Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୫୦୯: ସୁସ୍ଥ ହେଲେ ୯୨୬ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫୦୯ ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ 419 ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ୧୧୮ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୯୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୭୯ ହଜାର ୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ ହଜାର ୬୭୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୭୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରୋଜାଲିନ ପାଟ୍ଟଶାଣୀ ମିଶ୍ର ଆନ୍ତର୍ଜାତିକ ସଂସ୍ଥା WEDO ର ଭାରତ ପାଇଁ ଆମ୍ବାସଡର ମନୋନୀତ

ଭୁବନେଶ୍ୱର, ପରିଚୟ ଫାଉଣ୍ଡେସନ ର ପ୍ରତିଷ୍ଠାତା ସଭାପତି ତଥା ବିଶିଷ୍ଟ ସମାଜସେବୀ ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ର ଆନ୍ତର୍ଜାତିକ ସଂସ୍ଥା WEDO ( Women entrepreneur’s day organization ) ର ଭାରତ ପାଇଁ ଆମ୍ବାସଡର ମନୋନୀତ ହୋଇଛନ୍ତି।

ଆନ୍ତର୍ଜାତିକ ଜାତିସଙ୍ଘ ଦ୍ୱାରା ସ୍ୱୀକୃତ ତଥା ବିଶ୍ୱର ୧୪୪ ଦେଶରେ ପରିବ୍ୟାପ୍ତ ଉକ୍ତ ସଂସ୍ଥା ମହିଳା ମାନଙ୍କ ମାଧ୍ୟମରେ ସାମାଜିକ, ଆର୍ଥିକ ଓ ଶୈକ୍ଷିକ ବିକାଶ ପାଇଁ କାମ କରୁଛନ୍ତି। ନ୍ୟୁୟର୍କ ରେ ଅବସ୍ଥାପିତ ଉକ୍ତ ସଂସ୍ଥାର ପ୍ରତିଷ୍ଠାତା ମୁଖ୍ୟ ୱେଣ୍ଡି ଡାଇମଣ୍ଡ ଅଛନ୍ତି। ଉକ୍ତ ସଂସ୍ଥାରେ ଏସିଆ ମୁଖ୍ୟ ଡ.ନିଶା କୋହିଲିଙ୍କ ସହ ଡ଼. ରୋଜାଲିନ ପାଟ୍ଟଶାଣୀ ମିଶ୍ର ମହିଳା ମାନଙ୍କ ବିକାଶ ପାଇଁ ଭାରତ ମୁଖ୍ୟ ଭାବେ କାଯ୍ୟ କରିବେ।

ପରିଚୟ ଫାଉଣ୍ଡେସନ ଜରିଆରେ ଡ଼. ମିଶ୍ର ଦୀର୍ଘ ପନ୍ଦର ବର୍ଷ ଧରି ଭାରତର ବିଭିନ୍ନ ପ୍ରାନ୍ତରେ ମହିଳା ମାନଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିଥିବାରୁ ଏହି ପ୍ରଖ୍ୟାତ ଆନ୍ତର୍ଜାତିକ ସଂସ୍ଥାର ଦୃଷ୍ଟି ଗୋଚର ହୋଇଥିଲେ। ଭାରତ ପାଇଁ ଆମ୍ବାସଡର ମନୋନୀତ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ଭୁବନେଶ୍ବର ଦେଇ ଯାଉଥିବା ପାଞ୍ଚୋଟି ସ୍ବତନ୍ତ୍ର ଟ୍ରେନର ସମୟ ପରିବର୍ତ୍ତନ

ନୂଆଦିଲ୍ଲୀ, ଦକ୍ଷିଣ ରେଳ ପରିସୀମା ମଧ୍ୟରେ କିଛି ସ୍ୱତନ୍ତ୍ର ଟ୍ରେନର ସମୟ ସଂଶୋଧନ କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଯାତାୟାତ କରୁଥିବା ଚାରି ଯୋଡ଼ା ବିଶେଷ ଟ୍ରେନ ସହିତ ପୁରୀ ରୁ ଛାଡୁଥିବା ଗୋଟିଏ ଟ୍ରେନ ନିମ୍ନଲିଖିତ ଅନୁଯାୟୀ ଦକ୍ଷିଣ ରେଳବାଇର କିଛି ଷ୍ଟେସନରେ ସଂଶୋଧିତ ସମୟ ସାରଣୀରେ ରହଣି କରିବ ଓ ଛାଡିବ …

ଅଧିକ ଖବର ଜାଣିବା ପାଇଁ କ୍ଲିକ କରନ୍ତୁ- thesamikhsya.com/odia

୦୮୪୯୬ ଭୁବନେଶ୍ୱର ରୁମେଶ୍ୱରମ୍ ସ୍ପେଶାଲ୍ ଭୁବନେଶ୍ୱର ରୁ ୧୮ ଜୁନ୍, ୨୦୨୧ ଠାରୁ ଚେନ୍ନାଇ ଏଗମୋର ଷ୍ଟେସନ ଠାରେ ପୂର୍ବାହ୍ନ ୮ଘ.୧୫ମି.ରେ ପହଞ୍ଚିବ ଏବଂ ୮ଘ.୩୦ମି.ରେ ରମେଶ୍ୱରମ୍ ଅଭିମୁଖେ ଯାତ୍ରା କରିବ।

୦୩୩୫୨ ଆଲେପି-ଧାନବାଦ୍ ସ୍ପେଶାଲ୍ ଆଲେପିରୁ ୧୬ ଜୁନ୍, ୨୦୨୧ ଠାରୁ ଏର୍ଣ୍ଣାକୁଲମ, ଆଲୱେ, ତ୍ରିଚୁର, ୱାଡାକାନଚେରି, ଅତ୍ତାପଲମ ଏବଂ ପାଲକ୍କାଡ ଷ୍ଟେସନ ଠାରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ।

୦୨୬୬୬ କନ୍ୟାକୁମାରୀ-ହାଓଡ଼ା ସ୍ପେଶାଲ୍ କନ୍ୟାକୁମାରୀ ଠାରୁ ୧୯ ଜୁନ୍, ୨୦୨୧ ରୁ କନ୍ୟାକୁମାରୀ, ତିରୁନେଭେଲି, କୋଭିଲପାଟ୍ଟି, ସାତୁର ଏବଂ ବିରୁଦୁନଗର ଷ୍ଟେସନରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ।

୦୨୬୬୫ ହାଓଡ଼ା-କନ୍ୟାକୁମାରୀ ବିସସ ଟ୍ରେନ ହାଓଡ଼ାରୁ ୨୧ ଜୁନ୍ ଠାରୁ ତିରୁନେଭେଲି ଷ୍ଟେସନରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ।

୦୮୧୯୦ ଏର୍ଣ୍ଣାକୁଲମ-ଟାଟା ବିଶେଷ ଟ୍ରେନ ଏର୍ଣ୍ଣାକୁଲମ ଠାରୁ ୨୩ ଜୁନ୍, ୨୦୨୧ ଠାରୁ ଏର୍ଣ୍ଣାକୁଲମ, ଆଲୁଭା, ଥ୍ରୀସୁର, ପାଲକ୍କଡ, ପୋଡାନୁର, ତିରୁପୁର, ଏରୋଡ ଏବଂ ସାଲେମ ଷ୍ଟେସନରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ।

ଉପରୋକ୍ତ ଟ୍ରେନ ଗୁଡିକ ପାଇଁ ଅନ୍ୟାନ୍ୟ ନିର୍ଦ୍ଧାରିତ ଷ୍ଟେସନରେ ସମୟ ସାରଣୀ ଅପରିବର୍ତ୍ତିତ ରହିବ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଲକଡାଉନରେ ରଜର ମଜା ନେବା ପାଇଁ ଓଟିଡିସି ତରଫରୁ ଆରମ୍ଭ ହେଲା ‘ପିଠା ଅନ୍ ହ୍ବିଲ୍’ କାର୍ଯ୍ୟକ୍ରମ

ଭୁବନେଶ୍ବର, ଆସନ୍ତାକାଲି ହେଉଛି ଓଡିଶାର ଗଣପର୍ବ ରଜ। ତିନିଦିନ ଧରି ସାରା ଓଡିଶାରେ ଏହି ପର୍ବ ପାଳନ କରାଯିବ। ହେଲେ କୋରନା ପାଇଁ ସାରା ଓଡିଶାରେ ଲାଗିଛି ଲକ ଡାଉନ। ରଜ ପରେ ଖୋଲିବ ଏହି ଲକ ଡାଉନ। ତେବେ ଲୋକଙ୍କୁ ରଜର ସ୍ବାଦ ଚଖାଇବା ପାଇଁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ ଆରମ୍ଭ ହୋଇଛି ‘ପିଠା ଅନ୍ ହ୍ବିଲ୍’ କାଯ୍ୟକ୍ରମ।

ଆଜି ଭୁବନେଶ୍ବରସ୍ଥିତ ପାନ୍ଥନିବାସଠାରେ ଏହି କାର‌୍ୟ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ଏଥିରେ ଏକ ଗାଡି ଭିତରେ ଭଳିକି ଭଳି ରଜପିଠା ରଖି ବିଭିନ୍ନ ସ୍ଥାନରେ ବିକ୍ରି କରାଯିବ। ଚଲିତ ବର୍ଷ ଭୁବନେଶ୍ବର ସହିତ ସମ୍ବଲପୁରରେ ଏହି ‘ପିଠା ଅନ୍ ହ୍ବିଲ୍’ କାର୍ଯ୍ୟକ୍ରମ କରାଯିବ।

ଏହି ଗାଡିରେ ୪ ପ୍ରକାରର ପୋଡପିଠା, ଆରିଶା, କାକରା, ଏଣ୍ଡୁରୀ ପରି ପ୍ରାୟ ୧୨ ପ୍ରକାରର ପିଠା ରହିବ। ଭୁବନେଶ୍ବରରେ ଏହି ‘ପିଠା ଅନ୍ ହ୍ବିଲ୍’ ମାଷ୍ଟରକ୍ୟାଣ୍ଟିନ, ଖଣ୍ଡଗିରି, ସିଆରପି ଛକ, ପଟିଆ, ଚନ୍ଦ୍ରଶେଖରପୁର ଏବଂ ରୂପାଲି ଛକରେ ରହି ବିକ୍ରି କରାଯିବ। ଏହିପିଠା ଓଡିଶାର ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ କରାଯାଉଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ଧର୍ମ ବିଶେଷ ଖବର

ଆଶ୍ଚର୍ଯ୍ୟ ହେବେ ଶହ ଶହ ବର୍ଷ ଧରି ଏହି ମନ୍ଦିରଟି ସମୁଦ୍ର ଭିତରେ ଥିଲେ ମଧ୍ୟ, ରହିଛି ସେମିତି ଅକ୍ଷତ

ନୂଆଦିଲ୍ଲୀ: ଏହି ମନ୍ଦିରଟି ହେଉଛି ଇଣ୍ଡୋନେସିଆର ବାର୍ଲି ଦ୍ବୀପର ତବାନାନଠାରେ ଅବସ୍ଥିତ। ସ୍ଥାନୀୟ ଭାଷାରେ ଏହି ମନ୍ଦିର ନାମ ହେଲା “ତାନାହା ଲୋଟ”। ଯାହାର ଅର୍ଥ ହେଲା ସମୁଦ୍ର ଭିତରେ ସ୍ଥଳଭାଗ। ଏହି ମନ୍ଦିରଟିର ବିଶେଷତ୍ବ ହେଲା ଶହଶହ ବର୍ଷ ଧରି ଏହା ସମୁଦ୍ର ଜୁଆର ତଥା ଲୁଣି ପାଣିରେ ମାଡ ହେଉଥିଲେ ମଧ୍ୟ ତାହା ଅକ୍ଷତ ଅବସ୍ଥାରେ ରହିଛି।

ଏହି ମନ୍ଦିରଟି ସମୁଦ୍ରର ଏକ ବିରାଟ ପଥର ଉପରେ ଅବସ୍ଥିତ ହୋଇଛି। ଏହି ମନ୍ଦିରକୁ ୧୬ତମ ଖ୍ରୀଷ୍ଟାଦ୍ଦରେ ଡ୍ୟାଙ୍ଗ ହାଙ୍ଗ ନିରର୍ଥଙ୍କ ଦ୍ବାରା ନିର୍ମିତ ହୋଇଛି ବୋଲି କୁହାଯାଉଛି। ନିରର୍ଥ ଦକ୍ଷିଣ ଉପକୂଳରେ ଯାତ୍ରା କରିବା ସମୟରେ ସେ ସେହି ପଥର-ଦ୍ୱୀପର ସୁନ୍ଦର ସ୍ଥିତି ଦେଖି ସେଠାରେ ବିଶ୍ରାମ କରୁଥିଲେ। ବିଶ୍ରାମ ସମୟରେ ସେ କିଛି ମତ୍ସ୍ୟଜୀବୀ ଦେଖି ତାଙ୍କୁ  ଉପହାର ଦେଲେ।

ଏହା ପରେ ନିରର୍ଥ ସେହି ଛୋଟ ଦ୍ୱୀପରେ ରାତି ମଧ୍ୟ କଟିଲେ। ପରେ ସେ ମତ୍ସ୍ୟଜୀବୀମାନଙ୍କ ସହ କଥା ହୋଇ ସେହି ପଥର ଉପରେ ଏକ ମନ୍ଦିର ନିର୍ମାଣ କରିବାକୁ ସେମାନଙ୍କୁ କହିଥିଲେ। କାରଣ ସେ ଅନୁଭବ କରିଥିଲେ ଯେ ବାର୍ଲି ଯାତ୍ରାରେ ସମୁଦ୍ର ଦେବତାମାନଙ୍କୁ ପୂଜା କରିବା ଏହା ଏକ ପବିତ୍ର ସ୍ଥାନ।

ମନ୍ଦିରର ମୁଖ୍ୟ ଦେବତା ହେଉଛନ୍ତି ଦେବ ବରୁଣ ବା ସ୍ଥାନୀୟ ଭାଷାରେ ଭଟାରା ସେଗରା। ଏହାର ଅର୍ଥ ହେଉଛି ସମୁଦ୍ର ଦେବତା ବା ସମୁଦ୍ର ଶକ୍ତି।  ଆଜିକାଲି ଏଠାରେ ନିରର୍ଥଙ୍କୁ ମଧ୍ୟ ପୂଜା କରାଯାଉଛି। ପ୍ରାଚୀନ ସମୟରେ ଏହି ମନ୍ଦିରରୁ ପଥର ଖସିବାରୁ ଜାପାନ ସରକାରଙ୍କ ସହାୟତାରେ ତାହାର ସଂରକ୍ଷଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୭ ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ ପଢା: ଦିନକୁ ହେବ ୪ ଟି ପିରିୟଡ

ଭୁବନେଶ୍ବର: କରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଆସନ୍ତା ୧୭ ରୁ ଅନଲାଇନ ପାଠପଢା ଆରମ୍ଭ ହେବ। କେବଳ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୧୭ ତାରିଖରୁ ଅନଲାଇନ ମାଧ୍ୟମରେ ପାଠ ପଢା ହେବ। ସକାଳ ୧୦.୪୫ରୁ ୧ ଟା ପର୍ଯ୍ୟନ୍ତ ୟୁଟ୍ୟୁବ ଲାଇଭ ମାଧ୍ୟମରେ ପିଲାଙ୍କୁ ପାଠ ପଢାଯିବ। ଦିନକୁ ଚାରିଟି ପିରିୟଡର ପାଠପଢା ହେବାକୁ ଥିବା ବେଳେ ପ୍ରତି ପିରିୟଡ ପାଇଁ ୩୦ ମିନିଟ ଲେଖାଏଁ ସମୟ ରହିବ।

ତେବେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ମୋଟ ୨୦ ଟି କ୍ଳାସ ଅନଲାଇନରେ ପିଲାଙ୍କୁ ପାଠ ପଢାଯିବ। ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହାର ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Categories
ଫଟୋ ଖବର

ସବୁଜ ଷ୍ଟେସନ ଭାବେ ପରିଚିତ, କର୍ଣ୍ଣାଟକର କାରୱାର ରେଳ ଷ୍ଟେସନ

ସବୁଜ ଷ୍ଟେସନ ଭାବେ ପରିଚିତ, କର୍ଣ୍ଣାଟକର କାରୱାର ରେଳ ଷ୍ଟେସନ

Categories
ଆଜିର ଖବର ଜାତୀୟ ଖବର

ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସମେତ କୋଭିଡ୍ ମୁକାବିଲା କ୍ଷେତ୍ରରେ ମାଲକାନଗିରି ଜିଲ୍ଲାର ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା

ଭୁବନେଶ୍ବର: ଏକ ନିରପେକ୍ଷ ରିପୋର୍ଟରେ, ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଇଣ୍ଡିଆ ପକ୍ଷରୁ ଭାରତ ସରକାରଙ୍କ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏଡିପି)କୁ ପ୍ରଶଂସା କରାଯାଇଛି। ‘ସ୍ଥାନୀୟ ଅଞ୍ଚଳର ବିକାଶ ନିମନ୍ତେ ଏହାକୁ ଏକ ଅତ୍ୟନ୍ତ ସଫଳ ମଡେଲ’ ଭାବେ ଅଭିହିତ କରାଯାଇଛି। ଏଥିସହିତ ବିଭିନ୍ନ କାରଣରୁ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକରେ ବିକାଶ ସ୍ଥିତିରେ ରହିଥିବା ଆଞ୍ଚଳିକ ତାରତମ୍ୟକୁ ଦୂର କରିବା ନିମନ୍ତେ ଶ୍ରେଷ୍ଠ କାର‌୍ୟ୍ୟକ୍ରମ ଭାବେ ଏହାର ଅନୁକରଣ କରିବା ଲାଗି ସୁପାରିସ କରାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ଏଡିପି ଅନ୍ତର୍ଗତ କରାଯାଇଥିବା ଲକ୍ଷ୍ୟବଦ୍ଧ ପ୍ରୟାସ ଫଳରେ ଉପାନ୍ତ ଅଞ୍ଚଳ ତଥା ବାମପନ୍ଥୀ ଉଗ୍ରବାଦ କବଳିତ ଜିଲ୍ଲାଗୁଡ଼ିକ ସମେତ ପୂର୍ବରୁ ଅବହେଳିତ ହୋଇ ରହିଥିବା ଜିଲ୍ଲାଗୁଡ଼ିକରେ ବିଗତ ତିନି ବର୍ଷ ମଧ୍ୟରେ ପୂର୍ବାପେକ୍ଷା ଅଧିକ ବିକାଶ ଓ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମର ରୂପାୟନରେ ଅନେକ ବାଧା ରହିଥିଲେ ସୁଦ୍ଧା ଏପିଡି ପଛୁଆ ଜିଲ୍ଲାଗୁଡ଼ିକରେ ବିକାଶକୁ ଦ୍ରୁତ ଗତିରେ ଆଗେଇ ନେବାରେ ବ୍ୟାପକ ଭାବେ ସଫଳ ହୋଇପାରିଛି।

ଏହି ରିପୋର୍ଟକୁ ଆଜି ୟୁଏନଡିପି ଇଣ୍ଡିଆର ଆବାସିକ ପ୍ରତିନିଧି ଶୋକୋ ନୋଡା ନୀତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାର ଓ ସିଇଓ ଅମିତାଭ କାନ୍ତଙ୍କୁ ହସ୍ତାନ୍ତର କରିଥିଲେ। ଏଥିରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଅଗ୍ରଗତିକୁ ସାମିଲ କରାଯାଇଛି ଏବଂ ଏଥିରେ ଅଧିକ ସୁଧାର ସୁପାରିସ କରାଯାଇଛି। ଏହି ରିପୋର୍ଟରେ ସର୍ବସାଧାରଣରେ ଉପଲବ୍ଧ ତଥ୍ୟର ପରିମାଣାମାତ୍ମକ ବିଶ୍ଳେଷଣ ସହିତ ଜିଲ୍ଲାପାଳ, କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ, ଜିଲ୍ଲା ପ୍ରତିନିଧି ଏବଂ ଅନ୍ୟ ବିକାଶ ଭାଗିଦାରଙ୍କ ସମେତ ବିଭିନ୍ନ ଅଂଶୀଦାରମାନଙ୍କର ସାକ୍ଷାତକାର ରହିଛି।
ଏଡିପିର ପାଞ୍ଚଟି ପ୍ରମୁଖ କ୍ଷେତ୍ର-ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ; ଶିକ୍ଷା; କୃଷି ଓ ଜଳସମ୍ପଦ; ମୌଳିକ ଭିତ୍ତିଭୂମି; ଏବଂ ଦକ୍ଷତା ବିକାଶ ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ-ରେ କରାଯାଇଥିବା ୟୁଏନଡିପିର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଏହିସବୁ ଜିଲ୍ଲାରେ ବିକାଶକୁ ତ୍ୱରାନ୍ବିତ କରିବା କ୍ଷେତ୍ରରେ ଏହି କାର‌୍ୟ୍ୟକ୍ରମ ଏକ ଉତପ୍ରେରକ ଭାବେ କାର‌୍ୟ୍ୟ କରିଛି। ରିପୋର୍ଟରେ କୁହାଯାଇଛି, ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ, ଶିକ୍ଷା ଏବଂ କିଛି ଦୂର ପର୍ଯ୍ୟନ୍ତ, କୃଷି ଓ ଜଳ ସମ୍ପଦ, କ୍ଷେତ୍ରରେ ବ୍ୟାପକ ସୁଧାର ଦେଖାଦେଇଛି, ଅନ୍ୟ ସଙ୍କେତକଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ସୁଧାର ପରିଲକ୍ଷିତ ହୋଇଥିଲେ ସୁଦ୍ଧା ଏଥିରେ ଅଧିକ ସୁଧାର ପାଇଁ ସମ୍ଭାବନା ରହିଛି।

ଆକାଂକ୍ଷୀ ଜିଲ୍ଲା ଓ ସେମାନଙ୍କର ପ୍ରତିପକ୍ଷ ସାଧାରଣ ଜିଲ୍ଲାଗୁଡ଼ିକ ମଧ୍ୟରେ ଏକ ତୁଳନାରୁ ଜଣାପଡ଼ିଥାଏ ଯେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ଅଣ-ଆକାଂକ୍ଷୀ ଜିଲ୍ଲା ତୁଳନାରେ ବେଶ୍ ଆଗେଇ ପାରିଛନ୍ତି। ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକରଣ କ୍ଷେତ୍ରରେ ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଦକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ୯.୬% ପ୍ରସବ ଘରେ ସମ୍ପାଦିତ ହୋଇଛି; ଗୁରୁତର ଆନିମିଆ ଥିବା ୪.୫%ରୁ ଅଧିକ ଗର୍ଭବତୀ ମହିଳାଙ୍କର ଚିକିତ୍ସା କରାଯାଇଛି; ୪.୮% ଡାଇରିଆ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା କରାଯାଇପାରିଛି; ୪.୫%ରୁ ଅଧିକ ଗର୍ଭବତୀଙ୍କୁ ଗର୍ଭଧାରଣର ପ୍ରଥମ ତିନି ମାସ ମଧ୍ୟରେ ପ୍ରସବ ପୂର୍ବବର୍ତ୍ତୀ ଚିକିତ୍ସା ପ୍ରଦାନ କରାଯାଇପାରିଛି।

ପ୍ରତି ଏକ ଲକ୍ଷ ଜନସଂଖ୍ୟା ମଧ୍ୟରୁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନ୍ତର୍ଗତ ଯଥାକ୍ରମେ ୪୦୬ ଓ ୮୪୭ରୁ ଅଧିକ ପଞ୍ଜୀକରଣ ଏବଂ ୧୫୮୦ରୁ ଅଧିକ ଆକାଉଣ୍ଟ ଖୋଲାଯାଇପାରିଛି। ଆକାଂକ୍ଷୀ ଜିଲ୍ଲାର ସବୁଠୁ ଶ୍ରେଷ୍ଠ ପଦକ୍ଷେପ ଭାବେ ୟୁଏନଡିପି ପକ୍ଷରୁ ‘ମାଲେରିଆ ମୁକ୍ତ ବସ୍ତର ଅଭିଯାନ’ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ବିଜାପୁର ଓ ଦନ୍ତେଓ୍ବାଡ଼ା ଜିଲ୍ଲାରେ ମ୍ୟାଲେରିଆ ସଂକ୍ରମଣକୁ ଯଥାକ୍ରମେ ୭୧% ଓ ୫୪% ପର‌୍ୟ୍ୟନ୍ତ ହ୍ରାସ କରାଯାଇପାରିଛି।

ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ଭଳି କାର‌୍ୟ୍ୟକ୍ରମ ଉପରେ ନିରନ୍ତର ଗୁରୁତ୍ୱ ଦିଆଯିବା କାରଣରୁ କୋଭିଡ ଭଳି ସଙ୍କଟକୁ ଅଧିକ କ୍ଷମତାର ସହିତ ମୁକାବିଲା କରିବାରେ ସେମାନଙ୍କୁ ସହାୟତା ମିଳିପାରିଥିବା ଜିଲ୍ଲାଗୁଡ଼ିକ ସ୍ବୀକାର କରିଛନ୍ତି। ଉଦାହରଣସ୍ୱରୂପ ଓଡ଼ିଶାର ମାଲକାନଗିରି ଜିଲ୍ଲା, ଯାହାକି ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଖୁବ୍ ନିକଟରେ ରହିଛି। ଲକଡାଉନର ପ୍ରାରମ୍ଭିକ ସମୟରେ ଏହା ବହୁ ପ୍ରବାସୀ ଶ୍ରମିକମାନଙ୍କର ପ୍ରବେଶ ପଥ ପାଲଟିଥିଲା। ଜିଲ୍ଲା ଅଧିକାରୀମାନେ ଦାବି କରିଛନ୍ତି ଯେ ପ୍ରବାସୀମାନଙ୍କ ପାଇଁ ସେମାନଙ୍କର ନୂଆ ଭିତ୍ତିଭୂମିକୁ ସେମାନେ ସଂସ୍ଥାଗତ କ୍ବାରେଣ୍ଟାଇନ କେନ୍ଦ୍ର ଭାବେ ଉପଯୋଗ କରିଛନ୍ତି। ବାସ୍ତବ ସମୟ ତଥ୍ୟର ଅନୁଧ୍ୟାନ, ସରକାରୀ କାର‌୍ୟ୍ୟକ୍ରମ ଓ ଯୋଜନା ମଧ୍ୟରେ ସମନ୍ୱୟ ଏବଂ ଆକାଂକ୍ଷୀ ଜିଲ୍ଲା କାର‌୍ୟ୍ୟକ୍ରମର ଲାଭ ଅଧିକ ମାତ୍ରାରେ ପ୍ରାପ୍ତ କରିବା କାରଣରୁ ଏହି କାର‌୍ୟ୍ୟକ୍ରମ ଅଧିକ ସଫଳ ହୋଇଥିବା କୁହାଯାଇଛି।

ଏହି ରିପୋର୍ଟରେ ମଧ୍ୟ ଏହି କାର‌୍ୟ୍ୟକ୍ରମର ଅଭିନବ ସହଭାଗୀ ପ୍ରକୃତିକୁ ପ୍ରଶଂସା କରାଯାଇଛି। ଏଥିରେ ରାଜ୍ୟ ଓ ସ୍ଥାନୀୟ ସରକାର, ବିକାଶ ସହଭାଗୀ ଓ ନାଗରିକଙ୍କ ସମେତ ସମସ୍ତ ଅଂଶୀଦାରମାନଙ୍କୁ ସାଥୀରେ ନେଇ ନିର୍ଦ୍ଧାରିତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହାସଲ କରିବାର ବ୍ୟବସ୍ଥା ରହିଛି। ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଯାହା ଜିଲ୍ଲା ଆୟୁକ୍ତମାନଙ୍କୁ ସେମାନଙ୍କର ନିର୍ଦ୍ଦିଷ୍ଟ ଜିଲ୍ଲାରେ ପଞ୍ଚାୟତ, ଧାର୍ମିକ ଓ ଗୋଷ୍ଠୀ ନେତା ଓ ବିକାଶ ସହଭାଗୀମାନଙ୍କୁ ସାଥୀରେ ନେଇ ‘ଏକ ଦୃଢ଼ କୋଭିଡ-୧୯ ମୁକାବିଲା ଭିତ୍ତିଭୂମି ନିର୍ମାଣ କରିବା ଓ ଉତ୍ତମ ସମନ୍ୱୟର ସହିତ କାର‌୍ୟ୍ୟ କରି ମହାମାରୀର ମୁକାବିଲା କରିବା’ ଲାଗି ସମର୍ଥ କରିଛି।

ଏହି କାର୍ଯ୍ୟକ୍ରମ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ, ଦେଶର ଶୀର୍ଷ ନେତୃତ୍ୱ ପ୍ରଦର୍ଶନ କରିଥିବା ଉଲ୍ଲେଖନୀୟ ପ୍ରତିବଦ୍ଧତାକୁ ରିପୋର୍ଟରେ ପ୍ରଶଂସା କରାଯାଇଛି। ଏହି କାର‌୍ୟ୍ୟକ୍ରମ ୨୦୧୮ରେ ଆରମ୍ଭ କରାଯାଇଥିଲା, ସେବେଠାରୁ ପ୍ରଧାନମନ୍ତ୍ରୀ ନିୟମିତ ଭାବେ କ୍ଷେତ୍ରୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଲାଗି ଜିଲ୍ଲାପାଳମାନଙ୍କୁ ଉତ୍ସାହିତ ଓ ଅନୁପ୍ରାଣିତ କରି ଆସୁଛନ୍ତି।

ଏଡିପିର ଦୃଷ୍ଟିକୋଣ ୩ଉ ‘କନଭର୍ଜେନ୍ସ, କମ୍ପିଟିସନ ଓ କୋଲାବରେସନ’ ଅର୍ଥାତ୍ ସମନ୍ୱୟ, ପ୍ରତିଦ୍ୱନ୍ଦ୍ୱିତା ଓ ସହଯୋଗ’ ବିଷୟରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସାକ୍ଷାତକାର ଦେଇଥିବା ଅଧିକାଂଶ ଲୋକ ସମନ୍ୱୟର ମହତ୍ୱ ଉପରେ ଜୋର ଦେଇଛନ୍ତି ଯାହାକି କାର‌୍ୟ୍ୟକ୍ରମର ଲକ୍ଷ୍ୟ ହାସଲ କରିବା ଲାଗି ସମକାଳୀନ ଯୋଜନା ଓ ଶାସନ ଦିଗରେ ମିଳିତ ଭାବେ କାମ କରିବାକୁ ପ୍ରୋତ୍ସାହନ ଦେଇଥାଏ। ସେହିପରି ମଧ୍ୟ ଏହି କାର‌୍ୟ୍ୟକ୍ରମର ଲକ୍ଷ୍ୟ ହାସଲ କରିବା ଲାଗି ଉନ୍ନତ ଅନୁଧ୍ୟାନ ଓ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେବାରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ଦିଗର ଯଥେଷ୍ଟ ଭୂମିକା ରହିଥିବା ଦର୍ଶାଯାଇଛି। ଏହା ଜିଲ୍ଲାଗୁଡ଼ିକ ପାଇଁ ନିଜର ପ୍ରୟାସକୁ ଉନ୍ନତ କରିବା ଓ ପ୍ରଗତି ଉପରେ ଦୃଷ୍ଟି ରଖିବା ଲାଗି ଏକ ପ୍ରେରକ ଭାବେ କାମ କରିଛି।

ଏହି କାର୍ଯ୍ୟକ୍ରମ ଜିଲ୍ଲାଗୁଡ଼ିକର ବୈଷୟିକ ଓ ପ୍ରଶାସନିକ କ୍ଷମତାକୁ ସୁଦୃଢ଼ କରିଛି। ତେବେ ‘ଆକାଂକ୍ଷୀ ଜିଲ୍ଲା ପ୍ରତିନିଧି କିମ୍ବା ବୈଷୟିକ ସହାୟକୁ ୟୁନିଟ୍ ସମଗ୍ର ଜିଲ୍ଲାରେ ନିୟୋଜିତ କରିବା କିମ୍ବା ବୈଷୟିକ ବିଶେଷଜ୍ଞତା, ଦକ୍ଷତା ପ୍ରଶିକ୍ଷଣ ଆଦି ଯୋଗାଇ ଦେବା ନିମନ୍ତେ ବିକାଶମୂଳକ ସହଭାଗୀଙ୍କ ସହିତ ସହଭାଗିତା ସ୍ଥାପନ କରିବା ଭଳି ସମର୍ପିତ କର୍ମଚାରୀଙ୍କୁ ନିୟୋଜିତ କରିବା ସମେତ’ କ୍ଷମତା ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବା ନିମନ୍ତେ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ରିପୋର୍ଟରେ ଏହି କାର‌୍ୟ୍ୟକ୍ରମର ଚାମ୍ପିଅନ୍ସ ଅଫ ଚେଞ୍ଜ ଡ୍ୟାଶବୋର୍ଡରେ ପ୍ରଦାନ କରାଯାଇଥିବା ଡେଲ୍ଟା ରାଙ୍କିଙ୍ଗକୁ ପ୍ରଶଂସା କରାଯାଇଛି। ଏହା ଦ୍ୱାରା ପ୍ରତିଯୋଗିତା ଏବଂ ଗତିଶୀଳ ସଂସ୍କୃତିକୁ ପ୍ରୋତ୍ସାହନ ମିଳିଛି। ଫଳରେ ଦୁର୍ବଳ ପ୍ରଦର୍ଶନ କରୁଥିବା ଅନେକ ଜିଲ୍ଲା (ବେସଲାଇନ ରାଙ୍କିଙ୍ଗ ଅନୁଯାୟୀ) ବିଗତ ତିନି ବର୍ଷ ମଧ୍ୟରେ ନିଜର ସ୍ଥିତି ସୁଧାର କ୍ଷେତ୍ରରେ ଆଗକୁ ବଢ଼ିପାରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଝାଡ଼ଖଣ୍ଡର ସିମଡେଗା, ଉତ୍ତର ପ୍ରଦେଶର ଚନ୍ଦୌଲି ଓ ସୋନଭଦ୍ର ଏବଂ ମଧ୍ୟପ୍ରଦେଶର ରାଜଗଡ଼ ଏହି କାର‌୍ୟ୍ୟକ୍ରମ ଆରମ୍ଭ କରାଯିବା ପରେ ସବୁଠୁ ଅଧିକ ପ୍ରଗତିଶୀଳ ଜିଲ୍ଲାଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛନ୍ତି।
ରିପୋର୍ଟରେ ଏହି କାର‌୍ୟ୍ୟକ୍ରମ ଅନ୍ତର୍ଗତ ଆରମ୍ଭ କରାଯାଇଥିବା ଯୋଜନାଗୁଡ଼ିକୁ ସର୍ବୋତ୍ତମ ପ୍ରଥା ଭାବେ ଉଲ୍ଲେଖ କରାଯାଇଛି। ଏଥିମଧ୍ୟରୁ ଗୋଟିଏ ଯୋଜନା ହେଉଛି ଗୋଲ୍ ମାର୍ଟ। ଏହା ଏକ ଇ-କମର୍ସ ପୋର୍ଟାଲ ଯାହାକୁ ଆସାମର ଗୋଲପାରା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି। ଜିଲ୍ଲାର ଗ୍ରାମୀଣ, ଜାତୀୟ ଏବଂ କୃଷି ଉତ୍ପାଦଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହାର ଆରମ୍ଭ କରାଯାଇଥିଲା।

ଏହି ପଦକ୍ଷେପ ବିଶେଷ ଭାବେ କୋଭିଡ-୧୯ ଜନିତ ଲକଡାଉନ ସମୟରେ ବିଶେଷ ସହାୟକ ସାବ୍ୟସ୍ତ ହୋଇଛି। ଏହା କୃଷକ ଓ ଖୁଚୁରା ବିକ୍ରେତାମାନଙ୍କୁ ଅଫଲାଇନ ଦୋକାନର କବଳରୁ ମୁକ୍ତ କରି ଦେଇଛି। ଗୋଲପାରାର କଳା ଚାଉଳ ଏହି ପୋର୍ଟାଲରେ ସବୁଠୁ ପସନ୍ଦଯୋଗ୍ୟ ଉତ୍ପାଦ ମାନ୍ୟତା ପାଇଛି। ଏହା କୃଷକମାନଙ୍କ ପାଇଁ ବିଶେଷ ଲାଭଦାୟକ ସାବ୍ୟସ୍ତ ହୋଇଛି। ସେହିପରି ଉତ୍ତର ପ୍ରଦେଶର ଚନ୍ଦୌଲି ଜିଲ୍ଲା ବିଶ୍ୱ ବଜାରରେ କଳା ଚାଉଳ ବିଶେଷ ଚାହିଦା ଓ ଭଲ ଲାଭ ମାର୍ଜିନକୁ ଦେଖି ଏହାର ପରୀକ୍ଷାମୂଳକ ଚାଷ ପାଇଁ ନିଷ୍ପତ୍ତି ନେଇଛି। ଏହି ପ୍ରକଳ୍ପ ସଫଳ ହୋଇଛି ଏବଂ ଏବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଉଚ୍ଚଗୁଣବତ୍ତା ଯୁକ୍ତ କଳା ଚାଉଳ ରପ୍ତାନି କରାଯାଉଛି।

ଆହ୍ୱାନ ଓ ପରାମର୍ଶଗୁଡ଼ିକ କ୍ଷେତ୍ରରେ ରିପୋର୍ଟରେ କୁହାଯାଇଛି ଯେ କେତେଜଣ ଅଂଶୀଦାରମାନେ ଏପରି କିଛି ସଙ୍କେତକଗୁଡ଼ିକୁ ସଂଶୋଧନ କରିବା ଉପରେ ଆଲୋକପାତ କରିଛନ୍ତି ଯେଉଁଗୁଡ଼ିକ ଅଧିକାଂଶ ଜିଲ୍ଲାରେ ସମ୍ପୂର୍ଣ୍ଣ କରାଯାଇପାରିଛି ଅଥବା ସମ୍ପୂର୍ଣ୍ଣ ହେବା ପାଖାପାଖି ପହଞ୍ଚିଯାଇଛନ୍ତି। ଉଦାହରଣ ସ୍ୱରୂପ, ମୌଳିକ ଭିତ୍ତିଭୂମିର ସଙ୍କେତକ ରୂପରେ ଘରଗୁଡ଼ିକର ବିଦ୍ୟୁତକରଣ ଆଦି। ଏହା ମଧ୍ୟ ଜଣାପଡ଼ିଛି ଯେ ହାରାହାରୀ ଦୃଷ୍ଟିରୁ ପ୍ରାୟତଃ ଜିଲ୍ଲାରେ ନମନୀୟତା ବୃଦ୍ଧି ପାଇଛି ଏବଂ ଦୁର୍ବଳତା ହ୍ରାସ ପାଇଛି। କିନ୍ତୁ ସବୁଠୁ କମ ସୁଧାର ହୋଇଥିବା ଜିଲ୍ଲାଗୁଡ଼ିକରେ ଦୁର୍ବଳତା ବୃଦ୍ଧି ପାଇଛି। ସେଥିପାଇଁ ଅଧିକ ଦୁର୍ବଳ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଆକାଂକ୍ଷୀ ଜିଲ୍ଲା କାର‌୍ୟ୍ୟକ୍ରମ ଜଣେ ହେଲେ ବ୍ୟକ୍ତିଙ୍କୁ ପଛରେ ନଛାଡ଼ିବା ସିଦ୍ଧାନ୍ତ ଆଧାରରେ ପ୍ରସ୍ତୁତ କରାଯାଇଛି ଯାହାକି ଏସଡିଜିର ଗୁରୁତ୍ୱପୂର୍ଣ୍ଣ ଆଧାର। ଶୀର୍ଷସ୍ତରରେ ରାଜନୈତିକ ପ୍ରତିବଦ୍ଧତାର ପରିଣାମସ୍ୱରୂପ ଏହି କାର୍ଯ୍ୟକ୍ରମକୁ ଦ୍ରୁତଗତିରେ ସଫଳତା ମିଳିଛି।

ମୋଟାମୋଟି ଭାବେ ଦେଖିଲେ, ରିପୋର୍ଟରେ ଏହି କାର୍ଯ୍ୟକ୍ରମର ସକାରାତ୍ମକ ପ୍ରଭାବକୁ ପ୍ରଶଂସା କରାଯାଇଛି। ଏଥିସହିତ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପ୍ରୋତ୍ସାହନ ଦେବା ଏବଂ ବର୍ତ୍ତମାନସୁଦ୍ଧା ପ୍ରାପ୍ତ ବିକାଶର ଗତିକୁ ବଜାୟ ରଖିବାକୁ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ରିପୋର୍ଟରେ ଜୋର ଦିଆଯାଇଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ‘ମୂଲ୍ୟାଙ୍କନର ନିଷ୍କର୍ସ ଆଧାରରେ ଏହି ସୁପାରିସ କରାଯାଉଛି ଯେ ଏହି କାର୍ଯ୍ୟକ୍ରମର ସଫଳତାକୁ ଆଗକୁ ନିଆଯାଉ ଏବଂ ଅନ୍ୟ କ୍ଷେତ୍ର ଓ ଜିଲ୍ଲାରେ ଏହାକୁ ଅନୁସରଣ କରାଯାଉ’।

ଜାନୁଆରୀ ୨୦୧୮ରେ ପ୍ରଧାନମନ୍ତ୍ରୀ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ନାଗରିକମାନଙ୍କ ଜୀବନ ସ୍ତରକୁ ଉନ୍ନତ କରିବା ଏବଂ ସମସ୍ତଙ୍କ ପାଇଁ ‘ସବକା ସାଥ, ସବକା ବିକାଶ’ ସୁନିଶ୍ଚିତ କରିବା ଲାଗି ସରକାରଙ୍କ ପ୍ରୟାସ ଅନ୍ତର୍ଗତ ଏହାର ପ୍ରାରମ୍ଭ ହୋଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରୁ ଉଠିବ ଲକ୍ ଡାଉନ, ରାତ୍ରୀକାଳିନ କର୍ଫୁ ରହିବ ବଳବତ୍ତର

ଭୁବନେଶ୍ବର, ଆଉ 4 ଦିନ ପରେ ରାଜ୍ୟରେ ଲକ ଡାଉନ ଅବଧି ଶେଷ ହେବ। କାରଣ ରାଜ୍ୟ ସରକାର ଜୁନ 17 ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି। ତେବେ ତା ପୂର୍ବରୁ କେଉଁ ଜିଲ୍ଲା ବା ସହର ଖୋଲାଯିବ ସେ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଛି। କାରଣ ପୁଣିଥରେ ଲକ ଡାଉନ ବୃଦ୍ଧି କଲେ ରାଜ୍ୟର ଆର୍ଥିକ ସ୍ଥିତି ସାଙ୍ଗାତିକ ହୋଇଯିବ।

ଏସବୁକୁ ଦୃଷ୍ଟିରେ ରଖି ଭୁବନେଶ୍ବରକୁ ଲକ ଡାଉନ ମୁକ୍ତ କରାଯିବ ବୋଲି ଆଲୋଚନା ଚାଲିଛି। କାରଣ କରୋନା ସଂକ୍ରାମଣକୁ ହିସାବକୁ ନେଲେ ରାଜଧାନୀରେ ବର୍ତ୍ତମାନ ବେଶ ସୁଧାର ଆସିଛି। ରାଜଧାନୀର ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା 5ଶହ ତଳକୁ ଖସି ସାରିଲାଣି। ଏଥସହିତ ରାଜଧାନୀର ପ୍ରାୟ 50 ପ୍ରତିଶତ ଲୋକଙ୍କୁ ଟିକାକରଣ ମଧ୍ୟ ଶେଷ ହୋଇଯାଇଛି।

ପୂର୍ବେ ଭୁବନେଶ୍ବରରୁ ପ୍ରତ୍ୟେକ ଦିନ 2ଶହ ରୁ 3ଶହ କରୋନା ଆକ୍ରାନ୍ତ ହସପିଟାଲାଇଜ ହେଉଥିଲେ। ଏପରିକି ରାଜଧାନୀରେ ବେଡ ମିଳିବା ମଧ୍ୟ କଷ୍ଟକର ହୋଇ ପଡିଥିଲା। ତେବେ ସ୍ବାସ୍ଥ୍ୟ ବିଭାଗ ଅନୁସାରେ ବର୍ତ୍ତମାନ ରାଜଧାନୀରେ ପ୍ରାୟ 30 ପ୍ରତିଶତ ବେଡ ଖାଲି ଅଛି। ସେହିପରି ଆଇସିୟୁ ବେଡ ମଧ୍ୟ ଖାଲି ରହିଛି। ଅନ୍ୟପକ୍ଷରେ ରାଜଧାନୀର ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।

ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜଧାନୀକୁ ଲକଡାଉନ ମୁକ୍ତ କରିବେ ବୋଲି ଚିନ୍ତା କରିଛନ୍ତି। କାରଣ ଏହି ସହରରେ ପୁଣି ଲକ ଡାଉନ ବଢାଇଲେ ଆର୍ଥିକ ପରିସ୍ଥିତି ସାଂଘାତିକ ହୋଇଯିବ। ଭୁବନେଶ୍ବରରେ ଅର୍ଦ୍ଧାଧିକ ଲୋକେ ବ୍ୟବସାୟ କରି ଚଳନ୍ତି। ଛୋଟ ପାନ ଦୋକାନଠାରୁ ଆରମ୍ଭ କରି ବଡ ମଲ ପର୍ଯ୍ୟନ୍ତ ବ୍ୟବସାୟ ଉପରେ ଅନେକ ନିର୍ଭର କରନ୍ତି। ସେଥିପାଇଁ ରାଜଧାନୀର ଲକଡାଉନ ଖୋଲିବା ନେଇ ନିଷ୍ପତି ଚାଲିଛି।

ରାଜଧାନୀରେ ଲକଡାଉନ ଖୋଲିବା ନେଇ ସ୍ବାସ୍ଥ୍ୟ ବିଭାଗ ବିଏମସିର ମତାମତ ମଧ୍ୟ ଲୋଡିଥିବାର ଜଣାପଡିଛି। ତେବେ ବିଏମସି ମଧ୍ୟ ଲକଡାଉନ ଖୋଲିବା ସପକ୍ଷରେ ରହିଛି। ହେଲେ ରାତ୍ରୀକାଳିନ କର୍ପ୍ୟୁକୁ ବଳବତ୍ତର ରଖିବା ପାଇଁ ବିଏମସି ଚାହୁଛି ବୋଲି ଜଣାପଡିଛି।

Categories
ବିଶେଷ ଖବର

ସରକାରୀ ସ୍କୁଲ୍‌ରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇବ କିପରି?

ସୁବାସ କୁମାର ତାରଣିଆଁ

ଭୁବନେଶ୍ବର: ରାଜ୍ୟ ସରକାର ୨୦ରୁ କମ୍ ପିଲା ଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ଏହାକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରି ଯେଉଁ ନିଷ୍ପତ୍ତି ଗ୍ରହଣ କରିଥିଲେ, ସରକାରଙ୍କ ସେହି ନିଷ୍ପତ୍ତିକୁ ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଦେଇଛନ୍ତି। ଏହା ପୂର୍ବରୁ ଯେଉଁସବୁ ବିଦ୍ୟାଳୟ ମିଶ୍ରଣ ହୋଇସାରିଛି, ସେହିସବୁ ବିଦ୍ୟାଳୟକୁ ପୁନର୍ବାର ଫେରାଇ ଆଣିବାକୁ ଉଚ୍ଚ ନ୍ୟାୟାଳୟ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ଉଚ୍ଚ ନ୍ୟାୟାଳୟରେ ମୋଟ ୧୬୮ଟି ମାମଲା ରୁଜୁ ହୋଇଥିଲା। ଏହିସବୁ ମାମଲାର ଏକାସଙ୍ଗେ ଶୁଣାଣୀ କରି ଉଚ୍ଚ ନ୍ୟାୟାଳୟର ବିଚାରପତି ଡ଼କ୍ଟର ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତି ଆଇନ୍ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଉଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ଫଳରେ ବନ୍ଦ ହେବାକୁ ଥିବା ହଜାର ହଜାର ବିଦ୍ୟାଳୟ ପୁନଃ ଖୋଲିବା ନେଇ ଯେଉଁ ଦ୍ୱନ୍ଦ ସୃଷ୍ଟି ହୋଇଥିଲା ତାହା ଏବେ ଦୂର ହୋଇଛି। ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଦିଲ୍ଲୀ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ସେହି ନିଷ୍ପତ୍ତିକୁ ଅନ୍ୟ ରାଜ୍ୟଗୁଡ଼ିକ ଅନୁସରଣ କରିବା ଆବଶ୍ୟକ ବୋଲି ଉଚ୍ଚ ନ୍ୟାୟାଳୟ ମତ ପ୍ରକାଶ କରିଛନ୍ତି। ଯାହା ଫଳରେ ପ୍ରତ୍ୟେକ ପିଲାଙ୍କୁ ସ୍ଥାନୀୟ ଅଞ୍ଚଳରେ ସର୍ବନିମ୍ନ ସୁବିଧା ଥିବା ପ୍ରାଥମିକ ଶିକ୍ଷା ମିଳିପାରିବ।

ରାଜ୍ୟ ସରକାର ପ୍ରଥମେ ୨୦୧୮ ମସିହା ମେ ମାସ ୧୪ ତାରିଖରେ ବିଦ୍ୟାଳୟଗୁଡ଼ିକ ମିଶ୍ରଣ ପାଇଁ ଏକ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିଥିଲେ। ଏହାକୁ ଆଧାର କରି ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୨୦ ମସିହା ମାର୍ଚ୍ଚ ୧୧ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଯେଉଁ ବିଦ୍ୟାଳୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ଅଛନ୍ତି, ସେହି ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ନିକଟବର୍ତ୍ତୀ ବିଦ୍ୟାଳୟରେ ମିଶ୍ରଣ କରାଯିବା ନେଇ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରକ୍ରିୟା ଆରମ୍ଭ କରିବା ପରେ ଏହି ପ୍ରସଙ୍ଗକୁ ନେଇ ଏକାଧିକ ମାମଲା ଉଚ୍ଚ ନ୍ୟାୟାଳୟରେ ରୁଜୁ କରାଯାଇଥିଲା। ନିୟମ ଅନୁସାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ଗୁଡ଼ିକ ୧ କିଲୋମିଟର ଦୂରତା ଭିତରେ ରହିବା କଥା, କିନ୍ତୁ ଏହି ନିୟମକୁ ଅଣଦେଖା କରାଯାଇ ବିଦ୍ୟାଳୟଗୁଡ଼ିକ ମିଶ୍ରଣ ନିଷ୍ପତ୍ତି ଯୋଗୁ ହଜାର ହଜାର କୋମଳମତି ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣରେ ବାଧାପ୍ରାପ୍ତ ହେବ ଯାହା ପିଲାଙ୍କ ଭବିଷ୍ୟତ ଉପରେ ଘୋର ପ୍ରଭାବ ପକାଇବ ବୋଲି ବିଭିନ୍ନ ସଂଗଠନ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଆସୁଥିଲେ।

ଶିକ୍ଷା ହେଉଛି ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର। ଶିକ୍ଷାକୁ ଯେତେ ଅଧ୍ୟୟନ କଲେ ମଧ୍ୟ, ଶିକ୍ଷାର ଅନ୍ତ ନାହିଁ। ନିଜର ଅନ୍ତର୍ନିହିତ ଜ୍ଞାନ ବଳରେ ଶିକ୍ଷାକୁ ଆହରଣ କରିହୁଏ। ଶିକ୍ଷା ମାନବ ଜୀବନର ନୂତନ ଦିଗ୍‌ଦର୍ଶନର ଏକ ବଳିଷ୍ଠ ମାଧ୍ୟମ। ଅନ୍ଧକାରମୟ ପରିଧି ମଧ୍ୟରୁ ଆଲୋକ ବର୍ତ୍ତିକା ଦେଖାଇଥାଏ ଶିକ୍ଷା। କାରଣ ବିଦ୍ୟାଳୟ ହେଉଛି ଶିକ୍ଷାରୂପକ ଏକ ମନ୍ଦିର ଓ ବିଦ୍ୟାଳୟର ପ୍ରତ୍ୟେକ ଶିକ୍ଷକ, ଶିକ୍ଷୟିତ୍ରୀ ହେଉଛନ୍ତି ଜଣେ ଜଣେ ଶିକ୍ଷା ରୂପକ ଦେବତା। ଶିକ୍ଷା ଏକ ଧାରାରେ ରୋଜଗାରକ୍ଷମ କରାଇଥାଏ ଓ ଚରିତ୍ର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଶିକ୍ଷା ଦେଶର ଭବିଷ୍ୟତ ଗଠନରେ ମଧ୍ୟ ମୁଖ୍ୟ କର୍ଣ୍ଣଧାର ସାଜିଥାଏ। ସମାଜରେ ଶୃଙ୍ଖଳିତ ଭାବେ ଜୀବନ ଯାପନ କରିବାକୁ ହେଲେ ଶିକ୍ଷା ହିିଁ ଅପରିହାର୍ଯ୍ୟ। ଦିନ ଥିଲା ଶିଶୁମାନେ ଗାଁ ଚାଟଶାଳୀରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏହି ତିନୋଟି ଶୂନ ଜରିଆରେ ନିଜର ପ୍ରଥମ ପାଠପଢା ଆରମ୍ଭ କରୁଥିଲେ। ଶିଶୁଟିକୁ ୫ବର୍ଷ ହୋଇଗଲା ପରେ ଗାଁ ସରକାରୀ ସ୍କୁଲ୍‌ରେ ତାର ନାମ ଲେଖାଯାଉଥିଲା।

ସେହି ସମୟରେ ପ୍ରାୟତଃ ଗରିବ, ହରିଜନ ଓ ଆଦିବାସୀ ପିଲାମାନେ ବିଭିନ୍ନ କାରଣରୁ ଶିକ୍ଷାଲାଭରୁ ବଞ୍ଚିତ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି, ସବୁ ପିଲା କିପରି ସ୍କୁଲ୍ ଯିବେ, ଗୁଣାତ୍ମକ ଶିକ୍ଷା ପାଇପାରିବେ, ସେଥିପାଇଁ ସରକାର ପଦକ୍ଷେପ ନେଇଥିଲେ। ଏହାପରେ ସ୍କୁଲ୍‌ମାନଙ୍କରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ବଢିବା ତଥା ପ୍ରତ୍ୟେକ ପିଲାମାନେ ଯେପରି ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବେ ସେଥିପାଇଁ ଆରମ୍ଭ ହେଲା ମଧ୍ୟାହ୍ନ ଭୋଜନ ଯୋଜନା। ଲକ୍ଷ୍ୟ ଥିଲା ଧନୀ, ଗରିବ, ଉଚ୍ଚ, ନୀଚ ନିର୍ବିଶେଷରେ ସବୁ ପିଲା ସ୍କୁଲ୍ ଯାଇ ଶିକ୍ଷାଗ୍ରହଣ କରିବେ। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ସ୍କୁଲ୍ ମାନଙ୍କରେ ପିଲାମାନଙ୍କ ଉପସ୍ଥାପନ ସଂଖ୍ୟା ବଢିବାରେ ଲାଗିଲା। ଗାଁ ଗଣ୍ଡାର ପ୍ରତ୍ୟେକ ପିଲା ସ୍କୁଲ୍ ଗଲେ, ପାଠ ପଢିଲେ, ମଧ୍ୟାହ୍ନ ଭୋଜନ ଖାଇଲେ ଯାହା ପିଲମାନଙ୍କ ମଧ୍ୟରେ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିବାର ଏହା ଥିଲା ପ୍ରମୁଖ ମାଧ୍ୟମ।

ବର୍ତ୍ତମାନ ସାରା ରାଜ୍ୟରେ ଛତୁ ଫୁଟିଲା ଭଳି ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ଗଢି ଉଠୁଛି ଏବଂ ଶିକ୍ଷାଦାନକୁ ନେଇ ଏହି ଏମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି। ଶିକ୍ଷାଦାନକୁ ନେଇ ଘରୋଇ ଶିକ୍ଷାନୁଷ୍ଠାନମାନେ ଯେତେ ପ୍ରକାର ଆକର୍ଷଣୀୟ ଅଫର ସହ ବିଜ୍ଞାପନ ଜାରି କଲେ, ସେହି ଅନୁଷ୍ଠାନରେ ପିଲାଙ୍କ ନାମ ଲେଖାଇବା ପାଇଁ ପିତାମାତାଙ୍କ ଭିଡ଼ ଜମିବାରେ ଲାଗିଲା। ଫଳରେ ଘରୋଇ ଶିକ୍ଷାନୁଷ୍ଠାନରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ସରକାରୀ ବିଦ୍ୟାଳୟମାନଙ୍କରେ ପିଲାଙ୍କ ସଂଖ୍ୟା କମି କମି ଚାଲିଲା। ସରକାରୀ ବିଦ୍ୟାଳୟ ଅପେକ୍ଷା ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢିଲେ ଯେ ଜଣେ ମେଧାବୀ ଛାତ୍ର ହୋଇପାରିବ, ତାହା ବୁଝିବା ଭୁଲ। ଅନ୍ତର୍ନହିତ ଜ୍ଞାନ ଭିତରେ ଥିବା ପ୍ରତିଭାକୁ ପରିପ୍ରକାଶ କରିପାରିଲେ, ଜଣେ ମେଧାବୀ ଛାତ୍ର ହୋଇପାରିବ।

ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତି ଚାହିଦା ବଢୁଥିବାରୁ ସରକାରୀ ବିଦ୍ୟାଳୟକୁ ପ୍ରତ୍ୟେକ ପିଲା ଭୁଲିଗଲେଣି। ସମୟ ଏପରି ସ୍ଥିତିରେ ଆସି ପହଞ୍ôଚଛି ଯେ, ଅଧିକାଂଶ ସରକାରୀ ବିଦ୍ୟାଳୟରେ ୪ ରୁ ୫ ଜଣ ପିଲା ଥିବା ବେଳେ, ଗୋଟିଏ ଗୋଟିଏ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ଶୂନ। ସରକାରୀ ସ୍କୁଲ୍‌ରେ ପିଲାଙ୍କ ସଂଖ୍ୟା କମିବା ଏବଂ ଘରୋଇ ଶିକ୍ଷାନୁଷ୍ଠାନରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାର ସୁଯୋଗ ନେଇ ଏହି ଶିକ୍ଷାନୁଷ୍ଠାନମାନେ ମନୋମୁଖୀ ସ୍କୁଲ୍ ଫି ବୃଦ୍ଧି କରିଚାଲିଲେ। ଶିକ୍ଷା ନାମରେ ଏହା ଏକ ପ୍ରକାର ବ୍ୟବସାୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଥଚ ଆମେ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରି ଡ଼ିଣ୍ଡିମ ପିଟିଚାଲିଲେ, କିନ୍ତୁ ସରକାରୀ ବିଦ୍ୟାଳୟରେ ପିଲାଙ୍କ ଉପସ୍ଥାପନ ସଂଖ୍ୟା କିପରି ବୃଦ୍ଧି ପାଇବ, ସେଥିପ୍ରତି ଦୃଷ୍ଟି ଦିଆଗଲା ନାହିଁ।

ଏବେ ଦେଖାଯାଉଛି ଜଣେ ଶିଶୁକୁ ଦୁଇରୁ ତିନିବର୍ଷ ହେବା ମାତ୍ରେ ପିତାମାତା ଘରୋଇ ଇଂରାଜୀ ବିଦ୍ୟାଳୟରେ ଶିଶୁଟିର ନାମ ଲେଖାଇ ଦେଉଛନ୍ତି। ପିଲାଟି ଆରମ୍ଭରୁ ‘ଏ’ ଫର୍ ଆପୁଲ, ‘ବି’ ଫର ବଲ୍ ଇତ୍ୟାଦି ଶିକ୍ଷା ଗ୍ରହଣ କରିବା ପରେ ସରକାରୀ ସ୍କୁଲ୍‌ରେ ପଢିବାକୁ ଆଉ ଇଚ୍ଛାପ୍ରକାଶ କରୁନାହିଁ। ଦ୍ୱିତୀୟତଃ ପିଲାମାନଙ୍କ ପାଠପଢାକୁ ନେଇ ପିତାମାତାମାନେ ଯେତିକି ଚିନ୍ତିତ ନୁହଁନ୍ତି, ଘରୋଇ ଶିକ୍ଷାନୁଷ୍ଠାନମାନେ ତା ଠାରୁ ଅଧିକ ତତ୍ପର ହୋଇ ଉଠୁଛନ୍ତି।

ଉଦାହରଣ ସ୍ୱରୂପ ଜଣେ ପିଲା ଭଲ ନମ୍ବର ରଖି ମାଟ୍ରିକ ପାସ୍ କଲା ପରେ, ପିଲାଟି କେଉଁ ଶିକ୍ଷାନୁଷ୍ଠାନରେ ପଢିବ, କ’ଣ ପଢିବ, ସେ ବିଷୟରେ ନିଷ୍ପତ୍ତି ନେବା ପୂର୍ବରୁ ସେମାନଙ୍କ ପିତାମାତାଙ୍କ ନିକଟକୁ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନରୁ ଫୋନ୍ ପରେ ଫୋନ୍ ଆସେ, ସାର୍‌, ଆପଣ ପିଲାଙ୍କୁ ଆମ ଅନୁଷ୍ଠାନରେ ପଢାନ୍ତୁ, ଆମ ଅନୁଷ୍ଠାନରେ ଶିକ୍ଷାଦାନର ଶୈଳୀ ଉନ୍ନତ ଧରଣର, ଭିତ୍ତିଭୂମି ମଧ୍ୟ ବହୁତ ଭଲ, ଆମ ଅନୁଷ୍ଠାନରେ ଅଭିଜ୍ଞସମ୍ପନ୍ନ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିୟୋଜିତ ଅଛନ୍ତି ଛାତ୍ରଛାତ୍ରୀଙ୍କ ସୁନ୍ଦର ଭବିଷ୍ୟତ ଗଠନ ପାଇଁ। ତେଣୁ ଆପଣଙ୍କ ପିଲା ଆମ ଅନୁଷ୍ଠାନରେ ପଢିଲେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବ। ଏହିଭଳି ପ୍ରତିଶ୍ରୁତି ଦେଇ ପିତାମାତାଙ୍କ ମନରେ ଅନେକ ଆସୁମାରୀ ସ୍ୱପ୍ନ ଭରିଦିଅନ୍ତି। ସେମାନଙ୍କ ପ୍ରତିଶ୍ରୁତିରେ ପ୍ରଭାବିତ ହୋଇ ପିତାମାତାମାନେ ନିଜ ପିଲାକୁ ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଲା ପରେ ଆରମ୍ଭ ହୋଇଯାଏ ପିତାମାତାଙ୍କ ଉପରେ ଜୁଲମ। ମନୋମୁଖୀ ଫି ବୃଦ୍ଧି କରିବା ସହିତ ଆଇନ ଉଲଂଘନ କରି ଶିକ୍ଷାନୁଷ୍ଠାନ ପରିସରରେ ବହି ବିକ୍ରି କରିବା ପର୍ଯ୍ୟନ୍ତ। ସେମାନେ ବିଭିନ୍ନ ବେସରକାରୀ ପ୍ରକାଶନର ବହିଗୁଡ଼ିକୁ ଏନ୍‌ସିଇଆରଟି ମୂଲ୍ୟଠାରୁ ଚଢା ଦରରେ ବିକ୍ରି କରୁଛନ୍ତି।

ମନୋମୁଖୀ ଭାବେ ସ୍କୁଲ୍ ଫି ବୃଦ୍ଧି ଯୋଗୁ ପ୍ରତ୍ୟେକ ପିତାମାତାମାନେ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି। ଏହି ସଂସ୍ଥାମାନେ ପିତାମାତାମାନଙ୍କୁ ଚଢା ଦରରେ ଖାତା, କଲମ, ଡ୍ରେସ୍ ଓ ଅନ୍ୟାନ୍ୟ ପଠନ ସାମଗ୍ରୀ କିଣିବାକୁ ଏକ ପ୍ରକାର ବାଧ୍ୟ କରୁଛନ୍ତି ଯାହା ସମ୍ପୂର୍ଣ୍ଣ ଆଇନ୍ ଉଲଂଘନ କରୁଛନ୍ତି। ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସ୍କୁଲ୍‌ର କର୍ତ୍ତୃପକ୍ଷ କୌଣସି ପାଠ୍ୟ ସାମଗ୍ରୀ ବିକ୍ରି କରିପାରିବେ ନାହିଁ କି କୌଣସି ପିତାମାତାମାନଙ୍କୁ ପାଠ୍ୟ ଉପକରଣ କିଣିବାକୁ ବାଧ୍ୟ କରିପାରିବେ ନାହିଁ। ନିୟମ ଅନୁଯାୟୀ ସ୍କୁଲ୍ କର୍ତ୍ତୃପକ୍ଷ ବହିର ତାଲିକା ତାଙ୍କର ୱେବ୍‌ସାଇଟ୍‌ରେ ଅପ୍‌ଲୋଡ଼ କରିବା ସହିତ ନୋଟିସ୍ ବୋର୍ଡ଼ରେ ମାରିବେ ଏବଂ ପିତାମାତାମାନେ ନିଜର ସୁବିଧା ଅନୁସାରେ ଏହିସବୁ ବହି କିଣିବେ।

କିଛି ଘରୋଇ ସ୍କୁଲ୍ ଏବଂ କିଛି ପ୍ରକାଶନ ସଂସ୍ଥାଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କାର ମୁନାଫା ହୋଇଛି। ପାଠ୍ୟ ଖସଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ବେଆଇନ୍ ବିକ୍ରିରୁ ସରକାର ମଧ୍ୟ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ଏହା ସହିତ ରାଜ୍ୟର ହଜାର ହଜାର ପୁସ୍ତକ ଦୋକାନୀ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ଘରୋଇ ଶିକ୍ଷାନୁଷ୍ଠାନରେ ପାଠପଢାର ଆକର୍ଷଣୀୟ ବିଜ୍ଞାପନ ଯୋଗୁ ବେସରକାରୀ ଶିକ୍ଷାନୁଷ୍ଠାନରେ ପିଲାମାନଙ୍କୁ ପଢାଇବା ପାଇଁ ପିତାମାତାମାନେ ଆଗ୍ରହ ପ୍ରକାଶ କରୁଛନ୍ତି।

ସମୟ ଆସିଛି, ପ୍ରଥମେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ସେମାନଙ୍କ ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧ କରି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ ଏହିସବୁ ଘରୋଇ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଗଲେ, ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ର୍ରୀମାନଙ୍କ ଉପସ୍ଥାପନ ସଂଖ୍ୟ ବୃଦ୍ଧି ପାଇବ ଓ ବନ୍ଦ ହେବାକୁ ଥିବା ସରକାରୀ ବିଦ୍ୟାଳୟରେ ପିଲାମାନେ ପୂର୍ବପରି ପାଠ ପଢିପାରିବେ। ଏହା ସହିତ ପିତାମାତାମାନେ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କ ଅତ୍ୟାଚାରୁ ରକ୍ଷା ପାଇବା ସହ ଆର୍ଥିକ ଶୋଷଣରୁ ମୁକ୍ତି ପାଇବେ। ପୁସ୍ତକ ବ୍ୟବସାୟୀମାନେ ମଧ୍ୟ ତାଙ୍କର ପୂର୍ବପରି ବ୍ୟବସାୟ କରିବାକୁ ସୁଯୋଗ ପାଇବେ। ଏଥିପାଇଁ ପ୍ରତ୍ୟେକ ଅଭିଭାବକ ଏବଂ ପୁସ୍ତକ ଦୋକାନୀମାନେ ଏବେ ସ୍ୱର ଉତ୍ତୋଳନ କରିବାର ସମୟ ଆସିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ମାସରେ ପ୍ରକାଶ ପାଇବ ଦଶମ ବୋର୍ଡ ପରୀକ୍ଷା ଫଳ: ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ବର: କରୋନା ଯୋଗୁଁ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଅଧୀନରେ ଥିବା ଦଶମ ବୋର୍ଡ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଦେଇଥିଲେ। ହେଲେ ଏହି ପରୀକ୍ଷାର ଫଳାଫଳ ମୂଲ୍ୟାୟନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। ପରୀକ୍ଷା ଫଳ ପ୍ରକାଶ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ସୂଚନା ଦେଇଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ଦଶମ ପରୀକ୍ଷା ଫଳ ଘୋଷଣା ହେବ ବୋଲି ଶ୍ରୀ ଦାଶ କହିଛନ୍ତି। ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ଘୋଷଣା ହେବା ପାଇଁ ଚେଷ୍ଟା କରାଯାଉଛି। ସେଥିପାଇଁ ମୂଲ୍ୟାୟନ କାର୍ଯ୍ୟ ସଠିକ ଭାବେ ଚାଲିଥିବା ସେ କହିଛନ୍ତି।

ତେବେ ସ୍କୁଲ କେବେ ଖୋଲିବ ତାହା କହିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ବିଶେଷଜ୍ଞ ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନେବେ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ଲାଜପତ ନଗର ମାର୍କେଟରେ ଭୀଷଣ ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କରିବା ଲାଗି ନିୟୋଜିତ ହେଲା ୩୦ ଟି ଦମକଳ ଗାଡ଼ି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଲାଜପତ ନଗରର ସେଣ୍ଟ୍ରାଲ ମାର୍କେଟରେ ଗତକାଲି ରାତିରେ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ମାର୍କେଟର ପୋଷାକ ଶୋ’ ରୁମରେ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୩୦ ଟି ଦମକଳ ଗାଡି ନିୟୋଜିତ ଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ କଠିନ ପରିଶ୍ରମ କରି ପାଖାପାଖି ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ।

ଘଟଣାସ୍ଥଳରେ ଦିଲ୍ଲୀ ପୋଲିସର କ୍ରାଇମ ଟିମ୍ ଏବଂ ଫୋରେଂସିକ ଟିମ୍ ତଦନ୍ତ ଆରମ୍ଭ କରିଦେଇଛନ୍ତି। ଏହି ଘଟଣାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନ ବିଜେପିରେ ସବୁ କିଛି ଠିକ ନାହିଁ?: ବିଜେପି ମୁଖ୍ୟାଳୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଫଟୋ ଗାଏବ୍

ନୂଆଦିଲ୍ଲୀ: ଦୁଇ ବର୍ଷ ପରେ ରାଜସ୍ଥାନର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ତାହା ପୂର୍ବରୁ ବିଜେପି ମୁଖ୍ୟାଳୟରେ ବ୍ୟାନର-ପୋଷ୍ଟର ବଦଳାଇ ଦିଆଯାଇଛି। ପାର୍ଟିର ଏହି ନୂଆ ପୋଷ୍ଟରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଫଟୋ ଦେଖିବାକୁ ମିଳିନାହିଁ। ୨୦ ବର୍ଷ ପରେ ଏହା ପ୍ରଥମ ଘଟଣା, ଯାହା ରାଜସ୍ଥାନ ପୋଷ୍ଟର ଆଉ ହୋର୍ଡିଙ୍ଗରେ ରାଜେଙ୍କ ଫଟୋକୁ ରଖାଯାଇନାହିଁ।

ବସୁନ୍ଧରା ୨୦୧୩ରୁ ୨୦୧୮ ମସିହା ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ଗତ କିଛି ବର୍ଷ ହେଲା ବିଜେପିର ଶୀର୍ଷ ନେତା ଏବଂ ରାଜେଙ୍କ ମଧ୍ୟରେ ତିକ୍ତତା ଲାଗିଥିବା କୁହାଯାଉଛି। ଯାହାଫଳରେ ରାଜସ୍ଥାନ ବିଜେପିରେ ସବୁ କିଛି ଠିକ ଚାଲିନଥିବା ପ୍ରଶ୍ନ ଉଠିବା ଆରମ୍ଭ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୫ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୩୦୨ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୦୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଜିଲ୍ଲାରୁ ୪ ଜଣ, ଅନୁଗୁଳ, ଭଦ୍ରକ ଓ ଢେଙ୍କାନାଳ, ଜଗତସିଂହପୁର, ସୁନ୍ଦରଗଡ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବାଲେଶ୍ଵର, ବରଗଡ, କେନ୍ଦ୍ରାପଡା, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଜପତି, ଝାରସୁଗୁଡା, କଳାହାଣ୍ଡି, ନୟାଗଡ, ଓ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ୭୮୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୮୯ ହଜାର ୬୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୯ ହଜାର ୩୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୦୨ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଡବ୍ଲୁଟିସି ଫାଇନାଲ ପୂର୍ବରୁ ରିଷଭ ପନ୍ତଙ୍କ ଧୂଆଁଧାର ଶତକ: ଖେଳାଳିଙ୍କ ଅଭ୍ୟାସ ସମୟର ଭିଡିଓ ସେୟାର କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବ୍ୟାଟରୁ ଲଗାତର ଭଲ ଫର୍ମ ଜାରି ରହିଛି। ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ପୂର୍ବରୁ ପନ୍ତ ଏକ ସୁନ୍ଦର ଶତକ ଯୋଡି ଦେଇଛନ୍ତି। ଟିମ ଇଣ୍ଡିଆର ଇଣ୍ଟ୍ରା-ସ୍କ୍ବାଡ ମ୍ୟାଚରେ ମାତ୍ର ୯୪ ଟି ବଲରେ  ସେ ଅପରାଜିତ ରହି ୧୨୧ ରନ କରିଥିଲେ। ପନ୍ତଙ୍କ ବ୍ୟତୀତ ଶୁଭମାନ ଗିଲ୍ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ସେ ୮୫ ରନର ପାଳି ଖେଳିଥିଲେ। ସେହିଭଳି ଦ୍ରୁତଗାମୀ ବୋଲର ଇଶାନ୍ତ ଶର୍ମା ମଧ୍ୟ ବୋଲିଂରେ ଜଲୱା ଦେଖାଇଥିଲେ। ଇଶାନ୍ତ ୩ ଟି ୱିକେଟ ଅକ୍ତିଆର କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତା ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚ ଖେଳାଯିବ। ଟିମ ଇଣ୍ଡିଆରେ ଏହି ଅଭ୍ୟାସ ମ୍ୟାଚର ଭିଡିଓକୁ ବିସିସିଆଇ ସେୟାର କରିଥିଲା। ଯେଉଁଥିରେ ପନ୍ତ ଲଗାତର ସୁନ୍ଦର ଷ୍ଟ୍ରୋକ ଖେଳୁଥିବା ଦେଖିବାକୁ ମିଳିଛି। ସ୍ପିନ ବଲରେ ଛକା ମାରି ପନ୍ତ ଅର୍ଦ୍ଧ-ଶତକ ପୂରଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୦ ହଜାର ୮୩୪ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୮୦ ହଜାର ୮୩୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୩୦୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୪ ଲକ୍ଷ ୩୯ ହଜାର ୯୮୯ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର ୩୮୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୦ ଲକ୍ଷ ୪୩ ହଜାର ୪୪୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୦ ଲକ୍ଷ ୨୬ ହଜାର ୧୫୯ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୪ ହଜାର ୪୬୯ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୪ ହଜାର ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୫୪୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୯୨୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ୭୮୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୮୯ ହଜାର ୬୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୯ ହଜାର ୩୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୨୫୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୪ ହଜାର ୪୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୬୧୨ ଜଣ, କଟକ ଜିଲ୍ଲାରୁ ୪୧୩, ଅନୁଗୁଳ ଜିଲ୍ଲାରୁ ୨୨୬ ଜଣ, ବାଲେଶ୍ଵର ଜିଲ୍ଲାରୁ ୩୧୮ ଜଣ, ବରଗଡ ଜିଲ୍ଲାରୁ ୮୫ ଜଣ, ଭଦ୍ରକ ଜିଲ୍ଲାରୁ ୧୬୫, ବଲାଙ୍ଗୀରି ଜିଲ୍ଲାରୁ ୫୬, ବୌଦ୍ଧ ଜିଲ୍ଲାରୁ ୯୦, ଦେବଗଡ ଜିଲ୍ଲାରୁ ୨୩, ଢେଙ୍କାନାଳ ଜିଲ୍ଲାରୁ ୨୫୨ ଜଣ, ଗଜପତି ଜିଲ୍ଲାରୁ ୨୬ ଜଣ, ଗଞ୍ଜାମ ଜିଲ୍ଲାରୁ ୪୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪୦ ଜଣ, ଯାଜପୁର ଜିଲ୍ଲାରୁ ୩୭୦ ଜଣ, ଝାରସୁଗୁଡା ଜିଲ୍ଲାରୁ ୨୭ ଜଣ, କଳାହାଣ୍ଡିରୁ ୯୨ ଜଣ, କନ୍ଧମାଳ ଜିଲ୍ଲାରୁ ୨୮ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫୯ ଜଣ, କେନ୍ଦୁଝର ଜିଲ୍ଲାରୁ ୯୬ ଜଣ, କୋରାପୁଟ ଜିଲ୍ଲାରୁ ୮୭ ଜଣ, ମାଲକାନାଗିରି ଜିଲ୍ଲାରୁ ୭୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨୧୬ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧୮ ଜଣ, ନୟାଗଡ ଜିଲ୍ଲାରୁ ୧୨୮ ଜଣ, ନୂଆପଡା ଜିଲ୍ଲାରୁ ୧୪ ଜଣ, ପୁରୀ ଜିଲ୍ଲାରୁ ୨୪୩ ଜଣ, ରାୟଗଡା ଜିଲ୍ଲାରୁ ୧୩୭ ଜଣ, ସମ୍ବଲପୁର ଜିଲ୍ଲାରୁ ୬୧ ଜଣ, ସୋନପୁର ଜିଲ୍ଲାରୁ ୬୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୦୩ ଜଣ ଏବଂ ଷ୍ଟେଟ ପୁଲରୁ ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ପୋଲିସରେ 244ଟି କନେଷ୍ଟବଳ ପଦବୀ ଖାଲି ହେଲା, ଆବେଦନ କରିବାକୁ ଆହ୍ବାନ

କଟକ, ରାଜ୍ୟ ପୋଲିସରେ 244ଟି କନେଷ୍ଟବଳ ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ରହିଛି ଯୁକ୍ତ ଦୁଇ। ଏହି ପଦବୀ ମଧ୍ୟରୁ 112 ଟି ଅଣ ସଂରକ୍ଷିତ ହୋଇଥିବା ବେଳେ 67ଟି ଅନୁସୂଚିତ ଜନଜାତି ପାଇଁ ରହିଛି। ସେହିପରି 42ଟି ଅନୁସୂଚିତଜାତି ଏବଂ 23 ଟି ଏସଇବିସି ପାଇଁ ସଂରକ୍ଷିତ ରଖାଯାଇଛି।

ଅଧିକ ଖବର ଜାଣିବା ପାଇଁ ଲଗଅନ କରନ୍ତୁ  thesamikhsya.com/odia

Categories
ଆଜିର ଖବର ଧର୍ମ

ଆପଣଙ୍କ ସଂପର୍କୀୟମାନେ ଭଲ କି ଖରାପ ତାହା ଜାଣିବାର ସୁତ୍ର କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ମଣିଷକୁ ଚିହ୍ନିବା ପାଇଁ ବିଭିନ୍ନ ଉପାୟମାନ ତାଙ୍କ ରଚିତ ଚାଣକ୍ୟ ନୀତିରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ସେଥିରେ ରହିଛି ଆପଣଙ୍କ ସହିତ ଯେଉଁମାନେ ସବୁବେଳେ ପାଖେ ପାଖେ ରୁହନ୍ତି, ସେମାନଙ୍କୁ କିପରି ଚିହ୍ନିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ଚାକର, ବନ୍ଧୁ, ମିତ୍ର ଏବଂ ଧର୍ମପତ୍ନୀ।  ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ଆପଣଙ୍କ ଚାକର କେତେ ବିଶ୍ବସ୍ଥ ତାହା ଜାଣିବା ପାଇଁ ତାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରି ନିରକ୍ଷଣ କରନ୍ତୁ। ଦେଖିବେ ସେ ଯଦି ଠିକ ଭାବେ ମନ ଲଗାଇ କାମ କରେ ତେବେ ଜାଣିବେ ଯେ, ସେ ଜଣେ ସଚ୍ଚୋଟ ବ୍ୟକ୍ତି।

ସେହିପରି ଆପଣଙ୍କର ସଂପର୍କୀୟ କିମ୍ବା ବନ୍ଧୁବାନ୍ଧବଙ୍କୁ ଚିହ୍ନିବା ପାଇଁ ଉପାୟ ମଧ୍ୟ ଚାଣକ୍ୟ କହିଛନ୍ତି। ତାହା ହେଲା ଯଦି ଦୁଃଖ ସମୟରେ ଆପଣଙ୍କର ସଂପର୍କୀୟମାନେ ପାଖରେ ନ ରୁହନ୍ତି ତେବେ ସେମାନେ ଠିକ୍ ନୁହଁନ୍ତି ବୋଲି ଧରିବାକୁ ପଡିବ। ଆପଣଙ୍କର ମିତ୍ରକୁ ମଧ୍ୟ ଯଦି ବିପଦ ସମୟରେ ନ ଦେଖନ୍ତି ବା ସାହାର୍ଯ୍ୟ ନ କରନ୍ତି ତେବେ ସେ ପ୍ରକୃତ ମିତ୍ର ବୋଲି କୁହାଯିବ ନାହିଁ।

ନିଜର ଧର୍ମପତ୍ନୀଙ୍କୁ ମଧ୍ୟ ଚିହ୍ନିବାର ଉପାୟ ସଂପର୍କରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେତେବେଳେ ଆପଣଙ୍କ ପାଖରୁ ଧନ ଶେଷ ହୋଇଯାଏ କିମ୍ବା କର୍ମ ଚାଲିଯାଏ ସେତେବେଳେ ସ୍ତ୍ରୀ କଣ ଜଣାପଡେ। ଏହି ସମୟରେ ଯଦି ସ୍ତ୍ରୀ ଆପଣଙ୍କର ପାଖରେ ରୁହନ୍ତି ନାହିଁ, ମନୋବଳକୁ ଦୃଢ ନ କରି ଚିଡିଚିଡା ପ୍ରକୃତିର ହୁଅନ୍ତି ତେବେ ଜାଣିବେ ସେ ଠିକ୍ ନୁହଁନ୍ତି। ଯଦି ସ୍ବାମୀଙ୍କର ଦୁଃଖ ସୁଖରେ ସ୍ତ୍ରୀ ସାଥ୍ ଦେଲା ତେବେ ସେ ହିଁ ପ୍ରକୃତରେ ଧର୍ମପତ୍ନୀ ପାଇଁ ଯୋଗ୍ୟା।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 13 ତାରିଖ ରବିବାରରେ ଆଠଟି ରାଶିର ଲୋକେ ରୁହନ୍ତୁ ସାବଧାନ

ମେଷ: – ଆଜି ଏହି ରାଶିର ଲୋକମାନେ ସର୍ବସାଧାରଣ କ୍ଷେତ୍ରରେ ପ୍ରଶଂସା ପାଇବେ। ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବେ। ପାରିବାରିକ ଏବଂ ଦାମ୍ପତ୍ୟ ଜୀବନରେ ସୁଖ ଏବଂ ତୃପ୍ତି ରହିବ। ବ୍ୟବସାୟୀଙ୍କ ବ୍ୟବସାୟ ଏବଂ ଆୟ ବୃଦ୍ଧି ପାଇବ। ବକେୟା ରାଶି ମିଳିବାର ସମ୍ଭାବନା। ବାପା ଏବଂ ବୟସ୍କମାନଙ୍କଠାରୁ ଲାଭ ହେବ।

ବୃଷ: – ଆଜି ଅସୁସ୍ଥ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟରେ ଉନ୍ନତି କରିବେ। ସ୍ଥାନାନ୍ତରଣରେ ବ୍ୟାଘାତ ହେବାର ସମ୍ଭାବନା ଅଛି, ଯଦି ସମ୍ଭବ, ସ୍ଥାନାନ୍ତର କରନ୍ତୁ ନାହିଁ। ଯଦି କାର୍ଯ୍ୟ ଠିକ୍ ସମୟରେ ସମାପ୍ତ ନ ହୁଏ ତେବେ ଆପଣ ବିରକ୍ତ ଅନୁଭବ କରିବେ। ଯୋଗ, ଧ୍ୟାନ ଏବଂ ଆଧ୍ୟାତ୍ମିକ ପଠନ ଆରାମ ପ୍ରଦାନ କରିବ। ମାତୃ ପାର୍ଶ୍ୱରୁ ଏକ ଖୁସି ଖବର ଆସିବ।

ମିଥୁନ: – ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଏକ ଅନୁକୂଳ ଦିନ ନୁହେଁ । ଆଜି ତୁମର ସତେଜତା ଏବଂ ଶକ୍ତିର ଅଭାବ ହେବ। ଏହା ସହିତ କ୍ରୋଧର ଅତ୍ୟଧିକ ହେବ। ଏହାର ଫଳ ସ୍ୱରୂପ, ଆପଣଙ୍କର କାର୍ଯ୍ୟ ଖରାପ ହେବାର ସମ୍ଭାବନା ଅଛି, ତେଣୁ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡିବ। ମହିଳାଙ୍କ ପଛରେ ଟଙ୍କା ଖର୍ଚ୍ଚ ହେବ ।

କର୍କଟ : – ଆଜି ଆପଣଙ୍କ ଭିତରେ ଆନନ୍ଦ ଏବଂ ଉତ୍ସାହର ଅଭାବ ଦେଖାଯିବ। ମନରେ ଦୁଃଖ ରହିବ। ଛାତି ଯନ୍ତ୍ରଣା କିମ୍ବା ଅନ୍ୟ କୌଣସି କାରଣରୁ ଆପଣ ଅସନ୍ତୋଷ କିମ୍ବା ଅନିଦ୍ରା ଭୋଗନ୍ତି । ଶ୍ରମିକ ଶ୍ରେଣୀ ଏବଂ ମାତୃ ପାର୍ଶ୍ୱରୁ ଲାଭ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ଲାଭ ହେବ, କିନ୍ତୁ ଆବଶ୍ୟକ ଖର୍ଚ୍ଚ ମଧ୍ୟ ହେବ।

ସିଂହ : – ଆଜି ଏକ ସ୍ୱଳ୍ପ ଯାତ୍ରା ହେବ କିମ୍ବା ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ରହିବେ। ପ୍ରିୟଜନ ଏବଂ ପ୍ରିୟ ଲୋକଙ୍କ ସହିତ ଏକ ଆଲୋଚନା ହେବ। ଆପଣ ପିଲାମାନଙ୍କୁ ନେଇ ଭଲ ଖବର ପାଇବେ। ତୁମର ମନ ଧାର୍ମିକ କିମ୍ବା ପରୋପକାରୀ କାର୍ଯ୍ୟରେ ନିୟୋଜିତ ରହିବ। ତୁମେ ଆର୍ଥିକ ଲାଭ ପାଇବ ଏବଂ ତୁମେ ଜଣେ ପ୍ରିୟ ବ୍ୟକ୍ତିଙ୍କୁ ଭେଟି ପାରିବ ।

କନ୍ୟା : – ଆଜି ତୁମର ଦିନ ବହୁତ ବ୍ୟସ୍ତ ହେବାକୁ ଯାଉଛି । ମନ ସହିତ କରାଯାଇଥିବା କାର୍ଯ୍ୟ ଲାଭଦାୟକ ହେବ। ପୁରୁଣା ଟେନସନ କମିଯିବ। ଆଜି ତୁମର ମଧୁର ସ୍ୱରର ଯାଦୁ ଅନ୍ୟ ଲୋକଙ୍କୁ ପ୍ରଭାବିତ କରିବ। ଯାତ୍ରା ସମ୍ଭାବନା ରହିଛି । ମିଠା ସହିତ ତୁମେ ପ୍ରିୟ ଖାଦ୍ୟ ପାଇବେ। ଆମଦାନୀ-ରପ୍ତାନିରେ ଆପଣ ସଫଳତା ପାଇବେ।

ତୂଳା: – ଆଜି ଅପରାହ୍ନ ସୁଦ୍ଧା, ଆପଣ ଫୋନ୍ ମାଧ୍ୟମରେ କିଛି ଭଲ ଖବର ପାଇପାରିବେ। ଅଫିସ୍ ସାଥୀମାନେ ମଧ୍ୟ ଦଳଗତ କାର୍ଯ୍ୟରେ ଖୁସି ହେବେ। କାରବାର ଏବଂ ବ୍ୟବସାୟରେ ସାବଧାନ ରୁହନ୍ତୁ। ସୃଜନଶୀଳ କାର୍ଯ୍ୟ କରିବେ। କାର୍ଯ୍ୟ ସଫଳ ହେବ। ଆଜି ଅଳଙ୍କାର, ପୋଷାକ, ଶବ୍ଦ ଏବଂ ମନୋରଞ୍ଜନ ପାଇଁ ଅର୍ଥ ଖର୍ଚ୍ଚ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

ବିଛା :- ଆଜି ଅପରାହ୍ନ ପର୍ଯ୍ୟନ୍ତ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ସନ୍ଧ୍ୟା ସୁଦ୍ଧା ଲାଭ ପାଇଁ ଅନେକ ସୁଯୋଗ ମିଳିବ। ଆପଣ ପ୍ରଭାବଶାଳୀ ଲୋକଙ୍କୁ ଭେଟିବେ । ଆଜି, ଆପଣ ମନୋରଞ୍ଜନ ପାଇଁ ଟଙ୍କା ଖର୍ଚ୍ଚ କରିବେ। ମାନସିକ ଚିନ୍ତା ଏବଂ ଶାରୀରିକ ସମସ୍ୟା ଦ୍ୱାରା ତୁମେ ଅସୁବିଧାରେ ପଡ଼ିବ।

ଧନୁ : – ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ସଫଳତା ଏବଂ ଆର୍ଥିକ ଲାଭ ପାଇବା ସମ୍ଭାବନା ରହିଛି। ଶୁଭ କାର୍ଯ୍ୟକ୍ରମରେ ପରିବାର ଉପସ୍ଥିତ ରହିବେ। ତୁମେ ପ୍ରେମର ଖୁସିର ମୁହୂର୍ତ୍ତକୁ ଉପଭୋଗ କରିବାକୁ ସମର୍ଥ ହେବ । ଆୟ ଉତ୍ସ ବୃଦ୍ଧି ପାଇବ । ଉଚ୍ଚ ପଦାଧିକାରୀ ଏବଂ ବରିଷ୍ଠମାନଙ୍କ ଅନୁଗ୍ରହ ରହିବ। ସାଙ୍ଗମାନଙ୍କ ସୁନ୍ଦର ଭ୍ରମଣର ଆୟୋଜନ କରାଯିବ।

ମକର : – ଆଜି ବ୍ୟବସାୟ କ୍ଷେତ୍ରରେ ଅର୍ଥ, ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ଅଧିକ ପରିଶ୍ରମ ସହିତ କମ୍ ସଫଳତା ପାଇବା ହତାଶାର କାରଣ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ଅସୁବିଧା ହେବ। ଯଦି ଉଚ୍ଚ ପଦାଧିକାରୀମାନେ ଖୁସି ହୁଅନ୍ତି, ପଦୋନ୍ନତିର ସମ୍ଭାବନା ଆସିବ। ସରକାର, ବନ୍ଧୁ ଏବଂ ସମ୍ପର୍କୀୟଙ୍କଠାରୁ ଲାଭ ମିଳିବ।

କୁମ୍ଭ: – ଆଜି ଆପଣ ପତ୍ନୀ ଏବଂ ପୁଅଙ୍କଠାରୁ ସୁଖ ଏବଂ ତୃପ୍ତି ଅନୁଭବ କରିବେ । ସ୍ଥାନାନ୍ତରଣ, ପର୍ଯ୍ୟଟନ ଏବଂ ବିବାହ ସମନ୍ୱୟ ସୃଷ୍ଟି ହେବ। ଆପଣ ହୃଦୟରୁ ଖୁସି ବାହାରିବ। ଚାକିରିରେ ଆପଣଙ୍କୁ ଉଚ୍ଚ ପଦାଧିକାରୀମାନଙ୍କ ସହିତ ସତର୍କ ରହିବାକୁ ପଡିବ। ମଜା ଏବଂ ଭ୍ରମଣ ପଛରେ ଟଙ୍କା ଖର୍ଚ୍ଚ ହେବ। ପିଲାମାନଙ୍କ ବିଷୟରେ ଚିନ୍ତା ହେବ।

ମୀନ : – ଆଜି ବହୁତ ଧୀର ଦିନ ହେବ। ହଠାତ୍ ଲାଭର ଏକ ରାଶି ଅଛି । ଚେଷ୍ଟା କଲେ ସ୍ଥଗିତ କାର୍ଯ୍ୟ ଆଗକୁ ନେଇଯିବ। ସତର୍କ ରୁହ ଏବଂ ତୁମର କାର୍ଯ୍ୟରେ ଜଡିତ ହୁଅ, ବୋଧହୁଏ ଏହା ସଂଗ୍ରାମର ଶେଷ ରାଉଣ୍ଡ ହେବ। ଥଣ୍ଡା, ନିଶ୍ୱାସ ପ୍ରଶ୍ୱାସ, କାଶ ଏବଂ ପେଟ ଯନ୍ତ୍ରଣା ଧରିବ। ଖର୍ଚ୍ଚ ବୃଦ୍ଧି ପାଇବ। ଉତ୍ତରାଧିକାର ଲାଭ ହେବ।

Categories
ଆଜିର ଖବର

ଏହି ରାଶିର ବ୍ୟକ୍ତିମାନେ ରବିବାର ଦିନ ମା ଲକ୍ଷ୍ମୀଙ୍କ ଆର୍ଶିବାଦ ପ୍ରାପ୍ତ ହେବେ

ମେଷ: – ଆଜି ଏହି ରାଶିର ଲୋକମାନେ ସର୍ବସାଧାରଣ କ୍ଷେତ୍ରରେ ପ୍ରଶଂସା ପାଇବେ। ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବେ। ପାରିବାରିକ ଏବଂ ଦାମ୍ପତ୍ୟ ଜୀବନରେ ସୁଖ ଏବଂ ତୃପ୍ତି ରହିବ। ବ୍ୟବସାୟୀଙ୍କ ବ୍ୟବସାୟ ଏବଂ ଆୟ ବୃଦ୍ଧି ପାଇବ।

ମୀନ : – ଆଜି ବହୁତ ଧୀର ଦିନ ହେବ। ହଠାତ୍ ଲାଭର ଏକ ରାଶି ଅଛି । ଚେଷ୍ଟା କଲେ ସ୍ଥଗିତ କାର୍ଯ୍ୟ ଆଗକୁ ନେଇଯିବ। ସତର୍କ ରୁହ ଏବଂ ତୁମର କାର୍ଯ୍ୟରେ ଜଡିତ ହୁଅ, ବୋଧହୁଏ ଏହା ସଂଗ୍ରାମର ଶେଷ ରାଉଣ୍ଡ ହେବ। ଥଣ୍ଡା, ନିଶ୍ୱାସ ପ୍ରଶ୍ୱାସ, କାଶ ଏବଂ ପେଟ ଯନ୍ତ୍ରଣା ଧରିବ।