Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର

ବିଶ୍ବାସ ନ ହେଲେ ମଧ୍ୟ ସତକଥା, ଭଲ ବୋହୂଟିଏ ହେବା ପାଇଁ ଝିଅମାନଙ୍କୁ ଦିଆଯାଉଛି ଟ୍ରେନିଂ

ନୂଆଦିଲ୍ଲୀ, ଉତ୍ତମ ବଧୂ ହେବାକୁ ଚାହୁଁଛନ୍ତି ? ତେବେ ନିଅନ୍ତୁ ପ୍ରଶିକ୍ଷଣ । ମାତ୍ର ମାସିକ ୫,୦୦୦ ଟଙ୍କାରେ ଫି ଦେଇ ଆପଣ ହୋଇପାରିବେ ଉତ୍ତମ ବଧୂ ବା ପତ୍ନୀ । ଆଜ୍ଞା ହଁ, ହାଇଦ୍ରାବାଦଠାରେ ଏପରି ଏକ ଶିକ୍ଷାନୁଷ୍ଠାନ ରହିଛି, ଯେଉଁଠାରେ ଉତ୍ତମ ପତ୍ନୀ ବା ଉତ୍ତମ ବଧୂ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି ।

ଏଥିପାଇଁ ଆପଣକୁ ମାସିକ ୫୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ହାଇଦ୍ରାବାଦଠାରେ ଏକ ବଧୂ ପ୍ରଶିକ୍ଷଣ ସଂସ୍ଥା ରହିଛି । ଏଠାରେ ଝିଅମାନଙ୍କୁ ଜଣେ କୌଶଳୀ, ଦକ୍ଷ ତଥା ଉତ୍ତମ ବୋହୂ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ହାଇଦ୍ରାବାଦଠାରେ ଥିବା ଏହି ପ୍ରଶିକ୍ଷଣ ସଂସ୍ଥାର ନାମ ‘ଫ୍ୟାମିଲି ଇନ୍‌ଷ୍ଟିଚ୍ୟୁଟ୍‌’ ରଖାଯାଇଛି । ଏଠାରେ ଝିଅପିଲାମାନଙ୍କୁ ଉତ୍ତମ ବଧୂ ହେବାର କୋର୍ସ ପ୍ରଦାନ କରାଯାଇଛି । ଏହି କେନ୍ଦ୍ରରେ ସଫଳ ବୈବାହିକ ଜୀବନ ଅତିବାହିତ କରିବାର କଳା ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି ।

ଯେକୌଣସି ଧର୍ମ ହେଉନା କାହିଁକି ପ୍ରତ୍ୟେକ ଧର୍ମରେ ବିବାହ ଏକ ମଜବୁତ୍‌ ସାମାଜିକ ବନ୍ଧନ ନିର୍ମାଣ କରିଥାଏ । ହିନ୍ଦୁ ଧର୍ମ ଅନୁସାରେ ବିବାହ କେବଳ ଗୋଟିଏ ଜନ୍ମର ନୁହେଁ, ବରଂ ସାତ ଜନ୍ମ ପାଇଁ ହୋଇଥାଏ । ସବୁ ପରିବାର ଚାହିଁଥା’ନ୍ତି ତାଙ୍କୁ ଘରକୁ ଆସୁଥିବା ବୋହୂ ସର୍ବଗୁଣ ସମ୍ପନ୍ନା ହେଉ । ପ୍ରତ୍ୟେକ ଶାଶୁମାନଙ୍କର ଗୋଟିଏ ଇଚ୍ଛା ଥାଏ, ଯେ ତାଙ୍କ ବୋହୂ ସୁନ୍ଦରୀ ହେବା ସହିତ ସମସ୍ତ କାମ କାର୍ଯ୍ୟରେ ଦକ୍ଷ ହେଇଥାଉ ।

ସେହିପରି ପ୍ରତ୍ୟେକ ପୁରୁଷ ଚାହିଁଥାଏ, ତାକୁ ଏମିତି ଏକ ସ୍ତ୍ରୀ ମିଳୁ ଯିଏ ଘରର ପ୍ରତ୍ୟେକ ଦାୟିତ୍ବକୁ ଠିକ୍‌ ରୂପେ ସମ୍ପନ୍ନ କରିପାରିବ । ଏହି ସମସ୍ତ ବିଷୟକୁ ଅନୁଭବ କରି ହାଇଦ୍ରାବାଦଠାରେ ଏକ ଉତ୍ତମ ବୋହୂ ହେବାର ପ୍ରଶିକ୍ଷଣ ସଂସ୍ଥା ଖୋଲିଯାଇଛି । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ବିବାହ ପୂର୍ବରୁ ଘରୋଇ ସମ୍ବନ୍ଧୀୟ ଅନ୍ୟାନ୍ୟ ବିଭିନ୍ନ କୋର୍ସ ଆରମ୍ଭ କରାଯାଇଥିଲା । ଅନ୍ୟ କୋର୍ସ ଗୁଡ଼ିକରେ ରହିଛି ‘ବିବାହ ପରେ ଘରକୁ କିପରି ଚଳାଇବା’ । ସେହିପରି ‘ଉତ୍ତମ ମା’ ହେବା ପାଇଁ ମଧ୍ୟ ଟ୍ରେନିଂ ଦିଆଯାଉଛି ।

ତେବେ ଏପରି କିଛି କୋର୍ସ ଆରମ୍ଭ କରିବା ପରେ କିଛି ଲୋକ ଏହାକୁ ନେଇ ବିରୋଧ ମଧ୍ୟ କରିଛନ୍ତି । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଏହି କୋର୍ସକୁ ନେଇ ବିରୋଧ କରିବା ସହିତ ଭିନ୍ନ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି । ଘର ପରିବାର ପାଇଁ କେବଳ ଜଣେ ଉତ୍ତମ ବୋହୂ ଉପରେ ବୋଝ କ’ଣ ପାଇଁ ? ଜଣେ ଉତ୍ତମ ବର ହେବା ପାଇଁ କୋର୍ସ ଆରମ୍ଭ କରାଯାଉ ବୋଲି କମେଣ୍ଟ ମିଳିଛି ।

ତେବେ ଏହି କୋର୍ସ ସମ୍ପର୍କରେ ଏହାର ଜଣେ ପ୍ରଶିକ୍ଷକ କହିଛନ୍ତି ଯେ, ଏହି କୋର୍ସର ନାମକରଣ ଲୋକଙ୍କୁ ଲୋଭାୟିତ କରିବା ପାଇଁ ରଖାଯାଇଛି। ତେବେ ଏହି ଦୁଲହନ୍‌ କୋର୍ସ ଜରିଆରେ ଖାଦ୍ୟ ପ୍ରସ୍ତୁତ କରିବା, ସିଲେଇ ତଥା ବୁଣାବୁଣି ସହିତ ବ୍ୟୁଟି ଟିପ୍ସ ଓ ଅନ୍ୟାନ୍ୟ ଆର୍ଥିକ ସ୍ଥିତି ମଜବୁତ୍‌ ପାଇଁ ପ୍ରଶିକ୍ଷଣ ଦିଆଯାଉଛି ।

ଇଂରାଜୀ ଓ୍ବେବସାଇଟ୍‌ ‘’ଇନ୍‌ୟୁଥ୍‌’ଠୁ ପ୍ରେରିତ ବୋଲି କହିଛନ୍ତି ଏହି ସଂସ୍ଥାକୁ ଆରମ୍ଭ କରିଥିବା ଇଲିଆସ ସାମୀ । ସେ କହିଛନ୍ତି ଯେ, ଭାରତରେ ବିଭିନ୍ନ ପ୍ରକାରର କୋର୍ସ ରହିଛି। ତେବେ ଏମିତି ଏକ କୋର୍ସ ନଥିଲା, ଯାହା ବିବାହ ପରେ ନିଜ ଜୀବନକୁ ହସଖୁସିରେ ଭରିବା ପାଇଁ ସାହାଯ୍ୟ କରିବ । ପ୍ରାୟ ଦୁଇ ବର୍ଷ ହେବ ସେ ଏହି ପ୍ରଶିକ୍ଷଣ ଦେଉଛନ୍ତି ।

ଏହି ପ୍ରଶିକ୍ଷଣ ପାଇଁ ମାସିକ ୫୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡେ । ତେବେ ଏହି କୋର୍ସର ନାମାଙ୍କନ ପାଇଁ ବୟସ, ଧର୍ମ, ଯୋଗ୍ୟତା ତଥା କୌଣସି ପ୍ରକାରର ପ୍ରତିବନ୍ଧକ ନାହିଁ । ତେବେ ଏଠାରେ ଅଧିକ ସଂଖ୍ୟକ ମୁସଲମାନ ଝିଅଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଛି ।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 23 ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଲୋକେ ହେବେ ମାଲାମାଲ୍

ମେଷ ରାଶି-ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ। ଘର ବାହାରେ ସୁଖ ମିଳିବ। ରୋଜଗାର ଚିନ୍ତା ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଏକ ଦୃଢ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ବ୍ୟବସାୟରେ ଲାଭଦାୟକ ପରିବର୍ତ୍ତନ ଆସିବ।

ବୃଷ ରାଶି-ଶତ୍ରୁମାନେ ପରାସ୍ତ ହେବେ। ଜମି ଏବଂ ନିର୍ମାଣ କାର୍ଯ୍ୟରେ କମିଶନି କାରବାର ହୋଇପାରେ । ଚାକିରି ପାଇବାର ସମ୍ଭାବନା। ବ୍ୟବସାୟ ଭଲ କରିବ। ନୂତନ କାର୍ଯ୍ୟକଳାପ ଲାଭଦାୟକ ହେବ। ବ୍ୟବସାୟରେ ନୂତନ ଯୋଜନା ଆରମ୍ଭ ହେବ। ଶକ୍ତିର ନିଷ୍କ୍ରିୟତା ହେତୁ ମନ ଅସନ୍ତୁଷ୍ଟ ରହିବ।

ମିଥୁନ ରାଶି-ପରିବାର ଚିନ୍ତିତ ହେବେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଆଇନଗତ ପ୍ରତିବନ୍ଧକ ହଟିଯିବ। ବ୍ୟବସାୟ ଭଲ କରିବ। ଆପଣ ଦାନ କରି ମାନସିକ ସୁଖ ଅର୍ଜନ କରିବେ। ବ୍ୟବସାୟ ଅବସ୍ଥା ଆଶାବାଦୀ ରହିବ। ପରିବାର, ମାଙ୍ଗଳିକ କାର୍ଯ୍ୟ ଯୋଜନା କରାଯିବ। ଆପଣ ଋଣ ନେବା ଠାରୁ ଦୂରେଇ ରହିବା ଉଚିତ୍ ।

