Categories
ବିଶେଷ ଖବର ରାଜ୍ୟ ଖବର

ଉତ୍କୃଷ୍ଟ କୋଭିଡ୍‌ ପରିଚାଳନା ନିମନ୍ତେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାକୁ ଆର୍ଥିକ ସହାୟତା ଘୋଷଣା

ଭୁବନେଶ୍ୱର, ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଉତ୍କୃଷ୍ଟ କୋଭିଡ୍‌ ପରିଚାଳନା ନିମନ୍ତେ ଆବଶ୍ୟକ ଡାକ୍ତରୀ ସରଞ୍ଜାମ ଓ ଉପକରଣ ଓଡ଼ିଶା ଔଷଧ ନିଗମ ଯୋଗାଇବ । ଏ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ନୀତିଗତ ନିଷ୍ପତ୍ତି ନିଆଯାଇଛି ।

ଯେହେତୁ ରାଜ୍ୟ ସରକାରଙ୍କ ତରଫରୁ ଏହି ନିଗମ ଡାକ୍ତରୀ ସରଞ୍ଜାମ ଓ ଉପକରଣ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଂଗ୍ରହ କରିବା ପାଇଁ ଆବଶ୍ୟକୀୟ ବୈଷୟକ ଯୋଗ୍ୟତା, ଅନୁଭୂତି ରହିଛି, ତେଣୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପରାମର୍ଶ କ୍ରମେ ସମସ୍ତ ଜିଲ୍ଲାପାଳଙ୍କୁ ଏସବୁ ସାମଗ୍ରୀ ନିଗମ ମାଧ୍ୟମରେ ଯୋଗାଇ ଦେବା ପାଇଁ ଜଣାଇ ଦିଆଯାଇଛି।

ଏହା ବ୍ୟତୀତ ଆବଶ୍ୟକୀୟ ସିଭିଲ୍‌ ଓ ବିଦ୍ୟୁତିକରଣ କାମ, ଆଇସିୟୁ ଶଯ୍ୟା, ଅମ୍ଳଜାନ ପାଇପଲାଇନ୍‌, ଡିଜି ସେଟ୍‌ ଇତ୍ୟାଦି ଡାକ୍ତରୀ ଓ ଅଣଡାକ୍ତରୀ ସରଞ୍ଜାମ ପାଇଁ ଜିଲ୍ଲାପାଳମାନେ ସିଧାସଳଖ ସ୍ଥାନୀୟ ବ୍ୟବସ୍ଥା ଅନୁସାରେ କ୍ରୟ ଓ ଯୋଗାଡ଼ କରିବେ ।

ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଉପଯୁକ୍ତ କୋଭିଡ୍‌ ପରିଚାଳନା ନିମନ୍ତେ ଆବଶ୍ୟକୀୟ ଜରୁରୀ ସରଞ୍ଜାମ ସଂଗ୍ରହ ଏବଂ ଭିତ୍ତିଭୂମି ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ କିଛିଦିନ ପୂର୍ବରୁ ୨୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିଲା ।

ଜିଲ୍ଲାଗୁଡ଼ିକ ତରଫରୁ ଏଥିପାଇଁ ଯଥାଶୀଘ୍ର ପ୍ରସ୍ତାବ ଦେବାକୁ କୁହାଯାଇଥିଲା । ଏଥି ପାଇଁ ଜିଲ୍ଲାପାଳମାନଙ୍କ ସହ ପରାମର୍ଶ କରାଯାଇଥିଲା । ପଶ୍ଚିିମ ଓଡ଼ିଶା ବିକାଶ ପରିଷଦ ତରଫରୁ ଏହି ପ୍ରସ୍ତାବଗୁଡ଼ିକ ହସ୍ତଗତ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ବ୍ୟାପକ ବିଚାରବିମର୍ଶ ପରେ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରିବା ସହ ଜରୁରୀ ସାମଗ୍ରୀ ସଂଗ୍ରହ ପାଇଁ ସବୁଜ ସଂକେତ ପ୍ରଦାନ କରାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ତାଣ୍ଡବ କରି ବାତ୍ୟା ୟଶ ଫେରିଲା ସତ, ହେଲେ ଛିନ୍ନିଭିନ୍ନି କରିଦେଲା ଉପକୂଳବର୍ତ୍ତି ଓଡିଶା

ଭୁବନେଶ୍ବର, ଆଜି ସକାଳ ପ୍ରାୟ ୯ ଟା ରେ ସାମୁଦ୍ରିକ ବାତ୍ୟା ‘ୟାସ’ ସ୍ଥଳଭାଗ ସ୍ପର୍ଶ ପ୍ରକ୍ରିୟା ଆରମ୍ଭ ହୋଇ ବାଲେଶ୍ୱର ସଦର, ରେମୁଣା, ବାହାନଗା ମଧ୍ୟ ଦେଇ ଗତି କରିଥିଲା । ପ୍ରାୟ ଅପରାହ୍ନ ୧ ଟା ସୁଦ୍ଧା ବାତ୍ୟା ସଂପୂର୍ଣ୍ଣ ରୂପେ ସ୍ଥଳଭାଗ ସ୍ପର୍ଶ କରିଥିଲା । ଏହି ସମୟରେ ବାଲେଶ୍ୱର ସଦର, ରେମୁଣା, ନୀଳଗିରିରେ ପ୍ରବଳ ବର୍ଷା ସହ ପବନର ବେଗ ଘଣ୍ଟାପ୍ରତି ୧୩୦-୧୪୦ କି.ମି. ରହିଥିଲା । ବାଲେଶ୍ୱର ଜିଲ୍ଲା ଅତିକ୍ରମ କରି ଏହା ମୟୁରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଯିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦-୮୦ କି.ମି. ରହିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ବାତ୍ୟା ସଂପର୍କରେ ଅବଗତ କରିବା ସମୟରେ ସେ କହିଛନ୍ତି ଯେ, ବାତ୍ୟା ସମୟରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବୃଷ୍ଟିପାତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର କୁସୁମି ବ୍ଲକରେ ପ୍ରାୟ ୩୦୪ ମି.ମି., ଭଦ୍ରକର ଚାନ୍ଦବାଲି ବ୍ଲକରେ ୨୮୮ମି.ମି., କେନ୍ଦ୍ରାପଡାର ରାଜନଗର ବ୍ଲକରେ ୨୭୫ ମି.ମି., ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକରେ ୨୭୧ ମି.ମି. ବୃଷ୍ଟିପାତ ରେକର୍ଡ କରାଯାଇଛି । ଆମ ରାଜ୍ୟର ୩୬ ଟି ସ୍ଥାନରେ ୧୦୦ ମି.ମି. ରୁ ଅଧିକ ବୃଷ୍ଟିପାତ ହେବାର ରେକର୍ଡ କରାଯାଇଛି । ଏହିପରି ୩୭ଟି ବ୍ଲକରେ ୫୦-୧୦୦ ମି.ମି. ବର୍ଷା ରେକର୍ଡ ହୋଇଛି।

ଅଧିକ ବୃଷ୍ଟିପାତ ଓ ଉଚ୍ଚ ଜୁଆର ଯୋଗୁଁ ବିଶେଷ କରି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ୧୨୮ ଗାଁ ଜଳମଗ୍ନ ହୋଇଛିିି । ଏହି ଗ୍ରାମ ଗୁଡିକରେ ଗ୍ରାମବାସୀମାନଙ୍କୁ ଆଶ୍ରୟସ୍ଥଳକୁ ପୂର୍ବରୁ ଅଣାଯାଇଥିବାରୁ ସେମାନଙ୍କୁ ସୁରକ୍ଷିତ ରଖାଯାଇ ପାରିଛି । ଆଜି ଅପରାହ୍ନ ଠାରୁ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଲାଗି ରହିଛି ।

ମୟୁରଭଞ୍ଜ ଶିମିଳିପାଳଠାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବୁଢାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଏଣୁ ଏ ସମସ୍ତ ନଦୀକୂଳିଆ ଅଂଚଳରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ମୟୁରଭଞ୍ଜ ଜିଲ୍ଲାରୁ ୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନିଆଯାଇଛି ।

୬ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବିପଦସଂକୁଳ ସ୍ଥାନରୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି । ବାଲେଶ୍ୱର ଓ ଭଦ୍ରକ ଜଳମଗ୍ନ ଗ୍ରାମ ଜଳ ଅପସାରିତ ହେଲା ପରେ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ । ଏତଦ୍‌ବ୍ୟତୀତ ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି ।

ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ଜଗତସିଂହପୁର ଜିଲ୍ଲାରେ ସରିଥିବାବେଳେ କେନ୍ଦ୍ରାପଡା, ଯାଜପୁର ଜିଲ୍ଲାରେ କାମ ଚାଲୁରହିଛି । ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଜଳମଗ୍ନ ଅଂଚଳ ବ୍ୟତୀତ ଅନ୍ୟ ସ୍ଥାନମାନଙ୍କରେ ବିଦ୍ୟୁତ ଯୋଗାଣ ଶୀଘ୍ର କରାଯିବ । ଜୁଆର ପାଣି ଆସିବା ଫଳରେ ରେମୁଣା, ଧାମରାର ଅନେକ ଗ୍ରାମରେ ପାଣି ପଶୁଛି । ପ୍ରଶାସନ ଜନସାଧାରଣଙ୍କ ସହାୟତାରେ ଜଳନିଷ୍କାସନ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏବେ ସୁଦ୍ଧା ପୂର୍ତ୍ତ ବିଭାଗର ୨୯୫ଟି ରାସ୍ତା ଓ ଗ୍ରାମ ଉନ୍ନୟନ ବିଭାଗର ୨୦୦ ରାସ୍ତା ସଫା କରାଯାଇ ଯୋଗାଯୋଗ ସୁବିଧା କରାଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କ୍ଷେତ୍ର କର୍ମଚାରୀ ଓ ଅଧିକାରୀମାନେ ଦିନରାତି କାର୍ଯ୍ୟ କରୁଛନ୍ତି । ଜନସାଧାରଣ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଆଜି ସଂଧ୍ୟାରୁ ଆରମ୍ଭ ହେଲା ବିମାନ ସେବା, ବାତ୍ୟା ପାଇଁ ଗୋଟିଏ ଦିନ ବନ୍ଦ ଥିଲା ଚଳାଚଳ

ଭୁବନେଶ୍ବର, ଆଜି ସଂଧ୍ୟାରୁ ଭୁବନେଶ୍ବର ବିମାନ ବନ୍ଦରରୁ ପୁଣି ଥରେ ଉଡାଣ ଆରମ୍ଭ ହୋଇଛି। ବାତ୍ୟା ୟଶ୍ ପାଇଁ ଭୁବନେଶ୍ବର ବିମାନ ବନ୍ଦରରୁ ବିମାନ ଉଡାଣ ଗତକାଲି ରାତିରୁ ସ୍ଥଗିତ ରଖାଯାଇଥିଲା। ଆଜି ସଂଧ୍ୟା 7ଟାରୁ ଏହି ଉଡାଣ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ବାତ୍ୟା ୟଶ ଓଡିଶାର ସ୍ଥଳଭାଗ ଛୁଇଁବା ବେଳେ ପ୍ରବଳ ପବନ ସହିତ ବର୍ଷା ଆଶଙ୍କା ଥିବାରୁ ଏହି ବିମାନ ସେବା ସ୍ଥଗିତ ରଖାଯାଇଥିଲା। ଭୁବନେଶ୍ବର ସହିତ କୋଲକାତା ବିମାନ ବନ୍ଦର ଉଡାଣକୁ ମଧ୍ୟ ସ୍ଥାଗିତ ରଖାଯାଇଥିଲା। ତେବେ ଉଭୟ ସ୍ଥାନରୁ ଏହି ଉଡାଣ ଆଜି ସଂଧ୍ୟାରୁ ଆରମ୍ଭ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ପ୍ରପୀଡିତ ଲୋକଙ୍କ ପାଇଁ କଲେ ଘୋଷଣା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହିତ ବାତ୍ୟା ୟାସର ପ୍ରଭାବ, ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକର ୧୨୮ଟି ଜଳମଗ୍ନ ଗ୍ରାମର ସମସ୍ତ ପରିବାରକୁ ୭ ଦିନ ପାଇଁ ରିଲିଫ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି।

ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବାତ୍ୟା ୟାସ ସମୟରେ ସମସ୍ତ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ଓ ସହଯୋଗ ପାଇଁ ସମସ୍ତ ପଞ୍ଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ନାଗରିକ ସଂଗଠନ (Community Organizations) NDRF, ODRF ଏବଂ ପୋଲିସ- ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେହିପରି ବାତ୍ୟା ସମୟରେ ରୋଗୀ ମାନଙ୍କୁ ନିରବଚ୍ଛିନ୍ନ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକର ସମସ୍ତ ପ୍ରମୁଖ ରାସ୍ତା ଗୁଡିକ ଯୋଗାଯୋଗ ସ୍ବଭାବିକ କରାଯିବା ଏବଂ ୮୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ପୁନଃସଂଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟା ଯୋଗୁ ଉଚ୍ଚ ଜୁଆର ଆସି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ୧୨୮ ଗାଁ ଜଳମଗ୍ନ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହିତ ସଡକ, ବିଦ୍ୟୁତ ଓ ଟେଲି ଯୋଗାଯୋଗ ପ୍ରଭାବିତ ହୋଇଛି। ଏହି ସମୟରେ କୋଭିଡ ହସ୍‌ପିଟାଲ ଗୁଡିକରେ କିନ୍ତୁ ସ୍ବଭାବିକ ଭାବରେ ଚାଲିଥିଲା ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ।

ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ପ୍ରଭାବିତ ଜିଲ୍ଲା ଗୁଡିକରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ମତେ ଜନସାଧାରଣଙ୍କ ଜୀବନର ସୁରକ୍ଷା ପାଇଁ ସାଢେ ଛଅ ଲକ୍ଷରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ଓ ଅନ୍ୟାନ୍ୟ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

ବାତ୍ୟା ସମୟରେ ଘର ଭାଙ୍ଗିବା ଯୋଗୁ କୌଣସି ଲୋକ ମୃତାହତ ହୋଇଥିବାର ସୂଚନା ନାହିଁ ବୋଲି ସେ କହିଥିଲେ। କିନ୍ତୁ ବାଲେଶ୍ବରରେ ଆଶ୍ରୟସ୍ଥଳରୁ ବାହାରକୁ ଯାଇଥିବା ଜଣେ ବ୍ୟକ୍ତି ଏବଂ କେନ୍ଦୁଝରରେ ଘରୁ ବାହାରକୁ ଯାଇଥିବା ଜଣେ ବ୍ୟକ୍ତି ଗଛ ପଡିବା ଯୋଗୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ବୋଲି ସେ କହିଥିଲେ।

ରାସ୍ତା, ବିଜୁଳି, ପାନୀୟ ଜଳ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି ଏବଂ ଖୁବଶୀଘ୍ର ପରିସ୍ଥିତି ସ୍ବଭାବିକ ହେବ ବୋଲି ସେ କହିଥିଲେ। ଗଛ ପଡିବା ଯୋଗୁ ରାସ୍ତା ଅବରୋଧ ଦୂର କରିବା ପାଇଁ ଓଡ୍ରାଫ, ଅଗ୍ନିଶମ ଓ ବନ ବିଭାଗ ନିରନ୍ତର ଭାବେ ଗଛ କାଟିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ସେ ସୂଚନା ଦେଇଥିଲେ।

ମୟୂରଭଂଜର କୁସୁମି ବ୍ଲକ୍‌ରେ ଏହି ସମୟରେ ସର୍ବାଧିକ ୩୦୫ ମିଲିମିଟର ଓ କେନ୍ଦ୍ରାପଡା ଜିଲ୍ଲାରେ ୨୧୦ ମିଲିମିଟର ବର୍ଷା ହୋଇଥିବା ସଂପର୍କରେ ସେ ସୂଚନା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାତ୍ୟା କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ପ୍ରଭାବିତ ଗାଁର ଲୋକଙ୍କୁ ୭ ଦିନ ରିଲିଫ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ବାତ୍ୟା କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ବାତ୍ୟା ପ୍ରଭାବିତ ୧୨୮ ଟି ଗାଁର ଲୋକଙ୍କୁ ୭ ଦିନ ରିଲିଫ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୨୪ ଘଣ୍ଟା ଭିତରେ କ୍ଷତିଗ୍ରସ୍ତ ମୁଖ୍ୟ ରାସ୍ତାର ମରାମତି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହ ୨୪ ଘଣ୍ଟା ମଧ୍ୟରେ ୮୦ ପ୍ରତିଶତ ବିଦ୍ୟୁତ ଯୋଗାଣକୁ ସ୍ଵାଭାବିକ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ମୁକାବିଲା ଲାଗି ପ୍ରଶାସନ ଏବଂ ପଞ୍ଚାୟତ ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ପୋଲିସ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦ ହଜାର ୬୩୫ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦ ହଜାର ୬୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୦୨୭, କଟକରୁ ୯୩୬, ସୁନ୍ଦରଗଡରୁ ୮୩୦, ଯାଜପୁରରୁ ୭୫୪, ଅନୁଗୁଳରୁ ୫୦୩, ସମ୍ବଲପୁରରୁ ୪୯୪, ପୁରୀରୁ ୪୭୨, ଭଦ୍ରକରୁ ୪୪୨, ମୟୂରଭଞ୍ଜରୁ ୪୩୮, ବରଗଡ ୩୯୫, ବାଲେଶ୍ବରରୁ ୩୫୪, ଝାରସୁଗୁଡାରୁ ୩୪୦, ବଲାଙ୍ଗୀରିରୁ ୨୮୯, ନବରଙ୍ଗପୁରରୁ ୨୭୧, କୋରାପୁଟରୁ ୨୭୦, ନୟାଗଡରୁ ୨୬୫, ଢେଙ୍କାନାଳରୁ ୨୬୩, ସୋନପୁରରୁ ୨୫୪, ଗଞ୍ଜାମରୁ ୨୪୨, ବୌଦ୍ଧରୁ ୨୪୧, ନୂଆପଡାରୁ ୨୧୮, ଜଗତସିଂହପୁରରୁ ୧୯୯, ରାୟଗଡାରୁ ୧୬୯, କେନ୍ଦୁଝରରୁ ୧୬୭, କେନ୍ଦ୍ରାପଡାରୁ ୧୫୩, କଳାହାଣ୍ଡିରୁ ୧୨୩, ଦେବଗଡରୁ ୧୦୬, କନ୍ଧମାଳରୁ ୮୧, ଗଜପତିରୁ ୭୦, ମାଲକାନଗିରିରୁ ୬୯ ଏବଂ ଷ୍ଟେଟ ପୁଲରୁ ୨୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬ ଲକ୍ଷ ୨୩ ହଜାର ୬୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୨୬ ହଜାର ୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୧୨ ହଜାର ୯୯୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୧୦ ହଜାର ୩୭୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୮୪ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୯୧୯: ସୁସ୍ଥ ହେଲେ ୧୦୧୯ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୮୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ହଜାର ୮୮୩ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୦୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୮ ହଜାର ୮୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୬୯୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୨୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକାରେ ବଢିଲା ସଂକ୍ରମଣ: ଏହି ଗ୍ରାମକୁ କରାଗଲା କଣ୍ଟେନମେଣ୍ଟ, ବନ୍ଦ ରହିବ ଟୀକା ଆଉ ଟେଷ୍ଟିଙ୍ଗ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ଅଣାୟତ୍ତ ଅବସ୍ଥାରେ ଅଛି। ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନର ଶତ ଚେଷ୍ଟା ସତ୍ତ୍ୱେ ସଂକ୍ରମଣ କମିବାର ନାଁ ଧରୁନାହିଁ।  ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲି ସଂଖ୍ୟାର ୩୦ ପ୍ରତିଶତ ଅଧିକ। ଚିହ୍ନଟ ହୋଇଥିବା ୮୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୫୦ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୧୨ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୬୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୬ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୪୮ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୭୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୪ ଜଣ, ଚିଲିକା ବ୍ଲକରେ ୧୪୫ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୬୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ବାତ୍ୟା ପରବର୍ତ୍ତୀ ପଦକ୍ଷେପ ନିମନ୍ତେ ଆସନ୍ତାକାଲି ଉଭୟ ବାଣପୁର ଏବଂ ବାଲୁଗାଁରେ ଟୀକାକରଣ ବନ୍ଦ ରହିବା ସହ କୋଭିଡ ଟେଷ୍ଟିଙ୍ଗ ପ୍ରକ୍ରିୟା ବନ୍ଦ ରହିବ। ଏନେଇ ଉଭୟ ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି।

ସେହିପରି ଭାବେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତର ନହରଡ଼ିହି ଗ୍ରାମ (୨୮ ପରିବାର) କୁ ଆସନ୍ତା ଜୁନ ୩ ତାରିଖ ରାତ୍ର ୯ ଘଟିକା ଯାଏଁ ସଂପୂର୍ଣ୍ଣ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଯୋଗ ଗୁରୁ ରାମଦେବଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା ରୁଜୁ କରିବା ପାଇଁ ଦାବି କଲା ଆଇଏମଏ

ନୂଆଦିଲ୍ଲୀ: ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଯୋଗଗୁରୁ ରାମଦେବ ବାବାଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା ରୁଜୁ କରିବା ପାଇଁ ଦାବି କରାଯାଇଛି। ରାମଦେବ ବାବାଙ୍କ ପକ୍ଷରୁ କରୋନା ଟୀକାକୁ ନେଇ ଭ୍ରମ ଏବଂ ଭୁଲ ବୟାନ ଦେଇଥିବାର ଆଇଏମଏ ଅଭିଯୋଗ କରିଛି। ଏହାସହ ଏଲୋପ୍ୟାଥି ଏବଂ ଡାକ୍ତରଙ୍କ ବିରୋଧରେ ସେ ବିବାଦିତ ବୟାନ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ତେଣୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଇଏମଏ ଦାବି କରିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଇଏମଏ ଚିଠି ଲେଖି ଦାବି କରିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ ଟୀକା ନେବା ପାଇଁ ଲୋକଙ୍କ ମନରେ ଭୟ: ଦିଆଗଲା ୫ ଲକ୍ଷ ଟଙ୍କାର ବୀମା ଅଫର

ମୁମ୍ବାଇ: କରୋନାର ଦ୍ଵିତୀୟ ଲହରରେ ମହାରାଷ୍ଟ୍ରର ଅନେକ ଲୋକଙ୍କ ଜୀବନ ଚାଲିଯାଇଛି। ଆହୁରି ଅନେକ ଲୋକ ଏହି ମାହାମାରୀରୁ ରକ୍ଷା ପାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଏହାପରେ ମଧ୍ୟ କେତେ ଲୋକ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି।

ଯଦିବା ଟୀକାକରଣ ପ୍ରକ୍ରିୟାରେ ମହାରାଷ୍ଟ୍ର ଅନ୍ୟ ରାଜ୍ୟ ତୁଳନାରେ ଆଗରେ ଅଛି, ତଥାପି ରାଜ୍ୟର ମୋଟ ଜନସଂଖ୍ୟାର ମାତ୍ର ୩.୬୯ ପ୍ରତିଶତ ଲୋକଙ୍କୁ ଏପର୍ଯ୍ୟନ୍ତ ଟୀକା ଦିଆଯାଇଛି। ହିଙ୍ଗୋଲି, ପାଲଘର, ନନ୍ଦୁରବାର, ପରଭନୀ, ଜଲଗାଁଓ, ଗଢଚିରେଲିରେ ୩ ପ୍ରତିଶତରୁ କମ ଲୋକଙ୍କୁ ଏପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦିଆଯାଇଛି। ଗ୍ରାମୀଣ ଏବଂ ଆଦିବାସୀ ଅଞ୍ଚଳରେ କୋଭିଡ ଟୀକାକୁ ନେଇ ଲୋକଙ୍କ ମନରେ ଏବେ ବି ଭୟ ରହିଛି।

ତେଣୁ ପ୍ରଶାସନ ପକ୍ଷରୁ ଟୀକା ବାବଦରେ ଲୋକଙ୍କୁ ସଚେତନ କରାଯାଉଛି। ଏପରି ଲୋକଙ୍କୁ ଟୀକା ଦେବା ପାଇଁ ବୀମା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଅଫର ମଧ୍ୟ ଘୋଷଣା କରାଯାଉଛି। ତେବେ ବର୍ତ୍ତମାନ ମହାରାଷ୍ଟ୍ରର ଗ୍ରାମୀଣ ଏବଂ ଆଦିବାସୀ ଅଞ୍ଚଳର ଲୋକଙ୍କୁ ଟୀକାକରଣରେ ସାମିଲ କରିବା ପାଇଁ ୫ ଲକ୍ଷ ଟଙ୍କାର ବୀମା ଅଫର କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୮ ହଜାର ୯୨୧ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮ ହଜାର ୯୨୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୧୫୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୭୧ ଲକ୍ଷ ୫୭ ହଜାର ୭୯୫ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୧୧ ହଜାର ୩୮୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୩ ଲକ୍ଷ ୫୦ ହଜାର ୭୧୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୪ ଲକ୍ଷ ୯୫ ହଜାର ୫୯୧ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୩୫ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୫୮୪ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୮୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନବରଙ୍ଗପୁର, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଲେଖାଏଁ ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ସେହିଭଳି ଝାରସୁଗୁଡା, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ, ବୌଦ୍ଧ, କଟକ, ଗଞ୍ଜାମ, ଜଗତସିଂହପୁର, କେନ୍ଦୁଝର, ନୟାଗଡ ଏବଂ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୨୬ ହଜାର ୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୧୨ ହଜାର ୯୯୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୧୦ ହଜାର ୩୭୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୮୪ କୁ ବୃଦ୍ଧି ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Cyclone Yaas: ଆରମ୍ଭ ହେଲା ୟଶ୍ ର ତାଣ୍ଡବ, ପ୍ରବଳ ବର୍ଷା ସହ ପବନ , ବଡବଡ ଗଛ ହେଲା ଧରାଶୟୀ

ଭୁବନେଶ୍ବର, ବାତ୍ୟା ୟଶ୍ ର ଲ୍ୟାଣ୍ଡଫଲ ପକ୍ରିୟା ଆରମ୍ଭ ହୋଇଯାଇଛି। ଆଉ ଘଣ୍ଟାଏ ମଧ୍ୟରେ ଏହା ରେମୁଣା ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ଧାମରାରୁ ମାତ୍ର 80 କିଲୋମଟିର ଦୂରରେ ରହିଛି। ତେବେ ଲ୍ୟାଣ୍ଡଫଲ ପୂର୍ବରୁ ୟଶ୍ ର ତାଣ୍ଡବ ଆରମ୍ଭ ହୋଇଯାଇଛି।

ବିଶେଷ କରି ଧାମରା, ପାରାଦ୍ବୀପ, ବାଲେଶ୍ବର ଭଦ୍ରକ ପ୍ରଭୃତି ସ୍ଥାନରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଯାଇଛି। ଲ୍ୟାଣ୍ଡଫଳ ବେଳେ ଏହାର ଗତି ଆହୁରି ତୀବ୍ର ରହିବ। ସେତେବେଳେ ଘଣ୍ଟାକୁ ପ୍ରାୟ 155 କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

ତେବେ ୟଶ ଆଜି ସକାଳୁ ତାହାର ତାଣ୍ଡବ ଆରମ୍ଭ କରିଦେଇଛି। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଚାଳଛପର ଘର ଭାଙ୍ଗିବା ସହିତ ରାସ୍ତାଘାଟରେ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି। ପ୍ରବଳ ପବନ ସତ୍ବେ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିସେବା କର୍ମଚାରୀ ତାହା ସଫା କରିବାରେ ଲାଗିଛନ୍ତି।

ପାଣିପାଗ ବିଭାଗ ଅନୁସାରେ ଏହି ପବନ ଏବଂ ବର୍ଷା ଆଜି ଦିନ ତମାମ ଲାଗି ରହିବ। ୟଶ୍ ଲ୍ୟାଣ୍ଡଫଲ ହେବା ପରେ ଏହାର ପ୍ରଭାବ ତିନି ରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ରହିବ। ଆଜି ସଂଧ୍ୟା ବେଳକୁ ଏହାର ପ୍ରଭାବ ସାମନ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ‘ୟଶ’ ନିମନ୍ତେ ଓଡିଶା ସରକାରଙ୍କୁ ସହାୟତାର ହାତ ବଢ଼େଇଲା ଆଈଏନଏସ ଚିଲିକା

ସୀତାରାମ ଅଗ୍ରୱାଲ

ଚିଲିକା: ମହାବାତ୍ୟା ‘ୟଶ’ ର ମୁକାବିଲା ପାଇଁ ଭାରତୀୟ ନୌସେନା ସମ୍ପୂର୍ଣ ପ୍ରସ୍ତୁତ ଅଛି ବୋଲି ନାଭାଲ ଅଫିସର ଇନଚାର୍ଜ(ଓଡିଶା) ଏନ. ପି ପ୍ରଦୀପ ଆଜି ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଆଈଏନଏସ ଚିଲିକା ବାତ୍ୟା ‘ୟଶ’ରେ ଓଡିଶାର ବେସାମରିକ ନାଗରିକମାନଙ୍କୁ ସହଯୋଗ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି। ହଜାର ହଜାର ଜନସାଧାରଣଙ୍କ ନିମନ୍ତେ ପାଣି ଏବଂ ଶୁଖିଲା ଖାଦ୍ୟ ପ୍ରସ୍ତୁତ କରି ସଜାଗ ଅଛି ଆଈଏନଏସ ଚିଲିକା।

ତତ ସହିତ ନାଗରିକମାନଙ୍କୁ ରିଲିଫ ଯୋଗାଣ ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ନୌସେନାର ବିଭିନ୍ନ ଟିମ ପ୍ରସ୍ତୁତ ହୋଇସାରିଛି। ଓଡିଶା ସରକାରଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ଆଈଏନଏସ ଚିଲିକା ତାର ସେବା କାର୍ଯ୍ୟ ଆରମ୍ଭ କରିଦେବ। ଗତ ମଇ ୨୪ ତାରିଖରୁ ଭାରତୀୟ ନୌସେନା ଓଡ଼ିଶା ସରକାରଙ୍କ ସହ ପ୍ରତ୍ୟକ୍ଷ ଭାବେ ସମ୍ପର୍କରେ ଅଛି। ଏଥି ନିମନ୍ତେ ଆଈଏନଏସ ଚିଲିକାରେ ଏକ ଚବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯାଇଛି। ତତସହିତ ଉକ୍ତ କଣ୍ଟ୍ରୋଲ ରୁମ ଧାମରା, ଗୋପାଳପୁର ଏବଂ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସହଯୋଗରେ ବାତ୍ୟା ସମୟରେ ସମୁଦ୍ରର ତଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ଜାହାଜ ଗୁଡିକର ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Updat: ପାରଦ୍ବୀପରୁ 40 କିଲୋମିଟର ଦୂରରେ ୟଶ୍, ଡେରିରେ କରିବ ଲ୍ୟାଣ୍ଡଫଲ୍

ଭୁବନେଶ୍ବର, ଧୀରେ ଧୀରେ ସ୍ଥଳଭାଗ ଆଡକୁ ମାଡିଆସିବାରେ ଲାଗିଛି ବାତ୍ୟା ୟଶ୍। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଯଶ ବର୍ତ୍ତମାନ ଧାମରା 40 କିଲୋମିଟର ଦୂରରେ ରହିଛି। ସେହିପରି ବାଲେଶ୍ବର ଓ ଦୀଘାରୁ 80 କିଲୋମିଟର ଦୂରରେ ରହିଛି।

ପୂର୍ବରୁ ଆଶା କରାଯାଉଥିଲା ଯେ,ଯଶ୍ ଆଜି ସକଳା 9 ଟା ସୁଦ୍ଧା ସ୍ଥଳଭାଗ ଛୁଇଁବ। ହେଲେ ସେଥିରେ ଟିକିଏ ଡେରି ହୋଇଛି। ବର୍ତ୍ତମାନ ଅନୁମାନ କରାଯାଉଛି ଯେ, ୟଶ୍ ଆଜି ଦିନ 11 ଟା ସୁଦ୍ଧା ଧାମରାର ସ୍ଥଳଭାଗ ଛୁଇଁବ। ବର୍ତ୍ତମାନ ଗତ 6 ଘଣ୍ଟାର ଆକଳନ ଅନୁସାରେ ୟଶ୍ ବାତ୍ୟା ଘଣ୍ଟାକୁ 15 କିଲୋମିଟର ବେଗର ମାଡି ଆସୁଛି।

ଏହାର ପ୍ରଭାବରେ ଘଣ୍ଟାପ୍ରତି 130 ରୁ 140 କିଲୋମିଟର ବେଗରେ ପବନ ପ୍ରବାହିତ ହେବ। ମୁଖ୍ୟ ସମୟରେ ପବନର ଗତି ବଢି 155 କିଲୋମିଟର ପର୍ଯ୍ୟନ୍ତ ହେବ ବୋଲି ପାଣିପାଗ ବିଭାଗ କହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି 11 ହଜାର 623 କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ 11 ହଜାର 623 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 6509 ଜଣ ଚିହ୍ନଟ ହୋଇଥିବା ବେଳେ 5114 ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 26 ହଜାର 3 କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 6 ଲକ୍ଷ 12 ହଜାର 993 ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1 ଲକ୍ଷ 10 ହଜାର 373 ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା 2549 କୁ ବୃଦ୍ଧି ହୋଇଛି।

ଆଜି ମୋଟ 30 ଟି ଜିଲ୍ଲାରୁ 11 ହଜାର 623 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ 2021, କଟକ ଜିଲ୍ଲାରୁ 998 ଜଣ, ଅନୁଗୁଳ ଜିଲ୍ଲାରୁ 823 ଜଣ, ବାଲେଶ୍ଵର ଜିଲ୍ଲାରୁ 508 ଜଣ, ବରଗଡ ଜିଲ୍ଲାରୁ 257 ଜଣ, ଭଦ୍ରକ ଜିଲ୍ଲାରୁ 461, ବଲାଙ୍ଗୀରି ଜିଲ୍ଲାରୁ 170, ବୌଦ୍ଧ ଜିଲ୍ଲାରୁ 206, ଦେବଗଡ ଜିଲ୍ଲାରୁ 86, ଢେଙ୍କାନାଳ ଜିଲ୍ଲାରୁ 441 ଜଣ, ଗଜପତି ଜିଲ୍ଲାରୁ 76 ଜଣ, ଗଞ୍ଜାମ ଜିଲ୍ଲାରୁ 158 ଜଣ, ଜଗତସିଂହପୁର ଜିଲ୍ଲାରୁ 315 ଜଣ, ଯାଜପୁର ଜିଲ୍ଲାରୁ 560 ଜଣ, ଝାରସୁଗୁଡା ଜିଲ୍ଲାରୁ 184 ଜଣ, କଳାହାଣ୍ଡିରୁ 352 ଜଣ, କନ୍ଧମାଳ ଜିଲ୍ଲାରୁ 141 ଜଣ, କେନ୍ଦ୍ରାପଡା ଜିଲ୍ଲାରୁ 198 ଜଣ, କେନ୍ଦୁଝର ଜିଲ୍ଲାରୁ 133 ଜଣ, କୋରାପୁଟ ଜିଲ୍ଲାରୁ 218 ଜଣ, ମାଲକାନାଗିରି ଜିଲ୍ଲାରୁ 73 ଜଣ, ମୟୂରଭଞ୍ଜ ଜିଲ୍ଲାରୁ 249 ଜଣ, ନବରଙ୍ଗପୁର ଜିଲ୍ଲାରୁ 300 ଜଣ, ନୟାଗଡ ଜିଲ୍ଲାରୁ 316 ଜଣ, ନୂଆପଡା ଜିଲ୍ଲାରୁ 54 ଜଣ, ପୁରୀ ଜିଲ୍ଲାରୁ 462 ଜଣ, ରାୟଗଡା ଜିଲ୍ଲାରୁ 223 ଜଣ, ସମ୍ବଲପୁର ଜିଲ୍ଲାରୁ 342 ଜଣ, ସୋନପୁର ଜିଲ୍ଲାରୁ 261 ଜଣ, ସୁନ୍ଦରଗଡ ଜିଲ୍ଲାରୁ 699 ଜଣ ଏବଂ ଷ୍ଟେଟ ପୁଲରୁ 338 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଧର୍ମ ବିଶେଷ ଖବର

ଆଜି ମେ 26 ତାରିଖ ବୁଧବାରରେ ଏହି ସାତୋଟି ରାଶିର ବ୍ୟକ୍ତିମାନେ ପାଇବେ ଖୁସି ଖବର

ମେଷ- ଆଜି ମେଷ ରାଶିର ଲୋକଙ୍କ ପାଇଁ ଲାଭଦାୟକ ହେବ। ଆଜି ଅର୍ଥର ବିନିଯୋଗ ବିଷୟରେ ଆଲୋଚନା କରିପାରିବେ। ରୋଜଗାର ଏବଂ ଅର୍ଥ ପାଇଁ କରାଯାଉଥିବା ପ୍ରୟାସରେ ଆଜି ଆପଣ ସଫଳତା ପାଇବେ। ଆଜି, ଛାତ୍ରମାନେ ଆଶା କରାଯାଉଥିବା ପରି ସେମାନଙ୍କ କାର୍ଯ୍ୟରେ ସଫଳତା ପାଇବେ। ଆପଣଙ୍କ ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କ ଭଲ ହେବ। ପିଲାଠାରୁ ଲାଭ ଏବଂ ସୁଖ ପାଇବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ଦୂର ହେବ।

ବୃଷ- ବୃଷ ରାଶିର ଲୋକମାନେ ଆଜି କିଛି ବୃଥା ଚାପ ପାଇବେ। ଆଜି ଟଙ୍କା ଅପଚୟ କାର୍ଯ୍ୟରେ ଖର୍ଚ୍ଚ ହେବ। ଆଜି ଆପଣ ଚାକିରୀ କ୍ଷେତ୍ରରେ ସମସ୍ୟା ହୋଇପାରେ, କିନ୍ତୁ ଆପଣଙ୍କର କାର୍ଯ୍ୟ ସରିଯିବ। ଆଜି ପେଟ ସହିତ ଜଡିତ ଏକ ପ୍ରକାର ଅସୁବିଧା ହୋଇପାରେ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଆଜି ଭ୍ରମଣରେ ଆପଣଙ୍କୁ କିଛି ଅସୁବିଧା ହୋଇପାରେ। ଆଜି ନିଜକୁ ଏବଂ ଅନ୍ୟମାନଙ୍କୁ ବିତର୍କରୁ ଦୂରରେ ରୁହନ୍ତୁ।

ମିଥୁନ-  ଆଜି ଧନ ପାଇବା ପାଇଁ ନୂଆ ରାସ୍ତା ପାଇପାରିବେ। ଆଜି, ଅର୍ଥ ସମ୍ବନ୍ଧୀୟ ବିଷୟଗୁଡିକ ସହିତ ନିଷ୍ପତ୍ତି ନେବା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ । ଆଜି, ଛାତ୍ରମାନେ ସେମାନଙ୍କ କାର୍ଯ୍ୟରେ ସର୍ବୋତ୍ତମ ସଫଳତା ହାସଲ କରିବାର ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖରେ ରହିବ ଏବଂ ଆଜି ଆପଣଙ୍କ ସୁଖ ସୁବିଧାରେ ବଢିପାରେ । ଆପଣ ସାଙ୍ଗମାନଙ୍କ ସହିତ ଖାଦ୍ୟ ଏବଂ ପାନୀୟ ଉପଭୋଗ କରିବେ।

କର୍କଟ- ଆଜି କାର୍ଯ୍ୟ କ୍ଷେତ୍ରରେ କିଛି ଭଲ ଲାଭ ପାଇବେ ବୋଲି ଆଶା କରାଯାଏ। ଆଜି, କର୍ମ କ୍ଷେତ୍ରରେ, ଆପଣଙ୍କୁ କାର୍ଯ୍ୟାଳୟରେ ନୂତନ ଦାୟିତ୍ବ ଦିଆଯାଇପାରେ। ଅଧିକାରୀମାନେ ଆପଣଙ୍କ ଉପରେ ଖୁସିହେବେ। ଟଙ୍କା ସମ୍ବନ୍ଧୀୟ ପ୍ରସଙ୍ଗରେ ଆପଣଙ୍କୁ କିଛି ସଫଳତା ମିଳିବ ବୋଲି ଆଶା କରାଯାଏ। ଆଜି ଆପଣ କିଛି ପୁରୁଣା ଅଟକି ରହିଥିବା ଟଙ୍କା ପାଇପାରିବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ସ୍ୱାଭାବିକ ରହିବ। ପିତାଙ୍କଠାରୁ ସମର୍ଥନ ଏବଂ ଲାଭ ପାଇବା ସମ୍ଭାବନା ଅଛି।

ସିଂହ- ଆଜି ବ୍ୟବସାୟରେ ଅଭିବୃଦ୍ଧି ପାଇଁ ନୂତନ ଧାରଣା ପାଇପାରିବେ ଏବଂ ଆପଣ ଏହାକୁ ମଧ୍ୟ କାର୍ଯ୍ୟକାରୀ କରିପାରିବେ। ଆଜି ଭାଗ୍ୟ ଆପଣଙ୍କ ପାଇଁ ସହାୟକ ହେବ। କର୍ମକ୍ଷେତ୍ରରେ ସହକର୍ମୀମାନେ ଆପଣଙ୍କୁ ସମର୍ଥନ କରିବେ। ଆଜି ଛାତ୍ରମାନେ ସେମାନଙ୍କର ପ୍ରକଳ୍ପ କାର୍ଯ୍ୟରେ ସଫଳତା ପାଇବେ। ଆପଣ ଅର୍ଥର ଲାଭ ପାଇପାରିବେ। ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ। ଶାରୀରିକ କ୍ଷତି ରହିପାରେ।

କନ୍ୟା-  ସ୍ୱାସ୍ଥ୍ୟ ସହ ଜଡିତ ଛୋଟ ଅସୁବିଧା ଅନୁଭବ କରିପାରନ୍ତି, ଆଖି ଏବଂ ଦାନ୍ତରେ ଅସୁବିଧା ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ଆଜି ଆପଣ ଭାଇଭଉଣୀଙ୍କଠାରୁ ସମର୍ଥନ ପାଇବେ। ଆଜି ଆପଣଙ୍କର ଅଂହ ଭାବ ବିବାହିତ ଜୀବନରେ କିଛି ସମସ୍ୟା ସୃଷ୍ଟି କରିପାରେ। ଆଜି ନିଜକୁ ବିତର୍କରୁ ଦୂରେଇ ରଖିବା ଲାଭଦାୟକ ହେବ। ଭ୍ରମଣ ହୋଇପାରେ।

ତୂଳା-  ଦୈନନ୍ଦିନ କାର୍ଯ୍ୟରେ ସଫଳତା ପାଇବେ। ହଠାତ୍ କୈଣସି ଲାଭ ଆପଣଙ୍କୁ ସନ୍ତୁଷ୍ଟ କରିପାରିବ। ଆଜି ଆପଣ ଚାକିରୀ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ସହଭାଗୀତାରେ ଚାଲିଥିବା କାର୍ଯ୍ୟ ଆଜି ଆପଣଙ୍କୁ ଲାଭ ଦେଇପାରେ। ଆପଣ ନିଜ ଜୀବନସାଥୀଙ୍କଠାରୁ ଲାଭ ପାଇପାରିବେ। ସେଠାରେ ଅର୍ଥ ଏବଂ ଲାଭ ମିଳିବ। ଆଜି ଛାତ୍ରମାନଙ୍କ ପାଇଁ କିଛି ଭଲ ଲାଭର ସମ୍ଭାବନା ରହିବେ।

ବିଛା- କାର୍ଯ୍ୟ କ୍ଷେତ୍ରର ସ୍ଥିର ପାର୍ଶ୍ୱରେ ରହିପାରନ୍ତି। ସୁବିଧାଗୁଡ଼ିକରେ ଆପଣଙ୍କର ଖୁସି ବଢିପାରେ। ଆଜି ହଠାତ୍ ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ଅଛି ।  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଅନିଦ୍ରା ରୋଗର ଶିକାର ହୋଇପାରିବ। ଆଜି  ଅନ୍ୟ କୈଣସି କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ବାରଣ ରହିଛି। ଛାତ୍ରଛାତ୍ରୀମାନେ ଆଜି କାର୍ଯ୍ୟରେ କିଛି ଉନ୍ନତି ଦେଖିବାକୁ ପାଇପାରନ୍ତି।

ଧନୁ-  ଆଜି ଆପଣଙ୍କ ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ଆଜି କାର୍ଯ୍ୟ କ୍ଷେତ୍ରରେ, ଆପଣ ଲୋକଙ୍କ ସହଯୋଗରୁ ଉପକୃତ ହୋଇପାରିବେ। ଆଜି ଆପଣ ଟଙ୍କା ପାଇଁ ପ୍ରୟାସରେ ସଫଳତା ପାଇପାରିବେ। ଆଜି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇପାରେ। ଆଜି ଦିନସାରା ସୁଖ ରହିବ ଏବଂ ଆପଣ ଏକ ଉପହାର କିମ୍ବା ସମ୍ମାନ ପାଇପାରିବେ।

ମକର-  ଆଜି ଅଳସୁଆ ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ସାଧାରଣ ଅବସ୍ଥା ଜାରି ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଅଦୃଶ୍ୟତା ଏବଂ ହୃଦଘାତ ଜନିତ ରୋଗରେ ଅସୁବିଧାରେ ପଡିପାରେ। ଜୀବନସାଥୀଙ୍କଠାରୁ ସମର୍ଥନ ପାଇବେ। ଆଜି ପୁରୁଣା ଟଙ୍କା ପାଇବା ଆପଣଙ୍କ ଆର୍ଥିକ ସ୍ଥିତିକୁ ଦୃଢ କରିପାରେ। ଘର ଏବଂ କାରରେ କୈଣସି କାମ ପାଇଁ ଟଙ୍କା ଖର୍ଚ୍ଚ କରିବାର ସମ୍ଭାବନା ରହିବ।

କୁମ୍ଭ- ଆଜି ଆପଣଙ୍କର ଶକ୍ତି ବୃଦ୍ଧି ପାଇବ। ଆଜି କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ପ୍ରଦର୍ଶନ ବହୁତ ଭଲ ରହିବ। ବ୍ୟବସାୟ କ୍ଷେତ୍ରରେ କିଛି ଭଲ ଖବର ପାଇବାର ସମ୍ଭାବନା ରହିବ। ହଠାତ୍ ଲାଭ ହାସଲ କରାଯାଇପାରେ। ଆଜି ପରିବାର ଏବଂ ବିବାହିତ ଜୀବନ ଭଲରେ ଅତିବାହିତ ହେବ। ଆଜି ଆପଣ ଯେ କୈଣସି ପାର୍ଟୀରେ ଯୋଗ ଦେଇପାରିବେ। ଆଜି ଆପଣଙ୍କର ଖାଦ୍ୟ ଏବଂ ପାନୀୟ ମଧ୍ୟ ଅଧିକ ରହିପାରେ।

ମୀନ- ଆଜି ଆପଣଙ୍କ ସୁଖ ସୁବିଧା ପାଇଁ ଟଙ୍କା ଖର୍ଚ୍ଚ ହେବ। କାର୍ଯ୍ୟ ବିଷୟରେ ପରିସ୍ଥିତି ଭଲ ହେବ। କିନ୍ତୁ ଧାଁଧପଡ ରହିପାରେ। ପାରିବାରିକ ଜୀବନ ଶାନ୍ତି ଏବଂ ସୁଖର ପରିବେଶ ହୋଇ ରହିବ। ପତି-ପତ୍ନୀଙ୍କ ସମର୍ଥନ ପାଇବେ। ଆଜି ଆପଣ ନିଜର ମିଠା କଥାଯୋଗୁଁ  କିଛି କାମରେ ସଫଳ ହେବ। ଭ୍ରମଣ ଯୋଗ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଧାମରାରେ ସ୍ଥଳଭାଗ ଛୁଇଁବ ବୋଲି ହେଲା ସ୍ପଷ୍ଟ, ଘଣ୍ଟାକୁ 15 କିଲୋମିଟର ବେଗରେ ଆସୁଛି ୟଶ୍

ନୂଆଦିଲ୍ଲୀ, ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆସନ୍ତା 6 ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ୟାସ୍ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଏବଂ ଏକ ଭୟଙ୍କର ଘୂର୍ଣ୍ଣିିଝଡରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ଉତ୍ତର ଓଡ଼ିଶା ଉପକୂଳ ନିକଟ ଧାମରା ବନ୍ଦର ଛୁଇଁବ ବୋଲି ଆଶା କରାଯାଉଛି। ଆସନ୍ତାକାଲି ଅପରାହ୍ନରେ ଧାମରାର ଉତ୍ତର ଏବଂ ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ପାର ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ପାଣିପାଗ ବିଭାଗ କହିଛି ଯେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏବଂ ଉତ୍ତର-ପଶ୍ଚିମ ଦିଗରେ ସୃଷ୍ଟି ହୋଇଥିବା ଏହି ବାତ୍ୟା 6 ଘଣ୍ଟା ତଳେ ପ୍ରାୟ 15 କିଲୋମିଟର ବେଗରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏହା ପାରାଦୀପ ଠାରୁ ପ୍ରାୟ 200 କିଲୋମିଟର ଦକ୍ଷିଣ-ପୂର୍ବରେ, ବାଲେଶ୍ବରର 290 କିଲୋମିଟର ଦକ୍ଷିଣ-ପୂର୍ବରେ, ଏବଂ ସାଗର ଦ୍ୱୀପର 280 କିଲୋମିଟର ଦକ୍ଷିଣରେ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗାଁ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରୋତ୍ସାହନ ପ୍ରଦାନ ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ

ନୂଆଦିଲ୍ଲୀ, କୋଭିଡ଼ ୧୯ ଟିକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ , କେନ୍ଦ୍ରଶାସିତ କ୍ଷେତ୍ର ତଥା ଅନ୍ୟ ସମସ୍ତ ହିତଧାରକମାନଙ୍କୁ ମାର୍ଗଦର୍ଶନ କରିବା, ସମୀକ୍ଷା ଓ ଏହି କାର୍ଯ୍ୟକ୍ରମର ନିରୀକ୍ଷଣ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ସ୍ୱରୂପ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସ୍ୱାସ୍ଥ୍ୟ ପ୍ରଶାସକମାନଙ୍କ ସହ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ  ରାଜ୍ୟମାନଙ୍କ ଟିକାକରଣ ପ୍ରଗତି, କୋୱିନ୍‍ ସଫ୍ଟୱେରରେ ଆବଶ୍ୟକ ପରିବର୍ତ୍ତନ ଯାହାକି ରାଜ୍ୟମାନଙ୍କୁ ଟିକାକରଣ ପ୍ରକ୍ରିୟାକୁ ଅଧିକ ସରଳ ଓ ସହଜ ଭାବେ ସଂପାଦନ କରିବାରେ ସହାୟକ ହେବ ତଥା କୋଭିଡ଼ ୧୯ ସଂକ୍ରମଣ ପରିଚାଳନାକୁ ଅନୁପାଳନ ପୂର୍ବକ କଣ୍ଟେନମେଣ୍ଟ ଜୋନ୍‍ ପ୍ରତିଷ୍ଠ ଏବଂ ସେହିସବୁ ନିର୍ଦ୍ଦେଶାବଳୀର ପ୍ରବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା । କୋଭିଡ଼ ମହାମାରୀକୁ ନିୟନ୍ତ୍ରଣ କରିବାରେ ଏହା ମେରୁଦଣ୍ଡ ସଦୃଶ କାର୍ଯ୍ୟ କରିବ ବୋଲି କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଅଧ୍ୟକ୍ଷତା କରିଥିଲେ ।

ବୈଠକ ପ୍ରାରମ୍ଭରେ ସାରା ଦେଶର ଟିକାକରଣର ପ୍ରଗତି ସମ୍ପର୍କର ବିସ୍ତୃତ ତଥ୍ୟାବଳୀ ଉପସ୍ଥାପନ କରାଯାଇଥିଲା । ଯେଉଁସବୁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ର ଟିକାକରଣ ଦୃଷ୍ଟିରୁ ଅନ୍ୟାନ୍ୟ ରାଜ୍ୟମାନଙ୍କ ତୁଳନାରେ ପଛୁଆ ରହିଛନ୍ତି ସେମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ସେହିସବୁ ରାଜ୍ୟଗୁଡ଼ିକର ଆପଦାଗ୍ରସ୍ତ ବର୍ଗର ଲୋକମାନଙ୍କୁ ଯେଭଳି ଯଥାଶୀଘ୍ର ଏହି ଟିକା ପ୍ରଦାନ କରାଯାଏ ତାହା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

ସ୍ୱାସ୍ଥ୍ୟସେବା କର୍ମୀ (ଏଚସିଡବ୍ଲୁ) ଓ ଛାମୁଆ କର୍ମୀ (ଏଫଏଲଡବ୍ଲୁ)ମାନଙ୍କୁ ରାଜ୍ୟୱାରୀ ଏବେସୁଦ୍ଧା କେତେ ଲେଖାଏଁ ପ୍ରଥମ ଡୋଜ୍‍ ଏବଂ ଦ୍ୱିତୀୟ ଡୋଜ୍‍ ଟିକା ପ୍ରଦାନ କରାଯାଇଛି ସେ ସଂପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ଏହି ବର୍ଗର କର୍ମୀମାନଙ୍କୁ ଟିକା ପ୍ରଦାନ କରାଯିବାର ସୁଯୋଗ ଓ ମାତ୍ରାକୁ ବୃଦ୍ଧି କରିବା ଉପରେ ଭୂଷଣ ଗୁରୁତ୍ୱ ଆରୋପ କରିଥିଲେ।

ଟିକା ନଷ୍ଟ ମାତ୍ରାକୁ ୧% ମଧ୍ୟରେ ସୀମିତ ରଖିବା ସକାଶେ ରାଜ୍ୟମାନଙ୍କୁ ବାରମ୍ବାର ପରାମର୍ଶ ଦିଆଯିବା ସତ୍ତ୍ୱେ ଅନେକ ରାଜ୍ୟ ଯଥା, ଝାଡ଼ଖଣ୍ଡ (୩୭.୩%), ଛତିଶଗଡ଼ (୩୦.୨%), ତାମିଲ ନାଡ଼ୁ (୧୫.୫%), ଜାମ୍ମୁ ଓ କାଶ୍ମୀର (୧୦.୮%), ମଧ୍ୟ ପ୍ରଦେଶ (୧୦.୭%)  ଜାତୀୟ ନଷ୍ଟ ମାତ୍ରା ଠାରୁ ଢ଼େର୍‍ ଅଧିକ ଟିକା ନଷ୍ଟ କରୁଥିବାରୁ ଉଦ୍‍ବେଗ ପ୍ରକାଶ ପାଇଥିଲା । ଜାତୀୟ ସ୍ତରରେ ଟିକା ନଷ୍ଟ ମାତ୍ରା ଏବେ ୬.୩% ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ପୁନର୍ବାର ପରାମର୍ଶ ଦେଇଥିଲେ ଯେ ସେମାନେ କୋୱିନ୍‍ର ସରଳୀକରଣ ସୁବିଧାର ପୂର୍ଣ୍ଣ ଫାଇଦା ଉଠାନ୍ତୁ ଯଦ୍ୱାରା ଟିକାକରଣ ମାତ୍ରା ତ୍ୱରାନ୍ୱିତ ହୋଇପାରିବ ।

ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ସେମାନେ ନିଜ ନିଜର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରନ୍ତୁ । ପ୍ରତି ରାଜ୍ୟ ନିକଟରେ ଯେତିକି ଷ୍ଟକ୍‍ ଉପଲବ୍ଧ ରହିଛି ଏବଂ ଜୁନ, ୨୦୨୧ ସୁଦ୍ଧା ସେମାନେ ଆଉ ଯେତିକି ଷ୍ଟକ୍‍ ପାଇବାର ଆଶା କରୁଛନ୍ତି ତାହାକୁ ନେଇ ଏହି କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବା ଆବଶ୍ୟକ ।

ପ୍ରତ୍ୟେକ ଟ୍ରେଞ୍ଚ୍‍ର ଆନୁମାନିକ ଯୋଗାଣ ଯାହାକି ଜୁନ,୧୫,୨୦୨୧ ପର୍ଯ୍ୟନ୍ତ ଆଶା କରାଯାଉଛି ଏବଂ ଯେଉଁ ଟିକାକୁ ଭାରତ ସରକାର ମାଗଣାରେ ଯୋଗାଇଦେବେ ଏବଂ ଆସନ୍ତା ଜୁନ୍‍ ୩୦ ତାରିଖ ସୁଦ୍ଧା ରାଜ୍ୟମାନେ ଯେଉଁ ଟିକା ସିଧାସଳଖ ଭାବେ ଟିକା ପ୍ରସ୍ତୁତକାରୀ କମ୍ପାନୀମାନଙ୍କ ଠାରୁ କ୍ରୟ କରିବେ ସେ ସଂପର୍କୀତ ତଥ୍ୟ ସୂଚନା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯାଇଛି ।

ଟିକା ଉତ୍ପାଦନକାରୀ କମ୍ପାନୀମାନଙ୍କ ସୟ ନିୟମିତ ଭାବେ ସମନ୍ୱୟ ଓ ଯୋଗସୂତ୍ରରେ ରହିବା ସକାଶେ ରାଜ୍ୟମାନେ ୨/୩ ଜଣିଆ ଏକ ସମର୍ପିତ ଟିମ୍‍ ଗଠନ କରିବାକୁ ଭୂଷଣ ପରାମର୍ଶ ଦେଇ କହିଲେ ଯେ ତଦ୍ୱାରା ଏହି ଟିକା “ଭାରତ ସରକାରଙ୍କ ମାଧ୍ୟମ ବିନା ଅନ୍ୟ ସୂତ୍ରରୁ” ସହଜରେ ସେମାନଙ୍କୁ ପ୍ରାପ୍ତ ହୋଇପାରିବ । ସେଥି ମଧ୍ୟରେ ଘରୋଇ ହସପିଟାଲ (ଘରୋଇ ହସପିଟାଲମାନଙ୍କୁ ଯେତିକି ଡୋଜର ଟିକା ଦେବାକୁ ଚୁକ୍ତି ସ୍ୱାକ୍ଷରିତ ହୋଇଛି ଏବଂ ଯେତିକି ଟିକା ଯୋଗାଯାଇଛି ତାହାର ତାଲିକା ଓ ସୂଚନା ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ପ୍ରତିଦିନ ଯୋଗାଇ ଦିଆଯାଇଥାଏ) ମଧ୍ୟ ସାମିଲ ।

ଏକ ବିସ୍ତୃତ ତଥା ବିଶ୍ଳେଷଣାତ୍ମକ ଉପସ୍ଥାପନ ଜରିଆରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିକାଶ ଶିଲ୍‍ କୋୱିନ୍‍ ଡିଜିଟାଲ ପ୍ଲାଟଫର୍ମର ନୂତନ  ବୈଶିଷ୍ଟ୍ୟ ତଥା ଏହାର କାର୍ଯ୍ୟକାରୀତା ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସିଭିସି ପରିଚାଳନା ସଂପର୍କରେ ସୂଚନା ଦେଇ ସେ କହିଲେ ଯେ ୧୮ରୁ ୪୪ ବର୍ଷର ଆୟୁସୀମା ମଧ୍ୟରେ ଏବେ ସର୍ବନିମ୍ନ ଆୟୁକୁ ଏଥିରେ ସେଟ୍‍ କରାଯାଇପାରିବ । ସ୍ପୁଟନିକ୍‍ ଟିକାକୁ କୋୱନ୍‍ ପୋର୍ଟାଲରେ ସାମିଲ କରାଯାଇଥିବା ବିଷୟ ରାଜ୍ୟମାନଙ୍କୁ ଅବଗତ କରାଯାଇଥିଲା ।

ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲ ଯେ ସଦ୍ୟତମ ମାର୍ଗଦର୍ଶିକା ସମ୍ପର୍କରେ ରାଜ୍ୟମାନଙ୍କୁ ସୂଚୀତ କରାଯାଇଛି ଏବଂ କୋଭିଡ଼ ଟିକାକରଣ କେନ୍ଦ୍ରର କାର୍ଯ୍ୟସ୍ଥଳୀ, କର୍ମଚାରୀମାନଙ୍କ ଦ୍ୱାରା ପରିବାରର ସଦସ୍ୟ ବୋଲି ନିରୂପିତ ସଂଜ୍ଞା ଯାହାକି ଏବେ ଟିକାକରଣ ବେଳେ ଗ୍ରହଣ କରାଯିବ ସେ ସମ୍ପର୍କରେ  ସମସ୍ତେ ଅବଗତ ହେବା ଦରକାର । ଏହା ବ୍ୟତୀତ ‘ଯେଉଁ ଲୋକମାନଙ୍କର କୌଣସି ପରିଚୟପତ୍ର ନାହିଁ’ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଧିବେଶନ କରାଯିବ ।

ଅର୍ଦ୍ଧ ସହରାଞ୍ଚଳ, ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁସିତ କ୍ଷେତ୍ରରେ କୋଭିଡ଼ ୧୯ ନିୟନ୍ତ୍ରଣ କରିବା ସକାଶେ ଜାରି ଏସଓପି ସମ୍ପର୍କରେ ଏକ ବିସ୍ତୃତ ମାର୍ଗଦର୍ଶିକା ଉପସ୍ଥାପନ କରାଯାଇଥିଲା । ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ନିଜର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବ୍ଲକ୍‍ ସ୍ତରର ସ୍ୱାସ୍ଥ୍ୟ ସେବାକେନ୍ଦ୍ରଗୁଡ଼ିକୁ ରିଡିଜାଇନ ନବୀକରଣ କରନ୍ତୁ ଯଦ୍ୱାର ଏହି ସ୍ଥିତିକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ । ସେହିଭଳି ଅଣ କୋଭିଡ଼ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଣକାରୀ ସେବା, ଗୋଷ୍ଠୀ ସଚେତନତା ଓ  କାର୍ଯ୍ୟକାରୀତାରେ ପରିବର୍ତ୍ତନ ଓ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତିକରଣ ଓ ସେହିସବୁ ଇଲାକାରେ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଆରୋପ କରାଯିବା ଉଚିତ ।

ସାମଗ୍ରିକ ଭାବେ ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର, ଯଥା, ସ୍ୱାସ୍ଥ୍ୟସେବା, ଭିତ୍ତିଭୂମି, ତାଲିମ ଓ ମାନବ ସମ୍ବଳ, ଲଜିଷ୍ଟିକ୍ସ, ରେଫେରାଲ ଓ ଟେଲିମେଡ଼ିସିନ୍‍ ସହାୟତା ଓ ଗୋଷ୍ଠୀ ସକ୍ରିୟତା ଉପରେ ବିସ୍ତୃତ ଏସଓପି ଉପସ୍ଥାପନ କରାଯାଇଥିଲା । ଏହିସବୁ ଏସଓପିକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ନିମନ୍ତେ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ସିବିଆଇର ନୂଆ ନିର୍ଦ୍ଦେଶକ ହେଲେ ସିଆଇଏସଏଫର ମୁଖ୍ୟ ସୁବୋଧ ଜୟସୱାଲ

ନୂଆଦିଲ୍ଲୀ, ଶେଷରେ ସିବିଆଇକୁ ମିଳିଲା ସ୍ଥାୟୀ ନିର୍ଦ୍ଦେଶକ। ନୂଆ ନିର୍ଦ୍ଦେଶକ ହେଲେ ବରିଷ୍ଠ ଆଇଏଏସ ସୁବୋଧ ଜୟସୱାଲ। ମହାରାଷ୍ଟ୍ର କ୍ୟାଡରର 1985 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଜୟସୱାଲ୍ ବର୍ତ୍ତମାନ ସିଆଇଏସଏଫର ମୁଖ୍ୟ ଅଛନ୍ତି। ଏହା ପୂର୍ବରୁ ସେ ମୁମ୍ବାଇ ପୋଲିସ କମିଶନର ତଥା ମହାରାଷ୍ଟ୍ର ଡିଜିପି ଥିଲେ।

ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗରେ ତାଙ୍କର ଦୀର୍ଘ ସମୟର ଅଭିଜ୍ଞତା ରହିଛି। ହେଲେ ଦୀର୍ଘ ଭାରତୀୟ ପୋଲିସ ଚାକିରୀ ଭିତରେ ସେ କେବେ ସିବିଆଇରେ ସେବା କରିବାର ସୁଯୋଗ ପାଇପାରି ନାହାଁନ୍ତି।

ମହାରାଷ୍ଟ୍ରରେ ଥିବାବେଳେ ଜୟସୱାଲ କୁଖ୍ୟାତ ତେଲଗି ସ୍କାମର ଯାଞ୍ଚ କରିଥିଲେ। ପରବର୍ତ୍ତି ସମୟରେ ଏହି ମାମଲା ସିବିଆଇ ନେଇଥିଲା। ସେତେବେଳେ ଜୟସ୍ୱାଲ ରାଜ୍ୟ ରିଜର୍ଭ ପୋଲିସ ଫୋର୍ସର ନେତୃତ୍ୱ ନେଉଥିଲେ। ପରେ ସେ ମହାରାଷ୍ଟ୍ର ଏଟିଏସରେ ଯୋଗ ଦେଇଥିଲେ ଏବଂ ପ୍ରାୟ ଏକ ଦଶନ୍ଧି ଧରି ରିସର୍ଚ୍ଚ ଏବଂ ଆନାଲିସିସ୍ ୱିଙ୍ଗରେ କାର୍ଯ୍ୟ କରିଛନ୍ତି।

ସେ ଦେବେନ୍ଦ୍ର ଫଡନାଭିସ୍ ସରକାରଙ୍କ ଅମଳରେ ସେ ପୁଣି ରାଜ୍ୟକୁ ଫେରି ଜୁନ୍ 2018 ରେ ମୁମ୍ବାଇ ସିପି ଭାବରେ ନିଯୁକ୍ତ ହୋଇଥିଲେ। ପରେ ସେ ମହାରାଷ୍ଟ୍ର ଡିଜିପି ହୋଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୂର୍ବେ ଟିକା ଉଦ୍ଭାବକମାନେ ପ୍ରଥମେ ନିଜେ ପରୀକ୍ଷା କରି ମୃତ୍ୟୁବରଣ କରିଛନ୍ତି

ବିଜନ କୁମାର ମହାପାତ୍ର

ଏକ ନୂଆ ରୋଗ ଦ୍ୱାରା ମାନବ ସମାଜ କବଳିତ ହେଲେ ଆରୋଗ୍ୟର ଔଷଧ ଓ ଟୀକା ବାହାର ପାଇଁ ଆରମ୍ଭ ହୁଏ ପ୍ରୟାସ । ଡାକ୍ତର ଓ ବୈଜ୍ଞାନିକମାନେ ଅକ୍ଲାନ୍ତ ଗବେଷଣା ପରେ ରୋଗର କାରଣ ଜାଣିବା ସହ ଏହାର ଔଷଧ ବାହାର କରନ୍ତି । ପ୍ରାୟତଃ ଦେଖାଯାଇଛି ଯେ, ନୂଆ ଉଦ୍ଭାବିତ ଔଷଧ ବା ଟୀକାର ପ୍ରଭାବ ଜାଣିବା ପାଇଁ ପ୍ରଥମେ ପଶୁଙ୍କ ଉପରେ ଏହାର ପ୍ରୟୋଗ କରାଯାଏ ।

କିନ୍ତୁ ଏମିତି ଅନେକ ଦୁଃସାହସୀ ଚିକିତ୍ସା ବିଜ୍ଞାନୀ ଓ ଡାକ୍ତରଙ୍କ ଉଦାହରଣ ରହିଛି , ଯେଉଁମାନେ କି ନିଜ ଜୀବନକୁ ଭ୍ରୁକ୍ଷେପ ନ କରି ପ୍ରଥମେ ସେମାନଙ୍କ ଉପରେ ହିଁ ନୂଆ ଔଷଧ ବା ଟୀକାର ପରୀକ୍ଷଣ କରିଛନ୍ତି । ନିଜ ଉପରେ ହିଁ ନୂଆ ପ୍ରୟୋଗ କରିଛନ୍ତି । କିଏ ସଫଳ ହୋଇଛି ତ ଆଉ କିଏ ବିଫଳ ହୋଇଛି। ଏମିତି କିଛି ଦୁଃସାହସୀ, ନିର୍ଭୀକ ଚିକିତ୍ସା ବିଜ୍ଞାନୀ ଓ ଡାକ୍ତରଙ୍କ ଉଦାହରଣ ଏଠାରେ ଦିଆଯ଼ାଇପାରେ।

୧୮୮୧ ମସିହାରେ ଆମେରିକାର ଡକ୍ଟର କାର୍ଲୋସ ନିଶ୍ଚିତ ହୋଇଥିଲେ ଯେ, ମଶା କାମୁଡା ହିଁ ମାରାତ୍ମକ ୟେଲୋ ଫିଭର ବା ପୀତ ଜ୍ୱରର ମୁଖ୍ୟ କାରଣ। ଏହାକୁ ପ୍ରମାଣ କରିବାକୁ ଆମେରିକୀୟ ସେନାର ଡାକ୍ତରମାନେ ଅଭିଯାନରେ ବାହାରିଲେ। ଡାକ୍ତର ଡେମସ କାରୋଲ, ଆରିସଟାଇଡିସ୍ ଆଗ୍ରାମୋଂଟେ ଓ ଜେସି ଓିଲିୟମ ଲାଜଇର ଚିକିତ୍ସା ବିଜ୍ଞାନୀ ଓାଲଟର ରିଡ୍‌ଙ୍କ ନେତୃତ୍ୱରେ ୟେଲୋ ଫିଭର କାରଣର ଅନୁସନ୍ଧାନ ଆରମ୍ଭ କଲେ । କାରୋଲ ଓ ଲାଜଇର୍ ଜାଣିଶୁଣି ମଶା କାମୁଡା ଖାଇଲେ। ପରିଣାମ ସ୍ୱରୂପ, ସେମାନେ ୟେଲୋ ଫିଭର ବା ପୀତ ଜ୍ୱରରେ ପୀଡିତ ହେଲେ। କିଛି ଦିନ ପରେ ଆଖି ବୁଜିଥିଲେ ଲାଜଇର। କିନ୍ତୁ ସୁସ୍ଥ ହୋଇଥିଲେ କାରୋଲ। ୭ ବର୍ଷ ପରେ ସେହି ୟେଲୋ ଫିଭରରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ନିଜ ଉପରେ ହିଁ ନୂଆ ଡାକ୍ତରୀ ପ୍ରୟୋଗ କରିଥିବା ଆଉ ଜଣେ ଡାକ୍ତର ହେଲେ ଆମେରିକାର ଓ’ ନିଲ୍ କେନ୍। ନିଶ୍ଚେତନ ପ୍ରକ୍ରିୟାରେ ସେ ଆଣିଥିଲେ ପରିବର୍ତ୍ତନ। କିଛି ସର୍ଜରୀ ପାଇଁ ସାଧାରଣ ନିଶ୍ଚେତନ ଆବଶ୍ୟକ ନାହିଁ ବୋଲି ସେ ପ୍ରମାଣ କରିଥିଲେ । ଦିନ ଥିଲା ସର୍ଜରୀ ବେଳେ ସମଗ୍ର ଶରୀରର ନିଶ୍ଚେତନ କରାଯାଉଥିଲା। କିନ୍ତୁ ଏଭଳି କରିବା ଆବଶ୍ୟକ ନାହିଁ ବୋଲି ସେ ପ୍ରମାଣିତ କରିଥିଲେ । ସେ ନିଜ ସଂକ୍ରମିତ ଅଙ୍ଗୁଳିରେ ନିଶ୍ଚେତକ ଦେଇ ଏହାର ସର୍ଜରୀ କରିଥିଲେ।

୧୯୨୧ ମସିହା ଫେବ୍ରୁଆରୀ ୧୫ ତାରିଖରେ ନିଜ ପେଟରେ ଲୋକାଲ୍ ଆନେସଥେଟିକ୍ ସହାୟତାରେ ଡାକ୍ତର କେନ୍ ସଫଳତାର ସହ ଅପେନଡିକ୍ଟୋମି କରିଥିଲେ । ସେତେବେଳକୁ ତାଙ୍କ ବୟସ ଥିଲା ୬୦ ବର୍ଷ । ୧୦ ବର୍ଷ ପରେ ସେ ନିଜ ଶରୀରରେ ଆଉ ଏକ ସଫଳ ସର୍ଜରୀ କରିଥିଲେ । କେବଳ ସେତିକି ନୁହେଁ, ସର୍ଜରୀର ମାତ୍ର ୩୬ ଘଣ୍ଟା ପରେ ଡ୍ୟୁଟିକୁ ଫେରିଥିଲେ ।

ଆଲେକଜାଣ୍ଡାର ବୋଗଡାନୋଭ ନାମରେ ଋଷିଆରେ ଜଣେ ବିଖ୍ୟାତ ଡାକ୍ତର ଓ ବୈଜ୍ଞାନିକ ଥିଲେ। ସେ ବି ଥିଲେ ଜଣେ ଅର୍ଥନୀତିଜ୍ଞ, ରାଜନେତା ଓ ଲେଖକ। ଏକ କୌତୁହଳପୂର୍ଣ୍ଣ କଥା ତାଙ୍କ ମନକୁ ଜୁଟିଥିଲା। ବୁଢାମାନଙ୍କୁ ଯୁବକଙ୍କ ଭଳି ସକ୍ରିୟ କରିବା ପାଇଁ ଏକ ଅଭିନବ ପ୍ରୟୋଗ କରିବାକୁ ଚାହିଁଥିଲେ ଡାକ୍ତର ବୋଗଡାନୋଭ। ଏଥିପାଇଁ ସେ ବୁଢାମାନଙ୍କ ଶରୀରରେ ଯୁବକମାନଙ୍କ ରକ୍ତ ପ୍ରବେଶ କରାଇବା ଭଳି ଏକ ଅସାଧାରଣ ଉପାୟ ଭାବିଥିଲେ।

୧୯୨୪ ମସିହାରେ ନିଜ ଉପରେ ହିଁ ଏହି ଅଭିନବ ପ୍ରୟୋଗ କରିଥିଲେ ବୋଗଡାନୋଭ। ଜଣେ ଯୁବକଙ୍କ ରକ୍ତ ସେ ନିଜ ଶରୀରରେ ପ୍ରବେଶ କରାଇଥିଲେ। କିନ୍ତୁ ଦୁଃଖ କଥା ଯେ ଏହି ପ୍ରକ୍ରିୟା ପରେ ସେ ପ୍ରାଣ ହରାଇଥିଲେ। ପରେ ଜଣାପଡିଥିଲା ଯେ,ତାଙ୍କୁ ରକ୍ତଦାନ କରିଥିବା ଯୁବକଜଣକ ମ୍ୟାଲେରିଆ ଓ ଟିବିରେ ପୀଡିତ ଥିଲା।

ଜର୍ମାନୀର ବୈଜ୍ଞାନିକ ରବର୍ଟ କୋଚ୍ ଆବିଷ୍କାର କରିଥିଲେ ଯେ, ଭିବ୍ରିଓ କୋଲେରାଏ ନାମକ ଏକ ବ୍ୟାକଟେରିଆ ହିଁ ହଇଜାର କାରଣ। କିନ୍ତୁ ମାକ୍ସ ଯୋଶେଫ୍ ଭନ୍ ପିଟେନକୋଫେର ନାମକ ଜଣେ ଚିକିତ୍ସା ବିଜ୍ଞାନୀ କୋଚଙ୍କ ଆବିଷ୍କାରକୁ ଭୁଲ୍ ପ୍ରମାଣିତ କରିବାକୁ ଚାହିଁଲେ। ଏଥିପାଇଁ ସେ ଏକ ପ୍ରୟୋଗ କଲେ। କୋଚଙ୍କ ଉପସ୍ଥିତିରେ ହିଁ ପିଟେନକୋଫେର ଭିବ୍ରିଓ କୋଲେରାଏ ବ୍ୟାକଟେରିଆକୁ ଫଳରସରେ ମିଶାଇ ପିଇଥିଲେ। ପରିଣାମ ସ୍ୱରୂପ ସେ ହଇଜାରେ ପୀଡିତ ହେଲେ। ତାଙ୍କୁ ହସପିଟାଲକୁ ନେବାକୁ ପଡିଥିଲା। ୭ ଦିନ ପରେ ସେ ସୁସ୍ଥ ହୋଇଥିଲେ।

୧୯୮୪ ମସିହାରେ ଅଷ୍ଟ୍ରେଲିଆର ରୟାଲ ପର୍ଥ ହସପିଟାଲରେ କାମ କରୁଥିବା ବେଳେ ଡାକ୍ତର ବେରି ମାର୍ଶାଲ ସହଯୋଗୀ ରବିନ ଓାରେନଙ୍କ ସହ ଘୋଷଣା କରିଥିଲେ ଯେ, ହେଲିକୋବାକ୍ଟେର ପାଇଲୋରି ବ୍ୟାକ୍ଟେରିଆ ହିଁ ପେଟରେ ଘାଆ ଓ କ୍ୟାନସର ପାଇଁ ଦାୟୀ। କିନ୍ତୁ ଅନ୍ୟ ବୈଜ୍ଞାନିକ ଓ ଡାକ୍ତରମାନେ ବେରିଙ୍କ ଏହି ଥିଓରୀକୁ ଗ୍ରହଣ କଲେ ନାହିଁ । ସେମାନଙ୍କର ମତ ଥିଲା ଯେ, ପେଟରୁ ବାହାରୁଥିବା କେମିକାଲ ବ୍ୟାକଟେରିଆକୁ ବଂଚିବା ପାଇଁ ଦେବ ନାହିଁ ।

କିନ୍ତୁ ନିଜ ଥିଓରୀକୁ ପ୍ରମାଣ କରିବାକୁ ଯାଇ ବେରି ମାର୍ଶାଲ ଫଳ ରସରେ ସଂପୃକ୍ତ ବ୍ୟାକ୍ଟେରିଆ ମିଶାଇ ପିଇଥିଲେ। ଆଉ କିଛି ଦିନ ମଧ୍ୟରେ ସେ ଗୁରୁତର ଅସୁସ୍ଥ ହୋଇପଡିଲେ। ସେ ପିଇଥିବା ବ୍ୟାକଟେରିଆ ତାଙ୍କ ପେଟରେ ଘାଆରେ ପରିଣତ ହୋଇଯାଇଥିଲା । ଆଂଟିବ୍ୟାକଟେରିଆଲ୍ ଔଷଧ ସେବନ କରି ସୁସ୍ଥ ହୋଇଥିଲେ ମାର୍ଶାଲ। ନିଜ ଜୀବନକୁ ବାଜି ଲଗାଇ ନିଜ ଥିଓରୀର ଯଥାର୍ଥତା ପ୍ରମାଣ କରି ଦେଖାଇଥିଲେ ମାର୍ଶାଲ୍। ଉଭୟ ମାର୍ଶାଲ ଓ ଓାରେନଙ୍କୁ ୨୦୦୫ରେ ମେଡିସିନ ନୋବେଲ ପୁରସ୍କାର ଦିଆଯାଇଥିଲା।

ଏହିଭଳି ଅନେକ ଚିକିତ୍ସା ବିଜ୍ଞାନୀ ଓ ଡାକ୍ତର ଅଛନ୍ତି, ଯେଉଁମାନେ କି ବେଶ୍ ଦୂରଦୃଷ୍ଟିସଂପନ୍ନ ହୋଇ ମାନବଜାତିର କଲ୍ୟାଣ ପାଇଁ ଦୁଃସାହସିକ ପଦକ୍ଷେପ ନେଇଛନ୍ତି । ରୋଗର କାରଣ ଖୋଜିବା ସହ ଏହାର ପ୍ରତିକାର ବାହାର କରିଛନ୍ତି । ଜୀବନକୁ ବାଜି ଲଗାଇ ନିଜ ଉଦ୍ଭାବିତ ଔଷଧ ଓ ଟୀକାର ପରୀକ୍ଷଣ ପ୍ରଥମେ ନିଜ ଉପରେ ହିଁ କରିଛନ୍ତି । ଏଭଳି ତ୍ୟାଗ ହିଁ ସେମାନଙ୍କୁ ମହାନ କରିଛି।

ଚାଣକ୍ୟ ନଗର, ଲାଂଜିପଲ୍ଲୀ
ବ୍ରହ୍ମପୁର ୮, ମୋବାଇଲ୍ ୯୭୦୩୬୯୦୮୪୭