Categories
ଆଜିର ଖବର ଧର୍ମ

ରାଶିଫଳ: ଅଗଷ୍ଟ 28 ତାରିଖ ଶନିବାରରେ ଏହି ପାଞ୍ଚୋଟି ରାଶି ଉପରେ ଶନିଦେବଙ୍କ ରହିଛି କୋପ

ମେଷ : ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଗୃହିଣୀମାନେ ଅତିରିକ୍ତ ଯତ୍ନବାନ ହେବା ଉଚିତ୍ । ରୋଷେଇ ଘରେ ଆଘାତ ହୋଇପାରେ । ଆଶା ବିଳମ୍ବ ହୋଇପାରେ। ବ୍ୟବସାୟ ଭଲ ହେବ । ଆୟ ଜାରି ରହିବ । ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସତର୍କ ରୁହନ୍ତୁ । ବିବାଦ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ବୃଷ : ବ୍ୟବସାୟ ଲାଭଦାୟକ ହେବ । ଚାକିରିରେ ଶାନ୍ତି ରହିବ । ଟଙ୍କା ପାଇବା ସହଜ ହେବ । ଘରୋଇ କାର୍ଯ୍ୟ ଠିକ୍ ସମୟରେ କରାଯିବ । ଆଜି ଶାନ୍ତି ଏବଂ ସୁଖ ରହିବ । ଥକ୍କା ଏବଂ ଦୁର୍ବଳତା ଦେଖାଯିବ । ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । କୋର୍ଟରେ ସୁସଙ୍ଗତତା ରହିବ ।

ମିଥୁନ : ଜମି କ୍ରୟ ଏବଂ ବିକ୍ରୟ ପାଇଁ ଏକ ଯୋଜନା ପ୍ରସ୍ତୁତ ହେବ । ସେଠାରେ ବହୁତ ଲାଭ ଅଛି । ଆପଣ ପରୀକ୍ଷା ଏବଂ ସାକ୍ଷାତକାରରେ ସଫଳତା ପାଇବେ । ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଲାଭଦାୟକ ହେବ । ତତ୍ପରତା ନାହିଁ। ଆଜି ଭଲ ଆକାରରେ ରହିବେ । ଶତ୍ରୁତା ବୃଦ୍ଧି ପାଇପାରେ ।

କର୍କଟ : ଛାତ୍ର ଶ୍ରେଣୀ ସଫଳତା ହାସଲ କରିବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଭଲ ହେବ । ଚାକିରିରେ କାମକୁ ପ୍ରଶଂସା କରାଯିବ । ପାରିବାରିକ ଚିନ୍ତା ରହିବ। ଲାଭ ପାଇଁ ସୁଯୋଗ ଆସିବ । ପାର୍ଟି ଏବଂ ପିକନିକର ଏକ କାର୍ଯ୍ୟକ୍ରମ ହେବ। ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରନ୍ତୁ ।

ସିଂହ : ଶାରୀରିକ ଯନ୍ତ୍ରଣା ହେବାର ସମ୍ଭାବନା ଅଛି । ବେପରୁଆ ହୁଅ ନାହିଁ। ଆୟରେ ନିଶ୍ଚିତତା ରହିବ । ବ୍ୟବସାୟ ଲାଭଦାୟକ ହେବ । ପୁରୁଣା ଶତ୍ରୁମାନେ ସକ୍ରିୟ ରହିବେ। ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର । କାହା ସହିତ ଅନାବଶ୍ୟକ ବିବାଦ ହୋଇପାରେ । ଦୁଃଖଦ ଖବର ଗ୍ରହଣ କରାଯାଇପାରେ, ଧର୍ଯ୍ୟବାନ ହୁଅ ।

କନ୍ୟା : ଅଧ୍ୟୟନ ଏବଂ ସାନ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା ରହିବ । ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ବେପରୁଆ ହୁଅ ନାହିଁ। ଅଳ୍ପ ପରିଶ୍ରମ ଦ୍ୱାରା ତୁମେ ସଫଳତା ପାଇବ । ଚାକିରିରେ କାମକୁ ପ୍ରଶଂସା କରାଯିବ । ବିନିଯୋଗରେ ବିଚକ୍ଷଣତା ବ୍ୟବହାର କରନ୍ତୁ । ସେଠାରେ ଟଙ୍କା ରହିବ ।

ତୂଳା : ତୁମେ କ୍ଳାନ୍ତ ଅନୁଭବ କରିବ । ଶାରୀରିକ ବିଶ୍ରାମ ଆବଶ୍ୟକ ହେବ । ଦୂରରୁ ସୁସମାଚାର ଗ୍ରହଣ କରାଯିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ରିସ୍କ ନେବାକୁ ସାହସ କର। ବ୍ୟବସାୟ ବୃଦ୍ଧି ପାଇବ । ଚାକିରିରେ ଆପଣ ସହକର୍ମୀଙ୍କ ସମର୍ଥନ ପାଇବେ । ତତ୍ପରତା ନାହିଁ । ଧନ ହେବ ।

ବିଛା : ବଡ ସମସ୍ୟାରୁ ମୁକ୍ତି ପାଇପାରିବେ । ଅପ୍ରତ୍ୟାଶିତ ଲାଭର ସମ୍ଭାବନା ଅଛି । ବେଟିଂ ଏବଂ ଲଟେରୀ ଠାରୁ ଦୂରରେ ରୁହନ୍ତୁ । ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ । ପ୍ରଲୋଭିତ ହୁଅ ନାହିଁ । ଶରୀର ସମର୍ଥନ କରିବ ନାହିଁ ।  ଉତ୍ତେଜନା ବୃଦ୍ଧି ପାଇବ । କାର୍ଯ୍ୟର ବାଧା ଦୂର କରି ପରିସ୍ଥିତି ଉପକାରୀ ହେବ ।

ଧନୁ : ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଚାକିରିରେ ଅଧିକାରୀଙ୍କ ଆଶା ବୃଦ୍ଧି ପାଇବ । ଟେନସନ ହେବ । ଅସଙ୍ଗତି କ୍ଷତି ଘଟାଇବ । ଅନ୍ୟମାନଙ୍କ କାର୍ଯ୍ୟ ପାଇଁ ଦାୟିତ୍ବ ନିଅ ନାହିଁ। ବ୍ୟବସାୟ ଭଲ ହେବ । ପ୍ରେମ ସଂପର୍କରେ ବିପଦ ନିଅ ନାହିଁ । ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ ।

ମକର : ଏପରି କୌଣସି କାର୍ଯ୍ୟ କର ନାହିଁ ଯାହାକୁ ଦୃଷ୍ଟି ଦେବାକୁ ପଡିବ । ବ୍ୟବସାୟ ଯାତ୍ରା ସଫଳ ହେବ । ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ଅନୁକୂଳ ହେବ । ତୁମେ ତୁମର ଦେୟ ଠିକ୍ ସମୟରେ ଦେବାକୁ ସକ୍ଷମ ହେବ । ଲାଭ ସୁଯୋଗ ଆସିବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ସେଠାରେ ଟଙ୍କା ରହିବ ।

କୁମ୍ଭ : ଯୋଜନାରେ ପରିବର୍ତ୍ତନ ହୋଇପାରେ । ସିଷ୍ଟମ୍ ଉନ୍ନତି କରିବ । ଲାଭ ସୁଯୋଗ ଆସିବ । ଆପଣ ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ଏକ ସୁଯୋଗ ପାଇବେ । ସମ୍ମାନ ପାଇବ । ବ୍ୟବସାୟିକ ଚୁକ୍ତି ହେବ । ଭୟ ଯୋଗୁଁ ନିଷ୍ପତ୍ତି ନେବା କ୍ଷମତା ପ୍ରଭାବିତ ହେବ ।

ମୀନ : ଅଘଟଣ ଘଟିବାର ସମ୍ଭାବନା ରହିବ । ପୂଜାପାଠରେ ଆଗ୍ରହ ରହିବ । ଏକ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ଥାଇପାରେ । ବ୍ୟବସାୟ ଲାଭଦାୟକ ହେବ। ଆଇନଗତ ପ୍ରତିବନ୍ଧକ ହଟାଇବା ପରେ ପରିସ୍ଥିତି ଅନୁକୂଳ ହେବ। ଆୟ ବୃଦ୍ଧି ପାଇବ। ଘର ବାହାରେ ସୁଖ ମିଳିବ ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଭୁବନେଶ୍ବରରୁ ଛଅଟି ଦେଶକୁ ଉଡିବ ବିମାନ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ କେନ୍ଦ୍ରମନ୍ତ୍ରୀ ସିନ୍ଧିଆ

ନୂଆଦିଲ୍ଲୀ, ରାଜ୍ୟଗୁଡିକରେ ବିମାନ ଚଳାଚଳ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହି ପ୍ରସଙ୍ଗରେ ସେ ଓଡ଼ିଶା ସମେତ କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ନାଗାଲେଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।

ଦେଶରେ ବିମାନ ଯାତ୍ରୀଙ୍କ ଚାହିଦା ପୂରଣ କରିବା ଲାଗି ଆସନ୍ତା ୪-୫ ବର୍ଷ ମଧ୍ୟରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ୨୦ ହଜାର କୋଟି ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ବିମାନ ବନ୍ଦରର ବିକାଶ ଓ ସମ୍ପ୍ରସାରଣ କରାଯିବ।

ସିନ୍ଧିଆ ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର କାର‌୍ୟ୍ୟକାରିତା ଲାଗି ଗୁରୁତ୍ବ ବହନ କରୁଥିବା ନିମ୍ନୋକ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏଏଆଇ ପକ୍ଷରୁ ଝାରସୁଗୁଡ଼ା ବିମାନ ବନ୍ଦରର ଦ୍ବିତୀୟ ପର‌୍ୟ୍ୟାୟ ସମ୍ପ୍ରସାରଣ ପାଇଁ ୧୭୮ ଏକର ଜମିର ଆବଶ୍ୟକତା ରହିଛି। ବର୍ତ୍ତମାନ ସୁଦ୍ଧା ଏହି ଜମି ହସ୍ତାନ୍ତର କରାଯାଇନାହିଁ।
ସେହିପରି ଆଞ୍ଚଳିକ ଯୋଗାଯୋଗ ଯୋଜନା-ଉଡ଼ାନ ଅନ୍ତର୍ଗତ ବିମାନ ଚଳାଚଳ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ଜୟପୁର ଏବଂ ଉତକେଲା ବିମାନ ବନ୍ଦର ବିକଶିତ କରାଯିବାର ଆବଶ୍ୟକତା ରହିଛି।

ଆଞ୍ଚଳିକ ବିମାନ ଯୋଗାଯୋଗ ଫଣ୍ଡ ଟ୍ରଷ୍ଟ (ଆରଏସିଏଫଟି) ପାଇଁ ଭିଜିଏଫ ଅଂଶଧନ ଭାବେ ରାଜ୍ୟ ସରକାରଙ୍କ ଉପରେ ୧.୪୮ କୋଟି ଟଙ୍କା ବକେୟା ରହିଛି।
ଭୁବନେଶ୍ବର-ଦୁବାଇ, ଭୁବନେଶ୍ବର-ଆବୁଧାବି, ଭୁବନେଶ୍ବର-ବ୍ୟାଂକକ୍, ଭୁବନେଶ୍ବର-କ୍ବାଲାଲୁମ୍ପୁର, ଭୁବନେଶ୍ବର-କଲୋମ୍ବୋ, ଭୁବନେଶ୍ବର-ସିଙ୍ଗାପୁର ଏବଂ ଭୁବନେଶ୍ବର-କାଠମାଣ୍ଡୁ ମାର୍ଗରେ ଅନ୍ତର୍ଜାତୀୟ ଉଡାନ୍ ବିମାନ ଚଳାଚଳ ନିମନ୍ତେ ୧୦୦ ପ୍ରତିଶତ ଭିଜିଏଫ ସହାୟତା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ତାଙ୍କର ସହମତି ଦେଇପାରିବେ।

୧୦୦ ପ୍ରତିଶତ ଭିଜିଏଫ ସମର୍ଥନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହମତି ପ୍ରଦାନ କରାଯିବା ପରେ ବିମାନ କମ୍ପାନୀଗୁଡ଼ିକ ପାଇଁ ବିଡିଂ ନିମନ୍ତେ ଏସବୁ ମାର୍ଗକୁ ଖୋଲାଯିବ ବୋଲି ସିନ୍ଧିଆ ତାଙ୍କର ପତ୍ରରେ ଦର୍ଶାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଓଡ଼ିଶାରେ ଲୁହାପଥର ଖନନ ପାଇଁ ନୀଳାଚଳ ଇସ୍ପାତ ନିଗମକୁ ସାହାଯ୍ୟ କରିବ ଏନ୍‌ଏମ୍‌ଡିସି

ହାଇଦ୍ରାବାଦ, ନ୍ୟାସନାଲ ମିନେରାଲ ଡେଭେଲପମେଣ୍ଟ କର୍ପୋରେସନ (ଏନ୍‌ଏମ୍‌ଡିସି), ଭାରତର ବୃହତ୍ତମ ଲୁହାପଥର ଉତ୍ପାଦନକାରୀ ଓଡ଼ିଶାରେ ଖଣି କାର୍ଯ୍ୟ ପୁନଃ ଆରମ୍ଭ ପାଇଁ ନୀଳାଚଳ ଇସ୍ପାତ ଲିମିଟେଡ (ଏନ୍‌ଆଇଏନ୍‌ଏଲ୍‌) କୁ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇବାକୁ ପଦକ୍ଷେପ ନେଇଛି । ମିଥିରଡ଼ା ଖଣି ବ୍ଲକରେ ଏନ୍‌ଆଇଏନ୍‌ଏଲ୍ ଲୁହାପଥର ଖଣି କାର୍ଯ୍ୟ ଆଜି ପୁର୍ନବାର ଆରମ୍ଭ ହୋଇଛି ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ସୁମିତ ଦେବ, ସିଏମ୍‌ଡି ଏନ୍‌ଏମ୍‌ଡିସି, ଶ୍ରୀ ପ୍ରକାଶ ଶତପଥି, ନିର୍ଦ୍ଦେଶକ (ଉତ୍ପାଦନ) ଏନ୍‌ଏମ୍‌ଡିସି, ଶ୍ରୀ ଆର୍ କେ. ଝା, ଏମ୍‌ଡି, ଏନ୍‌ଆଇଏନ୍‌ଏଲ୍ ଏବଂ ଏନ୍‌ଏମ୍‌ଡିସି ଓ ଏନ୍‌ଆଇଏନ୍‌ଏଲ୍ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏନ୍‌ଆଇଏନ୍‌ଏଲ୍ ପକ୍ଷରୁ ଇସ୍ପାତ ମନ୍ତ୍ରଣାଳୟ, ବାଣିଜ୍ୟ ମନ୍ତ୍ରଣାଳୟ ଏବଂ ଦିପମ୍‌ଙ୍କ ତତ୍ତ୍ୱାବଧାନରେ ଏନ୍‌ଏମ୍‌ଡିସିର ସହାୟତା ଲୋଡ଼ାଯାଇଥିଲା । ଓଡ଼ିଶାରେ ଉଚ୍ଚ ଶକ୍ତି ସମ୍ପନ୍ନ ଲୁହାପଥର ଯୋଗାଣରେ ସହାୟତା ଯୋଗାଇବା ପାଇଁ ଏନ୍‌ଏମ୍‌ଡିସିର ସହାୟତା ପାଇଁ ଏନ୍‌ଆଇଏନ୍‌ଏଲ ଏକ ଏମ୍‌ଓୟୁ ସ୍ୱାକ୍ଷର କରିଛି ।

ଏନ୍‌ଆଇଏନ୍‌ଏଲ, ଏମ୍‌ଏମ୍‌ଟିସି, ଇପିକଲ, ଓଏମ୍‌ସି, ଏନ୍‌ଏମ୍‌ଡିସି ଏବଂ ଅନ୍ୟାନ୍ୟ ମିଳିତ ଉଦ୍ୟୋଗ କମ୍ପାନୀଗୁଡ଼ିକ ଓଡ଼ିଶାର ଯାଜପୁରସ୍ଥିତ ଡୁବୁରୀ ଠାରେ ୧.୧ ଟିପିଏ ଇଣ୍ଟ୍ରିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିଛି । ଜାନୁୟାରୀ ୨୦୧୭ରେ କମ୍ପାନୀ ଲୁହାପଥର ଉତ୍ପାଦନ ପାଇଁ ଖଣି ଲିଜ୍ ହାସଲ କରିଥିଲା । ରାଜ୍ୟରେ ଲୁହାପଥର ଉତ୍ପାଦନକୁ ବୃଦ୍ଧି କରିବା ଏବଂ କମ୍ପାନୀର ଖର୍ଚ୍ଚ ତୁଲାଇବା ପାଇଁ ଏନ୍‌ଆଇଏନ୍‌ଏଲ ଦୁଇ ବର୍ଷ ପାଇଁ ବର୍ଷକୁ ଏକ ମିଲିୟନ ଟନ୍ ଲୁହାପଥର ବିକ୍ରୟ ପାଇଁ ଅନୁମତି ପାଇଲା ।

