Categories
ଆଜିର ଖବର ରାଜ୍ୟ ଖବର

କଳିଙ୍ଗନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କ୍ୟାମ୍ପସ୍- ୨ ନିକଟରେ ଆଜି କମିଶନରେଟ୍ ପୋଲିସ୍ ପକ୍ଷରୁ କଳିଙ୍ଗ ନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ ହୋଇଯାଇଛି।

ଦ୍ୱୈତ ନଗରୀରର ପୋଲିସ୍ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଏହି ଫାଣ୍ଡିର ଉଦ୍‌ଘାଟନ କରିଥିବା ବେଳେ ଏହି ଅବସରରେ ଆଡିସ୍‌ନାଲ୍ କମିଶନର ଅଫ୍ ପୋଲିସ ବ୍ରିଜେସ୍ କୁମାର ରାୟ, ଡିସିପି ପ୍ରତୀକ ସିଂ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉପସ୍ଥିତ ଥିଲେ।

ଏହି ଅଂଚଳରେ ଉଭୟ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାର ରହିଛି ଓ ପ୍ରତ୍ୟେକ ଦିନ ଅନେକ ସଂଖ୍ୟକ ରୋଗୀ ଏହି ଦୁଇ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆସୁଛନ୍ତି। ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏହି ପୋଲିସ୍ ଫାଣ୍ଡି ସ୍ଥାପନ କରାଯାଇଛି ବୋଲି ଏହି ଅବସରରେ କମିଶନର ଶ୍ରୀ ପ୍ରିୟଦର୍ଶୀ କହିଥିଲେ।

ଭରତପୁର ଥାନା ଅଧିନରେ ଏହି ଫାଣ୍ଡିଟି କାର୍ଯ୍ୟ କରିବ ବୋଲି କହିବା ସହ ଏଠାରେ ଦୁଇଜଣ ଅଫିସର ଓ ୬ ରୁ ୮ ଜଣ କନେଷ୍ଟବଳ ରହିବେ ଏବଂ ଗୋଟିଏ ପୋଲିସ୍ ଭ୍ୟାନ୍ ଯୋଗାଇ ଦିଆଯିବ ବୋଲି ଶ୍ରୀ ପ୍ରିୟଦର୍ଶୀ କହିଥିଲେ।

କଳିଙ୍ଗ ନଗର ଓ କଳିଙ୍ଗ ବିହାର ଅଂଚଳରେ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଓ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଫାଣ୍ଡି ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ।

ଏହି ଫାଣ୍ଡିର ପ୍ରତିଷ୍ଠା ନେଇ ଆବଶ୍ୟକୀୟ ଭିତିଭୂମି ନିମନ୍ତେ ସୋଆ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିବାରୁ ଶ୍ରୀ ପ୍ର୍ରିୟଦର୍ଶୀ, ବିଶ୍ୱବିଦ୍ୟାଳୟ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।

ଏହି ଅବସରରେ ଜୋନ୍ ୫ ଅଂଚଳ ଅଧିନସ୍ଥ ଥାନାର ଅଧିକାରୀ ଓ ସ୍ଥାନୀୟ ଅଂଚଳର ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ବୀର ବାଲ୍ ଦିବସ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ‘ବୀର ବାଲ ଦିବସ’ ଅବସରରେ ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ବୀର ବାଲ୍ ଦିବସ ଭାରତୀୟତାର ରକ୍ଷା ପାଇଁ କିଛି କରିବାର ସଂକଳ୍ପର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସଂସ୍କୃତି, ସଭ୍ୟତା ଓ ସ୍ୱାଭିମାନର ରକ୍ଷା ପାଇଁ ଭାରତର ବୀର ସାହିବଜାଦାଙ୍କ ବଳିଦାନ କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ପ୍ରେରଣା । ଆଜିର ବୀର ବାଲ୍ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଅଭିଭାଷଣ ଆମ ସମସ୍ତଙ୍କୁ, ବିଶେଷ ଭାବରେ ଦେଶର ଯୁବପିଢ଼ିଙ୍କୁ ଆମ ଦେଶର ଐତିହ୍ୟକୁ ନେଇ ଗର୍ବ କରିବା ପାଇଁ ପ୍ରେରଣା ଯୋଗାଇବ।

ଯୁବା ସାମର୍ଥ୍ୟକୁ ଦେଶରେ ପୁନଃ ପରିଚିତ କରାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ସେ କହିଛନ୍ତି ଭାରତ ହେଉଛି ନଚିକେତା, ଅଭିମନ୍ୟୁ, ଏକଲବ୍ୟ, ଧ୍ରୁବ, ଖୁଦିରାମ ବୋଷ, ବାଜି ରାଉତ, କନକଲତା ବରୁଆ, ରାଣୀ ଗାଇଦିନଲ୍ୟୁଙ୍କ ଭଳି ଯୁବପିଢ଼ିଙ୍କ ଦେଶ। ଏହି ମାନେ ବାଲ୍ୟକାଳରେ ମାତୃଭୂମି ପାଇଁ ସବୁ କିଛି ତ୍ୟାଗ କରିବା ପୂର୍ବରୁ ନିଜ କଥା ଚିନ୍ତା କରିନଥିଲେ। ଏହି ବୀରମାନଙ୍କ ବଳିଦାନ ଦେଶ ପାଇଁ ପ୍ରେରଣା। ଆମର ଅମୃତପିଢି ଆମ ଦେଶର ବୃହତ ଯୁବ ପରମ୍ପରାରୁ ପ୍ରେରଣା ନେବେ ଏବଂ ଗୋଟିଏ ସମୟର ମୂଲ୍ୟକୁ ଅପଚୟ ନକରି ବିକଶିତ ଭାରତ ସଂକଳ୍ପ ପୂରଣ କରିବା ପାଇଁ ଅଗ୍ରସର ହେବେ ବୋଲି ସେ କହିଛନ୍ତି।

ଏହି ଶୁଭଦିନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ଶ୍ରୀ ବଙ୍ଗଳା ସାହିବ ଜୀଙ୍କ ଦର୍ଶନ କରିବା ସହ ଦେଶରେ ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ଗୁରୁଦ୍ୱାରରେ ଲଙ୍ଗର ସେବା କରି ସୋଭାଗ୍ୟଶାଳୀ ବୋଲି କହିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ପ୍ରମୁଖ ସାମିଲ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଡିସେମ୍ବର ୨୭ ରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅପରାହ୍ନ ୧୨:୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।

ଦେଶବ୍ୟାପୀ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗଦେବେ।

୧୫ ନଭେମ୍ବର, ୨୦୨୩ରେ ଏହାର ଶୁଭାରମ୍ଭ ପରଠାରୁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ନିୟମିତ ଭାବରେ ଆଲୋଚନା କରିଛନ୍ତି।  ଭିଡିଓ କନଫରେନ୍ସିଂ ମାଧ୍ୟମରେ (୩୦ ନଭେମ୍ବର, ୯ ଏବଂ ଡିସେମ୍ବର ୧୬) ଏହି ଆଲୋଚନା ହୋଇଛି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନିକଟରେ ତାଙ୍କର ବାରଣାସୀ ଗସ୍ତ ସମୟରେ କ୍ରମାଗତ ଦୁଇ ଦିନ (ଡିସେମ୍ବର ୧୭-୧୮) ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀଙ୍କ ସହ ପ୍ରତ୍ୟକ୍ଷ ଭାବରେ ଆଲୋଚନା କରିଛନ୍ତି।

କେନ୍ଦ୍ରୀୟ ଯୋଜନାଗୁଡ଼ିକର ଶତ ପ୍ରତିଶତ ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚିପାରିବ ସେହି ଉଦ୍ଦେଶ୍ୟରେ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି।

Categories
ଆଞ୍ଚଳିକ

ବାଲିପାଟଣା ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

ଭୁବନେଶ୍ଵର: ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ବାଲିପାଟଣା ବ୍ଲକରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଡା ବାଦଲ କୁମାର ମହାନ୍ତି ଏବଂ ସିଡ଼ିଏମଓ ଡଃ ଆର୍ତ୍ତବନ୍ଧୁ ନାୟକ ଯୋଗଦେଇ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ।

ଉକ୍ତ ଶିବିରରେ ମୋଟ ୬୮ ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ତନ୍ମଧ୍ୟରୁ ୬୨ ଗୋଟି ବ୍ୟକ୍ତିଗତ ଓ ୪ ଗୋଟି ସାମୁହିକ ଅଭିଯୋଗ ଥିଲା। ସେହିପରି ଭାବେ ୨ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବାଲିପାଟଣା ବିଡ଼ିଓ, ତହସିଲଦାର, ଭୁବନେଶ୍ୱର ଜୋନ-୪ ଏସିପି ଏବଂ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକାରେ ଦୁଇ ଗୋଷ୍ଠୀ ପାଳନ କଲେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ: ଦ୍ଵନ୍ଦ୍ଵରେ କର୍ମୀ

ଚିଲିକା (ସୀତାରାମ ଅଗ୍ରୱାଲ): ସାରା ରାଜ୍ୟରେ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ବହୁ ଆଡମ୍ବରରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁ କ୍ରିଷ୍ଣା ମଣ୍ଡପରେ ନଗରମଣ୍ଡଳ ସଭାପତି ଜୟନ୍ତ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ବହୁ ଆଡମ୍ବରରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପ୍ରାତଃ ସମୟରେ ବାଣପୁର ମା’ ଭଗବତୀ ମନ୍ଦିର ନିକଟରୁ ମା’ ଟିକିରାଇ ମନ୍ଦିର ପର୍ଯ୍ୟନ୍ତ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା। ଉଭୟ ବାଲୁଗାଁ ଓ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରି ମଧ୍ୟାହ୍ନରେ କ୍ରିଷ୍ଣା ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମାନସ କୁମାର ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜା ଚକ୍ର ଯୋଗ ଦେଇ ରାଜ୍ୟର ବିକାଶ ଧାରାକୁ ଦ୍ରୁତ ଗତିରେ ଆଗକୁ ନେବାପାଇଁ ଜନସାଧାରଣଙ୍କ ନିକଟତର ହେବାସହ ସୁଖଦୁଃଖରେ କାନ୍ଧରେ କାନ୍ଧ ମିଶାଇ ସହଯୋଗ କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ଆଗକୁ ଆସୁଛି ସାଧାରଣ ନିର୍ବାଚନ। କର୍ମୀ ଓ ନେତାମାନେ କଠିନ ପରିଶ୍ରମ କରିବା ସହ ଘରେ ଘରେ ନବୀନ ସରକାରଙ୍କ ବିକାଶ ବାର୍ତ୍ତା ପହଞ୍ଚାଇ ଷଷ୍ଠ ଥର ସରକାର ଗଢିବା ନେଇ ସଂକଳ୍ପ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଚାରିଟି ଜୋନର ଜିଲ୍ଲା ପରିଷଦ, ବାଣପୁର ବ୍ଲକ ସଭାପତି ଭବାନୀ ଶଙ୍କର ବଳିଆର ସିଂ, ଚିଲିକା ବ୍ଲକ ସଭାପତି ଦେବେନ୍ଦ୍ରନାଥ ସାମନ୍ତରସିଂହାର, ବାଣପୁର ବ୍ଲକ ନାରୀନେତ୍ରୀ କବିତା ମହାପାତ୍ର, ଚିଲିକା ବ୍ଲକ ନାରୀନେତ୍ରୀ ସନ୍ତୋଷି ବିଶ୍ୱାଳ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଏବଂ ହଜାର ହଜାର ମହିଳା ଓ ପୁରୁଷ ଯୋଗଦେଇଥିଲେ।

ଅନୁରୂପ ଭାବେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ୨୭ ତମ ପ୍ରତିଷ୍ଠା ଦିବସ ବାଲୁଗାଁ ରାମପୁର ରୋଡ଼ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ ରଘୁନାଥ ସାହୁ ନିର୍ବାଚନ ମଣ୍ଡଳୀରେ ବେଶ ଲୋକପ୍ରିୟତା ସାଙ୍ଗକୁ ସାଧାରଣ ଜନତାଙ୍କ ଦୁଃଖ ସୁଖରେ ଜଡ଼ିତ ଥିବାରୁ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷଙ୍କ ସମାଗମ ଦେଖିବାକୁ ମିଳିଥିଲା। ଜୟ ଓଡ଼ିଶା ନବୀନ ଓଡିଶା ନାରାରେ ସଭାସ୍ଥଳ କମ୍ପି ଉଠୁଥିଲା।

ନବୀନ ସରକାରଙ୍କ ବିଭିନ୍ନ ବିକାଶ ଧାରା ଏବଂ ଶ୍ରୀ ସାହୁଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ପୂର୍ବତନ କାଉନସିଲର ତଥା କାଳିଜାଈ ମୋଟର ବୋଟ ଆସୋସିଏସନର ସଂପାଦକ କୃଷ୍ଣଚନ୍ଦ୍ର ବେହେରା ଶତାଧିକ କର୍ମୀମାନଙ୍କ ସହ ଶ୍ରୀ ସାହୁଙ୍କ ସଭାରେ ବିଜେଡିରେ ଯୋଗଦେଇଥିଲେ। ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରି ଷଷ୍ଠ ଥର ଲାଗି ସରକାର ଗଠନ କରିବାପାଇଁ ଶପଥ ନେଇଥିଲେ।

ଗୋଟିଏ ପାର୍ଶ୍ଵରେ ମାନସ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ବେଳେ ଅପର ପାର୍ଶ୍ଵରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ପ୍ରତିଷ୍ଠା ଦିବସ ପାଳନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଭୟ ବିଜେଡି ଜନହିତକର ନାରା ଦେଉଥିବା ବେଳେ ଦଳ ମଧ୍ୟରେ ଗୋଷ୍ଠି କନ୍ଦଳ ସ୍ପଷ୍ଟ ବାରି ହୋଇପଡୁଛି। ଯାହାକି ଶ୍ରୀ ମଙ୍ଗରାଜଙ୍କ ସଭାରେ ବହୁ ତୁଙ୍ଗ ନେତା, କର୍ମୀ ସାଙ୍ଗକୁ ଜନସାଧାରଣ ଉପସ୍ଥିତ ଥିଲେ ମଧ୍ୟ ଶ୍ରୀ ସାହୁଙ୍କ ସଭାରେ ଅଳ୍ପ ସଂଖ୍ୟକ ନେତା, କର୍ମୀ ଥିବାବେଳେ ଜନସମୁଦ୍ର ଦେଖାଦେଇଥିଲା।

ତେବେ ଏହି ଅବସରରେ କଲେଜ ଛାତ୍ରୀଙ୍କୁ ନେଇ ଦଳୀୟ କାର୍ଯ୍ୟକ୍ରମ କରାଯାଉଥିବା ବିଜେପି ଅଭିଯୋଗ କରିଛି। ବାଣପୁରରେ ଅନୁଷ୍ଠିତ ଶୋଭାଯାତ୍ରାରେ କଲେଜ ଛାତ୍ରୀମାନେ ଦଳୀୟ ଚିହ୍ନ ଥିବା ଜର୍ସି ପିନ୍ଧିଥିବାର ଭାଇରାଲ ଭିଡିଓରେ ଦେଖାଯାଉଛି। ଏହାକୁ ନେଇ ବିଜେପି ପକ୍ଷରୁ ଆକ୍ରମଣ କରାଯାଇଛି ଏବଂ କର୍ମୀ ଅଭାବରୁ ଛାତ୍ରୀମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉଛି ବୋଲି ସ୍ଥାନୀୟ ବିଜେପି ନେତା କହିଛନ୍ତି।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସମ୍ ଅଲ୍ଟିମେଟ୍ କ୍ରୀଡା ‘ସମ୍ମମନ୍ୱୟ-୨୦୨୩’ ଉଦ୍‌ଯାପିତ

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରର ପ୍ରଥମ ସ୍ପୋର୍ଟସ ମିଟ୍ ‘ସମ୍ମମନ୍ୱୟ- ୨୦୨୩’ ବଡ଼ଦିନ ଅବସରରେ ସୋମବାର ଉଦ୍‌ଯାପିତ ହୋଇଥିବା ବେଳେ ଏହି ସ୍ପୋର୍ଟ୍ସ ମିଟ୍‌ରେ ଭାଗ ନେଇଥିବା ୧୦ଟି ଟିମ୍ ମଧ୍ୟରୁ ‘ନେବୁଲା ନୋମାଡ୍ସ’ ଟିମ୍ ଚାମ୍ପିଅନ୍ ହୋଇଛି।

‘ସମ୍ମମନ୍ୱୟ -୨୦୨୩’ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଓଡ଼ିଶାର ଗୃହ, ବୈଦ୍ୟୁତିକ ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ମଣିଷ ଜୀବନର ଅବିଚ୍ଛେଦ ଅଂଗ ବୋଲି କହିଥିଲେ।

ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଏଭଳି କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକର ଆୟୋଜନ କରିବା ଉଚିତ୍ । ଏହା କେବଳ ସ୍ୱାସ୍ଥ୍ୟ ଦୃଷ୍ଟିରୁ କିମ୍ବା ମଣିଷକୁ ସୁସ୍ଥ ରଖିବାରେ ସାହାଯ୍ୟ କରି ନଥାଏ ବରଂ ଲୋକମାନଙ୍କ ମଧ୍ୟରେ ଏକତା ଓ ଶୃଙ୍ଖଳା ଆଣିଥାଏ ବୋଲି ସେ କହିଥିଲେ।

ଶ୍ରୀ ବେହେରା କହିଥିଲେ ଯେ ଓଡ଼ିଶା ସରକାର ବିଭିନ୍ନ କ୍ରୀଡ଼ାର ଉନ୍ନତି ନିମନ୍ତେ ମନୋନିବେଶ କରୁଥିବା ବେଳେ ‘ଖୋ ଖୋ’କୁ ବିଶେଷ ପ୍ରୋତ୍ସାହନ ଦେଉଛନ୍ତି।

ଶ୍ରୀ ବେହେରାଙ୍କୁ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ସ୍ୱାଗତ କରିବା ଅବସରରେ ସମାଜ ପାଇଁ କ୍ରୀଡାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ସ୍ପୋର୍ଟ୍ସ ମିଟ୍‌କୁ ସଫଳ କରିଥିବାରୁ ସେ ସମ୍ମମ୍ ପରିବାରକୁ ଧନ୍ୟବାଦ ଜଣାଇଥିଲେ।
ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଭଲିବଲ୍‌, କ୍ରିକେଟ, ଟଗ୍ ଅଫ୍ ୱାର, ଥ୍ରୀ ଲେଗ୍‌ଡ ରେସ୍‌, ମ୍ୟୁଜିକାଲ୍ ଚେୟାର, ଲେମନ୍ ସ୍ପୁନ ରେସ, କ୍ୟାରମ୍‌, ବ୍ୟାଡମିଂଟନ୍ ଏବଂ ୧୦୦ ମିଟର ଦୌଡ ଭଳି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏସବୁ ମଧ୍ୟରେ ‘ନେବୁଲା ନୋମାଡ୍ସ’ ଦଳର ପ୍ରଦର୍ଶନ ପ୍ରଂଶସନୀୟ ରହିଥିଲା।

ଡିସେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଆୟୋଜିତ ହୋଇଥିବା ଏହି ସ୍ପୋର୍ଟ୍ସ ମିଟ୍‌ରେ ୧୦ ଟି ଦଳ ସାମିଲ ହୋଇଥିଲେ । ଅନ୍ୟ ଦଳ ଗୁଡିକ ହେଲେ ଅରୋରା ଆଭେଞ୍ଜର୍ସ, ଫୋନେକ୍ସ ଫାନ୍‌ଟମ୍ସ, ଫ୍ୟୁଜନ୍ ଫୋର୍ସ, ସେଲେଷ୍ଟିଆଲ୍ କ୍ରସର୍ସ, ଜେନିଥ୍ ଜିଲଟ୍ସ , ଗ୍ୟାଲାକ୍ସି ଗ୍ଳାଡିଏଟର୍ସ , କ୍ୱାଣ୍ଟମ୍ କ୍ୱାସର୍ସ, ସ୍ଵିଫ୍ଟ ଷ୍ଟ୍ରାଇକର୍ସ ଓ ରୋଗ୍ ରାଇଡର୍ସ ।

ମନ୍ତ୍ରୀ ଶ୍ରୀ ବେହେରା ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିବା ବେଳେ ବଡ଼ଦିନ ଅବସରରେ ଏକ କେକ୍ ମଧ୍ୟ କଟାଯାଇଥିଲା। ଏହି ଅବସରରେ ସିଇଓ ଡକ୍ଟର ଦାଶ , ସିଏମ୍‌ଏସ୍ ପ୍ରଫେସର (ଡକ୍ଟର) ବିରାଜ ମୋହନ ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ୍‌-୫ ସ୍ଥିତ ଷ୍ଟାଡିୟମ୍ ରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

Categories
ବିଶେଷ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ ସେବାୟତଗଣ

ଭୁବନେଶ୍ବର: ନବୀନ ନିବାସରେ ଥିଲା ଆଜି ଏକ ଆଧ୍ୟାତ୍ମିକ ପରିବେଶ। ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ପୁରା ପରିସର। ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଗଣ, ବରିଷ୍ଠ ସେବାୟତଗଣ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କୁ ନେଇ ଏକ ୫୦ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରମ୍ପରିକ ରୀତିରେ ନିମନ୍ତ୍ରଣ କରିଥିଲେ।

ଆଜି ଭୁବନେଶ୍ବରରେ ପହଞ୍ଚି ସେବାୟତ ଓ ଅନ୍ୟମାନେ ପ୍ରଥମେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରି ନବୀନ ନିବାସକୁ ଆସିଥିଲେ।

ନିମନ୍ତ୍ରଣ ପାଇଁ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଚାଉଳ ପ୍ରଦାନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପରିକ୍ରମା ପ୍ରକଳ୍ପ ଆପଣମାନଙ୍କ କାମ। ସେବାୟତ ବନ୍ଧୁମାନଙ୍କ କାମ। ପୁରୀବାସୀଙ୍କ କାମ। ଏହି ପବିତ୍ର କାମ ପାଇଁ ଯାହା  ଆବଶ୍ୟକ ସବୁ ସହଯୋଗ ରାଜ୍ୟ ସରକାର ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେବାୟତମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ପୁରୀ ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ “ଆପଣ ଇତିହାସ ରଚିଲେ। ଯୁଗ ଯୁଗ ପାଇଁ ଆପଣଙ୍କ ନାମ ଲିପିବଦ୍ଧ ହୋଇରହିବ।” ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି ବୋଲି ମତଦେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ। ଆପଣଙ୍କ ନିର୍ଦ୍ଦେଶରେ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ମଧ୍ୟ ଦିନରାତି ପରିଶ୍ରମ କରି ବହୁତ ଭଲ କାମ କରୁଛନ୍ତି। ସାରା ଓଡିଶାର ରୂପରେଖରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେମାନେ ଆନନ୍ଦର ସହ ମତବ୍ୟକ୍ତ କରିଥିଲେ।

ସେବାୟତ ମାନଙ୍କ ସହିତ ଆଲୋଚନା କରି ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କହିଲେ ଯେ ପରିକ୍ରମା ପ୍ରକଳ୍ପ ସମ୍ଭବ ହୋଇପାରିଛି ପୁରୀ ବାସୀଙ୍କ ତ୍ୟାଗ  ଯୋଗୁଁ। ସେବାୟତମାନଙ୍କ ତ୍ୟାଗ ଯୋଗୁ। ଆପଣମାନଙ୍କ ଅତୁଳନୀୟ ତ୍ୟାଗ ସବୁଦିନ ପାଇଁ  ସମସ୍ତେ ଶ୍ରଦ୍ଧାର ସହ ମନେରଖିବେ ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ। ପରିକ୍ରମା ପ୍ରକଳ୍ପ କାମ ସମୟରେ ଅନେକ ବାର ବହୁତ ଅସୁବିଧା କିପରି ମହାପ୍ରଭୁଙ୍କ ଆଶୀର୍ବାଦରେ ଦୂର ହୋଇଛି ଏବଂ କାମ ସବୁ ଭଲ ଭାବରେ ଆଗେଇ ଚାଲିଥିଲା ସେ ବିଷୟରେ ଶ୍ରୀ ପାଣ୍ଡିଆନ ନିଜ ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରିଥିଲେ।

ପୁରୀ ସହରର ବିକାଶ ପାଇଁ  ତଥା ସେବାୟତ ମାନଙ୍କ କଲ୍ୟାଣ ପାଇଁ ଯାହାକିଛି ଆବଶ୍ୟକ, ମୁଖ୍ୟମନ୍ତ୍ରୀ ସବୁକିଛି କରିବେ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ସବୁ ସେବାୟତ ମାନଙ୍କୁ ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଶ୍ରୀମନ୍ଦିରର ସୁରକ୍ଷା ସହିତ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ସେମାନଙ୍କ ପାଇଁ ଏକ ଦିବ୍ୟ ଅନୁଭବ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ କରାଯାଇଛି। ୨୦୨୧ ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ, ସାଧୁ ସନ୍ଥ ,ବିଭିନ୍ନ ରାଜନୈତିକ  ଦଳର  ପ୍ରତିନିଧି  ତଥା  ବିଶିଷ୍ଟ  ବ୍ୟକ୍ତି  ମାନଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।  ଲୋକାର୍ପଣ  କାର୍ଯ୍ୟ  ମଧ୍ୟ  ସେହିପରି  ସାଧୁ  ସନ୍ଥ  ଏବଂ ସବୁ  ରାଜନୈତିକ  ଦଳ ଓ  ସମାଜ ର  ସବୁ  ବର୍ଗର   ଲୋକଙ୍କୁ  ସାମିଲ କରାଯିବ. ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ  ସମୟରେ ସଂପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ପ୍ରକଳ୍ପ କାମର ନିୟମିତ ସମୀକ୍ଷା କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

‘ବୀର ବାଲ୍‌ ଦିବସ’ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ‘ବୀର ବାଲ୍‌ ଦିବସ’ ପାଳନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଶ୍ରୀ ମୋଦୀ ପିଲାମାନଙ୍କ ଦ୍ୱାରା ପରିବେଷିତ ଏକ ଆବୃତ୍ତି ଏବଂ ତିନୋଟି ମାର୍ଶାଲ ଆର୍ଟ ପ୍ରଦର୍ଶନ ଦେଖିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଯୁବକମାନଙ୍କ ଦ୍ୱାରା ଆୟୋଜିତ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜାଦୀ କା ଅମୃତ କାଳରେ ବୀର ବାଲ୍‌ ଦିବସର ଏକ ନୂତନ ଅଧ୍ୟାୟ ଭାରତ ପାଇଁ ଉନ୍ମୋଚିତ ହେଉଥିବାବେଳେ ଦେଶ ବୀର ସାହିବଜାଦେଙ୍କ ଅମର ବଳିଦାନକୁ ସ୍ମରଣ କରୁଛି ଏବଂ ସେମାନଙ୍କଠାରୁ ପ୍ରେରଣା ନେଉଛି । ପ୍ରଧାନମନ୍ତ୍ରୀ ଗତବର୍ଷ ପାଳନ କରାଯାଇଥିବା ପ୍ରଥମ ବୀର ବାଲ୍‌ ଦିବସକୁ ମନେ ପକାଇଥିଲେ ଯେତେବେଳେ ବୀର ସାହିବଜାଦେଙ୍କ ବୀରତ୍ୱର କାହାଣୀ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ବୀର ବାଲ୍‌ ଦିବସ ହେଉଛି ଭାରତୀୟତାର ସୁରକ୍ଷା ପାଇଁ କେବେ ନ ମରିବା ମନୋଭାବର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏହି ଦିନ ଆମକୁ ମନେ ପକାଇ ଦିଏ ଯେ ସାହସିକତାର ଶୀର୍ଷରେ ପହଞ୍ଚିବା ସମୟରେ ବୟସ ର କୌଣସି ଗୁରୁତ୍ୱ ନାହିଁ । ଏହା ଶିଖ୍ ଗୁରୁମାନଙ୍କ ଐତିହ୍ୟର ଉତ୍ସବ ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ତାଙ୍କ ଚାରି ବୀର ସାହିବଜାଦାଙ୍କ ସାହସ ଏବଂ ଆଦର୍ଶ ଆଜି ବି ପ୍ରତ୍ୟେକ ଭାରତୀୟଙ୍କୁ ଉତ୍ସାହିତ କରିଛି । ବାବା ମୋତି ରାମ ମେହେରାଙ୍କ ପରିବାର ର ତ୍ୟାଗ ଏବଂ ଦିୱାନ ତୋଡରମାଲଙ୍କ ଭକ୍ତିକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ, “ବୀର ବାଲ୍‌ ଦିବସ ହେଉଛି ଅତୁଳନୀୟ ସାହସର ସହ ବୀର ଯବାନଙ୍କୁ ଜନ୍ମ ଦେଇଥିବା ମା’ମାନଙ୍କ ପ୍ରତି ଏକ ଜାତୀୟ ଶ୍ରଦ୍ଧାଞ୍ଜଳି “। ଗୁରୁମାନଙ୍କ ପ୍ରତି ଏହି ପ୍ରକୃତ ଭକ୍ତି ଦେଶ ପ୍ରତି ଭକ୍ତିର ନିଆଁକୁ ପ୍ରଜ୍ଜ୍ୱଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ୟୁଏଇ ଏବଂ ଗ୍ରୀସରେ ବୀର ବାଲ ଦିବସ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଚମକୌର ଏବଂ ସର୍ହିନ୍ଦ ଯୁଦ୍ଧର ଅତୁଳନୀୟ ଇତିହାସକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଇତିହାସକୁ ଭୁଲିହେବ ନାହିଁ । ସେ ମନେ ପକାଇଲେ ଯେ ଭାରତୀୟମାନେ କିପରି ନିଷ୍ଠୁରତା ଏବଂ ଏକଛତ୍ରବାଦକୁ ସମ୍ମାନର ସହ ସାମ୍ନା କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଛନ୍ତି ଯେ ଯେତେବେଳେ ଆମେ ଆମ ଐତିହ୍ୟକୁ ଉଚିତ ସମ୍ମାନ ଦେବା ଆରମ୍ଭ କରିଥିଲୁ ସେତେବେଳେ ବିଶ୍ୱ ମଧ୍ୟ ଆମ ଐତିହ୍ୟ ପ୍ରତି ଧ୍ୟାନ ଦେଇଥିଲା । ଆଜି ଯେତେବେଳେ ଆମେ ଆମ ଐତିହ୍ୟ କୁ ନେଇ ଗର୍ବ ଅନୁଭବ କରୁଛୁ, ସେତେବେଳେ ବିଶ୍ୱର ଦୃଷ୍ଟିକୋଣ ମଧ୍ୟ ବଦଳିଯାଇଛି । ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିଥିଲେ ଯେ ଆଜିର ଭାରତ ଦାସତ୍ୱର ମାନସିକତା ଛାଡି ଦେଶର ସାମର୍ଥ୍ୟ, ପ୍ରେରଣା ଏବଂ ଲୋକଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖିଛି । ଆଜିର ଭାରତ ପାଇଁ ସାହିବଜାଦାଙ୍କ ବଳିଦାନ ଏକ ପ୍ରେରଣାର ବିଷୟ। ସେହିଭଳି ଭଗବାନ ବିର୍ସା ମୁଣ୍ଡା ଓ ଗୋବିନ୍ଦ ଗୁରୁଙ୍କ ବଳିଦାନ ସମଗ୍ର ଦେଶକୁ ପ୍ରେରଣା ଦେଇଛି।

ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ବିଶ୍ୱ ଭାରତକୁ ସୁଯୋଗର ଅଗ୍ରଣୀ ଦେଶ ମଧ୍ୟରେ ରଖିଛି । ଅର୍ଥନୀତି, ବିଜ୍ଞାନ, ଗବେଷଣା, କ୍ରୀଡ଼ା ଓ କୂଟନୀତି ଭଳି ବୈଶ୍ୱିକ ସମସ୍ୟାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେଥିପାଇଁ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଦେଇଥିବା ଆହ୍ୱାନକୁ ଦୋହରାଇଥିଲେ “ୟହି ସମୟ ହେ ସହି ସମୟ ହୈ”। ଏହା ହେଉଛି ଭାରତର ସମୟ, ଆଗାମୀ ୨୫ ବର୍ଷ ଭାରତର ସାମର୍ଥ୍ୟ ପ୍ରଦର୍ଶନ କରିବ। ପଞ୍ଚ ପ୍ରଣକୁ ଅନୁସରଣ କରିବା ଏବଂ ଗୋଟିଏ ମୁହୂର୍ତ୍ତ ବି ନଷ୍ଟ ନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତ ଏକ ସମୟ ସୀମା ଦେଇ ଗତି କରୁଛି ଯାହା ଯେତେବେଳେ ଆମ ନିକଟରେ ଅନେକ ସମ୍ଭାବନା ରହିଛି । ଆଜାଦିର ଏହି ଅମୃତ କାଳରେ ଶ୍ରୀ ମୋଦୀ କହିଥିଲେ ଯେ ଏକାଧିକ କାରଣ ଏକାଠି ହୋଇଛି ଯାହା ଭାରତ ପାଇଁ ସୁବର୍ଣ୍ଣ ସମୟ ନିର୍ଦ୍ଧାରଣ କରିବ । ସେ ଭାରତର ଯୁବଶକ୍ତି ଉପରେ ଗୁରୁତ୍ୱାରୋପ କରିବା ସହ ସ୍ୱାଧୀନତା ସଂଗ୍ରାମ ତୁଳନାରେ ଆଜି ଦେଶରେ ଯୁବବର୍ଗଙ୍କ ସଂଖ୍ୟା ବହୁତ ଅଧିକ ବୋଲି ସୂଚନା ଦେଇଥିଲେ  ଏବଂ ବର୍ତ୍ତମାନର ଯୁବପିଢ଼ି ଦେଶକୁ ଅକଳ୍ପନୀୟ ଉଚ୍ଚତାରେ ପହଞ୍ଚାଇପାରିବେ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ । ଜ୍ଞାନ ସନ୍ଧାନରେ ସବୁ ପ୍ରତିବନ୍ଧକ ଭାଙ୍ଗିଥିବା ନଚିକେତା, କମ୍ ବୟସରେ ‘ଚକ୍ରବୂହ’, ଧ୍ରୁବ ଓ ତପସ୍ୟା କରିଥିବା ଅଭିମନ୍ୟୁ, ଖୁବ୍ କମ୍ ବୟସରେ ସାମ୍ରାଜ୍ୟ ଗଠନ କରିଥିବା ମୌର୍ଯ୍ୟ ରାଜା ଚନ୍ଦ୍ରଗୁପ୍ତ, ଏକଲବ୍ୟ ଏବଂ ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟ, ଖୁଦିରାମ ବୋଷ, ବଟୁକେଶ୍ୱର ଦତ୍ତ, କନକଲତା ବରୁଆ, ରାଣୀ ଗାଇଦିନଲିଉ, ବାଜି ରାଉତ ଏବଂ ଦେଶ ପାଇଁ ଜୀବନ ବଳିଦାନ ଦେଇଥିବା ଅନେକ ଜାତୀୟ ନାୟକଙ୍କ ପ୍ରତି ତାଙ୍କର ସମର୍ପଣ ବିଷୟରେ ସେ ଉଲ୍ଲେଖ କରିଥିଲେ।

ଆଗାମୀ ୨୫ ବର୍ଷ ଆମ ଯୁବବର୍ଗଙ୍କ ପାଇଁ ବିପୁଳ ସୁଯୋଗ ଆଣିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତର ଯୁବପିଢ଼ି, ଯେ କୌଣସି ଅଞ୍ଚଳ କିମ୍ବା ସମାଜରେ ଜନ୍ମ ହୁଅନ୍ତୁ ନା କାହିଁକି, ଅସୀମ ସ୍ୱପ୍ନ ଦେଖନ୍ତି। ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସରକାରଙ୍କ ପାଖରେ ଏକ ସ୍ପଷ୍ଟ ରୋଡମ୍ୟାପ୍ ଏବଂ ଏକ ସ୍ପଷ୍ଟ ଦୃଷ୍ଟିକୋଣ ରହିଛି। ସକ୍ଷମ ଜାତୀୟ ଶିକ୍ଷା ନୀତି, ୧୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍ ଏବଂ ଜୀବନ୍ତ ଷ୍ଟାର୍ଟଅପ୍ ସଂସ୍କୃତି ବିଷୟରେ ଉଲ୍ଲେଖ କରି ସେ ଏହା ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ। ମୁଦ୍ରା ଯୋଜନା ଯୋଗୁଁ ଉଭା ହୋଇଥିବା ଯୁବ, ଏସଏସ/ଏସଟି ଏବଂ ପଛୁଆ ବର୍ଗର ୮ କୋଟି ନୂତନ ଉଦ୍ୟୋଗୀଙ୍କ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ନିକଟରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ ଆଥଲେଟଙ୍କ ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଧିକାଂଶ ଆଥଲେଟ୍ ଗ୍ରାମାଞ୍ଚଳର ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି । ସେମାନଙ୍କ ସଫଳତାର ଶ୍ରେୟ ସେ ଖେଲୋ ଇଣ୍ଡିଆ ଅଭିଯାନକୁ ଦେଇଛନ୍ତି ଯାହା ସେମାନଙ୍କ ଘର ନିକଟରେ ଉନ୍ନତ କ୍ରୀଡ଼ା ଏବଂ ପ୍ରଶିକ୍ଷଣ ସୁବିଧା ପ୍ରଦାନ କରେ ଏବଂ ଏକ ସ୍ୱଚ୍ଛ ଚୟନ ପ୍ରକ୍ରିୟା ସୁନିଶ୍ଚିତ କରେ । ଯୁବବର୍ଗଙ୍କ କଲ୍ୟାଣକୁ ପ୍ରାଥମିକତା ଦେବାର ଏହା ପରିଣାମ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ତୃତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ ହେବାର ସ୍ୱପ୍ନର ଅର୍ଥ କୁ ପ୍ରଧାନମନ୍ତ୍ରୀ ବିସ୍ତାର କରିଥିଲେ । ଏହା ଦ୍ୱାରା ଯୁବବର୍ଗ ଅଧିକ ଉପକୃତ ହେବେ ଏବଂ ଏହାର ଅର୍ଥ ହେଉଛି ଉନ୍ନତ ସ୍ୱାସ୍ଥ୍ୟ, ଶିକ୍ଷା, ସୁଯୋଗ, ଚାକିରି, ଜୀବନର ଗୁଣବତ୍ତା ଏବଂ ଉତ୍ପାଦର ଗୁଣବତ୍ତା । ପ୍ରଧାନମନ୍ତ୍ରୀ ମୋଦୀ ଯୁବ ଦର୍ଶକମାନଙ୍କୁ ବିକଶିତ ଭାରତର ସ୍ୱପ୍ନ ଏବଂ ସଂକଳ୍ପ ସହିତ ଯୁବକମାନଙ୍କୁ ଯୋଡ଼ିବା ପାଇଁ ଦେଶବ୍ୟାପୀ ଅଭିଯାନ ବିଷୟରେ କହିଥିଲେ । ମାଇଁ-ଭାରତ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ସେ ପ୍ରତ୍ୟେକ ଯୁବକଙ୍କୁ ଆମନ୍ତ୍ରଣ କରିଥିଲେ। ଏହି ପ୍ଲାଟଫର୍ମ ଏବେ ଦେଶର ଛୋଟ ଝିଅ ଓ ପୁଅମାନଙ୍କ ପାଇଁ ଏକ ବଡ଼ ଅନୁଷ୍ଠାନରେ ପରିଣତ ହେଉଛି।

ଜୀବନରେ ଆଶାନୁରୂପ ଫଳାଫଳ ହାସଲ କରିବା ଜରୁରୀ ହୋଇଥିବାରୁ ନିଜ ସ୍ୱାସ୍ଥ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀ ଯୁବକମାନଙ୍କୁ ପରାମର୍ଶ ଦେଇଥିଲେ । ଶାରୀରିକ ବ୍ୟାୟାମ, ଡିଜିଟାଲ ଡିଟକ୍ସ, ମାନସିକ ସୁସ୍ଥତା, ପର୍ଯ୍ୟାପ୍ତ ଶୋଇବା ଏବଂ ଶ୍ରୀ ଅନ୍ନ ବା ବାଜରାକୁ ସେମାନଙ୍କ ଖାଦ୍ୟରେ ସାମିଲ କରିବା ର ଆହ୍ୱାନ ବିଷୟରେ ଉଲ୍ଲେଖ କରି ସେ ନିଜ ପାଇଁ କିଛି ମୂଳ ନିୟମ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସମାଜରେ ନିଶା ଦ୍ରବ୍ୟ ର ବିପଦ ଉପରେ ମଧ୍ୟ ସ୍ପର୍ଶ କରିଥିଲେ ଏବଂ ଏକ ରାଷ୍ଟ୍ର ଏବଂ ସମାଜ ଭାବରେ ଏକାଠି ହୋଇ ଏହାର ମୁକାବିଲା ଉପରେ ଗୁରୁତ୍ୱାରୋପ କରିଥିଲେ । ନିଶା ବିରୋଧରେ ଦୃଢ଼ ଅଭିଯାନ ଆରମ୍ଭ କରିବାକୁ ସରକାର ଓ ପରିବାର ସହ ସମସ୍ତ ଧାର୍ମିକ ନେତାଙ୍କୁ ସେ ଅନୁରୋଧ କରିଛନ୍ତି। “ଏକ ଦକ୍ଷ ଏବଂ ଶକ୍ତିଶାଳୀ ଯୁବଶକ୍ତି ପାଇଁ ସଭିଙ୍କ ପ୍ରୟାସ ଜରୁରୀ”, ଆମ ଗୁରୁମାନଙ୍କ ଦ୍ୱାରା ଆମକୁ ଦିଆଯାଇଥିବା ‘ସବକା ପ୍ରୟାସ’ର ଶିକ୍ଷା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ ବୋଲି ସ୍ମରଣ କରି ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏହି ଅବସରରେ ଉପସ୍ଥିତ ରହିଥିଲେ।

ପୃଷ୍ଠଭୂମି

ବାଲ୍‌ ଦିବସ ଉପଲକ୍ଷେ ସରକାର ସାହିବଜାଦାଙ୍କ ଦୃଷ୍ଟାନ୍ତମୂଳକ ସାହସର କାହାଣୀ ବିଷୟରେ ନାଗରିକମାନଙ୍କୁ, ବିଶେଷ କରି ଛୋଟ ପିଲାମାନଙ୍କୁ ସଚେତନ କରିବା ପାଇଁ ସମଗ୍ର ଦେଶରେ ଅଂଶଗ୍ରହଣକାରୀ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସାହିବଜାଦାଙ୍କ ଜୀବନ କାହାଣୀ ଏବଂ ବଳିଦାନକୁ ନେଇ ଏକ ଡିଜିଟାଲ ପ୍ରଦର୍ଶନୀ ସାରା ଦେଶର ବିଦ୍ୟାଳୟ ଏବଂ ଶିଶୁ ଯତ୍ନ ଅନୁଷ୍ଠାନରେ ପ୍ରଦର୍ଶିତ ହେବ । ‘ବୀର ବାଲ ଦିବସ’ରେ ଏକ ଚଳଚ୍ଚିତ୍ର ମଧ୍ୟ ଦେଶବ୍ୟାପୀ ପ୍ରଦର୍ଶିତ ହେବ। ଏଥିସହିତ ମାଇଁ ଭାରତ ଓ ମାଇଗଭ ପୋର୍ଟାଲ ଜରିଆରେ ଇଣ୍ଟରଆକ୍ଟିଭ୍ କ୍ୱିଜ୍ ଭଳି ବିଭିନ୍ନ ଅନଲାଇନ୍ ପ୍ରତିଯୋଗିତା ଆୟୋଜନ କରାଯିବ।

୨୦୨୨ ଜାନୁଆରି ୯ ତାରିଖରେ ଶ୍ରୀ ଗୁରୁ ଗୋବିନ୍ଦ ସିଂହଜୀଙ୍କ ପ୍ରକାଶ ପୁରବ ଦିନ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଡିସେମ୍ବର ୨୬ ତାରିଖକୁ ‘ବୀର ବାଲ ଦିବସ’ ଭାବେ ପାଳନ କରାଯିବ। ଏହାକୁ ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ପୁତ୍ର ସାହିବଜାଦା ବାବା ଜୋରାୱର ସିଂ ଜୀ ଏବଂ ବାବା ଫତେହ ସିଂଜୀଙ୍କ ସହିଦ ଦିବସ ସ୍ମରଣରେ ପାଳନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

କିଏ ସେହି ଏକମାତ୍ର ରାଜ୍ୟ ଯେଉଁଠି ଲୋକମାନେ ମୋଦିଙ୍କୁ ନୁହେଁ, ରାହୁଲ ଗାନ୍ଧିଙ୍କୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି, କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସଙ୍ଗ, ପ୍ରାର୍ଥୀଠାରୁ ଆରମ୍ଭ କରି ବୁଥ୍ ମ୍ୟାନେଜମେଣ୍ଟ ପର୍ଯ୍ୟନ୍ତ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ ହୋଇଛି। ସେପଟେ ସାଧାରଣ ନିର୍ବାଚନକୁ ନେଇ ସି-ଭୋଟର ପକ୍ଷରୁ ସାରାଦେଶରେ ଜନମତ ସର୍ବେକ୍ଷଣ କରାଯାଇଛି। ଏହି ଜନମତ ସର୍ବେକ୍ଷଣରେ ଲୋକଙ୍କ ମତଦାନ, ଲୋକସଭା ନିର୍ବାଚନର ପ୍ରସଙ୍ଗକୁ ନେଇ ଅନେକ ପ୍ରଶ୍ନ ପଚରାଯାଇଛି। ଓପିନିଅନ ପୋଲରେ ସିଧାସଳଖ ପ୍ରଧାନମନ୍ତ୍ରୀ ଚୟନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଏହି ନିର୍ବାଚନରେ ନରେନ୍ଦ୍ର ମୋଦି ଦେଶର ସମସ୍ତ ରାଜ୍ୟରେ ରାହୁଲ ଗାନ୍ଧିଙ୍କଠାରୁ ଆଗରେ ଥିବା ଦେଖିବାକୁ ମିଳିଥିଲା। ତେବେ ସର୍ଭେରେ ଏମିତି ଏକ ରାଜ୍ୟ ରହିଛି ଯେଉଁଠି ପ୍ରଧାନମନ୍ତ୍ରୀଭାବେ ରାହୁଲ ଗାନ୍ଧି ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରାଧାନ୍ୟ ରଖିଛନ୍ତି।

ସି-ଭୋଟର ସର୍ଭେରେ କ’ଣ ଥିଲା ପ୍ରଶ୍ନ

ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରଧାନମନ୍ତ୍ରୀଭାବେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଦେଖିବାକୁ ମିଳିଥିଲା। ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ୩ଟି ରାଜ୍ୟରେ ହୋଇଥିବା ନିର୍ବାଚନରେ ବିଜେପି ଚମତ୍କାର ବିଜୟ ହାସଲ କରିଛି। ଏଭଳି ଏକ ଜନମତ ସର୍ଭେରେ ଲୋକଙ୍କୁ ପଚରାଯାଇଥିଲା ଯେ ଯଦି ସେମାନଙ୍କୁ ସିଧାସଳଖ ପ୍ରଧାନମନ୍ତ୍ରୀ ଚୟନ କରିବାକୁ ପଡ଼ିବ, ତେବେ ସେମାନେ ନରେନ୍ଦ୍ର ମୋଦି କିମ୍ବା ରାହୁଲ ଗାନ୍ଧିଙ୍କ ମଧ୍ୟରୁ କାହାକୁ ବାଛିବେ । ସର୍ଭେରେ ୟୁପି, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର, ମହାରାଷ୍ଟ୍ର, ଗୁଜରାଟ ଏବଂ ଗୋଆରେ ବିଜେପି ନେତା ନରେନ୍ଦ୍ର ମୋଦୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କଠାରୁ ଆଗରେ ଅଛନ୍ତି। ହିମାଚଳ ପ୍ରଦେଶରେ ୭୨ ପ୍ରତିଶତ ମୋଦୀଙ୍କୁ ପ୍ରଧାନମନ୍ତ୍ରୀଭାବେ ଚାହୁଁଥିବାବେଳେ ମାତ୍ର ୨୬ ପ୍ରତିଶତ ରାହୁଲଙ୍କୁ ପ୍ରଧାନମନ୍ତ୍ରୀଭାବେ ଚାହୁଁଥିଲେ।

ପଞ୍ଜାବର ହୃଦୟରେ ରାହୁଲ?

