Categories
ଆଞ୍ଚଳିକ

ବାଣପୁର: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଯୁବକ ଗୁରୁତର

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥ ବେଲପଡା ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ଡାଙ୍ଗୁଆ ଗ୍ରାମର ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ (୩୦) ବାଇକ ଯୋଗେ ନାଭାଲ ଅଭିମୁଖେ ଯାଉଥିବା ବେଳେ ଏକ କ୍ରେଟା କାର (ଗାଡି ନଂ- ଓଡ଼ି ୦୧ ଏଜେ ୫୩୫୪) ବାଇକକୁ ପଛ ପାର୍ଶ୍ୱରୁ ଶକ୍ତ ଧକ୍କା ଦେଇଥିଲା। ଯାହାଫଳରେ ଶ୍ରୀ ସ୍ବାଇଁ ବାଇକରୁ ଛିଟିକି ରାସ୍ତା ଉପରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ପ୍ରଦ୍ୟୁମ୍ନଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ପ୍ରଦ୍ୟୁମ୍ନଙ୍କ ବାମ ହାତ, ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାରୁ ପ୍ରବଳ ରକ୍ତସ୍ରାବ ଯୋଗୁଁ ଆଶୁଚିକିତ୍ସା କରି ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଉଭୟ ଗାଡିକୁ ଜବତ କରିବାସହ ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ଜାତୀୟ ଖବର

Electoral Bonds Data: କେଉଁଦଳକୁ ସର୍ବାଧିକ ଏବଂ କାହାକୁ କମ ମିଳିଛି ନିର୍ବାଚନୀ ଚାନ୍ଦା

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ଗୁରୁବାର ଦିନ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ପ୍ରାପ୍ତ ନିର୍ବାଚନ ବଣ୍ଡ ସମ୍ବନ୍ଧୀୟ ସୂଚନା ନିଜ ୱେବସାଇଟରେ ପ୍ରକାଶ କରିଛି, ଏହା ପରେ ରାଜନୈତିକ ଆଲୋଚନା ତୀବ୍ର ହୋଇଛି। ଏଥିରେ ଏହା ସାମ୍ନାକୁ ଆସିଛି ଯେ, ଦେଶର ୨୫ ଟି ରାଜନୈତିକ ଦଳ ନିର୍ବାଚନ ବଣ୍ଡ ମାଧ୍ୟମରେ ଦାନ ଗ୍ରହଣ କରୁଛନ୍ତି। ଏଥିରେ ବିଜେପି-କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ସମେତ ୟୁପିର ପ୍ରମୁଖ ଦଳର ନାମ ରହିଛି।

ନିର୍ବାଚନ ବଣ୍ଡ ବିଷୟରେ ସୂଚନା ସାର୍ବଜନୀନ ହେବା ପରେ ସମସ୍ତଙ୍କ ମନରେ ଘୁରି ବୁଲୁଥିବା ପ୍ରଶ୍ନ ହେଉଛି କେଉଁ ରାଜନୈତିକ ଦଳ ନିର୍ବାଚନ ବଣ୍ଡ ମାଧ୍ୟମରେ କେତେ ଦାନ ଗ୍ରହଣ କରିଛନ୍ତି ଏବଂ କେଉଁ ଦଳ ଅଧିକ ଦାନ ଗ୍ରହଣ କରିଛି।

ନିର୍ବାଚନ ଆୟୋଗ ଦ୍ଵାରା ସାର୍ବଜନୀନ କରାଯାଇଥିବା ତଥ୍ୟ ଅନୁଯାୟୀ ଭାରତୀୟ ଜନତା ପାର୍ଟି ସର୍ବାଧିକ ୬୦.୬୦ ବିଲିୟନ ଟଙ୍କା ପାଇଛି, ଦ୍ୱିତୀୟଟି ହେଉଛି ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ପାର୍ଟି ଟିଏମସି ଯାହା ୧୬.୦୯ ବିଲିୟନ ଟଙ୍କା ଦାନ ପାଇଛି ଏବଂ ତୃତୀୟ ସ୍ଥାନରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଅଛି। ଯାହା ୧୪.୨୧ ବିଲିୟନ ଟଙ୍କା ଦାନ ପାଇଛି।

ଯଦି ଆମେ ଉତ୍ତରପ୍ରଦେଶର ପ୍ରମୁଖ ରାଜନୈତିକ ଦଳ, ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଏବଂ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ବିଷୟରେ ଆଲୋଚନା କରିବା, ତେବେ ନିର୍ବାଚନ ଆୟୋଗ ଦେଇଥିବା ତାଲିକାରେ ଏସପି ଷୋଡଶ ସ୍ଥାନରେ ଅଛି, ଏସପି ୧୪ କୋଟି ଟଙ୍କା ଦାନ ଗ୍ରହଣ କରିଛି। ବହୁଜନ ସମାଜ ପାର୍ଟିର ନାମ ଏହି ତାଲିକାରେ ନାହିଁ। ୪୨୬ ପୃଷ୍ଠାର ରିପୋର୍ଟରେ କୌଣସି ସ୍ଥାନରେ BSP ର ନାମ ନାହିଁ। ଯେଉଁଠାରେ ଏସପି ର ନାମ ୪୬ ଥର ଉଲ୍ଲେଖ କରାଯାଇଛି। ଏସବିଆଇ ଦ୍ଵାରା EC ରେ ଦାଖଲ ହୋଇଥିବା ରିପୋର୍ଟରେ ଏସପି ର ନାମ ADYAKSHA SAMAJVADI PARTY ଭାବରେ ରେକର୍ଡ କରାଯାଇଛି।

ବାସ୍ତବରେ, ନିର୍ବାଚନ ବଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ କଠୋରତା ପରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦୁଇଟି ପେନ୍ ଡ୍ରାଇଭରେ ଏହି ସୂଚନା ଦେଇଥିଲା, ଯାହା ପରେ ନିର୍ବାଚନ ଆୟୋଗ ମାର୍ଚ୍ଚ ୧୪ ତାରିଖ ଗୁରୁବାର ଦିନ ଆୟୋଗର ୱେବସାଇଟରେ ସମସ୍ତ ତଥ୍ୟ ଅପଲୋଡ୍ କରିଥିଲେ। ସଂପୂର୍ଣ୍ଣ ସୂଚନା ଦୁଇଟି ଭାଗରେ ଦିଆଯାଇଛି।

ଏହି କମ୍ପାନୀଗୁଡିକ ନିର୍ବାଚନ ବଣ୍ଡ ନେଇଥିଲେ:

ଯଦି ଆମେ ନିର୍ବାଚନ ଆୟୋଗ ଦ୍ଵାରା ପ୍ରକାଶିତ ତଥ୍ୟକୁ ଦେଖିବା, ରାଜନୈତିକ ଦଳଗୁଡିକୁ ସାହାଯ୍ୟ କରିବା ନାମରେ ସର୍ବାଧିକ ସଂଖ୍ୟକ ନିର୍ବାଚନ ବଣ୍ଡ କ୍ରୟ କରିଥିବା କମ୍ପାନୀଗୁଡିକ ମଧ୍ୟରେ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍, ମେଘା ଇଞ୍ଜିନିୟରିଂ, ପିରାମଲ୍ ଏଣ୍ଟରପ୍ରାଇଜେସ୍, ଟୋରେଣ୍ଟ ପାୱାର, ଭାରତୀ ଏୟାରଟେଲ, DLF ଏବଂ ବେଦାନ୍ତ ଲିମିଟେଡ୍, ଆପୋଲୋ ଟାୟାର୍ସ, ଲକ୍ଷ୍ମୀ ମିତ୍ତଲ, ଏଡଲଭାଇସ, ପିଭିଆର, କେଭେଣ୍ଟର, ସୁଲା ୱାଇନ, ୱେଲସ୍ପନ, ସନ ଫାର୍ମା ଇତ୍ୟାଦି କମ୍ପାନୀ ସାମିଲ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର: ଜାଣନ୍ତୁ ଓଡିଶାବାସୀଙ୍କୁ କ’ଣ ଦେଲା ପ୍ରତିଶ୍ରୁତି?

ଭୁବନେଶ୍ଵର: ୨୦୨୪ ସାଧାରଣ ନିର୍ବାଚନ ମାତ୍ର ଆଉ କିଛି ଦିନ ବାକି ଥିବା ବେଳେ ଆସନ୍ତାକାଲି ଏନେଇ ତାରିଖ ଘୋଷଣା କରାଯିବ। ଆସନ୍ତାକାଲି ତାରିଖ ଘୋଷଣା ପରେ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁହେବ। ଏଥିପାଇଁ ସମସ୍ତ ରାଜନୈତିକ ଦଳଗୁଡିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ ଓଡିଶା ପାଇଁ ଆଜି ଓଡିଶା ପ୍ରଦେଶ କଂଗ୍ରେସ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ତେବେ ଓଡିଶାବାସୀଙ୍କ ପାଇଁ କଂଗ୍ରେସ ୯ ଟି ପ୍ରତିଶ୍ରୁତି ଦେଇଛି। ଆସନ୍ତୁ ଜାଣିବା କଂଗ୍ରେସର ଇସ୍ତାହାରରେ ଓଡିଶାବାସୀଙ୍କ ପାଇଁ କ’ଣ ରହିଛି ପ୍ରତିଶ୍ରୁତି?

୧- କୃଷକଙ୍କ ପାଇଁ କୃଷିଋଣ ଛାଡ, ଧାନ କ୍ଵିଣ୍ଟାଲ ପିଛା ୩ ହଜାର ଟଙ୍କା ଏବଂ ଚାଷୀଙ୍କୁ ୨ ହଜାର ଟଙ୍କା ଭତ୍ତା।

୨- ବିଜୁଳି ଉପଭୋକ୍ତାଙ୍କୁ ୨ ଶହ ୟୁନିଟ ବିଜୁଳି ଦେୟ ଛାଡ

୩- ୫ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି

୪- ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା

୫- ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ

୬- ବାର୍ଦ୍ଧକ୍ୟ/ ବିଧବା ଭତ୍ତା ମାସିକ ୨ ହଜାର

୭- ପ୍ରତ୍ୟେକ ପରିବାରକୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର

Categories
ଆଜିର ଖବର ରାଜ୍ୟ ଖବର

୧୭ରୁ ଚଳାଚଳ କରିବ ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ: ଜାଣନ୍ତୁ ସମୟ ସାରଣୀ ଏବଂ ଟିକେଟ ମୂଲ୍ୟ

ଭୁବନେଶ୍ଵର: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଓଡ଼ିଶା ପାଇଁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟିତ ହୋଇଛି। ତେବେ ଏହା ଭୁବନେଶ୍ୱରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଚାଲିବ। ଚଳିତ ୧୨ ତାରିଖରେ ଏହାର ଟ୍ରାଏଲ ରନ ଉକ୍ତ ରୁଟରେ ହୋଇଥିଲା।  ତେବେ ଯାତ୍ରୀମାନେ ଏହାଦ୍ୱାରା ନିଜର ଖୁସି ଜାହିର କରିଥିବା ବେଳେ ନିୟମିତ ଏହାର ଚଳାଚଳ ଏବଂ ଟିକେଟ ଦର କେତେ ରହିବ ତାହା ଜାଣିବା ପାଇଁ ଆଗ୍ରହୀ ଅଛନ୍ତି।

ତେବେ ରେଳ ମନ୍ତ୍ରାଳୟ ଠାରୁ ମିଳିଥିବା ସୂଚନା ମୁତାବକ ଉକ୍ତ ଟ୍ରେନ ଆସନ୍ତା ୧୭ ତାରିଖରୁ ନିୟମିତ ଭାବେ ଚଳାଚଳ କରିବ। ସୋମବାରକୁ ବାଦ ଦେଇ ଅନ୍ୟ ସବୁ ଦିନରେ ସପ୍ତାହକୁ ୬ ଦିନ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ।

ସମୟ ସାରଣୀ:

ଭୁବନେଶ୍ୱର- ସକାଳ ୫.୧୫

ଖୋର୍ଦ୍ଧା ରୋଡ- ସକାଳ ୫.୩୩

ବାଲୁଗାଁ- ସକାଳ ୬.୨୩

ବ୍ରହ୍ମପୁର- ସକାଳ ୭.୦୫

ଇଚ୍ଛାପୁରମ- ସକାଳ ୭.୧୮

ପଲାସା- ସକାଳ ୮.୧୮

ଶ୍ରୀକାକୁଲମ ରୋଡ- ସକାଳ ୯.୦୦

ବିଜୟାନାଗରମ- ସକାଳ ୯.୪୩

ବିଶାଖାପାଟନମ- ପୂର୍ବାହ୍ନ ୧୧ ଘଟିକାରେ ପହଞ୍ଚିବ।

ସେହିପରିଭାବେ ବିଶାଖାପାଟନମ ଷ୍ଟେସନରୁ ଉକ୍ତ ଟ୍ରେନ ଅପରାହ୍ନ ୩.୩୦ ଘଟିକାରୁ ଛାଡିବ।

ବିଜୟାନାଗରମ- ଅପରାହ୍ନ ୪.୧୫

ଶ୍ରୀକାକୁଲମ ରୋଡ- ୫.୦୩

ପଲାସା- ୬.୧୦

ଇଚ୍ଛାପୁରମ- ୬.୪୦

ବ୍ରହ୍ମପୁର- ୭.୦୦

ବାଲୁଗାଁ- ୭.୫୨

ଖୋର୍ଦ୍ଧା ରୋଡ- ୮.୫୭

ଭୁବନେଶ୍ୱର- ରାତି ୯.୩୦ ରେ ପହଞ୍ଚିବ।

ତେବେ ଉକ୍ତ ଟ୍ରେନର ସମସ୍ତ ବଗି ଶୀତତାପ ନିୟନ୍ତ୍ରିତ ଏବଂ ଚେୟାର କାର ବର୍ଗ ହୋଇଥିବା ବେଳେ ଭୁବନେଶ୍ୱରରୁ ବିଶାଖାପାଟନମ ଦର ୧୧୧୫ ଟଙ୍କା ରହିଥିବା ଜଣାପଡିଛି।  ସେହିପରି ଭାବେ ଭୁବନେଶ୍ୱରରୁ ବାଲୁଗାଁ ୪୪୫ ଟଙ୍କା, ଭୁବନେଶ୍ୱରରୁ ବ୍ରହ୍ମପୁର ୫୬୫ ଟଙ୍କା, ବାଲୁଗାଁଠୁ ବିଶାଖାପାଟନମ ୯୩୫ ଟଙ୍କା ଏବଂ ବାଲୁଗାଁଠୁ ବ୍ରହ୍ମପୁର ୪୪୦ ଟଙ୍କା ଧାର୍ଯ୍ୟ ହୋଇଥିବା ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଘୋଷଣା ହେବ ଲୋକସଭା ନିର୍ବାଚନର ତାରିଖ, ଅପରାହ୍ନ ୩ ଟାରେ ପ୍ରକାଶ ପାଇବ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର କାର୍ଯ୍ୟସୂଚୀ ଆସନ୍ତାକାଲି ଘୋଷଣା କରାଯିବ। ନିର୍ବାଚନ ଆୟୋଗ (ଇସି) ଅପରାହ୍ନ ୩ ଟାରେ ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି ସମୟ ମଧ୍ୟରେ, ଇସି ଅଧିକାରୀଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ହେବ, ଯେଉଁଥିରେ ଲୋକସଭା ନିର୍ବାଚନ କେତେବେଳେ, କେତେ ପର୍ଯ୍ୟାୟରେ ଏବଂ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ତାହା ଜଣାଯିବ।

Categories
ଆଜିର ଖବର ଜାତୀୟ ଖବର

SBI କୁ ନୋଟିସ୍!, ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ତଥ୍ୟରେ କାହିଁକି ବଣ୍ଡ ନମ୍ବର ନାହିଁ?

ନୂଆଦିଲ୍ଲୀ: ନିର୍ବାଚନ ବଣ୍ଡ ମାମଲା ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟ ମଧ୍ୟରେ ନିର୍ବାଚନ ଆୟୋଗ କହିଛନ୍ତି ଯେ, ୨୦୧୯ ବର୍ଷ ପୂର୍ବରୁ ରାଜନୈତିକ ଦଳଗୁଡିକରୁ ମିଳିଥିବା ଦାନ ବିଷୟରେ ସୁପ୍ରିମକୋର୍ଟଙ୍କୁ ଏକ ସିଲ୍ ହୋଇଥିବା ଲିଫାଫରେ ପ୍ରଦାନ କରାଯାଇଛି। ସେମାନେ ଏହାର ଏକ କପି ରଖିନାହାନ୍ତି।

ଏହା ନିର୍ବାଚନ ଆୟୋଗଙ୍କୁ ଫେରସ୍ତ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାପୂର୍ବରୁ ଏହାକୁ ସ୍କାନ କରାଯିବ ଏବଂ ଡିଜିଟାଲ କପି ସୁପ୍ରିମକୋର୍ଟରେ ରଖାଯିବ। ଏହାକୁ ନେଇ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ, ନିର୍ବାଚନ ଆୟୋଗକୁ ଯେଉଁ ତଥ୍ୟ ଦିଆଯାଇଛି, ସେଥିରେ ବଣ୍ଡ ନମ୍ବର ଉଲ୍ଲେଖ କରାଯାଇନାହିଁ, ଯାହା ଉପରେ ସ୍ପଷ୍ଟ ଭାବେ ଆଦେଶ ଥିଲା।

Categories
ଆଜିର ଖବର ଜାତୀୟ ଖବର

ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗ: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଏଫ୍ଆଇଆର୍

ନୂଆଦିଲ୍ଲୀ: ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ୟେଦିୟୁରପ୍ପାଙ୍କ ବିରୋଧରେ POCSO ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ବେଙ୍ଗାଲୁରୁର ସଦାଶିବନଗର ପୋଲିସ ୧୭ ବର୍ଷର ବାଳିକାଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରିଛି। ପୋଲିସ ସୂତ୍ର ଅନୁଯାୟୀ, ନାବାଳିକାକୁ ଫେବୃଆରୀ ୨ ତାରିଖରେ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ, ନାବାଳିକା ଜଣକ ଏକ ଠକେଇ ମାମଲାରେ ସାହାଯ୍ୟ ମାଗିବା ପାଇଁ ୟେଦିୟୁରପ୍ପାଙ୍କୁ ଭେଟିବାକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା।

ନ୍ୟୁଜ୍ ଏଜେନ୍ସି ANI ରିପୋର୍ଟ ଅନୁଯାୟୀ, ବରିଷ୍ଠ ବିଜେପି ନେତା ୟେଦିୟୁରପ୍ପା ନାବାଳିକାକୁ ଏକ କୋଠରୀକୁ ଟାଣି ନେଇ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ କୌଣୟ ପ୍ରକାରେ ସେଠାରୁ ଖସିଯିବାରେ ସଫଳ ହୋଇଥିଲା ଏବଂ ପରେ ତାଙ୍କ ସହିତ ଘଟିଥିବା ଘଟଣା ବିଷୟରେ ତାଙ୍କ ମା’ଙ୍କୁ କହିଥିଲା।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି ଯେ, ଜଣେ ମହିଳା ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ସଦାଶିବନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ନିର୍ଯାତନା ଦିଆଯାଇଛି। ତେଣୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଆମେ ସତ୍ୟ ନଜାଣିବା ପର୍ଯ୍ୟନ୍ତ, ଆମେ କିଛି କହି ପାରିବୁ ନାହିଁ। ଏହା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ କାରଣ ଏଥିରେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଡିତ ଅଛନ୍ତି। ଏଭଳି ପରିସ୍ଥିତିରେ ଆମେ ପୋଲିସର ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବା ଉଚିତ୍।

ମନ୍ତ୍ରୀ ଏହି ପ୍ରସଙ୍ଗରେ କୌଣସି ରାଜନୈତିକ କୋଣକୁ ଅସ୍ୱୀକାର କରି କହିଛନ୍ତି ଯେ, ମୁଁ ଭାବୁନାହିଁ ଯେ ଏଥିରେ କୌଣସି ରାଜନୈତିକ କୋଣ ଅଛି। ଆମେ ମହିଳାଙ୍କୁ ଜାଣିନାହୁଁ। ସେ ପୋଲିସ ପାଖକୁ ଯାଇ ଅଭିଯୋଗ କରିଥିଲେ। ପୋଲିସ ତାଙ୍କୁ ମନା କରିନାହିଁ ଏବଂ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି।

ତଥାପି ୟେଦିୟୁରପ୍ପାଙ୍କ କାର୍ଯ୍ୟାଳୟ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ଅତୀତରେ ଅଭିଯୋଗକାରୀଙ୍କ ଦ୍ଵାରା ଦାଖଲ ହୋଇଥିବା ମାମଲାର ତାଲିକା ମଧ୍ୟ କାର୍ଯ୍ୟାଳୟ ପ୍ରକାଶ କରିଛି। ଏହି ତାଲିକାରେ ୫୩ ଟି ଭିନ୍ନ ଭିନ୍ନ ଅଭିଯୋଗ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଗୁଣାତ୍ମକ ଶିକ୍ଷା ଏବଂ ପ୍ରି -ମେଟ୍ରିକ୍ ସ୍କଲାରସିପ୍ ବିଷୟରେ ଜିଲ୍ଲା ପ୍ରଶାସନ ତରଫରୁ କର୍ମଶାଳା ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ଏନ୍ ଜି ଓ ମାନଙ୍କୁ ନେଇ ୧୪ ମାର୍ଚ୍ଚ ୨୦୨୪ ରେ ଡି ପି ଏମ୍ ୟୁ ସଭା ଗୃହରେ ଶ୍ରୀକାନ୍ତ ଦଳେଇ, ଡେପୁଟି ଡାଇରେକ୍ଟର, ଡି ପି ଏମ୍ ୟୁ ଙ୍କ ଅଧ୍ୟକ୍ଷତାରେ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମ ଶାଳାରେ ଅରବିନ୍ଦ ରାୟ, ଡବ୍ଲୁଓ, କଳାହାଣ୍ଡି, ପବିତ୍ର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି, ଡାକ୍ତର କୁମୁଦିନୀ ମିଶ୍ର, ଜୀବିକା ଏକସ୍ପଟ, ଈଶ୍ୱର ଚନ୍ଦ୍ର ବେହେରା, ବରିଷ୍ଠ ଶିକ୍ଷକ, ଡାଇଟ, ନିହାରିକା ଦେବୀ, ବରିଷ୍ଠ ଶିକ୍ଷକ, ଡାଇଟ, ସୌମେନ୍ଦ୍ର ନାଥ ପଟ୍ଟନାୟକ, ପ୍ରୋଗ୍ରାମର, ବିକ୍ରମ କିଶୋର ରଣା ଓ ଚାର୍ଲସ୍ ଜିମି, ପ୍ରୋଗ୍ରାମ ମାନେଜର, ପିରାମଲ୍ ଫାଉଣ୍ଡେସନ ତରଫରୁ ଉପସ୍ଥିତ ଥିଲେ।

ପିରାମଲ ଫାଉଂଡେସନ ତରଫରୁ ଏହି କର୍ମଶାଳା ଟି ସଚଳା ବାରିକ୍ ଙ୍କ ଦ୍ଵାରା ଚେତନା ଗୀତ ସହ ଆରମ୍ଭ କରାଯାଇଥିଲା। ସମସ୍ତ ଅତିଥି ତାଙ୍କ ଅଭିଭାଷଣରେ ବାଳିକା ଶିକ୍ଷା, ଗୁଣାତ୍ମକ ଶିକ୍ଷାରେ ଏନ୍ ଜି ଓ ର ଯୋଗଦାନ ସହ ପ୍ରି- ମେଟ୍ରିକ ଛାତ୍ରବୃତ୍ତି ପାଇବାରେ କିପରି ସହାୟକ ହୋଇପାରିବେ ତାହା ଅତି ସୁନ୍ଦର ଭାବରେ ବର୍ଣନା କରିଥିଲେ। ଶ୍ରୀକାନ୍ତ ଦଳେଇ, ଡେପୁଟି କଲେକ୍ଟର, ଏସ୍ ଡି ଜି ଲକ୍ଷ -୪ ବିଶେଷ ଆଲୋଚନା କରିବା ସହିତ କିପରି ତାହାର ସମସ୍ତ ଇଂଡିକେଟରକୁ ୨୦୩୦ ସୁଧା ହାସଲ କରାଯାଇ ପାରିବ ତାହା ଉପରେ ଆଲୋକପାତ କରିଥିଲେ। ଅରବିନ୍ଦ ରାୟ, ଜିଲ୍ଲା ମଂଗଳ ଅଧିକାରୀ ପ୍ରାକ ଛାତ୍ରବୃତ୍ତି ପାଇ ଆମ ଅଂଚଳର ଅଭାବ ଗ୍ରସ୍ତ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ତାହା ଉପରେ ଆଲୋକପାତ କହିଥିଲେ।

ନବମ ଏବଂ ଦଶମ ଶ୍ରେଣୀରେ ଅଧ୍ୟୟନ ରତ ଅନୁସୂଚୀତ ଜନଜାତି, ଅନୁସୂଚିତ ଜାତି, ଅନ୍ୟାନ୍ୟ ପଛୁଆ ବର୍ଗ /ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ, ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ସରକାରଙ୍କ ସ୍ୱତନ୍ତ୍ର ଛାତ୍ରବୃତ୍ତି ବ୍ୟବସ୍ଥା ରହିଛି।

ନବମ ଏବଂ ଦଶମ ଶ୍ରେଣୀ ଛାତ୍ରବୃତ୍ତି ପାଇବା ପାଇଁ ଯୋଗ୍ୟତା –

୧. ଆବେଦନକାରୀ ଅନୁସୂଚୀତ ଜନଜାତି, ଅନୁସୂଚୀତ ଜାତି, ଅନ୍ୟାନ୍ୟ ପଛୁଆ ବର୍ଗ/ ସାମାଜିକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ କିମ୍ବା ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ (ସାଧାରଣ ବର୍ଗ)ରେ ଅନ୍ତର୍ଭୁକ୍ତ ଥିବେ।

୨. ଆବେଦନକାରୀ ଓଡ଼ିଶାର ସ୍ଥାୟୀ ଅଧିବାସୀ ହୋଇଥିବେ।

୩. ଆବେଦନକାରୀଙ୍କ ପାରିବାରିକ ବାର୍ଷିକ ଆୟ ସମସ୍ତ ସୁତ୍ରରୁ ଟ.୨,୫୦,୦୦୦/-ଙ୍କା (ଦୁଇଲକ୍ଷ ପଚାଶ ହଜାର) ରୁ ଅଧିକ ହୋଇନଥିବ।

୪. ଆବେଦନକାରୀ ମାନେ ବୈଧ UDISE CODE ପ୍ରାପ୍ତ ସରକାରୀ କିମ୍ବା ମାନ୍ୟତା ପ୍ରାପ୍ତ ବେସରକାରୀ ବିଦ୍ୟାଳୟରେ ପୁର୍ଣ କାଳୀନ ଭିତିରେ ଅଧ୍ୟୟନରତ ଥିବେ।

୫. ଅନ୍ୟାନ୍ୟ ପଛୁଆ ବର୍ଗ/ ସାମାଜିକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ କିମ୍ବା ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ (ସାଧାରଣ ବର୍ଗ) ଛାତ୍ରଛାତ୍ରୀମାନେ କେବଳ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ହିଁ ଏହି ଛାତ୍ରବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ।

ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଆବେଦନ ପ୍ରକ୍ରିୟା ୧୫ ଡ଼ିସେମ୍ବର ୨୦୨୩ ରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ ଙ୍କ ମାଧ୍ୟମରେ ଆରମ୍ଭ ହୋଇଛି।

ଆବଶ୍ୟକୀୟ ନଥିପତ୍ର –

୧. ଆଧାର କାର୍ଡ
୨. ଜାତି ପ୍ରମାଣ ପତ୍ର
୩. ଆୟ ପ୍ରମାଣ ପତ୍ର ( ଟ. ୨,୫୦,୦୦୦ ରୁ କମ),
୪. ଆଧାର ସଂଯୋଗ ବ୍ୟାଙ୍କ ଖାତା

ବୃତ୍ତିରାଶି ହାର (ଟଙ୍କାରେ) (ବାର୍ଷିକ)

ଅନୁସୂଚୀତ ଜନଜାତି ବର୍ଗ ଦିବାଧ୍ୟାୟୀ -୩୦୦୦ ଏବଂ ଅନ୍ତେବାସୀ ୬୨୫୦
ଅନୁସୂଚୀତ ଜାତି ବର୍ଗ ଦିବାଧ୍ୟାୟୀ -୩୫୦୦ ଏବଂ ଅନ୍ତେବାସୀ ୭୦୦୦

ଅନ୍ୟାନ୍ୟ ପଛୁଆ ବର୍ଗ / ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ- ୪୦୦୦

ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ (ସାଧାରଣ ବର୍ଗ)- ४००० ଅଭିଭାବକ ଏବଂ ଲୋକ ମାନଙ୍କର ସଚେତନତା ବଢିଲେ ଛାତ୍ର ଛାତ୍ରୀମାନେ ଅଧିକରୁ ଅଧିକ ଛାତ୍ରବୃତ୍ତି ଆବେଦନ କରିପାରିବେ ବୋଲି ଆଶା ପୋଷଣ କରାଯାଇଥିଲା। ତେଣୁ ଏଦିଗରେ ସବୁ ଏନ୍ ଜି ଓ ମାନଙ୍କୁ ନିବେଦନ କରାଯାଇଛି କି ସେମାନେ ଏହି ବିଷୟରେ ଅଧିକ ଅଧିକ ଲୋକଙ୍କ ସଚେତନ କରାଇବେ।

ଶେଷରେ ରିକେତା କୁମାରୀ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ କର୍ମଶାଳା ଶେଷ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କ ଠାରୁ ଲୁଟ ଘଟଣା: ଅଭିଯୁକ୍ତ କାର ଡ୍ରାଇଭରକୁ ବାନ୍ଧିଲା ପୋଲିସ

ପୁରୀ: ବିଦେଶୀ ପର୍ଯ୍ୟଟକଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଲୁଟ ଘଟଣାରେ ପୁରୀ ପୋଲିସକୁ ବଡ ସଫଳତା ମିଳିଛି। ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ଉଲ୍ଲେଖ ଯୋଗ୍ୟ ଯେ, ସୁଦୂର ନେଦରଲାଣ୍ଡରୁ ଅନ୍ଥୋନି ଭାନ୍ ଅର୍କେଲ୍ ନାମକ ଜଣେ ୭୧ ବର୍ଷୀୟ ପର୍ଯ୍ୟଟକ ପୁରୀ ଭ୍ରମଣ ପାଇଁ ଆସିଥିଲେ। ଗତ ୧୦ ତାରିଖରେ ଭ୍ରମଣ ସମୟରେ ସେ ଜଣେ କାର ଡ୍ରାଇଭରଙ୍କ ଠାରୁ ଲୁଟରେ ଶିକାର ହୋଇଥିଲେ। କାର ଡ୍ରାଇଭରଜଣଙ୍କ ବିଦେଶୀ ପର୍ଯ୍ୟଟକ ଅନ୍ଥୋନିଙ୍କ ନିକଟରୁ ୩ ଲକ୍ଷ ୫୦ହଜାର ଟଙ୍କା, ୪୨୦୦ ୟୁରୋ ମୁଦ୍ରା, ଦାମୀ ଘଣ୍ଟା, କ୍ୟାନନ୍ କ୍ୟାମେରା, ହୀରା ମୁଦି ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଲୁଟି ନେଇଥିଲା।

ତେବେ ଏନେଇ ବିଦଶୀ ପର୍ଯ୍ୟଟକଜଣଙ୍କ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ ପୁରୀ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରାଯାଇଥିଲା। ଏବଂ ତଦନ୍ତ ସମୟରେ ଅଭିଯୁକ୍ତଙ୍କ ପରିଚୟ ମିଳିପାରିଥିଲା। ସେ କଟକ ଜିଲ୍ଲା କାନପୁର ଥାନା କନରପୂର୍ ଗ୍ରାମର ସାଗର କୁମାର ମଲ୍ଲିକ ବୋଲି ଜଣାପଡିଥିଲା।

ଏହାପରେ ଅଭିଯୁକ୍ତକୁ ପୋଲିସ ଗିରଫ କରାଯିବା ସହ ବ୍ୟବହୃତ କାର ଜବତ କରିଥିଲା। ତେବେ ଗୁରୁବାର ଦିନ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଯୁବ ମତଦାତାଙ୍କ ପାଇଁ ଅଲିମ୍ପିକ୍ସ ବିଜେତା ନୀରଜ୍‌ ଚୋପ୍ରାଙ୍କ ବାର୍ତ୍ତା

ନୀରଜ ଚୋପ୍ରା

କ୍ରୀଡ଼ାବିତମାନେ ନିଜର ନିଷ୍ଠା, ପ୍ରତିବଦ୍ଧତା ଓ ଦଳଗତ କାର୍ଯ୍ୟ ମାଧ୍ୟମରେ ଦେଶର ସେବା କରିଥାନ୍ତି। ଦେଶ ହେଉ କି ବିଦେଶ, ଜାତୀୟ ରଙ୍ଗ ପିନ୍ଧିବା ଉଭୟ ସୌଭାଗ୍ୟ ଓ ଦାୟିତ୍ୱ। କିନ୍ତୁ ବିଶ୍ୱର ସବୁଠାରୁ ସକ୍ରିୟ ଗଣତନ୍ତ୍ରର ଏକ ଅଂଶବିଶେଷ ହୋଇଥିବା କ୍ରୀଡ଼ାବିତ୍ ଏବଂ ଯୁବ ଭାରତୀୟ ଭାବରେ ଆମେ ଆଉ ଏକ ସୌଭାଗ୍ୟ ପାଇବାକୁ ଚାହିଁଥାଉ – ତାହା ହେଉଛି ମତଦାନ।

ନିର୍ବାଚନ ଗଣତନ୍ତ୍ରର ଆଧାର, ଏହା ନାଗରିକମାନଙ୍କୁ ସେମାନଙ୍କ ପ୍ରତିନିଧି ଚୟନ କରିବାର ଗୁରୁତ୍ୱପୂର୍ଣ୍ଣ ଅଧିକାର ପ୍ରଦାନ କରିଥାଏ। ତେବେ ଏହି ଅଧିକାର ନିଷ୍କ୍ରିୟ ନୁହେଁ; ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ହେବା ଏକ କର୍ତ୍ତବ୍ୟ, ବିଶେଷ କରି ଯୁବବର୍ଗଙ୍କ କର୍ତ୍ତବ୍ୟ। ଐତିହାସିକ ଦୃଷ୍ଟିରୁ ଯୁବପିଢ଼ି ସାମାଜିକ ପରିବର୍ତ୍ତନର ନେତୃତ୍ୱ ନେଇଛନ୍ତି ଏବଂ ନିର୍ବାଚନରେ ସେମାନଙ୍କ ସମ୍ପୃକ୍ତି ଗୁରୁତ୍ୱପୂର୍ଣ୍ଣ। ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଭୋଟର ପଞ୍ଜୀକରଣଠାରୁ ଆରମ୍ଭ କରି ତୃଣମୂଳ ସ୍ତରର ପ୍ରଚାର ପର୍ଯ୍ୟନ୍ତ ସବୁ ସ୍ତରରେ ଯୁବଗୋଷ୍ଠୀଙ୍କ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ।

ପ୍ରଥମ ଥର ମତଦାତାମାନେ ସ୍ୱଚ୍ଛତା ଏବଂ ଅନ୍ତର୍ଭୁକ୍ତୀକରଣ ଭଳି ନୂତନ ଦୃଷ୍ଟିକୋଣ ଏବଂ ସର୍ବଶ୍ରେଷ୍ଠ ଉଦାହରଣ ଉପସ୍ଥାପନ କରିଥାନ୍ତି। ଜଣେ ଯୁବ ଭୋଟରଙ୍କ ଶକ୍ତି ଓ ଜ୍ଞାନକୌଶଳ ସମ୍ପନ୍ନ ପ୍ରକୃତ ନିର୍ବାଚନୀ ଦୃଶ୍ୟପଟରେ ଗତିଶୀଳତା ସୃଷ୍ଟି କରି ନାଗରିକଙ୍କ ଆବଶ୍ୟକତା ପ୍ରତି ଉପଲବ୍ଧତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିଥାଏ। ନିର୍ବାଚିତ ଅଧିକାରୀମାନଙ୍କୁ ଉତ୍ତରଦାୟୀ କରିବା, ସ୍ୱର ଉତ୍ତୋଳନ କରିବା ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର କରିବା ଏବଂ ଜନସାଧାରଣଙ୍କ ସହ ଅନୁକୂଳ ପ୍ରସଙ୍ଗଗୁଡ଼ିକର ପକ୍ଷ ଉପସ୍ଥାପନ କରିବାରେ ଯୁବଗୋଷ୍ଠୀ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି, ଯାହା ଗଣତନ୍ତ୍ରର ଅଖଣ୍ଡତା ଏବଂ ସକ୍ରିୟତାକୁ ସୁରକ୍ଷିତ ରଖିଥାଏ।

ମହାତ୍ମା ଗାନ୍ଧୀଙ୍କ ଉକ୍ତିରେ, ‘‘ଆଜି ଆପଣ ଯାହା କରୁଛନ୍ତି ତାହା ଉପରେ ଭବିଷ୍ୟତ ନିର୍ଭର କରେ। ୨୦୨୪ରେ ଭାରତରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଗଣତନ୍ତ୍ର ପୁଣି ଥରେ ପାର୍ଶ୍ୱ ପରିବର୍ତ୍ତନ କରୁଛି। ଏହି ସମୟରେ ଦେଶର ଭାଗ୍ୟ ଗଢିବାରେ ଯୁବଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଜରୁରୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ନିର୍ବାଚନ ପ୍ରକ୍ରିୟାରେ ଯୁବବର୍ଗଙ୍କ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଥମ ଥର ଭୋଟ୍‌ ଦେବାକୁ ଯାଉଥିବା ମତଦାତାଙ୍କ ଉଦ୍ଦେଶ୍ୟରେ ନିର୍ବାଚନ କମିଶନଙ୍କ ‘ମେରା ପେହଲା ଭୋଟ୍ ଦେଶ କେ ଲିଏ’ ଅଭିଯାନ ଉପରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସେ ଭାରତର ଯୁବଗୋଷ୍ଠୀଙ୍କ ଆଗ୍ରହ ଓ ଉତ୍ସାହକୁ ପ୍ରଶଂସା କରିବା ସହ ଦେଶର ଭବିଷ୍ୟତକୁ ସିଧାସଳଖ ପ୍ରଭାବିତ କରୁଥିବାରୁ ସକ୍ରିୟ ଭାବେ ମତଦାନରେ ସାମିଲ ହେବାକୁ ଅନୁରୋଧ କରିଥିଲେ।

ପ୍ରଥମ ଥର ମତଦାତାଙ୍କୁ ରେକର୍ଡ ସଂଖ୍ୟାରେ ମତଦାନ କରିବାକୁ ଅନୁରୋଧ କରି ସେ ଦେଶର ଭାଗ୍ୟ ଗଢିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ କ୍ଷେତ୍ରର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଏହି ଅଭିଯାନରେ ସାମିଲ ହେବା ଏବଂ ଯୁବ ଭୋଟରମାନଙ୍କୁ ଅନୁପ୍ରାଣିତ କରିବାକୁ ଆହ୍ୱାନ ଦେଇଛନ୍ତି। ନିର୍ବାଚନୀ ଉତ୍ସାହ ଭିତରେ କେବଳ ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେବା ନୁହେଁ, ସମାଜରେ ଚାଲିଥିବା ଆଲୋଚନା ଓ ବିତର୍କ ସମ୍ପର୍କରେ ସଚେତନ ରହିବାକୁ ସେ ଯୁବବର୍ଗଙ୍କୁ ଅନୁରୋଧ କରିଛନ୍ତି।

ନିର୍ବାଚନରେ ଯୁବବର୍ଗଙ୍କ ସାର୍ବଜନୀନ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗ ‘ମେରା ପେହଲା ଭୋଟ୍ ଦେଶ କେ ଲିଏ’ ଅଭିଯାନର ନେତୃତ୍ୱ ନେଉଛନ୍ତି। ଯୁବ ଭୋଟରଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ବ୍ୟବହାର ପାଇଁ ଉତ୍ସାହିତ କରିବାକୁ ଦେଶ ପ୍ରତିଶ୍ରୁତିବଦ୍ଧତାର ପ୍ରତୀକ ଭାବେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ଅଭିଯାନ ସଙ୍ଗୀତର ଉନ୍ମୋଚନ କରିଛନ୍ତି। ମତଦାତା ସଚେତନତା ଅଭିଯାନର ଗୋଟିଏ ଅଂଶବିଶେଷ ପାଲଟିଥିବା ଏହି ସଙ୍ଗୀତ ନିର୍ବାଚନ ପ୍ରକ୍ରିୟାରେ ଅଧିକରୁ ଅଧିକ ଯୁବଗୋଷ୍ଠୀଙ୍କ ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ ଭାବନାର ପ୍ରତିଫଳନ କରୁଛି । ସାରା ଦେଶର ଯୁବକମାନେ ନିଜ ଯୁବ ବନ୍ଧୁମାନଙ୍କୁ ଭୋଟ୍ ଦେବା ପାଇଁ ଉତ୍ସାହିତ କରିବାକୁ ଏହି ସଙ୍ଗୀତକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରୁଛନ୍ତି।

ଦେଶବ୍ୟାପୀ ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକ ବ୍ୟାପକ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ ଗଣତନ୍ତ୍ର ପାଇଁ ମତଦାନର ମୂଲ୍ୟ ଉପରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି। ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଭୌତିକ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ବିଷୟବସ୍ତୁ ସୃଷ୍ଟିରେ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ମାଇଗଭ ପ୍ଲାଟଫର୍ମରେ ବ୍ଲଗ୍ ରାଇଟିଂ, ପଡକାଷ୍ଟ, ବିତର୍କ ଏବଂ ଅନ୍ୟାନ୍ୟ ସହିତ ଅନଲାଇନ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଉଛି। କର୍ମଶାଳା, ସେମିନାର, ଫ୍ଲାସ୍ ମବ୍ ଓ ଭୋଟର ପ୍ରତିଶ୍ରୁତି ଅଭିଯାନ ଛାତ୍ରଛାତ୍ରୀଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଅଧିକ ଆକର୍ଷିତ ଓ ଶିକ୍ଷିତ କରୁଛି। ଏନଏସଏସ ସ୍ୱେଚ୍ଛାସେବୀ ଏବଂ ଅନୁଷ୍ଠାନ କ୍ଲବ ଏହି ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ଗ୍ରହଣ କରି ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ଏବଂ ମନୋରଞ୍ଜନ ଶିଳ୍ପ ସମେତ ବିଭିନ୍ନ ପ୍ଲାଟଫର୍ମରୁ ପ୍ରଭାବଶାଳୀ ବ୍ୟକ୍ତିବିଶେଷମାନେ ଏହି ଅଭିଯାନକୁ ସକ୍ରିୟ ଭାବେ ସମର୍ଥନ କରୁଛନ୍ତି ଏବଂ ପ୍ରଥମ ଥର ମତଦାତାଙ୍କୁ ଉତ୍ସାହିତ କରୁଛନ୍ତି। ଦେଶର କୋଣ ଅନୁକୋଣରୁ କ୍ରୀଡ଼ା, ମନୋରଞ୍ଜନ, ବ୍ୟବସାୟ ଓ ଶିଳ୍ପ ଭଳି କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନେ ଏକାଠି ହୋଇ ଏହି ବାର୍ତ୍ତାକୁ ଦୂରଦୂରାନ୍ତରେ ପହଞ୍ଚାଇଛନ୍ତି।

ଜଶପ୍ରୀତ ବୁମ୍ରା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସିରାଜ, ଅବନୀ ଲେଖରା, ସାଇଖୋମ ମୀରାବାଇ ଚାନୁଙ୍କ ଭଳି ମୋର ସାଥୀ କ୍ରୀଡ଼ାବିତ୍, ଅନିଲ କପୁର, ପ୍ରସେନଜିତ୍ ଚାଟାର୍ଜୀ, ରବିନା ଟଣ୍ଡନ, ରାଣା ଦଗୁବାତୀ, କୈଳାସ ଖେର, ଶ୍ରେୟା ଘୋଷାଲ, ରିତେଶ ଅଗ୍ରୱାଲ, ବିଭିଆର୍ ମୋହନ ରେଡ୍ଡୀଙ୍କ ଭଳି ଶିଳ୍ପନେତା ଏବଂ ଅନେକ ପଦ୍ମ ପୁରସ୍କାର ବିଜେତା ଏହି ଅଭିଯାନରେ ଅଂଶଗ୍ରହଣ କରି ଏହାକୁ ଭୋଟର ସଚେତନତାର ଏକ ‘ଜାତୀୟ ଆନ୍ଦୋଳନ’ରେ ପରିଣତ କରିଛନ୍ତି।

ଏହି ‘ଜନ ଆନ୍ଦୋଳନ’ ଯୁବଗୋଷ୍ଠୀଙ୍କ ସ୍ୱରର ସାମୂହିକ ଶକ୍ତି ଏବଂ ଦେଶର ଗଣତାନ୍ତ୍ରିକ ପରିଦୃଶ୍ୟ ଗଠନରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣର ଗୁରୁତ୍ୱକୁ ସୂଚାଇଥାଏ । ଆସନ୍ତୁ ଏକାଠି ହୋଇ ଏହି ଦାୟିତ୍ୱକୁ ଗ୍ରହଣ କରିବା ଏବଂ ଆମର ସାମୂହିକ ସ୍ୱରର ଶକ୍ତିକୁ ଉପଯୋଗ କରିବା । ଆସନ୍ତୁ ଆହ୍ୱାନର ସାମ୍ନା କରିବାକୁ ଆଗେଇ ଆସିବା, ଆସନ୍ତୁ ସ୍ୱର ଉତ୍ତୋଳନ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହା କରିବା ପାଇଁ ସଶକ୍ତ କରିବା ।

ନୀରଜ ଚୋପ୍ରା, ଭାରତୀୟ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ ଏବଂ ପୁରୁଷ ଜାଭେଲିନ୍ ଥ୍ରୋରେ ବର୍ତ୍ତମାନର ଅଲିମ୍ପିକ୍ ଏବଂ ବିଶ୍ୱ ଚାମ୍ପିୟନ।

Categories
ଆଜିର ଖବର ଜାତୀୟ ଖବର

ପିଏମ୍ ସ୍ୱନିଧି ହିତାଧିକାରୀମାନଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ: ୧ ଲକ୍ଷ ବୁଲା ବିକାଳିଙ୍କୁ ଋଣ ବଣ୍ଟନ 

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଜେଏଲ୍‌ଏନ୍ ଷ୍ଟାଡିୟମରେ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ଏହି ଯୋଜନାର ଅଂଶ ଭାବରେ ଦିଲ୍ଲୀର ୫,୦୦୦ ବୁଲା ବିକାଳିଙ୍କ ସମେତ ୧ ଲକ୍ଷ ବୁଲା ବିକାଳି (ଏସଭି)ଙ୍କୁ ଋଣ ବଣ୍ଟନ କରିଥିଲେ। ସେ ୫ ଜଣ ହିତାଧିକାରୀଙ୍କୁ ପିଏମ୍ ସ୍ୱନିଧି ଋଣ ଚେକ୍ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟର ଦୁଇଟି ଅତିରିକ୍ତ କରିଡରର ଶିଳାନ୍ୟାସ କରିଛନ୍ତି।

ସଭାକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ସହ ଜଡ଼ିତ ୧୦୦ଟି ସହରର ଲକ୍ଷ ଲକ୍ଷ ବୁଲା ବିକାଳିଙ୍କ ଉପସ୍ଥିତିକୁ ସ୍ୱୀକାର କରିଥିଲେ। ମହାମାରୀ ସମୟରେ ବୁଲା ବିକାଳି ମାନଙ୍କର ଶକ୍ତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଦୈନନ୍ଦିନ ଜୀବନରେ ସେମାନଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶରେ ୧ ଲକ୍ଷ ବୁଲା ବିକାଳିଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ହସ୍ତାନ୍ତର କରାଯାଇଛି ଏବଂ ସବୁଠାରୁ ବଡ଼ କଥା ହେଉଛି ଆଜି ଦିଲ୍ଲୀ ମେଟ୍ରୋର ଦୁଇଟି ଅତିରିକ୍ତ କରିଡର ଲାଜପତ ନଗର – ସାକେତ – ଜି ବ୍ଲକ୍  ଏବଂ  ଇନ୍ଦ୍ରଲୋକ – ଇନ୍ଦ୍ରପ୍ରସ୍ଥ କରିଡରର ଶୁଭାରମ୍ଭ କରାଯାଇଛି।

ଦେଶର ଲକ୍ଷ ଲକ୍ଷ ବୁଲା ବିକାଳିଙ୍କୁ ପ୍ରଧାନମନ୍ତ୍ରୀ ସ୍ୱୀକୃତି ଦେଇଥିଲେ, ଯେଉଁମାନେ ନିଜ କଠିନ ପରିଶ୍ରମ ଏବଂ ସ୍ୱାଭିମାନ ଦ୍ୱାରା ନିଜ ପରିବାରର ଆବଶ୍ୟକତା ପୂରଣ କରନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସେମାନଙ୍କର ଭେଣ୍ଡିଂ ଗାଡି ଏବଂ ଦୋକାନ ଛୋଟ ହୋଇପାରେ, ତଥାପି ସେମାନଙ୍କର ସ୍ୱପ୍ନ ବହୁତ ବଡ। ସେ ଦର୍ଶାଇଥିଲେ ଯେ, ଅତୀତର ସରକାରମାନେ ବୁଲା ବିକାଳି ମାନଙ୍କର କଲ୍ୟାଣ ପାଇଁ କୌଣସି ଆଗ୍ରହ ପ୍ରକାଶ କରିନଥିଲେ, ଯାହା ଫଳରେ ସେମାନେ ଅସମ୍ମାନ ଏବଂ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେମାନଙ୍କ ପାଣ୍ଠିର ଆବଶ୍ୟକତା ଉଚ୍ଚ ସୁଧ ହାରର ଋଣ ଦ୍ୱାରା ପୂରଣ ହେଉଥିଲା, କିନ୍ତୁ ଅସମୟ ଦେୟ ଆହୁରି ଅସମ୍ମାନ ଏବଂ ଅଧିକ ସୁଧ ସୃଷ୍ଟି କରୁଥିଲା ବୋଲି ସେ କହିଛନ୍ତି।

ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ସେମାନଙ୍କ ପାଖରେ କୌଣସି ଋଣ ଗ୍ୟାରେଣ୍ଟି ନଥିବାରୁ ସେମାନେ ବ୍ୟାଙ୍କକୁ ଯାଇ ପାରୁନଥିଲେ। ଏଭଳି ପରିସ୍ଥିତିରେ ବ୍ୟାଙ୍କ ଆକାଉଣ୍ଟ ନଥିବାରୁ ଏବଂ ବ୍ୟବସାୟ ରେକର୍ଡ ନଥିବାରୁ ସେମାନଙ୍କ ନାଇଁ ବ୍ୟାଙ୍କ ଋଣ ପାଇବା ଅସମ୍ଭବ ହୋଇ ପଡ଼ିଥିଲା। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପୂର୍ବ ସରକାରମାନେ ବୁଲା ବିକାଳି ମାନଙ୍କର  ଆବଶ୍ୟକତା ପ୍ରତି କୌଣସି ଧ୍ୟାନ ଦେଇନଥିଲେ କିମ୍ବା ସେମାନଙ୍କ ସମସ୍ୟାର ସମାଧାନ ପାଇଁ କୌଣସି ପ୍ରୟାସ କରିନଥିଲେ।

“ଆପଣଙ୍କର ଏହି ସେବକ ଦାରିଦ୍ର‌୍ୟତା କଣ ଜାଣିଛି। ମୁଁ ଦାରିଦ୍ର‌୍ୟତା ଭିତରେ ମଧ୍ୟ ବଞ୍ଚିଛି। ସେଥିପାଇଁ ଯେଉଁ ମାନଙ୍କର କେହି ଯତ୍ନ ନେଇନାହାନ୍ତି, କେବଳ ସେମାନଙ୍କର ଯତ୍ନ ନିଆଯାଉନାହିଁ ବରଂ ମୋଦୀ ସେମାନଙ୍କୁ ପୂଜା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେଉଁମାନଙ୍କ ପାଖରେ ଗ୍ୟାରେଣ୍ଟି ଦେବା ପାଇଁ କିଛି ନଥିଲା, ସେମାନଙ୍କୁ ମୋଦୀଙ୍କ ଗ୍ୟାରେଣ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ସେ ବୁଲା ବିକାଳି ମାନଙ୍କର ସଚ୍ଚୋଟତାକୁ ମଧ୍ୟ ପ୍ରଶଂସା କରିଥିଲେ। ଡିଜିଟାଲ କାରବାରର ରେକର୍ଡ ଏବଂ ବ୍ୟବହାର ଉପରେ ନିର୍ଭର କରି ବୁଲା ବିକାଳିମାନଙ୍କୁ ୧୦,୨୦ ଓ ୫୦ ହଜାର ଟଙ୍କାର ଋଣ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୬୨ ଲକ୍ଷ ହିତାଧିକାରୀଙ୍କୁ ୧୧ ହଜାର କୋଟି ଟଙ୍କାର ସହାୟତା ମିଳିଛି। ହିତାଧିକାରୀଙ୍କ ମଧ୍ୟରୁ ଅଧାରୁ ଅଧିକ ମହିଳା ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।

କରୋନା ମହାମାରୀ ସମୟରେ ପିଏମ୍ ସ୍ୱନିଧି ଯୋଜନାର ଶୁଭାରମ୍ଭକୁ ମନେ ପକାଇ ପ୍ରଧାନମନ୍ତ୍ରୀ ନିକଟରେ ହୋଇଥିବା ଏକ ଅଧ୍ୟୟନ ଉପରେ ଆଲୋକପାତ କରିଥିଲେ , ଯେଉଁଥିରେ ଦର୍ଶାଯାଇଛି ଯେ ବୁଲା ବିକାଳି ମାନଙ୍କର ଆୟ ବହୁଗୁଣ ବୃଦ୍ଧି ପାଇଛି ଏବଂ କ୍ରୟର ଡିଜିଟାଲ ରେକର୍ଡ ମଧ୍ୟ ସେମାନଙ୍କୁ ବ୍ୟାଙ୍କରୁ ଲାଭ ପାଇବାରେ ସାହାଯ୍ୟ କରୁଛି। ଡିଜିଟାଲ ଦେୟ ପ୍ରଦାନ ଦ୍ୱାରା ପ୍ରତି ବର୍ଷ ୧୨୦୦ ଟଙ୍କାର କ୍ୟାସବ୍ୟାକ୍ ମିଳିପାରିବ ବୋଲି ସେ ସୂଚନା ଦେଇଛନ୍ତି।

ଦୈନନ୍ଦିନ ଜୀବନରେ ବୁଲା ବିକାଳିମାନେ ସମ୍ମୁଖୀନ ହେଉଥିବା କଷ୍ଟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଜୀବିକା ନିର୍ବାହ କରିବା ପାଇଁ ଗ୍ରାମରୁ ସହରକୁ ଯାଇଥାନ୍ତି। ମାଗଣା ରାସନ, ମାଗଣା ଚିକିତ୍ସା ଏବଂ ମାଗଣା ଗ୍ୟାସ ସଂଯୋଗର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ପିଏମ୍ ସ୍ୱନିଧି କେବଳ ହିତାଧିକାରୀମାନଙ୍କୁ ବ୍ୟାଙ୍କ ସହିତ ସଂଯୋଗ କରେ ନାହିଁ , ବରଂ ଅନ୍ୟାନ୍ୟ ସରକାରୀ ସୁବିଧା ପାଇଁ ଦ୍ୱାର ମଧ୍ୟ ଉନ୍ମୁକ୍ତ କରିଥାଏ। ସେ ୱାନ୍ ନେସନ୍ ୱାନ୍ ରାସନ କାର୍ଡ ଯୋଜନାର ପରିବର୍ତ୍ତନକାରୀ ଆଭିମୁଖ୍ୟ ଉପରେ ମଧ୍ୟ ଆଲୋକପାତ କରିଥିଲେ , ଯାହା ଦ୍ୱାରା ଦେଶର ଯେକୌଣସି ସ୍ଥାନରୁ ମାଗଣା ରାସନ ମିଳି ପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୪ କୋଟି ପକ୍କା ଘର ମଧ୍ୟରୁ ୧ କୋଟି ସହରାଞ୍ଚଳ ଗରିବଙ୍କୁ ଆବଣ୍ଟନ କରାଯାଇଛି। ଝୁମ୍ପୁଡି ଘର ବଦଳରେ ପକ୍କା ଘର ଯୋଗାଇ ଦେବା ପାଇଁ ବ୍ୟାପକ ଅଭିଯାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀରେ ୩୦୦୦ ଘର ନିର୍ମାଣ ଶେଷ ହୋଇସାରିଛି ଏବଂ ୩୫୦୦ ଘର ସମ୍ପୂର୍ଣ୍ଣ ହେବାକୁ ଯାଉଛି। ୭୫,୦୦୦ ଟଙ୍କା ଆବଣ୍ଟନ ସହିତ ଅନଧିକୃତ କଲୋନି ଏବଂ ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକୁ ଦ୍ରୁତ ଗତିରେ ନିୟମିତ କରିବା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

ଦିଲ୍ଲୀରେ ଗରିବ ଓ ମଧ୍ୟବିତ୍ତ ଲୋକମାନଙ୍କର ଜୀବନକୁ ସହଜ କରିବା ପାଇଁ କେନ୍ଦ୍ର ସରକାର ଦିନରାତି କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ମଧ୍ୟବିତ୍ତ ତଥା ସହରାଞ୍ଚଳ ଗରିବ  ଲୋକମାନଙ୍କ ପାଇଁ ପକ୍କା ଘର ନିର୍ମାଣର ଉଦାହରଣ ଦେବା ସହ ଗୃହ ନିର୍ମାଣ ପାଇଁ ୫୦ ହଜାର କୋଟି ଟଙ୍କାର ରିହାତି ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ପ୍ରଦୂଷଣ ଏବଂ ଟ୍ରାଫିକ ଭିଡ଼ ସମସ୍ୟାର ମୁକାବିଲା ପାଇଁ ଡଜନରୁ ଅଧିକ ସହରରେ ମେଟ୍ରୋ ସେବା ଏବଂ ଇଲେକ୍ଟ୍ରିକ୍ ବସ୍ ଚଳାଚଳ ଉପରେ ତ୍ୱରାନ୍ୱିତ ଭାବେ କାର୍ଯ୍ୟ କରାଯିବା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। “ଗତ ୧୦ ବର୍ଷ ମଧ୍ୟରେ ଦିଲ୍ଲୀ ମେଟ୍ରୋ ନେଟୱାର୍କ ଦୁଇ ଥର ବିସ୍ତାରିତ ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ , ଦିଲ୍ଲୀର ମେଟ୍ରୋର ବ୍ୟାପକ ନେଟୱାର୍କ ବିଶ୍ୱର କିଛି ବଛା ବଛା ସହର ମଧ୍ୟରୁ ଅନ୍ୟତମ। ସେ ଦିଲ୍ଲୀ ଏନସିଆର ଅଞ୍ଚଳ ପାଇଁ ନମୋ ଭାରତ ଦ୍ରୁତ ରେଳ ସଂଯୋଗ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଦିଲ୍ଲୀରେ ପ୍ରଦୂଷଣ ରୋକିବା ପାଇଁ କେନ୍ଦ୍ର ସରକାର ୧୦୦୦ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ ଚଳାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ପ୍ରଦୂଷଣ ଏବଂ ଟ୍ରାଫିକ ଭିଡ଼ କମାଇବା ପାଇଁ ଦିଲ୍ଲୀ ଚାରିପାଖରେ ଅନେକ ଏକ୍ସପ୍ରେସ ୱେ ନିର୍ମାଣ କରାଯାଇଛି , ଏହା ସହିତ ସେ ନିକଟରେ ଗତ ସପ୍ତାହରେ ଦ୍ୱାରକା ଏକ୍ସପ୍ରେସୱେର ଉଦ୍‌ଘାଟନ ସମ୍ପର୍କରେ ମନେ ପକାଇଥିଲେ।

ଯୁବବର୍ଗଙ୍କ ମଧ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଖେଲୋ ଇଣ୍ଡିଆ ସାଧାରଣ ପରିବାରର ଯୁବକମାନଙ୍କୁ ଅଭୂତପୂର୍ବ ସୁଯୋଗ ପ୍ରଦାନ କରୁଛି , କାରଣ ସେମାନଙ୍କ ପାଇଁ ସୁଲଭ ସୁବିଧା ଉପଲବ୍ଧ ହେଉଛି  ଏବଂ କ୍ରୀଡାବିତ୍‌ମାନଙ୍କ ପାଇଁ ଗୁଣାତ୍ମକ ପ୍ରଶିକ୍ଷଣ ନିମନ୍ତେ ସହାୟତା ଯୋଗାଇ ଦିଆଯାଉଛି।

ଗରିବ ଓ ମଧ୍ୟବିତ୍ତଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ମୋଦୀ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି। ମୋଦୀଙ୍କ ଚିନ୍ତାଧାରା ହେଉଛି ‘ଜନକଲ୍ୟାଣ ଦ୍ୱାରା ରାଷ୍ଟ୍ରର କଲ୍ୟାଣ’, ଦୁର୍ନୀତି ଏବଂ ତୁଷ୍ଟୀକରଣକୁ ମୂଳରୁ ଦୂର କରିବା ଏବଂ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ।

ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ, “ସାଧାରଣ ନାଗରିକଙ୍କ ସ୍ୱପ୍ନର ଭାଗୀଦାରୀ ଏବଂ ମୋଦୀଙ୍କ ସଂକଳ୍ପ ଏକ ଉଜ୍ଜ୍ୱଳ ଭବିଷ୍ୟତର ଗ୍ୟାରେଣ୍ଟି”।

ଏହି ଅବସରରେ ଦିଲ୍ଲୀର ଲିଉଟନାଂଟ ଗଭର୍ଣ୍ଣର ବିନୟ କୁମାର ସାକ୍ସେନା, କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଭାଗବତ କିଶନରାଓ କରାଦ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ବିଶ୍ୱ ଅର୍ଥନୈତିକ ସଙ୍କଟ ମଧ୍ୟରେ ଅବହେଳିତ ବର୍ଗଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ପିଏମ ସ୍ୱନିଧି ଯୋଜନା ୨୦୨୦ରେ ଜୁନ୍ ୧ ତାରିଖରେ ଆରମ୍ଭ କରାଯାଇଥିଲା। ବୁଲା ବିକାଳି ମାନଙ୍କର ଅବହେଳିତ ସମୁଦାୟ ପାଇଁ ଏହା ପରିବର୍ତ୍ତନକାରୀ ସାବ୍ୟସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ଦେଶର ୬୨ ଲକ୍ଷରୁ ଅଧିକ ବୁଲା ବିକାଳିଙ୍କୁ ୧୦,୯୭୮ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୮୨ ଲକ୍ଷରୁ ଅଧିକ ଋଣ ପ୍ରଦାନ କରାଯାଇଛି। କେବଳ ଦିଲ୍ଲୀରେ ପ୍ରାୟ ୨ ଲକ୍ଷ ଋଣ ବଣ୍ଟନ ହୋଇଛି, ଯାହାର ପରିମାଣ ୨୩୨ କୋଟି ଟଙ୍କା। ଏହି ଯୋଜନା ଅବହେଳିତ ହୋଇ ରହିଥିବା ଲୋକଙ୍କ ପାଇଁ ଆର୍ôଥକ ଅନ୍ତର୍ଭୁକ୍ତିକରଣ ଏବଂ ସାମଗ୍ରିକ କଲ୍ୟାଣର ପ୍ରତୀକ ହୋଇ ରହିଛି।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ଦୁଇଟି ଅତିରିକ୍ତ କରିଡର , ଲାଜପତ ନଗର – ସାକେତ – ଜି ବ୍ଲକ ଏବଂ ଇନ୍ଦ୍ରଲୋକ – ଇନ୍ଦ୍ରପ୍ରସ୍ଥ କରିଡରର ଶିଳାନ୍ୟାସ କରିଥିଲେ। ଏହି ଦୁଇଟି କରିଡରର  ମିଳିତ ଦୈର୍ଘ୍ୟ ୨୦ କିଲୋମିଟରରୁ ଅଧିକ ହେବ ଏବଂ ଏହା ଯୋଗାଯୋଗରେ ଉନ୍ନତି ଆଣିବା ସହ ଟ୍ରାଫିକ ଭିଡ଼କୁ ଆହୁରି ହ୍ରାସ କରିବାରେ ସାହାଯ୍ୟ କରିବ।

