତି ବୌଦ୍ଧିକ ଆଲୋଚନା ଚକ୍ର ଓ ସାଂସ୍କୃତିକ ବିଚିତ୍ରା। କାର୍ଯ୍ୟକ୍ରମର ଅନନ୍ୟ ସଂଦେଶ ଦେଉଥିବା ବ୍ରହ୍ମପୁର ହର୍ବାଲ ମେଳା ବ୍ରହ୍ମପୁରଠାରେ ପୁଣି ଆୟୋଜନ କରିବା ପାଇଁ ସାଧାରଣରେ ଦାବି ହେଉଛି। ବ୍ରହ୍ମପୁର ହର୍ବାଲ ମେଳା ପାଇଁ ସମସ୍ତ ପ୍ରକାର ଅନୁକୂଳ ପରିବେଶ ରହିଥିବା ସତ୍ତେ୍ୱ ଏକ ଜାତୀୟ ଉତ୍ସବ ସହ ଯୋଡ଼ିବାରେ ଯେଉଁମାନେ ଏଇ ପ୍ରୟାସ କରିଛନ୍ତି ନିଶ୍ଚୟ ପୁଣି ଥରେ ଅନୁଶୀଳନୀୟ ବିଷୟ।

ବ୍ରହ୍ମପୁର ହର୍ବାଲ ମେଳା ପାଇଁ ଦାବି ଉଠିଲାଣି। ରାଜ୍ୟ ଜଂଗଲ ପରିବେଶ ବିଭାଗ ଓ ରାଜ୍ୟ ଔଷଧୀୟ କର୍ତ୍ତୃପକ୍ଷ ନିଶ୍ଚୟ ଲୋକଙ୍କ ଦାବିକୁ ମାନିନେଇ ଏଠାରେ ହର୍ବାଲ ମେଳାର ସଂସ୍କରଣଟିଏ କରିବା ଆବଶ୍ୟକ। ଯେଉଁମାନେ ହର୍ବାଲ ମେଳାରୁ ଲାଭ ପାଉଥିଲେ ତାଙ୍କୁ ହତାଶ କରି ଗୋପାଳପୁର ବେଳାଭୂମି ମହୋତ୍ସବରେ କରିବା ଦ୍ୱାରା ପ୍ରକୃତ ଲାଭ ପାଉଥିବା ରୋଗୀ ଓ ଆୟୁର୍ବେଦ ପ୍ରେମୀ ହତାଶ ହେବେ।

ହର୍ବାଲ ମେଳାକୁ ନେଇ ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା:

ଡା. ସାଗର ରଂଜନ ତ୍ରିପାଠୀ: ଡାକ୍ତର ସାଗର ରଂଜନ ତ୍ରିପାଠୀ ହର୍ବାଲ ମେଳାର ଅନ୍ୟତମ ସଂଯୋଜକ ତଥା କଳିଙ୍ଗ ହର୍ବାଲ ମେଳା ସମ୍ମାନିତ ପ୍ରତିଭା କହିଛନ୍ତି ଯେ ବ୍ରହ୍ମପୁର ସହରରେ ଏପରି ମେଳା ଆୟୋଜନ ଆୟୁର୍ବେଦ ପ୍ରେମୀଙ୍କ ପାଇଁ ଏକ ସୁଖଦ ଅନୁଭୂତି ଥିଲା। ଜଂଗଲ ଓ ପରିବେଶ ବିଭାଗ ଓ ରାଜ୍ୟ ଔଷଧୀୟ ବୋର୍ଡ଼ପୁନର୍ବାର ବିଚାର କରି ଏହି ମେଳା ଆୟୋଜନ କରିଲେ ବହୁ ପ୍ରତିକ୍ଷୀତ ଆଶା ପୂରଣ ହେବ। ଅନେକ ଲୋକ ବ୍ରହ୍ମପୁର ସହରରେ ଏହି ମେଳାକୁ ଅପେକ୍ଷା କରି ବସିଥାନ୍ତି। ଏପରି ବିଚାରକୁ ସରକାର ସମ୍ମାନ ଜଣାଇଲେ ମୋ ପରି ଅନେକ ଆୟୁର୍ବେଦ ଚିକିତ୍ସାପ୍ରେମୀ ଖୁସି ହେବେ। ଏହି ମେଳା ଆୟୋଜନ ରାଜ୍ୟ ସରକାରଙ୍କ ଜଂଗଲ ବିଭାଗର ଏକ ବଳିଷ୍ଠ ପରିକଳ୍ପନା।

ଡା.ପିଏସ୍ଏନ୍ ପାତ୍ର: ଦୀର୍ଘବର୍ଷ ଧରି ବ୍ରହ୍ମପୁରଠାରେ ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ରରେ ଆୟୋଜିତ ହର୍ବାଲ ମେଳା ଅନେକ ଳୋକଙ୍କ ପାଇଁ ସୁଖଦ ଅନୁଭବ। ଆଦିବାସୀ ଅଧ୍ୟୁଷିତ ଅଂଚଳର ଦୂରଦୂାନ୍ତରୁ ଆସିଥିବା ଜଡ଼ିବୁଟି ବୈଦ୍ୟଙ୍କ ଅନୁଭବ ଚିକିତ୍ସା ସହ ସଂପର୍କ ଯୋଡ଼ି ଦିଏ ଏହି ହର୍ବାଲ ମେଳା। ଜନସାଧାରଣଙ୍କ ସମାଗମ ପ୍ରଭାବଶାଳୀ ସଂଦେଶ ଦେବା ସହ ଦକ୍ଷିଣ ଓଡ଼ିଶାର ଜଡ଼ିବୁଟି ଔଷଧୀୟ ଗୁଣ ଓ ଉପକାରିତା ସଂପର୍କରେ ଜାଣିବାର ଅବସର ଥିଲା। ଏପରି ସୁନ୍ଦର ମେଳା ଆୟୋଜନ ସହରବାସୀଙ୍କୁ ଆୟୁର୍ବେଦ ଚିକିତ୍ସା ପ୍ରତି ଏକ ଆଗ୍ରହ ପ୍ରକାଶର ଅବସର ଦିଏ। ଏଣୁ ବ୍ରହ୍ମପୁର ସହରରେ ଏହା ଆୟୋଜନ ହେଲେ ଅନେକ ଉପକୃତ ହେବେ।

ସ୍ୱରୂପା ତ୍ରିପାଠୀ: ଗଂଜାମ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ କହିଥିଲେ ଯେ ଏହା ବିଜେଡ଼ି ସରକାରଙ୍କ ମନମୁଖୀ ପଦକ୍ଷେପ। କାରଣ ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶା ତଥା ଭାରତର ଅତି ପୁରାତନ ଆୟୁର୍ବେଦ ଚିକିତ୍ସା ସହ ଆୟୁର୍ବେଦ ଡ଼ାକ୍ତରଙ୍କ ଭାଗ୍ୟ ଓ ଭବିଷ୍ୟତ ଅନ୍ଧାରକୁ ଠେଲିଦେଉଛନ୍ତି। ହର୍ବାଲ ମେଳା ଏକ ସ୍ୱତନ୍ତ୍ର ପରିଚୟ ଥିବାବେଳେ ଏହା ଗୋପାଳପୁର ବେଳାଭୂମି ମହୋତ୍ସବର ଯୋଡ଼ିଦେବା ଅତି ଦୁର୍ଭାଗ୍ୟ। କାରଣ ଗୋପାଳପୁର ବେଳାଭୂମି ମହୋତ୍ସବ ଏକ ସାଂସ୍କୃତିକ କର୍ଯ୍ୟକ୍ରମ ହୋଇଥିବାବେଳେ ଏହା ଦେଖିବାକୁ ଭିଡ଼ ଜମାଇଥାନ୍ତି। ଏହି ପରିପ୍ରେକ୍ଷୀରେ ହର୍ବାଲ ମେଳା ଫିକା ପଡ଼ିଯିବ। ତେଣୁ ହର୍ବାଲ ମେଳା ବ୍ରହ୍ମପୁରରେ ହେଲେ ପ୍ରଚାର ଏବଂ ପ୍ରସାର ହୋଇପାରିଥାନ୍ତା। କେଉଁ ପରିସ୍ଥିତିରେ କିଛି ସ୍ୱାର୍ଥ ହାସଲକାରୀ ବ୍ୟକ୍ତିତ୍ୱମାନେ ବ୍ରହ୍ମପୁରରେ କରାଇନଦେଇ କେବଳ ଅର୍ଥ ଯୋଗାଡ଼ ପାଇଁ ଗୋପାଳପୁରଠାରେ ଏହି ମେଳା ଆୟୋଜନ କରୁଛନ୍ତି। ଯାହାକୁ ମୁଁ ତୀବ୍ର ନିନ୍ଦା କରୁଛି।

ଅଶୋକ ବେହେରା: ବ୍ରହ୍ମପୁର ଏସିଏଫ୍ ବ୍ରହ୍ମପୁର ଡ଼ିଭିଜନ ଅଶୋକ ବେହେରା କହିଥିଲେ ପୂର୍ବବର୍ଷଗୁଡ଼ିକରେ ଏହି ମେଳା ବ୍ରହ୍ମପୁରରେ ଅନୁଷ୍ଠିତ ହେଉଥିôବାବେଳେ ଚଳିତ ଥର ଏହା ଗୋପାଳପୁରରେ ହେବାକୁ ଯାଉଛି। ଏହାଦ୍ୱାରା ଅଧିକ ଲୋକ ଏହି ମେଳାର ସୁଫଳ ପାଇପାରିବେ ଏବଂ ଜଡ଼ିବୁଟି ଚିକିତ୍ସାର ପ୍ରଚାର ପ୍ରସାର ହେବ। ବ୍ରହ୍ମପୁରରେ ହୋଇଥିଲେ ମଧ୍ୟ ଅଧିକ ଗୁରୁତ୍ୱ ଦେଇପାରିଥାନ୍ତା ବୋଲି କହିଥିଲେ।

ସୁଧାଂଶୁ ପଣ୍ଡା: ବରିଷ୍ଠ ଆଇନଜୀବୀ ତଥା ଗଂଜାମ ବାର୍ ଏସୋସିଏସନ୍ର ପୂର୍ବତନ ସଭାପତି ସୁଧାଂଶୁ ପଣ୍ଡା ଏହି ହର୍ବାଲ ମେଳା ବ୍ରହ୍ମପୁରରେ ନହେବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଗୋପାଳପୁର ବେଳାଭୂମି ମହୋତ୍ସବ ଭଳି ଏକ ବଡ଼ ଆୟୋଜନ ମଧ୍ୟରେ ଏହି ମେଳା ହେଲେ ଏହାର ସଠିକ୍ ସୁଫଳ ଲୋକ ପାଇପାରିବେ ନାହିଁ। ବ୍ରହ୍ମପୁରରେ ହୋଇଥିଲେ ଅଧିକରୁ ଅଧିକ ଲୋକ କେବଳ ଗୋଟିଏ ଉଦ୍ଦେଶ୍ୟ ନେଇ ଯାଇ ଏହାର ସୁଫଳ ପାଇପାରିଥାନ୍ତେ। ବିଜେଡ଼ିର କିଛି ସ୍ୱାର୍ଥନ୍ୱେଷୀ ନେତା ଏହାକୁ ଚକ୍ରାନ୍ତ କରି ବ୍ରହ୍ମପୁରରୁ ଗୋପାଳପୁରକୁ ସ୍ଥାନାନ୍ତର କରିଛନ୍ତି। କାରଣ ଏହି ମେଳାର ଲାଭାଂଶରେ ସେମାନେ ନିଜ ପକେଟ୍ ଗରମ କରିବା ସହ ମହୋତ୍ସବରେ ଖର୍ଚ୍ଚ ହେଉଥିବା ଟଙ୍କାକୁ ଭରଣ କରିପାରିବେ।

ଡ.ସୁବ୍ରତ ସାହୁ: ମିଳିତ ହାତ୍ୟ ଯୋଗ କେନ୍ଦ୍ର ସଭାପତି ତଥା ଆଇନଜୀବୀ ଡ. ସୁବ୍ରତ କୁମାର ସାହୁ ପୂର୍ବବର୍ଷଗୁଡ଼ିକର ବ୍ରହ୍ମପୁରରେ ଆୟୋଜିତ ହର୍ବାଲ ମେଳାର ସୁଖଦ ଅନୁଭୂତି କହିଥିଲେ। ଏହି ମେଳା ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥିଲେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଆଦବିାସୀ ଅଧ୍ୟୁଷିତ ଅଂଚଳର କିଛି ଲୁଚି ଯାଇଥିବା ଜଡ଼ିବୁଟି ବୈଦ୍ୟ ଏଠାକୁ ଆସି ନିଜର ପ୍ରତିଭା ଦେଖାଇପାରିଥାନ୍ତେ। ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ ସମାନ୍ତରାଳ ସମୟରେ ଏହା ଆୟୋଜନ ହେଲେ ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମସଗୁଲ୍ ରହି ଏହି ମେଳା ଫିକା ପଡ଼ିଯିବାର ସମ୍ଭାବନା ରହିଛି।

Categories
ଆଜିର ଖବର

ଝୁଲନ୍ତା ଅବସ୍ଥାରେ ମିଳିଲା ପ୍ରେମୀ ଯୁଗଳଙ୍କ ମୃତ ଦେହ

ସମୀକ୍ଷା ବ୍ୟୁରୋ
ଗଞ୍ଜାମ, 21/12 : ଗଞ୍ଜାମର ଆସିକାରେ ଝୁଲନ୍ତା ଅବସ୍ଥାରେ ଦୁଇ ପ୍ରେମୀ ଯୁଗଳଙ୍କ ଶବ ଉଦ୍ଧାର କରାଯାଇଛି । ଆସିକାର ଲାଲୁଘାଇ ଗ୍ରାମର ପୋଖରୀ ହୁଡାରେ ଦୁଇ ପ୍ରେମୀ ଯୁଗଳଙ୍କ ମୃତ ଦେହ ଝୁଲି ରହିଛି । ଉଭୟ ଯୁବକ ଯୁବତୀଙ୍କ ଘର କବିସୂର୍ଯ୍ୟନଗରର ସୁନାପଲ୍ଲୀ ଗ୍ରାମରେ । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଦୁଇ ପରିବାର ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ଜଣାପଡିଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Categories
ଆଜିର ଖବର

ଗଞ୍ଜାମରେ ଭୟାବହ ଅଗ୍ନିକାଣ୍ଡ : 30 ବଖରା ଜଳି ପାଉଁଶ

ସମୀକ୍ଷା ବ୍ୟୁରୋ, ଗଞ୍ଜାମ,16/12 : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 30 ବଖରା ଘର ପୋଡ଼ି ପାଉଁଶ ହୋଇ ଯାଇଛି । ସୋବବାର ସକାଳେ ଗାଁର ନୂଆଁ ସାହିରେ କୌଣସି କାରଣ ବଶତଃ ଏକ ଘରେ ନିଆଁ ଲାଗି ଯାଇଥିଲା । ପରେ ନିଆଁ ବ୍ୟାପିଯାଇ 30ରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।

Categories
ବିଶେଷ ଖବର

୨୦୧୯ ସାଧାରଣ ନିର୍ବାଚନ, ଗତ ୨୦ ବର୍ଷ ଭିତରେ ବିଜୁ ଜନତା ଦଳ ପାଇଁ ସବୁଠୁ ବଡ ଆହ୍ଵାନ – ଏତେ ସହଜ ନୁହେଁ ଏ ନିର୍ବାଚନ ଜିଣିବା 

କେଦାର ମିଶ୍ର

ଭୁବନେଶ୍ବରରେ ରହି ନିର୍ବାଚନର ବିଶ୍ଳେଷଣ କରିବା ଓ ଲୋକଙ୍କ ସାଙ୍ଗରେ ନିର୍ବାଚନର ଚର୍ଚ୍ଚା କରିବା ଭିତରେ ଆକାଶ ପାତାଳ ପ୍ରଭେଦ ଅଛି। ଭୁବନେଶ୍ବରରୁ ଯାହା ଦେଖାଯାଉଛି ଓ ସେଠିକାର ଟେଲିଭିଜନରୁ ଆମେ ଯେଉଁ ଦୃଶ୍ୟ ଦେଖୁଛୁ, ତାହାର ଠିକ ଅଲଗା ଚିତ୍ର ଲୋକଙ୍କ ଭିତରେ ଦେଖିବାକୁ ମିଳୁଛି। ପ୍ରଥମ ପର୍ଯାୟ ନିର୍ବାଚନ ଆଉ ମାତ୍ର ୮ ଦିନ ବାକିଥିବା ବେଳେ ଭୋଟରଙ୍କ ଭିତରେ ଆଜି ମଧ୍ୟ ଉତ୍ସାହ ଆସିନାହିଁ। ନିର୍ବାଚନରେ ଲୋକମତର ତଲାଶ କରିବାକୁ ଆଜି ଆମେ ବ୍ରହ୍ମପୁର ଓ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀ ବୁଲୁଥିଲୁ। ବ୍ରାହ୍ମପୁରରେ ପ୍ରଥମ ପର୍ଯାୟ ଓ ଆସ୍କାରେ ଦ୍ଵିତୀୟ ପର୍ଯାୟରେ ଭୋଟ ଗ୍ରହଣ ହେବ। ପାଖାପାଖି ୪୦୦ କିଲୋମିଟର ବୁଲିବା ପରେ ଏମିତି କିଛି ଅନୁଭବ ଆମର ହୋଇଛି, ଯାହାକୁ ଆମର ପାଠକଙ୍କ ସହ ବାଛିବା ନିହାତି ଜରୁରୀ। ଆମେ ମୂଳତଃ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ କୁ ଫୋକସରେ ରଖିବାକୁ ଭାବିଥିଲୁ। ତେବେ ହିଞ୍ଜିଳି ଯିବା ଆଗରୁ ଏହାର ଆଖପାଖ ନିର୍ବାଚନମଣ୍ଡଳୀରେ ଲୋକମତର ଅନୁଧ୍ୟାନ କରିବାକୁ ଆମେ ଚେଷ୍ଟା କରିଛୁ। ହିଞ୍ଜିଳୀର ମୁଖଶାଳା ଭାବରେ କେତୋଟି ନିର୍ଦ୍ଦିଷ୍ଟ ମତ ଆମେ ରଖୁଛୁ-

୧. ଏ ନିର୍ବାଚନରେ ଜନମତ ଆଜି ମଧ୍ୟ ଅସ୍ପଷ୍ଟ । ନିର୍ବାଚନରେ ସେମାନେ କାହାକୁ ଭୋଟ ଦେବେ ସେକଥା କହିଲାବେଳେ ସେମାନେ ବେଶ ସତର୍କ। ଏଥିରୁ ଗୋଟେ କଥା ସ୍ପଷ୍ଟ ଯେ ଏ ନିର୍ବାଚନରେ କୌଣସି ହାୱା ବୋହୁନାଇଁ। ଓଡିଶାକୁ ୧୯ ବର୍ଷ ଶାସନ କଲାପରେ ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଯଦିଓ ତୁଟିନାହିଁ, ହେଲେ ତାଙ୍କ ନେତୃତ୍ୱ ପ୍ରତି ପ୍ରଶ୍ନହୀନ ଆବେଗ ଆଉ ନାହିଁ। ଖାଲିକୋଟରେ ଜଣେ ମହିଳା ଭୋଟର କହିଲେ, ନବୀନ ବାବୁଟି ବହୁତ ଭଲ ଲୋକ, ହେଲେ ଆମ ବିଧାୟକ ଆମର କେଉଁ କାମ କରିନାହାନ୍ତି।

୨. ଗଞ୍ଜାମ ଜିଲ୍ଲା ଗୋଟେ ସମୟରେ ବିଜୁ ଜନତା ଦଳର ଅଭେଦ୍ୟ ଦୁର୍ଗ ଥିଲା। ଆଜି ବି ଦଳର ସଂଗଠନ ଗଞ୍ଜାମରେ ମଜବୁତ ରହିଛି। ହେଲେ ପ୍ରଚାର ଅଭିଯାନରେ ଭାରତୀୟ ଜନତା ପାର୍ଟିର ଉଦ୍ୟମ ସବୁଠି ବାରି ହୋଇ ପଡୁଛି। ବିଜେଡ଼ିର ପାରମ୍ପରିକ ବିରୋଧୀ କଂଗ୍ରେସ ଏବେ ପ୍ରାୟ ଅଦୃଶ୍ୟ। କବିସୂର୍ୟନଗର ଠାରେ ଆୟୋଜିତ ଏକ ବିଜେପି ରାଲିରେ ଆମକୁ ଜଣେ ବିଜେପି କର୍ମୀ ଯାହା କହିଲେ ତାହା ବେଶ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ମତରେ ଏହା ରାଣୀଙ୍କ ନିର୍ବାଚନ ମଣ୍ଡଳୀ (ଭି. ସୁଜ୍ଞାନୀ କୁମାରୀ ଦେଓ )। ବିଜେପି ଲାଗି ଏଠି ବାଟ ସହଜ ନୁହେଁ। ହେଲେ ଆମେ ଏଥର ଭଲ ଟକ୍କର ଦେବୁ।

୩. ଏଥର ଗୋଟିଏ କଥା ସ୍ପଷ୍ଟ- ବିଜେଡ଼ିକୁ ବିଜେପି କଡା ଟକ୍କର ଦେଉଛି। ଏ ନିର୍ବାଚନ ଜମାରୁ ଏକପାଖିଆ ବା ହାୱା ର ନିର୍ବାଚନ ନୁହେଁ।

୪. ଏ ନିର୍ବାଚନରେ ମୋଦୀ ଅଛନ୍ତି, ହେଲେ ସେ କଣ କରିଛନ୍ତି, କାହା ପାଖରେ ତାର ଉତ୍ତର ନାଇଁ। ତେବେ ଲୋକପ୍ରିୟତାରେ ନବୀନଙ୍କ ସହ ମୋଦୀଙ୍କୁ ତୁଳନା କରିବାକୁ କେହି ଚାହାନ୍ତି  ନାଇଁ। କୋଦଳାର ଜଣେ ଯୁବକଙ୍କ କହିବା କଥା ହେଲା, ଓଡିଶାରେ ନବୀନ ଅଛନ୍ତି। ତାଙ୍କ କାମ ଆମେ ଦେଖୁଛୁ। ହେଲେ ମୋଦୀ କଥା ଖାଲି ଟିଭିରେ ଶୁଣୁଛୁ।

୫. ଖଲିକୋଟ ବଜାରରେ ଜଣେ ଯୁବକ ଆମକୁ କହିଲେ, ସେ ବିଜେପିକୁ ଇ ଭୋଟ ଦେବେ। ସେତେବେଳେ ପାଖରେ ଠିଆ ହୋଇଥିବା ଜଣେ ଆଉଜଣେ ଭଦ୍ରବ୍ୟକ୍ତି ରାଗିକି କହିଲେ, ନୋଟବନ୍ଦୀରେ ଯେଉଁ ଲୋକ ମୋ ଟଙ୍କା ଖାଇଛି, ମୁଁ ତାକୁ ଭୋଟ ଦେବିନି। ବିମୁଦ୍ରାକରଣକୁ ନେଇ ଲୋକ ଅସନ୍ତୋଷ ଆଜି ବି ବଳବତ୍ତର ରହିଛି।

୬. ଆସ୍କା ଲୋକସଭା ଲାଗି ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରିବାଟାକୁ ଅନେକ ମଧ୍ୟବିତ୍ତ ଓ ସହରୀ ଭୋଟର ଗ୍ରହଣ କରିପାରୁନାହାନ୍ତି। କିଛି ବିଜେଡି କର୍ମୀ ଏ ପ୍ରସଙ୍ଗରେ ନିଜର ଅସନ୍ତୋଷ ଆମକୁ କହିଥିଲେ। ଯୁବକ ମାନେ ବିଜେପିର ଅନିତା ପ୍ରିୟଦର୍ଶିନୀଙ୍କୁ ପ୍ରଶଂସା କରୁଥିବା ବେଳେ ମହିଳାଙ୍କ ପ୍ରଥମ ପସନ୍ଦ ଆଜି ବି ନବୀନ ଓ ସେମାନଙ୍କ ମତରେ ତାଙ୍କ ମନୋନୀତ ପ୍ରାର୍ଥୀ ଯିଏ ହେଲେ ବି ସେ ଜିତିବ।

ପ୍ରଥମ ଥର ଲାଗି ଗଞ୍ଜାମରେ ବିଜେଡି ବିଜେପିକୁ ସାମ୍ନା କରୁଛି। ଆଗରୁ କଂଗ୍ରେସ ଓ କମ୍ୟୁନିଷ୍ଟ ମାନେ ଗଞ୍ଜାମର ମୁଖ୍ୟ ପ୍ରତିଯୋଗୀ ଥିବାବେଳେ ହଠାତ ବିଜେପିର ଅଭ୍ୟୁଦୟ ଗଞ୍ଜାମ ରାଜନୀତିରେ ଏକ ନୂଆ ଘଟଣା।

Categories
ବିଶେଷ ଖବର

ପ୍ରମିଳା ବିଷୋୟୀ ଲୋକସଭାକୁ ଗଲେ କହିବେ କଣ ଓ କରିବେ କଣ- ଏ ପ୍ରଶ୍ନ ପଚାରିବାକୁ ଆମେମାନେ କେତେ ଯୋଗ୍ୟ ?

କେଦାର ମିଶ୍ର

ପ୍ରମିଳା ବିଷୋୟୀ, ବୟସ ସତୁରୀ, ଶିକ୍ଷାଗତ ଯୋଗ୍ୟତା ଦ୍ଵିତୀୟ ଶ୍ରେଣୀ ଓ ବୃତ୍ତିରେ ସମାଜସେବୀ। ତାଙ୍କୁ ଆସ୍କା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ କରାଗଲା ପରେ ହଠାତ ତାଙ୍କର ଦକ୍ଷତା ଓ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠା ହେଉଛି। ଏ ଦେଶର ଲୋକସଭାରେ ଜଣେ ଅଳ୍ପ ପାଠ ପଢିଥିବା ମହିଳା କଣ କରିପାରିବେ ବୋଲି ସନ୍ଦେହ ପ୍ରକଟ କରାଯାଉଛି। ସନ୍ଦେହ ଉଠିବା ସ୍ଵାଭାବିକ। ବିଜେଡି ଟିକେଟ ପାଇଲା ପରେ ପ୍ରମିଳାଙ୍କୁ ଜଣେ ସାମ୍ବାଦିକ ସେକଥା ପଚାରିଲେ ମଧ୍ୟ। ଏହାର ଉତ୍ତରରେ ପ୍ରମିଳା ଯାହା କହିଲେ, ତାହା ମୋ ମତରେ ମୁଁ ଶୁଣିଥିବା ସବୁଠୁ ଚମତ୍କାର ଉତ୍ତରମାନଙ୍କ ଭିତରୁ ଅନ୍ୟତମ। ପ୍ରମିଳାଙ୍କ କହିବା କଥା ହେଲା, ମୁଁ ଭଲ ଓଡିଆ ପଢିପାରେ ଓ ଲେଖିପାରେ। ଲୋକସଭାରେ ସେଟା କଣ ଯଥେଷ୍ଟ ନୁହେଁ? ଲୋକସଭା ଯଦି ଲୋକଙ୍କର ସଭା ତାହେଲେ ସେଠି ଲୋକଙ୍କର ଭାଷା କାହିଁକି ଚଳିବ ନାହିଁ? ପ୍ରମିଳାଙ୍କ ଶିକ୍ଷାଗତ ଯୋଗ୍ୟତା ତୁଳନାରେ ପ୍ରମିଳାଙ୍କ ଅଭିଜ୍ଞତା ଓ ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ କରାଇବାରେ ତାଙ୍କର ଭୂମିକା ତାଙ୍କର ଯୋଗ୍ୟତା ହେବନାହିଁ କାହିଁକି? ଗଞ୍ଜାମ ଜିଲ୍ଲାରେ ହଜାର ହଜାର ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଏକତ୍ରୀତ କରି ମହିଳାଙ୍କ ପାଇଁ  ଆର୍ଥିକ ସ୍ଵାଧୀନତା ଯୋଗାଇବାରେ ଯେଉଁ ଭଦ୍ର  ମହିଳା ଅତ୍ୟନ୍ତ ଦକ୍ଷ ଭୂମିକା ତୁଲାଇଛନ୍ତି, ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ କରିବା ଆମର ନିର୍ବୋଧତା ନୁହେଁ କି?

ଶିକ୍ଷାଗତ ଯୋଗ୍ୟତା ରାଜନୀତିରେ ଏକମାତ୍ର ମାପକାଠି ନୁହେଁ। ଆଜିର ପ୍ରଧାନମନ୍ତ୍ରୀ ଅନେକ ସମୟରେ “ହାର୍ଭାର୍ଡ ବନାମ ହାର୍ଡ ୱାର୍କ” ପ୍ରସଙ୍ଗ ଉଠାଇଛନ୍ତି। କେବଳ ପାଠ ପଢିଦେଲେ ରାଜନୀତିରେ ପରିବର୍ତ୍ତନ ଆସିବ ନାଇଁ। ପାଠ ସହିତ ସାମାଜିକ ଓ ରାଜନୈତିକ ଅଭିଜ୍ଞତା ରାଜନୀତି ଲାଗି ବେଶୀ ପ୍ରାସଙ୍ଗିକ। ଆଜି ସାରା ଦେଶରେ ଅନେକ ମହିଳା ନେତ୍ରୀ ଅଛନ୍ତି, ଯେଉଁ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ହୁଏତ କମ, କିନ୍ତୁ ରାଜନୀତିରେ ସେମାନଙ୍କର ଯୋଗଦାନ ଅନେକ ପ୍ରଭାବଶାଳୀ ସାମାଜିକ ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇ ପାରିଛି। ଗ୍ରାମ ପଞ୍ଚାୟତ ସ୍ତରରେ ଏହି ମହିଳାମାନେ ଇ ପରିବର୍ତ୍ତନର ସୂତ୍ରଧର ସାଜିଛନ୍ତି। ଅନେକ ସରପଞ୍ଚ ଅଛନ୍ତି, ଯେଉଁ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ହୁଏତ ପ୍ରଥମ ବା ଦ୍ଵିତୀୟ ଶ୍ରେଣୀ, କିନ୍ତୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ମହିଳାମାନେ ବିରାଟ ପରିବର୍ତ୍ତନ ଆଣିଛନ୍ତି।

ଓଡିଶାରେ  ମହିଳା ସଶକ୍ତିକରଣ ଓ ଆର୍ଥିକ ଦୃଷ୍ଟିରୁ ମହିଳାଙ୍କୁ ସ୍ବାବଲମ୍ବୀ କରିବାର ଉଦ୍ୟମ ଯୋଗୁଁ ଗ୍ରାମୀଣ ସ୍ତରରେ ଅନେକ ଉଦ୍ୟୋଗୀ ବାହାରିଛନ୍ତି। ଏମାନେ ସ୍ଥାନୀୟ ଓ ଘରୋଇ ଉତ୍ପାଦନର ବଜାର ସୃଷ୍ଟି କରି ବିରାଟ ଉଦାହରଣ ପାଲଟିଛନ୍ତି। ନଳବନ୍ତ ଗାଁ ର ସତସଙ୍ଗ ସ୍ଵୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଭୂମିକାରେ ପ୍ରମିଳା ବିଷୋୟୀଙ୍କ ଭୂମିକା କେବଳ ଆଜି ନୁହଁ, ବରଂ ବହୁ ଆଗରୁ ଚର୍ଚ୍ଚିତ। ତାଙ୍କୁ ଆଜି ବିଜୁ ଜନତା ଦଳ ଲୋକସଭା ଟିକଟ ଦେଇଛି ବୋଲି ସେ ଯେ ଚର୍ଚ୍ଚିତ, ସେକଥା କହିବା ଭୁଲ ହେବ। ବରଂ, ଗଣତନ୍ତ୍ରର ଅସଲ ଆଦର୍ଶ ହେଉଛି ପ୍ରମିଳା ବିଷୋୟୀମାନଙ୍କୁ ଏ ଦେଶର ନୀତି ଓ ନିୟମ ପ୍ରଣୟନରେ ପ୍ରମୁଖ ଭୂମିକା ଦେବା। ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ଏମାନେ ଯେଉଁ ଉଲ୍ଲେଖନୀୟ ଅଭିଜ୍ଞତା ହାସଲ କରିଛନ୍ତି, ତାକୁ ସର୍ବୋଚ୍ଚ ନୀତି ପ୍ରଣୟନ କ୍ଷେତ୍ରରେ ଉପଯୋଗ କରିବା ଆମ ଗଣତନ୍ତ୍ରର ପ୍ରଧାନ ଲକ୍ଷ୍ୟ ହେବା ଉଚିତ।

ପ୍ରମିଳାଙ୍କ ପରି ଅଭିଜ୍ଞ ନେତ୍ରୀଙ୍କୁ ହୁଏତ ତାତ୍ସଲ୍ୟ କରିବା ସହଜ। ସେ ଲୋକସଭାରେ କଣ କରିପାରିବେ ବା କହିପାରିବେ  ବୋଲି କହି ତାଙ୍କୁ ତୁଚ୍ଛ କରିଦେବା ମଧ୍ୟ ସହଜ। ହେଲେ ପ୍ରମିଳା ବିଷୋୟୀମାନେ ଯେତେବେଳେ କହିବା ଆରମ୍ଭ କରନ୍ତି ସେତେବେଳେ ବହୁ ଉଚ୍ଚ ଶିକ୍ଷିତଙ୍କ ପାଟି ଥମ ହୋଇଯାଏ। ସାମାଜିକ ଜୀବନରେ ଏମାନେ ଏମିତି ଅଭିଜ୍ଞତା ହାସଲ କରି ଆସିଥାନ୍ତି, ଯାହାକି ଶିକ୍ଷିତଙ୍କ ପାଇଁ ସାତସ୍ଵପ୍ନ। ଶିକ୍ଷାକୁ କେବଳ ଏକ ସାର୍ଟିଫିକେଟ ବୋଲି ଭାବୁଥିବା ଲୋକଙ୍କ ପାଇଁ ପ୍ରମିଳା ବିଷୋୟୀ ହୁଏତ ଗ୍ରହଣୀୟ ହୋଇ ନପାରନ୍ତି, କିନ୍ତୁ ଦେଶର ସର୍ବୋଚ୍ଚ ବିଧାୟକ ସଭାରେ ଏ ପ୍ରକାର ନେତୃତ୍ବର ସର୍ବାଧିକ ଆବଶ୍ୟକତା ରହିଛି।

ଶେଷରେ ଏକ ବ୍ୟକ୍ତିଗତ ଅନୁଭବର କଥା କହି ଏ ପ୍ରସଙ୍ଗକୁ ସାରିବା। ୧୯୯୦ ଓଡିଶା ବିଧାନସଭା ନିର୍ବାଚନରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇ ଫେରିବେ ବୋଲି ପ୍ରବଳ ହାୱା ବୋହୁଥାଏ। ସେତେବେଳେ ଆମେ ସବୁ କଲେଜ ଛାତ୍ର। ଆମ ସୋନପୁର ନିର୍ବାଚନ ମଣ୍ଡଳୀରୁ କୁନ୍ଦୁରୁ କୁଶଳ ନାମକ ଜଣେ ଇଟାଭାଟି ଶ୍ରମିକଙ୍କୁ ବିଜୁ ବାବୁ ଜନତା ଦଳର ଟିକଟ ଦେଉଛନ୍ତି ବୋଲି ଆମେ ଶୁଣୁଥିଲୁ। କୁନ୍ଦୁରୁ ବାବୁ ପ୍ରାୟ ନିରକ୍ଷର। ଏହାର ପ୍ରତିବାଦ କରିବାକୁ ଆମେ ପ୍ରାୟ ୨୦ ଜଣ ଯୁବକ ଓ ଛାତ୍ର ସେତେବେଳେ ନବୀନ ନିବାସକୁ ଆସିଥିଲୁ। ସେତେବେଳେ ବିଜୁ ବାବୁ ଆମକୁ କହିଥିଲେ- “ଗେଟ ଆଉଟ, କାନ୍ଦୁରୁ ଏ ରାଜ୍ୟର ସବୁଠୁ ଭଲ ବିଧାୟକ ହେବ”। ଆମେ ସବୁ ସେତେବେଳେ ବିଜୁ ବାବୁଙ୍କ ଉପରେ ରାଗିକି ନବୀନ ନିବାସରୁ ଫେରିଥିଲୁ। ପରବର୍ତ୍ତୀ ସମୟରେ କୁନ୍ଦୁରୁ ବାବୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଓ ସୋନପୁରରେ ବହୁ ଶିକ୍ଷିତ ବିଧାୟକ ଯାହା କରିବାକୁ ସମର୍ଥ ହୋଇନଥିଲେ, କୁନ୍ଦୁରୁଙ୍କ ନେତୃତ୍ଵରେ ତାହା ସଫଳ ହୋଇଥିଲା। ଆଜି ବି ସୋନପୁରର ସବୁଠୁ ସଫଳ ଓ ଲୋକପ୍ରିୟ ବିଧାୟକ ଭାବରେ ସ୍ଵର୍ଗତ କୁନ୍ଦୁରୁ କୁଶଳଙ୍କୁ ଲୋକ ମନେ ରଖିଛନ୍ତି। ସବୁଠୁ ଦୁଃଖର କଥା ହେଉଛି, ୧୯୯୦ ରେ ଯେଉଁ ଶିକ୍ଷିତ ନେତାଙ୍କ ଲାଗି ଆମେ ବିଜୁ ବାବୁଙ୍କ ପାଖରେ ଲବି କରିବାକୁ ଆସିଥିଲୁ ସେ ପରବର୍ତ୍ତୀ ସମୟରେ ଜଣେ ନିଶାଖୋର ବ୍ୟକ୍ତି ସାବ୍ୟସ୍ତ ହେଲେ।

ଏକଥା କହିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଗଣତନ୍ତ୍ରରେ କୁନ୍ଦୁରୁ କୁଶଳ ଓ ପ୍ରମିଳା ବିଷୋୟୀମାନେ ଲୋକଙ୍କର ଆଶା ତଥା ଅଭୀପ୍ସାକୁ ଯେମିତି ବୁଝନ୍ତି, ସେମିତି ବୋଧଶକ୍ତି ଆମ ତଥାକଥିତ ଉଚ୍ଚ ଶିକ୍ଷିତଙ୍କ ପାଖରେ ନାହିଁ।