Categories
ଆଜିର ଖବର ଖେଳ ଜାତୀୟ ଖବର

ମୁମ୍ବାଇ ବିପକ୍ଷରେ ଇତିହାସ ରଚିଲେ ଚହଲ, ପ୍ରଥମ ବୋଲର ଭାବେ ଆଇପିଏଲରେ ନେଲେ ୨୦୦ ୱିକେଟ୍

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ୱିକେଟ୍ ପୂରଣ କରିଛନ୍ତି। MI ବନାମ RR ମ୍ୟାଚ୍ ଆରମ୍ଭ ପୂର୍ବରୁ ଚାହଲ ୧୫୨ ମ୍ୟାଚରେ ୧୯୯ ୱିକେଟ୍ ନେଇଥିଲେ ଏବଂ ଏହି ମ୍ୟାଚରେ ୨୦୦ ୱିକେଟ୍ ପୂରଣ କରିବାକୁ ତାଙ୍କୁ ମାତ୍ର ୧ ୱିକେଟ୍ ଆବଶ୍ୟକ ଥିଲା। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ମହମ୍ମଦ ନବୀଙ୍କୁ ଆଉଟ କରି ତାଙ୍କ କ୍ୟାରିୟରରେ ୨୦୦ ୱିକେଟ୍ ପୂରଣ କରିଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ଚହଲ ଦୁନିଆର ପ୍ରଥମ ଖେଳାଳି ହୋଇପାରିଛନ୍ତି। ଆଇପିଏଲରେ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ବ୍ୟକ୍ତି ହେଉଛନ୍ତି ଡୱେନ ବ୍ରାଭୋ, ଯିଏକି ତାଙ୍କ କ୍ୟାରିୟରରେ ୧୮୩ ୱିକେଟ୍ ନେଇଥିଲେ।

ୟୁଜଭେନ୍ଦ୍ର ଚହଲ ୨୦୧୩ ମସିହାରେ ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଥମ ମ୍ୟାଚ୍ ଖେଳିଥିଲେ ଏବଂ ଗତ ୧୨ ବର୍ଷ ମଧ୍ୟରେ ସେ ୩ ଟି ଦଳ ପାଇଁ ଖେଳିଛନ୍ତି। ଚହଲ ୨୦୧୩ ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଥିଲେ ଯେଉଁଥିରେ ସେ କୌଣସି ୱିକେଟ୍ ନେଇପାରିନଥିଲେ। ଏହା ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଟି ସିଜିନରେ ଖେଳିଥିଲେ। ୟୁଜଭେନ୍ଦ୍ର ଚହଲ ଆଇପିଏଲରେ ଆରସିବି ପାଇଁ ୧୧୩ ମ୍ୟାଚ୍ ଖେଳିଥିଲେ ଯେଉଁଥିରେ ସେ ୧୩୯ ୱିକେଟ୍ ନେଇଥିଲେ। ୨୦୨୨ ମସିହାରେ, ଲେଗ୍ ସ୍ପିନ୍ ଯାଦୁଗର ଚହଲ ରାଜସ୍ଥାନ ରୟାଲ୍ସରେ ପ୍ରବେଶ କରିଥିଲେ। ଚହଲ ବର୍ତ୍ତମାନ ପର୍ଯ୍ୟନ୍ତ RR ପାଇଁ ୩୯ ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୬୧ ଟି ୱିକେଟ୍ ନେଇଛନ୍ତି।

ୟୁଜବେନ୍ଦ୍ର ଚହଲ ମଧ୍ୟ ଆଇପିଏଲରେ ପର୍ପଲ କ୍ୟାପ ବିଜେତା ହୋଇଛନ୍ତି। ସେ ୨୦୨୨ ମସିହାରେ ପ୍ରଥମ ଥର ପାଇଁ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ ଏବଂ ସେହି ସିଜନରେ ସେ ୨୭ ୱିକେଟ୍ ନେଇ ପର୍ପଲ କ୍ୟାପ୍ ଜିତିଥିଲେ। ଚହଲ ମଧ୍ୟ ଜଣେ ବୋଲର ଯିଏ ୫ ଟି ଭିନ୍ନ ସିଜିନରେ ୨୦ରୁ ଅଧିକ ୱିକେଟ୍ ନେଇଛନ୍ତି। ତାଙ୍କ କ୍ୟାରିୟରର ୨୦୦ ତମ ୱିକେଟ୍ ନେବା ପର୍ଯ୍ୟନ୍ତ, ଚହଲ ମିଳିତ ଭାବରେ ଆଇପିଏଲ୍ ୨୦୨୪ ରେ ପର୍ପଲ କ୍ୟାପ୍ ରେସରେ ପ୍ରଥମ ସ୍ଥାନରେ ଅଛନ୍ତି। ଚଳିତ ସିଜନରେ ସେ ଏପର୍ଯ୍ୟନ୍ତ ୧୩ ୱିକେଟ୍ ନେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟର ରୋଭର ରେଞ୍ଜରଙ୍କ ଦ୍ବାରା ଜଳ ସେଵା କାର୍ଯକ୍ରମ

ବାଣପୁର: ଆଜି ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ୍ ସହାୟତାରେ ଗୋଦାବରୀଶ ମହାବିଦ୍ୟାଳୟର ରୋଭର ରେଞ୍ଜରଙ୍କ ଦ୍ବାରା କଲେଜ ରୋଡ଼ର ଭାଗୀରଥୀ ମଣ୍ଡପ ପାର୍ଶ୍ଵରେ ଏକ ଜଳ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ବିନାୟକ ହୋତାଙ୍କ ଉପସ୍ଥିତିରେ ଜଳ ସେଵା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ଏହି କାର୍ଯ୍ୟକ୍ରମ ତା.୨୨.୪.୨୦୨୪ ରିଖ ଠାରୁ ୧.୫.୨୦୨୪ ରିଖ ପର୍ଯ୍ୟନ୍ତ ପରିଚାଳିତ ହେବ। ପ୍ରଥମ ଦିନ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଏସ୍.ପି.ଏନ୍.ଏସ୍ ବର୍ମା ,+୨ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର, ଆଦିତ୍ୟ ସାରଥୀ ବେଦମତା, କୁମାରୀ ଉତ୍କଳିକା ପାଢୀ ଏବଂ ପ୍ରାକ୍ତନ ରୋଭର ଛାତ୍ର ସୁନିଲ୍ କୁମାର ସ୍ୱାଇଁ, ନିତିଶ୍ କୁମାର ବିଶ୍ବାଳ, ସିତୁନ ମହାପାତ୍ର ଓ ରୋଭର ତୁଷାର, ଅନିରୁଧ ଏବଂ ରେଞ୍ଜର ଚିନ୍ମୟୀ, ମୋନାଲିସା, ବର୍ଷା, ସରିତା, ଗାୟତ୍ରୀ, ଶ୍ରଦ୍ଧାଞ୍ଜଳୀ, ଅନନ୍ୟା, ଇତିଶ୍ରୀ, ଶର୍ମିଷ୍ଠା, ରୂପା, ଇତି, ବିଷ୍ଣୁପ୍ରିୟାଙ୍କ ଉପସ୍ଥିତିରେ ଦିବା ୧୧ ଘଟିକା ଠାରୁ ୨ ଘଟିକା ପର୍ଯ୍ୟନ୍ତ ପ୍ରାୟ ୧୨୦(ଏକ ଶହ କୋଡିଏ) ଲୋକଙ୍କୁ ଦହି ସରବତ ପ୍ରଦାନ କରାଯାଇଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

“ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି”- ଓଡ଼ିଆ ସଂସ୍କରଣ ଲୋକାର୍ପିତ

ଭୁବନେଶ୍ୱର: ‘ରିଫର୍ମ – ପରଫର୍ମ – ଟ୍ରାନ୍ସଫର୍ମ’କୁ ମୁଳମନ୍ତ୍ର ଏବଂ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର “ସୁରକ୍ଷିତ ଭାରତ – ସମୃଦ୍ଧ ଭାରତ” ଗଠନ ପାଇଁ ସଂକଳ୍ପବଦ୍ଧ। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଦେଶବାସୀଙ୍କୁ ଦିଆଯାଇଥିବା ୨୩୫ଟି ପ୍ରତିଶୃତି ମଧ୍ୟରୁ ୨୨୨ଟି ପ୍ରତିଶୃତିକୁ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ। ମୋଦି ସରକାରଙ୍କ ଗତ ୧୦ ବର୍ଷର ବିଶ୍ୱସନୀୟତା ଏବଂ ଆଗାମୀ ୫ ବର୍ଷରେ ଦେଶର ବିକାଶଯାତ୍ରାକୁ ତ୍ୱରାନ୍ୱିତ କରି ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ଉଦ୍ଦେଶ୍ୟରେ ବିଜେପି ତରଫରୁ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି” ପ୍ରକାଶ ପାଇଛି। ସୋସିଆଲ, ଫିଜିକାଲ୍ ଓ ଡିଜିଟାଲ ଭିତିଭୁମିକୁ ସୁଦୃଢ କରାଯିବା ଲକ୍ଷ୍ୟରେ ଏହି ସଂକଳ୍ପ ପତ୍ର ‘ବିକଶିତ ଭାରତ ଏବଂ ବିକଶିତ ଓଡିଶା ଗଠନ’ରେ ‘ବୁଷ୍ଟର’ ସଦୃଶ ହେବ। ଗତ ୧୪ ତାରିଖ ପବିତ୍ର ପଣାସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, ଇସ୍ତାହାର କମିଟି ସଂଯୋଜକ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି” ଉନ୍ମୋଚନ କରିଥିଲେ।

ଆଜି ସେହି ସଂକଳ୍ପ ପତ୍ରର ଓଡିଆ ସଂସ୍କରଣକୁ ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉନ୍ମୋଚିତ ହୋଇଛି।

ଯୁବକ, ମହିଳା, କୃଷକ ଓ ଗରିବଙ୍କୁ ମୋଦିଜୀ ଏହି ସଂକଳ୍ପପତ୍ରରେ ଗୁରୁତ୍ୱ ଦେଇଛନ୍ତି। ୧୦ବର୍ଷ ଭିତରେ ୨ଟି ସଂକଳ୍ପ ପତ୍ର ନିର୍ମାଣ କରାଯାଇଥିଲା। ଏହି ସଂକଳ୍ପପତ୍ର କାର୍ଯ୍ୟକାରି କରିବାରେ ମୋଦିଜୀ ସଫଳ ହୋଇଛନ୍ତି। ଏହି ସଂକଳ୍ପପତ୍ର ଓଡିଆ ଭାଷାରେ ପ୍ରକାଶ ପାଇଥିବାରୁ ଓଡିଶାବାସୀଙ୍କୁ ମୋଦି ଗ୍ୟାରେଂଟି ସଂପର୍କରେ ଆହୁରି ଅଧିକ ଜାଣିବାରେ ସକ୍ଷମ ହେବେ। ମୋଦି ଗ୍ୟାରେଂଟି ସଂକଳ୍ପପତ୍ରର ଓଡ଼ିଆ ସଂସ୍କରଣକୁ ଓଡ଼ିଶାର ଘରେ ଘରେ ପହଂଚାଇବାକୁ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ଆଜି ଦେଶର ୮୦କୋଟିରୁ ଅଧିକ ନାଗରିକ ମାଗଣା ରାସନ ପାଉଛନ୍ତି, ୫୦କୋଟିରୁ ଅଧିକ ନାଗରିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଯୋଗ ଦେଇଛନ୍ତି, ୩୪ଲକ୍ଷ କୋଟି ଟଙ୍କା ସିଧାସଳଖ ଲୋକଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି, ମାଗଣା ସ୍ୱାସ୍ଥ୍ୟ ବୀମା ଅଧୀନରେ ୩୪କୋଟିରୁ ଅଧିକ ନାଗରିକ ଅନ୍ତର୍ଭୁକ୍ତ ହୋଇଛନ୍ତି, ୪କୋଟିରୁ ଅଧିକ ପରିବାରକୁ ବର୍ତମାନ ସୁଦ୍ଧା ପକ୍କା ଘର ମିଳିଛି, ୧୪କୋଟିରୁ ଅଧିକ ପରିବାର ବିଶୁଦ୍ଧ ଟ୍ୟାପି ପାଣି ସୁବିଧା ପାଇଛନ୍ତି, ୧୦କୋଟିରୁ ଅଧିକ ମହିଳାଙ୍କ ନିକଟରେ ସ୍ୱଚ୍ଛ ରନ୍ଧନ ଗ୍ୟାସ ରହିଛି, ୧୧କୋଟିରୁ ଅଧିକ ପରିବାରକୁ ଶୌଚାଳୟ ମିଳିଛି, ୨.୮କୋଟି ପରିବାରକୁ ବିଦ୍ୟୁତ ଯୋଗାଣ ହୋଇଛି, ଟ୍ରିପଲ ତଲାକ ଉପରେ ପ୍ରତିବନ୍ଧକ ଭଳି ନିର୍ଣ୍ଣାୟକ ପଦକ୍ଷେପ ନିଆଯାଇଛି, ମହିଳା ସଶକ୍ତିକରଣ ପାଇଁ ୨୬ସପ୍ତାହ ମାତୃତ୍ୱ ଚୁଟି ଏବଂ ସଂସଦ ଓ ବିଧାନ ସଭାରେ ମହିଳାମାନଙ୍କ ପାଇଁ ୩୩ପ୍ରତିଶତ ଆସନ ସଂରକ୍ଷିତ ହୋଇଛି, ଏମଏସଏମଇମାନଙ୍କୁ ସମୁଦାୟ ୪୬କୋଟି ଋଣପ୍ରଦାନ କରାଯାଇଛି ଯାହାର ମୂଲ୍ୟ ୨୭ଲକ୍ଷ କୋଟି ଟଙ୍କା, ଆଇଆଇଟିଠାରୁ ଆରମ୍ଭ କରି ଆଇଆଇଏମ, ଏମସ ମେଡିକାଲ କଲେଜ ଏବଂ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ୭୫୦ନୂତନ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଛି, ୧୧କୋଟିରୁ ଅଧିକ କୃଷକ ବାର୍ଷିକ ୬ହଜାର ଟଙ୍କା ଲେଖାଏଁ ପାଉଛନ୍ତି, ୪କୋଟିରୁ ଅଧିକ କୃଷକ ଫସଲବୀମା ଦ୍ୱାରା ସୁରକ୍ଷିତ, ସାର ସବସିଡି ପାଇଁ ୧୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ପାରମ୍ପରିକ କାରିଗର, ବୁଲା ବିକ୍ରେତା, ଶ୍ରମିକ, ଏସସି, ଏସଟି, ଓବିସି, ପିଭିଟିଜି, ଦିବ୍ୟାଙ୍କ ଟ୍ରାନ୍ସଜେଣ୍ଡରମାନଙ୍କୁ ସ୍ୱତନ୍ତ୍ର ଯୋଜନା ମାଧ୍ୟମରେ ସଶକ୍ତ କରାଯାଇଛି, ଧାରା ୩୭୦ଅପସାରିତ ହୋଇଛି, ବାମପନ୍ଥୀ ଉଗ୍ରବାଦ ଦମନ ଏବଂ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ନିର୍ଣ୍ଣାୟକ ପଦକ୍ଷେପ ନିଆଯାଇଛି, ବିଭିନ୍ନ କାରଣରୁ ବିଦେଶରେ ସଙ୍କରାପନ୍ନ ଥିବା ୧.୫କୋଟିରୁ ଅଧିକ ନାଗରିକଙ୍କୁ ଉଦ୍ଧାର କରାଯାଇଛି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି, ପ୍ରାଚୀନ ପରମ୍ପରା ଏବଂ ସ୍ଥାନଗୁଡିକ ପୁର୍ନଜୀବିତ କରାଯାଇଛି, ଦେଶର ଅର୍ଥନୀତି ବିଶ୍ୱରେ ୫ମ ବୃହତ ହୋଇପାରିଛି, ୨୭ଟି ଦେଶରେ ଭାରତୀୟ ମୁଦ୍ରାର କାରବାର ଆରମ୍ଭ ହୋଇଛି, ୟୁପିଆର ବ୍ୟବହାର ବିଶ୍ୱବ୍ୟାପୀ ହୋଇପାରିଛି, ପ୍ରତିଦିନ ୨୮କିମି ଜାତୀୟ ରାଜପଥ ଏବଂ ୧୪.୫କିମି ରେଳ ଲାଇନ ନିର୍ମାଣ କରାଯାଉଛି, ୩.୭ଲକ୍ଷ କିମି ଗ୍ରାମୀଣ ରାସ୍ତା ନିର୍ମାଣ କରାଯାଇଛି, ମାନବ ବିହୀନ ରେଳ ଫାଟକଗୁଡିକୁ ହଟାଇ ଦିଆଯାଇଛି, ବନ୍ଦର ଏବଂ ବିମାନବନ୍ଦର କ୍ଷମତା ଦ୍ୱିଗୁଣିତ ହୋଇଛି, ମେଟ୍ରୋ ସେବା ୨୦ରୁ ଅଧିକ ସହରଗୁଡିକୁ ବିସ୍ତାର କରାଯାଇଛି, ଅଣ ଜୀବାସ୍ମ ଇନ୍ଧନ ଶକ୍ତି ୨.୫ଗୁଣା ବୃଦ୍ଧି କରାଯାଇଛି ଓ ଆମେ ଚନ୍ଦ୍ରରେ ଅବତରଣ କରିଛୁ ଭଳି ଅନେକ ତାଲିକା ମୋଦିଜୀଙ୍କ ୧୦ବର୍ଷ ଶାସନରେ ଘଟିଛି। ଏହି ସଂକଳ୍ପପତ୍ରକୁ ଓଡ଼ିଶାରେ ବହୁ ମାତ୍ରାରେ ପ୍ରଚାର ପ୍ରସାର କରିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି।

ଯାହାର କେହି ନାହିଁ, ତା ପାଖରେ ମୋଦି ଗ୍ୟାରେଂଟି ରହିଛି। ସମଗ୍ର ଦେଶରୁ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ମତାମତ ସଂଗ୍ରହ କରାଯାଇ ପ୍ରସ୍ତୁତ ହୋଇଥିବା ଏହି ସଂକଳ୍ପ ପତ୍ର ତଥା ମୋଦି ଗ୍ୟାରେଂଟିରୁ ସର୍ବାଧିକ ଲାଭ ପାଇବ ଓଡିଶା ରାଜ୍ୟ। ବିଶେଷ ଭାବେ ଚାଷୀ, ଗରିବ, ମହିଳା ଓ ଯୁବବର୍ଗ ପାଇଁ ଉତ୍ସର୍ଗୀକୃତ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି”। ମୋଦିଙ୍କ ଗ୍ୟାରେଂଟି ଦ୍ୱାରା ଓଡିଶା ଭଳି ରାଜ୍ୟ ସର୍ବାଧିକ ଲାଭାନ୍ୱିତ ହେବ ବୋଲି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି।

ରାଜ୍ୟରେ ମୋଦି ଗ୍ୟାରେଂଟି ପ୍ରତି ଓଡିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି। ଓଡିଶାରେ ବିଜେପିର ସରକାର ଗଠନ ହେବ ଏବଂ ପ୍ରତ୍ୟେକ ଓଡିଶାବାସୀ ମୋଦି ଗ୍ୟାରେଂଟିର ଲାଭବାନ ହେବେ। ଓଡିଶାର ସାମୁହିକ ବିକାଶ ହେବ ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସାଂସଦ ଜୁଏଲ ଓରାମ, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଦିଲୀପ ମଲ୍ଲିକ, ବରିଷ୍ଠ ନେତା ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଛଅଟି ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଠାରେ ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଉକ୍ତ ଛଅଟି ଜିଲ୍ଲା ଅଧିନରେ ଆସୁଥିବା ସମସ୍ତ ସଂସଦୀୟ ନିର୍ବାଚନ କ୍ଷେତ୍ର ଓ ବିଧାନସଭା ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ପ୍ରସ୍ତୁତି ବିଷୟରେ ବ୍ୟାପକ ଆଲୋଚନା ହୋଇଥିଲା।

ସମୀକ୍ଷା ବୈଠକ ପ୍ରାରମ୍ଭରେ ଦେଶରେ ମୁକ୍ତ, ଅବାଧ, ସ୍ୱଚ୍ଛ, ନିରପେକ୍ଷ, ଶୃଙ୍ଖଳାଯୁକ୍ତ, ତ୍ରୁଟିଶୂନ୍ୟ ତଥା ସମସ୍ତଙ୍କ ଅଂଶଗ୍ରହଣରେ ପରିପୁଷ୍ଟ ଭାରତୀୟ ଗଣତନ୍ତ୍ରର ମହାନ ପର୍ବ ‘ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪’କୁ ଓଡ଼ିଶାରେ ସବୁମତେ ସଫଳ କରାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଙ୍ଗୀକାରବଦ୍ଧତା ବିଷୟରେ ସ୍ପଷ୍ଟ ମତ ରଖିଥିଲେ। ଏହି ବୈଠକରେ ୬ଟି ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନେ ପିପିଟି ପ୍ରେଜେଣ୍ଟେସନ୍‌ ମାଧ୍ୟମରେ ସଂପୃକ୍ତ ଜିଲ୍ଲାଗୁଡ଼ିକର ନିର୍ବାଚନ ପ୍ରସ୍ତୁତି ବିଷୟରେ ସବିଶେଷ ତଥ୍ୟ ରଖିଥିଲେ। ସେସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

ସେହିପରି ଏହି ଛଅଟି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ମଧ୍ୟ ପିପିଟି ପ୍ରେଜେଣ୍ଟେସନ୍‌ ମାଧ୍ୟମରେ ନିଜ ନିଜ ଜିଲ୍ଲାର ଆଇନଶୃଙ୍ଖଳାଜନିତ ପ୍ରସ୍ତୁତି, ଜବତ ବ୍ୟବସ୍ଥା, ଯାଞ୍ଚ ବ୍ୟବସ୍ଥା ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମୁଖରେ ସମସ୍ତ ତଥ୍ୟ ରଖିଥିଲେ।

ଏହି ସମସ୍ତ ତଥ୍ୟର ତର୍ଜମା କରି ମୁଖ୍ୟ ନିର୍ବାଚନ ଅଧିକାରୀ ବୁଥ୍‌ସ୍ତରରୁ ତ୍ରୁଟିଶୂନ୍ୟ ନିର୍ବାଚନ ପରିଚାଳନା କରିବା ପାଇଁ ଉପସ୍ଥିତ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବରିଷ୍ଠ ପୋଲିସ ଅଧିକାରୀ ଓ ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆଦର୍ଶ ନିର୍ବାଚନ ପରିଚାଳନା ପାଇଁ ସି-ଭିଜିଲ୍‌, ସୁବିଧା ପୋର୍ଟାଲ, ଏନ୍‌କୋର୍‌ ନୋଡ଼ାଲ ଆପ୍‌ର ବ୍ୟବହାର ସହ ଭିନ୍ନକ୍ଷମ ଭୋଟର ଓ ବୟୋଜେଷ୍ଠ ଭୋଟରଙ୍କ ସୁବିଧା, ପୋଷ୍ଟାଲ ବାଲାଟ୍‌, ନିର୍ବାଚନ ଆଚରଣ ବିଧିର ଯଥାର୍ଥ ଅନୁପାଳନ ଉପରେ ଦୃଷ୍ଟି ରଖିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଥିଲେ। ମହିଳା ଓ ଯୁବ ଭୋଟରମାନଙ୍କୁ ମତଦାନ ପାଇଁ ଉତ୍ସାହିତ କରିବାକୁ ଶ୍ରୀ ଧଳ ପରାମର୍ଶ ଦେଇଥିଲେ। ନିର୍ବାଚନକୁ ଦେଶର ସର୍ବବୃହତ୍‌ ପର୍ବ ରୂପେ ପାଳନ କରି ଅଧିକରୁ ଅଧିକ ଭୋଟର ଯେପରି ମତଦାନ କରିବେ ସେ ଉପରେ ବିଶେଷ ଆଲୋଚନା ହୋଇଥିଲା। ନିର୍ବାଚନ ପରିଚାଳନାରେ ‘ମତଦାତା’ମାନଙ୍କୁ କେନ୍ଦ୍ରରେ ରଖି ସମସ୍ତ କାର୍ଯ୍ୟ ସଂପାଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ।

ନିର୍ବାଚନ ପ୍ରସ୍ତୁତିରେ ଆଇନଶୃଙ୍ଖଳା ଦିଗ ଉପରେ ମଧ୍ୟ ବିଶେଷ ଆଲୋଚନା ହୋଇଥିଲା। ପ୍ରତିଟି ବୁଥ୍‌ ଯେପରି ସୁରକ୍ଷା ବଳୟ ମଧ୍ୟରେ ରହିବ ଓ ଇଭିଏମ୍‌-ଭିଭିପାଟ୍‌ ମତଗଣନା ପର୍ଯ୍ୟନ୍ତ ସଂପୂର୍ଣ୍ଣ ସୁରକ୍ଷା ମଧ୍ୟରେ ରହିବ ସେ ବିଷୟରେ ଆଲୋଚନା ହୋଇଥିଲା।

ନିର୍ବାଚନରେ ଆଦର୍ଶ ଆଚରଣ ବିଧିର ଉଚିତ ଅନୁପାଳନ ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବିଭିନ୍ନ ପ୍ରବର୍ତ୍ତନ ବିଭାଗ ଯଥା-ଅବକାରୀ, ଜିଏସ୍‌ଟି, ପରିବହନ, ଜଙ୍ଗଲ ବିଭାଗ ସମନ୍ୱିତ ଭାବରେ କାର୍ଯ୍ୟ କରିବାକୁ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ୟରେ ଓଡ଼ିଶାରେ ବିନା କୌଣସି ଜନଜୀବନ ହାନିରେ ଉଚ୍ଚ ମତଦାନ ହାରକୁ ବଜାୟ ରଖିବା ସହ ତ୍ରୁଟିଶୂନ୍ୟ ନିର୍ବାଚନ ପ୍ରକ୍ରିୟାର ଆହ୍ୱାନ ବିଷୟରେ ଅବଗତ କରାଇଥିଲେ।

ମତଦାନ ଦିବସ ଓ ମତଗଣନା ଦିବସରେ ଯେପରି ଭାବରେ ବିନା କୌଣସି ବାଧାବିଘ୍ନରେ ସମସ୍ତ କାର୍ଯ୍ୟ ସମାପନ ହେବ, ସେଥି ପାଇଁ ବିଭିନ୍ନ ବିଭାଗର ସମନ୍ୱୟ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜୋର ଦେଇଥିଲେ।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ମତଦାନ କେନ୍ଦ୍ରରେ ବିଶେଷ ବ୍ୟବସ୍ଥା କରାଯିବ। ପ୍ରତିଟି ମତଦାନ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ, ମହିଳା ଓ ପୁରୁଷଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ଧାଡ଼ିବାନ୍ଧିବା ପାଇଁ ଛାଇ, ଚୌକି ଓ ପ୍ରତୀକ୍ଷା କକ୍ଷର ବ୍ୟବସ୍ଥା ରହିବ। ଏହି ସ୍ଥାନରେ ନିରବଚ୍ଛିନ୍ନ ବିଦୁ୍ୟତ ବ୍ୟବସ୍ଥା ସହ ପଙ୍ଖା ରହିବ। ସମସ୍ତ ମତଦାନ କେନ୍ଦ୍ରରେ ଜଣେ ଲେଖାଏଁ ଆଶା କର୍ମୀ ରହିବେ। ସେମାନଙ୍କ ପାଖରେ ଅଂଶୁଘାତ ମୁକାବିଲା ପାଇଁ ଅତ୍ୟାବଶ୍ୟକ ଔଷଧପତ୍ର ରହିବ। ପ୍ରତିଟି ସେକଫର ଅଫିସରଙ୍କ ସହ ଜଣେ ପାରା-ମେଡ଼ିକାଲ କର୍ମୀ ମଧ୍ୟ ରହିବେ। ଯଦି ଦୈବାତ କେହି ଅଂଶୁଘାତର ଶିକାର ହୁଅନ୍ତି ତେବେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ପହଞ୍ଚାଯିବ। ଏଥି ପାଇଁ ମତଦାନ ଦିବସଗୁଡ଼ିକରେ ଅଧିକ ସଂଖ୍ୟକ ଆମ୍ବୁଲାନ୍ସ ମହଜୁଦ୍‌ ରଖାଯିବ। ସୂଚନା-ଶିକ୍ଷା-ପ୍ରଚାର ମାଧ୍ୟମରେ ଅଂଶୁଘାତ ସତର୍କତା ବାର୍ତ୍ତା ଜନସାଧାରଣଙ୍କ ପାଖକୁ ପହଞ୍ଚାଇ ଦିଆଯିବ। ଏହା ସହ ପ୍ରତିଟି ବୁଥ୍‌ରେ ଜଳଛତ୍ର ଖୋଲାଯିବା ସହିତ ଓଆର୍‌ଏସ୍‌ ଉପଲବ୍ଧ କରାଯିବ। ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ସମୟରେ ସେମାନଙ୍କୁ ଅଂଶୁଘାତ ସମ୍ବନ୍ଧୀୟ ସଚେତନତା ପ୍ରଶିକ୍ଷଣ ଡାକ୍ତରମାନେ ଦେବେ। ଏହି ସମସ୍ତ ବ୍ୟବସ୍ଥା ମାଧ୍ୟମରେ ମତଦାତାମାନଙ୍କୁ ମତଦାନର ଏକ ସ୍ମରଣୀୟ ଅନୁଭବ ଦେବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି ବୋଲି ଶ୍ରୀ ଧଳ ମତ ଦେଇଥିଲେ।

ଏହି କ୍ରମରେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଉଥିବା ସମସ୍ତ ଅଧିକାରୀଙ୍କ ପାଇଁ ଉଚିତ ବ୍ୟବସ୍ଥା କରାଯିବା ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଭିତରେ ମଧ୍ୟ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ ଅଧିକାରୀ ଓ ସୁରକ୍ଷା କର୍ମଚାରୀମାନେ ନିଜ ନିଜର ଦାୟିତ୍ୱ ସଂପାଦନ କରିବାକୁ ଯାଉଛନ୍ତି । ତେଣୁ ସେମାନଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଧଳ କହିଥିଲେ । ସେଥି ପାଇଁ ସେମାନଙ୍କ ରହିବା ବ୍ୟବସ୍ଥା, ଗମନାଗମନ ସୁବିଧା ଓ ଖାଦ୍ୟ ବ୍ୟବସ୍ଥା ବିଷୟରେ ଆଲୋଚନା ହୋଇଥିଲା । ସେମାନେ ଯେପରି ନିର୍ବାଚନ କାର୍ଯ୍ୟ କରିବା ସମୟରେ ଅଂଶୁଘାତର ଶିକାର ନ ହୁଅନ୍ତି ସେଥି ପ୍ରତି ଯନିବାନ ହେବାକୁ ପଡ଼ିବ ବୋଲି ଶ୍ରୀ ଧଳ ମତପ୍ରକାଶ କରିଥିଲେ ।

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ମହିଳା କର୍ମଚାରୀଙ୍କ ବିଷୟରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା । ସମସ୍ତ ବୁଥ୍‌ର ସୁରକ୍ଷା ପାଇଁ ସୁଉଚ୍ଚ ପାଚେରିର ବ୍ୟବସ୍ଥା କରାଯାଇଛି । ଯେଉଁ ବୁଥ୍‌ଗୁଡ଼ିକ ସଖି ବୁଥ୍‌ (ସଂପୂର୍ଣ୍ଣ ରୂପେ ମହିଳା ପରିଚାଳିତ ବୁଥ୍‌) ଭାବେ ଚିହ୍ନଟ କରାଯାଇଛି, ସେଠାରେ ସୁରକ୍ଷା କର୍ମଚାରୀ ମଧ୍ୟ ମହିଳା ରହିବେ । ଓଡ଼ିଶାରେ ନିୟୋଜିତ ନିର୍ବାଚନ କର୍ମଚାରୀଙ୍କ ମଧ୍ୟରେ ପ୍ରାୟ ୩୦% ମହିଳା କର୍ମଚାରୀ ରହିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବହୁଳ ପ୍ରଚେଷ୍ଟାରେ ଭୋଟର ତାଲିକା ପ୍ରତି ୧୦୦୦ ପୁରୁଷ ଭୋଟର ପିଛା ମହିଳା ଭୋଟରଙ୍କ ସଂଖ୍ୟା ୯୬୧ରୁ ୯୭୪କୁ ବୃଦ୍ଧି ପାଇଛି । ଏହା ଏକ ଗୌରବର ବିଷୟ ଓ ମହିଳାମାନେ ଯେପରି ପ୍ରାଥମିକତା ଭିତ୍ତିରେ ମତଦାନ କରିବେ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଧଳ ପ୍ରକାଶ କରିଥିଲେ । ଏହି ସମସ୍ତ ବ୍ୟବସ୍ଥା ଯେପରି ଉପଯୁକ୍ତ ଭାବରେ ତୃଣମୂଳ ସ୍ତରେ ଲାଗୁହେବ, ସେଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଉପସ୍ଥିତ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ ।

ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅତିରିକ୍ତ ପୋଲିସ ଡିଜି ତଥା ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ସଂଜୟ କୁମାର, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ରଞ୍ଜନ କୁମାର ଦାସ, ପୋଲିସ କମିଶନର ସଞ୍ଜୀବ ପଣ୍ଡା, କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ସଂଜୟ କୁମାର କୌଶଲ ଓ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାୟକ ମୁଖ୍ୟ ନିର୍ବାଚନ ଅଧିକାରୀ ସହ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିଥିଲେ ।

ଏହି ଅବସରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ଜଗତସିଂହପୁର ଜିଲ୍ଲାପାଳ ଅନୁପମ୍‌ ଶାହା, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ନୟାଗଡ଼ ଜିଲ୍ଲାପାଳ ସ୍ୱଧାଦେବ ସିଂ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, କଟକ ଜିଲ୍ଲାପାଳ ଅରିନ୍ଦମ୍‌ ଡାକୁଆ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଅବିନାଶ କୁମାର, ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକ ରାହୁଲ ପି.ଆର୍‌, କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ, ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ୍‌, ପୁରୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ମହଙ୍ଗା ପଡିଲା ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା: ବିରାଟ କୋହଲିଙ୍କୁ ଲାଗିଲା ଜରିମାନା

ନୂଆଦିଲ୍ଲୀ: ରବିବାର ଦିନ ଆଇପିଏଲ୍ ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କେକେଆର୍ ୧ ରନ୍ ରେ ଏକ ରୋମାଞ୍ଚକର ବିଜୟ ପଞ୍ଜିକରଣ କରିଥିଲା। କଡା ମୁକାବିଲା ବ୍ୟତୀତ ବିରାଟ କୋହଲିଙ୍କ ନୋ-ବଲ୍ ବିବାଦ କାରଣରୁ ଏହି ମ୍ୟାଚ୍ ମଧ୍ୟ ସମ୍ବାଦରେ ଅଛି। ମ୍ୟାଚ୍ ସମୟରେ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କାରଣରୁ ବିସିସିଆଇ ତାଙ୍କୁ ଆଚରଣ ବିଧି ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ କରିଛି। ଏହି କାରଣରୁ ବିରାଟ କୋହଲିଙ୍କୁ ତାଙ୍କ ମ୍ୟାଚ୍ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି।

ଆରସିବି ଇନିଂସର ତୃତୀୟ ଓଭରର ଏହା ହେଉଛି। ପ୍ରଥମେ ଖେଳି KKR ୨୨୨ ରନ୍ ର ଏକ ବଡ଼ ଲକ୍ଷ୍ୟ ସ୍ଥିର କରିଥିଲା। ଏହାର ଜବାବରେ ବିରାଟ କୋହଲି ୭ ଟି ବଲରେ ୧୮ ରନ୍ ସଂଗ୍ରହ କରିଥିଲେ ମଧ୍ୟ ତୃତୀୟ ଓଭରର ପ୍ରଥମ ବଲରେ ହର୍ଷିତ ରାଣାଙ୍କ ଦ୍ଵାରା ଆଉଟ ହୋଇଥିଲେ। ବାସ୍ତବରେ ହର୍ଷିତ୍ ଏକ ଫୁଲ୍ ଟସ୍ ବୋଲିଂ କରିଥିଲେ, ଯାହା କୋହଲି ନୋ-ବଲ୍ ବୋଲି ଭାବି ବ୍ୟାଟ୍ ଚଲାଇନଥିଲେ। କିନ୍ତୁ ବଲଟି ବ୍ୟାଟ ସହ ସମ୍ପର୍କରେ ଆସି ଉପରକୁ ଉଠିଥିଲା। ଯାହାକୁ ହର୍ଷିତ ନିଜେ ଧରି କ୍ୟାଚ ଆଉଟ ଅପିଲ କରିଥିଲେ। ଅମ୍ପେୟାର ମଧ୍ୟ କୋହିଲିଙ୍କୁ ଆଉଟ ନିର୍ଦ୍ଦେଶ ଦେଇଥିଲେ। ଯଦିଓ ପରେ ରିଭ୍ୟୁ ନିଆଯାଇଥିଲା, ହକ୍-ଆଇ ସିଷ୍ଟମରୁ ଜଣାପଡିଛି ଯେ ଯଦି କୋହଲି କ୍ରିଜ୍ ଭିତରେ ଠିଆ ହୋଇଥାନ୍ତେ, ତେବେ ବଲ୍ ଅଣ୍ଟା ଉଚ୍ଚତା ତଳେ ରହିଥାନ୍ତା। ଏହି ନିଷ୍ପତ୍ତି ଯୋଗୁଁ କୋହଲି ଅନ୍ ଫିଲ୍ଡ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ।

ବିରାଟ କୋହଲି କିଛି ସମୟ ପାଇଁ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ ମଧ୍ୟ ତାଙ୍କ କ୍ରୋଧ କମି ନଥିଲା। କୋହଲି ଡ୍ରେସିଂ ରୁମରେ ପହଞ୍ଚିବା ପରେ ସେ ନିଜ ବ୍ୟାଟ୍ କୁ ତଳେ ପିଟି ଦେଇଥିଲେ। ଏହା ପରେ ସେ ଡଷ୍ଟବିନକୁ ଧକ୍କା ମାରି ନିଜର କ୍ରୋଧ ମଧ୍ୟ ପ୍ରକାଶ କରିଥିଲେ। କୋହଲି ମଧ୍ୟ ଦୁର୍ବ୍ୟବହାର ଏବଂ ମ୍ୟାଚ୍ ରେଫରିଙ୍କ ଦ୍ୱାରା ନିଆଯାଇଥିବା ଜରିମାନା ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏହି ଘଟଣାରେ ପୂର୍ବତନ କ୍ରିକେଟରଙ୍କ ସମ୍ପୃକ୍ତି ହେତୁ ଏହି ପ୍ରସଙ୍ଗ ସୋସିଆଲ ମିଡିଆରେ ଅଧିକ ଟ୍ରେଣ୍ଡ ହେବାରେ ଲାଗିଲା। ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଏହାକୁ ନୋ-ବଲ ବୋଲି କହିବା ଉଚିତ ବୋଲି ଦାବି କରିଥିଲେ। ସିଦ୍ଧୁ ଏହା ମଧ୍ୟ କହିଛନ୍ତି ଯେ, ଏହି ନିୟମ ଉପରେ ଗଭୀର ଆଲୋଚନା ହେବାର ଆବଶ୍ୟକତା ରହିଛି। ତାଙ୍କ କହିବାନୁସାରେ, ବ୍ୟାଟ୍ସମ୍ୟାନ୍ ସନ୍ଦେହର ଲାଭ ପାଇଥାନ୍ତେ ଏବଂ ବିରାଟ କୋହଲି ବାସ୍ତବରେ ଆଉଟ ନଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଦିଲ୍ଲୀରେ ସୋଆକୁ ୩ଟି ସିଏସ୍‌ଆର୍ ସମ୍ମାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଂରାଜୀ ପତ୍ରିକା ‘କମ୍ପିଟିସନ୍ ସକ୍‌ସେସ୍  ରିଭ୍ୟୁ’ ପକ୍ଷରୁ ୩ ଟି ସିଏସ୍‌ଆର୍ ସମ୍ମାନ ପ୍ରଦାନ କରାଯାଇଛି। ଗତ ରବିବାର ଦିନ ନୁଆଦିଲ୍ଲୀ ଠାରେ ଆୟୋଜିତ ସିଏସ୍‌ଆର୍ ସମ୍ମାନ ଉତ୍ସବରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି।

ସୋଆ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନେଇ ୨୦୨୪ ନିମନ୍ତେ ‘ସିଏସ୍‌ଆର୍‌ ଏକ୍ସିଲେନ୍ସ ଇନ୍ ଏଜୁକେସନ୍‌’ ସ୧ାନ ପ୍ରଦାନ କରାଯାଇଥିବା ବେଳେ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି – ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)କୁ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ‘ସିଏସ୍‌ଆର୍ ଟପ୍ ଲିଡିଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ସ୧ାନରେ ଭୂଷିତ କରାଯାଇଛି।

ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ – ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟକୁ ‘ସିଏସ୍‌ଆର ଟପ୍ ହୋଟେଲ ମ୍ୟାନେଜମେଂଟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ସମ୍ମାନ ପ୍ରଦାନ କରାଯାଇଛି।

ନୂଆଦିଲ୍ଲୀର ହୋଟେଲ୍ ଲି ମେରିଡିଏନ୍ ଠାରେ ଆୟୋଜିତ ଏହି ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଅଫିସର-ଅନ୍‌-ସ୍ପେଶାଲ ଡ୍ୟୁଟି ପ୍ରୀତମ ନାୟକ ସିଏସ୍‌ଆର୍‌ର ଅଧ୍ୟକ୍ଷ ଡକ୍ଟର ଏସ୍‌.କେ ସଚଦେବଙ୍କ ଠାରୁ ଏହି ୩ଟି ସମ୍ମାନ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦୦ଟି ଶିକ୍ଷାନୁଷ୍ଠାନ ସାମିଲ ହୋଇଥିଲା।

Categories
ଆଜିର ଖବର

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବନ୍ଧ୍ୟାଦୋଷ ଚିକିତ୍ସା ଶିବିର

ବ୍ରହ୍ମପୁର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଗତ ରବିବାର ଏକ ନିଃଶୁକ୍ଳ ବନ୍ଧ୍ୟାଦୋଷ ଚିକିତ୍ସା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ ଓଡିଶାର ବିଭିନ୍ନ ଅଂଚଳରୁ ବହୁ ନିଃସନ୍ତାନ ଦମ୍ପତି ଏହି ଶିବିରରେ ଯୋଗ ଦେଇ ଡାକ୍ତରୀ ପରାମର୍ଶ ଗ୍ରହଣ କରିବା ସହ ଚିକିତ୍ସା କରାଇଥିଲେ।

ଭୁବନେଶ୍ୱର ସ୍ଥିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ (ସିଏଚ୍‌ଆର୍‌)ର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଜାତା ପ୍ରଧାନ ଏହି ଶିବିରକୁ ଆସିଥିବା ଦମ୍ପତିମାନଙ୍କୁ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ ପ୍ରଦାନ କରିଥିଲେ। ପ୍ରଜନନ କ୍ଷମତା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ବହୁ ଦମ୍ପତି ପରାମର୍ଶ ଗ୍ରହଣ କରିଥିଲେ।

ଏହି ଅଂଚଳର ରୋଗୀ ଯେଉଁମାନେ କି ବନ୍ଧ୍ୟାଦୋଷରେ ପୀଡିତ ସେମାନଙ୍କ ସମସ୍ୟା କିପରି ଠିକ୍ ଭାବରେ ନିରୂପଣ କରାଯାଇପାରିବ ଓ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇପାରିବ ତାହା ହିଁ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଫେସର ପ୍ରଧାନ କହିଛନ୍ତି। ପ୍ରଥମେ ବନ୍ଧ୍ୟାଦୋଷର କାରଣ ଚିହ୍ନଟ କରିବା ପରେ ତତ୍ ଉପଯୋଗୀ ଚିକିତ୍ସା ସମ୍ପର୍କରେ ଦମ୍ପତିଙ୍କୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି।

ଗତ ମାର୍ଚ୍ଚ ମାସରେ ମଧ୍ୟ ଏଭଳି ଏକ ଶିବିରର ଆୟୋଜନ କରାଯାଇଥିବା ବେଳେ ଆଗାମୀ ଦିନରେ ପ୍ରତ୍ୟେକ ମାସର ତୃତୀୟ ରବିବାର ଦିନ ସିଏଚ୍‌ଆର୍ ଏବଂ ଶୀତଳାପଲ୍ଲୀ ସମ୍ ହସ୍ପିଟାଲର ମିଳିତ ଉଦ୍ୟମରେ ଏଭଳି ନିଃଶୁକ୍ଳ ବନ୍ଧ୍ୟାଦୋଷ ଚିକିତ୍ସା ଓ ପରାମର୍ଶ ଶିବିରର ଆୟୋଜନ କରାଯିବ ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ କହିଛନ୍ତି।
ଶ୍ରୀ ଦାଶ କହିଛନ୍ତି ଯେ ଏହି ଶିବିରରେ ବହୁ ସଂଖ୍ୟକ ଦମ୍ପତି ଯୋଗ ଦେଇଥିଲେ। ଦକ୍ଷିଣ ଓଡିଶାର ନିଃସନ୍ତାନ ଦମ୍ପତିଙ୍କୁ ଏଣିକି ଡାକ୍ତରୀ ପରାମର୍ଶ ପାଇଁ ଆଉ ଦୂରଦୂରାନ୍ତକୁ ଯିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ଆୟୋଜିତ ଏହି ଶିବିରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଉପସ୍ଥିତ ଥିବା ବେଳେ ଶୀତଳାପଲ୍ଲୀ ସମ୍ ମଲ୍ଟି ସ୍ପେଶିଆଲ୍ଟି ହସ୍ପିଟାଲ୍‌ର ଡାକ୍ତର ସ୍ମୃତିରଂଜନ ପଟ୍ଟନାୟକ , ଡାକ୍ତର ଶୁଭାଶିଷ ପାଣିଗ୍ରାହୀ, ଡାକ୍ତର ରିଷିକା ସେନ୍‌, ଭୁବନେଶ୍ୱର ସମ୍ ହସ୍ପିଟାଲର ଡାକ୍ତର ଶୁଭାଙ୍ଗୀ ଜେନା, ଏଏନ୍‌ଏସ୍ ଶ୍ରୀମତି ଅର୍ଚ୍ଚନା ପ୍ରିୟଦର୍ଶିନୀ ତ୍ରିପାଠୀ, ନର୍ସିଂ ଇନ୍‌ଚାର୍ଜ ଶ୍ରୀମତି ଇତି ଶ୍ରାବଣୀ ତଥା ଅନ୍ୟାନ୍ୟ ନର୍ସିଂ, କ୍ଳିନିକାଲ୍ ଓ ନନ୍ କ୍ଳିନିକାଲ୍ ଷ୍ଟାଫ୍ ଏହି ଶିବିରକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚୀନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ: ସୁରକ୍ଷା ପରିସ୍ଥିତିର କଲେ ସମୀକ୍ଷା

ଦିଲ୍ଲୀ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚୀନ ଗସ୍ତ କରି ସୁରକ୍ଷା ସ୍ଥିତିର ପ୍ରତ୍ୟକ୍ଷ ଆକଳନ କରିଛନ୍ତି। ଅତ୍ୟଧିକ ପ୍ରତିକୂଳ ପରିବେଶ ଏବଂ କଠିନ ଅଞ୍ଚଳରେ ନିୟୋଜିତ ସୈନିକମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ। ରକ୍ଷାମନ୍ତ୍ରୀଙ୍କ ସହ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ; ଜେନେରାଲ ଅଫିସର କମାଣ୍ଡିଂ-ଇନ୍‌- ଚିଫ୍‌, ଉତ୍ତର କମାଣ୍ଡ ଲେଫ୍ଟନାଣ୍ଟ ଜେନେରାଲ ଏମ୍‌ଭି ସୁଚିନ୍ଦ୍ର କୁମାର; ଏବଂ ଜେନେରାଲ ଅଫିସର କମାଣ୍ଡିଂ, ୧୪ କର୍ପସ୍ ଲେଫ୍ଟନାଣ୍ଟ ଜେନେରାଲ ରଶିମ ବାଲି ମଧ୍ୟ ଉପସ୍ଥିତ ଥିଲେ।

ଆକାଶ ମାର୍ଗରୁ ଅନୁଧ୍ୟାନ ପରେ ପ୍ରତିରକ୍ଷା ମନ୍ତ୍ରୀ ୧୫,୧୦୦ ଫୁଟ ଉଚ୍ଚତାରେ ଥିବା ଏକ ଫରୱାର୍ଡ ପୋଷ୍ଟରେ ଅବତରଣ କରିଥିଲେ ଏବଂ ତାଙ୍କୁ ସିଆଚୀନ ଗ୍ଳାସିୟରରେ ଅପରେସନ୍ ସମ୍ବନ୍ଧୀୟ ପ୍ରସ୍ତୁତି ଏବଂ ପ୍ରଚଳିତ ସୁରକ୍ଷା ପରିସ୍ଥିତି ବିଷୟରେ ବିଶଦ ବିବରଣୀ ଦିଆଯାଇଥିଲା।  ସେ ସ୍ଥଳ ଭାଗରେ କମାଣ୍ଡରମାନଙ୍କ ସମ୍ମୁଖରେ ଥିବା ପରିଚାଳନାଗତ ଆହ୍ୱାନ ସହିତ ଜଡ଼ିତ ଦିଗ ଗୁଡିକ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ସୈନିକମାନଙ୍କୁ ସମ୍ବୋଧିତ କରି ଶ୍ରୀ ରାଜନାଥ ସିଂହ ଅତ୍ୟନ୍ତ କଠିନ ପରିସ୍ଥିତିରେ ସାହସିକତା ଏବଂ ଦୃଢ଼ ସଂକଳ୍ପର ସହିତ ମାତୃଭୂମିର ସୁରକ୍ଷାର ପୁଣ୍ୟ ପଥରେ ସେମାନେ ଚାଲୁଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲେ। ସଶସ୍ତ୍ର ବାହିନୀ ଯବାନଙ୍କ ନିକଟରେ ଦେଶ ସର୍ବଦା ଋଣୀ ରହିବ , କାରଣ ସେମାନଙ୍କ ବଳିଦାନ ଯୋଗୁଁ ପ୍ରତ୍ୟେକ ନାଗରିକ ସୁରକ୍ଷିତ ଅନୁଭବ କରୁଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଆମର ବୀର ସୈନିକମାନେ ସୀମାରେ ଦୃଢ଼ତାର ସହ ଠିଆ ହୋଇ ଥିବାରୁ ଆମେ ଶାନ୍ତିପୂର୍ଣ୍ଣ ଜୀବନ ବିତାଉଛୁ ବୋଲି ସେ ଉଲ୍ଲେଖ କରିଥିଲେ। ଆଗାମୀ ଦିନରେ ଯେତେବେଳେ ଜାତୀୟ ନିରାପତ୍ତାର ଇତିହାସ ଲେଖାଯିବ, ବରଫ ଆଚ୍ଛାଦିତ ଅତ୍ୟଧିକ ଥଣ୍ଡା ଗ୍ଳାସିୟରରେ ଆମ ସୈନିକ ମାନଙ୍କର ସାହସିକତା ଏବଂ ଦୃଢ଼ ଇଚ୍ଛାଶକ୍ତିକୁ ସେତେବେଳେ ଗର୍ବର ସହ ସ୍ମରଣ କରାଯିବ ବୋଲି ସେ କହିଥିଲେ। ଏହା ଭବିଷ୍ୟତ ପିଢ଼ିଙ୍କ ନିମନ୍ତେ ସବୁ ଦିନ ପାଇଁ ଏକ ପ୍ରେରଣା ହୋଇ ରହିବ’  ବୋଲି ସେ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ସିଆଚୀନକୁ ଏକ ସାଧାରଣ ଭୂମି ନୁହେଁ, ବରଂ ଭାରତର ସାର୍ବଭୌମତ୍ୱ ଏବଂ ସଂକଳ୍ପର ପ୍ରତୀକ ବୋଲି ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଯେଉଁଭଳି ଦିଲ୍ଲୀ ଭାରତର ଜାତୀୟ ରାଜଧାନୀ, ମୁମ୍ବାଇ ହେଉଛି ଆର୍ଥିକ ରାଜଧାନୀ ଏବଂ ବେଙ୍ଗାଲୁରୁ ହେଉଛି ପ୍ରଯୁକ୍ତିର ରାଜଧାନୀ; ସେହିଭଳି ସିଆଚୀନ ହେଉଛି ସାହସ, ଧୈର୍ଯ୍ୟ ଓ ସଂକଳ୍ପର ରାଜଧାନୀ ।

ଦେଶ ନିକଟ ଅତୀତରେ ଅପରେସନ ମେଘଦୂତର ସଫଳତାର ୪୦ ତମ ବାର୍ଷିକୀ ପାଳନ କରିଛି । ୧୯୮୪ ଏପ୍ରିଲ ୧୩ ତାରିଖରେ ସିଆଚୀନ ଠାରେ ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଏହି ଅପରେସନକୁ ଦେଶର ସାମରିକ ଇତିହାସର ଏକ ସୁବର୍ଣ୍ଣ ଅଧ୍ୟାୟ ବୋଲି ଶ୍ରୀ ରାଜନାଥ ସିଂହ କହିଛନ୍ତି । “ଅପରେସନ ମେଘଦୂତର ସଫଳତା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ’ ବୋଲି ସେ କହିଛନ୍ତି ।

ମାତୃଭୂମିର ସେବାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରକ୍ଷାମନ୍ତ୍ରୀ ସିଆଚୀନ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଉଲ୍ଲେଖଯୋଗ୍ୟ, ୨୦୨୪ ମାର୍ଚ୍ଚ ୨୪ ତାରିଖରେ ରାଜନାଥ ସିଂହ ଲେହ ଗସ୍ତ କରି ଯବାନଙ୍କ ସହ ହୋଲି ପାଳନ କରିଥିଲେ। ସେ ସିଆଚୀନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ପ୍ରତିକୂଳ ପାଗ ଯୋଗୁଁ ଏହାକୁ ସ୍ଥଗିତ ରଖା ଯାଇଥିଲା। ଲେହରୁ ରକ୍ଷାମନ୍ତ୍ରୀ ସିଆଚୀନରେ ମୁତୟନ ଥିବା ଯବାନଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ଏବଂ ସେମାନଙ୍କୁ କହିଥିଲେ ଯେ ସେ ଖୁବ୍ ଶୀଘ୍ର ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ପରିଦର୍ଶନ କରିବେ ଏବଂ ସେମାନଙ୍କ ସହ ଆଲୋଚନା କରିବେ। ଏହିଭଳି ଭାବେ ଆଜି ସିଆଚୀନ ଗସ୍ତ କରି ରାଜନାଥ ସିଂହ ନିଜର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ସତ୍ତ୍ୱେ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସୁରଟ ଆସନରୁ ବିଜେପି ପାଇଁ ଖୁସି ଖବର!, ନିର୍ବିରୋଧ ନିର୍ବାଚିତ ହେଲେ ମୁକେଶ ଦଲାଲ

ନୂଆଦିଲ୍ଲୀ: ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ସୁରଟରେ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ବିଜେପି ସଭାପତି ସିଆର ପାଟିଲ ଏହି ସୂଚନା ଦେଇଛନ୍ତି। ସୁରଟରେ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ବାନୀଙ୍କ ନାମାଙ୍କନ ବାତିଲ କରାଯାଇଥିଲା। ଏଥି ସହିତ ବିଏସପିର ପ୍ୟାରେଲାଲ ଭାରତୀ ଏହି ଆସନରୁ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରି ନେଇଛନ୍ତି। ଏହା ପରେ ସେଠାରେ କୌଣସି ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ନାହାନ୍ତି। ଏଭଳି ପରିସ୍ଥିତିରେ ବିଜେପିର ମୁକେଶ ଦଲାଲ ବିନା ନିର୍ବାଚନରେ ​​ନିର୍ବାଚିତ ହେବେ ବୋଲି ନିଶ୍ଚିତ କରାଯାଇଛି। ଅନ୍ୟ ସମସ୍ତ ପ୍ରାର୍ଥୀ ମଧ୍ୟ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି।

କଂଗ୍ରେସର ଅଭିଯୋଗ:

ଗୁଜୁରାଟ କଂଗ୍ରେସ ମୁଖ୍ୟ ଶକ୍ତିସିଂହ ଗୋହିଲ ରବିବାର ଅଭିଯୋଗ କରିଛନ୍ତି ଯେ, ପରାଜୟ ଭୟରେ ବିଜେପି ନିର୍ଦ୍ଦେଶରେ ସୁରଟ ଲୋକସଭା ନିର୍ବାଚନମଣ୍ଡଳୀରୁ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଫର୍ମ ଖାରଜ କରାଯାଇଛି। ଗୋହିଲ ଏହି ଘଟଣାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି।

ଫର୍ମରେ ପ୍ରସ୍ତାବକଙ୍କ ଦସ୍ତଖତରେ ଅସଙ୍ଗତି ହେତୁ ପାର୍ଟି ପ୍ରାର୍ଥୀ ନୀଲେଶ କୁମ୍ବାନୀଙ୍କ ନାମାଙ୍କନ ଫର୍ମ ବାତିଲ କରିବାକୁ ରିଟର୍ଣ୍ଣିଂ ଅଫିସରଙ୍କ ନିଷ୍ପତ୍ତି ବିରୋଧରେ ଗୁଜୁରାଟ ହାଇକୋର୍ଟରେ କଂଗ୍ରେସ ଏକ ପିଟିସନ ଦାଖଲ କରିବ। କଂଗ୍ରେସ ବର୍ତ୍ତମାନ ସୁରଟ ନିର୍ବାଚନମଣ୍ଡଳୀର ନିର୍ବାଚନ ଲଢେଇରୁ ବାହାରିଯାଇଛି।

ସୁରଟ ପ୍ରାର୍ଥୀ ସୁରେଶ ପଡସାଲାଙ୍କ ନାମାଙ୍କନ ଫର୍ମ ମଧ୍ୟ ଅବୈଧ ହୋଇଛି। ରିଟର୍ଣ୍ଣିଂ ଅଫିସର ସୌରଭ ପାରଧୀ ତାଙ୍କ ଆଦେଶରେ କହିଛନ୍ତି ଯେ, କୁମ୍ବାନୀ ଏବଂ ପଡସାଲା ଦ୍ଵାରା ଦାଖଲ ହୋଇଥିବା ଚାରୋଟି ନାମାଙ୍କନ ଫର୍ମ ଖାରଜ କରାଯାଇଥିଲା, ପ୍ରସ୍ତାବକଙ୍କ ଦସ୍ତଖତରେ ଅନିୟମିତତା ଦେଖିବାକୁ ମିଳିଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ତଥାପି ପ୍ଲେ ଅଫ୍ ପାଇଁ ଯୋଗ୍ୟତା ପାଇବ କି RCB?, ୭ ଟି ମ୍ୟାଚ୍ ହାରିବା ପରେ କଣ କହୁଛି ସମୀକରଣ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଆଇପିଏଲ୍ ୨୦୨୪ ସଂସ୍କରଣ ଏପର୍ଯ୍ୟନ୍ତ ବହୁତ ଖରାପ ରହିଛି। ଦଳ ୮ ଟି ମ୍ୟାଚ ମଧ୍ୟରୁ ୭ ଟି ହାରିଛି। ୭ ଟି ମ୍ୟାଚ୍ ହାରିଯିବା ପରେ ଫାଫ୍ ଡୁ ପ୍ଲେସିସ୍ ଙ୍କ ନେତୃତ୍ଵାଧୀନ ବେଙ୍ଗାଲୁରୁ ଦଳ ପଏଣ୍ଟ ଟେବୁଲରେ ଦଶମ ସ୍ଥାନରେ ରହିଛି। ଏବେ ପ୍ରଶ୍ନ ଉଠୁଛି କି ଆରସିବି ଏଠାରୁ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ହାସଲ କରିପାରିବ କି? ତେବେ ଆସନ୍ତୁ ଜାଣିବା ବେଙ୍ଗାଲୁରୁର ଯୋଗ୍ୟତା ଗଣିତ କ’ଣ କହୁଛି?…

ବର୍ତ୍ତମାନ ପର୍ଯ୍ୟନ୍ତ ବେଙ୍ଗାଲୁରୁ ଆଇପିଏଲ୍ ରେ ୮ ଟି ମ୍ୟାଚ୍ ଖେଳିଛି, ଯେଉଁଥିରେ ସେମାନେ କେବଳ ଗୋଟିଏ ଜିତିଛନ୍ତି। ଏକାକୀ ବିଜୟ ସହିତ, RCB ୨ ପଏଣ୍ଟ ଏବଂ ନେଟ ରନ୍ ହାର -୧.୦୪୬ ସହିତ ପଏଣ୍ଟ ଟେବୁଲରେ ଦଶମ ସ୍ଥାନରେ ଅଛି। ଏଭଳି ପରିସ୍ଥିତିରେ ଦଳ ଦଶମ ସ୍ଥାନରୁ ସିଧାସଳଖ ଶ୍ରେଷ୍ଠ 4 ରେ ପହଞ୍ଚିବା ସହଜ ହେବ ନାହିଁ। ତେବେ RCB ପ୍ରକୃତରେ ଯୋଗ୍ୟତା ହାସଲ କରିପାରିବ କି? ଚାଲନ୍ତୁ ବୁଝିବା…..

RCB ର ଯୋଗ୍ୟତା ସମୀକରଣ କ’ଣ?:

ପ୍ରଥମ କଥା ହେଉଛି ଯୋଗ୍ୟତା ବର୍ତ୍ତମାନ ଆରସିବି ହାତରେ ନାହିଁ। ଏହାର ଅର୍ଥ, ବର୍ତ୍ତମାନ ସେମାନଙ୍କୁ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ। ଏହି ସିଜିନରେ ଖେଳିବା ପାଇଁ RCB କୁ ଆଉ ୬ ଟି ମ୍ୟାଚ୍ ଅଛି। ଯଦି ଦଳ ସମସ୍ତ ମ୍ୟାଚ୍ ଜିତେ ତେବେ ସେମାନଙ୍କର ମୋଟ ୧୪ ପଏଣ୍ଟ ରହିବ। ପ୍ଲେ ଅଫ୍ ପାଇଁ ଯୋଗ୍ୟତା ହାସଲ କରିବାକୁ ଯେକୌଣସି ଦଳ ଅତିକମରେ ୧୬ ପଏଣ୍ଟ ଆବଶ୍ୟକ କରନ୍ତି। ଗତ ଋତୁରେ ଅର୍ଥାତ୍ ୨୦୨୩ ଆଇପିଏଲ୍, ଆରସିବି ୧୪ ପଏଣ୍ଟ ହାସଲ କରିଥିଲା, କିନ୍ତୁ ଦଳ ଯୋଗ୍ୟତା ହାସଲ କରିପାରିନଥିଲା।

ଏଭଳି ପରିସ୍ଥିତିରେ ଯୋଗ୍ୟତା ହାସଲ କରିବାକୁ ପ୍ରଥମେ ଆରସିବିକୁ ବାକି ସମସ୍ତ ମ୍ୟାଚ୍ ଜିତିବାକୁ ପଡିବ। ଯଦି ଦଳ ଅବଶିଷ୍ଟ ମ୍ୟାଚ୍ ମଧ୍ୟରୁ ଗୋଟିଏ ମଧ୍ୟ ହାରିଯାଏ, ତେବେ ଯୋଗ୍ୟତା ପାଇବା ସେମାନଙ୍କ ପକ୍ଷେ ଅସମ୍ଭବ ହେବ। ସମସ୍ତ ମ୍ୟାଚ୍ ଜିତିବା ପରେ ଦଳକୁ ଆଶା କରିବାକୁ ପଡିବ ଯେ ଅନ୍ୟ ଦଳର ଫଳାଫଳ ସେମାନଙ୍କ ସପକ୍ଷରେ ରହିବ, ଯାହା ଦ୍ଵାରା ସେମାନେ ୧୪ପଏଣ୍ଟ ସହ ଟପ୍ -୪ ରେ ପ୍ରବେଶ କରିପାରିବେ। ବର୍ତ୍ତମାନ ଯୋଗ୍ୟତା ପାଇଁ ଦୌଡରେ ବେଙ୍ଗାଲୁରୁ କେତେ ଦୂର ପହଞ୍ଚିପାରିବ ତାହା ଦେଖିବା ମଜାଦାର ହେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସିଙ୍ଗାପୁର ପରେ ବର୍ତ୍ତମାନ ହଂକଂରେ ମଧ୍ୟ ନିଷେଧ ହେଲା MDH ଏବଂ ଏଭରେଷ୍ଟର କିଛି ମସଲା

ନୂଆଦିଲ୍ଲୀ: ସିଙ୍ଗାପୁର ପରେ ବର୍ତ୍ତମାନ ହଂକଂ ଭାରତୀୟ ମସଲା ବ୍ରାଣ୍ଡ MDH Pvt ଲିମିଟେଡ୍ ଏବଂ ଏଭରେଷ୍ଟ ଫୁଡ୍ ପ୍ରଡକ୍ଟସ୍ ଲିମିଟେଡ୍ ର ଉତ୍ପାଦ ବିକ୍ରୟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି, କାରଣ ଏହି କମ୍ପାନୀଗୁଡିକର ଅନେକ ମସଲା ମିଶ୍ରଣରେ କାର୍ସିନୋଜେନିକ୍ କୀଟନାଶକ ଇଥିଲିନ୍ ଅକ୍ସାଇଡ୍ ମିଳିଥିବାର ଅଭିଯୋଗ ହୋଇଛି।

ହଂକଂ ସରକାରଙ୍କ ଖାଦ୍ୟ ସୁରକ୍ଷା କେନ୍ଦ୍ର (ସିଏଫ୍ଏସ୍) ଏପ୍ରିଲ୍ ୫ ତାରିଖରେ ଘୋଷଣା କରିଛି ଯେ, MDH ଗ୍ରୁପ୍ ର ତିନୋଟି ମସଲା ମିଶ୍ରଣରେ ମାଡ୍ରାସ୍ କରୀ ପାଉଡର୍, ସାମ୍ୱର ମସାଲା ପାଉଡର୍ ଏବଂ କରୀ ପାଉଡରରେ ଇଥିଲିନ୍ ଅକ୍ସାଇଡର ଉପସ୍ଥିତି ଚିହ୍ନଟ ହୋଇଛି।

ଏହା ବ୍ୟତୀତ ଏଭରେଷ୍ଟ ଗ୍ରୁପର ମାଛ ତରକାରୀ ମସାଲାରେ କୀଟନାଶକ ମଧ୍ୟ ମିଳିଛି। ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନସର ଦ୍ୱାରା ଗ୍ରୁପ୍-୧ କାର୍ସିନୋଜେନ ଭାବେ ବର୍ଗୀକୃତ ଇଥାଇଲନ୍ ଅକ୍ସାଇଡ୍, ସ୍ତନ କର୍କଟ ରୋଗର ଆଶଙ୍କା ସମେତ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ।

ଏହା ପ୍ରଥମ ଘଟଣା ନୁହେଁ ଯେ, ଭାରତୀୟ ମସଲା ବ୍ରାଣ୍ଡ ବିଦେଶରେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛି। ୨୦୨୩ ମସିହାରେ, ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (FDA) ସଲମାନେଲାର ଉପସ୍ଥିତି ହେତୁ ଏଭରେଷ୍ଟ ଉତ୍ପାଦ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲା।