ଲାଜପତ ନଗରରୁ ସାକେତ ଜି – ବ୍ଲକ କରିଡରରେ ଲାଜପତ ନଗର, ଆଣ୍ଡ୍ର‌୍ୟୁଜ୍ ଗଞ୍ଜ, ଗ୍ରେଟର କୈଳାସ -୧, ଚିରାଗ ଦିଲ୍ଲୀ, ପୁଷ୍ପା ଭବନ, ସାକେତ ଡିଷ୍ଟ୍ରିକ୍ଟ  ସେଂଟର, ପୁଷ୍ପ ବିହାର, ସାକେତ ଜି – ବ୍ଲକ ଅନ୍ତର୍ଭୁକ୍ତ। ଇନ୍ଦ୍ରଲୋକ – ଇନ୍ଦ୍ରପ୍ରସ୍ଥ କରିଡରରେ ଥିବା ଷ୍ଟେସନଗୁଡ଼ିକ ମଧ୍ୟରେ ଇନ୍ଦ୍ରଲୋକ, ଦୟା ବସ୍ତି, ସରାଇ ରୋହିଲ୍ଲା, ଅଜମଲ ଖାନ ପାର୍କ, ନବୀ କରିମ, ନୂଆଦିଲ୍ଲୀ, ଏଲ୍‌ଏନ୍‌ଜେପି ହସ୍ପିଟାଲ, ଦିଲ୍ଲୀ ଗେଟ୍‌, ଦିଲ୍ଲୀ ସଚିବାଳୟ, ଇନ୍ଦ୍ରପ୍ରସ୍ଥ ଅନ୍ତର୍ଭୁକ୍ତ।

Categories
ଆଜିର ଖବର ରାଜ୍ୟ ଖବର

ସରିଲା ରାଜ୍ୟସ୍ତରୀୟ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା: ୪୫ ଟି ଦକ୍ଷତାରେ ପ୍ରତିଭା ଦେଖାଇଲେ ୭୦୦ରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକର ୮ଟି କେନ୍ଦ୍ରରେ ଦୁଇଦିନ ଧରି ଚାଲିଥିବା ‘ଓଡ଼ିଶା ସ୍କିଲ୍ସ’ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଶେଷ ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଆଇଟିଆଇ, ପଲିଟେକନିକ୍ ଏବଂ ବିଭିନ୍ନ ଦକ୍ଷତା ବିକାଶ ତାଲିମ ଅନୁଷ୍ଠାନରୁ ଆସିଥିବା ୭୦୦ରୁ ଅଧିକ ଛାତ୍ରଛାତ୍ରୀ ମୋଟ ୪୫ଟି ଦକ୍ଷତାରେ ସେମାନଙ୍କ ପ୍ରତିଭା ଦେଖାଇଥିଲେ।

ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ପ୍ରତିବର୍ଷ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା କରାଯାଉଛି। ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ଯେଉଁ ଅନନ୍ୟ ଦକ୍ଷତା ରହିଛି ତାହା ପ୍ରଦର୍ଶନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ବଡ଼ ମାଧ୍ୟମ ହୋଇପାରିଛି। ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନେ ‘ଇଣ୍ଡିଆ ସ୍କିଲ୍ସ’ ଏବଂ ‘ୱାର୍ଲ୍ଡ ସ୍କିଲ୍ସ’ ଭଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ଦକ୍ଷତା ଦେଖାଇବା ଲାଗି ସୁଯୋଗ ପାଇବେ।

ମାର୍ଚ୍ଚ ୧୨ ତାରିଖରେ ‘ଓଡ଼ିଶା ସ୍କିଲ୍ସ’ର ପ୍ରାରମ୍ଭିକ ପର୍ଯ୍ୟାୟ ପ୍ରତିଯୋଗିତା ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ତାଲିମ ପ୍ରତିଷ୍ଠାନରୁ ଆସିଥିବା ୭୦୦ରୁ ଅଧିକ ପ୍ରତିଯୋଗୀ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସେମାନଙ୍କ ଭିତରୁ ୩୫୦ରୁ ଅଧିକ ଛାତ୍ରଛାତ୍ରୀ ଚୂଡ଼ାନ୍ତ ପର୍ଯ୍ୟାୟକୁ ଆସିଥିଲେ। ସେମାନଙ୍କୁ ନେଇ ମାର୍ଚ୍ଚ ୧୪, ଗୁରୁବାର ଦିନ ଫାଇନାଲ ରାଉଣ୍ଡ ପ୍ରତିଯୋଗିତା କରାଯାଇଥିଲା। ପ୍ରତି ବିଷୟରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀଙ୍କୁ ଶୁକ୍ରବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ।

ପ୍ରତିଯୋଗୀମାନଙ୍କ ଦକ୍ଷତାକୁ ପରଖିବା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ସ୍ୱତନ୍ତ୍ର ବିଚାରକମାନେ ନିୟୋଜିତ ହୋଇଥିଲେ। ଏହା ସହିତ ‘ଇଣ୍ଡିଆ ସ୍କିଲ୍ସ’ ବିଶେଷଜ୍ଞମାନେ ମଧ୍ୟ ବିଭିନ୍ନ କେନ୍ଦ୍ରରେ ଉପସ୍ଥିତ ରହି ପ୍ରତିଯୋଗିତାର ଗୁଣାତ୍ମକ ଦିଗକୁ ସୁନିଶ୍ଚିତ କରିଥିଲେ। ଗୁରୁବାର ଦିନ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ସିଇଓ ରେଘୁ ଜି ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକଙ୍କ ସହିତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ପ୍ରତିଯୋଗିତାର ପରିଚାଳନା ଅନୁଧ୍ୟାନ କରିଥିଲେ।

‘‘ସାରା ବିଶ୍ୱରେ ଆଜି ବିଭିନ୍ନ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳର ଚାହିଦା ବଢ଼ିଛି। ତେଣୁ ଏ ଦିଗରେ ଯୁବପିଢ଼ିଙ୍କୁ ସୁଦକ୍ଷ କରିବା ଉପରେ ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ‘ଓଡ଼ିଶା ସ୍କିଲ୍ସ’ ଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜର ଦକ୍ଷତା ପ୍ରଦର୍ଶନ ସହ ଏକ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିବାରେ ସାହାଯ୍ୟ କରୁଛି। ଆଗାମୀ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍କିଲ୍ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ବେଶ୍ ଭଲ ପ୍ରଦର୍ଶନ କରିବେ ବୋଲି ମୋର ବିଶ୍ୱାସ’’, କହିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର।

ଚଳିତବର୍ଷ ‘ଓଡ଼ିଶା ସ୍କିଲ୍ସ’ରେ କନଷ୍ଟ୍ରକ୍ସନ ଆଣ୍ଡ ବିଲ୍ଡିଂ ଟେକ୍ନୋଲୋଜି, କ୍ରିଏଟିଭ୍ ଆର୍ଟ୍ସ ଆଣ୍ଡ ଫ୍ୟାସନ, ଇନଫରମେସନ ଆଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି, ମାନୁଫାକ୍ଚରିଂ ଆଣ୍ଡ ଇଞ୍ଜିନିୟରିଂ ଟେକ୍ନୋଲୋଜି, ସୋସିଆଲ ଆଣ୍ଡ ପର୍ସନାଲ ସର୍ଭିସେସ୍ ଏବଂ ଟ୍ରାନ୍ସପୋର୍ଟେସନ ଆଣ୍ଡ ଲଜିଷ୍ଟିକ୍ସ ଆଦି ୬ଟି କ୍ଷେତ୍ରକୁ ନେଇ ପ୍ରତିଯୋଗିତା ପରିକଳ୍ପନା କରାଯାଇଥିଲା।

ଓଡ଼ିଶା ସ୍କିଲ୍ସ ପ୍ରତିଯୋଗିତା ୮ଟି କେନ୍ଦ୍ରରେ ପରିଚାଳିତ ହୋଇଥିଲା। ତା’ ମଧ୍ୟରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ୧୬ଟି ସ୍କିଲକୁ ନେଇ ପ୍ରତିଯୋଗିତା କରାଯାଇଥିଲା। ସେହିପରି ଭୁବନେଶ୍ୱରର ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି, ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ, ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ସିଟିଟିସି, ଏନଆଇଏଫଟି ସହିତ କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ ଏବଂ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂରେ ବିଭିନ୍ନ ଦକ୍ଷତାକୁ ନେଇ ପ୍ରତିଯୋଗିତା ପରିଚାଳନା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ବଡ ଉପହାର, ଆଜିଠୁ ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାର ଏକ ବଡ ଘୋଷଣା କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରିବାକୁ ସରକାର ଘୋଷଣା କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଛି। ଆଜି ସକାଳ ୬ ଟାରୁ ନୂତନ ମୂଲ୍ୟ ଲାଗୁ ହୋଇଛି।

କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ଟୁଇଟ୍ କରି କହିଛନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୨ ଟଙ୍କା ହ୍ରାସ କରି ଦେଶର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରମାଣ କରିଛନ୍ତି ଯେ କୋଟି କୋଟି ଭାରତୀୟ ପରିବାରର କଲ୍ୟାଣ ତଥା ସୁବିଧା ତାଙ୍କର ଲକ୍ଷ୍ୟ।

ସେ କହିଛନ୍ତି ଯେ, ଯେତେବେଳେ ବିଶ୍ୱ କଠିନ ସମୟ ଦେଇ ଗତି କରୁଥିଲା, ବିକଶିତ ତଥା ବିକାଶଶୀଳ ଦେଶମାନଙ୍କରେ ପେଟ୍ରୋଲର ମୂଲ୍ୟ ୫୦-୭୨ ପ୍ରତିଶତ ବୃଦ୍ଧି ପାଇଥିଲା ଏବଂ ଆମ ଆଖପାଖରେ ଥିବା ଅନେକ ଦେଶରେ ପେଟ୍ରୋଲ ଆଉ ଉପଲବ୍ଧ ନଥିଲା, ୧୯୭୩ ପରେ ଆସିଥିବା ୫୦ ବର୍ଷର ସବୁଠାରୁ ବଡ ତୈଳ ସଙ୍କଟ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ହେତୁ ମୋଦୀଙ୍କ ପରିବାର ପ୍ରଭାବିତ ହୋଇନଥିଲେ। ବୃଦ୍ଧି ବଦଳରେ ଭାରତରେ ପେଟ୍ରୋଲ ମୂଲ୍ୟ ଗତ ଅଢେଇ ବର୍ଷରେ ୪.୬୫ ପ୍ରତିଶତ ହ୍ରାସ ପାଇଛି!

ହରଦୀପ ପୁରୀ ଆହୁରି ଲେଖିଛନ୍ତି ଯେ, ଭାରତରେ ଇନ୍ଧନ ଯୋଗାଣ ସ୍ଥିର ରହିଲା, ଶସ୍ତା ମୂଲ୍ୟରେ ରହିଲା ଏବଂ ଆମର ପଦକ୍ଷେପ ମଧ୍ୟ ସବୁଜ ଶକ୍ତି ଆଡକୁ ଗତି କଲା। ଏହାର ଅର୍ଥ ହେଉଛି ଭାରତ ଶକ୍ତି ଉପଲବ୍ଧତା, ସୁଲଭତା ଏବଂ ସ୍ଥିରତା ବଜାୟ ରଖିଛି। ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହୋଇନଥିଲା, କିନ୍ତୁ ହ୍ରାସ ପାଇଥିଲା। ଯେଉଁଠାରେ ଆମେ ଆମ ଦେଶବାସୀଙ୍କ ପାଇଁ ତେଲ କିଣିଥିଲୁ। ମୋଦୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଆମେ ୨୭ ଟି ଦେଶରୁ ଅଶୋଧିତ ତୈଳ କିଣୁଥିଲୁ, କିନ୍ତୁ ତାଙ୍କ ନେତୃତ୍ୱରେ ଆମେ ଆମ ଦେଶବାସୀଙ୍କୁ ଶସ୍ତା ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଯୋଗାଇବା ପାଇଁ ଏହି ପରିସରକୁ ବିସ୍ତାର କରିଥିଲୁ ଏବଂ ବର୍ତ୍ତମାନ ଆବଶ୍ୟକତା ପୂରଣ କରିବା ପାଇଁ ଆମେ ୩୯ଟି ଦେଶରୁ କିଣୁଛୁ।

ଭାରତରେ ପେଟ୍ରୋଲ ମୂଲ୍ୟ ଅନେକ ଦେଶ ତୁଳନାରେ କମ୍ ଅଟେ:

ହରଦୀପ ପୁରୀ ଲେଖିଛନ୍ତି ଯେ, ମାର୍ଚ୍ଚ ୧୪ ତାରିଖ ୨୦୨୪ ରେ ଭାରତରେ ପେଟ୍ରୋଲ ଲିଟର ପିଛା ହାରାହାରି ୯୪ ଟଙ୍କା ଅଟେ. କିନ୍ତୁ ଇଟାଲୀରେ ଏହା ୧୬୮.୦୧ ଅର୍ଥାତ୍ ୭୯% ଅଧିକ, ଫ୍ରାନ୍ସରେ୧୬୬.୮୭, ଜର୍ମାନୀରେ ମୂଲ୍ୟ ୧୫୯.୫୭ ଅର୍ଥାତ୍ ୭୦% ଅଧିକ ଏବଂ ସ୍ପେନରେ ୧୪୫.୧୩ ଅର୍ଥାତ୍ ୫୪% ଅଧିକ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ମାର୍ଚ୍ଚ ୧୫ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ, ଜାଣନ୍ତୁ ରାଶିଫଳ

ମେଷ- ଖର୍ଚ୍ଚ ଅଧିକ ହେବ । ଟେନସନ ରହିବେ। କ୍ଳାନ୍ତ ହୋଇଯିବ। ରିସ୍କ ନିଅନ୍ତୁ ନାହିଁ। ଥୟ ଧର ମାତାର ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ। ବିବାଦ ହୋଇପାରେ। ରୋଜଗାରରେ ଇଚ୍ଛାକୃତ ସଫଳତା ହାସଲ। ପରିବାର ଏବଂ ସମାଜରେ ଆପଣଙ୍କର କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ।

ବୃଷ- ଭ୍ରମଣ, ବିନିଯୋଗ ଏବଂ ଚାକିରି ଆପଣଙ୍କୁ ଅନୁକୂଳ ସୁବିଧା ଦେବ। ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ରିସ୍କ ନିଅନ୍ତୁ ନାହିଁ । ତତ୍ପରତା ନାହିଁ । କାରବାରରେ ସାବଧାନ ରୁହନ୍ତୁ। ଉଚ୍ଚ ପଦାଧିକାରୀଙ୍କଠାରୁ ଆପଣ ସମ୍ମାନ ଏବଂ ଗୁରୁତ୍ୱ ପାଇବେ । ଧାର ଦେଇଥିବା ଟଙ୍କା ପାଇବ। ପୁଞ୍ଜି ବିନିଯୋଗ ଲାଭଦାୟକ ହେବ।

ମିଥୁନ- ଯୋଜନା ଫଳପ୍ରଦ ହେବ । କାର୍ଯ୍ୟକୁ ପ୍ରଶଂସା କରାଯିବ । ଆୟ ବୃଦ୍ଧି ପାଇବ । ଚିନ୍ତା ଏବଂ ଟେନସନ ରହିବ । ଲଜ୍ଜିତ ହୁଅନ୍ତୁ ନାହିଁ । ପିଲାମାନେ ଏବଂ ଭାଇମାନଙ୍କ ଦ୍ୱାରା ଉପକୃତ ହେବେ। ଘରୋଇ ସାମଗ୍ରୀ କିଣିବେ । ସାମାଜିକ କାର୍ଯ୍ୟରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବେ। ବ୍ୟବସାୟ ଯୋଜନାଗୁଡ଼ିକୁ ଗୁପ୍ତ ରଖନ୍ତୁ ।

କର୍କଟ- ଆଇନଗତ ବାଧା ଦୂର କରି ଏକ ଆଇନଗତ ପରିସ୍ଥିତି ଦୂର ହେବ । ତନ୍ତ୍ରମନ୍ତ୍ର ପ୍ରତି ଆଗ୍ରହ ବୃଦ୍ଧି ପାଇବ । ବ୍ୟବସାୟ ଭଲ କରିବ । ଶୁଭ ସମୟ ଯିବା ସମୟରେ ଆପଣଙ୍କର ଜିନିଷଗୁଡିକ ସୁରକ୍ଷିତ ରଖନ୍ତୁ । ପୌତୃକ ସମ୍ପତ୍ତି କ୍ଷେତ୍ରରେ ଅଗ୍ରଗତି ହେବ । ଚାକିରିରେ ମଧ୍ୟମ ଆଚରଣ ଜରୁରୀ ।

ସିଂହ- ଆଘାତ, ଚୋରି ଏବଂ ବିବାଦ ଯୋଗୁଁ କ୍ଷତି ସମ୍ଭବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କୁସଂଗରୁ ଦୂରେଇ ରୁହନ୍ତୁ । କ୍ଳାନ୍ତ ହୋଇଯିବ । ପରିବାରରେ ଆର୍ଥିକ ସମସ୍ୟା ଉପରେ ଆଲୋଚନା ହେବ। ଅନ୍ୟମାନଙ୍କୁ ଅସମ୍ମାନ କରନ୍ତୁ ନାହିଁ । କାର୍ଯ୍ୟ କ୍ଷେତ୍ରରେ ସଫଳତା ଏବଂ ସନ୍ତୁଷ୍ଟତା ରହିବ ।

କନ୍ୟା- ଏକ ସ୍ଥାନ ବା ଜାଗା ପ୍ରାପ୍ତ ଯୋଗ ରହିଛି। ଟଙ୍କା ପାଇବା ସହଜ ହେବ । ପ୍ରେମ ପ୍ରସ୍ତାବ ମିଳିପାରିବ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ସାଧାରଣ ପ୍ରତିଷ୍ଠା, ସମ୍ମାନ ସହିତ ଉତ୍ସାହିତ ହେବେ । ଖର୍ଚ୍ଚ ହ୍ରାସ କରିବାକୁ ପ୍ରୟାସ କରିବାକୁ ପଡିବ । ବ୍ୟବସାୟ ନିଷ୍ପତ୍ତିରେ, ଅନୁକୂଳ ଲାଭ ଅଛି ।

ତୂଳା– ସମ୍ପତ୍ତି କାର୍ଯ୍ୟ ନେଇ ଉପକୃତ ହେବେ । ପ୍ରଗତିର ରାସ୍ତା ପକ୍କା ହେବ। ବ୍ୟବସାୟ ଭଲ କରିବ । ଘର ବାହାରେ ସୁଖ ମିଳିବ । ପିଲାମାନଙ୍କ  ଚିନ୍ତା କମ୍ ହେବ । ପ୍ରାକୃତିକ ଚିନ୍ତାଧାରା ବଦଳିଯିବ । ଅଟକାଯାଇଥିବା ଟଙ୍କା ଚେଷ୍ଟା କଲେ ପ୍ରାପ୍ତ ହେବ । ବ୍ୟବସାୟ ଭଲ କରିବ ।

ବିଛା- ସୃଜନଶୀଳ କାର୍ଯ୍ୟରେ ସଫଳ ହେବେ । ସୁସ୍ୱାଦୁ ଖାଦ୍ୟ ଦ୍ୱାରା ଦିନଟି ଉପଭୋଗ ହେବ । ଟଙ୍କା ମିଳିବା ସହଜ ହେବ । ଖୁସି ହେବେ । ମନୋରଞ୍ଜନ ପାଇଁ ସୁଯୋଗ ରହିବ । ଭାଇ ଓ ଭଉଣୀମାନଙ୍କ ସହିତ ସମ୍ପର୍କ ମଜବୁତ ହେବ । ଛାତ୍ରମାନେ ଅଧ୍ୟୟନରେ ଧ୍ୟାନ ଦେବା ଉଚିତ୍ । ସୃଜନଶୀଳ କାର୍ଯ୍ୟ ହେବ ।

ଧନୁ – ଆଜି ଧାଁଦଉଡ ଲାଗି ରହିବ। ବକ୍ତବ୍ୟରେ କଟୁ ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ଖରାପ ଖବର ମିଳିପାରେ । ଚିନ୍ତିତ ହେବେ । ମାନସିକ ଶାନ୍ତି ରହିବ । ବ୍ୟବସାୟିକ ବିବାଦକୁ ସହଜରେ ସମାଧାନ କରିବାକୁ ସକ୍ଷମ ହେବେ । ବକ୍ତବ୍ୟରେ ସଂଯମତା ରଖିବା ଉଚିତ୍ । ଅଧସ୍ତନମାନେ ସାହାଯ୍ୟ କରିବେ ।

ମକର- ପରିଶ୍ରମର ଫଳ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ ହେବ । ପ୍ରତିଷ୍ଠା ବୃଦ୍ଧି ପାଇବ । ଭ୍ରମଣ, ବିନିଯୋଗ ଏବଂ ଚାକିରି ଅନୁକୂଳ ହେବ । ଲଜ୍ଜିତ ହୁଅନ୍ତୁ ନାହିଁ । ଆର୍ଥିକ ସ୍ଥିତି ସନ୍ତୋଷଜନକ ହେବ । ଆପଣଙ୍କ ଯୋଜନାରେ ପରିବର୍ତ୍ତନ କରିବାକୁ ପଡିବ । ପ୍ରତିଯୋଗିତା, ଶତ୍ରୁତା ଠାରୁ ଅସୁବିଧା ସମ୍ଭବ । ଅବାଞ୍ଛିତ କାର୍ଯ୍ୟକଳାପରେ ନିୟୋଜିତ ହୁଅନ୍ତୁ ନାହିଁ ।

କୁମ୍ଭ- ଅତିଥିମାନେ ଆସିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ରୋଜଗାର କରିବେ । କାରବାରରେ ନିୟମିତ ଋଣ କାଟିବାକୁ ପଡିବ । ଯୋଜନାଗୁଡିକର ଆଲୋଚନା ସହିତ ଉତ୍ସାହର ସହିତ କାର୍ଯ୍ୟ କରିବାକୁ ସମର୍ଥ ହେବେ । ଚାକିରି, ରାଜ୍ୟରେ ସ୍ଥିରତା ବିଷୟରେ ଆଲୋଚନା ହେବ ।

ମୀନ- ଭ୍ରମଣ, ଚାକିରି ଏବଂ ବିନିଯୋଗ ଅନୁକୂଳ ଲାଭ ଦେବ । ଚାକିରି ପାଇବ । ଅପ୍ରତ୍ୟାଶିତ ଲାଭ ହେବ । ରିସ୍କ ନିଅନ୍ତୁ ନାହିଁ । ଆପଣ ବଡ଼ ଲୋକଙ୍କ ସହିତ ସାକ୍ଷାତ କରିବାର ଲାଭ ପାଇବେ । ଆଇନଗତ କାର୍ଯ୍ୟରେ ସମୟ ସୀମା ଉପରେ ନଜର ରଖନ୍ତୁ । ଆପଣ ବ୍ୟବହାରିକତାର ଲାଭ ପାଇବେ । ବୃତ୍ତିଗତ କାର୍ଯ୍ୟ  ଉତ୍କର୍ଷ ରହିବ।

Categories
ଆଜିର ଖବର ଜାତୀୟ ଖବର

ଷ୍ଟାଚ୍ୟୁ ଅଫ୍ ୟୁନିଟି ଉପରେ ଏକ ଟେଲିଭିଜନ୍ ଏପିସୋଡ୍ ସେୟାର କଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପ୍ରଧାନମନ୍ରୀ ନରେନ୍ଦ୍ର ମୋଦି ଅଭୂତପୂର୍ବ ଷ୍ଟାଚ୍ୟୁ ଅଫ୍ ୟୁନିଟି (ଏକତାର ମୂର୍ତ୍ତି) ଉପରେ ଏକ ଟେଲିଭିଜନ୍ ଏପିସୋଡ୍ ସେୟାର କରିଛନ୍ତି ଏବଂ କହିଛନ୍ତି େଯ ଏହା ଏକ ଅନନ୍ୟ ଅନୁଭୂତି ହେବ ଏବଂ କେଭାଡିଆକୁ ଖୁବ୍ଶୀଘ୍ର ପରିଦର୍ଶନ କରିବା ପାଇଁ କାହାକୁବି ଉତ୍ସାହିତ କରିବ।

ପ୍ରଧାନମନ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଅଭୂତପୂର୍ବ ଷ୍ଟାଚୁ୍ୟ ଅଫ୍ ୟୁନିଟି (ଏକତାର ମୂର୍ତୀ) ଉପରେ ଏହି ଟେଲିଭିଜନ୍୍ ଅଧ୍ଯାୟକୁ ଦେଖôବା ଏକ ଅନନ୍ୟ ଅନୁଭୂତି ହେବ କିନ୍ତୁ ସବୁଠାରୁ ଗୁରୂତ୍ବପୂର୍ଣ୍ଣ ହେଉଛି, ଏହା କାହାକୁବି ଅତିଶୀଘ୍ର କେଭାଡିଆ ବୁଲିଯିବା ପାଇଁ ଉତ୍ସାହିତ କରିବ।”

Categories
ଆଜିର ଖବର ଜାତୀୟ ଖବର

ଶିଖ୍ ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ଶିଖ୍ ନୂଆ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଶୁଭେଚ୍ଛା ଜଣାଇଛନ୍ତି।

