Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ପୁରସ୍କାର ଓ ଲାଇଭ୍ ଟାଇମ୍ ଅଚିଭମେଣ୍ଟ ପୁରସ୍କାର ସମ୍ମାନିତ ହେଲେ ନୃତ୍ୟ ଗୁରୁ ପୁଷ୍ପିତା ମିଶ୍ର

ରାଇପୁର: ଅଲ୍ ଇଣ୍ଡିଆ ଡ୍ୟାନ୍ସର ଆସୋସିଏସନ୍ ଓ ନରିଥୟଥି କଳାକ୍ଷେତ୍ରମ୍ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ରାଇପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରତିଯୋଗିତା ରେ ବିଭିନ୍ନ ରାଜ୍ୟ ର ନୃତ୍ୟ ଅନୁଷ୍ଠାନ ଗୁଡ଼ିକ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କଥକ,ମଣିପୁରୀ,ଓଡ଼ିଶୀ, କୁଚିପୁଡ଼ି ନୃତ୍ୟ ପରିବେଷଣ କରାଯାଇଥିଲା। ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୋଟ ୨୭୫ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରାଇପୁର ର ରଙ୍ଗ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା।

ରାଇପୁର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନେଶ୍ଵର ର ନୃତ୍ୟ ଅନୁଷ୍ଠାନ “କଳିଙ୍ଗାୟନ ତୌର୍ୟତ୍ରିକମ” ର ଗୁରୁ ପୁଷ୍ପିତା ମିଶ୍ର ଙ୍କୁ ଅଲ୍ ଇଣ୍ଡିଆ ଡ୍ୟାନ୍ସର ଆସୋସିଏସନ୍ ତରଫରୁ ନଟବର ଗୋପିକ୍ରିଷ୍ଣା ଜାତୀୟ ପୁରସ୍କାର ଓ ଲାଇଭ୍ ଟାଇମ୍ ଅଚିଭମେଣ୍ଟ ପୁରସ୍କାର ସମ୍ମାନିତ କରାଯାଇଥିଲା। ସେହି ଭଳି ଶୁଭେନ୍ଦୁ ଦାସ ଙ୍କୁ ନାଟ୍ୟ ମୟୁରମ୍ ପୁରସ୍କାର, ଦେବାଶିଷ ମହାପାତ୍ର ଙ୍କୁ ନୃତ୍ୟ ଲାଭରସାୟନ ପୁରସ୍କାର, ତାରିଣୀ ନାୟକ, ଜ୍ୟୋତିର୍ମୟୀ ଷଡ଼ଙ୍ଗୀ ଏବଂ ଏମ୍ ଜେ କ୍ରିଷ୍ଣା ପରିଡ଼ାଙ୍କୁ ନଟବର ଗୋପିକ୍ରିଷ୍ଣା ଜାତୀୟ ପୁରସ୍କାର ଓ ଶ୍ରୀୟଶ୍ରୀ ପତି, ଆଦ୍ୟାସା ମିଶ୍ର ଏବଂ ସମୀକ୍ଷ୍ୟା ବେହେରା ଙ୍କୁ ନୃତ୍ୟ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କାନାଡାରେ ହିନ୍ଦୁ ମନ୍ଦିର ଆକ୍ରମଣ ମାମଲା: ଜେଲରୁ ମୁକୁଳିଲା ଖାଲିସ୍ତାନୀ ସମର୍ଥକ ଇନ୍ଦରଜିତ, ତ୍ରିରଙ୍ଗାକୁ କଲା ଅସମ୍ମାନ

ନୂଆଦିଲ୍ଲୀ: ବ୍ରମ୍ପଟନ୍ ମନ୍ଦିର ଆକ୍ରମଣ ମାମଲାରେ କାନାଡା ପୋଲିସ୍ ଦ୍ଵାରା ଗିରଫ ହୋଇଥିବା ଖାଲିସ୍ତାନୀ କାର୍ଯ୍ୟକର୍ତ୍ତା ଇନ୍ଦରଜିତ ଗୋସାଲଙ୍କୁ ମୁକ୍ତ କରାଯାଇଛି। ଏହି ଘଟଣାରେ କାନାଡାର ପିଲ ଆଞ୍ଚଳିକ ପୋଲିସ ନଭେମ୍ବର ୩ ତାରିଖରେ ପଞ୍ଚମ ଥର ପାଇଁ ଗିରଫ କରିଥିଲା।

ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଇନ୍ଦରଜିତ ଗୋସାଲ। ସେ ‘କାନାଡାର SFJ ର ସଂଯୋଜକ’ ବୋଲି ଜଣାଯାଇଛି। SFJ ଅର୍ଥାତ ଶିଖ୍ ଫର ଜଷ୍ଟିସ୍ ହେଉଛି ଏକ ଆତଙ୍କବାଦୀ ସଂଗଠନ ଯାହା ଭାରତରେ ନୂଆ ଖାଲିସ୍ତାନ ଦେଶ କରିବା ପାଇଁ ଆନ୍ଦୋଳନ ଜାରୀ ରଖିଛନ୍ତି।

ତେବେ ପୋଲିସର ସୂଚନା ଅନୁଯାୟୀ ତାଙ୍କୁ କିଛି ସର୍ତ୍ତରେ ମୁକ୍ତ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ସେ ବ୍ରମ୍ପଟନ୍‌ର ଅନଟାରିଓ କୋର୍ଟରେ ହାଜର ହେବେ।

ସୋସିଆଲ ମିଡିଆରେ ତାଙ୍କର ଏକ ଚିତ୍ର ଏବେ ଭାଇରାଲ ହୋଇଛି। ଯେଉଁଠାରେ ସେ ଏକ ଇଭେଣ୍ଟରେ ଖାଲିସ୍ତାନୀ ପତାକା ଧରି  ଭାରତୀୟ ତ୍ରିରଙ୍ଗା ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଛି।

ଖାଲିସ୍ତାନୀ ପତାକା ଧରିଥିବା ବିକ୍ଷୋଭକାରୀମାନେ ହିନ୍ଦୁ ସଭା ମନ୍ଦିରରେ ଭକ୍ତଙ୍କୁ ମାଡ଼ ମାରିଥିଲେ ଏବଂ ନଭେମ୍ବର ୩ ତାରିଖରେ ଅନଟାରିଓର ଗ୍ରେଟର ଟରୋଣ୍ଟୋ ଅଞ୍ଚଳର ବ୍ରମ୍ପଟନ୍ ଠାରେ ମନ୍ଦିର କର୍ତ୍ତୃପକ୍ଷ ଏବଂ ଭାରତୀୟ ଦୂତାବାସ ଦ୍ୱାରା ମିଳିତ ଏକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ଜନସ୍ୱାସ୍ଥ୍ୟ ପରିଚାଳନା ପାଇଁ ଲୋକକୁ ସଶକ୍ତ କରିବାକୁ ରିଲାଏନ୍ସ ଫାଉଣ୍ଡେସନର ଉଦ୍ୟମ

ଭୁବନେଶ୍ୱର: ବାତ୍ୟା ଦାନା ପରବର୍ତ୍ତୀ ସମୟରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ପ୍ରଶାସନ ଓ ତୃଣମୂଳ ସ୍ତରର ଅନୁଷ୍ଠାନଗୁଡ଼ିକ ସହ ମିଶି ଶୁକ୍ରବାର ଦିନ ବାଲେଶ୍ୱର ଜିଲ୍ଲା ସୋରଠାରେ ଜନସ୍ୱାସ୍ଥ୍ୟ ବିପଦ ପରିଚାଳନା ଉପରେ ପ୍ରଶିକ୍ଷକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗୁରୁବାର ଭଦ୍ରକ ଜିଲ୍ଲା ତିହିଡ଼ିଠାରେ ମଧ୍ୟ ସମାନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ନିରାପଦ ପାନୀୟ ଜଳ, ପରିମଳ ଏବଂ ସ୍ୱଚ୍ଛତା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଇଥିଲା, ଯାହା ବାତ୍ୟା ପ୍ରଭାବିତ ଲୋକଙ୍କ ମଧ୍ୟରେ ରୋଗ ପ୍ରକୋପକୁ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ସ୍ଥାନୀୟ ପ୍ରଶିକ୍ଷକମାନଙ୍କୁ ଅତ୍ୟାବଶ୍ୟକ କୌଶଳ ଓ ଜ୍ଞାନ ପ୍ରଦାନ ଜରିଆରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶାରେ ବାତ୍ୟା ଦାନା ତଥା ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ସୁରକ୍ଷିତ ଓ ସୁସ୍ଥ ପରିବେଶ ସୃଷ୍ଟି କରିବା ନେଇ ଉଦ୍ୟମ ଜାରି ରଖିଛି।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାତ୍ୟା ଦାନା ଏବଂ ପରବର୍ତ୍ତୀ ବନ୍ୟା ପରିସ୍ଥିତି ଦ୍ୱାରା ପ୍ରଭାବିତ ସ୍ଥାନୀୟ ଲୋକଙ୍କୁ ଫସଲ ସୁରକ୍ଷା ପଦକ୍ଷେପ, ପ୍ରଭାବିତ ଲୋକଙ୍କୁ ରିଲିଫ ପ୍ରଦାନ ସହାୟତା ଏବଂ ଜନସ୍ୱାସ୍ଥ୍ୟ ଅଭିଯାନ ଭଳି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।

ରିଲାଏନ୍ସ ଫାଉଣ୍ଡେସନର ବାତ୍ୟା ସମୟରେ ଓ ପରବର୍ତ୍ତୀ ସମୟରେ କାର୍ଯ୍ୟ ପାଇଁ ଅକ୍ଳାନ୍ତ ପ୍ରୟାସକୁ ଓଡ଼ିଶା ସରକାର ଓ ଭଦ୍ରକ ଜିଲ୍ଲା ପ୍ରଶାସନ ଉଚ୍ଚ ପ୍ରଶଂସା କରିବା ସହ ସ୍ୱୀକୃତି ପ୍ରଦାନ କରିଛନ୍ତି।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦାନା ବାତ୍ୟା ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀରେ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଯାଇଥିଲା। ବାତ୍ୟା ପ୍ରଭାବିତ ଲୋକଙ୍କ ସହ ଠିଆ ହୋଇ ରିଲାଏନ୍ସ ଫାଉଣ୍ଡେସନ ସରକାର ଏବଂ ଅନ୍ୟ ସଂଗଠନ ସହ ମିଶି କ୍ଷତିଗ୍ରସ୍ତଙ୍କୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବାରେ ସାହାଯ୍ୟ କରିଛ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ବାଭାବିକତା ଫେରାଇଆଣିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ଅନ୍ୟ ସଂସ୍ଥା ଏବଂ ଲୋକମାନଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିଛି। ବାତ୍ୟା ଦାନାର ପ୍ରଭାବ ଯେଭଳି ସର୍ବନିମ୍ନ ରହିବ ସେଥିନେଇ ତୁରନ୍ତ କାର୍ଯ୍ୟ କରିବା ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କର୍ତ୍ତୃପକ୍ଷ, ନାଗରିକ ସମାଜ ସଂଗଠନ ଏବଂ ଲୋକଙ୍କ ସହ ମିଳିତ ଭାବେ ଆଗୁଆ ପଦକ୍ଷେପ ନିଆଯାଇଥିଲା।

ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ତୁରନ୍ତ ରିଲାଏନ୍ସ ଫାଉଣ୍ଡେସନର କର୍ମଚାରୀ ଓ ଗୋଷ୍ଠୀ ସ୍ୱେଚ୍ଛାସେବୀମାନେ ଭଦ୍ରକ ଜିଲ୍ଲାରେ କର୍ତ୍ତୃପକ୍ଷଙ୍କ ସହ ହାତ ମିଳାଇ ରାସ୍ତା ଉପରେ ଭାଙ୍ଗିପଡିଥିବା ଗଛ ଓ ଅନ୍ୟ ଅବରୋଧ ସଫା କରିବା ସହ ଅତ୍ୟାବଶ୍ୟକ ଜନସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ପ୍ରଦାନ କରିବା ସମେତ ବାତ୍ୟା ପରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ନେଇ ବିବିଧ ପରାମର୍ଶ ଓ ସୂଚନା ପ୍ରଦାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସିନେମା

ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଦସ୍ତଖତ ଅଭିଯାନ

ନୂଆଦିଲ୍ଲୀ: ଚଳିତ ମାସ ୨୦ ରୁ ୨୮ ତାରିଖ ମଧ୍ୟରେ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି ୫୫ ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ। ଏହି ଉତ୍ସବର ଅଧିକ ପ୍ରଚାର ପ୍ରସାର ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି।

ଭୁବନେଶ୍ୱର କେନ୍ଦ୍ରୀୟ ସଂଚାର ବ୍ୟୁରୋ, ପତ୍ର ସୂଚନା ବ୍ୟୁରୋ ଓ ସମାଜ ବିଜ୍ଞାନ ବିଭାଗର ମିଳିତ ଉଦ୍ୟମରେ ଏହି ଅଭିଯାନ ଆୟୋଜନ କରାଯାଇଛି। ସାମାଜ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡ. ରବୀନ୍ଦ୍ର ଗରଡା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହ ସମାଜ ବିଜ୍ଞାନ ଏବଂ ଚଳଚ୍ଚିତ୍ର ମଧ୍ୟରେ ଥିବା ସଂଯୋଗ ଉପରେ ଆଲୋକପାତ କରିଛନ୍ତି।ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ଼ର ଆଞ୍ଚଳିକ ଅଧିକାରୀ ତଥା ସିବିସିର ନିର୍ଦ୍ଦେଶକ ଡ. ଗିରୀଶ ଚନ୍ଦ୍ର ଦାସ ଯୋଗଦେଇ ଭାରତୀୟ ଓ ଓଡିଆ ଚଳଚ୍ଚିତ୍ରର ଗୌରବମୟ ଯାତ୍ରା ଉପରେ ଆଲୋକପାତ କରିଥିଲେ। ଆଗାମୀ ଚଳଚ୍ଚିତ୍ର ମହୋତ୍ସବ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଓ ଅନ୍ୟାନ୍ୟ ମାଧ୍ୟମରେ ପ୍ରଚାର ପ୍ରସାର ପାଇଁ ଛାତ୍ରଛାତ୍ରୀଙ୍କୁ ଡ ଦାଶ ପରାମର୍ଶ ଦେଇଥିଲେ।

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଅବସରପ୍ରାପ୍ତ ସହକାରୀ କମିଶନର ଅଶୋକ କୁମାର ମିଶ୍ର, ଚଳଚ୍ଚିତ୍ର ମହୋତ୍ସବର ଗୁରୁତ୍ୱ ସମ୍ପର୍କରେ ମତ ଦେଇ ମହୋତ୍ସବରେ ଅଂଶ ହେବାକୁ କହିଥିଲେ। ଚଳଚ୍ଚିତ୍ର ମାଧ୍ୟମରେ ସମାଜରେ ବିଭିନ୍ନ ପରିବର୍ତ୍ତନ ଆସିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପତ୍ର ସୂଚନା କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ମନୋଜ କୁମାର ଜାଲି, ସମାଜ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ତନୟା ମହାନ୍ତି ଯୋଗ ଦେଇଥିଲେ। ସିବିସି କାର୍ଯ୍ୟକ୍ରମ ଅଧିକାରୀ ଏବଂ କ୍ଷେତ୍ର ପ୍ରଚାର ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଦେଇଥିଲେ। ଦସ୍ତଖତ ଅଭିଯାନରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ବେଳାଭୂମିରେ ଡିସେମ୍ବର ୪ରେ ଅନୁଷ୍ଠିତ ହେବ ଭାରତୀୟ ନୌସେନାର ସମରାଭ୍ୟାସ

ଭୁବନେଶ୍ଵର: ଚଳିତ ବର୍ଷ ନୌସେନା ଦିବସ ଉପଲକ୍ଷେ ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀର ବ୍ଲୁ ଫ୍ଲାଗ୍‌ ବେଳାଭୂମିରେ ଭାରତୀୟ ନୌସେନାର ସମରାଭ୍ୟାସ ଅନୁଷ୍ଠିତ ହେବ । ଏହି ‘ଅପରେସନ ଡେମୋନଷ୍ଟ୍ରେସନ୍‌’ ବା ପରିଚାଳନାଗତ ପ୍ରଦର୍ଶନରେ ନୌସେନା ନିଜର ଅଜେୟ ସାମୁଦ୍ରିକ କ୍ଷମତା ଓ ଶକ୍ତି ପ୍ରଦର୍ଶନ କରିବା ଲାଗି ପ୍ରସ୍ତୁତି କରିଛି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ନୌସେନାର ବହୁମୁଖୀ କ୍ଷମତାକୁ ପ୍ରଦର୍ଶିତ କରିବ, ନାଗରିକଙ୍କ ମଧ୍ୟରେ ସମୁଦ୍ରକୁ ନେଇ ସଚେତନତା ବୃଦ୍ଧି କରିବ ଏବଂ ଭାରତର ସମୃଦ୍ଧ ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ପ୍ରଦର୍ଶନ କରିବାରେ ସହାୟକ ହେବ।

ପ୍ରାଚୀନ ବ୍ଲୁ ଫ୍ଲାଗ୍‌ ବେଳାଭୂମିର ପରିଦୃଶ୍ୟରେ ଆୟୋଜିତ ହେବାକୁ ଥିବା ପରିଚାଳନାଗତ ପ୍ରଦର୍ଶନ ଭାରତୀୟ ନୌସେନା ଏବଂ ଓଡ଼ିଶା ରାଜ୍ୟର ସାମୁଦ୍ରିକ ଐତିହ୍ୟ ମଧ୍ୟରେ ସମ୍ପର୍କର ପ୍ରତୀକ।

ଭାରତୀୟ ନୌସେନା ଏହି ଆୟୋଜନକୁ ସୁଚାରୁ ରୂପେ ପରିଚାଳନା କରିବା ଲାଗି ଓଡ଼ିଶା ରାଜ୍ୟ ସରକାର ଏବଂ ସ୍ଥାନୀୟ ଅଧିକାରୀଙ୍କ ସହ ମିଶି କାମ କରୁଛି। ଏହି ଆୟୋଜନରେ ସ୍ଥାନୀୟ ଦର୍ଶକ ଓ ପର୍ଯ୍ୟଟକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯିବ, ଯାହାଦ୍ୱାରା ସମସ୍ତଙ୍କୁ ସମୁଦ୍ର ଉପକୂଳରୁ ପ୍ରତ୍ୟକ୍ଷ ଭାବେ ନୌସେନାର ସାମର୍ଥ୍ୟ ପ୍ରଦର୍ଶନ ଦେଖିବାର ସୁଯୋଗ ମିଳିବ। ଏହି କାର୍ଯ୍ୟକ୍ରମକୁ ଜାତୀୟ ଟେଲିଭିଜନ ଚାନେଲରେ ସିଧା ପ୍ରସାରଣ ମଧ୍ୟ କରାଯିବ ଏବଂ ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ଏହାକୁ ପହଞ୍ଚାଇବା ଲାଗି ଏହାକୁ ଭାରତୀୟ ନୌସେନାର ୟୁଟ୍ୟୁବ୍‌ ଚାନେଲରେ ମଧ୍ୟ ସିଧା ପ୍ରସାରଣ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

କୌଣସି ପରିସ୍ଥିତିରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ ବନ୍ଦ ହେବ ନାହିଁ

ଭୁବନେଶ୍ଵର: କୌଣସି ପରିସ୍ଥିତିରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ ବନ୍ଦ ହେବ ନାହିଁ ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର। ଶନିବାର ଭୁବନେଶ୍ବରଠାରେ ସମସ୍ତ ଜିଲ୍ଲାରେ ପୁଷ୍ଟିକର, ନିରାପତ୍ତା ମଧ୍ୟାହ୍ନ ଭୋଜନ ପରିଚାଳନା ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଭାସୀ ବୈଠକରେ ଏ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ନିରାପଦ ଓ ସ୍ବଚ୍ଛ ମଧ୍ୟାହ୍ନ ଭୋଜନକୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି।

ସେ ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ପିଏମ୍ ପୋଷଣ ରାଜ୍ୟ ସଂଯୋଜନ ଅଧିକାରୀ ରଘୁରାମ ଆର ଆୟାର ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ଜିଲ୍ଲାଗୁଡ଼ିକୁ ମଧ୍ୟାହ୍ନ ଭୋଜନ ପାଇଁ ପିଏମ୍ ପୋଷଣ ଅଧୀନରେ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଛି।

ମଧ୍ୟାହ୍ନ ଭୋଜନରେ ପୋଷଣୀୟ ଚାଉଳ ଓ ଉନ୍ନତ ମାନର ଖାଦ୍ୟ ସାମଗ୍ରୀ ବ୍ୟବହାର କରିବା ପାଇଁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୁଷ୍ଟିକର ମଧ୍ୟାହ୍ନ ଭୋଜନ ପ୍ରତିଟି ଶିଶୁର ଅଧିକାର। ଏହା କିଭଳି ନିରାପଦ, ସ୍ବଚ୍ଛ ଓ ସୁରକ୍ଷିତ ହେବା ସହ ବିନା କୌଣସି ସମସ୍ୟାରେ ପ୍ରତିଦିନ ଛାତ୍ରଛାତ୍ରୀଙ୍କୁ ମିଳିବ, ସେ ସଂପର୍କରେ ସମସ୍ତେ ସମ୍ବେଦନଶୀଳ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ପିଏମ୍ ପୋଷଣ ଅନ୍ତର୍ଗତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ତୁଳସୀକ୍ଷେତ୍ର ଶ୍ରୀ ବଳଦେବଜୀଉଙ୍କ ପ୍ରଳମ୍ବାସୁର ସଂହାର ବେଶ ପାଇଁ ପୁରୀରୁ ସାନଭାଇ ପଠାଇଲେ ପାଟବସ୍ତ୍ର

କେନ୍ଦ୍ରାପଡା: ତୁଳସୀକ୍ଷେତ୍ର କେନ୍ଦ୍ରାପଡା ସହ ଶ୍ରୀକ୍ଷେତ୍ର ପୁରୀର ଆଧ୍ୟତ୍ମିକ ସଂପର୍କ ବେଶ ନିବିଡ। ପାରମ୍ପରିକ ତଥା ପୌରାଣିକ ଢଂଗରେ କୋଟି ଓଡିଆଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଶ୍ରୀବଳଦେବଙ୍କ ସାନଭାଇ। ଏଥିପାଇଁ ଶ୍ରୀମନ୍ଦିର ନିତିକାନ୍ତି ସହ ଅନେକ ସାମଞ୍ଜସ୍ୟ ଏବଂ ସ୍ୱତନ୍ତ୍ରତା ପରିଲକ୍ଷିତ ହୋଇଥାଏ ତୁଳସୀକ୍ଷେତ୍ରର ଆରାଧ୍ୟଦେବତା ଶ୍ରୀବଳଦେବଜୀଉ ମନ୍ଦିରରେ। ଅନ୍ୟ ଅର୍ଥରେ କହିବାକୁ ଗଲେ ଶ୍ରୀବଳଦେବଜୀଉଙ୍କ ସହ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ଦୃଢ ସଂପର୍କ ରହିଛି।

ଏହି ପରପ୍ରେକ୍ଷୀରେ କାର୍ତିକ ମାସରେ ପଂଚକବ୍ରତ ମଧ୍ୟ ତୁଳସୀକ୍ଷେତ୍ରରେ ପାଳନ କରାଯାଇଥାଏ। ଯେଉଁ ହବିଶ୍ୟାଳୀମାନେ ପୁରୀ ଯିବାକୁ ଅସମର୍ଥ ହୋଇଥାନ୍ତି ସେମାନେ ତୁଳସୀକ୍ଷେତ୍ରରେ ହବିଷ କଲେ ସମାନ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ଆଧ୍ୟାତ୍ମିକ ବିଶ୍ୱାସ ରହିଛି। ପଂଚକବ୍ରତ ପାଳନ ସମୟରେ ପଂଚକ ଏକାଦଦଶୀରେ ଶ୍ରୀବଳଦେବଜୀଉଙ୍କ ପ୍ରଳମ୍ବାସୁର ସଂହାର ବେଶ କରାଯାଇଥାଏ।

ଏହିବେଶ ପାଇଁ ପୁରୀ ଜଗନ୍ନାଥଧାମ ଶ୍ରୀକ୍ଷେତ୍ରରୁ ସାନଭାଇ ଶ୍ରୀଜଗନ୍ନାଥ ତୁଳସୀକ୍ଷେତ୍ର ଆରାଧ୍ୟ ଦେବତା ତଥା ବଡଭାଇ ଶ୍ରୀ ବଳଦେବଜୀଉଙ୍କୁ ପାଟବସ୍ତ୍ର ଭେଟିଦେଇଥାନ୍ତି। ଏହି ପରମ୍ପରା ସଂପର୍କରେ ମାଦଳାପାଞ୍ଜିରେ ଉଲେଖ ଥିବା ଗବେଷକ ମାନେ ମତପ୍ରକାଶ କରନ୍ତି।

ତେବେ କୌଣସି କାରଣରୁ ଏହି ପାଟବସ୍ତ୍ର ଭେଟ ନିତୀ ଅତୀତରେ ବନ୍ଦ ହୋଇଯାଇଥିଲା। ତେବେ ୧୦ ବର୍ଷ ଧରି ଅଧ୍ୟାତ୍ମିକ ପ୍ରାମଣିକ ତଥ୍ୟ କୁ ପାଥେୟ କରାଯାଇ ଲୁପ୍ତ ହୋଇଥିବା ପରମ୍ପରାକୁ ଜୀବନ୍ୟାସ ପ୍ରଦାନ କରାଯାଇଛି। ପୁରୀ ଠାକୁର ରାଜା ଦିବ୍ୟସିଂହଦଦେବଙ୍କ ଅନୁଗ୍ରହ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମରେ ପଂଚକବ୍ରତ ପାଳନ ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପୁନରାୟ ଏହି ପରମ୍ପରାକୁ ଉଦଜୀବିତ କରାଯାଇଛି।

ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଅଫିସର ଅନ ସ୍ପେଶାଲ ଡ୍ୟୁଟି ସରୋଜ କୁମାର ରାୟଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଦଳ ତୁଳସୀକ୍ଷେତ୍ର କେନ୍ଦ୍ରାପଡା ତିଟି ପାଟବସ୍ତ୍ର ଧରି ଆଜି ତୁଳସୀକ୍ଷେତ୍ରରେ ପହଚିଁ ଶ୍ରୀ ବଳଦେବଜୀଉ ଦେବୋତର ସଂସ୍ଥା କାର୍ଯ୍ୟାଳୟ କୁ ହସ୍ତାନ୍ତର କରିଛନ୍ତି। ତୁଳସୀକ୍ଷେତ୍ର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ପାଇଁ ନୀଳପାଟ ବସ୍ତ୍ର,ମାସୁଭଦ୍ରାଙ୍କ ପାଇଁ ଲାଲ ପାଟବସ୍ତ୍ର ଏବଂ ଶ୍ରୀ ଜଗନ୍ନାଥଙ୍କ ପାଇଁ ହଳଦୀଆ ପାଟବସ୍ତ୍ରକୁ ହସ୍ତାନ୍ତର କରାଯାଇଛି। ପାଟବସ୍ତ୍ର ହସ୍ତାନ୍ତ୍ରର ସମୟରେ ଶ୍ରୀ ମନ୍ଦିର ପ୍ରଶାସନର ନୀତୀ ବିଭାଗ ସହ ଜଡିତ ପାଟରା ସେବକ ସତ୍ୟନାରାୟଣ ପାତ୍ର, ବରିଷ୍ଠ ସେବାୟତ ଜଗବନ୍ଧୁ ପଣ୍ଡା ଉପସ୍ଥିତ ଥିଲେ।

ଶ୍ରୀବଳଦେବଜୀଉ ଦେବୋତର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀବଳଭଦ୍ର ପତ୍ରୀ,ସଂସ୍ଥାର ବରିଷ୍ଠ କାର୍ଯ୍ୟାଳୟ ସହାୟକ ଶରତ ଚନ୍ଦ୍ର ପାତ୍ର ପାଟବସ୍ତ୍ର ଗ୍ରହଣ କରିଥିଲେ। ଆଜି ରାତ୍ରିରେ ଏହି ତିନି ପାଟବସ୍ତ୍ରକୁ ଭଣ୍ଡାରଗୃହ ସେବାୟତଙ୍କୁ ପ୍ରଦାନ କରାଯିବ। ପଂଚକବ୍ରତ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କୁ ଏହି ପାଟବସ୍ତ୍ର ଲାଗି କରାଯିବ ବୋଲି ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଛଟ୍ ପୂଜା ଶେଷ ହେଲେ ମଧ୍ୟ କମିନାହିଁ ଭିଡ଼: ପୂର୍ବତଟ ରେଳପଥ ପକ୍ଷରୁ ୨୭ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା

ଭୁବନେଶ୍ଵର: ଛଟ୍ ପୂଜା ଶେଷ ହେବାକୁ ଯାଉଥିଲେ ମଧ୍ୟ ଯାତ୍ରୀମାନଙ୍କ ଭିଡ଼ କମିନାହିଁ। ଭିଡ଼ କମାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୨୭ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଚଳାଚଳ କରୁଛି। ସେଥିମଧ୍ୟରୁ ୧୮ଯୋଡ଼ା ଟ୍ରେନ୍ ଚଳିତମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ। ୭ ଯୋଡ଼ା ଟ୍ରେନ୍ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏହାଛଡ଼ା ଦୁଇ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ବିହାରର ଦାନାପୁର ଓ ଜୟନଗରକୁ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ପୁରୀଠାରୁ ଜୟନଗର ପର୍ଯ୍ୟନ୍ତ ଏବଂ ବିଶାଖାପାଟଣାଠାରୁ ଦାନାପୁର ପର୍ଯ୍ୟନ୍ତ ଅତିରିକ୍ତ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳର ମଧ୍ୟ ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ଭୁବନେଶ୍ବରରୁ ଧାନବାଦ ଓ ଯଶୱନ୍ତପୁର, ପୁରୀରୁ ପାଟନା ଓ ଜୟନଗର, ନିଜାମୁଦ୍ଦିନ- ଉଦନା ସୁରତ, ଗ୍ବାଲିୟର, କୋଲକାତା, ସାନ୍ତ୍ରାଗାଛି, ସାଲିମାର ଓ ଭଞ୍ଜପୁର ଟ୍ରେନ୍ ଚଳାଚଳ କରିବ। ଏଥିସହ ସମ୍ବଲପୁରରୁ କେରଳର ଇରୋଡ, ବ୍ରହ୍ମପୁରରୁ ମହାରାଷ୍ଟ୍ରର ନାନ୍ଦେଦ, ସିକନ୍ଦରାବାଦ ଏବଂ ସୁରତ ପର୍ଯ୍ୟନ୍ତ ଓ କଟକରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

କାର୍ତ୍ତିକ ମାସରେ ସ୍ଥାପନା କରାଯାଏ ଆକାଶ ଦ୍ବୀପ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: ସାଧାରଣତଃ କାର୍ତ୍ତିକ ମାସରେ ଆକାଶ ଦୀପ ଲଗାଯାଇଥାଏ। ବିଶ୍ବାସ ରହିଛି ଏହି ଆକାଶ ଦୀପ ଲାଗିଲେ ନିଜ ଜ୍ଞାନର ଆଲୋକ ଜଳି ଉଠେ। ସେଥିପାଇଁ ଏହି ଦୀପ ଲଗାଯାଇଥାଏ। ଯହେତୁ କାର୍ତ୍ତିକ ମାସ ହେଉଛି ସବୁମାସଠାରୁ ଶ୍ରେଷ୍ଠ ମାସ, ସେଥିପାଇଁ ଏହି କାର୍ତ୍ତିକ ମାସରେ ଏହି ଆକାଶ ଦୀପ ଲଗାଯାଇଥାଏ।

ସାଧାରଣ ଦୀପଠାରୁ ଆକାଶ ଦୀପ ଭିନ୍ନ ପ୍ରକାରର ହୋଇଥାଏ। ଏକ ମାଟି ହାଣ୍ଡିର ଉପରି ଭାଗରେ କେତେକ ଛିଦ୍ର କରିବା ପରେ ସେଥିରେ ବାଲି ରଖାଯାଇଥାଏ। ଏହି ବାଲି ଉପରେ ଏକ ଦୀପ ରଖାଯାଇ ଅଗ୍ନି ସଂଯୋଗ କରାଯାଇଥାଏ। ଏହାପରେ ଏକ ମାଟି ଢାଙ୍କୁଣୀ ଦ୍ବାରା ଢଙ୍କଯାଇ ଶିକାରେ ରଖାଯାଏ।

ଏହି ଦୀପ ଶିକାକୁ ଏକ ଉଚ୍ଚ ବାଉଁଶରେ ବାନ୍ଧି ଉପରକୁ ଉଠାଯାଏ। ସାଧାରଣତଃ ପତାକା ବାନ୍ଧିବା ପରେ ଏହାକୁ ଏକ ରଶି ସାହାଯ୍ୟରେ ଉପରକୁ ଭିଡାଯାଏ। କାରଣ ପୁଣି ତେଲ ସରିଗଲେ ସେହି ରଶି ଦ୍ବାରା ଦୀପକୁ ତଳକୁ ଖସାଯାଇଥାଏ।

ଏହି ଆକାଶ ଦୀପ ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ସଂଧ୍ୟାବେଳେ ବୟସ୍କା ମହିଳାମାନେ ଚଉଁରା ମୂଳେ ଏହି ଆକାଶ ଦୀପ ସ୍ଥାପନା କରିଥାନ୍ତି। ବିଶ୍ବାସ ରହିଛି ଯେ ଯାହାର ଆକାଶ ଦୀପ ଯେତେ ଉଚ୍ଚା ତାହାର ପୂଣ୍ୟର ମାତ୍ର ସେତେ ଅଧିକ ହେବ।

ଏଥିସହିତ ଆକାଶ ଦୀପର ଆଉ ଏକ କାରଣ ରହିଛି। ତାହା ହେଲା ମହାଳୟାକୁ ପୂର୍ବପୁରୁଷମାନେ ପୃଥିବୀକୁ ଆସିଥାନ୍ତି। ଆଉ ଦୀପାବଳି ଦିନ ଦିପରେ ଆଲୋକରେ ସେମାନେ ଫେରିଯାଆନ୍ତି। ସେଥିପାଇଁ ବହୁ ଉଚ୍ଚରେ ଏହି ଆକାଶ ଦୀପ ସେମାନଙ୍କୁ ବାଟ କଢାଇଥାଏ ବୋଲି ଏକ ବିଶ୍ବାସ ମଧ୍ୟ ରହିଛି।

ଅନେକ ପୁରା କାର୍ତ୍ତିକ ମାସ ସାରା ଏହି ଦୀପ ଲଗାଇଥାନ୍ତି। ହେଲେ କେତେକ ସ୍ଥାନରେ ଦୀପାବଳି ପରେ, କେତେକ ସ୍ଥାନରେ ଅଁଳା ନବମୀ ପରେ କରିଥାନ୍ତି। ହେଲେ ଅଧିକାଂଶ ପଞ୍ଚୁକ ପାଞ୍ଚଦିନ ଏହି ଆକାଶ ଦୀପ ସ୍ଥାପନ କରୁଥିବାର ପରିଲକ୍ଷିତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଆଜି ହେଉଛି ଅଁଳା ନବମୀ, ଏହି ପର୍ବ କାହିଁକି ପାଳନ କରାଯାଏ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: ହିନ୍ଦୁ ବିଶ୍ୱାସ ଅନୁଯାୟୀ କାର୍ତ୍ତିକ ମାସରେ ଅନେକ ପର୍ବ ପାଳନ କରାଯାଏ। ସେହିପରି ଏହି ମାସର ନବମୀ ତିଥି ଶୁକ୍ଳ ପକ୍ଷ ଅଁଳା ନବମୀ ପାଳନ କରାଯାଇଥାଏ। ଯାହା ଆଜି ପାଳିତ ହେବ। ଉତ୍ତର ଏବଂ ମଧ୍ୟ ଭାରତରେ ଅଁଳା ନବମୀର ପର୍ବ ପାଳନ କରାଯାଏ।

ବିଶ୍ୱାସ କରାଯାଏ ଯେ ଅଁଳା ନବମୀ ଦିନ ଭଗବାନ କୃଷ୍ଣ ଗୋପପୁର ଛାଡି ମଥୁରା ଯାଇଥିଲେ। ଏହି ଦିନ, ସେ ପିଲାଦିନର ଖେଳକୂଦ ଛାଡି ନିଜ କର୍ତ୍ତବ୍ୟର ପଥରେ ପାଦ ଦେଇଥିଲେ। ଏହି ପୂଜା ବିଶେଷ କରି ଉତ୍ତର ଭାରତରେ କରାଯାଏ। ମହିଳାମାନେ ପୂର୍ଣ୍ଣ ରୀତିନୀତି ସହିତ ଅଁଳା ନବମୀଙ୍କୁ ପୂଜା କରନ୍ତି।

ଏହି ପୂଜା ପିଲା ଏବଂ ପରିବାରର ଆରାମ ପାଇବା ଉଦ୍ଦେଶ୍ୟରେ କରାଯାଇଥାଏ। କାର୍ତ୍ତିକ ମାସର ଶୁକ୍ଲ ପକ୍ଷର ନବମୀ ଦିନରେ ଅଁଳା ନବମୀ ବା ଅକ୍ଷୟ ନବମୀ ପାଳନ କରାଯାଏ। ଦିୱାଲି ପର୍ବ ପରେ ଏହି ପର୍ବ ଆସେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ନଭେମ୍ବର ୧୦ ତାରିଖ ରବିବାରରେ ଆଠଟି ରାଶି ପ୍ରତି ସୂର୍ଯ୍ୟ ଦେବଙ୍କର ରହିଛି ଆଶୀର୍ବାଦ

ମେଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଭଲ ଲାଭ ହେବ । ବାକିଥିବା ଟଙ୍କା ପ୍ରାପ୍ତ ହେବ। ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । ସାହିତ୍ୟ ଲେଖିବାକୁ ଆଗ୍ରହୀ ହେବେ । ପ୍ରିୟଜନଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହେବେ। ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ, ଚାକିରିରେ ପଦୋନ୍ନତି ଏବଂ ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ଅଛି । ଆପଣ ଜ୍ଞାନ ଏବଂ ବୁଦ୍ଧି ସହିତ ଅନ୍ୟମାନଙ୍କୁ ପ୍ରଭାବିତ କରିବେ । ସଫଳତା ଏବଂ ସହଯୋଗର ଭଲ ଲକ୍ଷଣ ଅଛି । ନୂତନ ପ୍ରୟାସ ସହିତ ସମସ୍ତଙ୍କୁ ଆକର୍ଷିତ କରିବେ । ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ଏବଂ ବାହାରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

ବୃଷ: – ଆଜି ମିଶ୍ରିତ ଦିନ ହେବ ।ବହୁତ ଖୁସି ହେବ ଏବଂ ମହାନତା ଏବଂ ସଭ୍ୟତା ଉପରେ ଗୁରୁତ୍ୱ ଦିଆଯିବ । ଏକାଡେମିକ୍ ଜିନିଷ ପଢିବାରେ ମନ ରହିବ, ଯାହା ଦ୍ବାରା ଜୀବନରେ ନୂତନ ଚିନ୍ତାଧାରା ଆସିପାରିବ । ଆପଣଙ୍କ ସାଥୀ ପାଇଁ ଆଶ୍ଚର୍ଯ୍ୟଜନକ ପାର୍ଟିର ଆୟୋଜନ କରିବେ । ସ୍ୱାସ୍ଥ୍ୟ ଭଲ ହେବ । ଖର୍ଚ୍ଚ ଏବଂ ବିନିଯୋଗ ବୃଦ୍ଧି ପାଇବ। ଆପଣ ଲୋକଙ୍କଠାରୁ ପ୍ରଶଂସା ପାଇବେ । ଭ୍ରମଣରେ ସତର୍କ ରୁହନ୍ତୁ । ଅଜ୍ଞାତ ଲୋକଙ୍କ ନିକଟତର ହେବା ପାଇଁ ସତର୍କ ରୁହନ୍ତୁ । ସାଙ୍ଗମାନେ ସାକ୍ଷାତ କରିବେ ଏବଂ ସେମାନଙ୍କ ସହିତ ସମୟ ବିତାଇବେ । ବିନା କାରଣରେ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ, ଅନାବଶ୍ୟକ ଯୁଦ୍ଧ ହୋଇପାରେ । ଧାର୍ମିକ କାର୍ଯ୍ୟର ଧାରା ପାର୍ଶ୍ୱରେ ରହିବ।

ମିଥୁନ: – ଆଜି ଭଲ ଦିନ ହେବ ନାହିଁ। ଅଧିକ କାର୍ଯ୍ୟଭାର ମଧ୍ୟ ରହିବ, ଯଦି ଆପଣ କାର୍ଯ୍ୟରେ ସଫଳତା ପାଇବେ, ତେବେ ଆପଣଙ୍କ ମନ ଖୁସିରେ ରହିବ । ଶାରୀରିକ ଏବଂ ମାନସିକ ସ୍ତରରେ ଥକ୍କା ଅନୁଭବ କରିପାରନ୍ତି । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ପରିବାର ସଦସ୍ୟଙ୍କ ସହିତ ବିବାଦ ହୋଇପାରେ । ତିକ୍ତ ଜିନିଷକୁ ଅଣଦେଖା କରିବାକୁ ଚେଷ୍ଟା କରନ୍ତୁ । କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ଲକ୍ଷ୍ୟ ପୂରଣ କରିବାରେ ସଫଳ ହେବେ। ସହକର୍ମୀ ଏବଂ ବୟସ୍କମାନଙ୍କ ସମର୍ଥନ ରହିବ । କର୍ମକ୍ଷେତ୍ରରେ ଟିକିଏ ସତର୍କ ରହିବା ଆବଶ୍ୟକ । ଯେକୌଣସି ଧାର୍ମିକ ସ୍ଥାନକୁ ଯାଅନ୍ତୁ ଏବଂ ଅଭାବୀ ଲୋକଙ୍କୁ ଦାନ କରନ୍ତୁ, ଆଧ୍ୟାତ୍ମିକ ଶାନ୍ତି ମିଳିବ ।

କର୍କଟ: – ଆଜି ଏକ ସାଧାରଣ ଦିନ ହେବ । ପରିବାର ବିଷୟରେ ଚିନ୍ତିତ ହେବେ । ଚିନ୍ତା ସହଜରେ ଦୂର କରାଯାଇପାରିବ । ବିନିଯୋଗ ଭଲ ଲାଭ ଆଣିପାରେ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଆର୍ଥିକ ପ୍ରୟାସ ଭଲ ରହିବ । ଜୀବନଶୈଳୀ ସମ୍ବନ୍ଧୀୟ ଆଇଟମ୍ ପ୍ରତି ଏକ ବୃଦ୍ଧି ଧାରା ରହିବ । ଘରେ ସୁଖ ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ । ପଦୋନ୍ନତି ଦିଆଯାଉଛି, ଏକ ପୁରୁଣା ବନ୍ଧୁଙ୍କୁ ଭେଟିପାରିବେ । ଅନ୍ୟ ପଟେ, ଯଦି କିଛି କାର୍ଯ୍ୟରେ ଅସୁବିଧା ଥାଏ, ତେବେ ଧର୍ଯ୍ୟର ସହିତ କାର୍ଯ୍ୟ ସମାପ୍ତ କରିବାକୁ ଚେଷ୍ଟା କରନ୍ତୁ ।

ସିଂହ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଆର୍ଥିକ ଲାଭ ହେବ । ଆପଣ ଯାହା ବି କଲେ ସେଥିରେ ଆପଣଙ୍କର ଭଲ ହେବ । ଆପଣ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଅଧିକାଂଶ କାର୍ଯ୍ୟାଳୟ ଏବଂ ବ୍ୟବସାୟିକ କାର୍ଯ୍ୟ ପରିଚାଳନା କରାଯିବ। ଅଧିକାରୀଙ୍କ ସମ୍ପୂର୍ଣ୍ଣ ସହଯୋଗ ହେବ। ମାର୍ଗ ମଧ୍ୟ ପ୍ରସ୍ତୁତ କରାଯାଇପାରେ। ପରିବାରକୁ ପୂର୍ଣ୍ଣ ସମର୍ଥନ ମିଳିବ । ପରୀକ୍ଷକମାନେ ଆଶା କରାଯାଉଥିବା ଫଳାଫଳ ପାଇବେ । ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବେ । ଆପଣ ବୁଲିବାକୁ କୌଣସି ସ୍ଥାନକୁ ଯାଇପାରିବେ । ଆପଣ ଏକ ବ୍ୟବସାୟ ଯାତ୍ରାକୁ ମଧ୍ୟ ଯାଇପାରିବେ, ଭ୍ରମଣ ଲାଭଦାୟକ ହେବ । କୌଣସି କାରଣରୁ ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡିପାରେ ।

କନ୍ୟା: – ଆଜି ଶୁଭ ଫଳପ୍ରଦ ଦିନ ହେବ । ଜଣେ ଆଇନଗତ କାର୍ଯ୍ୟରେ ସଫଳତା ପାଇପାରିବେ । ଅଫିସ୍ କାର୍ଯ୍ୟରେ ଅନେକ ଚ୍ୟାଲେଞ୍ଜ ହୋଇପାରେ, ତେଣୁ ଧର୍ଯ୍ୟର ସହିତ କାମ କରିବାର ଆବଶ୍ୟକତା ଅଛି । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ କରନ୍ତୁ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ଭଲ ହେବ, ତଥାପି ଖାଦ୍ୟକୁ ଧ୍ୟାନର ସହିତ ଖାଆନ୍ତୁ। ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିବ । ପରିବାରରେ ଖୁସିର ବାତାବରଣ ରହିବ । ସୁରୁଖୁରୁରେ ଏବଂ ସହଜରେ ଯିବାଆସିବା କରନ୍ତୁ । ପାଣିପାଗର ଅସୁବିଧାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ ।

ତୂଳା : – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ହେବ । ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ ହେବ, ଯାହା ନିଜ ଉପରେ ଆତ୍ମବିଶ୍ୱାସ ବଢାଇବ । ଅଂଶୀଦାର ପ୍ରୟାସରେ ଅଧିକ ସଫଳତାର ଲକ୍ଷଣ ଅଛି । ସମ୍ମାନ ପାଇ ବହୁତ ଖୁସି ହେବେ । କାର୍ଯ୍ୟ ବିସ୍ତାର ପାଇଁ ଏକ ନୂତନ ଯୋଜନା ଆରମ୍ଭ କରିପାରିବ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ଏବଂ ଆର୍ଥିକ ପରିସ୍ଥିତି ଦୃଢହେବ । ଦିଆଯାଇଥିବା ଟଙ୍କା ଫେରସ୍ତ କରାଯାଇପାରିବ। ସମ୍ପର୍କୀୟମାନେ କିଛି ଚାପ ସୃଷ୍ଟି କରିପାରନ୍ତି । ଆପଣ ମାନସିକ ସ୍ତରରେ ବହୁତ ହାଲୁକା ଅନୁଭବ କରିବେ । ଘରେ ଏକ ମନୋରମ ପରିବେଶ ରହିବ। ବାଣିଜ୍ୟିକ କାର୍ଯ୍ୟକଳାପରେ ଆଗ୍ରହ ସୃଷ୍ଟି କରୁଥିବା ଦିନ ହେବ । ଜୀବନ ସାଥୀ ସହିତ ଆଦର୍ଶଗତ ପାର୍ଥକ୍ୟ ଦୂର ହେବ ।

ବିଛା: – ଆଜି ଏକ ସାଧାରଣ ଦିନ ହେବ । ଆପଣ କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ, ଯାହାର ଲାଭ ପରେ ମିଳିବ । କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ସହିତ ଆଗକୁ ବଢନ୍ତୁ । ପାରିବାରିକ ଜୀବନରେ ସୁଖ ରହିବ । ଛାତ୍ର ଏବଂ ବେକାରମାନେ ନୂତନ ନିଯୁକ୍ତି ସୁଯୋଗ ପାଇବେ । ଆର୍ଥିକ ପରିସ୍ଥିତି ଅତ୍ୟନ୍ତ କଠିନ ହେବ। ଆପଣ ଅଳଙ୍କାର ପାଇଁ ସପିଂ କରିବେ । ଘରେ ପରିବାରରେ ଆନନ୍ଦ ଆସିବ । ଖାଦ୍ୟ ପ୍ରତି ଧ୍ୟାନ ଦେବା ସହିତ, ଆପଣଙ୍କ ଚାରିପାଖରେ ଥିବା ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ବକ୍ତବ୍ୟରେ ସଂଯମତା ରଖନ୍ତୁ ଏବଂ ଯାହା କହିବେ ଚିନ୍ତା କରି କୁହନ୍ତୁ, ନଚେତ୍ ଆପଣ ଅନାବଶ୍ୟକ ବିବାଦ ଭିତରକୁ ଯାଇପାରନ୍ତି।

ଧନୁ : – ଆଜିକାଲି ଆପଣ ବହୁତ ଭଲ ଅନୁଭବ କରିବେ । ମାନସିକ ସ୍ତରରେ ସୁଖର ଅନୁଭବ ହେବ । ନୂତନ ସ୍ଥାନକୁ ଭ୍ରମଣରେ ଯିବେ । ସାଙ୍ଗମାନଙ୍କୁ ଉତ୍ସାହିତ ରଖିବେ । ପ୍ରତିଯୋଗିତାରୁ ଆଗରେ ରହିବେ । ଆର୍ଥିକ ପରିସ୍ଥିତି ମଧ୍ୟ ସ୍ୱାଭାବିକ ହେବ। ପରିବାରରେ କୌଣସି ଭଲ ଖବର ମିଳିପାରିବ । ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରନ୍ତୁ, ଯାହା ସମାଜରେ ପ୍ରତିଷ୍ଠା ବୃଦ୍ଧି କରିବ । ବ୍ୟବସାୟରେ ଚ୍ୟାଲେଞ୍ଜ ହୋଇପାରେ । ଆପଣଙ୍କର ଧାରଣା କଳ୍ପନାକୁ ଅନ୍ତର୍ଭୁକ୍ତ କରିପାରେ, ଏହାକୁ ସୃଜନଶୀଳ କାର୍ଯ୍ୟରେ ବ୍ୟବହାର କରିବା ଭଲ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ଭଲ ସମୟ ପାଇଁ ଅପେକ୍ଷା କରନ୍ତୁ । କୌଣସି ଧାର୍ମିକ ଯାତ୍ରାକୁ ଯାଇପାରନ୍ତି ।

ମକର : – ଆଜି ଏକ ଭଲ ଦିନ ହେବ । ଆପଣଙ୍କର ସୁବିଧାରେ ବୃଦ୍ଧି ଘଟିବ । ଇଚ୍ଛିତ ଆଇଟମ୍ ପାଇବା ସମ୍ଭାବନା ଅଛି । ଅଫିସ୍ କଠିନ ପରିଶ୍ରମ ହେତୁ ପଦୋନ୍ନତି ପାଇପାରନ୍ତି। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆପଣଙ୍କ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଅନାବଶ୍ୟକ ବିବାଦରେ ପଡ଼ିପାରନ୍ତି । ପରିବାର ସଦସ୍ୟଙ୍କ ସହିତ ବିବାଦ ହୋଇପାରେ । ଶୁଭ କାର୍ଯ୍ୟ ପ୍ରତି ଆଗ୍ରହ ରହିବ ।କିଛି ଭଲ ଖବର ମିଳିପାରେ । ଆପଣ ମାନସିକ ସ୍ତରରେ ଯଥେଷ୍ଟ ଶକ୍ତିଶାଳୀ ଅନୁଭବ କରିବେ । କାମ କରିବାକୁ ଅଧିକ ସମୟ ଦେବାକୁ ଚିନ୍ତା କରନ୍ତୁ । ନିଷ୍କ୍ରିୟତା ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ: – ଆଜି ଏକ ଭଲ ଦିନ ହେବ । ଆର୍ଥିକ ପ୍ରସଙ୍ଗରେ ଭଲ ରହିବ । ସାଙ୍ଗମାନଙ୍କୁ ଭେଟିବେ । କଳା ଦକ୍ଷତା ମଜବୁତ ହେବ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ, ଯାହା ଫଳରେ ଘରେ ସମୃଦ୍ଧ ହେବ । ଅଧିକ କାର୍ଯ୍ୟ ଭାର ଥକାପଣର କାରଣ ହୋଇପାରେ। ଅଫିସ୍ କାର୍ଯ୍ୟଗୁଡ଼ିକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଉଚ୍ଚ ପଦାଧିକାରୀଙ୍କ ସହ କଥାବାର୍ତ୍ତା କରିବା ସମୟରେ ମଧ୍ୟମତାରେ ରୁହନ୍ତୁ । ଆର୍ଥିକ ପରିସ୍ଥିତି ଦୃଢହେବ। ପରିବାର ଏବଂ ସାଙ୍ଗମାନଙ୍କ ସହିତ ଯାତ୍ରାକୁ ଯାଇପାରନ୍ତି । ସ୍ୱାସ୍ଥ୍ୟ ଭଲ ହେବ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଭଲ ।

ମୀନ: – ଆଜି କିଛି ସକାରାତ୍ମକ ପରିବର୍ତ୍ତନ ଆଣିପାରେ । କଠିନ ପରିଶ୍ରମ କରିବା ସତ୍ତ୍ବେ ଆପଣ ନିଜ ପାଇଁ ସମୟ ପ୍ରସ୍ତୁତ କରିବାକୁ ଏବଂ ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବାକୁ ସମର୍ଥ ହେବେ । ପିଲାମାନଙ୍କ ବୃତ୍ତି ପାଇଁ ପରିବାରର ବରିଷ୍ଠମାନଙ୍କ ସହିତ ପରାମର୍ଶ କରିବେ । ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ । ଏକ ବଡ ଇଭେଣ୍ଟକୁ ଯିବାର ସୁଯୋଗ ମିଳିବ । କଣ୍ଟିଜେନ୍ସି ଖର୍ଚ୍ଚ ବୃଦ୍ଧି, ଅନାବଶ୍ୟକ ଖର୍ଚ୍ଚ ନିୟନ୍ତ୍ରଣ ହେତୁ ଆପଣ ଚାପ ଅନୁଭବ କରିବେ । ଆପଣ ଦାୟିତ୍ବଗୁଡିକ ଭଲ ଭାବରେ କରିବେ । ସମାଜରେ ପ୍ରଶଂସା ଏବଂ ସମ୍ମାନ ରହିବ । ପରିବାର ସହିତ ସମୟ ବିତାଇବେ। ପରିବାର ସହିତ ବୁଲିବାକୁ ଯାଇପାରନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୧୦ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ଉଦଘାଟିତ

ଚିଲିକା: ଆଜି ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ପରିସରରେ ୧୦ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ଉଦଘାଟିତ ହୋଇଯାଇଛି। ଚଳିତ ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବ ପାଳିତ ହେବାକୁ ଥିବା ବେଳେ ଆଜି ପାରମ୍ପରିକ ଭାବେ ଓଡ଼ିଶା ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦଘାଟନ କରିଥିଲେ।

ଉକ୍ତ ମହୋତ୍ସବରେ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ଗବେଷକ, ଶିକ୍ଷାବିତ ପ୍ରଫେସର କିଶୋର ଦାସଙ୍କ ଦିଗଦର୍ଶନରେ ପରିଚାଳିତ ‘ଦି ସୋସାଇଟି ଫର ଡେଭେଲପମେଣ୍ଟ ଅଫ ରୁରାଲ ଲିଟେରଚର’ ପ୍ରଚେଷ୍ଟାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସଂଗୃହିତ ଉଚ୍ଚମାନର କଳାକୃତି ନେଇ ୧୬ ଗ୍ୟାଲେରୀ ବିଶିଷ୍ଟ ସଂଗ୍ରହାଳୟ ଓଡ଼ିଆର୍ଟ ସେଣ୍ଟରରେ ୨୦୧୭ ମସିହାରେ ସ୍ଥାପିତ ହୋଇଥିଲା।

ଏହିଅବସରରେ ପ୍ରାଚୀନ କଳା,ସଂସ୍କୃତିର ବିକାଶ ଓ ସଂରକ୍ଷଣ ନିମିତ୍ତ ମନ୍ତ୍ରୀଙ୍କ କରକମଳରେ ଅତିରିକ୍ତ ୬ଟି ନୂତନ ଗ୍ୟାଲେରୀ ଉଦଘାଟିତ ହୋଇଛି। ପୂର୍ବାହ୍ନରେ ଓଡ଼ି ଆର୍ଟ ପରିସରରେ ଛାତ୍ରଛାତ୍ରୀଙ୍କ ନିମିତ୍ତ ଭାରତୀୟ ଓ ଭିଏତନାମ କଳାକୃତି ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ଦର୍ଶକଙ୍କ ମନ ମୋହିବା ପାଇଁ ଦୀର୍ଘ ପାଞ୍ଚ ଦିନ ବ୍ୟାପି ମହୋତ୍ସବରେ ଦେଶ ବିଦେଶରୁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମ ସାନ୍ଧ୍ୟ ଅଧିବେଶନରେ ଭିଏତନାମା ଡ୍ରମ ବାଦ୍ୟ ନୃତ୍ୟ,ପଶ୍ଚିମବଙ୍ଗ ଶ୍ରୀ ଖୋଲ ନୃତ୍ୟ ପରିବେଷଣ ସାଙ୍ଗକୁ ସ୍ଥାନୀୟ କଳାକାରଙ୍କ କଳାକୃତି ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଆଶାତୀତ ଦର୍ଶକଙ୍କୁ ନଜରରେ ରଖି ଓଡ଼ିଆର୍ଟ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଉକ୍ତ ମହୋତ୍ସବରେ ଓଡ଼ି ଆର୍ଟ ଅଧ୍ୟକ୍ଷ ପି ସି ମହାନ୍ତି, କମିଟି ଅଧ୍ୟକ୍ଷ ସ୍ବଦେଶ ପଟ୍ଟନାୟକ, ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାଶ, ଉପ ସଭାପତି ନିରଞ୍ଜନ ଦାସ ଓ ସୁଧୀର କୁମାର ରାଉତ, ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ସାଂସ୍କୃତିକ ବିଶେଷଜ୍ଞ ଜିତୁ ମିଶ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ସହରରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ଅନୁଷ୍ଠିତ

ପୁରୀ: ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ସ୍ବର୍ଗଦ୍ବାର ବ୍ୟାଙ୍କ ଅଫ୍‌ ବରୋଦା ଶାଖା ଏବଂ କଚେରୀ ଛକ ସ୍ଥିତ ମୁଖ୍ୟ ଡାକଘରେ ଡିଜିଟାଲ ଜୀବନ ପ୍ରମାଣପତ୍ର (ଡିଏଲସି) ଅଭିଯାନ ୩.୦ ଅନୁଷ୍ଠିତ ହୋଇଯାଇଛି। ବିଭାଗର ବରିଷ୍ଠ ନିର୍ଦ୍ଦେଶକ (ଆଇଟି) ଅନୀଲ ବଂଶଲଙ୍କ ସମେତ ବ୍ୟାଙ୍କ ଅଫ୍‌ ବରୋଦା, ଡାକ ବିଭାଗ ଏବଂ ୟୁଆଇଡିଏଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପେନସନଭୋଗୀଙ୍କୁ ଡିଏଲସି କରାଇବା ସହିତ ସେମାନଙ୍କୁ ଚେହେରା ପ୍ରମାଣୀକରଣ ପଦ୍ଧତିରେ ଜୀବନ ପ୍ରମାଣପତ୍ର ଦାଖଲ କରିବା ବିଷୟରେ ସଚେତନ କରାଇଥିଲେ। ଏହିସବୁ ଶିବିରରେ ବ୍ୟାପକ ପ୍ରଚାରପ୍ରସାର ଏବଂ ଏହାକୁ ଫଳପ୍ରଦ କରିବା ପାଇଁ ସମସ୍ତ ପ୍ରୟାସ କରାଯାଇଥିଲା।

ସୂଚନାଯୋଗ୍ୟ, ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ୧ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଡିଏଲସି ଅଭିଯାନ ୩.୦ ଅନୁଷ୍ଠିତ ହେଉଛି। ଏହି ଅଭିଯାନ ସାମଗ୍ରିକ ସରକାର ଆଭିମୁଖ୍ୟ ନେଇ ସାରା ଭାରତର ୮୦୦ ସହର/ଜିଲ୍ଲାରେ ଅନୁଷ୍ଠିତ ହେଉଛି ଏବଂ ଏଥିରେ ସବୁ ଅଂଶୀଦାର ଏକାଠି ହୋଇ ସହଯୋଗ କରୁଛନ୍ତି।

କେନ୍ଦ୍ର ସରକାରୀ ପେନସନଭୋଗୀଙ୍କ ସହଜ ଜୀବନଧାରଣ ପାଇଁ ଚେହେରା ପ୍ରମାଣୀକରଣ ବା ଫେସ୍‌ ଅଥେଣ୍ଟିକେସନ୍‌ ପଦ୍ଧତିରେ ଡିଏଲସି ଦାଖଲ ପ୍ରକ୍ରିୟା ୨୦୨୧ରେ ଆରମ୍ଭ ହୋଇଥିଲା। ଏହି ଜ୍ଞାନକୌଶଳ ଦ୍ୱାରା ପେନସନଭୋଗୀମାନେ ଯେକୌଣସି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରି ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଏହା ବାହ୍ୟ ବାୟୋମେଟ୍ରିକ୍ ଡିଭାଇସ୍ ର ଆବଶ୍ୟକତା ହ୍ରାସ କରିଥାଏ ଏବଂ ଏହି ପ୍ରକ୍ରିୟାକୁ ଅଧିକ ଶସ୍ତା ଓ ସୁଲଭ କରିଥାଏ।

୨୦୨୨ ଅଭିଯାନରେ ୧.୪୧ କୋଟି ରୁ ଅଧିକ ଡିଏଲସି କରାଯାଇଥିଲା, ଏଥି ମଧ୍ୟରେ କେନ୍ଦ୍ର ସରକାରଙ୍କ ପେନସନଭୋଗୀଙ୍କ ଠାରୁ ୪୨ ଲକ୍ଷ ଦାଖଲ କରାଯାଇଥିଲା। ୨୦୨୩ ରେ ୧୦୦ଟି ସ୍ଥାନରେ ହୋଇଥିବା ଏହି ଅଭିଯାନରେ ୧.୪୭ କୋଟିରୁ ଅଧିକ ଡିଏଲସି ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପେନସନଭୋଗୀଙ୍କ ଠାରୁ ୪୫ ଲକ୍ଷ ଟଙ୍କା ମିଳିଥିଲା।

ବିଭିନ୍ନ ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ପେନସନର୍ସ ଆସୋସିଏସନ, ୟୁଆଇଡିଏଆଇ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ ଏବଂ ଡିଓଟିର ମିଳିତ ସହଯୋଗରେ ଏହି ଅଭିଯାନ ଆୟୋଜିତ ହେଉଛି। ଏହାର ଲକ୍ଷ୍ୟ ହେଉଛି ପେନସନଭୋଗୀ, ବିଶେଷକରି ଅତିବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନେ ସହଜରେ ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଦେଶବ୍ୟାପୀ ଡିଏଲସି ଶିବିର ପ୍ରତିଷ୍ଠା କରାଯାଇଛି ଏବଂ ସ୍ମାର୍ଟଫୋନ୍ ଧରିଥିବା କର୍ମଚାରୀମାନେ ଶିବିରଗୁଡ଼ିକରେ ପେନସନଭୋଗୀଙ୍କୁ ସାହାଯ୍ୟ କରୁଛନ୍ତି। ଶଯ୍ୟାଶାୟୀ ପେନସନଭୋଗୀଙ୍କ ପାଇଁ ସ୍ୱଗୃହ ପରିଦର୍ଶନ ସୁବିଧା ମିଳୁଛି।

ଏହି ଅଭିଯାନ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଓ ପ୍ରଚାର ବ୍ୟାନର ମାଧ୍ୟମରେ ବ୍ୟାପକ ପ୍ରଚାରପ୍ରସାର କରାଯାଉଛି ଏବଂ ସର୍ବାଧିକ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ଏହାର ପ୍ରଗତି ଅନୁଧ୍ୟାନ କରାଯାଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ଉଚ୍ଚ ଶିକ୍ଷା କ୍ଷେତ୍ରରେ ଚଳିତ ଶିକ୍ଷା ବର୍ଷରୁ ପ୍ରଚଳନ ହେବ ଜାତୀୟ ଶିକ୍ଷା ନୀତି ୨୦୨୦

ଭୁବନେଶ୍ୱର: ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରେ ଏହି ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ପଦକ୍ଷେପ ରାଜ୍ୟର ଶିକ୍ଷା ପ୍ରଣାଳୀରେ ଅନେକ ପରିବର୍ତ୍ତନ ଆଣିବାକୁ ଉଦ୍ଦିଷ୍ଟ।

ନୂତନ ଶିକ୍ଷା ନୀତି-୨୦୨୦ ଅନୁସାରେ ଓଡିଶାରେ ଚାରି ବର୍ଷର ସ୍ନାତକ କୋର୍ସ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ  ସାର୍ଟିଫିକେଟ୍ , ଡିପ୍ଲୋମା , ଡିଗ୍ରି , ଏବଂ ଡିଗ୍ରି ଅନର୍ସ୍  ପ୍ରଦାନ କରା ଯିବ। ୟୂ.ଜି.ସି. ଦ୍ୱାରା ପ୍ରଦତ୍ତ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ଆଧାରରେ  ରାଜ୍ୟସ୍ତରୀୟ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ପ୍ରସ୍ତୁତ ହୋଇଅଛି ଏବଂ ଏଥିରେ ଦକ୍ଷତା ବିକାଶ ଏବଂ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ପ୍ରଦାନ ସହିତ ଉପଯୁକ୍ତ କ୍ରେଡିଟ ପ୍ରଦାନ କରାଯାଇଅଛି। କମ୍ୟୁନିଟି ସର୍ଭିସ୍ ଓ extra curricular activities, ଏନ.ସି.ସି. ଏନ.ଏସ.ଏସ. ଇତ୍ୟାଦି  ପାଇଁ ମଧ୍ୟ କ୍ରେଡିଟ ପ୍ରଦାନ କରାଯିବ। ଏତଦ୍ୱାରା ଛାତ୍ର ଛାତ୍ରୀ ମାନେ ନିଜ ସ୍ୱେଛା ରେ ତାଙ୍କର ବିଷୟ ଗୁଡିକ ଚୟନ କରି ଏକାଧିକ ଥର ପାଇଁ ଉଚ୍ଚ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରବେଶ ଓ ପ୍ରସ୍ଥାନ ସହିତ ୭ ବର୍ଷ ଭିତରେ ତାଙ୍କର ଡିଗ୍ରୀ କୋର୍ସ କୁ ପୂର୍ଣ୍ଣ କରିପାରିବେ।

ନୂତନ ଶିକ୍ଷା ନୀତି 2020 ଅନୁସାରେ ଓଡିଶାର ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁଣାତ୍ମକ, ସ୍ୱାୟତ୍ତ ଏବଂ ସମାବେଶୀ କରିବାକୁ ପଦକ୍ଷେପ ନିଆଯାଉଛି। ଏଥିରେ ଭିନ୍ନ ଯୋଜନାମାନଙ୍କ ମାଧ୍ୟମରେ ଅନୁସନ୍ଧାନ ଓ ନୂତନତାକୁ ବଢ଼ାଇବା, ପ୍ରାକ୍ଟିକାଲ୍ ଆଧାରିତ ଶିକ୍ଷାକୁ ଓ ଶିଳ୍ପ ସହିତ ଇଣ୍ଟର୍ନସିପ୍ ଆଦି ଦ୍ୱାରା ନିପୁଣତା ବଢ଼ାଇବା ଲକ୍ଷ୍ୟ କରାଯାଉଛି। ପାଠ୍ୟକ୍ରମକୁ ଅଧିକ ରୋଜଗାର ଭିତ୍ତିକ ଏବଂ ଶିଳ୍ପ ଆବଶ୍ୟକତା ଅନୁଯାୟୀ କରାଯିବ।

ଏଥିପାଇଁ ବର୍ତମାନ ରେ  ୪୦ଟି ସ୍ନାତକ  ମୂଳ ବିଷୟ ପାଇଁ ବିସ୍ତୃତ ମଡେଲ୍ ସିଲାବସ୍ ସହିତ ୨ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ, ୧୧୨ଟି multi disciplinary ପାଠ୍ୟକ୍ରମ, ୧୪ଟି ଧନ୍ଦା ମୂଳକ ପାଠ୍ୟକ୍ରମ, ୫୬ଟି ମୂଲ୍ୟ ଯୁକ୍ତ ପାଠ୍ୟକ୍ରମ ଏବଂ ୮୪ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ଅନୁମୋଦନ କରାଯାଇଛି।

ଏହା ଦ୍ୱାରା  ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱ ବିଦ୍ୟାଳୟ ଗୁଡିକ ନୂତନ ସିଲାବସ୍ ଓ କ୍ରେଡିଟ୍ ଫ୍ରେମ୍‌ୱର୍କ୍  ଅନୁଯାୟୀ ଜାତୀୟ ଶିକ୍ଷାନୀତି ଲାଗୁ କରିପାରିବେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁତୁରା ହାତରେ ବିଧବା ଖୁଡିର ଗଲା ଜୀବନ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଧରାକୋଟ ଥାନ ଅନ୍ତର୍ଗତ ବରଡାବିଲି ଗ୍ରାମରେ ଏକ ଲୋମ ଟାଙ୍କୁରା ଘଟଣା ଘଟିଛି। ସୁଚନା ଅନୁଯାୟୀ ଉକ୍ତ ଗ୍ରାମର ଶିବରାମ ସାହୁ ଦୁରାରୋଗ୍ୟରେ ହୋଇ ମୃତ୍ୟୁ ବରଣ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ବିଧବା ପତ୍ନୀ ଗୁଜୁରାଣ ମେଣ୍ଟାଇବା ପାଇଁ ଲୁଗା ସିଲେଇ କରି ନିଜର ୧୦ ବର୍ଷର ଝିଅକୁ ଧରି ରହୁଥିଲେ।

ଏହା ମଧ୍ୟରେ ନିହତ ବିଧବା ମହିଳା ସସ୍ମିତାଙ୍କ ସହ ନିଜ ପୁତୁରା ବଳରାମ ସାହୁ ସହିତ ବ୍ୟକ୍ତିଗତ ସମ୍ପର୍କ ବଢ଼ି ଚାଲିଥିଲା। କିନ୍ତୁ ଗତକାଲି ଦିନ ଦ୍ବିପହରରେ ହଠାତ ବଳରାମ ଖୁଡି ଘରକୁ ଆସି ଖୁଡି ସହିତ ପାଟି ତୁଣ୍ଡ କରିବା ସହ ସାଙ୍ଗରେ ଆଣିଥିବା ଏକ ଧାରୁଆ ଅସ୍ତ୍ରରେ ଖୁଡିର ଗଳା, ଛାତି ଓ ପେଟକୁ ବାରମ୍ବାର ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରି ଅସ୍ତ୍ର ସହ ସିଧା ଥାନାରେ ଆତ୍ମ ସମର୍ପଣ କରିଥିଲା।

ଏହି ଘଟଣା ପରେ ସସ୍ମିତାର ଶାଶୁ ତଥା ହତ୍ୟା ଅଭିଯୁକ୍ତର ଜେଜେ ମାଁ ତମାଳ ସାହୁ ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଞ୍ଚଳିକ

ଜାତୀୟ ଆଇନ ସେବା ଦିବସ ଅବସରରେ ବାଣପୁରରେ ଏକାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଣପୁର: ଜାତୀୟ ଆଇନ ସେବା ଦିବସ ଅବସରରେ ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ତିନି ଦିନ ବ୍ୟାପି ବାଣପୁର ଓ ବାଲୁଗାଁ ଅଞ୍ଚଳରେ ଏକାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଲୁଗାଁ ଗାନ୍ଧୀ ଛକ, ବାଣପୁର ମା’ ଭଗବତୀ ମନ୍ଦିର, ପଲଟନ ପଡିଆ ଏବଂ ତହସିଲ କାର୍ଯ୍ୟାଳୟ ନିକଟରେ ଓଡ଼ିଶାର ଲୋକକଳା ଦାସକାଠିଆ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଜନସାଧାରଣଙ୍କୁ ଆଇନ ସଚେତନତା କରାଯାଇଥିଲା।

ଏହି ଅବସରରେ ବାଣପୁର କୋର୍ଟ ପରିସରରୁ ଏକ ଆଇନ ସଚେତନତା ପଦଯାତ୍ରା ବାହାରି ସହର ପରିକ୍ରମା କରି ପୁନଶ୍ଚ କୋର୍ଟରେ ପହଞ୍ଚିଥିଲା ଯେଉଁଥିରେ ବିଚାରପତି ଶ୍ରୀ ମହାପାତ୍ର, ଅନେକ ଆଇନଜୀବୀ ଏବଂ କୋର୍ଟ କର୍ମଚାରୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ।

ଅନୁରୂପ ଭାବେ ବାଣପୁର ବ୍ଲକ ସଭାଗୃହରେ ବିଚାରପତି ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବ୍ଲକର ଅଙ୍ଗନବାଡି କର୍ମୀଙ୍କ ଉଦେଶ୍ୟରେ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ସଭାକୁ ବାଣପୁର ବ୍ଲକ ସିଡ଼ିପିଓ ନର୍ମଦା ବେହେରା ପରିଚାଳନା କରିଥିବାବେଳେ ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା , ବରିଷ୍ଠ ଆଇନଜୀବୀ ବିପ୍ଳବ କୁମାର ମୁଦୁଲି, ଜଗଦୀଶ ପଟ୍ଟନାୟକ, ସନ୍ତୋଷ କୁମାର ମହାପାତ୍ର, ସୀତାରାମ ଅଗ୍ରୱାଲ,ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକଙ୍କ ସମେତ ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀମାନେ ଯୋଗଦେଇଥିଲେ। ବିଚାରପତି ଶ୍ରୀ ମହାପାତ୍ର ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀ ମୁଦୁଲି ନିଃଶୁଳ୍କ ଆଇନ ସେବ ସମେତ ଲୋକ ଅଦାଲତ, ସ୍ଥାୟୀ ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର ଏବଂ ନ୍ୟାୟ ସଂଯୋଗର କାର୍ଯ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।

ସେହିପରି ଅନ୍ୟ ଏକ ଆଇନ ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ବିପ୍ଳବ କୁମାର ମୁଦୁଲି, ଜଗଦିଶ ପଟ୍ଟନାୟକ ଏବଂ ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ ‘ଏଜୁକେୟାର’ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉପରୋକ୍ତ ଆଇନ ବିଷୟରେ ସଚେତନ କରାଇଥିଲେ।

ତେବେ ଆଇନ ସେବା ଦିବସ ପାଳନ ସହିତ ନିଃଶୁଳ୍କ ଆଇନ ସେବା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ, ବିଭିନ୍ନ ଆଇନସେବା ପ୍ରାଧିକରଣ, ଏହାର କର୍ମକର୍ତ୍ତା, ଆଇନସେବା ପ୍ରାଧିକରଣଗୁଡିକର କାର୍ଯ୍ୟ, ପାରା ଲିଗାଲ ସ୍ବେଛାସେବୀଙ୍କ କାର୍ଯ୍ୟ, ପ୍ୟାନେଲ ଆଇନଜୀବୀଙ୍କ କାର୍ଯ୍ୟ, ଆଇନ ସହାୟତା, ମଧ୍ୟସ୍ଥତା କେନ୍ଦ୍ର ମାଧ୍ୟମରେ ଦୀର୍ଘଦିନର ବିବାଦର ସ୍ଥାୟୀ ସମାଧାନ ଓ ସର୍ବୋପରି ଲୋକ ଅଦାଲତ ଓ ନ୍ୟାୟ ସଂଯୋଗର ଉପକାରିତା ବିଷୟରେ ସାଧାରଣ ଜନତାଙ୍କ ଭିତରେ ଏକ ବ୍ୟାପକ ସଚେତନତା ସୃଷ୍ଟି କରିବା ଦୀର୍ଘ ତିନି ଦିନର ଉକ୍ତ ଆଇନ ସଚେତନତା କାର୍ଯ୍ୟକ୍ରମଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Categories
ଆଜିର ଖବର ଜାତୀୟ ଖବର

କ୍ୟୁଏସ୍ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ଚମକିଲା ଭାରତ: ଶ୍ରେଷ୍ଠ ୧୦୦ ରେ ୭ ଭାରତୀୟ ଅନୁଷ୍ଠାନ

ନୂଆଦିଲ୍ଲୀ: କ୍ୟୁଏସ୍ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା: ଏସିଆ ୨୦୨୫ ସମଗ୍ର ମହାଦେଶରେ ଉଚ୍ଚଶିକ୍ଷାର ଗତିଶୀଳ ଦୃଶ୍ୟକୁ ପ୍ରତିଫଳିତ କରେ, ଯେଉଁଥିରେ ଶିକ୍ଷା ଓ ଗବେଷଣା ଏବଂ ଉଦ୍ଭାବନରେ ଉତ୍କୃଷ୍ଟ ଶୀର୍ଷ ଅନୁଷ୍ଠାନଗୁଡିକ ଉପରେ ଆଲୋକପାତ କରାଯାଇଛି। ଚଳିତ ବର୍ଷର ମାନ୍ୟତା ଏସୀୟ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ବଢୁଥିବା ପ୍ରତିଯୋଗିତା ଉପରେ ଗୁରୁତ୍ୱାରୋପ କରିଥାଏ ଏବଂ ବିଶ୍ୱସ୍ତରୀୟ ଶିକ୍ଷାଗତ ମାନକୁ ଆଗକୁ ବଢ଼ାଇବା ପାଇଁ ଏହି ଅଞ୍ଚଳର ପ୍ରତିବଦ୍ଧତାକୁ ଦର୍ଶାଇଥାଏ।

ଏହି ସଂସ୍କରଣ ସମଗ୍ର ମହାଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଭାରତର ପ୍ରଭାବଶାଳୀ ଉନ୍ନତିକୁ ଆଲୋକପାତ କରିଛି। କ୍ୟୁଏସ୍ ଏସିଆ ରାଙ୍କିଙ୍ଗ୍ ୨୦୨୫ର ଶ୍ରେଷ୍ଠ ୫୦ ମଧ୍ୟରେ ଦୁଇଟି ଏବଂ ଶ୍ରେଷ୍ଠ ୧୦୦ ମଧ୍ୟରେ ୭ଟି ଅନୁଷ୍ଠାନ ରହିଥିବା ବେଳେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ (ଆଇଆଇଟିଡି) ୪୪ତମ ସ୍ଥାନରେ ରହିଛି। ପେଟ୍ରୋଲିୟମ ଏବଂ ଶକ୍ତି ଅଧ୍ୟୟନ ବିଶ୍ୱବିଦ୍ୟାଳୟ (ୟୁପିଇଏସ୍) ଭାରତୀୟ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ହାସଲ କରିଛି, ବିଶେଷକରି ଅନ୍ତର୍ଜାତୀୟ ଗବେଷଣା ନେଟୱାର୍କ, ପେପର ପିଛା ଉଦାହରଣ ଏବଂ ପେପର୍ସ ପ୍ରତି ଅଧ୍ୟାପକ ୧୧ଟି ମାନ୍ୟତା ମେଟ୍ରିକ୍ସ ମଧ୍ୟରୁ ୯ଟିରେ ଉଲ୍ଲେଖନୀୟ ଉନ୍ନତି ଯୋଗୁଁ ୭୦ ଟି ସ୍ଥାନ ଉପରକୁ ଉଠି ୧୪୮ତମ ସ୍ଥାନରେ ପହଞ୍ଚିଛି। ଭାରତର ସବୁଠାରୁ ଶକ୍ତିଶାଳୀ ହାରାହାରି ସୂଚକ ସ୍କୋର ପିଏଚଡି ଥିବା ଅଧ୍ୟାପକ ଏବଂ କର୍ମଚାରୀ ପିଛା ପେପରରେ ରହିଛି।

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗର ପ୍ରମୁଖ ସୂଚନା: ଏସିଆ ୨୦୨୫

ପୂର୍ବ, ଦକ୍ଷିଣ, ଦକ୍ଷିଣ-ପୂର୍ବ ଏବଂ ମଧ୍ୟ ଏସିଆର ୨୫ଟି ଦେଶକୁ ଅନ୍ତର୍ଭୁକ୍ତ କରୁଥିବା ୯୮୪ଟି ଅନୁଷ୍ଠାନର ମୂଲ୍ୟାଙ୍କନ ଏହି ମାନ୍ୟତାରେ କରାଯାଇଛି। କ୍ୟୁଏସ୍ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା : ଏସିଆ ୨୦୨୫ ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଞ୍ଚଳରେ ଅନୁଷ୍ଠାନିକ କାର୍ଯ୍ୟଦକ୍ଷତା ଉପରେ ସିଧାସଳଖ ତୁଳନା କରିବାକୁ ଅନୁମତି ଦେଇଥାଏ, ଯେଉଁଥିରେ ମେଟ୍ରିକ୍ସ ପ୍ରତି ଅଧିକ ଦାନାଦାର ଆଭିମୁଖ୍ୟ ରହିଛି।

କ୍ୟୁଏସ୍ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା : ଏସିଆ ୨୦୨୫

– ସଦ୍ୟତମ ମାନ୍ୟତାରେ ଭାରତ ସର୍ବାଧିକ ସଂଖ୍ୟକ ଅନୁଷ୍ଠାନ ସହିତ ଉଭା ହୋଇଛି, ଯେଉଁଥିରେ ଉଭୟ ଉଦୀୟମାନ ଏବଂ ସୁପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକର ବିବିଧ ତାଳମେଳ ରହିଛି।

– ଏହି ତାଲିକାରେ ଦକ୍ଷିଣ ଏସିଆର ଶ୍ରେଷ୍ଠ ୧୦ଟି ବିଶ୍ୱବିଦ୍ୟାଳୟରେ ଦେଶର ଆଧିପତ୍ୟ ରହିଛି।

– ଶ୍ରେଷ୍ଠ ୫୦: ଭାରତରେ ଆଇଆଇଟି ଦିଲ୍ଲୀ ୪୪ତମ ଓ ଆଇଆଇଟି ବମ୍ବେ ୪୮ତମ ସ୍ଥାନରେ ରହିଛି।

– ଶ୍ରେଷ୍ଠ ୧୦୦:ଆଇଆଇଟି ମାଡ୍ରାସ (୫୬), ଆଇଆଇଟି ଖଡଗପୁର (୬୦), ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (୬୨), ଆଇଆଇଟି କାନପୁର (୬୭) ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (୮୧) ସମେତ ୫ଟି ଅନୁଷ୍ଠାନ ଭାରତର ଦୃଢ଼ ଶିକ୍ଷାଗତ ସ୍ଥିତିକୁ ଦର୍ଶାଉଛନ୍ତି।

– ଆଇଆଇଟି ଗୌହାଟୀ, ଆଇଆଇଟି ରୁର୍କି, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ (୧୨୦), ୟୁପିଇଏସ୍ (୧୪୮) ଏବଂ ଭେଲୋର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (୧୫୦) ଭଳି ଅନୁଷ୍ଠାନ ଗୁଣାତ୍ମକ ଶିକ୍ଷାର ଗଭୀରତା ଉପରେ ଆଲୋକପାତ କରିଛନ୍ତି।

– ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ (ଆଇଆଇଟିଡି)୯୯% ପ୍ରଭାବଶାଳୀ ନିଯୁକ୍ତି ସ୍କୋର ସହଗତବର୍ଷ ୪୬ତମ ସ୍ଥାନରୁ ୪୪ତମ ସ୍ଥାନକୁ ଉନ୍ନୀତ ହୋଇଛି।

– ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବମ୍ବେ (ଆଇଆଇଟିବି) ୪୮ତମ ସ୍ଥାନରେ ରହିଛି ଏବଂ ଏହାରନିଯୁକ୍ତିଦାତାଙ୍କ ଖ୍ୟାତି ସ୍କୋର ୯୯.୫% ଏବଂ ଶିକ୍ଷାଗତ ଖ୍ୟାତି ସ୍କୋର ୯୬.୬% ରହିଛି।

– ଅନ୍ତର୍ଜାତୀୟ ଗବେଷଣା ନେଟୱାର୍କରେ ୯୬.୪% ଉଚ୍ଚ ସ୍କୋର ହାସଲ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏହାର ମାନ୍ୟତାରେ ଉନ୍ନତି ଆଣି୯୪ତମରୁ ୮୧ତମ ସ୍ଥାନକୁ ଉନ୍ନୀତ ହୋଇଛି।

– ଆନ୍ନା ବିଶ୍ୱବିଦ୍ୟାଳୟ ଉଚ୍ଚ ଗବେଷଣା ଫଳାଫଳ ଉପରେ ଗୁରୁତ୍ୱ ଦେଇ ପେପର୍ସ ପର ଫ୍ୟାକଲଟି ଇଣ୍ଡିକେଟରରେ ୧୦୦ ର ସଠିକ୍ ସ୍କୋର ହାସଲ କରିଛି ।

– ୧୫ଟି ବିଶ୍ୱବିଦ୍ୟାଳୟପିଏଚଡି ଇଣ୍ଡିକେଟର ଥିବା କର୍ମଚାରୀଙ୍କ ମଧ୍ୟରେ ୯୯% ରୁ ଅଧିକ ମାର୍କ ରଖିଛନ୍ତି, ଯାହା କି ଉଚ୍ଚମାନର ଶିକ୍ଷା ଓ ଶିକ୍ଷାଦାନଉପରେ ଗୁରୁତ୍ୱାରୋପ କରୁଛି ।

– ବାଙ୍ଗାଲୋରର ନର୍ଥ ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍ସିଟି ଏବଂ କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟଅଧ୍ୟାପକ-ଛାତ୍ର ସୂଚକାଙ୍କରେ ୧୦୦ ସ୍କୋର ହାସଲ କରି ଶୀର୍ଷସ୍ତରୀୟ ଶୈକ୍ଷିକ ବିଶ୍ୱସନୀୟତା ପ୍ରଦର୍ଶନ କରିଛନ୍ତି।

ଭାରତୀୟ ଶିକ୍ଷା କ୍ଷେତ୍ର ଉଭୟ ବିଶ୍ଵ ସ୍ତରରେ ଏବଂ ଏସିଆ ଭିତରେ ଚମତ୍କାର ଅଗ୍ରଗତି କରିଛି, ଯାହାକି କ୍ୟୁଏସ୍ ୱାର୍ଲ୍ଡ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ୨୦୨୫ରୁ ପ୍ରମାଣିତ ହୋଇଛି । ପୂର୍ବରୁ ୨୦୨୫ ସଂସ୍କରଣରେ ଭାରତ ୪୬ଟି ଅନୁଷ୍ଠାନ କୁ ଅନ୍ତର୍ଭୁକ୍ତ କରିଥିବା ବେଳେ ୨୦୧୫ ସଂସ୍କରଣରେ ମାତ୍ର ୧୧ଟି ଅନୁଷ୍ଠାନ ସାମିଲ ହୋଇଥିବା ବେଳେ ଜି-୨୦ ରାଷ୍ଟ୍ରମାନଙ୍କ ମଧ୍ୟରେ ଗତ ୧୦ ବର୍ଷ ମଧ୍ୟରେ ଏହା୩୧୮ ପ୍ରତିଶତବୃଦ୍ଧି ପାଇଛି। ଏହି ଅଭିବୃଦ୍ଧି ଶିକ୍ଷାଗତ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ବୃଦ୍ଧି କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି । ଏସିଆ ସ୍ତରରେ ଭାରତର ଶିକ୍ଷା କ୍ଷେତ୍ର ମଧ୍ୟ ଅଭିବୃଦ୍ଧି ଏବଂ ସ୍ଥିରତାର ଏକ ମଡେଲ ଭାବରେ ଉଜ୍ଜ୍ୱଳ ହୋଇଛି, ଯେଉଁଥିରେ ଦକ୍ଷିଣ ଏସିଆ ଅଞ୍ଚଳରେ ଶ୍ରେଷ୍ଠ ୫୦ ରେ ଦୁଇଟି ଏବଂ ଶ୍ରେଷ୍ଠ ୧୦୦ ରେ ୭ଟି ଅନୁଷ୍ଠାନ ରହିଛି । ୪୪ତମ ସ୍ଥାନରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ (ଆଇଆଇଟିଡି)ର ନେତୃତ୍ବରେ ଭାରତ ଗୁଣାତ୍ମକ ଶିକ୍ଷା ଏବଂ ପ୍ରଭାବଶାଳୀ ଗବେଷଣା ପ୍ରତି ନିଜର ସମର୍ପଣକୁ ଦର୍ଶାଇ ‘ପେପର୍ସ ପର ଫେକଲ୍ଟି’ ଏବଂ ‘ଷ୍ଟାଫ୍ ୱିଥ୍ ପିଏଚଡି’ ଭଳି ପ୍ରମୁଖ କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କରୁଛି। ଏହି ଉପଲବ୍ଧି ଉଚ୍ଚ ଦକ୍ଷତା ବିଶିଷ୍ଟ ଶିକ୍ଷାଦାନ ସହିତ ଗବେଷଣା ଉତ୍ପାଦନଶୀଳତାକୁ ସନ୍ତୁଳିତ କରିବା, ବିଶ୍ୱ ଶିକ୍ଷା ଶକ୍ତିଶାଳୀମାନଙ୍କ ମଧ୍ୟରେ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ପ୍ରତିଷ୍ଠା କରିବା ଏବଂ ଏସିଆରେ ଉଚ୍ଚ ଶିକ୍ଷାର ଏକ ଉଦୀୟମାନ କେନ୍ଦ୍ର ଭାବରେ ନିଜର ପ୍ରତିଷ୍ଠାକୁ ସୁଦୃଢ଼ କରିବାରେ ଭାରତର ଦକ୍ଷତା ଉପରେ ଗୁରୁତ୍ୱାରୋପ କରେ ।

Categories
ଆଜିର ଖବର ରାଜ୍ୟ ଖବର

କ୍ୟୁଏସ୍ ଏସିଆ, ଦକ୍ଷିଣ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୫ରେ ସମ୍ମାନଜନକ ସ୍ଥାନରେ ସୋଆ

ଭୁବନେଶ୍ୱର: ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌-୨୦୨୫ (ଅଂଚଳ ଭିତ୍ତିକ) ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦକ୍ଷିଣ ଏସିଆ ଏବଂ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଂରେ ମହତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି।

ଦକ୍ଷିଣ ଏସିଆ ନିମନ୍ତେ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଂରେ ସୋଆ ୨୦୨୪ରେ ୧୪୩ ତମ ସ୍ଥାନ ହାସଲ କରିଥିବା ବେଳେ ୨୦୨୫ରେ ୬୪ ତମ ସ୍ଥାନରେ ପହଂଚିଛି। ସେହିପରି ଏସିଆ ୟୁନିଭର୍ସିଟି ର‌୍ୟାଙ୍କିରେ ୨୦୨୪ରେ ସୋଆ ୫୦୧-୫୫୦ ବ୍ରାକେଟରେ ଥିବାବେଳେ ୨୦୨୫ରେ ଏଥିରେ ଉନ୍ନତି ହୋଇ ୨୭୮ ସ୍ଥାନରେ ପହଂଚିଛି ସୋଆ।
କ୍ୟୁଏସ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଂରେ ୨୦୨୪ରେ ସୋଆ ୧୨୦୧-୧୪୦୦ ବ୍ରାକେଟରେ ଥିବାବେଳେ ନିକଟରେ ପ୍ରକାଶ ପାଇଥିବା ତାଲିକାରେ ଏହି ସ୍ଥିତିକୁ ବଜାୟ ରଖିଛି।

ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‌୍ୟାଙ୍କିଂ ଫ୍ରେମ୍‌ୱାର୍କ (ଏନଆଇଆରଏଫ) ର‌୍ୟାଙ୍କିଂ ୨୦୨୪ ରେ ସୋଆ ଦେଶରେ ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ର‌୍ୟାଙ୍କ ପାଇଥିଲା। ୨୦୧୬ ରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଏନଆଇଆରଏଫ ର‌୍ୟାଙ୍କିଂରେ ପ୍ରତିଥର ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜକୁ ସ୍ଥାନୀତ କରିପାରିଛି ସୋଆ।

Categories
ଆଜିର ଖବର ରାଜ୍ୟ ଖବର

ହୋମ ଗାର୍ଡଙ୍କ ନିଯୁକ୍ତି ରହିତାଦେଶ ପ୍ରତ୍ୟାହୃତ, ଖୁବ୍ ଶୀଘ୍ର ଖାଲି ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ହୋମ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ରହିତାଦେଶ ପ୍ରତ୍ୟାହୃତ ହୋଇଛି।

ଏହାଦ୍ବାରା ରାଜ୍ୟରେ ଖାଲିଥିବା ହୋମ ଗାର୍ଡ ପଦବୀ ଖୁବ୍ ଶୀଘ୍ର ପୂରଣ ହୋଇ ପାରିବ।

ସୂଚନା ଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ହୋମ ଗାର୍ଡ ପଦବୀ ସଂଖ୍ୟା ୧୭,୬୭୫ ଥିବା ବେଳେ ୧୫,୩୦୬ ଜଣ ହୋମ ଗାର୍ଡ କାର୍ଯ୍ୟରତ ଅଛନ୍ତି। ୨୩୬୯ ପଦବୀ ଖାଲି ଅଛି। ଏହି ନିଷ୍ପତ୍ତି ଦ୍ବାରା ଖାଲି ଥିବା ପଦବୀ ଗୁଡ଼ିକ ଆବଶ୍ୟକତା ଅନୁଯାୟୀ ପୂରଣ କରାଯାଇ ପାରିବ।

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମ ବିଜେତାଙ୍କ ପାଇଁ ସମ୍ମାନ ସୂଚକ ସହାୟକ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ମିଳିବ ମାସିକ ୩୦ ହଜାର

ଭୁବନେଶ୍ୱର: ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମାସକୁ ମିଳିବ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ ପାଇଁ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସମସ୍ତ ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ମାସକୁ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ସହାୟକ ରାଶି ପାଇ ପାରିବେ।

ଏଥିପାଇଁ ବର୍ଷକୁ ୨ କୋଟି ଟଙ୍କା ଖର୍ଚ୍ଚ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଗୋରୁମାନଙ୍କୁ ସୁରକ୍ଷା ପାଇଁ ପ୍ରତିଷ୍ଠା ହେଲା ରାମକୃଷ୍ଣ ଗୋ-ସେବା କେନ୍ଦ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଏବେ ଗୋ ଚାଲାଣ ସଂଖ୍ୟା ବୃଦ୍ଧି ପାଉଥିବାର ଅଭିଯୋଗ ହେଉଛି। ଏନେଇ ଖୋର୍ଦ୍ଧା ପୋଲିସ ଦ୍ଵାରା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ଜିଲ୍ଲାର ବିଭିନ୍ନ ଗୋ ସୁରକ୍ଷା ସଂଗଠନ ଯଥା ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଭଳି ସଂଗଠନ ଏହାକୁ ରୋକିବା ପାଇଁ ଦିନ ରାତି ପ୍ରହରା ଦେଉଛନ୍ତି। ତଥାପି ଏହାକୁ ରୋକାଯାଇପାରୁନାହିଁ।

ସେପଟେ ଗାଇକୁ ହିନ୍ଦୁ ସମ୍ପ୍ରଦାୟ ମାତା ଭାବେ ପୂଜା କରୁଥିଲେ ମଧ୍ୟ ଗୋରୁ ପାଳକମାନେ ଉପଯୁକ୍ତ ସେବା କରିବାରେ ବିଫଳ ହେଉଛନ୍ତି। କାରଣ ଏମାନେ ଗୋଶାଳା ବ୍ୟତୀତ ଦିନ ରାତି ଏବେ ରାସ୍ତାଘାଟରେ ଗୋରୁମାନଙ୍କୁ ଦେଖିବାକୁ ମିଳୁଛନ୍ତି। ଯାହାଫଳରେ ଉକ୍ତ ଗୋରୁମାନେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି।

ତେବେ ଏହି ସବୁ ସମସ୍ୟାର ସମାଧାନ କରିବା ଏବଂ ଗୋରୁମାନଙ୍କୁ ସୁରକ୍ଷା ଦେବା ପାଇଁ ଖୋର୍ଦ୍ଧାରେ ଆଜି ରାମକୃଷ୍ଣ ଗୋ-ସେବା କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଉକ୍ତ କେନ୍ଦ୍ରଟି ଖୋର୍ଦ୍ଧା କୋର୍ଟ ଏବଂ ମୃତ୍ତିକା ସଂରକ୍ଷଣ କାର୍ଯ୍ଯାଳୟ ନିକଟରେ ପ୍ରତିଷ୍ଠା ହୋଇଛି। ଏଠାରେ କଂସେଇଖାନାକୁ ଯାଉଥିବା ଗୋରୁଙ୍କୁ ଉଦ୍ଧାର କରାଯିବା ସହିତ ଦୁର୍ଘଟଣାଗ୍ରସ୍ତ ଗୋରୁଙ୍କୁ ଏଠାରେ ଆଶ୍ରୟ ଦିଆଯିବ। ଏଭଳି ଏକ ମହତ କାର୍ଯ୍ୟରେ ବଜରଙ୍ଗ ଦଳର ହାତ ଥିବା କୁହାଯାଉଛି। ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ଗୋ ମାତାଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରାଯାଇଛି।