Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ୭୫ତମ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର: ଗତ ଦୁଇ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମଣିଷ ସାମାଜିକ, ଆର୍ଥିକ ଓ ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଛି। କରୋନା ମହାମାରୀ ମାନବ ଜାତିକୁ ଦୋହଲାଇ ଦେଇଛି। ଭାରତରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ତେଣୁ ୭୫ ବର୍ଷରେ ପାଦ ଦେଇଥିବା ସ୍ୱାଧୀନ ଭାରତର ନାଗରିକ ମାନେ ପରିସ୍ଥିତିର ସଠିକ ମୁକାବିଲା କରିବା ନିମନ୍ତେ କୋଭିଡ ନିୟମ ଠିକ୍ ଭାବେ ପାଳନ କରିବା ଜରୁରୀ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମତବ୍ୟକ୍ତ କରିଛନ୍ତି କୁଳପତି ତଥା ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର।

ସୋଆ ମୁଖ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଫେସର ମହାପାତ୍ର ପତାକା ଉତୋଳନ କରି ଭାରତର ସ୍ୱାଧୀନତା ସଂଗ୍ରାମ ଉପରେ ଆଲୋକପାତ କରିଥିଲେ। କୁଳପତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥାଇ ଜାତୀୟ ସଂଗୀତ ଗାନ କରିଥିଲେ।

ପ୍ରଫେସର ମହାପାତ୍ର ଭାରତର ଇତିହାସ ସମ୍ପର୍କରେ ବଖାଣିବା ସହ ୭୪ ବର୍ଷ ତଳେ ୨୦୦ ବର୍ଷର ଇଂରାଜୀ ଶାସନ କବଳରୁ ଦେଶ କିଭଳି ମୁକ୍ତ ହୋଇ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ପୁର୍ନଜନ୍ମ ନେଲା ସେ ସମ୍ପର୍କରେ କହିଥିଲେ।

ତେବେ ସ୍ୱାଧୀନ ଭାରତରେ ଅସାମାଜିକ ତତ୍ୱ ଏବେ ଭି ଭରି ରହିଛନ୍ତି। ତେଣୁ ଆମକୁ ମାନସିକ ଓ ଆର୍ଥିକ ସ୍ତରରେ ସ୍ୱାଧୀନ ହେବା ସହ ମାନବିକତାର ମୂଲ୍ୟବୋଧକୁ ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି ସେ କହିଥିଲେ।

ଅନ୍ୟମାନଙ୍କଧ୍ୟରେ ସୋଆ ଉପଦେଷ୍ଟାମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ସୋଆ ସଭାପତିଙ୍କର ପ୍ରମୁଖ ଉପଦେଷ୍ଟା ପ୍ରଫେସର ଡି.ପି. ରାୟ, ସୋଆ ରେଜିଷ୍ଟ୍ରାର୍ ପ୍ରଫେସର ବିଭୂତି ଭୁଷଣ ପ୍ରଧାନ, ଜଏଂଟ ରେଜିଷ୍ଟ୍ରାର ଭୀଷ୍ମ ଚରଣ ଦାସ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ଚିଫ ଭିଜିଲାନ୍ସ ଅଫିସ ତଥା ନିର୍ଦ୍ଦେଶକ (ରିସୋର୍ସ)ଯୁଗଳକିଶୋର ଦାସ ଓ ନିର୍ଦ୍ଦେଶକ, ବିଶ୍ୱବିଦ୍ୟାଳୟ ଆଉଟ୍‌ରିଚ୍ ପ୍ରୋଗ୍ରାମ୍ ପ୍ରଫେସର ନଚିକେତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Categories
RakshaBandhan ଧର୍ମ ବିଶେଷ ଖବର

ଚଳିତ ବର୍ଷ ରକ୍ଷା ବନ୍ଧନରେ ପଡୁଛି ଦୁଇଟି ବିରଳ ଯୋଗ, ଜାଣନ୍ତୁ ଏହା କେତେ ଶୁଭଦାୟକ

ନୂଆଦିଲ୍ଲୀ, ହିନ୍ଦୀ ପଞ୍ଚଙ୍ଗ ଅନୁଯାୟୀ ରକ୍ଷା ବନ୍ଧନ ପର୍ବ ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଚଳିତ ବର୍ଷ ରାକ୍ଷୀବନ୍ଧନ ପର୍ବ 22 ଅଗଷ୍ଟ ରବିବାର ଦିନ ପାଳନ କରାଯିବ ।  ଏହି ଦିନ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ରାଖୀ ବାନ୍ଧିବେ ଏବଂ ଭାଇମାନେ ସେମାନଙ୍କ ଭଉଣୀମାନଙ୍କୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିବେ  ରାକ୍ଷୀବନ୍ଧନ ପର୍ବ ଭାଇ-ଭଉଣୀ ପ୍ରେମର ପ୍ରତୀକ ଭାବରେ ବିବେଚନା କରାଯାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ରକ୍ଷା ବନ୍ଧନ ସମୟରେ ଦୁଇଟି ବିଶେଷ ଶୁଭ ସମୟର ମିଶ୍ରଣ ସଂଗଠିତ ହେଉଛି। ରକ୍ଷା ବନ୍ଧନରେ ଧନିଷ୍ଠା ନକ୍ଷତ୍ର ସହିତ ଶୋଭନ ଯୋଗର ଏକ ଶୁଭ ମିଶ୍ରଣରେ ପରିଣତ ହେଉଛି। ଜ୍ୟୋତିଷ ଶାସ୍ତ୍ରରେ, ଏହି ଶୁଭ ମିଶ୍ରଣକୁ ବହୁତ ଭଲ ବିବେଚନା କରାଯାଏ।  ବିଶ୍ୱାସ କରାଯାଏ ଯେ ଏହି ମିଶ୍ରଣରେ ଉଭୟ ଭାଇ ଓ ଭଉଣୀଙ୍କ ପାଇଁ ରକ୍ଷା ବନ୍ଧନ ଶୁଭ ଏବଂ ଲାଭଦାୟକ ହେବ।

ରାଖୀ ବାନ୍ଧିବା ପାଇଁ ସଠିକ୍ ସମୟ

ପଞ୍ଚାଙ୍ଗ ଅନୁଯାୟୀ, ରକ୍ଷା ବନ୍ଧନ ଶୁଭ ଦିନରେ ଶୋଭନ ଯୋଗ ସକାଳ 06.15 ରୁ 10.34 ପର୍ଯ୍ୟନ୍ତ ଥିବାବେଳେ ଧନୀଷ୍ଠା ଯୋଗ ସନ୍ଧ୍ୟା ପ୍ରାୟ 07.40 ମିନିଟ୍ ପର୍ଯ୍ୟନ୍ତ ରହିବ। ଏହି ଯୋଗରେ ରାଖୀ ବାନ୍ଧିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ।

ଶୁଭ ସମୟ: – ୨୨ ଅଗଷ୍ଟ ୨୦୨୧, ରବିବାର ସକାଳ ୦୫:୫୦ ରୁ ୦୬:୦୩ ଅପରାହ୍ନ

ଅପରାହ୍ନରେ ରାକ୍ଷୀ ବନ୍ଧନ ପାଇଁ ସର୍ବୋତ୍ତମ ସମୟ: – ୦୧:୪୪ ରୁ ୦୪:୨୩

ରାଖୀ ପ୍ଲେଟରେ ସଜାନ୍ତୁ – ରାଶି ଅନୁଯାୟୀ ରଙ୍ଗୀ, କୁମ୍କୁମ୍, ଅକ୍ଷତ, ଦୀପକ, ମିଠା ଏବଂ ରାଖୀ ରଙ୍ଗୀନ

ଶ୍ରାବଣ ପୂର୍ଣ୍ଣିମା ତିଥିର ଆରମ୍ଭ ସମୟ – ୨୧ ଅଗଷ୍ଟ ୨୦୨୧ ୦୭:୦୦ pm ରୁ

ଶ୍ରାବଣ ପୂର୍ଣ୍ଣିମା ତିଥିର ସମାପ୍ତ ସମୟ – ୨୨ ଅଗଷ୍ଟ ୨୦୨୧ ଟା ୦୫:୩୧ pm

ରାକ୍ଷୀ ବନ୍ଧନ ରୀତିନିତି ସମୟ – ୦୬:୧୫ ଇଗ ରୁ ୦୫:୩୧ pm

ରାକ୍ଷୀ ବନ୍ଧନ ପାଇଁ ମଧ୍ୟାହ୍ନରେ – ୦୧:୪୨ ରୁ ୦୪:୧୮ ଅପରାହ୍ନରେ

ରାକ୍ଷୀ ବନ୍ଧନ ଭଦ୍ର ପୁଞ୍ଚ – ୨୨ ଅଗଷ୍ଟ ୦୨:୧୯ ଘଣ୍ଟା ରୁ ୦୩:୨୭ ଘଣ୍ଟା

ରାକ୍ଷୀ ବନ୍ଧନ ଭଦ୍ର ମୁଖ – ୨୨ ଅଗଷ୍ଟ ସକାଳ ୦୩:୨୭ ରୁ ୦୫:୧୯ ପୂର୍ବାହ୍ନ

ରାକ୍ଷୀ ବନ୍ଧନ ଭଦ୍ର ଶେଷ ସମୟ – ୨୨ ଅଗଷ୍ଟ ସକାଳ ୦୬:୧୫ ରୁ

Categories
ଜାତୀୟ ଖବର ବିଶେଷ ଖବର

ଗାନ୍ଧୀଙ୍କ ୧୦୦ ବର୍ଷ ପୂର୍ତ୍ତି ଏବଂ ୭୫ତମ ସ୍ୱାଧୀନତା ଦିବସ ଅବସରରେ ସିଲ୍‌ଭର ଗାନ୍ଧୀଙ୍କ ଦିଲ୍ଲୀ ଯାତ୍ରା