ସର୍ଭେରେ ପଞ୍ଜାବ ଏକମାତ୍ର ରାଜ୍ୟ ଯେଉଁଠାରେ ରାହୁଲ ଗାନ୍ଧି ନରେନ୍ଦ୍ର ମୋଦୀଙ୍କଠାରୁ ଆଗରେ ଅଛନ୍ତି। ଏହି ସର୍ଭେରୁ ଜଣାପଡ଼ିଛି ଯେ ରାହୁଲ ଗାନ୍ଧି ପଞ୍ଜାବର ଲୋକଙ୍କ ହୃଦୟରେ କେତେ ଗଭୀର ଭାବରେ ଜଡ଼ିତ ଅଛନ୍ତି। ସର୍ଭେରେ ୩୬ ପ୍ରତିଶତ ଲୋକ କହିଛନ୍ତି ଯେ ରାହୁଲ ଗାନ୍ଧି ସିଧାସଳଖ ପ୍ରଧାନମନ୍ତ୍ରୀଭାବେ ବାଛିବେ। ସେହିପରି ନରେନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀଭାବେ ଦେଖିଥିବା ଲୋକଙ୍କ ମଧ୍ୟରୁ ୩୫% ଥିଲେ। ଖାସ୍ କଥା ହେଉଛି ପଞ୍ଜାବରେ ୧୪ ପ୍ରତିଶତ ଲୋକ ଥିଲେ ଯେଉଁମାନେ ସେମାନଙ୍କ ମଧ୍ୟରୁ କାହାକୁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁନଥିଲେ। ସର୍ଭେରେ ପଞ୍ଜାବ ଏକମାତ୍ର ରାଜ୍ୟ ଥିଲା ଯେଉଁଠାରେ ଦୁଇ ନେତାଙ୍କ ପସନ୍ଧ ସର୍ବାଧିକ ଥିଲା। ଏଥିସହିତ ୧୫ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ସିଧାସଳଖ ଦେଶର ପ୍ରଧାନମନ୍ତ୍ରୀଭାବେ କାହାକୁ ବାଛିବେ ତାହା ସେମାନେ ଜାଣନ୍ତି ନାହିଁ।

ବିରୋଧୀ ମେଣ୍ଟର ଚେହେରା ହେଲେ ରାହୁଲ

ସର୍ଭେରେ ଗୋଟିଏ ପ୍ରଶ୍ନ ଥିଲା ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ବିରୋଧୀ ମେଣ୍ଟର ଚେହେରା କାହାକୁ କରାଯିବ। ଏହି ସର୍ଭେରେ ସର୍ବାଧିକ ୩୪ ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କ ସପକ୍ଷରେ ମତ ରଖିଛନ୍ତି। ନୀତୀଶ କୁମାରଙ୍କୁ ବିରୋଧୀ ମେଣ୍ଟର ଚେହେରା କରିବା ସପକ୍ଷରେ ୧୦ ପ୍ରତିଶତ ଲୋକ ମତବ୍ୟକ୍ତ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିରୋଧୀଙ୍କ ଚେହେରା ହେବା ଉଚିତ ବୋଲି ୧୩ ପ୍ରତିଶତ ଲୋକ ବିଶ୍ୱାସ କରୁଥିଲେ। ବିରୋଧୀଙ୍କ ଚେହେରାଭାବେ ୯ ପ୍ରତିଶତ ଲୋକ ମମତା ବାନାର୍ଜୀଙ୍କ ସପକ୍ଷରେ ମତ ରଖିଛନ୍ତି। ତେବେ ୩୪ ପ୍ରତିଶତ ଉତ୍ତରଦାତା ‘ଜାଣନ୍ତି ନାହିଁ’ ଆକାରରେ ଉତ୍ତର ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାମ ମନ୍ଦିର ଉଦଘାଟନ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲା ସିପିଆଇ (ଏମ୍)

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଆଜି ନିଶ୍ଚିତ କରିଛନ୍ତି। ଏହି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବାର କାରଣ ଧାର୍ମିକ ବିଶ୍ୱାସର ରାଜନୀତିକରଣ ବୋଲି ୟେଚୁରୀ କହିଛନ୍ତି।

“ମୁଁ ଏପର୍ଯ୍ୟନ୍ତ କାହାକୁ କିଛି କହିନାହିଁ। ରାମ ମନ୍ଦିର ନିର୍ମାଣ ସମିତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଓ ଭିଏଚପିର ଜଣେ ନେତା ଆସି ନିମନ୍ତ୍ରଣ ଦେଇଥିଲେ ବୋଲି ୟେଚୁରୀ କହିଛନ୍ତି। ଧର୍ମ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିଗତ ପସନ୍ଦ। ଆମେ ପ୍ରତ୍ୟେକ ବ୍ୟକ୍ତିଙ୍କର ସେମାନଙ୍କର ନିର୍ଦ୍ଦିଷ୍ଟ ପ୍ରକାରର ବିଶ୍ୱାସ ଚୟନ କରିବାର ଅଧିକାରକୁ ସମ୍ମାନ ଏବଂ ସୁରକ୍ଷା ଦେଇଥାଉ। ଭାରତୀୟ ସମ୍ବିଧାନ ଓ ସୁପ୍ରିମକୋର୍ଟ ସ୍ପଷ୍ଟଭାବେ କହିଛନ୍ତି ଯେ, ରାଜ୍ୟ କୌଣସି ନିର୍ଦ୍ଦିଷ୍ଟ ଧର୍ମ ଗ୍ରହଣ କରିବ ନାହିଁ କିମ୍ବା କୌଣସି ଧାର୍ମିକ ସମ୍ପୃକ୍ତି ରଖିବ ନାହିଁ। ଏହି ଉଦଘାଟନୀ ସମାରୋହରେ ଯାହା ଘଟୁଛି ତାହା ହେଉଛି ପ୍ରଧାନମନ୍ତ୍ରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟମାନେ ସାମ୍ବିଧାନିକ ପଦବୀରେ ଥିବାରୁ ଏହାକୁ ରାଜ୍ୟ ପ୍ରାୟୋଜିତ କାର୍ଯ୍ୟକ୍ରମରେ ପରିଣତ କରାଯାଇଛି। ଏହା ହେଉଛି ଲୋକଙ୍କ ଧାର୍ମିକ ବିଶ୍ୱାସର ସିଧାସଳଖ ରାଜନୀତିକରଣ ଯାହା ସମ୍ବିଧାନ ସହ ମେଳ ଖାଉନାହିଁ। ତେଣୁ ଏଭଳି ପରିସ୍ଥିତିରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରୁନଥିବାରୁ ମୁଁ ଦୁଃଖିତ ବୋଲି ୟେଚୁରୀ କହିଛନ୍ତି।

ଦଳର ବରିଷ୍ଠ ନେତ୍ରୀ ବୃନ୍ଦା କାରାତ କହିଛନ୍ତି ଯେ ସିପିଆଇ(ଏମ୍) ଧାର୍ମିକ ବିଶ୍ୱାସକୁ ସମ୍ମାନ ଦେଉଛି ଏବଂ ଧର୍ମକୁ ରାଜନୀତିକରଣ କରିବା ଠିକ୍ ନୁହେଁ। ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଆମ ଦଳ ଯୋଗ ଦେବ ନାହିଁ। ଆମେ ଧାର୍ମିକ ବିଶ୍ୱାସକୁ ସମ୍ମାନ ଦେଉଛୁ, କିନ୍ତୁ ସେମାନେ ଏକ ଧାର୍ମିକ କାର୍ଯ୍ୟକ୍ରମକୁ ରାଜନୀତି ସହ ସଂଯୋଗ କରୁଛନ୍ତି। ଏହା ଏକ ଧାର୍ମିକ କାର୍ଯ୍ୟକ୍ରମର ରାଜନୀତିକରଣ। ଏହା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିଶ୍ୱ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ମୁଖପାତ୍ର ବିନୋଦ ବଂଶଲ ସିପିଆଇ (ଏମ୍)ର ନିଷ୍ପତ୍ତିକୁ ସମାଲୋଚନା କରି କହିଛନ୍ତି, ଯେଉଁମାନଙ୍କ ନାମ ସୀତାରାମ, ସେମାନେ ଅଯୋଧ୍ୟା ଧାମଯିବେ ନାହିଁ।

ବଂଶଲ କହିଛନ୍ତି, ‘ଖବର ଆସିଛି ଯେ… ଯେଉଁମାନଙ୍କ ନାମ ସୀତାରାମ, ସେମାନେ ଅଯୋଧ୍ୟା ଧାମକୁ ଯିବେ ନାହିଁ!! ରାଜନୈତିକ ବିରୋଧ ବୁଝାପଡ଼ୁଛି, କିନ୍ତୁ ଯଦି କାହାର ନିଜ ନାମ ପ୍ରତି ଏତେ ଘୃଣା ଅଛି, ତେବେ ସେ କେବଳ କମ୍ୟୁନିଷ୍ଟ ହୋଇପାରିବ! ଘୃଣା ରାମଙ୍କ ପ୍ରତି ହେଉ କି ନିଜ ନାମ ପ୍ରତି, ତାହା କହିବାକୁ ହେବ…!!’

‘ହିନ୍ଦୁ, ହିନ୍ଦୁତ୍ୱ ଏବଂ ହିନ୍ଦୁ ମୂଲ୍ୟବୋଧକୁ ଅପମାନିତ କରିବା ଏହି ଲୋକଙ୍କ ଡିଏନଏର ଏକ ଅଂଶ ପାଲଟିଯାଇଥିବା ପରି ମନେହୁଏ !! ବାବର ଚାଲିଗଲା, ବାବ୍ରୀ ଧୂଳିହୋଇଗଲା, ଦଳର ସ୍ଥିତି ଗଭୀରରେ ପହଞ୍ଚିଛି କିନ୍ତୁ ତଥାପି ମାନସିକତା ସମାନ, ଯେମିତି ଏମାନେ ବାବରଙ୍କ ସନ୍ତାନ… ରାମ ଆସୁଛନ୍ତି, ଦେଶଦ୍ରୋହରୁ ଦୂରେଇ ରୁହନ୍ତୁ ଏବଂ ଆପଣମାନେ ମଧ୍ୟ ଫେରି ଆସନ୍ତୁ ବୋଲି ବଂଶଲ କହିଛନ୍ତି।

ରାଜ୍ୟସଭା ସାଂସଦ କପିଲ ସିବଲ ମଧ୍ୟ ରାମ ମନ୍ଦିର ଉଦଘାଟନକୁ ନେଇ ଉଠିଥିବା ସମଗ୍ର ପ୍ରସଙ୍ଗକୁ ‘ପ୍ରଦର୍ଶନ’ ବୋଲି କହି ବିଜେପିକୁ ସମାଲୋଚନା କରିଛନ୍ତି। ମୋ ହୃଦୟରେ ରାମ ଅଛନ୍ତି। ମୋତେ ଦେଖାଇବାର ଆବଶ୍ୟକତା ନାହିଁ। ମୁଁ ତୁମକୁ ଯାହା କହୁଛି ତାହା ମୋ ହୃଦୟରୁ ଅଛି, କାରଣ ମୁଁ ଏସବୁ ବିଷୟରେ ଚିନ୍ତା କରେ ନାହିଁ। ଯଦି ରାମ ମୋ ହୃଦୟରେ ଅଛନ୍ତି ଏବଂ ରାମ ମୋର ଯାତ୍ରା ସମୟରେ ମୋତେ ମାର୍ଗଦର୍ଶନ କରିଛନ୍ତି, ଏହାର ଅର୍ଥ ହେଉଛି ମୁଁ କିଛି ଠିକ୍ କରିଛି ବୋଲି ସିବଲ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ ଗଣମାଧ୍ୟମକୁ କହିଛନ୍ତି, ସମସ୍ତଙ୍କୁ ନିମନ୍ତ୍ରଣ ପଠାଯାଇଥିଲା, କିନ୍ତୁ କେବଳ ଭଗବାନ ରାମଙ୍କ ଡାକରା ଆସିଥିବା ଲୋକମାନେ ହିଁ ଆସିବେ।

ସେପଟେ ରାମ ବେଶରେ ପିଲାମାନେ ମଙ୍ଗଳବାର ଅଯୋଧ୍ୟାରେ ଘରକୁ ଘର ବୁଲି ଜାନୁଆରୀ ୨୨ରେ ହେବାକୁ ଥିବା ରାମ ମନ୍ଦିରର ପବିତ୍ର ସମାରୋହ ପାଇଁ ଲୋକଙ୍କୁ ନିମନ୍ତ୍ରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଷ୍ଟ୍ରୋସାଟ୍ ଦ୍ୱାରା ନୂତନ ଉଚ୍ଚ ଚୁମ୍ବକୀୟ କ୍ଷେତ୍ର ବିଶିଷ୍ଟ ନିଉଟ୍ରନ୍ ଷ୍ଟାରରେ ଚିହ୍ନଟ ହୋଇଥିବା ମିଲି-ସେକେଣ୍ଡ ବିସ୍ଫୋରଣ

ନୂଆଦିଲ୍ଲୀ: ଭାରତର ପ୍ରଥମ ମଲ୍ଟି-ୱେଭଲେନ୍ଥ ସ୍ପେସ୍ ଆଧାରିତ ନୀରିକ୍ଷକ ଆଷ୍ଟ୍ରୋସାଟ୍ ଅଲ୍ଟ୍ରାହାଇ-ଚୁମ୍ବକୀୟ କ୍ଷେତ୍ର (ମ୍ୟାଗ୍ନେଟର) ସହ ଏକ ନୂଆ ଏବଂ ବିଶିଷ୍ଟ ନ୍ୟୁଟ୍ରନ୍ ତାରକାରେ ଚମକୁଥିôବା ସବ୍‌-ସେକେଣ୍ଡ ଏକ୍ସ-ରେ ବିସ୍ଫୋରଣ ଚିହ୍ନଟ କରିଛି। ଏହା ମ୍ୟାଗ୍ନେଟର୍ସର ଚରମ ଜ୍ୟୋତିର୍ଭେøତିକ ସ୍ଥିତିକୁ ବୁଝିବାରେ ସହାୟକ ହୋଇପାରିବ।

ମ୍ୟାଗ୍ନେଟର ହେଉଛି ଏପରି ନ୍ୟୁଟ୍ରନ ତାରକା ଯେଉଁଥିରେ ଅତି ଉଚ୍ଚ ଚୁମ୍ବକୀୟ କ୍ଷେତ୍ର ରହିଥାଏ, ଯାହା କି ପୃଥିବୀର ଚୁମ୍ବକୀୟ କ୍ଷେତ୍ର ତୁଳନାରେ ଅଧିକ ମଜଭୁତ। ସରଳ ଅର୍ଥରେ କହିବାକୁ ଗଲେ ମ୍ୟାଗ୍ନେଟରର ଚୁମ୍ବକୀୟ କ୍ଷେତ୍ର ପୃଥିବୀର ଚୁମ୍ବକୀୟ କ୍ଷେତ୍ରଠାରୁ ଏକ କ୍ୱାଡ୍ରିଲିୟନ (୧ କୋଟି ଶଙ୍ଖ) ଗୁଣ ଅଧିକ ମଜଭୁତ। ବସ୍ତୁଗୁଡ଼ିକରେ ଚୁମ୍ବକୀୟ କ୍ଷେତ୍ର କ୍ଷୟ ହେବା ଦ୍ୱାରା ସେଥିରେ ଉଚ୍ଚ-ଶକ୍ତି ବିଦ୍ୟୁତ୍ ଚୁମ୍ବକୀୟ ବିକିରଣ ଉତ୍ସର୍ଜନ ହୋଇଥାଏ। ଏହାଛଡ଼ା ମ୍ୟାଗ୍ନେଟର୍ସ ମଜଭୁତ ଅସ୍ଥାୟୀ ପରିବର୍ତ୍ତନଶୀଳତା ପ୍ରଦର୍ଶନ କରିଥାଏ, ଯେଉଁଥିରେ ସାଧାରଣତଃ ଏକ ଧୀର ଘୂର୍ଣ୍ଣନ, ଦ୍ରୁତ ଘୂର୍ଣ୍ଣନ, ଉଜ୍ଜ୍ୱଳ ଏବଂ ଛୋଟ ବିସ୍ଫୋରଣ ସାମିଲ, ଯାହା କି ମାସ ମାସ ଧରି ଚାଲିଥାଏ।

ଏପରି ଏକ ମ୍ୟାଗ୍ନେଟର୍ସକୁ ଏସ୍‌ଜିଆର ଜେ୧୮୩୦-୦୬୪୫ କୁହାଯାଉଥିଲା, ଯାହାକୁ ୨୦୨୦ ଅକ୍ଟୋବରରେ ନାସାର ସ୍ୱିଫ୍ଟ ମହାକାଶ ଯାନ ଆବିଷ୍କାର କରିଥିଲା। ଏହା ଅପେକ୍ଷାକୃତ କମ୍ ବୟସର (ପ୍ରାୟ ୨୪ ହଜାର ବର୍ଷ) ଏବଂ ଏକ ପୃଥକ ନ୍ୟୁଟ୍ରନ ତାରକା।

ଆଷ୍ଟ୍ରୋସାଟ ସହ ବ୍ରଡ୍‌-ବ୍ୟାଣ୍ଡ୍ ଏକ୍ସ-ରେ ଶକ୍ତିରେ ମ୍ୟାଗ୍ନେଟରର ଅଧ୍ୟୟନ କରିବା ଏବଂ ଏହାର ବିଶେଷତ୍ୱ ଜାଣିବା ଉଦ୍ଦେଶ୍ୟରେ ରମଣ ଇନ୍‌ଷ୍ଟିଚ୍ୟୁଟ (ଆର୍‌ଆର୍‌ଆଇ) ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଆଷ୍ଟ୍ରୋସାଟ୍ ଉପରେ ଦୁଇ ଉପକରଣ- ବଡ଼ କ୍ଷେତ୍ର ବିଶିଷ୍ଟ ଏକ୍ସ-ରେ ଆନୁପାତିକ କାଉଣ୍ଟର (ଏଲ୍‌ଏଏକ୍ସପିସି) ଏବଂ ସଫ୍ଟ ଏକ୍ସ-ରେ ଟେଲିସ୍କୋପର ଉପଯୋଗ କରି ଏହି ମ୍ୟାଗ୍ନେଟର୍ସର ସମୟ ଏବଂ ସ୍ପେକ୍ଟ୍ରାଲର ବିଶ୍ଲେଷଣ କରିଛନ୍ତି।

ଗବେଷଣାର ମୁଖ୍ୟ ଲେଖକ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ଅନୁଦାନ ପ୍ରାପ୍ତ ସ୍ୱଂୟଶାସିତ ଅନୁଷ୍ଠାନ ଆର୍‌ଆର୍‌ଆଇରେ ପୋଷ୍ଟ-ଡକ୍ଟରାଲ ଫେଲୋ ଥିବା ଡ. ରାହୁଲ ଶର୍ମା କହିଛନ୍ତି, ଅଧ୍ୟୟନରେ ମିଳିଥିବା ପ୍ରମୁଖ ନିଷ୍କର୍ସ ମଧ୍ୟରୁ ଗୋଟିଏ ହେଲା ହାରାହାରି ୩୩ ସେକେଣ୍ଡ ଅବଧିର ୬୭ ଛୋଟ ସବ୍‌-ସେକେଣ୍ଡ ଏକ୍ସ-ରେ ବିସ୍ଫୋରଣକୁ ଚିହ୍ନଟ କରାଯିବା। ଏହି ବିସ୍ଫୋରଣ ମଧ୍ୟରୁ ସବୁଠାରୁ ଉଜ୍ୱଳ ବିସ୍ଫୋରଣ ପ୍ରାୟ ୯୦ ମିଲିସେକେଣ୍ଡ ପର୍ଯ୍ୟନ୍ତ ରହିଥିଲା। ରୟାଲ ଆଷ୍ଟ୍ରୋନୋମିକାଲ ସୋସାଇଟିର ମାସିକ ନୋଟିସ୍‌ରେ  ଏହି ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି। ଅଧ୍ୟୟନ ନିଷ୍କର୍ସ ଅନୁସାରେ, ଏସ୍‌ଜିଆର ଜେ୧୮୩୦-୦୬୪୫  ଏକ ସ୍ୱତନ୍ତ୍ର ମ୍ୟାଗ୍ନେଟର ଯାହା କି ନିଜ ସ୍ପେକ୍ଟ୍ରାରେ ଉତ୍ସର୍ଜନ ଲାଇନକୁ ପ୍ରଦର୍ଶିତ କରିଥାଏ।

ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ, ନିର୍ଗମନ ଲାଇନର ଉପସ୍ଥିତି ଏବଂ ଏହାର ସମ୍ଭାବ୍ୟ ଉତ୍ପତ୍ତି ଲୁହା ଫ୍ଲୋରୋନ୍ସେ, ପ୍ରୋଟନ ସାଇକ୍ଲୋଟ୍ରନ୍ ଲାଇନ କିମ୍ବା ଏକ ଉପକରଣୀୟ ପ୍ରଭାବ ଯୋଗୁ ଘଟିଥିଲା।

ଡ. ଶର୍ମା କହିଛନ୍ତି ଯେ, ଏସ୍‌ଜିଆର ଜେ୧୮୩୦-୦୬୪୫ରେ ଶକ୍ତି ନିର୍ଭରଶୀଳତା ଅନ୍ୟାନ୍ୟ ଚୁମ୍ବକୀୟ ଶକ୍ତିଠାରୁ ଭିନ୍ନ ଥିଲା। ଏଠାରେ ନ୍ୟୁଟ୍ରନ ତାରକା ପୃଷ୍ଠ (୦.୬୫ ଏବଂ ୨.୪୫ କିମି ବ୍ୟାସାର୍ଦ୍ଧ)ରୁ ଦୁଇଟି ଥର୍ମାଲ ବ୍ଲାକ୍‌ବଡି ନିର୍ଗମନ ଉପାଦାନ ଥିଲା। ଏହିପରି ଏହି ଗବେଷଣା ମ୍ୟାଗ୍ନେଟର୍ସ ଏବଂ ଏହାର ଚରମ ଜ୍ୟୋତିର୍ଭୌଗୋଳିକ ସ୍ଥିତି ବାବଦରେ ଆମ ବୁଝିବାକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଁସରାଜ କଲେଜର ସହ-ଲେଖିକା ପ୍ରଫେସର ଚେତନା ଜୈନ କହିଛନ୍ତି, ଆମେ ଦେଖିଲୁ ଯେ ସମଗ୍ର ଏକ୍ସ-ରେ ନିର୍ଗମନର ପଲ୍‌ସଡ୍ ଉପାଦାନ ଶକ୍ତି ସହ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଇଛି। ଏହା ଶକ୍ତି ପାଇଁ ପ୍ରାୟ ୫ କିଲୋଇଲେକ୍ଟ୍ରୋନ ଭୋଲ୍ଟ (କେଭି) ପର୍ଯ୍ୟନ୍ତ ବଢ଼ିଗଲା ଏବଂ ପରେ ସେଥିରେ ହ୍ରାସ ଘଟିଥିଲା। ଏହି ପ୍ରବୃତ୍ତି କେତେକ ଅନ୍ୟ ମ୍ୟାଗ୍ନେଟର୍ସରେ ମିଳିଥିବା ପ୍ରବୃତ୍ତିଠାରୁ ଅଲଗା।

ଅଧ୍ୟୟନକାରୀ ଦଳ ବର୍ତ୍ତମାନ ଏହି ଅଧିକ ଶକ୍ତିଶାଳୀ ନିର୍ଗମନର ଉତ୍ପତ୍ତି ବୁଝିବା ଏବଂ ତାହା ଜ୍ୟୋତିର୍ଭୌଗୋଳିକ ନା ଯାନ୍ତ୍ରିକ ପ୍ରକୃତିର ତାହା ଜାଣିବା ଲାଗି ଗବେଷଣା ବିସ୍ତାର କରିବାକୁ ଯୋଜନା କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ଭାରତରେ ଭିଭୋ କର୍ମଚାରୀଙ୍କୁ ଗିରଫ କରାଯିବା ପରେ ଚୀନ୍ କ୍ରୋଧିତ: ଦେଲା ଏହି ପରାମର୍ଶ

ନୂଆଦିଲ୍ଲୀ: ଚାଇନାର ସ୍ମାର୍ଟଫୋନ୍ ନିର୍ମାତା ଭିଭୋ ବିରୋଧରେ ହୋଇଥିବା ଅର୍ଥ ହେରେଫେରେ ଘଟଣାରେ ଗତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭିଭୋ-ଇଣ୍ଡିଆର ତିନିଜଣ ଅଧିକାରୀଙ୍କୁ ଗିରଫ କରିଥିଲା। ଏହି ଗିରଫ ପରେ ଚୀନ୍ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛି। ଚୀନ୍ କହିଛି ଯେ, ଏହା ଭାରତରେ ଗିରଫ ହୋଇଥିବା ଭିଭୋ କର୍ମଚାରୀଙ୍କୁ କନସୁଲାର ସୁବିଧା ଯୋଗାଇବ। କନସୁଲ୍ ଆକ୍ସେସ୍ ବାଣିଜ୍ୟ ଦୂତାବାସ ଅଧୀନରେ ପଠାଯାଉଥିବା ସହାୟତାକୁ ବୁଝାଏ।

ଚୀନ୍ କହିଛି ଯେ, ଚୀନ୍ କମ୍ପାନୀଗୁଡିକର ଆଇନଗତ ଅଧିକାର ଏବଂ ସ୍ୱାର୍ଥ ରକ୍ଷା ପାଇଁ ଏହା ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଯେ, ଚୀନ୍ ଏହି ପ୍ରସଙ୍ଗରେ ତୀକ୍ଷ୍ଣ ନଜର ରଖିଛି। ସେ କହିଛନ୍ତି ଯେ, ଭାରତରେ ଥିବା ଚୀନ୍ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସ ଆଇନ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୁରକ୍ଷା ଏବଂ ସହାୟତା ପ୍ରଦାନ କରିବ।

ସେ କହିଛନ୍ତି ଯେ, “ଚୀନ୍ କମ୍ପାନୀଗୁଡିକର ବୈଧ ଅଧିକାର ଏବଂ ସ୍ୱାର୍ଥର ସୁରକ୍ଷାକୁ ଚୀନ୍ ସରକାର ସମର୍ଥନ କରନ୍ତି। ଆମେ ଆଶା କରୁଛୁ ଯେ, ଦେଶଗୁଡିକ ମଧ୍ୟରେ ବାଣିଜ୍ୟିକ ସହଯୋଗକୁ ଭାରତ ବୁଝିବ ଏବଂ ଏକ ନିରପେକ୍ଷ, ସମାନ, ସ୍ୱଚ୍ଛ ଏବଂ ଭେଦଭାବପୂର୍ଣ୍ଣ ବ୍ୟବସାୟିକ ପରିବେଶ ପ୍ରଦାନ କରିବ।”

ଅଭିଯୋଗ କ’ଣ?:

ଭିଭୋ ବିରୋଧରେ ମନି ଲଣ୍ଡରିଂ ମାମଲାର ଚାର୍ଜସିଟରେ ଇଡି କହିଛି ଯେ, ୨୦୧୪ ରୁ ୨୦୨୧ ପର୍ଯ୍ୟନ୍ତ ସେଲ କମ୍ପାନୀ ମାଧ୍ୟମରେ କମ୍ପାନୀ ବିଦେଶକୁ ୧ ଲକ୍ଷ କୋଟି ଟଙ୍କା କଳା ଟଙ୍କା ପଠାଇଛି।

କାହାକୁ ଗିରଫ କରାଯାଇଥିଲା?:

ଭିଭୋ-ଇଣ୍ଡିଆର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ହଂ ଜୁକାନ୍, ମୁଖ୍ୟ ଅର୍ଥ ଅଧିକାରୀ (ସିଏଫ୍ଓ) ହରିନ୍ଦର ଦହିଆ ଏବଂ ପରାମର୍ଶଦାତା ହେମନ୍ତ ମୁଞ୍ଜାଲଙ୍କୁ ମନି ଲଣ୍ଡରିଂ ଆକ୍ଟ (ପିଏମଏଲ୍ଏ) ଅନୁଯାୟୀ ଗିରଫ କରାଯାଇଛି। ଇଡି ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଥିଲା। ଏଥିମଧ୍ୟରେ ମୋବାଇଲ୍ କମ୍ପାନୀ ଲାଭା ଇଣ୍ଟରନ୍ୟାସନାଲ୍ ର ପରିଚାଳନା ନିର୍ଦ୍ଦେଶକ ହରିଓମ୍ ରାୟ, ଚାଇନାର ନାଗରିକ ଗୁଆଙ୍ଗୱେନ୍ ଏବଂ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ନିତିନ ଗର୍ଗ ଏବଂ ରାଜନ ମଲିକ ସାମିଲ ଥିଲେ। ସେମାନେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।

Categories
ବିଶେଷ ଖବର

ଇଣ୍ଡି ମେଣ୍ଟ: ସପା-ଆରଜେଡି ଲଗାଇଲେ ଏହି ସର୍ତ୍ତ, କଂଗ୍ରେସ ଗ୍ରହଣ କରିବ କି?

ନୂଆଦିଲ୍ଲୀ: ଇଣ୍ଡି ମେଣ୍ଟରେ ଆସନ ବଣ୍ଟନକୁ ନେଇ ବିବାଦ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଦିଲ୍ଲୀ, ପଞ୍ଜାବ, ୟୁପି ଓ ପଶ୍ଚିମବଙ୍ଗ ପରେ ଏବେ ବିହାରରେ ମଧ୍ୟ ସ୍ଥାନୀୟ ଦଳମାନେ କଂଗ୍ରେସକୁ ଆସନ ଦେବାକୁ ରାଜି ନୁହଁନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିହାରରେ ଆରଜେଡି କହିଛି ଯେ ସେ ସହଯୋଗୀ କଂଗ୍ରେସକୁ ମାତ୍ର ୬ଟି ଆସନ ଦେଇପାରିବେ। ଆରଜେଡି ଓ ଜେଡିୟୁ ୧୭ରୁ ୧୭ ଟି ଆସନରେ ଲଢିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆରଜେଡି କହିଛି ଯେ ସିପିଆଇ ଏମଏଲ ଏବଂ ସିପିଆଇ ପାଇଁ ୨ଟି ଏବଂ କଂଗ୍ରେସ ପାଇଁ ୪ଟି ଆସନ ଛାଡ଼ିପାରେ।

ୟୁପିରେ ମଧ୍ୟ ଏସପି ସହ କଂଗ୍ରେସର କୌଣସି କଥାବାର୍ତ୍ତା ହେଉନାହିଁ

ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି କଂଗ୍ରେସକୁ କହିଛି ଯେ ସେମାନେ ସେମାନଙ୍କୁ ମାତ୍ର ୮ଟି ଆସନ ଦେଇପାରିବେ। ଏହି ୮ଟି ଆସନ ମଧ୍ୟରେ ବାରାଣାସୀ, ଲକ୍ଷ୍ନୌ ଭଳି ଆସନ ରହିଛି, ଯେଉଁଠି ସପାର ବିଶେଷ ଉପସ୍ଥିତି ନାହିଁ। ଅନ୍ୟପକ୍ଷରେ କଂଗ୍ରେସ ଏହି ଦୁଇ ରାଜ୍ୟରେ ସହଯୋଗୀଙ୍କଠାରୁ ଅଧିକ ଆସନ ଆଶା କରୁଛି ଏବଂ ଆଲୋଚନା ପାଇଁ ଅଧିକ ପ୍ରୟାସ କରିପାରେ।

ପଶ୍ଚିମବଙ୍ଗରେ ୨ଟି ଆସନ ଦେବାକୁ ଚାହୁଁଛି ଟିଏମସି

ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୪୨ଟି ଆସନରୁ ମାତ୍ର ୨ଟି ଆସନ ଦେଇପାରେ। ତେବେ ମେଣ୍ଟ ହେଲେ କଂଗ୍ରେସ ୬ରୁ ୮ଟି ଆସନ ହାତେଇବାକୁ ଲକ୍ଷ୍ୟ ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଟିଏମସି ଏହାର ପ୍ରସ୍ତାବ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଜଣାଇଛି।

ପଞ୍ଜାବରେ ଆପ୍‍ ସହ ମୁହାଁମୁହିଁ ପରିସ୍ଥିତି

ଆମ୍ ଆଦମୀ ପାର୍ଟି ମଧ୍ୟ ଇଣ୍ଡି ମେଣ୍ଟର ଅଂଶ ବିଶେଷ, କିନ୍ତୁ ପଞ୍ଜାବରେ ଆସନ ବଣ୍ଟନକୁ ନେଇ କଂଗ୍ରେସ ଓ ଆପ୍ ମଧ୍ୟରେ ବିବାଦ ଲାଗି ରହିଛି। ଆମ୍ ଆଦମୀ ପାର୍ଟି ଏଠାରେ ସମସ୍ତ ୧୩ଟି ଲୋକସଭା ଆସନରେ ଲଢ଼ିବାକୁ ଚାହୁଁଛି। ସେ କଂଗ୍ରେସକୁ ଗୋଟିଏ ବି ଆସନ ଦେବାମୁଡରେ ନାହିଁ। ଏହାକୁ ନେଇ ଉଭୟ ଦଳର ନେତାଙ୍କ ତରଫରୁ ଅନେକ ବୟାନ ଦିଆଯାଇଛି।

Categories
ବିଶେଷ ଖବର

ବିଫଳ ହେଲା ମମତା-କେଜ୍ରିୱାଲଙ୍କ ଯୋଜନା!

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀମାନେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଏନସିପି ମୁଖ୍ୟ ଶରଦ ପାୱାର ଦୃଢ଼ତାର ସହ କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଡିସେମ୍ବର ୧୯ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ବିରୋଧୀ ମେଣ୍ଟର ବୈଠକରେ ଦୁଇ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଆଗତ କରିଥିଲେ। କିନ୍ତୁ ଅନ୍ୟ କୌଣସି ମେଣ୍ଟ ସହଯୋଗୀ ତ ଦୂରର କଥା, କଂଗ୍ରେସ ନିଜେ ଖଡେଗଙ୍କ ନାମକୁ ସମର୍ଥନ କରିନଥିଲା।

ନିର୍ବାଚନରେ ମୁହାଁମୁହିଁ

ବାସ୍ତବରେ ନିର୍ବାଚନରେ ନେତୃତ୍ୱର ବଡ଼ ପ୍ରଭାବ ପଡ଼ିଥାଏ । ଶକ୍ତିଶାଳୀ ନେତୃତ୍ୱ ପ୍ରତି ଭୋଟର ସହଜରେ ଆକର୍ଷିତ ହୁଅନ୍ତି । ଏହି କାରଣରୁ ବିଜେପି ବିଧାନସଭା ନିର୍ବାଚନରେ ବେଳେବେଳେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ସାମ୍ନାକୁ ଆଣିଥାଏ । ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କହିବାକୁ ଗଲେ ବିଜେପି ଏହି ଫର୍ମୁଲା ଆପଣାଇଥିଲା । ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନଙ୍କ ସରକାର ଦୀର୍ଘ ଦିନ ଧରି ଚାଲିଥିଲା । ନିର୍ବାଚନ ସମୟରେ ମଧ୍ୟ ଚୌହାନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ, ଏହାସତ୍ତ୍ୱେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିଲା । ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ବିରୋଧୀ ଦଳରେ ଥିଲା । ରାଜସ୍ଥାନରେ ବସୁନ୍ଧରା ରାଜେ ଏବଂ ଛତିଶଗଡ଼ରେ ରମଣ ସିଂହ ଦୀର୍ଘ ଦିନ ଧରି ବିଜେପିର ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ଏହି ଦୁଇ ରାଜ୍ୟରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିଲା । ତେଲେଙ୍ଗାନା ଓ ମିଜୋରାମରେ ବିଜେପି ପକ୍ଷରୁ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ । ତେବେ ଏହି ଦୁଇ ରାଜ୍ୟରେ ବିଜେପିର ବିଶେଷ ସଫଳତା ପାଇନାହିଁ । କିନ୍ତୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ଏହି ଚାଲ ସଫଳ ହୋଇଛି । ଦଳ କେବଳ ମଧ୍ୟପ୍ରଦେଶରେ କ୍ଷମତା ବଜାୟ ରଖିନାହିଁ ବରଂ ରାଜସ୍ଥାନ ଏବଂ ଛତିଶଗଡ଼ରେ ମଧ୍ୟ କଂଗ୍ରେସଠାରୁ କ୍ଷମତା ଛଡ଼ାଇ ନେଇଛି ।

ରାଜ୍ୟରେ ବିଜେପି କୌଣସି ନେତୃତ୍ୱ ରଖିନାହିଁ

ବର୍ତ୍ତମାନ ରାଜନୈତିକ ବିଶ୍ଳେଷକ ଏବଂ କଂଗ୍ରେସ ନିଜେ ସ୍ୱୀକାର କରିଛନ୍ତି ଯେ ଅନ୍ତତଃ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବରେ କମଲନାଥଙ୍କ ନେତୃତ୍ୱ ସାମ୍ନାକୁ ଆଣିବା ଏକ ଭୁଲ ଥିଲା । ଗତ ବିଧାନସଭା ନିର୍ବାଚନରେ ରାଜସ୍ଥାନରେ ମୋଦୀ ତୁଝସେ ବୈର ନେହିଁ, ବସୁନ୍ଧରା ତେରି ଖୈର ନେହିଁ ସ୍ଲୋଗାନ ଦିଆଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହାସତ୍ତ୍ୱେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲା ଏବଂ ଦଳ ହାରିଯାଇଥିଲା। ଏଥର ଛତିଶଗଡ଼ରେ ଭୂପେଶ ବାଘେଲଙ୍କୁ କଂଗ୍ରେସର ଏକ ଶକ୍ତିଶାଳୀ ନେତାଭାବେ ବିବେଚନା କରାଯାଉଥିଲା, କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ ଥିଲା। ତା’ପରେ ଫଳାଫଳ ସତ ପଦାକୁ ଆଣିଥିଲା। ଯେହେତୁ ବିଜେପି ଏଥର କୌଣସି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଘୋଷଣା କରିବ ନାହିଁ ବୋଲି ରଣନୀତି ପ୍ରସ୍ତୁତ କରିଥିଲା, ତେଣୁ ରାଜସ୍ଥାନରେ ନିର୍ବାଚନ ପୂର୍ବରୁ ବସୁନ୍ଧରାଙ୍କ ସ୍ଥାନରେ କୌଣସି ନୂଆ ନାମ ଆଣିନଥିଲା। ଏହିଭଳିଭାବେ ପ୍ରଧାନମନ୍ତ୍ରୀ ମୋଦୀ ତିନିଟି ରାଜ୍ୟରେ ବିଜେପିର ନିର୍ବାଚନୀ ସଫଳତା ଆଣି ଦେଇଛନ୍ତି।

ପାୱାର ଠିକ୍ କହୁଛନ୍ତି

ଶରଦ ପାୱାର ବିରୋଧୀ ଦଳ ମେଣ୍ଟର ସବୁଠାରୁ ବରିଷ୍ଠ ନେତାଙ୍କ ଧାଡ଼ିରେ ଆଗରେ ଅଛନ୍ତି। ପୁଣେରେ ଭାଷଣ ଦେଇ ସେ ଇତିହାସ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଚେହେରା ବିନା ଇଣ୍ଡି ମେଣ୍ଟ ନିର୍ବାଚନ ଲଢ଼ିପାରେ। ଏହା ୧୯୭୭ ମସିହାରେ ଘଟିଥିଲା ଯେତେବେଳେ ମୋରାରଜୀ ଦେଶାଇ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନ ଥିଲେ ଏବଂ ବିରୋଧୀମାନେ ବିନା ପ୍ରଧାନମନ୍ତ୍ରୀ ଚେହେରାରେ ଲଢ଼ିଥିଲେ । ସାଧାରଣ ନିର୍ବାଚନ ପରେ ଏକ ନୂଆ ଦଳ ଗଠନ ହୋଇ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ କହିଛନ୍ତି ଯେ ବିରୋଧୀଙ୍କ ପାଖରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି କି ନାହିଁ, ବିଶେଷ କରି ଯଦି ସେମାନେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ତେବେ ଜନତା ସେମାନଙ୍କୁ ପସନ୍ଦ କରିବେ । ଜେଡିୟୁ ସାଂସଦ କେସି ତ୍ୟାଗୀ ମଧ୍ୟ ଏହି ପ୍ରସଙ୍ଗରେ ଏକ ଲେଖା ଲେଖିଛନ୍ତି । ତେବେ ପାଓ୍ଵାରଙ୍କ କଥାର ଅନେକ ଗୁରୁତ୍ୱ ରହିଛି । ଜନତା ଯଦି କୌଣସି ସରକାର ଉପରେ ବିରକ୍ତ ହୁଅନ୍ତି, ତା’ହେଲେ ସେମାନେ ଘୋଷଣା କରି କ୍ଷମତାରୁ ହଟାଇ ଦିଅନ୍ତି । ୨୦୧୪ରେ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ଶାସନକୁ ଉଚ୍ଛେଦ କରିବାର ଭାବନା ଲୋକଙ୍କ ମଧ୍ୟରେ ଗଭୀର ହେବା ପରେ କେନ୍ଦ୍ରର ୟୁପିଏ ସରକାର ବିରୋଧରେ ସମାନ ବାତାବରଣ ସୃଷ୍ଟି ହୋଇଥିଲା । ତେବେ ବର୍ତ୍ତମାନର ମୋଦୀ ସରକାର ବିରୋଧରେ ସମାନ ବାତାବରଣ ଅଛି କି ?

ପାୱାର କେତେ ଅସହାୟ ଦେଖାଯାଉଛନ୍ତି !

ଏହି ପ୍ରଶ୍ନର ଉତ୍ତର ଶରଦ ପାୱାରଙ୍କ ବୟାନରେ ମଧ୍ୟ ମିଳିପାରିବ । ଯେଉଁଭଳିଭାବେ ସେମାନେ କହୁଛନ୍ତି ଯେ ଯଦି ଲୋକମାନେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ସେମାନେ ନିର୍ବାଚନରେ ନିଜର ନିଷ୍ପତ୍ତି ଦେବେ । ଏହି ବୟାନ ଉପରେ ପାୱାରଙ୍କ ବିଶ୍ୱାସ ପ୍ରତିଫଳିତ ହେଉନାହିଁ ଯେ ଲୋକମାନେ ପରିବର୍ତ୍ତନ ପାଇଁ ମନ ସ୍ଥିର କରିଛନ୍ତି । ଏହି କାରଣରୁ ସେ ଇଣ୍ଡି ମେଣ୍ଟ ତରଫରୁ କୌଣସି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦେବାକୁ ଚାହୁଁନାହାନ୍ତି । ସମସ୍ୟା ହେଉଛି ମୋଦୀଙ୍କୁ ଟକ୍କର ଦେବା ପାଇଁ ବିରୋଧୀଙ୍କ ପାଖରେ କୌଣସି ଚେହେରା ନାହିଁ । ଦ୍ୱିତୀୟ ଅସୁବିଧା ହେଉଛି ବିରୋଧୀ ଦଳରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାର ଅଛନ୍ତି । ଏହି ଦୁଇ ସମସ୍ୟାକୁ ଦୃଷ୍ଟିରେ ରଖି ବିରୋଧୀ ମେଣ୍ଟ ପ୍ରଧାନମନ୍ତ୍ରୀଙ୍କ କୌଣସି ଚେହେରା ଦେବା ଉଚିତ ନୁହେଁ ବୋଲି ପାୱାର ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ମେଣ୍ଟରେ ସମ୍ଭାବ୍ୟ ବିଭାଜନକୁ ରୋକାଯାଇପାରିବ, ତେଣୁ ଭୋଟରଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ରଖାଯାଇପାରିବ ଯେ ନିର୍ବାଚନ ଜିତିବା ପରେ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏକ ପ୍ରଭାବଶାଳୀ ଚେହେରା ମିଳିପାରେ ।

ବିରୋଧୀ ଦଳରେ ଅନେକ ଚେହେରା, କିନ୍ତୁ ମୋଦିଙ୍କୁ କିଏ ଟକ୍କର ଦେବ ?

ଏଥିରେ କୌଣସି ସନ୍ଦେହ ନାହିଁ ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହୁଅନ୍ତୁ କିମ୍ବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସମସ୍ତେ ନିଜକୁ ସେମାନଙ୍କ ମନରେ ପ୍ରଧାନମନ୍ତ୍ରୀ ଭାବନ୍ତି । ନୀତୀଶ କୁମାରଙ୍କ ପାଇଁ ତାଙ୍କ ଦଳ ଜେଡିୟୁର ଅନେକ ନେତା ସମୟ ସମୟରେ ଚେଷ୍ଠା ଜାରି ରଖିଛନ୍ତି । ତେବେ ମମତା ଓ କେଜ୍ରିୱାଲଙ୍କ ନାମ ସାମ୍ନାକୁ ଆସିବା ପ୍ରଶ୍ନରେ ନୀତୀଶ ଗଣମାଧ୍ୟମ ଆଗରେ ତାଙ୍କ ପ୍ରାର୍ଥୀତ୍ୱକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେମାନେ ଏହା ପୂର୍ବରୁ ମଧ୍ୟ କରିସାରିଛନ୍ତି, କିନ୍ତୁ ବାସ୍ତବତା ସମସ୍ତେ ଜାଣନ୍ତି । ଜୀବନର ୮୩ତମ ବସନ୍ତ ଦେଖିଥିବା ଶରଦ ପାୱାର ରାଜନୀତିର ଭାଷା ବୁଝିବାରେ ଜଣେ ମହାନ ମାଷ୍ଟର । ସେମାନେ ଜାଣନ୍ତି ଯେ ଖଡଗେ ହୁଅନ୍ତୁ କି ନୀତୀଶ ହୁଅନ୍ତୁ କିମ୍ବା ମମତା-କେଜ୍ରିୱାଲା, ମୋଦୀଙ୍କ ବିରୋଧରେ ବିରୋଧୀଙ୍କ ପାଇଁ ଭୋଟ ହାସଲ କରିବାରେ କାହା ପାଖରେ ଯଥେଷ୍ଟ ଶକ୍ତି ନାହିଁ । ବିରୋଧୀ ଦଳର ବଡ଼ ଚେହେରା ରାହୁଲ ଗାନ୍ଧି ଏପରି ଅବସ୍ଥାରେ ଅଛନ୍ତି ଯେ କଂଗ୍ରେସ ତାଙ୍କ ନାମ ରଖିବାକୁ ଅନିଚ୍ଛା ପ୍ରକାଶ କରୁଛି କାରଣ ଏହା କରିବାମାତ୍ରେ ଅନେକ ଦଳ ମେଣ୍ଟ ଛାଡ଼ିପାରନ୍ତି ବୋଲି ଆଶଙ୍କା କରାଯାଉଛି ।

Categories
ଆଜିର ଖବର ଜାତୀୟ ଖବର

ବିହାର ରାଜନୀତିରୁ ବଡ ଖବର: ଜାତୀୟ ପରିଷଦ ବୈଠକ ପୂର୍ବରୁ ଲଲନ ସିଂ ଦେବେ ଇସ୍ତଫା!

ପାଟନା: ବିହାରର ରାଜନୈତିକ ମହଲରୁ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଜେଡିୟୁ ଜାତୀୟ ସଭାପତି ରାଜୀବ ରଂଜନ ସିଂ ଲଲନ ସିଂ ଇସ୍ତଫା ଦେଇପାରନ୍ତି। କୁହାଯାଉଛି ଯେ, ଜାତୀୟ ପରିଷଦ ବୈଠକ ଡିସେମ୍ବର ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଏହି ବୈଠକ ପୂର୍ବରୁ ଲଲନ ସିଂ ଇସ୍ତଫା ଦେଇପାରନ୍ତି। ସୂଚନାନୁସାରେ, ଲଲନ ସିଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କୁ ଜାତୀୟ ପଦବୀରୁ ମୁକ୍ତ କରିବାକୁ ଅନୁରୋଧ କରିଥିଲେ। ତେବେ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ନୀତୀଶ କୁମାର ତାଙ୍କୁ ଦଳର ଜାତୀୟ ସଭାପତି ରହିବାକୁ କହିଥିଲେ।

ଖବର ରହିଛି ଯେ, ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ଏହି ପଦ ଛାଡିବାକୁ ଜିଦ୍ ଧରିଛନ୍ତି। ଏଭଳି ପରିସ୍ଥିତିରେ ଲଲନ ସିଂଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ନିଜେ ଜାତୀୟ ରାଷ୍ଟ୍ରପତି ହୋଇପାରନ୍ତି କିମ୍ବା ସେ ତାଙ୍କର ଜଣେ ବିଶ୍ଵସ୍ତଙ୍କୁ ଏହି ପଦବୀ ଦେଇପାରନ୍ତି। ରାଜନୈତିକ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ନୀତୀଶ କୁମାର ଲଲନ ସିଂଙ୍କ ସ୍ଥାନରେ ଅତି ପଛୁଆ ଜାତିର ରାମନାଥ ଠାକୁର କିମ୍ବା ଦଲିତ ସମ୍ପ୍ରଦାୟର ଅଶୋକ ଚୌଧୁରୀଙ୍କୁ ରାଷ୍ଟ୍ରୀୟ ସଭାପତି କରାଯାଇପାରେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା କାରଣରୁ ୩ ମୃତ, ୪୧୨ ଟି ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ମାମଲା ପୁଣି ବଢିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୪୧୨ ଟି ନୂଆ ମାମଲା ଚିହ୍ନଟ ହୋଇଛି। ୨୪ ଘଣ୍ଟା ମଧ୍ୟରେ ୨୯୩ ରୋଗୀ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏହି ତିନୋଟି ମୃତ୍ୟୁ କର୍ଣ୍ଣାଟକରେ ଘଟିଛି। ବର୍ତ୍ତମାନ ଦେଶରେ ୪ ହଜାର ୧୭୦ ସକ୍ରିୟ ମାମଲା ଅଛି।

Categories
ଆଜିର ଖବର ଜାତୀୟ ଖବର

ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ବଡ ଖେଳ, ଶିରୋମଣି ଅକାଳୀ ଦଳ ସହିତ ଜାଗୋ ପାର୍ଟିର ମିଶ୍ରଣ

ନୂଆଦିଲ୍ଲୀ: ଜାଗୋ ପାର୍ଟି ସୋମବାର ଶିରୋମଣି ଅକାଳୀ ଦଳ ସହିତ ମିଶ୍ରିତ ହୋଇଛି। ଅକାଳୀ ଦଳର ସଭାପତି ସୁଖବୀର ସିଂ ବାଦଲ ତାଙ୍କ ଦଳରେ ଦିଲ୍ଲୀ ଗୁରୁଦ୍ୱାର କମିଟିର ପୂର୍ବତନ ସଭାପତି ତଥା ଦିଲ୍ଲୀର ଜାଗୋ ପାର୍ଟିର ପୃଷ୍ଠପୋଷକ ମନଜିତ ସିଂ ଜିକେ ଙ୍କୁ ନିଜ ଦଳରେ ସାମିଲ କରିଛନ୍ତି। ଏହା ବ୍ୟତୀତ ଅନ୍ୟ ବହୁ ବରିଷ୍ଠ ନେତା ମଧ୍ୟ ଅକାଳୀ ଦଳରେ ଯୋଗ ଦେଇଛନ୍ତି। ଏହାର ପ୍ରଭାବ ଦିଲ୍ଲୀ ଏବଂ ପଞ୍ଜାବରେ ମଧ୍ୟ ଦୃଶ୍ୟମାନ ହେବାକୁ ଯାଉଛି।

ଲୋକସଭା ନିର୍ବାଚନ ପୂର୍ବରୁ ସୁଖବୀର ସିଂ ବାଦଲ ତାଙ୍କ ବିଚ୍ଛିନ୍ନ ଦଳକୁ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି। ଅସନ୍ତୁଷ୍ଟ ନେତାମାନଙ୍କୁ ଏକାଠି କରିବା ପାଇଁ ଉଦ୍ୟମ ତୀବ୍ର ହୋଇଛି। ଲୋକସଭା ନିର୍ବାଚନରେ ​​ଶିରୋମଣି ଅକାଳୀ ଦଳ ଏହାର ଲାଭ ଉଠାଇପାରେ।

ମନଜିତ ସିଂ ଜି.କେ ବିନା ସର୍ତ୍ତରେ ଅକାଳୀ ଦଳରେ ଯୋଗ ଦେଇଛନ୍ତି:

ଅକାଳୀ ଦଳକୁ ଫେରିବା ପରେ ମନଜିତ ସିଂ ଜି.କେଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି। ସେ କହିଛନ୍ତି ଯେ, ଜାଗୋ ପାର୍ଟି ବିନା ସର୍ତ୍ତରେ ଅକାଳୀ ଦଳ ସହିତ ମିଶିଛି। ଶିଖ ପ୍ରସଙ୍ଗ ଉଠାଇବା ପାଇଁ ଆମକୁ ଏକଜୁଟ ହେବା ଆବଶ୍ୟକ। ବନ୍ଦୀ ଶିଖଙ୍କ ମୁକ୍ତି ପାଇଁ ଆମେ ଏକାଠି ଲଢିବା। ସମସ୍ତ ଶିଖ୍ ଏକଜୁଟ ହେବା ଆବଶ୍ୟକ।

ଉଲ୍ଲେଖ ଯୋଗ୍ୟ ଯେ, ୨୦୧୯ ମସିହାରେ ମନଜିତ ସିଂ ଜି.କେଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଯାହାପରେ ତାଙ୍କୁ ଅକାଳୀ ଦଳରୁ ବହିଷ୍କାର କରଯାଇଥିଲା। ଏହା ପରେ ଜି.କେ ଗୁରୁଦ୍ୱାର ପରିଚାଳନା କମିଟିର ସଭାପତି ପଦରୁ ଇସ୍ତଫା ଦେଇ ଜାଗୋ ପାର୍ଟି ନାମକ ଏକ ପୃଥକ ଦଳ ଗଠନ କରିଥିଲେ। ବର୍ତ୍ତମାନ ଜାଗୋ ପାର୍ଟିର ଅକାଳୀ ଦଳ ସହିତ ମିଶ୍ରଣ ଅକାଳୀ ଦଳକୁ ମଜବୁତ କରିଛି। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଅକାଳୀ ଦଳ ନିଜକୁ ମଜବୁତ କରିବା ପାଇଁ ଅସନ୍ତୁଷ୍ଟ ଶିଖ ନେତାମାନଙ୍କୁ ମନାଇବାରେ ଲାଗିପଡିଛି।

Categories
ବିଶେଷ ଖବର

ସାଂସଦଙ୍କ ନିଲମ୍ବନକୁ ବିଜେପି ସହ କାହିଁକି ଯୋଡୁଛନ୍ତି ଖଡଗେ?

ନୂଆଦିଲ୍ଲୀ: ସାଂସଦଙ୍କ ନିଲମ୍ବନକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ବିଜେପି ସ୍ୱାଧିକାର ପ୍ରସ୍ତାବ ଏବଂ ସାଂସଦଙ୍କ ନିଲମ୍ବନକୁ ଅସ୍ତ୍ରଭାବେ ବ୍ୟବହାର କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ସେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି। ଏହି ଚିଠିରେ ସରକାରଙ୍କ ଅହଂକାର ଏବଂ ସଂସଦୀୟ ପ୍ରଥାର ଅପମାନ ଏବଂ ଗଣତନ୍ତ୍ରକୁ ନଷ୍ଟ କରିବାକୁ ଯଥାର୍ଥ ବୋଲି ଦର୍ଶାଯାଇଛି। ସେ କହିଛନ୍ତି ଯେ ସଂସଦର ପ୍ରିଜାଇଡିଂ ଅଫିସରଙ୍କ ଇତିହାସ ସରକାରଙ୍କଠାରୁ ଉତ୍ତରଦାୟିତ୍ୱ ନ ମାଗିବା ପାଇଁ ସେମାନଙ୍କୁ ମୂଲ୍ୟାଙ୍କନ କରିବା କଠୋର ହେବ।

‘ବିରୋଧୀଙ୍କୁ ଦମନ କରିବା ପାଇଁ ଅସ୍ତ୍ର’

କଂଗ୍ରେସ ଅଧ୍ୟକ୍ଷ ଉପରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ ଦାବି କରିଛନ୍ତି ଯେ ଶାସକ ଦଳ ପ୍ରକୃତରେ ଗଣତନ୍ତ୍ରକୁ ଦୁର୍ବଳ କରିବା, ସଂସଦୀୟ ପରମ୍ପରାକୁ ଭାଙ୍ଗିବା ଏବଂ ସମ୍ବିଧାନକୁ ଦମନ କରିବା ପାଇଁ ସଦସ୍ୟଙ୍କୁ ନିଲମ୍ବିତ କରିବା ଏକ ସୁବିଧାଜନକ ଅସ୍ତ୍ର କରିଛି। ବିରୋଧୀଙ୍କ ସ୍ୱରକୁ ଦମନ କରିବା ପାଇଁ ଅଧିକାର ପ୍ରସ୍ତାବକୁ ମଧ୍ୟ ଅସ୍ତ୍ର କରାଯାଇଛି ବୋଲି ଖଡଗେ କହିଛନ୍ତି। ସଂସଦକୁ ଦୁର୍ବଳ କରିବା ପାଇଁ ଟ୍ରେଜେରି ବେଞ୍ଚଦ୍ୱାରା ଏହା ଏକ ଯୋଜନାବଦ୍ଧ ରଣନୀତି। ସାଂସଦମାନଙ୍କୁ ନିଲମ୍ବିତ କରି ସରକାର ମୋଟ ୧୪୬ ଜଣ ସାଂସଦ ଥିବା ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ସ୍ୱରକୁ ଚୁପ୍ କରୁଛନ୍ତି। ସୀମାରେ ଚୀନ୍ ଅନୁପ୍ରବେଶ, ମଣିପୁରରେ ଚାଲିଥିବା ଅଶାନ୍ତି ଏବଂ ଅନୁପ୍ରବେଶକାରୀଙ୍କ ଦ୍ୱାରା ସଂସଦରେ ସୁରକ୍ଷା ତ୍ରୁଟି ଭଳି ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋଦୀ ସରକାର ଉତ୍ତରଦାୟିତ୍ୱରୁ ଦୂରେଇ ଯାଇଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି। ଖଡଗେ ପୁଣି କହିଛନ୍ତି ଯେ ସଂସଦରେ ପ୍ରବେଶ କରିଥିବା ଲୋକଙ୍କୁ ବିଜେପି ସାଂସଦ ପ୍ରବେଶ ସୁବିଧା ଦେଇଥିଲେ।

ସଂସଦ ପରିବର୍ତ୍ତେ ଗଣମାଧ୍ୟମରେ ଆଲୋଚନା

ଶୀତକାଳୀନ ଅଧିବେଶନରେ ସଦସ୍ୟଙ୍କୁ ନିଲମ୍ବିତ କରିବା ପୂର୍ବରୁ ଧନଖଡ଼ ଆଲୋଚନା ନେଇ ବିରୋଧୀ ଦଳ ନେତାଙ୍କ ତରଫରୁ ଚିଠି ଲେଖିଥିଲେ। ଏହାର ଉତ୍ତର ନ ଦେବା ନେଇ ଧନଖଡ଼ଙ୍କ ଅଭିଯୋଗ ପତ୍ରର ସଂକ୍ଷିପ୍ତ ଉତ୍ତର ଦେଇଛନ୍ତି ଖଡଗେ। ଖଡଗେ କହିଛନ୍ତି ଯେ ସେ ବହୁ ପୂର୍ବରୁ ଡିସେମ୍ବର ୧୩ ତାରିଖରେ ଲୋକସଭାରେ ସୁରକ୍ଷା ଉଲ୍ଲଂଘନ ନେଇ ଗୃହରେ ନୋଟିସ୍ ଦେଇ ଗୃହମନ୍ତ୍ରୀଙ୍କଠାରୁ ବୟାନ ମାଗିଥିଲେ। ତେବେ ରାଜ୍ୟସଭା ଅଧ୍ୟକ୍ଷ ସରକାରଙ୍କୁ ଏଥିରୁ ଦୂରେଇ ରହିବାକୁ ଅନୁମତି ଦେଇଛନ୍ତି। ସେ କହିଛନ୍ତି ଯେ ଗୃହମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ସଂସଦରେ କହିବା ପରିବର୍ତ୍ତେ ଆକ୍ରମଣ ବିଷୟରେ ଗଣମାଧ୍ୟମ ସହ କଥା ହୋଇଥିଲେ। ସଂସଦ ପ୍ରତି ସରକାରଙ୍କୁ ଉତ୍ତରଦାୟୀ କରିବାକୁ ବାଚସ୍ପତି ଧ୍ୟାନ ଦେଇନଥିଲେ।

ହଙ୍ଗାମାରୁ ସାମୂହିକ ନିଲମ୍ବନ ନୁହେଁ ବରଂ ପୂର୍ବ ପରିକଳ୍ପିତ ଥିଲା

ଗୃହରେ ବିଶୃଙ୍ଖଳା ‘ରଣନୈତିକ’ ବୋଲି ଧନଖଡ଼ଙ୍କ ଅଭିଯୋଗକୁ ଖଣ୍ଡନ କରି ଖଡଗେ କହିଛନ୍ତି ଯେ ଏହି ସାମୂହିକ ନିଲମ୍ବନ ସରକାରଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ଥିଲା। ସେ ଧନଖରଙ୍କୁ କହିଛନ୍ତି ଯେ ଯେହେତୁ ତାଙ୍କ କାର୍ଯ୍ୟାଳୟ ସୋସିଆଲ ମିଡିଆ ଉପରେ ନଜର ରଖିଥାଏ, ତେଣୁ ତାଙ୍କୁ ସୂଚନା ଦିଆଯାଇଥାଇପାରେ ଯେ ଗୃହମନ୍ତ୍ରୀ ଗୃହକୁ ଆସିବା ପୂର୍ବରୁ ଅଧିକାଂଶ ସଦସ୍ୟଙ୍କୁ ନିଲମ୍ବିତ କରାଯିବ ବୋଲି ଜଣେ କେନ୍ଦ୍ର ମନ୍ତ୍ରୀ ବିରୋଧୀ ସାଂସଦଙ୍କୁ କହିଥିଲେ। ସେ କହିଛନ୍ତି ଯେ ରାଜ୍ୟସଭା ବାଚସ୍ପତି ଏହି ଅଭିଯୋଗର ତଦନ୍ତ କରିବା ଉଚିତ ଥିଲା। ଖଡଗେ କହିଛନ୍ତି ଯେ ଯଦି ବାସ୍ତବରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ସଦସ୍ୟଙ୍କ ନିଲମ୍ବନ ହେଉଛି, ତେବେ ଏହା ଗଣତନ୍ତ୍ରର ମନ୍ଦିରକୁ ଅପମାନିତ କରୁଛି।

Categories
ବିଶେଷ ଖବର

ନୂଆ ଅପରାଧିକ ଆଇନକୁ ଅନୁମୋଦନ ଦେଲେ ରାଷ୍ଟ୍ରପତି, ଏବେ ବଦଳିବ ଆଇପିସି ଓ ସିଆରପିସି

ନୂଆଦିଲ୍ଲୀ: ଗତ ସପ୍ତାହରେ ସଂସଦରେ ପାରିତ ହୋଇଥିବା ୩ଟି ନୂଆ ଅପରାଧିକ ନ୍ୟାୟ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ଦେଇଛନ୍ତି। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ପ୍ରତିରକ୍ଷା ସଂହିତା ଏବଂ ଭାରତୀୟ ପ୍ରମାଣ ଆଇନ ଏହି ତିନୋଟି ନୂତନ ଆଇନ – ଭାରତୀୟ ଦଣ୍ଡବିଧି ସଂହିତା, କ୍ରିମିନାଲ ପ୍ରୋସିଜର କୋଡ୍ ଏବଂ ୧୮୭୨ର ଭାରତୀୟ ପ୍ରମାଣ ଆଇନକୁ ବଦଳାଇ ଦେଇଛି। ସଂସଦରେ ତିନୋଟି ବିଲ ଉପରେ ବିତର୍କର ଉତ୍ତର ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ଏହି ବିଲଗୁଡ଼ିକର ଗୁରୁତ୍ୱ ପୂର୍ବ ଆଇନ ପରି ଦଣ୍ଡ ଉପରେ ନୁହେଁ, ବରଂ ନ୍ୟାୟ ପ୍ରଦାନ ଉପରେ ରହିଛି।

ସେ କହିଛନ୍ତି ଯେ, ଏହି ଆଇନଗୁଡ଼ିକର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଅପରାଧ ଏବଂ ସେମାନଙ୍କ ଦଣ୍ଡକୁ ସଂଜ୍ଞା ଦେଇ ଦେଶରେ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ଆଦର୍ଶ ପରିବର୍ତ୍ତନ ଆଣିବା। ଏଥିରେ ଆତଙ୍କବାଦକୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରାଯାଇଥିଲା, ଦେଶଦ୍ରୋହକୁ ଏକ ଅପରାଧ ଭାବରେ ଉଚ୍ଛେଦ କରାଯାଇଥିଲା ଏବଂ ‘ରାଜ୍ୟ ବିରୋଧରେ ଅପରାଧ’ ଶୀର୍ଷକ ଏକ ନୂତନ ଧାରା ଯୋଡ଼ାଯାଇଥିଲା।

ଅଗଷ୍ଟମାସରେ ସଂସଦର ମୌସୁମୀ ଅଧିବେଶନରେ ପ୍ରଥମେ ଏହି ବିଲ ଆଗତ ହୋଇଥିଲା। ଗୃହ ବ୍ୟାପାର ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟିର ଏକାଧିକ ସୁପାରିସ ପରେ ସରକାର ଗତ ସପ୍ତାହରେ ଏହି ବିଲଗୁଡ଼ିକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏକ ନୂତନ ସଂସ୍କରଣ ଆଗତ କରିଥିଲେ। ଶାହ କହିଥିଲେ ଯେ ଏହି ତିନୋଟି ବିଲ ବ୍ୟାପକ ବିଚାର ବିମର୍ଶ ପରେ ପ୍ରସ୍ତୁତ କରାଯାଇଛି ଏବଂ ଗୃହରେ ଉପସ୍ଥାପନ କରିବା ପୂର୍ବରୁ ସେ ଡ୍ରାଫ୍ଟ ବିଲର ପ୍ରତ୍ୟେକ କୋମା ଏବଂ ସମ୍ପୂର୍ଣ୍ଣ ବନ୍ଦ ଅନୁଧ୍ୟାନ କରିଛନ୍ତି।

ଭାରତୀୟ ନ୍ୟାୟ ସଂହିତାରେ ଅଲଗାତାବାଦ, ସଶସ୍ତ୍ର ବିଦ୍ରୋହ, ବିଶୃଙ୍ଖଳାମୂଳକ କାର୍ଯ୍ୟକଳାପ, ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ କିମ୍ବା ଦେଶଦ୍ରୋହ ଆଇନର ନୂତନ ଅବତାରରେ ସାର୍ବଭୌମତ୍ୱ କିମ୍ବା ଏକତାକୁ ବିପଦରେ ପକାଇବା ଭଳି ଅପରାଧକୁ ତାଲିକାଭୁକ୍ତ କରାଯାଇଛି। ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଜାଣିଶୁଣି ବିଚ୍ଛିନ୍ନତାବାଦ ବା ସଶସ୍ତ୍ର ବିଦ୍ରୋହ କିମ୍ବା ବିଶୃଙ୍ଖଳାଜନକ କାର୍ଯ୍ୟକଳାପକୁ ଶବ୍ଦ କିମ୍ବା ଚିହ୍ନ କିମ୍ବା ଦୃଶ୍ୟ ପ୍ରତିନିଧିତ୍ୱ କିମ୍ବା ଇଲେକ୍ଟ୍ରୋନିକ୍ ଯୋଗାଯୋଗ କିମ୍ବା ଆର୍ଥିକ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ଉତ୍ତେଜିତ କିମ୍ବା ଉତ୍ତେଜିତ କରିବାକୁ ଚେଷ୍ଟା କରନ୍ତି କିମ୍ବା ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପକୁ ଉତ୍ସାହିତ କରନ୍ତି କିମ୍ବା ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରନ୍ତି, ତେଣୁ ଏଭଳି କାର୍ଯ୍ୟ କଲେ ଆଜୀବନ କାରାଦଣ୍ଡ ସହ ଜରିମାନା ମଧ୍ୟ ଆଦାୟ କରାଯାଇପାରିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଖେଳାଳି ଏକାଦଶ ଚୟନ କଲେ ଗୌତମ ଗମ୍ଭୀର: ଦୁଇ ଖେଳାଳିଙ୍କୁ ନେଇ ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ: ସେଞ୍ଚୁରିଅନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ, ଏଭଳି ପରିସ୍ଥିତିରେ ଭାରତୀୟ ଖେଳାଳି ଏକାଦଶ କ’ଣ ହେବ ସେନେଇ ଆଲୋଚନା ଆରମ୍ଭ ହୋଇଛି। ପୂର୍ବତନ ଭାରତୀୟ କିମ୍ବଦନ୍ତୀ ଗୌତମ ଗମ୍ଭୀର ଷ୍ଟାର ସ୍ପୋର୍ଟସରେ ଭାରତୀୟ ଏକାଦଶ ବିଷୟରେ ଆଲୋଚନା କରିଛନ୍ତି ଏବଂ ୧୧ ଜଣ ଖେଳାଳିଙ୍କୁ ଚୟନ କରିଛନ୍ତି ଯେଉଁମାନେ ଭାରତୀୟ ଏକାଦଶର ଅଂଶ ହୋଇପାରିବେ। ଗମ୍ଭୀର ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ଵାଲଙ୍କୁ ଓପନର୍ ଭାବରେ ବାଛିଥିବାବେଳେ ୩ ନମ୍ବର ସ୍ଥାନରେ ଗମ୍ଭୀରଙ୍କ ପସନ୍ଦ କୋହଲି ନୁହେଁ ବରଂ ଶୁଭମାନ ଗିଲ। ଏଥି ସହିତ ଗମ୍ଭୀର ବିରାଟ କୋହଲିଙ୍କୁ ୪ ନମ୍ବରରେ ସ୍ଥାନ ଦେଇଛନ୍ତି। ଏହା ବ୍ୟତୀତ ପୂର୍ବତନ ଭାରତୀୟ କ୍ରିକେଟର ମଧ୍ୟ ଶ୍ରେୟସ୍ ଆୟର ଏବଂ କେ.ଏଲ୍ ରାହୁଲଙ୍କୁ ଏକାଦଶର ଅଂଶ ଭାବରେ ବିବେଚନା କରିଛନ୍ତି। ଏହା ବ୍ୟତୀତ ଗୌତମ ଗମ୍ଭୀର ଜାଡେଜା ଏବଂ ଅଶ୍ୱିନଙ୍କ ବିଷୟରେ ଟିକେ ଦ୍ୱନ୍ଦ୍ୱରେ ଥିବା ଦେଖାଯାଉଛନ୍ତି। ଗମ୍ଭୀରଙ୍କ ସହମତ ହୋଇଛି ଯେ, ଦୁଇଜଣଙ୍କ ମଧ୍ୟରୁ ଜଣେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବା ଉଚିତ୍। ଏଥିସହିତ ଗମ୍ଭୀର ଅନୁଭବ କରିଛନ୍ତି ଯେ ଭାରତ ପ୍ରଥମ ଟେଷ୍ଟରେ ୪ ଟି ଦ୍ରୁତ ବୋଲରଙ୍କୁ ଖେଳାଇବା ଉଚିତ୍।

ଗମ୍ଭୀରଙ୍କ ଅନୁଯାୟୀ ଶାର୍ଦ୍ଦୁଳ ଠାକୁର, ଜସପ୍ରୀତ ବୁମ୍ରା, ପ୍ରସିଦ୍ଧ କୃଷ୍ଣ ଏବଂ ସିରାଜ ଏକାଦଶରେ ରହିବା ଉଚିତ୍। ଏଥିସହିତ ଗମ୍ଭୀର ତାଙ୍କ ଏକାଦଶରେ ମୁକେଶ କୁମାରଙ୍କୁ ସ୍ଥାନ ଦେଇନାହାଁନ୍ତି। ପ୍ରକାଶ ଯେ ଭାରତକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ। ପ୍ରଥମ ଟେଷ୍ଟ ମ୍ୟାଚ୍ ଆଜି ଠାରୁ ସେଞ୍ଚୁରିଅନରେ ଆରମ୍ଭ ହୋଇଥିବାବେଳେ ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ଜାନୁଆରୀ ୩ ତାରିଖରେ ମେଲବୋର୍ଣ୍ଣରେ ଖେଳାଯିବ।

ଭାରତୀୟ ଦଳ ଟେଷ୍ଟ ସିରିଜ ଜିତିବାରେ ସକ୍ଷମ ହୋଇ ନାହିଁ:

ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ବି ଟେଷ୍ଟ ସିରିଜ୍ ଜିତିବାରେ ସକ୍ଷମ ହୋଇ ନାହିଁ। ଏଭଳି ପରିସ୍ଥିତିରେ ଭାରତୀୟ ଦଳ ଏହାର ପୁରୁଣା ଇତିହାସକୁ ବଦଳାଇବା ପାଇଁ ଚେଷ୍ଟା କରିବ। ୨୦୨୩ ବିଶ୍ୱକପ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ପ୍ରଥମ ଥର ପାଇଁ ପଡ଼ିଆକୁ ଓହ୍ଲାଇବେ। ସମସ୍ତଙ୍କ ଆଖି କୋହଲି ଏବଂ ରୋହିତଙ୍କ ଉପରେ ରହିବ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ପାଇଁ ଗୌତମ ଗମ୍ଭୀର ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେ.ଏଲ୍ ରାହୁଲ, ରବିନ୍ଦ୍ର ଜାଡେଜା / ଆର ଅଶ୍ୱିନ, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

କଞ୍ଚା ଲଙ୍କାରେ ମୁକ୍ତିଲାଭ କଲା ବାରଙ୍ଗ ୧୯୯୯

ଭୁବନେଶ୍ଵର: ଓଡ଼ିଶାର ଆଗ ଧାଡ଼ିର ମନୋରଞ୍ଜନ ଆପ୍ ‘କଞ୍ଚା ଲଙ୍କା’ ର ନୂତନ ୱେବ୍‌ ସିରିଜ୍, ‘ବାରଙ୍ଗ ୧୯୯୯’ ସାରା ରାଜ୍ୟରେ ଚହଳ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ ହୋଇଛି। ଏହି ମହାଗାଥାକୁ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଜୟ ପାଢ଼ୀ। ୭ ଏପିସୋଡ୍ ବିଶିଷ୍ଟ ଏହି ସିରିଜ୍ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ରାଜନୈତିକ ଚକ୍ରବ୍ୟୁହ ଏବଂ ନାରୀ ଶକ୍ତିର ରୂପରେଖକୁ ମଧ୍ୟ ଦର୍ଶାଇବ।

ବାରଙ୍ଗ ୧୯୯୯ କେବଳ ଗୋଟେ ୱେବ୍‌ ସିରିଜ୍ ନୁହେଁ। ଏହା ନ୍ୟାୟ, ନାରୀ ଜାତିର ବର୍ଷ ବର୍ଷର ସଂଘର୍ଷ ଏବଂ ସଶକ୍ତିକରଣର ନିଚ୍ଛକ ପ୍ରତିଛବି । ଏହି ରାଜନୈତିକ କାହାଣୀର ମୂଳରେ ଅଛନ୍ତି ଅମ୍ରିତା ପାଢ଼ୀ ଏବଂ ସରକାରୀ ବ୍ୟବସ୍ଥା ସହିତ ତାଙ୍କର ଲଢେଇ ରହିଛି ଏହାର ପ୍ରମୁଖ ବିଷୟବସ୍ତୁ। ନିଜ ପରିବାର ଏବଂ ସରକାରୀ ବ୍ୟବସ୍ଥାର ଅନ୍ୟାୟ ସତ୍ତ୍ବେ, ମନରେ ଆଶା ଏବଂ ଦୃଢ ଆତ୍ମବିଶ୍ବାସ ରଖି , ଅମ୍ରିତା ଅନବରତ ଲଢି ଚାଲନ୍ତି। ପୁରୁଷ ପ୍ରଧାନ ସମାଜରେ ଅମ୍ରିତା ସାଜନ୍ତି ଇଚ୍ଛାଶକ୍ତି ଏବଂ ସାହସର ପ୍ରତିଛବି। ତାଙ୍କର ଏହି ଯାତ୍ରା କେବଳ ବ୍ୟକ୍ତିଗତ ନ ରହି ସାଜିଯାଏ ସାମାଜିକ ପରିବର୍ତ୍ତନର ସୂତ୍ର। ଓଡିଆ ସିନେମାରେ ନିକଟରେ ଚହଳ ସୃଷ୍ଟି କରିଥିବା ସୁପ୍ରିୟା ନାୟକ ଅମ୍ରିତା ଭୂମିକାରେ ଥିଲାବେଳେ, ପରଦା ରେ ଦିଶିବେ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଦୁଇ ଜଣ ଚମତ୍କାର ଅଭିନେତା – ନିକଟରେ ମନୋନୀତ NSD ଡିରେକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ (ସ୍ୟାକରେଡ୍‌ ଗେମ୍ସ, ଫାଣ୍ଟମ ଏବଂ ଶୁଭ୍ ମଙ୍ଗଲ୍ ସାବଧାନ) ଏବଂ ମହାରାଣୀ, ଜେଙ୍ଗାବୁରୁ ଏବଂ ୧୨ତମ ଫେଲ୍ ଇତ୍ୟାଦିରେ ଦର୍ଶକଙ୍କ ହୃଦୟ ଜିତି ଥିବା ସୁକୁମାର ଟୁଡୁ। ଏହା ବ୍ୟତୀତ ଚନ୍ଦନ ମହାନ୍ତି, ଅସିତ ପାତ୍ର, ନିଶାନ୍ତ ମଜିଠିଆ, ଭାସ୍ବତୀ ବସୁ, କେପି, ସୋମେନ ପୂଜାରୀ, ଭୂପତି ତ୍ରିପାଠୀ ଏବଂ ଆହୁରି ଅନେକ ଓଡ଼ିଶାର ସୁନାମଧନ୍ୟ କଳାକାର ବାରଙ୍ଗରେ ଦିଶିବେ।

ଏହି ମନୋରଞ୍ଜକ କାହାଣୀର ସ୍ରଷ୍ଟା ହେଉଛନ୍ତି ବର୍ଷୀୟାନ ସାମ୍ବାଦିକ ଦିଲୀପ ବିଷୋଇ, ଚିତ୍ରନାଟ୍ୟ ଲେଖୁଛନ୍ତି ସରୋଜ ମହାପାତ୍ର ଏବଂ ଦମଦାର ସଂଳାପରେ ସଜେଇଛନ୍ତି, ଯୁବ ସଂଳାପକାର ନିଶାନ୍ତ ମଜିଠିଆ। ମୁମ୍ବାଇରେ କାର୍ଯ୍ୟରତ ଡିରେକ୍ଟର ଅଫ ଫୋଟୋଗ୍ରାଫୀ, ଯୁଧିଷ୍ଠିର ବେହେରାଙ୍କ ଆକର୍ଷଣୀୟ ଚିତ୍ରତ୍ତୋଳନ ଏବଂ ରଶ୍ମୀ ରଞ୍ଜନଙ୍କ ନିଖୁଣ ସମ୍ପାଦନା ନିଶ୍ଚିତ ଭାବେ ଏହି ସିରିଜ୍ କୁ ନେଇ ପାରିବ ଓଡ଼ିଶାର ଶ୍ରେଷ୍ଠ ସିରିଜ୍ ତାଲିକାରେ। ଏହି ସିରିଜ୍ ର ମଙ୍ଗ ଧରିଥିବା ନିର୍ଦ୍ଦେଶକ ଅଜୟ ପାଢ଼ୀ କହିଛନ୍ତି, “ବାରଙ୍ଗ ୧୯୯୯ ମୋ ପାଇଁ ଗୋଟେ ବହୁତ ବଡ଼ ଚ୍ୟାଲେଞ୍ଜ ଥିଲା। କାରଣ କାନଭାସ୍ ବହୁତ ବଡ଼ ଥିଲା ଏବଂ କାହାଣୀ ବହୁତ ରୋମାଞ୍ଚକର ଥିଲା। 90s କୁ ରୀକ୍ରିଏଟ କରିବା କଷ୍ଟ ଥିଲା କିନ୍ତୁ ବହୁତ ମଜା ଲାଗିଲା। ପୁରା ଟିମ୍ ଭରପୁର ଚେଷ୍ଟା ଏବଂ ପରିଶ୍ରମ କରିଛନ୍ତି। ମୁଁ ଆଶା କରୁଛି ଆମକୁ ବନେଇବାରେ ଯେତେ ମଜା ଲାଗିଛି, ଦର୍ଶକ ମାନଙ୍କୁ ଦେଖିବାରେ ମଧ୍ୟ ସେତିକି ମଜା ଲାଗିବ।

କଞ୍ଚା ଲଙ୍କାର ସହ-ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଅକ୍ଷୟ ପରିଜା ଏହି ଅବସରରେ କହିଲେ, ‘‘ଏହି କାହାଣୀ ମନୋରଞ୍ଜକ ହବା ସହିତ ପ୍ରେରଣାଦାୟକ ମଧ୍ୟ। ଲୋକଙ୍କ ପାଖକୁ ଏମିତି ଗୋଟେ_କାହାଣୀ ଆଣି ପାରିଥିବାରୁ ଆମେ ବହୁତ ଉତ୍ସାହିତ। ଏହି କାହାଣୀ, କୌଣସି ଜଣେ ମହିଳାଙ୍କର ନୁହେଁ, ଏହି କାହାଣୀ ସେଇ ସବୁ ନାରୀଙ୍କର ଯିଏକି ନ୍ୟାୟ ପାଇଁ ଲଢେଇ କରିଛନ୍ତି। ଏହା ଓଡ଼ିଶାର ପ୍ରଥମ ଏବଂ ସବୁଠୁ ବଡ଼ ପଲିଟିକାଲ ଡ୍ରାମା। ଆଶା କରୁଛି ଦର୍ଶକଙ୍କୁ ନିଶ୍ଚୟ ଭଲ ଲାଗିବ‘। ଏହି ୱେବ୍ ସିରିଜ୍, ଆପଣ ଦେଖି ପାରିବେ କଞ୍ଚା ଲଙ୍କା ଆପ୍ ରେ ଯାହାକି ଗୁଗୁଲ୍ ପ୍ଲେ ଷ୍ଟୋର୍, ଆପେଲ୍ ଷ୍ଟୋର୍, ୱେବ୍‌ ସାଇଟ୍ ସହିତ, ଜିଓ ଟିଭି, ଐରଟେଲ୍‌ ଏକ୍ସଷ୍ଟ୍ରିମ୍, ଓ.ଟି.ଟି ପ୍ଲେ ଏବଂ ପ୍ଲେ ବକ୍ସ ଇତ୍ୟାଦି ସୁପର୍ ଆପ୍ ଗୁଡିକରେ ମଧ୍ୟ ଉପଲବ୍ଧ।