କର୍କଟ ରାଶି- ପୁରୁଣା ରୋଗ ସୃଷ୍ଟି ହୋଇପାରେ । ଆଘାତ, ଚୋରି ଏବଂ ବିବାଦ ଇତ୍ୟାଦି କାରଣରୁ କ୍ଷତି ହୋଇପାରେ । ଆୟରେ ହ୍ରାସ ଘଟିବ। ଧର୍ଯ୍ୟ ଧରନ୍ତୁ, ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ। ଈଶ୍ବରଙ୍କ ଉପରେ ବିଶ୍ୱାସ ବୃଦ୍ଧି ପାଇବ । ଆପଣଙ୍କ ସାଥୀଙ୍କ ଭାବନା ବୁଝନ୍ତୁ। ଆର୍ଥିକ ବିନିଯୋଗ ଲାଭଦାୟକ ହେବ ।

ସିଂହ ରାଶି- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବ। ଆଇନଗତ ପ୍ରତିବନ୍ଧକ ହଟିଯିବ । ଲାଭ ସୁଯୋଗ ଆସିବ। ଘର ବାହାରେ ସୁଖ ମିଳିବ। ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ। ଚାକିରିରେ ସ୍ଥାନାନ୍ତର ଏବଂ ପଦୋନ୍ନତି ଅଛି । ଅନାବଶ୍ୟକ କ୍ରୋଧ କର ନାହିଁ । ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ।

କନ୍ୟା ରାଶି- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ବିସ୍ତାର ହେବ । ବ୍ୟବସାୟ ଭଲ କରିବ। ଘର ବାହାରେ ସୁଖ ମିଳିବ। ତୁମର ଜିନିଷକୁ ସୁରକ୍ଷିତ ରଖ । କାର୍ଯ୍ୟ ପ୍ରତି ଦୃଢତା କାର୍ଯ୍ୟରେ ଅନୁକୂଳ ସଫଳତା ଆଣିବ। ପାରିବାରିକ ସୁଖ ଏବଂ ଧନ ବୃଦ୍ଧି ପାଇବ। କଥାବାର୍ତ୍ତାରେ ନିୟନ୍ତ୍ରଣ ଆବଶ୍ୟକ।

ତୂଳା ରାଶି- ବୈବାହିକ ପ୍ରସ୍ତାବ ମିଳିପାରିବ। ବକେୟା ରାଶି ପ୍ରାପ୍ତ ପାଇଁ ପ୍ରୟାସ ସଫଳ ହେବ। ଯାତ୍ରା ସଫଳ ହେବ। ଉପକୃତ ହେବେ। ଉତ୍ତମ ମନୋବଳ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ କରିବ। ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ପୁନଃନିର୍ମାଣ ବୃଦ୍ଧି ପାଇବ। ବ୍ୟବସାୟରେ ନୂତନ ଅଫର ଆସିବ।

ବିଛା ରାଶି-  ନିରାଶାରୁ ଦୂରେଇ ରୁହନ୍ତୁ। କାରବାରରେ ସାବଧାନ ରୁହନ୍ତୁ । ଶାରୀରିକ କଷ୍ଟ ସମ୍ଭବ । ଖର୍ଚ୍ଚ ବୃଦ୍ଧି ଚାପ ସୃଷ୍ଟି କରିବ। ବିବାଦ କର ନାହିଁ । ସର୍ବସାଧାରଣ କାର୍ଯ୍ୟରେ ସମୟ ଅତିବାହିତ ହେବ। ଆପଣ ପିଲାମାନଙ୍କଠାରୁ ଭଲ ଖବର ପାଇବେ । ସ୍ୱାସ୍ଥ୍ୟ ଭଲ ହେବ। ରୋଜଗାର କ୍ଷେତ୍ରରେ ଅଗ୍ରଗତି ହେବ ।

ଧନୁ ରାଶି-ବ୍ୟବସାୟ ଯାତ୍ରା ସଫଳ ହେବ। ଆଖି ଯନ୍ତ୍ରଣା ସମ୍ଭବ। ବିବାଦ କର ନାହିଁ । ଚାକିରି ପାଇବ। ଉପହାର ଗ୍ରହଣ କରାଯିବ। ତୁମର ସାମାଜିକତା ଏବଂ ଧର୍ଯ୍ୟର ମନୋଭାବ ତୁମ ଜୀବନରେ ଆନନ୍ଦ ଆଣିଦେବ। ସ୍ଥାୟୀ ସମ୍ପତ୍ତି ବୃଦ୍ଧି ପାଇବ।

ମକର ରାଶି-ଖର୍ଚ୍ଚ ଅପଚୟ ହେବ। ଅତିଥିମାନେ ଘରକୁ ଆସିବେ।  ଭଲ ଖବର ପାଇବ। ସଂପତ୍ତିର ମୂଲ୍ୟ ବୃଦ୍ଧି ହେବ। ବିବାଦ କର ନାହିଁ। ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି । ବ୍ୟବସାୟରେ ନୂତନ ଚୁକ୍ତିନାମା ହେବ। ଖର୍ଚ୍ଚ ହ୍ରାସ କରାଯିବା ଉଚିତ୍ । ବ୍ୟବସାୟ ଭଲ କରିବ। ଜୀବନସାଥୀଠାରୁ ଭିନ୍ନତା ପରିବେଷ ପରିଲକ୍ଷିତ ହେବ।

କୁମ୍ଭ ରାଶି-ସୁଖର ମାଧ୍ୟମ ସଂଗ୍ରହ କରିବ। ପ୍ରୟାସ ସଫଳ ହେବ। ଆଜି ସମ୍ମାନ ପାଇବେ। ବ୍ୟବସାୟ ଭଲ କରିବ। ଖୁସି ହେବେ। ଚାକିରିରେ ଆପଣ ଚାହୁଁଥିବା ପଦୋନ୍ନତି ପାଇବାକୁ ସୁଯୋଗ ପାଇବେ। ଧର୍ମର କାର୍ଯ୍ୟ ପ୍ରତି ଆଗ୍ରହ ଆପଣଙ୍କ ମନୋବଳ ବୃଦ୍ଧି କରିବ । ଅପରିଚିତ ଲୋକଙ୍କୁ ବିଶ୍ୱାସ କର ନାହିଁ ।

ମୀନ ରାଶି-ଦୁଃଖଦ ଖବର ମିଳିପାରିବ। ବିଭିନ୍ନ କ୍ଷେତ୍ରରୁ ବିରୋଧ ହେବ। ଏକ ନିର୍ଦ୍ଦୟ ପଳାୟନ ହେବ। ଲାଭ ସୁଯୋଗକୁ ସ୍ଥଗିତ ରଖାଯିବ। ବିବାଦ କର ନାହିଁ । କାର୍ଯ୍ୟ ନିଷ୍ପତ୍ତିକୁ ଅତି ଶାନ୍ତ ଭାବରେ ବିଚାର କରିବା ଶୁଭ ଅଟେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବନ୍ଦ ପଡିଥିବା ଟଙ୍କା ମିଳିବ।

 

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଟିକାକରଣ ପାଇଁ ଏବେ ରାଜ୍ୟଗୁଡିକ ପାଖରେ ଅଛି ୨.୧୪ କୋଟିରୁ ଅଧିକ ଡୋଜ, କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ, ଗତକାଲିଠାରୁ ସାର୍ବଜନୀନ କୋଭିଡ-୧୯ ଟିକାକରଣର ନୂତନ ପଯ୍ୟାୟ ଆରମ୍ଭ ହୋଇଛି । ମହାମାରୀକୁ ପ୍ରତିହତ ଏବଂ ପରିଚାଳନା କରିବା ନିମନ୍ତେ ପରୀକ୍ଷା, ଚିହ୍ନଟ, ଚିକିତ୍ସା ଏବଂ କୋଭିଡ ଉପଯୁକ୍ତ ବ୍ୟବହାର ସମେତ ଟିକାକରଣ ହେଉଛି ଭାରତ ସରକାରଙ୍କ ବିସ୍ତୃତ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ସାରା ଦେଶରେ କୋଭିଡ-୧୯ ଟିକାକରଣକୁ ତ୍ୱରାନ୍ୱିତ କରିବା ଏବଂ ଏହାର ପରିସରକୁ ବ୍ୟାପକ କରିବା ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ।

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ୧୬ ଜାନୁଆରୀ ୨୦୨୧ରେ ରାଷ୍ଟ୍ରବ୍ୟାପୀ କୋଭିଡ-୧୯ ଟିକାକରଣ କାର‌୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ଟିକାକରଣ ଅଭିଯାନ ଅଧିକ ସଂଖ୍ୟକ ଟିକା ଉପଲବ୍ଧତା, ଉତ୍ତମ ଯୋଜନା ପ୍ରସ୍ତୁତି ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ନିକଟରେ ଅଧିକ ସଂଖ୍ୟକ ଟିକା ଉପଲବ୍ଧ ହେବା ଏବଂ ଟିକା ଯୋଗାଣ ଶ୍ରୁଙ୍ଖଳକୁ ବ୍ୟବସ୍ଥିତ କରିବା ଜରିଆରେ ଗତିଶୀଳ କରାଯାଇଛି ।

ଦେଶବ୍ୟାପୀ ଟିକାକରଣ ଅଭିଯାନର ଅଂଶବିଶେଷ ସ୍ଵରୂପ, ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସଂପୂର୍ଣ୍ଣ ମାଗଣାରେ କୋଭିଡ ଟିକା ଯୋଗାଇଦେବାରେ ସହାୟତା କରୁଛନ୍ତି । ନୂତନ ପର‌୍ୟ୍ୟାୟ ସାର୍ବଜନୀନ କୋଭିଡ-୧୯ ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର ଦେଶର ଟିକା ଉତ୍ପାଦନକାରୀମାନଙ୍କ ଠାରୁ ୭୫ ପ୍ରତିଶତ ଟିକା କ୍ରୟ କରି ସେଗୁଡିକୁ ସଂପୂର୍ଣ୍ଣ ମାଗଣାରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଯୋଗାଇ ଦେଉଛନ୍ତି।

ବର୍ତ୍ତମାନ ସୁଦ୍ଧା ଭାରତ ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଉଭୟ ବିନା ମୂଲ୍ୟରେ ଏବଂ ରାଜ୍ୟମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ କ୍ରୟ ପ୍ରକ୍ରିୟାରେ ୨୯.୩୫ କୋଟି ଡୋଜରୁ ଅଧିକ (୨୯,୩୫,୦୪,୮୨୦) ଟିକା ଉପଲବ୍ଧ କରାଇଛନ୍ତି । ଏଥିମଧ୍ୟରୁ ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ୨୭,୨୦,୧୪,୫୨୩ ଡୋଜ ଟିକା (ଆଜି ସକାଳ ୮ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ) ବିନିଯୋଗ ହୋଇଛି ।

ଏବେ ରାଜ୍ୟଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ନିକଟରେ ୨.୧୪ କୋଟି (୨,୧୪,୯୦,୨୯୭) ଡୋଜରୁ ଅଧିକ କୋଭିଡ ଟିକା ବିନିଯୋଗ ହେବା ପାଇଁ ଉପଲବ୍ଧ ରହିଛି । ଏହା ବ୍ୟତୀତ, ବର୍ତ୍ତମାନ ୩୩,୮୦,୫୯୦ରୁ ଅଧିକ ଡୋଜ ଟିକା ପାଇପ ଲାଇନରେ ଅଛି ଏବଂ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଏହାକୁ ଗ୍ରହଣ କରିବେ ।

Categories
ଆଜିର ଖବର ଜାତୀୟ ଖବର

ଜୁନ ୨୪ରେ ଟୟକାଥନ-୨୦୨୧ ପ୍ରତିଯୋଗୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୪ ସକାଳ ୧୧ ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟୟକାଥନ-୨୦୨୧ ପ୍ରତିଯୋଗୀମାନଙ୍କ ସହ ଆଲୋଚନା କରିବେ । ଶିକ୍ଷା ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଏମଏସଏମଇ ମନ୍ତ୍ରଣାଳୟ, ଡିପିଆଇଆଇଟି, ବୟନ ଶିଳ୍ପ ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ ଏଆଇସିଟିଇ ମିଳିତ ଭାବେ ଜାନୁୟାରୀ ୫, ୨୦୨୧ରେ ଟୟକାଥନ-୨୦୨୧ର ଶୁଭାରମ୍ଭ କରିଥିଲେ ।

ଅଭିନବ ଖେଳନା ଓ ଗେମ୍ସ ପାଇଁ ନୂଆ ଚିନ୍ତାଧାରା କ୍ରାଉଡସୋର୍ସ ଦ୍ୱାରା ଆମନ୍ତ୍ରିତ କରିବା ଏହାର ଉଦ୍ଦେଶ୍ୟ ଥିଲା । ଟୟକାଥନ-୨୦୨୧ରେ ସାରା ଭାରତରୁ ପ୍ରାୟ ୧.୨ ଲକ୍ଷ ପ୍ରତିଯୋଗୀ ପଞ୍ଜିକୃତ ହୋଇ ୧୭୦୦୦ରୁ ଅଧିକ ବିଚାରଧାରା ଉପସ୍ଥାପନ କରିଥିଲେ । ଏଥିରୁ ୧୫୬୭ ବିଚାରକୁ ଜୁନ ୨୨ରୁ ଜୁନ ୨୪ ଯାଏଁ ଆୟୋଜିତ ହେବାକୁ ଥିବା ତିନିଦିନିଆ ଅନଲାଇନ ଟୟକାଥନ ଗ୍ରାଣ୍ଡ ଫିନାଲେ ପାଇଁ ଚୟନ କରା ଯାଇଥିଲା ।

କୋଭିଡ- ୧୯ କଟକଣା ଯୋଗୁଁ ଏହି ଗ୍ରାଣ୍ଡ ଫିନାଲେରେ ଟିମଗୁଡିକ ଡିଜିଟାଲ ଖେଳନା ବିଚାର (ଟୟ ଆଇଡିଆ) ଉପସ୍ଥାପନ କରିବେ । ତେବେ ନନ-ଡିଜିଟାଲ ଖେଳନା ଅବଧାରଣା ପାଇଁ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମ ଆୟୋଜିତ ହେବ । ଭାରତର ଘରୋଇ ବଜାର ସହିତ ବିଶ୍ୱ ଖେଳନା ବଜାର ଆମ ଔଦ୍ୟୋଗିକ କ୍ଷେତ୍ରକୁ ବିପୁଳ ସୁଯୋଗ ପ୍ରଦାନ କରିଛି ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ପ୍ରଦାନ କଲା ଆଇସିଆଇସିଆଇ ବ୍ୟାଙ୍କ

ଭୁବନେଶ୍ୱର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍‌ ତ୍ରିପାଠୀଙ୍କୁ ଆଇସିଆଇସିଆଇ ଫାଉଣ୍ଡେସନ୍‌ ଓ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ କୋଭିଡ୍‌ ଆକ୍ରାନ୍ତ
ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ପାଇଁ ୧୦ଟି ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ପ୍ରଦାନ କରାଯାଇଛି। ଫାଉଣ୍ଡେସନ୍‌ ଓ ବ୍ୟାଙ୍କ ତରଫରୁ ଓଡ଼ିଶା ଜୋନ୍‌ର ମୁଖ୍ୟ ଶ୍ରୀ ପ୍ରଦୋଷ ରଞ୍ଜନ ରାଉତ, ଆଞ୍ଚଳିକ ମୁଖ୍ୟ, ସରକାରୀ ବ୍ୟାଙ୍କିଂ, ଓଡ଼ିଶା ଶ୍ରୀ ଅରୂପ କୁମାର ମହାପାତ୍ର ଓ ଶ୍ରୀ ଅରୁଣ କୁମାର ମିଶ୍ର ଏହି ଉପକରଣକୁ ପ୍ରଦାନ କରିଥିଲେ ।

କୋଭିଡ୍‌ ଚିକିତ୍ସା ନିମନ୍ତେ ପଶ୍ଚିମ ଓଡ଼ିଶାର ବହୁଳ ଭାବେ ପ୍ରଭାବିତ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ଜିଲ୍ଲାପାଳମାନଙ୍କ ନିକଟକୁ ଏହି କନ୍‌ସେନ୍‌ଟ୍ରେଟରଗୁଡ଼ିକ ପଠାଇ ଦିଆଯିବ । ପ୍ରତି ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ୧୦ଲିଟର କ୍ଷମତା ବିଶିଷ୍ଟ ଏବଂ ଏଗୁଡ଼ିକୁ ସ୍‌ପିଟାଲ୍‌ଗୁଡ଼ିକରେ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି । ଆଗକୁ ବ୍ୟାଙ୍କ ତରଫରୁ ଏପରି ଅଧିକ ଉପକରଣ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ରାଉତ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସଂସଦ ଓ ବିଧାନସଭା କାର୍ଯ୍ୟକାଳର ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସଭା ବାଚସ୍ପତିଙ୍କ ଭର୍ଚୁଆଲ ବୈଠକ

ଭୁବନେଶ୍ୱର, ସଂସଦ ଓ ବିଧାନସଭା କାର୍ଯ୍ୟକାଳର ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସଭା ବାଚସ୍ପତି ଡ. ଓମ୍‌ ବିର୍ଲା ଏକ ଭର୍ଚୁଆଲ୍‌ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ବିଭିନ୍ନ ରାଜ୍ୟର ବିଧାନସଭା ଓ ବିଧାନ ପରିଷଦର ଅଧ୍ୟକ୍ଷମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇ ଲୋକସଭା ବାଚସ୍ପତି ସଂସଦୀୟ ଗଣତନ୍ତ୍ରର ମହାନ୍‌ ପରମ୍ପରା ବିଷୟ ଅବତାରଣା କରି ଗରୀୟାନ୍‌ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ପ୍ରକାଶ କରିଥିଲେ ।

କୋଭିଡ୍‌ ପରିସ୍ଥିତିର ସଫଳ ମୁକାବିଲା ଦିଗରେ ଦଳମତ ନିର୍ବିଶେଷରେ ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ଜନସାଧାରଣଙ୍କ ସକି୍ରୟ ସହଯୋଗର ମଧ୍ୟ ସେ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବୈଠକରେ ଅଂଶଗ୍ରହଣ କରି ଓଡ଼ିଶା ବିଧାନସଭା ତରଫରୁ ବର୍ଷକୁ ଅନ୍ତତଃ ୬୦ ଦିନ ବୈଠକ ବସୁଥିବା ବ୍ୟବସ୍ଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇଥିବା ପ୍ରକାଶ କରିଥିଲେ ।

ଓଡ଼ିଶା ବିଧାନସଭାର ପ୍ରତ୍ୟେକ ଆଲୋଚନାକୁ ଜନସାଧାରଣଙ୍କ ନିକଟରେ ତ୍ୱରିତ ବେଗରେ ପହଞ୍ଚାଇବା ପାଇଁ ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରାଯାଉଥିବା ମଧ୍ୟ ସେ ପ୍ରକାଶ କରିଥିଲେ । ବର୍ତ୍ତମାନ ତାରକାଚିହ୍ନିତ ପ୍ରଶ୍ନାବଳୀକୁ ଛାଡ଼ିଦେଲେ ବିଧାନସଭାର ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ଓ ବିବରଣୀ ବିନା କାଗଜରେ ସଂପନ୍ନ ହେଉଥିବା ମଧ୍ୟ ସେ କହିଛନ୍ତି ।

ନେଭା ମାଧ୍ୟମରେ ବିଧାନସଭା ସଚିବାଳୟର ସମସ୍ତ କାର୍ଯ୍ୟ ଇ-ମୋଡ୍‌ରେ ହେଉଥିବା ମଧ୍ୟ ସେ ସୂଚନା ଦେଇଥିଲେ । ସମ୍ବିଧାନର ୧୦ମ ଅନୁଚ୍ଛେଦର ସଂଶୋଧନ ପାଇଁ ଆସାମ, ଓଡ଼ିଶା ଓ ରାଜସ୍ଥାନର ବାଚସ୍ପତିଙ୍କୁ ନେଇ ଏକ କମିଟି ଗଠନ ହୋଇଥିବା ଏବଂ କମିଟି ତା’ର ରିପୋର୍ଟ ପ୍ରଦାନ କରିଥିବା କହିଛନ୍ତି । ସଂସଦୀୟ ଗଣତାନ୍ତ୍ରକୁ ସୁଦୃଢ଼ କରିବା ପାଇଁ ନୂତନ ବ୍ୟବସ୍ଥା ଏବଂ ସମ୍ଭାବନାର ବୀଜବପନ କରାଯାଉଥିବା ମଧ୍ୟ ସେ କହିଛନ୍ତି ।

ଲୋକସଭା ବାଚସ୍ପତିଙ୍କ ପରାମର୍ଶ କ୍ରମେ ଗୁଜୁରାଟ, ଆସାମ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟର ପ୍ରବାସୀ ଓଡ଼ିଆମାନଙ୍କ ସୁରକ୍ଷିତ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବା ପାଇଁ ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଏକ ପ୍ରକୋଷ୍ଠ ଖୋଲାଯାଇଥିବା ଏବଂ କୋଭିଡ୍‌ ପରିସ୍ଥିତିର ସଫଳ ମୁକାବିଲା ହେଉଥିବା ସେ ପ୍ରକାଶ କରିଛନ୍ତି ।

ଆସନ୍ତା ମାସରେ ପାର୍ଲିଆମେଣ୍ଟ ଅଧିବେଶନ ବସୁଥିବା ଦୃଷ୍ଟିରୁ ପରିସ୍ଥିତି ଉପରେ ନଜର ରଖି ଏବଂ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ପାଳନ କରି ଓଡ଼ିଶା ବିଧାନସଭାର ମଧ୍ୟ ଅଧିବେଶନ ବସିବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଡଙ୍ଗରିଆ କନ୍ଧ ଯୁବକଯୁବତୀଙ୍କୁ କୋଭିଡ ଟିକା ନେବା ପାଇଁ ମନାଇଲା ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଭୁବନେଶ୍ୱର, ଆଜି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ନିୟମଗିରି ପାହାଡ଼ରେ ରହୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସଂପ୍ରଦାୟଙ୍କୁ ଭେଟିଥିଲେ। ସେଠାରେ ଟିକାକରଣ ଶିବିରର ଉଦ୍‌ଘାଟନ କରିଥିଲେ ଏବଂ ଟିକାକରଣ ନେଇ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଓ ଲାଂଜିଆ ସଉରାଙ୍କ ମନରେ ଥିବା ଭୟ ଓ ଅନ୍ଧବିଶ୍ୱାସ ଦୂର କରିବା ସହିତ କରୋନା ମହାମାରୀର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ସାମିଲ ହେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ରାୟଗଡ଼ା ଜିଲ୍ଲାର ଚାଟିକଣାସ୍ଥିତ ଜନଜାତି ବ୍ୟାଖ୍ୟାନ କେନ୍ଦ୍ରଠାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଦାସବର୍ମା ଜିଲ୍ଲାର ପାର୍ଶାଲି, ଚାଟିକଣାରେ ବସବାସ କରୁଥିବା ୧୦,୧୮୫ ଆଦିମ ଜନଜାତି ଓ କନ୍ଧ ଗୁଣୁପୁର ବ୍ଲକ୍‌ର ପୁଟାସିଂ ଅଞ୍ଚଳରେ ବାସ କରୁଥିବା ୬,୮୭୪ ଲାଂଜିଆ ସଉରା ଆଦିମ ଜନଜାତି ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ସ୍ୱତନ୍ତ୍ର ପ୍ୟାକେଜ୍‌ ବଣ୍ଟନ ପାଇଁ ଡାଟାବେସ୍‌ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଆଦିମ ଜନଜାତିଙ୍କୁ ଟିକାକରଣ କାର୍ଯ୍ୟକୁ ସଫଳ କରିବା ପାଇଁ ଲୋକ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ଗଣମାଧ୍ୟମ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ସମ୍ମିଳିତ ଉଦ୍ୟମ ହେଲେ ଏଭଳି ଆହ୍ୱାନମୂଳକ ଅଞ୍ଚଳରେ ଟିକାକରଣ କାର୍ଯ୍ୟ ସଫଳ ହୋଇପାରିବା । ଯେଉଁମାନେ ଏହି ଦୁଇବର୍ଗର ଆଦିମ ଜନଜାତିଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସଂକ୍ରମିତ ସଙ୍ଗରୋଧ କେନ୍ଦ୍ରରେ ଯିଏ ରହିବ ତାଙ୍କ ପାଇଁ ସ୍ୱତନ୍ତ୍ର ଅନୁଦାନ ବଣ୍ଟନ ସହ କାର୍ଯ୍ୟରତ ଥିବା ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବର୍ତ୍ତମାନ ଜିଲ୍ଲାରେ ହାରାହାରି ୧୬୦୦ ହେଉଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । କୋଭିଡ୍‌ ସଂକ୍ରମିତ ପରିବାରଙ୍କୁ ଶୁଖିଲା ରାସନ୍‌, ପରିବାର ପିଛା ୨୫୦୦ ଟଙ୍କା ଏବଂ ସଂକ୍ରମିତ ବ୍ୟକ୍ତିମାନଙ୍କୁ ୧୪ ଦିନ ପାଇଁ ଦୈନିକ ୧୦୦ ଟଙ୍କା ଜିଲ୍ଲା ତରଫରୁ ଶତପ୍ରତିଶତ ପ୍ରଦାନ କରାଯାଇଛି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ଅପରାହ୍ନରେ ଗୁଣୁପୁର ବ୍ଲକ୍‌ର ପୁଟାସିଂଠାରେ କାର୍ଯ୍ୟରତ ଲାଂଜିଆ ସଉରା ଉନ୍ନୟନ ସଂସ୍ଥା ପରିଦର୍ଶନ କରିଛନ୍ତି ।

ସେଠାରେ ଆଦିମ ଜନଜାତି ଲାଂଜିଆ ସଉରାଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଲୋକାଭିମୁଖି ଯୋଜନାର ସମୀକ୍ଷା କରିବା ସହିତ ନିକଟସ୍ଥ ଗ୍ରାମପଞ୍ଚାୟତ ତାରକେଲ ଗ୍ରାମକୁ ଯାଇ ଆଦିମ ଜନଜାତି ବାସ କରୁଥିବା ଲାଂଜିଆ ସଉରା ବର୍ଗର ଜନସାଧାରଣଙ୍କୁ ଭେଟିଥିଲେ । ଟିକାକରଣ ପାଇଁ ଲାଂଜିଆ ସଉରା ଜନଜାତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅନ୍ଧବିଶ୍ୱାସ ଓ ଭୟ ଦୂର କରି ଟିକାକରଣକୁ ଏକ ଜନଆନ୍ଦୋଳନ ଭାବରେ ଗଢ଼ି ତୋଳିବାକୁ ଦାସବର୍ମା ପରାମର୍ଶ ଦେଇଛନ୍ତି ।

କୋଭିଡ୍‌ ମହାମାରୀର ମୁକାବିଲା କରିବା ପାଇଁ ରାୟଗଡ଼ା ଜିଲ୍ଲାର ଉଭୟ ଆଦିମ ଜନଜାତିଙ୍କ ମଧ୍ୟରେ ପରୀକ୍ଷଣ, ଚିକିତ୍ସା ଓ ଟିକାକରଣ କାର୍ଯ୍ୟ ଠିକ୍‌ ଭାବରେ ଚାଲିଥିବାରୁ ଜିଲ୍ଲା ପ୍ରଶାସନ, ମେଡିକାଲ ଟିମ୍‌ ଏବଂ ସହଯୋଗ କରୁଥିବା ବିଭାଗଙ୍କୁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଓ ଲାଂଜିଆ ସଉରା ଉନ୍ନୟନ ସଂସ୍ଥାର ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜିଲ୍ଲାରେ ଲାଂଜିଆ ସଉରା ଓ ଡଙ୍ଗରିଆ କନ୍ଧ ଆଦିମ ଜନଜାତିଙ୍କ ପାଇଁ ୧୬ ଲକ୍ଷ ୪୨ ହଜାର କାର୍ଯ୍ୟଦିବସ ସୃଷ୍ଟି କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୮୨ ହଜାର ୧୦୦ ଶ୍ରମ ଦିବସ ଲକ୍ଷ୍ୟ ହାସଲ ହୋଇପାରିଛି ଏବଂ ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ଲକ୍ଷ ୬୭ ହଜାର ୮୬୫ ଶ୍ରମଦିବସ ଜିଲ୍ଲାର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରଶାସନ ସମର୍ଥ ହୋଇଛି । ଜିଲ୍ଲା ୮୨% ଶ୍ରମଦିବସ ସୃଷ୍ଟି କରି ରାଜ୍ୟରେ ୧୦ମ ସ୍ଥାନରେ ରହିଛି ।

କରୋନା ଭଳି ମହାମାରୀର ମୁକବିଲା କରୁଥିବାବେଳେ ଆଦିବାସୀ ଓ ଆଦିମ ଜନଜାତି ଅଧ୍ୟୁଷିତ ଉପଯୋଜନା ଜିଲ୍ଲାର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହିତ କର୍ମନିଯୁକ୍ତି ସୃଷ୍ଟି କରି ସଫଳତାର ସହତ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମର୍ଥ ହୋଇଛି । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ରାୟଗଡ଼ା ତାି୩୯;ର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ଧାରାକୁ ଗତିଶୀଳ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଶ୍ରୀ ଦାସବର୍ମା ପରାମର୍ଶ ଦେବା ସହିତ କୋଭିଡ୍‌ ମହାମାରୀ ସମୟରେ ନିଷ୍ଠାର ସହିତ କର୍ତ୍ତବ୍ୟ କରିଥିବା ସମସ୍ତ କ୍ଷେତ୍ର ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କ୍ଷେତ୍ର ପରିଦର୍ଶନ ସମୟରେ ଡଙ୍ଗରିଆ କନ୍ଧ ଓ ଲାଂଜିଆ ସଉରା ବର୍ଗର ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀଙ୍କ ଦକ୍ଷତା ମୂଲ୍ୟାୟନ କରିବା ସହିତ ତାଙ୍କୁ ଜିଲ୍ଲା ମଧ୍ୟରେ ଓ ଜିଲ୍ଲା ବାହାରେ ନିଯୁକ୍ତି ଓ କର୍ମସଂସ୍ଥାନ ଉପରେ ଗୁରୁତ୍ୱ ଦେଇଛନ୍ତି ।

ଗସ୍ତ ସମୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ ରାୟଗଡ଼ାର ମାନ୍ୟବର ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଗୁଣୁପୁର ଉପଜିଲ୍ଲାପାଳ ଜେ. ସାମଲ, ପିଡ଼ିଡ଼ିଆର୍‌ଡିଏ, ମହେଶ୍ୱର ନାୟକ, ପିଏଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆର୍ତ୍ତବନ୍ଧୁ ନାୟକ, ଡଙ୍ଗରିଆ କନ୍ଧ ଉନ୍ନୟନ ପରିଷଦର କାର୍ଯ୍ୟନିର୍ବାହୀ ଏମ୍‌. ଏନ୍‌. ଦଳବେହେରା, ଲାଂଜିଆ ସଉରା ଉନ୍ନୟନ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ କୃପାସିନ୍ଧୁ ବେହେରା ଓ ଜିଲ୍ଲାର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ସାମ୍ଭବ୍ୟ ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ନୂଆ ଜ୍ଞାନକୌଶଳ ବିନିଯୋଗ ପାଇଁ ନିଷ୍ପତି

ଭୁବନେଶ୍ୱର, ଚଳିତ ବର୍ଷା ଋତୁରେ ମୌସୁମୀ ଜନିତ ଅଧିକ ବର୍ଷା ଏବଂ ବିଭିନ୍ନ ନଦୀ ଅବବାହିକାରେ ଥିବା ଜଳ ଭଣ୍ଡାରଗୁଡିକର ସୁପରିଚାଳନା କରି ବନ୍ୟା ନିୟନ୍ତ୍ରଣ କରିବାପାଇଁ ଜଳ ସଂପଦ ବିଭାଗ ତରଫରୁ ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ଣରେ ରାଜ୍ୟ ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଅନଲାଇନ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ରଥ, ବିଭାଗୀୟ ବରିଷ୍ଠ ପଦାଧିକାରୀ ଓ ବରିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜଳ ସମ୍ପଦ ବିଭାଗ ତରଫରୁ କରାଯାଇଥିବା ପ୍ରସ୍ତୁତି ସଂପର୍କରେ ମନ୍ତ୍ରୀ ଅବଗତ ହୋଇ କହିଲେ ଯେ, ବନ୍ୟା ମୁକାବିଲା ଦିଗରେ ଜଳସମ୍ପଦ ବିଭାଗ ସବୁବେଳେ ଯଥେଷ୍ଟ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ।

ଗତ ବର୍ଷ ବିଭାଗ ତରଫରୁ ବନ୍ୟା ପରିଚାଳନା ବିଭାଗୀୟ ଯନ୍ତ୍ରୀମାନେ ଦକ୍ଷତାର ସହ କରିଥିଲେ ଏବଂ ଗତ ‘ୟାସ’ ବାତ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ମଧ୍ୟମ ଧରଣର ବନ୍ୟାକୁ ମଧ୍ୟ ବିଭାଗ ତରଫରୁ ଦକ୍ଷତାର ସହିତ ପରିଚାଳନା କରାଯାଇଥିଲା । ସେହିପରି ଆଗାମୀ ଦିନରେ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ ଓ ପରାମର୍ଶ କ୍ରମେ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ପୂର୍ବ ଅଭିଜ୍ଞତାକୁ ଆଧାର କରି ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଓ ଦଳଗତ ପ୍ରଚେଷ୍ଟାରେ ସଫଳତାର ସହିତ ସମ୍ଭାବ୍ୟ ବନ୍ୟାକୁ ମୁକାବିଲା କରିବେ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିବା ସହିତ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

ସମୀକ୍ଷା ବୈଠକରେ ମନ୍ତ୍ରୀ ମରାମତି ହୋଇପାରୁନଥିବା ସ୍ଲୁଇସ୍ ଗେଟ୍ ଗୁଡିକର ସ୍ଥିତି ଭଲଭାବେ ଯାଂଚ କରି ଶୀଘ୍ର ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ସର୍ବୋଚ୍ଚ ଯନ୍ତ୍ରୀ ଓ ସଂପୃକ୍ତ ମୁଖ୍ୟ ଯନ୍ତ୍ରୀମାନଙ୍କ ସହିତ ବିଭିନ୍ନ ଡିଭିଜନରେ ବନ୍ୟା ମୁକାବିଲା ପ୍ରସ୍ତୁତି ଓ ସ୍ଥିତି ସଂପର୍କରେ ଆଲୋଚନା କରି ଓ ଏହାର ସୁପରିଚାଳନା ନେଇ ଆବଶ୍ୟକ ତଥ୍ୟ ରଖିଥିଲେ ।

ସମ୍ଭାବ୍ୟ ବନ୍ୟା ପରିଚାଳନା ନେଇ ବିଭାଗ ତରଫରୁ ପ୍ରସ୍ତୁତ ମାର୍ଗ ଦର୍ଶିକା ଅନୁସାରେ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଥିଲା । ବୈଠକରେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ,ବନ୍ଧ ସୁରକ୍ଷା, ବିଭିନ୍ନ ଜଳ ଭଣ୍ଡାରରେ ଥିବା ଗେଟ୍‌ଗୁଡିକ କାର୍ଯ୍ୟକ୍ଷମ ହୋଇଥିବା ସମ୍ପର୍କରେ ମକ୍ ଡ୍ରିଲ୍ କରାଯାଇଥିବା ସୂଚନା ଦେଇଥିଲେ । ମହାନଦୀ, ବିରୂପା ଓ ନରାଜ ବ୍ୟାରେଜ୍ ଗେଟ୍ ଗୁଡିକର ମକ୍ ଡ୍ରିଲ୍ କାର୍ଯ୍ୟ ସମ୍ପନ୍ନ ହୋଇଛି ।

ଅନ୍ୟ ଯେଉଁସ୍ଥାନରେ ସ୍ଲୁଇସ୍ ଗେଟ୍ ଗୁଡିକ କାର୍ଯ୍ୟକ୍ଷମ ହେଉନାହିଁ, ସେସବୁର ପୁନରୁଦ୍ଧାର ବା ବଦଳାଯିବା କାର୍ଯ୍ୟ ଜୁନ୍ ୩୦ ତାରିଖ ସୁଦ୍ଧା ସାରିବାକୁ ସଂପୃକ୍ତ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରୁ ଜଣାଯାଇଛି ଯେ, ଗତ ବର୍ଷ ୨୦୨୦ ବନ୍ୟାରେ ବିିିଭିନ୍ନ ନଦୀ ବନ୍ଧରେ ୩୮ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ବେଳେ ସେଥିରୁ ୩୫ଟି ଘାଇ ମରାମତି କାର୍ଯ୍ୟ ସରିଛି ଓ ଆଉ ୩ଟିର ମରାମତି କାର୍ଯ୍ୟ ଜାରି ରହିଛି । ୨ଟି ଘାଇ ଚଳିତ ଜୁନ୍ ୨୫ ତାରିଖ ସୁଦ୍ଧା ଶେଷ ହେବ ଓ ଆଉ ଗୋଟିଏ ଜୁନ୍ ୩୦ ସୁଦ୍ଧା ଶେଷ ହେବ ।

୨୦୨୦ରେ ଯେଉଁ ସବୁ ସ୍ଥାନରେ ଘଳିଆ ସୃଷ୍ଟି ହୋଇଥିଲା, ସେ ସମସ୍ତକୁ ମରାମତି କରାଯାଇଛି । ବନ୍ୟା ମୁକାବିଲା ପାଇଁ ଆବଶ୍ୟକ ବାଲିବସ୍ତା, ବାଲି, ବଲ୍ଲା, ବାଉଁଶ ବ୍ୟବସ୍ଥା କରାଯାଇ ଆବଶ୍ୟକ ସ୍ଥାନରେ ମହଜୁଦ ରଖାଯାଇ ବିଭିନ୍ନ ନଦୀବନ୍ଧରେ ବନ୍ଧ ସୁରକ୍ଷା ପାଇଁ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

କେଉଁ ଡିଭିଜନରେ କେଉଁ କେଉଁ ସ୍ଥାନରେ କେତେ ପରିମାଣର ବନ୍ୟା ମୁକାବିଲା ପାଇଁ ସରଂଜାମ ମହଜୁଦ ଅଛି, ତାହା ବିଭାଗୀୟ ୱେବ୍ ସାଇଟ୍‌ରେ ଉପଲବ୍‌ଧ ଅଛି । ବରିଷ୍ଠ ଯନ୍ତ୍ରୀମାନେ ବିଭିନ୍ନ ଜଳ ଭଣ୍ଡାରକୁ ପରିଦର୍ଶନରେ ଯାଇ ଡ୍ୟାମ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ,ମୁଖ୍ୟ ଯନ୍ତ୍ରୀ, ବନ୍ୟା ନିୟନ୍ତ୍ରଣ ଓ ଜିଲ୍ଲାପାଳମାନଙ୍କ ସହିତ ସବୁବେଳେ ଜଳ ଭଣ୍ଡାରଗୁଡିକ ସ୍ଥିତି ଓ ପରିଚାଳନା ସଂପର୍କରେ ନିୟମିତ ଯୋଗାଯୋଗ ରଖାଯାଉଥିବା ସଂପର୍କରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ, ରଥ ସୂଚନା ଦେଇଥିଲେ ।

ମେ ୨୨ ତାରିଖରୁ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ସେଚ ସଦନ, ସବୁ ଡିଭିଜନ ଓ ସର୍କଲ କାର୍ଯ୍ୟାଳୟଗୁଡିକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଥିବା ବେଳେ ମନ୍ତ୍ରୀ ଏହି ନିୟନ୍ତ୍ରଣ କକ୍ଷଗୁଡିକର ୨୪ ଘଣ୍ଟିଆ ସୁପରିଚାଳନା, ନିୟମିତ ଭାବେ ଜଳଭଣ୍ଡାକୁ ପ୍ରବେଶ ଓ ନିସ୍କାସନ ସଂପର୍କିତ ସ ୂଚନା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ ।

ବୈଠକରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ-ଯୋଜନା ଓ ନକ୍ସାଙ୍କନ ଇଂ ଧୀରେନ୍ କୁମାର ସାମଲ, ପରିଚାଳନା ନିର୍ଦ୍ଦେଶକ, ଓଡିଶା କନ୍‌ଷ୍ଟ୍ରକ୍‌ସନ କର୍ପୋରେସନ ଲିମିଟେଡ୍ (ଓ.ସି.ସି.ଏଲ୍‌), ମୁଖ୍ୟ ଯନ୍ତ୍ରୀ, ଲୋୟର ମହାନଦୀ ବେସିନ୍‌, ମୁଖ୍ୟ ଯନ୍ତ୍ରୀ ବନ୍ୟା ନିୟନ୍ତ୍ରଣ, ସଂପୃକ୍ତ ବିଭିନ୍ନ ବେସିନ୍ ପରିଚାଳନା ଦାୟିତ୍ୱରେ ଥିବା ମୁଖ୍ୟ ଯନ୍ତ୍ରୀ ଓ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଡବ୍ଲୁଟିସି ଫାଇନାଲ: ୨୪୯ ରନରେ ନ୍ୟୁଜିଲାଣ୍ଡର ଶେଷ ହେଲା ପ୍ରଥମ ଇନିଂସ, ଭାରତ ଠାରୁ ୩୨ ରନରେ ଆଗୁଆ

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଫାଇନାଲ ମ୍ୟାଚର ପଞ୍ଚମ ଦିନ ଖେଳ ଜାରି ରହିଛି। ସାଉଥେମ୍ପଟନରେ ଚାଲିଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା। ପ୍ରଥମ ଇନିଂସରେ ଭାରତ ସମସ୍ତ ୱିକେଟ ହରାଇ ମାତ୍ର ୨୧୭ ରନ କରିବାକୁ ସକ୍ଷମ ହୋଇଥିଲା।

ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୨୩୦ ରନ କରିପାରିଥିଲା। ଫଳରେ ନ୍ୟୁଜିଲାଣ୍ଡ ୩୦ ରନରେ ଭରତ ଠାରୁ ଆଗୁଆ ରହିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ କନଭେ ସର୍ବାଧିକ ୫୪ ରନ ସଂଗ୍ରହ କରିଥିବା ବେଳେ ଅଧିନାୟକ କେନ ୱିଲିଅମସନ ୪୯ ରନ କରିଥିଲେ।

ସେହିଭଳି ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୪ ଟି ୱିକେଟ ଅକ୍ତିଆର କରିଥିବା ବେଳେ ଇଶାନ୍ତ ଶର୍ମା ୩ ଟି, ରବିଚନ୍ଦ୍ରନ ଅଶ୍ଵିନୀ ୨ ଟି ଏବଂ ରବୀନ୍ଦ୍ର ଜାଡ଼େଜା ୧ ଟି ୱିକେଟ ନେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ମଦ ବୋଝେଇ କାରକୁ ଜବତ କଲା ନିରାକାରପୁର ପୋଲିସ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନିରାକାରପୁର ଥାନା ଅଞ୍ଚଳରେ ମଦ ବୋଝେଇ ଏକ କାରକୁ  ପୋଲିସ ଜବତ କରିଛି। ସୂଚନା ମୁତାବକ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ଆଜି ଅପରାହ୍ନରେ ହାଇୱେ ପେଟ୍ରୋଲିଂ କରୁଥିବା ବେଳେ ଏକ ମଦ ବୋଝେଇ କାର ଯାଉଥିବାର ସୂଚନା ପାଇଥିଲେ।

ତେବେ ଉକ୍ତ କାରକୁ ଠାବ କରିବା ସମୟରେ କାଶୀପୁର ନିକଟରେ ଗାଡି ଚାଳକ ଏବଂ ତାଙ୍କ ସହଯୋଗି କାର ଛାଡି ଫେରାର ହୋଇଯାଇଥିଲେ। ପୋଲିସ ଉକ୍ତ କାରଟିକୁ ଜବତ କରି ତନ୍ମଧ୍ୟରୁ ୧୨୯ ଲିଟର ମଦ ଜବତ କରିଛି ଯେଉଁଥିରେ ୬୦ ଲିଟର ଦେଶୀ ମଦ ଥିବାବେଳେ ଅବଶିଷ୍ଟ ବିଦେଶୀ ମଦ ଅଟେ।

ଏ ଘଟଣାରେ ନିରାକାରପୁର ଥାନା ପୋଲିସ କେସ ନମ୍ବର ୧୦୫/୨୧ ରେ ଏକ ମାମଲା ରୁଜୁ କରିବା ସହ ଫେରାର ଅଭିଯୁକ୍ତ ମାନଙ୍କ ତଲାସ ଜାରି ରଖିଥିବାର ଆଇଆଇସି ଶ୍ରୀମତୀ ନାୟକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୩୯: ସୁସ୍ଥ ହେଲେ ୩୯୦ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୩୯ ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୮୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ହଜାର ୨୭୪ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୩୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୫ ହଜାର ୩୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୪୮୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୧୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ଚିଲିକାରେ ଦିଆଯିବ ୨ ହଜାର ଟୀକା: ଜାଣନ୍ତୁ କେଉଁ କେନ୍ଦ୍ର ପାଇଁ କେତେ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ଠାରୁ ଦେଶରେ ଦୁନିଆର ସର୍ବଶ୍ରେଷ୍ଠ ଟୀକାକରଣ ପ୍ରକ୍ରିୟା  ଆରମ୍ଭ ହୋଇଯାଇଛି। ଗତକାଲି ଦେଶରେ ୮୬ ଲକ୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ଟୀକା ନେଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେହିଭଳି ଆଜି ମଧ୍ୟ ଦେଶରେ ଗତକାଲି ଭଳି ସମାନ ଗତିରେ ଟୀକାକରଣ ପ୍ରକ୍ରିୟା ଜାରି ରହିଛି। ଗତକାଲି ରାଜ୍ୟରେ ପାଖାପାଖି ୩ ଲକ୍ଷ ଲୋକ ଟୀକା ନେଇଥିବା ବେଳେ ଆଜି ମଧ୍ୟ ସମାନ ସଂଖ୍ୟକ ଟୀକା ଦେବାର ବ୍ୟବସ୍ଥା ହୋଇଛି।

ସେପଟେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ଆଜି ପାଖାପାଖି ୨ ହଜାର ଲୋକ ଟୀକା ନେଇଥିବା ବେଳେ ଆସନ୍ତାକାଲି ମଧ୍ୟ ୨ ହଜାର ଲୋକଙ୍କ ପାଇଁ ଟୀକାର ବ୍ୟବସ୍ଥା ହୋଇଛି।

ଜାଣନ୍ତୁ ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲିର ଟୀକାକରଣ ବ୍ୟବସ୍ଥା କେଉଁଠି ଏବଂ କିପରି ନେବେ:

ବାଣପୁର- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ(ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୧୫୦ ଡୋଜ (କେବଳ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକଙ୍କ ପାଇଁ ଉଭୟ ପ୍ରଥମ ଏବଂ ଦ୍ଵିତୀୟ ଡୋଜ )

୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ (୧୮ରୁ ୪୪ ବର୍ଷ ବର୍ଗର ନାଗରିକ, ପ୍ରଥମ ଡୋଜ)

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ

୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୬- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ- ୨୯୦ ଡୋଜ

୨- ନଈରୀ ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୩- ଜରିପଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୨୧୦ ଡୋଜ

୪- ବଡ଼କୂଳ ଉଚ୍ଚ ବିଦ୍ୟାଳୟ- ୧୫୦ ଡୋଜ

୫- ସୋରଣ ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦

୧୮ରୁ ୪୪ ବର୍ଷ ନାଗରିକ ମାନଙ୍କ ଟୀକାକରଣ ସମୟ– ସକାଳ ୯ ରୁ ମଧ୍ୟାହ୍ନ ୧୨ ଘଟିକା

୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କ ଟୀକାକରଣ ସମୟ- ଅପରାହ୍ନ ୩ ରୁ ସନ୍ଧ୍ୟା ୬ ଘଟିକା

କିପରି ନେବେ:

ଟୀକାକେନ୍ଦ୍ରରେ ସିଧାସଳଖ ନିଜର ଆଧାର କାର୍ଡ ନମ୍ବର ଏବଂ ପଞ୍ଜିକୃତ ମୋବାଇଲ ନମ୍ବର ଦେଇ ଟୀକା ନେଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪ ହଜାର ୧୫୯ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪ ହଜାର ୧୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୩୫, କଟକରୁ ୫୩୭, ବାଲେଶ୍ଵରରୁ ୩୬୪, ଯାଜପୁରରୁ ୩୬୪, ପୁରୀରୁ ୨୫୧, ଅନୁଗୁଳରୁ ୧୬୮, ଭଦ୍ରକରୁ ୧୬୫, ମୟୂରଭଞ୍ଜରୁ ୧୫୪, ଜଗତସିଂହପୁରରୁ ୧୨୯, ନୟାଗଡରୁ ୧୨୫, ସୁନ୍ଦରଗଡରୁ ୧୦୨, କଳାହାଣ୍ଡିରୁ ୯୨, ଢେଙ୍କାନାଳରୁ ୮୫, ନବରଙ୍ଗପୁରରୁ ୮୧, ବରଗଡରୁ ୮୦, କେନ୍ଦ୍ରାପଡାରୁ ୭୨, କୋରାପୁଟରୁ ୭୦, ମାଲକାନାଗିରିରୁ ୬୪, ବୌଦ୍ଧରୁ ୫୯, ସୋନପୁରରୁ ୫୯, ରାୟଗଡାରୁ ୫୫, ବଲାଙ୍ଗୀରିରୁ ୫୩, କନ୍ଧମାଳରୁ ୪୮, ଗଜପତିରୁ ୪୩, କେନ୍ଦୁଝରରୁ ୪୦, ସମ୍ବଲପୁରରୁ ୩୫, ନୂଆପଡାରୁ ୨୧, ଦେବଗଡରୁ ୨୦, ଝାରସୁଗୁଡାରୁ ୧୦ ଏବଂ ଷ୍ଟେଟ ପୁଲରୁ ୧୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୪୮ ହଜାର ୯୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୩ ହଜାର ୪୯୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୪୪ ହଜାର ୮୦୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୦ ହଜାର ୮୦୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୬୭୦ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଶରଦ ପାୱାରଙ୍କ ବାସଭବନରେ ୮ ଟି ଦଳର ନେତାଙ୍କ ମଧ୍ୟରେ ଆଲୋଚନା: ତୃତୀୟ ମୋର୍ଚ୍ଚା ଗଠନ ସମ୍ଭାବନା

ନୂଆଦିଲ୍ଲୀ: ଦେଶରେ ଅଣ-ବିଜେପି ଏବଂ ଅଣ-କଂଗ୍ରେସ ରାଜନୈତିକ ଦଳକୁ ନେଇ ଏକ ତୃତୀୟ ମୋର୍ଚ୍ଚା ଗଠନ ହେବା ନେଇ କଳ୍ପନା ଜଳ୍ପନା ଜାରି ରହିଛି। ଏନସିପି ନେତା ଶରଦ ପାୱାରଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆଜି ଏକ ବୈଠକ ହୋଇଛି।

ଏଥିରେ ଦେଶର ୮ ଟି ରାଜନୈତିକ ଦଳର ନେତାମାନେ ଯୋଗ ଦେଇଥିବା ଜଣାପଡିଛି। ତୃଣମୂଳ କଂଗ୍ରେସ, ଏନସିପି, ରାଷ୍ଟ୍ରୀୟ ଲୋକଦଳ, ସିପିଆଇ, ସିପିଏମ, ଆମ ଆଦ୍ମି ପାର୍ଟି, ସମାଜବାଦୀ ପାର୍ଟି ଏବଂ ନ୍ୟାସନାଲ କନଫରେନ୍ସ ଦଳର ନେତାମାନେ ଭାଗ ନେଇଛନ୍ତି।

ଏତଦବ୍ୟତୀତ ପୂର୍ବତନ ସାଂସଦ ପବନ ବର୍ମା, ଜାବେଦ ଅଖତର, ସଞ୍ଜୟ ଝା ଏବଂ କେସି ସିଂହ ମଧ୍ୟ ଏହି ବୈଠକରେ ସାମିଲ ହୋଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ମିଳିତ ମଞ୍ଚ ଗଠନ ପାଇଁ ପ୍ରୟାସ କରାଯାଉଥିବା କୁହାଯାଉଛି।

ଏହି ବୈଠକ ପୂର୍ବରୁ ପ୍ରଖ୍ୟାତ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସହ ଶାରଦା ପାୱାରଙ୍କର ଗୋଟିଏ ସପ୍ତାହରେ ଦୁଇ ଦୁଇ ଥର ଆଲୋଚନା ହୋଇଥିଲା। ହେଲେ ତୃତୀୟ ମୋର୍ଚ୍ଚା ସମ୍ଭାବନାକୁ ଶାରଦା ପାୱାର ମନା କରିଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଯାତ୍ରୀଙ୍କ ଯାଞ୍ଚ ପାଇଁ ଭୁବନେଶ୍ୱର ଷ୍ଟେସନରେ ଲାଗିଲା ‘ଏଟିଏମଏ’ ସିଷ୍ଟମ, ଜାଣନ୍ତୁ ଏହା କଣ

ଭୁବନେଶ୍ୱର, ସଂପ୍ରତି କୋଭିଡ ମହାମାରୀ ସମୟରେ ଯାତ୍ରୀଙ୍କ ନିରାପଦ ସ୍କ୍ରିନିଂ ନିଶ୍ଚିତ କରିବା ଏବଂ ଯାତ୍ରୀ ଓ କର୍ତ୍ତବ୍ୟରତ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ସହ ରେଳ ଷ୍ଟେସନରେ କେବଳ ଅଧିକୃତ ଯାତ୍ରୀମାନେ ପ୍ରବେଶ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରିବା ରେଳବାଇ କର୍ତ୍ତୃପକ୍ଷଙ୍କ ପାଇଁ ଏକ ବ୍ୟବସ୍ଥାଗତ ଆହ୍ବାନ ଆଣିଛି।

