ବାଣପୁର: ଦଶମହାବିଦ୍ୟା ନୃତ୍ୟରେ ଝୁମିଲେ ଦର୍ଶକ, ଦୁଲୁକିଲା ମା’ ଭଗବତୀଙ୍କ ମନ୍ଦିର

Published: Jun 15, 2022, 5:03 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଦଶମହାବିଦ୍ୟା ନୃତ୍ୟରେ ଝୁମିଲେ ଦର୍ଶକ, ଦୁଲୁକିଲା ମା’ଙ୍କ ମନ୍ଦିର ବେଢ଼ା। ମା ଭଗବତୀ ରଜ ମହୋତ୍ସବର ପ୍ରଥମସଂଧ୍ୟାରେ ଭୁବନେଶ୍ଵରର ମମତା ଶତପଥି ଓ ସାଥିଙ୍କ ଗଣେଶ ବନ୍ଦନା, ମଙ୍ଗଳାଚରଣ, ଦଶମହାବିଦ୍ୟା, ଓଡ଼ିଶୀ ନୃତ୍ୟ ସହିତ ସମ୍ବଲପୁରୀ, ରଜ ଦୋଳି ଓ ଛୋଟ ମୋର ଗାଁଟି ପରି ପଲ୍ଲୀ ନୃତ୍ୟ ପରିବେଶଣରେ ବିଭୋର ଦର୍ଶକଙ୍କ ମନ ମୋହିଲା ପହିଲି ରଜ।

ପହିଲି ରଜରେ ପ୍ରତ୍ୟୁଷରୁ ମା’ଙ୍କ ଦ୍ଵାର ପିଠା, ହଳଦୀ ଚୁଆ ଚନ୍ଦନ କର୍ପୁର ଅଗରୁ ଅତର ମିଶ୍ରିତ ସୁବାସିତ ଜଳରେ ଅଙ୍ଗରାଗ ପରେ ବାରରଂଗୀ ପାଟ ପତନୀ ପିନ୍ଦି, ନାନାଦି ଅଳଙ୍କାରରେ ରଜସଜ ହୋଇ ରଜପାଳିଲେ ମା’ ଭଗବତୀ। ଶେଷ ରଜଯାଏ ଅଗାଧୁଆ ଏକ ବସ୍ତ୍ର ପିନ୍ଧି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବା ପରେ ବସୁମତି ସ୍ନାନରେ ପୁଣି ଗାଧୋଇ ରାଜରାଜେଶ୍ଵରୀ ବେଶରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’।

ଏହି ତିନିଦିନ ମହିଳାମାନେ ମା’ଙ୍କ ପାଖକୁ ଯିବା ମନା। ଏଣ୍ଡୁରି, କାକରା, ଖଜା, ସରପୁଳି, ମାଠ ପୁଳି, ଛେନପଣାର ବାସ୍ନାରେ ଫାଟି ପଡୁଥିଲା ମନ୍ଦିର ବେଢା। ସକାଳେ ମନ୍ଦିର ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲ୍ ଦାର କୁଞ୍ଜ ବିହାରୀ ବଡ ଜେନା ମା’ଙ୍କ ପାଖରେ ପୂଜା ଅର୍ଚ୍ଚନା କରି ମା’ଙ୍କ ଆଜ୍ଞାମାଳ ଆଣି ଫଟୋଚିତ୍ରକୁ ବେତ ଦୋଳିରେ ରଖି ପୂଜା ଅର୍ଚ୍ଚନା ପରେ ମା’ଙ୍କ ମୁଖ୍ୟ ପୂଜକ ପରିଛା ସାମନ୍ତଙ୍କ ପରିବାରର ଝିଅମାନେ ହୁଳହୁଳି ଦେଇ ମା’ଙ୍କୁ ଝୁଲାଇବାର ଦୃଶ୍ୟ ଅତ୍ୟନ୍ତ ଆବେଗମୟ ଥିଲା।

କାରଣ ମା’ ଭଗବତୀ ପରିଛା ଘରର ଝିଅ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ୱାସ ଅଛି। ପରେ ପରେ କୁନିକୁନି ଝିଅ ମାନଙ୍କ ରଜ ଦୋଳି ଖେଳ ପରିବେଶକୁ ଉତ୍ସବମୁଖର କରି ରଖିଥିଲା।

ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସେବକ ଭାସ୍କର ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Related posts