Categories
ଆଜିର ଖବର ଜାତୀୟ ଖବର

ମମତା ସରକାରଙ୍କୁ ବଡ ଝଟକା, ୨୫ ହଜାର ଶିକ୍ଷକଙ୍କୁ ବରଖାସ୍ତ କଲେ ହାଇକୋର୍ଟ, ୬ ମାସରେ ଫେରାଇବେ ଦରମା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ କଲିକତା ହାଇକୋର୍ଟରୁ ବଡ଼ ଝଟକା ପାଇଛନ୍ତି। ସରକାରୀ ପ୍ରାୟୋଜିତ ତଥା ସହାୟକ ବିଦ୍ୟାଳୟରେ ୨୦୧୬ ରାଜ୍ୟ ସ୍ତରୀୟ ପରୀକ୍ଷା ମାଧ୍ୟମରେ ନିଯୁକ୍ତ ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀଙ୍କ ସମସ୍ତ ନିଯୁକ୍ତିକୁ କୋର୍ଟ ବାତିଲ କରିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ଯୋଗୁଁ ୨୫ ହଜାରରୁ ଅଧିକ ଶିକ୍ଷକ ରାଜ୍ୟରେ ଚାକିରି ହରାଇଛନ୍ତି।

ବାସ୍ତବରେ, ୨୦୧୬ ରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ସ୍କୁଲ ନିଯୁକ୍ତିରେ ଅନିୟମିତତା ଦେଖିବାକୁ ମିଳିଥିଲା। ଏହା ପରେ ପିଟିସନ ଏବଂ ଆବେଦନ କରାଯାଇଥିଲା ଏବଂ କୋର୍ଟଙ୍କ ନିକଟକୁ ଆସିଥିଲା। ସ୍କୁଲ ନିଯୁକ୍ତି ଦୁର୍ନୀତିର ଯାଞ୍ଚ କରୁଥିବା ସିବିଆଇ ପୂର୍ବତନ ରାଜ୍ୟ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (ଏସଏସସି) ରେ ପଦବୀରେ ଥିବା କିଛି ଅଧିକାରୀଙ୍କୁ ମଧ୍ୟ ଗିରଫ କରିଥିଲା। ଏଥିସହିତ ସ୍କୁଲ ନିଯୁକ୍ତି ସ୍କାମର ଯାଞ୍ଚ ପାଇଁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହିତ ଏହି ବିଦ୍ୟାଳୟରେ ଚାକିରି ପାଇଁ ନିଯୁକ୍ତି ପ୍ରକ୍ରିୟା ବାତିଲ କରିବାକୁ କୋର୍ଟ ନିଷ୍ପତ୍ତି ନେଇଛନ୍ତି। କୋର୍ଟର ଏହି ନିଷ୍ପତ୍ତି ସହିତ ୨୫,୭୫୩ ଶିକ୍ଷକ ରାଜ୍ୟରେ ଚାକିରି ହରାଇଛନ୍ତି। ତେବେ ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଦରମାକୁ ୬ ସପ୍ତାହ ମଧ୍ୟରେ ଫେରସ୍ତ କରିବାକୁ କୋର୍ଟ ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଞ୍ଚଳିକ

କାର୍ ଧକ୍କାରେ ବାଇକ୍ ଚାଳକ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ଶ୍ୟାମଳାଇ ମନ୍ଦିର ଛକରେ ଆସ୍କା ଅଭିମୁଖେ ଯାଉଥିବା ଏକ କାର୍ ର ମୁହାଁମୁହିଁ ଧକ୍କା ଫଳରେ ହିଞ୍ଜିଳି ଥାନା ଅନ୍ତର୍ଗତ ନନ୍ଦିକ ଗ୍ରାମର ବିଭୁତି ଭୁଷଣ ପରିଡ଼ା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ଜଣାପଡିଛି ଯେ, ଆହତ ବିଭୁତି କୌଣସି କାମରେ ଆସି ନିକଟସ୍ଥ ବୁରୁପଡା ଗ୍ରାମରୁ ନିଜ ଗ୍ରାମ ନନ୍ଦିକ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ନିଜେ ଚଳାଉଥିବା ମୋଟରସାଇକେଲ ଉକ୍ତ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ସେ ଗୁରୁତର ଆହତ ହୋଇ ତଳେ ପଡ଼ିଗଲା ଓ ଅଞ୍ଚଳ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି କାର୍ କୁ ଅଟକାଇ ରଖିବା ସହ ବିଭୁତି କୁ ଚିକିତ୍ସା ନିମନ୍ତେ ହିଞ୍ଜିଳି ଡାକ୍ତରଖାନାକୁ ପଠାଇଥିଲେ।

ଅବସ୍ଥା ଗୁରୁତର ହେବାରୁ ଡାକ୍ତର ମାନେ ତାକୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ହିଞ୍ଜିଳି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ି ଜବତ କରି ଘଟଗାଁ ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବନ୍ଦ କୋଠରୀରୁ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ପୌରାଞ୍ଚଳ ରେଗିଡି ସାହିର ଏକ ବନ୍ଦ କୋଠରୀରୁ ଜଣେ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସେ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ତାଙ୍କ ନାମ ରାମ କନ୍ୱର ରାମ ବୋଲି ଜଣାପଡିଛି। ମୃତ ଶିକ୍ଷକଙ୍କ ଘର ଉତ୍ତରପ୍ରଦେଶ ଅଞ୍ଚଳରେ ଓ ସେ ହିଞ୍ଜିଳିକାଟୁ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ରେଗିଡି ସାହିରେ ଏକ ଭଡ଼ା ଘରେ ରହୁଥିଲେ।

କିନ୍ତୁ ଗତ ଦୁଇ ଦିନ ଧରି ଘରର କବାଟ ବନ୍ଦ ରହିଥିଲା ଓ ପରେ ଘର ଭିତରୁ ଗନ୍ଧ ବାହାରିବା ପରେ ପୋଡଶୀ ଲୋକେ ଥାନାରେ ଖବର ଦେଇଥିଲେ।

ଖବର ପାଇ ହିଞ୍ଜିଳି ପୋଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିପୁଳ ପରିମାଣରେ ଦେଶୀ ମଦ ବୋଝେଇ ଗାଡି ଜବତ କଲା ବେଗୁନିଆ ଅବକାରୀ ବିଭାଗ

ଖୋର୍ଦ୍ଧା: ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଓ ଅବକାରୀ ବିଭାଗ ପ୍ରତିଦିନ ଚଢ଼ାଉ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଗତକାଲି ବେଗୁନିଆ ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣରେ ଦେଶୀ ମଦ ବୋଝେଇ ଗାଡି ଜବତ ହୋଇଛି।

ସୂଚନା ମୁତାବକ କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ନୂଆ ତିଗିରିଆ ଗ୍ରାମର ଜଗଦୀଶ ମହାନ୍ତି ନାମକ ବ୍ୟକ୍ତି ଏକ ପିକ୍‌ଅପ୍ ଗାଡ଼ି ଯୋଗେ ବିପୁଳ ପରିମାଣରେ ଦେଶୀ ମଦ ବେଗୁନିଆ ଅଞ୍ଚଳକୁ ଚୋରା ଚାଲାଣ କରୁଥିବାର ଖବର ଅବକାରୀ ବିଭାଗ ପାଇଥିଲା।

ଜିଲ୍ଲା ଅବକାରୀ ଅଧୀକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ରେଞ୍ଜ ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ସାହୁଙ୍କ ତତ୍ୱାବଧାନରେ ବେଗୁନିଆ ଅବକାରୀ ଅଧିକାରୀ ଏନ୍. ଜାଗିନ ରାଓଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ତନଖି ଜାରି ରହିଥିବା ବେଳେ ବେଗୁନିଆ ସଦର ମହକୁମା ସ୍ଥିତ ପୋଷ୍ଟ ଅଫିସ ଛକ ନିକଟରୁ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଉକ୍ତ ପିକ୍‌ଅପ୍ ଗାଡ଼ିଟି ଜବତ ହୋଇଛି। ଗାଡ଼ିରୁ ୨୨ ଗୋଟି ଜାରକିନ ଜବତ ହୋଇଛି ଯେଉଁଥିରେ ୭୭୦ ଲିଟର ଦେଶୀ ମଦ ଥିବା ସୂଚନା ରହିଛି। ଏହି ପରିପ୍ରେକ୍ଷୀରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ

‘ଚୀନ୍ ନୁହେଁ ଭାରତୀୟଙ୍କ ସହ କାମ କରିବା ଉଚିତ’: ଏପରି କାହିଁକି କହିଲେ ପାକିସ୍ତାନ ବିଶେଷଜ୍ଞ

ନୂଆଦିଲ୍ଲୀ: ଭାରତର ଅର୍ଥନୀତି ସମ୍ବନ୍ଧରେ ଅନେକ ରିପୋର୍ଟ ଆସିଛି, ଯେଉଁଥିରେ ଆକଳନ କରାଯାଇଛି ଯେ ଭାରତ କେବେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ। ତେବେ ବିଭିନ୍ନ ରିପୋର୍ଟରେ ଭାରତ ତୃତୀୟ ବୃହତ୍ତମ ଅର୍ଥନୀତି ହେବ ବୋଲି ପୂର୍ବାନୁମାନ କରାଯାଇଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମଧ୍ୟ ଭାରତର ଅର୍ଥନୀତି ବିଷୟରେ ପୂର୍ବାନୁମାନ କରିଛି। ଆଇଏମ୍ଏଫ୍ ଆକଳନ କରିଛି ଯେ, ଏହା ଆସନ୍ତା ବର୍ଷ ସୁଦ୍ଧା ଜାପାନକୁ ଅତିକ୍ରମ କରିବ ଏବଂ ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବ। ଏହା ଉପରେ ପାକିସ୍ତାନୀ ବିଶେଷଜ୍ଞ କମର ଚୀମା କହିଛନ୍ତି ଯେ, ପାକିସ୍ତାନ ଭାରତ ସହ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି କରିବା ଉଚିତ। କାରଣ ଏହା ଲାଭଦାୟକ ହେବ। ସେ କହିଛନ୍ତି ଯେ, ଯଦି ପାକିସ୍ତାନ ଚୀନ୍ ବଦଳରେ ଭାରତ ସହ ସମ୍ପର୍କ ସ୍ଥାପନ କରେ ତେବେ ଏହା ଅଧିକ ଲାଭଦାୟକ ହେବ।

ପାକିସ୍ତାନୀ ବିଶେଷଜ୍ଞ କମର ଚୀମା କହିଛନ୍ତି ଯେ, ଭାରତ ସହ କାମ କରିବା ପାଇଁ ପାକିସ୍ତାନ ବାତାବରଣ ସୃଷ୍ଟି କରିବା ଉଚିତ। ଏଥିରୁ ଉଭୟ ଭାରତ ଏବଂ ପାକିସ୍ତାନ ଉପକୃତ ହେବେ। ସେ କହିଛନ୍ତି ଯେ, ‘ମୋର ବିଚାରରେ ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଏବଂ ବାଣିଜ୍ୟ ସେମାନଙ୍କ ସ୍ଥାନରେ ଅଛି, କିନ୍ତୁ ପାକିସ୍ତାନର ଭାରତ ସହିତ ଥିବା ଭାଷା ସୁବିଧା ଚୀନ୍ ସହିତ ନୁହେଁ। ଯଦି ପାକିସ୍ତାନୀ ବ୍ୟବସାୟୀମାନେ ଭାରତୀୟଙ୍କ ସହ କାମ କରନ୍ତି, ତେବେ ସେମାନେ ଅଧିକ ଟଙ୍କା ରୋଜଗାର କରିପାରିବେ। ରାଜନୈତିକ ଅନୁବନ୍ଧ, କାଶ୍ମୀର ପ୍ରସଙ୍ଗ, ଏସବୁ ନିଜ ସ୍ଥାନରେ ରହିବା ଉଚିତ୍, କିନ୍ତୁ ବ୍ୟବସାୟରେ ଏକାଠି ହେବା ଉଚିତ।

୨୦୨୫ ସୁଦ୍ଧା ଭାରତର ଜିଡିପି କ’ଣ ହେବ?:

ପାକିସ୍ତାନୀ ବିଶେଷଜ୍ଞ କମର ଚୀମା କହିଛନ୍ତି ଯେ, ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ସୁଦ୍ଧା ଭାରତ ଜାପାନକୁ ଅତିକ୍ରମ କରି ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବ ବୋଲି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପୂର୍ବାନୁମାନ କରିଛି। ବର୍ତ୍ତମାନ ଜାପାନ ଚତୁର୍ଥ ସ୍ଥାନରେ ଏବଂ ଭାରତ ପଞ୍ଚମ ସ୍ଥାନରେ ରହିଛି। ଭାରତର ଜିଡିପି ୪.୩୩୯ ଟ୍ରିଲିୟନ ଥିବାବେଳେ ଜାପାନର ଜିଡିପି ୪.୩୧୦୩ ଟ୍ରିଲିୟନ ହେବ ବୋଲି କୁହାଯାଉଛି।

