Categories
ଆଜିର ଖବର ଜାତୀୟ ଖବର

ପେଗାସସ୍ ଗୁପ୍ତଚର ଘଟଣା: ପୂର୍ବତନ ସିଜେଆଇ ରଂଜନ ଗୋଗୋଇ ଦେଲେ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କୁ ୨୦୧୯ ମସିହାରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିବା ମହିଳା ମଧ୍ୟ ଇସ୍ରାଏଲର ଗୁପ୍ତଚର ପେଗାସସ୍ ମାଧ୍ୟମରେ ସମ୍ଭାବ୍ୟ ଗୁପ୍ତଚର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ। ପୂର୍ବତନ ସିଜେଆଇ ରଂଜନ ଗୋଗୋଇ ଏହି ବିଷୟରେ କିଛି କହିବାକୁ ମନା କରି ଦେଇଛନ୍ତି। ସିଜେ ପଦବୀରୁ ଅବସର ନେବା ପରେ ବିଜେପି ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିବା ରଂଜନ ଗୋଗୋଇ କହିଛନ୍ତି ଯେ, ମୁଁ ଏହା ଉପରେ କୌଣସି ମନ୍ତବ୍ୟ ଦେବି ନାହିଁ।

କେବଳ ସରକାରଙ୍କ ଦ୍ୱାରା ବ୍ୟବହୃତ ସମ୍ଭାବ୍ୟ ସ୍ପାଇୱେୟାର୍ ପାଇଁ ଟାର୍ଗେଟ ତାଲିକାରେ ମହିଳାମାନଙ୍କ ସହିତ ଜଡିତ ୧୧ ଟି ମୋବାଇଲ୍ ନମ୍ବର ଅନ୍ତର୍ଭୁକ୍ତ। ୱାଶିଂଟନ୍ ପୋଷ୍ଟ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ଅନୁଷ୍ଠାନର ଗ୍ଲୋବାଲ୍ ଇନଭେଷ୍ଟିଗେସନ୍ ଅଫ୍ ଦି ଓୟାରରେ ଏହା ପ୍ରକାଶ ପାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାକୁ ହରେଇଲେ ୯୪ ବର୍ଷୀୟ ବୃଦ୍ଧ: ସମ୍ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ

ଭୁବନେଶ୍ୱର: ସମ୍ କୋଭିଡ ହସ୍ପିଟାଲ୍‌ରେ କୋଭିଡ୍‌-୧୯ କୁ ପୁଣି ପରାସ୍ତ କଲେ ଜଣେ ବୟୋଜ୍ୟେଷ୍ଠ।

ପୁରୀ ଅଂଚଳର ୯୪ ବର୍ଷୀୟ ବୃଦ୍ଧ ସୁରଥ ରାଉତରାୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କୋଭିଡ ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲ୍‌ରେ ଗତ ଜୁଲାଇ ୧୩ ତାରିଖରେ ଭର୍ତି କରାଯାଇଥିଲା। ମଙ୍ଗଳବାର ସୁରଥ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମୟରେ ତାଙ୍କୁ ଅଧିକ ମାତ୍ରାରେ ଅକ୍ସିଜେନ୍ ର ଆବଶ୍ୟକତା ଥିଲା। ନିଃଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରିବା ସହ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗ ସମେତ ଅନେକ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ମଧ୍ୟ ରହିଥିଲା। ହସ୍ପିଟାଲ୍‌ରେ ଭର୍ତି ହେବା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଇଥିଲା।

ତେବେ ସମ୍ କୋଭିଡ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କର୍ମୀମାନଙ୍କର ସେବା, ଯତ୍ନ ଓ ଉତମ ଚିକିତ୍ସା ଯୋଗୁଁ ସେ ଘରକୁ ଫେରିପାରିଛନ୍ତି।

ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସୁରଥଙ୍କ ଚିକିତ୍ସାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ତାଙ୍କ ବୋହୁ ଶ୍ରୀମତି ସୁଲୋଚନା ସାହୁ। ତାଙ୍କ ଶ୍ୱଶୁରଙ୍କ ଚିକିତ୍ସା ଠିକ୍ କରାଯାଉଥିଲା ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ସୂଚନା ଠିକ୍ ଭାବେ ପରିବାରକୁ ଜଣାଇ ଦିଆଯାଉଥିଲା ବୋଲି ସେ କହିଛନ୍ତି।

କରୋନା ମହାମାରୀର ଦ୍ୱିତୀୟ ଲହରୀରେ ମଧ୍ୟ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ଅନେକ ବୟୋଜ୍ୟେଷ୍ଠ ସୁସ୍ଥ ହୋଇ ଘରକୁ ଫେରିବା ଦେଖିବାକୁ ମିଳିଛି।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ଆରମ୍ଭ ହେଲା ରଥ ଟଣା, କିଛି ସମୟ ପରେ ସିଂହଦ୍ବାରରେ ପହଁଞ୍ଚିବ ରଥ

ପୁରୀ, ମନ୍ଦିର ପ୍ରଶାସନ ଜାରି କରିଥିବା ସମୟ ନିର୍ଘଣ୍ଟର ବହୁ ପୂର୍ବରୁ ବାହୁଡା ରଥ ଟଣା ଆରମ୍ଭ ହୋଇଯାଇଛି। ନିର୍ଦ୍ଧାରିତ ସମୟ ଅନୁସାରେ ଅଜି ଅପରାହ୍ନ 4 ଟାରେ ରଥଟଣା ହୋଇଥାଆନ୍ତା। ହେଲେ ଏହାର ଯଥେଷ୍ଠ ପୂର୍ବରୁ ଅର୍ଥାତ ଅପରାହ୍ନ ଗୋଟିଏ ବେଳକୁ ରଥଟଣା ଆରମ୍ଭ ହୋଇଯାଇଛି।

ବିଧି ମୁତାବିକ ଆଜି ଗଜପତି ଦିବ୍ୟସିଂହ ଦେବ ଛେରାପହଁରା କରିବା ପରେ ଚାରମାଳ ଫିଟା ଆରମ୍ଭ ହୋଇଥିଲା। ଏହାପରେ ରଥଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ନୀତି ଅନୁସାରେ ଅପରାହ୍ନ 4ଟା ପୂର୍ବରୁ ତିନି ରଥ ଶ୍ରୀମନ୍ଦିରରେ ଲାଗିଯିବାର ସମ୍ଭାବନା ରହିଛି।

Categories
RathJatra ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଚଳିତ ବର୍ଷ ପୁରୀ ଗଜପତି ମହାରାଜା କଲେ ଏକ ନୂଆ ରେକର୍ଡ, ଛେରା ପହଁରା କରିବାରେ ପୁରିଲା ୫୦ ବର୍ଷ

ପୁରୀ, ଚଳିତ ବର୍ଷ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏକ ନୂଆ ରେକର୍ଡ କରିଛନ୍ତି। ତାହା ହେଲା ସେ ଶ୍ରୀଜିୟୁଙ୍କ ସେବା କରିବାରେ ୫୦ ବର୍ଷ ପୁରଣ କରିଛନ୍ତି। ସେ ୧୯୭୧ ମସିହାରୁ ଠାକୁରଙ୍କ ଏହି ସେବା କରି ଆସୁଛନ୍ତି।

କେବଳ ୧୯୭୬ ମସିହା ରଥଯାତ୍ରା ବେଳେ ସେ ପରୀକ୍ଷା ଦେବା ପାଇଁ ବିଦେଶରେ ଥିବାରୁ ଆସିପାରି ନ ଥିଲେ। ହେଲେ ପ୍ରତିବର୍ଷ ସେ ଏହି ବିରଳ ସେବାରେ ନିଜକୁ ନିୟୋଦିତ ରଖିଛନ୍ତି। ସୂଚନା ଅନୁସାରେ ତିନି ଶହ ବର୍ଷ ତଳେ ଜଣେ ଗଜପତି ୫୦ ବର୍ଷ ସେବା କରିଥିଲେ। ହେଲେ ଏ ନେଇ କୌଣସି ରେକର୍ଡ ନାହିଁ।

୬୮ ବର୍ଷୀୟ ବର୍ତ୍ତମାନର ଗଜପତି ଦିବ୍ୟସିଂହ ଦେବ ୧୯୭୦ ମସିହାରେ ଗଜପତି ବୀର କିଶୋର ଦେବ, ତୃତୀୟଙ୍କ ଦେହାନ୍ତ ପରେ ରାଜାଭିଷେକ ହୋଇଥିଲେ। ଗତ ବର୍ଷ ତାଙ୍କ ରାଜାଭିଷେକକୁ ମଧ୍ୟ ୫୦ ବର୍ଷ ପୁରଣ ହୋଇଛି। ଏହା ପୂର୍ବରୁ ପୁରୀରେ କୌଣସି ଗଜପତି ଏତେ ବର୍ଷ ଧରି ରାଜଗାଦିରେ ବସି ଥିବାର ମଧ୍ୟ ରେକର୍ଡ ନାହିଁ।

ଗଜପତି ଦିବ୍ୟସିଂହ ଦେବ ପାଠ ପଢୁଥିବା ବେଳେ ରାଜାଭିଷେକ ହୋଇଥିଲେ। ସେ ରାୟପୁର ରାଜକୁମାର କଲେଜରୁ ଆଇଏସସି ପାସ୍ କରିଥିଲେ। ଏହାପରେ ୧୯୭୨ ମସିହାରେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସ ସମ୍ମାନରେ ବିଏ ପାସ୍ କରିଥିଲେ। ଏହା ପରେ ୧୯୭୫ ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏଲଏଲ୍ ବି ଶିକ୍ଷା ଲାଭ କରିଥିଲେ।

ଗଜପତି ଆମେରିକାର ଚିକାଗୋସ୍ଥିତ ଉତ୍ତର ପଶ୍ଚିମ ବିଶ୍ବବିଦ୍ୟାଳୟରେ ଏଲ୍ଏଲ୍ଏମ୍ ଡିଗ୍ରି ମଧ୍ୟ ହାସଲ କରିଛନ୍ତି। କିଛି ମାସ ଧରି ସେ ଓକିଲାତି ମଧ୍ୟ କରୁ ଥିଲେ।ଏହି ପେଶାରେ ଥିଲେ ମଧ୍ୟ ସେ ରିତମତ ରଥଯାତ୍ରାକୁ ଆସି ପ୍ରଭୃଙ୍କ ସେବାରେ ନିଜକୁ ନିୟୋଜିତ ରଖିଥିଲେ। ପରବର୍ତ୍ତି ସମୟରେ ଶ୍ରୀଜଗନ୍ନାଥଙ୍କ ଆକର୍ଷଣ ତାଙ୍କୁ ଅତିମାତ୍ରାରେ ଟାଣିଆଣିଲା। ଫଳରେ ସେ ଓକିଲାତି ପେଶା ଛାଡି ପୁରା ସମୟ ଶ୍ରୀଜଗନ୍ନାଥଙ୍କ ସେବା ନିଜକୁ ନିୟୋଜିତ କଲେ।

Categories
ଆଜିର ଖବର ଜାତୀୟ ଖବର

ପେଗାସସ୍ ଗୁପ୍ତଚର ମାମଲା: ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଦ୍ଵାରା ତଦନ୍ତ କରିବାକୁ ଦାବି

ନୂଆଦିଲ୍ଲୀ: ପେଗାସସ୍ ସ୍ପାଇୱେୟାର୍ (ପେଗାସସ୍ ସ୍ପାଇୱେୟାର୍ କେସ୍) ମାଧ୍ୟମରେ ଗୁପ୍ତଚର ମାମଲା ସାମ୍ନାକୁ ଆସିବା ପରେ ବିରୋଧୀ ମାନେ କ୍ରମାଗତ ଭାବେ ସରକାରଙ୍କୁ ଆକ୍ରମଣ କରୁଛନ୍ତି। ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ ସାଂସଦମାନେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି କରି ରାଜ୍ୟସଭା ଏବଂ ଲୋକସଭା ସ୍ଥଗିତ ରଖିବାକୁ ବାଧ୍ୟ କରିଥିଲେ। ବିରୋଧୀ ଗୁପ୍ତଚର ଦୁର୍ନୀତିର ତଦନ୍ତ ଦାବି କରୁଛନ୍ତି। ଏହି ସମୟରେ ଆମ୍ ଆଦମୀ ପାର୍ଟି (ଏଏପି) ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ ଏସଆଇଟି ଗଠନ କରି ଏହି ଘଟଣାର ତଦନ୍ତ ଦାବି କରିଛି।

ଆପ୍ ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ, “ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ ଏସଆଇଟି ସ୍ଥାପନ କରି ପେଗାସସ୍ ସ୍ପାଇୱେୟାର୍ ବିବାଦର ତଦନ୍ତ କରାଯିବା ଉଚିତ୍। ଦେଶର ଗୁରୁତ୍ୱପୂର୍ଣ୍ଣ ନେତା, ସାମ୍ବାଦିକ ଏବଂ ଅନ୍ୟମାନଙ୍କ ଫୋନ୍ ହ୍ୟାକ୍ ସାମ୍ନାକୁ ଆସିଛି। ଏହି ବିବାଦରେ ସୁପ୍ରିମ୍ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ଯେଉଁ ମହିଳା ପୂର୍ବତନ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ତାଙ୍କର ମଧ୍ୟ ଫୋନ୍ ହ୍ୟାକ୍ କରାଯାଇଥିଲା।

ସେ ଆହୁରି କହିଛନ୍ତି ଯେ, ଏହି ବିବାଦ ପ୍ରଥମେ ଏପ୍ରିଲରେ ଆସିଥିଲା ଏବଂ ପରେ ନଭେମ୍ବରରେ ରାଫାଲ ଚୁକ୍ତିରେ ଏକ କ୍ଳିନ ଚିଟ୍ ଦିଆଯାଇଥିଲା। ଏହି ସମଗ୍ର ଘଟଣାର ଅନୁସନ୍ଧାନ କରାଯିବା ଉଚିତ୍। ଏହା ମଧ୍ୟ ଗୋପନୀୟତା ଉଲ୍ଲଂଘନ ମାମଲା। ଏହା ଏକ ସାଧାରଣ ମାମଲା ନୁହେଁ। ତେଣୁ କେବଳ ସୁପ୍ରିମକୋର୍ଟଙ୍କ ତତ୍ତ୍ଵାବଧାନରେ ଏସଆଇଟି ଦ୍ଵାରା ଏହି ମାମଲାର ତଦନ୍ତ କରାଯିବା ଆବଶ୍ୟକ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୁରକ୍ଷାବାହିନୀ-ନକ୍ସଲ ମୁହାଁମୁହିଁ: ଜଣେ ଯବାନ ସହିଦ, ଏନକାଉଣ୍ଟରରେ ମାଓ କମାଣ୍ଡର ମୃତ

ରାୟପୁର: ଆଜି ଛତିଶଗଡ଼ର ନକ୍ସଲ ପ୍ରଭାବିତ ଜିଲ୍ଲା ନାରାୟଣପୁରରେ ଆଇଟିବିପି ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି। ରିପୋର୍ଟ ଅନୁଯାୟୀ, ଅମାଦାଇ ଏବଂ ଶିବ ମନ୍ଦିର ମଧ୍ୟରେ ମୁଖ୍ୟ ରାସ୍ତାରେ ଏହି ଏନକାଉଣ୍ଟର ହୋଇଥିଲା। ଏହାପରେ ସୁରକ୍ଷା କାରଣରୁ ରାସ୍ତା ସଫା କରିବା ପାଇଁ ନାରାୟଣପୁର ବିଧାୟକ ଚନ୍ଦନ କାଶ୍ୟପଙ୍କୁ ନିୟୋଜିତ କରାଯାଇଥିଲା। ଏହି ଏନକାଉଣ୍ଟରରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାଯାଇଛି। ଛତିଶଗଡ଼ରେ ନିକଟରେ ଦନ୍ତେୱାଡା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ନକ୍ସଲ କମାଣ୍ଡର ସନ୍ତୋଷ ମାର୍କମଙ୍କୁ ହତ୍ୟା କରିଛନ୍ତି।

ମାର୍କମ୍ ଉପରେ ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା ହୋଇଥିଲା। ସେବେଠାରୁ ନକ୍ସଲମାନେ ନିରନ୍ତର ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ମାର୍କାମଙ୍କ ଏନକାଉଣ୍ଟର ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହାପୂର୍ବରୁ ଜୁନ୍ ୨୦ ରେ ସୁରକ୍ଷା ବାହିନୀ ନିଜେ ନାରାୟଣପୁର ଜିଲ୍ଲାର ଦୁଇଜଣ ନକ୍ସଲଙ୍କୁ ହତ୍ୟା କରିଥିଲେ। ନକ୍ସଲମାନଙ୍କ ଲୁଚି ରହିଥିବା ସୂଚନା ପାଇବା ପରେ ଅର୍ଚା ପୋଲିସ ଷ୍ଟେସନ ଅଞ୍ଚଳରେ ଡିଆରଜି ଯବାନଙ୍କ କାର୍ଯ୍ୟରେ ଏହି ନକ୍ସଲମାନଙ୍କୁ ହତ୍ୟା କରାଯାଇଥିଲା।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

ତିନିଠାକୁରଙ୍କୁ ଅପେକ୍ଷା କରିଛନ୍ତି ମାଉସୀମା, ବାଟରେ ଖୁଆଇବେ ପୋଡପିଠା

ପୁରୀ, ବାହୁଡା ଯାତ୍ରାର ଏକ ଅନନ୍ୟ ପରଂପରା ହେଉଛି ତିନିଠାକୁରଙ୍କ ମାଉସୀମା ମନ୍ଦିରରେ ପୋଡପିଠା ଖିଆ। ଏହି ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ତିନିଠାକୁର ଗୁଣ୍ଡିଚା ମନ୍ଦିରରୁ ଆଗପଛ ହୋଇ ବାହାରିବା ପରେ ବାଟରେ ଏହି ପୋଡପିଠା ଭୋଗ କରାଯାଇଥାଏ।

ଶ୍ରୀମନ୍ଦିର ପୂର୍ବରୁ ବଡଦାଣ୍ଡ ଉପରେ ରହିଛି ଏକ ଛୋଟିଆ ମନ୍ଦିର ଯାହାର ନାମ ହେଉଛି ମାଉସୀମା ମନ୍ଦିର। ପ୍ରତି ବର୍ଷ ଏହି ମନ୍ଦିରର ପୂଜକ ବାହୁଡା ଦିନ ତିନି ଠାକୁରଙ୍କ ପାଇଁ ଓଡିଆ ଘରର ସୁସ୍ବାଦୁ ପୋଡପିଠା ପ୍ରସ୍ତୁତ କରି ଭୋଗ କରିଥାନ୍ତି। ଏହା ହେଉଛି ମାଉସୀ ଆଉ ପୁତୁରା ଝିଆରିଙ୍କ ମଧ୍ୟରେ ଥିବା ଅନାବିଳ ସଂପର୍କରେ ଏକ ପୌରାଣିକ ନିଦର୍ଶନ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ଚିଲିକାରେ ୭ ଶହ ଲୋକକୁ ଦିଆଯିବ ଟୀକା: ଜାଣନ୍ତୁ କେଉଁ କେନ୍ଦ୍ର ପାଇଁ କେତେ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୭ ଶହ ଲୋକଙ୍କୁ ଦ୍ଵିତୀୟ ଡୋଜ ଟୀକା ଦିଆଯିବ ଯେଉଁଥିରେ ବାଣପୁର ବ୍ଲକ ଓ ଏନଏସିର ୪୦ ଜଣ ଗର୍ଭବତୀ ମହିଳା ପ୍ରଥମ ଡୋଜ ଟୀକା ନେବେ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୧୮୦ ଡୋଜ ( ଗର୍ଭବତୀ ମହିଳାଙ୍କୁ ୨୦ଡୋଜ)

୨- ସହିଦ କୃତ୍ତିବାସ ଭବନ, ପଲଟନ ପଡିଆ- ୧୮୦ ଡୋଜ ( ଗର୍ଭବତୀ ମହିଳାଙ୍କୁ ୨୦ଡୋଜ)

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ (ବାଲୁଗାଁ ଏନଏସି)- ୧୦୦ ଡୋଜ

୨- ସୀଙ୍ଗେଶ୍ୱର ପ୍ରାଥମିକ ବିଦ୍ୟାଳୟ (ସୀଙ୍ଗେଶ୍ୱର ଗ୍ରା.ପ)- ୫୦ ଡୋଜ

୩- ବ୍ରାହ୍ମଣକୁଶଡିହ ବାତ୍ୟା ଆଶ୍ରୟସ୍ଥଳୀ (ଆଙ୍କୁଲା ଗ୍ରା.ପ)- ୫୦ ଡୋଜ

୪- କାଳିଜାଇ ୟୁଜି ଏମଇ ବିଦ୍ୟାଳୟ (ମାନସିଂହପୁର ଗ୍ରା.ପ)- ୫୦ ଡୋଜ

୫- ଚିଲିକା ଉଚ୍ଚ ବିଦ୍ୟାପୀଠ (ହାଟବରଡ଼ି ଗ୍ରା.ପ)- ୫୦ ଡୋଜ

ଚିଲିକାର ସବୁ ଟିକାକେନ୍ଦ୍ରରେ ସକାଳ ୯ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୫୬ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୫ ହଜାର ୧୭୨କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୧୭୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୮ ଜଣ, ବରଗଡ, ମୟୂରଭଞ୍ଜ ଜିଲ୍ଲାରୁ ୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କେନ୍ଦୁଝର, କେନ୍ଦ୍ରାପଡା, ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ, ମାଲକାନଗିରି ଜିଲ୍ଲାରୁ ୨ ଜଣ ଲେଖାଏଁ, କଟକ, ଦେବଗଡ, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୮ ହଜାର ୫୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୨ ହଜାର ୬୬୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୦ ହଜାର ୧୬୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୧୭୨ କୁ ବୃଦ୍ଧି ହୋଇଛି।

Categories
RathJatra ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ଆଉ ଅଳ୍ପ ସମୟ ପରେ ବାହୁଡିବ ତିନି ରଥ, ଚାଲିଛି ଗଜପତିଙ୍କ ଛେରା ପହଁରା ନୀତି

ପୁରୀ, ବର୍ତ୍ତମାନ ବାହୁଡା ଯାତ୍ରା ପାଇଁ ସମସ୍ତ ରୀତିନୀତି ନିର୍ଦ୍ଧିରତ ସମୟ ପୂର୍ବରୁ ଚାଲିଛି। ତିନି ରଥର ତିନିଠାକୁର ବିରାଜମାନ କରିବା ପରେ ଏବେ ଛେରା ପହଁରା ନୀତି ଚାଲିଛି। ଗଜପତି ଦିବ୍ୟସିଂହ ଦେବ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଁଚି ଏହି ବିରଳ ନୀତି ତୁଲାଉଛନ୍ତି। ଏହାପରେ ତିନିରଥରୁ ଚାରମାଳ ଫିଟାଯାଇ ରଥ ଦଉଡି ବନ୍ଧା ଯିବ। ବର୍ତ୍ତମାନ ନୀତିକୁ ଦେଖିଲେ ଆଉ ଘଣ୍ଟାଏ ପରେ ରଥ ଟଣା ଆରମ୍ଭ ହୋଇଯିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆଜି ନିଜର ବ୍ୟକ୍ତିଗତ ରକେଟରେ ମହାକାଶ ଯାତ୍ରା କରିବେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍

ନୂଆଦିଲ୍ଲୀ: ଆଜି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ମହାକାଶ ଯାତ୍ରା କରି ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ନିଜର ବ୍ୟକ୍ତିଗତ ରକେଟ୍ ସହିତ ମହାକାଶ ଯାତ୍ରା କରିବେ। ବେଜୋସ ସୋମବାର ସକାଳେ ଇନଷ୍ଟାଗ୍ରାମରେ କହିଛନ୍ତି ଯେ ସେ, ତାଙ୍କ ଭାଇଙ୍କ ସମେତ ୪ ଜଣ ଯାତ୍ରୀ ମହାକାଶଯାନରେ ଯାତ୍ରା କରିବେ। ଏହି ଐତିହାସିକ ମହାକାଶ ଯାତ୍ରା ଆଜିଠାରୁ ଆରମ୍ଭ ହେବ।

ଏହି ଯାତ୍ରାରେ ଟେକ୍ସାସରୁ ମହାକାଶକୁ ଏକ ସଂକ୍ଷିପ୍ତ ଯାତ୍ରା ହେବ। ଆଜି ତାରିଖରେ ଆପୋଲୋ-୧୧ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିଲା। ତେଣୁ ଆଜି ଆପୋଲୋ-୧୧ ଚନ୍ଦ୍ରରେ ପହଞ୍ଚିବାର ବାର୍ଷିକୀ ମଧ୍ୟ ପାଳନ କରାଯାଉଛି।

ଫେବୃଆରୀ ପ୍ରାରମ୍ଭରେ ବେଜୋସ୍ କହିଥିଲେ ଯେ ସେ ଅନ୍ୟ କାର୍ଯ୍ୟରେ ଅଧିକ ସମୟ ଦେବା ଏବଂ ତାଙ୍କ କମ୍ପାନୀ ବ୍ଲୁ ଅରିଜିନ୍ ଉପରେ ଧ୍ୟାନ ଦେବା ପାଇଁ ଆମାଜନ ସିଇଓ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି।

ବେଜୋସ୍ ଇନଷ୍ଟାଗ୍ରାମରେ କହିଛନ୍ତି, ମହାକାଶରୁ ପୃଥିବୀକୁ ଦେଖିବା, ଆପଣଙ୍କୁ ବଦଳାଇଥାଏ, ଏହି ଗ୍ରହ ସହିତ ଆପଣଙ୍କର ସମ୍ପର୍କକୁ ବଦଳାଇଥାଏ।  ମୁଁ ଏହି ବିମାନରେ ଯାତ୍ରା କରିବାକୁ ଚାହୁଁଛି କାରଣ, ଏହା ଏଭଳି ଏକ ଜିନିଷ ଯାହା ମୁଁ ମୋ ଜୀବନରେ କରିବାକୁ ଚାହୁଁଥିଲି। ଏହା ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ”

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ୧୨୫ ଦିନ ପରେ ଦେଶରେ ଚିହ୍ନଟ ହେଲେ ସବୁଠୁ କମ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୦ ହଜାର ୯୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୭୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୧ ଲକ୍ଷ ୭୪ ହଜାର ୩୨୨ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୪ ହଜାର ୪୮୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୫୩ ହଜାର ୭୧୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୬ ହଜାର ୧୩୦ ଆକ୍ଟିଭ୍‌ କେସ୍ ରହିଛି।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

ଆରମ୍ଭ ହେଲା ବାହୁଡା ଯାତ୍ରା, ସକାଳୁ ରଥାଋଢ ହେଲେ ବଡଠାକୁର, କିଛି ସମୟ ପରେ ଛେରା ପହଁରା

ପୁରୀ, ଆଜି ହେଉଛି ପବିତ୍ର ବାହୁଡା ଯାତ୍ରା। ଏହି ଉପରଲେକ୍ଷ ଶ୍ରୀଗୁଣ୍ଡିଚା ମନ୍ଦିରରୁ ତିନିଠାକୁରଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି। ପ୍ରଥମେ ସୁଦର୍ଶନ ଦେବଦଳନ ରଥରେ ବିଜେ କରିବା ପରେ ପ୍ରଭୃ ବଳଭଦ୍ର ପହଣ୍ଡି ବିଜେ କରି ରଥାଋଢ ହୋଇଛନ୍ତି। ପୂର୍ବ ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ବର୍ତ୍ତମାନ ଶ୍ରୀଜିୟୁଙ୍କ ସମସ୍ତ ରୀତିନୀତି ଆରମ୍ଭ ହୋଇଯାଇଛି। ମା ସୁଭଦ୍ରା ରଥା ଋଢ ହେବା ପରେ ଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ କରାଯାଇଛି। ଆଉ କିଛି ସମୟ ପରେ ଛେରା ପହଁରା ନୀତି ଆରମ୍ଭ ହେବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୨ ହଜାର ୮୫ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୯୮ ଜଣ ଚିହ୍ନଟ ହୋଇଥିବା ବେଳେ ୮୮୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୮ ହଜାର ୫୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୨ ହଜାର ୬୬୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୦ ହଜାର ୧୬୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫୧୧୬ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୨୮ ଜଣ, କଟକ ଜିଲ୍ଲାରୁ ୨୧୦ ଜଣ, ଅନୁଗୁଳ ଜିଲ୍ଲାରୁ ୭୩ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୧୩ ଜଣ, ବରଗଡ ଜିଲ୍ଲାରୁ ୧୫ ଜଣ, ଭଦ୍ରକ ଜିଲ୍ଲାରୁ ୧୭୩ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୪ ଜଣ, ବୌଦ୍ଧ ଜିଲ୍ଲାରୁ ୩ ଜଣ, ଦେବଗଡ ଜିଲ୍ଲାରୁ ୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୧ ଜଣ, ଗଜପତି ଜିଲ୍ଲାରୁ ୧୯ ଜଣ, ଗଞ୍ଜାମ ଜିଲ୍ଲାରୁ ୧୪ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୮ ଜଣ, ଯାଜପୁର ଜିଲ୍ଲାରୁ ୧୩୨ ଜଣ, ଝାରସୁଗୁଡା ଜିଲ୍ଲାରୁ ୨ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୦ ଜଣ, କନ୍ଧମାଳ ଜିଲ୍ଲାରୁ ୧୮ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୯୪ ଜଣ, କେନ୍ଦୁଝର ଜିଲ୍ଲାରୁ ୨୪ ଜଣ, କୋରାପୁଟ ଜିଲ୍ଲାରୁ ୧୬ ଜଣ, ମାଲକାନାଗିରି ଜିଲ୍ଲାରୁ ୧୯ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୮୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୮ ଜଣ, ନୟାଗଡ ଜିଲ୍ଲାରୁ ୬୦ ଜଣ, ନୂଆପଡା ଜିଲ୍ଲାରୁ ୫ ଜଣ, ପୁରୀ ଜିଲ୍ଲାରୁ ୧୦୬ ଜଣ, ରାୟଗଡା ଜିଲ୍ଲାରୁ ୧୪ ଜଣ, ସମ୍ବଲପୁର ଜିଲ୍ଲାରୁ ୩୬ ଜଣ, ସୋନପୁର ଜିଲ୍ଲାରୁ ୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୫ ଜଣ ଏବଂ ଷ୍ଟେଟ ପୁଲରୁ ୧୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଧଳା ଜହର କବ୍ଜାରେ ଚିଲିକା!: ବାଲୁଗାଁରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାରେ କିଛି ଦିନ ହେବ ବ୍ରାଉନ ସୁଗାର କାରବାର ଥମିଥିବା ବେଳେ ଆଜି ପୁଣି ଧଳା ଜହର ବେପାରୀ ସକ୍ରିୟ ହୋଇଉଠିଛନ୍ତି। ଆଜି ସକାଳୁ ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ସହରରୁ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି।

ସୂଚନା ମୁତାବକ ଆଜି ସକାଳ ୭ ଟାରେ ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ବିଭାଗ ଏସଆଇ ମନୋଜ ବାରିକ ବାଲୁଗାଁ ଚକ୍ରଧରପୁର ସାହି ନିକଟରେ ଚଢ଼ାଉ କରି ଅଭିଯୁକ୍ତ ଜଣଙ୍କୁ ଗିରଫ କରିଛନ୍ତି। ତାଙ୍କ ନିକଟରୁ ପାଖାପାଖି ୧୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଗିରଫ ଅଭିଯୁକ୍ତଜଣଙ୍କ ପାଣ୍ଡଵ ବେହେରା (୨୮) ବୋଲି ଜଣାପଡିଛି। ଅବକାରୀ ସୂତ୍ରରୁ ପ୍ରକାଶ ଯେ ଦୀର୍ଘଦିନ ହେବ ବାଲୁଗାଁରେ ପାଉଡର ବେପାର ଚାଲିଥିବାର ଖବର ସେମାନଙ୍କ ପାଖରେ ଥିଲା। ତେବେ ବହୁ ଦିନର ପ୍ରଚେଷ୍ଟା ପରେ ଆଜି ଅବକାରୀ ପଞ୍ଝାରେ ଉକ୍ତ ପାଉଡର ବେପାରୀ ଧରା ପଡିଛି। ଅଭିଯୁକ୍ତଙ୍କ ନାମରେ ପିଆର ନଂ ୩୭ ରେ ଏନଡିପିଏସ ଅଧିନିୟମ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।

ବାଲୁଗାଁରେ ପାଉଡର କାରବାର ଚାଲିଥିବା ଖବର ପ୍ରଚାର ହେବାପରେ ଜନସାଧାରଣ ଚିନ୍ତାରେ ପଡିଯାଇଛନ୍ତି। ଅନୁରୂପ ଭାବେ ବାଣପୁର ସହରରେ ମଧ୍ୟ ପାଉଡର ବେପାର ଚାଲିଥାଇପାରେ ବୋଲି ଜନସାଧାରଣ ମାନେ ସନ୍ଦେହ କରୁଛନ୍ତି। ପୋଲିସ ଏବଂ ଅବକାରୀ ବିଭାଗ ଏ ଦିଗରେ ଯଥାଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ନଚେତ ଉକ୍ତ ଅଞ୍ଚଳର ଯୁବ ପିଢୀମାନଙ୍କ ଭବିଷ୍ୟତ ବିପଦଗାମୀ ଆଡକୁ ଗତି କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Categories
ଆଜିର ଖବର ଧର୍ମ

ଦୈନିକ ରାଶିଫଳ: ଜୁଲାଇ 20 ତାରିଖ ବାହୁଡା ଦଶମୀରେ କଣ ରହିବ ଆପଣଙ୍କ ଭାଗ୍ୟଫଳ, ଜାଣନ୍ତୁ

ମେଷ ରାଶି-ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ। ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ଆର୍ଥିକତାକୁ ଧ୍ୟାନରେ ରଖନ୍ତୁ। ସମ୍ପର୍କୀୟଙ୍କ ସହ ସମ୍ପର୍କ ସୁଦୃଢ ହେବ। ଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ। ବ୍ୟବସାୟ ଲାଭଦାୟକ ହେବ। ଖର୍ଚ୍ଚ ହ୍ରାସ କରନ୍ତୁ। କରାଯାଇଥିବା କାର୍ଯ୍ୟ ସମାପ୍ତ ହେବ।

ବୃଷ ରାଶି- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। କୋର୍ଟ କାର୍ଯ୍ୟ ସଫଳ କରାଯିବ। ବ୍ୟବସାୟ ଭଲ କରିବ। ଆଘାତ ଏବଂ ରୋଗରୁ ଦୂରେଇ ରୁହନ୍ତୁ। କାର୍ଯ୍ୟ-ବ୍ୟବସାୟ ଲାଭ କରିବାର ସମ୍ଭାବନା ଅଛି । ବିବାହିତ ଜୀବନରେ ସୁସଙ୍ଗତତା ରହିବ। ସାମାଜିକ ସମାବେଶରେ ଅଂଶଗ୍ରହଣ କରିବେ। ଭଲ ଲାଭଦାୟକ ଫଳାଫଳ ଦେବ।

ମିଥୁନ ରାଶି-ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ବ୍ୟବସ୍ଥାରେ ଉନ୍ନତି ହେବ। ସମ୍ମାନ ପାଇବେ। ଆଖି ଯନ୍ତ୍ରଣା ହୋଇପାରେ। ଅଧିକାରୀମାନେ ସହଯୋଗ କରିବେ ନାହିଁ। ଋଣ ନେବାକୁ ପଡିପାରେ। ଆଜି ଭ୍ରମଣ କରନ୍ତୁ ନାହିଁ। ପାରିବାରିକ କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଦିଅନ୍ତୁ। ଆପଣଙ୍କ ବୁଦ୍ଧି ସାମାଜିକ ସମ୍ମାନ ଲାଭ କରିବ।

କର୍କଟ ରାଶି–ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ଯାତ୍ରା ସଫଳ ହେବ। ରୋଜଗାର ବୃଦ୍ଧି ପାଇବ। ବିପଦ କାମ କରନ୍ତୁ ନାହିଁ। ନିଶାକୁ ନିୟନ୍ତ୍ରଣ କରନ୍ତୁ। ଲାଭ ହେବାର ସମ୍ଭାବନା। ପତ୍ନୀ ଉପଦେଶ ଦେଉଥିବା ରାସ୍ତାରେ ଗଲେ ଲାଭ ସମ୍ଭାବନା। ଭ୍ରମଣରୁ ଲାଭ। ଯାନ-ଯନ୍ତ୍ରପାତି କ୍ରୟ ସମ୍ଭାବନା। ବ୍ୟବସାୟରେ ବାଧା ଆସିବ।

ସିଂହ ରାଶି- ଅପଚୟ ଖର୍ଚ୍ଚ ହେବ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଚିନ୍ତା ଏବଂ ଟେନସନ ରହିବ। ବ୍ୟବସାୟ ଯୋଜନା କାର୍ଯ୍ୟକାରୀ ହେବ ନାହିଁ। ପରିବାର ଚିନ୍ତିତ ହେବେ। ଆୟଠାରୁ ବ୍ୟୟ ଅଧିକ ହେବ। ଅପରିଚିତ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା କ୍ଷତି ହୋଇପାରେ।

କନ୍ୟା ରାଶି- ରାଜନୈତିକ ବ୍ୟକ୍ତିମାନେ ସଫଳତାର ଯୋଗ ରହିଛି। ସହଭାଗିତାରେ ନୂତନ ପ୍ରସ୍ତାବ ଗ୍ରହଣ କରାଯିବ। ରୋଜଗାର ବୃଦ୍ଧି ପାଇବ। ଉପହାର ଗ୍ରହଣ କରିବେ। ବ୍ୟବସାୟ ଯାତ୍ରା ସଫଳ ହେବ। ଶତ୍ରୁମାନେ ସକ୍ରିୟ ରହିବେ। ଅହଂକାର ଦୂର କରନ୍ତୁ। ମନୋବଳ ବୃଦ୍ଧି ଚାପକୁ ହ୍ରାସ କରିବ।