ବିକାଶ ସମ୍ପର୍କିିତ ସୂଚନା ଦେଇ ଏନ୍‌ଏମ୍‌ଡିସିର ସିଏମ୍‌ଡି ଶ୍ରୀ ସୁମିତ ଦେବ କହିଛନ୍ତି ଯେ, ଏନ୍‌ଆଇଏନ୍‌ଏଲ ଦ୍ୱାରା ଲୁହାପଥର ଖଣି ଖନନ କେବଳ ରାଜ୍ୟରେ ଖଣି ଅଭାବକୁ ହ୍ରାସ କରିବ ତାହା ନୁହେଁ, ବରଂ ଏନ୍‌ଆଇଏନ୍‌ଏଲ ସମ୍ମୁଖୀନ ହେଉଥିବା ଆର୍ôଥକ ପ୍ରତିବନ୍ଧକକୁ ଦୂର କରିବାରେ ସହାୟକ ହେବ । ଏନ୍‌ଏମ୍‌ଡିସି ସେମାନଙ୍କର ଏହି ନୂତନ ପ୍ରୟାସରେ ଏନ୍‌ଆଇଏନ୍‌ଏଲକୁ ପୂର୍ଣ୍ଣ ସମର୍ଥନ ଯୋଗାଉଛି ।

Categories
ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ଦୁଇ ବର୍ଷର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ , ଜାଣନ୍ତୁ କେଉଁମାନେ ହେଲେ ମନୋନିତ

ଭୁବନେଶ୍ୱର, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ ୨୦୧୯ ଓ ୨୦୨୦ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ସହିତ ଅନ୍ୟ ୧୫ଟି ବର୍ଗରେ ଏକାଡେମୀ ସମ୍ମାନ ଘୋଷଣା କରାଯାଇଛି । ଆଜି ସଂସ୍କୃତି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକାଡେମୀର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି ଏହା ଘୋଷଣା କରିଥିଲେ ।

୨୦୧୯ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଶ୍ରୀ ଅନନ୍ତ ମହାପାତ୍ର ଏବଂ ୨୦୨୦ ମସିହା ପାଇଁ ଓଡ଼ିଶୀ ନୃତ୍ୟ ବିଶାରଦ ତଥା ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତିଙ୍କ ନାମ ମନୋନୀତ କରାଯାଇଛି ।

ସେହିପରି ହିନ୍ଦୁସ୍ଥାନୀ କଣ୍ଠସଂଗୀତ ଓ ଗୀତିକବିତା ବର୍ଗରେ ଯଥାକ୍ରମେ ସୁନନ୍ଦା ସମ୍ମାନ ଓ ସାରଦା ପ୍ରସନ୍ନ ସମ୍ମାନରେ ୨୦୧୯ ପାଇଁ ଡ. ରଘୁନାଥ ସାହୁ, ଭୁବନେଶ୍ୱର ଏବଂ ୨୦୨୦ ପାଇଁ ଶ୍ରୀମତୀ ବନ୍ଦିତା ରାୟ, କଟକଙ୍କୁ, ୨୦୧୯ ପାଇଁ ବିନୋଦ କୁମାର ପଶାୟତ, ସମ୍ବଲପୁର ଏବଂ ୨୦୨୦ ପାଇଁ ଅଲେଖ ପଢ଼ୀହାରୀଙ୍କୁ ମନୋନୀତ କରାଯାଇଛି ।

ଅନ୍ୟ ସମ୍ମାନଗୁଡ଼ିକ ମଧ୍ୟରେ ୨୦୧୯ ବର୍ଷ ନିମନ୍ତେ ଅଭିନୟ ପାଇଁ ଶ୍ରୀ ନବକିଶୋର ଆଚାର୍ଯ୍ୟ, ସାକ୍ଷୀଗୋପାଳ, ପୁରୀ ଏବଂ ଶ୍ରୀମତୀ ମମତା ମହାନ୍ତି, ଭୁବନେଶ୍ୱର, ନାଟ୍ୟ ରଚନା ପାଇଁ ଶ୍ରୀ ସୁଧାକର ନନ୍ଦ, ଭଦ୍ରକ, ନିର୍ଦ୍ଦେଶନା ପାଇଁ ଶ୍ରୀ ହରିହର ମିଶ୍ର, ବରଗଡ଼, ମଞ୍ଚକଳା ପାଇଁ ଶ୍ରୀ ପ୍ରଭାସ ଚନ୍ଦ୍ର ମିଶ୍ର, ଭବାନୀପାଟଣା, କଳାହାଣ୍ଡି, ଲୋକସଂଗୀତ ପାଇଁ ଶ୍ରୀ ରାଧାଶ୍ୟାମ ସାହୁଶର୍ମା, ଗଞ୍ଜାମ, ଲୋକବାଦ୍ୟ ପାଇଁ ଶ୍ରୀ ଶଙ୍କର ପ୍ରଧାନ, ବଲାଙ୍ଗୀର, ଲୋକନୃତ୍ୟ ପାଇଁ ଶ୍ରୀ କାଳୁଚରଣ ସାହୁ, ଭଞ୍ଜନଗର, ଗଞ୍ଜାମ, ଲୋକନାଟ୍ୟ ପାଇଁ ଶ୍ରୀ କଣ୍ଠ ଗୌଡ଼, କୋରାପୁଟ, ଯନ୍ତ୍ର ସଂଗୀତ (ଆନଦ୍ଧ ତାଳ) ପାଇଁ ଡ. ଜଗନ୍ନାଥ କୁଅଁର, ଭୁବନେଶ୍ୱର, ଯନ୍ତ୍ର ସଂଗୀତ (ତାରବାଦ୍ୟ) ପାଇଁ ଶ୍ରୀ କୈଳାସ ଚନ୍ଦ୍ର ପାତ୍ର, କଟକ, ଓଡ଼ିଶୀ ନୃତ୍ୟ ପାଇଁ ଶ୍ରୀ ରତିକାନ୍ତ ମହାପାତ୍ର, ଭୁବନେଶ୍ୱର, ଓଡ଼ିଶୀ କଣ୍ଠ ସଂଗୀତ ପାଇଁ ଶ୍ରୀ ଚନ୍ଦ୍ରମଣି ଲେଙ୍କା, ପୁରୀ, ସୁଗମ ସଂଗୀତ ପାଇଁ ଶ୍ରୀ ତାନ୍‌ସେନ୍‌ ସିଂ, ଭୁବନେଶ୍ୱର, ଶ୍ରୀ ବିନୋଦ କୁମାର ପଶାୟତ୍‌, ସମ୍ବଲପୁରଙ୍କୁ ଏକାଡେମୀ ପକ୍ଷରୁ ସମ୍ମାନିତ କରାଯିବ ।

ସେହିପରି ୨୦୨୦ ନିମନ୍ତେ ଅଭିନୟ ପାଇଁ ଶ୍ରୀମତୀ ସୁଶୀଳା ନାୟାର, ବରଗଡ଼ ଏବଂ ଶ୍ରୀ ବିଜୟ କୁମାର ପଟ୍ଟନାୟକ, ଗାଙ୍ଗପୁର, ଗଞ୍ଜାମ, ନାଟ୍ୟ ରଚନା ପାଇଁ ଶ୍ରୀ ଭାସ୍କର ଚନ୍ଦ୍ର ମହାପାତ୍ର, ରାଉରକେଲା, ନିର୍ଦ୍ଦେଶନା ପାଇଁ ଶ୍ରୀ ସୁବୋଧ ପଟ୍ଟନାୟକ, ଭୁବନେଶ୍ୱର, ମଞ୍ଚକଳା ପାଇଁ ଶ୍ରୀ ପ୍ରଭାତ ମହାରଣା, ଭୁବନେଶ୍ୱର, ଲୋକସଂଗୀତ ପାଇଁ ଶ୍ରୀ ନବୀନ କିଶୋର କୁଅଁଁର, ବଲାଙ୍ଗୀର, ଲୋକବାଦ୍ୟ ପାଇଁ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନ, ପୁରୀ, ଲୋକନୃତ୍ୟ ପାଇଁ ଶ୍ରୀ ନାରାୟଣ ମହାରଣା, ଭଞ୍ଜନଗର, ଲୋକନାଟ୍ୟ ପାଇଁ ଶ୍ରୀ ନିର୍ମଳ ଚନ୍ଦ୍ର ରାଉତ, ଭଦ୍ରକ, ଯନ୍ତ୍ରସଂଗୀତ (ଆନଦ୍ଧ ବାଦ୍ୟ) ପାଇଁ ଶ୍ରୀ ଶରତ କୁମାର ପାଣି, ଭୁବନେଶ୍ୱର, ଯନ୍ତ୍ରସଂଗୀତ(ସୁଶୀର ବାଦ୍ୟ) ପାଇଁ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର, କାମାକ୍ଷାନଗର, ଓଡ଼ିଶୀ ନୃତ୍ୟ ପାଇଁ ଶ୍ରୀ ଗଜେନ୍ଦ୍ର ପଣ୍ଡା, ଗଞ୍ଜାମ, ଓଡ଼ିଶୀ କଣ୍ଠ ସଂଗୀତ ପାଇଁ ଶ୍ରୀ ରଘୁନାଥ ପାତ୍ର, ପାରଳାଖେମୁଣ୍ଡି, ସୁଗମ ସଂଗୀତ ପାଇଁ ଶ୍ରୀ ବିଭୁଧେନ୍ଦ୍ର ଦାସ, ଭୁବନେଶ୍ୱର ସମ୍ମାନିତ କରାଯିବ ।

ମନୋନୀତ କଳାକାରମାନଙ୍କୁ ଆସନ୍ତା ୩୦ ତାରିଖ ଦିନ ଅପରାହ୍ନ ୪ଟାରେ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଁ ମାନପତ୍ର, ଉପଢ଼ୌକନ, କୃତୀଫଳକ ଓ ୫ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯିବ । ସୁନନ୍ଦା ସମ୍ମାନ ଓ ସାରଦା ପ୍ରସନ୍ନ ସମ୍ମାନ ପାଇଁ ୨.୫ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ପୁରସ୍କାର ବାବଦକୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ବାବଦକୁ ପ୍ରଦାନ କରାଯିବ ବୋଲି ଏକାଡେମୀର ସଚିବ ଶ୍ରୀ ପ୍ରବୋଧ ରଥ ପ୍ରକାଶ କରିଛନ୍ତି । ଆଜିର ଏହି ସମ୍ମାନ ଘୋଷଣାବେଳେ ଏକାଡେମୀର ଉପସଭାପତି ଶ୍ରୀ ମନ୍ମଥ ଶତପଥୀ ଯୋଗଦେଇ ମନୋନୟନର ବିଭିନ୍ନ ଧାରା ଓ ପ୍ରକ୍ରିୟା ଉପରେ ସାମ୍ବାଦିକମାନଙ୍କୁ ଅବଗତ କରାଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ରେଳ ଯାତ୍ରୀମାନଙ୍କ ପାଇଁ ବଡ ସୂଚନା, ବାତିଲ ହେଲା ନଅ’ଟି ପାସେଞ୍ଜର ସହ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର, କୋଭିଡ୧୯ ମହାମାରୀ ସମୟରେ କେତେକ ଟ୍ରେନରେ କମ ଯାତ୍ରୀଙ୍କ ଉପସ୍ଥିତି ଦେଖି କେତେକ ଟ୍ରେନକୁ ବାତିଲ କରାଯାଇଛି। ପୂର୍ବତଟ ରେଳପଥ ନିଷ୍ପତି ଅନୁସାରେ ବାତିଲ ହୋଇଥିବା ଟ୍ରେନଗୁଡିକ ହେଲା

ଶନିବାର ଓ ରବିବାର ଦିନମାନଙ୍କରେ ବାତିଲ୍ ହେଉଥିବା ଟ୍ରେନ

କ- ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ବତନ୍ତ୍ର ଟ୍ରେନ

ଖ- ୦୮୪୫୬/୦୮୪୫୫ ଖୋର୍ଦ୍ଧା ରୋଡ଼-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ ସ୍ବତନ୍ତ୍ର ଟ୍ରେନ

ସେପ୍ଟେମ୍ବର ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ

କ- ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ

ଖ. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

ଗ. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ

ଘ. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

ଙ. ୦୮୪୩୧/୦୮୪୩୨ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ

ପୁରୀ-ଅନୁଗୁଳ ସ୍ପେସିଆଲ୍ ଆଂଶିକ ବାତିଲ୍

୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ସେପ୍ଟେମ୍ବର ପହିଲା ଠାରୁ ୧୫ ତାରିଖ ପର‌୍ୟ୍ୟନ୍ତ ଉଭୟ ଦିଗକୁ ଶନିବାର ଏବଂ ରବିବାର ଦିନ ମାନଙ୍କ ବ୍ୟତୀତ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ ବାତିଲ୍ ରହିବ ଏବଂ ଉଭୟ ଦିଗରୁ ତାଳଚେର ଏବଂ ପୁରୀ ମଧ୍ୟରେ ଚଳାଚଳ କରିବ।

ଭୁବନେଶ୍ୱର-ବଲାଙ୍ଗୀର ସ୍ୱତନ୍ତ୍ର ଟ୍ରେନ ପୁନଃ ଚଳାଚଳ

୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନର ସେବା ଉଭୟ ଦିଗରୁ ସେପ୍ଟେମ୍ବର ମାସ ପହିଲା ଠାରୁ ଉଭୟ ପାର୍ଶ୍ୱରୁ ପରବର୍ତ୍ତୀ ପରାମର୍ଶ ପର‌୍ୟ୍ୟନ୍ତ ଚଳାଚଳ କରିବ। କୋଭିଡି ୧୯ ସଂକ୍ରମଣର ଶିକୁଳିକୁ ଭାଙ୍ଗିବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନର ସେବାକୁ ହ୍ରାସ କରାଯାଇଥିଲା

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ ସନ୍ଦେହ, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସକାଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ଖବର ହସ୍ତଗତ ହୋଇଛି। ସାପ କାମୁଡ଼ିବାରେ ମହିଳାଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ମୁତାବକ ଆଜି ସକାଳେ ଭୀମପୁର ଗ୍ରାମ ଗୋଡିପଦର ସାହିର ଚମ୍ପା ସାହୁ (୬୫) ନାମକ ମହିଳା ଜଣଙ୍କ ଘର ବାରିପଟେ କାମ କରୁଥିବାବେଳେ ତଳେ ପଡିଯାଇଥିଲେ। ତାଙ୍କୁ ଏକ ସାପ କାମୁଡ଼ିଦେଇଥିବା ନେଇ ସନ୍ଦେହ କରାଯାଇଥିଲା। ପରିବାର ଲୋକ ତୁରନ୍ତ ଚମ୍ପାଙ୍କୁ ବାଣପୁର ମେଡିକାଲ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ନେଇ ପରିବାର ପକ୍ଷରୁ ବାଣପୁର ଥାନାରେ ଜଣାଇଲା ପରେ ବାଣପୁର ପୋଲିସ ୯/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କଲା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବାଣପୁର ପୋଲିସ କହିଛି।

Categories
ଆଜିର ଖବର ରାଜ୍ୟ ଖବର

କଟକ ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର,  ଆଜି ମୁଖ୍ୟମନ୍ତ୍ରୀ କଟକ ଗସ୍ତ କରି ଏସସିବି ମେଡିକାଲରେ ନଅ ଟି ଏକମୋ ମେସିନର ଉଦଘାଟନ କରିଛନ୍ତି। ସେଠାରୁ ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ତାଳଦଣ୍ଡା କେନାଲ ଓ ଏହାର ଦୁଇପାର୍ଶ୍ବର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ବୁଲି ଦେଖିଥିଲେ। ଏହାର ବିକାଶ କାମକୁ ନେଇ ନବୀନ ସନ୍ତୋଷ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ ପାଣ୍ଡିଆନ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟଯୋଗାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ବିଧାୟକଗଣ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦେଶରେ ପ୍ରଥମ : ଓଡିଶାରେ ବ୍ୟୟ ବହୁଳ ଏକ୍‌ମୋ ଚିକିତ୍ସା ହେଲା ମାଗଣା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକର ଶ୍ରୀରାମଚନ୍ଦ୍ର ଭଂଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସ୍ଥାପିତ ହୋଇଥିବା ୯ଟି ଏକ୍‌ମୋ ମେସିନକୁ ଜନସାଧାରଣଙ୍କ ପାଇଁ ଲୋକାର୍ପିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଡାକ୍ତରଖାନାରେ ସ୍ଥାପିତ ହୋଇଥିବା ଏକ୍‌ମୋ ମେସିନଗୁଡିକୁ ବୁଲି ଦେଖିଥିଲେ।

ଏହା ସମଗ୍ର ପୂର୍ବ ଭାରତରେ ସବୁଠାରୁ ବଡ ଏକ୍‌ମୋ ୟୁନିଟ୍ ଏବଂ ଏକ୍‌ମୋ ଭଳି ବ୍ୟୟ ବହୁଳ ଚିକିତ୍ସା ବିନା ଖର୍ଚ୍ଚରେ ଯୋଗାଇବାରେ ସମଗ୍ର ଦେଶରେ ସରକାର ସ୍ତରରେ ପ୍ରଥମ ଓ ସର୍ବବୃହତ । ଏଥିପାଇଁ ଅଭିଜ୍ଞ ବିଶେଷଜ୍ଞ ମାନଙ୍କୁ ନିୟୋଜିତ କରାଯାଇଛି।

କଟକରେ ଏହି ସୁବିଧା ପାଇଁ ରୋଗୀମାନଙ୍କୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହାଦ୍ବାରା ରୋଗୀ ଓ ସେମାନଙ୍କ ପରିବାର ଉନ୍ନତ ଚିକିତ୍ସା ଓ ଆର୍ଥିକ ଦୃଷ୍ଟିକୋଣରୁ ଆଶ୍ବସ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ଜୀବନ ରକ୍ଷାରେ ଏହି ସେବା ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କରୋନାର ଦ୍ବିତୀୟ ଲହରୀରେ ଫୁସଫୁସ ରୋଗରେ ଗୁରୁତର ଆକ୍ରାନ୍ତ ହୋଇଥିବା ରୋଗୀ ମାନଙ୍କ ପାଇଁ ଏକ୍‌ମୋ ମେସିନ୍‌ ଏକ ଜୀବନ ରକ୍ଷାକାରୀ ବ୍ୟବସ୍ଥା। ଓଡିଶାରେ ଏହି ସୁବିଧା ବିଶେଷ ନ ଥିବାରୁ, ଗୁରୁତର ରୋଗୀମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଥିଲା । ବର୍ତ୍ତମାନ ଏହି ସୁବିଧା କଟକରେ ସରକାରୀ ଭାବରେ ଉପଲବ୍‌ଧ ହେବାରୁ ଅନେକ ରୋଗୀ ଉପକୃତ ହୋଇପାରିବେ ।

ଦ୍ବିତୀୟ ଲହରର ସ୍ମୃତିକୁ କଷ୍ଟଦାୟକ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନାର ଦ୍ବିତୀୟ ଲହର ସାରା ଦେଶରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆଗୁଆ ଯୋଜନା ଓ ଉପଯୁକ୍ତ ପରିଚାଳନା ଯୋଗୁ ଓଡିଶାରେ ଆମେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିଛୁ । ବିଶେଷଜ୍ଞମାନେ ତୃତୀୟ ଲହରୀର ସମ୍ଭାବନା ଏବଂ ଏଥିରେ ପିଲାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ କରୁଥିବାରୁ, ରାଜ୍ୟ ସରକାର ଜିଲ୍ଲାସ୍ତରରେ କୋଭିଡ ହସ୍‌ପିଟାଲ ଗୁଡିକରେ ଶିଶୁ ଚିକିତ୍ସା ଉପରେ ଗୁରୁତ୍ବ ଦେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି।

ଆମ ପିଲାମାନେ ଯେପରି କରୋନା ସଂକ୍ରମଣରୁ ସୁରକ୍ଷିତ ରହିବେ, ସେଥିପାଇଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍‌ଡାଉନର ନିୟମଗୁଡିକୁ କୋହଳ କରାଯାଇଥିଲେ ମଧ୍ୟ ସଂକ୍ରମଣର ଆଶଙ୍କା ରହିଛି । ତେଣୁ ଜନସାଧାରଣ ମାସ୍କ ପିନ୍ଧିବା ସହିତ, ହାତ ଧୋଇବା, ଭିଡରୁ ଦୂରରେ ରହିବା ଆଦି ସମସ୍ତ କୋଭିଡ ନିୟମାବଳୀକୁ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ ଘରୋଇ ଡାକ୍ତରଖାନାରେ ଏକ୍ ମୋ ଚିକିତ୍ସା ପାଇଁ ସର୍ବନିମ୍ନ ଦଶ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଥାଏ ।ସ୍ଥଳ ବିଶେଷ ରେ ଏହା ଆହୁରି ବୃଦ୍ଧି ପାଇଥାଏ ।ତେଣୁ ସରକାରୀ ସ୍ତରରେ ଏହି ଉନ୍ନତ ଚିକିତ୍ସା ସୁବିଧା ଗରିବ ତଥା ମଧ୍ୟ ବିତ୍ତ ଲୋକଙ୍କ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ ଵୋଲି ଆଶା କରାଯାଏ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟଯୋଗାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ବିଧାୟକଗଣ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଓ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

BIG NEWS: ଓଡିଶାରେ ଇଲେଟ୍ରିକ ଗାଡି କିଣିଲେ ମିଳିବ ରିହାତି, ରାଜ୍ୟ କ୍ୟାବିନେଟରେ ନିଆଗଲା ନିଷ୍ପତି

ଭୁବନେଶ୍ବର, ଓଡିଶାରେ ଇଲେଟ୍ରିକ ଯାନକୁ ମିଳିବ ରିହାତି, ଏ ନେଇ ଆଜି ରାଜ୍ୟ କ୍ୟାବିନେଟରେ ନିଆଯାଇଛି ବଡ ନିଷ୍ପତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ଏଥିରେ 2025 ସୁଦ୍ଧା 20 ପ୍ରତିଶତ ଇଲେଟ୍ରିକ ଯାନ ରାଜ୍ୟରେ ବିକ୍ରି କରାଯିବାକୁ ଉତ୍ସାହିତ କରାଯିବ। ସେଥିପାଇଁ ଓଡିଶା ଇଲେଟ୍ରିକ ଭେଇକଲ ଆଇନ 2021କୁ ସ୍ବୀକୃତି ପ୍ରଦାନ କରାଯାଇଛି।

ସେହିପରି ଏହି ଇଲେଟ୍ରିକ ଯାନ ଓଡିଶାରେ ବିକ୍ରି ବୃଦ୍ଧି ପାଇଁ ରାଜ୍ୟ ସରକାର ଉତ୍ସାହିତ କରିବେ। ଅନ୍ୟପକ୍ଷରେ ଏହି ଶିଳ୍ପକୁ ମଧ୍ୟ ରାଜ୍ୟ ସରକାର ପ୍ରତ୍ସାହିତ କରିବେ ବୋଲି କ୍ୟାବିନେଟରେ ନିଷ୍ପତି କରାଯାଇଛି। ରାଜ୍ୟରେ ଏହି ଗାଡି ନିର୍ମାଣ ପାଇଁ କଂପାନୀ ଆଗ୍ରହୀ ହେଲେ ସେମାନଙ୍କୁ ପର୍ଯ୍ୟାପ୍ତ ସୁବିଧା ସରକାର ଯୋଗାଇବେ।

ଏଥିସହିତ ଓଡିଶାରେ ଏହି ଯାନ ଉପରେ ଗବେଷଣା ତଥା ବିକାଶ ପାଇଁ ମଧ୍ୟ ରାଜ୍ୟ ସରକାର ସୁବିଧା ସୁଯୋଗ ଯୋଗାଇ ଦେବେ। ଯେଉଁମାନେ ଏହି ଗାଡି କ୍ରୟ କରିବେ ସେମାନଙ୍କୁ ରାଜ୍ୟ ସରକାର ବିକ୍ରୟ ରିହାତି ମଧ୍ୟ ଘୋଷଣା କରିଛନ୍ତି। ଏପରିକି ଋଣ କରି ଗାଡି କିଣିଲେ ସେହି ଋଣର ସୁଧ ଉପରେ ରାଜ୍ୟ ସରକାର ରିହାତି ପ୍ରଦାନ କରିବେ।

ଏହି ଗାଡିର ବୀମାଭୁକ୍ତ ପର୍ଯ୍ୟନ୍ତ ରୋଡ ଟ୍ୟାକ୍ସ ଏବଂ ରେଜିଷ୍ଟ୍ରେସନ ଫି ମଧ୍ୟ ଛାଡ କରିବା ପାଇଁ ନବୀନ ସରକାର ବଡ ନିଷ୍ପତି ଗ୍ରହଣ କରିଛନ୍ତି। ଏହାଦ୍ବାରା ଲୋକମାନେ ଏହି ଗାଡି କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ। ସେହିପରି ଏମଏସଏମଇ ବିଭାଗ ଦ୍ବାରା ଏହି କ୍ଷେତ୍ରରେ ଷ୍ଟାର୍ଟଅପ କୁ ଉତ୍ସାହିତ କରିବା ପାଇଁ ମଧ୍ୟ କ୍ୟାବିନେଟ ନିଷ୍ପତି ଗ୍ରହଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ଆଇପିଏସ ଅଧିକାରୀ ଅମିତାଭ ଠାକୁରଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୋଲିସ

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁରଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି। ଅମିତାଭ ଠାକୁରଙ୍କୁ ଲକ୍ଷ୍ନୌର ହଜରତଗଞ୍ଜ ପୋଲିସ ଗିରଫ କରିଛି। ସୁପ୍ରିମକୋର୍ଟ ବାହାରେ ଆତ୍ମହତ୍ୟା କରିଥିବା ଜଣେ ମହିଳାଙ୍କ ଆତ୍ମହତ୍ୟାକୁ ନେଇ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ଏଥି ସହ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ କହିଛନ୍ତି ଯେ, ପୂର୍ବତନ ପୋଲିସ ଅଧିକାରୀ ବିରୋଧରେ ବିଜେପି ସରକାରଙ୍କ ପୋଲିସର ଅଦ୍ୱିତୀୟ କାର୍ଯ୍ୟ! କେବଳ ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବା ବିଜେପିର କାର୍ଯ୍ୟ। ଏବେ ବିଜେପି ସରକାରଙ୍କ ଚାପ ଯୋଗୁଁ ପୋଲିସ ପୋଲିସ ବିରୋଧରେ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଛି। ଅବସରପ୍ରାପ୍ତ ଆଇପିଏସ୍ ପ୍ରତି ଏପରି ବ୍ୟବହାର କ୍ଷମା ଯୋଗ୍ୟ ନୁହେଁ।

ପୂର୍ବତନ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁରଙ୍କ ବିରୋଧରେ ଦୁଷ୍କର୍ମ ପୀଡିତାଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ଅଭିଯୁକ୍ତ ତଥା ବିଏସପି ସାଂସଦ ଅତୁଲ ରାୟଙ୍କୁ ଅମିତାଭ ଠାକୁର ସହଯୋଗ କରିଥିବା ଅଭିଯୋଗ ହୋଇଛି।

ଏହାପୂର୍ବରୁ ଦୁଷ୍କର୍ମ ପୀଡିତା ଏବଂ ତାଙ୍କ ବନ୍ଧୁ ଅମିତାଭ ଠାକୁରଙ୍କ ବିରୋଧରେ ସୁପ୍ରିମକୋର୍ଟ ବାହାରେ ଆତ୍ମହତ୍ୟା କରିବା ପୂର୍ବରୁ ଅନେକ ଅଭିଯୋଗ କରିଥିଲେ। ଆତ୍ମହତ୍ୟା ସମୟରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ମଇ ୨୧ ତାରିଖ ରେସାକ୍ଷୀ ସତ୍ୟମ ରାୟ ମୃତ୍ୟୁ ବରଣ କରିଥିଲେ ଏବଂ ଚିକିତ୍ସା ସମୟରେ ମଇ ୨୫ ତାରିଖରେ ଦୁଷ୍କର୍ମ ପୀଡିତା ମଧ୍ୟ ମୃତ୍ୟୁବରଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ ଅଲ୍ଲ୍ଟିମେଟ ମେଡିକେୟାରରେ ପ୍ରଥମ ଥର ପାଇଁ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଓଡିଶାରେ ପ୍ରଥମ ଥର ପାଇଁ ସମ ଅଲ୍ଟିମେଟ ମେଡିକେୟାରରେ ଅତ୍ୟାଧୁନିକ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟାରେ ଚିକିତ୍ସା ଆରମ୍ଭ କରାଯାଇଛି। ଏହା ଏକ ଅଭିନଵ ଓ ଅତ୍ୟାଧୁନିକ ପଦ୍ଧତି ଯାହା ସାହାଯ୍ୟରେ ମଣିଷର ଲାଳ ଗ୍ରନ୍ଥିରେ ଉପୁଜୁଥିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ର ସୁକ୍ଷ୍ମ ଏଣ୍ଡୋସ୍କୋପି ମାଧ୍ୟମରେ ପରୀକ୍ଷା, ଚିକିତ୍ସା ଓ ଅସ୍ତ୍ରୋପଚାର କରାଯାଇପାରୁଛି।

ନିକଟରେ ଭୁବନେଶ୍ୱରର ଏକ ଯୁବକଙ୍କ ଲାଳ ଗ୍ରନ୍ଥି (ସବମାଣ୍ଡୁଲାର ଗ୍ଲାଣ୍ଡ ଡକ୍ଟ) ରେ ପଥର ସୃଷ୍ଟି ହୋଇଥିବା ବେଳେ ଏହି ସିଆଲୋଏଣ୍ଡୋସ୍କୋପିକ ପଦ୍ଧତି ରେ ତାହା ବାହାର କରିବାରେ ସଫଳ ହୋଇଛନ୍ତି ସମ ଅଲ୍ଲ୍ଟିମେଟ ମେଡିକେୟାରର ଇଏନଟି ଓ ସ୍କଲ ବେସ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁ। ପଥର ବାହାରିବା ପରେ ସୁସ୍ଥ ହୋଇଛନ୍ତି ଯୁବକ ଜଣକ।

ପୂର୍ବରୁ ସିଆଲାଡେନୀଟିସ କୁହା ଯାଉଥିବା ଏହି ସମସ୍ୟା ଦେଖାଦେଲେ ବେକ କିଛି ଅଂଶକୁ କାଟି ସମ୍ପୂର୍ଣ ସାଲାଇଭାରି ଗ୍ଲାଣ୍ଡ କୁ ବାହାର କରାଯାଉଥିଲା। ଯାହାଦ୍ୱାରା ବେକରେ ଏକ ବଡ ଦାଗ ମଧ୍ୟ ରହିଯାଉଥିଲା ବୋଲି ଡାକ୍ତର ସାହୁ କହିଛନ୍ତି।

ସିଆଲାଡେନିଟିସ, ସିଆଲୋଲିଥିଆସୀସ ଏବଂ ଅନ୍ୟାନ୍ୟ ଜଟିଳ ଲାଳ ଗ୍ରନ୍ଥୀ ଜନିତ ରୋଗର ପରୀକ୍ଷା, ଚିକିତ୍ସା ଓ ଅପରେସନ ଏବଂ ଅପରେସନ ପରବର୍ତୀ ପ୍ରକ୍ରିୟା ନିମନ୍ତେ ସିଆଲୋଏଣ୍ଡୋସ୍କୋପି ଏକ ଅତ୍ୟାଧୁନିକ ପ୍ରକ୍ରିୟା। ୧.୩ ମିଲିମିଟର ଆକାରର ଏକ ଛୋଟ ଏଣ୍ଡୋସ୍କୋପକୁ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟାରେ ସାଲାଇଭାରୀ ଗ୍ଲାଣ୍ଡ ଡକ୍ଟ ଭିତରକୁ ଭର୍ତ୍ତି କରାଯାଇ ପରୀକ୍ଷା ଓ ଚିକିତ୍ସା କରାଯାଇଥାଏ।

ଶରୀରରେ ଜଳୀୟ ଅଂଶ କମିବା ଓ ଖାଦ୍ୟ ଗ୍ରହଣରେ ଅନିୟମିତତା ହେଲେ ଲାଳ ଗ୍ରନ୍ଥୀରେ ପଥର ସୃଷ୍ଟି ହୋଇଥାଏ। ପ୍ରଚୁର ପରିମାଣରେ ଜଳୀୟ ପଦାର୍ଥ ଗ୍ରହଣ ନ କଲେ ଲାଳ ଜମାଟ ବାନ୍ଧି ଥାଏ ଓ ଠିକ ଭାବେ ଖାଦ୍ୟ ନ ଖାଇଲେ ଲାଳ ସୃଷ୍ଟି ନହୋଇ ସାଲାଇଭାରୀ ଡକ୍ଟରେ ପଥର ସୃଷ୍ଟି ହୁଏ ବୋଲି ଡାକ୍ତର ସାହୁ କହିଛନ୍ତି।

ବେକର ବାମ ପଟର ଉପର ଭାଗ ଫୁଲି ଥିବା ସହ ଖାଇବା ସମୟରେ ଏହା ଫୁଲିଯାଉଥିବା ବେଳେ କିଛି ଘଣ୍ଟା ପରେ ପୁଣି କମିଯାଉଥିବାର ସମସ୍ୟା ନେଇ ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ର ଏହି ୩୦ ବର୍ଷୀୟ ଯୁବକ ଜଣକ ଆସିଥିଲେ। ଚିକିତ୍ସା ସମୟରେ ତାଙ୍କର ସବ ମାଣ୍ଡିବୁଲାର ଡକ୍ଟ ଷ୍ଟୋନ ଚି଼ହ୍ନଟ ହୋଇଥିଲା ଏବଂ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟାରେ ଶରୀରରେ କୌଣସି ଦାଗ ସୃଷ୍ଟି କରାନଯାଇ ପଥର ବାହାର କରାଯାଇଛି।

ଆମେ ଯେଭଳି କିଡ଼ନୀରେ ଷ୍ଟୋନ ସୃଷ୍ଟି ହେଲେ କିଡ଼ନୀ ବାହାର କରି ନଥାଉ ସେହିଭଳି ଲାଳ ଗ୍ରନ୍ଥୀରେ ଷ୍ଟୋନ ହେଲେ ସମ୍ପୂର୍ଣ ଗ୍ରନ୍ଥୀ କୁ ବାହାର କରିବାର ଆବଶ୍ୟକତା ନାହିଁ।  ସିଆଲୋଏଣ୍ଡୋସ୍କୋପିକ ପଦ୍ଧତିରେ ଖୁବ ସହଜରେ ପଥର କଢ଼ାଯାଇପାରିବ ବୋଲି ଡାକ୍ତର ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୯୮୬ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୧୧, କଟକରୁ ୧୩୪, ଯାଜପୁରରୁ ୫୭, ମୟୂରଭଞ୍ଜରୁ ୩୩, ପୁରୀରୁ ୩୩, ଜଗତସିଂହପୁରରୁ ୨୯, ସୋନପୁରରୁ ୨୫, କେନ୍ଦ୍ରାପଡାରୁ ୨୦, ବାଲେଶ୍ବରରୁ ୧୯, ସମ୍ବଲପୁରରୁ ୧୫, ଅନୁଗୁଳରୁ ୧୪, କନ୍ଧମାଳରୁ ୧୪, ନୟାଗଡରୁ ୧୪, କେନ୍ଦୁଝରରୁ ୧୧, ଭଦ୍ରକରୁ ୧୦, ଢେଙ୍କାନାଳରୁ ୧୦, ବଲାଙ୍ଗୀରିରୁ ୯, ଦେବଗଡରୁ ୯, ସୁନ୍ଦରଗଡରୁ ୮, ଗଞ୍ଜାମରୁ ୬, ବରଗଡରୁ ୪, ରାୟଗଡାରୁ ୩, କୋରାପୁଟରୁ ୨, ମାଲକାନଗିରିରୁ ୨, କଳାହାଣ୍ଡିରୁ ୧ ଏବଂ ଷ୍ଟେଟ ପୁଲରୁ ୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୯ ହଜାର ୮୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୮୭୫ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୨୮୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୬୯୭ କୁ ବୃଦ୍ଧି ହୋଇଛି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ବାଣପୁରରେ ଆସନ୍ତାକାଲି ୧ ହଜାର ୨୫୦ ଜଣ ନାଗରିକ ନେବେ ଟୀକା: ୬ ଟି କେନ୍ଦ୍ରରେ ଅନଲାଇନ ବ୍ୟବସ୍ଥା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆସନ୍ତାକାଲି (ଅଗଷ୍ଟ ୨୫୮ ତାରିଖ) ରେ ୧ ହଜାର ୨୫୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ବାଣପୁରର ୬ ଟି ଟୀକା କେନ୍ଦ୍ରରେ ସବୁ ବର୍ଗର ନାଗରିକମାନେ ଅନଲାଇନ ସ୍ଲଟ ବୁକିଂ କରି ଟୀକା ନେଇପାରିବେ। ଏ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ:

ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ)

୧- ଟିକିରାଇ ୟୁଜିଏମଇ ବିଦ୍ୟାଳୟ:

– ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ- ୧୨୦ ଟି ପ୍ରଥମ ଡୋଜ ଏବଂ ୩୦ ଟି ଦ୍ଵିତୀୟ ଡୋଜ

୨- କୃତିବାସ ଭବନ:

– ପ୍ରଥମ ଡୋଜ- ୧୨୦ (କେବଳ ୧୮-୪୪ ବର୍ଷୀୟ ନାଗରିକ), ଗର୍ଭବତୀ ମହିଳା – ୩୦ ଟି ପ୍ରଥମ ଡୋଜ

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୧୨୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ସବୁ ବର୍ଗର ନାଗରିକ:

– ୧୦୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୫- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର – ସବୁ ବର୍ଗର ନାଗରିକ:

– ୮୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୬ – ପୁଞ୍ଜିଆମା ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୮୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

ଅଫଲାଇନ ଟୀକାକରଣ:

୭ – ଭାପୁର ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୮୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୮- ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୧୦୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୯- ନନ୍ଦପୁର ( ମେଘାମ୍ବରୀ ମନ୍ଦିର ପାଖ ଗୃହ)– ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୦- ଓଡଗାଁ ବିଦ୍ୟାଳୟ– ସବୁ ବର୍ଗର ନାଗରିକ:

– ୮୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

ବାଣପୁରର ସମସ୍ତ ଟୀକାକେନ୍ଦ୍ରରେ ସକାଳ ୮.୩୦ରୁ ଟୀକାକରଣ ଆରମ୍ଭ ହେବ।

ତେବେ ବାଲୁଗାଁ ଏନଏସି ଓ ଚିଲିକା ବ୍ଲକ ନିମନ୍ତେ ଆସନ୍ତାକାଲି ପାଇଁ ଟୀକା ତଥ୍ୟ ଏଯାବତ ମିଳିପାରିନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ମୌସୁମୀ ଅଧିବେଶନ ନେଇ ସର୍ବାଦଳୀୟ ବୈଠକ: ଦୈନିକ ଗୃହ ଚାଲିବ ୫ ଘଣ୍ଟା

ଭୁବନେଶ୍ବର: ଆଜି ଓଡିଶା ବିଧାନସଭାରେ ମୌସୁମୀ ଅଧିବେଶନ ନେଇ ଏକ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ଡା. ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ଵରେ ଆଜି ସର୍ବାଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାନସଭା ଦୈନିକ ୫ ଘଣ୍ଟା ଚାଲିବ। ଅଧିବେଶନ ପୂର୍ବରୁ ସମସ୍ତଙ୍କୁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏହାସହ ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ଆଣ୍ଟିବଡି ଟେଷ୍ଟ କରାଯିବ।

ଦୁଇଟି ପର୍ଯ୍ୟାୟରେ ଗୃହ କାର୍ଯ୍ୟ ଚାଲିବ। ପ୍ରଥମ ପର୍ଯ୍ୟାୟ ସକାଳ ସାଢେ ୧୦ ଟାରୁ ସାଢେ ୧ ଟା ଏବଂ ଦ୍ଵିତୀୟ ପର୍ଯ୍ୟାୟ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ। ଶନିବାର ଦିନ ମଧ୍ୟ ଗୃହ କାର୍ଯ୍ୟ ଚାଲିବ। ଏହି ସମୟରେ ଷ୍ଟାର ପ୍ରଶ୍ନ ଏବଂ ମୁଲତବୀ ଆଲୋଚନା ହେବ। ବିଜେପି  ୪ଟି ଏବଂ କଂଗ୍ରେସ ୨ ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ। ବିଧାୟକମାନେ ଓକାକ, ଲୋକସଭା ଭବନ କିମ୍ବା ନଯା ସ୍ଥାନରେ ବସିବେ। ବିରୋଧୀ ଦଳ ନେତା ହସ୍ପିଟାଲରେ ଥିବାରୁ ସେ ଭିଡିଓ କଂଫରେନ୍ସରେ ଯୋଗ ଦେଇପାରିବେ। ସର୍ବାଦଳୀୟ ବୈଠକ ପରେ ଏନେଇ ବାଚସ୍ପତି ଡା. ପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ: ଜୟପୁରର ଏସଏମଏସ ହସ୍ପିଟାଲରେ କରାଗଲା ଭର୍ତ୍ତି

ନୂଆଦିଲ୍ଲୀ: ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଆଜି ଜୟପୁରର ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ନିଜେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ, ତାଙ୍କର ଆଞ୍ଜିଓପ୍ଲାଷ୍ଟି ଏସଏମଏସ ହସ୍ପିଟାଲରେ କରାଯିବ। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ରଘୁ ଶର୍ମା ମଧ୍ୟ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ସ୍ୱାସ୍ଥ୍ୟର ଅବନତି ସମ୍ପର୍କରେ ସୂଚନା ପାଇବା ପରେ ଏସଏମଏସ ହସ୍ପିଟାଲରେ ପହଞ୍ଚିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ପୋଷ୍ଟ କୋଭିଡଙ୍କ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଭର୍ଚୁଆଲ୍ ପ୍ରୋଗ୍ରାମରେ ମଧ୍ୟ ଅନେକ ଥର ଏହା କହିଛନ୍ତି। ଏହି କାରଣରୁ, ଗେହଲୋଟ୍ ସର୍ବସାଧାରଣ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରୁନାହାଁନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଗତକାଲି ରାତିରେ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ରାତିରେ ଅସୁସ୍ଥତା ହେତୁ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା। ଯାହା ପରେ ଆଜି ସକାଳେ ସେ ମେଡିକାଲ ଯାଞ୍ଚ ପାଇଁ ଏସଏମଏସ ହସ୍ପିଟାଲକୁ ଯାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଆଉ ୨ ଜଣ ଶିଶୁଙ୍କ ଗଲା ଜୀବନ: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ଥିବା ବେଳେ ଦୈନିକ ୧୦୦ ରୁ ଉର୍ଦ୍ଧ୍ଵ ଶିଶୁ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଯାହାକୁ ନେଇ ରାଜ୍ୟ ସରକାର କଡା ନଜର ରଖିଛନ୍ତି। ଗତକାଲି ବଲାଙ୍ଗୀରି ଜିଲ୍ଲାର ଜଣେ ୩ ମାସର ଶିଶୁ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଆଜି ଆଉ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। କରୋନାରେ ମୃତ୍ୟୁବରଣ କରିଥିବା ଉଭୟ ଶିଶୁ କନ୍ୟା ସନ୍ତାନ ବୋଲି ସୂଚନା ରହିଛି।

ମୟୂରଭଞ୍ଜ ଜିଲ୍ଲାର ଜଣେ ୫ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ସେ ହୃଦରୋଗରେ ଆକ୍ରାନ୍ତ ଥିବା ସୂଚନା ରହିଛି। ସେହିଭଳି ଅନ୍ୟ ଶିଶୁ କନ୍ୟା ଜଣକ କଟକ ଜିଲ୍ଲାର ବୋଲି ଖବର ରହିଛି। ସେ ୧୨ ଦିନ ହେଲା ଜନ୍ମଗ୍ରହଣ କରିଥିଲା। ସେ ହେମୋଗ୍ଲୋବିନୋପାଥିରେ ଆକ୍ରାନ୍ତ ଥିଲା। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟୁଇଟ ମାଧ୍ୟମରେ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏସସିବିରେ ଇକୋମ୍ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ଆଜି କଟକ ସ୍ଥିତ ଏସସିବିରେ ଇକୋମ୍ ସେବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛି। ମୁଖ୍ୟମନ୍ତ୍ରୀ ଏସସିବିରେ ମୋଟ ୯ ଟି ଇକୋମ୍ ମେସିନର ଲୋକାର୍ପଣ କରିଛନ୍ତି। ଗୁରୁତର ରୋଗୀଙ୍କୁ ଇକୋମ୍ ଚିକିତ୍ସା ଯୋଗାଇଦେବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟ ସରକାର ଏହି ସେବା ସଂପୂର୍ଣ୍ଣ ମାଗଣାରେ ଯୋଗାଇ ଦେବେ। ଏହାର ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କାଶ୍ମୀର ପ୍ରସଙ୍ଗରେ ତାଲିବାନ ରଖିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କଣ କହିଲେ ଜାବିହୁଲ୍ଲା ମୁଜାହିଦ୍

ନୂଆଦିଲ୍ଲୀ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ କଶ୍ମୀର ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛି। ଏହା ସହିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମ୍ପ୍ରତିକ ସମ୍ପର୍କ ବିଷୟରେ ମଧ୍ୟ ତାଲିବାନ ଆଲୋଚନା କରିଛି। ଆଫଗାନିସ୍ତାନକୁ କାବୁ କରିବା ପରେ ଲଶ୍କର-ଏ-ତାଇବା ଏବଂ ଜୈଶ-ଇ-ମହମ୍ମଦ ଭଳି ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀର କାର୍ଯ୍ୟକଳାପ ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ତିକ୍ତତା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କହିଛନ୍ତି ଯେ, ଉଭୟ ଦେଶ ଏକାଠି ବସି ସମସ୍ୟାର ସମାଧାନ କରିବା ଉଚିତ, କାରଣ ଉଭୟ ପଡ଼ୋଶୀ। ଏବଂ ସେମାନଙ୍କର ପରସ୍ପର ସହ ସ୍ୱାର୍ଥ ଜଡିତ ରହିଛି।

ଏଥି ସହ ଜାବିହୁଲ୍ଲା ମୁଜାହିଦ୍ ମଧ୍ୟ ଭାରତ ଏବଂ ପାକିସ୍ଥାନ ମଧ୍ୟରେ କାଶ୍ମୀର ବିବାଦ ଉପରେ କହିଥିଲେ। ଉପତ୍ୟକା ପ୍ରତି ଭାରତ ଏକ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି।

ଏଥି ସହ ତାଲିବାନ କାବୁଲ ବିମାନବନ୍ଦର ବାହାରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି କହିଛି ଯେ, ଏହା ଆମେରିକାର ବାହିନୀ ଅଧୀନରେ ଥିବା ଏକ ଅଞ୍ଚଳରେ ଘଟିଛି। ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ, ତାଙ୍କ ସଂଗଠନ ଏହି ଆକ୍ରମଣକୁ ଦୃଢ ନିନ୍ଦା କରିଛି ଏବଂ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି। ତାଲିବାନଠାରୁ ଅଲଗା ଏବଂ ଆଫଗାନିସ୍ତାନ ସହିତ ଜଡିତ ଇସଲାମିକ୍ ଷ୍ଟେଟ୍ ସଂଗଠନ ଦ୍ୱାରା ଏହି ଆକ୍ରମଣ ହୋଇଥିବା ଜଣାପଡିଛି।

ଏହି ସମୟରେ ଚୀନ୍‌ର ଜଣେ ଅଧିକାରୀ କହିଛନ୍ତି ଯେ, ଆଫଗାନିସ୍ତାନ ଦଖଲ କରିବା ପରଠାରୁ ତାଲିବାନ ସହ ବେଜିଂ ପ୍ରଥମ କୂଟନୈତିକ ସମ୍ପର୍କ ସ୍ଥାପନ କରିଛି ଏବଂ ବର୍ତ୍ତମାନ ଦୁଇ ପକ୍ଷର “ସୁବିଧାଜନକ ତଥା ପ୍ରଭାବଶାଳୀ ଯୋଗାଯୋଗ” ରହିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି ଯେ, ଆମେ ସର୍ବଦା ଆଫଗାନିସ୍ତାନର ସାର୍ବଭୌମତ୍ଵ, ସ୍ବାଧୀନତା ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେଇଥାଉ ଏବଂ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ନୀତି ପାଳନ କରିଥାଉ ଏବଂ ସମସ୍ତ ଆଫଗାନିସ୍ତାନ ଲୋକଙ୍କ ପ୍ରତି ଏକ ବନ୍ଧୁତ୍ୱପୂର୍ଣ୍ଣ ନୀତି ରଖିଛୁ।

ସେ କହିଛନ୍ତି, ଆଫଗାନିସ୍ତାନ ସହିତ ବନ୍ଧୁତ୍ୱ ଏବଂ ସହଯୋଗର ଭଲ ପଡୋଶୀ ସମ୍ପର୍କକୁ ବିକଶିତ କରିବା ଏବଂ ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ଗଠନମୂଳକ ଭୂମିକା ଗ୍ରହଣ କରିବାକୁ ଚୀନ୍ ପ୍ରସ୍ତୁତ ଅଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୯ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୭ ହଜାର ୬୯୭ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୬୯୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି କଟକ ଜିଲ୍ଲାରୁ ସର୍ବାଧିକ ୩୮ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁର ୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୬ ଜଣ, ଯାଜପୁର, କେନ୍ଦ୍ରାପଡା, ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ  ଘଟିଛି। ସେହିଭଳି ଅନୁଗୁଳ, ନବରଙ୍ଗପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ଭଦ୍ରକ, କେନ୍ଦୁଝର, ପୁରୀ ଜିଲ୍ଲାରୁ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୮୭୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୮ ହଜାର ୮୫୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮ ହଜାର ୨୭୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୬୯୭ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଦିନକରେ ଚିହ୍ନଟ ହେଲେ ୪୪ ହଜାର ୬୫୮ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୪ ହଜାର ୬୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୬ ଲକ୍ଷ ୩ ହଜାର ୧୮୮ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୬ ହଜାର ୮୬୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୮ ଲକ୍ଷ ୨୧ ହଜାର ୪୨୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୪୪ ହଜାର ୮୯୯ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୮୧୬ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୮୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୩୪୧ ଟି ଲୋକାଲ କେସ୍‌ ରହିଛ। ୮୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬ ଜଣ ୦ ରୁ ୧୮ ବର୍ଷ ବର୍ଗର ପିଲାମାନେ ଆକ୍ରାନ୍ତ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୮୭୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୮ ହଜାର ୮୫୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮ ହଜାର ୨୭୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୬୨୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୬ ଟି ଜିଲ୍ଲାରୁ ୮୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୯୧ ଜଣ, କଟକ ଜିଲ୍ଲାରୁ ୧୧୬ ଜଣ, ଅନୁଗୁଳ ଜିଲ୍ଲାରୁ ୧୩, ବାଲେଶ୍ଵର ଜିଲ୍ଲାରୁ ୪୬ ଜଣ, ବରଗଡ ଜିଲ୍ଲାରୁ ୧୩, ଭଦ୍ରକ ଜିଲ୍ଲାରୁ ୯ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩, ଦେବଗଡ ଜିଲ୍ଲାରୁ ୧୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୯ ଜଣ, ଗଞ୍ଜାମ ଜିଲ୍ଲାରୁ ୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୪ ଜଣ, ଯାଜପୁର ଜିଲ୍ଲାରୁ ୩୧ ଜଣ, ଝାରସୁଗୁଡା ଜିଲ୍ଲାରୁ ୩୪, କଳାହାଣ୍ଡି ଜିଲ୍ଲାରୁ ୪ ଜଣ, କନ୍ଧମାଳ ଜିଲ୍ଲାରୁ ୩, କେନ୍ଦ୍ରାପଡା ଜିଲ୍ଲାରୁ ୨୯ ଜଣ, କେନ୍ଦୁଝର ଜିଲ୍ଲାରୁ ୧୬ ଜଣ, କୋରାପୁଟ ଜିଲ୍ଲାରୁ ୫, ମାଲକାନଗିରି ଜିଲ୍ଲାରୁ ୪, ମୟୂରଭଞ୍ଜ ଜିଲ୍ଲାରୁ ୨୭ ଜଣ, ନୟାଗଡ ଜିଲ୍ଲାରୁ ୧୨ ଜଣ, ନୂଆପଡା ଜିଲ୍ଲାରୁ ୧, ପୁରୀ ଜିଲ୍ଲାରୁ ୨୦ ଜଣ, ରାୟଗଡା ଜିଲ୍ଲାରୁ ୧, ସମ୍ବଲପୁର ଜିଲ୍ଲାରୁ ୧୮ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୬ ଜଣ ଏବଂ ଷ୍ଟେଟ ପୁଲରୁ ୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।