Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀର ରାଜରାସ୍ତାରେ ବିଶାଳ ଶିକ୍ଷକ ସମାବେଶ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆହ୍ୱାନରେ ଏକ ବିଶାଳ ସମାବେଶ ଆଜି ଭୁବନେଶ୍ୱର ଲୋୟର ପି.ଏମ୍‌.ଜି. ସ୍ଥିତ ଗାନ୍ଧିମାର୍ଗରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ସମସ୍ୟା ନେଇ ସମଗ୍ର ଓଡ଼ିଶାରୁ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ, ଅଭିଭାବକ, ପୁରାତନ ଛାତ୍ର ଓ ପରିଚାଳନା କମିଟି ସଦସ୍ୟମାନେ ଆଜି ରାଜଧାନୀରେ ଏକତ୍ରିତ ହୋଇଛନ୍ତି। କାହା ପାଖରେ କ୍ରୋଧ, କାହାର ବୁକୁରେ କୋହ, ଆଉ ସରକାରଙ୍କ ପ୍ରତି ଥିବା ଅସନ୍ତୋଷ ଆଜି ସମାବେଶରେ ପ୍ରତିଫଳିତ ହୋଇଛି।

ଆଜି ପର୍ଯ୍ୟନ୍ତ ଅନୁଦାନ ପାଇନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଉଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ପାଇଁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ, ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ ଇତ୍ୟାଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ ନ କରିବା ଆଦି ଅନେକ ବିଷୟକୁ ନେଇ ଏହି ବୃହତ୍ ଗଣ ଆନ୍ଦୋଳନ ସଂଗଠିତ ହୋଇଛି ବୋଲି ସଂଗଠନର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଗଣମାଧ୍ୟମକୁ ଜଣାଇଛନ୍ତି। ଶ୍ରୀ ଦାଶ ଆହୁରି କହିଛନ୍ତି ହକ୍ ନ ମିଳିବା ଯାଏ ରାସ୍ତାରୁ ହଟିବୁ ନାହିଁ। ଏକ ଜନପ୍ରିୟ ସରକାର ଜନମଙ୍ଗଳ ରାଷ୍ଟ୍ରରେ ସବୁବର୍ଗର କର୍ମଚାରୀଙ୍କ କଥା ବିଚାର କରୁଥିବା ବେଳେ ଶିକ୍ଷକମାନଙ୍କ ପ୍ରତି ଏ ବୈମାତୃକ ମନୋଭାବ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ।

ସୂଚନାଥାଉକି, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଡ଼ିଶା ମାଧ୍ୟମିକ ସ୍କୁୂଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନ କ୍ରମେ ଆଜି ସମଗ୍ର ଓଡ଼ିଶାରୁ ୩୦ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଗାନ୍ଧୀମାର୍ଗରେ ସମବେତ ହୋଇଛନ୍ତି। ସଂଗଠନ ପକ୍ଷରୁ କୁହାଯାଇଛି ସରକାର ବାରମ୍ବାର ଠକି ଚାଲିଛନ୍ତି। ବାରମ୍ବାର ପ୍ରତିଶୃତି ଦେଇ ରକ୍ଷା କରିନାହାଁନ୍ତି। ଯେତେ ଅଭିଯୋଗ, ଆପତ୍ତି କଲେ ମଧ୍ୟ କେହି ଶୁଣୁନାହାଁନ୍ତି। ଆଲୋଚନା ବାରମ୍ବାର ବିଫଳ ହେଉଛି।

ଇଣ୍ଟର ମିନିଷ୍ଟେରିଆଲ୍ କମିଟିରେ ବିଭିନ୍ନ ସମସ୍ୟା ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ନ୍ୟାୟୋଚିତ ସମାଧାନ ଆଜି ପର୍ଯ୍ୟନ୍ତ ପ୍ରକାଶ ପାଇଲା ନାହିଁ। ସେଥିପାଇଁ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ଏ ମହାସମାବେଶ। ସରକାର ତାଙ୍କର ଉତ୍ତରଦାୟିତ୍ୱ ପାଳନ କରନ୍ତୁ। ୩୦ ବର୍ଷରୁ ଊର୍ଦ୍ଧ୍ୱ କାଳଧରି ଖୋଲିଥିବା ଯୋଗ୍ୟ ବିବେଚିତ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଅଦ୍ୟାବଧି ଅନୁଦାନ ନପାଇ ଶୂନ୍ୟ ହସ୍ତରେ ଅବସର ନେଉଛନ୍ତି ଓ ମୃତ୍ୟୁବରଣ କରିଛନ୍ତି। ତେଣୁ ଅନୁଦାନରୁ ବାଦ ପଡ଼ିଥିବା ବିଦ୍ୟାଳୟଗୁଡ଼ିକୁ ଅନୁଦାନ ଦେଇ ସେମାନଙ୍କ ମୁହଁରେ ଆହାର ଦିଅନ୍ତୁ, ସରକାର ସପ୍ତମ ବେତନ ପ୍ରଦାନ ନିମନ୍ତେ ତା୩୧.୧୨.୨୦୨୧ରିଖ ରେ କ୍ୟାବିନେଟ୍ ନିଷ୍ପତ୍ତି ନେଇ ତା୦୧.୦୧.୨୦୨୨ରିଖ ରୁ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ପାଇଁ ଲାଗୁ କଲେ।

ଦୁଃଖର ବିଷୟ ଏହିକି ତା୦୧.୦୧.୨୦୨୨ରେ ଶତପ୍ରତିଶତ ଅନୁଦାନ ପରିସରଭୁକ୍ତ ହୋଇଥିବା ୨୨୬ଟି ଓ ତା୦୧.୧୦.୨୦୨୩ରେ ୩୯୯ଟି ବିଦ୍ୟାଳୟ ସପ୍ତମ ବେତନ କମିଶନ ପାଇବାରୁ ବଞ୍ଚିତ ହୋଇଥିଲେ। ଅଦ୍ୟାବଧି ସେମାନଙ୍କୁ ସପ୍ତମ ବେତନ ମିଳିଲା ନାହିଁ। ୩୦ ବର୍ଷରୁ ଊର୍ଦ୍ଧ୍ୱକାଳ ନିଜ ଜୀବନକୁ ବାଜି ଲଗାଇ ଶିକ୍ଷାଦାନ କରିବା ପରେ ରିକ୍ତ ହସ୍ତରେ ଅବସର ନେଉଥିବା ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା ଓ ଚାକିରି ସର୍ତ୍ତାବଳୀ ଆଜି ପର୍ଯ୍ୟନ୍ତ ଲାଗୁ ହୋଇ ନାହିଁ। ପ୍ରାୟ ଚାରି ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଶୂନ୍ୟ ହସ୍ତରେ ଅବସର ନେଇଛନ୍ତି। ତେଣୁ ଏହି ବିଦ୍ୟାଳୟ ଗୁଡ଼ିକରେ ସରକାର ତୁରନ୍ତ ନିଯୁକ୍ତିର ବ୍ୟବସ୍ଥା କରନ୍ତୁ। ନଚେତ୍ ଏହି ୫-ଟି ବିଦ୍ୟାଳୟ ଗୁଡ଼ିକ ଆଉ କିଛି ଦିନ ପରେ ଶିକ୍ଷକ ଶୂନ୍ୟ ହୋଇଯିବ।

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଅନୁଦାନ ଯୋଗ୍ୟ ୬୧୦ ବିଦ୍ୟାଳୟଗୁଡ଼ିକୁ ତା୦୧.୦୬.୧୯୯୪ ଠାରୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିଥିଲେ। ଦୀର୍ଘ ୩୦ ବର୍ଷ ପରେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସରକାରୀକରଣ ହୋଇ ପାରିଲା ନାହିଁ। ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସ୍‌ନାଲ ଇନିକ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ କରାଗଲା ନାହିଁ। ୨୮୦୦, ୨୨୦୦, ୧୯୦୦ ଗ୍ରେଡ଼୍ ପେ ରେ ଥିବା ଅସଙ୍ଗତି ଆଜି ପର୍ଯ୍ୟନ୍ତ ଦୂର ହୋଇ ପାରିଲା ନାହିଁ। ବି.ଏ.ବି.ପି.ଏଡ଼, ବି.ଏ.ସି.ପି.ଏଡ଼ ଯୋଗ୍ୟତାଧାରୀ ଖେଳ ଶିକ୍ଷକମାନଙ୍କର ପଦୋନ୍ନତି କାର୍ଯ୍ୟକାରୀ ହୋଇ ନାହିଁ। ୪୮ ବର୍ଷରେ ପଦାର୍ପଣ କରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କର ଟ୍ରେଣ୍ଟ ଗ୍ରାଜୁଏଟ୍ ମାନ୍ୟତା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟକାରୀ କରାଯାଉ ନାହିଁ। ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ମିଳିଲା ନାହିଁ। ୨ଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୨୦୦୮ ପରିବର୍ତ୍ତେ ୨୦୦୪ରୁ ଆଣ୍ଟିଡେସନ ପ୍ରଦାନ ହୋଇ ନାହିଁ। ସରକାର ୨୦୧୯ରେ ଆର.ଏ. ସ୍କିମ୍ ଲାଗୁ କଲେ କିନ୍ତୁ ୨୦୨୦ ମସିହାରେ ଏହାକୁ ବନ୍ଦ କରିଦେଲେ।

ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ଆର୍‌.ଏ. ସ୍କିମ୍‌ର ପୁନଃ ପ୍ରଚଳନ କରାଗଲା ନାହିଁ। ଅଫିସ୍ ସହାୟକ ମାନଙ୍କୁ ଉଚ୍ଚତର ଗ୍ରେଡ଼ପେ ପ୍ରଦାନ କରାଗଲା ନାହିଁ। କେତେକ ରାଜ୍ୟରେ ସମସ୍ତ ବର୍ଗର ଶିକ୍ଷକ କର୍ମଚାରୀମାନଙ୍କର ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ହୋଇଥିଲା ବେଳେ ତାହା ଆମ ରାଜ୍ୟରେ ଲାଗୁ ହୋଇ ନାହିଁ। ପାଞ୍ଚଟି ରାଜ୍ୟରେ ନୂତନ ପେନ୍‌ସେନ୍ ବ୍ୟବସ୍ଥା ବ୍ୟତିରେକ ପୁରାତନ ପେନ୍‌ସନ୍ ବ୍ୟବସ୍ଥା ପ୍ରଚଳିତ ହୋଇଥିଲେ ମଧ୍ୟ ତାହା ଅଦ୍ୟାବଧି ଆମ ରାଜ୍ୟରେ ଲାଗୁ ହୋଇ ନାହିଁ। ଏହି ସବୁ ଦାବି ଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି।

ସମସ୍ୟା ସମାଧାନ ନକଲେ ସଂଗଠନ ଯେକୌଣସି ପରିସ୍ଥିତିକୁ ସମ୍ମୁଖୀନ ହେବାକୁ ବାଧ୍ୟ ହେବ। ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି  ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।

Categories
ଆଞ୍ଚଳିକ

ଖୋଲିଲା ମା’ଭଗବତୀ ମନ୍ଦିରର ଭିତର ହୁଣ୍ଡି, ମା’ଙ୍କ ନୀତିକାନ୍ତି ସେବାରେ ଲାଗିବ ସଂଗୃହୀତ ଅର୍ଥ

ବାଣପୁର (ସୀତାରାମ ଅଗ୍ରୱାଲ): ଦୀର୍ଘ ୫ ମାସର ବ୍ୟବଧାନ ପରେ ମା’ ଭଗବତୀଙ୍କ ମନ୍ଦିର ହୁଣ୍ଡି ଖୋଲାଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲଦାର ଟି. ପଦ୍ମନାଭ ଦୋରା, ଥାନା ଏସ୍ଆଇ ସଂଜୟ କୁମାର ପାତ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ମା’ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୂଜାର୍ଚ୍ଚନା ପରେ ସମର୍ପୀତ ହୋଇ ମା’ଙ୍କ ଭିତରହୁଣ୍ଡି ଖୋଲିଥିଲେ।

ଏଥିରୁ ସମୁଦାୟ ଟ୧,୯୪,୫୭୫/୦୦ଙ୍କ (ଏକ ଲକ୍ଷ, ଚୌରାନବେ ହଜାର, ପାଞ୍ଚଶହ ପଞ୍ଚସ୍ତରୀ ଟଙ୍କା) ସହ ମଇଳା ଓ ପଥର ଥାଇ ୧୮କ୍ୟାରେଟ୍ ବିଶିଷ୍ଠ ୦ ଗ୍ରାମ, ୬୧୦ମିଲିଗ୍ରାମ ଓଜନର ଏକ ସୁନାର କାନଫୁଲ, ୯ ଗ୍ରାମ ୭୧୦ ଗ୍ରାମ ଓଜନର ଏକ ରୂପାର ଖଡ଼ୁ (ବଳା) ୦ ଗ୍ରାମ ୧୬୦ ମିଲିଗ୍ରାମର ଏକ ରୂପା ଆଖି ସଂଗ୍ରହ କରାଯାଇ ଅର୍ଥକୁ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ମା’ଙ୍କ କାର୍ଯ୍ୟାଳୟ ନାମରେ ଥିବା ଜମା ଖାତାରେ ଜମାରଖାଯିବା ସହିତ ସୁନାରୂପା ଗହଣା କାର୍ଯ୍ୟାଳୟ ଟ୍ରେଜେରୀରେ ରଖାଯାଇଛି।

ଏଥିରେ କାର୍ଯ୍ୟାଳୟର କର୍ମଚାରୀ ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଅଶ୍ୱିନୀ କୁମାର ମିଶ୍ର, କମଳ ମିଶ୍ର, ମନ୍ଦିର ପୂଜକ ପ୍ରକାଶ ଚନ୍ଦ୍ର ପରିଛା ସାଆନ୍ତ, ପାଳିଆ ମାଳି ସେବକ ଗୋପୀନାୟକ’ ପ୍ରମୁଖ ସହଯୋଗ କରିଥିଲ ଏହି ଦାନ ଅର୍ଥ ମା’ଙ୍କ ଦୈନନ୍ଦିନ ନୀତିକାନ୍ତି ସେବାରେ ଲାଗିବ ବୋଲି ମନ୍ଦିର କାର୍ଯ୍ୟାଳୟରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଠାରୁ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସ୍ ର ନିୟମିତ ଚଳାଚଳ

ଭୁବନେଶ୍ଵର: ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସର ନିୟମିତ ଚଳାଚ ନିଷ୍ପତ୍ତି ନିଆଯାଇ ପୁରୀରୁ ଆସନ୍ତାକାଲି ଠାରୁ ଏବଂ ସୋନପୁର ଠାରୁ 9 ଫେବୃଆରୀ 2024 ଠାରୁ ଚଳାଚଳ ନିଷ୍ପତ୍ତି ନିଆଯାଇଅଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଟ୍ରେନ ର ଶୁଭାରମ୍ଭ 3 ଫେବୃଆରୀ, 2024 ଦିନ କରାଯାଇଥିଲା।

18421 ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ ପ୍ରତ୍ୟେକ ଗୁରୁବାର ଦିନ ପୁରୀରୁ ସନ୍ଧ୍ୟା 7 ଘ.35ମି.ରେ ଛାଡି ତା’ ପରଦିନ ଭୋର 5 ଘ.30ମି.ରେ ସୋନପୁରରେ ପହଞ୍ଚିବ।

ଫେରିବା ମାର୍ଗରେ, 18422 ସୋନପୁର-ପୁରୀ ଏକ୍ସପ୍ରେସ ପ୍ରତ୍ୟେକ ଶୁକ୍ରବାର ଦିନ ସୋନପୁରରୁ ସନ୍ଧ୍ୟା 7 ଘ.30ମି.ରେ ଛାଡି ଶନିବାର ସକାଳ 6 ଘ.55ମି.ରେ ପୁରୀରେ ପହଞ୍ଚିବ।

ଏହି ଟ୍ରେନ ପୁରୀ ଏବଂ ସୋନପୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢ଼େଙ୍କାନାଳ, ତାଳଚେର, ଅନୁଗୁଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗୀର, ବିଛୁପାଲି, ଝାରତରଭା, ଏବଂ ନରସିଂହଗଡରେ ରହଣି କରିବ।

ଏହି ଟ୍ରେନରେ ଗୋଟିଏ ଏସି-2 ଟାୟାର, ସାତଟି ଏସି-3 ଟାୟାର, ଗୋଟିଏ ଏସି-3 ଟାୟାର ଇକୋନୋମି, ଛଅଟି ସ୍ଲିପର ଶ୍ରେଣୀ, ତିନିଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ଗାର୍ଡ, ଲଗେଜ୍ ତଥା ଦିବ୍ୟାଙ୍ଗଜନ କୋଚ୍ ଏବଂ ଗୋଟିଏ ଗାର୍ଡ, ଲଗେଜ୍ ତଥା ମୋଟର କୋଚ୍ ଉପଲବ୍ଧ ରହିବ।

Categories
ଆଜିର ଖବର ରାଜ୍ୟ ଖବର

ମହାଭାରତ କାବ୍ୟ ଉପରେ ଗବେଷଣା କରୁଥିବା ହଲାଣ୍ଡର ବିଶିଷ୍ଟ ଗବେଷକଙ୍କର ସୋଆ ପରିଦର୍ଶନ

ଭୁବନେଶ୍ୱର: ମହାଭାରତ କାବ୍ୟକୁ ନେଇ ଦୀର୍ଘ ୨୦ ବର୍ଷ ହେବ ଗବେଷଣା ଚଳାଇଥିବା ହଲାଣ୍ଡର ପ୍ରଫେସର ଆର୍ଲୋ ଗ୍ରିଫିଥ୍‌ସ ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍‌ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ୍ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌) ପରିଦର୍ଶନ କରିବା ସହ ଗବେଷକ ମାନଙ୍କ ସହ ଆଲୋଚନା କରିଥିଲେ।

ପ୍ରାଚୀନ ପକ୍ଷରୁ ପ୍ରକାଶିତ ହେଉଥିବା ସାରୋଳ ମହାଭାରଥର ପାଠ ଆଧାରିତ ତଥ୍ୟ ସମ୍ପର୍କରେ ଜାଣିବା ପାଇଁ ସେ ଅଧିକ ଆଗ୍ରହ ପ୍ରକାଶ କରିଥିଲେ। ପ୍ରଫେସର ଗ୍ରିଫିଥ୍‌ସ ଫ୍ରେଂଚ ସ୍କୁଲ୍ ଅଫ୍ ଏସିଆନ୍ ଷ୍ଟଡିଜ୍‌ରେ ଦକ୍ଷିଣ ପୂର୍ବ ଏସିଆ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି।

ପ୍ରାଞ୍ଜଳ ଭାବେ ଓଡ଼ିଆ ଭାଷା କହିପାରୁଥିବା ତଥା ନିୟମିତ ଓଡ଼ିଶା ଆସୁଥିବା ପ୍ରଫେସର ଗ୍ରିଫିଥ୍‌ସ ମହାଭାରତ କାବ୍ୟକୁ ନେଇ ଗବେଷଣା କରୁଛନ୍ତି। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ଭୁବନେଶ୍ୱର ଆସିଥିଲେ। ସେ ବର୍ତ୍ତମାନ ଇଣ୍ଡୋନେସିଆରେ ଅବସ୍ଥାପିତ।

ଏହି ଅବସରରେ ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ଆଲୋଚନା ସମୟରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ପ୍ରାଚୀନ୍‌ର ସାରୋଳ ମହାଭାରଥ ସମ୍ପାଦକ ମଣ୍ଡଳୀର ସଦସ୍ୟ ପ୍ରଫେସର ଗୈାରାଙ୍ଗ ଚରଣ ଦାସ, ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଏବଂ ପ୍ରଫେସର ସନ୍ତୋଷ କୁମାର ରଥ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର: ଭେଟିନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୁଆ- ଓ ଓଡ଼ିଆ ଭାଷା ପ୍ରତିଯୋଗିତାର ଉଦଯାପନି ଉତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): ଭେଟିନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଭେଟେଶ୍ୱର) ଆନୁକୂଲ୍ୟରେ ନୁଆ- ଓ ଓଡ଼ିଆ ଭାଷା ପ୍ରତିଯୋଗିତାର ଉଦଯାପନି ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବରେ ଲୋକନୃତ୍ୟ ଓ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା। ଏ ଅବସରରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ଆଧ୍ୟାତ୍ମିକବାଦୀ ଓ ଶିକ୍ଷାବିତ ରାଜେନ୍ଦ୍ର କୁମାର ରଥ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଓ ଲେଖକ ମଦନ ମୋହନ ମହାପାତ୍ର, ସମ୍ମାନିତ ଅତିଥି ରୂପେ ବିଦ୍ୟାଳ ର ପୁରାତନ ଛାତ୍ର ସଂଗଠନ ସଭାପତି ଶଶିକାନ୍ତ ସୁବୁଦ୍ଧି ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ଉପରେ ସମସ୍ତେ ନିଜ ନିଜର ଅମୃତ ବାଣୀ ପ୍ରଦାନ କରିଥିଲେ।

ଉକ୍ତ ଉଦଯାପନି ଉତ୍ସବ କାର୍ଯ୍ୟକ୍ରମ ସଭାରେ ସଭାପତି ଭାବେ କାର୍ଯ୍ୟ ପରିଚାଳନା କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଗଜେନ୍ଦ୍ର ପ୍ରସାଦ ଜେନା। ଏ ଅବସରରେ ଏକାଦଶ ଶ୍ରେଣୀର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ଏବଂ ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଏବଂ ଯୋଗାଚାର୍ଯ୍ୟ ପ୍ରସନ୍ନ କୁମାର ମିଶ୍ରଙ୍କ ଦ୍ଵାରା ନିର୍ଦ୍ଦେଶିତ ଗୀତିନାଟ୍ୟ ଭକ୍ତ ବନ୍ଧୁ ମହାନ୍ତି ପରିବେଷଣ ହୋଇଥିଲା।

ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ଏହି ଉତ୍ସବ ସାଫଲ୍ୟ ମଣ୍ଡିତ ହୋଇଥିବାବେଳେ, ସମସ୍ତ ଅଭିଭାବକ ମାନେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ।

Categories
ଆଞ୍ଚଳିକ

ଚୋରି ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କଲା ବାଲୁଗାଁ ପୋଲିସ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଚୋରି ଅଭିଯୋଗରେ ଆଜି ବାଲୁଗାଁ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ଚନ୍ଦ୍ରାପୁଟ ଗ୍ରାମର ବାବୁଲା ଦାସ (୨୮), ଗବପଦର ଗ୍ରାମର ବନମାଳୀ ବେହେରା (୭୫) ଏବଂ ବଡ଼କୁଳ ଗ୍ରାମର ଶିବପ୍ରସାଦ ସାହୁ (୩୩)।

ପୋଲିସ ସୂଚନା ମୁତାବକ ବଡ଼କୁଳ ଗ୍ରାମର ପାଣ୍ଡଵ ମହାରଣା ପ୍ଳଟିଙ୍ଗ ଓ କନଷ୍ଟ୍ରକସନ କାମ ଉପଲକ୍ଷେ ନିର୍ମାଣ ସାମଗ୍ରୀ ରଖିବା ପାଇଁ ଚନ୍ଦ୍ରାପୁଟ ଗ୍ରାମର ଏକ ଘରକୁ ଭଡ଼ାସୂତ୍ରରେ ନେଇଛନ୍ତି। ତେବେ ଦୁଇ ଦିନ ତଳେ ଉକ୍ତ ଭଡ଼ା ଘରୁ ସମସ୍ତ ନିର୍ମାଣ ସାମଗ୍ରୀ ଚୋରି ହୋଇଯାଇଥିବା ପାଣ୍ଡଵ ଦେଖିବାକୁ ପାଇଥିଲେ।

ଏ ନେଇ ପାଣ୍ଡଵ ବାଲୁଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନମ୍ବର ୫୫/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତଦନ୍ତରୁ ଜଣାପଡିଥିଲା କି ବାବୁଲା ଦାସ ପାଣ୍ଡଵଙ୍କ ଉକ୍ତ ସାମଗ୍ରୀ ଭଡ଼ା ଘରୁ ଚୋରି କରି ଶିବପ୍ରସାଦଙ୍କୁ ବିକ୍ରି କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଶିବପ୍ରସାଦ ଉକ୍ତ ଚୋରି ସାମଗ୍ରୀକୁ କବାଡିଆ ଦୋକାନୀ ବନମାଳୀ ବେହେରାଙ୍କୁ ବିକ୍ରି କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବାର ବାଲୁଗାଁ ଥାନାଧିକାରୀ ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଖୁବଶୀଘ୍ର ଦୂର ହେବ ବାଣପୁର ଏନଏସି ଡ୍ରେନେଜ ସମସ୍ୟା: ଆରମ୍ଭ ହେଲା ସରକାରୀ ସ୍ଥାନ ଚି଼ହ୍ନଟ ପ୍ରକ୍ରିୟା

ବାଣପୁର (ସୀତାରାମ ଅଗ୍ରୱାଲ): ଖୁବଶୀଘ୍ର ଦୂର ହେବ ବାଣପୁର ଏନଏସି ଡ୍ରେନେଜ ସମସ୍ୟା। ସହରରେ ଡ୍ରେନେଜ ନିର୍ମାଣ ନେଇ ଆଶା ଉଜ୍ଜୀବିତ ହୋଇଛି। ଆଜି ପୂର୍ବାହ୍ନରେ ବାଣପୁର ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ ଉପସ୍ଥିତିରେ ତହସିଲ ଓ ଏନଏସି ପକ୍ଷରୁ ମୁଖ୍ୟ ରାସ୍ତାରେ ସରକାରୀ ସ୍ଥାନ ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।

ପ୍ରଥମ ଦିନରେ ବାଣପୁର ରଘୁନାଥ ସାହି ଦୋଳବେଦୀ ଛକଠାରୁ ନେହେରୁ ସେବା ସଂଘ ପର୍ଯ୍ୟନ୍ତ ସରକାରୀ ସ୍ଥାନ ଚି଼ହ୍ନଟ ହୋଇଥିବା ଜଣାପଡିଛି। ଆସନ୍ତାକାଲି ପୁନଶ୍ଚ ଅବଶିଷ୍ଟ ରାସ୍ତାରେ ସରକାରୀ ସ୍ଥାନ ଚି଼ହ୍ନଟ କରାଯିବ। ଚି଼ହ୍ନଟ ପରେ ଡ୍ରେନ ନିର୍ମାଣ ପାଇଁ ଜବରଦଖଲ ସ୍ଥାନ ମୁକ୍ତ କରାଯିବ ଏବଂ ଡ୍ରେନ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି।

ତେବେ ଡ୍ରେନକୁ ମିଶାଇ ୯ ମିଟର ପର୍ଯ୍ୟନ୍ତ ସରକାରୀ ରୋଡକୁ ଜବରଦଖଲ ମୁକ୍ତ କରାଯିବ ବୋଲି ତହସିଲଦାର ଶ୍ରୀ ଦୋରା କହିଛନ୍ତି। ସୂଚନା ଥାଉକି ବାଣପୁର ଏନଏସି ରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସ୍ୱଳ୍ପ ବର୍ଷାରେ ଜଳମଗ୍ନ ହୋଇଉଠୁଛି ସମ୍ପୂର୍ଣ୍ଣ ସହର। ଫଳରେ ମୁଖ୍ୟରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି। ଯାହାଦ୍ୱାରା ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନୁରୂପଭାବେ ବାଣପୁର ଏନଏସି ୧୦ ନମ୍ବର ୱାର୍ଡରେ ବିନା ଡ୍ରେନେଜ ବ୍ୟବସ୍ଥାରେ ରୋଡ ନିର୍ମାଣକୁ ବିରୋଧ କରି ନିକଟରେ ଉଚ୍ଚ ନ୍ୟାୟାଳୟରେ ଜନୈକ ଆଇନଜୀବୀ ଏକ ରିଟ ପିଟିସନ ମଧ୍ୟ ଦାୟର କରିଥିଲେ। ନୂତନ ଜିଲ୍ଲାପାଳ ଚଞ୍ଚଳ ରାଣା ବାଣପୁର ଗସ୍ତ ସମୟରେ ଉକ୍ତ ସମସ୍ୟାକୁ ଗୁରୁତର ସହ ନେଇଥିଲେ ଏବଂ ଡ୍ରେନେଜ ନିର୍ମାଣ ପାଇଁ ତୁରନ୍ତ ସରକାରୀ ସ୍ଥାନ ଜବରଦଖଲ ମୁକ୍ତ କରିବା ପାଇଁ ସ୍ଥାନୀୟ ତହସିଲ ଏବଂ ଏନଏସି ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଜସପ୍ରୀତ ବୁମ୍ରା ହେଲେ ବିଶ୍ୱର ଏକ ନମ୍ବର ବୋଲର, ଟି -୨୦ ଏବଂ ODI ପରେ ଏବେ ଟେଷ୍ଟରେ ମଧ୍ୟ ନମ୍ବର ୱାନ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍ ର଼୍ୟାଙ୍କିଙ୍ଗରେ ଟିମ୍ ଇଣ୍ଡିଆର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏକ ନମ୍ବର ବୋଲର ହୋଇଛନ୍ତି। ଜସପ୍ରୀତ ବୁମ୍ରା ହେଉଛନ୍ତି ପ୍ରଥମ ବୋଲର ଯିଏକି ODI, ଟି -୨୦ ଏବଂ ଟେଷ୍ଟ କ୍ରିକେଟରେ ଏକ ନମ୍ବର ବୋଲର ହୋଇଛନ୍ତି। ଆଜି ପ୍ରକାଶିତ ନୂତନ ଆଇସିସି ଟେଷ୍ଟ ମାନ୍ୟତାରେ ଜସପ୍ରୀତ ବୁମ୍ରା ଏହି ପଦ ହାସଲ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଶେଷ ହୋଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଜସପ୍ରୀତ ବୁମ୍ରା ମଧ୍ୟ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ। ମାତ୍ର ୩୪ ଟି ମ୍ୟାଚ୍ ଖେଳିବା ପରେ ଜସପ୍ରୀତ ବୁମ୍ରା ଟେଷ୍ଟ କ୍ରିକେଟରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ବୁମ୍ରାଙ୍କ ବ୍ୟତୀତ ଅଶ୍ୱିନ ଏବଂ ଜାଡେଜା ମଧ୍ୟ ଶ୍ରେଷ୍ଠ ୧୦ ବୋଲରଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ଜସପ୍ରୀତ ବୁମ୍ରା ଭାରତର ତାରକା ସ୍ପିନର ଆର ଅଶ୍ୱିନଙ୍କୁ ପଛରେ ପକାଇ ଟେଷ୍ଟ କ୍ରିକେଟର ଏକ ନମ୍ବର ବୋଲର ହୋଇଛନ୍ତି। ସର୍ବଶେଷ ର଼୍ୟାଙ୍କିଙ୍ଗରେ ଅଶ୍ୱିନ ଦୁଇଟି ସ୍ଥାନ ହରାଇ ତୃତୀୟ ସ୍ଥାନକୁ ଆସିଛନ୍ତି। ଜସପ୍ରୀତ ବୁମ୍ରା ତିନୋଟି ସ୍ଥାନକୁ ଡେଇଁଛନ୍ତି। ୮୮୧ ପଏଣ୍ଟ ସହ ବୁମ୍ରା ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ଦକ୍ଷିଣ ଆଫ୍ରିକାର ତାରକା ଦ୍ରୁତ ବୋଲର ରାବାଡା ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ରାବାଡା ୮୫୧ ପଏଣ୍ଟ ପାଇଛି। ଆଇସିସି ଟେଷ୍ଟ ମାନ୍ୟତାରେ ୮୪୧ ପଏଣ୍ଟ ସହ ଆର ଅଶ୍ୱିନ ତୃତୀୟ ସ୍ଥାନରେ ଅଛନ୍ତି। ଭାରତର ତାରକା ସ୍ପିନର ରବିନ୍ଦ୍ର ଜାଡେଜା ୭୪୬ ପଏଣ୍ଟ ସହ ବୋଲର ମାନ୍ୟତାରେ ୯ମ ସ୍ଥାନକୁ ଖସି ଆସିଛନ୍ତି।

ଟେଷ୍ଟ କ୍ରିକେଟ୍ ଇତିହାସରେ ସବୁଠାରୁ ସଫଳ ପ୍ରତ୍ୟାବର୍ତ୍ତନ ଭାବରେ ଜସପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଦେଖିବାକୁ ମିଳେ। ୨୦୨୨ ମସିହାରେ ଜସପ୍ରୀତ ବୁମ୍ରା ପିଠିରେ ଆଘାତ ହେତୁ ପ୍ରାୟ ଏକ ବର୍ଷ କ୍ରିକେଟ୍ ପଡ଼ିଆରୁ ଦୂରରେ ରହିଥିଲେ। ଗତ ବର୍ଷ ବୁମରା ସୀମିତ ଓଭର ଜରିଆରେ କ୍ରିକେଟ୍ ପଡ଼ିଆକୁ ଫେରିଥିଲେ। ଚଳିତ ବର୍ଷ ଆରମ୍ଭରେ ମାତ୍ର ୪ ଟି ଟେଷ୍ଟ ଖେଳିବା ପରେ ଜସପ୍ରୀତ ବୁମ୍ରା ବୋଲର ମାନ୍ୟତାରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ବୁମରାଙ୍କର ଏହି ସଫଳତା ମଧ୍ୟ ବିଶେଷ କାରଣ ସେ ସ୍ପିନରଙ୍କ ପାଇଁ ସହାୟକ ହୋଇଥିବା ଏକ ପିଚରେ ୯ ୱିକେଟ୍ ନେଇ ଚମତ୍କାର କରିଥିଲେ ଏବଂ ଇତିହାସ ସୃଷ୍ଟି କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ମୋଦିଙ୍କ ୩୭୦ ସଂଖ୍ୟା ଘୋଷଣା, ହେଲେ ଏତେ ଆସନ କେଉଁଠୁ ପାଇବ ବିଜେପି?

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ଆସନକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ଲୋକସଭା ନିର୍ବାଚନରେ ବିଜେପି ୩୭୦ଟି ଆସନ ଜିତିବ ଏବଂ ଏନଡିଏ ମେଣ୍ଟ ୪୦୦ ସଂଖ୍ୟା ଅତିକ୍ରମ କରିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଏକ ପ୍ରକାରରେ ଏକ ନୂଆ ସ୍ଲୋଗାନ ମଧ୍ୟ ଦେଇଛନ୍ତି- ‘ଅବକି ବାର, ୪୦୦ ପାର’। ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଁ ସାଧାରଣତଃ ପରିସଂଖ୍ୟାନ ଚକ୍ରରେ ପ୍ରବେଶ କରେ ନାହିଁ କିନ୍ତୁ ଦେଶର ମନୋଭାବ ଦେଖୁଛି। ମୋର ବିଶ୍ୱାସ ଯେ ଏଥର ଦେଶବାସୀ ନିଶ୍ଚିତଭାବେ ବିଜେପିକୁ ୩୭୦ଟି ଆସନ ଦେବେ। ଖାଲି ସେତିକି ନୁହେଁ ଏନଡିଏର ସଂଖ୍ୟା ୪୦୦ ଟପିଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଦାବି ପରେ ଏବେ ପ୍ରଶ୍ନ ଉଠୁଛି ଯେ ବିଜେପି ପାଖରେ ଏବେ କେତେ ଆସନ ଅଛି ଏବଂ ୩୭୦ ରନର ଟାର୍ଗେଟ ପାଇବା ପାଇଁ ଦଳର ସମ୍ପୂର୍ଣ୍ଣ ଗଣିତ କ’ଣ?

ଏବେ କ’ଣ ରହିଛି ବିଜେପି ଓ ଏନଡିଏର ସ୍ଥିତି?

ପ୍ରଧାନମନ୍ତ୍ରୀ ମୋଦୀ ଏନଡିଏ ପାଇଁ ୪୦୦ ପାର କରିବାକୁ ଲକ୍ଷ୍ୟ ରଖିଛନ୍ତି, କିନ୍ତୁ ପ୍ରଶ୍ନ ହେଉଛି ମେଣ୍ଟର ବର୍ତ୍ତମାନର ସ୍ଥିତି କ’ଣ? ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ୩୦୩ଟି ଆସନ ମିଳିଥିବାବେଳେ ଏନଡିଏର ଆସନ ସଂଖ୍ୟା ୩୫୦ରୁ ଅଧିକ ଥିଲା। ଏହା ପୂର୍ବରୁ ୨୦୧୪ ନିର୍ବାଚନରେ ବିଜେପି ମୋଟ ୨୮୨ଟି ଆସନରେ ବିଜୟୀ ହୋଇଥିଲା।

ସେତେବେଳେ ଏନଡିଏ ସଂଖ୍ୟା ଥିଲା ୩୩୬। ୨୦୧୪ ତୁଳନାରେ ୨୦୧୯ରେ ବିଜେପି ୨୧ଟି ଅଧିକ ଆସନରେ ବିଜୟୀ ହୋଇଛି। ସେହିପରି ୨୦୧୪ରେ ଏନଡିଏର ସଂଖ୍ୟା ୩୩୬ ଥିବାବେଳେ ୨୦୧୯ରେ ଏହା ୩୫୦କୁ ବୃଦ୍ଧି ପାଇଛି। ବିଜେପି ସହ ଏନଡିଏର ଆସନ ବୃଦ୍ଧି ଦଳର ବମ୍ପର ପ୍ରଦର୍ଶନ ପାଇଁ ଆଶା ବଢ଼ାଇ ଦେଇଛି। ଖାଲି ସେତିକି ନୁହେଁ, ନିକଟରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ଭଳି ତିନିଟି ରାଜ୍ୟରେ ଦଳ ଯେଉଁଭଳି ପ୍ରଦର୍ଶନ କରିଛି, ରଣନୀତିଜ୍ଞମାନେ ମଧ୍ୟ ଅନୁଭବ କରୁଛନ୍ତି ଯେ ସେମାନଙ୍କ ଉପରେ ଲୋକଙ୍କ ବିଶ୍ୱାସ ରହିବ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ବିଜେପି ପାଇଁ ୩୭୦ଟି ଆସନ ଧାର୍ଯ୍ୟ କରିଛନ୍ତି, କିନ୍ତୁ ଏହି ଆସନଗୁଡ଼ିକ କେମିତି ଆସିବ, ଆସନ୍ତୁ ଜାଣିବା।

ପ୍ରଭାବଶାଳୀ ରାଜ୍ୟଗୁଡ଼ିକରେ ପୂର୍ବ ପ୍ରଦର୍ଶନର ପୁନରାବୃତ୍ତି ଚ୍ୟାଲେଞ୍ଜ

୨୦୧୯ ନିର୍ବାଚନ ତୁଳନାରେ ଏଥର ବିଜେପିକୁ ୬୭ଟି ଆସନ ଅଧିକ ଜିତିବାକୁ ପଡ଼ିବ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ପ୍ରଭାବ ସମଗ୍ର ଦେଶରେ ଦେଖିବାକୁ ମିଳିବ ବୋଲି ବିଜେପି ଆଶା ରଖିଛି। ଏହି ପ୍ରସଙ୍ଗରେ ଆଗାମୀ ନିର୍ବାଚନରେ ତାଙ୍କୁ ପ୍ରବଳ ଜନସମର୍ଥନ ମିଳିପାରେ ବୋଲି ଦଳ ଅନୁଭବ କରୁଛି। ତେବେ ୩୭୦ ନମ୍ବର ହାସଲ କରିବାକୁ ହେଲେ ଦଳକୁ ଗତ ନିର୍ବାଚନରେ ନିଜର ପ୍ରଦର୍ଶନଠାରୁ ଆଗକୁ ଯିବାକୁ ପଡ଼ିବ। ବିଶେଷ କରି ସେହି ରାଜ୍ୟଗୁଡ଼ିକରେ ଯେଉଁଠି ୨୦୧୯ ନିର୍ବାଚନରେ ବିଜେପି କ୍ଲିନ୍ ସ୍ୱିପ୍ ହାସଲ କରିଥିଲା। କଂଗ୍ରେସ ସମେତ ବିରୋଧୀ ଦଳମାନେ ସମସ୍ତେ ଚାରିଜଣଙ୍କୁ ଟାର୍ଗେଟ କରିଥିଲେ। ଏଥର ମଧ୍ୟ ଦଳ ଏହିସବୁ ରାଜ୍ୟରେ ସମାନ ପ୍ରଦର୍ଶନ ଆଶା କରିବ। ଗୁଜରାଟ, ରାଜସ୍ଥାନ, ହରିୟାଣା, ହିମାଚଳ ପ୍ରଦେଶ, ଦିଲ୍ଲୀ ଓ ଉତ୍ତରାଖଣ୍ଡ ରେ ଦଳ ବିଜୟୀ ହୋଇଛି।

ୟୁପି-ବିହାର ଉପରେ ବିଶେଷ ଫୋକସ

ଏବେ ସେହିସବୁ ରାଜ୍ୟ ବିଷୟରେ ଆଲୋଚନା କରନ୍ତୁ ଯେଉଁଠାରେ ବିଜେପି ଭଲ ପ୍ରଦର୍ଶନ କରିଥିଲା କିନ୍ତୁ ସବୁ ଆସନରେ ଜିତିପାରନଥିଲା। ଯଦି ୩୭୦ ସଂଖ୍ୟା ଟାର୍ଗେଟ ହାସଲ କରିବାକୁ ଚାହୁଁଛି ତେବେ ଦଳକୁ ଅଧିକ ପରିଶ୍ରମ କରି ସେହି ସବୁ ରାଜ୍ୟର ସମସ୍ତ ଆସନ ଜିତିବାକୁ ପଡ଼ିବ। ବିଜେପି ମଧ୍ୟ ଏହା ବୁଝିପାରୁଛି, ଯେଉଁଥିପାଇଁ ଦଳ ତେଲେଙ୍ଗାନା, କେରଳ, ୟୁପି ସମେତ ଅନେକ ରାଜ୍ୟ ଉପରେ ଫୋକସ କରୁଛି। ସମୁଦାୟ ୮୦ଟି ଲୋକସଭା ଆସନ ଥିବା ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ ଗୁରୁତ୍ୱପୂର୍ଣ୍ଣ। ଗତ ନିର୍ବାଚନରେ ବିଜେପି ୬୯ଟି ଆସନରେ ବିଜୟୀ ହୋଇଥିଲା। ବିଜେପିକୁ ଏଥର ସମସ୍ତ ୮୦ଟି ଆସନ ଦଖଲ କରିବାକୁ ପଡ଼ିବ। ଏହାବ୍ୟତୀତ ବିହାରରେ ୪୦ଟି ଆସନ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିବାବେଳେ ଗତ ନିର୍ବାଚନରେ ଏନଡିଏ ୩୯ଟି ଆସନରେ ବିଜୟୀ ହୋଇଥିଲା। ଏଥର ଦଳ ସମସ୍ତ ୪୦ ଆସନ ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରିବ। ଜେଡିୟୁ ସହ ମିଶିଲେ ଦଳ ଲାଭବାନ ହେବ ବୋଲି ଆଶା ରଖିଛି।

ଏଥିସହିତ ମହାରାଷ୍ଟ୍ରର ୪୮, ମଧ୍ୟପ୍ରଦେଶର ୨୯, କର୍ଣ୍ଣାଟକର ୨୮, ଆସାମ ଓ ଝାଡ଼ଖଣ୍ଡର ୧୪ ଲେଖାଏଁ ଏବଂ ଛତିଶଗଡ଼ର ସମସ୍ତ ୧୧ଟି ଆସନ ଦଖଲ କରିବାକୁ ପଡ଼ିବ। ଏହା ସହ ପଶ୍ଚିମବଙ୍ଗ, ତାମିଲନାଡୁ, ତେଲେଙ୍ଗାନା, ଓଡ଼ିଶା, କେରଳ, ଜମ୍ମୁ-କଶ୍ମୀର ଆଦି ରାଜ୍ୟରେ ମଧ୍ୟ ଦଳକୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ଫୋକସ ଯୋଗୁଁ ଏହିସବୁ ରାଜ୍ୟରେ ବଢ଼ିପାରେ ବିଜେପିର ଆସନ

ବିଜେପି ଜାଣିଛି ଯେ ୩୭୦ଟି ଆସନ ପାଇବାକୁ ହେଲେ ଏହି ରାଜ୍ୟଗୁଡ଼ିକୁ ବିଶେଷଭାବେ ଟାର୍ଗେଟ କରିବାକୁ ପଡ଼ିବ। ବିଶେଷ କରି ପଶ୍ଚିମବଙ୍ଗର ୪୨, ତାମିଲନାଡୁର ୩୮, ଓଡ଼ିଶାର ୨୧, କେରଳର ୨୦, ତେଲେଙ୍ଗାନାର ୧୭ ଓ ଜମ୍ମୁ-କଶ୍ମୀରରେ ୬ ଆସନରୁ ବିଜେପି କେତେ ଆସନ ପାଇବ ତାହା ଦଳର ୩୭୦ ଆସନର ଲକ୍ଷ୍ୟ ନିର୍ଦ୍ଧାରଣ କରିବ। ଏହାଦ୍ୱାରା ବିଜେପି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ମଧ୍ୟ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହେବ କି? ବର୍ତ୍ତମାନ ସୁଦ୍ଧା ଏହି ସବୁ ରାଜ୍ୟରୁ ଆସୁଥିବା ୨୫ଟି ଆସନମଧ୍ୟରୁ ଅଧିକାଂଶ ଆସନରେ ବିଜେପିର ଆଧିପତ୍ୟ ଥିବା ଜଣାପଡ଼ିଛି। ଏଥର ମଧ୍ୟ ବିଜେପି ଏଠାରେ ନିଜର ସଫଳତାର ପୁନରାବୃତ୍ତି କରିବାରେ ସକ୍ଷମ ହେବ କି, ଏହା ଏକ ବଡ଼ ଚ୍ୟାଲେଞ୍ଜ ହେବ।

ନିର୍ଣ୍ଣାୟକ ହୋଇପାରେ ହିନ୍ଦୁ ଭୋଟ

ବିଜେପିର ୩୭୦ଟି ଆସନର ଟାର୍ଗେଟ ହାସଲ କରିବାରେ ହିନ୍ଦୁ ଭୋଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ୨୦୧୯ରେ ବିଜେପିକୁ ୫୨ ପ୍ରତିଶତ ହିନ୍ଦୁ ଭୋଟ ମିଳିଥିଲା। ୩୦୩ ଟି ଲୋକସଭା ଆସନ ସହ ବିଜେପି ଏବେ ୩୫୩ ଟି ଆସନରେ ରହିଛି। ବିଜେପିର ନିଜସ୍ୱ ୩୭୦ ଏବଂ ଏନଡିଏର ୪୦୦ ସଂଖ୍ୟା ସେତେବେଳେ ଆସିପାରେ ଯେତେବେଳେ ପ୍ରାୟ ୭୦% ହିନ୍ଦୁ ଭୋଟ ବିଜେପି ଏବଂ ଏନଡିଏ ସପକ୍ଷରେ ଆସିବ। ଏବେ ଦେଖିବାକୁ ବାକି ରହିଲା ରାମ ମନ୍ଦିରକୁ ନେଇ ସାରାଦେଶରେ ଯେଉଁ ଉତ୍ସାହ ଦେଖିବାକୁ ମିଳିଛି ତାହା ଲୋକସଭା ନିର୍ବାଚନରେ ମଧ୍ୟ ବିଜେପିର ଟାର୍ଗେଟ ସ୍ଥିର କରିବାରେ ସହାୟକ ହେବ କି ନାହିଁ, ଏହା ଦେଖିବାକୁ ଆକର୍ଷଣୀୟ ହେବ।

Categories
ଜାତୀୟ ଖବର ବିଶେଷ ଖବର

ଗୋଟିଏ ଦିନରେ ୩ ରାଜ୍ୟରେ ବଡ଼ ଖେଳ କଲା ବିଜେପି, ସବୁଠାରୁ ଅଧିକ କ୍ଷତି ସହିବ ଏସପି!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏକ ବଡ଼ ରାଜନୈତିକ ଖେଳ କରିଛି। ମାତ୍ର ଦିନକ ମଧ୍ୟରେ ୩ଟି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଦଳ ଉପରେ ବିଜୟୀ ହୋଇଛି ବିଜେପି। ଏହା ଉତ୍ତରପ୍ରଦେଶ ହେଉ କି ମହାରାଷ୍ଟ୍ର ହେଉ କିମ୍ବା ଦକ୍ଷିଣ ଭାରତ ଅଧୀନରେ ଥିବା ଆନ୍ଧ୍ରପ୍ରଦେଶ,ଏହି ସବୁ ରାଜ୍ୟରେ ବିଜେପି ବିସ୍ତାର ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି।

ରାଷ୍ଟ୍ରୀୟ ଲୋକଦଳର ଜୟନ୍ତ ଚୌଧୁରୀ, ମହାରାଷ୍ଟ୍ର ନବନିର୍ମାଣ ସେନାର ରାଜ ଠାକରେ ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ନେତା ଏନ୍ ଚନ୍ଦ୍ରବାବୁ ନାଇଡୁ ବିଜେପି ନେତୃତ୍ୱାଧୀନ ଏନଡିଏରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ସେମାନଙ୍କ ସମ୍ଭାବ୍ୟ ମେଣ୍ଟ ମଧ୍ୟରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ସର୍ବାଧିକ କ୍ଷତିଗ୍ରସ୍ତ ହେବେ ବୋଲି ଅନୁମାନ କରାଯାଉଛି। ଜୟନ୍ତ ଚୌଧୁରୀ ଅଖିଳେଶଙ୍କୁ ଏଡ଼ାଇ ନୂଆ ପାର୍ଟନର (ବିଜେପି) ଉପରେ ପୂରା ଧ୍ୟାନ ଦେଉଥିବା ଦେଖିବାକୁ ମିଳିଛି।

ଏନଡିଏ ଉପରେ ଫୋକସ୍ ନା ଅନ୍ୟ କିଛି? ୨ଟି କାର୍ଯ୍ୟକ୍ରମ ବାତିଲ କଲେ ଆରଏଲଡି ମୁଖ୍ୟ

ନିକଟରେ ଜୟନ୍ତ ଚୌଧୁରୀ ଦୁଇଟି କାର୍ଯ୍ୟକ୍ରମ ବାତିଲ କରିଛନ୍ତି। ପିତା ଅଜିତ ଚୌଧୁରୀଙ୍କ ଜୟନ୍ତୀ ଅବସରରେ ୨୦୨୪ ଫେବ୍ରୁଆରି ୧୨ ତାରିଖରେ ଛପରାଉଳିରେ ପ୍ରଥମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା। ସେଠାରେ ଅଜିତ ଚୌଧୁରୀଙ୍କ ୧୨ କୁଇଣ୍ଟାଲ ଓଜନର ଏକ ପ୍ରତିମୂର୍ତ୍ତି ଉଦ୍‍ଘାଟିତ ହେବାର ଥିଲା, କିନ୍ତୁ ପୁଅ ଏହାକୁ ସ୍ଥଗିତ ରଖିଥିବାବେଳେ ମଥୁରାରେ ୨୦୨୪ ଫେବ୍ରୁଆରି ୪ରେ ଦ୍ୱିତୀୟ କାର୍ଯ୍ୟକ୍ରମ ରଖାଯାଇଥିଲା। ନୂଆ ସମୀକରଣକୁ ଦୃଷ୍ଟିରେ ରଖି ଏହା ଏକ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ଥିଲା ଯାହାକୁ ବାତିଲ କରାଯାଇଛି। ଜୟନ୍ତ ଚୌଧୁରୀ ନିଜର ଶକ୍ତିକୁ ଏକ ନୂଆ ସାଥୀ ଦିଗରେ ନିୟୋଜିତ କରିବାକୁ ଚାହୁଁଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ସେ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥିଲେ।

ୟୁପିର ବାଗପତ-ମଥୁରାକୁ ଦାବି କରିପାରିବ ଆରଏଲଡି

ସେପଟେ ଜୟନ୍ତ ଚୌଧୁରୀଙ୍କ ଆରଏଲଡି ଏନଡିଏ ମେଣ୍ଟରେ ସାମିଲ ହୋଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି। ସେମାନେ ୩ରୁ ୪ଟି ଆସନ ପାଇଁ ବିଜେପି ସହ କଥାବାର୍ତ୍ତା କରୁଛନ୍ତି। ଯଦି ଏନଡିଏ କଥା ଆସେ ତେବେ ଏହା ୨ଟି ଲୋକସଭା ଆସନରେ ଲଢ଼ିପାରେ। ଏହି ଆସନଗୁଡ଼ିକ ବାଗପତ ଏବଂ ମଥୁରା (ଉଭୟ ୟୁପିରେ) ହୋଇପାରେ ଏବଂ ଆରଏଲଡିକୁ ରାଜ୍ୟସଭା ଆସନ ମଧ୍ୟ ମିଳିପାରେ। ଯଦି ଦୁଇଦଳ ମଧ୍ୟରେ ସବୁ କିଛି ଠିକ୍ ଠାକ୍ ଚାଲିଥାଏ ତେବେ ଆଗାମୀ ୧-୨ ଦିନ ମଧ୍ୟରେ ସବୁ କିଛି ସ୍ପଷ୍ଟ ହୋଇଯିବ।

ଅଖିଳେଶ ଯାଦବଙ୍କ ଉପରେ କାହିଁକି ରାଗିଛନ୍ତି ଜୟନ୍ତ ଚୌଧୁରୀ?

ଆରଏଲଡି ମୁଖ୍ୟ ଜୟନ୍ତ ସିଂ ବର୍ତ୍ତମାନ ଏସପି ମୁଖ୍ୟଙ୍କ ପ୍ରସ୍ତାବରେ ଅସନ୍ତୁଷ୍ଟ ଅଛନ୍ତି। ଅଖିଳେଶ ଯାଦବଙ୍କ ପ୍ରସ୍ତାବ ଅନୁଯାୟୀ ଆରଏଲଡି ୭ଟି ଆସନ ନେବ, କିନ୍ତୁ ଏସପି ପ୍ରାର୍ଥୀମାନେ ୪ଟି ଆସନରେ ପରାସ୍ତ ହେବେ। ଅଖିଳେଶ ଯାଦବଙ୍କ ଦଳ ଆରଏଲଡି ଚିହ୍ନରେ କୈରାନା ଏବଂ ମୁଜାଫରନଗର ଆସନକୁ ପ୍ରାର୍ଥୀ କରିବାକୁ ଚାହୁଁଥିବାରୁ ଆରଏଲଡି କ୍ୟାଡର ମଧ୍ୟ ଏସପି ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ଜୟନ୍ତ ସିଂ ଏହି ପ୍ରସଙ୍ଗରେ କଂଗ୍ରେସ ସହ ମେଣ୍ଟ ଭାଙ୍ଗିବା ପାଇଁ ଜାଟ ଏବଂ କର୍ମୀଙ୍କ ପ୍ରବଳ ଚାପରେ ଅଛନ୍ତି। ସୂତ୍ରରୁ ସୂଚନା ମିଳିଛି ଯେ ଜୟନ୍ତ ଚୌଧୁରୀ ବିଜେପିର କିଛି ଶୀର୍ଷ ନେତାଙ୍କୁ ଭେଟିଛନ୍ତି।

ନୀତୀଶ-ମମତାଙ୍କ ବିଦାୟ ପରେ ଇଣ୍ଡି ମେଣ୍ଟରୁ ଉଠିଲା ମନ!

ଯଦି ଆରଏଲଡି ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୁଏ, ତେବେ ଦେଶବ୍ୟାପୀ ନରେନ୍ଦ୍ର ମୋଦି ସରକାରକୁ ଟକ୍କର ଦେବାକୁ ଯାଉଥିବା ବିରୋଧୀ ଇଣ୍ଡି ମେଣ୍ଟରୁ ଇସ୍ତଫା ଦେବାରେ ଏହା ପରବର୍ତ୍ତୀ ଦଳ ହେବ। ଜୟନ୍ତ ସିଂହଙ୍କ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଣ୍ଡି ମେଣ୍ଟରୁ ନିଜକୁ ଦୂରେଇ ରଖିଥିଲେ। ନୀତୀଶ କୁମାର ଓ ମମତା ବାନାର୍ଜୀ ଇଣ୍ଡି ମେଣ୍ଟରୁ ଓହରିଯିବା ପରେ ଜୟନ୍ତ ବିଜେପି ସହ ଆଲୋଚନା ଦିଗରେ ପଦକ୍ଷେପ ନେଇଥାଇପାରନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି। କିଛି ଆରଏଲଡି ସୂତ୍ରରୁ ପ୍ରକାଶ ଯେ ମେଣ୍ଟରେ ସପାର ଭଲ ପ୍ରଦର୍ଶନକୁ ନେଇ ସେମାନେ ଆଶାବାଦୀ ନୁହଁନ୍ତି। ଏଭଳି ସ୍ଥିତିରେ ଯଦି ସେ ଏନଡିଏକୁ ଯାଆନ୍ତି ତେବେ ଅଖିଳେଶ ଯାଦବଙ୍କୁ ସବୁଠାରୁ ଅଧିକ କ୍ଷତି ସହିବାକୁ ପଡ଼ିବ ବୋଲି ବିଶ୍ୱାସ କରାଯାଉଛି।

ବିଳମ୍ବିତ ରାତିରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ ଭେଟିଲେ ୩ ଏମଏନଏସ ନେତା

ସେହିପରି ଫେବ୍ରୁଆରି ୬ ତାରିଖ ବିଳମ୍ବିତ ରାତିରେ ମହାରାଷ୍ଟ୍ରରେ ରାଜ ଠାକରେଙ୍କ ଏମ୍ଏନ୍ଏସ୍ ନେତାମାନେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିଲେ। ସୂତ୍ରରୁ ପ୍ରକାଶ ଯେ ତିନିଜଣ ଏମଏନଏସ ନେତା – ସନ୍ଦୀପ ଦେଶପାଣ୍ଡେ, ନୀତିନ ସରଦେଶାଇ ଏବଂ ବାଲା ନନ୍ଦଗାଓଁକର ଲୋକସଭା ନିର୍ବାଚନକୁ ନେଇ ତାଙ୍କ ସହ ଆଲୋଚନା କରିଥିଲେ। ତେବେ ନିକଟ ଅତୀତରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ଦେବେନ୍ଦ୍ର ଫଡନାଭିସ ଏବଂ ରାଜ ଠାକରେଙ୍କୁ ମଞ୍ଚରେ ଦେଖିବାକୁ ମିଳିଥିଲା।

ଏନଡିଏରେ ସାମିଲ ହେବାକୁ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ପ୍ରସ୍ତୁତ!

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ବୁଧବାର ସନ୍ଧ୍ୟା ୫ଟାରେ ଦିଲ୍ଲୀରେ ପହଞ୍ଚିବେ। ରାଜଧାନୀରେ ସେ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ। ଆନ୍ଧ୍ରପ୍ରଦେଶରେ ମେଣ୍ଟ ପାଇଁ ତିନିଜଣଙ୍କ ମଧ୍ୟରେ ଆଲୋଚନା ହେବ ବୋଲି କୁହାଯାଉଛି। ପ୍ରକାଶ ଯେ ଉଭୟ ପକ୍ଷ ଏକାଠି ହେବାକୁ ରାଜି ହୋଇଛନ୍ତି। ତେବେ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ କି ଆନୁଷ୍ଠାନିକଭାବେ କୌଣସି ସୂଚନା ଦିଆଯାଇନାହିଁ। ହଁ, ବିଜେପିର ଉଭୟ ଶୀର୍ଷ ନେତାଙ୍କ ସହ ବୈଠକରେ ଚନ୍ଦ୍ରବାବୁ ନାଇଡୁ ମେଣ୍ଟ ବିଷୟରେ ବିସ୍ତୃତ ଆଲୋଚନା କରିପାରନ୍ତି ବୋଲି କୁହାଯାଇଥିଲା। ଆନ୍ଧ୍ରର ମୋଟ ୨୫ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୧୦ଟି ଆସନ ଦାବି କରିଥିବାବେଳେ ଏବେ ଏହି ପ୍ରସଙ୍ଗରେ ଆଲୋଚନା ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ସବୁଜ ଧାତବ ସମ୍ମିଳନୀ-୨୦୨୪ ଆରମ୍ଭ  

ଭୁବନେଶ୍ୱର: ୨ ଦିନିଆ ଜାତୀୟ ସବୁଜ ଧାତବ ସମ୍ମିଳନୀ-୨୦୨୪ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଫେବୃୟାରୀ ୬  ଓ ୭  ତାରିଖରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ବିଜୁ ପଟ୍ଟନାୟକ ଜାତୀୟ ମେଟାଲ ଇନଷ୍ଟିଚ୍ୟୁଟର ମିଳିତ ସହଯୋଗରେ ଅନୁଷ୍ଠିତ ହେଉଛି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ତଥା ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷା ପ୍ରଦୀପ କୁମାର ଜେନା ଯୋଗଦେଇ ରାଜ୍ୟ ତଥା ଦେଶରେ ଭିତ୍ତିଭୂମିର ବିକାଶ ଓ ଅଭିବୃଦ୍ଧି ପରିପ୍ରେକ୍ଷୀରେ ଧାତବ କ୍ଷେତ୍ର ଉପରେ ନିର୍ଭରଶୀଳତା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ନିରନ୍ତର ବିକାଶ, ପରିବେଶ ପ୍ରଦୂଷଣ ସମସ୍ୟାକୁ ଦୃଷ୍ଟି ଦେଇ ସବୁଜ ଧାତବ ଶକ୍ତି ଉତ୍ସର ଉପଯୋଗ କରି ଶୂନ କାର୍ବନ ନିର୍ଗମନ ଉପରେ ସେ ଗୁରୁତ୍ୱ ଦେଇଥିଲେ।  ଏଥିପାଇଁ ଶିଳ୍ପଠାରୁ ଆରମ୍ଭ କରି ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

କାର୍ବନ ବିକିରଣ ଜନିତ ପ୍ରଦୂଷଣ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ହୋଇଥିବା ଓ ଏଥିଯୋଗୁଁ ମାନବ ସମାଜ ଓ ପରିବେଶ ଉପରେ ପ୍ରଭାବ ପଡୁଛି। ଖଣିଜ  କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ସୃଷ୍ଟି ହେଉଥିବା ପ୍ରଦୂଷଣକୁ ରୋକିବା ବା କମାଇବା ପାଇଁ ପଦକ୍ଷେପ ନିଆଯିବା ସଂପର୍କରେ ସମ୍ମିଳନୀରେ  ଆଲୋଚନା କରାଯାଇଛି।

କାର୍ଯ୍ୟକ୍ରମରେ ଭାରତ ସରକାରଙ୍କର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ, ଓଡିଶା ରାଜ୍ୟ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଏବଂ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ, ରାଜ୍ୟ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ବାର୍ତ୍ତା ଦେଇଥିଲେ।

ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ କେ. ମୁରୁଗେସନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ସମ୍ମିଳନୀର ଉଦ୍ଦେଶ୍ୟ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସଂପର୍କରେ ଆଲୋକପାତ କରିଥିଲେ। ପ୍ରଥମ ଥର କରି ଏହି ସମ୍ମିଳନୀ ଓଡିଶାରେ ଅନୁଷ୍ଠିତ ହେଉଛି। ଏଥିରେ ପରିବେଶ, ଶିଳ୍ପ, ଧାତବ ଶିଳ୍ପ, ବିଶେଷଜ୍ଞ, ପ୍ରାଧ୍ୟାପକ, ଶିକ୍ଷାବିତ୍ ଓ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଛନ୍ତି।

ଭାରତ ସରକାରଙ୍କ ଇସ୍ପାତ ବିଭାଗ ଅତିରିକ୍ତ ଶାସନ ସଚିବ ରୂଚିକା ଚୌଧୁରୀ ଗୋଭିଲ୍,  ବିଜୁ ପଟ୍ଟନାୟକ ମେଟାଲ ନ୍ୟାସନାଲ ଷ୍ଟିଲ୍ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରିତମ ଏସ୍ ପୁର୍କାୟସ୍ଥ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ  ବିଭିନ୍ନ ତଥ୍ୟ ସମ୍ବଳିତ ପ୍ରକାଶିତ “ନଲେଜ୍ ପେପର”  ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଏଠାରେ ଆୟୋଜିତ ଏକ ପ୍ରଦର୍ଶନୀକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଉଦଘାଟନ କରିବା ସହିତ ପ୍ରଦର୍ଶନୀ ପରିଦର୍ଶନ କରି ଅଂଶଗ୍ରହଣକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ପ୍ରଦର୍ଶନୀରେ ୨୨ ଟି ସଂସ୍ଥା ଅଂଶଗ୍ରହଣ କରିଛନ୍ତି।  ସବୁଜ ଧାତୁ ହେଉଛି ନିଟ୍ ଶୂନ  କାର୍ବନ  ନିର୍ଗମନ ଲକ୍ଷ୍ୟ ହାସଲ କରିବା ଲକ୍ଷ୍ୟ ନେଇ ସ୍ୱଚ୍ଛ ଶକ୍ତିର ପ୍ରୟୋଗ କରିବା।

Categories
ଜାତୀୟ ଖବର ବିଶେଷ ଖବର

ମହାରାଷ୍ଟ୍ରଠାରୁ ବଙ୍ଗଳା ପର୍ଯ୍ୟନ୍ତ ଝଟକା ସହ ସଂଘର୍ଷ କରୁଛି ଇଣ୍ଡି ମେଣ୍ଟ, ଏବେ କ’ଣ ହେବ ?

ନୂଆଦିଲ୍ଲୀ: ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣର ଦୁର୍ଗ, ଯାହାକୁ ଆଧାର କରି ଇଣ୍ଡି ମେଣ୍ଟ ଶାସକ ଭାରତୀୟ ଜନତା ପାର୍ଟି ଉପରେ ଆଖି ଦେଖାଉଥିଲା, ସେଥି ମଧ୍ୟରୁ ତିନିଟି ଶକ୍ତିଶାଳୀ ସ୍ତମ୍ଭ ଥରି ଉଠିଥିବା ଦେଖିବାକୁ ମିଳୁଛି। ପୂର୍ବରେ ପଶ୍ଚିମବଙ୍ଗ, ପଶ୍ଚିମରେ ମହାରାଷ୍ଟ୍ର, ଉତ୍ତରରେ ବିହାର ଏବଂ ଦକ୍ଷିଣରେ କର୍ଣ୍ଣାଟକ ରାଜ୍ୟ ଇଣ୍ଡି ମେଣ୍ଟର ଚାରିଟି ଶକ୍ତିଶାଳୀ ଦୁର୍ଗ ରହିଛି। ଏହି ୪ଟି ରାଜ୍ୟରେ ବିରୋଧୀ ଦଳ ଶକ୍ତିଶାଳୀ ଥିବା ଦେଖିବାକୁ ମିଳିଥିଲା ଏବଂ ଆସନ ଦୃଷ୍ଟିରୁ ମଧ୍ୟ ଏହି ୪ଟି ରାଜ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏବେ ଏହି ଢାଞ୍ଚା ଭୁଶୁଡ଼ି ପଡ଼ିଛି ଏବଂ ଏହା ସହିତ ଇଣ୍ଡି ମେଣ୍ଟ ଠିଆ ହେବାର ସମ୍ଭାବନା ମଧ୍ୟ ହ୍ରାସ ପାଇବାରେ ଲାଗିଛି।

ପଶ୍ଚିମବଙ୍ଗରେ ମମତାଙ୍କ ସ୍ପଷ୍ଟ ବାର୍ତ୍ତା

ଏଇଣ୍ଡି ମେଣ୍ଟକୁ ପଶ୍ଚିମବଙ୍ଗରୁ ଝଟକା ଆରମ୍ଭ ହୋଇଛି। ୪୨ଟି ଲୋକସଭା ଆସନ ଥିବା ଏହି ରାଜ୍ୟରେ ତୃଣମୂଳ କଂଗ୍ରେସର ଶାସନ ରହିଛି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଅଛନ୍ତି। ସିଏ କଂଗ୍ରେସକୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ଟିଏମସି ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢ଼ିବା ମୁଡରେ ରହିଛି। ବାସ୍ତବରେ ୨୦୧୯ ଲୋକସଭା ନିର୍ବାଚନରେ ଟିଏମସି ରାଜ୍ୟର ୪୨ଟି ଆସନରୁ ୨୨ଟି ଆସନ ପାଇଥିଲା। ବିଜେପି ୧୮ଟି ଆସନ ଜିତି ରାଜ୍ୟରେ ନିଜର ପ୍ରଦର୍ଶନରେ ଉନ୍ନତି ଆଣିଥିଲା। ସେହିପରି କଂଗ୍ରେସ ମାତ୍ର ୨ଟି ଆସନରେ ଜିତିଥିଲାବେଳେ ସିପିଆଇଏମ୍ ଖାତା ଖୋଲି ପାରିନଥିଲା। ୨୦୨୧ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା ଏବଂ ଏହି ନିର୍ବାଚନରେ ମଧ୍ୟ ଟିଏମସି ବିଜୟୀ ହୋଇ ସରକାର ଗଠନ କରିଥିଲା। ବିଜେପିର ପ୍ରଦର୍ଶନ ମଧ୍ୟ ଏଠାରେ ଚମତ୍କାର ଅଗ୍ରଣୀ ଦେଖାଇଥିଲା ଏବଂ ଦଳକୁ ୬୮ ଟି ଆସନ ମିଳିଥିଲା। ସେହିପରି କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ମଧ୍ୟ ଏଠାରେ ଖାତା ଖୋଲି ପାରିନଥିଲେ।

ଅର୍ଥାତ୍ ରାଜ୍ୟରେ କଂଗ୍ରେସ ଓ କମ୍ୟୁନିଷ୍ଟ ଦଳ ଦୁର୍ବଳ ହେବା ସହ ବିଜେପି ଶକ୍ତିଶାଳୀ ବୋଲି ବାର୍ତ୍ତା ସ୍ପଷ୍ଟ ହୋଇଛି। ଏଭଳି ସ୍ଥିତିରେ ମମତା ବାନାର୍ଜୀ ନିଜ ଦଳକୁ ଦୁର୍ବଳ କରିବେ ନାହିଁ ଏବଂ ସେ ଅତିକମରେ ପଶ୍ଚିମବଙ୍ଗରେ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି। ମମତା ବାନାର୍ଜୀଙ୍କ ସମଗ୍ର ରାଜନୀତି କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ବିରୋଧରେ ରହିଛି ଏବଂ ଏବେ ଯଦି ସେ ରାଜ୍ୟରେ ଉଭୟଙ୍କ ସହ ନିର୍ବାଚନକୁ ଯାଆନ୍ତି, ତେବେ ଜନସାଧାରଣ ଓ କର୍ମୀଙ୍କୁ ଭୁଲ ବାର୍ତ୍ତା ମିଳିବ। ସେଥିପାଇଁ ମମତା ଦେଶରେ ଇଣ୍ଡି ମେଣ୍ଟ ସହିତ ଅଛନ୍ତି, କିନ୍ତୁ ବଙ୍ଗଳାରେ ଏହାଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି।

ବିହାରରେ ଇଣ୍ଡି ମେଣ୍ଟର ଖେଳ ଖରାପ କଲେ ନୀତୀଶ

ଏବେ ଯଦି ଆମେ ଉତ୍ତର ଭାରତରେ ଇଣ୍ଡି ମେଣ୍ଟର ଶକ୍ତିଶାଳୀ ଗଡ଼ ଉପରେ ନଜର ପକାଇବା ତେବେ ବିହାର ଏଠାରେ ଏକ ଶକ୍ତିଶାଳୀ ଦୁର୍ଗ ଥିଲା। ନୀତୀଶ କୁମାରଙ୍କ ଜନତା ଦଳ-ୟୁନାଇଟେଡ୍, ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ଏବଂ କଂଗ୍ରେସ ପାର୍ଟି ଏକାଠି ଠିଆ ହେବା ପର୍ଯ୍ୟନ୍ତ ଏହି ଦୁର୍ଗ ବିଜେପିର ସ୍ଥତି ଦୁର୍ବଳ ଥିବା ପରି ମନେ ହେଉଥିଲା। କିନ୍ତୁ ନୀତୀଶ କୁମାର ଏଠାରେ ମହାମେଣ୍ଟର ହାତ ଛାଡ଼ିବା ମାତ୍ରେ ବିହାରରେ ଇଣ୍ଡି ମେଣ୍ଟ ଭୁଶୁଡ଼ି ପଡ଼ିଛି।
ବିହାରରେ ମୋଟ ୪୦ଟି ଲୋକସଭା ଆସନ ଥିବାବେଳେ ଗତ ନିର୍ବାଚନରେ ୩୯ଟି ଆସନରେ ଏନଡିଏ ମେଣ୍ଟ ବିଜୟୀ ହୋଇଥିଲା। ବିଜେପି ୧୭ଟି ଓ ଜେଡିୟୁ ୧୬ଟି ଆସନରେ ବିଜୟୀ ହୋଇଥିଲା। ତେବେ ପରେ ଜେଡିୟୁ ଏନଡିଏ ଛାଡ଼ିଥିଲା ଏବଂ ଏହାର ମୁଖ୍ୟ ନୀତୀଶ କୁମାର ଇଣ୍ଡି ମେଣ୍ଟର ସହଯୋଗୀ ହୋଇଥିଲେ। କିନ୍ତୁ ନୀତୀଶ ନାମକ ଫର୍ମୁଲା ଭାଙ୍ଗିବା ମାତ୍ରେ ଏହି ମେଣ୍ଟ ଭାଙ୍ଗି ଯାଇଛି। ଏବେ ନୀତୀଶ କୁମାର ଏନଡିଏ ସହ ଅଛନ୍ତି ଏବଂ ଇଣ୍ଡି ମେଣ୍ଟ ସହ ରହି ସେ ଯେତିକି ଲାଭବାନ ହୋଇଥାନ୍ତେ, ଏବେ ଏନଡିଏ ସହ ଯାଇ ଇଣ୍ଡି ମେଣ୍ଟକୁ ତା’ଠାରୁ ଅଧିକ କ୍ଷତି ପହଞ୍ଚାଇପାରନ୍ତି।

କାହା ଗ୍ରୁପ୍ କାହା ସହ ରହିଛି

ମହାରାଷ୍ଟ୍ର ମଧ୍ୟ ବିରୋଧୀ ଗୋଷ୍ଠୀର ଅନ୍ୟତମ ଶକ୍ତିଶାଳୀ ଦୁର୍ଗ। କିନ୍ତୁ ଏଠାରେ ମଧ୍ୟ ଏବେ ଇଣ୍ଡି ମେଣ୍ଟରେ ଫାଟ ସୃଷ୍ଟି ହେବାର ଗୁଜବ ଶୁଣିବାକୁ ମିଳୁଛି। ଲୋକସଭା ଆସନ ଦୃଷ୍ଟିରୁ ମହାରାଷ୍ଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ। ରାଜ୍ୟରେ ମୋଟ ୪୮ଟି ଲୋକସଭା ଆସନ ରହିଛି ଏବଂ ଉତ୍ତରପ୍ରଦେଶ ପରେ ଏହି ରାଜ୍ୟରେ ଦେଶର ସର୍ବାଧିକ ଲୋକସଭା ଆସନ ରହିଛି। ଗତ ନିର୍ବାଚନରେ ଏନଡିଏ ଏଠାରେ ୪୮ଟି ଆସନରୁ ୪୧ଟିରେ ବିଜୟୀ ହୋଇଥିଲା। ସେତେବେଳେ ଶିବସେନା ଏନଡିଏରେ ବିଜେପି ସହ ମେଣ୍ଟ କରିଥିଲା ଏବଂ ବିରୋଧୀ ୟୁପିଏ ମେଣ୍ଟ ପାଖରେ ମାତ୍ର ୫ଟି ଆସନ ଥିଲା। ଏହା ମଧ୍ୟରୁ ୪ଟି ଆସନ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିକୁ ଯାଇଥିବାବେଳେ ମାତ୍ର ଗୋଟିଏ କଂଗ୍ରେସକୁ ଯାଇଥିଲା।

ଏବେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ଦେଖିଲେ ଉଭୟ ଶିବସେନା ଓ ଏନସିପି ଦଳ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି। ଶିବସେନାରେ ଏକନାଥ ସିନ୍ଦେ ବିଦ୍ରୋହ କରି ବିଜେପି ସହ ମିଶି ସରକାର ଗଠନ କରିଛନ୍ତି ଏବଂ ଦଳର ବହୁ ସଂଖ୍ୟା ତାଙ୍କ ସହ ରହିଛି। ପରେ ଅଜିତ ପାୱାର ଏନସିପିକୁ ଦୁଇ ଭାଗରେ ବିଭକ୍ତ କରି ଶକ୍ତିଶାଳୀ ଦଳକୁ ସାଙ୍ଗରେ ନେଇ ଏନଡିଏ ସରକାରରେ ଯୋଗ ଦେଇଛନ୍ତି। ସେପଟେ ଶରଦ ପାୱାରଙ୍କ ଦଳ ସହ ଏନସିପି ଏବଂ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ସହ ଶିବସେନା ଇଣ୍ଡି ମେଣ୍ଟରେ ରହିଛି।

ଏଥିରେ ନିର୍ବାଚନର ଠିକ୍ ପୂର୍ବରୁ ଶରଦ ପାୱାର ଏନସିପିର ନାମ ଏବଂ ଦଳର ନିର୍ବାଚନ ଚିହ୍ନ ହରାଇଛନ୍ତି। ନିକଟରେ ଉଦ୍ଧବ ଠାକରେ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶତ୍ରୁ ନୁହଁନ୍ତି ଏବଂ ବିଜେପି ତାଙ୍କୁ ଦୂରେଇ ରଖିଛି, ସେ ତାଙ୍କଠାରୁ କେବେ ବି ଦୂରେଇ ଯାଇନାହିଁ’ବୋଲି କହି ଭାରତୀୟ ମେଣ୍ଟର ଉତ୍ତେଜନା ବଢ଼ାଇଛନ୍ତି। ପ୍ରକାଶ ଆମ୍ବେଦକର କିଛିଦିନ ତଳେ ଇଣ୍ଡି ମେଣ୍ଟରେ ଯୋଗ ଦେଇନଥିବା ପଥର ହଟାଇ ସାରିଛନ୍ତି ଏବଂ କହିଛନ୍ତି ଯେ ଭାରତ ମେଣ୍ଟ ଶେଷ ହୋଇଯାଇଛି। କଂଗ୍ରେସ ନେତା ମିଲିନ୍ଦ ଦେଓରା ମଧ୍ୟ ଏନଡିଏରେ ସାମିଲ ହୋଇଛନ୍ତି। ଏସବୁ ଘଟଣାରୁ ଅନୁମାନ କରାଯାଇପାରେ ଯେ ଯଦି ମହାରାଷ୍ଟ୍ରରେ ଭାରତୀୟ ମେଣ୍ଟ ନିଜକୁ ଠିକଭାବେ ଠିଆ କରିବାରେ ସକ୍ଷମ ହୋଇନାହିଁ, ତେବେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଦୂରରେ ରହିଛି।

ବଡ଼ ପ୍ରଶ୍ନ: କର୍ଣ୍ଣାଟକ କ’ଣ ଲଜ୍ଜା ବଞ୍ଚାଇବ?

ଏବେ ବିରୋଧୀ ଗୋଷ୍ଠୀର ଚତୁର୍ଥ ଦୁର୍ଗ ବିଷୟରେ କହିବାକୁ ଗଲେ ଏହା ହେଉଛି କର୍ଣ୍ଣାଟକ। ନିକଟରେ ଏହି ରାଜ୍ୟରେ କଂଗ୍ରେସ ଦଳ ସରକାର ଗଠନ କରିଛି ଏବଂ ରାଜନୈତିକ ବିଶେଷଜ୍ଞମାନେ କର୍ଣ୍ଣାଟକରେ କଂଗ୍ରେସ ଏବଂ ବିରୋଧୀ ଗୋଷ୍ଠୀର ଆଗାମୀ ଲୋକସଭା ନିର୍ବାଚନକୁ ସୁଦୃଢ଼ କରିବାର ଏହି କାରଣ ମଧ୍ୟ କହୁଛନ୍ତି। ଏହା ହେଉଛି ଉତ୍ତର ଭାରତର ଏକ ରାଜ୍ୟ ଯେଉଁଠାରେ ବିଜେପି ଶକ୍ତିଶାଳୀ ରହିଛି। ଗତ ଲୋକସଭା ନିର୍ବାଚନରେ କର୍ଣ୍ଣାଟକର ୨୮ଟି ଆସନରୁ ବିଜେପି ୨୫ଟିରେ ବିଜୟୀ ହୋଇଥିଲା। ସେହିପରି କଂଗ୍ରେସକୁ ମାତ୍ର ଗୋଟିଏ ଆସନ ମିଳିଛି। ତେବେ ଏବେ ରାଜ୍ୟର ରାଜନୈତିକ ସ୍ଥିତି ବଦଳିଯାଇଛି ଏବଂ କଂଗ୍ରେସ ଦଳ ରାଜ୍ୟର କ୍ଷମତା ଦଖଲ କରିଛି। ଏଭଳି ପରିସ୍ଥିତିରେ ଲୋକସଭା ନିର୍ବାଚନରେ କଂଗ୍ରେସ ବିଜେପିକୁ ଅନେକାଂଶରେ କ୍ଷତି ପହଞ୍ଚାଇବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ କ୍ଷୟକ୍ଷତି ଏତେ ଅଧିକ ହେବ ଯେ ଜାତୀୟ ସ୍ତରରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ।

ଭାରତ ମେଣ୍ଟରେ ‘ଲ୍ ଇଜ୍ ୱେଲ୍’ ଅଛି କି?

ମୋଟାମୋଟିଭାବେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ରାଜ୍ୟରେ ବିରୋଧୀ ମେଣ୍ଟ ଯେଉଁ ଶକ୍ତିବଳରେ ଶାସକ ଏନଡିଏ ଓ ବିଜେପିର ହାତ ଭାଙ୍ଗିବା ପାଇଁ ପ୍ରସ୍ତୁତି ଚଳାଇଥିଲା, ସେଠାରେ ଦଳ ନିଜକୁ ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି। ଉତ୍ତରପ୍ରଦେଶରେ ମଧ୍ୟ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଦଳ ଏବେ ଇଣ୍ଡି ମେଣ୍ଟରୁ ବିଚ୍ଛିନ୍ନ ହୋଇଥିବା ଦେଖିବାକୁ ମିଳିଛି। ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ଆସନକୁ ନେଇ କଂଗ୍ରେସ ସହ ବୁଝାମଣା ଖେଳ ଖେଳୁଛନ୍ତି। ଅନ୍ୟପକ୍ଷରେ ପଞ୍ଜାବ ଓ ଦିଲ୍ଲୀରେ ମେଣ୍ଟ ପାଇଁ ଆମ୍ ଆଦମୀ ପାର୍ଟି ଉପରେ ଆଞ୍ଚଳିକ କଂଗ୍ରେସ ନେତାମାନେ ଅସନ୍ତୁଷ୍ଟ ଅଛନ୍ତି। ଅର୍ଥାତ୍ ଇଣ୍ଡି ମେଣ୍ଟରେ ବର୍ତ୍ତମାନ ସବୁକିଛି ଠିକ୍ ଦେଖାଯାଉନାହିଁ ଏବଂ ଏହି ସମୟରେ ନିର୍ବାଚନକୁ ଆଉ ମାତ୍ର କିଛିଦିନ ବାକି ଅଛି।

Categories
ଆଜିର ଖବର ଜାତୀୟ ଖବର

ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କ ପିଲାଙ୍କୁ ସଂରକ୍ଷଣ କୋଟା ମିଳିବ କି, ପ୍ରଶ୍ନ ପଚାରିଲେ ବିଚାରପତି

ନୂଆଦିଲ୍ଲୀ: ପଞ୍ଜାବ ସରକାର ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଛନ୍ତି ଯେ ପଛୁଆ ବର୍ଗମଧ୍ୟରେ ସବୁଠାରୁ ପଛୁଆ ସମ୍ପ୍ରଦାୟକୁ ଚିହ୍ନଟ କରାଯିବା ଉଚିତ ଏବଂ ସେମାନଙ୍କୁ ରୋଜଗାର ସୁଯୋଗ ପାଇବା ପାଇଁ ଉପାୟ ଯୋଗାଇ ଦିଆଯାଉ। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ ଯେଉଁମାନେ ସରକାରୀ ଚାକିରିରେ ଅଧିକ ପ୍ରତିନିଧିତ୍ୱ ମାଧ୍ୟମରେ ଆଗକୁ ବଢ଼ିଛନ୍ତି ସେମାନେ ଅନୁସୂଚିତ ଜାତି (ଏସସି) ପରିସରରେ ଥିବା ଅବହେଳିତ ସମ୍ପ୍ରଦାୟପାଇଁ ରାସ୍ତା ତିଆରି କରିବା ଉଚିତ। ସରକାର କହିଛନ୍ତି ଯେ ବାଲ୍ମିକି ଏବଂ ମାଝାବି (ଶିଖ୍) ଭଳି ପଛୁଆ ବର୍ଗର ଅତି ପଛୁଆ ବର୍ଗଙ୍କୁ ପୃଥକ୍‍ଭାବେ ଚିହ୍ନଟ କରାଯିବା ଉଚିତ ଏବଂ ସେମାନଙ୍କୁ ସଂରକ୍ଷଣର ସୁବିଧା ଦିଆଯିବା ଉଚିତ। ତାଙ୍କ କହିବା ଅନୁଯାୟୀ, ଅନୁସୂଚିତ ଜାତି ସମ୍ପ୍ରଦାୟର ୪୩% ଲୋକ ରାଜ୍ୟ ସରକାରଙ୍କ ୮୧% ଅନୁସୂଚିତ ଜାତି ପଦବୀରେ ଅଛନ୍ତି।

ପଞ୍ଜାବ ସରକାରଙ୍କ ଏହି ଯୁକ୍ତି ଉପରେ ଜଷ୍ଟିସ ଗବାଇ ପ୍ରଶ୍ନ କରିଛନ୍ତି, ଏସସି/ଏସଟି ସମ୍ପ୍ରଦାୟର ଜଣେ ବ୍ୟକ୍ତି ଆଇଏଏସ୍ ଏବଂ ଆଇପିଏସ୍ ଭଳି କେନ୍ଦ୍ରୀୟ ସେବାରେ ଯୋଗ ଦେବାପରେ ଶ୍ରେଷ୍ଠ ସୁବିଧା ପାଇପାରିବେ। ତଥାପି ତାଙ୍କ ପିଲାମାନେ ସଂରକ୍ଷଣର ସୁବିଧା ପାଉଛନ୍ତି। ଯୁକ୍ତି ଜଟିଳ, କିନ୍ତୁ ସରଳ ଭାଷାରେ କହିବାକୁ ଗଲେ ପଞ୍ଜାବ ସରକାର ବିଶ୍ୱାସ କରନ୍ତି ଯେ ଯେଉଁମାନେ ସଂରକ୍ଷଣର ଲାଭ ଉଠାଇଛନ୍ତି ସେମାନଙ୍କୁ ଏବେ ବାଟ ଦିଆଯିବା ଉଚିତ, ଯାହାଦ୍ୱାରା ଅଳ୍ପ ଭାଗ୍ୟବାନମାନେ ମଧ୍ୟ ସୁଯୋଗ ପାଇପାରିବେ। ଜଷ୍ଟିସ୍ ଗବାଇଙ୍କ ପ୍ରଶ୍ନ ଉଠୁଛି, ଯେଉଁମାନେ ପୂର୍ବରୁ ଭଲ ଅବସ୍ଥାରେ ଅଛନ୍ତି ସେମାନଙ୍କ ପିଲାମାନଙ୍କୁ ମଧ୍ୟ ସଂରକ୍ଷଣ ଦିଆଯିବା ଉଚିତ କି? ଏବେବି ଯୁକ୍ତି ଚାଲିଛି ଏବଂ ସୁପ୍ରିମକୋର୍ଟ ଏହି ମାମଲାରେ ନିଷ୍ପତ୍ତି ନେବେ।

ଲୋକସଭା ନିର୍ବାଚନ ପୂର୍ବରୁ ସଂରକ୍ଷଣ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ

ଅନୁସୂଚିତ ଜାତି ଓ ଜନଜାତି ତଥା ଓବିସି ବର୍ଗ ପାଇଁ ରାଜ୍ୟରେ ଉପବର୍ଗରେ ସଂରକ୍ଷଣ ପ୍ରସଙ୍ଗରେ ଦୀର୍ଘ ଦିନ ଧରି ବିତର୍କ ଚାଲିଛି। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅତୀତରେ ରାଜ୍ୟ ସରକାରମାନେ ନିର୍ଦ୍ଦିଷ୍ଟ ବର୍ଗରୁ ବିଭିନ୍ନ ସମ୍ପ୍ରଦାୟକୁ ସଂରକ୍ଷଣ ସୀମା ବୃଦ୍ଧି କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ମାମଲାଗୁଡ଼ିକୁ ବିଭିନ୍ନ ସମୟରେ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ତାମିଲନାଡୁ: ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଲେ ୧୫ ପୂର୍ବତନ ବିଧାୟକ ଓ ଜଣେ ପୂର୍ବତନ ସାଂସଦ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବିଜେପି ପାଇଁ ଭଲ ଖବର ଆସିଛି। ୧୫ ଜଣ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଆଜି ସମସ୍ତ ନେତା କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ଏହି ସମୟରେ ସମସ୍ତ ନେତାଙ୍କୁ ବିଶ୍ଵର ସବୁଠୁ ବଡ ଦଳକୁ ସ୍ୱାଗତ ବୋଲି ସେ କହିଛନ୍ତି। ଏହା ସହିତ ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଏଥର ଲୋକସଭା ନିର୍ବାଚନରେ ବିଜେପି ୩୭୦ ଟି ଆସନ ଏବଂ ​​ଏନଡିଏ ୪୦୦ ଆସନ ପାଇବ। ବିରୋଧୀଙ୍କୁ ଟାର୍ଗେଟ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଜନ୍ତର ମନ୍ତରରେ ବସିଥିବା ନେତାମାନେ ନାଟକ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ୨୦୨୪ ରେ ମୁକେଶ ଅମ୍ବାନୀ ଶୀର୍ଷ ଭାରତୀୟ ଏବଂ ବିଶ୍ୱରେ ଦ୍ୱିତୀୟ: ରିପୋର୍ଟ

ଭୁବନେଶ୍ୱର: ବ୍ରାଣ୍ଡ ଫାଇନାନ୍ସ ଦ୍ୱାରା ସଂକଳିତ ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ୨୦୨୪ ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସମସ୍ତ ଭାରତୀୟଙ୍କ ମଧ୍ୟରେ ପ୍ରଥମ ଏବଂ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଏହି କ୍ରମରେ ସେ ମାଇକ୍ରୋସଫ୍ଟର ସତ୍ୟ ନାଡେଲାଙ୍କ, ଗୁଗଲର ସୁନ୍ଦର ପିଚାଇ, ଆପଲ୍ ର ଟିମ୍ କୁକ୍ ଏବଂ ଟେସଲାର ଏଲନ୍ ମସ୍କଙ୍କୁ ଅତିକ୍ରମ କରି ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଟେନ୍ସେଣ୍ଟର ହୁଆଟେଙ୍ଗ ମା ପ୍ରଥମ ସ୍ଥାନରେ ରହିଛନ୍ତି।

ବ୍ରାଣ୍ଡ ଫାଇନାନ୍ସ ଅନୁଯାୟୀ ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ହେଉଛି ସିଇଓମାନଙ୍କର ଏକ ବିଶ୍ୱସ୍ତରୀୟ ସ୍ୱୀକୃତି, ଯେଉଁମାନେ ସମସ୍ତ ହିତାଧିକାରୀ – କର୍ମଚାରୀ, ନିବେଶକ ଏବଂ ବ୍ୟାପକ ସମାଜର ଆବଶ୍ୟକତାକୁ ସନ୍ତୁଳିତ କରି ଦୀର୍ଘସ୍ଥାୟୀ ଭାବରେ ବ୍ୟବସାୟ ଗଢୁଛନ୍ତି।

ଟାଟା ସନ୍ସ ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ ଏହି ର଼୍ୟାଙ୍କିଙ୍ଗରେ ୫ ନମ୍ବର ସ୍ଥାନରେ ରହିଥିବା ମହିନ୍ଦ୍ରା ଏବଂ ମହିନ୍ଦ୍ରାର ଅନିଶ ଶାହା ଷଷ୍ଠ ଓ ଇନଫୋସିସର ସଲିଲ ପାରେଖ ୧୬ ନମ୍ବର ସ୍ଥାନରେ ଅଛନ୍ତି।

୨୦୨୩ ର଼୍ୟାଙ୍କିଙ୍ଗରେ ମଧ୍ୟ ମୁକେଶ ଅମ୍ବାନୀ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ସ୍ଥାନିତ ହୋଇଥିଲେ । ଚଳିତ ବର୍ଷ ସେ ଡାଇଭର୍ସିଫାଏଡ୍ କନଗ୍ଲୋମରେଟ୍ସ ମଧ୍ୟରେ ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ୨୦୨୪ ରେ ଏକ ନମ୍ବର ସ୍ଥାନରେ ସ୍ଥାନିତ ହୋଇଛନ୍ତି।

ଏହି ବର୍ଷର ବିଶ୍ଳେଷଣରୁ ଜଣାପଡିଛି ଯେ ସିଇଓ ମାନଙ୍କ ପ୍ରତିଷ୍ଠା ନିର୍ଣ୍ଣୟ କରିବାରେ ଇଏସଜି ଏକକ ଗୁରୁତ୍ୱପୂର୍ଣ୍ଣ ଡ୍ରାଇଭିଙ୍ଗ୍ ଫୋର୍ସ ହୋଇପାରିଛି। ବ୍ରାଣ୍ଡ ଫାଇନାନ୍ସ ଅନୁଯାୟୀ, ବ୍ରାଣ୍ଡ ଏବଂ ବ୍ୟବସାୟ ମୂଲ୍ୟ ଗଠନ କରିବା ପାଇଁ ଏକ ବ୍ରାଣ୍ଡ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ସେହି ସିଇଓମାନଙ୍କୁ ସମ୍ମାନୀତ କରେ ଯେଉଁମାନେ ବ୍ୟବସାୟିକ ସଫଳତା, ଦୀର୍ଘକାଳୀନ ବ୍ରାଣ୍ଡ ନିର୍ମାଣ ଏବଂ ବ୍ୟକ୍ତିଗତ ପ୍ରତିଷ୍ଠା ପରିଚାଳନା ଆବଶ୍ୟକତାକୁ ସନ୍ତୁଳିତ ରଖିଥାନ୍ତି।

ବ୍ରାଣ୍ଡ୍ ଫାଇନାନ୍ସ ଏକ ସନ୍ତୁଳିତ ସ୍କୋରକାର୍ଡ ଅନୁସରଣ କରେ ଯାହା ଜଣେ ସିଇଓଙ୍କ ନିଜ କମ୍ପାନୀର ବ୍ରାଣ୍ଡର ଅଭିଭାବକ ଏବଂ ଦୀର୍ଘମିଆଦୀ ସେୟାରହୋଲ୍ଡର ମୂଲ୍ୟର ଷ୍ଟିୱାର୍ଡ ଭାବରେ କାର୍ଯ୍ୟ କରିବାର କ୍ଷମତାକୁ ଆକଳନ କରିଥାଏ।

ନିକଟରେ, ଏକ ଅପେକ୍ଷାକୃତ ନୂତନ ବ୍ରାଣ୍ଡ ହୋଇଥିଲେ ମଧ୍ୟ ଜିଓ ବ୍ରାଣ୍ଡ ଫାଇନାନ୍ସ ଦ୍ୱାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ‘ଗ୍ଲୋବାଲ୍ ୫୦୦ – ୨୦୨୪’ ରେ ଭାରତର ସବୁଠାରୁ ଶକ୍ତିଶାଳୀ ବ୍ରାଣ୍ଡ ଭାବରେ ମାନ୍ୟତା ପାଇଥିଲା ଏବଂ ଏଲଆଇସି ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଭଳି ବହୁ ଦଶନ୍ଧି ପୁରୁଣା ଭାରତୀୟ ବ୍ରାଣ୍ଡମାନଙ୍କ ଠାରୁ ଆଗରେ ରହିଥିଲା। ବ୍ରାଣ୍ଡ ଫାଇନାନ୍ସର ୨୦୨୩ ର଼୍ୟାଙ୍କିଙ୍ଗରେ ମଧ୍ୟ ଜିଓ ଭାରତର ଶକ୍ତିଶାଳୀ ବ୍ରାଣ୍ଡ ଭାବରେ ଶୀର୍ଷରେ ରହିଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ତୃତୀୟ ଟେଷ୍ଟରେ ମଧ୍ୟ ଖେଳିବେ ନାହିଁ କି ବିରାଟ?, ଜାଣନ୍ତୁ କଣ କଥା ହେଲେ ରୋହିତ, ଅଗରକର ଆଉ ଦ୍ରାଭିଡ?

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ଏହି ସିରିଜର ପ୍ରଥମ ଦୁଇଟି ଟେଷ୍ଟ ଖେଳାଯାଇଛି। ପ୍ରଥମ ଟେଷ୍ଟକୁ ଅତିଥି ଇଂଲଣ୍ଡ ଏବଂ ଦ୍ୱିତୀୟ ଟେଷ୍ଟକୁ ଆୟୋଜକ ଭାରତ ଜିତିଛି। ବର୍ତ୍ତମାନ ତୃତୀୟ ଟେଷ୍ଟ ମ୍ୟାଚ୍ ଫେବୃଆରୀ ୧୫ ତାରିଖରୁ ଖେଳାଯିବ। ତେବେ ଏହା ପୂର୍ବରୁ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଆସିଛି। ଖବର ଅନୁଯାୟୀ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ଖେଳିବେ ନାହିଁ। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ।

ବିସିସିଆଇ ବାକି ତିନିଟି ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିନାହିଁ। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହା ପଛର କାରଣ ହେଉଛି ବିରାଟ କୋହଲି। କୁହାଯାଉଛି ଯେ ବିରାଟଙ୍କ ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ। ଏଭଳି ପରିସ୍ଥିତିରେ ଚୟନକର୍ତ୍ତା ଦଳ ଘୋଷଣା କରିବାକୁ ସକ୍ଷମ ନୁହଁନ୍ତି। କହିବାକୁ ଗଲେ ଏହି ସିରିଜର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ବିରାଟ ଟିମ୍ ଇଣ୍ଡିଆରେ ମନୋନୀତ ହୋଇଥିଲେ, କିନ୍ତୁ ହଠାତ୍ କୋହଲି ବ୍ୟକ୍ତିଗତ କାରଣରୁ ବିରତି ନେଇଥିଲେ।

ଏହି ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ରୋହିତ ମୁଖ୍ୟ ଚୟନକର୍ତ୍ତାଙ୍କ ସହ ବିରାଟ କୋହଲି, କେ.ଏଲ୍ ରାହୁଲ ଏବଂ ରବିନ୍ଦ୍ର ଜାଡେଜାଙ୍କ ସହ କଥାବାର୍ତ୍ତା ହେଉଥିବା ଦାବି ହେଉଛି। ସମସ୍ତ ତିନି ତାରକା ଖେଳାଳି ଦଳ ବାହାରେ ଅଛନ୍ତି।

ସୂଚନାଯୋଗ୍ୟ ଯେ, ବିରାଟ କୋହଲିଙ୍କ ବିଷୟରେ କାହାର କିଛି ଅଦ୍ୟତନ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ବାକି ତିନିଟି ଟେଷ୍ଟ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ବିଜୟ ପରେ ଯେତେବେଳେ କୋଚ୍ ରାହୁଲ ଦ୍ରାବିଡଙ୍କୁ ସାମ୍ବାଦିକ ସମ୍ମିଳନୀରେ ବିରାଟଙ୍କ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ କେବଳ ଚୟନକର୍ତ୍ତା ଏହାର ଉତ୍ତର ଦେଇ ପାରିବେ। ତେବେ କୋହଲି କେବେ ଫେରିବେ ତାହାର ଉତ୍ତର କାହା ପାଖରେ ନାହିଁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

୨୯ ଟଙ୍କାରେ ମିଳିବ ଚାଉଳ: ସର୍ବସାଧାରଣଙ୍କ ନିମନ୍ତେ “ଭାରତ ରାଇସ” ବ୍ରାଣ୍ଡ ଚାଉଳ ବିକ୍ରି ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ, ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ “ଭାରତ ବ୍ରାଣ୍ଡ” ଚାଉଳ ବିକ୍ରିର ଶୁଭାରମ୍ଭ କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୦୦ ମୋବାଇଲ ଭ୍ୟାନରେ ଏହି ସରକାରୀ ଚାଉଳ ବିକ୍ରୟ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଭାରତ ବ୍ରାଣ୍ଡର ଏହି ଚାଉଳ କେଜି ପିଛା ମୂଲ୍ୟ ୨୯ ଟଙ୍କା ଧାର୍ଯ୍ୟ କରାଯାଇଛି ଏବଂ ଏହା ପାଞ୍ଚ ଓ ୧୦ କିଲୋଗ୍ରାମ ବିଶିଷ୍ଟ ପ୍ୟାକେଜରେ ଖାଉଟିଙ୍କ ପାଇଁ ଉପଲବ୍ଧ ହେଉଛି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଜନତା, ବିଶେଷକରି ସବୁ ବର୍ଗର ଖାଉଟିଙ୍କ ଆବଶ୍ୟକତା ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ । ତାଙ୍କର ସତର୍କ ଦୃଷ୍ଟି ବଜାର ଦର ଉପରେ ରହିଛି ଏବଂ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ସରକାର ସବୁମନ୍ତେ ଉଦ୍ୟମ କରୁଛନ୍ତି । ସେ ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ଦେଶର କୃଷକ ଓ ଜନତାଙ୍କ କଲ୍ୟାଣ ପ୍ରତି ଅଙ୍ଗୀକୃତ । କେନ୍ଦ୍ର ସରକାର ଚାଷୀଙ୍କଠାରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ତାହାକୁ ଖାଉଟିଙ୍କୁ ଆବଶ୍ୟକ ସ୍ଥଳେ ରିହାତି ମୂଲ୍ୟରେ ଯୋଗାଇ ଦେଉଛନ୍ତି ।

କେନ୍ଦ୍ର ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ ‘ଭାରତ ରାଇସ’ ବ୍ରାଣ୍ଡ ଚାଉଳର ଖୁଚୁରା ବିକ୍ରି ଫଳରେ ବଜାରରେ ଚାଉଳ ଯୋଗାଣ ବଢିବ ଏବଂ ଚାଉଳ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହେବ । ଖାଉଟିଙ୍କ କଲ୍ୟାଣ ପାଇଁ ଏହା ଭାରତ ସରକାରଙ୍କର ଆଉ ଏକ ପଦକ୍ଷେପ । ସେ କହିଛନ୍ତି ଯେ ଏହି ଭାରତ ବ୍ରାଣ୍ଡର ଚାଉଳ ଦେଶର ସବୁ କେନ୍ଦ୍ରୀୟ ଭଣ୍ଡାର, ନାଫେଡ, ଜାତୀୟ ସମବାୟ ଖାଉଟି ମହାସଂଘ (ଏନ୍‌ସିସିଏଫ୍‌)ର ସବୁ ଶାଖା ତଥା ଏସବୁର ଭ୍ରାମ୍ୟମାଣ ଯାନରୁ ଖାଉଟିଙ୍କୁ ବିକ୍ରି ପାଇଁ ଆଣିବାକୁ ଉପଲବ୍ଧ ହୋଇଛି । ଏହି ଚାଉଳ ମଧ୍ୟ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ । ପାଞ୍ଚ ଓ ୧୦କି.ଗ୍ରା ବିଶିଷ୍ଟ ପ୍ୟାକେଟରେ କିଲୋପିଛା ସର୍ବାଧିକ ୨୯ଟଙ୍କା ମୂଲ୍ୟରେ ଏହି ଚାଉଳ ବିକ୍ରି ପାଇଁ ଉପଲବ୍ଧ ।

ଏବେ ଭାରତ ବ୍ରାଣ୍ଡରେ ଅଟା ଉପଲବ୍ଧ ହେଉଛି । ତିନିଟି କେନ୍ଦ୍ରୀୟ ସଂସ୍ଥା, କେନ୍ଦ୍ରୀୟ ଭଣ୍ଡାର, ନାଫେଡ ଓ ଏନ୍‌ସିସିଏଫ୍ ମାଧ୍ୟମରେ ଏହି ଭାରତ ଅଟା କିଲୋପିଛା ୨୭ ଟଙ୍କା ୫୦ ପଇସା ମୂଲ୍ୟରେ ଖାଉଟିଙ୍କୁ ପାଞ୍ଚ ଓ ୧୦ କିଲୋଗ୍ରା ଓଜନ ବିଶିଷ୍ଟ ପ୍ୟାକେଟରେ ଯୋଗାଇ ଦିଆଯାଉଛି । ମୋବାଇଲ ଭ୍ୟାନ ଯୋଗେ ଏହି ଅଟା ମଧ୍ୟ ହାଟ ବଜାରରେ ବିକ୍ରି ହେଉଛି । ଇ-ପ୍ଲାଟଫର୍ମରୁ ମଧ୍ୟ ଏହା କିଣିବାକୁ ମିଳୁଛି । ସେହିଭଳି ଭାରତ ଡାଲି (ଚଣା ଡାଲି) ଏସବୁ ସଂସ୍ଥା ମାଧ୍ୟମରେ ଏକ କିଲୋ ପ୍ୟାକେଟ ପିଛା ୬୦ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି । ତେବେ ୩୦କିଲୋଗ୍ରାମ ବିଶିଷ୍ଟ ପ୍ୟାକେଟ ପାଇଁ ଡାଲିର ମୂଲ୍ୟ କିଲୋ ପିଛା ୫୫ଟଙ୍କା ଧାର୍ଯ୍ୟ କରାଯାଇଛି ।

ଭାରତ ବ୍ରାଣ୍ଡରେ ସରକାର ଉପରୋକ୍ତ ବ୍ୟବସ୍ଥାରେ କିଲୋ ପିଛା ୨୫ଟଙ୍କା ମୂଲ୍ୟରୋ ପିଆଜ ବିକ୍ରି ବ୍ୟବସ୍ଥା କରିଛନ୍ତି । ସବୁ କେନ୍ଦ୍ରୀୟ ବିପଣନକାରୀ ସଂସ୍ଥା ବାହାରେ ତେଲଙ୍ଗାନା, ମହାରାଷ୍ଟ୍ର ଓ ଗୁଜରାଟର ପ୍ରାଦେଶିକ ସରକାରୀ ସମବାୟ ସଂସ୍ଥାମାନେ ଭାରତ ଡାଲି ବିକ୍ରିରେ ସାମିଲ ହୋଇଛନ୍ତି । ଏବେ ଭାରତ ରାଇସ ବିକ୍ରିର ଶୁଭାରମ୍ଭ ହେବା ଫଳରେ ଖାଉଟି ଉଚିତ ମୂଲ୍ୟରେ ଚାଉଳ, ଅଟା, ଡାଲି, ପିଆଜ ସ ଟମାଟୋ ଆଦି ସରକାରୀ ବିକ୍ରି କେନ୍ଦ୍ରରୁ ସୁବିଧାରେ ପାଇପାରିବେ ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଚାଷୀ, ସାଧାରଣ ଖାଉଟି ବର୍ଗର ୮୦କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ କିମ୍ବା ନାମକୁ ମାତ୍ର ମୂଲ୍ୟରେ ଖାଦ୍ୟଶସ୍ୟ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି । ଏହି ହିତାଧିକାରୀଙ୍କ ମଧ୍ୟରେ ଅଛନ୍ତି ଅଙ୍ଗନବାଡି ଓ ସ୍କୁଲର ପିଲାମାନେ ତଥା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଏବଂ କିଶୋରୀ । କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ ଚାଷୀଙ୍କାଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣୁଛନ୍ତି । ଏହା ଫଳରେ ଚାଷୀ ଲାଭଜନକ ମୂଲ୍ୟ ପାଉଛନ୍ତି । ସେସବୁ ଖାଦ୍ୟଶସ୍ୟକୁ ସରକାର ଆବଶ୍ୟକ ସ୍ଥଳେ ରିହାତିରେ ଏବଂ ଗରିବ କଲ୍ୟାଣ ଯୋଜନାରେ ମାଗଣରେ ଲୋକଙ୍କୁ ଯୋଗାଇ ଦେଉଛନ୍ତି । ଭାରତରେ ଏବେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ହିତାଧିକାରୀଙ୍କ ସଂଖ୍ୟା ୮୦.୭ କୋଟି । ଏମାନେ ୨୦୨୮ ଡିସେମ୍ବର ୩୧ ଯାଏ ଏହି ମାଗଣା ଖାଦ୍ୟଶସ୍ୟ ପାଇବେ । ଏହା ବିଶ୍ୱର ସର୍ବବୃହତ୍ ଖାଦ୍ୟ ଓ ପୁଷ୍ଟିସାଧନ ନିରାପତ୍ତା କାର୍ଯ୍ୟକ୍ରମ ।

ଖାଉଟିଙ୍କୁ ମହଙ୍ଗାରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ନାନାବିଧ ପଦକ୍ଷେପ ନେଉଛନ୍ତି । ଚାଉଳ ଓ ଗହମ ରପ୍ତାନୀ ଉପରେ କଟକଣା ଜାରି କରାଯାଇଥିବା ବେଳେ ଘରୋଇ ବଜାରରେ ତାହାର ଉପଲବ୍ଧତା ବଢାଇବାକୁ ପଦକ୍ଷେପ ନିଆଯାଇଛି । ଚାଉଳ ବିକ୍ରେତା ଓ ମିଲରଙ୍କ ପାଇଁ ଷ୍ଟକ ପରିମାଣ ପ୍ରଦର୍ଶନ କରିବା ବାଧ୍ୟତାମୂଳକ ହୋଇଛି । ଖାଇବା ତେଲ, ଡାଲିର ଅଭାବ ଦୂର କରିବାକୁ ଏହାର ଆମଦାନୀ ଶୁଳ୍‌କୁ ଯଥେଷ୍ଟ କମ୍ କରାଯାଇଛି । ସେହିଭଳି ଚିନି ମୂଲ୍ୟ ଉପରେ ମଧ୍ୟ ସରକାର ନିୟନ୍ତ୍ରଣ ରଖିଛନ୍ତି ।

ଆନ୍ତର୍ଜାତିକ ବଜାରରେ ଖାଇବା ତେଲ ଓ ଡାଲିର ମୂଲ୍ୟ ବୃଦ୍ଧି ସତ୍ତ୍ୱେ ସରକାର ତାହାକୁ ଆମଦାନୀ କରି ଖାଉଟିଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । କଳାବଜାରି ଓ କୃତ୍ରିମ ଅଭାବକୁ ରୋକିବାକୁ ରାଜ୍ୟ ସରକାରମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଯେପରି ନ ରହେ ସେଥିପାଇଁ ବଫର ଷ୍ଟକକୁ ବଢାଯାଇଛି । ଟମାଟୋ, ଡାଲି, ପିଆଜ, ତେଲ, ଚିନି, ଅଟା ଓ ଗହମଠାରୁ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ ଓ ଯୋଗାଣକୁ ସରକାର ସୁସଂହତ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେଡ଼ିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ମିଳିଲା ଶ୍ରେଷ୍ଠ ସାଂସଦ ପୁରସ୍କାର

ନୂଆଦିଲ୍ଲୀ: ଲୋକମତ କାର୍ଯ୍ୟକ୍ରମରେ କଂଗ୍ରେସର ଲୋକସଭା ସଦସ୍ୟ ଶଶି ଥରୁର ଏବଂ ବିଜୁ ଜନତା ଦଳର ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାରରେ ସମ୍ମାନିତ କରାଯାଇଛି। ନିଲମ୍ବିତ ଲୋକସଭା ସଦସ୍ୟ ବହୁଜନ ସମାଜ ପାର୍ଟି (ବିଏସପି) ର ଦାନିଶ୍ ଅଲି ଏବଂ ସିପିଆଇ (ଏମ୍) ର ରାଜ୍ୟସଭା ସଦସ୍ୟ ଜନ୍ ବ୍ରିଟାସ୍ ଶ୍ରେଷ୍ଠ ନୂତନ ସାଂସଦ ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ଉତ୍ସବରେ ବିଜେପି ସାଂସଦ ମନେକା ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବଙ୍କୁ ‘ଲାଇଫଟାଇମ ଆଚିଭମେଣ୍ଟ’ ପୁରସ୍କାରରେ ସମ୍ମାନିତ କରାଯାଇଛି। ଅକାଳୀ ଦଳ ସାଂସଦ ହରଷିମରତ କୌର ଏବଂ ବିଜେପି ସାଂସଦ ସରୋଜ ପାଣ୍ଡେ ବର୍ଷର ଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର ଗ୍ରହଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏମ୍ସ ଭୁବନେଶ୍ୱର ପକ୍ଷରୁ ଏନଏସଏସ ମହିଳା ସ୍ବେଚ୍ଛାସେବୀଙ୍କ ପାଇଁ ସ୍ବତନ୍ତ୍ର ସିପିଆର୍‌ ତାଲିମ କର୍ମଶାଳା

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ହୃଦ୍ ରୋଗ ମୃତ୍ୟୁର ମୁଖ୍ୟ କାରଣ ଭାବେ ଉଭା ହୋଇଛି। ତୁରନ୍ତ ଚିକିତ୍ସା ସେବା ଉପଲବ୍ଧ ହେବା ପର୍ଯ୍ୟନ୍ତ ମସ୍ତିଷ୍କକୁ ଜୀବିତ ରଖିବା ନିମନ୍ତେ ଉକ୍ତ ସ୍ଥାନରେ ଉପସ୍ଥିତ ବ୍ୟକ୍ତିଙ୍କ ଭୂମିକା (ଜୀବନ ରକ୍ଷାକାରୀ) ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ତେଣୁ ସମଗ୍ର ଦେଶରେ ସିପିଆର୍ (କାର୍ଡିଓ-ପଲ୍ମୋନାରୀ ରିସ୍ୟୁସିଟେସନ୍) ତାଲିମ ଦେବା ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି। ଏହାକୁ ତ୍ବରାନ୍ବିତ କରିବା ଦିଗରେ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲାର ୨ଶହରୁ ଅଧିକ ମହିଳା ଏନଏସଏସ (ଜାତୀୟ ସେବା ଯୋଜନା) ସ୍ବେଚ୍ଛାସେବୀଙ୍କୁ ଏହି ତାଲିମ ପ୍ରଦାନ ନିମନ୍ତେ ଏକ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି।

ଏମ୍‌ସ ଭୁବନେଶ୍ୱର ଏବଂ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ସ୍ବାସ୍ଥ୍ୟ ସମାନତା ଏବଂ ସୁସ୍ଥତା ନିମନ୍ତେ ମହିଳା ସ୍ବେଚ୍ଛାସେବୀଙ୍କୁ ସଶକ୍ତ କରିବା ଶୀର୍ଷକ ତିନିଦିନିଆ କର୍ମଶାଳାକୁ ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏବଂ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଉଦ୍‌ଘାଟନ କରିଥିଲେ।

ହୃଦ୍‌ଘାତରୁ ବଞ୍ଚିବା ମୁଖ୍ୟତଃ ସିପିଆର୍‌ କେତେ ଶୀଘ୍ର ଆରମ୍ଭ ହୁଏ ଏବଂ ଏହାର ସଠିକତା ଉପରେ ନିର୍ଭର କରେ। ଦେଶର ପ୍ରାୟ ୯୮ ପ୍ରତିଶତ ବାସିନ୍ଦା ଏସମ୍ପର୍କରେ ତାଲିମପ୍ରାପ୍ତ ନୁହଁନ୍ତି କହିଲେ ଚଳେ। ଏପରିସ୍ଥଳେ ହୃଦ୍‌ଘାତଜନିତ ସମସ୍ୟା ସହିତ ଲଢେଇ କରିବାକୁ ହେଲେ ସରଳ ସିପିଆର କୌଶଳ ତାଲିମ ପ୍ରଦାନ ଆଜିର ସମୟର ବଡ଼ ଆହ୍ବାନ ବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ମତବ୍ୟକ୍ତ କରିଛନ୍ତି। ଜଣେ ମହିଳା ଶିକ୍ଷିତ ହେଲେ ସମ୍ପୂର୍ଣ୍ଣ ପରିବାର ପ୍ରଶିକ୍ଷିତ ହୋଇଥାଏ। ସେହିପରି ଜଣେ ଛାତ୍ରୀଙ୍କୁ ସିପିଆର୍‌ ତାଲିମ୍‌ ପ୍ରଦାନ କରାଗଲେ, ତାଙ୍କ ଦ୍ବାରା ସମାଜ ବିଶେଷ ଉପକୃତ ହୋଇପାରିବ। ଏମ୍‌ସ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ସୁସ୍ଥ ଜୀବନଶୈଳୀ, ମାସିକ ଋତୁସ୍ରାବଜନିତ ସମସ୍ୟା, ଉଚ୍ଚରକ୍ତଚାପ, ମଧୁମେହ, ଅସନ୍ତୁଳିତ ଜୀବନଶୈଳୀଜନିତ ସମସ୍ୟା ଆଦି ସମ୍ପର୍କରେ ବିଶେଷ ତାଲିମ ପ୍ରଦାନ କରାଯିବ। ଯାହାକି ବେଶ୍‌ ଲାଭଦାୟୀ ହୋଇପାରିବ ବୋଲି ଡ. ବିଶ୍ବାସ ଆଶାବ୍ୟକ୍ତ କରିଛନ୍ତି।

ଏପରି କର୍ମଶାଳା ଦ୍ବାରା ଛାତ୍ରୀମାନେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଏବଂ ଏହାର ଉପଚାର ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ। ଯାହାକି ସେମାନଙ୍କୁ ଆତ୍ମବିଶ୍ବାସୀ କରିବ ବୋଲି ବିଶିଷ୍ଟ ସମାଜସେବୀ ତୁଳସୀ ମୁଣ୍ଡା ପ୍ରକାଶ କରିଛନ୍ତି।

ଏହି କର୍ମଶାଳାରେ କୋରାପୁଟ, କଳାହାଣ୍ଡି, ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି, ବଲାଙ୍ଗୀର, ସୁବର୍ଣ୍ଣପୁର, ନବରଙ୍ଗପୁର ଭଳି ୧୦ଟି ଆକାଂକ୍ଷୀ ଜିଲ୍ଲାର ୨ଶହରୁ ଅଧିକ ଏନଏସଏସ ମହିଳା ସ୍ବେଚ୍ଛାସେବୀ ଏବଂ କାର୍ଯ୍ୟକ୍ରମ ଅଧିକାରୀ ଅଂଶଗ୍ରହଣ କରିଛନ୍ତି। ଆଜି ଆରମ୍ଭ ହୋଇଥିବା କର୍ମଶାଳା ଚଳିତ ମାସ ୮ ପର୍ଯ୍ୟନ୍ତ ଚାଲିବ।

ଉଲ୍ଲେଖଯୋଗ୍ୟ ଯେ, ଏମ୍‌ସ ଭୁବନେଶ୍ୱର ଏନଏସଏସ ବ୍ୟୁରୋ ପକ୍ଷରୁ ଏଯାବତ୍‌ ସମାଜର ବିଭିନ୍ନ ବର୍ଗରୁ ୧୦ହଜାରରୁ ଅଧିକ ଲୋକଙ୍କୁ ସିପିଆର୍‌ ତାଲିମ ପ୍ରଦାନ କରାଗଲାଣି। ଏହି ଜାତୀୟ ଅନୁଷ୍ଠାନ ପକ୍ଷରୁ ଏକ ଲକ୍ଷ ଲୋକଙ୍କୁ ସିପିଆର୍‌ ତାଲିମ ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ସରିତା ପଟେଲ, ଆଞ୍ଚଳିକ ନିର୍ଦ୍ଦେଶକ, ଏନଏସଏସ, ଭୁବନେଶ୍ୱର, ଡ. ପି ଆର ମହାପାତ୍ର, ଡିନ୍‌, ଡ. ଦିଲ୍ଲୀପ କୁମାର ପରିଡ଼ା, ମେଡିକାଲ ଅଧୀକ୍ଷକ, ଏମ୍‌ସ ଭୁବନେଶ୍ୱର, ମନୋରଂଜନ ନାୟକ, ସ୍ବତନ୍ତ୍ର ସଚିବ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ, ରମେଶ ଚନ୍ଦ୍ର ବେହେରା, ଏସ୍‌ଏନ୍‌ଓ ତଥା ଉପସଚିବ, ଡ. ପ୍ରଭାସ ରଂଜନ ତ୍ରିପାଠୀ, ଡ. ପ୍ରଜ୍ଞା ପାରମିତା ଗିରି, ଡ. ପ୍ରିୟମାଧବ ବେହେରା, ଏନଏସଏସ କାର୍ଯ୍ୟକ୍ରମ ସଂଯୋଜକ ଏମ୍‌ସ ଭୁବନେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ।

ଏନଏସଏସ ପ୍ରୋଗ୍ରାମ ଅଫିସର ଡ. ଶ୍ରୀତମ ସ୍ବରୂପ ଜେନା ଛାତିକୁ ଉପଯୁକ୍ତ ଢଙ୍ଗରେ କିପରି ସଙ୍କୋଚନ/ଚାପ ଦିଆଯିବ, ମାସ୍କ ଭେଣ୍ଟିଲେସନ୍ ଏବଂ ଏଇଡି (ସ୍ୱୟଂଚାଳିତ ବାହ୍ୟ ଡିଫିବ୍ରିଲେଟର) ର ବ୍ୟବହାର ସମ୍ପର୍କରେ ବର୍ଣ୍ଣନା କରିଥିଲେ। ମାନ୍ନେକୁଇନ୍ ଉପରେ ମୌଳିକ ଜୀବନ ସହାୟତାର କୌଶଳ ପ୍ରଦର୍ଶନ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟଯେ, ଭାରତରେ ପ୍ରତି ଚାରି ଜଣଙ୍କ ମଧ୍ୟରୁ ଜଣଙ୍କର ହୃଦ୍ରୋଗ କାରଣରୁ ମୃତ୍ୟୁ ହୋଇଥାଏ।

Categories
ଆଜିର ଖବର ଜାତୀୟ ଖବର

‘ଯିଏ ଭଲ କାମ କରେ ତାକୁ ସମ୍ମାନ ମିଳେ ନାହିଁ: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ

ନୂଆଦିଲ୍ଲୀ: ବର୍ତ୍ତମାନର ରାଜନୀତି ଉପରେ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନିତିନ ଗଡକରୀ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ନେତାଙ୍କ ମଧ୍ୟରେ ଆଦର୍ଶର ହ୍ରାସ ଗଣତନ୍ତ୍ର ପାଇଁ ଭଲ ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ, ଯିଏ ଭଲ କାମ କରେ ସେ କେବେବି ସମ୍ମାନ ପାଏ ନାହିଁ।

ଲୋକମତର ଏକ କାର୍ଯ୍ୟକ୍ରମରେ ନିତିନ ଗଡକରୀ କାହାର ନାମ ନ ନେଇ କହିଛନ୍ତି ଯେ, ମୁଁ ସବୁବେଳେ ଥଟ୍ଟା କରି କହିଥାଏ ଯେ କେଉଁ ଦଳ ସରକାରରେ ଥାଆନ୍ତୁ ନା କାହିଁକି, ଗୋଟିଏ କଥା ନିଶ୍ଚିତ ଯେ ଯିଏ ଭଲ କାମ କରେ ସେ ସମ୍ମାନ ପାଇବ ନାହିଁ ଏବଂ ଖରାପ କାମ କରୁଥିବା ବ୍ୟକ୍ତିଙ୍କୁ କଦାପି ଦଣ୍ଡ ମିଳେ ନାହିଁ।

ବିଚାରଧାରା ଉପରେ ନୀତିନ ଗଡକରୀ କ’ଣ କହିଥିଲେ?

ନାଗପୁର ଲୋକସଭା ସାଂସଦ ନିତିନ ଗଡକରୀ କହିଛନ୍ତି ଯେ, “ଆମର ବିତର୍କ ଏବଂ ଆଲୋଚନାରେ ଭିନ୍ନତା ଆମର ସମସ୍ୟା ନୁହେଁ। ଆମର ସମସ୍ୟା ହେଉଛି ଚିନ୍ତାଧାରାର ଅଭାବ। ସେ କହିଛନ୍ତି ଯେ, ”ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ବିଚାରଧାରା ଆଧାରରେ ଦୃଢତାର ସହିତ ଛିଡ଼ା ହୁଅନ୍ତି କିନ୍ତୁ ଏପରି ଲୋକଙ୍କ ସଂଖ୍ୟା ହ୍ରାସ ପାଉଛି। ଏବଂ ଘଟୁଥିବା ଆଦର୍ଶର ହ୍ରାସ ଗଣତନ୍ତ୍ର ପାଇଁ ଭଲ ନୁହେଁ।

ଗଡକରୀ କହିଛନ୍ତି ଯେ, “ନା ଦକ୍ଷିଣପନ୍ଥୀ ନା ବାମପନ୍ଥୀ, ଆମେ ଜଣାଶୁଣା ସୁବିଧାବାଦୀ, କିଛି ଲୋକ ଏହା ଲେଖନ୍ତି। ଏବଂ ସମସ୍ତେ ଶାସକ ଦଳ ସହ ଜଡିତ ରହିବାକୁ ଚାହାଁନ୍ତି।

ସାଂସଦମାନଙ୍କୁ ସମ୍ମାନ:

ଲୋକମତ କାର୍ଯ୍ୟକ୍ରମରେ କଂଗ୍ରେସର ଲୋକସଭା ସଦସ୍ୟ ଶଶି ଥରୁର ଏବଂ ବିଜୁ ଜନତା ଦଳର ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ନିଲମ୍ବିତ ଲୋକସଭା ସଦସ୍ୟ ବହୁଜନ ସମାଜ ପାର୍ଟି (ବିଏସପି) ର ଦାନିଶ୍ ଅଲି ଏବଂ ସିପିଆଇ (ଏମ୍) ର ରାଜ୍ୟସଭା ସଦସ୍ୟ ଜନ୍ ବ୍ରିଟାସ୍ ଶ୍ରେଷ୍ଠ ନୂତନ ସାଂସଦ ପୁରସ୍କାର ଗ୍ରହଣ କରିଥିଲେ।

ଏହି ଉତ୍ସବରେ ବିଜେପି ସାଂସଦ ମନେକା ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବଙ୍କୁ ‘ଆଜୀବନ ସଫଳତା’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଅକାଳୀ ଦଳ ସାଂସଦ ହରଷିମରତ କୌର ଏବଂ ବିଜେପି ସାଂସଦ ସରୋଜ ପାଣ୍ଡେ ବର୍ଷର ଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର ଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ସଂସଦ ପରେ, ଗୃହ ମନ୍ତ୍ରଣାଳୟର ସୁରକ୍ଷାକୁ ଉଲ୍ଲଂଘନ ଉଦ୍ୟମ, ନକଲି ପରିଚୟ ପତ୍ର ସହିତ ଯୁବକ ଗିରଫ

ନୂଆଦିଲ୍ଲୀ: ସଂସଦ ପରେ ବର୍ତ୍ତମାନ ଗୃହ ମନ୍ତ୍ରଣାଳୟର ସୁରକ୍ଷା ଭଙ୍ଗ କରିବାକୁ ଚେଷ୍ଟା କରାଯାଇଛି। ତେବେ ଦିଲ୍ଲୀ ପୋଲିସ ଏହାକୁ ପଣ୍ଡ କରିଛି। ନକଲି ପରିଚୟ ପତ୍ରରେ ଉତ୍ତର ବ୍ଲକରେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି।

ନକଲି ପରିଚୟ ପତ୍ରରେ ଉତ୍ତର ବ୍ଲକରେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଦିଲ୍ଲୀର କର୍ତ୍ତବ୍ୟ ପଥ୍ ପୋଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଆଦିତ୍ୟ ପ୍ରତାପ ସିଂ। ନକଲି ଆଇଡିରେ ଆଦିତ୍ୟ କେଉଁ ଉଦ୍ଦେଶ୍ୟରେ ପ୍ରବେଶ କରିଥିଲେ ତାହା ପୋଲିସ ଅନୁସନ୍ଧାନ କରୁଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ କୋଣ ମିଳିନାହିଁ। ସ୍ୱତନ୍ତ୍ର ସେଲ୍ ଏବଂ ଅନ୍ୟାନ୍ୟ ଏଜେନ୍ସି ମଧ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛନ୍ତି।