Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଚଳାଚଳ କରୁଥିବା 12 ଟି ଟ୍ରେନ୍ ସାମୟିକ ଭାବେ ପରିବର୍ତ୍ତିତ ମାର୍ଗରେ କରିବ ଯାତାୟାତ

ଭୁବନେଶ୍ବର: ପୂର୍ବ ସୀମାନ୍ତ ରେଳପଥର ଅଲିପୁର ଦୁଆର ରେଳମଣ୍ଡଳ ଅନ୍ତର୍ଗତ ବେଟଗାରା-ଖଲାଇଗ୍ରାମ ଓ ଜଲପାଈଗୁଡ଼ି ରୋଡ଼-ୱାଇ ଲେଗ୍ ସ୍ପେଶାଲ୍ କ୍ଲାସ୍ ଷ୍ଟେସନ୍ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ସମ୍ବନ୍ଧୀୟ ବେଟଗାରା, ଅଲ୍ଟାଗ୍ରାମ୍, ଧୁପଗିରି, ଜଲପାଈଗୁଡ଼ି ରୋଡ୍, ୱାଇ ଲେଗ୍ ସ୍ପେଶାଲ୍ କ୍ଲାସ୍ ଷ୍ଟେସନ୍ ମାନଙ୍କ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି କିଛି ଟ୍ରେନକୁ ନିମ୍ନଲିଖିତ ଅନୁଯାୟୀ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରାଇବାପାଇଁ ନିଷ୍ପତ୍ତି ନିଆଯାଇଅଛି।

ରାଣୀନଗର-ଜଲପାଈଗୁଡ଼ି-ୱାଇ ଲେଗ୍ ସ୍ପେଶାଲ୍ କ୍ଲାସ୍ ଷ୍ଟେସନ୍-ମଠଭଙ୍ଗ- ନ୍ୟୁ କୂଚବିହାର ମାର୍ଗଦେଇ ଚଳାଚଳ କରିବାକୁଥିବା ବିଶେଷ ଟ୍ରେନ:

01. 07030 ସିକନ୍ଦରାବାଦ-ଅଗରତାଲା ସ୍ପେଶାଲ୍ ଟ୍ରେନ ସିକନ୍ଦରାବାଦରୁ 28 ଜୁନ୍, 2021 ତାରିଖ ଦିନ

02. 02510 ଗୌହାଟୀ-ବାଙ୍ଗାଲୋର ବିଶେଷ ଟ୍ରେନ ଗୌହଟିରୁ 27 ରୁ 29 ଜୁନ୍, 2021 ମଧ୍ୟରେ

03. 02514 ଗୌହାଟୀ-ସିକନ୍ଦରାବାଦ-ଗୌହାଟୀ ବିଶେଷ ଟ୍ରେନ ଗୌହାଟୀ ଠାରୁ 1 ଜୁଲାଇ, 2021 ତାରିଖ ଦିନ

04. 02552 କାମାକ୍ଷା-ଯଶୋବନ୍ତପୁର-କାମାକ୍ଷା ବିଶେଷ ଟ୍ରେନ କାମାକ୍ଷା ଠାରୁ 30 ଜୁନ୍, 2021 ତାରିଖ ଦିନ

ସିଲିଗୁଡ଼ି-ଅଲିପୁର ଦୁଆର୍-ସମୁକତାଲା ରୋଡ୍ ମାର୍ଗଦେଇ ଚଳାଚଳ କରିବାକୁଥିବା ବିଶେଷ ଟ୍ରେନ:

01. 02551 ଯଶୋବନ୍ତପୁର-କାମାକ୍ଷା-ଯଶୋବନ୍ତପୁର ବିଶେଷ ଟ୍ରେନ ଯଶୋବନ୍ତପୁର ଠାରୁ 26 ଜୁନ୍, 2021 ତାରିଖ ଦିନ

02. 05929 ତାମ୍ବରମ-ନ୍ୟୁ ତିନସୁକିଆ ବିଶେଷ ଟ୍ରେନ ତାମ୍ବରମ ଠାରୁ 28 ଜୁନ୍, 2021 ତାରିଖ ଦିନ

03. 05629 ତାମ୍ବରମ-ସୀଲଘାଟ ବିସସ ଟ୍ରେନ ତାମ୍ବରମ ଠାରୁ 28 ଜୁନ୍, 2021 ତାରିଖ ଦିନ

04. 02516 ସୀଲଚର-କୋଏମ୍ବାଟୋର ବିଶେଷ ଟ୍ରେନ ସୀଲଚର ଠାରୁ 29 ଜୁନ୍, 2021 ତାରିଖ ଦିନ

05. 06186 ଗୌହାଟୀ-ତ୍ରିଭେନ୍ଦ୍ରମ ବିଶେଷ ଟ୍ରେନ ଗୌହଟିରୁ 30 ଜୁନ୍, 2021 ତାରିଖ ଦିନ

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ୟୁଜି/ପିଜି ପରୀକ୍ଷାର ଦାୟିତ୍ଵ ନେବେ ଅଧ୍ୟାପକ: ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ବର: ଆଜି ୟୁଜି/ପିଜି ପରୀକ୍ଷାକୁ ନେଇ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ବୈଠକ ହୋଇଯାଇଛି। ଏହି ବୈଠକରେ ୟୁଜି/ପିଜି ପରୀକ୍ଷାକୁ ନେଇ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରାଯାଇଥିଲା। ଏହି ପରୀକ୍ଷାର ଦାୟିତ୍ଵ ସବୁ ଶିକ୍ଷକଙ୍କୁ ନ୍ୟସ୍ତ କରାଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନେ କିଭଳି ଅନଲାଇନରେ ପରୀକ୍ଷା ଦେବେ ତାହା ନେଇ ଶିକ୍ଷକମାନେ ଦାୟିତ୍ଵ ନେବେ ବୋଲି କୁହାଯାଇଛି।

ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀଙ୍କ ମେଣ୍ଟର ଦାୟିତ୍ଵ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦିଷ୍ଟ କଲେଜର ଶିକ୍ଷକ ଏବଂ ଛାତ୍ରଛାତ୍ରୀ ସଂଖ୍ୟା ଦେଖି ମେଣ୍ଟର ବ୍ୟବସ୍ଥା କରାଯିବ। ପିଲାମାନେ କିଭଳି ଠିକ ଭାବେ ପରୀକ୍ଷା ଦେଇପାରିବେ, ସେଥିପ୍ରତି ମେଣ୍ଟର ମାନେ ଦାୟିତ୍ଵ ନେବେ। ଆଜିଠାରୁ ଏହାର ଦାୟିତ୍ଵ ନେବା ପାଇଁ ଶିକ୍ଷକମାନଙ୍କୁ ଦିଆଗଲା ବୋଲି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଖବରର ପଡିଲା ସକାରାତ୍ମକ ପ୍ରଭାବ: ବାଣପୁରର ମୁଖ୍ୟ ରାସ୍ତାରୁ ଜଳ ନିଷ୍କାସନ ପାଇଁ ଅଣ୍ଟା ଭିଡିଲା ପୂର୍ତ୍ତବିଭାଗ

ସୀତାରାମ ଅଗ୍ରୱାଲ

ବାଣପୁର: ଖବରର ସକାରାତ୍ମକ ପ୍ରଭାବ ପଡିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ବିଧାରପୁର ଛକରୁ ବର୍ଷା ଜଳ ନିଷ୍କାସନ ପାଇଁ ପରିଶେଷରେ ପୂର୍ତ୍ତବିଭାଗ ଅଣ୍ଟା ଭିଡିଛି।

ବିଧାରପୁର ଛକରେ ଜଳବନ୍ଦୀ ସମସ୍ୟାକୁ ନେଇ ବାରମ୍ବାର ‘ସମୀକ୍ଷା’ ରେ ଖବର ପ୍ରସାରଣ କରାଯାଇଥିଲା। ଯାହାଦ୍ୱାରା ପ୍ରଶାସନକୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥିଲା।

ତେବେ ଗତକାଲି ମଧ୍ୟାହ୍ନରେ ପୂର୍ତ୍ତବିଭାଗ ଖୋର୍ଦ୍ଧା ଜିଲ୍ଲା ନିର୍ବାହୀ ଯନ୍ତ୍ରୀ ଦୀପକ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ଵେତା ଦାସ ଏବଂ ସହକାରୀ ଯନ୍ତ୍ରୀ ପ୍ରଭାକର ଚୌଧୁରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ସ୍ଥାନୀୟ ବାସିନ୍ଦା ତଥା ବୁଦ୍ଧିଜୀବୀମାନଙ୍କ ସହ ବହୁସମୟ ଧରି ଆଲୋଚନା କରିଥିଲେ। ପରିଶେଷରେ ଉକ୍ତ ସମସ୍ୟାର ଅସ୍ଥାୟୀ ସମାଧାନର ବାଟ କାଢ଼ିଥିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ଵେତା ଦାସ।

ଏହି ପରିପ୍ରେକ୍ଷୀରେ ପୂର୍ତ୍ତବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟାରେ ବିଧାରପୁର ଛକ ଠାରୁ ସାରଳା ବିହାର କେନାଲ ପର୍ଯ୍ୟନ୍ତ ଏକ ଅସ୍ଥାୟୀ ଡ୍ରେନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହାଦ୍ୱାରା ସହରବାସୀ ସାମୟିକ ଭାବେ ଜଳବନ୍ଦୀରୁ ମୁକ୍ତି ପାଇବେ। ତେବେ ଏହାର ସ୍ଥାୟୀ ସମାଧାନ ଦିଗରେ ପୂର୍ତ୍ତବିଭାଗର କଣ ପଦକ୍ଷେପ ରହିବ ବୋଲି ଆମ ଚିଲିକା ପ୍ରତିନିଧି ନିର୍ବାହୀ ଯନ୍ତ୍ରୀ ଦୀପକ ପାଣିଗ୍ରାହୀଙ୍କୁ ପଚାରିବାରୁ ଯେତେ ଶୀଘ୍ର ସ୍ଥାନୀୟ ପ୍ରଶାସନ ଦ୍ୱାରା ବେଆଇନ ଭାବେ ଅଧିକୃତ ହୋଇଥିବା ସରକାରୀ ଜାଗାଗୁଡିକୁ ଖାଲି କରାଯିବ ସେତେଶୀଘ୍ର ବାଣପୁର ଏନଏସିରେ ପୂର୍ତ୍ତବିଭାଗ ଡ୍ରେନେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।

ତେବେ ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ବାଣପୁର ତହସିଲଦାରଙ୍କୁ ସହରବାସି ଅନୁରୋଧ କରିଛନ୍ତି। ଅନୁରୂପଭାବେ ଜଳବନ୍ଦୀ ସମସ୍ୟାର ଅସ୍ଥାୟୀ ସମାଧାନ ହୋଇଥିବାରୁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ପୂର୍ତ୍ତବିଭାଗକୁ ସ୍ଥାନୀୟ ଲୋକେ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାକିରି କରାଇଦେବା ନାଁରେ ଠକେଇ ମାମଲା: ଆକାଶ ପାଠକଙ୍କୁ ମିଳିଲା ଜାମିନ

ଭୁବନେଶ୍ବର: ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗରେ ଆକାଶ ପାଠକ ଗିରଫ ହୋଇଥିଲେ। ବୈଦ୍ୟନାଥପୁର ଥାନାରେ ଏହି ମାମଲାକୁ ନେଇ ଅଭିଯୋଗ ହୋଇଥିଲା। ହେଲେ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ଆଜି ଏହି ମାମଲାରେ ଜାମିନ ମିଳିଛି। ଓଡିଶା ଉଚ୍ଚ ନ୍ୟାୟାଳୟ ଆକାଶଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପାଠକଙ୍କୁ ଜାମିନ ମିଳିଥିବା ନେଇ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳ: ଇଣ୍ଟରନେଟ୍ ସୁବିଧା ନଥିଲେ ଏଭଳି ଦେଖିବେ ରେଜଲ୍ଟ

ଭୁବନେଶ୍ବର: ଆଜି ରାଜ୍ୟରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ। ଦଶମ ପରୀକ୍ଷା ଫଳ ସନ୍ଧ୍ୟା ୬ ଟା ପରେ ୱେବସାଇଟରେ ଉପଲବ୍ଧ ହେବ। www.bseodisha.ac.in ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଏହାସହ www.bseodisha.nic.in ୱେବସାଇଟରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହେବ। ଇଣ୍ଟରନେଟ୍ ସୁବିଧା ନଥିବା ଛାତ୍ରଛାତ୍ରୀମାନେ ଏସଏମଏସ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। OR01<ROLL NO> ଲେଖି ଛାତ୍ରଛାତ୍ରୀମାନେ ୫୬୭୬୭୫୦କୁ ଏସଏମଏସ କଲେ ପରୀକ୍ଷା ଫଳ ମିଳିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ଘର ଭିତରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବିଧାରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ବିଧାରପୁର ଗ୍ରାମର ରଘୁନାଥ ଜେନାଙ୍କ ପୁତ୍ର ଆଲୋକ କୁମାର ଜେନା କୌଣସିକାରଣ ବଶତଃ ଆଜି ସକାଳେ ନିଜ ଘରେ ବେକରେ ଦଉଡି ଲଗାଇ ଦେଇଥିଲେ। ତେବେ ପରିବାର ଲୋକ ଏହା ଜାଣିଲା ପରେ ତୁରନ୍ତ ଆଲୋକଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରି ବାଲୁଗାଁ ପୋଲିସକୁ ଏନେଇ ସୂଚନା ଦେଇଥିଲେ।

ବର୍ତ୍ତମାନ ଘଟଣାସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ପହଞ୍ଚି ଆଲୋକଙ୍କ ଶବ ଜବତ କରିବା ସହ କେସ ନମ୍ବର ୭/୨୧ରେ  ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରିରଖିଛନ୍ତି। ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ପରେ ଏହାର କାରଣ ଜଣାପଡିବ ବୋଲି ପୋଲିସ କହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବଧୂ ହତ୍ୟା ଅଭିଯୋଗ ଘଟଣା: ସ୍ୱାମୀ ସମେତ ଶାଶୁ ଓ ଶ୍ୱଶୁରଙ୍କୁ କୋର୍ଟ ଚାଲାଣ ନାକଟିଦେଉଳ ପୋଲିସ୍

କନ୍ଦର୍ପ ବେହେରା
ରେଢାଖୋଲ: ବୋହୁକୁ କିରାସିନୀ ଢାଳି ହତ୍ୟା ଅଭିଯୋଗରେ ଆଜି ନାକଟିଦେଉଳ ଥାନା ବୁଢାକଟା ଗ୍ରାମର ୩ ଜଣକୁ ନାକଟିଦେଉଳ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ବୁଢାକଟା ଗ୍ରାମର ଈଶ୍ୱର ଷଣ୍ଢ ବରଗଡ ଜିଲ୍ଲା ଭେଡେନ୍ ଥାନା ରେମଣ୍ଡା ଗ୍ରାମର ଚିତ୍ରୋପ୍ତଳା ନନ୍ଦ ଙ୍କ ଝିଅକୁ ବୈଦିକ ରିତିରେ ବିବାହ କରିଥିଲେ। ତାଙ୍କର ଏକ ଛୋଟ ଶିଶୁ ମଧ୍ୟ ରହିଛି। ଗତ ତା ୪/୬/୨୦୨୧ ରେ କଳ୍ପନା ପଣ୍ଡା କିରାସିନୀ ଢାଳି ଆତ୍ମ ହତ୍ୟା କରିଥିବା ଶାଶୁ ଘର ଲୋକେ ଥାନାରେ ଜଣାଇ ଥିଲେ। ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ମୃତକା କଳ୍ପନା ପଣ୍ଡାର ମାଆ, ମୋ ଝିଅକୁ ଅଧିକ ଯୈାତୁକ ନ ଦେବାରୁ ତାକୁ ତାର ସ୍ୱାମୀ, ଶାଶୁ ଓ ଶ୍ୱଶୁର ମିଶି ହତ୍ୟା କରିଥିବା ନାକଟିଦେଉଳ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଝିଅକୁ ବହୁବାର ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ମଧ୍ୟ ମୃତକାର ମାଆ ଅଭିଯୋଗ କରିଛନ୍ତି।

ଏଇ ଆଧାରରେ ନାକଟିଦେଉଳ ପୋଲିସ ମୃତକାର ସ୍ୱାମୀ ଈଶ୍ୱର ପଣ୍ଡା, ଶ୍ୱଶୁର ଶ୍ରୀବତ୍ସ ପଣ୍ଡା ଓ ଶାଶୁ ଶକୁନ୍ତଳା ପଣ୍ଡା କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୫୧ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୧ ହଜାର ୬୬୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୩୨୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧ ଲକ୍ଷ ୩୪ ହଜାର ୪୭୫ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୩ ହଜାର ୩୧୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୧ ଲକ୍ଷ ୨୮ ହଜାର ୨୬୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୬ ଲକ୍ଷ ୧୨ ହଜାର ୮୬୮ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୦ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୮୦୦ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୮୦୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୯ ଜଣ, ବରଗଡ, କଟକ, ନୟାଗଡ ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବଲାଙ୍ଗୀରି, ଭଦ୍ରକ, ବୌଦ୍ଧ, ପୁରୀ, ସୁନ୍ଦରଗଡ ଓ ବାଲେଶ୍ଵର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାର ୫୦୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୫୬ ହଜାର ୪୯୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୩ ହଜାର ୧୫୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୮୦୦ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୨ ହଜାର ୯୧୨ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୯୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୬୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୩୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାର ୫୦୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୫୬ ହଜାର ୪୯୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୩ ହଜାର ୧୫୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୭୬୦ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୯୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୦୧ ଜଣ, କଟକ ଜିଲ୍ଲାରୁ ୩୮୨ ଜଣ, ଅନୁଗୁଳ ଜିଲ୍ଲାରୁ ୧୧୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୨୦ ଜଣ, ବରଗଡ ଜିଲ୍ଲାରୁ ୩୧ ଜଣ, ଭଦ୍ରକ ଜିଲ୍ଲାରୁ ୧୩୬, ବଲାଙ୍ଗୀରି ଜିଲ୍ଲାରୁ ୧୨, ବୌଦ୍ଧ ଜିଲ୍ଲାରୁ ୧୮, ଦେବଗଡ ଜିଲ୍ଲାରୁ ୪, ଢେଙ୍କାନାଳ ଜିଲ୍ଲାରୁ ୪୨ ଜଣ, ଗଜପତି ଜିଲ୍ଲାରୁ ୧୩ ଜଣ, ଗଞ୍ଜାମ ଜିଲ୍ଲାରୁ ୧୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୩୧ ଜଣ, ଯାଜପୁର ଜିଲ୍ଲାରୁ ୨୯୨ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୪ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୫ ଜଣ, କନ୍ଧମାଳ ଜିଲ୍ଲାରୁ ୩୬ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୭୧ ଜଣ, କେନ୍ଦୁଝର ଜିଲ୍ଲାରୁ ୭୦ ଜଣ, କୋରାପୁଟ ଜିଲ୍ଲାରୁ ୫୪ ଜଣ, ମାଲକାନାଗିରି ଜିଲ୍ଲାରୁ ୪୯ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୭୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୦ ଜଣ, ନୟାଗଡ ଜିଲ୍ଲାରୁ ୧୪୦ ଜଣ, ନୂଆପଡା ଜିଲ୍ଲାରୁ ୮ ଜଣ, ପୁରୀ ଜିଲ୍ଲାରୁ ୧୬୧ ଜଣ, ରାୟଗଡା ଜିଲ୍ଲାରୁ ୫୨ ଜଣ, ସମ୍ବଲପୁର ଜିଲ୍ଲାରୁ ୩୦ ଜଣ, ସୋନପୁର ଜିଲ୍ଲାରୁ ୧୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୧ ଜଣ ଏବଂ ଷ୍ଟେଟ ପୁଲରୁ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 25 ତାରିଖ ଶୁକ୍ରବାରରେ ଆଠଟି ରାଶି ଉପରେ ରହିଛି ଶନିଦେବଙ୍କ ଶୁଭଦୃଷ୍ଟି

ମେଷ – ଆଜି ଧର୍ଯ୍ୟବାନ ହୁଅ, କାରଣ ତୁମର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ଆଣିବ।  ବ୍ୟବସାୟରେ ଲାଭ ଆଜି ଅନେକ ବ୍ୟବସାୟୀଙ୍କ ମୁହଁରେ ଖୁସି ଆଣିପାରେ। ଟେନସନର ସମୟ ରହିବ, କିନ୍ତୁ ପରିବାରର ସହାୟତା ସାହାଯ୍ୟ କରିବ।  ଆଜି ତୁମେ ସବୁଆଡେ ପ୍ରେମ ବିସ୍ତାର କରିବ। ଆଜି ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ସକ୍ରିୟ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଦିନ ହେବ। ଲୋକମାନେ ତୁମ ମତାମତ ପାଇଁ ପଚାରିବେ ଏବଂ ତୁମେ ଯାହା କହିବ, ସେମାନେ କୌଣସି ଚିନ୍ତା ନକରି ଏହାକୁ ଗ୍ରହଣ କରିବେ। ଯାତ୍ରା ଆପଣଙ୍କ ପାଇଁ ଉପଭୋଗ୍ୟ ଏବଂ ଅତ୍ୟନ୍ତ ଲାଭଦାୟକ ହେବ। ତୁମର ଜୀବନ ସାଥୀ ଆଜି ତୁମ ପାଇଁ କିଛି ବିଶେଷ କରିବାକୁ ଯାଉଛି।

ବୃଷ – ଆଜି ତୁମେ ଶକ୍ତିରେ ପରିପୂର୍ଣ୍ଣ ହେବ ଏବଂ ଏହା ସମ୍ଭବ ଯେ ହଠାତ୍ ତୁମେ ଅର୍ଥ ଲାଭ ପାଇବ । ଯଦି ତୁମେ ତୁମର ଘରୋଇ ଦାୟିତ୍ବକୁ ଅଣଦେଖା କର, ତେବେ ତୁମ ସହିତ ରହୁଥିବା କିଛି ଲୋକ ବିରକ୍ତ ହୋଇପାରନ୍ତି ।  ତୁମର ହୃଦୟ ଏବଂ ମନ ଏକ ସ୍ମରଣୀୟ ହେବ, କାରଣ ଆଜି ତୁମେ ତୁମର ପ୍ରିୟଙ୍କୁ ଭେଟିବ । ଏକ ନୂତନ ଶିଳ୍ପରେ ଯୋଗଦେବା ଠାରୁ ଦୂରେଇ ରୁହନ୍ତୁ ଯେଉଁଥିରେ ଏକାଧିକ ଅଂଶୀଦାର ଅଛନ୍ତି, ଏବଂ ଆବଶ୍ୟକ ହେଲେ ଆପଣଙ୍କ ନିକଟବର୍ତ୍ତୀ ଲୋକଙ୍କ ମତାମତ ନେବାକୁ ଭୟ କରନ୍ତୁ ନାହିଁ । ଅତୀତରେ ଆପଣ କର୍ମକ୍ଷେତ୍ରରେ ଅନେକ ଅସମାପ୍ତ କାର୍ଯ୍ୟ ଛାଡିଛନ୍ତି, ଯାହା ଆପଣଙ୍କୁ ଆଜି ଦେବାକୁ ପଡିବ ।

ମିଥୁନ- ଆଜି ଆପଣ କୌଣସି ଅସୁବିଧାରେ ବିଶ୍ରାମ ନେବାକୁ ସକ୍ଷମ ହେବେ । ଆପଣଙ୍କ ମାଂସପେଶୀକୁ ଆରାମ ଦେବା ପାଇଁ ତେଲ ମାଲିସ୍ କରନ୍ତୁ । ଆଜି ଏକ ପାର୍ଟିରେ ଆପଣ ଏପରି ଜଣେ ବ୍ୟକ୍ତିଙ୍କୁ ଭେଟିପାରନ୍ତି ଯିଏ ଆପଣଙ୍କୁ ଆର୍ଥିକ ଦିଗକୁ ମଜବୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇପାରନ୍ତି । ଯଦି ଆପଣ ଏକ ପାର୍ଟୀ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କର ସର୍ବୋତ୍ତମ ବନ୍ଧୁମାନଙ୍କୁ ଆମନ୍ତ୍ରଣ କରନ୍ତୁ । ଅନେକ ଲୋକ ରହିବେ ଯେଉଁମାନେ ଆପଣଙ୍କୁ ଉତ୍ସାହିତ କରିବେ । ସମ୍ପର୍କ ନଷ୍ଟ କରିବାକୁ ଅନାବଶ୍ୟକ ସନ୍ଦେହ କରନ୍ତୁ ନାହିଁ । ତୁମେ ମଧ୍ୟ ତୁମର ପ୍ରେମିକ ଉପରେ ସନ୍ଦେହ କରିବା ଉଚିତ୍ ନୁହେଁ ।

କର୍କଟ – ଆଜି ଏକ ବ୍ୟାୟାମ ସହିତ ଆପଣଙ୍କର ଦିନ ଆରମ୍ଭ କରନ୍ତୁ। ଏହା ହେଉଛି ସେହି ସମୟ ଯେତେବେଳେ ଆପଣ ନିଜ ବିଷୟରେ ଭଲ ଅନୁଭବ କରିବା ଆରମ୍ଭ କରିପାରିବେ। ଏହାକୁ ନିଜ ନିତ୍ୟକର୍ମରେ ଯୋଡନ୍ତୁ ଏବଂ ଏହାକୁ ନିୟମିତ ରଖିବାକୁ ଚେଷ୍ଟା କରନ୍ତୁ । ଅତିରିକ୍ତ ଆୟ ପାଇଁ ଆପଣଙ୍କର ସୃଜନଶୀଳ ଧାରଣା ବ୍ୟବହାର କରନ୍ତୁ । ବାପାଙ୍କ କଠୋର ଆଚରଣ ଆପଣଙ୍କୁ କ୍ରୋଧିତ କରିପାରେ । କିନ୍ତୁ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଶାନ୍ତ ରୁହନ୍ତୁ । ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ । ଏକ ଗଛ ଲଗାନ୍ତୁ । ଆଜି ତୁମର ମନ ଅଫିସ୍ କାର୍ଯ୍ୟରେ ନିୟୋଜିତ ହେବ ନାହିଁ । ଆଜି ଆପଣଙ୍କ ମନରେ କିଛି ଦ୍ୱନ୍ଦ୍ୱ ଦେଖାଯିବ ଯାହା ଆପଣଙ୍କୁ ଏକାଗ୍ର ହେବାକୁ ଦେବ ନାହିଁ।

ସିଂହ- ଆଜି ତୁମର ବହୁତ ଶକ୍ତି ସୃଷ୍ଟି ହେବ। କିନ୍ତୁ କାର୍ଯ୍ୟଭାର ତୁମର ଦୁଃଖର କାରଣ ହୋଇପାରେ । ପାରମ୍ପାରିକ ଉପାୟରେ ତୁମର ଡିପୋଜିଟକୁ ବିନିଯୋଗ କଲେ ତୁମେ ଟଙ୍କା ରୋଜଗାର କରିପାରିବ । ଆପଣଙ୍କ ନିକଟତର ଲୋକମାନେ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ସମସ୍ୟା ସୃଷ୍ଟି କରିପାରିବେ । ଯାତ୍ରା ଯୋଗୁଁ ପ୍ରେମ ସମ୍ପର୍କ ବୃଦ୍ଧି ପାଇବ । ଆପଣ ଅଫିସରେ କିଛି କାମ ପାଇପାରନ୍ତି, ଯାହା ଆପଣ ସର୍ବଦା କରିବାକୁ ଚାହାଁନ୍ତି । ଆଜି ଆପଣଙ୍କର ଖାଲି ସମୟ ମୋବାଇଲ୍ କିମ୍ବା ଟିଭି ଦେଖିବାରେ ନଷ୍ଟ ହୋଇପାରେ । ଏହା ମଧ୍ୟ ଆପଣଙ୍କ ସାଥୀଙ୍କୁ ଆପଣଙ୍କ ଉପରେ ବିରକ୍ତ କରିବ କାରଣ ଆପଣ ସେମାନଙ୍କ ସହ କଥାବାର୍ତ୍ତା କରିବାକୁ କୌଣସି ଆଗ୍ରହ ଦେଖାଇବେ ନାହିଁ ।

କନ୍ୟା- ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ଆପଣଙ୍କ ପାଇଁ ବହୁତ ଭଲ ଦିନ । ଆପଣ ଆନନ୍ଦ କେବଳ ଆପଣଙ୍କର ଆତ୍ମବିଶ୍ୱାସ ବଢାଇବ । ଆପଣଙ୍କର ଜଣେ ପୁରୁଣା ବନ୍ଧୁ ଆଜି ବ୍ୟବସାୟରେ ଲାଭ ପାଇବା ପାଇଁ ଆପଣଙ୍କୁ ପରାମର୍ଶ ଦେଇପାରିବେ। ଯଦି ଆପଣ ଏହି ପରାମର୍ଶକୁ ଅନୁସରଣ କରନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଟଙ୍କା ପାଇବେ । ଆପଣ ଅତିଥିମାନଙ୍କୁ ଖରାପ ବ୍ୟବହାର କରନ୍ତୁ ନାହିଁ । ଆପଣ ଏପରି ଆଚରଣ କେବଳ ଆପଣଙ୍କ ପରିବାରକୁ ଅସନ୍ତୁଷ୍ଟ କରିପାରିବ ନାହିଁ ବରଂ ସମ୍ପର୍କ ମଧ୍ୟରେ ଦୂରତା ମଧ୍ୟ ସୃଷ୍ଟି କରିପାରିବ । ଆପଣ ପ୍ରିୟତମ ଆଜି ବହୁତ ସୁନ୍ଦର କାର୍ଯ୍ୟ ସହିତ କିଛି କରି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରନ୍ତି ।

ତୂଳା- ଆପଣଙ୍କର ଭାବନାକୁ ନିୟନ୍ତ୍ରଣ କରିବା ଏବଂ ଯଥା ଶୀଘ୍ର ଭୟରୁ ମୁକ୍ତି ପାଇବା ଆବଶ୍ୟକ, କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ଏବଂ ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ ଉପଭୋଗ କରିବାକୁ ବଞ୍ଚିତ କରିପାରେ । ଟଙ୍କା ସହ ଜଡିତ କୌଣସି ସମସ୍ୟାର ଆଜି ସମାଧାନ ହୋଇପାରିବ ଏବଂ ଆପଣ ଟଙ୍କା ରୋଜଗାର କରିପାରିବେ । ଏକ ଐ ତିହାସିକ କୋଠା ଚାରିପାଖରେ ଏକ ଭ୍ରମଣ ଯୋଜନା କରନ୍ତୁ । ଏହା ଶିଶୁ ଏବଂ ପରିବାର ସଦସ୍ୟଙ୍କୁ ଆବଶ୍ୟକ ସତେଜତା ଦେବ। ଆପଣଙ୍କର ପ୍ରିୟଙ୍କ ଆନ୍ତରିକତା ଉପରେ ସନ୍ଦେହ କରନ୍ତୁ ନାହିଁ । ତୁମର ମନୋଭାବକୁ ସଚ୍ଚୋଟ ଏବଂ ଖୋଲା ରଖ । ଲୋକମାନେ ତୁମର ଦୃଢତା ଏବଂ ଦକ୍ଷତାକୁ ପ୍ରଶଂସା କରିବେ ।

ବିଛା – ଆଜି, ତୁମର ଖରାପ ମନୋବଳକୁ ଦାମ୍ପତ୍ୟ ଜୀବନରେ ଚାପର କାରଣ ହେବାକୁ ଦିଅ ନାହିଁ । ଏହାକୁ ଏଡାଇବାକୁ ଚେଷ୍ଟା କରନ୍ତୁ, ନଚେତ୍ ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିବ । ନିଶ୍ଚିତ ଭାବରେ ଆର୍ଥିକ ସ୍ଥିତିରେ ଉନ୍ନତି ହେବ – କିନ୍ତୁ ସେହି ସମୟରେ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ସହିତ ମତଭେଦ ଦୂର କରି, ତୁମେ ତୁମର ଉଦ୍ଦେଶ୍ୟକୁ ସହଜରେ ପୂରଣ କରିପାରିବ । ତୁମ ପାର୍ଶ୍ୱରୁ ତୁମକୁ ସର୍ବୋତ୍ତମ ଉପାୟରେ ଆଚରଣ କରିବା ଆବଶ୍ୟକ, କାରଣ ଆଜି ତୁମର ପ୍ରିୟ ବ୍ୟକ୍ତି ଖୁବ୍ ଶୀଘ୍ର କ୍ରୋଧିତ ହୋଇପାରନ୍ତି । କାର୍ଯ୍ୟର ବ୍ୟସ୍ତତା ସତ୍ବେ, ଆଜି ଶକ୍ତି ଆପଣଙ୍କୁ କର୍ମକ୍ଷେତ୍ରରେ ଦେଖିବାକୁ ମିଳିବ ।

ଧନୁ– ଆଜି, ଆଦର୍ଶଗତ ଟେନସନ ହେତୁ ଜଣଙ୍କୁ ଅସୁସ୍ଥତାର ଶିକାର ହେବାକୁ ପଡିପାରେ । ଆରାମ ଏବଂ ଅନୁଭବ କରିବାକୁ ସାଙ୍ଗ ଏବଂ ପରିବାର ସହିତ କିଛି ସମୟ ବିତାନ୍ତୁ । ଅନ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ଅତିରିକ୍ତ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ। ପରିବାର ସଦସ୍ୟମାନେ ଆପଣଙ୍କ ଜୀବନରେ ବିଶେଷ ଗୁରୁତ୍ୱ ପାଇବେ । ତୁମର ସାଥୀ ତୁମ ବିଷୟରେ ଭଲ ଭାବନ୍ତି, ଅନେକ ଥର ସେ ତୁମ ଉପରେ କ୍ରୋଧିତ ହୁଅନ୍ତି। ତାଙ୍କ କ୍ରୋଧରେ କ୍ରୋଧ କରିବା ଅପେକ୍ଷା ତାଙ୍କ କଥା ବୁଝିବା ଭଲ ହେବ । ବ୍ୟବସାୟୀଙ୍କ ପାଇଁ ଏହା ଏକ ଭଲ ଦିନ, କାରଣ ସେମାନେ ଚାହିଦା ବୃଦ୍ଧିରୁ ଉପକୃତ ହେବେ ।

ମକର – ଆଜି ସନ୍ଧ୍ୟାରେ ନିଜ ଜୀବନସାଥୀ ସହିତ ଏକ ଚଳଚ୍ଚିତ୍ର, ଥିଏଟର କିମ୍ବା ରେଷ୍ଟୁରାଣ୍ଟରେ ବିତାଇବା ଆପଣଙ୍କୁ ଆରାମ ଦେବ ଏବଂ ଆପଣଙ୍କ ମନକୁ ସତେଜ ରଖିବ। ଆଜି ଆପଣ ବହୁତ ଟଙ୍କା ରୋଜଗାର କରିପାରିବେ, କିନ୍ତୁ ଏହାକୁ ଆପଣଙ୍କ ହାତରୁ ଖସିଯିବାକୁ ଦିଅନ୍ତୁ ନାହିଁ । ସମ୍ପର୍କୀୟ କିମ୍ବା ବନ୍ଧୁମାନେ ଏକ ସୁନ୍ଦର ସନ୍ଧ୍ୟା ପାଇଁ ଘରକୁ ଆସିପାରନ୍ତି । କିଛି ମଜାଦାର ବ୍ୟକ୍ତିଙ୍କୁ ଭେଟିବାର ଏକ ଦୃଢ ସମ୍ଭାବନା ଅଛି । ବ୍ୟବସାୟିକ ନିଷ୍ପତ୍ତି ନେବା ପାଇଁ ଆଜି ଏକ ଭଲ ଦିନ । ଆଜି, ତୁମେ ତୁମର ସମ୍ପର୍କକୁ ସମସ୍ତ ସମ୍ପର୍କ ଏବଂ ସମ୍ପର୍କୀୟଙ୍କଠାରୁ ଦୂରରେ ରଖିବାକୁ ଚାହୁଁଛ ଯେଉଁଠାରେ ତୁମେ ଶାନ୍ତି ପାଇବ ।

କୁମ୍ଭ- ଆଜି ଏପରି କାର୍ଯ୍ୟକଳାପରେ ନିୟୋଜିତ ହୁଅନ୍ତୁ, ଯାହା ଆପଣଙ୍କୁ ଆରାମ ଦେଇଥାଏ। ଯଦି ତୁମେ ତୁମର ସୃଜନଶୀଳ ପ୍ରତିଭାକୁ ସଠିକ୍ ଉପାୟରେ ବ୍ୟବହାର କର, ଏହା ଅତ୍ୟନ୍ତ ଲାଭଦାୟକ ହେବ । ତୁମର ନୂତନ ପ୍ରୋଜେକ୍ଟ ପାଇଁ ପିତାମାତାଙ୍କୁ ଆତ୍ମବିଶ୍ୱାସରେ ନେବା ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ । ବିବାହିତ ପ୍ରେମ ସମ୍ପର୍କ ତୁମର ପ୍ରତିଷ୍ଠାକୁ ଖରାପ କରିପାରେ । ତୁମର ସାଥୀମାନେ ଆଜି ଆପଣଙ୍କୁ ଅସାଧାରଣ ଶକ୍ତି ପ୍ରଦାନ କରିବେ, ତେଣୁ ନିଷ୍ପତ୍ତି ନିଅନ୍ତୁ ଯାହା ଆବଶ୍ୟକ ଏବଂ ଭବିଷ୍ୟତରେ ଆପଣଙ୍କୁ ମାର୍ଗଦର୍ଶନ କରିପାରିବ ।

ମୀନ- ଯୋଗ ଧ୍ୟାନ ସହିତ ଆପଣ ଦିନ ଆରମ୍ଭ କରିପାରିବେ । ଏହା କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ ଏବଂ ଆପଣ ଦିନସାରା ଶକ୍ତି ପାଇବେ।  ଯଦି ଆପଣ ଜୀବନର ଗାଡିକୁ ଭଲ ଭାବରେ ଚଳାଇବାକୁ ଚାହୁଁଛନ୍ତି, ତେବେ ଆଜି ଆପଣଙ୍କୁ ଅର୍ଥର ଗତିବିଧି ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ। ଆପଣଙ୍କ ସାଥୀଙ୍କ ସଫଳତାକୁ ପ୍ରଶଂସା କରନ୍ତୁ ଏବଂ ତାଙ୍କର ସଫଳତା ଏବଂ ସୁଖକୁ ପାଳନ କରନ୍ତୁ । ଉଦାର ହୁଅ ଏବଂ ଆନ୍ତରିକ ପ୍ରଶଂସା କର। ଆଜି ତୁମର ପ୍ରିୟ ତୁମର ଅସ୍ଥିର ମନୋଭାବ ହେତୁ ତୁମ ସହିତ ସଜାଡ଼ିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜଳପଥ ପରିବହନକୁ କାର୍ଯ୍ୟକାରୀ ପାଇଁ ସାମୁଦ୍ରିକ ବାଣିଜ୍ୟ ବିକାଶ ପରିଷଦରେ ଦାବୀ କଲା ଓଡିଶା

ଭୁବନେଶ୍ୱର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସାମୁଦ୍ରିକ ବାଣିଜ୍ୟ ଅଭିବୃଦ୍ଧି ନିମନ୍ତେ ଜଳପଥ ପରିବହନକୁ ସଂପ୍ରସାରିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । କେନ୍ଦ୍ର ସରକାର ୫ ନଂ ଜାତୀୟ ଜଳପଥ ନେଇ କାର୍ଯ୍ୟ କଲେ ଓଡ଼ିଶାରେ ପରିବହନ ଓ ବନ୍ଦର ବିକାଶ କ୍ଷେତ୍ରରେ ଅଧିକ ଉନ୍ନତି ପରିଲକ୍ଷିତ ହେବା ସହ ତତ୍‌ଜନିତ ଆର୍ଥିକ ବୋଝ ହ୍ରାସ ପାଇବ ବୋଲି ମନ୍ତ୍ରୀ ବେହେରା ଉଲ୍ଲେଖ କରିଛନ୍ତି । ପ୍ରତିଦ୍ୱନ୍ଦିତାମୂଳକ ବଜାରରେ ଜଳମାର୍ଗ ପରିବହନ ଶିଳ୍ପ ଅଭିବୃଦ୍ଧି ତଥା ବାଣିଜ୍ୟରେ ଅଧିକ ସହାୟକ ହେବ ବୋଲି ସେ କହିଛନ୍ତି ।

କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନ୍‌ସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରାଳୟ ଅଧୀନସ୍ଥ ଉପକୂଳବର୍ତ୍ତୀ ରାଜ୍ୟ ଉନ୍ନୟନ ପରିଷଦର ଅଷ୍ଟାଦଶ ବୈଠକରେ ଅଂଶଗ୍ରହଣ କରି ମନ୍ତ୍ରୀ ବେହେରା ଓଡ଼ିଶାରେ ବନ୍ଦର ସଂଯୋଗୀକରଣ ନେଇ ହୋଇଥିବା କାର୍ଯ୍ୟକ୍ରମଗୁଡ଼ିକ ଉପରେ ସୂଚନା ଦେଇଥିଲେ । ଭାରତୀୟ ବନ୍ଦର ବିଲ୍‌ ୨୦୨୧ ସଂପର୍କରେ ରାଜ୍ୟସ୍ତରରେ ବ୍ୟାପକ ଆଲୋଚନା ଓ ବିଚାରବିମର୍ଶ ହେବା ପରେ ଯାଇ ଓଡ଼ିଶା ତା’ର ମତାମତ ଜଣାଇବ ବୋଲି ମନ୍ତ୍ରୀ କହିଛନ୍ତି ।

ଇତି ମଧ୍ୟରେ ଗତ ଫେବୃଆରୀ ମାସରେ ବିଧାନସଭାରେ ପାରିତ ହୋଇଥିବା ରାଜ୍ୟ ସାମୁଦି୍ରକ ବିଲ୍‌ରେ ଥିବା ପ୍ରାବଧାନଗୁଡ଼ିକୁ ମଧ୍ୟ ଭାରତୀୟ ବନ୍ଦର ବିଲ୍‌ରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ମନ୍ତ୍ରୀ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଓଡ଼ିଶାର ବନ୍ଦରଗୁଡ଼ିକ ପାଇଁ ରେଳପଥ ଓ ସଡ଼କ ସଂଯୋଗୀକରଣ ଉପରେ ମନ୍ତ୍ରୀ ଶ୍ରୀ ବେହେରା ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପାରାଦୀପ ବନ୍ଦରକୁ ହରିଦାସପୁର ରେଳ ଷ୍ଟେସନ୍‌ରୁ ଏକ ନୂଆ ରେଳପଥ ସଂଯୁକ୍ତ ହେବା ଫଳରେ ବନ୍ଦରର ପଣ୍ୟ ପରିବହନ କ୍ଷମତା ବାର୍ଷିକ ପ୍ରାୟ ୨୦ ନିୟୁତ ଟନ୍‌ ବୃଦ୍ଧି ପାଇଛି । ଇତି ମଧ୍ୟରେ ଓଡ଼ିଶା ସରକାର ୨୦୦୪ ରାଜ୍ୟ ବନ୍ଦର ନୀତି ଅନୁସାରେ ଘରୋଇ ସହଭାଗିତା କ୍ରମେ ଧାମରା ଓ ଗୋପାଳପୁର ବନ୍ଦର କାର୍ଯ୍ୟାରମ୍ଭ କରିଛନ୍ତି । ଏହା ବ୍ୟତୀତ ସୁବର୍ଣ୍ଣରେଖା, ଅସ୍ତରଙ୍ଗ ଓ ମହାନଦୀ ରିଭରାଇନ୍‌ ପରି ତିନୋଟି କ୍ଷୁଦ୍ର ବନ୍ଦରର ବିକାଶ କାର୍ଯ୍ୟ ଚାଲିଛି ।

୨୦୨୦-୨୧ ଆର୍ଥିକ ବର୍ଷରେ ୫୦ ନିୟୁତ ମେଟି୍ରକ୍‌ ଟନ୍‌ ପଣ୍ୟ ପରିବହନ କ୍ଷମତାବିଶିଷ୍ଟ ଧାମରା ବନ୍ଦର ଓ ୨୦ ନିୟୁତ ମେଟି୍ରକ୍‌ ଟନ୍‌ କ୍ଷମତା ବିଶିଷ୍ଟ ଗୋପାଳପୁର ବନ୍ଦର ଯଥାକ୍ରମେ ୩୨.୩୮ ନିୟୁତ ଟନ ଏବଂ ୧୦.୬୫ ନିୟୁତ ମେଟି୍ରକ୍‌ ଟନ୍‌ ପଣ୍ୟ ପରିବହନ କରିଛନ୍ତି । ଉଭୟ ବନ୍ଦରର ସଂପ୍ରସାରଣ କାର୍ଯ୍ୟ ଚାଲିଛି ଓ ଏହି ଦୁଇଟି ବନ୍ଦର ସଂପୂର୍ଣ୍ଣ କ୍ଷମତାପନ୍ନ ହେବା ପାଇଁ ସଡ଼କ ଓ ରେଳ ସଂଯୋଗୀକରଣ ଅପରିହାର୍ଯ୍ୟ ।

ଧାମରା ବନ୍ଦର ପାଇଁ ଥିବା ରାସ୍ତାକୁ ରାଜ୍ୟ ସରକାର ଦୁଇ ଥାକିଆ କରିଛନ୍ତି । କିନ୍ତୁ ଭଦ୍ରକଠାରୁ ଏଠାକୁ ଚାରିଥାକିଆ ସଂଯୋଗୀକରଣର ସମ୍ଭାବନା ରହିଥିବାବେଳେ ଏହାର ପରିଚାଳନା ଦାୟିତ୍ୱରେ ଥିବା ଆଦାନୀ ଗ୍ରୁପ୍‌ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ବେହେରା କହିଛନ୍ତି।

ସେହିପରି ୧୬ ନଂ ଜାତୀୟ ରାଜପଥରୁ ଗୋପାଳପୁର ବନ୍ଦରକୁ ୪.୫ କିମି ଦୈର୍ଘ୍ୟବିଶିଷ୍ଟ ରାସ୍ତା କାମ ତୁରନ୍ତ ସଂପୂର୍ଣ୍ଣ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାର ସମ୍ମତି ଜଣାଇ ସାରିଛନ୍ତି । ବନ୍ଦରକୁ ଯାଇଥିବା ରାସ୍ତାଟି ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବା ଓ ଜନବସତି କାରଣରୁ ବନ୍ଦରକୁ ପରିବହନ ପାଇଁ ଯାନ ଚଳାଚଳରେ ସମସ୍ୟା ଉପୁଜୁଥିବାରୁ ରାଜପଥ କର୍ତ୍ତୃପକ୍ଷ ବର୍ଷକ ମଧ୍ୟରେ ସେ କାର୍ଯ୍ୟ ସାରିବା ପାଇଁ ମନ୍ତ୍ରୀ ଅନୁରୋଧ ଜଣାଇଛନ୍ତି।

ଓଡ଼ିଶା ଏବଂ ଛତିଶଗଡ଼ର ଆଭ୍ୟନ୍ତରଣ ଅଞ୍ଚଳରୁ ଗୋପାଳପୁରକୁ ସଂଯୋଗ କରିବା ପାଇଁ ରହିଥିବା ଗୁଣୁପୁର-ଥେରୁବାଲି ରେଳପଥକୁ ବ୍ରଡଗଜ କରିବା ନିମନ୍ତେ ରେଳବାଇ ବୋର୍ଡ ନିକଟରେ ସବୁଜ ସଂକେତ ଦେଇଛନ୍ତି । ବୋର୍ଡ ଓ ଓଡ଼ିଶା ସରକାର ମିଳିତ ଭାବେ ଏହି ପ୍ରକଳ୍ପର ଯୋଜନା କରୁଛନ୍ତି ।

ଏହି ୱେବିନାର୍‌କୁ କେନ୍ଦ୍ର ରାଷ୍ଟ ମନ୍ତ୍ରୀ ମାଣ୍ଡବ୍ୟ ଉଦ୍‌ଘାଟନ କରିଥିବାବେଳେ ମନ୍ତ୍ରାଳୟର ସଚିବ, ଅତିରିକ୍ତ ସଚିବ, ବିଭିନ୍ନ ସମୁଦ୍ରକୂଳ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସଂପୃକ୍ତ ମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରାଳୟର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅକ୍‌ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ଅନ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ Liquid Medical Oxygen ଓ PSA Plant ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହି ଜିଲ୍ଲାଗୁଡିକ ହେଲା, ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ରାୟଗଡା ଓ ମାଲକାନଗିରି । ଏହାସହିତ ବ୍ରହ୍ମପୁର ସିଟି ହସ୍‌ପିଟାଲରେ ୧୨ ଶଯ୍ୟା ବିଶିଷ୍ଟ ନବଜାତ ଶିଶୁ ଚିକିତ୍ସା କେନ୍ଦ୍ର, ଭଂଜନଗରରେ ଡାୟାଲିସିସ୍ ୟୁନିଟ, କୁକୁଡାଖଣ୍ଡି ବ୍ଲକ୍‌ରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଦିଗପହଣ୍ଡି ବ୍ଲକ୍‌ରେ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ କୋଭିଡ ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ ଦ୍ବିତୀୟ ଲହର ସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ କେତେକ ଉପକୂଳବର୍ତ୍ତୀ ଜିଲ୍ଲାର ପରିସ୍ଥିତିରେ ସ୍ଥିରତା ରହୁନାହିଁ । ସେହିପରି ତୃତୀୟ ଲହର ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ରଖୁଛନ୍ତି । ତା ସହିତେ କେତେକ ରାଜ୍ୟରେ ଡେଲ୍‌ଟା ପ୍ଲସ୍ ଭ୍ୟାରିଆଣ୍ଟ ମଧ୍ୟ ଦେଖା ଦେଲାଣି । ତେଣୁ କୌଣସି ପରିସ୍ଥିତିରେ ଆମର ପ୍ରସ୍ତୁତିରେ ସାମାନ୍ୟତମ ଅବହେଳା କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ମତ ପ୍ରକାଶ କରିଛନ୍ତି।

ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ପ୍ରସ୍ତୁତି, ଜନସାଧାରଣଙ୍କ ସତର୍କତା ଓ ସହଯୋଗ ଜରିଆରେ ହିଁ ଆମେ ଏ ଲଢେଇ ଜିତିପାରିବା ।

କୋଭିଡ ନିୟମ ପାଳନ ସହିତ ଟୀକାକରଣ କ୍ଷେତ୍ରରେ ମଧ୍ୟ ଜନସାଧାରଣଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଅଧିକ ଡୋଜ୍ ଟୀକା ଦିଆଯାଇସାରିଲାଣି । ଜୀବନ ସହିତ ଜୀବିକା ଉପରେ ସେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି ବୋଲି ପ୍ରକାଶ କରି ରାଜ୍ୟ ସରକାର ନିକଟରେ ଗରିବ ଲୋକ ଓ ଚାଷୀ ମାନଙ୍କ ପାଇଁ ୧୬୯୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ୧୫ଟି ଜିଲ୍ଲାରେ LMO ଓ PSA plant ପାଇଁ କାମ ଆରମ୍ଭ ହୋଇଥିବା ବେଳେ, ଆଜି ଆଉ ୮ଟି ଜିଲ୍ଲାରେ ଏହିସବୁ ଅକ୍‌ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ରଖାଗଲା । ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ଏହି ଉଦ୍ୟମରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।

ବାଚସ୍ପତି ସୂଯ୍ୟୟନାରାୟଣ ପାତ୍ର ବ୍ରହ୍ମପୁର ଠାରେ ଉପସ୍ଥିତ ରହି ଏହି କାଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ ଆଜି ଗଞ୍ଜାମ ପାଇଁ ଏକ ସୌଭାଗ୍ୟର ଦିନ। ଗଞ୍ଜାମ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସେ ଆଲୋକପାତ କରିଥିଲେ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ବିଜ୍ଞାନ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଅନୁସୂଚିତ ଜନଜାତି, ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ନବରଂଗପୁର ସାଂସଦ ରମେଶଚନ୍ଦ୍ର ମାଝୀ ଓ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ରାଜ୍ୟରେ କୋଭିଡ ଯୁଦ୍ଧରେ ଓଡିଶାର ଉତ୍ତମ ପ୍ରଦର୍ଶନ ଓ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦକ୍ଷ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ। ଏହି କାର‌୍ୟ୍ୟକ୍ରମରେ ବିଭିନ୍ନ ଜିଲ୍ଲାରେ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ କାର‌୍ୟ୍ୟକ୍ରମ ସଂଚାଳନ କରିଥିଲେ ।

ଏହି କାର‌୍ୟ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଯାମିନୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟକୁ ୧୦୦୦ କୋଟିରେ ପହଞ୍ଚାଯିବାକୁ ନିଷ୍ପତି, ହେବ ଗୋଲ୍ଡ କ୍ୟାଟେଗୋରି

ଭୁବନେଶ୍ୱର,  ଆସନ୍ତା ବର୍ଷ ଶେଷ ସୁଦ୍ଧା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ୧୦୦୦ କୋଟି ଟଙ୍କାର ବ୍ୟବସାୟରେ ପହଞ୍ଚାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସାକାର କରିବା ଏବଂ ଏହାକୁ ଏକ ଗୋଲ୍ଡ କ୍ୟାଟେଗୋରୀ ସରକାରୀ ଉଦ୍ୟୋଗରେ ପରିଣତ କରିବାକୁ ଆଜି ଅନୁଷ୍ଠିତ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ୨୦୫ତମ ବୋର୍ଡ ଅଫ୍‌ ଡାଇରେକଫରସ୍‌ ବୈଠକରେ ନିଷ୍ପତି ହୋଇଛି।

ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ କହିଛନ୍ତି ଯେ, ବର୍ତ୍ତମାନ ନିଗମର କାର୍ଯ୍ୟ ପରିସରକୁ ବ୍ୟାପକ ଏବଂ ବର୍ତ୍ତମାନର ସମ୍ବଳକୁ ସର୍ବାଧିକ ବିନିଯୋଗ କରାଯିବ। ନିଗମ ୬୧୩ କୋଟି ଟଙ୍କାର ବ୍ୟବସାୟ କରି ଅନନ୍ୟ ରେକର୍ଡ କରିଥିବାରୁ ବୋର୍ଡ ପରିଚାଳନା କର୍ତ୍ତୃପକ୍ଷଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

ନିଗମ କାର୍ଯ୍ୟଧାରାକୁ ଆହୁରି ବ୍ୟାପକ ଏବଂ ଆଧୁନିକୀକରଣ କରିବା ପାଇଁ ଏହି ବୋର୍ଡରେ ଆଲୋଚନା କରାଯାଇ ବିଭିନ୍ନ ବିଭାଗରେ ଥିବା ଭିତ୍ତିଭୂମି ନିର୍ମାଣ, ଇ-ସିଷ୍ଟମ୍‌ ଡେଭେଲପ୍‌ମେଣ୍ଟ ଏବଂ ଉନ୍ନତ ବୈଷୟିକ ଜ୍ଞାନ କ୍ଷେତ୍ରରେ ମଧ୍ୟ ବ୍ୟବସାୟ ହାତକୁ ନେବା ପାଇଁ ସର୍ବସମ୍ମତିରେ ସ୍ଥିର କରାଯାଇଛି ।

ଏହି କ୍ରମରେ ବିଭିନ୍ନ ସ୍ୱତନ୍ତ୍ର ସେବା ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ ସଂପାଦନ କରିବା ପାଇଁ ସ୍ପେସାଲ୍‌ ପରପସ୍‌ ଭେଇକିଲ୍‌(ଏସ୍‌ପିିଭି) ଗଠନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିରେ ଗୁଣୀ ଓ କୁଶଳୀ ମାନବସମ୍ବଳକୁ ଉପଯୋଗ କରାଯିବ । ଏସ୍‌ପିଭି ଗଠନ ପାଇଁ ସର୍ତ୍ତ ଓ ନିୟମାବଳୀ ରଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କାର୍ଯ୍ୟ ସଂପାଦନ କରିବା କ୍ଷେତ୍ରରେ ଅଧିକରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ପ୍ରାଧାନ୍ୟ ଦେବାକୁ ଆଲୋଚନାରେ ମତପ୍ରକାଶ ପାଇଛି ।

ନିଗମ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ଲାଗି ଖାଲି ପଡ଼ିଥିବା ମୂଳପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କମ୍ପୁ୍ୟଟରୀକରଣ ଏବଂ ଡିଜିଟାଇଜେସନ୍‌ ପରି ଆଧୁନିକ ଜ୍ଞାନକୌଶଳ ସମ୍ବଳିତ କାର୍ଯ୍ୟଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ ଏବଂ ଆନୁଷଙ୍ଗିକ କଞ୍ଚାମାଲ୍‌ ଯୋଗାଇବା ପର୍ଯ୍ୟନ୍ତ ସରକାରଙ୍କର ବିଭିନ୍ନ ବିଭାଗରେ କାର୍ଯ୍ୟ କରିବାକୁ ଏହାର ପରିସରକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏଥିସହିତ ନିଗମ ନିଜର ମୌଳିକ ଦାୟିତ୍ୱ ସଂପାଦନ କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ।
ଏହି ବୈଠକରେ ନିଗମର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହାଣୀ, ଏମ୍‌ଏସ୍‌ଏମ୍‌ଇ ବିଭାଗ ସ୍ୱତନ୍ତ୍ର ସଚିବ ମନ୍ମଥ କୁମାର ବିଶ୍ୱାଳ, ଅର୍ଥ ବିଭାଗ ନିର୍ଦ୍ଦେଶକ(ଆଇଏଫ୍‌) ଡ. ପ୍ରଜ୍ଞାସ୍ମିତା ସାହୁ, ସ୍ୱାଧୀନ ନିର୍ଦ୍ଦେଶକ, ଶ୍ରୀମତୀ ନିରୁପମା ହାତି, ଓଏସ୍‌ମେ୍‌ର ଅଧ୍ୟକ୍ଷ ଗୌରୀଶଙ୍କର ଦାଶ, ଓସିଆର ସଭାପତି  ସ୍ମରଜିତ୍‌ ମହାନ୍ତି. ଓଇଆର ସଭାପତି ଶ୍ରୀ ମିହିର କୁମାର କାନୁନଗୋ ଏବଂ ସ୍ୱାଧୀନ ଡାଇରେକଫର ଭେଙ୍କଟେଶ୍ୱରଲୁ ସୁରୁ ଉପସ୍ଥିତ
ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ, ଭିଜିଲାନସ ନିର୍ଦ୍ଦେଶକ ହେଲେ ଯଶୱନ୍ତ ଜେଠୱା

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ।ଯଶୱନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ବଦଳି କରାଯାଇଛି । ଏହି ପଦବିରେ ଥିବା ବରିଷ୍ଠ ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ପରେ ଏହା ଖାଲି ପଡିଥିଲା।

ସେହିପରି ବର୍ତ୍ତମାନର ପରିବହନ କମିଶନର ଥିବା ସଞ୍ଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ଏଡିଜି ଭାବେ ବଦଳି କରାଯାଇଛି। ଏଥିସହ ତାଙ୍କୁ ପୋଲିସ ଗୃହ ନିର୍ମାଣ ନିଗମ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି ।

ସେହିପରି ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି ଲଳିତ ଦାସ । ବର୍ତ୍ତମାନ ଲଳିତ ପୋଲିସ ମୁଖ୍ୟାଳୟରେ ଅତିରିକ୍ତ ପୋଲିସ ଡିଜି ଭାବେ କାର୍ଯ୍ୟ କରୁଛନ୍ତି । ଆର କେ ଶର୍ମାଙ୍କୁ ଆଇନ୍ ଶୃଙ୍ଖଳା ଏଡିଜି ଭାବେ ନିଯୁକ୍ତି କରାଯାଇଛି।

ଅରୁଣ ବୋଥ୍ରାଙ୍କୁ ପରିବହନ କମିଶନର ଦାୟିତ୍ୱ ଦିଆଯାଇଛି। ସେହିପରି ଅସିତ ପାଣିଗ୍ରାହୀ ଆଇଜି ଭିଜିଲାନ୍ସ, ସୁଧାଂଶୁ ଷଡଙ୍ଗୀ ଗୃହ ବିଭାଗ ଓଏସଡି ଭାବେ ବଦଳି କରାଯାଇଛି।

Categories
ଆଜିର ଖବର ଜୀବନ ଶୈଳୀ

ସରିଲା ପ୍ରଧାନମନ୍ତ୍ରୀଙ୍କ ସହିତ ଜମ୍ମୁକାଶ୍ମୀର ସର୍ବଦଳୀୟ ବୈଠକ, ପୁଣି ରାଜ୍ୟ ମାନ୍ୟତା ସମ୍ଭାବନା

ନୂଆଦିଲ୍ଲୀ, ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସ ଭବନରେ ଚାଲିଥିବା ଜମ୍ମୁକାଶ୍ମୀର ସର୍ବଦଳୀୟ ବୈଠକ ଶେଷ ହୋଇଛି। ଏହି ବୈଠକରେ ଜମ୍ମୁକାଶ୍ମୀରର 14 ଜଣ ନେତା ଯୋଗ ଦେଇଥିଲେ। ଏଥିସହିତ ଏଥିରେ ଗୃହମନ୍ତ୍ରୀ ଅମିତ ସାହା ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ନେତାମାନେ ପୁଣିଥରେ ଜମ୍ମୁକାଶ୍ମୀରକୁ ରାଜ୍ୟ ମାନ୍ୟତା ପାଇଁ ଦାବୀ କରିଥିଲେ।

ଦୀର୍ଘ ସମୟ ଧରି ଚାଲିଥିବା ଏହି ବୈଠକରେ ରାଜ୍ୟର ନିର୍ବାଚନ ଉପରେ ମଧ୍ୟ ଆଲୋଚନା ହୋଇଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନେତାଙ୍କୁ ଦିଲ୍ଲୀ ରୁ ଦିଲ୍ ଦୂରତା ହ୍ରାସ କରିବାର ଆବଶ୍ୟକ ବୋଲି କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ଜିଓ ଓ ଗୁଗୁଲ୍ ଆଣୁଛନ୍ତି ନୂଆ ସ୍ମାର୍ଟଫୋନ୍‌ ‘ଜିଓଫୋନ୍ ନେକ୍ସଟ୍’, ଜାଣନ୍ତୁ କଣ ଏଥିରେ ରହିଛି

ଭୁବନେଶ୍ୱର, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୪ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନି ରିଲାଏନ୍ସ ଜିଓ ଓ ଗୁଗୁଲ୍‌ର ସହଯୋଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ସ୍ମାର୍ଟଫୋନ୍‌- ଜିଓଫୋନ୍ ନେକ୍ସଟ୍ ବିଷୟରେ ଘୋଷଣା କରିଛନ୍ତି । ଏହି ସ୍ମାର୍ଟଫୋନ୍‌ରେ ଜିଓ ଓ ଗୁଗୁଲ୍‌ର ବିଭିନ୍ନ ବୈଶିଷ୍ଟ୍ୟ ଓ ଆପ୍‌ଗୁଡ଼ିକ ରହିଛି ।

ଆଣ୍ଡ୍ରଏଡ୍ ଭିତ୍ତିକ ଏହି ଫୋନ୍‌ର ଅପରେଟିଂ ସିଷ୍ଟମ୍‌କୁ ଗୁଗୁଲ୍ ଓ ଜିଓ ମିଳିତ ଭାବେ ବିକଶିତ କରିଛନ୍ତି । ମୁକେଶ ଅମ୍ବାନି ଘୋଷଣା କରିଛନ୍ତି ଯେ ନୂଆ ସ୍ମାର୍ଟଫୋନ୍‌କୁ ସାଧାରଣ ଲୋକଙ୍କ ପକେଟ୍‌କୁ ସୁହାଇବା ଭଳି ପ୍ରସ୍ତୁତ କରାଯାଇଛି । ଏହା ଅତ୍ୟନ୍ତ ସୁଲଭ ମୂଲ୍ୟରେ ଏବଂ ଆସନ୍ତା ସେପ୍ଟେମ୍ବର ୧୦ ଗଣେଶ ଚତୁର୍ଥୀରୁ ଏହା ବଜାରରେ ମିଳିବ ।

ଭାରତୀୟ ବଜାର ପାଇଁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଥିବା ଜିଓଫୋନ୍‌-ନେକ୍ସଟ ସ୍ମାର୍ଟଫୋନ୍‌ରେ ଗ୍ରାହକମାନେ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ମଧ୍ୟ ଆପ୍ ଡାଉନ୍‌ଲୋଡ୍ କରିପାରିବେ । ସ୍ମାର୍ଟଫୋନ୍‌ରେ ଉନ୍ନତ କ୍ୟାମେରା ଓ ଆଣ୍ଡ୍ରଏଡ୍ ଅପ୍‌ଡେଟ୍ ମଧ୍ୟ ମିଳିବ । ସବୁ ପ୍ରକାର ସୁବିଧା ସୁଯୋଗ ଥିବା ଏହି ସ୍ମାର୍ଟଫୋନ୍‌କୁ ମୁକେଶ ଅମ୍ବାନି କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱର ସବୁଠୁ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଭାବେ ଅଭିହିତ କରିଛନ୍ତି । ଗତବର୍ଷ ରିଲାଏନ୍ସ ଜିଓ ପକ୍ଷରୁ ଗୁଗୁଲ୍ ସହ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଥିଲା ।

ଗୁଗୁଲ୍‌ର ସିଇଓ ସୁନ୍ଦର ପିଚାଇ ଏହି ନୂଆ ସ୍ମାର୍ଟଫୋନ ବିଷୟରେ କହିଛନ୍ତି ଯେଭାରତୀୟମାନଙ୍କ ପାଇଁ ସୁଲଭ ମୂଲ୍ୟରେ ସେମାନଙ୍କ ନିଜ ଭାଷାରେ ସୂଚନା ପହଂଚାଇବା ପାଇଁ ଆମର ଲକ୍ଷ୍ୟ ସ୍ୱରୂପ ଆମେ ଭାରତୀୟମାନଙ୍କ ଆବଶ୍ୟକତା ଅନୁସାରେ ନୂଆ ଉତ୍ପାଦ ଓ ସେବା ପ୍ରସ୍ତୁତ କରିବା ସହିତ ବ୍ୟବସାୟଗୁଡିକୁ ଟେକ୍ନୋଲୋଜି ବଳରେ ସଶକ୍ତ କରିବାକୁ ଉଦ୍ୟମ କରୁଛୁ । ଏହି ଦିଗରେ ଆମର ଆଗାମୀ ପଦକ୍ଷେପ ସମୂହ ଗୁଗୁଲ୍ ଓ ଜିଓ ମିଳିତ ଭାବେ ପ୍ରସ୍ତୁତ କରିଥିବା ଏହି ନୂଆ ଓ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ସହିତ ଆରମ୍ଭ ହେବ ।

ଏହା ଭାରତ ଲାଗି ପ୍ରସ୍ତୁତ କରାଯାଇଛି ଏବଂ ଏହା ଲକ୍ଷ ଲକ୍ଷ ନୂଆ ଉପଭୋକ୍ତାଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ ଯେଉଁମାନେ ପ୍ରଥମ ଥର ଲାଗି ଇଂଟରନେଟ୍‌ର ଅନୁଭୂତି ହାସଲ କରିବେ । ଗୁଗୁଲ୍ କ୍ଲାଉଡ୍ ଓ ଜିଓ ମଧ୍ୟରେ ଏକ ନୂଆ ୫ଜି ସହବନ୍ଧନ ଏକ ଶତ କୋଟିରୁ ଅଧିକ ଭାରତୀୟଙ୍କୁ ଇଟଂରନେଟ୍ ଦୁନିଆ ସହ ଯୋଡ଼ି ହେବାରେ ସହାୟକ ହେବ ତଥା ଭାରତର ଡିଜିଟାଲ୍‌କରଣର ପରବର୍ତୀ ପର୍ଯ୍ୟାୟ ପାଇଁ ମୂଳଦୁଆ ପକାଇବ ।’’

ଜିଓଫୋନ୍ ନେକ୍ସଟ୍ ବିଷୟରେ ଘୋଷଣା କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେଭାରତରେ ବାସ୍ତବରେ ଡିଜିଟାଲ୍ ସଂଯୋଗୀକରଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ଜିଓ । ବିଶ୍ୱର ସବୁଠାରୁ ଉଚ୍ଚକୋଟୀର ୪ଜି ନେଟ୍‌ୱର୍କ ସବୁଠାରୁ ସୁଲଭ ମୂଲ୍ରରେ ପ୍ରଦାନ କରି ଜିଓ ଡାଟା ବ୍ୟବହାର କ୍ଷେତ୍ରରେ କ୍ରାନ୍ତି ଆଣିଛି ଜିଓ ଏବଂ ରିଲାଏନ୍ସ ଜିଓ ନେଟ୍‌ୱର୍କରେ ପ୍ରତି ମାସ ୬୩୦ କୋଟି ଜିବି ଡାଟା ବ୍ୟବହାର ହେଉଛି ।

ଗୁଗୁଲ୍ ଓ ଜିଓ ଟିମ୍ ମିଳିତ ଭାବରେ ଏକ ଯୁଗାନ୍ତକାରୀ ସ୍ମାର୍ଟଫୋନ୍ ପ୍ରସ୍ତୁତ କରିଛନ୍ତି, ଯାହାକୁ ଆମେ ଜିଓଫୋନ୍ ନେକ୍ସଟ୍ ବୋଲି କହୁଛୁ । ଆଣ୍ଡ୍ରଏଡ୍ ଅପରେଟିଙ୍ଗ୍ ସିଷ୍ଟମ୍‌ର ଏକ ବର୍ଦ୍ଧିତ ଭର୍ସନ ରହିଥିବା ଏହି ଫୋନ୍ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ସହିତ ଏଥିରେ ଗୁଗୁଲ୍ ଆସିଷ୍ଟାଣ୍ଟ୍‌, ସ୍କ୍ରିନ୍‌ରେ ରହିଥିବା ଲେଖାର ସ୍ୱୟଂକ୍ରିୟ ଭାଷ୍ୟ, ଭାଷା ଅନୁବାଦ, ଅଗ୍‌ମେଂଟେଡ୍ ରିଅଲିଟି ଫିଲ୍ଟର ସହିତ ସ୍ମାର୍ଟ କ୍ୟାମେରା ଏବଂ ଆହୁରି ଅନେକ କିଛି ଅତ୍ୟାଧୁନିକ ସୁବିଧା ରହିଛି । ବିଶ୍ୱର ଏକ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ଓ ଦେଶର ଏକ ଟେକ୍ନୋଲୋଜି ଚାମ୍ପିଅନ୍ ମଧ୍ୟରେ ସହଭାଗିତା ବଳରେ ଏକ ଯୁଗାନ୍ତକାରୀ ଉତ୍ପାଦର ପ୍ରସ୍ତୁତି ର ଏହା ପରିଚାୟକ । ଜିଓଫୋନ୍ ନେକ୍ସଟ୍ ଆସନ୍ତା ସେପ୍ଟେମ୍ବର ୧୦, ଗଣେଷ ଚତୁର୍ଥୀରୁ ବଜାରରେ ଉପଲବ୍ଧ ହେବ ।

ଜିଓ-ଗୁଗୁଲ୍‌ର ଆଣ୍ଡ୍ରଏଡ୍ ଭିତ୍ତିକ ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସଟ୍ ବ୍ୟାପକ ପରିବର୍ତନ ଆଣିବ। ଯେଉଁ ୩୦ କୋଟି ଲୋକଙ୍କ ହାତରେ ଏବେବି ୨ଜି ଫୋନ୍ ରହିଛି ଏହା ସେମାନଙ୍କ ଜୀବନ ବଦଳାଇଦେବ । ହାଇ ସ୍ପିଡ୍‌, ଭଲ ଅପରେଟିଂ ସିଷ୍ଟମ୍ ଓ ସୁଲଭ ମୂଲ୍ୟ ଯୋଗୁଁ ଏହି ନୂଆ ସ୍ମାର୍ଟଫୋନ୍ ଜିଓର ଗ୍ରାହକଙ୍କ ସଂଖ୍ୟା ବଢ଼ାଇବ ।

Categories
ଆଞ୍ଚଳିକ

ଚିଲିକା ଟୀକାକରଣ କାର୍ଯ୍ୟକ୍ରମରେ ହେଲା ପରିବର୍ତ୍ତନ: ଦୁଇଟି କେନ୍ଦ୍ରରେ ଦିଆଯିବ ୫୦୦ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଚିଲିକା ବ୍ଲକ ଏବଂ ଏନଏସିରେ ଟୀକାକରଣ ପ୍ରକ୍ରିୟା ଜାରି ରହିବ। ଆସନ୍ତାକାଲି ଏହି ଅଞ୍ଚଳର ଦୁଇଟି କେନ୍ଦ୍ରରେ ଟୀକାକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଚିଲିକା- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ (ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ- ୩୦୦ଡୋଜ

୨- ଭାଲେରି ଉଚ୍ଚ ବିଦ୍ୟାଳୟ, ଚାଷଙ୍ଗରା- ୨୦୦ ଡୋଜ

୧୮ରୁ ୪୪ ବର୍ଷ ନାଗରିକ ମାନଙ୍କ ଟୀକାକରଣ ସମୟ– ସକାଳ ୧୦ ରୁ ଅପରାହ୍ନ ୧ ଘଟିକା

୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କ ଟୀକାକରଣ ସମୟ- ଅପରାହ୍ନ ୩ ରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ।

ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତାକାଲି ଟୀକାକରଣ ବନ୍ଦ ରହିବା ନେଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ଟୀକା ଆସିନପାରିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ହେଲେ ଜିଲ୍ଲା ପ୍ରଶାସନ ଟୀକାକରଣକୁ ଗୁରତ୍ଵ ଦେଇ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି। ଏବଂ ଆସନ୍ତାକାଲି ପାଇଁ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ପାଇଁ ୫୦୦ ଡୋଜର ଟୀକା ପଠାଯାଇଛି। ଫଳରେ ଆସନ୍ତାକାଲି ଟୀକାକରଣ କରାଯିବ ବୋଲି ବାଲୁଗାଁ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୪୯୬: ସୁସ୍ଥ ହେଲେ ୪୧୦ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୪୯୬ ଆକ୍ରାନ୍ତଙ୍କ ମଧ୍ୟରୁ ୮୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୦୭ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ହଜାର ୧୪୫ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୪୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୬ ହଜାର ୧୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୫୫୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୨୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩ ହଜାର ୪୮୬ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୪୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୪୧, ଯାଜପୁରରୁ ୩୨୯, ବାଲେଶ୍ବରରୁ ୨୯୬, କଟକରୁ ୨୯୫, ଅନୁଗୁଳରୁ ୨୦୩, ପୁରୀରୁ ୧୮୨, ଭଦ୍ରକରୁ ୧୭୮, ମୟୂରଭଞ୍ଜରୁ ୧୫୨, ଜଗତସିଂହପୁରରୁ ୧୩୧, କେନ୍ଦ୍ରାପଡାରୁ ୧୧୬, ନୟାଗଡରୁ ୧୧୬, ନବରଙ୍ଗପୁରରୁ ୧୦୦, କୋରାପୁଟରୁ ୮୪, କେନ୍ଦୁଝରରୁ ୮୧, ରାୟଗଡାରୁ ୭୫, ବରଗଡରୁ ୬୧, ମାଳାକାନଗିରିରୁ ୫୫, କଳାହାଣ୍ଡିରୁ ୫୪, ଢେଙ୍କାନାଳରୁ ୫୩, ଗଜପତିରୁ ୪୬, ସୁନ୍ଦରଗଡରୁ ୪୬, କନ୍ଧମାଳରୁ ୪୧, ସମ୍ବଲପୁରରୁ ୩୫, ଗଞ୍ଜାମରୁ ୨୯, ଦେବଗଡରୁ ୨୮, ନୂଆପଡାରୁ ୨୦, ସୋନପୁରରୁ ୧୯, ଝାରସୁଗୁଡାରୁ ୧୬, ବଲାଙ୍ଗୀରିରୁ ୧୫, ବୌଦ୍ଧରୁ ୧୩ ଏବଂ ଷ୍ଟେଟ ପୁଲରୁ ୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୫୬ ହଜାର ୪୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୦ ହଜାର ୫୯୬ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୦ ହଜାର ୨୮୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୭୬୦ କୁ ବୃଦ୍ଧି ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପାନ ଦୋକାନରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି: ମାଡି ବସିଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ

ଖୋର୍ଦ୍ଧା: ବେଇଆନ ଭାବେ ବିଦେଶୀ ମଦ ବିକ୍ରି କରି ଜଣେ ଅଭିଯୁକ୍ତ ପୋଲିସ ହାତରେ ଧରାପଡି ଗିରଫ ହୋଇଛନ୍ତି। ସୂଚନା ମୁତାବକ ଗତକଲି ରାତିରେ ଖୋର୍ଦ୍ଧା ଏଲଆଇସି ଅଫିସର ବିପରୀତ ଦିଗରେ ଥିବା ଏକ ପାନ ଦୋକାନରେ ବେଆଇନ ଭାବେ ବିନା ଲାଇସେନ୍ସରେ ବିଦେଶୀ ମଦ ବିକ୍ରି ହେଉଥିବାର ଖବର ଖୋର୍ଦ୍ଧା ଟାଉନ ଥାନା ଆଇଆଇସି ପାଇଥିଲେ।

ତେବେ ବିଳମ୍ବ ନକରି ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନରେ ଚଢ଼ାଉ କରିବା ପାଇଁ ଆଇଆଇସି ଟାଉନ ଥାନା ଏସଆଇ ପଦ୍ମଲୋଚନ ବେହରା ଏବଂ ବିଜୟ କୁମାର ବେହରାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ପୋଲିସର ଉକ୍ତ ଟିମ ସମ୍ପୃକ୍ତ ପାନ ଦୋକାନରେ ଚଢ଼ାଉ କରି ୨୭.୦୮ ଲିଟର ବିଦେଶୀ ମଦ ଜବତ କରିବା ସହ ପାନ ଦୋକାନୀଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ବାସେଳୀ ସାହିର ଗଣେଶ ସାହୁ (୨୫)। ତେବେ ଅଭିଯୁକ୍ତଙ୍କ ବିରୋଧରେ ଟାଉନ ଥାନାରେ କେସ ନମ୍ବର ୨୪୭/୨୧ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।