Categories
ଆଞ୍ଚଳିକ

ଯୁବ ରେଡକ୍ରସ ତାଲିମ ଶିବିର ଉଦଘାଟିତ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟ ବାଣପୁରରେ ତିନିଦିନ ବ୍ୟାପୀ ଆୟୋଜିତ ହୋଇଥିବ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଏହି ଶିବିରକୁ ଉଦ୍ଘାଟନ କରି ସମାଜ ସେବା ଭଳି ମହତ କାମରେ ନିଜକୁ ନିୟୋଜିତ କରିବା ପାଇଁ ଉପଦେଶ ଦେଇଥିଲେ।

ମୁଖ୍ୟ ଅତିଥି ପଦ୍ମନାଭ ଦୋରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେଥିରେ ସାମିଲ ହୋଇ ଦେଶ ମାତୃକାର ସେବାରେ ଉତ୍ସର୍ଗୀକୃତ କରିବାପାଇଁ ଉପଦେଶ ଦେଇଥିଲେ।

ପ୍ରଶିକ୍ଷକ ଭାବରେ ପୂର୍ବତନ ଜିଲ୍ଲା ସଂଯୋଜକ ଲକ୍ଷ୍ମୀ ପ୍ରସାଦ ମିଶ୍ର ଯୋଗଦେଇ ରେଡ କ୍ରସର ଉତ୍ପତ୍ତି ବିକାଶ ଲକ୍ଷ୍ୟ ଓ ଆଭିମିଖ୍ୟ ଓ ମୌଳିକ ନୀତି ଗୁଡ଼ିକ ବିଶ୍ଳେଷଣ କରିଥିଲ। ଓସଡ଼ମା ର ସେଲ୍ଟାର କୋର୍ଡିନେଟର ସୁଦେଶ କୁମାର ସେଠୀ ରୋଡ ସେପ୍ଟି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ମହାପାତ୍ର ରକ୍ତଦାନକୁ ଏକ ମହତ୍ ସେବା ଭାବରେ ବର୍ଣ୍ଣନା କରି ଜରୁରୀ ଆବଶ୍ୟକତା ବେଳେ ରକ୍ତଦାନ ପାଇଁ ଆଗେଇ ଆସିବା ପାଇଁ ଉପଦେଶ ଦେଇଥିଲେ।

ମହାବିଦ୍ୟାଳୟର ଉପଦେଷ୍ଟା ସତ୍ୟାନନ୍ଦ ମହାରଣା ଓ ଅନୀତା ସାହୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହିଶିବିରରେ ବିଭିନ୍ନ ମହାବିଦ୍ୟାଳୟର ଉପଦେଷ୍ଟା ଓ ଛୟାଅଶି ଜଣ ସ୍ବେଛାସେବୀ ଯୋଗ ଦେଇ ପ୍ରଶିକ୍ଷଣ ପ୍ରାପ୍ତ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀଜଗନ୍ନାଥ ମନ୍ଦିର ଠାରେ ୧୦ଟି ବ୍ୟାଟେରୀ ଚାଳିତ ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ପୁରୀ: କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ୧୦ ଟି ବ୍ୟାଟେରୀ ଚାଳିତ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଲିଃ. (ଆଇଆରଇଡିଏ)ର ସିଏସଆର୍ କାର୍ଯ୍ୟକ୍ରମ ଅଧୀନରେ ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ପରିବେଶ ଅନୁକୂଳ ଗମନାଗମନକୁ ପ୍ରୋତ୍ସାହିତ କରିବା ଏବଂ ପବିତ୍ର ତୀର୍ଥସ୍ଥାନକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସୁଗମ୍ୟତାରେ ଉନ୍ନତି ଆଣିବା, ବିଶେଷ କରି ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କୁ ସମ୍ମାନ ଓ ଐତିହ୍ୟ ସ୍ଥଳରେ ସହାୟତା ଯୋଗାଇଦେବା।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ବ୍ୟାଟେରୀ ଚାଳିତ ଯାନର ଚାବି ହସ୍ତାନ୍ତର କରିବା ସମୟରେ ସାଂସ୍କୃତିକ ସ୍ଥଳଗୁଡ଼ିକରେ ଦୀର୍ଘସ୍ଥାୟୀ ସମାଧାନ ଉପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଏହି ଐତିହାସିକ ମନ୍ଦିରରେ ବ୍ୟାଟେରୀ ଚାଳିତ ଯାନଗୁଡ଼ିକର ମୁତୟନ ସବୁଜ ଶକ୍ତି ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏଗୁଡ଼ିକ ପର୍ଯ୍ୟଟକମାନଙ୍କୁ ଏକ ସୁଲଭ ଏବଂ ପରିବେଶ ଅନୁକୂଳ ପରିବହନ ବିକଳ୍ପ ପ୍ରଦାନ କରିବ। ଏହିପରି ସ୍ଥାୟୀ ସିଏସଆର ପ୍ରକଳ୍ପଗୁଡ଼ିକୁ ସମର୍ଥନ କରିବାରେ ଆଇଆରଇଡିଏର ପ୍ରୟାସ ଦେଶର ସବୁଜ ମିଶନ ପ୍ରତି ସେମାନଙ୍କର ଅତୁଟ ସମର୍ପଣ ଏବଂ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ସ୍ଥଳରେ ପର୍ଯ୍ୟଟକଙ୍କ ଅଭିଜ୍ଞତାରେ ସୁଧାର ଆଣିବାର ପ୍ରୟାସକୁ ପ୍ରତିଫଳିତ କରେ ବୋଲି ଶ୍ରୀ ଯୋଶୀ କହିଥିଲେ।

ଆଇଆରଇଡିଏର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ ଦୀର୍ଘସ୍ଥାୟୀତ୍ୱ ପ୍ରତି କମ୍ପାନୀର ସମର୍ପଣ ଉପରେ ଆଲୋକପାତ କରି କହିଥିଲେ, ‘‘ଆମର ସିଏସଆର ପଦକ୍ଷେପ ମାଧ୍ୟମରେ ଐତିହ୍ୟ ସ୍ଥଳକୁ ୧୦ ଟି ପରିବେଶ ଅନୁକୂଳ ଯାନ ଯୋଗାଇ ଦେବା ଆଇଆରଇଡିଏ ପାଇଁ ସମ୍ମାନର ବିଷୟ। ଏହି ପ୍ରକଳ୍ପ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଦୀର୍ଘସ୍ଥାୟୀ ଓ ନବୀକରଣଯୋଗ୍ୟ ଶକ୍ତି ସମାଧାନ ଚଳାଇବା ପାଇଁ ଆମର ଲକ୍ଷ୍ୟ ସହିତ ମେଳ ଖାଉଛି ଏବଂ ପରିଦର୍ଶକମାନଙ୍କ ପାଇଁ ପରିବେଶ ଅନୁକୂଳ ପରିବହନ ସୁବିଧା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।’’

ଆଇଆରଇଡିଏ ନିର୍ଦ୍ଦେଶକ (ଅର୍ଥ) ଡ. ବି.କେ. ମହାନ୍ତିଙ୍କ ସମେତ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ), ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ଆଇଆରଇଡିଏର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ, ଆଇଆରଇଡିଏର ସିଏମଡି ଏବଂ ଏମଏନଆରଇ ଏବଂ ଆଇଆରଇଡିଏର ଅନ୍ୟ ଅଧିକାରୀମାନେ ଭଗବାନ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

କ୍ରସ୍ ଭୋଟ୍ ସତ୍ତ୍ୱେ ବିଜେପିକୁ ଝଟକା, ୩ ଟି ଭୋଟରେ ଜିତିଲେ AAP ର ମହେଶ ଖିଞ୍ଚୀ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ ଭାବେ ବିବେଚନା କରାଯାଉଥିବା ଏମସିଡି ମେୟର ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି (ଏଏପି) ପ୍ରାର୍ଥୀ ବିଜୟ ପତାକା ଉତ୍ତୋଳନ କରିଛନ୍ତି। ଏହି ନିର୍ବାଚନରେ ​​AAP ପ୍ରାର୍ଥୀ ମହେଶ କୁମାର ଖିଞ୍ଚୀ ଜିତିଛନ୍ତି। ୧୦ ଜଣ AAP କାଉନସିଲର ବିଜେପି ପାଇଁ ଭୋଟ୍ ଦେଇଛନ୍ତି। ଏହା ସତ୍ତ୍ୱେ ଦଳ ଜିତିଛି। ଏହି କାର୍ଯ୍ୟକାଳ ରେ ଦଳିତ ପ୍ରାର୍ଥୀଙ୍କ ପାଇଁ ଦିଲ୍ଲୀ ମେୟର ପଦବୀ ସଂରକ୍ଷିତ ରହିଛି।

AAP କୁ ୧୩୩ ଭୋଟ୍, ବିଜେପିକୁ ୧୩୦ ଭୋଟ୍:

ଏହି ନିର୍ବାଚନରେ ​​ମୋଟ ୨୬୫ ଭୋଟ୍ ଦିଆଯାଇଥିଲା। ମହେଶ ଖିଞ୍ଚୀଙ୍କୁ ମୋଟ ୧୩୫ ଭୋଟ୍ ମିଳିଥିଲା। କିନ୍ତୁ ତାଙ୍କର ଦୁଇଟି ଭୋଟ୍ ଅବୈଧ ଘୋଷିତ ହୋଇଥିଲା, ଯାହା ପରେ ତାଙ୍କୁ ମୋଟ ୧୩୩ ବୈଧ ଭୋଟ୍ ମିଳିଥିଲା। ମହେଶ କୁମାର ଖିଞ୍ଚୀ ଦେବ ନଗର (ୱାର୍ଡ ନମ୍ବର ୮୪) ର ଜଣେ କାଉନସିଲର ଅଟନ୍ତି। ବିଜେପିର କିଶନ ଲାଲ ୧୩୦ ଭୋଟ ପାଇଛନ୍ତି। AAP ତିନୋଟି ଭୋଟରେ ଜିତିଛି। ଏହାପରେ ଆମ୍ ଆଦମୀ ପାର୍ଟି କାଉନସିଲରମାନେ ଗୃହରେ ଉତ୍ସବ ପାଳନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦୁନିଆର ୧୦୦ ଜଣ ଶକ୍ତିଶାଳୀ ଶିଳ୍ପପତିଙ୍କ ଫର୍ଚୁନ୍ ତାଲିକାରେ ମୁକେଶ ଅମ୍ବାନୀ ଏକମାତ୍ର ଭାରତୀୟ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ପୁଣି ଥରେ କେବଳ ଦେଶରେ ନୁହେଁ, ବିଶ୍ୱର ଅନ୍ୟତମ ଜଣେ ଶକ୍ତିଶାଳୀ ଉଦ୍ୟୋଗପତି ଭାବରେ ଫର୍ଚୁନ୍ ମାଗାଜିନର ଶକ୍ତିଶାଳୀ ବ୍ୟବସାୟୀ ୨୦୨୪ ତାଲିକାରେ ସ୍ଥାନିତ ହୋଇଛନ୍ତି।

ମୁକେଶ ଅମ୍ବାନୀ ହେଉଛନ୍ତି ଏକମାତ୍ର ଭାରତୀୟ ଯିଏକି ଫର୍ଚୁନ୍ ମାଗାଜିନର ଶକ୍ତିଶାଳୀ ବ୍ୟବସାୟୀ ୨୦୨୪ ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି। ଏହି ତାଲିକାରେ ଭାରତୀୟ ମୂଳର ଅନ୍ୟ ଛଅଜଣ ମଧ୍ୟ ରହିଛନ୍ତି ଯେଉଁମାନେ ବିଦେଶରେ ବସବାସ କରନ୍ତି। ଏହି ବ୍ୟକ୍ତିମାନେ ବଡ଼ ବ୍ୟବସାୟର ପ୍ରତିଷ୍ଠାତା, ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ନବପ୍ରବର୍ତ୍ତକ ଅଟନ୍ତି। ଫର୍ଚୁନ୍ ମାଗାଜିନ ପକ୍ଷରୁ ନିକଟରେ ବ୍ୟବସାୟ ଦୁନିଆର ୧୦୦ ଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି ଯେଉଁଥିରେ ମୁକେଶ ଅମ୍ବାନୀ ଦ୍ୱାଦଶ ସ୍ଥାନରେ ରହିଛନ୍ତି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଦେଶର ପ୍ରମୁଖ ଉଦ୍ୟୋଗପତି ମାନଙ୍କ ମଧ୍ୟରୁ ଅନ୍ୟତମ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ନୂତନ ଉତ୍କର୍ଷରେ ପହଞ୍ଚାଇ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜିଓ ଶୁଭାରମ୍ଭ କରି ସେ ଦେଶର ଟେଲିକମ୍ କ୍ଷେତ୍ରର ଚେହେରା ବଦଳାଇଛନ୍ତି। ଡିଜିଟାଇଜେସନ ଜରିଆରେ ଦେଶର ବିକାଶ ମଧ୍ୟ ତ୍ୱରାନ୍ୱିତ ହୋଇଛି। ରିଟେଲ କ୍ଷେତ୍ରରେ କମ୍ପାନୀ ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ସବୁଜ ଶକ୍ତି କ୍ଷେତ୍ରରେ ମଧ୍ୟ କମ୍ପାନୀ ଜୋରଦାର କାର୍ଯ୍ୟ ଜାରି ରଖିଛି।

ମୁକେଶ ଅମ୍ବାନୀଙ୍କ ବ୍ୟତୀତ ଫର୍ଚୁନ୍ ପାୱାରଫୁଲ୍ ବିଜିନେସ୍ ଲିଷ୍ଟ ୨୦୨୪ ରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ପ୍ରଥମ ସ୍ଥାନରେ ଏବଂ ଏନଭିଡିଆ ସିଇଓ ଜେନସେନ୍ ହୁଆଙ୍ଗ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସତ୍ୟ ନାଡେଲା ତୃତୀୟ ସ୍ଥାନରେ, ୱାରେନ୍ ବଫେଟ୍ ଚତୁର୍ଥ ସ୍ଥାନରେ ଏବଂ ଜେମି ଡିମନ୍ ପଞ୍ଚମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଟିମ୍ କୁକ୍ ଷଷ୍ଠ ସ୍ଥାନରେ ରହିଥିବାବେଳେ ମାର୍କ ଜୁକରବର୍ଗ ସପ୍ତମ ଏବଂ ସାମ୍ ଅଲ୍ଟମ୍ୟାନ୍ ଅଷ୍ଟମ ଶକ୍ତିଶାଳୀ ବ୍ୟବସାୟୀ ଭାବରେ ରହିଛନ୍ତି । ମେରି ବାରା ଏବଂ ସୁନ୍ଦର ପିଚାଇ ଯଥାକ୍ରମେ ନବମ ଓ ଦଶମ ସ୍ଥାନରେ ରହିଥିବା ବେଳେ ମୁକେଶ ଅମ୍ବାନୀଙ୍କ ଠିକ୍ ପୂର୍ବରୁ, ଅର୍ଥାତ୍ ଏକାଦଶ ସ୍ଥାନରେ ରହିଛନ୍ତି ଆମାଜନର ଜେଫ୍ ବେଜୋସ୍।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଟିରା ପକ୍ଷରୁ ଜିଓ ୱାର୍ଲ୍ଡ ପ୍ଲାଜାରେ ବିଳାସପୂର୍ଣ୍ଣ ସୌନ୍ଦର୍ଯ୍ୟ ଷ୍ଟୋର୍ ଶୁଭାରମ୍ଭ

ମୁମ୍ବାଇ: ରିଲାଏନ୍ସ ରିଟେଲର ବିୟୁଟି ରିଟେଲ ଚେନ ‘ଟିରା’ ପକ୍ଷରୁ ଗୁରୁବାର ଦିନ ମୁମ୍ବାଇର ଜିଓ ୱାର୍ଲ୍ଡ ପ୍ଲାଜାରେ ଏହାର ବିଳାସପୂର୍ଣ୍ଣ ଫ୍ଲାଗସିପ୍ ଷ୍ଟୋର୍ ଶୁଭାରମ୍ଭ କରାଯାଇଛି। ୬୨୦୦ ବର୍ଗଫୁଟ ପରିମିତ ଏହି ଫ୍ଲାଗସିପ୍ ଷ୍ଟୋର୍‌ରେ ପ୍ରତିଷ୍ଠିତ ବିଶ୍ୱସ୍ତରୀୟ ବ୍ରାଣ୍ଡ ଗୁଡିକର ୧୫ ଟି ସପ-ଇନ-ସପ ବୁଟିକ୍ ରହିଛି। ଷ୍ଟୋରରେ ବିଳାସପୂର୍ଣ୍ଣ ସ୍କିନ୍ କେୟାର ବ୍ରାଣ୍ଡ ଅଗଷ୍ଟିନସ୍ ବେଡର୍ ମଧ୍ୟ ରହିଛି, ଯାହା କେବଳ ଟିରା ଷ୍ଟୋର୍‌ରେ ଉପଲବ୍ଧ।

ଏହି ଫ୍ଲାଗସିପ୍ ଷ୍ଟୋର୍‌ର ଶୁଭାରମ୍ଭ ଅବସରରରେ ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଲିମିଟେଡ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି ଯେ “ଟିରା” ଭାରତରେ ସୌନ୍ଦର୍ଯ୍ୟ ଏବଂ ବିଳାସକୁ ପୁନଃ ପରିଭାଷିତ କରୁଛି। ବିଶ୍ୱ ସ୍ତରୀୟ ବ୍ରାଣ୍ଡ ଏବଂ ସିଗନେଚର ସେବା ସହିତ ଏହା ଏକ ଭିନ୍ନ ଅନୁଭୂତି ପ୍ରଦାନ କରିବ। ଜିଓ ୱାର୍ଲ୍ଡ ପ୍ଲାଜାରେ ଆମର ଟିରା ଫ୍ଲାଗସିପ୍ ଷ୍ଟୋର୍ ପ୍ରେରିତ କରିବା, ସମସ୍ତଙ୍କୁ ଏକାଠି କରିବା ଏବଂ ପରିବର୍ତ୍ତନ ଆଣିବା ପାଇଁ ବେଶ ଯତ୍ନର ସହିତ ଏବଂ ସୁନ୍ଦର ଭାବରେ ପରିକଳ୍ପିତ ହୋଇଛି। ବିଳାସପୂର୍ଣ୍ଣ ସୌନ୍ଦର୍ଯ୍ୟର ଏହି ଅସାଧାରଣ ଯାତ୍ରାରେ ଗ୍ରାହକମାନଙ୍କୁ ସାମିଲ କରିବାକୁ ଆମେ ପ୍ରସ୍ତୁତ ରହିଛୁ।”

ସୁଗନ୍ଧପ୍ରେମୀମାନଙ୍କ ପାଇଁ ଏହି ଷ୍ଟୋରରେ ଏକ ସ୍ୱତନ୍ତ୍ର ସେଣ୍ଟ ରୁମ ପ୍ରସ୍ତୁତ କରାଯାଇଛି। ଏହାକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ସୁଗନ୍ଧଗୁଡ଼ିକ ବାୟୁରେ ଭାସମାନ ରହିଥାଏ। ସେଣ୍ଟ ବା ସୁଗନ୍ଧର ଆନ୍ତର୍ଜାତୀୟ ବ୍ରାଣ୍ଡ ଏବଂ ସୀମିତ-ସଂସ୍କରଣ ସଂଗ୍ରହ ମଧ୍ୟ ଏଠାରେ ଉପଲବ୍ଧ ହେବ। ବିଳାସପୂର୍ଣ୍ଣ ସୌନ୍ଦର୍ଯ୍ୟ ରିଟେଲ ବ୍ୟବସାୟରେ ପ୍ରଥମ ଥର ପାଇଁ ଟିରା ପକ୍ଷରୁ ଟିରା ବିୟୁଟି ସୁଟରେ ସ୍ୱତନ୍ତ୍ର ଇନ-ଷ୍ଟୋର ସ୍କିନ୍ କେୟାର ସେବା ଆରମ୍ଭ କରିଛି। ଟିରାର ସିଗନେଚର ଟ୍ରିଟମେଣ୍ଟରେ ସିଗନେଚର-ଗ୍ଲୋ, ୟୁଥ୍ ଏଲିକ୍ସିର୍ ଏବଂ ଆକ୍ୱା ଇନଫ୍ୟୁଜନ୍ ଫେସିଆଲ ବ୍ୟତୀତ ଅଗଷ୍ଟିନସ୍-ବେଡ଼ର ସିଗନେଚର ଫେସିଆଲ ବିଶେଷ ଭାବରେ ସାମିଲ କରାଯାଇଛି।

ଏହି ଫ୍ଲାଗସିପ୍ ଷ୍ଟୋର୍‌ରେ ଟେକ୍ନୋଲୋଜି ମଧ୍ୟ ବହୁଳ ଭାବରେ ବ୍ୟବହୃତ ହୋଇଛି। ଭର୍ଚୁଆଲ୍ ଟ୍ରାଏ-ଅନ୍ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ସୌନ୍ଦର୍ଯ୍ୟ ସ୍ଥଳ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ଉପକରଣ ଏଠାରେ ସ୍ଥାପନ କରାଯାଇଛି। କମ୍ପାନୀ ଅନୁଯାୟୀ, ଭାରତର ସୌନ୍ଦର୍ଯ୍ୟ ରିଟେଲ ଦୃଶ୍ୟପଟ୍ଟରେ ଟିରା ଏକ ନୂତନ ମାନଦଣ୍ଡ ସ୍ଥିର କରିବାକୁ ଲକ୍ଷ୍ୟ ରଖିଛି, ଯାହା ଏଭଳି ଏକ ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରିବ ଯାହା ପ୍ରକୃତରେ ଅନନ୍ୟ ହେବ।

Categories
ଆଜିର ଖବର ରାଜ୍ୟ ଖବର

ତ୍ରି -ଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ଉଦଯାପିତ

ଭୁବନେଶ୍ଵର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ଚାଲିଥିବା ତ୍ରି-ଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିବିର ବୁଧବାର ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ତ୍ରିଲୋଚନ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସୁଚେତା ପାଣି,ସ୍ବତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରଓ୍ବାନ ଓ ସମ୍ମାନିତ ଅତିଥି ଭାବେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର କୁଳସଚିବ ପିତାମ୍ବର ଭୋଇ ଯୋଗ ଦେଇ ଯୁବ ରେଡକ୍ରସର ମହନୀୟ ନୀତି ଓ ଆଦର୍ଶ ମାନବ ଜୀବନର ବ୍ରତ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ,କଣ୍ଠ ସଂଗୀତ,ନୃତ୍ୟ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ତ୍ରି-ଦିବସୀୟ ଶିବିରରେ ରେଡକ୍ରସ୍ ର ଇତିହାସ, ବିକାଶ ଓ ମୌଳିକ ନୀତି, ପ୍ରାଥମିକ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା ଓ ଅଗ୍ନି ନିରାପତ୍ତା, ସାଇବର ନିରାପତ୍ତା, ସଡ଼କ ସୁରକ୍ଷା ସଚେତନତା, ମହିଳା ସଶକ୍ତିକରଣ, ସମାଜର ପରିବର୍ତ୍ତନରେ ସ୍ବେଛାସେବୀମାନଙ୍କ ଭୂମିକା, ରକ୍ତଦାନର ଆବଶ୍ୟକତା ଓ ମହତ୍ତ୍ଵ, ଯୋଗ ଓ ପ୍ରାଣାୟାମ ବିଷୟରେ ଶିକ୍ଷା ତଥା ତାଲିମ ପ୍ରଦାନ କରାଯାଇଥିଲା। ଶିବିରର ଦ୍ବିତୀୟ ଦିବସରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୫୮ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।

ଏହି ଶିବିରରେ ବିଭିନ୍ନ ମହାବିଦ୍ୟାଳୟରୁ ୧୩୦ଜଣ ସ୍ବେଚ୍ଛାସେବୀ ଓ ପରାମର୍ଶଦାତା ଅଂଶ ଗ୍ରହଣ କରିଥିଲେ। ଶିବିର ଆୟୋଜନରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ତଥା ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥଲେ। .

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଠକେଇ ମାମଲା: ଅଦାଲତରେ ହାଜର ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଗତ ଦିନର ବିଜେଡି ବିଧାୟକ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟରରେ ଚାକିରି ନାଁରେ ଠକେଇ ମାମଲାରେ ଅଦାଲତରେ ହାଜର ହୋଇଛନ୍ତି। ସାଂସଦ ଓ ବିଧାୟକଙ୍କ ମାମଲାର ବିଚରଣ ପାଇଁ ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ଅଦାଲତରେ ସେ ହଜାର ହୋଇ ନିଜ ପକ୍ଷ ରଖିଥିଲେ।

ପ୍ରକାଶଥାଉକି, ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ଗୋପାଳପୁର ବିଧାୟକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ ଠକେଇ ଅଭିଯୋଗ ଆସିଥିଲା। ପୂର୍ବତନ ଆଇଏଫଏସ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ସହ ମିଶି ଟାଟା ମୋଟରରେ ଚାକିରି ଦେବାକୁ କହି ଡ. ପାଣିଗ୍ରାହୀ ସ୍ଥାନୀୟ ଅଞ୍ଚଳର ଏକାଧିକ ବେକାର ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା।

ଏହି ଭଳି ଅଭିଯୋଗକୁ ନେଇ ଉପରୋକ୍ତ ତିନିଜଣଙ୍କ ସହିତ ତାଙ୍କ ଭାଇ ଦୀଲିପ ପାଣିଗ୍ରାହୀ ଓ ବ୍ୟକ୍ତିଗତ ସହାୟକ ଡଃ ସର୍ବେଶ୍ଵର ରାଓ ଅଭିଯୁକ୍ତ ଭାବେ ଜେଲ୍ ଯାଇ ଜାମିନରେ ଆସିଥିଲେ। ଏହା ମଧ୍ୟରେ ଡଃ ରାଓଙ୍କ ପରଲୋକ ହୋଇଯାଇଛି। ସେଥିପାଇଁ ଅଦାଲତ ତାଙ୍କ ନାମକୁ ରଦ୍ଦ କରିଥିବା ବେଳେ ଅଦାଲତ ନିର୍ଦ୍ଦେଶରେ ଡଃ ପାଣିଗ୍ରାହୀଙ୍କ ଭାଇ ଦୀଲିପଙ୍କୁ ମଧ୍ୟ ଏହି ଅଭିଯୋଗରୁ ମୁକ୍ତ କରିଛନ୍ତି।

ଅଦାଲତରେ ହାଜର ହୋଇ ଫେରିଲା ପରେ ସାଂସଦ ଡଃ ପାଣିଗ୍ରାହୀ ଗଣମାଧ୍ୟମ ଆଗରେ ବିବୃତ୍ତି ରଖିଛନ୍ତି। ସେ କହିଛନ୍ତି ଯେ, ଗତ ବିଜେଡି ସରକାର ମୋତେ ମିଥ୍ୟା ମକଦ୍ଦମାରେ ଜଡିତ କରି ଜେଲ୍ ପଠାଇଥିଲେ ଓ ଉକ୍ତ ସମସ୍ତ ମକଦ୍ଦମାର ବିଚାରଣା ଚାଲିଛି। ଏହି ପରିପ୍ରେକ୍ଷୀରେ ମୁଁ ଆଇନ୍ କୁ ସମ୍ମାନ ଦେଇ ସମସ୍ତ ବିଚାରଣାର ସାମ୍ନା କରିବାକୁ ପାଇଁ ପ୍ରସ୍ତୁତ ଅଛି।

Categories
ଆଞ୍ଚଳିକ

ରଣପୁର: ବିଦ୍ୟାଳୟରେ ଶିଶୁ ଦିବସ ପାଳନ ସହ କୃତ୍ତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ରଣପୁର: ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ନଭେମ୍ବର ୧୪ ତାରିଖ, ୧୮୮୯ ମସିହାରେ ରେ ଜନ୍ମ ଗ୍ରହଣ କରିଥିଲେ। ସେ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କର ଜନ୍ମ ଦିନକୁ ସ୍ମରଣୀୟ କରି ରଖିବା ପାଇଁଁ ସାରା ଦେଶରେ ଶୁଶୁ ଦିବସ ପାଳନ କରାଯାଉଛି। ସେହିପରି ରଣପୁର ସମସ୍ତ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି।

ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନ, ୱାର୍ଡ ମେମ୍ବର ସରୋଜିନୀ ପ୍ରଧାନ, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଚାଚା ନେହେରୁଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହା ପରେ ପିଲାମାନଙ୍କ ଅନୁରୋଧ କ୍ରମେ କେକ୍ କଟାଯାଇଥିଲା। ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏଥିରେ ୨୦୨୩-୨୪ ଶିକ୍ଷା ବର୍ଷରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ହାସଲ କରି ବିଦ୍ୟାଳୟ ତଥା ଗ୍ରାମ ପାଇଁ ଗୌରବ ଆଣିଥିବା ଜ୍ୟୋତି ପ୍ରକାଶ ପ୍ରଧାନଙ୍କୁ ଉପଢୌକନ ଓ ଟ୍ରଫି ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଗତ ମାସରେ ଅବସର ନେଇଥିବା ବିଦ୍ୟାଳୟର ପାଚକ ସହାୟକ ଯଦୁମଣି ବିଶ୍ୱାଳଙ୍କୁ ମଧ୍ୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଏହା ସହ ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ, ପ୍ରବନ୍ଧ ଲିଖନ, ବକ୍ତୃତା ଓ ସଙ୍ଗୀତ ଆଦି କ୍ଷେତ୍ରରେ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମେଡାଲ ଦିଆଯାଇ ପୁରସ୍କୃତ କରାଯାଇଥିଲା।

ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଶିଶୁ ଦିବସ ପାଳନ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଜି ଶିଶୁ ଦିବସ ପାଳନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଝରଣା ଓଝା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ, ବିଇଓ ସିଏଚ ବିଜୟଲକ୍ଷ୍ମୀ, ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଜଗଦିଶ ପଟ୍ଟନାୟକ, ସୀତାରାମ ଅଗ୍ରୱାଲ ଆଦି ଯୋଗଦେଇଥିଲେ।

ଉକ୍ତ ଉତ୍ସବରେ ଶିଶୁ ଦିବସ ପାଳନ ସହିତ ଶିଶୁମାନଙ୍କ ପାଇଁ ଉଦିଷ୍ଟ ବିଭିନ୍ନ ଆଇନ ତଥା ତାଙ୍କର ଅଧିକାର ବିଷୟରେ ସଚେତନ କରାଯାଇଥିଲା। ଉକ୍ତ ଉତ୍ସବ ଉପଲକ୍ଷେ ଶିଶୁମାନଙ୍କ ମଧ୍ୟରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ପୁର୍ବରୁ ଅନୁଷ୍ଠିତ ହୋଇଥିବା ଆନ୍ତଃ ବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସଭାଶେଷରେ ଏବିଇଓ ଧନ୍ୟବାଦ ପ୍ରଦାନ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାନ ଭାଇର ଆକ୍ରମଣରେ ବଡ଼ ଭାଇ ଓ ଭାଉଜଙ୍କ ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆସ୍କା ଥାନା ଅର୍ନ୍ତଗତ ଖଣ୍ଡଦେଉଳି ପଞ୍ଚାୟତ ସମାଇଗୁଡା ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଛି। ସାନ ଭାଇ ଓ ତାଙ୍କ ପରିବାରର ଆକ୍ରମଣରେ ବଡ଼ ଭାଇ ରାଜୁ ପାତ୍ର ଓ ଭାଉଜ ମଲା ପାତ୍ର ନିହତ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଜଙ୍ଗଲ ଜମିରେ ଚାଷ କରିବାକୁ ନେଇ ସାନ ଭାଇ ଭୁବୁନି ପାତ୍ର ଓ ବଡ଼ ଭାଇ ରାଜୁ ପାତ୍ରଙ୍କ ସହ ବହୁ ଆଗରୁ ମନୋମାଳିନ୍ୟ ଥିଲା। ଗତକାଲି ରାଜୁ ପାତ୍ର ଓ ପତ୍ନୀ ମଲା ଜମିରେ ଚାଷ କରୁଥିବାବେଳେ ହଠାତ ଭୁବୁନି ଏକ କଟୁରୀ ଧରି ରାଜୁକୁ ଆକ୍ରମଣ କରିବାରୁ ଭାଉଜ ଅଟକାଇଥିଲେ। ରାଗରେ ଜର୍ଜରିତ ଭୁବୁନି ଭାଉଜକୁ ଆକ୍ରମଣ କରି ଜବରଦସ୍ତ ପାଟିରେ ବିଷ ପିଆଇଥିଲା। ଆହତ ଅବସ୍ଥାରେ ଭାଇ ଛଡ଼ାଇବାକୁ ଆସିବା ବେଳକୁ ଭୁବୁନିର ସ୍ତ୍ରୀ ରଞ୍ଜିତା ଓ ତାଙ୍କ ପୁଅ ମଧ୍ୟ ବିଲ ଭିତରେ ଗୋଡ଼ାଇ ଗୋଡ଼ାଇ ରାଜୁର ତଣ୍ଟିକୁ କଟୁରୀରେ କାଟି ହତ୍ୟା କରିଥିଲେ।

ଅନ୍ୟ ପଟେ ଭାଉଜର ବେକରେ ଛୁରୀରେ କାଟୁଥିବା ବେଳେ ରାଜୁର ପୁଅଙ୍କ ଚିତ୍କାର ଶୁଣି ନିକଟରେ ଉପସ୍ଥିତ କିଛି ଲୋକ ପହଞ୍ଚିଯିବାରୁ ଭୁବୁନି ତାର ସ୍ତ୍ରୀ ଓ ପୁଅ ଘଟଣାସ୍ଥଳରୁ ଚାଲି ଯାଇଥିଲେ। ନିହତ ରାଜୁର ଭାଇ ଠାରୁ ଖବର ପାଇ ଆସ୍କା ପୋଲିସ ଉପଖଣ୍ଡ ଅଧିକାରୀ, କୋଟିନଡା ଥାନା ଅଧିକାରୀ ଓ ଆସ୍କା ଥାନା ଅଧିକାରୀ ଅନ୍ୟାନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ରାଜୁର ଶବ ଓ ଗୁରୁତର ମଲାକୁ ଆସ୍କା ଡାକ୍ତରଖାନାକୁ ନେଇଥିଲେ। ଗୁରୁତର ମଲା ବାଟରେ ହିଁ ମୃତ୍ୟୁ ବରଣ କରିଥିଲେ।

ପୋଲିସ ଉଭୟଙ୍କ ମୃତ ଦେହ କୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ରେ ପୋଷ୍ୟ ସନ୍ତାନ ଗ୍ରହଣ ସଂପର୍କରେ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଦ୍ୱାରା ପୋଷ୍ୟ ମାସ ପାଳନ ଅବସରରେ ଏକ ସଚେତନତା ରଥର ଶୁଭ ଉଦ୍‌ଘାଟନ କରାଯାଇଥିଲା। ଏହାପରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ଯକ୍ଷତାରେ ପୋଷ୍ୟ ସନ୍ତାନ ଗ୍ରହଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ଅଧ୍ଯକ୍ଷ କିଶୋର ଚନ୍ଦ୍ର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧୁକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିୟନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଅର୍ଚ୍ଚନା କଅଁର, ଉପ ଆରକ୍ଷୀ ଅଧୀକ୍ଷକ ହେମନ୍ତ ରାଓ, ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଡ଼.ସୁବାସ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବନ୍ଧରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ କଟକ ପ୍ରକଳ୍ପ ନିର୍ଦ୍ଦେଶକ ସଂଯୋଗ ପ୍ରଶାନ୍ତ କୁମାର ପାଲଟାସିଂ ସଂସାଧନ ସଦସ୍ୟ ଭାବେ ଯୋଗ ଦେଇ ଜିଲ୍ଲାରେ ପୋଷ୍ୟ ସନ୍ତାନ ଗ୍ରହଣ କିଭଳି ଭାବେ ଅଭିବୃଦ୍ଧି ଘଟିବ ଓ ପ୍ରତିପାଳକ ଯତ୍ନ ବ୍ୟବସ୍ଥାର ସଠିକ୍ କାର୍ଯ୍ୟକାରୀ ହୋଇପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଏହି ସେଚନତା କାର୍ଯ୍ୟକ୍ରମରେ ଚାଇଲଡ୍ ହେଲପ୍ ଲାଇନର ସୁଦୂର ପ୍ରସାର ନିମନ୍ତେ ପୋଷ୍ଟର ଗୁଡ଼ିକୁ ମଞ୍ଚାସୀନ ଅତିଥିମାନେ ଉନ୍ମୋଚନ କରିଥିଲେ। ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଦମ୍ପତିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି କର୍ମଶାଳାରେ ନୟାଗଡ଼ ଜିଲ୍ଲାର ସମସ୍ତ ସିଡିପିଓ, ସୁପରଭାଇଜର, ନର୍ସିଂ ହୋମର କର୍ମକର୍ତ୍ତା, ସାମାଜିକ ଅନୁଷ୍ଠାନ, ଶିଶୁ ପରିଚର୍ଯ୍ୟା ଅନୁଷ୍ଠାନର ତତ୍ବାବଧାରକ, ଆଶା ସଂଯୋଜକ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଯତ୍ନ ଅଧିକାରୀ ସତ୍ୟରଞ୍ଜନ ଦାସ ସଂଯୋଜନା କରିଥିଲା ବେଳେ ଅଣଆନୁଷ୍ଠାନିକ ଯତ୍ନ ଅଧିକାରୀ ଶୈଳବାଳା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କବି ଅଶ୍ୱନୀ ମିଶ୍ର ପାଇବେ ଚଳିତ ବର୍ଷର ଶ୍ରୀବଳଦେବ ସମ୍ମାନ ପ୍ରଦାନ 

କେନ୍ଦ୍ରାପଡ଼ା: ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ଓଡିଶାର ଜଣେ ବିଶିଷ୍ଟ ସାରସ୍ୱତ ସାଧକକୁ ପ୍ରଦାନ କରାଯାଉଥିବା ପୁରସ୍କାର ‘ଶ୍ରୀବଳଦେବ ସମ୍ମାନ’ ଚଳିତ ବର୍ଷ ବିଶିଷ୍ଟ କବି ଏବଂ ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଂପାଦକ ଅଶ୍ୱନୀ ମିଶ୍ରଙ୍କୁ ପ୍ରଦାନ କରାଯିବ। ଏହି ପୁରସ୍କାର ସ୍ୱରୂପ ତାଙ୍କୁ ୨୧୦୦୦/ ( ଏକୋଇଶି ହଜାର ) ମୁଦ୍ରା ସହ ମାନପତ୍ର ପ୍ରଦାନ କରାଯିବ। ଏହା ପୂର୍ବରୁ ଏହି ସମ୍ମାନ ଗାଳ୍ପିକ ପଦ୍ମଜ ପାଳ, କବି ପ୍ରସନ୍ନ ମିଶ୍ର , ନାଟ୍ୟକାର ବିଜୟ ମିଶ୍ର , ପ୍ରାବନ୍ଧିକ ନିତ୍ୟାନନ୍ଦ ସତପଥୀ , ଗାଳ୍ପିକ ଦେବ୍ରାଜ ଲେଙ୍କା, କବି ଗୋପାଳକୃଷ୍ଣ ରଥ, ପ୍ରାବନ୍ଧିକ କୃଷ୍ଣ ଭୂୟାଁ, ଗାଳ୍ପିକ ରବି ସ୍ୱାଇଁ , ପ୍ରାବନ୍ଧିକ ଧନେଶ୍ୱର ମହାପାତ୍ର , କଥାକାର ବିଜୟ ନାୟକ ପ୍ରଭୃତି ଦିଗଜ୍ ସାହିତ୍ୟିକଙ୍କୁ ପ୍ରଦାନ କରାଯାଇ ଆସିଅଛି।

ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ଅନ୍ୟ ପୁରସ୍କାର ମଧ୍ୟରେ ଗାଳ୍ପିକ ସ୍ୱର୍ଗତ ଅଦ୍ୱୈତ ମହାନ୍ତିଙ୍କ ସ୍ମୃତିରେ ପ୍ରବର୍ତ୍ତିତ ଅଦ୍ୱୈତ କଥା ପୁରସ୍କାର ପାଇବେ ଗାଳ୍ପିକା ସ୍ୱାଗତିକା ସ୍ୱାଇଁ ,ବିଶିଷ୍ଟ କବି ଦୀପକ ମିଶ୍ରଙ୍କ ସ୍ମୃତିରେ ପ୍ରବର୍ତ୍ତିତ ‘ଦୀପକ ମିଶ୍ର କବିତା ପୁରସ୍କାର’ ପାଇବେ କବି ଚିତ୍ତରଞନ ନାୟକ,ବ୍ରହ୍ମାନନ୍ଦ ଅନୁବାଦ ପୁରସ୍କାର ପାଇବେ ବିଶିଷ୍ଟ ଅନୁବାଦକ ପ୍ରଫେସର ତପନ ପଣ୍ଡା ,ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ ଡ. ଅସୀତ ମହାନ୍ତି ପାଇବେ ସ୍ୱର୍ଗତ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସ୍ମୃତିରେ ପ୍ରବର୍ତ୍ତିତ ଆର୍ତ୍ତବଲ୍ଲଭ ଗବେଷଣା ପୁରସ୍କାର।

ଏହି ସବୁ ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ପାଞ୍ଚ ହଜାର ମୁଦ୍ରା ସହ ମାନପତ୍ର ପ୍ରଦାନ କରାଯିବ। ଏତଦ୍ ବ୍ୟତିତ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ସାରସ୍ୱତ ସାଧକଙ୍କୁ ‘ତୁଳସୀ ସମ୍ମାନ’ ପ୍ରଦାନ କରାଯିବା କ୍ରମରେ ବର୍ଷିୟାନ ସାରସ୍ୱତ ସାଧକ , ବିଶିଷ୍ଟ ସର୍ବୋଦୟ ନେତା, ଚିନ୍ତକ କୃଷ୍ଣ ସିଂହଙ୍କୁ ‘ତୁଳସୀ ସମ୍ମାନ’ ପ୍ରଦାନ କରାଯିବ ବୋଲି ପରିଷଦର କାର୍ଯ୍ୟକାରିଣୀ ବୈଠକରେ ନିର୍ଣ୍ଣୟ ନିଆଯାଇଛି।

ଏହି ବୈଠକରେ ପରିଷଦର ସଭାପତି ଡ. ଅପର୍ଣ୍ଣା ମହାନ୍ତି, ଗାଳ୍ପିକ ଅତୁଲ ବଳ, କବି ମଧୁସୂଦନ ଦାସ, ଭୁବନମୋହନ ଜେନା, ନବଜ୍ୟୋତି ରାୟ, ପ୍ରଦୀପ ନାୟକ, ପ୍ରମୋଦ ମଲ୍ଲିକ, ଡ. ପ୍ରକାଶ କୁମାର ପରିଡା, ମାତୃଦତ୍ତ ମହାନ୍ତି ପ୍ରଭୃତି ଯୋଗ ଦେଇଥିଲେ। ଜିଲ୍ଲା ସାହିତ୍ୟ ପରିଷଦର ଆସନ୍ତା ବାର୍ଷିକ ଉତ୍ସବରେ ବିଶିଷ୍ଟ ଅତିଥିଙ୍କ କରକମଳରେ ଏହି ପୁରସ୍କାର ବିତରଣ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସଂପାଦକ ସରୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡ଼ ଜିଲ୍ଲା କାରାଗାର ଅନ୍ତେବାସୀଙ୍କୁ ବିଭିନ୍ନ ଦକ୍ଷତା କୌଶଳ ତାଲିମ ପ୍ରଦାନ 

ନୟାଗଡ଼: ଜିଲ୍ଲା କାରାଗାର ନୟାଗଡ଼ ଠାରେ ଜେଲ ଅନ୍ତେବାସୀମାନଙ୍କ ପାଇଁ ଏକ ବିଶେଷ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ. ସୁଶ୍ରୀ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦୁର୍ଗା ଚରଣ ଦାସ, ଜିଲ୍ଲା କାରାଗାରର ଅଧୀକ୍ଷକ ପ୍ରଫୁଲ୍ଲ କୁମାର କବି,ନୟାଗଡ଼ ସରକାରୀ ତାଲିମ ପ୍ରତିଷ୍ଠାନ ଅଧ୍ୟକ୍ଷ କାନ୍ତି ରଞ୍ଜନ ସାହୁ ଏବଂ ସି.ପି.ଆଇ.ଟି. ସଂସ୍କାର ଓଡ଼ିଶା ମୁଖ୍ୟ ଅନିକେତ୍ ଦାଶ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। ଜିଲ୍ଲା କାରାଗାର ନୟାଗଡ଼ର ୬୦ଜଣ ଅନ୍ତେବାସୀଙ୍କୁ ଇଲେକ୍ଟ୍ରିକାଲ ଟେକ୍‌ନିସିଆନ ଏବଂ ଏଲ.ଇ.ଡି. ଲାଇଟ୍ ଟେକ୍‌ନିସିଆନ ବିଭାଗରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।

ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଅନ୍ୟାନ୍ୟ ଉପସ୍ଥିତ ଅଧିକାରୀମାନେ ଅନ୍ତେବାସୀମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ତୃତୀୟ ଦିବସରେ ମହାପ୍ରଭୁଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ 

ପୁରୀ: ପଞ୍ଚୁକ ବ୍ରତର ଆଜି ଗୁରୁବାର ତୃତୀୟ ଦିବସରେ ମହାପ୍ରଭୁଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ। କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅବକାଶ ନୀତି ପରେ ଅନୁଷ୍ଠିତ ହେବ। ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥିବା ବେଳେ ଆଡ଼କିଆ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ। ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ। ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ।

ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ। ଏଥି ସହିତ ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ।

କଥିତ ଅଛି ତ୍ରିବିକ୍ରମ ବା ଆଡକିଆ ବେଶ ଅତିବଡୀ ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ ଅଟେ। ପଞ୍ଚୁକ ସମୟରେ ଭିନ୍ନ ଭିନ୍ନ ବେଶ ଦର୍ଶନ ଅଶେଷ ପୂର୍ଣ ପ୍ରାପ୍ତି ମିଳିଥାଏ ବୋଲି ବିଶ୍ୱାସ ଥିବାରୁ ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଶ୍ରୀକ୍ଷେତ୍ରରେ ପରିଲକ୍ଷିତ ହେଉଅଛି। ଅନ୍ୟପକ୍ଷରେ ଚଳିତବର୍ଷ ପଞ୍ଚକ ବ୍ରତ ୫ ଦିନ ପରିବର୍ତ୍ତେ ୪ ଦିନ ପଡ଼ୁଥିବା ବେଳେ ଚତୃଦଶୀ ତିଥି କ୍ଷୟ ପଡୁଥିବା ହେତୁ ମହାପ୍ରଭୁଙ୍କ ଲକ୍ଷ୍ମୀ ନୃସିଂହ ବେଶ ବା ଡାଳିକିଆ ବେଶ ଅନୁଷ୍ଠିତ ହେବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପୁରୀ ଠାରେ ମଧୁମେହ ସଚେତନତା ପଦଯାତ୍ରା ଅନୁଷ୍ଠିତ 

ପୁରୀ: ପୁରୀ ଠାରେ ଶ୍ରୀ ଜଗନ୍ନାଥ ହାର୍ଟଫାଉଣ୍ଡେସନ ଏବଂ କୋରୋନା ରିମେଡିଜର ମିଳିତ ଆନୁକୂଲ୍ୟରେ ଆଜି ମଧୁମେହ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ବାହାରି ଗୁଣ୍ଡିଚା ମନ୍ଦିର ଯାଏ ଅନୁଷ୍ଠିତ ହୋଇଥିବା ବେଳେ ପରେ ଗୁଣ୍ଡିଚା ମନ୍ଦିର ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଯେଉଁଠି ବହୁ ବରିଷ୍ଠ ବିଶେଷଜ୍ଞ ଡାକ୍ତର ଙ୍କ ସହ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀ ମାନେ ଯୋଗଦେଇ ମଧୁମେହ ଭୟାବହତା ଉପରେ ଆଲୋକପାତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ମନ୍ତ୍ରୀମାନେ ବିଜ୍‌ନେସ୍ କ୍ଲାସରେ କରିପାରିବେ ବିମାନ ଯାତ୍ରା 

ଭୁବନେଶ୍ୱର: ଏଣିକି ରାଜ୍ୟର ମନ୍ତ୍ରୀମାନେ ବିଜ୍‌ନେସ୍ କ୍ଲାସରେ ବିମାନ ଯାତ୍ରା କରିପାରିବେ। ରାଜ୍ୟର ଉଭୟ କ୍ୟାବିନେଟ୍ ଓ ରାଷ୍ଟ୍ର ପାହ୍ୟାର ମନ୍ତ୍ରୀମାନେ ଏକ୍‌ଜକ୍ୟୁଟିଭ୍‌/ବିଜେନେସ୍ ଓ କ୍ଲବ କ୍ଲାସ ଆଦିରେ ଯାତ୍ରା କରିପାରିବେ। ସକାରୀ କାର୍ଯ୍ୟରେ ଯାତ୍ରା ପାଇଁ ମନ୍ତ୍ରୀମାନଙ୍କୁ ଏହି ସୁବିଧା ମିଳିବ। ଏନେଇ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ ରାଜ୍ୟ ଭିତରେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିଲେ ବିମାନରେ ଯାଇପାରୁଥିଲେ। କିଛି ଦିନ ତଳେ ଏହି ତାଲିକାରେ ଗ୍ରୁପ୍‌-ଏ ଶ୍ରେଣୀର ଅଧିକାରୀମାନଙ୍କୁ ମଧ୍ୟ ସାମିଲ କରାଯାଇଛି।

Categories
ଆଜିର ଖବର

ବ୍ୟାଙ୍କ ଏକାଉଣ୍ଟକୁ ହ୍ୟାକ୍ ପାଇଁ ଉଦ୍ୟମ, ଉପସ୍ଥିତ ବୁଦ୍ଧି ଯୋଗୁଁ ହ୍ୟାକ୍ ଉଦ୍ୟମ ବିଫଳ

ନବରଙ୍ଗପୁର: ସରକାରୀ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍ ପାଇଁ ଉଦ୍ୟମ ବିଫଳ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ଚିଠି ସ୍ପିଡ୍ ପୋଷ୍ଟ ଯୋଗେ ନବରଙ୍ଗପୁର ବ୍ୟାଙ୍କ ଅଫ ଇଣ୍ଡିଆକୁ ଆସିଥିଲା। ଉକ୍ତ ଚିଠିରେ ଉଲ୍ଲେଖ ରହିଥିଲା ଯେ ଏକ ନିର୍ଦ୍ଧିଷ୍ଟ ବ୍ୟାଙ୍କ ଏକାଉଣ୍ଟରେ ଫୋନ ନଂ ୭୦୪୪୮୭୭୧୨୭ କୁ ଅପଡେଟ୍ କରାଯାଉ। ଯାହା ଫଳରେ ଜିଲ୍ଲାପରିଷଦ ମ୍ୟାନେଜିଂ ଟ୍ରଷ୍ଟିର ଏକାଉଣ୍ଟକୁ ଏହି ମୋବାଇଲନଂରେ ଏକାଉଣ୍ଟର ଡେବିଟ୍ ଓ କ୍ରେଡିଟ୍ ର ସମସ୍ତ ଟ୍ରାନଜେକ୍ସନ୍ ର ଏସଏମଏସ୍ ଆଲାର୍ଟ ଆସିପାରିବ।

ଉକ୍ତ ଚିଠିରେ ଜିଲ୍ଲାପାଳ ଓ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଦସ୍ତଖତ ରହିଥିଲା। ଏହି ଚିଠି ଗତ ୧୧ ତାରିଖରେ ହେବା ଭଳି ଦର୍ଶାଯାଇଛି। ତେବେ ଜିଲ୍ଲାପାଳଙ୍କ ଦସ୍ତଖତ ପୂର୍ବତନ ଜିଲ୍ଲାପାଳ କୋମଳ ଲୋଚନ ମିଶ୍ରଙ୍କ ଦସ୍ତଖତ ସହ ମେଳ ଖାଉଥିଲା। ଏହି ଦସ୍ତଖତକୁ ନେଇ ବ୍ୟାଙ୍କ ଶାଖା ପରିଚାଳକ ସନ୍ଦେହ ସୃଷ୍ଟି ହୋଇଥିଲା। ଶାଖା ପରିଚାଳକ ଏହି ଚିଠିକୁ ନେଇ ଜିଲ୍ଲାପାଳଙ୍କ ନଜରକୁ ଆଣିଥିଲେ। ଏହି ଚିଠି ନକଲ ବୋଲି ଜଣାପଡିଥିଲା।

ତେବେ ଏହି ଚିଠି ନବରଙ୍ଗପୁର ପୋଷ୍ଟ ଅଫିସରୁ ହିଁ ପଠାଯାଇଥିବା ଜଣାପଡିଛି। ଯଦି ଏହି ମୋବାଇଲ ନଂ କୁ ଉକ୍ତ ଏକାଉଣ୍ଟ ନଂ ରେ ଅପଡେଟ୍ ହୋଇଥାନ୍ତା ତେବେ ଏକାଉଣ୍ଟର ସମସ୍ତ ତଥ୍ୟ ହ୍ୟାକର ଜାଣିପାରିଥାନ୍ତା। ଏବଂ ପୁଣିଥରେ ଚିଠି କରି ବିଭିନ୍ନ ଏକାଉଣ୍ଟ ରେ ଟଙ୍କା ପଠାଇବା ପାଇଁ ଚିଠି କରି ସରକାରୀ ଟଙ୍କା ହଡପ କରିବା ପାଇଁ ଉଦ୍ୟମ କରିଥାନ୍ତା ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ବ୍ୟାପକ ବ୍ୟବସ୍ଥା

ପୁରୀ: ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଜନ ସମାଗମକୁ ନଜରରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଅଛି। ମହାପ୍ରଭୁଙ୍କର ସୁନାବେଶ ଦର୍ଶନ ସହ ମହୋଦଧି ଓ ବିଭିନ୍ନ ତୀର୍ଥ ପୁସ୍କରଣୀ ରେ ଡଙ୍ଗା ଭସାଇବା ନେଇ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ମୁତୟନ ହେବେ ୬ ଅତିରିକ୍ତ ଏସପି, ୧୪ ଡିଏସପି, ୩୭ ଇନ୍ସପେକ୍ଟର, ୫ ଶହ ହୋମାଗାର୍ଡ ଓ ୩୬ ପ୍ଲାଟୁନ ପୋଲିସ ଫୋର୍ସ। ଭିଡ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ ଉପରେ ବିଶେଷ ଫୋକସ ରହିବା ସହ ସମୁଦ୍ର କୂଳରେ ମଧ୍ୟ ବ୍ୟାପକ ଲାଇଫଗାର୍ଡ ମୃତୟନ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସେହିପରି ମାର୍କେଟ ଛକରୁ ହୋଇଥିବା ବ୍ୟାରିକେଡ଼ ରେ ଭକ୍ତ ମାନେ ପ୍ରବେଶ କରି ସିଂହଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବା ସହ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ କରିବେ‌।ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷାକୁ ନେଇ ଏପରି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୁରୀ ଏସ୍ପି ଭିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

 ଆନ୍ତଃ ରାଜ୍ୟ ବିବାଦ ସମାଧାନ କରିବ ମନ୍ତ୍ରୀ ସ୍ତରୀୟ କମିଟି 

ଭୁବନେଶ୍ୱର: ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯିବ। ଗତକାଲି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ବିଭିନ୍ନ ଆନ୍ତଃ ରାଜ୍ୟ ବିବାଦ ସଂପର୍କରେ ବିଷଦ ଆଲୋଚନା କରାଯାଇଥିଲା। ପୋଲାଭରମ, ବଂଶଧାରା, ମହାନଦୀ, କୋଟିଆ ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା।

ଆଲୋଚନାରେ ଆଇନ ମନ୍ତ୍ରୀ ପଥ୍ୱୀରାଜ ହରିଚନ୍ଦନ, ଆଡଭୋକେଟ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ଆଇନ ବିଭାଗ ପ୍ରମୁଖ ସଚିବ ମାନସ ରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ସହରାଞ୍ଚଳ ମନ୍ତ୍ରଣାଳୟର ‘ସଂସ୍କାର ଥିଙ୍କଟ୍ୟାଙ୍କ’ର ମୁଖ୍ୟ ଭାବେ ମନୋନୀତ ହେଲେ ମାଥିଭାଥନନ

ଭୁବନେଶ୍ୱର: ରାଜ୍ୟର ପୂର୍ବତନ ନଗର ଉନ୍ନୟନ ସଚିବ ତଥା ବର୍ତ୍ତମାନ ରାଜ୍ୟ ପ୍ରଶାସନିକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଡିଜି ଜି ମାଥିଭାଥନନଙ୍କୁ ସହରାଞ୍ଚଳ ମନ୍ତ୍ରଣାଳୟର ‘ସଂସ୍କାର ଥିଙ୍କଟ୍ୟାଙ୍କ’ର ମୁଖ୍ୟ ଭାବେ ମନୋନୀତ କରାଯାଇଛି। ଦେଶର ସହରାଞ୍ଚଳ ସ୍ଥାନୀୟ ସଂସ୍ଥାପାଇଁ ସ୍ଥାନୀୟ ସ୍ତରରେ ଦକ୍ଷତା ବୃଦ୍ଧି ଉପରେ କାର୍ଯ୍ୟକାରୀ ଗୋଷ୍ଠୀର ନେତୃତ୍ୱ ନେବାକୁ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି।

ସହରାଞ୍ଚଳ ଶାସନକୁ ସୁଦୃଢ଼ ଓ ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ର ସରକାର ରାଜନୈତିକ ସ୍ତରରେ ବ୍ୟାପକ ସଂସ୍କାର, ପ୍ରଶାସନିକ ସ୍ତରରେ ସଂସ୍କାର, ପାରାଷ୍ଟେଟାଲର ପୁନଃନିର୍ଦ୍ଧାରଣ ଭୂମିକା, ଗ୍ରାମୀଣ ସହରାଞ୍ଚଳ ନିରନ୍ତରତା ପାଇଁ ପରିବର୍ତ୍ତନ ବ୍ୟବସ୍ଥା ଏବଂ ସ୍ଥାନୀୟ ସ୍ତରରେ ଦକ୍ଷତା ବୃଦ୍ଧି କ୍ଷେତ୍ରରେ କାର୍ଯ୍ୟାକାରୀ ଗୋଷ୍ଠୀ ଗଠନ କରିଛନ୍ତି। କାର୍ଯ୍ୟକାରୀ ଗୋଷ୍ଠୀ ଗଠନର ତିନି ମାସ ମଧ୍ୟରେ ଏହାର ବିତରଣ/ଚୂଡ଼ାନ୍ତ ରିପୋର୍ଟ ଏହି ମନ୍ତ୍ରଣାଳୟକୁ ପ୍ରଦାନ କରିବେ।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବର୍ତ୍ତମାନ କୋଚିଂ ସେଣ୍ଟରଗୁଡିକର ବିଭ୍ରାନ୍ତିକର ବିଜ୍ଞାପନ ଉପରେ ଲାଗିବ ପ୍ରତିବନ୍ଧକ, ନୂତନ ନିର୍ଦ୍ଦେଶାବଳୀ ଜାରି

ନୂଆଦିଲ୍ଲୀ: କୋଚିଂ ସେଣ୍ଟର ଦ୍ୱାରା ଦିଆଯାଇଥିବା ବିଭ୍ରାନ୍ତିକର ତଥା ପ୍ରତାରଣାକାରୀ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ନିର୍ଦ୍ଦେଶାବଳୀଗୁଡିକର ମୂଳ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଯେକୌଣସି ପ୍ରକାରର ଠକାମିରୁ ରକ୍ଷା କରିବା, ଯାହା ସେମାନଙ୍କୁ ବିଜ୍ଞାପନ ମାଧ୍ୟମରେ ବିଭ୍ରାନ୍ତ କରେ।

ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ, କର୍ମଚାରୀ ଏବଂ ତାଲିମ ବିଭାଗ, ଶିକ୍ଷା ମନ୍ତ୍ରଣାଳୟ, ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ୍ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍, ନ୍ୟାସନାଲ ଲ ୟୁନିଭରସିଟି (ଏନଏଲୟୁ) ଦିଲ୍ଲୀ, ଆଇନ ସଂସ୍ଥା ଏବଂ ଶିଳ୍ପ ସଂସ୍ଥାଗୁଡ଼ିକର ପ୍ରତିନିଧୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ପ୍ରତିନିଧୀମାନେ ଏଥିରେ ସାମିଲ ହୋଇଥିଲେ। କମିଟି ନିଷ୍ପତ୍ତି ନେଇଛି ଯେ, କୋଚିଂ ସେଣ୍ଟର ଦ୍ଵାରା ଦିଆଯାଉଥିବା ବିଜ୍ଞାପନରେ କୌଣସି ଦାବି ରହିବା ଉଚିତ ନୁହେଁ, ଯାହା ଛାତ୍ରଛାତ୍ରୀମାନଙ୍କୁ ବିଭ୍ରାନ୍ତ କରିପାରେ। ବର୍ତ୍ତମାନ ଏହି ନିର୍ଦ୍ଦେଶାବଳୀ ଅନୁସରଣ କରିବା ସମସ୍ତ କୋଚିଂ କେନ୍ଦ୍ର ପାଇଁ ବାଧ୍ୟତାମୂଳକ ହେବ। ଯଦି କୌଣସି କୋଚିଂ ସେଣ୍ଟର ଏହି ନିୟମକୁ ଉଲ୍ଲଂଘନ କରେ, ତେବେ ତାହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହିପରି ବିଜ୍ଞାପନ ଉପରେ ନିଷେଧାଦେଶ ରହିବ:

ପ୍ରସ୍ତାବିତ ପାଠ୍ୟକ୍ରମ, ସେଗୁଡିକର ଅବଧି, ଅଧ୍ୟାପିକ ଯୋଗ୍ୟତା, ଶୁଳ୍କ ଏବଂ ଫେରସ୍ତ ନୀତି, ଚୟନ ହାର, ସଫଳତାର କାହାଣୀ, ପରୀକ୍ଷା ମାନ୍ୟତା ଏବଂ ଚାକିରି ସୁରକ୍ଷା ପ୍ରତିଶୃତି। ଶିକ୍ଷାନୁଷ୍ଠାନଗୁଡିକରେ ନିଶ୍ଚିତ ଆଡମିଶନ କିମ୍ବା ପ୍ରମୋଶନ ସମ୍ବନ୍ଧୀୟ ଏହିପରି ସମସ୍ତ ବିଜ୍ଞାପନ ବର୍ତ୍ତମାନ ନିଷେଧ କରାଯାଇଛି।

କୋଚିଂ ପ୍ରତିଷ୍ଠାନଗୁଡ଼ିକ ଗୁଣବତ୍ତା ବୃଦ୍ଧି ନକରି ସେମାନଙ୍କର ଭିତ୍ତିଭୂମି, ଉତ୍ସ ଏବଂ ସୁବିଧାଗୁଡ଼ିକୁ ସଠିକ୍ ଭାବରେ ବର୍ଣ୍ଣନା କରିବା ଉଚିତ୍।

ଛାତ୍ରଛାତ୍ରୀମାନଙ୍କର ସଫଳତା କାହାଣୀ:

ଛାତ୍ରଛାତ୍ରୀମାନଙ୍କ ଲିଖିତ ଅନୁମତି ନ ମିଳିବା ପର୍ଯ୍ୟନ୍ତ, କୋଚିଂ ସେଣ୍ଟର ସେମାନଙ୍କ ନାମ, ଫଟୋ କିମ୍ବା ବିଜ୍ଞାପନରେ କୌଣସି ପ୍ରମାଣପତ୍ର ବ୍ୟବହାର କରିପାରିବ ନାହିଁ ଏବଂ କୌଣସି ପରୀକ୍ଷାରେ ମନୋନୀତ ହେବା ପରେ ଏହି ସମ୍ମତି ମଧ୍ୟ ଛାତ୍ରଛାତ୍ରୀଙ୍କଠାରୁ ନିଆଯିବ। ଏହାର ଉଦ୍ଦେଶ୍ୟ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଆଡମିଶନ ସମୟରେ ଯେକୌଣସି ପ୍ରକାରର ଚାପରୁ ରକ୍ଷା କରିବା।

ବିଜ୍ଞାପନରେ ସ୍ୱଚ୍ଛତା ରହିବା ଉଚିତ୍:

ବିଜ୍ଞାପନରେ ଛାତ୍ରଛାତ୍ରୀଙ୍କ ଫଟୋଗ୍ରାଫ୍ ସହିତ ନାମ, ପଦବୀ ଏବଂ ପାଠ୍ୟକ୍ରମ ପରି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ ପଡିବ। ସଫଳ ଛାତ୍ରଛାତ୍ରୀ ସେହି ପାଠ୍ୟକ୍ରମ ପାଇଁ କେତେ ଦେୟ ପ୍ରଦାନ କରିଛନ୍ତି ତାହା ମଧ୍ୟ ଉଲ୍ଲେଖ କରିବାକୁ ପଡିବ। ଏହି ସମସ୍ତ ସୂଚନା କ୍ୟାପିଟାଲ୍ ଅକ୍ଷରରେ ଦେବାକୁ ପଡିବ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଭ୍ରମିତ ନ ହୁଅନ୍ତି।

ଏହିପରି ବିଜ୍ଞାପନ ପ୍ରକାଶ କରିବା ପୂର୍ବରୁ କୋଚିଂ ସେଣ୍ଟରଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବ ଯେଉଁଥିରେ କମ୍ ସିଟ୍ କିମ୍ବା କମ୍ ସମୟ କହି ଶୀଘ୍ର ଆଡମିଶନ ନେବାକୁ ଛାତ୍ରଛାତ୍ରୀମାନଙ୍କୁ ଚାପ ଦେବାକୁ ଚେଷ୍ଟା କରାଯାଏ।

କୋଚିଂ ସେଣ୍ଟରଗୁଡ଼ିକୁ ଜାତୀୟ ଗ୍ରାହକ ହେଲ୍ପଲାଇନ ସହିତ ସଂଯୋଗ କରିବାକୁ ପଡିବ:

ପ୍ରତ୍ୟେକ କୋଚିଂ ସେଣ୍ଟରକୁ ନ୍ୟାସନାଲ ଗ୍ରାହକ ହେଲ୍ପଲାଇନ ସହିତ ସଂଯୁକ୍ତ ହେବାକୁ ପଡିବ, ଯାହା ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିବା କିମ୍ବା ବିଭ୍ରାନ୍ତିକର ବିଜ୍ଞାପନ ଏବଂ ଅନ୍ୟାୟ ବାଣିଜ୍ୟ ଅଭ୍ୟାସ ବିଷୟରେ ଅଭିଯୋଗ କରିବା ସହଜ କରିବ।

ନିର୍ଦ୍ଦେଶାବଳୀ ଉଲ୍ଲଂଘନ ପାଇଁ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ?:

ଯଦି କୌଣସି କୋଚିଂ ସେଣ୍ଟର ଏହି ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରେ, ତେବେ ଗ୍ରାହକ ସୁରକ୍ଷା ଆଇନ ୨୦୧୯ ର ନିୟମ ଅନୁଯାୟୀ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଏବଂ ଏପରି ପ୍ରତାରଣାକାରୀ ଘଟଣାକୁ ରୋକିବା ପାଇଁ କେନ୍ଦ୍ରୀୟ ପ୍ରାଧିକରଣର ସମ୍ପୂର୍ଣ୍ଣ ଅଧିକାର ରହିବ।

ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି

ଗତ କିଛି ବର୍ଷ ମଧ୍ୟରେ କୋଚିଂ ସେଣ୍ଟରଗୁଡିକର ବିଭ୍ରାନ୍ତିକର ବିଜ୍ଞାପନ ବିରୁଦ୍ଧରେ CCPA ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବିଭ୍ରାନ୍ତିକର ବିଜ୍ଞାପନ ସମ୍ବନ୍ଧରେ ବିଭିନ୍ନ କୋଚିଂ କେନ୍ଦ୍ରକୁ ୪୫ ଟି ବିଜ୍ଞପ୍ତି ଜାରି କରାଯାଇଛି। କେବଳ ଏତିକି ନୁହେଁ, ୧୮ଟି କୋଚିଂ ପ୍ରତିଷ୍ଠାନ ଉପରେ ୫୪ ଲକ୍ଷ ୬୦ ହଜାର ଟଙ୍କା ଜୋରିମାନା ଲାଗୁ କରାଯାଇଛି ଏବଂ ସେଗୁଡିକୁ ବିଭ୍ରାନ୍ତିକର ବିଜ୍ଞାପନ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।