ବିଜୟରୁ ନ୍ୟୁଜିଲ୍ୟାଣ୍ଡ ଶୃଙ୍ଖଳା ଆରମ୍ଭ କଲେ ବିରାଟ ବାହିନୀ

Published: Jan 24, 2020, 3:49 pm IST

ଅକଲ୍ୟାଣ୍ଡ: ବିଜୟରୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ ଆରମ୍ଭ କରିଛି ଭାରତ। ବିରାଟ କୋହଲିଙ୍କ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୬ ଓ୍ବିକେଟରେ ପରାସ୍ତ କରିବାରେ ସକ୍ଷମ ହୋଇଛି। ଏହି ବିଜୟ ସହିତ ଭାରତ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ୨୦୪ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳ ୧୯ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଭାରତ ପକ୍ଷରୁ ଶ୍ରେୟସ୍‌ ଆୟାର ସର୍ବାଧିକ ୫୮ ରନ୍‌ ସଂଗ୍ରହ କରିଥିବା ବେଳେ ରାହୁଲ ୫୬ରନ୍‌ର ଇନିଂସ ଖେଳିଥିଲେ। ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ କୋହଲି। ଭାରତୀୟ ବୋଲିଂକୁ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍‌ ଅନାୟାସରେ ଆକ୍ରମଣ କରିଥିଲେ। ଦୁଇ ଓପନର ମାର୍ଟିନ୍‌ ଗପ୍ତିଲ(୩୦) ଏବଂ କଲିନ୍‌ ମୁନ୍ରୋ (୫୯) ପ୍ରଥମ ଓ୍ବିକେଟ୍‌ରେ ୫୯ ରନ୍‌ ସଂଗ୍ରହ କରିଥିଲେ। ମୁନ୍ରୋଙ୍କ ୪୨ ବଲ୍‌ ଇନିଂସରେ ୬ ଚୌକା ଏବଂ ଦୁଇ ଛକ୍କା ସାମିଲ ଥିଲା। ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ଙ୍କ ୫୧ ଏବଂ ରସ୍‌ ଟେଲରଙ୍କ ୫୪ ରନ୍‌ ବଳରେ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୨୦୩ ରନ୍‌ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ୬ ଜଣ ବୋଲର ନିୟୋଜିତ କରାଯାଇଥିବା ବେଳେ ମହମ୍ମଦ ସାମିଙ୍କ ବ୍ୟତିତ ସମସ୍ତ ବୋଲର ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ।

ଜବାବରେ ଭାରତର ଆରମ୍ଭ କିଛି ଠିକ୍‌ ନଥିଲା। ଦଳୀୟ ସ୍କୋର ୧୬ ରନ୍‌ରେ ନିର୍ଭରଯୋଗ୍ୟ ରୋହିତ ଶର୍ମା (୭) ପ୍ୟାଭିଲିୟନ୍‌ ଫେରିଥିଲେ। ଅନ୍ୟତମ ଓପ୍‌ନର କେ ଏଲ୍‌ ରାହୁଲ(୫୬) ଏବଂ ଅଧିନାୟକ ବିରାଟ କୋହଲି (୪୫)ଙ୍କ ମଧ୍ୟରେ ୯୯ ରନ୍‌ର ଭାଗିଦାରୀ ହୋଇଥିଲା। ରାହୁଲ ୨୭ଟି ବଲ୍‌ରୁ ୪ ଚୌକା ଏବଂ ୩ ଛକ୍କା ସହାୟତାରେ ୫୬ ରନ୍‌ ସଂଗ୍ରହ କରିଥିଲେ। ଲଗାତାର ବ୍ୟବଧାନରେ ଉଭୟ ଆଉଟ୍‌ ହେବା ପରେ ଶ୍ରେୟସ୍‌ ଆୟାର (୫୮) ଭାରତକୁ ବିଜୟ ରେଖା ପାର କରାଇଥିଲେ। ଆୟାର ୨୯ଟି ବଲ୍‌ର ସମ୍ମୁଖୀନ ହୋଇ ୫ଟି ଚୌକା ଏବଂ ୩ ଛକ୍କା ସହାୟତାରେ ୫୮ ରନ୍‌ ସଂଗ୍ରହ କରିଥିଲେ। (ଏଜେନ୍ସୀ)

Related posts