Categories
ଜାତୀୟ ଖବର ବିଶେଷ ଖବର

ଭାରତକୁ ବିଶ୍ୱର ଖାଦ୍ୟ ଝୁଡିରେ ପରିଣତ କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି: କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି କ୍ଷେତ୍ର ପ୍ରତି ମୋଦୀ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ପ୍ରକାଶ କରି କହିଥିଲେ, ଭାରତକୁ ବିଶ୍ୱର ଖାଦ୍ୟ ଝୁଡିରେ ପରିଣତ କରିବା ଦିଗରେ ତାଙ୍କ ସରକାର କୌଣସି କାର୍ଯ୍ୟ ବାକି ରଖୁନାହାନ୍ତି। ଆଜି ପୁଣେସ୍ଥିତ ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସ (ଏଇଆରସି)ର ପ୍ଲାଟିନମ୍ ଜୟନ୍ତୀ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଯେ, ଗବେଷକଙ୍କ କାର୍ଯ୍ୟ କେବଳ ପରୀକ୍ଷାଗାରରେ ସୀମିତ ରହିବା ଉଚିତ ନୁହେଁ ବରଂ ଏହାକୁ କୃଷକମାନଙ୍କ ପାଇଁ ମଧ୍ୟ ବ୍ୟାପକ କରାଯିବା ଉଚିତ। ତାଙ୍କ ସରକାର ଏହା ଉପରେ ଅନେକ ଦିଗରେ କାର୍ଯ୍ୟ କରୁଛନ୍ତି। ଭାରତର ସଂସ୍କୃତି ଓ ସଭ୍ୟତା ବହୁ ପୁରାତନ। କୃଷି କ୍ଷେତ୍ର ମଧ୍ୟ ଏହା ସହ ଜଡ଼ିତ। ବିଶେଷ କରି ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ଭାରତ ହିଁ ସମଗ୍ର ବିଶ୍ୱକୁ ଏକ ପରିବାର ଭାବରେ ଦେଖିବାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ସମଗ୍ର ବିଶ୍ୱକୁ ଏହି ଦିଗରେ ମାର୍ଗଦର୍ଶନ କରିଥିଲା।

ସେ କହିଥିଲେ ଯେ , ଏହି ପୃଥିବୀ କେବଳ ମନୁଷ୍ୟମାନଙ୍କ ପାଇଁ ନିର୍ମିତ ନୁହେଁ; ଏହା କୀଟପତଙ୍ଗ ଭଳି ସମସ୍ତ ପ୍ରାଣୀଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ। କୀଟନାଶକର ମାତ୍ରାଧିକ  ବ୍ୟବହାରକୁ ରୋକିବା ପାଇଁ ଆହ୍ୱାନ ଦେଇ ଶ୍ରୀ ଚୌହାନ କହିଛନ୍ତି ଯେ ପ୍ରାକୃତିକ ଚାଷ ଦିଗରେ ଆମକୁ ଆଗକୁ ବଢ଼ିବା ହେଉଛି ସମୟର ଆବଶ୍ୟକତା ଏବଂ ଆମକୁ ଏହାକୁ ସମ୍ପୂର୍ଣ୍ଣ ସମ୍ଭାବନା ସହିତ ଆଗକୁ ନେବାକୁ ପଡିବ। ଏହା ଆମର ଉତ୍ପାଦନରେ ମୂଲ୍ୟ ଯୋଗ କରିବ। କୃଷକଙ୍କ ସଂରକ୍ଷଣ କ୍ଷମତା ବୃଦ୍ଧି ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଏ ଦିଗରେ ଏକ ପଦକ୍ଷେପ ନେଇ କେନ୍ଦ୍ର ସରକାର କୃଷକଙ୍କ ଉତ୍ପାଦକୁ ଦୂର ସ୍ଥାନରେ ପହଞ୍ଚାଇବା ପାଇଁ ଏକ ନୂଆ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଏହା ଅଧୀନରେ କୃଷକମାନେ ସେମାନଙ୍କ ଉତ୍ପାଦକୁ କିପରି ସୁବିଧାରେ ଅନ୍ୟ ରାଜ୍ୟ ଓ ବଜାରରେ ପହଞ୍ଚାଇ ପାରିବେ, ତାହା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଯୋଜନା ପ୍ରସ୍ତୁତ କରୁଛନ୍ତି। ଆଜି ଆମେ ପୁଣେସ୍ଥିତ ଗୋଖଲେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସ (ଏଇଆରସି)ର ପ୍ଲାଟିନମ୍ ଜୟନ୍ତୀ ପାଳନ କରୁଛୁ।

ଏହି ଅବସରରେ ସମସ୍ତ ଗବେଷକ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଚୌହାନ କହିଥିଲେ ଯେ ଏହି ୭୦ ବର୍ଷ ମଧ୍ୟରେ ଆମେ କ’ଣ ହାସଲ କରିଛୁ ଏବଂ କ’ଣ ହରାଇଛୁ ତାହାର ପୁନଃସମୀକ୍ଷା କରାଯିବାର ଆବଶ୍ୟକତା ରହିଛି। ଏ ଦିଗରେ ବୈଷୟିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରି ଶିବରାଜ ସିଂହ ଚୌହାନ କହିଛନ୍ତି ଯେ କୃଷି କ୍ଷେତ୍ର ସହ ଜଡିତ ବୈଜ୍ଞାନିକ ଏବଂ କୃଷକମାନେ ଏକାଠି ହୋଇ ସେମାନଙ୍କ ସମସ୍ୟାର ସମାଧାନ କରିବା ଉଚିତ। କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ଡିଡି କିଷାନ ଚ୍ୟାନେଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଡର୍ଣ କୃଷି ଚୌପାଲ ଆରମ୍ଭ କରିଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଏହା ଏମିତି ଏକ ପ୍ଲାଟଫର୍ମ ଯେଉଁଠାରେ କୃଷକ, ଗବେଷକ ଏବଂ ବୈଜ୍ଞାନିକମାନେ ଏକାଠି ବସି କୃଷି କ୍ଷେତ୍ରରେ ସମସ୍ୟା ଏବଂ ନୂତନ ସୁଯୋଗ ଉପରେ ସେମାନଙ୍କର ମତ ବିନିମୟ କରିବେ। କୃଷି କ୍ଷେତ୍ର ସମ୍ବନ୍ଧୀୟ ସୂଚନା କେବଳ ଇଂରାଜୀ ଭାଷାରେ ସୀମିତ ରହିବା ଉଚିତ ନୁହେଁ, ଭାରତର ବିଭିନ୍ନ ଭାଷାରେ ପ୍ରକାଶିତ ହେବା ଜରୁରୀ,  ଯାହା ଦ୍ୱାରା ପରୀକ୍ଷାଗାରରୁ କୃଷି କ୍ଷେତ୍ର ମଧ୍ୟରେ ବ୍ୟବଧାନ ଦୂର ହୋଇପାରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୫ ତାରିଖ ୨୦୨୪ ରେ ନଦୀ ସଂଯୋଗ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହି ଯୋଜନା ସମ୍ପର୍କରେ ଆଲୋକପାତ କରି ଶ୍ରୀ ଚୌହାନ କହିଛନ୍ତି ଯେ ଦେଶର ଅନେକ ସ୍ଥାନରେ କେତେବେଳେ ବନ୍ୟା ପରିସ୍ଥିତି ଉପୁଜୁଥିବା ବେଳେ ଆଉ କେତେକ ସ୍ଥାନରେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଖୁବ୍ ଶୀଘ୍ର ଏକ ସ୍ୱତନ୍ତ୍ର ନଦୀ ସଂଯୋଗ ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏହି ଯୋଜନା ଦ୍ୱାରା ପ୍ରବଳ ବର୍ଷା ହେଉଥିବା ଅଞ୍ଚଳ ଏବଂ ମରୁଡ଼ିକୁ ସାମନା କରୁଥିବା ଅଞ୍ଚଳ ଉପକୃତ ହେବେ।

କୃଷି ମନ୍ତ୍ରୀ କହିଛନ୍ତି ଯେ ଆମେ ଏପରି ଜ୍ଞାନକୌଶଳ ବିକଶିତ କରିବା ଉଚିତ ଯାହା ଦ୍ଵାରା କମ୍ ପାଣିରେ ଅଧିକ ଜଳସେଚନ କରାଯାଇପାରିବ। କୃଷି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ପାଦନ ଖର୍ଚ୍ଚ ହ୍ରାସ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଚୌହାନ କହିଛନ୍ତି ଯେ ଗତ ବର୍ଷ ତାଙ୍କ ସରକାର କୃଷକମାନଙ୍କୁ ୧.୯୪ ମେଟ୍ରିକ ଟନ୍ ରିହାତି ପ୍ରଦାନ କରିଥିଲେ। ଯଦି ଜଣେ କୃଷକ ତୁରନ୍ତ ଟଙ୍କା ଆବଶ୍ୟକ କରନ୍ତି, ତେବେ ଏଥିପାଇଁ ତାଙ୍କୁ ଋଣଦାତାଙ୍କ ପାଖକୁ ଯିବାକୁ ପଡିବ ନାହିଁ। ସେଥିପାଇଁ ସରକାର ତାଙ୍କୁ ତୁରନ୍ତ ଟଙ୍କା ଯୋଗାଇ ଦେବା ଲାଗି କିଷାନ କ୍ରେଡିଟ୍ କାର୍ଡର ସୁବିଧା ପ୍ରଦାନ କରିଛନ୍ତି। ୨୦୧୪ ରୁ ୨୦୨୪ ମଧ୍ୟରେ ତାଙ୍କ ସରକାର ଅନେକ ଉତ୍ପାଦ ଉପରେ ଦୁଇଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ଦେଉଛନ୍ତି, ଯେଉଁ କାରଣରୁ କୃଷକମାନଙ୍କୁ ବହୁତ ଆଶ୍ୱସ୍ତି ମିଳୁଛି। ଆମେ ସବୁବେଳେ ଆମଦାନୀ ଉପରେ ନିର୍ଭର କରିବା ଉଚିତ  ନୁହେଁ ଏବଂ ଏପରି ନୀତି ପ୍ରସ୍ତୁତ କରିବା ଉଚିତ ଯାହା କୃଷକମାନଙ୍କୁ ଅଧିକ ଲାଭ ପ୍ରଦାନ କରିପାରିବ ବୋଲି ସେ ମତ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ସୌର ନିବେଶକ ସମ୍ମିଳନୀ: ୩ ହଜାର କୋଟିରୁ ଅଧିକ ମଞ୍ଜୁର କରିଛି ଇରେଡା

ନୂଆଦିଲ୍ଲୀ: ଗ୍ରିଡକୋ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ସୌର ନିବେଶକ ସମ୍ମିଳନୀରେ ଇଣ୍ଡିଆନ୍ ରିନିୱେବଲ୍ ଏନର୍ଜି ଏଜେନ୍ସି ଲିମିଟେଡ୍ (ଇରେଡା)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ ଏକ ସ୍ୱତନ୍ତ୍ର ଅଭିଭାଷଣ ଦେଇଥିଲେ। ଅକ୍ଷୟ ଶକ୍ତି (ଆରଇ) ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ରେ ଉପଲବ୍ଧ ଆର୍ଥିକ ସହାୟତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଶ୍ରୀ ଦାସ ଗୁରୁତ୍ୱାରୋପ କରିଥିଲେ। ସମ୍ପୂର୍ଣ୍ଣ କାଗଜବିହୀନ, ଡିଜିଟାଲ ଏବଂ ଋଣ-ଅନୁକୂଳ କାର୍ଯ୍ୟ ସହିତ ଏକ ପ୍ରତିଯୋଗିତାମୂଳକ ଫାଇନାନ୍ସର ଭାବରେ ଇରେଡାର ଅନନ୍ୟ ସ୍ଥିତି ଉପରେ ସେ ଆଲୋକପାତ କରିଥିଲେ, ଯାହା ସବୁଜ ଶକ୍ତି ପ୍ରକଳ୍ପ ପାଇଁ ନିରବଚ୍ଛିନ୍ନ ସମର୍ଥନକୁ ପ୍ରୋତ୍ସାହିତ କରିଥାଏ।

୨୦୩୦ ସୁଦ୍ଧା ୧୦ ଗିଗାଓ୍ଵାଟ କ୍ଷମତା ହାସଲ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଇରେଡାର ସିଏମଡି ଓଡ଼ିଶାର ଉଚ୍ଚାକାଂକ୍ଷୀ ଅକ୍ଷୟ ଶକ୍ତି ଲକ୍ଷ୍ୟ ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ସୌର, ଜଳ, ଇଥାନଲ ଏବଂ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଅନ୍ତର୍ଭୁକ୍ତ ସମଗ୍ର ଓଡ଼ିଶାରେ ସବୁଜ ଶକ୍ତି ପ୍ରକଳ୍ପ ପାଇଁ ଇରେଡା ୩,୦୦୦ କୋଟି ଟଙ୍କାରୁ ଅଧିକ ମଞ୍ଜୁର କରିସାରିଛି।

ଏକ ଅଗ୍ରଣୀ ସୌର ଶକ୍ତି ଉତ୍ପାଦନକାରୀ ଏବଂ ସୌର ଉପକରଣ ଉତ୍ପାଦନର ହବ୍ ଭାବେ ଉଭା ହେବା ପାଇଁ ଓଡ଼ିଶାର ସମ୍ଭାବନା ଉପରେ ଶ୍ରୀ ଦାସ ଆଲୋକପାତ କରିଥିଲେ। ଇରେଡାର ରାଷ୍ଟ୍ରୀୟ ଅବଦାନକୁ ପ୍ରକାଶ କରି ସେ ଉଲ୍ଲେଖ କରିଛନ୍ତି ଯେ କମ୍ପାନୀ ୨.୦୮ ଲକ୍ଷ କୋଟିରୁ ଅଧିକ ମଞ୍ଜୁର କରିଛି ଏବଂ ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକ ପାଇଁ ୧.୩୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛି, ଯାହା ଇଥାନଲ, ଇଭି ଫ୍ଲିଟ୍ ଫାଇନାନ୍ସିଂ, ପମ୍ପଡ ଷ୍ଟୋରେଜ୍ ଜଳବିଦ୍ୟୁତ୍ ଏବଂ ସବୁଜ ଆମୋନିଆ ଇତ୍ୟାଦି ଉଦୀୟମାନ ଆରଇ ପ୍ରଯୁକ୍ତିରେ ବଜାର ଗଠନ ପାଇଁ ଉତପ୍ରେରକ ଭାବରେ ନିଜକୁ ଅବସ୍ଥାପିତ କରିଛି।

ଅକ୍ଷୟ ଶକ୍ତି ଋଣ ଅର୍ଥ ଯୋଗାଣ କ୍ଷେତ୍ରରେ ୧୦-୧୫% ଅବଦାନ ସହିତ ଭାରତର ସବୁଜ ଶକ୍ତି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ଇରେଡାର ପ୍ରତିବଦ୍ଧତାକୁ ସିଏମଡି ଦୋହରାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲ ବୈଜ୍ଞାନିକ ପ୍ରଦର୍ଶନୀ: କେନ୍ଦ୍ରାପଡ଼ାର ୪ ପ୍ରକଳ୍ପ ଜୋନସ୍ତରକୁ ମନୋନୀତ

ଭୁବନେଶ୍ଵର: ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ବରଗଡ ଜିଲ୍ଲା ବରପାଲି ସରକାରୀ ବାଳକ ଉଚ୍ଚବିଦ୍ୟାଳୟରେ ତିନି ଦିନ ଧରି ଉଦ‌ଯାପିତ ହୋଇଯାଇଅଛି। ଏହି ପ୍ରଦର୍ଶନୀରେ ରେ କେନ୍ଦ୍ରାପଡ଼ାର ୭ ଟି ପ୍ରକଳ୍ପ ମଧ୍ୟରୁ ୪ ଗୋଟି ପ୍ରକଳ୍ପ ଜୋନସ୍ତରକୁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତରାଣ୍ଡୋର ଏକାଦଶ ଶ୍ରେଣୀର ଛାତ୍ରୀ ସ୍ବାତୀପ୍ରଜ୍ଞା ରଥ ଖାଦ୍ୟ ସ୍ୱାସ୍ଥ୍ୟ ବିଷୟବସ୍ତୁରେ ପ୍ରଥମ ସ୍ଥାନ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଗଙ୍ଗାରାମପୁର, ପଟ୍ଟାମୁଣ୍ଡାଇର ଛାତ୍ର ପ୍ରାଣତୋଷ ପ୍ରଧାନ ବିପର୍ଯୟ ପରିଚାଳନରେ ପ୍ରଥମ ସ୍ଥାନ ଅଧିକାର କରି ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ଏହା ଛଡ଼ା ଆଉ ୨ ଜଣ କୁନି ବୈଜ୍ଞାନିକ ଇନ୍ଦୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଛାତ୍ର ରଶ୍ମି ରଞ୍ଜନ ସାହୁ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଓ ଗାନ୍ଧିଜୀ ଉଚ୍ଚ ବିଦ୍ୟାଳୟ, ଗୋଜାବନ୍ଧର ଅଷ୍ଟମ ଶ୍ରେଣୀର ଛାତ୍ର ସନ୍ତୋଷ ବାରିକ ପରିବହନ ଓ ଯୋଗାଯୋଗ ପ୍ରକଳ୍ପରେ ଭାଗ ନେଇ ଜୋନ ସ୍ତରକୁ ମନୋନୀତ ହୋଇଛନ୍ତି। ଏହି ୪ ଜଣ କୁନି ବୈଜ୍ଞାନିକ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଆସନ୍ତା ୭, ୮, ୯ ତାରିଖ କୋଲକତାରେ ବିଟମ ଠାରେ ଜୋନ ସ୍ତରରେ ଭାଗନେବେ।

ଏହି କୁନି ବୈଜ୍ଞାନିକମାନଙ୍କୁ ଜିଲ୍ଲାର ଟିମ ୬୦ ସେମାନଙ୍କର ମାର୍ଗଦର୍ଶକ ଓ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ ପହଞ୍ଚି କୁନି କୁନି ବୈଜ୍ଞାନିକକୁ ଉସ୍ତାହିତ କରୁଥିଲେ। ଏହି ୪ ଜଣ କୁନି କୁନି ବୈଜ୍ଞାନିକ ଓ ଗାଇଡ ଶିକ୍ଷକଙ୍କୁ ଜିଲ୍ଲାଶିକ୍ଷାକାରୀ ପ୍ରଦୀପ କୁମାର ନାଗ ଧନ୍ୟବାଦ ଜଣାଇବା ସହ ସେମାନଙ୍କୁ ସମ୍ବଦ୍ଧିର୍ତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପାରାଦୀପରେ ‘ପ୍ଲାଷ୍ଟିକ ବ୍ୟାଗ ଉତ୍ପାଦନ କାରଖାନା’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ପାରୀଦୀପ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ‘ପୂର୍ବୋଦୟ’ ମିଶନରେ ଓଡ଼ିଶାର ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ କରିବା ଲକ୍ଷ୍ୟରେ ସୋମବାର ପାରାଦୀପ ପ୍ଲାଷ୍ଟିକ ପାର୍କ ପରିସରରେ  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ‘ପ୍ଲାଷ୍ଟିକ ବ୍ୟାଗ୍ ଉତ୍ପାଦନ କାରଖାନା’ ଉଦଘାଟିତ ହୋଇଯାଇଛି। ଏହି ପଦକ୍ଷେପ ଦ୍ୱାରା ପ୍ଲାଷ୍ଟିକ ବ୍ୟାଗ୍ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭର ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

ଏ ସମ୍ପର୍କରେ ବିସ୍ତୁତ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପାରାଦୀପ ପ୍ଲାଷ୍ଟିକ ପାର୍କ ଧୀରେ ଧୀରେ ସମ୍ପ୍ରସାରିତ ହେଉଛି। ପାରାଦୀପ ଅଏଲ ରିଫାଇନାରୀରେ ଏକ ଆନ୍ସିଲାରୀ କ୍ଲଷ୍ଟର ତିଆରି କରିବାର ପୂର୍ବରୁ ମୂଳ ଉଦ୍ଦେଶ୍ୟ ରହିଥିଲା। ସେ ଦିଗରେ ପ୍ଲାଷ୍ଟିକ ପାର୍କରେ ପ୍ରାୟ ୧୬ଟି କାରଖାନା ଇଡକୋ ଓ ଇଣ୍ଡିଆନ ଅଏଲର ପ୍ଲାଷ୍ଟିକ ପାର୍କ କର୍ପୋରେସନରୁ ଜମି ନେଇଛନ୍ତି। ଏଥିମଧ୍ୟରୁ ୩ଟି କାରଖାନା କାର୍ଯ୍ୟକ୍ଷମ ହୋଇଛି। ତନ୍ମଧ୍ୟରୁ ଆଜି ଲୋକାର୍ପିତ ହୋଇଥିବା ଏହି ପ୍ଲାଷ୍ଟିକ ବ୍ୟାଗ ଉତ୍ପାଦନ କାରଖାନା Energon Polymatics କମ୍ପାନୀ ଦ୍ୱାରା ସ୍ଥାପିତ ହୋଇଛି । ଏଠାରେ ପଲିପ୍ରପିଲିନ କାରଖାନାର କଞ୍ଚାମାଲକୁ ନେଇ ଏନରଗନ ପ୍ଲାଷ୍ଟିକ ବ୍ୟାଗ୍ ତିଆରି କରିବାର ଏକ ପ୍ରଡକ୍ଟ ଲାଇନ ତିଆରି କରିପାରିଥିବାରୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ଦ୍ୱାରା ପ୍ଲାଷ୍ଟିକ ବ୍ୟାଗ୍ ଉତ୍ପାଦନରେ ଓଡ଼ିଶା ଅଧିକ ଆତ୍ମନିର୍ଭର ହେବ। ପାରାଦୀପ ପ୍ଲାଷ୍ଟିକ ପାର୍କରେ ପ୍ଲାଷ୍ଟିକ ବ୍ୟାଗ ଉତ୍ପାଦନ କାରଖାନାର ପ୍ରକ୍ରିୟାକରଣ କ୍ଷମତା ରହିଛି ମାସିକ ୫୦୦ ମେଟ୍ରିକ୍ ଟନ। ଏହି ସ୍ୱୟଂଚାଳିତ ପ୍ଲାଣ୍ଟରେ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ ବ୍ୟାଗ୍ ତିଆରି ହେବ। ଏହି ବ୍ୟାଗ ତିଆରି ପାଇଁ ସିମେଣ୍ଟ, ଫର୍ଟିଲାଇଜର ଏବଂ ପେଟ୍ରୋକେମିକାଲ୍ସ ଶିଳ୍ପ ସହ ଆନୁସଙ୍ଗିକ ସୁବିଧା ରହିଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସବୁପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ। ଏହି ୟୁନିଟ୍ ଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଲୋକମାନେ ନିଯୁକ୍ତି ପାଇବା ସହ ସ୍ଥାନୀୟ ଓ ଓଡ଼ିଶାର ଅର୍ଥନୀତି ସୁଦୃଢ଼ ହେବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଭାବରେ ଏହି ପ୍ଲାଷ୍ଟିକ ପାର୍କର କଳ୍ପନା କରିଥିଲେ । ଆଗାମୀ ଦିନରେ ଓଡ଼ିଶା ସରକାରଙ୍କ ସହଯୋଗରେ କେମିକାଲ୍ସ ଏବଂ ପେଟ୍ରୋକେମିକାଲରେ  ଇଣ୍ଡିଆନ ଅଏଲର Naphtha Cracker ଦ୍ୱାରା ପ୍ରାୟ ୬୧ ହଜାର କୋଟି ଟଙ୍କା ଖର୍ଚ୍ଚ କରି ବହୁ ଆକାଂକ୍ଷୀ ଯୋଜନା କରିବା ପାଇଁ ଯାଉଛି ।  ପୂର୍ବ ସରକାରର ଅସହଯୋଗ କାରଣରୁ ଏହି କାମ ବିଳମ୍ବ ହୋଇଛି । ଆଜିର ଡବଲ ଇଞ୍ଜିନ ସରକାର ସଠିକ୍ ପଦକ୍ଷେପ ନିଆଯାଉଛି । ଆଗାମୀ ଦିନରେ ରାଜ୍ୟରେ ପେଟ୍ରୋକେମିକାଲ କ୍ଷେତ୍ରରେ ଅଭିବୃଦ୍ଧି ହେବ । ଏହି ପଦକ୍ଷେପ କ୍ଷୁଦ୍ର ଓ ମଧ୍ୟମ ଏବଂ ବୃହତ ଶିଳ୍ପକୁ ବଳ ଦେବ ।  ପରିବହନ, ରେଳଶକ୍ତିକୁ ଗତି ମିଳିବା ସହ ଓଡ଼ିଶାର ପୁଞ୍ଜି ବଢିବ । ପାରାଦୀପ ପେଟ୍ରୋକେମିକାଲ ଆଧାରିତ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହେବ । ଏହାବ୍ୟତୀତ ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା ପାଇଁ ଇଣ୍ଡିଆନ ଅଏଲ ୪,୩୮୨ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛି । ଇଣ୍ଡିଆନ ଅଏଲ ଓ  ଏମସିପିଆଇ ପ୍ରାଇଭେଟ ଲିମିଟେଡର ମିଳିତ ସହଭାଗୀତାରେ ଏହି ବୟନ ପାର୍କ ପ୍ରତିଷ୍ଠା ହେବ, ଯାହା ସ୍ୱାଗତଯୋଗ୍ୟ ।

ଶ୍ରୀ ପ୍ରଧାନ କହିଛନ୍ତି ଇଣ୍ଡିଆନ ଅଏଲର ପାରାଦୀପ ତୈଳ ବିଶୋଧନାଗାର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଓଡ଼ିଶା ପାଇଁ ଅବଦାନ । ଏହାକୁ ବାଜପେୟୀଜୀ ଶୁଭ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ । ସେହି ସମୟରେ ଏଠାରେ ପେଟ୍ରୋଲିୟମ ଉତ୍ପାଦ ସହ ପେଟ୍ରୋକେମିକାଲ ଉତ୍ପାଦ ବାହାର କରିବା ପାଇଁ ଯୋଜନା ହୋଇଥିଲା । ପାରାଦୀପରେ ଶିଳ୍ପାୟନର ବିକାଶ ପାଇଁ ପ୍ରାୟ ୬୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ ହୋଇଛି।

ବର୍ତ୍ତମାନ ସମୟରେ ଆମ ଯୁବବର୍ଗଙ୍କୁ ଚାକିରି କରିବା ପାଇଁ ନୁହେଁ ବରଂ ଚାକିରି ଦେବା ପାଇଁ ପ୍ରୋତ୍ସାହିତ କରିବା ଦରକାର। ଓଡ଼ିଶାର ଅର୍ଥନୀତିକୁ ମଜଭୂତ୍ କରିବା ପାଇଁ ହେଲେ ଆମ ପାଖରେ ଥିବା ସମ୍ଭାବନାକୁ ସ୍ଥାନୀୟ ଲୋକଙ୍କ ସହ ଯୋଡିବାକୁ ପଡିବ। ପାରାଦୀପରେ ପ୍ରସ୍ତାବିତ ପେଟ୍ରୋକେମିକାଲ କମ୍ପଲେକ୍ସ ହେଉ କିମ୍ବା ଭଦ୍ରକ ଟେକ୍ସଟାଇଲ ପାର୍କ କିମ୍ବା ସ୍ୱଚ୍ଛ ଇନ୍ଧନ ହାଇଡ୍ରୋଜେନ୍ ଉତ୍ପାଦନର ଯୋଜନା, ଏ ସବୁ କ୍ଷେତ୍ରରେ ଓଡ଼ିଶାର ନୂଆ ପରିଚୟ ତିଆରି ହେବ। ‘ପୂର୍ବୋଦୟ ମିଶନ’ରେ ଓଡ଼ିଶା ବିଶେଷ ଭାବରେ ପାରାଦୀପରେ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ବିଶେଷ ପ୍ରାଥମିକତା ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ଏହି ସମାରୋହରେ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବୋଲଗଡ଼ ବ୍ଲକ୍ ରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ

ଖୋର୍ଦ୍ଧା: ଆଜି ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗର ଗାଁ ପଞ୍ଚାୟତରେ ଜିଲ୍ଲାପାଳ ଖୋର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି। ମୋଟ ୨୨୯ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୨୦୬ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୧୪ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା।

ଉକ୍ତ ଅଭିଯୋଗମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୪ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ୩ ଜଣ ହିତାଧିକାରୀଙ୍କୁ ଯଥା କ୍ରମେ ୧୫,୦୦୦/-,୧୦,୦୦୦/- ଏବଂ ୫୦୦୦/-ଟଙ୍କା ଲେଖାଏ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ଆର୍ଥିକ ସହାୟତା ରାଶି ଏବଂ ୨ ଜଣଙ୍କୁ ୧୫,୦୦୦/- ୩୦୦୦/- ଟଙ୍କା ଲେଖାଏଁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି ।

ଆଜିର ମିଳିତ ଜନଶୁଣାଣି ଅବସରରେ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ,
ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନସେଠୀ, ସି ଡ଼ି ଏମ୍ଓ, ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିଜେବି ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା: ଆଜି ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା ଆନୁଷ୍ଠାନିକ ଭାବେ ସଭାକୁ ଉଦ୍‌ଘାଟନ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଯୁବପିଢିଙ୍କୁ ନିଜର କର୍ମ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ ଓ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।

ଅନ୍ୟ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା କ୍ରୀଡ଼ା ଅଧୂକାରୀ ଅଜୟ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିଥିଲେ।

ମୁଖ୍ୟ ଅତିଥି ଯୁବ ଉତ୍ସବ ମାଧ୍ୟମରେ ଯୁବକ ଯୁବତୀମାନଙ୍କର ପ୍ରତିଭା ବିକଶିତ ହୋଇପାରିବ ବୋଲି କହିଥିଲେ ଓ ଜିଲ୍ଲା ରାଜ୍ୟ ଓ ଜାତୀୟ ସ୍ତରୀୟ ଯୁବ ଉତ୍ସବରେ କୃତିତ୍ୱ ହାସଲ କରି ଖୋରଧା ଜିଲ୍ଲାକୁ ଗୌରବାନ୍ବିତ କରିବାକୁ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଯଥା ଦଳଗତ ଲୋକ ନୃତ୍ୟ, ଏକକ ଲୋକନୃତ୍ୟ, ଏକକ ଲୋକ ଗୀତ, ଦଳଗତ ଲୋକ ଗୀତ, ଔପଚାରିକ ବକ୍ତୃତା ହିନ୍ଦୀ ଓ ଇଂରାଜୀ, ଚିତ୍ରାଙ୍କନ, ଗଳ୍ପ ଲିଖନ ଇଂରାଜୀ ଓ ହିନ୍ଦୀ, ପଦ୍ୟ ଲିଖନ ଇଂରାଜୀ ଓ ହିନ୍ଦୀ ଅନୁଷ୍ଠିତ ହୋଇଥିଲା। ଯୁବ ଉତ୍ସବରେ କେବଳ ଜିଲ୍ଲାର ୧୫ ରୁ ୨୯ ବର୍ଷୀୟ ଯୁବକ ଯୁବତୀମାନେ ଅଂଶ ଗ୍ରହଣ କରିଥିଲେ।

ଏହି ଅବସରରେ ଅନୁଷ୍ଠିତ ୧୧ ଟି ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଆର୍ଥିକ ପୁରସ୍କାର ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନେହେରୁ ସେବା ସଂଘ ତରଫରୁ ପୋଷ୍ୟ ସନ୍ତାନ ଗ୍ରହଣ କରିନେଇଥିବା ବିଦେଶୀ ଦମ୍ପତିଙ୍କୁ ସମ୍ବର୍ଦ୍ଧନା

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ନେହେରୁ ସେବା ସଂଘ ଭବାନୀପାଟଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କଳାହାଣ୍ଡି ତରଫରୁ ଭବାନୀପାଟଣାର ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଇଟାଲୀର ଦମ୍ପତି ଲୁସିଆନା ରୋସି ଓ ଲୁଇଗୀ ରୋସୋ ଏବଂ ଝିଅ ପ୍ରତୀକ୍ଷାକୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟ କୁମାର ଦରୱାନଙ୍କ ଦ୍ଵାର ବିଦେଶୀ ଦମ୍ପତି ଏବଂ ପୋଷ୍ୟ ସନ୍ତାନ ଝିଅ ପ୍ରତୀକ୍ଷା କୁ ସମ୍ବର୍ଦ୍ଧନା କରାଯାଇଥିଲା।

ପ୍ରକାଶ ଥାଉକି ପୋଷ୍ୟ ସନ୍ତାନ ଝିଅ ପ୍ରତୀକ୍ଷାକୁ ସେପ୍ଟେମ୍ବର ୨୧ ତାରିଖ ୨୦୧୬ ମସିହାର ଇଟାଲୀର ଏହି ଦମ୍ପତି ନିଜର ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିନେଇଥିଲେ। ପୋଷ୍ୟ ସନ୍ତାନ ଗ୍ରହଣ କରିବାର ୮ ବର୍ଷ ପରେ ବିଦେଶରୁ ନିଜର ଜନ୍ମ ମାଟି କଳାହାଣ୍ଡିକୁ ପ୍ରତୀକ୍ଷା ନିଜର ମା ବାପା ସହିତ ମିଶି ଆସିଥିବାରୁ ଖୁସି ଅନୁଭବ କରିଛି ଓ ଇଟାଲୀରେ ଭଲରେ ରହି ପାଠ ପଢୁଥିବା କହିଥିଲେ।

ଇଟାଲୀର ଏହି ଦମ୍ପତି ଝିଅ ପ୍ରତୀକ୍ଷାକୁ ପାଇ ବହୁତ ଖୁସି ବିଶେଷ କରି କଳାହାଣ୍ଡି ଆସିଥିବାରୁ ଏବଂ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବାରୁ ଜିଲ୍ଲା ପ୍ରଶାସନ ଓ ନେହେରୁ ସେବା ସଂଘକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ମହକ ଏବଂ ଉତ୍ସାହ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଜିଲ୍ଲାର ଶିଶୁମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସି.ଡବ୍ଲୁ.ସି. ର ଅଧ୍ୟକ୍ଷ ରୂପ କିଶୋର ହୋତା, ପୂର୍ବତନ ସି.ଡବ୍ଲୁ.ସି. ର ଅଧ୍ୟକ୍ଷ ଅଜୟ କୁମାର ମିଶ୍ର, ଜିଲ୍ଲା ସୂଚନା ଲୋକ ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ସହକାରୀ ଜିଲ୍ଲାପାଳ ମମତା ଦାସ୍, ଡି.ସି.ପି.ୟୁ. ରାଜଲକ୍ଷ୍ମୀ, ଓମ୍ ପ୍ରକାଶ ଅଗ୍ରୱାଲ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ୟୁନିଟର ପ୍ରୋଗ୍ରାମ ଅଫିସର ଅଂଶୁମାନବାବୁ ପରିଚାଳନା କରିଥିଲେ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗଂଜାମ ଜିଲ୍ଲା ବିଭବ କେନ୍ଦ୍ର ବୁଲି ଦେଖିଲେ ୫ଟି ରାଜ୍ୟର ପ୍ରତିନିଧି ଦଳ

ଭୁବନେଶ୍ଵର: ଝାରଖଣ୍ଡ, ବିହାର, ଗୁଜରାଟ, ୟୁପି ଓ ମଧ୍ୟପ୍ରଦେଶର ପ୍ରତିନିଧୀ ଦଳ ଶନିବାର ଗଂଜାମ ଜିଲ୍ଲା ଚମାଖଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ଯଜ୍ଞଶାଳ ଗ୍ରାମରେ ଥିବା ବିଭବକେନ୍ଦ୍ରକୁ ପରିଦର୍ଶନ କରଛନ୍ତି। ସେଠାରେ ହେଉଥିବା ବିଭିନ୍ନ କାର୍ଯ୍ୟ ର ତଦାରଖ କରିଥିଲେ। କେନ୍ଦ୍ରରେ କିଭଳି ଭାବେ ମାଟିରେ ମିଶୁଥିବା ଅର୍ବଜନା ଓ ମାଟିରେ ନ ମିଶି ପାରୁଥିବା ଅବର୍ଜନା ଯଥା; ବିଭିନ୍ନ କିସମର ପ୍ଲାଷ୍ଟିକ, ପଲିଥିନ, ଜରି, ଭଙ୍ଗା ଟିଣ, ଭଙ୍ଗାରୁଜା କାଚ ଇତ୍ୟାଦିର କିଭଳି ଭାବେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟଙ୍କ ଦ୍ୱାରା ସୁପରିଚାଳନା କରାଯାଉଛି ଏବଂ ଖତ ତିଆରି କରାଯାଉଛି ତାହାକୁ ବୁଲି ଦେଖିଥିଲେ। ସମସ୍ତ ପ୍ରକ୍ରିୟା ବିଶଦ ଭାବେ ବୁଝିଥିଲେ।

ତତ୍ ସହିତ ଚମାଖଣ୍ଡି ପଂଚାୟତର ଥିବା ଗୋଷ୍ଠୀ ଶୌଚାଳୟ ଦେଖିଥିଲେ। ଏହାପରେ ଶ୍ରୀରାମଚନ୍ଦ୍ରପୁର ପଂଚାୟତର ଏ ତୋଟାପଲ୍ଲୀ ଗ୍ରାମ ପରିଦର୍ଶନ କରିଥିଲେ। ସେଠାରେ ଆବର୍ଜନା ପାଣିର ସୁପରିଚାଳନା କରାଯାଉଛି ତାହା ଦେଖିଲେ ଏବଂ ବ୍ୟକ୍ତିଗତ ଶୌଚାଳୟ, ଗ୍ରାମର ଡ୍ରେନ ବ୍ୟବସ୍ଥା, ଗୃହରୁ ବାହାରୁଥିବା ଆବର୍ଜନାର ସୁପରିଚାଳନା ନିମନ୍ତେ ଦିଆଯାଉଥିବା ଅଳିଆ ଡାବା(ଡଷ୍ଟବିନ) ବିଷୟରେ ପଚାରି ବୁଝିଥିଲେ।

ଏହି ପରିଦର୍ଶନ ଝାରଖଣ୍ଡ, ବିହାର, ଗୁଜରାଟ, ୟୁପି ଓ ମଧ୍ୟପ୍ରଦେଶ ରାଜ୍ୟ ମିଶନ ଡାଇରେକ୍ଟର , ଗଂଜାମ ଜିଲ୍ଲା ପରିଷଦର ସିଡିଓ ମଧ୍‌ୁମିତା , ଓରମାସ ର ଡେପୁଟି ସିଇଓ , ଜଳ ଓପରିମଳ ର ଜିଲ୍ଲା ସଂଯୋଜିକା ନମିତା ପ୍ରଧାନ, ଛତ୍ରପୁର ବ୍ଲକର ଭାରପ୍ରାପ୍ତ ବିଡିଓ ଜୟଶ୍ରୀ ନାୟକ , ଚମାଖଣ୍ଡି ସରପଞ୍ଚ ସିଏଚ. ମନୋଜ କୁମାର ରେଡ୍ଡୀ, ପିଇଓ ଦଣ୍ଡପାଣି ପ୍ରଧାନ, ଓଡିଶା ଜିଭିକା ମିସନର ଛତ୍ରପୁର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ଙ୍କ ଅନ୍ୟାନ୍ୟ ଅଧହିକାରୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନେ।

ସୂଚନା ଯୋଗ୍ୟ ଗତ ୧୯ ତାରିଖ ରେ ଗୋପାଳପୁରରେ ଅନୁଷ୍ଠିତ ଦୁଇ ଦିନିଆ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମ୍ପର୍କିତ ଆଞ୍ଚଳିକ କର୍ମଶାଳାରେ ଯୋଗ ଦାନ ନିମନ୍ତେ ଝାରଖଣ୍ଡ, ବିହାର, ଗୁଜରାଟ, ୟୁପି ଓ ମଧ୍ୟପ୍ରଦେଶ ର ପ୍ରତିନିଧୀ ଦଳ ଆସିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାସ୍ତା କଡକୁ ଓଲଟିଲା ବସ: ଅନେକ ଯାତ୍ରୀ ଆହତ

ଭୁବନେଶ୍ଵର: ଆଜି ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ କଣ୍ଟାବଣ ସ୍ଥିତ ବଡପଡା ପେଲ ନିକଟରେ ଉମାଶଙ୍କର ନାମକ ଏକ ଘରୋଇ ବସ୍ ହଠାତ୍ ଭରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବାରୁ ବସ୍ ମଧ୍ୟରେ ଥିବା ଶତାଧିକ ଯାତ୍ରୀ ଆହତ। ବସର ହେଲପର ସମେତ ଅନ୍ୟାନ୍ୟ ଆହାତ ଯାତ୍ରୀ ମାନଙ୍କୁ ସଂଗେ ସଂଗେ ୧୦୮ ଆମ୍ବୁଲାନସ୍ ଯୋଗେ କେନ୍ଦ୍ରାପଡା ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣା ପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାକ୍ଷାତ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୋଟିଏ ଏକ୍ସ ପୋଷ୍ଟରେ ଦର୍ଶାଯାଇଛି:

‘‘ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରଧାନମନ୍ତ୍ରୀ @narendramodiଙ୍କୁ ସାକ୍ଷାତ କରିଛନ୍ତି।’’

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିରର ଦୁଇ ଜଣ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ପୁରୀ: ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ଦୁଇଜଣ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେମାନେ ହେଲେ ମୁଖ ପଖାଳ ସେବକ ଶ୍ରୀ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆ। ଶ୍ରୀମନ୍ଦିର ଆଇନ୍ ୨୧-କ ଧାରା ଅନୁସାରେ ଉଭୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ, ସେନେଇ ସନ୍ତୋଷଜନକ କୈଫିୟତ ରଖିବାକୁ ୭ ଦିନର ସମୟ ଦିଆଯାଇଛି। ଶ୍ରୀମନ୍ଦିର କମାଣ୍ଡରଙ୍କ ଜରିଆରେ ଏହି କେଫିୟତ ଦାଖଲ କରିବାକୁ କୁହାଯିବା ସହ ଧାର୍ଯ୍ୟ ସମୟ ଭିତରେ ଏହା ହସ୍ତଗତ ନହେଲେ, କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଅଛି।

ନୋଟିସରେ କୁହାଯାଇଛି ଯେ, ଗତ ତା ୧୬-୧୨-୨୪ ରିଖ ଦିନ ମୁକ୍ତିମଣ୍ଡପ ସାମ୍ନାରେ ଅବକାଶ ପାଦୁକା ବଣ୍ଟନକୁ ନେଇ ଉଭୟ ସେବକ ପରସ୍ପରକୁ ଗାଳିଗୁଳଜ କରିବା ସହ ମାରପିଟ୍ କରି ରକ୍ତାକ୍ତ କରିଥିଲେ। ଏହି ଘଟଣାକୁ ଯୋଗୁଁ ଶ୍ରୀମନ୍ଦିର ପରିସରରେ ସେତେବେଳ ଉପସ୍ଥିତ ଥିବା ଭକ୍ତଙ୍କ ମାନେ ଶୃଙ୍ଖଳା ନେଇ ସନ୍ଦେହ ପ୍ରକାଶ କରିଥିଲେ।

ସେହିପରି ଶ୍ରୀମନ୍ଦିର ଗାରିମା ଓ ମର୍ଯ୍ୟାଦା ମଧ୍ୟ କ୍ଷୁର୍ଣ୍ଣ ହୋଇଥିଲା। ତେଣୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ ସେନେଇ ସନ୍ତୋଷଜନକ କୈଫିୟତ ଦାଖଲ କରିବାକୁ ନୋଟିସରେ କୁହାଯାଇଅଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଏହି ନୋଟିସ୍ ଜାରି କରିବା ସହ ଆଉଥରେ ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀମନ୍ଦିର ମଧ୍ୟରେ ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ। ଶ୍ରୀମନ୍ଦିର ଗାରିମା ଉପରେ ପ୍ରଭାବ ପକାଉଥିବା ଏଭଳି ଘଟଣା ଉପରେ କଡା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଗ୍ରହଣ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର

ନବନିଯୁକ୍ତ କର୍ମଚାରୀଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ଯୁବକଯୁବତୀମାନଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣ ଓ ଆତ୍ମ-ସଶକ୍ତୀକରଣରେ ଯୋଗଦାନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରି ସଶକ୍ତ କରିବ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଗତକାଲି ବିଳମ୍ବିତ ରାତିରେ କୁଏତରୁ ଫେରିଥିଲେ। ସେଠାରେ ସେ ଭାରତୀୟ ଯୁବବର୍ଗ ଏବଂ ପେସାଦାରମାନଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି। ଏହା ଏକ ଅତ୍ୟନ୍ତ ସୁଖଦ ସୌଭାଗ୍ୟ ଯେ ଫେରିବା ପରେ ଦେଶର ଯୁବକମାନଙ୍କ ସହିତ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ହେଉଛି। ‘‘ଦେଶର ହଜାର ହଜାର ଯୁବକଯୁବତୀଙ୍କ ପାଇଁ ଆଜି ଏକ ନୂଆ ଆରମ୍ଭ। ଅନେକ ବର୍ଷର ସ୍ୱପ୍ନ ସାକାର ହୋଇଛି, ବର୍ଷ ବର୍ଷର କଠିନ ପରିଶ୍ରମ ଫଳ ଦେଇଛି। ୨୦୨୪ର ଏହି ବିଦାୟୀ ବର୍ଷ ଆପଣଙ୍କ ପାଇଁ ନୂଆ ଖୁସି ନେଇ ଆସୁଛି। ମୁଁ ଆପଣ ସମସ୍ତଙ୍କୁ ଏବଂ ଆପଣଙ୍କ ପରିବାରକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି,’’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ରୋଜଗାର ମେଳା ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ଯୁବ ପ୍ରତିଭାଙ୍କ ସମ୍ପୂର୍ଣ୍ଣ ଉପଯୋଗକୁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ। ବିଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ସରକାରୀ ଚାକିରି ଦେବା ପାଇଁ ପ୍ରୟାସ ଚାଲିଛି। ଆଜି ୭୧ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଗତ ଦେଢ଼ ବର୍ଷ ମଧ୍ୟରେ ପାଖାପାଖି ୧୦ ଲକ୍ଷ ସ୍ଥାୟୀ ସରକାରୀ ଚାକିରି ପ୍ରଦାନ କରାଯାଇ ଏକ ଉଲ୍ଲେଖନୀୟ ରେକର୍ଡ ସୃଷ୍ଟି କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ। ଏହି ଚାକିରିଗୁଡ଼ିକ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଯୋଗାଇ ଦିଆଯାଉଛି ଏବଂ ନୂତନ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନିଷ୍ଠା ଏବଂ ସମର୍ପଣର ସହ ଦେଶର ସେବା କରୁଛନ୍ତି।

କୌଣସି ଦେଶର ବିକାଶ ଏହାର ଯୁବବର୍ଗଙ୍କ କଠିନ ପରିଶ୍ରମ, ସାମର୍ଥ୍ୟ ଓ ନେତୃତ୍ୱ ଉପରେ ନିର୍ଭର କରେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ। ଶ୍ରୀ ମୋଦୀ କହିଥିଲେ, ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ଭାରତ ସଂକଳ୍ପବଦ୍ଧ, କାରଣ ଦେଶର ନୀତି ଓ ନିଷ୍ପତ୍ତି ଏହାର ପ୍ରତିଭାବାନ ଯୁବକମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଉଛି। ଗତ ଏକ ଦଶନ୍ଧି ମଧ୍ୟରେ ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ଷ୍ଟାର୍ଟଅପ୍ ଇଣ୍ଡିଆ, ଷ୍ଟାଣ୍ଡ-ଅପ୍ ଇଣ୍ଡିଆ ଏବଂ ଡିଜିଟାଲ୍ ଇଣ୍ଡିଆ ଭଳି ପଦକ୍ଷେପ ଯୁବବର୍ଗଙ୍କୁ ଆଗରେ ରଖିଛି ବୋଲି ସେ କହିଥିଲେ।

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥା ଏବଂ ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି। ଆଜି ଭାରତୀୟ ଯୁବପିଢ଼ି ନୂଆ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୋଇ ରହିଛନ୍ତି। ସେମାନେ ସବୁ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି। ଆଜି ଷ୍ଟାର୍ଟଅପ୍ ଆରମ୍ଭ କରୁଥିବା ଯୁବ ଉଦ୍ୟୋଗୀମାନେ ଏକ ଦୃଢ଼ ସମର୍ଥନ ବ୍ୟବସ୍ଥା ଦ୍ୱାରା ଉପକୃତ ହେଉଛନ୍ତି। ସେହିଭଳି କ୍ରୀଡ଼ାରେ କ୍ୟାରିୟର କରୁଥିବା ଯୁବଗୋଷ୍ଠୀଙ୍କ ବିଶ୍ୱାସ ରହିଛି ଯେ ସେମାନେ ବିଫଳ ହେବେ ନାହିଁ କାରଣ ସେମାନଙ୍କୁ ବର୍ତ୍ତମାନ ଆଧୁନିକ ପ୍ରଶିକ୍ଷଣ ସୁବିଧା ଏବଂ କ୍ରୀଡ଼ା ପ୍ରତିଯୋଗିତା ଦ୍ୱାରା ସମର୍ଥନ ମିଳୁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ମୋବାଇଲ ଉତ୍ପାଦନ କ୍ଷେତ୍ରରେ ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର ପାଲଟିଛି। ଅକ୍ଷୟ ଶକ୍ତି, ଜୈବିକ କୃଷି, ମହାକାଶ, ପ୍ରତିରକ୍ଷା, ପର୍ଯ୍ୟଟନ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଭାରତ ଅଗ୍ରଗତି କରୁଛି, ନୂତନ ସୁଯୋଗ ସୃଷ୍ଟି କରୁଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ନୂତନ ଉଚ୍ଚତାରେ ପହଞ୍ଚୁଛି।

ଦେଶର ପ୍ରଗତି ଏବଂ ନୂତନ ଭାରତ ଗଠନ ପାଇଁ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ଯୋଗାଇ ଦେରିବା ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଦାୟିତ୍ୱ ଶିକ୍ଷା ବ୍ୟବସ୍ଥା ଉପରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ। ଜାତୀୟ ଶିକ୍ଷା ନୀତି (ଏନଇପି) ଭାରତକୁ ଏକ ଆଧୁନିକ ଶିକ୍ଷା ବ୍ୟବସ୍ଥା ଆଡକୁ ଆଗେଇ ନେଉଛି ଯାହା ଛାତ୍ରଛାତ୍ରୀଙ୍କୁ ନୂତନ ସୁଯୋଗ ପ୍ରଦାନ କରୁଛି।

ଶ୍ରୀ ମୋଦୀ କହିଥିଲେ ଯେ ପୂର୍ବରୁ ଏକ ବ୍ୟବସ୍ଥାଗତ ପ୍ରତିବନ୍ଧକ ଥିଲା, କିନ୍ତୁ ବର୍ତ୍ତମାନ ଅଟଳ ଟିଙ୍କରିଂ ଲ୍ୟାବ୍ ଏବଂ ପିଏମ-ଶ୍ରୀ ବିଦ୍ୟାଳୟ ଭଳି ପଦକ୍ଷେପ ମାଧ୍ୟମରେ ଅଭିନବତାକୁ ପ୍ରୋତ୍ସାହିତ କରାଯାଉଛି। ମାତୃଭାଷାରେ ପାଠପଢ଼ା ଓ ପରୀକ୍ଷାକୁ ଅନୁମତି ଦେବା ସହ ୧୩ଟି ଭାଷାରେ ନିଯୁକ୍ତି ପରୀକ୍ଷା ଦେଇ ଗ୍ରାମୀଣ ଯୁବକ ଓ ଅବହେଳିତ ସମ୍ପ୍ରଦାୟର ଭାଷା ପ୍ରତିବନ୍ଧକକୁ ସରକାର ଦୂର କରିଛନ୍ତି। ଏହାବ୍ୟତୀତ ସୀମାବର୍ତ୍ତୀ ଅଞ୍ଚଳର ଯୁବକଙ୍କ ପାଇଁ କୋଟା ବୃଦ୍ଧି କରାଯିବା ସହ ସ୍ଥାୟୀ ସରକାରୀ ଚାକିରି ପାଇଁ ସ୍ୱତନ୍ତ୍ର ନିଯୁକ୍ତି ବ୍ୟବସ୍ଥା କରାଯାଇଛି। ଆଜି ୫୦,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ପାଇଁ ନିଯୁକ୍ତି ପତ୍ର ମିଳିଛି, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆଜି ଚୌଧୁରୀ ଚରଣ ସିଂଜୀଙ୍କ ଜୟନ୍ତୀ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷ ସ୍ୱର୍ଗତ ଚୌଧୁରୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ସରକାରଙ୍କ ପାଇଁ ଗୌରବର ବିଷୟ। ‘‘ଆମକୁ ଖାଦ୍ୟ ଯୋଗାଉଥିବା କୃଷକମାନଙ୍କୁ ସମ୍ମାନ ଜଣାଇ ଆମେ ଏହି ଦିନକୁ କୃଷକ ଦିବସ ଭାବରେ ପାଳନ କରୁଛୁ। ଚୌଧୁରୀ ସାହେବ ବିଶ୍ୱାସ କରୁଥିଲେ ଯେ ଦେଶର ପ୍ରଗତି ଗ୍ରାମୀଣ ଭାରତର ଉନ୍ନତି ଉପରେ ନିର୍ଭର କରେ। ଆମ ସରକାରଙ୍କ ନୀତି ଗ୍ରାମାଞ୍ଚଳରେ, ବିଶେଷ କରି କୃଷି କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ନୂତନ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିଛି,’’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ବାୟୋଗ୍ୟାସ ପ୍ଲାଣ୍ଟ ସ୍ଥାପନ କରିଥିବା ଗୋବର-ଧନ ଯୋଜନା ଭଳି ପଦକ୍ଷେପ ଶକ୍ତି ଉତ୍ପାଦନ କରିବା ସହିତ ନିଯୁକ୍ତି ସୃଷ୍ଟି କରିଛି ବୋଲି ଶ୍ରୀ ମୋଦୀ ଜୋର୍‌ ଦେଇ କହିଥିଲେ। ସେ କହିଥିଲେ, କୃଷି ବଜାରକୁ ସଂଯୋଗ କରୁଥିବା ଇ-ନାମ ଯୋଜନା ନୂତନ ନିଯୁକ୍ତି ସୁଯୋଗ ଖୋଲିଛି। ଇଥାନଲ ମିଶ୍ରଣ ବୃଦ୍ଧି କୃଷକମାନଙ୍କୁ ଉପକୃତ କରିଛି ଏବଂ ଚିନି କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିଛି। ପାଖାପାଖି ୯,୦୦୦ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ପ୍ରତିଷ୍ଠା କିପରି ବଜାର ପ୍ରବେଶରେ ଉନ୍ନତି ଆଣିଛି ଏବଂ ଗ୍ରାମୀଣ ନିଯୁକ୍ତି ସୃଷ୍ଟି କରିଛି ସେ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଏଥିସହିତ ହଜାର ହଜାର ଶସ୍ୟ ଭଣ୍ଡାର ଗୋଦାମ ନିର୍ମାଣ ପାଇଁ ସରକାର ଏକ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଯାହାକି ଉଲ୍ଲେଖନୀୟ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୁଯୋଗ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ କହିଥିଲେ, ସରକାର ପ୍ରତ୍ୟେକ ନାଗରିକଙ୍କୁ ବୀମା ସୁବିଧା ପ୍ରଦାନ କରିବା ପାଇଁ ବୀମା ସଖୀ ଯୋଜନା ଆରମ୍ଭ କରିଛନ୍ତି, ଯାହା ଗ୍ରାମାଞ୍ଚଳରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଡ୍ରୋନ୍ ଦିଦି, ଲଖପତି ଦିଦି ଓ ବ୍ୟାଙ୍କ ସଖୀ ଯୋଜନା ଭଳି ପଦକ୍ଷେପ ମଧ୍ୟ କୃଷି ଓ ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି କରୁଛି। ଆଜି ହଜାର ହଜାର ମହିଳାଙ୍କୁ ନିଯୁକ୍ତି ପତ୍ର ମିଳିଛି ଏବଂ ସେମାନଙ୍କ ସଫଳତା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ। ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ୨୬ ସପ୍ତାହର ମାତୃତ୍ୱ ଅବକାଶ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଲକ୍ଷ ଲକ୍ଷ ମହିଳାଙ୍କ ଜୀବିକାକୁ ସୁରକ୍ଷିତ ରଖିଛି ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ବିଶେଷ ଭାବେ କହିଥିଲେ, ପୂର୍ବରୁ ପୃଥକ ଶୌଚାଳୟ ଅଭାବରୁ ଅନେକ ଛାତ୍ରୀଙ୍କୁ ସ୍କୁଲ ଛାଡିବାକୁ ପଡୁଥିଲା। ସ୍ୱଚ୍ଛ ଭାରତ ଅଭିଯାନ ମହିଳାଙ୍କ ଉନ୍ନତିରେ ଥିବା ପ୍ରତିବନ୍ଧକକୁ ଦୂର କରିଛି। ସେ କହିଥିଲେ ଯେ ସୁକନ୍ୟା ସମୃଦ୍ଧି ଯୋଜନା ବାଳିକା ଶିକ୍ଷା ପାଇଁ ଆର୍ଥିକ ସହାୟତା ସୁନିଶ୍ଚିତ କରିଛି। ସେହିପରି ମହିଳାଙ୍କ ପାଇଁ ୩୦ କୋଟି ଜନଧନ ଆକାଉଣ୍ଟରେ ସରକାରୀ ଯୋଜନାର ପ୍ରତ୍ୟକ୍ଷ ଲାଭ ପହଞ୍ଚି ପାରୁଛି। ମୁଦ୍ରା ଯୋଜନା ଜରିଆରେ ମହିଳାମାନେ ଏବେ ବିନା ବନ୍ଧକରେ ଋଣ ପାଇପାରିବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକାଂଶ ଘର ମହିଳାଙ୍କ ନାମରେ ଆବଣ୍ଟନ ସୁନିଶ୍ଚିତ ହୋଇଛି । ପୋଷଣ ଅଭିଯାନ, ସୁରକ୍ଷିତ ମାତୃତ୍ୱ ଅଭିଯାନ ଏବଂ ଆୟୁଷ୍ମାନ ଭାରତ ଭଳି ପଦକ୍ଷେପ ମହିଳାମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ, ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଧାନସଭା ଏବଂ ଲୋକସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ସୁନିଶ୍ଚିତ କରିଛି ଯାହା ଦେଶରେ ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ଆଗକୁ ବଢ଼ାଇବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ନିଯୁକ୍ତି ପତ୍ର ପାଉଥିବା ଯୁବକମାନେ ଏକ ନୂତନ ରୂପାନ୍ତରିତ ସରକାରୀ ବ୍ୟବସ୍ଥାରେ ଯୋଗ ଦେଉଛନ୍ତି । ଗତ ଏକ ଦଶନ୍ଧି ମଧ୍ୟରେ ସରକାରୀ କର୍ମଚାରୀଙ୍କ ନିଷ୍ଠା ଓ କଠିନ ପରିଶ୍ରମ ଯୋଗୁଁ ସରକାରୀ କାର୍ଯ୍ୟାଳୟଗୁଡ଼ିକର ଦକ୍ଷତା ଓ ଉତ୍ପାଦକତାରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ଶିଖିବା ଏବଂ ଆଗକୁ ବଢିବା ପାଇଁ ଆଗ୍ରହ ଯୋଗୁଁ ଏହି ଲକ୍ଷ୍ୟରେ ପହଞ୍ଚିଛନ୍ତି ଏବଂ ସାରା ଜୀବନ ଏହି ମନୋଭାବ ବଜାୟ ରଖିବା ଜରୁରୀ । ସେ ଆଇଜିଓଟି କର୍ମଯୋଗୀ ପ୍ଲାଟଫର୍ମରେ ସରକାରୀ କର୍ମଚାରୀଙ୍କ ପାଇଁ ବିଭିନ୍ନ ପାଠ୍ୟକ୍ରମର ଉପଲବ୍ଧତା ଉପରେ ଆଲୋକପାତ କରିବା ସହ ଏହି ଡିଜିଟାଲ ପ୍ରଶିକ୍ଷଣ ମଡ୍ୟୁଲକୁ ନିଜ ସୁବିଧା ଅନୁସାରେ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ । ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ, ‘‘ଆଜି ପୁଣି ଥରେ ନିଯୁକ୍ତି ପତ୍ର ପାଇଥିବା ପ୍ରାର୍ଥୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି’’ ।

ପୃଷ୍ଠଭୂମି

ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ଏହାଦ୍ୱାରା ଦେଶ ନିର୍ମାଣ ଓ ଆତ୍ମସଶକ୍ତୀକରଣରେ ଯୁବବର୍ଗଙ୍କ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ମିଳିବ।
ରୋଜଗାର ମେଳା ସାରା ଦେଶରେ ୪୫ଟି ସ୍ଥାନରେ ଅନୁଷ୍ଠିତ ହୋଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପାଇଁ ଏହି ନିଯୁକ୍ତି ଦିଆଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ଚୟନ ହୋଇଥିବା ନବନିଯୁକ୍ତ ପ୍ରାର୍ଥୀମାନେ ଗୃହ ମନ୍ତ୍ରଣାଳୟ, ଡାକ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ଯୋଗ ଦେବେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦାଦାବଟି ମାଗିବା ଅଭିଯୋଗରେ ଦୁଇ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅର୍ନ୍ତଗତ ଶ୍ରୀରାମ ନଗର ଅଞ୍ଚଳର କବିର ପାତ୍ର ନାମକ ଜଣେ ବ୍ୟବସାୟୀଙ୍କୁ ଗତ ଶନିବାର ମଧ୍ୟାହ୍ନରେ ପୁରୁଣା ଅପରାଧୀ ଭାଲୁ ସାମଲ ନେତୃତ୍ୱରେ କିଛି ଯୁବକ ଆତର୍କିତ ଭାବେ ଆକ୍ରମଣ କରି ୩୦ ଲକ୍ଷ ଟଙ୍କା ଦାବୀ କରିଥିଲେ। ନଚେତ୍ ପୁରା ପରିବାର କୁ ହତ୍ୟା ଧମକ ଦେଇ ସେଠାରୁ ଚାଲିଯାଇଥିଲେ।

ପରବର୍ତ୍ତୀ ସମୟରେ ଆତଙ୍କିତ କବିର ପାତ୍ର ବଡ଼ବଜାର ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ନିକଟରେ ସଂଲଗ୍ନ ସିସିଟିଭି କ୍ୟାମେରା ଫୁଟେଜକୁ ଆଧାର କରି ପୋଲିସ ଦୁଇ ଯୁବକ ବିକି ମହାପାତ୍ର ଓ ରିଙ୍କୁ ସାମଲ କୁ ବିଭିନ୍ନ ଅପରାଧୀକ ମାମଲା ରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଘଟଣାରେ ବ୍ୟବହୃତ ଦୁଇଟି ମୋଟରସାଇକେଲ କୁ ଜବତ କରିଛନ୍ତି।

ଏତଦବ୍ୟତୀତ ଆଉ ସମସ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲିି ଥାନା ସୁତ୍ରରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା

ପୁରୀ: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାର ୧୨୭ ଜଣ ଯାତ୍ରୀ ସିରିଡି ଓ ନାସିକ ଗସ୍ତରେ ଯିବେ। ସେମାନଙ୍କୁ ସହଯୋଗ ପାଇଁ ୪ ଜଣ ସହାୟକ ଅଧିକାରୀ ମଧ୍ୟ ସେମାନଙ୍କ ସହ ଯିବେ। ଏ ନେଇ ପୁରୀ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଶ୍ରୀ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ତୀର୍ଥଯାତ୍ରାରେ ଯିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଅନଲାଇନ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଥିବା ବେଳେ ସେଥିରେ ୪୭୫ ଜଣ ଏକକ ଓ ଦମ୍ପତି ଆବେଦନ କରିଥିଲେ। ତେବେ ଆବେଦନ କାରୀ ଙ୍କ ଇ-ରାଣ୍ଡେମାଇଜେସନ ବା କମ୍ପ୍ୟୁଟର ଲଟେରୀ ପ୍ରକ୍ରିୟା ଅନୁସାରେ ଚିହ୍ନଟ କରାଯାଇ ପ୍ରଥମ ପର୍ଯ୍ୟାୟରେ ସିରିଡି ଓ ନାସିକ କୁ ଜାନୁଆରୀ ୧୭ ରୁ ଜାନୁଆରୀ ୨୨ ତାରିଖ ପଠାଯିବ।

ରାଣ୍ଡେମାଇଜେସନରେ ଯୋଗ୍ୟ ତୀର୍ଥଯାତ୍ରୀ ଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ। ଜାନୁଆରୀ ୧୬ ତାରିଖରେ ତୀର୍ଥଯାତ୍ରୀ ମାନେ ପର୍ଯ୍ୟଟନ କାର୍ଯ୍ୟାଳୟ ରେ ପହଞ୍ଚିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ସ୍ବତନ୍ତ୍ର ଗାଡ଼ିରେ ଭୁବନେଶ୍ୱର ପଠାଯିବ।ଭୁବନେଶ୍ୱର ରୁ ସେମାନେ ୧୭ ତାରିଖ ରୁ ଯାତ୍ରା ଆରମ୍ଭ କରିବେ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ରାଣ୍ଡେମାଇଜେସନ କରାଯାଇ ୧୨୭ ଜଣ ଙ୍କୁ ଅଯୋଧ୍ୟା ଓ ବନାରସ ପଠାଯିବ।ପ୍ରଥମ ପର୍ଯ୍ୟାୟରେ ଯାଇଥିବା ବ୍ୟକ୍ତି ଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ କରାଯିବ ନାହିଁ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଅଛି।

Categories
ଆଜିର ଖବର ରାଜ୍ୟ ଖବର

ପାଣି ପଞ୍ଚାୟତ ସଚେତନତା ରଥର ଶୁଭ ଉଦଘାଟନ

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ତା ୨୨. ୧୨. ୨୪ ରିଖ ଠାରୁ ତା ୦୫. ୦୧. ୨୫ ରିଖ ପର୍ଯ୍ୟନ୍ତ ପାଳନ ଅବସରରେ ଆଜି ଦିବା ୧୦ ଘଟିକା ସମୟରେ ପାଣି ପଞ୍ଚାୟତ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ନୀଲୁ ମହାପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁଭ ଉଦଘାଟନ କରିଛନ୍ତି। ଏହି ରଥଟି ଆଜିଠାରୁ ତା ୨୯. ୧୨. ୨୪ ରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ଓ ସେଚ ଅଞ୍ଚଳରେ ଥିବା ମୁଖ୍ୟ ମାର୍ଗ ଦେଇ ପାଣି ପଞ୍ଚାୟତ ଓ ଜଳସେଚନ ସମ୍ବନ୍ଧୀୟ ବାର୍ତ୍ତା ପ୍ରଚାର କରିବ।

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ସମାବେଶ ଜଣ୍ଟିଲୋ ଠାରେ ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ଉଠା ଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ, ଡେରାବିଶ, ପଟ୍ଟାମୁଣ୍ଡାଇ ଓ ପାଟକୁରା ଜଳସେଚନ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇଥିଲେ।

ଉକ୍ତ ବୈଠକରେ ଅଗ୍ରଣୀ ଚାଷୀ,ସେଚ ଅଞ୍ଚଳର ପାଣି ପଞ୍ଚାୟତ କର୍ମକର୍ତ୍ତା ଓ ଜଳସେଚନ ବିଭାଗର କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ। ବିଭାଜନ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ନାଟକ ମହୋତ୍ସବ- ୨୦୨୪ ଉଦଘାଟିତ

ଭୁବନେଶ୍ଵର: କଳାହାଣ୍ଡି ଜିଲ୍ଲା ଟାଉନ୍ ହଲ୍ ଠାରେ ‘ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଉମା ଶଙ୍କର କର, ସାରଳା ପୁରସ୍କାର ପ୍ରାପ୍ତ ତଥା ବିଶିଷ୍ଟ ସଂସ୍କୃତିବିତ୍ ଜୟନ୍ତ ବେହେରା, ଶିକ୍ଷାବିତ୍ ତଥା ବରିଷ୍ଠ ନାଟ୍ୟକାର ଉମେଶ ଚନ୍ଦ୍ର ଶତପଥୀ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମର ସଭାପତିତ୍ଵ କରିଥିଲେ ସ୍ମାରକୀ ନାଟ୍ୟ ସଂସ୍ଥାର ସଭାପତି ପ୍ରବୋଧ ରଥ। ପ୍ରଥମ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ପରିବେଷିତ ହୋଇଥିଲା ନାଟକ “ଅର୍ଦ୍ଧବାକ୍ୟ”। ଏହାକୁ ଅଭିନୟ, ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ତଥାଗତ ମିଶ୍ର। ସେହିଭଳି ପ୍ରଥମ ସନ୍ଧ୍ୟାର ଦ୍ଵିତୀୟ ପର୍ଯ୍ୟାୟରେ ସ୍ମାରକୀ ନାଟ୍ୟ ସଂସ୍ଥା ଦ୍ଵାରା ପରିବେଷଣ ହୋଇଥିଲା ନାଟକ ‘ଜୟଯାତ୍ରା’।

ଏହି ନାଟକକୁ ବରିଷ୍ଠ ନାଟ୍ୟକାର ମନୋଜ ରଥ ରଚନା କରିଥିବା ବେଳେ ଯୁବ ନିର୍ଦ୍ଦେଶକ ସୌରଭ ମହାପାତ୍ର ନିର୍ଦ୍ଦେଶନା ଦେଇଥିଲେ। ଉଭୟ ନାଟକଟି ବେଶ୍ ମନମୁଗ୍ଧକର ହେବାସହ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଟାଉନହଲରେ ଦର୍ଶକଙ୍କ ଭିଡ ଏବଂ ଅଜସ୍ର କରତାଳି ଅଭିନେତାଙ୍କୁ ଆହୁରି ଉତ୍ସାହିତ କରିଥିଲା।।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଫାଇନାଲରେ ବର୍ଷା ହେଲେ, କିପରି ଘୋଷଣା ହେବ ଫାଳଫଳ?: ଚାମ୍ପିଅନ୍ସ ଟ୍ରଫି ପାଇଁ ଏହା ହେଉଛି ନିୟମ

ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫିର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। କିନ୍ତୁ ଆଇସିସି ଏହାକୁ ଶୀଘ୍ର ଘୋଷଣା କରିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଫେବୃଆରୀ ୨୩ ତାରିଖରେ ଖେଳାଯାଇପାରେ। ଖବର ଅନୁଯାୟୀ, ହାଇବ୍ରିଡ ମଡେଲ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ୟୁଏଇକୁ ବାଛିଛି। ଏହା ସହିତ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ପାଇଁ ଏକ ରିଜର୍ଭ ଦିନ ରଖାଯାଇଛି।

ନିକଟରେ ପିସିବି ଚେୟାରମ୍ୟାନ୍ ମୋହସିନ୍ ନକଭି ଇସିବି ଚେୟାରମ୍ୟାନଙ୍କ ସହ ଏକ ବୈଠକ କରିଥିଲେ। ଏହା ପରେ ୟୁଏଇର ନାମକୁ ଅନୁମୋଦନ ମିଳିଥିଲା। ବର୍ତ୍ତମାନ ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଆୟୋଜିତ ହୋଇପାରେ। ଯଦିଓ ଏହାର ଔପଚାରିକ ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ। ଫେବୃଆରୀ ୨୦ ତାରିଖରେ ବାଂଲାଦେଶ ବିପକ୍ଷ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍ ଖେଳିପାରେ।

ଯଦି ଅନ୍ତିମ ଦିନରେ ବର୍ଷା ହୁଏ, ତେବେ ଫଳାଫଳ କିପରି ଘୋଷଣା କରାଯିବ?:

୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୯ ତାରିଖରେ ଖେଳାଯାଇପାରେ। ଯଦି ଫାଇନାଲ ଦିନ ବର୍ଷା ହୁଏ, ତେବେ ଏଥିପାଇଁ ଏକ ରିଜର୍ଭ ଦିନ ମଧ୍ୟ ରଖାଯାଇଛି। ଯଦି ମାର୍ଚ୍ଚ ୯ ତାରିଖରେ ବର୍ଷା ହୁଏ, ତେବେ ମାର୍ଚ୍ଚ ୧୦ ତାରିଖରେ ମ୍ୟାଚ୍ ଖେଳାଯିବ। ଫାଇନାଲ ମ୍ୟାଚ୍ ସମ୍ବନ୍ଧରେ ଅନ୍ୟାନ୍ୟ ନିୟମ ଅଛି। ଯଦି ରିଜର୍ଭ ଦିନରେ ମଧ୍ୟ ବର୍ଷା ହୁଏ, ତେବେ ଓଭର ହ୍ରାସ କରି ମ୍ୟାଚ୍ ଅନୁଷ୍ଠିତ ହୋଇପାରେ।

ସେମିଫାଇନାଲ ପାଇଁ ରିଜର୍ଭ ଡେ ମଧ୍ୟ ରଖାଯାଇଛି:

ଯଦି ଟିମ୍ ଇଣ୍ଡିଆ ସେମିଫାଇନାଲରେ ପହଞ୍ଚେ ତେବେ ୟୁଏଇରେ ଏହା ହୋଇପାରେ। ସମାନ ନିୟମ ସେମି ଫାଇନାଲ ମ୍ୟାଚ୍ ପାଇଁ ମଧ୍ୟ ଲାଗୁ ହେବ। ଯଦି ଦ୍ୱିତୀୟ ସେମି ଫାଇନାଲରେ ବର୍ଷା ହୁଏ, ତେବେ ଏଥିପାଇଁ ଏକ ରିଜର୍ଭ ଦିନ ମଧ୍ୟ ରଖାଯାଇଛି। କିନ୍ତୁ ପ୍ରଥମ ସେମିଫାଇନାଲ ପାଇଁ ରିଜର୍ଭ ଦିନ ରଖାଯାଇ ନାହିଁ।

ପ୍ରକାଶ ଯେ, ଆଇସିସି ଏପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫିର କାର୍ଯ୍ୟସୂଚୀ ପ୍ରକାଶ କରିନାହିଁ। କିନ୍ତୁ ଏହା ଶୀଘ୍ର ଘୋଷଣା ହୋଇପାରେ। ଟିମ୍ ଇଣ୍ଡିଆ ଏହାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିପାରେ। ତେବେ ଶାରଜାହ ଏବଂ ଅବୁଧାବି ମଧ୍ୟ ବିକଳ୍ପ ଅଟେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବିଶ୍ୱରେ ନିଜ ପରିଚୟକୁ ମଜବୁତ କରିଛନ୍ତି ପିଏମ ମୋଦୀ: ୧୦ ବର୍ଷ ମଧ୍ୟରେ ମିଳିଛି ୨୦ ଟି ଦେଶରୁ ସମ୍ମାନ

ନୂଆଦିଲ୍ଲୀ: ଗତ ଦଶନ୍ଧିରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ବିଶ୍ୱ ପରିଚୟକୁ ମଜବୁତ କରିଛନ୍ତି। ଏହାର ପ୍ରମାଣ ହେଉଛି ଗତ ୧୦ ବର୍ଷ ମଧ୍ୟରେ ସେ ୨୦ ଟି ଦେଶରୁ ସମ୍ମାନ ହାସଲ କରିଛନ୍ତି।

ପିଏମ ମୋଦୀଙ୍କୁ ମିଳିଥିବା ସମ୍ମାନ:

୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଫଗାନିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ଅମିର ଅମାନୁଲ୍ଲା ଖାନଙ୍କ ଦ୍ଵାରା ପ୍ରଦାନ କରାଯାଇଛି।

୨୦୧୬ ମସିହାରେ ପିଏମ ମୋଦୀଙ୍କୁ ସାଉଦି ଆରବର ସର୍ବୋଚ୍ଚ ନାଗରିକ ସମ୍ମାନ ‘ରାଜା ଅବଦୁଲ ଅଜିଜ ସୈଶ’ ପ୍ରଦାନ କରିଥିଲେ।

ଇସ୍ରାଏଲ ସହ ଯୁଦ୍ଧ କରୁଥିବା ପାଲେଷ୍ଟାଇନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୨୦୧୮ ମସିହାରେ ଗ୍ରାଣ୍ଡ କଲର ଅଫ୍ ଦ ଷ୍ଟେଟ ପାଲେଷ୍ଟାଇନ ପୁରସ୍କାରରେ ସମ୍ମାନିତ କରିଛି।

ସଂଯୁକ୍ତ ଆରବ ଏମିରେଟ୍ସ ୨୦୧୯ ରେ ପିଏମ ମୋଦୀଙ୍କୁ ଅର୍ଡର ଅଫ ଜାୟଦ ପୁରସ୍କାରରେ ସମ୍ମାନିତ କରିଛି।

୨୦୧୯ ମସିହାରେ ମାଲଦ୍ୱୀପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଶାନ ଇଜୁଦ୍ଦିନ ସମ୍ମାନରେ ସମ୍ମାନିତ କରିଥିଲେ। ତେବେ ସେହି ସମୟରେ ମହମ୍ମଦ ମୁଇଜୁ ସରକାରରେ ନଥିଲେ।

୨୦୧୯ ରେ ବହରୀନର ଦି କିଙ୍ଗ ହମାଦ ଅର୍ଡର ଅଫ ରେନେନ୍ସା ସମ୍ମାନରେ ପିଏମ ମୋଦୀଙ୍କୁ ସମ୍ମାନିତ କରାଯାଇଛି।

ପିଏମ ମୋଦୀ ୨୦୧୯ ରେ ରୁଷର ଦ ଅଫ ସେଣ୍ଟ ଆଣ୍ଡ୍ରାୟୁ ଦ ଏପୋଷ୍ଟଲ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଆମେରିକା ପିଏମ ମୋଦୀଙ୍କୁ ୨୦୨୦ ମସିହାରେ ଆମେରିକା ସଶସ୍ତ୍ର ବାହିନୀ ପୁରସ୍କାର ଏବଂ ଲିଜିନ୍ ଅଫ୍ ମେରିଟ୍ ଆୱାର୍ଡରେ ସମ୍ମାନିତ କରିଛି।

୨୦୨୩ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଲାଉର ଏବାକଲ ଆୱାର୍ଡରେ ସମ୍ମାନିତ କରାଯାଇଅଛି।

୨୦୨୧ ମସିହାରେ ଭୁଟାନର ସର୍ବୋଚ୍ଚ ସମ୍ମାନ, ଅର୍ଡର ଅଫ୍ ଦ ଡୁକ୍ ଗ୍ୟାଲପୋ ସମ୍ମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଭେଙ୍କଟା ଦତ୍ତା ସାଇଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ପିଭି ସିନ୍ଧୁ: ପ୍ରକାଶ ପାଇଲା ପ୍ରଥମ ଫଟୋ

ନୂଆଦିଲ୍ଲୀ: ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ରାଜସ୍ଥାନର ଉଦୟପୁରରେ ମହାଆଡମ୍ବରରେ ବିବାହ କରିଛନ୍ତି। ତାଙ୍କ ବିବାହ ଉତ୍ସବରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। ସିନ୍ଧୁ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କୁ ବିବାହ କରିଛନ୍ତି।  ହିନ୍ଦୁ ରୀତିନୀତି ଅନୁଯାୟୀ ସିନ୍ଧୁ ଏବଂ ଭେଙ୍କଟ ବିବାହ ହୋଇଛି। କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ସିନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ସେ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଘନିଷ୍ଠ ସମ୍ପର୍କୀୟଙ୍କ ସହ କିଛି ସେଲିବ୍ରିଟିଙ୍କୁ ମଧ୍ୟ ସିନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ। କିନ୍ତୁ ଏହା କେବଳ ସୀମିତ ଲୋକଙ୍କ ସହିତ ସମ୍ପନ୍ନ ହୋଇଥିଲା। ବର୍ତ୍ତମାନ ରିସେପ୍ସନ୍ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ। ସିନ୍ଧୁ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ସେ ନିଜେ ଭେଙ୍କଟଙ୍କ ସହ ସଚିନଙ୍କ ଘରକୁ ଯାଇଥିଲେ।

ବିବାହ ବେଳେ ବର ନାଲି ପୋଷାକ ପିନ୍ଧିଥିବା ବେଳେ ସିନ୍ଧୁ ଏକ ସ୍ୱତନ୍ତ୍ର ଶାଢୀ ପିନ୍ଧିଥିଲେ। ସେ ଏକ ଗୋଲ୍ଡେନ କ୍ରିମ୍ ରଙ୍ଗର ଶାଢୀ ଚୟନ କରି ପିନ୍ଧିଥିଲେ। ଏହାପୂର୍ବରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ବିବାହରେ ଏହିପରି ସ୍ୱତନ୍ତ୍ର ବିବାହ ପୋଷାକ ମଧ୍ୟ ଦେଖିବାକୁ ମିଳିଥିଲା। ସିନ୍ଧୁ ଗୋଲ୍ଡେନ କ୍ରିମ୍ ରଙ୍ଗର ଶାଢୀରେ ବହୁତ ସୁନ୍ଦର ଦେଖାଯାଉଥିଲେ। ଏହି ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆମର ୩୫୦୦ ଲୋକଙ୍କୁ ନିଖୋଜ କରିଦେଇଛି ଭାରତ: ବାଂଲାଦେଶର ଆଉ ଏକ ବଡ ଅଭିଯୋଗ

ନୂଆଦିଲ୍ଲୀ: ବାଂଲାଦେଶ କ୍ରମାଗତ ଭାବରେ ଭାରତ ଉପରେ ନୂଆ ନୂଆ ଅଭିଯୋଗ କରୁଛି। ବର୍ତ୍ତମାନ ବାଂଲାଦେଶର ଏକ ତଦନ୍ତ ଆୟୋଗ ଦେଶରୁ ଲୋକ ନିଖୋଜ ହେବାରେ ଭାରତର ଭୂମିକା ଉପରେ ସନ୍ଦେହ ପ୍ରକଟ କରିଛି। ଏହି ଆୟୋଗ ବାଂଲାଦେଶର ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଗଠନ କରିଥିଲା। ବର୍ତ୍ତମାନ ତଦନ୍ତ ଆୟୋଗ ଦାବି କରିଛି ଯେ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶରେ ‘ବାଧ୍ୟତାମୂଳକ ନିଖୋଜ’ ମାମଲାରେ ଭାରତ ସମ୍ପୃକ୍ତ ଥିଲା। ଏହାର ରିପୋର୍ଟକୁ ସମର୍ଥନ କରି ଦୁଇଟି ନିର୍ଦ୍ଦିଷ୍ଟ ମାମଲା ଦର୍ଶାଇ ରାପିଡ୍ ଆକ୍ସନ୍ ବାଟାଲିୟନ (RAB) ର ଭୂମିକା ବିଷୟରେ ମଧ୍ୟ ଆୟୋଗ କହିଛି। ତେଣୁ ତଦନ୍ତ ଆୟୋଗ ମଧ୍ୟ RAB ରଦ୍ଦ କରିବାକୁ ସୁପାରିଶ କରିଛି।

ଦୀର୍ଘ ଦିନ ଧରି ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ଲାଗି ରହିଛି। ଏବେ ବାଂଲାଦେଶ ଦ୍ୱାରା କରାଯାଇଥିବା ନୂଆ ଅଭିଯୋଗ ଏହି ଟେନସନକୁ ଆହୁରି ବଢାଇପାରେ। ବାଂଲାଦେଶର ସରକାରୀ ନ୍ୟୁଜ୍ ଏଜେନ୍ସି ବିଏସ୍ଏସ୍ କହିଛି ଯେ, ଦେଶରୁ ରହସ୍ୟମୟ ନିଖୋଜ ଘଟଣାରେ ଭାରତର ଭୂମିକା ଉପରେ ଏହା ଏକ ବଡ଼ ଖୁଲାସା। ମହମ୍ମଦ ୟୁନୁସଙ୍କ ତଦନ୍ତ ଆୟୋଗ ଏହାର ରିପୋର୍ଟରେ ୩୫୦୦ ରୁ ଅଧିକ ଲୋକ ନିଖୋଜ ଥିବା ଅନୁମାନ କରିଛି। ଆୟୋଗ କହିଛି ଯେ, ଆଇନ ପ୍ରଣୟନକାରୀ ସଂସ୍ଥା ମଧ୍ୟରେ ଆଲୋଚନା ହେଉଛି। କିଛି ବାଂଲାଦେଶୀ କଏଦୀଙ୍କୁ ଭାରତୀୟ ଜେଲରେ ରଖାଯାଇଥାଇପାରେ। ଏହା ବ୍ୟତୀତ ଆୟୋଗ ଭାରତ ଏବଂ ବାଂଲାଦେଶ ମଧ୍ୟରେ କଏଦୀଙ୍କ ଆଦାନ ପ୍ରଦାନର ଗୁପ୍ତଚର ରିପୋର୍ଟକୁ ମଧ୍ୟ ଉଲ୍ଲେଖ କରିଛନ୍ତି।

ବାଂଲାଦେଶ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ନ୍ୟାୟଙ୍କ ନେତୃତ୍ୱରେ ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଏକ କମିଶନ ଗଠନ କରିଛନ୍ତି। ବାଧ୍ୟତାମୂଳକ ନିଖୋଜ ଦେଖାଇବାକୁ ଏହି ଆୟୋଗ ଦୁଇଟି ମାମଲା ଉଲ୍ଲେଖ କରିଛି। ପ୍ରଥମ ମାମଲା ହେଉଛି ବାଂଲାଦେଶ ସୁପ୍ରିମକୋର୍ଟ ପରିସରରୁ ଅପହରଣ ହୋଇଥିବା ଶୁକ୍ରଜନ ବାଲିଙ୍କର, ଯାହା ପରେ ତାଙ୍କୁ ଏକ ଭାରତୀୟ ଜେଲରେ ଦେଖିବାକୁ ମିଳିଥିଲା। ଦ୍ୱିତୀୟ ମାମଲା ହେଉଛି BNP ନେତା ସଲାହୁଦ୍ଦିନ ଅହମ୍ମଦ, ଏହା ବାଂଲାଦେଶ-ଭାରତ ପ୍ରତ୍ୟର୍ପଣ ବ୍ୟବସ୍ଥାର ବିଷୟ।

ଆୟୋଗର ରିପୋର୍ଟରେ ଅନେକ ଗୁରୁତର ଅଭିଯୋଗ:

ପାଞ୍ଚ ସଦସ୍ୟ ବିଶିଷ୍ଟ ଅନୁସନ୍ଧାନ ଆୟୋଗ ଏହାର ରିପୋର୍ଟ ମହମ୍ମଦ ୟୁନୁସଙ୍କ ନିକଟରେ ‘ଅନଫୋଲ୍ଡିଂ ଦ ଟ୍ରୁଥ’ ଆଖ୍ୟା ଦେଇଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ, ୩୫୦୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏହା ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତିରକ୍ଷା ପରାମର୍ଶଦାତା, ଅବସରପ୍ରାପ୍ତ ମେଜର ଜେନେରାଲ ତରିକ ଅହମ୍ମଦ ସିଦ୍ଦିକିଙ୍କ ସହ ଦୁଇଜଣ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସମ୍ପୃକ୍ତି ସମ୍ପର୍କରେ ଆୟୋଗ ଉଲ୍ଲେଖ କରିଛି। ମାର୍ଚ୍ଚ ମାସ ସୁଦ୍ଧା ଆୟୋଗ ଆଉ ଏକ ଅନ୍ତରୀଣ ରିପୋର୍ଟ ଦାଖଲ କରିବାକୁ ଯୋଜନା କରିଛି।

Categories
ଆଜିର ଖବର ଜାତୀୟ ଖବର

ଅଜିତ ପାୱାରଙ୍କ ଉପରେ ଅସନ୍ତୁଷ୍ଟ ଛଗନ ଭୁଜବଲ୍ ବିଜେପିରେ ଯୋଗଦେବେ?: ମୁଖ୍ୟମନ୍ତ୍ରୀଙ୍କୁ କେଲେ ସାକ୍ଷାତ

ମୁମ୍ବାଇ: ମହାରାଷ୍ଟ୍ରର ଅଜିତ ପାୱାର ଦଳର ନେତା ଛଗନ ଭୁଜବଲ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବା ପାଇଁ ସାଗର ବଙ୍ଗଳା ଠାରେ ନିକଟରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର କ୍ୟାବିନେଟରେ ସ୍ଥାନ ନ ପାଇବାରୁ ଭୁଜବଲ ଅସନ୍ତୁଷ୍ଟ ଅଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ସହ ତାଙ୍କର ସାକ୍ଷାତ ପରେ ପ୍ରଶ୍ନ ଉଠୁଛି କି ଏନସିପି ନେତା ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ ହେଉଛନ୍ତି କି? ଏ ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ, ଏନସିପି ନେତା ଛଗନ ଭୁଜବଲ ମନ୍ତ୍ରୀ ପଦ ନ ପାଇ ଅଜିତ ପାୱାରଙ୍କୁ ଟାର୍ଗେଟ କରିଥିଲେ। କିଛି ଦିନ ପୂର୍ବରୁ ସେ କହିଥିଲେ ଯେ, ଦେବେନ୍ଦ୍ର ଫଡନାଭିସ୍ ତାଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛନ୍ତି, କିନ୍ତୁ ଅଜିତ ପାୱାର ଏହା ହେବାକୁ ଦେଇନାହାଁନ୍ତି। ଅଜିତ ପାୱାର ଏନସିପି ପାଇଁ ନିଷ୍ପତ୍ତି ନିଅନ୍ତି। ଏହା ପରେ ଭୁଜବଲ କହିଥିଲେ ଯେ, ‘ଯେଉଁଠାରେ ଶାନ୍ତି ନାହିଁ, ସେଠାରେ ରହି ହେବ ନାହିଁ’। ସେ କହିଥିଲେ ଯେ, ଏନସିପି କର୍ମୀ ଏବଂ ତାଙ୍କର ୟବଲା ଆସନର ଜନତାଙ୍କ ସହ କଥା ହେବା ପରେ ସେ ଆଉ କିଛି କହିବେ।

ଏହାପୂର୍ବରୁ ଅନେକ ଓବିସି ବର୍ଗ ସଂଗଠନର ପ୍ରତିନିଧୀମାନେ ଛଗନ ଭୁଜବଲଙ୍କୁ ଭେଟିଥିଲେ। ଭୁଜବଲ ମହାରାଷ୍ଟ୍ର ସରକାରରେ ଅନ୍ତର୍ଭୁକ୍ତ ହୋଇନଥିଲେ, ଯେଉଁ କାରଣରୁ ସେ ଅସନ୍ତୁଷ୍ଟ ଅଛନ୍ତି। ଏଥିରେ ଅସନ୍ତୁଷ୍ଟ ହୋଇ ସେ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନରେ ଯୋଗ ଦେଇନଥିଲେ। ଏଥି ସହ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଓବିସି ନେତାମାନେ ମୁମ୍ବାଇରେ ଏକ ବୈଠକ କରିଥିଲେ ଏବଂ ପରେ ତାଙ୍କୁ ସହରରେ ଭେଟିଥିଲେ। ତାଙ୍କୁ କ୍ୟାବିନେଟରୁ ବାଦ ଦେବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
‘ମୁଁ କ’ଣ ଖେଳନା?’

ଛଗନ ଭୁଜବାଲ କହିଛନ୍ତି ଯେ, ନାଶିକରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା। ଯେତେବେଳେ ସେ ରାଜ୍ୟସଭାକୁ ଯିବାକୁ ଚାହୁଁଥିଲେ ସେତେବେଳେ ତାଙ୍କୁ ବିଧାନସଭା ନିର୍ବାଚନରେ ​​ଭାଗ ନେବାକୁ କୁହାଯାଇଥିଲା। ଏବେ ତାଙ୍କୁ ମନ୍ତ୍ରୀ ପଦ ଦିଆଯାଇନାହିଁ, କିନ୍ତୁ ତାଙ୍କୁ ଏବେ ପୁଣି ତାଙ୍କୁ ରାଜ୍ୟସଭା ଆସନ ଅଫର ଦିଆଯାଉଛି। ଭୁଜବଲ କହିଛନ୍ତି ଯେ, “ମୁଁ ଏକ ଖେଳନା କି? ଯେତେବେଳେ ତୁମେ କହିବ, ମୁଁ ଠିଆ ହେବି ଏବଂ ଯେତେବେଳେ ତୁମେ କହିବ, ମୁଁ ବସିଛି? ଏମିତି ହେଲେ ମୋ ଅଞ୍ଚଳର ଲୋକମାନେ କ’ଣ ଭାବିବେ?”