ତୂଳା ରାଶି-ଆପଣଙ୍କ ପାଇଁ ଖୁସି ଖବର। ମାନ ବୃଦ୍ଧି ହେବ। ଖୁସି ହେବ। ମନରେ ଉତ୍ସାହ ରହିବ, ଯେଉଁଥିପାଇଁ କାର୍ଯ୍ୟର ଗତି ବଢିବ। ଆପଣଙ୍କ କାର୍ଯ୍ୟ ସମାଜରେ ପ୍ରଶଂସା ପାଇବେ। ସହଭାଗୀତାରେ ଆପଣ ଯେଉଁ ନିଷ୍ପତ୍ତି ନିଅନ୍ତି ତାହା ଲାଭଦାୟକ ହେବ। ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ।

ବିଛା ରାଶି-ପ୍ରତିଷ୍ଠା ବୃଦ୍ଧି ପାଇବ। ରୋଜଗାର ବୃଦ୍ଧି ପାଇବ। ଯାତ୍ରା ର ଶୁଭ ସମୟ ସହିତ, ଆପଣ କଠିନ କାର୍ଯ୍ୟରେ ସଫଳତା ପାଇବେ। ସମ୍ପର୍କୀୟଙ୍କ ସହିତ ସମ୍ପତ୍ତି ବିବାଦ ହୋଇପାରେ। ବ୍ୟବସାୟ-ଚାକିରିରେ ଲାଭ ହେବ। କ୍ରନିକ ରୋଗ ଦେଖାଦେଇପାରେ। ପ୍ରୟାସ ସଫଳ ହେବ।

ଧନୁ ରାଶି–ଦୁଃଖ, ଭୟ, ଚିନ୍ତା ଏବଂ ଅସ୍ଥିରତାର ପରିବେଶ ସୃଷ୍ଟି ହୋଇପାରେ। ଆପଣ ଦୁଃଖଦ ଖବର ପାଇପାରିବେ, ଧର୍ଯ୍ୟବାନ ହୁଅନ୍ତୁ। କାହାକୁ ବିଶ୍ୱାସ ନକରି ଆପଣ କାମ କରନ୍ତୁ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହସ୍ତକ୍ଷେପରୁ କ୍ଷତି ହେବାର ସମ୍ଭାବନା ଅଛି। ପରିବାରରେ ଉତ୍ତେଜନା ଦେଖାଦେବ। ବ୍ୟବସାୟ ମଧ୍ୟମ ହେବ।

ମକର ରାଶି–ଆପଣ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବେ। ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ବ୍ୟବସାୟ ଭଲ କରିବ। ଆପଣ ଭଲ ଲୋକଙ୍କୁ ଭେଟିବ ଯେଉଁମାନେ ଉପକାରକାରୀ ହେବେ। ଯୋଜନା ସଫଳ ହେବ। ଚାକିରିରେ ପଦୋନ୍ନତି ଅଛି। ଅଳସୁଆରୁ ଦୂରେଇ ରୁହନ୍ତୁ। ପରିବାର ଲୋକେ ସାହାଯ୍ୟ କରିବେ।

କୁମ୍ଭ ରାଶି-ଜମି ଏବଂ ନିର୍ମାଣ ଯୋଜନା ପ୍ରସ୍ତୁତ ହେବ। ରୋଜଗାର ବୃଦ୍ଧି ପାଇବ। ଚାକିରିରେ ଅଧିକାର ବଢିପାରେ। ଅର୍ଥନୈତିକ କାର୍ଯ୍ୟରେ ସଫଳତା ପାଇ ଆପଣ ଖୁସି ହେବେ। ସୁଖୀ ଭବିଷ୍ୟତର ସ୍ୱପ୍ନ ସାକାର ହେବ। ଧାରଣା ସକରାତ୍ମକତା ବୃଦ୍ଧି କରିବ। ବିପଦ କାର୍ଯ୍ୟକୁ ସାହସ କର ନାହିଁ। ବ୍ୟବସାୟରେ ଇଚ୍ଛାଯୁକ୍ତ ଲାଭ ହେବ।

ମୀନ ରାଶି-ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ଆଇନଗତ ପ୍ରତିବନ୍ଧକ ହଟାଯିବ। ଆରାମ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ। ବ୍ୟବସାୟ ଭଲ କରିବ। ଜିନିଷକୁ ସୁରକ୍ଷିତ ରଖନ୍ତୁ। ବ୍ୟବସାୟ ଭଲ ଚାଲିବ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

BREAKING: ଅଶ୍ଳିଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ଗିରଫ

ନୂଆଦିଲ୍ଲୀ, କିଛି ଦିନ ଧରି ବଲିଉଡରେ ନିଶା କାରାବାର ନେଇ ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ଆଉ ଏକ ନୁଆ କଥା ପଦାକୁ ଆସିଛି। ତାହା ହେଉଛି ଅଶ୍ଲିଳ ଚଳଚିତ୍ର ନିର୍ମାଣ କରୁଥିବାର ଅଭିଯୋଗରେ ଗିରଫ ହୋଇଛନ୍ତି ରାଜ କୁନ୍ଦ୍ରା। ସେ ହେଉଛନ୍ତି ଅଭିନେତ୍ରୀ ଶିଳ୍ପୀ ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା।

ମୁମ୍ବାଇ କ୍ରାଇମ ବ୍ରାଞ୍ଚରେ ଆଜି ରାଜଙ୍କୁ ହାଜର ହେବା ପାଇଁ କୁହାଯାଇଥିଲା। ତାଙ୍କୁ ବହୁ ସମୟ ଧରି ଜେରା କରିବା ପରେ ସେହିଠାରେ ତାଙ୍କୁ ଗିରଫ କରିଥିଲେ। ରାଜ କେତେକ ଅଶ୍ଳିଳ ଚଳଚିତ୍ର ନିର୍ମାଣ କରି ସ୍ବତନ୍ତ୍ର ଆପ ଜରିଆରେ ତାହାକୁ ପ୍ରଦର୍ଶିତ କରୁଥିଲେ। ଏହି ଅଭିଯୋଗ ଆସିବା ପରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ତଦନ୍ତ କରି ରାଜଙ୍କୁ ଗିରଫ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ମହାନଗର ନିଗମରେ “ମୁକ୍ତା”କାର୍ଯ୍ୟକ୍ରମ

ଭୁବନେଶ୍ୱର,  ସହରାଂଚଳକୁ ଅଧିକରୁ ଅଧିକ ପରିବେଶ ଅନୁକୂଳ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଆନୁକୁଲ୍ୟରେ ଭୁବନେଶ୍ୱରରେ କରାଯାଇଛି ୧୭୦୦ ରୁ ଊର୍ଦ୍ଧ୍ୱ ବର୍ଷାଜଳ ଅମଳ ପ୍ରକଳ୍ପ । ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ“ମୁକ୍ତା”କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ ହୋଇଛି ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ତରଫରୁ ଜଣାଯାଇଛି ।

କୋଭିଡ଼୍‌-୧୯ ମହାମାରୀ ସମୟରେ ଅନେକଙ୍କ ଜୀବନଧାରା ବାଧାପ୍ରାପ୍ତ ହୋଇଛି । ବିଶେଷ କରି ସହରାଂଚଳବାସୀ କୁଶଳୀ ଏବଂ ଅଣକୁଶଳୀ ଶ୍ରମିକ ତଥା ତୃଣମୂଳ ମହିଳା ଏବଂ ଅନ୍ୟ କେତେକବର୍ଗଙ୍କୁ ବେଉସା ଯୋଗାଇବା ସହିତ ସହରାଂଚଳର ପରିବେଶଗତ ବିକାଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ମୁକ୍ତା କାର୍ଯ୍ୟକ୍ରମ କରାଯାଇ ବିଏମ୍‌ସି ସୀମା ମଧ୍ୟରେ ଥିବା ଅନେକ ମହିଳା ସ୍ୱୟଂ ସହାୟକଗୋଷ୍ଠୀ ଏବଂ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇଛି ।

କର୍ମ ନିଯୁକ୍ତି, ପରିବେଶ ଅନୁକୁଳ ବିକାଶକୁ ଗୁରୁତ୍ୱ ଦେଇ ମୁକ୍ତା କାର୍ଯ୍ୟକ୍ରମର ସଫଳତାକୁ ଶୀର୍ଷରେ ପହଂଚାଇବାର ପ୍ରଚେଷ୍ଟା କରାଯାଇଛି । ଏହା ସାଙ୍ଗକୁ ସଂପକ୍ତ ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଆଂଚଳିକ ନାଗରିକଙ୍କ ଭାଗିଦାରୀରେ ଭୁବନେଶ୍ୱର ସୀମା ମଧ୍ୟରେ ଆମେ ଅଦ୍ୟାବଧି ୧୭୧୭ଗୋଟି ପ୍ରକଳ୍ପ କରିସାରିଛୁ ବୋଲି କମିଶନର ଶ୍ରୀ ସଂଜୟ କୁମାର ସିଂହ ପ୍ରକାଶ କରିଛନ୍ତି । ଏହା ଏକ ସାମଗ୍ରିକ ବିକାଶ କାର୍ଯ୍ୟକ୍ରମ ବୋଲି ସେ କହିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ପ୍ରଦେଶ କଂଗ୍ରେସର ମିଡିଆ କମିଟ, ଜାଣନ୍ତୁ କେଉଁମାନଙ୍କୁ ଦିଆଗଲା ଦାୟିତ୍ବ

ଭୁବନେଶ୍ୱର, ଏଆଇସିସି ପକ୍ଷରୁ ଆଜି ପ୍ରଦେଶ ଗଣମାଧ୍ୟମ ବିଭାଗର କମିଟି ଘୋଷଣା ହୋଇଛି। କମିଟିର ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ରହିଥିବା ବେଳେ ସତ୍ୟ ପ୍ରକାଶ ନାୟକଙ୍କୁ ଆବାହକ ଏବଂ ଉକ୍ତ କମିଟିରେ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ସୁରେଶ କୁମାର ରାଉତରାୟଙ୍କ ସମେତ ୨୦ ଜଣ ସଦସ୍ୟ ଅଛନ୍ତି। ସେହିପରି ସାମ୍ୱାଦିକ ଦୀପକ କୁମାର ମହାପାତ୍ରଙ୍କୁ ଗଣମାଧ୍ୟମ ସଂଯୋଜକ ଭାବେ ଦାଇତ୍ୱ ମିଳିଛି।

୨୦୧୯ ନିର୍ବାଚନ ପରେ ଆଜି ପୁନର୍ବାର ନୂତନ ଗଣମାଧ୍ୟମ ଓ ଯୋଗାଯୋଗ କମିଟି ଗଠିତ ହୋଇଛି। ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ପ୍ରସ୍ତାବ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ଅଧକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ମୋହର ମାରିବା ପରେ ଆଜି ଏ ନେଇ ଏଆଇସିସି ପକ୍ଷରୁ ଏଆଇସିସି ସାଧାରଣ ସମ୍ପାଦକ ତଥା ସାଂସଦ କେ ସି ଭେନୁଗୋପାଲଙ୍କ ଦସ୍ତଖତ ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି କମିଟିରେ ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ,ମନୋରଂଜନ ଦାଶ, ଦେବାଶିଷ ପଟ୍ଟନାୟକ, ଅମୀୟ ପାଣ୍ଡବ, ଆର‌୍ୟ୍ୟ କୁମାର ଜ୍ଞାନେନ୍ଦ୍ର, ମନୋଜ ମହାପାତ୍ର, ଜ୍ଞାନଦେବ ବେଉରା, ପ୍ରଶାନ୍ତ ଶତପଥି, ସୁଦର୍ଶନ ଦାସ, ବିନାୟକ ଦାସମହାପାତ୍ର, ଡକ୍ଟର ହମିଦ ହୁସେନ୍, ସସ୍ମିତା ବେହେରା, ଡକ୍ଟର ଗୋବିନ୍ଦ ଚନ୍ଦ୍ର ଭୁଇଁଆ, ପଦ୍ମାକର ଗୁରୁ, ଶୁଭଶ୍ରୀ ପଣ୍ଡା, ରଜନୀ ମହାନ୍ତି, ନିଶିକାନ୍ତ ମିଶ୍ର ସଦସ୍ୟ ରହିଛନ୍ତି।

Categories
RathJatra ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ବାହୁଡାଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ବନ୍ଧାଗଲା ଚାରମାଳ, ରାତିରୁ କର୍ଫ୍ୟୁ ଜାରୀ

ପୁରୀ, ତିନିଠାକୁର ମଙ୍ଗଳବାର ଦିନ ଶ୍ରୀମନ୍ଦିରକୁ ଫେରିବେ। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜ୍ଞାମାଳ ଆସିବା ପରେ ତିନିରଥରେ ଚାରମାଳ ବନ୍ଧା କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହା ରାତି ଭିତରେ ଶେଷ କରାଯାଇଛି। ଏହା ପୂର୍ବରୁ ତିନିଠାକୁର ଆଡପ ମଣ୍ଡପରେ ଶେଷ ଦର୍ଶନ ଦେଇଛନ୍ତି। ତେବେ କୋଭିଡ କଟକଣା ପାଇଁ ବିରଳ ସଂଧ୍ୟା ଦର୍ଶନ କେହେ କରିପାରି ନ ଥିଲେ।

ଆସନ୍ତାକାଲି  ଦିନ ୧୨ଟାରୁ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୨ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ। ସେହିପରି ଛେରା ପହଁରା ଅପରାହ୍ନ ୨ଟା ୩୦ ମିନିଟରୁ ଆରମ୍ଭ ହୋଇ ୩ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ। ରଥଟଣା ଅପରାହ୍ନ ୪ଟାରେ ଆରମ୍ଭ ହେବ ବୋଲି ନିଷ୍ପତି ହୋଇଛି। ତେବେ ରଥଯାତ୍ରା ବେଳେ ଯେପରି ସମୟ ପୂର୍ବରପ ସମସ୍ତ ନୀତିରିତ ହୋଇଥିଲା ବାହୁଡାରେ ମଧ୍ୟ ସେହିପରି ହେବ ବୋଲି ଜଣାପଡିଛି।

ତେବେ କୋଭିଡ କଟକଣା ପାଇଁ ବିନା ଭକ୍ତରେ ଠାକୁର ଶ୍ରୀମନ୍ଦିରକୁ ଫେରିବେ। ଏଥିପାଇଁ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରଥଯାତ୍ରାରେ ଯେପରି ଛାତ ଉପରେ ରଥ ଦେଖିବାରେ କଟକଣା ଥିଲା, ବାହୁଡାରେ ମଧ୍ୟ ସେହି କଟକଣା ଜାରୀ କରାଯାଇଛି। ଆଜି ରାତି ଆଠଟାରୁ ପୁରୀ ସହରରେ କର୍ଫ୍ୟୁ ଲାଗୁ କରାଯାଇଛି। ଏହା ବୁଧବାର ରାତି ଆଠଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

କରୋନା ସଂକ୍ରାମଣକୁ ରୋକିବା ପାଇଁ ସମସ୍ତ ସେବାୟତ ଏବଂ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଇଛି। ରଥଯାତ୍ରା ପୂର୍ବରୁ ମଧ୍ୟ ସମସ୍ତଙ୍କର ପରୀକ୍ଷା କରାଯାଇଥିଲା। ଏଥିରେ ଯେଉଁମାନେ ପଜେଟିଭ ବାହାରିବେ ସେମାନଙ୍କୁ ସେବାରୁ ନିବୃତ କରାଯିବ। ସେହିପରି ପୁରୀ ସହରରେ ଥିବା ସମସ୍ତ ହୋଟେଲ ଏବଂ ଗେଷ୍ଟହାଉସ ଏବଂ ବଡଦାଣ୍ଡରେ ଥିବା ଘରଗୁଡିକୁ ଯାଞ୍ଚ କରାଯାଇଛି। ଆଜି ରାତିରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସାନିଟାଇଜ ମଧ୍ୟ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ମୋ ସ୍କୁଲ ପ୍ରକଳ୍ପକୁ ଅନୁମୋଦନ ହେଲା ୯୫ କୋଟି ଟଙ୍କା, ଯୋଡ଼ିହେଲେ ୫ ଲକ୍ଷ ପୁରାତନ ଛାତ୍ରଛାତ୍ରୀ

ଭୁବନେଶ୍ୱର, ‘ମୋ ସ୍କୁଲ୍ ଅଭିଯାନ’ର ୨୬ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ସୋମବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ମାସ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୯୫କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

ଗତ ୧ ମାସ ମଧ୍ୟରେ ୨୩ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ ସହ ଯୋଡ଼ି ହୋଇଥିବା ବେଳେ ପୁରାତନ ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ସୂତ୍ରରୁ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ୧୧ କୋଟି ୫୬ ଲକ୍ଷ ଟଙ୍କାର ଆର୍ଥିକ ସହାତା ମିଳିଛି । ବାଲେଶ୍ୱରରେ ସର୍ବାଧିକ ୧.୭୫ କୋଟି, କଟକରେ ୩୫ ଲକ୍ଷ ୭୪ ହଜାର, ବରଗଡ଼ରେ ୨୧ ଲକ୍ଷ ୪୫ ହଜାର, ଯାଜପୁରରେ ୧୭ ଲକ୍ଷ ୧୬ ହଜାର ଏବଂ ଢେଙ୍କାନାଳରେ ୧୬ ଲକ୍ଷ ୭୭ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି ।

ଅନ୍ୟପକ୍ଷରେ ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୨୦ କୋଟି ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୯୪ କୋଟି ୭୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର‌୍ୟ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି । ବାଲେଶ୍ୱର ଜିଲ୍ଲାରେ ଲଗାତାର ୭ମ ଥର ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସର୍ବାଧିକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଏହି ଜିଲ୍ଲାରେ ‘ମୋ ସ୍କୁଲ୍ ଅଭିଯାନ’କୁ ବିପୁଳ ସମର୍ଥନ ମିଳିଥିବା ବେଳେ ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ୍ ଅନ୍ତର୍ଗତ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କାର‌୍ୟ୍ୟକାରୀ ହେଉଛି ।

ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୪୮ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଥିବା ବେଳେ ରାଜ୍ୟରେ ସମସ୍ତ ଜିଲ୍ଲାରୁ ୩୫ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ୍ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ମୋ ସ୍କୁଲ୍ ଅଭିଯାନରେ ସାମିଲ ହୋଇ ନିଜ ନିଜ ବିଦ୍ୟାଳୟର ସାମଗ୍ରୀକ ବିକାଶ ପାଇଁ ଆଗେଇ ଆସିଥିବା ପୁରାତନ ଛାତ୍ରଛାତ୍ରୀଙ୍କ ନିକଟକୁ ଏସ୍ଏମ୍ଏସ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପଠାଯାଇଛି ।

ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ‘୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର‌୍ୟ୍ୟକ୍ରମ’ରେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ‘ମୋ ସ୍କୁଲ୍’ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଏକ ଏକାଡେମିକ କମିଟି ଗଠନ କରାଯାଇଛି । ଆଗାମୀଦିନରେ ଏହି କମିଟି ସ୍କୁଲ୍ର ଶୈକ୍ଷିକ ବାତାବରଣକୁ ସୁଦୃଢ କରିବା ଦିଗରେ ପରାମର୍ଶ ଦେବ । ‘୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର‌୍ୟ୍ୟକ୍ରମ’ରେ ଅନ୍ତର୍ଭୁକ୍ତ ବିଦ୍ୟାଳୟ ସମେତ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ କମିଟିର ପରାମର୍ଶ ଅନୁଯାୟୀ ପିଲାଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ୱ ଦିଆଯିବ ।

୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ ଅଧୀନରେ ଆସୁଥିବା ୧ ହଜାର ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ବିଜ୍ଞାନ, ବୈଷୟିକ ଓ ଗଣିତ ଭଳି ବିଷୟରେ ଦକ୍ଷ କରିବାକୁ ଆଇବିଏମ୍ ଷ୍ଟେମ୍ କାର‌୍ୟ୍ୟକ୍ରମ ଆରମ୍ଭ କରିବାକୁ ପଦକ୍ଷେପ ନିଆଯାଇଥିବା ବେଳେ ୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର‌୍ୟ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରଧାନଶିକ୍ଷକ ମାନଙ୍କୁ ଏକ ଗାଇଡାନ୍ସ ପୁସ୍ତିକା ପ୍ରଦାନ କରାଯାଇଛି । ଇତିମଧ୍ୟରେ ପ୍ରାୟତଃ ସମସ୍ତ ବିଦ୍ୟାଳୟରେ ଭିତ୍ତିଭୂମି ବିକାଶମୂଳକ କାର‌୍ୟ୍ୟ ଆରମ୍ଭ ହୋଇଛି ।

ଶିକ୍ଷକଙ୍କ ଦକ୍ଷତା ବିକାଶ ଲାଗି ଆସନ୍ତା ୨୭ ତାରିଖରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର‌୍ୟ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା ହୋଇଛି । ୫ଟି- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର‌୍ୟ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଥିବା ବିଦ୍ୟାଳଗୁଡ଼ିକର କାର‌୍ୟ୍ୟ ଅଗ୍ରଗତି ଏବଂ ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ମୋ ସ୍କୁଲ୍ ଅଭିଯାନ କର୍ମକର୍ତ୍ତାମାନଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ସ୍କୁଲ୍ ଆଡପ୍ଶନ୍ ବା ପୋଷ୍ୟ ବିଦ୍ୟାଳୟ କାର‌୍ୟ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ନିୟମିତ ବ୍ୟବଧାନରେ ମେଣ୍ଟର, ପୁରାତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପ୍ରଧାନଶିକ୍ଷକମାନଙ୍କୁ ନେଇ ଭର୍ଚୁଆଲ୍ ବୈଠକର ଆୟୋଜନ କରାଯାଉଛି । ସେହିଭଳି କୋଭିଡ୍ ପରିସ୍ଥିତି ଲାଗି ଅଟକି ରହିଥିବା ଲର୍ଣ୍ଣିଂ କ୍ୟାମ୍ପ୍ କାର‌୍ୟ୍ୟକ୍ରମକୁ ଅଗଷ୍ଟ ମାସରୁ ଆରମ୍ଭ କରିବାକୁ ସ୍ଥିର କରାଯାଇଛି ।

ବିଦ୍ୟାଳୟ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କ ପଢିବା ଅଭ୍ୟାସ ବଜାୟ ରଖିବା ଏବଂ ସେମାନଙ୍କୁ ପୁସ୍ତକ ପ୍ରତି ପୁଣିଥରେ ଆକୃଷ୍ଟ କରିବାକୁ ଏହି କାର‌୍ୟ୍ୟକ୍ରମ କରାଯିବ । ବିଦ୍ୟାଳୟସ୍ତରରେ ମୋ ସ୍କୁଲ୍ ପ୍ରକଳ୍ପର କାର‌୍ୟ୍ୟ ସମୀକ୍ଷା ପାଇଁ ଖୁବ୍ଶୀଘ୍ର ‘ମୋ ସ୍କୁଲ୍’ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲା ଗସ୍ତ କରିବାକୁ ବିଭାଗୀ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଏସ୍ଇପିଏ, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ, ଏସ୍ସିଇଆର୍ଟି, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ମୁଖ୍ୟ କାର‌୍ୟ୍ୟକାରୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ, ମୋ ସ୍କୁଲ ଉପସ୍ଥିତ ଥିଲେ ।