ପ୍ରାଧାନମନ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଶିଖ୍ ନୂଆବର୍ଷ ଆରମ୍ଭ ଅବସରରେ ଶୁଭେଚ୍ଛା। ଓ୍ବାହେଗୁରୁଙ୍କ ଅସୀମ ଅନୁଗ୍ରହ ସମସ୍ତଙ୍କୁ ସୁସ୍ଥ ରଖôବା ସହ ସୁଖ ସମୃଦ୍ଧି ଆଣିଦେଉ। ଗୁରୁ ସାହେବଙ୍କ ବାଣୀ ଆମ ସମାଜକୁ ଆଲୋକିତ କରୁ।”

Categories
ଆଜିର ଖବର ରାଜ୍ୟ ଖବର

ଆଇଏନଏସ ଚିଲିକାରେ ଅଗ୍ନିବୀରଙ୍କ ତୃତୀୟ ବ୍ୟାଚ୍ ପାସିଂ ଆଉଟ୍ ପ୍ୟାରେଡ

ଭୁବନେଶ୍ଵର: ଆସନ୍ତା ୧୫ ତାରିଖରେ ଆଇଏନ୍ଏସ୍ ଚିଲିକାରେ ଅଗ୍ନିବୀରଙ୍କ ତୃତୀୟ ବ୍ୟାଚର ପାସିଂ ଆଉଟ୍ ପ୍ୟାରେଡ୍ (ପିଓପି) ଅନୁଷ୍ଠିତ ହେବ। ଏହି ପିଓପି ସହିତ ଚିଲିକାରେ କଠୋର ପ୍ରଶିକ୍ଷଣ ନେଇଥିବା ମହିଳା ଅଗ୍ନିବୀରଙ୍କ ସମେତ ପାଖାପାଖି ୨୬୦୦ ଅଗ୍ନିବୀରଙ୍କ ପ୍ରଶିକ୍ଷଣର ସଫଳ ସମାପନ ହେଉଛି। ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂର୍ଯ୍ୟାସ୍ତ ପରେ ପିଓପିର ସମୀକ୍ଷା କରିବେ। ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାଇସ୍ ଆଡମିରାଲ ଭି ଶ୍ରୀନିବାସ ମଧ୍ୟ ପିଓପି ପାଇଁ ଉପସ୍ଥିତ ରହିବେ।

ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ପାସ ଆଉଟ୍ ଅଗ୍ନିବୀର ପାଠ୍ୟକ୍ରମର ଗର୍ବିତ ପରିବାର ସଦସ୍ୟମାନେ ଦେଖିବେ। ଏହାବ୍ୟତୀତ ଏହି ସମାରୋହରେ ବିଭିନ୍ନ ଉଚ୍ଚ ପଦସ୍ଥ ଭେଟେରାନ୍ ଓ କ୍ରୀଡ଼ାବିତ୍ ଉପସ୍ଥିତ ରହି ଅଗ୍ନିବୀରମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରେରଣା ପ୍ରଦାନ କରିବେ।

ନୌସେନା ମୁଖ୍ୟ ଏହି ସମାରୋହରେ ଯୋଗଦେଇ ବିଭିନ୍ନ ବିଭାଗକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିବା ସହ ଦ୍ୱିଭାଷିକ ପ୍ରଶିକ୍ଷାର୍ଥୀଙ୍କ ପତ୍ରିକା ‘ଅଙ୍କୁର’କୁ ଉନ୍ମୋଚନ କରିବେ।

Categories
ଆଜିର ଖବର ଜାତୀୟ ଖବର

ରାହୁଲ ଗାନ୍ଧୀ କାହିଁକି ଚୁପ୍?: ସିଏଏ ଉପରେ ଅମିତ ଶାହାଙ୍କ ବିବୃତ୍ତିକୁ ନେଇ କେରଳ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଆଜି ପୁଣି ଥରେ ଦୋହରାଇଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ (CAA) କେରଳରେ କାର୍ଯ୍ୟକାରୀ ହେବ ନାହିଁ। କେବଳ ଏତିକି ନୁହେଁ, ସେ ଏହି ପ୍ରସଙ୍ଗରେ କଂଗ୍ରେସର ନୀରବତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ବିଜୟନଙ୍କ ଦଳ INDIA ମେଣ୍ଟରେ କଂଗ୍ରେସର ସହଯୋଗୀ। ଏହା ସତ୍ତ୍ୱେ CAA ଉପରେ କଂଗ୍ରେସର ଆଭିମୁଖ୍ୟକୁ ବିଜୟନ ସମାଲୋଚନା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ କାହିଁକି ଚୁପ୍ ଅଛନ୍ତି? ବିଜୟ କହିଛନ୍ତି ଯେ, କେରଳ CAA ପ୍ରସଙ୍ଗରେ ନତମସ୍ତକ ହେବ ନାହିଁ କିମ୍ବା ଚୁପ୍ ରହିବ ନାହିଁ। ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ପରେ ବିଜୟନଙ୍କ ପ୍ରତିକ୍ରିୟା ଆସିଛି ଯେଉଁଥିରେ ସେ କହିଥିଲେ ଯେ ନାଗରିକତା କେନ୍ଦ୍ରର ବିଷୟ ହୋଇଥିବାରୁ CAA ଲାଗୁ କରିବାକୁ ରାଜ୍ୟମାନଙ୍କର କୌଣସି ବିକଳ୍ପ ନାହିଁ।

କଂଗ୍ରେସ ନେତୃତ୍ୱାଧୀନ UDF ଆଜି କହିଛି ଯେ, ବିଜୟନ ଭାରତର ଲୋକଙ୍କୁ ବୋକା ବନାଉଛନ୍ତି। କାରଣ ଏହା ଭାରତର ସବୁ ସ୍ଥାନରେ ପ୍ରଯୁଜ୍ୟ ହେବ। କଂଗ୍ରେସକୁ CAA ବିରୋଧରେ ମିଳିତ ମୋର୍ଚ୍ଚାରୁ ଓହରିଥିବାର ବିଜୟନ ଅଭିଯୋଗ କରିଛନ୍ତି। ବିଜୟନ କହିଛନ୍ତି ଯେ, CAA ଭାରତର ବିଚାର ପାଇଁ ଏକ ଆହ୍ଵାନ ଏବଂ ଧାର୍ମିକ ଭେଦଭାବକୁ ପ୍ରୋତ୍ସାହିତ କରୁଛି।

Categories
ଆଜିର ଖବର ଜାତୀୟ ଖବର

Electoral Bonds: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତଥ୍ୟ ପ୍ରକାଶ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆଜି ନିର୍ବାଚନୀ ଚାନ୍ଦା ସମ୍ପର୍କରେ ଏସବିଆଇରୁ ମିଳିଥିବା ତଥ୍ୟକୁ ନିର୍ବାଚନ କମିଶନ ଅପଲୋଡ୍ କରିଛନ୍ତି। ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ୫ ଟା ପୂର୍ବରୁ ସବିଶେଷ ତଥ୍ୟ ପ୍ରକାଶ କରିବାକୁ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କଠାରୁ ନିର୍ଦ୍ଦେଶ ପାଇଥିଲେ। ଏଥି ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏସବିଆଇ ମାର୍ଚ୍ଚ ୧୨ ତାରିଖରେ ନିର୍ବାଚନ ଆୟୋଗକୁ ନିର୍ବାଚନୀ ଚାନ୍ଦା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥିଲା।

ଏହାପୂର୍ବରୁ ସୋମବାର ଦିନ ସୁପ୍ରିମକୋର୍ଟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆବେଦନକୁ ଖାରଜ କରିଥିଲେ, ଯେଉଁଥିରେ ନିର୍ବାଚନୀ ଚାନ୍ଦାର ସବିଶେଷ ତଥ୍ୟ ପ୍ରକାଶ କରିବାକୁ ଏସବିଆଇ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲା। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ସମ୍ବିଧାନ ବେଞ୍ଚ ବ୍ୟାଙ୍କର ଆବେଦନକୁ ଖାରଜ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଆଘାତ: ଡାକ୍ତରଖାନାରେ ଭର୍ତ୍ତି

କଲିକତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଟିଏମସିର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ମମତା ବାନାର୍ଜୀଙ୍କ ଆଘାତ ସମ୍ପର୍କରେ ସୂଚନା ଦିଆଯାଇଛି। ଟିଏମସି ଲେଖିଛି ଯେ, ଆମର ଅଧ୍ୟକ୍ଷ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

ଯୁବପିଢ଼ିଙ୍କ ଭିତରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ଓମ୍ବାଡସି ସହାୟତାରେ ବହୁମୁଖୀ ଇନଡୋର ଷ୍ଟାଡିୟମ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଗାଁ ଓ ସହରରେ ଥିବା ଯୁବପିଢ଼ିଙ୍କ ଭିତରେ କ୍ରୀଡ଼ା ପ୍ରତିଭା ବିକଶିତ କରିବା ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏହି କ୍ରମରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ବିଭିନ୍ନ ସ୍ଥାନରେ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଉଛି। ରାଜ୍ୟର ୫ଟି ଖଣି ପ୍ରଭାବିତ ଜିଲ୍ଲାର ୧୧ଟି ସହରରେ ଏହି ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ଲାଗି ଆର୍ଥିକ ସହାୟତା ଯୋଗାଇ ଦେଉଛି ଓମ୍ବାଡସି।

ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ସହାୟତାରେ ନିର୍ମାଣ ହୋଇଥିବା ଏହି ବହୁମୁଖୀ ଇନଡୋର ଷ୍ଟାଡିୟମରେ ରହିଛି ଭାରୋତ୍ତଳନ, ବ୍ୟାଡମିଣ୍ଟନ ଏବଂ ଟେବୁଲ୍ ଟେନିସ୍ କୋର୍ଟ। ଏହି କ୍ରୀଡ଼ାରେ ଆଗକୁ ବଢ଼ିବାକୁ ଚାହୁଁଥିବା ଯୁବପିଢ଼ି ଏଠାରେ ଆସି ନିୟମିତ ଅଭ୍ୟାସ କରିବାର ସୁବିଧା ପାଉଛନ୍ତି। ଏହି ଅଭ୍ୟାସ ଫଳରେ ସେମାନଙ୍କ ଭିତରେ ରାଜ୍ୟ ତଥା ଜାତୀୟ ସ୍ତରର ପ୍ରତିଯୋଗିତା ଲାଗି ଆଗ୍ରହ ସୃଷ୍ଟି କରୁଛି।

ବର୍ତ୍ତମାନ ସମୟରେ ଶାରୀରିକ ଭାବେ ଫିଟ୍ ରହିବା ପାଇଁ ସମସ୍ତେ ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବହୁମୁଖୀ ଇନଡୋର ଷ୍ଟାଡିୟମ ପରିସରରେ ଆଧୁନିକ ବ୍ୟାୟାମ ଓ ଯୋଗାଭ୍ୟାସ କେନ୍ଦ୍ର ସ୍ଥାପନ କରାଯାଇଛି। ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ସ୍ଥାନୀୟ ଅଞ୍ଚଳର ଖେଳାଳିଙ୍କ ସହିତ ବିଭିନ୍ନ ବର୍ଗର ଲୋକ ଏହି କେନ୍ଦ୍ରକୁ ଆସି ବ୍ୟାୟାମ ଓ ଯୋଗାଭ୍ୟାସ କରୁଛନ୍ତି। ବ୍ୟାୟାମ ପାଇଁ ଆଧୁନିକ ଉପକରଣ ସହିତ ପ୍ରଶିକ୍ଷକ ମଧ୍ୟ ନିୟୋଜିତ ହୋଇଛନ୍ତି।

ଓମ୍ବାଡସି ସହାୟତାରେ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଓ ବ୍ରଜରାଜନଗର, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ବୀରମିତ୍ରପୁର ଓ ରାଜଗାଙ୍ଗପୁର, କେନ୍ଦୁଝର ଜିଲ୍ଲାର ବଡ଼ବିଲ, ଯୋଡା, ଆନନ୍ଦପୁର ଓ ଚମ୍ପୁଆ ସହରରେ ଏହି ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ରହିଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ଉଦଳା ଏବଂ ଯାଜପୁର ଜିଲ୍ଲାର ବ୍ୟାସନଗରଠାରେ ଏହି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି।
ଆଧୁନିକ ଢାଞ୍ଚାରେ ଏହି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି। ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଏହି ଭିତ୍ତିଭୂମିକୁ ଅସ୍ଥାୟୀ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବ। ତା’ଛଡ଼ା କୋଭିଡ୍‌ ଭଳି ମହାମାରୀ ସମୟରେ ମଧ୍ୟ ଏହାକୁ ଲୋକମାନଙ୍କ ସୁବିଧା ପାଇଁ ବ୍ୟବହାର କରାଯାଇପାରିବ।

ବହୁମୁଖୀ ଇନଡୋର ଷ୍ଟାଡିୟମ ସହିତ ଓମ୍ବାଡସି ସହାୟତାରେ ରାଜ୍ୟର ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା, ପାନୀୟ ଜଳ, ରାସ୍ତା ସଂଯୋଗୀକରଣ ଏବଂ ଜୀବିକା ଆଦି କ୍ଷେତ୍ରରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଚାଲିଛି।