Categories
ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ବିଜୁ ଛାତ୍ର ଜନତା ଦଳର ନୂଆ କର୍ମକର୍ତ୍ତା, ଇପସିତା ପୁଣି ମହାସଚିବ, ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ବର: ଆଜି ବିଜୁ ଛାତ୍ର ଜନତା ଦଳର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ରାଜ୍ୟ, ଜିଲ୍ଲା ତଥା ଜୋନ୍ ସ୍ତରରେ ବିଭିନ୍ନ ପଦ ପଦବୀରେ କର୍ମକର୍ତ୍ତା ନିଯୁକ୍ତି ପାଇବା ସହ ପୁନର୍ଗଠିନ କରାଯାଇଛି।

ଏନେଇ ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି କ୍ରମେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୁବ କର୍ମକର୍ତ୍ତାମାନଙ୍କୁ ଦାୟିତ୍ଵ ବଣ୍ଟନ କରିଛନ୍ତି। ଏହିକ୍ରମରେ ଦଳର ଯୁବ ନେତ୍ରୀ ଇପସିତା ସାହୁଙ୍କୁ ଦ୍ଵିତୀୟଥର ମହାସଚିବ ଦାୟିତ୍ଵ ମିଳିଛି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର (ମଧ୍ୟ) ପାଇଁ ମଧ୍ୟ ସେ ନିଯୁକ୍ତ ହୋଇଛନ୍ତି। ବିଜ୍ଞପ୍ତି ଅନୁସାରେ

ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ତାଲିକା ଅନୁସାରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ଅବିନାଶ ଠାକୁର (କଳାହାଣ୍ଡି), ପ୍ରଶାନ୍ତ ପଣ୍ଡା (ନବରଙ୍ଗପୁର), ରାଜେଶ ରାଜ ସ୍ୱାଇଁ (ଭୁବନେଶ୍ୱର), ବିଶ୍ୱ ପ୍ରତାପ ସାହୁ (ବିଜେପୁର, ବରଗଡ଼) ଓ ମିକୁ ପ୍ରଧାନ(ଭୁବନେଶ୍ୱର)ଙ୍କୁ ନିଯୁକ୍ତ କରାଯାଇଛି।

ସେହିପରି ଜୋନ ସ୍ତରରେ ୧୦ ଜଣଙ୍କୁ ଉପସଭାପତି, ୫୧ ଜଣଙ୍କୁ ସାଧାରଣ ସମ୍ପାଦକ, ୬୧ ଜଣଙ୍କୁ ସମ୍ପାଦକ, ୨୬ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ଵ ପ୍ରଦାନ କରିଛି ବିଜେଡି। ଏଥିସହ ୩୦ ଜିଲ୍ଲା ଓ ୫ ସହରରେ ବିଜୁ ଯୁବ ଜନତା ଦଳ ଜିଲ୍ଲା ୩୫ ଜଣ ସଭାପତି ନିଯୁକ୍ତ ହୋଇଛନ୍ତି। ଧୀରେ ଧୀରେ ବିଜେଡି ତାହାର ସଂଗଠନକୁ ନବକଳେବର କରିବାରେ ଲାଗିଛି। ପୂର୍ବରୁ ବରିଷ୍ଠ ପର୍ଯ୍ୟବେକ୍ଷକ, ପରେ ଯୁବଜନତା ଦଳର ପୁନଃଗଠନ କରିଥିବା ବେଳ ଆଜି ଛାତ୍ର ସଂଗଠନର ନବକଳେବର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ଜିଲ୍ଲାର ସମସ୍ତ କର୍ମକର୍ତ୍ତାଙ୍କ ନାମ

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେଡି ବର୍ତ୍ତମାନ ତାହାର ସଂଗଠନକୁ ମଜବୁତ କରିବାରେ ଲାଗିଛି। ପ୍ରଥମେ ଦଳ ତାହାର ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିବା ପରେ ଯୁବ ବାହିନୀର କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ସେହିପରି ଦଳ ମୟୁରଭଂଜ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ଏବଂ ବ୍ଲକ ଏନଏସି କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି।

ଏ ନେଇ ଦଳ ତରଫରୁ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏହି ବିଜ୍ଞପ୍ତି ଅନୁସାରେ ମୟୁରଭଂଜ ଜିଲ୍ଲାରେ ଥିବା ପାଞ୍ଚୋଟି ନିର୍ବାଚନ ମଣ୍ଡଳୀର ଉପସଭାପତି, ସାଧାରଣ ସଂପାଦକ, ସଂପାଦକଙ୍କ ସହିତ ବ୍ଲକ ଓ ଏନଏସି କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଫୋକସ ୨୦୨୪: ବିଜେଡିର ନୂଆ ଯୁବ ବାହିନୀ , ଏଲିନା ପୂର୍ବପରି ମହାସଚିବ

ଭୁବନେଶ୍ବର: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବିଜେଡି ତାହାର ସଂଗଠନକୁ ମଜବୁତ କରିବାରେ ଲାଗିଛି। ପ୍ରଥମେ ଦଳର ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରିବା ପରେ ବର୍ତ୍ତମାନ ଯୁବ ସଂଗଠନକୁ ମଧ୍ୟ ପରିବର୍ତ୍ତନ କରିଛି। ଦଳ ବିଜୁ ଯୁବ ଜନତା ଦଳର ନୂଆ ସଂଗଠନ ନେତାଙ୍କ ନାମ ଘୋଷଣା କରିଛି।

ସେହି ଅନୁସାରେ ଏଲିନା ଦାଶ ପୂର୍ବ ପରି  ମହାସଚିବ ପଦବୀ ବଜାୟ ରଖିଛନ୍ତି। ଏଥି ପୂର୍ବରୁ  ୨୦୨୦ ସେପ୍ଟେମ୍ବର ୨୩ରେ ବିଜୁ ଯୁବ ଜନତା ଦଳର ପୁର୍ନଗଠନ ହୋଇଥିଲା। ଚଳିତ ବର୍ଷ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ତାଲିକା ପ୍ରକାଶ ପାଇଛି।

ବିଜୁ ଯୁବ ଜନତା ଦଳରେ ୩ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଥିଲା ବେଳେ  ୩ ବରିଷ୍ଠ ଉପସଭାପତି, ୭ ଜୋନ୍ ସଭାପତି, ୧୩ ଉପସଭାପତି, ୪୬ ସାଧାରଣ ସମ୍ପାଦକ, ୬୩ ସମ୍ପାଦକ, ୨୩ ଯୁଗ୍ମ ସମ୍ପାଦକ ନିଯୁକ୍ତି ପାଇଛନ୍ତି I

କାର୍ଯ୍ୟକାରୀ ସଭାପତି: ବୈକୁଣ୍ଠନାଥ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ଧ୍ରୁତି ରଂଜନ ମାର୍ଥା

ମହାସଚିବ: ଏଲିନା ଦାଶ

ବରିଷ୍ଠ ଉପସଭାପତି: ଜ୍ୟୋତିର୍ମୟୀ ପରିଡ଼ା, ଡ. ସୁବାସ ଚନ୍ଦ୍ର ନାୟକ, ମଣ୍ଟୁ ନାୟକ ।

ଜୋନ୍ ସଭାପତି: ଭୁବନେଶ୍ୱର- ବିଜୟ କେତନ ସାହୁ, କଟକ- ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ- ନଚିକେତା ସ୍ୱାଇଁ, ବଲାଙ୍ଗୀର-ମନୀନ୍ଦ୍ର ମହାନ୍ତି, ସମ୍ବଲପୁର- ଦେବାଶିଷ ପରିଡ଼ା, କୋରାପୁଟ-ତାପସ ତ୍ରିପାଠୀ, ବାଲେଶ୍ୱର- ଜୟରାମ ଦାସ ।

ଉପସଭାପତି: ଛବି ମାହାଲି, ସୋଫିଆ ଆଲାମ୍, ସୁନୀଲ କୁମାର ମହାନ୍ତି, ସୌମ୍ୟ ଶଙ୍କର ଚକ୍ର, ସୁବାଶିଷ ଖୁଣ୍ଟିଆ, ସୁନୀଲ ପଣ୍ଡା, ତାରିଣୀ ପ୍ରସାଦ ନାୟକ, ଶୁଭ୍ରଜିତ୍ ପାଢ଼ୀ, ସୁଜିତ୍ ପ୍ରସାଦ ଦ୍ୱିବେଦୀ, ସମ୍ବିତ କୁମାର ନାୟକ, ଦିଲ୍ଲୀପ ସେନାପତି, ମାନଭଂଜନ ବେହେରା, ମିହିର ରଞ୍ଜନ ପରିଡ଼ା

ସାଧାରଣ ସମ୍ପାଦକ: ଅମିତ୍ ଅଗ୍ରୱାଲ୍, ବିଷ୍ଣୁ ପ୍ରସାଦ ଢ଼େଙ୍ଗ, ବାଣୀ କଲ୍ୟାଣ ମହାନ୍ତି, କନିଷ୍କ ଜେନା, ମଧୁସ୍ମିତା ପରିଡ଼ା, ମଧୁସ୍ମିତା ନାୟକ, ଅପର୍ଣ୍ଣା ଦାସ, ଲଗ୍ନଦୀପା ମିଶ୍ର, ସୋନାଲି ପ୍ରିୟଦର୍ଶିନୀ, ମହେକ୍ଷିତା ମିଶ୍ର, ମଳୟ ରଞ୍ଜନ ପତି, ଆଶିଷ ରଞ୍ଜନ ମିଶ୍ର, ଅବିନାଶ କୁମାର ପ୍ରଧାନ, ରଶ୍ମିରଂଜନ ଦାସ, ବାସୁଦେବ ସାହା. ବିଭୂତି ପୁହାଣ, ଅଫତାବ ଆଲାମ ଖାଁ, ହିରାଲାଲ ବେହେରା, ମନୋଜ ମହାନ୍ତି, ଶିବବ୍ରତ ଚମ୍ପତ୍ତିରାୟ, ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ପାର୍ଥ ସାରଥୀ ମୁଦୁଲି, ଗଣେଶ ମହାପାତ୍ର, ଜଗତଜ୍ୟୋତି ପଟ୍ଟନାୟକ, ଅମିତ୍ ମହାରଣା, ରମେଶ ନାରାୟଣ ପ୍ରହରାଜ, ସତୀଶ ବିଶି, ଅଞ୍ଜନ ବେଜ୍, ତ୍ରିଲୋଚନ ତରାଇ, ପ୍ରଦୀପ୍ତ ଭୂୟାଁ, ତାପସ ପାଣିଗ୍ରାହୀ, ସୁବାସ ସ୍ୱାଇଁ, ଅଂଶୁମାନ ରଶ୍ମୀ ସାଗର ସେଠୀ, ଦୀପକ ଜେନା, ପ୍ରିନ୍ସ ରାକେଶ ନାୟକ, ପ୍ରମୋଦ କୁମାର ପଣ୍ଡା, ଆଶିଷ କୁମାର ସାହୁ, ଅମରେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବାଶିଷ ମଲ୍ଲିକ, କୁମାର ଜଗତ ବଲ୍ଲଭ ମହାରଥ, ସତ୍ୟବ୍ରତ ମହାନ୍ତି, ପିଲାସ୍କି କୁମାର ସ୍ୱାଇଁ, ଅନୱର ଅଲ୍ଲୀ, ଚିତ୍ତରଂଜନ ଦାସ, ପୃଥ୍ୱୀରାଜ ପଣ୍ଡା, ସତ୍ୟଜିତ୍ ପଟ୍ଟନାୟକ ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି କଲା ବଡ ଘୋଷଣା, ସବୁ ଜିଲ୍ଲାରେ ନିଯୁକ୍ତ ହେଲ ବରିଷ୍ଠ ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ନୂଆ ଘୋଷଣା କରିଛି। ସେହି ଅନୁସାରେ ଦଳର ସବୁ ଜିଲ୍ଲାରେ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି କ୍ରମେ ଏହି ନିଯୁକ୍ତି ଦିଆଯାଇଛି। ଦଳ ତରଫରୁ ସଂଗଠନ ସଂପାଦନ ପ୍ରଣବ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସେହି ବିଜ୍ଞପ୍ତି ଅନୁସାରେ ଛଅ ଜଣ ବରିଷ୍ଠ ନେତାଙ୍କୁ ତିରିଶିଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଏହି ଦାୟିତ୍ବ ଦିଆଯାଇଛି। ଏ ସଂକ୍ରାନ୍ତରେ ପୂର୍ବରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତାହାକୁ ବାତିଲ କରାଯାଇଛି।

Categories
ବିଶେଷ ଖବର

ରାଜ୍ୟରେ ନୂତନ ବିରୋଧୀ ଦଳ ନେତା ନିଯୁକ୍ତି ପରେ ବଦଳିବ କି ବିଜେପିର ଭାଗ୍ୟ?

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଅପ୍ରତିଦ୍ବନ୍ଦି ଭାବେ ବିଜେଡି ଏକ ସ୍ଥିର ସରକାର ଶାସନ କରିବାରେ ଅପୁର୍ବ ସଫଳତା ଲାଭ କରିପାରିଛି। କେନ୍ଦ୍ରରେ ଏକ ସ୍ଥିର ସରକାର ଦେଇଥିବା ବିଜେପି ଏବଂ ସର୍ବ ପୁରାତନ କଂଗ୍ରେସ ଦୁହିଁଙ୍କ ପଦର୍ଶନ ଓଡ଼ିଶାରେ ଅତ୍ୟନ୍ତ ଦୟନୀୟ। ରାଜ୍ୟରେ ବିଜେପି ଆଖି ଦୃଶିଆ ପ୍ରଦର୍ଶନ କରିପାରିନି ତଥାପି ଦ୍ଵିତୀୟ ସର୍ବବୃହତ ଦଳ ଭାବେ ରାଜ୍ୟରେ ବିରୋଧି ଦଳର ଭୂମିକା ନିର୍ବାହ କରୁଛି।

ଅବଶ୍ୟ କଳାହାଣ୍ଡି ଜିଲ୍ଲାରେ ବିଜେପିର ସ୍ଥିତି ବିଗତ ଦିନରେ ବେଶ ସୁଦୃଢ଼ ଥିଲା। ଯାହାର ଶ୍ରେୟ ପ୍ରଦୀପ୍ତ ନାୟକଙ୍କର ସାଂଗଠନିକ କଳାଚାତୁରୀ ଯୋଗୁଁ ସମ୍ଭବ ହୋଇଥିବା ରାଜନୈତିକ ସମୀକ୍ଷକମାନେ କହନ୍ତି। ତେଣୁ ତାଙ୍କୁ ରାଜ୍ୟ ବିଜେପି ବିରୋଧୀଦଳ ନେତା ଭାବେ ପଦାସିନ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟକୁ ଶ୍ରୀ ନାୟକ ଭୟଙ୍କର କୋରୋନାର ଶିକାର ହୋଇ ଅଦ୍ୟାବଧି ସଂପୂର୍ଣ୍ଣ ସୁସ୍ଥ ହୋଇପାରି ନାହାନ୍ତି। ଦୀର୍ଘଦିନ ବିରୋଧୀ ଦଳ ନେତାପଦ ଏକ ପ୍ରକାର ଖାଲି ପଡ଼ିଥିବାରୁ ଦଳ ପକ୍ଷରୁ ଶେଷରେ ନୂତନ ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ରଙ୍କୁ ଦାୟିତ୍ୱ ଦେଇଛି।

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାସକ ବିଜେଡି ନିଜର ସଂଗଠନକୁ ସୁଦୃଢ଼ କରୁଥିବାବେଳେ ଜୟନାରାୟଣଙ୍କୁ ନୂଆ ନିଯୁକ୍ତି ଦେଇ ବିଜେପି ଓଡ଼ିଶାରେ ପୁଣିଥରେ ନିଜର ପୁରୁଣା ଆଭିମୁଖ୍ୟ ଆପଣାଇବ ବୋଲି ସନ୍ଦେଶ ଦେବାକୁ ପ୍ରୟାସ କରିଛି। ଯଦିଓ କେନ୍ଦ୍ର ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗୁଡିକୁ ପରୋକ୍ଷରେ ଅବା ପ୍ରତ୍ୟକ୍ଷରେ ବିଜେଡି ସର୍ବଦା ସମର୍ଥନ କରି ରାଜନୈତିକ ଫାଇଦା ହାସଲ କରିବାରେ ସଫଳ ହୋଇଛି।

ରାଜ୍ୟରେ ଶାସକ ଦଳ ସମସ୍ତ କେନ୍ଦ୍ରୀୟ ଯୋଜନାକୁ କୂଟନୈତିକ କୌଶଳରେ ରାଜ୍ୟର ସମସ୍ତ ଯୋଜନା ନିଜର ବୋଲି ଉପସ୍ଥାପନ କରି ଜନତାଙ୍କର ପ୍ରିୟଭାଜନ ହୋଇପାରିଥିବା ବେଳେ ବିଜେପି କେନ୍ଦ୍ରୀୟ ଅନୁଦାନର ରାଜନୈତିକ ଫାଇଦା ହାସଲ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଆଉ ଏକ ବିଷୟ ବିଜେପିର ନିର୍ବାଚିତ ପ୍ରତିନିଧି ମାନଙ୍କର ଉପରେ ଦଳର ଆୟତ୍ତ ନଥିବାରୁ ଦଳୀୟ ସଙ୍ଗଠନକୁ ଅଣଦେଖାକରି ନିଜସ୍ୱ ବ୍ୟକ୍ତିଗତ କର୍ମୀଙ୍କୁ ଅଗ୍ରାଧିକାର ଦେଉଥିବାରୁ ତୃଣମୂଳ ସ୍ତରରେ କର୍ମୀ ଅସନ୍ତୋଷ ହେବା ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବର୍ତ୍ତମାନ ସ୍ଥିତିରେ ଜୟନାରାୟଣ ମିଶ୍ରଙ୍କୁ ଦିଆଯାଇଥିବା ନୂତନ ଦାୟିତ୍ବ କେତେଦୂର ଓଡ଼ିଶାର ବିଜେପି ସଙ୍ଗଠନକୁ ମଜବୁତ କରିବ ସମସ୍ତଙ୍କର ନଜର ରହିଛି।

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓ ବିଜେଡି ମଧ୍ୟରେ ପୁଣିଥରେ ରାଜନୀତିକ ଛକାପଞ୍ଝା ଓ ଉଷ୍ମତା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଶ୍ରୀ ମିଶ୍ର କହିଛନ୍ତି ଯେ, ଦଳ ତାଙ୍କ ଉପରେ ବିଶ୍ୱାସ କରି ଦେଇଥିବା ଗୁରୁଦାୟିତ୍ୱକୁ ସେ ସମ୍ପାଦନ କରିବାକୁ ପୂର୍ଣ୍ଣ ପ୍ରୟାସ କରିବେ।

୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ସୁହାଇବା ଭଳି ଅନେକ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନେଇଛନ୍ତି, ଯାହାକି ପରୋକ୍ଷରେ ରାଜ୍ୟରେ ବିଜେପି ସଂଗଠନକୁ ଦୁର୍ବଳ କରାଇଛି। ଏହାର ପରିଣାମ ମଧ୍ୟ ବିଜେପିକୁ ଗତ ତ୍ରିସ୍ତରୀୟ ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନରେ ଭୋଗିବାକୁ ପଡିଛି। ଓଡ଼ିଶାରୁ ୩ଜଣଙ୍କୁ କେନ୍ଦ୍ରମନ୍ତ୍ରୀ ଓ ଜଣେ ଆଦିବାସୀ ମହିଳାଙ୍କୁ ମହାମହିମ ରାଷ୍ଟ୍ରପତି ପଦରେ ଆସୀନ କରିବା ରାଜ୍ୟ ବିଜେପି ତାହାର ଫାଇଦା ହାସଲ କରିନପାରିବା ରାଜ୍ୟ ନେତୃତ୍ୱର ଅପାରଗତା ପଦାରେ ପଡିଛି।

ଉଲ୍ଲେଖଯୋଗ୍ୟ, ବିଜେଡି ନେତୃତ୍ୱ ସମଦୂରତ୍ୱ ରଣନୀତିର ଆଳ ଦେଖାଇ ବାସ୍ତବରେ କେନ୍ଦ୍ରରେ ବିଜେପି ସରକାର ଓ ବିଜେପି ନେତୃତ୍ୱଙ୍କୁ ସୁହାଇବା ଭଳି ନିଷ୍ପତ୍ତି ନେଇ ସୁଚିନ୍ତିତ ଢଙ୍ଗରେ ରାଜ୍ୟରେ ବିରୋଧୀ ଦଳକୁ ନିଷ୍ପ୍ରଭ କରିବାକୁ ପ୍ରୟାସ କରିଛନ୍ତି। ୨୦୧୫ରେ ଜିଏସଟି ବିଲ, ୨୦୧୬ରେ ବିମୁଦ୍ରାକରଣ, ୨୦୧୭ରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ, ୨୦୧୮ ଜୁଲାଇ ୨୦ରେ ମୋଦି ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବବେଳେ ସଂସଦରୁ ନାଟକୀୟ ଢଙ୍ଗରେ କକ୍ଷତ୍ୟାଗ କରି ବିଜେଡି ସିଧାସଳଖ ନିଜର ଘନିଷ୍ଠତାର ପ୍ରମାଣ ଦେଇଥିଲା।

୨୦୧୮ ଅଗଷ୍ଟ ୮ରେ ବିଜେଡି ନିଜର ସମ୍ପର୍କକୁ ଆଉ ପାଦେ ଆଗେଇ ନେଇ ଏନଡିଏର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଦେଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ବିଜେଡି ସାଂସଦଙ୍କ ସମର୍ଥନ, କଶ୍ମୀରରେ ଧାରା-୩୭୦ର ଉଚ୍ଛେଦ, ଟ୍ରିପଲ ତଲାକ ବିଲ୍ , ନାଗରିକତା ସଂଶୋଧନ ବିଲ୍ (ସିଏଏ)କୁ ସମର୍ଥନ ଦେବାକୁ ପଛାଇ ନଥିଲା।

୨୦୧୯ ଜୁନ୍ ମାସରେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇ ଓ ନିଜର ଜିତିବା ସିଟକୁ ଛାଡ଼ି ଦେଇ ବିଜେଡି ସମସ୍ତଙ୍କୁ ଚକିତ କରିଦେଇଥିଲା। ୨୦୨୨ରେ ଏନଡିଏ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ମଧ୍ୟ ସମର୍ଥନ ଦେବାକୁ ବିଜେଡି ପଛାଇ ନାହିଁ। ଏଭଳି ସମର୍ଥନ ଦେଇ ବିଜେଡି ପରୋକ୍ଷରେ ରାଜ୍ୟରେ ବିଜେପି ସଂଗଠନକୁ ଦୁର୍ବଳ କରାଉଥିବା ପ୍ରତ୍ୟୟ ହେଉଛି। ଯାହାଫଳରେ ତୃଣ ମୂଳ ସ୍ତରରେ ବିଜେପି କର୍ମୀମାନେ ଏକ ପ୍ରକାର ହତାଶ ହୋଇ ବିଜେଡିକୁ ମୁହାଇବା ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ।

ରାଜ୍ୟରେ ନିର୍ବାଚନରେ ବିଜେପିର କ୍ରମାଗତ ବିଫଳତା ଏବଂ ରାଜ୍ୟ ତଥା ଜିଲ୍ଲା ସ୍ତରରେ ସଂଗଠନର ମଙ୍ଗୁଆଳ ମାନଙ୍କର ପରିଚାଳନା କାର୍ଯ୍ୟକର୍ତ୍ତାଙ୍କର ମନରେ ଉତ୍ସାହ ଓ ଉର୍ଜ୍ଜା ପ୍ରଦାନ କରିବାରେ ଆଶାନୁରୂପ ଭାବେ ଫଳ ପ୍ରଦ ହୋଇପାରି ନାହିଁ। ସାମୁହିକ ଶକ୍ତିକୁ ପ୍ରଦାନ କରିବା ପରିବର୍ତ୍ତେ ସମସ୍ତ ବରିଷ୍ଠ ନେତୃବୃନ୍ଦ ନିଜସ୍ୱ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଥିବା କାର୍ଯ୍ୟକର୍ତ୍ତାଙ୍କ ମହଲରେ ଶୁଣିବାକୁ ମିଳୁଛି।

ବିଶେଷ କରି କଳାହାଣ୍ଡିରେ ବିଜେପିର ସ୍ଥିତି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଓଡ଼ିଶାରେ ବିଜେପି ଶାସକ ଦଳର ନୀତି ଯାହା ଅଛି ତାକୁ କାଟୁ କରିବାର ବାଟ ବାହାର ନକଲେ ବିଜେପିର ସ୍ଥିତିରେ ବିଶେଷ ପରିବର୍ତ୍ତନ ହେବା କଷ୍ଟକର ବୋଲି ଦଳର ବରିଷ୍ଠ ସଦସ୍ୟ ମାନେ ମତବ୍ୟକ୍ତ କରିଛନ୍ତି।

Categories
ବିଶେଷ ଖବର

ଉପରାଷ୍ଟ୍ରପତି ନିର୍ବାଚନ: ଧନଖଡଙ୍କୁ ବିଜେଡ଼ି ସମର୍ଥନ ପରେ ଜାଣନ୍ତୁ କଣ ହେବ ସମୀକରଣ

ନୂଆଦିଲ୍ଲୀ: ଦେଶରେ ରାଷ୍ଟ୍ରପତି ନିର୍ବାଚନ ସମାପ୍ତ ହେବା ପରେ ବର୍ତ୍ତମାନ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ ହେବ ଏବଂ ସେହି ଦିନ ଏହାର ଫଳାଫଳ ଘୋଷଣା କରାଯିବ। ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହୋଇ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ବିରୋଧରେ ଏକ ବଡ଼ ବିଜୟ ହାସଲ କରିଥିଲେ। ବର୍ତ୍ତମାନ ପରବର୍ତ୍ତୀ ପରୀକ୍ଷା ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ପାଇଁ, ଯାହାର ସାମ୍ନାରେ ବିରୋଧୀ ପ୍ରାର୍ଥୀ ହେଉଛନ୍ତି କଂଗ୍ରେସ ନେତା ମାର୍ଗରେଟ୍ ଅଲଭା।

ଉପରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀ ଦଳ ବିଜେଡି ଏବଂ ଏଆଇଏଡିଏମକେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ସମର୍ଥନ କରିସାରିଛନ୍ତି। ବିଜେଡି ରାଜ୍ୟସଭା ସାଂସଦ ତଥା ସାଧାରଣ ସମ୍ପାଦକ ଗଣମାଧ୍ୟମ ଦାୟିତ୍ୱରେ ଥିବା ମନସ ମଙ୍ଗରାଜ, ଏଆଇଏଡିଏମକେ ନେତା ଏମ ଥାମ୍ବି ଦୁରାଇ ଏବଂ ଜଗନ୍ ମୋହନ ରେଡ୍ଡୀଙ୍କ ନେତୃତ୍ୱରେ YSR କଂଗ୍ରେସ ଦଳର ନେତା ବିଜୟାସାଇ ରେଡ୍ଡୀ କହିଛନ୍ତି ଯେ, ଆମ ଦଳ ଜଗଦୀପ ଧନଖଡଙ୍କୁ ସମର୍ଥନ କରିବ। ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ସମର୍ଥନ କରିବା ଲାଗି ତାଙ୍କ ଦଳ ନିଷ୍ପତ୍ତି ନେଇଛି ବୋଲି ସେମାନେ କହିଛନ୍ତି। କାରଣ ସେ ଜଣେ କୃଷକଙ୍କ ପୁଅ ଏବଂ ଏକ ପଛୁଆ ବର୍ଗର ଅଟନ୍ତି।

ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିଜେପି ଏକ ବାଜି ଖେଳିଥିଲା ​​ଏବଂ ସହଯୋଗୀ-ବିରୋଧୀଙ୍କ ସମର୍ଥନରେ ବାଜି ଜିତିଥିଲା। ସେହିଭଳି ବିଜେପିର ଦ୍ୱିତୀୟ ବାଜି ହେଉଛି ଜଗଦୀପ ଧନଖରଙ୍କୁ କୃଷକଙ୍କ ପୁଅ ଭାବରେ ପ୍ରାର୍ଥୀ କରିବା। ଯଦି ସବୁ ଠିକ୍ ହୁଏ, ତେବେ ବିଜେପି ସମର୍ଥିତ ଏନଡିଏ ପ୍ରାର୍ଥୀ ଭାବରେ ଜଗଦୀପ ଧନଖଡଙ୍କ ବିଜୟ ମଧ୍ୟ ସମ୍ଭବ ହୋଇପାରେ।

ବିରୋଧୀ ଦଳର ପ୍ରାର୍ଥୀ ଅଲଭା ରାଜ୍ୟସଭାର ଉପ ବାଚସ୍ପତି ତଥା କଂଗ୍ରେସର ଜଣେ ବରିଷ୍ଠ ନେତା ଅଟନ୍ତି। ସେ ୧୯୮୪ ରୁ ୮୫ ପର୍ଯ୍ୟନ୍ତ କେନ୍ଦ୍ର ସରକାରରେ ଯୁବ ଓ କ୍ରୀଡା ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ବିରୋଧୀ ପ୍ରାର୍ଥୀ ଭାବରେ ମାର୍ଗରେଟ୍ ଅଲଭାଙ୍କ ନାମ କଂଗ୍ରେସ ଜାଣିଶୁଣି ମନୋନୀତ କରିଛି। କାରଣ ଅଲଭାଙ୍କର ବହୁତ ଅଭିଜ୍ଞତା ଅଛି, ସେ ଜଣେ ମହିଳା। ଏହାସହିତ ଦକ୍ଷିଣରୁ ଆସିଥିବା ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସେ ଅଟନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀ ମତଭେଦ ସ୍ପଷ୍ଟ ଦେଖାଯାଉଥିଲା ଏବଂ ଶାସକ ଦଳ ଏହାର ଲାଭ ପାଇଥିଲେ। କ୍ରସ-ଭୋଟିଂ ଏନଡିଏ ପ୍ରାର୍ଥୀ ମୁର୍ମୁଙ୍କ ବିଜୟକୁ ବଡ କରିଦେଇଥିଲା ଏବଂ ବର୍ତ୍ତମାନ ଉପରାଷ୍ଟ୍ରପତି ନିର୍ବାଚନରେ ​​ମଧ୍ୟ ବିରୋଧୀ ଏକତା ଭାଙ୍ଗୁଥିବା ଜଣାପଡିଛି। ଟିଏମସି ଏହା ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ, ଦଳ ନିର୍ବାଚନରୁ ଦୂରେଇ ରହିବ। ୟୁପିଏ ପ୍ରାର୍ଥୀ ମାର୍ଗରେଟ୍ ଅଲଭା କିମ୍ବା ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କୁ ଭୋଟ୍ ଦେବେ ନାହିଁ ବୋଲି ଟିଏମସି ଘୋଷଣା କରିସାରିଛି।

କଂଗ୍ରେସ ପ୍ରାର୍ଥୀ ମାର୍ଗରେଟ୍ ଅଲଭାଙ୍କୁ ଆରଜେଡି, ଏନସିପି, ଶିବସେନା, ଡିଏମକେ ଏବଂ ସିପିଆଇ (ଏମ) ଭଳି ଦଳ ସମର୍ଥନ କରିବା କଥା କହିଛନ୍ତି। କିନ୍ତୁ ବିରୋଧୀ ଏକତାକୁ ଭାଙ୍ଗି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ନିରପେକ୍ଷ ରହିବାକୁ ଘୋଷଣା କରିଛି। ବିରୋଧୀ ପ୍ରାର୍ଥୀ ମାର୍ଗରେଟ୍ ଅଲଭା ଟିଏମସିର ଏହି ନିଷ୍ପତ୍ତିକୁ ନିରାଶାଜନକ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଅହଂକାର କିମ୍ବା କ୍ରୋଧର ସମୟ ନୁହେଁ। ସାହସ, ନେତୃତ୍ୱ ଏବଂ ଏକତା ପାଇଁ ଏହା ଏକ ସମୟ। ଅନ୍ୟପକ୍ଷରେ ମମତା ବାନାର୍ଜୀ କହିଛନ୍ତି ଯେ, ଅଲଭାଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ତାଙ୍କଠାରୁ ପରାମର୍ଶ ନିଆଯାଇ ନାହିଁ।

ଟିଏମସି ପକ୍ଷରୁ କୁହାଯାଇଛି ଯେ, ଆମେ ସମସ୍ତେ ସମାନ ଦଳ, ଯାହାର ଉଦ୍ଦେଶ୍ୟ ହେଉଛି ବିଜେପିକୁ ପରାସ୍ତ କରିବା। କିନ୍ତୁ, ଟିଏମସି କଂଗ୍ରେସର ନିର୍ବାଚନ ସହଯୋଗୀ ନୁହେଁ। ତେଣୁ ଟିଏମସିକୁ ସମାନ ଅଂଶୀଦାର ଭାବରେ ଦେଖାଯିବା ଉଚିତ୍। ମମତାଙ୍କ ଏହି ବିବୃତ୍ତିରେ ବିରୋଧୀ ଦଳ ତାଙ୍କୁ ସମାଲୋଚନା କରିଛନ୍ତି ଏବଂ ଏହାକୁ ଧନଖଡଙ୍କ ଚା ପାର୍ଟିର ପ୍ରଭାବ ବୋଲି କହିଛନ୍ତି।

କଣ କୁହେ ନିର୍ବାଚନୀ ସମୀକରଣ?:

ଉପରାଷ୍ଟ୍ରପତି ନିର୍ବାଚନରେ ​​ରାଜ୍ୟସଭାର ୨୩୩ ସାଂସଦ ତଥା ୧୨ ଜଣ ମନୋନୀତ ସାଂସଦ ଏବଂ ଲୋକସଭାର ସମସ୍ତ ୫୪୩ ସାଂସଦ ଭୋଟ୍ ଦେଇଛନ୍ତି। କେବଳ ଲୋକସଭା ଓ ରାଜ୍ୟସଭାରେ ବିଜେପିର ୩୯୪ ସାଂସଦ ଅଛନ୍ତି। ଏଭଳି ପରିସ୍ଥିତିରେ ସେ ନିଶ୍ଚିତ ଭାବେ ଏହି ନିର୍ବାଚନରେ ​​ଆଗରେ ଅଛନ୍ତି। ଏହିପରି, ଏନଡିଏର ପଲ୍ଲା ଭାରୀ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେଡିର ଘୋଷଣା, ଏହି ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ କଲା ନିଷ୍ପତି

ଭୁବନେଶ୍ବର: ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନ ପରେ ଆସିବ ଉପରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନ ମଇଦାନରେ ସେହିପରି ଦୁଇଜଣ ପ୍ରାର୍ଥୀ ଛିଡାହୋଇଛନ୍ତି। ସେମାନେ ହେଲେ ଏନଡିଏର ଜଗଦୀପ ଧନଖଡ ଏବଂ ବିରୋଧୀ ଦଳରୁ ମାର୍ଗେଟ ଆଲଭା। ଏହି ଦୁଇଜଣ ମଧ୍ୟରୁ ବର୍ତ୍ତମାନ ଏନଡିଏ ପ୍ରାର୍ଥୀଙ୍କ ପଲା ଭାରୀ ରହିଛି।

ତେବେ ଏହି ଦୁଇ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡି ସେହି ରାଷ୍ଟ୍ରପତି ନିର୍ବାଚନ ପରି ଏଥର ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି। ସେଥିରେ ସେ ଏନଡିଏର ଧନଖଡଙ୍କୁ ସମର୍ଥନ କରିବେ ବୋଲି ଜଣାଇଛନ୍ତି। ଏ ନେଇ ବିଜେଡି ତରଫରୁ ଘୋଷଣା କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ନେତା ଭାବିଲା ବେଳକୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରଚାରକୁ ହାଇଜାକ କରିନେଲା ବିଜେଡି

ଭୁବନେଶ୍ବର: ଓଡିଶା ରାଜନୀତିରେ ଏକ କଥା ଅଛି ବିଜେପି ଡାଳରେ ଡାଳରେ ଯାଉଥିବା ବେଳେ ବିଜେଡି ପତ୍ରେ ପତ୍ରେ ଯାଉଛି। ଏହା ପୂର୍ବରୁ ବହୁଥର ପ୍ରମାଣିତ ହୋଇଛି। ଏବେ ମଧ୍ୟ ପ୍ରମାଣିତ ହେବାରେ ଲାଗିଛି। ଅତୀତରେ ଅନେକ ଘଟଣା ଘଟିଛି ଯାହା ବିଜେପି ଭାବିବା ବେଳକୁ ବିଜେଡି ତାହାକୁ କାର୍ଯ୍ୟରେ ଲଗାଇ ସାରିଲାଣି।

ସେହିପରି ଘଟଣା ବର୍ତ୍ତମାନ ଘଟିବାରେ ଲାଗିଛି। ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ବାହାବ ନେବା ବେଳକୁ ତାହାକୁ ହାଇଜାକ କରିନେଲାଣି ବିଜେଡି। କହିବା କଥା ହେଲା ଆସନ୍ତା ଆଠ ତାରିଖରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡିଶା ପ୍ରଚାରରେ ଆସିବେ। ସେଥିପାଇଁ ବିଜେପି ଶିବିରରେ ପ୍ରସ୍ତୁତି ଚାଲିଛି। ତାଙ୍କ ସହିତ କେଉଁମାନେ ଯିବେ, କୁଆଡେ ଯିବେ ତାହାର ତାଲିକା ଚାଲିଛି।

ହେଲେ ଆଶ୍ଚର୍ଯ୍ୟର କଥା ଏପଟେ ଦ୍ରୌପଦୀ ମୁର୍ମୁ ଓଡିଶା ଆସିବା ପୂର୍ବରୁ ବିଜେଡି ତାଙ୍କର ପ୍ରଚାର ଆରମ୍ଭ କରିଦେଇଛି। ମଙ୍ଗଳବାର ଦିନ ରାୟଗଡାର ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଛନ୍ତି । ତାଙ୍କୁ ବିଜେଡି ତରଫରୁ ଯୋଗାଯୋଗ କରାଯାଇ ନବୀନ ନିବାସ ଅଣାଯାଇଥିଲା। ଆଉ ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କଲେ। ଏହାକୁ ନିଜେ ମୁଦୁଲି ସମର୍ଥନ ମଧ୍ୟ କଲେ।

ସେହିପରି ବିଧାନସଭାର କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କୁ ସାକ୍ଷାତ କଲେ ବିଜେଡି ସଂଗଠନ ସଂପାଦକ ପ୍ରଣବ ଦାସ। ସେ ମଧ୍ୟ ତାଙ୍କୁ ଓଡିଶା ଝିଅକୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି। ଅନ୍ୟପଟେ ଖୋଦ ନବୀନ ପଟ୍ଟନାୟକ ମଧ୍ୟ ନରସିଂହଙ୍କୁ ଫୋନ କରି ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି।

ସେତିକି ନୁହେଁ ପ୍ରଣବ ଦାସ, ସୁଶାନ୍ତ ସିଂ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ବଳବନ୍ତରାୟ ପ୍ରମୁଖ ତୁଙ୍ଗ ବିଜେଡି ନେତା କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଓଡିଶା ମାଟିକୁ ଦେଖି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରିଛନ୍ତି। ଦିନତମାମ ବିଜେଡି ନେତାମାନେ ନିଜନିଜ ରାସ୍ତାରେ ଦ୍ରୌପଦୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି।

ବିଜେଡିର ଏପରି ତତ୍ପରତାକୁ ଦେଖିଲେ ଲାଗୁଛି ସତେ ଯେପରି ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ପ୍ରାର୍ଥୀ କରିଛି। ତାଙ୍କୁ ନବୀନ ରାଷ୍ଟ୍ରପତି ପ୍ରାର୍ଥୀ କରାଇଛନ୍ତି। ଅର୍ଥାତ ଏହାର ପୁରା ଫାଇଦା ବର୍ତ୍ତମାନ ବିଜେଡି ହାଇତେଇବାରେ ଲାଗିଛି। ସେଥିପାଇଁ କୁହାଯାଉଛି ଯେ ବିଜେଡି ରଣନୀତି ଆଗରେ ବିଜେପି ଏ ପର୍ଯ୍ୟନ୍ତ ସମକକ୍ଷ ହୋଇପାରୁ ନାହିଁ।

Categories
ବିଶେଷ ଖବର

ରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ବିରୋଧୀ ଦଳର ବୈଠକରେ ଯୋଗଦେବନି ଟିଆରଏସ!: ସାମିଲ ହେବ କି ବିଜେଡ଼ି?

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀ ଦଳର ପ୍ରାର୍ଥୀଙ୍କ ନାମ ଉପରେ ସହମତି ପ୍ରକାଶ କରିବା ପାଇଁ ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀ ଆଜି ଅପରାହ୍ନ ୩ ଟାରେ ବିରୋଧୀ ଦଳର ନେତାଙ୍କ ସହ ପ୍ରଥମ ବୈଠକ କରିବେ। ବିରୋଧୀ ଦଳର ନେତାଙ୍କ ଏକ ସ୍ୱତନ୍ତ୍ର କମିଟି ଗଠନ ପ୍ରସ୍ତାବକୁ ଏହି ବୈଠକରେ ଆଲୋଚନା କରାଯାଇପାରେ। ଏଥିରେ ମୁଖ୍ୟ ବିରୋଧୀ ଦଳର ୫ ନେତା ଏଥିରେ ସାମିଲ ହୋଇପାରନ୍ତି। ଏହି କମିଟି ଆସନ୍ତା ଏକ ସପ୍ତାହ ମଧ୍ୟରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା କରି ବିରୋଧୀ ଦଳ ମଧ୍ୟରେ ଏକ ସହମତି ସୃଷ୍ଟି କରିବାକୁ ଚେଷ୍ଟା କରିବ ଏବଂ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଉପରେ ମଧ୍ୟ ଆଲୋଚନା କରିବ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଟିଆରଏସ ବୈଠକରେ ଯୋଗଦେବେ ନାହିଁ। ବିଜେପି ଏବଂ କଂଗ୍ରେସଠାରୁ ସମାନ ଦୂରତା ବଜାୟ ରଖିବାକୁ ଦଳ ନିଷ୍ପତ୍ତି ନେଇଛି। ଏହା ପଛର କାରଣ ଦିଆଯାଇଥିଲା ଯେ, ଟିଆରଏସ୍ ର ଆପତ୍ତି ସତ୍ତ୍ୱେ କଂଗ୍ରେସକୁ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଛି। ତେଲେଙ୍ଗାନାର କଂଗ୍ରେସ ହେଉଛି ମୁଖ୍ୟ ବିରୋଧୀ ଦଳ। ତେଲେଙ୍ଗାନାରେ ନିକଟରେ ହୋଇଥିବା ଏକ ସାଧାରଣ ସଭାରେ ରାହୁଲ ଗାନ୍ଧୀ ବିଜେପି ବିରୋଧରେ କିଛି ନ କହି ଟିଆରଏସ ସରକାରଙ୍କୁ ଟାର୍ଗେଟ କରିଥିଲେ। ତେଲେଙ୍ଗାନାରେ ଟିଆରଏସ ବିରୋଧରେ କଂଗ୍ରେସ ବିଜେପି ସହ ମେଣ୍ଟ କରିଛି ବୋଲି ଅଭିଯୋଗ କରାଯାଇଛି। ତେଣୁ କଂଗ୍ରେସ ସହିତ କୌଣସି ପ୍ଲାଟଫର୍ମରେ ଏକାଠି ହେବାର ପ୍ରଶ୍ନ ନାହିଁ ବୋଲି ଦଳ କହିଛି।

ଟିଆରଏସ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ଲୋକସଭା ନିର୍ବାଚନରେ ​​ହୁଜୁରାବାଦ ଉପ-ନିର୍ବାଚନରେ ବିଜେପି ଜିତିବା ପାଇଁ କଂଗ୍ରେସ ଜମା ପୁଞ୍ଜି ହରାଇବାକୁ ପ୍ରସ୍ତୁତ ଥିଲା। ତେଣୁ କୌଣସି ସମୟରେ ଏଭଳି ଦଳ ଉପରେ ବିଶ୍ୱାସର ପ୍ରଶ୍ନ ଉଠିବ ନାହିଁ। ଟିଆରଏସ ଅଭିଯୋଗ କରିଛି ଯେ, ପ୍ରାର୍ଥୀ ଚୟନ ହୋଇସାରିଛି ଏବଂ ଏହା ପରେ ଏକ ବୈଠକ ଡକାଯାଇଛି। ମୋତେ ଉତ୍ତର ଦିଆଯାଉ, ତୁମେ ଏହା କାହିଁକି କଲ? ସଠିକ୍ ପ୍ରକ୍ରିୟା ବୈଠକ କରିବା, ଏକ ସହମତି ହାସଲ କରିବା, ପ୍ରାର୍ଥୀଙ୍କୁ ଅନୁମୋଦନ କରିବା ଏବଂ ବୈଠକ ପରେ ନାମ ଘୋଷଣା କରିବା ଉଚିତ ଥିଲା। ତେଣୁ ଟିଆରଏସ ଏହି ସଭାରେ ଅଂଶଗ୍ରହଣ କରିବ ନାହିଁ। ରାଷ୍ଟ୍ରପତି ନିର୍ବାଚନରେ ​​ଆମ ଦଳ କିପରି ଭୋଟ୍ ଦେବ ସେନେଇ ନିଷ୍ପତ୍ତି ଏବଂ ଘୋଷଣା ପରେ କରାଯିବ।

ଉଲ୍ଲେଖ ଯୋଗ୍ୟ ଯେ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିବାର ସମ୍ଭାବନା କମ୍। ଆଜି ହେବାକୁ ଥିବା ବିରୋଧୀ ଦଳର ବୈଠକରେ ଆମ୍ ଆଦମୀ ପାର୍ଟି ମଧ୍ୟ ଅଂଶଗ୍ରହଣ କରିବ ନାହିଁ। ଆମ୍ ଆଦମୀ ପାର୍ଟି ସୂତ୍ର ଅନୁଯାୟୀ, ‘ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ ହେବା ପରେ ହିଁ ଏଏପି ଏହି ପ୍ରସଙ୍ଗ ଉପରେ ବିଚାର କରିବ’।

ଏହା ପରେ ଜୁନ୍ ୨୦ ତାରିଖ କିମ୍ବା ୨୧ ତାରିଖରେ ବିରୋଧୀ ଦଳର ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇପାରେ ଯେଉଁଥିରେ ବିରୋଧୀ ଦଳର ପ୍ରାର୍ଥୀ କିଏ ହେବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନପତ୍ରର ଶେଷ ତାରିଖ ହେଉଛି ଜୁନ୍ ୨୯ ତାରିଖ। ପ୍ରାୟ ଏକ ସପ୍ତାହ ପୂର୍ବରୁ ବିରୋଧୀ ଦଳ ତାଙ୍କର ପ୍ରାର୍ଥୀ କିଏ ହେବେ, ନିଷ୍ପତ୍ତି ନେବେ।

ବାମପନ୍ଥୀ ନେତା ସୀତାରାମ ୟେଚୁରୀ ଏବଂ ଡି ରାଜାଙ୍କ ସହ ଶରଦ ପାୱାରଙ୍କ ସାକ୍ଷାତ ସମୟରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଏବଂ ଗୋପାଳ କୃଷ୍ଣ ଗାନ୍ଧୀଙ୍କ ପରି ନେତାଙ୍କ ନାମ ଆଲୋଚନା କରାଯାଇଥିଲା। ସୂଚନାନୁସାରେ, ଗୁଲାମ ନବୀ ଆଜାଦଙ୍କ ନାମରେ ବାମପନ୍ଥୀ ନେତାମାନେ ଆପତ୍ତି କରିଥିଲେ। ଶରଦ ପାୱାର ବାମପନ୍ଥୀ ନେତାମାନଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେ ବିରୋଧୀ ଦଳର ପ୍ରାର୍ଥୀ ହେବାକୁ ଆଗ୍ରହୀ ନୁହଁନ୍ତି।

Categories
ବିଶେଷ ଖବର

ଧାନ କୁଇଣ୍ଟାଲ ୧୦୦ ଟଙ୍କା ବଢାଇବା ଓଡିଶାର ଚାଷୀଙ୍କ ପ୍ରତି ଉପହାସ: ବିଜେଡି

ଭୁବନେଶ୍ୱର: କେନ୍ଦ୍ର ସରକାର ଗତକାଲି ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଫଳରେ ୨୦୨୧-୨୨ ରୁ କୁଇଣ୍ଟାଲ ପ୍ରତି ୧୯୪୦ ଟଙ୍କା ଥିବା ସାଧାରଣ ଧାନର ଦର ୨୦୨୨-୨୩ ବର୍ଷ ପାଇଁ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କା ହୋଇଛି। ଧାନର ଏଭଳି ନଗଣ୍ୟ ଦରବୃଦ୍ଧି ଓଡିଶା ଚାଷୀକୂଳ ପ୍ରତି ଉପହାସ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଡକ୍ଟର ସସ୍ମିତ ପାତ୍ର।

ଧାନର ମୂଲବୃଦ୍ଧି ଉପରେ ଡକ୍ଟର ପାତ୍ର କହିଛନ୍ତି ଯେ ସ୍ୱାମୀନାଥନ୍ କମିଶନ ଧାନର ଏମ୍‍ଏସ୍‍ପିକୁ ଉତ୍ପାଦନ ମୂଲ୍ୟର ସି୨ ହାରରେ ୧.୫ ଗୁଣ ବୃଦ୍ଧି କରିବାକୁ ଯେଉଁ ସୁପାରିଶ କରିଥିଲେ ତାହା କେନ୍ଦ୍ର କରିନାହିଁ। ୨୫ ମାର୍ଚ୍ଚ, ୨୦୧୭ ରେ, ଓଡ଼ିଶା ବିଧାନସଭା ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ କରି ସାଧାରଣ ଧାନର ଏମଏସପି କୁଇଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି। ବିଜେପି, କଂଗ୍ରେସ ଏବଂ ବିଜେଡିର ସମସ୍ତ ବିଧାୟକ ଏହାକୁ ସର୍ବସମ୍ମତି କ୍ରମେ ସମର୍ଥନ କରିଛନ୍ତି। କିନ୍ତୁ ଏହି ସଂକଳ୍ପ ପାରିତ ହେବାର ପାଞ୍ଚ ବର୍ଷ ପରେ ମଧ୍ୟ ବିଜେଡି ସାଂସଦଙ୍କ ସଂସଦ ତଥା ଓଡ଼ିଶା ବିଧାନସଭାରେ ରଖାଯାଇଥିବା ଅନେକ ଦାବି ପରେ ମଧ୍ୟ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରି ନାହିଁ।

ଧାନର ଏମଏସ୍‍ପି କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପ୍ରସଙ୍ଗ ବ୍ୟତିତ କେନ୍ଦ୍ର ମଧ୍ୟ ଓଡିଶାରୁ ଅତିରିକ୍ତ ଉଷୁନା ଚାଉଳ ଉଠାଇବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଓଡିଶାରେ ଉତ୍ପାଦିତ ଅଧିକାଂଶ ଚାଉଳ ହେଉଛି ଉଷୁନା ଚାଉଳ ଏବଂ ଦେଶର ପିଡିଏସ୍‍ ଚାଉଳରେ ଅବଦାନ ପାଇଁ ଏହା ଏକ ଅଗ୍ରଣୀ ରାଜ୍ୟ ଅଟେ। ବଳକା ଉଷୁନା ଚାଉଳ ଉଠାଇବା ବନ୍ଦ କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତି ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ଏବଂ ପଶ୍ଚିମ ଓଡିଶାରେ ମଧ୍ୟ ଏହା ଅଧିକ ପ୍ରଭାବ ପକାଇବ।

୨୦୨୧-୨୨ ଖରିଫ ମାର୍କେଟିଂ ସିଜିନ (କେଏମଏସ୍‍)ରେ ୫୨ ଲକ୍ଷ ଟନ୍ ଚାଉଳ ସଂଗ୍ରହ ମଧ୍ୟରୁ, ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‍) ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ଅଧୀନରେ ରାଜ୍ୟର ବ୍ୟବହାର ପ୍ରାୟ ୩୯ ଲକ୍ଷ ଟନ୍ ହେବ। ରାଜ୍ୟରେ ୧୩ ଲକ୍ଷ ଟନ୍ ଚାଉଳ ବଳକା ହେବାର ସମ୍ଭାବନା ଅଛି ଯାହାକୁ ତୁରନ୍ତ ଉଠାଇବା ଉଚିତ୍‍। କିନ୍ତୁ କେନ୍ଦ୍ର ଏହି ପ୍ରସଙ୍ଗରେ ନିରବ ରହିଛି।

ଏଥିସହ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧିନରେ ଥିବା ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ଦ୍ୱାରା ଦିଆଯାଇଥିବା ଲକ୍ଷ୍ୟ ଅନୁଯାୟୀ ପାଞ୍ଚ ଲକ୍ଷ ଟନ୍ ଭିଟାମିନଯୁକ୍ତ ଉଷୁନା ଚାଉଳକୁ ଏଫସିଆଇରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି। ୨୦୨୧-୨୨ କେଏମଏସ୍‍ ସମୟରେ ଅଧିକ ପରିମାଣର ଭିଟାମିନଯୁକ୍ତ ଉଷୁନା ଚାଉଳ ବିତରଣ କରିବା ସ୍ଥିତିରେ ରାଜ୍ୟ ଅଛି ଏବଂ ଡିଏଫପିଡି କୁ ଭିଟାମିନଯୁକ୍ତ ଚାଉଳର ଅତିରିକ୍ତ ଲକ୍ଷ୍ୟ ଦେବାକୁ ଅନୁରୋଧ କରାଯାଇଛି। କିନ୍ତୁ ଅଧିକ ପରିମାଣର ଲକ୍ଷ୍ୟ ପାଇଁ କେନ୍ଦ୍ର ପକ୍ଷରୁ ଏପର୍ଯ୍ୟନ୍ତ ରାଜ୍ୟକୁ ସୂଚିତ କରାଯାଇନାହିଁ।

ଓଡିଶା ସରକାର ୧୦,୩୩୩ କୋଟି ଟଙ୍କା ଖାଦ୍ୟ ସବସିଡି ବିଲ୍ ପ୍ରଦାନ କରିବାକୁ ଦାବି କରିଥିଲେ। ରାଜ୍ୟରେ ଧାନ ସଂଗ୍ରହ କରୁଥିବା ସଂସ୍ଥାକୁ ଆର୍ଥିକ ଚାପରୁ ମୁକୁଳାଇବା ପାଇଁ କେନ୍ଦ୍ର ତୁରନ୍ତ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ଦାବି କରୁଥିବା ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ରାଜ୍ୟ ସରକାରଙ୍କ ପାଇଁ ଧାନ ଖରିଦ ସକାଶେ ନିଯୁକ୍ତ ସଂସ୍ଥା ଓଡିଶା ରାଜ୍ୟ ଯୋଗାଣ ନିଗମର ୨୦୨୨ ଏପ୍ରିଲ୍‍ ଶେଷ ସୁଦ୍ଧା ୭୯୩୧.୯୦ କୋଟି ଟଙ୍କାର ଅସ୍ଥାୟୀ ସବସିଡି ଏବଂ ୨୪୦୨.୧୯ କୋଟି ଟଙ୍କାର ଅଗ୍ରୀମ ସବସିଡି ଏହିଭଳି ମୋଟ୍‍ ୧୦,୩୩୪ କୋଟି ଟଙ୍କା ହୋଇଗଲାଣି। ଆହୁରି ମଧ୍ୟ ଅତିରିକ୍ତ ସୁଧ ପ୍ରଦାନରେ ବିଳମ୍ବ ଏବଂ ସବସିଡିର ସ୍ୱଳ୍ପ ମଞ୍ଜୁର ହେତୁ ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା ପ୍ରାୟ ୫୪୫୪.୬୭ କୋଟି ଟଙ୍କାର ଅତିରିକ୍ତ ବୋଝ ହୋଇଛି ଯାହା ଭରଣା କରାଯାଇ ପାରୁନାହିଁ। କେନ୍ଦ୍ର ସୁଧ ବାବଦ ଦେୟ ପ୍ରଦାନ କରିବା ଉଚିତ୍‍, ଏହା ନହେଲେ ରାଜ୍ୟ ଅତିରିକ୍ତ ବୋଝ ବହନ କରିବ। କିନ୍ତୁ କେନ୍ଦ୍ର ଏ ବାବଦରେ କୌଣସି ପଦକ୍ଷେପ ନେଉନାହିଁ ବୋଲି ଡକ୍ଟର ପାତ୍ର କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୬୬ ହଜାରରୁ ଅଧିକ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି। ଏହାର ପ୍ରାର୍ଥୀ  ଅଳକା ମହାନ୍ତି ପ୍ରାୟ ୬୬ ହଜାର ୧୨୨ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ସମସ୍ତ ୨୦ ରାଉଣ୍ଡରେ ଟ୍ରେଣ୍ଡ ରହିବା ପରେ କଂଗ୍ରେସକୁ ପଛରେ ପକାଇ ବିଜେଡି ବିଜୟୀ ହୋଇଛି।

ଗଣତି ଅନୁସାରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଶେଷ ସୁଦ୍ଧା ୮୮,୮୭୦ ଭୋଟ ପାଇଥିବା ବେଳେ କଂଗ୍ରେସ ୨୫,୮୨୭ ଖଣ୍ଡ ଭୋଟ ହାସଲ କରିଛି। ସେହିପରି ବିଜେପି ୨୧,୪୬୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଛି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରଜରାଜନଗର ଉପ-ନିର୍ବାଚନ: ୧୬ ରାଉଣ୍ଡ ଶେଷ ସୁଦ୍ଧା ବହୁତ ଆଗରେ ବିଜେଡ଼ି, ତୃତୀୟକୁ ଖସିଲା ବିଜେପି

ଭୁବନେଶ୍ଵର: ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ସରିଥିବା ବେଳେ ଆଜି ଭୋଟ ଗଣତି ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଉପ-ନିର୍ବାଚନର ଭୋଟ ଗଣତି ୧୬ ରାଉଣ୍ଡ ପର୍ଯ୍ୟନ୍ତ ଶେଷ ହୋଇଛି। ୧୬ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ବହୁତ ଆଗରେ ଥିବା ବେଳେ କଂଗ୍ରେସ ଦ୍ଵିତୀୟ ଓ ବିଜେପି ତୃତୀୟ ସ୍ଥାନରେ ଅଛି। ବିଜେଡ଼ି ପ୍ରାର୍ଥୀ ଅଳକା ମହାନ୍ତି ୭୫ ହଜାର ୩୧୭ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ୨୧ ହଜାର ୨୨୧ ଭୋଟ ପାଇଛନ୍ତି। ସେହିଭଳି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୧୮ ହଜାର ୮୯୭ ଭୋଟ ପାଇଛନ୍ତି। ତେଣୁ ୧୬ ତମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ଅଳକା ମହାନ୍ତି ତାଙ୍କର ନିକଟତମ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ଠାରୁ ୫୪ ହଜାର ୯୬ ଭୋଟରେ ଆଗୁଆ ଅଛନ୍ତି।

Categories
RajyasabhaElection ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବ୍ରଜରାଜନଗର ଉପନିର୍ବାଚନରେ ଜିତିବ ବିଜେଡି, ହେଲେ ଦ୍ବିତୀୟ ସ୍ଥାନରେ କିଏ? କଂଗ୍ରେସ ନା ବିଜେପି

ଭୁବନେଶ୍ବର: ଶେଷ ହେଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ। ବର୍ତ୍ତମାନ ଫଳାଫଳକୁ ଅପେକ୍ଷା। ହେଲେ ଏଥର ଫଳ ମଧ୍ୟ ସେହି ବିଜେଡି ଖାତାକୁ ଯିବ। କାରଣ ଓଡିଶାରେ ନବୀନ ସରକାର ଆସିବା ପରେ ଯେତୋଟି ଉପନିର୍ବାଚନ ହୋଇଛି ଗୋଟିଏକୁ ଛାଡିଦେଲେ ଅନ୍ୟ ସବୁଥିରେ ବିଜେଡି ଜିତିଛି।

ସେଥିପାଇଁ ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ଜିତିଲେ ଏଥିରେ ଉତ୍ସାହିତ ହେବାର କିଛି କାରଣ ନାହିଁ। ରାଜ୍ୟ ରାଜନୀତିର ପୁରୁଣା ଇତିହାସ କହୁଛି ଉପନିର୍ବାଚନ ଅର୍ଥ ବିଜେଡିର ଜିତାପଟ। ହେଲେ ସବୁଠୁ ବଡ କଥା ବା ଆଲୋଚନାର ବିଷୟ ହେବ ଯେ ବ୍ରଜରାଜନଗରରେ ଦ୍ବିତୀୟ ସ୍ଥାନରେ କିଏ ରହୁଛି। ବିଜେପି ନା କଂଗ୍ରେସ।

ପୁରଣା ରାଜନୈତିକ ଇତିହାସ ପୃଷ୍ଠା ଓଲଟାଇଲେ ପୂର୍ବରୁ ଦ୍ବିତୀୟ ସ୍ଥାନରେ ରହୁଛି ବିଜେପି। କାରଣ ମୋଦୀ ସରକାର ଆସିବା ପରେ ଓଡିଶାର ଅନେକ ଭୋଟର ତାଙ୍କ ପ୍ରତି ଆକୃଷ୍ଟ ହୋଇଛନ୍ତି। ଫଳରେ ଓଡିଶାରେ ବିଜେପି ବିରୋଧୀ ଦଳରେ ବସିବାରେ ସକ୍ଷମ ହୋଇପାରିଛି। ହେଲେ ବ୍ରଜରାଜନଗରରେ ବର୍ତ୍ତମାନ ବିଜେପି ଦ୍ବିତୀୟ ସ୍ଥାନରେ ରହିବ କି ନାହିଁ ସେ ନେଇ ଅନେକଙ୍କ ସନ୍ଦେହ ଉପୁଜିଛି।

ଏପରି ସନ୍ଦେହ କରିବାର କାରଣ ମଧ୍ୟ ରହିଛି। ତାହା ହେଲା ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ଯେତିକି ସଫଳତା ହାସଲ କରିଛି ତାଠାରୁ ଅଧିକ କରିପାରିଥାଆନ୍ତା। ହେଲେ ରାଜ୍ୟ ନେତୃତ୍ବ ପ୍ରଚାରରେ ଯେପରି ଅଂଶ ଗ୍ରହଣ କରିବା କଥା ତାହା ହେଲା ନାହିଁ। ବିଜେପି ମଙ୍ଗୁଆଳ ଧର୍ମେନ୍ଦ୍ର ପ୍ରଧାନ ୟୁପି ନିର୍ବାଚନ ନାଁରେ ଓଡିଶା ମଇଦାନ ଛାଡିଦେଲେ। ପୌର ନିର୍ବାଚନ ବେଳକୁ ୟୁପି ନିର୍ବାଚନ ନ ଥିଲେ ମଧ୍ୟ ସେ ପ୍ରଚାର କଲେ ନାହିଁ। ଫଳରେ ବିଜେପି କର୍ମୀମାନେ ଏହି ନିର୍ବାଚନରେ ନେତୃତ୍ବ ଛେଉଣ୍ଡ ହୋଇ ବୁଲିଲେ।

ବିଜେପି ନେତୃତ୍ବର ଏପରି ଭୂମିକାକୁ ନେଇ ତଳ ସ୍ତରର କର୍ମିଙ୍କ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ପଞ୍ଚାୟତ ଆଉ ପୌର ନିର୍ବାଚନ ହେଉଛି କର୍ମିଙ୍କ ନିର୍ବାଚନ। ହେଲେ ସେତେବେଳେ ନେତା ଧରାଛୁଆଁ ଦେଲେ ନାହିଁ। ସେମାନଙ୍କ ମନ ଭିତରେ ଅସନ୍ତୋଷ କୁହୁଳିଛି। ଫଳରେ ରାଜନୈତିକ ସମୀକ୍ଷ ଆଶଙ୍କା କରୁଛନ୍ତି ଯେ ସେହି ଅସନ୍ତୋଷ ହୁଏତ ଭୋଟରେ ପ୍ରତିଫଳିତ ହୋଇଯିବ। ଯଦି ତାହା ସତ ହେବ ତେବେ ବିଜେପି ତୃତୀୟ ସ୍ଥାନକୁ ଖସିଆସିବା କିଛି ଅସମ୍ଭବ ହେବ ନାହିଁ।

ଅନ୍ୟପକ୍ଷରେ କଂଗ୍ରେସ ସଂଗଠନକୁ ନଜର ପକାଇବା। ବ୍ରଜରାଜନଗର ପାଇଁ କଂଗ୍ରେସର ଜଣେ ଭଲ ପ୍ରାର୍ଥୀ ହେଉଛନ୍ତି କିଶୋର ପଟେଲ। ପୁରୁଣା କଂଗ୍ରେସ ନେତା ସହ ତାଙ୍କର ସେଠାରେ ଭଲ ସଂଗଠନ ଅଛି। ଠିକ ମତଦାନ ପୂର୍ବରୁ ପିସିସି ସଭାପତି ପରିବର୍ତ୍ତନ ହୋଇ ଶରତ ପଟ୍ଟନାୟକ ହେଲେ। ଫଳରେ ନୂଆ ସଭାପତିଙ୍କ ନେତୃତ୍ବରେ ବ୍ରଜରାଜନଗର ହେଉଛି ପ୍ରଥମ ନିର୍ବାଚନ। ତେଣୁ କଂଗ୍ରେସର ଏପରି ପରିବର୍ତ୍ତନ କଣ ଭୋଟରମାନେ ଭଲରେ ଗ୍ରହଣ କରିଛନ୍ତି କି? ଯଦି ହଁ ତେବେ ହୁଏତ କଂଗ୍ରେସ ଦ୍ବିତୀୟ ସ୍ଥାନକୁ ଆସିପାରେ।

ଯଦି ଏସବୁ କାରଣ ନେଇ କଂଗ୍ରେସ ଦ୍ବିତୀୟ ସ୍ଥାନକୁ ଆସିଯାଏ ତେବେ ଓଡିଶା ରାଜନୀତିରେ ହେବ ଏକ ବଡ ପରିବର୍ତ୍ତନ। ଆଉ ସେହି ପରିବର୍ତ୍ତନ କଂଗ୍ରେସ ମୁହାଁ ହେବାର କିଛି ଅସମ୍ଭବ ହେବ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଖାଲି ଥିବା ୪ ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି, ପୁଣି ସଂସଦ ଯିବେ ସସ୍ମିତ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ରାଜ୍ୟସଭା ପାଇଁ ଖାଲି ଥିବା ୪ ଟି ଆସନ ପାଇଁ ବିଜୁଜନତା ଦଳ ପ୍ରାର୍ଥୀ ଘୋଷଣା କରିଛି।

ଏହି ୪ ଜଣଙ୍କ ମଧ୍ୟରେ ସସ୍ମିତ ପାତ୍ରଙ୍କୁ ପୁଣିଥରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି। ଏତଦବ୍ୟତୀତ ବିଜେଡ଼ିର ପ୍ରବକ୍ତା ସୁଲତା ଦେଓ, ରାଜ୍ୟ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ ଓ ନିରଞ୍ଜନ ବିଶିଙ୍କୁ ମୁଖ୍ୟମନ୍ତ୍ରୀ ତଥା ଦଳର ମୁଖିଆ ନବୀନ ପଟ୍ଟନାୟକ ମାନୋନିତ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂକ୍ରାନ୍ତରେ ଆଜି ବିଜେଡି ତରଫରୁ ଦିଆଗଲା ଏପରି ପ୍ରତିକ୍ରିୟା

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଏବଂ ଅନୁମୋଦନ କରାଯାଇଛି। ପ୍ରଥମତଃ ସାଧାରଣ ଲୋକେ ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ ଡୋମେନରେ ରଖାଯାଇଥିଲା। ଏହାପରେ ପରିଚାଳନା କମିଟି ଦ୍ୱାରା ଏହି ଯୋଜନା ଅନୁମୋଦନ କରାଯାଇଥିଲା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀ ଲେନିନ୍‍ ମହାନ୍ତି।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଏହାପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଓଡିଶା ସରକାରଙ୍କ ନିକଟକୁ ଆସିଥିଲା ଯାହାକୁ ସରକାର ଅନୁମୋଦନ କରିପାରିଥାନ୍ତେ। କିନ୍ତୁ ଏହା କରିବା ବଦଳରେ ପ୍ରକଳ୍ପକୁ ଓଡିଶା ବିଧାନସଭା ମାଧ୍ୟମରେ ଓଡିଶାର ଲୋକଙ୍କ ନିକଟକୁ ନେବାକୁ ନିଷ୍ପତ୍ତି ନିଆଯାଇଥିଲା । ସେଠାରେ ଏହି ଯୋଜନାଟି ସମସ୍ତ ବିଧାୟକଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା।

ଯୋଜନା ଅନୁମୋଦନ ହେବା ପରେ ଏହାକୁ ଜାତୀୟ ଐତହ୍ୟ ପ୍ରାଧିକରଣ (ଏନ୍‌ଏମ୍‌ଏ)କୁ ପଠାଯାଇଥିଲା ଯିଏ କି ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଏନ୍‌ଏମ୍‌ଏର ଅନୁମୋଦନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା। ଏହି ସମାରୋହ ପାଇଁ ସମସ୍ତ ରାଜନୈତିକ ଦଳର ନେତାଙ୍କ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହା ପରେ କାମ ଆରମ୍ଭ ହେଲା।

ଏଏସ୍‍ଆଇ କିଛି ପରାମର୍ଶ ଦେଇଥିଲା ଯାହା ବିଧିବଦ୍ଧ ଭାବରେ ସାମିଲ କରାଯାଇଥିଲା ଏବଂ ସେହି ଅନୁଯାୟୀ ସଂଶୋଧନ କରାଯାଇଥିଲା। ସାଧାରଣ ଲୋକ ଏବଂ ବିଭିନ୍ନ ସଂଗଠନ ସହିତ ପରାମର୍ଶ କରିବା ପରେ, ଓଡ଼ିଶା ବିଧାନସଭା ଦ୍ୱାରା ଏହି ଯୋଜନାକୁ ସର୍ବସମ୍ମତି କ୍ରମେ ପାସ୍ କରିବା ଏବଂ ପରବର୍ତ୍ତୀ ସମୟରେ ଏନ୍‍ଏମ୍‌ଏ ଦ୍ୱାରା ଏହି ଯୋଜନା ଅନୁମୋଦନ ହେବାପରେ କାର୍ଯ୍ୟକାରୀ ହେଉଛି। ଆଗକୁ ମୌସୁମୀ ଓ ରଥଯାତ୍ରା ଆସୁଥିବାରୁ ଆଶା କରାଯାଉଛି ଯେ ସମସ୍ତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରିବା ଉଚିତ୍‍।

Categories
ଆଜିର ଖବର ରାଜ୍ୟ ଖବର

ବ୍ରଜରାଜନଗର ଉପ-ନିର୍ବାଚନ ଲଢେଇ: ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା ବିଜେଡ଼ି

ଭୁବନେଶ୍ବର: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡ଼ି ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି। ଏହି ଲଢେଇ ପାଇଁ ବିଜୁ ଜନତା ଦଳ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି। ଏହି ତାଲିକାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାମ ଥିବା ବେଳେ ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ନାମ ମଧ୍ୟ ରହିଛି।

ସେହିଭଳି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ, ସମୀର ଦାଶ, ସ୍ନେହାଙ୍ଗିନି ଛୁରିଆ, ସୁବାସ ସିଂ, ସୁଶାନ୍ତ ସିଂ, ଅରୁଣ ସାହୁ, ପ୍ରତାପ ଜେନାଙ୍କ ନାମ ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରଜରାଜନଗର ଉପନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି

ଭୁବନେଶ୍ବର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ସ୍ବର୍ଗତଃ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି। ବ୍ରଜରାଜନଗରର

ତେବେ ବିଜେପି ଏହି ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ପ୍ରାର୍ଥୀ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରଜରାଜନଗର ଉପନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ବର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିଛି। ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ କରିଛି। ବ୍ରଜରାଜନଗରର ପୂର୍ବତନ ବିଧାୟିକା ହେଉଛନ୍ତି ରାଧାରାଣୀ ପଣ୍ଡା।

ତେବେ ବିଜେପି ଏହି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ଏହା ପୂର୍ବରୁ ଘୋଷଣା କରିଛି। ଏହି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ ଶାସକ ଦଳ ବିଜେଡ଼ି ପକ୍ଷରୁ ଏହି ଉପନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ହିଂସାକାରୀଙ୍କୁ ସୁରକ୍ଷା ଦେବା ବିଜେପିର ପୁରୁଣା ଅଭ୍ୟାସ: ବିଜେଡି

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ନିଜ ଦଳର ଜନପ୍ରତିନିଧିଙ୍କୁ ସୁରକ୍ଷା ଦେବା ଓଡିଶା ବିଜେପିର ଅଭ୍ୟାସରେ ପରିଣତ ହେଲାଣି। କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ଲୋକସଭା ସାଂସଦ ବିଶେଶ୍ୱର ଟୁଡୁ ମୟୂରଭଞ୍ଜ ଜିଲ୍ଲା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ। ଗତକାଲି ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଦେବଗଡ ଜିଲ୍ଲା ତିଲେଇବଣି ବିଡିଓଙ୍କୁ ଆକ୍ରମଣ କରିଥିବା ଘଟଣାରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ସରକାରୀ କର୍ମଚାରୀଙ୍କୁ ଗାଳିଗୁଲଜ ଓ ଭୟଭୀତ କରିବା ଓଡିଶାର ବିଜେପି ଜନପ୍ରତିନିଧୀଙ୍କ ଅଭ୍ୟାସରେ ପରିଣତ ହୋଇଛି ଏବଂ ସେମାନଙ୍କ ଏଭଳି ହିଂସାକୁ ନିନ୍ଦା କରିବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ଦେବା ଓଡିଶା ବିଜେପିର ଏକ ଅଭ୍ୟାସରେ ପରିଣତ ହୋଇଛି।

ଯେତେବେଳେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଲୋକସଭା ସାଂସଦ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ, ଆମେ ଆଶା କରିଥିଲୁ ଯେ ଓଡିଶା ବିଜେପି ଏହାକୁ ନିନ୍ଦା କରିବ କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନେ ଲୋକସଭା ସାଂସଦଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଜନସାଧାରଣଙ୍କ ଦୃଷ୍ଟି ଅନ୍ୟଆଡେ ନେବାକୁ ଚେଷ୍ଟା କରିଥିଲେ।

ଆଜି ମଧ୍ୟ ଯେତେବେଳେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଓଡିଶା ବିଜେପି ଶ୍ରୀ ପାଣିଗ୍ରାହୀଙ୍କ ହିଂସାତ୍ମକ ଆଚରଣକୁ ନିନ୍ଦା କରିବା ପରିବର୍ତ୍ତେ ଦୁର୍ଭାଗ୍ୟବଶତଃ ତାଙ୍କୁ ଏବଂ ତାଙ୍କ ହିଂସାତ୍ମକ କାର୍ଯ୍ୟକୁ ସୁରକ୍ଷା ଦେଉଛନ୍ତି। ବିଜୁ ଜନତା ଦଳ ସର୍ବଦା ଆଇନ୍‌ର ଶାସନ ସହିତ ଅଛି ଏବଂ ଆଇନ୍‌କୁ ତା ବାଟରେ ଯିବାକୁ ଦେଇଥାଏ। ଅତୀତରେ ଦଳମତ ନିର୍ବିଶେଷରେ ଆଇନ୍ ଅନୁଯାୟୀ ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଆଜି ମଧ୍ୟ ତାହା ହେଉଛି।

କିନ୍ତୁ ଦୁର୍ଭାଗ୍ୟବଶତଃ ଓଡିଶା ବିଜେପି ଦୋଷୀଙ୍କୁ ରକ୍ଷା କରିବାକୁ ଚାହୁଁଛି ଏବଂ ଜନସାଧାରଣଙ୍କ ଦୃଷ୍ଟି ଅନ୍ୟ ଆଡେ ନେବାକୁ ଚେଷ୍ଟା କରୁଛି। ଏହି କାରଣରୁ ଓଡ଼ିଶାର ଲୋକ ବିଜେପିକୁ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରୁଛନ୍ତି। ଆମେ ଆଶା କରୁଛୁ ଯେ ଓଡିଶା ବିଜେପି ମିଥ୍ୟା ପ୍ରଚାରରୁ ଦୂରେଇ ରହିବ ଏବଂ ସେମାନଙ୍କ ଦଳର ଜନପ୍ରତିନିଧୀଙ୍କ ଦ୍ୱାରା ଏପରି ହିଂସାତ୍ମକ କାର୍ଯ୍ୟକୁ ନେଇ ରାଜନୀତି କରିବ ନାହିଁ ଏବଂ ସେମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଆଇନ୍‌କୁ ସ୍ୱାଗତ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅବିଭକ୍ତ କଳାହାଣ୍ଡି ଜିଲ୍ଲା ପୌର ନିର୍ବାଚନ: ସ୍ଵାଧୀନ ପ୍ରାର୍ଥୀଙ୍କ ଠାରୁ ହାରିଲେ ବିଜେପି ସାଂସଦଙ୍କ ପୁଅ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସଂପ୍ରତି ପୌର ନିର୍ବାଚନରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ଛଅଟି ଏନଏସି ଓ ଭବାନୀପାଟଣା ମ୍ୟୁନିସିପାଲିଟୀ ମଧ୍ୟରୁ ଶାସକ ବିଜେଡି କେବଳ ଦୁଇଟିରେ ପୌରାଧ୍ୟକ୍ଷ ପଦବୀ ପାଇବାରେ ସଫଳ ହୋଇଛି। ଭବାନୀପାଟଣା ମ୍ୟୁନିସିପାଲିଟୀରେ ଶାସକ ବିଜେଡି ପକ୍ଷରୁ ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅନେକ ପୁରୁଖା ନେତାଙ୍କୁ  ଚକମା ଦେଇ ଶେଷ ମୂହୁର୍ତ୍ତରେ ଏସଏଚଜି ମହିଳା ନେତ୍ରୀଙ୍କୁ ଅଧ୍ୟକ୍ଷା ପ୍ରାର୍ଥୀନୀ ଭାବେ ଠିଆ କରାଇ ବିଜେଡି ଶେଷରେ ବାଜିମାତ କରିଛି। ମୋଟ ୫୭,୭୧୧ ଭୋଟର ମଧ୍ୟରୁ ୩୩,୦୫୧ ଜଣ ଭୋଟ ଦେଇଥିବା ଭବାନୀପାଟଣା ମ୍ୟୁନିସିପାଲିଟୀରେ ବିଜେପିର ବିନୀତା ଦାଶ ୧୩,୨୮୮ ଭୋଟ  ପାଇଥିବା ବେଳେ ବିଜେଡି ପ୍ରାର୍ଥୀନୀ ସଂଯୁକ୍ତା ବେହେରା୧୪.୧୩୫ ଭୋଟ ପାଇ ବିଜୟୀ ହୋଇଛନ୍ତି। ସହରର ୨୦ ଟି ୱାର୍ଡ ମଧ୍ୟରୁ ୧୮ଟିରେ ବିଜେଡି ଏବଂ ବିଜେପି ଓ କଂଗ୍ରେସର ଗୋଟିଏ ଲେଖାଏଁ କାଉନସିଲର ବିଜୟୀ ହୋଇଛନ୍ତି।

ଜୁନାଗଡ ଏନଏସିରେ ବିଜେପିର ମୁକେଶ ଅଗ୍ରୱାଲ ଅଧ୍ୟକ୍ଷ ଭାବେ ବାଜିମାତ କରିଛନ୍ତି। ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ ବାବେ ଜଣାଶୁଣା ମହେଶ ସାହୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନରେ ଲଢୁଥିବା ହେତୁ ମନ୍ତ୍ରୀ ହିଁ ସିଧାସଳଖ ଭାବେ ନିର୍ବାଚନରେ ସାମିଲ ଥିବା ଦେଖାଯାଇଥିଲା। ମୋଟ ୧୪,୭୪୩ ଭୋଟର ମଧ୍ୟରୁ ୧୧,୦୯୫ ଜଣ ଭୋଟ ଦେଇଥିବା ଜୁନାଗଡ ଏନଏସିରେ  ବିଜେଡିର ମହେଶ ସାହୁ ୪,୭୧୫ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମୁକେଶ ଅଗ୍ରୱାଲ ୫,୮୮୯ ଭୋଟ ପାଇ ବିଜୟୀ ହୋଇଛନ୍ତି। ସହରର୧୨ ଟି ୱାର୍ଡ ମଧ୍ୟରୁ ୧୦ଟିରେ ବିଜେଡି ଏବଂ ୨ ଟିରେ ବିଜେପି କାଉନସିଲର ବିଜୟୀ ହୋଇଛନ୍ତି।

ଧର୍ମଗଡ ଏନଏସିରେ ବିଜେପିର ଅଶୋକ ମହାନ୍ତି ଅଧ୍ୟକ୍ଷ ଭାବେ ବାଜିମାତ କରିଛନ୍ତି। ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ ଭାବେ ଜଣାଶୁଣା ରଜନୀକାନ୍ତ ମୁନୀ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ବେଳେ ବିଜେଡିରୁ ଅଧ୍ୟକ୍ଷ ପଦବୀ ପାଇଁ ଦାବୀଦାର ଥିବା ଅଶୋକ ମହାନ୍ତି ଶେଷ ମୂହୁର୍ତ୍ତରେ ବିଜେପିରେ ସାମିଲ ହୋଇ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଲଢି ଜିତିଥିବା ଜଣାପଡିଛି। ପୂର୍ବରୁ ଧର୍ମଗଡ ସରପଂଚ, ଏନଏସି ଉପାଧ୍ୟକ୍ଷ ଥିବା ଅଶୋକ ବିଜେପିରେ ସାମିଲ ହୋଇ ଜିତିଥିବା ବେଳେ ଶାସକ ବିଜେଡିର ଶୋଚନୀୟ ପରାଜୟ ହୋଇଛି। ବିଜେଡିର ରଜନୀକାନ୍ତ ମୁନୀ ୩୪୩୩ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତି ୫୮୯୪  ଭୋଟ ପାଇ ବିଜୟୀ ହୋଇଛନ୍ତି। ସହରର ୧୪ ଟି ୱାର୍ଡ ମଧ୍ୟରୁ ୯ଟିରେ ବିଜେଡି ଏବଂ  ୫ ଟିରେ ବିଜେପି କାଉନସିଲର ବିଜୟୀ ହୋଇଛନ୍ତି।

କେସିଙ୍ଗା ଏନଏସିରେ ବିଜେଡିର ନୃପରାଜ ଯାଦବ ଅଧ୍ୟକ୍ଷ ଭାବେ ବାଜିମାତ କରିଛନ୍ତି। କଂଗ୍ରେସର ରାମ କୁମାର ଜୈନ ୪୧୯୧ ଭୋଟ ପାଇଥିବା ବେଳେ ବିଜେଡିର ନୃପରାଜ ଯାଦବ ୫୧୦୩ ଭୋଟ ପାଇ ବିଜୟୀ ହୋଇଛନ୍ତି।

ସେହିପରି ନୂଆପଡା ଜିଲ୍ଲା ଖରିଆର ଏନଏସିରେ କଂଗ୍ରେସ ପ୍ରାର୍ଥୀ ଉଜ୍ୱଳ ଗୁପ୍ତା ବିଜୟୀ ହୋଇଥିବା ବେଳେ ନୂଆପଡା ଏନଏସି ଅଧ୍ୟକ୍ଷ ଭାବରେ ସାଂସଦଙ୍କ ପୁଅକୁ ହରାଇ ସ୍ୱାଧିନ ପ୍ରାର୍ଥୀ ନିର୍ବାିଚିତ ହୋଇଛନ୍ତି। ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଭାବରେ ବିଜେପିର ସୋନିଆ ଜୈନ ନିର୍ବାଚିତ ହୋଇଛନ୍ତି। ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ୩ ବିଜେପି ଅଧ୍ୟକ୍ଷ ହୋଇଥିବା ବେଳେ କଂଗ୍ରେସ ୧ ଓ ସ୍ୱାଧିନ ୧ ଅଧ୍ୟକ୍ଷ ହୋଇଛନ୍ତି।

କଳାହାଣ୍ଡି ସାଂସଦଙ୍କ ନିଜସ୍ୱ ଏନଏସିରେ ତାଙ୍କ ପୁଅଙ୍କୁ ଜନତା ପ୍ରତ୍ୟାଖ୍ୟାନ କରିଥିବା ବେଳେ ଜୁନାଗଡ ଓ ଧର୍ମଗଡ ଏନଏସିରେ ପ୍ରାର୍ଥୀମାନଙ୍କ ନିଜସ୍ୱ ଲୋକପ୍ରିୟତାରେ ବିଜେପି ପ୍ରାର୍ଥୀମାନେ ବିଜୟୀ ହୋଇଥିବା ଜଣାପଡିଛି। ଖୋଦ କଳାହାଣ୍ଡି ସାସଂଦ ବସନ୍ତ ପଣ୍ଡାଙ୍କ ନିଜସ୍ୱ ନୂଆପଡା ଏନଏସିରେ ତାଙ୍କର ପୁଅ ସ୍ୱାଧିନ ପ୍ରାର୍ଥୀଙ୍କ ଠାରୁ ଶୋଚନୀୟ ପରାଜୟ ହୋଇଥିବା ସାସଂଦଙ୍କ ଲୋକପ୍ରିୟତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୌରାଧ୍ୟକ୍ଷ ଫଳାଫଳ: ଚିଲିକାର ଉଭୟ ଆସନ ହାତେଇଲା ବିଜେଡ଼ି

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୌରାଧ୍ୟକ୍ଷ ନିର୍ବାଚନ ପାଇଁ ସାରା ରାଜ୍ୟରେ ଭୋଟ ଗଣତି ଜାରି ରହିଛି। ଏହି ସମୟ ମଧ୍ୟରେ ଅନେକ ସ୍ଥାନରେ ଭୋଟ ଗଣତି ଜାରି ରହିଥିବା ବେଳେ କିଛି ସ୍ଥାନରେ ଫଳାଫଳ ଘୋଷଣା ହୋଇଛି।

ତେବେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ଏବଂ ବାଲୁଗାଁ ଏନଏସିରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି। ଉଭୟ ଏନଏସିରେ ବିଜେଡ଼ି ବାଜିମାତ କରିଛି। ବାଣପୁର ଏନଏସିର ବିଜେଡ଼ି ପ୍ରାର୍ଥୀ ମିଟୁ ନାୟକ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ପ୍ରାର୍ଥୀ ନନ୍ଦ କିଶୋର ମିଶ୍ରଙ୍କଠାରୁ ୪୪୭ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି। ମିଟୁ ନାୟକ ୧୫ ଟି ୱାର୍ଡରୁ ୪୮୬୯ ଖଣ୍ଡ ଭୋଟ ପାଇଥିବା ବେଳେ ନନ୍ଦ କିଶୋର ମିଶ୍ର ୪୪୨୨ ଖଣ୍ଡ ଭୋଟ ପାଇଛନ୍ତି।

ସେହିଭଳି ବାଲୁଗାଁ ଏନଏସିର ବିଜେଡ଼ି ପ୍ରାର୍ଥୀ ସୁକାନ୍ତି ପାଇକରାୟ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ସ୍ଵପ୍ନା ବଡଜେନାଙ୍କ ଠାରୁ ୩୨୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ସୁକାନ୍ତି ପାଇକରାୟ ମୋଟ ୪୭୧୦ ଖଣ୍ଡ ପାଇଥିବା ବେଳେ ସ୍ଵପ୍ନା ବଡଜେନା ୪୩୮୭ ଖଣ୍ଡ ପାଇଛନ୍ତି।