ଓଡିଶା ପ୍ରସିଦ୍ଧ ମା’ ଭଗବତୀଙ୍କ ନବରାତ୍ର ପୂଜା, ଜାଣନ୍ତୁ କଣ ରହିଛି ପରମ୍ପରା

Published: Oct 9, 2021, 5:42 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶାର ଶକ୍ତିପୀଠ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର “ମା” ଭଗବତୀ ପୀଠ ଅନ୍ୟତମ। ଏଠାକାର ପାର୍ବଣ ରୀତିନୀତି ସ୍ୱତନ୍ତ୍ର ନିଆରା। ପୂଜକ ବାମନ ଚନ୍ଦ୍ର ଦାଶଙ୍କ କହିବା କଥା ଅନୁସାରେ ଏଠାରେ ଅମାବାସ୍ୟା ତିଥିରେ ଆରମ୍ଭ ହୋଇଥିବା “ନବରାତ୍ର”ପୂଜା ଅତ୍ୟନ୍ତ ଦୁର୍ଲ୍ଲଭ ଭାବରେ କରାଯାଇଥାଏ ଯଥା :- ପ୍ରଥମ ଦିନ ଦେବୀଙ୍କୁ “ଶୈଳପୁତ୍ରୀ” ଭାବରେ ବେଶ କରାଯାଇ ଷୋଡଶ ଉପଚାରରେ ପୂଜା କରାଯାଏ। ଏହି ପୂଜାର ଲକ୍ଷ ସମାଜରେ ଭକ୍ତ ମାନଙ୍କର ମନବାଞ୍ଛା ପୂର୍ଣ୍ଣ ହୋଇଥାଏ।

ଦିତୀୟ ଦିନ ଦେବୀଙ୍କୁ “ବ୍ରହ୍ମଚାରିଣୀ”ବେଶ କରାଯାଇ ୩୨ ଉପଚାର କରାଯାଇଥାଏ।ଏହାର ଉଦ୍ଦେଶ୍ୟ ବିଶ୍ୱରେ ଶାନ୍ତି ଓ ସୌମ୍ୟ ପ୍ରତିଷ୍ଠା କରିବା। ଭକ୍ତ ମାନଙ୍କର ପ୍ରୀତି ଏବଂ ସୁଖ ସ୍ଥାପନାର୍ଥେ ତୃତୀୟ ଦିନ ଦେବୀଙ୍କୁ “ଚନ୍ଦ୍ରଘଣ୍ଟା” ବେଶରେ ସଜ୍ଜିତ କରାଯାଇ ବୈଦିକ ପୂଜା କରାଯାଏ। ବିଶ୍ୱରେ ମହାମାରୀ ଆଦି ରୋଗର ନିରାକରଣାର୍ଥେ ଚତୁର୍ଥ ଦିନ ଦେବୀଙ୍କୁ “କୁଷ୍ମାଣ୍ଡା”ବେଶରେ ବେଶ କରାଯାଇ ପାଣିକଖାରୁ ରେ ପୂଜା ହୋମ କରାଯାଏ।

ବିଶ୍ୱରେ ଐକ୍ୟ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପଞ୍ଚମ ଦିନ “ସ୍କନ୍ଦମାତା”ବେଶରେ ବେଶ କରାଯାଇ ମହାପୂଜା ଏବଂ ହୋମ କରାଯାଏ। ଭକ୍ତ ମାନଙ୍କର ଦୀର୍ଘାୟୁ କାମନା ପାଇଁ ଷଷ୍ଠ ଦିନ ଦେବୀଙ୍କୁ “କାତ୍ୟାୟନି”ରୂପରେ ବେଶ କରାଯାଇ ତ୍ରିକାଳ ପୂଜା କରାଯାଏ। ଭକ୍ତ ମାନଙ୍କର ପରିବାର ମଙ୍ଗଳ ପାଇଁ ସପ୍ତମ ଦିନ ଦେବୀଙ୍କୁ “କାଳରାତ୍ରୀ”ବେଶରେ ସଜ୍ଜାଯାଇ ଦ୍ରବ୍ୟପୂଜା ଓ ହୋମ କରାଯାଏ। ଭକ୍ତ ମାନଙ୍କର ହୃଦୟରୁ ସଡ଼ରିପୁ ନାଶନ ପାଇଁ ଅଷ୍ଟମ ଦିନ ଦେବୀଙ୍କୁ “ଗୌରୀ”ବେଶରେ ବେଶ କରାଯାଇ ଫଳ ପୂଜା ଏବଂ ହୋମ କରାଯାଏ।

ଶେଷରେ ବିଶ୍ୱର ପ୍ରତ୍ୟେକ ଜୀବର ମଙ୍ଗଳ କାମନା ପାଇଁ ନବମ ଦିବସରେ ଦେବୀଙ୍କୁ “ମହାମାୟା” ବେଶରେ ସଜ୍ଜାଯାଇ ମତ୍ସ୍ୟ, ମାଂସ, ମଦ, ମୁଦ୍ରା ଓ ମୈଥୁନ ଆଦି ପଞ୍ଚ ‘ମ’ କାରରେ ପୂଜା କରାଯାଏ।

Related posts