ପପୁ ବନାମ ଗପ୍ପୁ ଓ ରାଜନୀତିରେ କମ କଥା କହିବାର ଗୁରୁତ୍ଵ

Published: Dec 20, 2018, 7:48 am IST

ପ୍ରିୟ ରଞ୍ଜନ ସାହୁ

ସାମ୍ବାଦିକତା କ୍ଷେତ୍ରରେ ମୋର ପାଖାପାଖି ୩୦ ବର୍ଷର ଅଭିଜ୍ଞତା । ସବୁ ସମୟ ଖବରକାଗଜରେ ଲେଖିଆସିଛି,  କିନ୍ତୁ କଥା କହିବାରେ ମୁଁ ବହୁତ ଦୁର୍ବଳ । ମୁଁ ଯାହା ଲେଖେ, ଠିକ୍ ସେଇ କଥା କାହା ସାମନାରେ ଯଦି କହିବାକୁ ହୁଏ, ତେବେ ମୋର ଦେହରୁ ଝାଳ ବାହାରିଯାଏ ।

ସାଙ୍ଗମାନେ କୁହନ୍ତି ଟେଲଭିଜନ ସାମନାରେ କହିଲା ବେଳେ, କିଛି କହିବା ଶୈଳୀ ପରିବର୍ତ୍ତନ କରିବା ଦରକାର । କେଉଁ ଯାଗାରେ ଧିରେ କହିବା, କେଉଁ ଯାଗାରେ ପାଟି କରି କହିବା, କେଉଁ ଯାଗାରେ ପଜ୍ ଦେବା କଥା ବିଷୟରେ ଅନେକ ଟିପ୍ସ୍ ମିଳେ । ମୁଁ କିନ୍ତୁ ଭାବେ ସେଥିରେ ମୋର କିମ୍ବା କୌଣସି ବ୍ୟକ୍ତିର ମୌଳିକତା ନଷ୍ଟ ହେବାର ଅନେକ ସମ୍ଭାବନା ଅଛି ।

ବେଶୀ କଥା କହିବା ସବୁବେଳେ କାମ ଦିଏନି । ନୀରବତାର ମଧ୍ୟ ଏକ ସଶକ୍ତ ଭାଷା ଅଛି । ସେ ଭାଷା ବହୁତ ବଳିଷ୍ଠ । ଉଦାହରଣ ସ୍ୱରୁପ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଅନ୍ତୁ । ଖୁବ୍ କମ୍ କଥା କହିବା ଲୋକ । କିନ୍ତୁ ୧୮ ବର୍ଷରୁ ବେଶି ସମୟ ଶାସନରେ ଅଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କମ୍ କଥା କହିବା ଲୋକ । ସେ ମଧ୍ୟ ୧୦ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ ।

କମ୍ କଥା କହୁଥିବା ଏ ଦୁଇ ବ୍ୟକ୍ତିିତ୍ୱଙ୍କ ମଜାକ ଉଡାଇବାର ଲୋକ ମଧ୍ୟ ଅଛନ୍ତି । ମନମୋହନ ସିଂକୁ ମୌନମୋହନ କିମ୍ବା ନବୀନ ପଟ୍ଟନାୟକକୁ ପପୁ ବୋଲି କହିବାରେ ଲୋକ ଆନନ୍ଦ ପାଇଥାନ୍ତି । ଯଦିଓ ପପୁ ଡାକ ନାଁ ଟା ପଟ୍ଟନାୟକଙ୍କ ପରିବାରର ସ୍ନେହ ପ୍ରଦତ୍ତ ନାମ ।

ପପୁ । ଏଇଟା ଗୋଟେ ସ୍ନେହର ନାଁ, ଅନେକ ମା ବାପା ନିଜର ପୁଅମାନଙ୍କୁ ପପୁ ବୋଲି ସମ୍ବୋଧନ କରିଥାନ୍ତି ।

କିନ୍ତୁ ସାମ୍ପ୍ରତିକ ରାଜନୀତିରେ ପପୁ ଶବ୍ଦ ଯେମିତି ଗୋଟିଏ ମଜାକ ହୋଇଯାଇଛି ।

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ତ ତାହା ଗାଳି ହୋଇଯାଇଛି । ରାଜନୈତିକ ବିରୋଧି ମାନେ ରାହୁଲ ଗାନ୍ଧୀଙ୍କ ପ୍ରତି ପପୁ ଶବ୍ଦର ବ୍ୟବହାର, ବା ଅପବ୍ୟବହାର, ତାଙ୍କୁ ଭକୁଆ, ଅପାରଗ, ନିରର୍ଥକ  ବ୍ୟକ୍ତି ଭାବରେ ଚିତ୍ରଣ କରିଛନ୍ତି ।

ରାହୁଲ ଗାନ୍ଧୀ ଭଲଭାବରେ କଥା କହି ପାରନ୍ତି ନାହିଁ । ସେ ବାରମ୍ବାର ଭୁଲ କରି ଆସିଛନ୍ତି । ଏଭଳିଆ ପ୍ରଚାର ୨୦୧୪ ଠୁ ପ୍ରବଳଭାବରେ ସୋଶିଆଲ ମିଡିଆ ଜରିଆରେ କରା ହୋଇଛି । ଅନେକ ଲୋକଙ୍କ ସହ କଥାବାର୍ତ୍ତା କଲାବେଳେ ମୁଁ ମଧ୍ୟ ହୃଦବୋଧ କରିଛି ଯେ, ସେମାନେ ସତରେ ରାହୁଲ ଗାନ୍ଧୀଙ୍କୁ ‘ପପୁୁ’ ବୋଲି ଭାବନ୍ତି ।

ସତରେ ସେ କଣ ‘ପପୁ’ । ମୁଁ ୨୦୦୨/୨୦୦୩ ମସିହାକୁ ଯିବି । ରାହୁଲ ଗାନ୍ଧୀ କେନ୍ଦ୍ର ସରକାରରେ କାର୍ଯ୍ୟରତ ଥିବା ଜଣେ ଦୁଇଜଣ ଓଡିଆ ଅଫିସରଙ୍କ ଘରକୁ ଲଗାତାର ଯାଉଥିଲେ । ଆପାତତଃ ଛାତ୍ର ଭାବରେ । ଦେଶର ବିଭିନ୍ନ ସରକାରୀ ଯୋଜନା ବିଷୟରେ ପ୍ରାଞ୍ଜଳ ଭାବରେ ଜାଣିବାକୁ ଜିଜ୍ଞାସୁ ମନୋଭାବ ନେଇ । ଏପରିକି ସେ ଅଫିସର ମାନେ ପରିବାର ସହ ରାତ୍ରିଭୋଜନ କଲାବେଳେ ସେ ବାହାରେ ବସି ସେମାନଙ୍କୁ ଅପେକ୍ଷା କରୁଥିଲେ ।

ତେବେ ଆମେ ଏଇ କଥାକୁ ବିଶ୍ୱାସ କରିବା ବା ଯେଉଁ କଥା, ଯେଉଁ  ସୋସିଆଲ ମିଡିଆରେ ପ୍ରଚାର ହୋଇଛି ତାକୁ ବିଶ୍ଵାସ କରିବା ?

କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ବା ପୁର୍ଣ୍ଣାଙ୍ଗ ନୁହେଁ । ରାହୁଲ ଗାନ୍ଧୀ ମଧ୍ୟ ନୁହନ୍ତି । ସେ ମଧ୍ୟ ଅନେକ ଭୁଲ କରିଛନ୍ତି । ସର୍ବସାଧାରଣରେ କ୍ଷମା ମଧ୍ୟ ମାଗିଛନ୍ତି । କିନ୍ତୁ ବିଗତ ଦୁଇବର୍ଷରେ ତାଙ୍କର କାର୍ଯ୍ୟକଳାପ ଦେଖିଲେ, ସେ ଜଣେ ବୋକା, ନିର୍ବୋଧ ଓ ଅପାରଗ, ସେ କଥା ହୃଦବୋଧ  ହେଉନାହିଁ ।

କଂଗ୍ରେସର ଦାୟିତ୍ୱ ନେଲା ଆଗରୁ ଓ ପରେ ରାହୁଲ ଗାନ୍ଧୀ ପାର୍ଟିକୁ ସୁଦୃଢ କରିବା ପାଇଁ ପ୍ରବଳ ଚେଷ୍ଟା କରିଛନ୍ତି । ବିଭିନ୍ନ ବର୍ଗର ଲୋକଙ୍କ ସାଙ୍ଗରେ ବାର୍ତ୍ତାଳପ କରିଛନ୍ତି । ଦେଶ ଓ ବିଦେଶର ନାମଜାଦା ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରମାନଙ୍କ ସହିତ ଦେଶର ବିଭିନ୍ନ ସମସ୍ୟା ଓ ତାର ପ୍ରତିକାର ବିଷୟରେ ଫେସ୍ ଟୁ ଫେସ୍ ଆଲୋଚନା କରିଛନ୍ତି । ଅସୁବିଧା ଜନକ  ପ୍ରଶ୍ନ ଗୁଡିକର ଉତ୍ତର ଦେବାକୁ ଚେଷ୍ଟା କରିଛନ୍ତି ।

ଏସବୁୁ ପରିଶ୍ରମର ଫଳ ଗୁଜୁରାଟ, କର୍ଣ୍ଣାଟକ ଓ ସଦ୍ୟ ନିର୍ବାଚନ ହୋଇଥିବା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ତାଙ୍କୁ ଓ କଂଗ୍ରେସକୁ ମିଳିଛି । କେହି ମାନୁ ବା ନମାନୁ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବୁଠୁ ବଡ ପ୍ରତିଦ୍ୱନ୍ଦୀ ଭାବରେ ଛିଡା ହୋଇଛନ୍ତି ।

କଥା ବେଶୀ କହିବା ଯେ ଖରାପ ଏହା ମୁଁ କହୁନାହିଁ । କିନ୍ତୁ କଥା ଯଦି ଚଳଚ୍ଚିତ୍ର ଅଭିନେତାଙ୍କ ଠାରୁ ତାଲିମ ନେଇକି ରାଲିରେ ଭାଷଣ ଦେବାର ଏକ ନାଟକୀୟ କୌଶଳ ମାତ୍ର ହୁଏ , ତେବେ ତାହା ବେଶୀ ଦିନ ଲୋକଙ୍କୁ ପ୍ରଭାବିତ କରିପାରିବନାହିଁ  ।

ହୃଦୟରୁ ବାହାରୁଥିବା  କଥା ଲୋକ ସବୁଦିନ ବିଶ୍ୱାସ କରିବେ । ଆଜି ମଧ୍ୟ ପୁର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣ ୟୁ ଟ୍ୟୁବରେ  ଦେଖୁଛନ୍ତି, କାରଣ ବାଜପେୟୀ ଯାହା କହୁଥିଲେ, ତାହା ମନରୁ କହୁଥିଲେ। ମନର କଥା,  ନାଟକ ହେଲେ ତାହା ପ୍ରଭାବ ହରାଇବାକୁ ବାଧ୍ୟ।

Related posts