କମର ଚୀମା ଆହୁରି ମଧ୍ୟ କହିଛନ୍ତି ଯେ, ‘ଯଦି ଭାରତରେ କୌଣସି ପ୍ରତିବନ୍ଧକ ନଥାଏ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାରେ ରହନ୍ତି, ତେବେ ଏହା ଜାପାନକୁ ଅତିକ୍ରମ କରିପାରେ, କିନ୍ତୁ ଯଦି ଏକ ନୂତନ ସରକାର ଆସେ ତେବେ ଜିନିଷ ମଧ୍ୟ ବଦଳିପାରେ। ତେବେ ଭାରତରେ ଆଲୋଚନା ଚାଲିଛି ଯେ, କେବଳ ପ୍ରଧାନମନ୍ତ୍ରୀ ମୋଦୀ ପୁନର୍ବାର କ୍ଷମତାକୁ ଆସିବେ। ଅକ୍ଟୋବରରେ ଆଇଏମ୍ଏଫ୍ ପୂର୍ବାନୁମାନ କରିଛି ଯେ, ଭାରତ 2୨୦୨୬ ରେ ଜାପାନ ଏବଂ ୨୦୨୭ରେ ଜର୍ମାନୀ ଅତିକ୍ରମ କରିବ। ପିଏମ ମୋଦୀଙ୍କ ପରବର୍ତ୍ତୀ ଶାସନ କାଳରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ। ବର୍ତ୍ତମାନ ଏହିପରି ଆକଳନ କରାଯାଉଛି।

କମର ଚୀମା କହିଛନ୍ତି ଯେ, ଅର୍ଥନୀତି ବ୍ୟତୀତ ଭାରତ ମଧ୍ୟ ଏଆଇ ହଟସ୍ପଟରେ ପରିଣତ ହେବାକୁ ଯାଉଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ଭାରତ ଏବଂ ଜାପାନ ହେଉଛି AI ହଟସ୍ପଟ୍। ସିଲିକନ୍ ଭ୍ୟାଲିର ଭେଞ୍ଚର ପୁଞ୍ଜିପତି ବିନୋଦ ଖୋସଲା ଏହା କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ମାଲଦ୍ୱୀପ ସଂସଦ ନିର୍ବାଚନ: ଚୀନ୍ ସମର୍ଥିତ ମୁଇଜ୍ଜୁଙ୍କ ବଡ ବିଜୟ, ଭାରତ ସହ ସମ୍ପର୍କରେ ପଡିପାରେ ପ୍ରଭାବ

ନୂଆଦିଲ୍ଲୀ: ମାଲଦ୍ୱୀପର ସଂସଦ ନିର୍ବାଚନରେ ​​ମହମ୍ମଦ ମୁଇଜୁଙ୍କ ପାର୍ଟି ପିଏନସି ଏକ ବଡ଼ ବିଜୟ ହାସଲ କରିଥିବାବେଳେ ବିରୋଧୀ ଦଳ ଏମଡିପି ନିରାଶ ହୋଇଛି। ଏଭଳି ପରିସ୍ଥିତିରେ ମାଲଦ୍ୱୀପବାସୀ ଭାରତ ବିରୋଧୀ ମୁଇଜୁକୁ ପୁଣି ଥରେ ପସନ୍ଦ କରିଛନ୍ତି। ୯୩ ଆସନ ବିଶିଷ୍ଟ ମାଲଦ୍ୱୀପ ସଂସଦରେ ପିଏନସି ୬୬ ଟି ସିଟ୍ ପାଇଥିବାବେଳେ ନିକଟରେ ମାଲେରେ ଅନୁଷ୍ଠିତ ମେୟର ନିର୍ବାଚନରେ ​​ମୁଇଜୁଙ୍କ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

ବାସ୍ତବରେ, ବିଂଶତମ ଲୋକସଭାରେ ମତଦାନ ରବିବାର ସ୍ଥାନୀୟ ସମୟ ସକାଳ ୮ ଟାରୁ ୫:୩୦ ପର୍ଯ୍ୟନ୍ତ ହୋଇଥିଲା। ମୋଟ ୯୩ ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା, ସେଥିମଧ୍ୟରୁ ମୁଇଜୁଙ୍କ ପାର୍ଟି ପିପୁଲ୍ସ ନ୍ୟାସନାଲ କଂଗ୍ରେସ ୬୬ ଟି ସିଟ୍ ଜିତିଥିଲା। ପିଏନସି ମୋଟ ୯୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ମୁଖ୍ୟ ବିରୋଧୀ ଦଳ ମାଲଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି (MDP) କୁ ୧୨ ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। ଏଭଳି ପରିସ୍ଥିତିରେ ପିଏନସି ବର୍ତ୍ତମାନ ମାଲଦ୍ୱୀପ ସଂସଦକୁ କବଜା କରିଛି। ସ୍ଵାଧୀନ ପ୍ରାର୍ଥୀମାନେ ୮ ଟି ସିଟ୍ ଜିତିଛନ୍ତି, ବାକି ସିଟ୍ ଗୁଡିକ ଅନ୍ୟ ଛୋଟ ଦଳଗୁଡିକ ଦଖଲ କରିଛନ୍ତି।

ଭାରତ-ମାଲଦ୍ୱୀପ ସମ୍ପର୍କ ପ୍ରତିକୂଳ ପ୍ରଭାବିତ ହେବ:

ଏହି ନିର୍ବାଚନର ସବୁଠାରୁ ଖରାପ ପ୍ରଭାବ ମାଲଦ୍ୱୀପ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କ ଉପରେ ପଡ଼ିବ, କାରଣ ମୁଇଜୁ ରାଷ୍ଟ୍ରପତି ହେବା ପରେ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ସମ୍ପର୍କ ଖରାପ ହୋଇପଡିଛି। ବର୍ତ୍ତମାନ ସଂସଦ ଦଖଲ କରିବା ପରେ ଚୀନ୍ ମାଲଦ୍ୱୀପରେ ବଡ଼ ସୁଯୋଗ ପାଇବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚୀନ୍ ମାଲଦ୍ୱୀପରେ ସାମରିକ ବେସ ନିର୍ମାଣ କରିବାକୁ ଚାହୁଁଛି। ନିକଟରେ ମାଲଦ୍ୱୀପ ଏବଂ ଚୀନ୍ ମଧ୍ୟରେ ଅନେକ ଗୁପ୍ତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ମାଲଦ୍ୱୀପକୁ ମାଗଣା ସାମରିକ ସହାୟତା ପ୍ରଦାନ କରିବାକୁ ଚୀନ୍ କହିଛି।

Categories
ଆଜିର ଖବର ଜାତୀୟ ଖବର

ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟରେ ଅଧିକ ମତଦାନ

ନୂଆଦିଲ୍ଲୀ: ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ଅଧିକ ମତଦାନ ହୋଇଛି। ନାଗରିକ ଦାୟିତ୍ୱ ଓ ଗୌରବର ଚମତ୍କାର ପ୍ରଦର୍ଶନ ସହିତ ବିଭିନ୍ନ ବର୍ଗର ଭୋଟରମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିବାରୁ ମତଦାନ ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ରହିଛି। ୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଅଷ୍ଟାଦଶ ଲୋକସଭା ନିର୍ବାଚନ ସହ ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ପାଇଁ ମତଦାନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟର ଭୋଟର ଓ ସମଗ୍ର ନିର୍ବାଚନ ବ୍ୟବସ୍ଥାକୁ ଆୟୋଗ ଧନ୍ୟବାଦ ଜଣାଇଛନ୍ତି।

ସନ୍ଧ୍ୟା ୭ଟା ସୁଦ୍ଧା ୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହାର ୬୦% ରୁ ଅଧିକ ରହିଛି। ରାଜ୍ୟଭିତ୍ତିକ ତଥ୍ୟ ସଂଲଗ୍ନକ-କରେ ଦିଆଯାଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଭିନ୍ନ ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବାକୁ ଥିବାରୁ ସମସ୍ତ ମତଦାନ କେନ୍ଦ୍ରରୁ ରିପୋର୍ଟ ମିଳିବା ପରେ ମତଦାନ ହାର ବଢ଼ିବାର ସମ୍ଭାବନା ରହିଛି। ଏଥିସହ ମତଦାନ ସମୟ ଶେଷ ହେବା ପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ପହଞ୍ଚୁଥିବା ଭୋଟରଙ୍କୁ ମତଦାନ ପାଇଁ ଅନୁମତି ଦିଆଯାଇଛି।

ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାର ଏବଂ ନିର୍ବାଚନ ଆୟୋଗଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କ ନେତୃତ୍ୱରେ ଆୟୋଗ ନିର୍ବାଚନ ସଦନସ୍ଥିତ ନିର୍ବାଚନ ଆୟୋଗ ମୁଖ୍ୟାଳୟରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ମତଦାନର ଅଗ୍ରଗତି ଉପରେ ନିରନ୍ତର ନଜର ରଖିଥିଲେ। ଏଥିପାଇଁ ମୁଖ୍ୟାଳୟରେ ଏକ ଅତ୍ୟାଧୁନିକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଥିଲା। ସେହିପରି ରାଜ୍ୟ/ଜିଲ୍ଲା ସ୍ତରରେ ମଧ୍ୟ ସମାନ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି।

ଏକ ଶାନ୍ତିପୂର୍ଣ୍ଣ ଏବଂ ଅନୁକୂଳ ପରିବେଶ ପରିପ୍ରେକ୍ଷୀରେ ଦେଶର ବିବିଧ ଭୋଟରମାନେ କାର୍ଯ୍ୟରେ ଗଣତନ୍ତ୍ରର ଜ୍ୱଳନ୍ତ ଚିତ୍ର ଆଙ୍କିଥିଲେ। ଜନଗହଳିପୂର୍ଣ୍ଣ ସହର କେନ୍ଦ୍ରସ୍ଥଳୀ ଠାରୁ ଆରମ୍ଭ କରି ଦୁର୍ଗମ ଗାଁ ପର୍ଯ୍ୟନ୍ତ ମତଦାନ କେନ୍ଦ୍ରଗୁଡ଼ିକରେ ବିଭିନ୍ନ ପିଢ଼ି ଓ ପୃଷ୍ଠଭୂମିର ଭୋଟରଙ୍କ ରଙ୍ଗାରଙ୍ଗ ସମନ୍ୱୟ ଦେଖିବାକୁ ମିଳିଥିଲା। ଆୟୋଗ ଓ ଏହାର ଅଧିକାରୀମାନେ ଏହି କ୍ଷେତ୍ରରେ ସୁଚିନ୍ତିତ ଯୋଜନା ଓ କାର୍ଯ୍ୟକାରିତା ଆଧାରରେ ମତଦାନ ନିରବଚ୍ଛିନ୍ନ ହୋଇଥିଲା।

ଆଦିବାସୀ ଅଞ୍ଚଳରେ ମତଦାନକୁ ସୁଗମ କରିବା ପାଇଁ ଆୟୋଗ ଗୁରୁତ୍ୱ ଦେଉଥିବା ବେଳେ ଛତିଶଗଡର ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ) ପ୍ରଭାବିତ ଅଞ୍ଚଳରେ ଶାନ୍ତି ଓ ଗଣତନ୍ତ୍ରର ବାଟ ବାଛି ବୁଲେଟ ଉପରେ ବାଲଟ କ୍ଷମତାକୁ ଗ୍ରହଣ କରିଛନ୍ତି । ଲୋକସଭା ନିର୍ବାଚନରେ ବସ୍ତରର ୫୬ଟି ଗାଁ ପ୍ରଥମ ଥର ପାଇଁ ନିଜ ଗାଁରେ ସ୍ଥାପିତ ପୋଲିଂ ବୁଥରେ ମତଦାନ କରିଛନ୍ତି। ବିଜାପୁରର ପିସି-୧୬୩ସ୍ଥିତ ମଡେଲ ପୋଲିଂ ଷ୍ଟେସନରେ ଚିକିତ୍ସା ସୁବିଧାରୁ ଭୋଟରମାନେ ଉପକୃତ ହେଉଥିବା ଦେଖିବାକୁ ମିଳିଥିଲା।  ମହାରାଷ୍ଟ୍ରର ଗଡଚିରୋଲି-ଚିମୁରର ଅନ୍ୟ ଏକ ଘଟଣାରେ ସମସ୍ତ ପ୍ରାସଙ୍ଗିକ ସୂଚନା ସମ୍ବଳିତ ହେମଲକାସା ବୁଥରେ ସ୍ଥାନୀୟ ଆଦିବାସୀ ଉପଭାଷା ବ୍ୟବହାର କରାଯାଇଥିଲା। ବିହାରର ବୋଧଗୟାରେ ବୌଦ୍ଧ ଭିକ୍ଷୁମାନେ ହସ ଖୁସିରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା ଏବଂ ସେମାନଙ୍କ ଆଙ୍ଗୁଠିରେ ଗର୍ବିତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଆଦିବାସୀ ସମ୍ପ୍ରଦାୟର ଭୋଟରମାନେ ବହୁ ସଂଖ୍ୟାରେ ବାହାରିଥିଲେ। ଗ୍ରେଟ୍ ନିକୋବରର ଶୋମ୍ପେନ ଜନଜାତି ୨୦୨୪ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ୍ ଦେଇ ଇତିହାସ ରଚିଛନ୍ତି । ମିଜୋରାମରେ ଏକ ବୃଦ୍ଧ ଦମ୍ପତି ଏକାଠି ଭୋଟ୍ ଦେବାକୁ ଶପଥ ନେଇଛନ୍ତି। ଅରୁଣାଚଳ ପ୍ରଦେଶରେ ଜଣେ ବୃଦ୍ଧା ଘରେ ମତଦାନ ସୁବିଧା ଥାଇ ମଧ୍ୟ ନିଜ ଇଚ୍ଛାରେ ମତଦାନ କେନ୍ଦ୍ରକୁ ଯାଇଥିଲେ।

ଦେଶର ଅଧିକାଂଶ ସ୍ଥାନରେ ଭୋଟରମାନେ ଗ୍ରୀଷ୍ମପ୍ରବାହକୁ ସାହସିକତାର ସହ ସାମ୍ନା କରିଥିବା ବେଳେ ଆଉ କେଉଁଠି ଭୋଟରମାନେ ଧୈର୍ଯ୍ୟର ସହ ବର୍ଷାରେ ଅପେକ୍ଷା କରିଥିଲେ। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ନିର୍ବାଚନ କମିଶନଙ୍କ ଦ୍ୱାରା ସୁନିଶ୍ଚିତ ସର୍ବନିମ୍ନ ସୁବିଧା ସେମାନଙ୍କ ପାଇଁ ଅତ୍ୟନ୍ତ ସହାୟକ ହୋଇଥିଲା ।

 

ନାଗାଲାଣ୍ଡର ଆଦର୍ଶ ମତଦାନ କେନ୍ଦ୍ର

ଭୋଟରମାନେ ରଙ୍ଗୀନ ପୋଷାକ ପିନ୍ଧି ଭାରତୀୟ ସଂସ୍କୃତିର ସମୃଦ୍ଧ ତାତ୍ପର୍ଯ୍ୟକୁ ପ୍ରତିଫଳିତ କରିବା ସହ ଗର୍ବର ସହ କାଳି ଲଗା ଆଙ୍ଗୁଠି ଦେଖାଇ ସେଲ୍ଫି ଉତ୍ତୋଳନ କରି ନିଜ ନାଗରିକ କର୍ତ୍ତବ୍ୟର ସଫଳ ପ୍ରତୀକ ସାଜିଥିଲେ।

 

୭ ପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନ ୨୦୨୪ରେ ଆଜି ୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନ ପାଇଁ ମତଦାନ ହୋଇଛି। ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ସିକ୍କିମ, ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ତାମିଲନାଡୁ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପ ଭଳି ରାଜ୍ୟରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ୨୦୨୪ ସାଧାରଣ ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟରେ ସୁରୁଖୁରୁରେ, ସ୍ୱଚ୍ଛ ଏବଂ ସମାବେଶୀ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଆୟୋଗ ଜୋରଦାର କାର୍ଯ୍ୟ କରୁଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

IPL 2024: ପଞ୍ଜାବ କିଙ୍ଗସକୁ 3 ୱିକେଟରେ ପରାସ୍ତ କଲା ଗୁଜୁରାଟ ଟାଇଟାନ୍ସ

ନୂଆଦିଲ୍ଲୀ: ଗୁଜୁରାଟ ଟାଇଟାନ୍ସ ପଞ୍ଜାବ କିଙ୍ଗସକୁ 3 ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ନିର୍ଦ୍ଧାରିତ 20 ଓଭରରେ 142 ରନ୍ ସ୍କୋର କରିଥିଲା। ଏଥି ସହିତ ଗୁଜୁରାଟ ଟାର୍ଗେଟକୁ ପିଛା କରି ଆରମ୍ଭ ବହୁତ ଧୀର ଏବଂ ଖରାପ ଥିଲା କାରଣ ରିଦ୍ଧିମାନ ସାହା ମାତ୍ର 13 ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଶୁଭମାନ ଗିଲ ଏବଂ ସାଇ ସୁଦର୍ଶନଙ୍କ ମଧ୍ୟରେ 41 ରନର ଭାଗିଦାରୀ ହୋଇଥିଲା, କିନ୍ତୁ ଦଳର ରନ୍ ହାର ବହୁତ ଧୀର ଥିଲା। ଦଶମ ଓଭରରେ ଶୁଭମାନ ଗିଲ 29 ବଲରେ 35 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ, କିନ୍ତୁ ଦଶ ଓଭର ଶେଷ ହେବା ପରେ ଦଳର ସ୍କୋର ମାତ୍ର 68 ରନ୍ ଥିଲା। ମଧ୍ୟମ ଓଭରରେ ଲିଆମ୍ ଲିଭିଙ୍ଗଷ୍ଟୋନ୍ ପଞ୍ଜାବ କିଙ୍ଗ୍ସ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଥିଲେ, ଯିଏ କ୍ରମାଗତ ଓଭରରେ 4 ରନ୍ ସ୍କୋରରେ ଶୁଭମାନ ଗିଲ ଏବଂ ବ୍ୟାଟ୍ସମ୍ୟାନ୍ ଡେଭିଡ ମିଲରଙ୍କୁ ଆଉଟ କରିଥିଲେ।

ଚତୁର୍ଦ୍ଦଶ ଓଭର ପର୍ଯ୍ୟନ୍ତ ଗୁଜୁରାଟ ଦଳ 3 ୱିକେଟ୍ ହରାଇ 91 ରନ୍ ସହ ଖେଳୁଥିଲା। ପରବର୍ତ୍ତୀ 2 ଓଭରରେ ମ୍ୟାଚ୍ ପରିବର୍ତ୍ତନ ହେବାକୁ ଯାଉଥିଲା। ପ୍ରଥମ ସାଇ ସୁଦର୍ଶନ 34 ଟି ବଲରେ 31 ରନ୍ ସଂଗ୍ରହ କରି ସାମ କୁରାନ୍ ଙ୍କ ଦ୍ୱାରା ବୋଲ୍ଡ ଆଉଟ ହୋଇଯାଇଥିଲେ। ଆଜମାତୁଲ୍ଲା ଉମରଜାଇ ମଧ୍ୟ ପରବର୍ତ୍ତୀ ଓଭରରେ ୱିକେଟ୍ ହରାଇଥିଲେ। ସେ 10 ବଲରେ 13 ରନ୍ ସଂଗ୍ରହ କରିଥିଲେ। ମ୍ୟାଚ୍ ଏଭଳି ପର୍ଯ୍ୟାୟରେ ପହଞ୍ଚିଥିଲା ​​ଯେ, ଗୁଜୁରାଟକୁ ଅନ୍ତିମ 3 ଓଭରରେ 25 ରନ୍ ଆବଶ୍ୟକ ଥିଲା, କିନ୍ତୁ ପିଚ୍‌ର ସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କୁ ସ୍କୋର କରିବା ସହଜ ନଥିଲା। ଏହି ସମୟରେ, କାଗିସୋ ରାବାଡା ଇନିଂସର 18 ତମ ଓଭରରେ 20 ରନ୍ ଦେଇଥିଲେ ଏବଂ ଏଠାରୁ ମ୍ୟାଚ୍ ଏକପାଖିଆ ହୋଇଯାଇଥିଲା। ଜିତିବା ପାଇଁ ଗୁଜୁରାଟକୁ ଶେଷ 12 ବଲରେ ମାତ୍ର 5 ରନ୍ ଆବଶ୍ୟକ ଥିଲା। ଊନବିଂଶ ଓଭରରେ ହର୍ଷଲ ପଟେଲ 2 ଟି ୱିକେଟ୍ ନେଇଥିଲେ, କିନ୍ତୁ ଜିଟିକୁ ଶେଷ 6 ଟି ବଲରେ ମାତ୍ର 1 ରନ୍ ସ୍କୋର କରିବାକୁ ଥିଲା। ଶେଷ ଓଭରର ପ୍ରଥମ ବଲରେ ଚୌକା ମାରି ରାହୁଲ ତେୱାତିଆ ଗୁଜୁରାଟକୁ 3 ୱିକେଟରେ ଜିତାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

କ୍ଷମତାକୁ ଆସିଲେ ଇଣ୍ଡି ମେଣ୍ଟ, ପ୍ରଥମ ଅଧିବେଶନରେ ରଦ୍ଦ ହେବ CAA: ପି ଚିଦାମ୍ବରମ୍

ନୂଆଦିଲ୍ଲୀ: ଯଦି ବିରୋଧୀ ଦଳ ‘ଇଣ୍ଡିଆ’ (INDIA) କ୍ଷମତାକୁ ଆସେ ତେବେ ସଂସଦର ପ୍ରଥମ ଅଧିବେଶନରେ ବିବାଦୀୟ ନାଗରିକତା ସଂଶୋଧନ ଆଇନ (CAA) ରଦ୍ଦ ହେବ ବୋଲି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ କହିଛନ୍ତି। ଚିଦାମ୍ବରମ୍ କହିଛନ୍ତି ଯେ, କଂଗ୍ରେସ ଦଳ CAA ରଦ୍ଦ କରିବାକୁ ଚାହୁଁଛି, ଯଦିଓ ଏହାର ଘୋଷଣା ପତ୍ରରେ ଉଲ୍ଲେଖ କରାଯାଇ ନାହିଁ।

କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ରାଜନେତାମାନେ ଲଗାତାର ଭାବେ କଂଗ୍ରେସକୁ ଟାର୍ଗେଟ କରିଆସୁଛନ୍ତି ଯେ, CAA କଂଗ୍ରେସର ଘୋଷଣା ପତ୍ରରେ ଉଲ୍ଲେଖ କରାଯାଇ ନାହିଁ।

ଏଠାରେ ଗଣମାଧ୍ୟମକୁ ସୂଚନା ଦେଇ ଚିଦାମ୍ବରମ୍ ଦାବି କରିଛନ୍ତି ଯେ, ଘୋଷଣା ପତ୍ରରେ CAA ଉଲ୍ଲେଖ କରାଯାଇ ନାହିଁ କାରଣ ଏହା ବହୁତ ସମୟ ନେଇଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ବିଜେପିର ୧୦ ବର୍ଷର ଶାସନ ସଂସଦରେ ନିଜର ‘ଅତ୍ୟଧିକ ସଂଖ୍ୟାଗରିଷ୍ଠତା’ର ଅପବ୍ୟବହାର କରିଥିବାରୁ ଦେଶରେ ବ୍ୟାପକ କ୍ଷତି ହୋଇଛି।

ଚିଦାମ୍ବରମ୍ କହିଛନ୍ତି ଯେ, “ଆଇନର ଏକ ଲମ୍ବା ତାଲିକା ଅଛି, ସେଥିମଧ୍ୟରୁ ପାଞ୍ଚଟି ଆଇନ ସମ୍ପୂର୍ଣ୍ଣ ରୂପେ ରଦ୍ଦ ହେବ। ଏହା ମୋର ପ୍ରତିଜ୍ଞା, ମୁଁ ମନିଫେଷ୍ଟୋ କମିଟିର ସଭାପତି ଅଟେ। ମୁଁ ଏହାର ପ୍ରତ୍ୟେକ ଶବ୍ଦ ଲେଖିଛି, ଉଦ୍ଦେଶ୍ୟ କ’ଣ ମୁଁ ଜାଣେ। CAA ସଂଶୋଧିତ ହେବ ନାହିଁ, ବରଂ ଏହାକୁ ରଦ୍ଦ କରାଯିବ। ଆମେ ଏହାକୁ ସ୍ପଷ୍ଟ କରିଛୁ।

ସେ କହିଛନ୍ତି ଯେ, ଯଦି ବିରୋଧୀ ଦଳ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଇନ୍ସ’ (ଇଣ୍ଡିଆ) କେନ୍ଦ୍ରକୁ କ୍ଷମତାକୁ ଆସେ, ତେବେ ସଂସଦର ପ୍ରଥମ ଅଧିବେଶନରେ ବିବାଦୀୟ ନାଗରିକତ୍ୱ ସଂଶୋଧନ ଆଇନ (CAA) ରଦ୍ଦ ହେବ।

କଂଗ୍ରେସ ଏହି ଆଇନକୁ ବିରୋଧ କରୁନାହିଁ ବୋଲି ଚିଜମ୍ବରମ୍ ବିଜୟନଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ଥିରୁବନନ୍ତପୁରମ୍ କଂଗ୍ରେସ ସାଂସଦ ଶଶି ଥରୁର ସଂସଦରେ CAA ବିରୋଧରେ ନିଜର ମତ ରଖିଛନ୍ତି।

Categories
ଆଞ୍ଚଳିକ

ବାଇକ୍ ରେଲି ମାଧ୍ୟମରେ ଜନତାଙ୍କ ଅଭିବାଦନ ଗ୍ରହଣ କଲେ ସମ୍ବିତ ପାତ୍ର ଓ ଉପାସନା ମହାପାତ୍ର

ବ୍ରହ୍ମଗିରି: ପୁରୀ ଲୋକସଭା ଅନ୍ତର୍ଗତ ବ୍ରହ୍ମଗିରି ବିଧାନସଭାରେ ଆୟୋଜିତ ବିରାଟ ବାଇକ୍ ରାଲିରେ ସାମିଲ ହୋଇ ଜନତା ଜନାର୍ଦ୍ଦନଙ୍କ ଅଭିବାଦନ ଗ୍ରହଣ କରିଛନ୍ତି ସମ୍ବିତ ପାତ୍ର ଓ ଉପାସନା ମହାପାତ୍ର। ଏହି ବାଇକ୍ ରାଲି ବ୍ରହ୍ମଗିରିର ବ୍ଲକ ଅଫିସରୁ ଆରମ୍ଭ ହୋଇ ରାୟବିଧର ପଞ୍ଚାୟତ ପର୍ଯ୍ୟନ୍ତ ଯାଇଥିଲା। ବାଇକ୍ ରାଲିରେ ୧୦୦୦ ବାଇକ୍ ସହ ୨୦୦୦ ବ୍ୟକ୍ତି ଭାଗ ନେଇଥିଲେ।

ଏହି ଅବସରରେ ସମ୍ବିତ ପାତ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁରୀ ଲୋକସଭାର ଜନତାଙ୍କ ଦୃଢ଼ ବିଶ୍ୱାସ ରହିଛି। ଏଥର ପୁରୀ ଲୋକସଭା ସହିତ ବ୍ରହ୍ମଗିରି ବିଧାନସଭାରେ ମଧ୍ୟ ପଦ୍ମ ଫୁଟିବା ସୁନିଶ୍ଚିତ। ଏହା ସହିତ ସମ୍ବିତ ପାତ୍ର ବ୍ରହ୍ମଗିରିବାସୀଙ୍କ ଦ୍ଵାରା ମିଳିଥିବା ଅପାର ସ୍ନେହ ଏବଂ ସମର୍ଥନ ପାଇଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଛନ୍ତି।