ଯାତ୍ରୀ ଏବଂ ରେଳ କର୍ତ୍ତୃପକ୍ଷଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ରେଳ ଷ୍ଟେସନରେ ଗୋଟିଏ ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ ସ୍ଥାପିତ ହୋଇଛି। ଏଟିଏମ୍ ଏ ସିଷ୍ଟମ ହେଉଛି ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଯାହା ଯାତ୍ରୀମାନଙ୍କର ତାପମାତ୍ରା ପାଇଁ ଫଳପ୍ରଦ ସ୍କ୍ରିନିଂ ଏବଂ ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟରେ କର୍ମଚାରୀଙ୍କ ଦ୍ବାରା ନିରାପଦ ଦୂରତାରୁ ଟିକେଟ୍ ଯାଞ୍ଚ କରିବାରେ ସହାୟତା କରିବ।

ଏ ଟି ଏମ୍ ଏ ସିଷ୍ଟମରେ ଚାରୋଟି ବୈଶିଷ୍ଟ୍ୟ ଅଛି ଯେପରିକି ଆଇ ଆର୍ ସି ଟି ସି (IRCTC) ଆଧାରିତ ଟ୍ରେନ୍ ଟିକେଟ୍ ର କିଉ ଆର୍ (QR) କୋଡ୍ ସ୍କାନ୍ କରିବା ପାଇଁ ବାର୍ କୋଡ୍ ସ୍କାନର୍, ଗୋଟିଏ ସ୍ପିକର, ଯାହା ମାଧ୍ୟମରେ ଷ୍ଟେସନରେ ପ୍ରବେଶ କରୁଥିବା ଯାତ୍ରୀ ପିଏନ୍ ଆର୍ (PNR) ନମ୍ବର କହିପାରିବେ।

ଏଥିସହିତ ଏକ ତାପମାତ୍ରା ସ୍କାନର୍ ରହିଛି ଯାହାଦ୍ଵାରା ତାପମାତ୍ରା ମାପାଯାଇପରିବ ଏବଂ ଏକ କ୍ୟାମେରା ଯାହା ଯାତ୍ରୀ ମାସ୍କ ପିନ୍ଧିଛନ୍ତିକି ନାହିଁ ତାହା ନିଶ୍ଚିତ କରିବ। ନିୟୋଜିତ ଟିକେଟ୍ ଯାଞ୍ଚ କର୍ମଚାରୀମାନେ ଯାତ୍ରୀମାନଙ୍କଠାରୁ ଏକ ନିରାପଦ ଦୂରତ୍ୱରୁ ସମସ୍ତ ଚାରୋଟି ପାରାମିଟରକୁ ଯାପ୍ସଚ କରିପାରିବେ ଯାହାଦ୍ୱାରା ଅଧିକୃତ ଯାତ୍ରୀମାନେ ରେଳ ଷ୍ଟେସନରେ ପ୍ରବେଶ କରିପାରିବେ ଏବଂ କୋଭିଡ-୧୯ ସଂକ୍ରମଣର ବୃଦ୍ଧିକୁ ମଧ୍ୟ ରୋକା ଯାଇପାରିବ।

ଭୁବନେଶ୍ୱର ରେଳ ଷ୍ଟେସନରେ କର୍ପୋରେଟ୍ ସାମାଜିକ ଦାୟିତ୍ ବୋଧ (ସିଏସ୍ଆର) ଯୋଜନା ଅନ୍ତର୍ଗତ ଭୁବନେଶ୍ୱର ପାରାଦୀପ ଫସପେଟ୍ ଲିମିଟେଡ୍ (ପିପିଏଲ୍) ଦ୍ଵାରା ଏହି ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ ଯୋଗାଇ ଦିଆଯାଇଛି ।

ଭବିଷ୍ୟତରେ ଆଉ ଏକ ଏଟିଏମ୍ଏ ସିଷ୍ଟମ ପିପିଏଲ ଦ୍ୱାରା ପୁରୀ ରେଳ ଷ୍ଟେସନ ରେ ଏବଂ ଭିସା ଷ୍ଟିଲ ଲିମିଟେଡ, କଳିଙ୍ଗଗ ନଗର, ଯାଜପୁର ଦ୍ୱାରା ଯାଜପୁର-କେନ୍ଦୁଝର ରୋଡ ଷ୍ଟେସନରେ ସ୍ଥାପନ କରାଯିବ। ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ କର୍ପୋରେଟ୍ ସେଟଅପ୍ ସହିତ ପରାମର୍ଶ କରି ଖୋର୍ଦ୍ଧା ରୋଡ ମଣ୍ଡଳ ଏହି ଅଭିନବ ଯୋଜନା ସ୍ଥାପନା କରିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭାରତରେ ଲଞ୍ଚ ହେଲା 2021 ମସିହାର ସବୁଠାରୁ ପତଳା ଓ ହାଲକା ସ୍ମାର୍ଟ ଫୋନ, ଓଜନ ମାତ୍ର 157 ଗ୍ରାମ

ନୂଆଦିଲ୍ଲୀ, ମଙ୍ଗଳବାର ଅପରାହ୍ନରେ Mi 11 ଲାଇଟ୍ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରାଯାଇଛି। Mi 11 ସିରିଜ୍ ପାଇଁ ଏହା ହେଉଛି ଚତୁର୍ଥ ଏବଂ ସବୁଠାରୁ ଶସ୍ତା Xiaomi ସ୍ମାର୍ଟଫୋନ। ପୂର୍ବରୁ Mi 11X, Mi 11X Pro ଏବଂ Mi 11 Ultra ଅଛି।  Mi 11 ଲାଇଟ୍ 2021 ର ସବୁଠାରୁ ପତଳା ଏବଂ ହାଲୁକା ସ୍ମାର୍ଟଫୋନ୍ ବୋଲି ଦାବି କରାଯାଇଛି। ସ୍ମାର୍ଟଫୋନ୍ ଉଭୟ 4G ଏବଂ 5G ରେ ଉପଲବ୍ଧ। ତେବେ ଜିଆଓମି ବର୍ତ୍ତମାନ ଦେଶରେ କେବଳ 4G ଭାରିଆଣ୍ଟ ଲଞ୍ଚ କରିଛି । ଭବିଷ୍ୟତରେ ଏକ 5G ମଡେଲ ଆସିପାରେ ବୋଲି ସୂଚନା ଦିଆଯାଇଛି।

Mi 11 Lite ରେ 90 Hz  ରିଫ୍ରେସ ରେଟ, HDR 10+ ସମର୍ଥନ ଏବଂ ଉତ୍ତମ ଲାଇଟ ଏବଂ କଲର ପାଇଁ 10-ବିଟ୍ ପ୍ୟାନେଲ୍ ସହିତ 6.5-ଇଞ୍ଚ FHD + ଡିସପ୍ଲେ AMOLED  ରହିଛି। ସ୍ମାର୍ଟଫୋନଟି ମାତ୍ର 6.8 ମିମି ମୋଟା ଏବଂ ଓଜନ ରହିଛି ମାତ୍ର 157 ଗ୍ରାମ। ଏହା ଏକ ଗ୍ଲାସ୍ ପଛ ପ୍ୟାନେଲ୍ ସହିତ ଆସିଛି।

ପଛ କ୍ୟାମେରା ସେଟଅପ୍ ରେ 64 ମେଗାପିକ୍ସେଲ ପ୍ରାଥମିକ କ୍ୟାମେରା, 8 ମେଗାପିକ୍ସେଲ ଅଲଟ୍ରା ୱାଇଡ୍ ଲେନ୍ସ ଏବଂ 5 ମେଗାପିକ୍ସେଲ ମାକ୍ରୋ କ୍ୟାମେରା ଅନ୍ତର୍ଭୁକ୍ତ | ସ୍ମାର୍ଟଫୋନରେ 16 ମେଗାପିକ୍ସେଲ ସେଲଫି କ୍ୟାମେରା ଲଗାଯାଇଛି। Xiaomi 23 ଡାଇରେକ୍ଟର ମୋଡ୍ ସହିତ ଫୋନରେ ଅନେକ ଫଟୋଗ୍ରାଫି ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ କରିଛି।

Mi 11 Lite ଏକ 4,250 mAh ବ୍ୟାଟେରୀ ପ୍ୟାକ୍ ରହିଛି ଯାହା 33W ଦ୍ରୁତ ଚାର୍ଜିଂକୁ କରାଯାଇ ପାରିବ। ଫୋନରେ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗର ପ୍ରିଣ୍ଟ ସ୍କାନର୍ ମଧ୍ୟ ଅଛି। ଫୋନରେ 3.5 ମିଟର ହେଡଫୋନ୍ ଜ୍ୟାକ୍ ନାହିଁ, କିନ୍ତୁ ଜିଆଓମି ଡିଭାଇସ୍ ସହିତ ଏକ ଟାଇପ୍-ସି ରୁ 3.5 ମିମି ହେଡଫୋନ୍ ଆଡପ୍ଟର ଦିଆଯାଉଛି।

ଭାରତରେ Mi 11 Lite ମୂଲ୍ୟ 6GB RAM ଏବଂ 128GB ଷ୍ଟୋରେଜ୍ ଭାରିଆଣ୍ଟ ପାଇଁ 21,999 ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ 8GB RAM ଏବଂ 128GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ 23,999 ଟଙ୍କା ରହିଛି। ଉଭୟ ପ୍ରକାରର ଭିତରେ  ଏକ ମାଇକ୍ରୋ SD କାର୍ଡ ବ୍ୟବହାର କରି ଷ୍ଟୋରେଜକୁ ବୃଦ୍ଧି କରାଯାଇ ପାରିବ।

ପ୍ରାରମ୍ଭିକ ଅଫରର ଏକ ଅଂଶ ଭାବରେ, ଉଭୟ ପ୍ରକାରଗୁଡିକ 1500 ଟଙ୍କା କମ୍ ମୂଲ୍ୟରେ ଉପଲବ୍ଧ ହେବ। ଗ୍ରାହକମାନେ HDFC ବ୍ୟାଙ୍କ କାର୍ଡ ବ୍ୟବହାର କରି 1500 ଟଙ୍କା ରିହାତି ମଧ୍ୟ ପାଇବେ। ସ୍ମାର୍ଟଫୋନ୍ ତିନୋଟି ରଙ୍ଗ ବିକଳ୍ପରେ ଆସିଛି। ସେଗୁଡିକ ହେଲା – Tuscany Coral, Jazz Blue, and Viny Black।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁଆ ଆଡ୍ଡା ଉପରେ ଚଢାଉ କଲା ଟାଙ୍ଗୀ ପୋଲିସ: ୮ ଜୁଆଡି ଗିରଫ, ୭୨ ହଜାରରୁ ଊର୍ଦ୍ଧ୍ଵ ଟଙ୍କା ଜବତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଜୁଆ ଆଡ୍ଡା ଉପରେ ବ୍ରେକ୍ ଲଗାଇବା ପାଇଁ ଟାଙ୍ଗୀ ପୋଲିସର ଲଗାତାର ଚଢାଉ ଜାରି ରହିଛି। ଦୁଇଟି ସ୍ଥାନରେ ଚଢାଉ କରି ୮ ଜୁଆଡିକୁ ଗିରଫ କରିବା ସହ ୭୨ ହଜାରରୁ ଊର୍ଦ୍ଧ୍ଵ ଟଙ୍କା ପୋଲିସ ଜବତ କରିଛି।

ପୋଲିସର ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ବେଣୀ ପଥର ଓ ମଙ୍ଗଳା ଯୋଡି ଜୁଆ ଆଡ୍ଡାରେ ବେଧଡକ ଜୁଆ ଖେଳ ଚାଲିଥିଲା। ବାରମ୍ବାର ଏହି ଜୁଆ ଆଡ୍ଡା ଉପରେ ଚଢାଉ ପାଇଁ ସାଧାରଣରେ ଦାବି ହୋଇ ଆସୁଥିଲା। ହେଲେ ପୋଲିସ୍ ଚଢାଉ କରୁଥିଲେ ହେଁ ଘଞ୍ଚ ଜଙ୍ଗଲ ଯୋଗୁଁ ଜୁଆଡି ମାନଙ୍କୁ ପୋଲିସ୍ ଧରିଵାରେ ସଫଳ ହୋଇ ପାରୁନଥିଲା।

ତେବେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଓ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ ଏକ ସ୍ୱତନ୍ତ୍ର କୌଶଳ ଜରିଆରେ ଜୁଆ ଆଡ୍ଡା ଉପରେ ଚଢାଉ କରି ସଫଳ ହୋଇଥିଲେ। ଏଥିରେ ୮ ଜଣ ଜୁଆଡିଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା। ଏହାସହ ଜୁଆଡି ମାନଙ୍କ ଠାରୁ ୭୨ ହଜାର ଟଙ୍କା, ୪ ବାଇକ ଓ ଗୋଟିଏ ସାଇକେଲକୁ ମଧ୍ୟ ପୋଲିସ ଜବତ କରିଛି।

ଏ ସଂକ୍ରାନ୍ତରେ ଟାଙ୍ଗୀ ପୋଲିସ ତିନି ଓପିଜି ନିୟମ ଅନୁଯାୟୀ କେସ ନମ୍ବର ୨୦୦ ଏବଂ ୨୦୧ ରେ ଦୁଇ ଗୋଟି ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ବୋଲି ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ମହାରାଷ୍ଟ୍ରରେ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ୮ ହଜାରରେ ପହଞ୍ଚିଲା, ୨୧ ଜଣ ଡେଲଟା ପ୍ଲସ ଆକ୍ରାନ୍ତ ଚିହ୍ନଟ

ମୁମ୍ବାଇ, ମହାରାଷ୍ଟ୍ରରେ ମ୍ୟୁକର୍ମାଇକୋସିସ୍ ବା ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ୭ ହଜାର ୯୯୮ କୁ ବୃଦ୍ଧି ପାଇଛି। ଏଥିସହିତ ଏହି ରୋଗରେ ରାଜ୍ୟରୁ ୭୨୯ ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ରାଜ୍ୟରେ ୪ ହଜାର ୩୯୮ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ନାଗପୁରରେ ସର୍ବାଧିକ ୧ ହଜାର ୨୯୬ ଆକ୍ରାନ୍ତ, ପୁଣେରେ ୧ ହଜାର ୧୮୭ ଏବଂ ଔରଙ୍ଗାବାଦରେ ୯୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତ କାଲି ଗୋଟିଏ ଦିନରେ ମହାରାଷ୍ଟ୍ରରେ ୬ ହଜାର ୨୭୦ ନୂତନ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୧୩ ହଜାର ୭୫୮ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୨୪ ହଜାର କରୋନା ପଜେଟିଭ ଚିକିତ୍ସିତ ହେଉଛନ୍ତି। ଗତକାଲି ଗୋଟିଏ ଦିନରେ କୋଭିଡ ସଂକ୍ରମଣରେ ୯୪ ଜଣଙ୍କର ମୃତ୍ୟୁ ହୋଇଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ମୁମ୍ବାଇରେ ୫୧୮ ଏବଂ ପୁଣେରେ ୧୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ସମୟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି ଯେ ରାଜ୍ୟର ସମସ୍ତ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କୁ ଟିକାକରଣ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ମହାରାଷ୍ଟ୍ରରେ କୋଭିଡର ଡେଲଟା ପ୍ଲସ୍ ଭାଇରସ ଦ୍ୱାରା ପ୍ରଭାବିତ ୨୧ ରୋଗୀଙ୍କୁ ଚିହ୍ନଟ କରାଯାଇଛି।  ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ରତ୍ନଗିରିରୁ ୭ ଜଣ, ଜଲଗାଓଁ ଏବଂ ମୁମ୍ବାଇର ୨ ଜଣ ରୋଗୀ ଏବଂ ଥାନେ, ପାଲ ଘର ଏବଂ ସିନ୍ଧୁଦର୍ଗ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଟୋପ ସୂଚନା ଦେଇଛନ୍ତି ଯେ ମେ ୧୫ ରୁ ଡେଲଟା ପ୍ଲସକୁ ଚିହ୍ନିବା ପାଇଁ ପ୍ରତ୍ୟେକ ଜିଲ୍ଲା ଠାରୁ ୧୦୦ ଟି ନମୁନା ସଂଗ୍ରହ କରାଯାଇଥିଲା। ସେ କହିଛନ୍ତି ଯେ ବିଭିନ୍ନ ଜିଲ୍ଲାରୁ ସଂଗ୍ରହ ହୋଇଥିବା ସାତ ହଜାର ୫୦୦ ନମୁନା ମଧ୍ୟରୁ ୨୧ ଜଣ ରୋଗୀ ଚିହ୍ନଟ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ୪୭୭ ଏସ ଆଇ ପଦବୀ ପାଇଁ ଆରମ୍ଭ ହେବ ଅନଲାଇନ ଆବେଦନ

ଭୁବନେଶ୍ବର: ଆଜିଠାରୁ ଓଡିଶା ପୋଲିସର ୪୭୭ ସବ-ଇନିସପେକ୍ଟର ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ଇଚ୍ଛୁକ ପରୀକ୍ଷାର୍ଥୀ ଅନଲାଇନ ମାଧ୍ୟମରେ ଏହି ପଦବୀ ପାଇଁ ଆବେଦନ କରି ପାରିବେ। ଜୁଲାଇ ୧୫ ତାରିଖ ସୁଦ୍ଧା ଓଡିଶା ପୋଲିସର odishapolice.gov.in ୱେବସାଇଟକୁ ଯାଇ ଆବେଦନକାରୀ ପଞ୍ଜୀକୃତ କରିପାରିବେ। ଇଚ୍ଛୁକ ପରୀକ୍ଷାର୍ଥୀ https://odipolsi21.onlineapplicationform.org/ODIPOL/ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ।

ତେବେ ଏହି ପରୀକ୍ଷା ଅଗଷ୍ଟ ୬ ରୁ ୧୬ ତାରିଖ ମଧ୍ୟରେ କମ୍ପ୍ୟୁଟର ବେସଡ ଲିଖିତ ପରୀକ୍ଷା ହେବ। ଏସଆଇ ପରୀକ୍ଷାରେ ଭିଭାଭୋସ କରାଯିବ ନାହିଁ। ଏନେଇ ପୋଲିସ ଏଡିଜେ ଜେଠୱା ସୂଚନା ଦେଇଛନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ!: ସଚିବ ରବୀନ୍ଦ୍ର ସାହୁ

ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ। ରାଜ୍ୟ ସରକାରଙ୍କ ଦ୍ଵାରା କାମ ଶେଷ ହୋଇନଥିବାରୁ ପଞ୍ଚାୟତ ନିର୍ବାଚନରେ ବିଳମ୍ବ ହୋଇପାରେ। ସୀମା ପୁନଃ ନିର୍ଦ୍ଧାରଣ ଶେଷ ହୋଇନଥିବାରୁ ନିର୍ବାଚନ ବିଳମ୍ବ ହୋଇପାରେ। ଏହି କାର୍ଯ୍ୟ ଶେଷ ହେବା ପରେ ନିର୍ବାଚନ ପାଇଁ ନିର୍ବାଚନ କମିଶନ ପଦକ୍ଷେପ ନେବେ। ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ସାହୁ ଏନେଇ ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତା ବର୍ଷ ମାର୍ଚ୍ଚ ୧୦ ତାରିଖରେ ପଞ୍ଚାୟତର କାର୍ଯ୍ୟକାଳ ଅବଧି ଶେଷ ହେଉଛି।

Categories
ଆଜିର ଖବର ଜାତୀୟ ଖବର

ଗୁପକାର ମେଣ୍ଟର ଏକ ମହତ୍ବପୂର୍ଣ୍ଣ ନିଷ୍ପତ୍ତି: ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ ଯୋଗ ଦେବା ଲାଗି ହେଲା ସହମତି

ଶ୍ରୀନଗର: ଶ୍ରୀନଗରରେ ଆଜି ଗୁପକାର ମେଣ୍ଟର ଏକ ମହତ୍ବପୂର୍ଣ୍ଣ ବୈଠକ ହୋଇଯାଇଛି। ନ୍ୟାସନାଲ କନଫରେନ୍ସ ନେତା ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲାଙ୍କ ଘରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଫାରୁଖ ଅବଦୁଲାଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫ୍ତି ଏହି ବୈଠକରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ଯୋଗ ଦେବା ଲାଗି ଏହି ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକ ପରେ ମହବୁବା କହିଥିଲେ ଯେ, ସେ ଆଲୋଚନା କରିବା ବିରୋଧରେ ନାହାନ୍ତି। ରାଜନୈତିକ ବନ୍ଦୀଙ୍କୁ ମୁକ୍ତି କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ପ୍ରସ୍ତାବ ରଖିବେ। ଏହା ସହ ପାକିସ୍ଥାନ ସହ ଆଲୋଚନା କରିବା ପାଇଁ ମଧ୍ୟ ମହବୁବା ପରାମର୍ଶ ଦେବେ।

ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତା ୨୪ ତାରିଖରେ ଜମ୍ମୁ-କାଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ଏକ ସର୍ବଦଳୀୟ ବୈଠକ କରିବା ପାଇଁ ୧୪ ଟି ଦଳକୁ ନିମନ୍ତ୍ରଣ କରିଛନ୍ତି। ଏହି ବୈଠକରେ ଜମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ମିଳିବା ନେଇ ଆଶା କରାଯାଉଛି।