ବିହାରରେ କାହାର ସରକାର? ପ୍ରଥମ ପର୍ଯ୍ୟାୟ ଭୋଟ୍ ପ୍ରତିଶତ ସରକାରଙ୍କ ସପକ୍ଷରେ ନା ବିପକ୍ଷରେ, ଜାଣନ୍ତୁ

Published: Oct 29, 2020, 3:07 pm IST

ପାଟନା, ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର‌୍ୟ୍ୟାୟ ଭୋଟ ଶେଷ ହୋଇଛି। ଏହାପରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଭୋଟ ପରେ ନଭେମ୍ବର ୧୦ ରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ଆୟୋଗଙ୍କ ଅନୁସାରେ, ବିହାରର ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ୭୧ ଟି ଆସନରେ ୫୪.୨୬ ପ୍ରତିଶତ ମତଦାନ ହୋଇଛି। ଏହି ଭୋଟ ଗ୍ରହଣ ହାରକୁ ନେଇ ମହାମେଣ୍ଟ ଏବଂ ଏନଡିଏ ମଧ୍ୟରେ ଚାଲିଛି ଅଙ୍କ କଷା।

ତେବେ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ​​ଭୋଟ ପ୍ରତିଶତ କଣ ସୂଚାଉଛି ତାକୁ ନେଇ ରାଜନୈତିକ ସମୀକ୍ଷକମାନେ ମଧ୍ୟ ବିଭିନ୍ନ ମତ ଦେବାରେ ଲାଗିଛନ୍ତି। ଯଦି ଆପଣ ୨୦୧୫ ବିଧାନସଭା ନିର୍ବାଚନର ଆକଳନ ଦେଖନ୍ତି, ତେବେ ଏହି ଆସନଗୁଡିକରେ ୫୪.୭୫ ପ୍ରତିଶତ ଭୋଟ ହୋଇଥିଲା। ସମଗ୍ର ବିହାରର ୨୪୩ ଟି ଆସନରେ ୫୬.୬୬ ପ୍ରତିଶତ ମତଦାନ ହୋଇଥିଲା। ସେହିଭଳି ୨୦୧୦ ରେ ୫୨.୬୭ ପ୍ରତିଶତ ୨୦୦୫ ରେ ୪୬.୫୦ ପ୍ରତିଶତ ଏବଂ ୨୦୦୦ ମସିହାର ବିଧାନସଭା ନିର୍ବାଚନରେ ​​୬୨.୫୭ ପ୍ରତିଶତ ମତଦାନ ହୋଇଥିଲା।

ଯଦି ଆମେ ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟର ଭୋଟ ଧାରାକୁ ଦେଖିବା, ତେବେ ଭୋଟ୍ ଗତ ନିର୍ବାଚନ ସହିତ ପ୍ରାୟ ସମାନ। ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ବିହାରରେ ​​୫୩.୯୨ ପ୍ରତିଶତ ମତଦାନ ହୋଇଥିଲା। ଏହି ଧାରକୁ ଆକଳନ କଲେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ଭୋଟ ପ୍ରତିଶତ ଶାସକ ଏନଡିଏ ସପକ୍ଷରେ ଯିବା କଥା। ହେଲେ ସମୀକ୍ଷକମାନେ ଏହାକୁ ଦୃଢ ଭାବେ କହିପାରୁ ନାହାଁନ୍ତି। ଏହାର ବିଭିନ୍ନ କାରଣକୁ ଅନୁଧ୍ୟାନ କରି ଏହି ଭୋଟ ପ୍ରତିଶତ ସରକାରଙ୍କ ସପକ୍ଷରେ ଯିବ ବୋଲି କହିହେଉ ନାହି।

ବିଜେପି ନୀତିଶଙ୍କ ସହ ନିର୍ବାଚନ ଲଢୁଛି ସତ ହେଲେ କେଉଁଠି ନା କେଉଁ ବିଜେପି ତାଙ୍କ ଉପରେ ସନ୍ତୁଷ୍ଠ ନ ଥିବା ପରି ମନେ ହେଉଛି। ବିଜେପି ତାହାର ନିଜସ୍ବ ଇସ୍ତାହାର ପ୍ରକାଶ କଲା। ସେଥିରେ ନୀତିଶଙ୍କ ନାମ ନାହିଁ। ବିଜେପି ନିଜେ ନିଜ ପ୍ରାର୍ଥୀଙ୍କ ପାଇଁ ପୋଷ୍ଟର ମାରିଛନ୍ତି, ଯେଉଁଥିରେ ନୀତିଶଙ୍କ ଫଟୋ ନାହିଁ। ବୋଧହୁଏ ବିଜେପି ଜାଣି ସାରିଲାଣି ଯେ ନୀତିଶଙ୍କ ଲୋକପ୍ରିୟତା ହ୍ରାସ ଘଟିଛି। ସେହିପରି ଏନଡିଏରେ ଥାଇ ମଧ୍ୟ ଏଲଜେପି ଏକାକୀ ନିର୍ବାଚନ ଲଢୁଛି। ଏସବୁକୁ ଅନୁଧ୍ୟାନ କରି ଏହି ଭୋଟ ପ୍ରତିଶତ ସଂପୂର୍ଣ୍ଣ ସରକାରୀ ଦଳକୁ ଯିବ ବୋଲି କହିହେବ ନାହିଁ।

ଏଥର ନିର୍ବାଚନରେ ରୋଜଗାର ଏବଂ ମଦ ନିଷେଧ ପ୍ରସଙ୍ଗକୁ ଉଭୟ ପକ୍ଷ ଗୁରୁତ୍ୱ ଦେଇଛନ୍ତି। ୧୦ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଦେବା ନେଇ ତେଜସ୍ୱୀ ଯାଦବ ପ୍ରତିଶୃତି ଦେଇଛନ୍ତି। ଏଥି ସହିତ ନିତୀଶ ସରକାର ମଧ୍ୟ ୧୯ ଲକ୍ଷ ଚାକିରି ଦେବାକୁ କହିଛନ୍ତି। ତେବେ ତେଜସ୍ୱୀଙ୍କ ନିଯୁକ୍ତି ପ୍ରସଙ୍ଗ ନୀତୀଶ କୁମାର ସରକାରଙ୍କ ପାଇଁ ଏକ ଧକ୍କା ବୋଲି ପ୍ରମାଣିତ ହୋଇଛି। କାରଣ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଚାକିରୀ ନ ଦେଇ ଏବେ ପ୍ରତିଶୃତି ଦେବା ତାଙ୍କ ପାଇଁ ବୁମେରାଂ ହୋଇଛି।

ତେବେ ରାଜନୈତିକ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସରିବା ପରେ ଏହା ଆକଳନ କରିହେବ। ସେହି ଭୋଟ ପ୍ରତିଶତ କହିବ ଯେ ବିହାରର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି କି ନାହିଁ।

Related posts