ଭୁବନେଶ୍ୱର, ମାର୍ଚ୍ଚ ୨୩ ରେଳ ଯୋଗେ କଟକ ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ଗାନ୍ଧୀଙ୍କ ୧୦୦ବର୍ଷ ପୂର୍ତ୍ତି ଏବଂ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ସିଲ୍‌ଭର ଗାନ୍ଧୀ ଭାବେ ପରିଚିତ ମୋହନ ମହାପାତ୍ର ଚଳିତବର୍ଷ ୭୫ତମ ସ୍ୱାଧୀନତା ଦିବସଠାରୁ ତାଙ୍କ ପଦଯାତ୍ରା ଆରମ୍ଭ କରିଛନ୍ତି ।

ଏହି ପଦଯାତ୍ରା ବନାରସରୁ ଦିଲ୍ଲୀ ଦୀର୍ଘ ୮୦୦ କିଲୋମିଟର ପଦଯାତ୍ରା କରି ଏକ ବିରଳ ରେକର୍ଡ଼ର ଅଧିକାରୀ ହୋଇପାରିବେ ବୋଲି ସିଲ୍‌ଭର ଗାନ୍ଧୀ ଆଶା ରଖିଛନ୍ତି । ଅକ୍ଟୋବର ୨ ତାରିଖ ଦିନ ଦିଲ୍ଲୀରେ ପହଞ୍ଚି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବାର ଯୋଜନା ରଖିଛନ୍ତି ସିଲ୍‌ଭର ଗାନ୍ଧୀ ।

ଗାନ୍ଧୀଙ୍କ ଏହି କାର୍ଯ୍ୟକ୍ରମକୁ ବହୁ କବି, କଳାକାର, ଲେଖକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଯୁବବର୍ଗମାନେ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି ଅବସରରେ ସିଲ୍‌ଭର ଗାନ୍ଧୀ କହିଛନ୍ତି ଯେ, ପ୍ରତ୍ୟେକ ଜନସାଧାରଣ ଦିନକୁ ଗୋଟିଏ ଘଣ୍ଟା ଦେଶ ପାଇଁ ଚିନ୍ତା କରିବା ସହ ଗୋଟିଏ ଘଣ୍ଟା ନିଜ ପାଇଁ ସମୟ ଦେଲେ ଏହା ଦେଶ ତଥା ଶରୀର ପାଇଁ ଉପକୃତ ହୋଇପାରିବ । ଏହା ଛଡ଼ା ହିଂସା ଛାଡ଼ି ଗାନ୍ଧୀଙ୍କ ଅହିଂସା ପଥକୁ ଆପଣାଇଲେ ଓଡ଼ିଶା ଭାରତର ଗୁରୁ ହୋଇପାରିବ ଏବଂ ଦେଶ ବିଶ୍ୱର ଗୁରୁ ହୋଇପାରିବ ବୋଲି ତାଙ୍କ ମନ୍ତବ୍ୟରେ ଦର୍ଶାଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଅଲମ୍ପିକ ବିଜେତାଙ୍କୁ ଜଳଖିଆ ଦେଇ ଆପାୟିତ କଲେ ପ୍ରଧାନମନ୍ତ୍ରୀ, ନୀରଜଙ୍କୁ ଦେଲେ ଏହି ଖାଦ୍ୟ

ନୂଆଦିଲ୍ଲୀ, ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଅଲମ୍ପିକ ବିଜେତାଙ୍କୁ ସାକ୍ଷାତ କରିଛନ୍ତି। ଗତକାଲି ସ୍ବାଧୀନତା ଦିବସରେ ଯୋଗଦାନ କରିବା ପାଇଁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେହି ଅନୁସାରେ ସେମାନେ ସମସ୍ତେ ଏହି ଜାତୀୟ ଉତ୍ସବରେ ଯୋଗଦେଇଥିଲେ। ଆଜି ସକାଳେ ସେମାନଙ୍କୁ ମୋଦି ବ୍ରେକଫାଷ୍ଟକୁ ନିମନ୍ତ୍ରଣ କରିଥିଲେ।

ଆଜି ସମସ୍ତ ଅଲମ୍ପିକ ବିଜେତା ପ୍ରଧାନମନ୍ତ୍ରୀଙ୍କ ଏହି ବ୍ରେକଫାଷ୍ଟରେ ଯୋଗ ଦେଇଥିଲେ। ଖୋଲା ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଦୀ ସମସ୍ତଙ୍କ ସହିତ ଖୋଲା ମନରେ ଆଲୋଚନା କରିଥିଲେ। ସେ ଅଲମ୍ପିକ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ ଲଡୁ ଖୁଆଥିଲେ। ସେହିପରି ବ୍ୟାଡମିଣ୍ଟନ ଖେଳାଳୀ ପି.ଭି ସିନ୍ଧୁଙ୍କୁ ମୋଦୀ ଆଇସକ୍ରିମ ଖୁଆଇଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପୋଲିସ କନଷ୍ଟେବଳ ନିଜକୁ ମାରିଲେ ଗୁଳି: ଗୁରୁତର ଅବସ୍ଥାରେ ଏମ୍ସ ହସ୍ପିଟାଲରେ କରାଗଲା ଭର୍ତ୍ତି

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଜଣେ ପୋଲିସ କନଷ୍ଟେବଳ ନିଜକୁ ଗୁଳି କରିଛନ୍ତି। ଯାହା ଫଳରେ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଛି।

ସୂଚନାନୁସାରେ, ଆଜି ସକାଳ ପ୍ରାୟ ୬ ଟା.୩୦ ମିନିଟରେ ଜଣେ ପୋଲିସ କନଷ୍ଟେବଳ ନିଜକୁ ଗୁଳି କରି ଆହତ ହୋଇଥିବା ଖବର ବସନ୍ତ ବିହାର ପୋଲିସ ଷ୍ଟେସନକୁ ପିସିଆର ଫୋନ ଆସିଥିଲା। ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ୩୫ ବର୍ଷିୟ କନଷ୍ଟେବଳ ରାକେଶ ଅଚେତ ଅବସ୍ଥାରେ ପଡିଥିଲେ। ସେ ନିଜ ମୁଣ୍ଡର ଡାହାଣ ପାର୍ଶ୍ୱରେ ସରକାରୀ ପିସ୍ତଲ ସାହାଯ୍ୟରେ ଗୁଳି ଚଳାଇଥିଲେ। ମୁଣ୍ଡର ବାମ ପାର୍ଶ୍ୱରୁ ଗୁଳି ବାହାରିଥିଲା। ରାକେଶଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତାଙ୍କୁ ତୁରନ୍ତ ଏମ୍ସ ଟ୍ରମା ସେଣ୍ଟର ଚିକିତ୍ସା ପାଇଁ ଭର୍ତ୍ତି ଆରାଯାଇଛି।

ପୋଲିସ କହିଛି ଯେ, କନଷ୍ଟେବଳଙ୍କ ଏଭଳି ପଦକ୍ଷେପ ପଛର କାରଣ ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। କ୍ରାଇମବ୍ରାଞ୍ଚର ଏଫଏସଏଲ ଦଳକୁ ଘଟଣାସ୍ଥଳକୁ ଡକାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

NEET 2021: ଶୀଘ୍ର ଜାରି ହେବ ଆଡମିଟ୍ କାର୍ଡ, ପରୀକ୍ଷା ଦିନ ପାଇଁ ଧ୍ୟାନ ଦିଅନ୍ତୁ ଏହି ୫ ଟି ବିଷୟ

ନୂଆଦିଲ୍ଲୀ: ସ୍ନାତକୋତ୍ତର (ନିଟ ୟୁଜି) ୨୦୨୧ ପାଇଁ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟର ଆଡମିଟ୍ କାର୍ଡ ଖୁବ ଶୀଘ୍ର ଅଫିସିଆଲ୍ ୱେବସାଇଟ୍ neet.nta.nic.in ରେ ପ୍ରକାଶ ପାଇବ। ନିଟ ର ଆବେଦନ ଫର୍ମ ସଂଶୋଧନ ୱିଣ୍ଡୋ ଅଗଷ୍ଟ ୧୪ ତାରିଖରେ ବନ୍ଦ ହୋଇଯାଇଛି ଏବଂ ପରୀକ୍ଷା ଫି ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୧୫ ତାରିଖ ଥିଲା। ଏଜେନ୍ସି ଶୀଘ୍ର ନିଟ ୟୁଜି ୨୦୨୧ ର ହଲ୍ ଟିକେଟ୍ ଜାରି କରିବ। ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୨ ତାରିଖରେ ଜାତୀୟ ସ୍ତରର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

ନିଟ ୨୦୨୧ ଆଡମିଟ୍ କାର୍ଡ ଏନଟିଏ ର ଅଫିସିଆଲ୍ ୱେବସାଇଟ୍ ରୁ ଆବେଦନ ନମ୍ବର ଏବଂ ପାସୱାର୍ଡ ବ୍ୟବହାର କରି ଡାଉନଲୋଡ୍ ହୋଇପାରିବ।

ନିଟ ୨୦୨୧ ପରୀକ୍ଷା ଦିନ ପାଇଁ ଧ୍ୟାନ ଦିଅନ୍ତୁ ଏହି ୫ ଟି ବିଷୟ:

୧- ନିଟ ୨୦୨୧ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ପରେ, ଦିଆଯାଇଥିବା ସୂଚନାକୁ ଭଲଭାବେ ପଢନ୍ତୁ। ଆଡମିଟ୍ କାର୍ଡରେ କୋଭିଡ୍ -୧୯ କୁ ଦୃଷ୍ଟିରେ ରଖି ପରୀକ୍ଷା ପାଇଁ ନିର୍ଦ୍ଦେଶାବଳୀ ଏବଂ ଅତିରିକ୍ତ ସତର୍କତାମୂଳକ ପଦକ୍ଷେପ ଉଲ୍ଲେଖ କରାଯାଇଛି। ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିର୍ଦ୍ଦେଶାବଳୀ ପାଳନ କରିବା ବାଧ୍ୟତାମୂଳକ ଅଟେ।

୨- ହଲ୍ ଟିକେଟ୍ ରେ ଉଲ୍ଲେଖ କରାଯାଇଥିବା ରିପୋର୍ଟ ସମୟ ଅନୁଯାୟୀ ନିଟ ପରୀକ୍ଷା ହଲକୁ ରିପୋର୍ଟ କରନ୍ତୁ। ଯଦି ସମ୍ଭବ, ପରୀକ୍ଷା ଦିନ କୌଣସି ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପରୀକ୍ଷା ସ୍ଥାନ ପରିଦର୍ଶନ କରନ୍ତୁ।

୩- ଯଦି ନିଟ ୨୦୨୧ ଆଡମିଟ୍ କାର୍ଡରେ କୌଣସି ତ୍ରୁଟି ଅଛି, ତେବେ ତୁରନ୍ତ ଏନଟିଏ ସହିତ ଯୋଗାଯୋଗ କରନ୍ତୁ ଏବଂ ଏହାକୁ ରିପୋର୍ଟ କରନ୍ତୁ।

୪- ପରୀକ୍ଷା ଦିନ, ନିଟ ୨୦୨୧ ଆଡମିଟ୍ କାର୍ଡର ଏକ ପ୍ରିଣ୍ଟଆଉଟ୍ ସହିତ ଏକ ବୈଧ ଫଟୋ ପରିଚୟ ପତ୍ର ଏବଂ ସାମ୍ପ୍ରତିକ ପାସପୋର୍ଟ ସାଇଜ୍ ଫଟୋ ପରୀକ୍ଷା କେନ୍ଦ୍ରକୁ ନେଇଯାଅନ୍ତୁ। ପରୀକ୍ଷାର୍ଥୀମାନେ ଧ୍ୟାନ ଦେବା ଉଚିତ୍ ଯେ ନିଟ ଆଡମିଟ୍ କାର୍ଡ ଏବଂ ଫଟୋ ଆଇଡି ବିନା ପ୍ରାର୍ଥୀମାନଙ୍କୁ ପରୀକ୍ଷା ହଲରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।

୫- ନିଟ ୨୦୨୧ ଆଡମିଟ୍ କାର୍ଡରେ ଏକ ଆତ୍ମ-ଘୋଷଣା ଫର୍ମ ମଧ୍ୟ ରହିପାରେ, ଯେଉଁଥିରେ ଛାତ୍ରମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ସାମ୍ପ୍ରତିକ ଭ୍ରମଣ ଇତିହାସ ବିଷୟରେ ଉଲ୍ଲେଖ କରିବାକୁ ପଡିବ।

ଆଡମିଟ୍ କାର୍ଡ ସହିତ ଜଡିତ ସୂଚନା ଏବଂ ଅନ୍ୟାନ୍ୟ ସୂଚନା ପାଇଁ ସରକାରୀ ୱେବସାଇଟରେ ନଜର ରଖିବାକୁ ପରୀକ୍ଷାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସକୁ ବଡ ଝଟକା: ଦଳ ଛାଡିଲେ ପୂର୍ବତନ ସାଂସଦ ତଥା ରାଷ୍ଟ୍ରୀୟ ମହିଳା ସଭାପତି ସୁସ୍ମିତା ଦେବ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସାଂସଦ ତଥା ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବ ଦଳ ଛାଡିଛନ୍ତି। ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସୁସ୍ମିତା ଦେବ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ସେ ନିଜ ଟ୍ୱିଟର ବାୟୋ ପରିବର୍ତ୍ତନ କରି କଂଗ୍ରେସର ଜଣେ ପୂର୍ବତନ ସଦସ୍ୟ ଲେଖିଥିଲେ। ଦଳ ଛାଡିବାର ଏହା ପ୍ରଥମ ସଙ୍କେତ ଭାବରେ ଦେଖାଯାଇଥିଲା। ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇଥିବା ଇସ୍ତଫା ବିଷୟରେ ସେ କୌଣସି ଠୋସ୍ କାରଣ ଦେଇ ନାହାଁନ୍ତି।

ସେ କହିଛନ୍ତି, “ମୁଁ ଆଶା କରୁଛି ଆପଣମାନଙ୍କର ସର୍ବଶ୍ରେଷ୍ଠ ଶୁଭେଚ୍ଛା ମୋ ସହିତ ରହିବ ଯେତେବେଳେ ମୁଁ ମୋର ଜନସେବା ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି।” ସୁସ୍ମିତା ଦେବଙ୍କ ବାପା ସନ୍ତୋଷ ମୋହନ ଦେବ ଜଣେ ବରିଷ୍ଠ କଂଗ୍ରେସ ନେତା ଥିଲେ ଏବଂ କେନ୍ଦ୍ରରେ ମଧ୍ୟ ମନ୍ତ୍ରୀ ଥିଲେ। ।

ସେ ଅଖିଳ ଭାରତୀୟ ମହିଳା କଂଗ୍ରେସ ହ୍ଵାଟ୍ସ ଆପ୍ ଗ୍ରୁପ୍ କୁ ମଧ୍ୟ ଛାଡିଦେଇଛନ୍ତି। ଅନ୍ୟ କଂଗ୍ରେସ ନେତାଙ୍କ ଭଳି ସୁସ୍ମିତା ଦେବଙ୍କ ଟ୍ୱିଟର ହ୍ୟାଣ୍ଡେଲ ବନ୍ଦ ହୋଇଯାଇଥିଲା, ଯେଉଁଥିରେ ଦିଲ୍ଲୀରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ନଅ ବର୍ଷର ବାଳିକାଙ୍କ ପିତାମାତାଙ୍କ ଫଟୋ ପୋଷ୍ଟ ହୋଇଥିଲା। କଂଗ୍ରେସ ଉପରେ ସେ କିଛି ଦିନ ହେଲା ସେ ଅସନ୍ତୋଷ ଥିଲେ। ଆସାମରେ ନିର୍ବାଚନ ସମୟରେ ମଧ୍ୟ ତାଙ୍କୁ ଅବହେଳା କରାଯାଇଥିବା ସେ ଅଭିଯୋଗ କରିଥିଲେ।

ସୁସ୍ମିତା ଦେବଙ୍କ ନିକଟ ସୂତ୍ର ଅନୁଯାୟୀ, ସେ ଟିଏମସିରେ ଯୋଗଦେବେ ବୋଲି ସୂଚନା ମିଳିଛି। କିଛି ସମୟ ପୂର୍ବରୁ ସେ କୋଲକାତାରେ ପହଞ୍ଚିଛନ୍ତି। ଆଗାମୀ ଦିନରେ ଟିଏମସିରୁ ରାଜ୍ୟସଭାକୁ ଯିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି କାରଣରୁ ବିଜେପି ଯିବା ନେଇ ମଧ୍ୟ କଳ୍ପନାଜଳ୍ପନା କରାଯାଉଥିଲା। ଯେତେବେଳେ ଆସାମର ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା କଂଗ୍ରେସରେ ଥିଲେ, ସେତେବେଳେ ସୁସ୍ମିତା ଦେବ ତାଙ୍କ ଘନିଷ୍ଠ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ବହୁ ପ୍ରତୀକ୍ଷାର ହେଲା ଅନ୍ତ, କୋଭିଡ କଟକଣା ଭିତରେ ଆରମ୍ଭ ହେଲା କାଳିଆ ଦର୍ଶନ

ପୁରୀ, ବହୁ ପ୍ରତୀକ୍ଷା ପରେ ଆଜିଠାରୁ ଆରମ୍ଭ ହୋଇଛି କାଳିଆ ଦର୍ଶନ। ଭକ୍ତଙ୍କ ପାଇଁ ଖୋଲିଛି ସିଂହଦ୍ବାର। ଆଜି ସକାଳ ୭ ଟା ବେଳେ ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ ଅନୁମତି ପ୍ରଦାନ କରାଯାଇଥିଲା। ଫଳରେ ପୁରୀବାସୀ ପ୍ରଥମେ କାଳିଆ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ତେବେ କୋଭିଡ କଟକଣା ଭିତରେ ଏହି ଦର୍ଶନ ଚାଲିଛି। ସେଥିପାଇଁ ମନ୍ଦିର ବାହାରେ ସ୍ବତନ୍ତ୍ର ସେଡ୍ ନିର୍ମାଣ କରାଯାଇଛି। ବିଭିନ୍ନ ବାରିକେଡ କରି ଭକ୍ତମାନେ ଧାଡିରେ ଯିବାର ବନ୍ଦୋବସ୍ତ କରାଯାଇଛି। ଭକ୍ତମାନେ ମାସ୍କ ପିନ୍ଧିବା ଏବଂ ଶାରୀରିକ ଦ୍ବରତା ବଜାଇ ରଖିବା ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ବାହାରେ ସାନିଟାଜେସନ ମେସିନ ରଖାଯାଇଛି।  ଭକ୍ତମାନେ ମନ୍ଦିର ପ୍ରବେଶ ପୂର୍ବରୁ ଏହି ମେସିନରେ ସାନିଟାଇଜ କରିଯିବା ପାଇଁ ବ୍ୟବସ୍ଥା କରାଯାଇଛି।

ଭକ୍ତମାନଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରାଇବା ପାଇଁ ପ୍ରଶାସନ ତରଫରୁ ସ୍ବତନ୍ତ୍ର କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ସେମାନେ ଭକ୍ତମାନେ ମନ୍ଦିର ପ୍ରବେଶ ପୂର୍ବରୁ ଶରୀର ତାପମାତ୍ର ସହିତ ମାସ୍କ ଏବଂ ସାନିଟାଇଜେସନ ଉପରେ ଧ୍ୟାନ ରଖୁଛନ୍ତି। ସେହିପରି ପୋଲିସ ପ୍ରଶାସନ ତରଫରୁ ପୁରୀବାସୀଙ୍କ ପରିଚୟ ପତ୍ର ଯାଞ୍ଚ କରିବା ସହିତ ନିୟମ ଭିତରେ ଦର୍ଶନ କରାଇବା କାର୍ଯ୍ୟ କରୁଛନ୍ତି।

ପୁରୀବାସୀ ୧୬ ତାରିଖରୁ ୨୦ ତାରିଖ ଯାଏ ୫ ଦିନ ପାଇଁ ଦର୍ଶନ କରିବେ। ଏହାପରେ ଅଗଷ୍ଟ ୨୧ ଏବଂ ୨୨ ତାରିଖରେ ସପ୍ତାହନ୍ତ ସଟଡାଉନ ଥିବାରୁ ଏହି ଦିନ ଶ୍ରୀମନ୍ଦିରରେ ପ୍ରବେଶ ନିଷେଧ କରାଯାଇଛି। ପ୍ରତ୍ୟେକ ସପ୍ତାହନ୍ତ ସଟଡାଉନ ଏବଂ ପର୍ବପର୍ବାଣିରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନାହିଁ। ଏହାପରେ ୨୩ ତାରିଖଠାରୁ ସମସ୍ତଙ୍କୁ ଦର୍ଶନ ସୁବିଧା ପ୍ରଦାନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୬ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୬ ହଜାର ୯୫୩ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୯୫୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଜିଲ୍ଲାରୁ ୮ ଜଣ, ଅନୁଗୁଳ ଜିଲ୍ଲାରୁ ୭ ଜଣ, ବାଲେଶ୍ଵର, ଢେଙ୍କାନାଳ ଜିଲ୍ଲାରୁ ୫ ଜଣ ଲେଖାଏଁ, ବରଗଡ, ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଞ୍ଜାମ, କଳାହାଣ୍ଡି, କେନ୍ଦ୍ରାପଡା, ସୋନପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ବଲାଙ୍ଗୀରି, ଦେବଗଡ, ଯାଜପୁର, ଝାରସୁଗୁଡା, ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୫ ହଜାର ୪୩୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୮ ହଜାର ୨୪୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦ ହଜାର ୧୮୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୯୫୩ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ୩୨ ହଜାର ୯୩୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୨ ହଜାର ୯୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୨ ଲକ୍ଷ ୨୫ ହଜାର ୫୧୩ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୧ ହଜାର ୬୪୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୪ ଲକ୍ଷ ୧୧ ହଜାର ୯୨୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୮୧ ହଜାର ୬୪୨ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୮୬୮ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୦୭ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୫ ହଜାର ୪୩୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୮ ହଜାର ୨୪୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦ ହଜାର ୧୮୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୮୮୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୭ ଟି ଜିଲ୍ଲାରୁ ୮୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୫୬ ଜଣ, କଟକ ଜିଲ୍ଲାରୁ ୧୫୪ ଜଣ, ଅନୁଗୁଳ ଜିଲ୍ଲାରୁ ୨୬, ବାଲେଶ୍ଵର ଜିଲ୍ଲାରୁ ୫୨ ଜଣ, ବରଗଡ ଜିଲ୍ଲାରୁ ୧୩ ଜଣ, ଭଦ୍ରକ ଜିଲ୍ଲାରୁ ୧୯ ଜଣ, ବଲାଙ୍ଗୀର  ଜିଲ୍ଲାରୁ ୮ ଜଣ, ବୌଦ୍ଧ ଜିଲ୍ଲାରୁ  ଜଣେ, ଦେବଗଡ ଜିଲ୍ଲାରୁ ୬ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୫ ଜଣ, ଗଜପତି ଜିଲ୍ଲାରୁ ୧ ଜଣ, ଗଞ୍ଜାମ ଜିଲ୍ଲାରୁ ୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୩ ଜଣ, ଯାଜପୁର ଜିଲ୍ଲାରୁ ୪୫ ଜଣ, ଝାରସୁଗୁଡା ଜିଲ୍ଲାରୁ ୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୨ ଜଣ, କନ୍ଧମାଳ ଜିଲ୍ଲାରୁ ୧୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨୬ ଜଣ, କେନ୍ଦୁଝର ଜିଲ୍ଲାରୁ ୧୦ ଜଣ, ମାଲକାନଗିରି ଜିଲ୍ଲାରୁ ୬ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨୮ ଜଣ, ନୟାଗଡ ଜିଲ୍ଲାରୁ ୨୧ ଜଣ, ପୁରୀ ଜିଲ୍ଲାରୁ ୨୧ ଜଣ, ରାୟଗଡା ଜିଲ୍ଲାରୁ ୨ ଜଣ, ସମ୍ବଲପୁର ଜିଲ୍ଲାରୁ ୩୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୩ ଜଣ ଏବଂ ଷ୍ଟେଟ ପୁଲରୁ ୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଜଗା ପ୍ରଧାନ ବିଜେଡିରେ ଯୋଗ ଦେଲେ ହେବେ ଭୁବନେଶ୍ବର ମେୟର, ଚାଲିଛି ମୁଲଚାଲ

ଭୁବନେଶ୍ବର, ବର୍ତ୍ତମାନ ପଞ୍ଚାୟତ, ମ୍ୟୁନିସପାଲଟି, ଏନଏସି ସହିତ ମହାନଗର ନିର୍ବାଚନ ପାଖେଇ ଆସିଲାଣି। ଏ ନେଇ ବିଧିବଧ ତାରିଖ ଜଣାପଡି ନ ଥିଲେ ମଧ୍ୟ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଏହି ସରଗରମ ଭୁବନେଶ୍ବରରେ ଅଧିକ ଅନୁଭୂତ ହୋଇଛି। ତାହା ହେଉଛି ବିଜେପିର ଭୁବନେଶ୍ବର ନେତା ଜଗନ୍ନାଥ ପ୍ରଧାନ ବିଜେଡିରେ ଯୋଗ ଦେବାକୁ ନେଇ।

ଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ଜଗା ବିଜେପି ଛାଡି ବିଜେଡିରେ ଯୋଗଦେବେ ବୋଲି ଖବର ପ୍ରକାଶ ପାଇବାରେ ଲାଗିଛି। ତେବେ ତାହା ମିଛ ନୁହେଁ। କାରଣ ଜଗନ୍ନାଥ ବର୍ତ୍ତମାନ ବିଜେପିର ଅସନ୍ତୁଷ୍ଠ ନେତା ଭାବେ ରହିଛନ୍ତି। ଯେଉଁଦିନ ବାବୁ ସିଂ ବିଜେଡି ଛାଡି ବିଜେପିରେ ଯୋଗଦେଲେ ସେହି ଦିନଠାରୁ ସେ ଅସନ୍ତୁଷ୍ଠ ଅଛନ୍ତି।

ତେବେ ବିଶେଷ ସୁତ୍ରର ଖବର ଅନୁସାରେ ଏହା ଭିତରେ ଜଗା ବିଜେଡିର ନେତା ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବିଙ୍କୁ ସାକ୍ଷାତ କରି ସାରିଲେଣି। କେତେକ ମଣ୍ଡଳ ସଭାପତିଙ୍କୁ ନେଇ ବବିଙ୍କ ବାସଭବନରେ ଗୋଟିଏ ରାଉଣ୍ଡ ଆଲୋଚନା କରି ସାରିଲେଣି।

ଖବର ଅନୁସାରେ ଜଗାଙ୍କ ଦାବୀ ହେଉଛି ଯେ, ଭୁବନେଶ୍ବର ମେୟର ପଦବୀ। ଯଦି ବିଜେଡି ଏହି ପଦବୀ ଦେବା ପାଇଁ ରାଜି ତେବେ ସେ ଏବଂ ତାଙ୍କ ଦଳବଳ ସହିତ ବିଜେଡିରେ ଯୋଗ ଦେବେ। ଅନ୍ୟପଟେ ଭୁବନେଶ୍ବର ମହାନଗର ସଂଗଠନ ସମ୍ଭାଳୁଥିବା ବିଜେଡିନେତାମାନେ ଏହା ଜାଣିବା ପରେ ଅସନ୍ତୁଷ୍ଠ ହେବା ଆରମ୍ଭ କରିସାରିଲେଣି। ଫଳରେ ବିଜେଡି କଣ କରିବ ସେ ନେଇ ଚିନ୍ତାରେ ରହିଛି। ତେବେ ଖବର ଅନୁସାରେ ବିଜେଡି କୁଆଡେ ଜଗାଙ୍କୁ କୋଳେଇ ନେବ ବୋଲି ନିଷ୍ପତି ହୋଇଛି।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ଅତି, ସବୁବେଳେ ସ୍ବାସ୍ଥ୍ୟ ତଥା ସାମାଜିକ ପ୍ରତିଷ୍ଠାରେ ଆଣିଥାଏ ବାଧା, କିପରି ?

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ମଣିଷ ଯାହା ବି କରୁ ତାହା ସୀମା ଭିତରେ ରହି କରିବା ଉଚିତ। ଯଦି ଅତି ଭଲ କରୁଛି ବୋଲି ଦେଖାଇ ହେବେ ତେବେ ତାହା ବହୁ କ୍ଷତି ହେବ ଏଥିରେ ସନ୍ଦେହ ନାହିଁ। ଅତି ସବୁବେଳେ ଖରାପ ବୋଲି ସେ ବିଭିନ୍ନ ଉଦାହରଣ ଦେଇ କହିଛନ୍ତି।

ଚାଣକ୍ୟଙ୍କ ମତରେ ରାବଣ ଅତି ଗର୍ବ କରିବାରୁ ସ୍ବର୍ଣ୍ଣ ଲଙ୍କା ଧ୍ବଂସ ପାଇଗଲା, ଦୁର୍ଯୋଧନ ଅତି ମାନ କରିବାରୁ କୌରବ ଶତ ଭ୍ରାତା ନିହତ ହେଲେ। ବଳି ରାଜା ଅତି ଦାନୀ ହେବାରୁ ପାତାଳଗାମୀ ହେଲେ। ସେଥିପାଇଁ ଅତି ମାତ୍ରାର କାର୍ଯ୍ୟ ସବୁ ବେଳେ ବର୍ଜନୀୟ। ସେଥିପାଇଁ କୁହାଯାଇଛି

ଅତିଦର୍ପେ ହତା ଲଙ୍କା, ଅତିମାନେ ଚ କୌରବାଃ

ଅତିଦାନାଦ୍ ବଳିର୍ବଧଃ, ଅତି ସର୍ବତ୍ର ବର୍ଜୟତେ

Categories
ଆଜିର ଖବର ଧର୍ମ

ରାଶିଫଳ: ଅଗଷ୍ଟ 16 ତାରିଖ ସୋମବାରରେ ପାଞ୍ଚୋଟି ରାଶିର ବ୍ୟକ୍ତି ହେବେ ବିପଦର ସମ୍ମୁଖୀନ

ମେଷ: ସାହିତ୍ୟ ଏବଂ ଲେଖା ପାଇଁ ସମୟ ଭଲ ଅଟେ । ଇଚ୍ଛା ବିରୁଦ୍ଧରେ ଯେ କୌଣସି ଅତିରିକ୍ତ ଦାୟିତ୍। ମିଳିପାରିବ । କାହାର ବକ୍ତବ୍ୟ ଏବଂ ଆଚରଣ ଆପଣଙ୍କୁ ଅପମାନିତ କରିପାରେ । ଘର କିମ୍ବା ଜମି ସମ୍ବନ୍ଧୀୟ ଦଲିଲ ସହିତ ଜଡିତ କୌଣସି କାର୍ଯ୍ୟ ସ୍ଥଗିତ ରଖାଯିବ । ଯାତ୍ରା ସମ୍ଭାବନା । ଚାକିରିରେ ଥିବା ଅଧିକାରୀଙ୍କ ସହିତ ମତଭେଦ ହୋଇପାରେ । ଆପଣ ସମୟକୁ ସଠିକ୍ ଭାବରେ ବ୍ୟବହାର କରିବାକୁ ସମର୍ଥ ହେବେ । ଆବଶ୍ୟକ କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ । ଭଲ ଲୋକଙ୍କ ସହିତ ଯୋଗାଯୋଗରେ ରହିବେ । ପରିବାରରେ ସମୃଦ୍ଧତା ରହିବ ।

ବୃଷ: – ଆୟରେ ପରିସ୍ଥିତିରେ ଉନ୍ନତି ହେବ । ଆର୍ଥିକ ପ୍ରସଙ୍ଗରେ ସାବଧାନତାର ସହିତ ନିଷ୍ପତ୍ତି ନିଅନ୍ତୁ । ଚାକିରିରେ ତୁମେ ଅଧିକାରୀଙ୍କ ସମର୍ଥନ ପାଇବେ । କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ହୋଇପାରେ । ଖରାପ ରକ୍ତ ଏବଂ ଚାପ ସମ୍ବନ୍ଧୀୟ ହୋଇପାରେ । ବ୍ୟବସାୟ ସଂପର୍କରେ ତୁମର ଚାଲିବା ମଧ୍ୟ ବହୁତ ଅଧିକ ହେବ । ଖର୍ଚ୍ଚ ବଢିପାରେ । କାହାକୁ ଋଣ ଦିଅ ନାହିଁ, ନଚେତ୍ ପୁନରୁଦ୍ଧାର କରିବା କଷ୍ଟକର ହେବ । ତୁମର କ୍ରୋଧକୁ ନିୟନ୍ତ୍ରଣ କର ଏବଂ ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର ।

ମିଥୁନ: – ବ୍ୟବସାୟ ସକରାତ୍ମକ ସମ୍ଭାବନାରେ ପରିପୂର୍ଣ୍ଣ ହେବ । ବ୍ୟବସାୟିକ କାର୍ଯ୍ୟକଳାପ ଅର୍ଥନୈତିକ ଲାଭ ଆଣିପାରେ । ଟଙ୍କା ପାଇବା ପାଇଁ ଲାଭ ହେବ । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ରହିବ । ତୁମର ସ୍ୱାସ୍ଥ୍ୟର ଯତ୍ନ ନିଅ, ତୁମ ଖାଦ୍ୟରେ ସୁସ୍ଥ ରହିବା ଆବଶ୍ୟକ । ଭାଷଣରେ ମଧୁରତା ରହିବ, ସନ୍ତାନ ପକ୍ଷରୁ ଭଲ ଖବର ଗ୍ରହଣ କରାଯାଇପାରେ । ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ । ପୁରା ଦିନ ଉତ୍ସାହ ଏବଂ ଆନନ୍ଦରେ ପରିପୂର୍ଣ୍ଣ ହେବ । ଆପଣ ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ । ଭ୍ରମଣରୁ ଦୂରେଇ ରୁହନ୍ତୁ।

କର୍କଟ: – ହଠାତ୍ ଲାଭର ସମ୍ଭାବନା ଅଛି, କିନ୍ତୁ ଯେଉଁମାନେ କାମ କରନ୍ତି ସେମାନେ ସଫଳତା ପାଇବେ । ଦିନସାରା ସାମାଜିକ କାର୍ଯ୍ୟକଳାପରେ ସକ୍ରିୟ ରହିବେ । ସ୍ଥଗିତ କାର୍ଯ୍ୟରେ ଗତିଶୀଳତା ରହିବ । ନିୟନ୍ତ୍ରଣ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ । ସହକର୍ମୀଙ୍କ ସହିତ ବିବାଦ ହୋଇପାରେ । ଆଶା ଏବଂ ନିରାଶାର ମିଶ୍ରିତ ଭାବନା ମନରେ ରହିବ । ଏକାଡେମିକ୍ କାର୍ଯ୍ୟରେ ବାଧା ସୃଷ୍ଟି ହେବ । ଘରେ ଏକ ମନୋରମ ପରିବେଶ ରହିବ ।

ସିଂହ: – ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ହେବାର ସମ୍ଭାବନା ଅଛି । ବ୍ୟବସାୟରେ ଭଲ ଲାଭ ହେବ । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସମ୍ପୂର୍ଣ୍ଣ ସହଯୋଗ ହେବ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମନ୍ୱୟ ରହିବ । ପରିବାରରେ ଭଲ ଜିନିଷ ହାସଲ ହୋଇପାରେ । ଅବକାଶ  ଏବଂ ମନୋରଞ୍ଜନ ପଛରେ ଟଙ୍କା ଖର୍ଚ୍ଚ ହେବ । ପରିବାର ସଦସ୍ୟଙ୍କ ସହିତ ଭୋଜନ ଉପଭୋଗ କରିପାରିବେ । ତୁମର ସ୍ୱାସ୍ଥ୍ୟର ଯତ୍ନ ନିଅ।

କନ୍ୟା: – ଆପଣ ବ୍ୟବସାୟରେ ଲାଭ ପାଇପାରିବେ । ଆପଣ ଜଣେ ବନ୍ଧୁ କିମ୍ବା ଜୀବନ ସାଥୀଙ୍କଠାରୁ ଭଲ ଖବର ପାଇବେ । ଚାକିରିରେ ତୁମେ ଅଧିକାରୀଙ୍କ ସମର୍ଥନ ପାଇବେ । ଆର୍ଥିକ ଅଘଟଣା ଘଟିବ । ପରିବାରରେ ଶୁଭ କାର୍ଯ୍ୟ ହେବ । ସେଠାରେ ସ୍ଥାନାନ୍ତରଣ ଏବଂ ବିବାହ ସମ୍ବନ୍ଧୀୟ ଯୋଗ ଅଛି । ଆପଣ ବୈବାହିକ ସୁଖ ଉପଭୋଗ କରିବାକୁ ସମର୍ଥ ହେବେ । ଏକ ନୂତନ ଘର କିମ୍ବା ଯାନ କିଣିବା ପାଇଁ ଭଲ ଖବର ଆସିପାରେ । ନୂତନ ଯୋଜନା ସଫଳ ହୋଇପାରେ । ଭ୍ରମଣ ଲାଭଦାୟକ ହେବ । ଅନାବଶ୍ୟକ ଟଙ୍କା ଖର୍ଚ୍ଚ ହେବ ।

ତୂଳା : – ବିନିଯୋଗ ପାଇଁ ସମୟ ଅଧିକ ଅନୁକୂଳ ଅଟେ । ଟଙ୍କା ପାଇବା ସମ୍ଭାବନା ଅଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହେତୁ ପ୍ରକୃତିରେ କ୍ରୋଧ ମଧ୍ୟ ହୋଇପାରେ । ଆପଣଙ୍କୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ଦୁର୍ବଳ ଆର୍ଥିକ ଦିଗ ଯୋଗୁଁ ଟେନସନ ରହିପାରେ। ସାଙ୍ଗମାନଙ୍କ ସହିତ ଭ୍ରମଣ-ପର୍ଯ୍ୟଟନ ଆୟୋଜନ ଲାଭଦାୟକ ହେବ । ପାରିବାରିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ସ୍ୱାସ୍ଥ୍ୟରେ ବ୍ୟାଘାତ ଘଟିବ ।

ବିଛା: – ଆୟର ନୂତନ ଉତ୍ସ ଉପଲବ୍ଧ ହେବ । ଦୁର୍ବଳ ଆର୍ଥିକ ଦିଗ ଯୋଗୁଁ ଟେନସନ ରହିପାରେ । ଅଫିସ୍ କାର୍ଯ୍ୟରେ ବ୍ୟସ୍ତ ରହିବେ । ସରକାରୀ କାର୍ଯ୍ୟ ହେବ, ଘରୋଇ ଜୀବନରେ ସମନ୍ୱୟ ରହିବ । ତୁମର ସ୍ୱାସ୍ଥ୍ୟର ଯତ୍ନ ନିଅ। ପତି ସହିତ ଆଦର୍ଶଗତ ପାର୍ଥକ୍ୟ ରହିବ । ବନ୍ଧୁମାନେ ଆପଣଙ୍କୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିପାରିବେ । ଅନାବଶ୍ୟକ ଖର୍ଚ୍ଚକୁ ରୋକିବାରେ ସକ୍ଷମ ହେବେ । ଆପଣ ମାଙ୍ଗଲିକ୍ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ । ତୁମର ଖାଦ୍ୟର ଯତ୍ନ ନିଅ ।

ଧନୁ: – ଆଜି ଏକ ଭଲ ଦିନ ହେବ । ଆର୍ଥିକ ପରିସ୍ଥିତିରେ କିଛି ଉନ୍ନତି ହେବ ଏବଂ ଆପଣ ଆର୍ଥିକ କ୍ଷେତ୍ରରେ ଆରାମ ଅନୁଭବ କରିବେ । ଅଟକି ଯାଇଥିବା ଟଙ୍କା ମିଳିପାରିବ । ତୁମେ ପୁରୁଣା ଋଣ ଏବଂ ରୋଗରୁ ମୁକ୍ତି ପାଇବ । ଆପଣ ସାଙ୍ଗମାନଙ୍କୁ ଭେଟିବେ ଏବଂ ସେମାନଙ୍କର ସମର୍ଥନ ପାଇବେ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ । ତୁମର ବକ୍ତବ୍ୟ ଉପରେ ସଂଯମତା ରଖ । ଧାର୍ମିକ ଯାତ୍ରାକୁ ଏଡ଼ାନ୍ତୁ । ଆପଣ ବିବାହିତ ଜୀବନରେ ସୁଖ ଏବଂ ସନ୍ତୁଷ୍ଟ ଅନୁଭବ କରିବେ । ଆପଣ ସାମାଜିକ ଏବଂ ବାହ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ।

ମକର : – ବ୍ୟବସାୟ ପ୍ରତି ଗମ୍ଭୀର ହେବ ଏବଂ ଲାଭ ହେତୁ ଆର୍ଥିକ ସ୍ଥିତିରେ ଉନ୍ନତି ହେବ । କର୍ମକ୍ଷେତ୍ରରେ କାର୍ଯ୍ୟକଳାପରେ ବୃଦ୍ଧି ଘଟିବ । ଆୟ ବଢିପାରେ ଏବଂ ବୟସ୍କମାନେ ଆପଣଙ୍କୁ ଆୟ ବୃଦ୍ଧି କରିବାର କିଛି ଗୁଣ ଶିଖାଇବାରେ ସାହାଯ୍ୟ କରିପାରିବେ । ଯାନଟି ସୁଖଦ ହୋଇପାରେ । ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା କରାଯିବ । ଆପଣ ବ୍ୟବସାୟରେ ବ୍ୟସ୍ତ ରହିବେ ଏବଂ ଆପଣ ବ୍ୟବସାୟରେ ଲାଭ ପାଇବେ । ବକ୍ତବ୍ୟକୁ ନିୟନ୍ତ୍ରଣ ।

କୁମ୍ଭ: – ବ୍ୟବସାୟରେ ଆର୍ଥିକ ଲାଭର ସମ୍ଭାବନା ଅଛି । ଆପଣ ଚାକିରିରେ ପଦୋନ୍ନତି ସୁଯୋଗ ପାଇପାରିବେ। ଆମେ ମଧ୍ୟ ଆର୍ଥିକ ଦୃଷ୍ଟିରୁ ସଂଗଠିତ ହେବାରେ ସକ୍ଷମ ହେବୁ । ପାରିବାରିକ ଜୀବନ ଖୁସି ହେବ । କାର୍ଯ୍ୟରେ ବ୍ୟସ୍ତ ରହିବେ, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ । ଆପଣ ବ୍ୟକ୍ତିଗତ ଜୀବନରେ ସତେଜତା ଅନୁଭବ କରିବେ । ଆପଣ ଶାରୀରିକ ଆରାମ ଅନୁଭବ କରିବେ । ଦୈନନ୍ଦିନ କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ । ଆପଣ ନିଜ ସାଥୀଙ୍କ ସହିତ ଭ୍ରମଣରେ ଯାଇପାରିବେ ।

ମୀନ: – ବ୍ୟବସାୟରେ ଲାଭ ହେବ ଏବଂ ଆୟ ବୃଦ୍ଧି ପାଇବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହେତୁ ଆର୍ଥିକ ସମସ୍ୟା ହୋଇପାରେ । ଲକ୍ଷ୍ୟରେ ପହଞ୍ଚିବାରେ ବାଧା ହୋଇପାରେ । ଶିଶୁ ସୁଖ ବୃଦ୍ଧି ପାଇବ । କାର୍ଯ୍ୟାଳୟରେ ଅଧିକାରୀଙ୍କ ସହଯୋଗ ହେବ। ପରିବାର ସଦସ୍ୟମାନେ ସହାୟତା ପାଇବେ । ଭ୍ରମଣରୁ ଦୂରେଇ ରୁହନ୍ତୁ । ପାରିବାରିକ ସମସ୍ୟା ଟେନସନ ବୃଦ୍ଧି କରିବ । ତୁମେ ତୁମର ଦାୟିତ୍ବରେ ପଛରେ ପଡିପାରନ୍ତି। ବିଭିନ୍ନ ପଦାର୍ଥର ଅପବ୍ୟବହାରରୁ ଦୂରେଇ ରୁହ ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମ ଥର ପାଇଁ ନୂଆଦିଲ୍ଲୀର ସ୍ୱାଧୀନତା ଦିବସ ଉତ୍ସବରେ ଓଡ଼ିଶାରୁ ୧୦ ଜଣ ଦେଲେ ଯୋଗ

ଭୁବନେଶ୍ୱର, ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ଆୟୋଜିତ ୭୫ତମ ସ୍ୱାଧୀନତା ଦିବସରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବା ପାଇଁ ଭାରତ ସରକାରଙ୍କ ନିମନ୍ତ୍ରଣ କ୍ରମେ ଓଡ଼ିଶାର ୧୦ ଜଣ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି । ପଦ୍ମଶ୍ରୀ ଅରୁଣା ମହାନ୍ତି, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଡ. ସଂଗୀତା ଗୋସାଇଁ, ରତୀକାନ୍ତ ମହାପାତ୍ର, ଡ. ବିଜୟ ଜେନା, ଜଗନ୍ନାଥ ପଣ୍ଡା, ମୀରା ଦାସ, ପଦ୍ମିନୀ ଦୋରା, ଅଭିନ୍ନ ରାଉତରାୟ ଓ ଗାୟତ୍ରୀବାଳା ପଣ୍ଡା ଆଜି ଦିଲ୍ଲୀର ଲାଲକିଲ୍ଲାଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ସ୍ୱାଧୀନତା ଉତ୍ସବରେ ଅଂଶଗ୍ରହଣ କରି ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଥମ ଥର ପାଇଁ ରାଜ୍ୟରୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରିତ କରାଯାଇଛି । ଏହି ଅତିଥିମାନେ ଓଡ଼ିଶାର ପାରମ୍ପରିକ ବେଶଭୂଷା ସହ ଉତ୍ସବର ଶୋଭାବର୍ଦ୍ଧନ କରିବା ସହିତ ଓଡ଼ିଆ ଅସ୍ମିତାର ଗରିମା ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ବିଭାଗ ତରଫରୁ ଏହି ଅତିଥିମାନଙ୍କୁ ସମସ୍ତ ଆତିଥ୍ୟ ପ୍ରଦାନ କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କ ନାମ ସୁପାରିଶ କରିଥିବାବେଳେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ନୂଆଦିଲ୍ଲୀ ଗସ୍ତର ସମସ୍ତ ବନ୍ଦୋବସ୍ତ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଲରୁ ଫେରୁଥିବା ବେଳେ ବିଜୁଳି ଘଡ଼ଘଡ଼ି ମାରି ବୃଦ୍ଧଙ୍କ ପ୍ରାଣହାନୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୁଷ୍କାପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଜ୍ରପାତ ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବାର ଖବର ହସ୍ତଗତ ହୋଇଛି।

ଖବର ମୁତାବକ ଆଜି ଅପରାହ୍ନରେ ଭୁଷ୍କାପଡ଼ା ଗ୍ରାମର ଭ୍ରମର ମହାନ୍ତି (୭୫) ବିଲରୁ ଚାଷ କାମ ସାରି ଫେରୁଥିବାବେଳେ ହଠାତ ବଜ୍ରପାତ ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଭ୍ରମର ମୂର୍ଚ୍ଛା ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ପରିବାର ବର୍ଗ ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଭ୍ରମରଙ୍କୁ ମୃତ ଘୋଷଣା କରିଥିଲେ।

ଏ ନେଇ ବାଣପୁର ମେଡିକାଲ ଡାକ୍ତର ସନ୍ଦୀପ ମହାନ୍ତି ବାଣପୁର ପୋଲିସକୁ ସୂଚନା ଦେବାପରେ ପୋଲିସ ଶବ ଜବତ କରି ତଦନ୍ତ ଜାରିରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ପୌରପରିଷଦ ଓ ବ୍ଲକ୍ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ରମେଶ ମହାନ୍ତି
ଜଗତସିଂହପୁର: ସ୍ୱାଧୀନତା ଦିବସ ଅବସରରେ ଆଜି ଜଗତସିଂହପୁର ପୌରପରିଷଦ ଓ ବ୍ଲକ୍ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି।

ଏହି ଉତ୍ସବରେ ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇଥିଲେ। ସମୁଦାୟ ୧୧ଟି ପ୍ରକଳ୍ପ ମଧ୍ୟରୁ ୬ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜଗତସିଂହପୁର ପୌରପରିଷଦର ବଙ୍ଗଳା ଛକଠାରୁ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚଲାପଥ ଓ ସୌନ୍ଦର୍ଯ୍ୟକରଣ, ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସେଲ୍ କାଉଣ୍ଟର ଅଳକା, ଜିଲ୍ଲା ପ୍ରାଣୀଚିକିତ୍ସା କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ନିର୍ମିତ ତାଲିମ୍ କେନ୍ଦ୍ର, ହାଟପୋଲ ଠାରୁ ଅନୁକୂଳଚନ୍ଦ୍ର ଆଶ୍ରମ ପର୍ଯ୍ୟନ୍ତ ମାଛଗାଁ କେନାଲ ରାସ୍ତା ପ୍ରଶସ୍ତିକରଣ, ମୃତିକା ସଂରକ୍ଷଣ ଓ ବୃକ୍ଷରୋପଣ, ନୂଆପଡ଼ା ସାଁପୁର ଠାରେ ନୂତନ ଭାବେ ନିର୍ମିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ଶୁଭ ଉଦଘାଟନ ସହିତ ବାଗସାହି ଟାଉନହଲ୍ ନିକଟ ଜାଭିୟର୍ ସ୍କୁଲ୍ ନିକଟରେ ଭେଣ୍ଡିଂ ଜୋନ୍, ଆରକ୍ଷୀ ଅଧିକ୍ଷକଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ତିନିମହଲା ବିଶିଷ୍ଟ ୬ଟି ଇ-ଟାଇପ୍ ଷ୍ଟାଫ୍ କ୍ୱାଟର୍, ପୌରପରିଷଦ ୱାର୍ଡ଼ ନଂ ୧୦ ହରିହରପୁର ଠାରେ ମିସନଶକ୍ତି ଗୃହ, ମାଛଗାଁ ମୁଖ୍ୟ କେନାଲ ବାମପଟ ବନ୍ଧ ଉନ୍ନତିକରଣ ଓଡିଶ ଠାରୁ କାଳିଆବୋରା ପର୍ଯ୍ୟନ୍ତ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ରାଜସ୍ବ କର୍ମଚାରୀଙ୍କ ନିମନ୍ତେ ଜଗତସିଂହପୁର ତହସିଲ୍ ନିକଟରେ ୧୨ଟି ଇ-ଟାଇପ୍ କ୍ୱାଟର୍ ନବନିର୍ମିତ ଗୃହର ଶୁଭ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବୀର କିଶୋର ପରିଡା, ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ରାଜକିଶୋର ଦାସ, ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ଶତପଥୀ, ରାସ୍ତା ଓ କୋଠାବାଡ଼ି ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ଦାସ, ଡେପୁଟି ସିଇଓ ଓରମାସ ସତ୍ୟସୁନ୍ଦର ଶିବରାମ ପାଇଟାଲ, ଡିଡିଏମ୍ ନାବାର୍ଡ ବିଶ୍ୱ ଭୂଷଣ ମହାନ୍ତିଙ୍କ ସମେତ ସହରର ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ।

ଏଥିସହିତ ୭୫ତମ ସ୍ୱାଧୀନତା ଦିବସ ଅବସରରେ ପୌର କର୍ମଚାରୀଙ୍କ ଦ୍ବାରା ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଉଦଘାଟନ କରାଯିବା ସହିତ ଏହି ରକ୍ତଦାନ ଶିବିରରେ ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ପୌର ଚିକିତ୍ସକ ଡଃ ସରୋଜ କୁମାର ଷଡଙ୍ଗୀଙ୍କ ସମେତ କର୍ମଚାରୀ ମାନେ ରକ୍ତଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୪୩ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୧୬, କଟକରୁ ୮୬, ଯାଜପୁରରୁ ୬୭, ବାଲେଶ୍ବରରୁ ୫୮, ଜଗତସିଂହପୁରରୁ ୫୭, ପୁରୀରୁ ୪୬, ମୟୂରଭଞ୍ଜରୁ ୩୨, କେନ୍ଦ୍ରାପଡାରୁ ୩୧, ଅନୁଗୁଳରୁ ୨୬, ଭଦ୍ରକରୁ ୨୦, ସୁନ୍ଦରଗଡରୁ ୧୯, କନ୍ଧମାଳରୁ ୧୭, ରାୟଗଡାରୁ ୧୩, କେନ୍ଦୁଝରରୁ ୧୨, ଢେଙ୍କାନାଳରୁ ୧୦, ନୟାଗଡରୁ ୯, ନବରଙ୍ଗପୁରରୁ ୭, ବଲାଙ୍ଗୀରିରୁ ୬, ଗଞ୍ଜାମରୁ ୫, ଝାରସୁଗୁଡାରୁ ୫, କୋରାପୁଟରୁ ୫, ମାଲକାନଗିରିରୁ ୫, ବୌଦ୍ଧରୁ ୩, କଳାହାଣ୍ଡିରୁ ୨, ବରଗଡରୁ ୧, ନୂଆପଡାରୁ ୧ ଏବଂ ଷ୍ଟେଟ ପୁଲରୁ ୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୭୮ ହଜାର ୨୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର ୫୬୫ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୩୮୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୮୮୭ କୁ ବୃଦ୍ଧି ହୋଇଛି।

Categories
ଆଞ୍ଚଳିକ

ବାରିପଦାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରତାପ ଜେନା

ବାରିପଦା, ଆଜି ବାରିପଦା ଠାରେ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ପଚାଂୟତିରାଜ , ପାନୀୟଜଳ , ଆଇନ , ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ବରପୁତ୍ର ମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶର ଅଖଣ୍ଡତା ଓ ଶାନ୍ତି ରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜବାନ ଏବଂ କରୋନା ଲଢେଇରେ ଶହୀଦ ହୋଇଥିବା କୋଭିଡ ଯୋଦ୍ଧା ମାନଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଭାରତ ମୁଖ୍ୟ ବିଚାରପତିଙ୍କ ବଡ କଥା, ବିନା ଆଲୋଚନାରେ ସଂସଦରେ ଆଇନ ପାଶ ହେବା ଶୁଭକର ନୁହେଁ

ନୂଆଦିଲ୍ଲୀ, ଦେଶର ସଂସଦରେ ବର୍ତ୍ତମାନ ଯେପରି ଆଇନ ପ୍ରଣୟନ ହେଉଛି, ତାହା ଠିକ୍ ନୁହେଁ। ବିନା ଆଲୋଚନାରେ ଆଇନ ପାଶ କରିବା ଦେଶ ପାଇଁ ଶୁଭକର ନୁହେଁ। ଏହିପରି ଏକ ବଡ କଥା କହିଛନ୍ତି ଭାରତର ମୁଖ୍ୟ ବିଚାରପତି ଏନ ଭି ରମନା। ଆଜି ସୁପ୍ରିମକୋର୍ଟ ବାର ଆସୋସିଏସନ ତରଫରୁ 75 ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସେ ଏହା କହିଛନ୍ତି।

ରମନା ଆହୁରି କହିଛନ୍ତି ଯେ, ପୂର୍ବେ ଯେତେବେଳେ ଆଇନ ପ୍ରଣୟନ ହେଉଥିଲା ସେତେବେଳେ ତା ଉପରେ ଏକ ବଡ ବୈଦ୍ଧିକ ଆଲୋଚନା ହେଉଥିଲା।ଏହାଦ୍ବାରା କୋର୍ଟ ସେ ଆଇନି ଉପରେ ବିସ୍ତୁତ ତଥ୍ୟ ହାସଲ କରିପାରୁ ଥିଲା। ହେଲେ ଏହା ବର୍ତ୍ତମାନ ପରିଲକ୍ଷିତ ହେଉ ନାହିଁ ବୋଲି ସିଜେଆଇ କହିଥିଲେ।

Categories
ଆଜିର ଖବର ବ୍ୟବସାୟ

ଓଡ଼ିଶାରେ ୯୦ରୁ ଅଧିକ ଜିଓ ପଏଂଟ ଷ୍ଟୋରରେ ଜିଓମାର୍ଟ ଡିଜିଟାଲ ସେବା ଶୁଭାରମ୍ଭ

ଭୁବନେଶ୍ୱର, ଗ୍ରାମାଞ୍ଚଳ ସହରଗୁଡିକରେ ଶେଷ ମାଇଲ ଗ୍ରାହକ ସ୍ୱାଚ୍ଛନ୍ଦ୍ୟ ସୁନିଶ୍ଚିତ କରିବାକୁ ଏକ ଉଲ୍ଲେଖନୀୟ ପ୍ରୟାସରେ ଜିଓମାର୍ଟ ଡିଜିଟାଲ ସେବା ସମଗ୍ର ଓଡ଼ିଶାରେ ୯୦ରୁ ଅଧିକ ଜିଓପଏଂଟ ଷ୍ଟୋରରେ ପ୍ରଚଳନ କରାଯାଇଛି।

ଏହା ଅନେକ ଗ୍ରାମାଞ୍ଚଳ ସହର ଓ ଉପନଗରୀୟ କେନ୍ଦ୍ରଗୁଡିକର ବାସିନ୍ଦାମାନେ ସ୍ମାର୍ଟଫୋନ, ଟେଲିଭିଜନ, ରେଫ୍ରିଜେରେଟର, ୱାଶିଂମେସିନ, ମିକ୍ସର ଗ୍ରାଇଣ୍ଡର, ରାଇସ କୁକର, ସ୍ପିକର ଓ ହେଡ ଫୋନ ଆଦି ସମେତ ବିବିଧ ଇଲେକ୍ଟ୍ରୋନିକ ଉତ୍ପାଦ ଉପରେ ସର୍ବୋତ୍ତମ ଅଫରର ସୁଯୋଗ ଓ ଘରେ ସାମଗ୍ରୀ ପହଞ୍ଚାଇବା ସୁବିଧା ପାଇପାରିବେ।

ଗ୍ରାମାଞ୍ଚଳ କେନ୍ଦ୍ରଗୁଡିକରେ ଇଲେକ୍ଟ୍ରୋନିକ୍ସ ମଲ ଭାବରେ ଜିଓପଏଂଟ ଷ୍ଟୋରଗୁଡିକ ବ୍ୟବହାର ପାଇଁ ସହଜ ମୋବାଇଲ ଡିଜିଟାଲ ଆପ୍ଲିକେସନରେ ସର୍ବୋତ୍ତମ ଅଫର ସହିତ ସର୍ବାଧୁନିକ ଇଲେକ୍ଟ୍ରୋନିକ୍ସ ଉତ୍ପାଦଗୁଡିକ ପ୍ରଦର୍ଶିତ କରିବ। ସମ୍ପ୍ରତି କମ୍ପାନୀ ସମସ୍ତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୬୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି।