ନୂଆଦିଲ୍ଲୀ: ଭାରତରେ ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ନିର୍ବାଚନ ମଧ୍ୟରେ ସମ୍ପର୍କ ବର୍ଷ ବର୍ଷ ପୁରୁଣା। ଗତ ୩୦ ବର୍ଷ ମଧ୍ୟରେ ନିର୍ବାଚନ ପୂର୍ବରୁ ସାମ୍ପ୍ରଦାୟିକ ହିଂସାର ୭ଟି ବଡ଼ ଘଟଣା ଘଟିଛି, ଯାହା ଦେଶର ସ୍ଥିତି ଓ ଦିଗ ବଦଳାଇ ଦେଇଛି। ନିର୍ବାଚନୀ ବର୍ଷରେ ଦେଶ ଅନେକ ସ୍ଥାନସାମ୍ପ୍ରଦାୟିକ ହିଂସାର ଶିକାର ହୋଇଛି। ମୁମ୍ବାଇର ମୀରା ରୋଡ୍ ପରେ ଏବେ ଉତ୍ତରାଖଣ୍ଡର ହଲଦ୍ୱାନୀ ହିଂସାର ନିଆଁରେ ଜଳୁଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ନିର୍ବାଚନ ପୂର୍ବରୁ ଦେଶର କୌଣସି ଅଂଶ ସାମ୍ପ୍ରଦାୟିକ ହିଂସା ଓ ଦଙ୍ଗାର ଶିକାର ହୋଇଛି। ଏଭଳି ସ୍ଥିତିରେ ହଲଦ୍ୱାନୀ ଓ ମୀରା ରୋଡ୍ର ହିଂସାକୁ ସିଧାସଳଖ ୨୦୨୪ ଲୋକସଭା ନିର୍ବାଚନ ସହ ଯୋଡ଼ାଯାଉଛି।
ପୂର୍ବତନ ରାଜ୍ୟସଭା ସାଂସଦ ଅଲ୍ଲୀ ଅନୱର କହିଛନ୍ତି, ହଲଦ୍ୱାନୀ ଭଳି ଘଟଣା ଏକ ପରୀକ୍ଷା ଓ ପରୀକ୍ଷଣ। ବିଜେପି ଚାହୁଁଛି ମୁସଲମାନମାନେ ଏଭଳି ଘଟଣା ଉପରେ ପ୍ରତିକ୍ରିୟା ଦିଅନ୍ତୁ, ଯାହା ନିର୍ବାଚନରେ ସେମାନଙ୍କୁ ଫାଇଦା ଦେବ। ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ନିର୍ବାଚନ ସମୟରେ ସାମ୍ପ୍ରଦାୟିକ ହିଂସା କରାଯାଉଛି।
ଉତ୍ତରାଖଣ୍ଡର ହଲଦ୍ୱାନୀରେ କ’ଣ ଘଟିଛି ?
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ୧୯୩୫ ମସିହାରେ ବ୍ରିଟିଶ ଶାସନ ସମୟରେ ଏଠାରେ ୩୦ ବର୍ଷ ପାଇଁ ଜମି ଲିଜରେ ଦିଆଯାଇଥିଲା। ସମସ୍ତ ବର୍ଗ ଏହି ଲିଜ ବ୍ୟବସ୍ଥାର ଫାଇଦା ଉଠାଇଥିଲେ। ୧୯୯୭ରେ ଲିଜ ନବୀକରଣ ବନ୍ଦ ହୋଇଯାଇଥିଲା।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବନଭୁଲପୁରା ଅଞ୍ଚଳରେ ଥିବା ଏକ ମଦ୍ରାସାର କିଛି ଅଂଶକୁ ସମ୍ପ୍ରସାରଣ କରାଯାଉଛି, ଯାହାକୁ ପୁଲିସ-ପ୍ରଶାସନ ଭାଙ୍ଗି ଦେଇଛି। ପୁଲିସ ବୁଲଡୋଜର ଆଣିବା ପରେ ପରିସ୍ଥିତି ବିଗିଡ଼ି ଯାଇଥିଲା। ପୁଲିସ ଓ ଜବରଦଖଲ ଉଚ୍ଛେଦ ସ୍କ୍ୱାଡ ଉପରକୁ ପଥର ମାଡ଼ ଘଟଣା ଘଟିବା ପରେ ହିଂସାକାଣ୍ଡ ବ୍ୟାପିବା ସହ ୨ ଜଣଙ୍କ ମୃତ୍ୟୁ ଘଟିଥିଲା।
ହଲଦ୍ୱାନୀର ସ୍ଥାନୀୟ ବିଧାୟକ ସୁମିତ ହୃଦୟେଶ କହିଛନ୍ତି ଯେ ଏହି ମାମଲାର ଶୁଣାଣି କୋର୍ଟରେ ହେବାର ଥିଲା, କିନ୍ତୁ ଏହା ପୂର୍ବରୁ ପ୍ରଶାସନର କିଛି ଅଧିକାରୀ ତରବରିଆଭାବେ ଏହି ପଦକ୍ଷେପ ନେଇଥିଲେ।
ହିଂସା ସହ ନିର୍ବାଚନୀ ସମ୍ପର୍କ: କାହାକୁ ଫାଇଦା ?
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଦଙ୍ଗାର ନିର୍ବାଚନୀ ଫାଇଦା କିଏ ପାଇବ ? ଏହାକୁ ବିସ୍ତୃତଭାବେ ବୁଝିବା ପାଇଁ ଏହି ଘଟଣାର ବିଶ୍ଳେଷଣ କରିବା ଆବଶ୍ୟକ। ବିଜତ ୩୦ ବର୍ଷରେ ୭ଟି ଦଙ୍ଗା ହୋଇଛି। ଏହାର ପ୍ରଭାବ କାହା ଉପରେ ପଡ଼ିଛି।
ବର୍ଷ ସ୍ଥାନ ପ୍ରଭାବ
୧୯୯୨ ବାବରୀ ମସିଦ ଧ୍ୱଂସ ଲୋକସଭା ନିର୍ବାଚନରେ ବିଜେପିକୁ ୪୧ଟି ଆସନ ଅଧିକ ମିଳିଥିଲା
୧୯୯୩ ଦିଲ୍ଲୀ ମସଜିଦ ଦିଲ୍ଲୀ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ
୨୦୦୨ ଗୋଧରା ଦଙ୍ଗା ଗୁଜରାଟରେ ପୁଣି ବିଜେପି ସରକାର
୨୦୦୬ ବରୋଦା ଦଙ୍ଗା ୨୦୦୭ରେ ତୃତୀୟ ଥର ପାଇଁ ଗୁଜରାଟରେ ବିଜେପି ସରକାର
୨୦୦୮ ଇନ୍ଦୋର ଦଙ୍ଗା ବିଧାନସଭା ସ ଲୋକସଭା ନିର୍ବାଚନରେ ବିଜେପି ଆସନ ସଂଖ୍ୟା ବୃଦ୍ଧି
୨୦୧୩ ମୁଜ୍ଜଫରନଗର ଦଙ୍ଗା ପଶ୍ଚିମ ୟୁପିର ଲୋକସଭା ଆସନରେ ବିଜେପିର ,କତରଫା ବିଜୟ
୨୦୧୫ ନଦିୟା ଦଙ୍ଗା ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରଥମ ଥର ପଶ୍ଚିମବଙ୍ଗରେ ୧୮ଟି ଆସନରେ ବିଜୟୀ
୨୦୧୮ ଭାଗଲପୁର ଓ ଔରଙ୍ଗାବାଦ ଦଙ୍ଗା ୨୦୧୯ ଲୋକସଭା ନିର୍ବାଚନରେ ବିହାରରୁ ବିଜେପିମେଣ୍ଟ ୪୦ ଆସନରୁ ୩୯ଟିରେ ବିଜୟୀ
ବାବ୍ରି ମସଜିଦ ହିଂସା ପରେ ବିଜେପି ଶକ୍ତିଶାଳୀ ହେଲା
୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ପରେ ଦେଶର ବିଭିନ୍ନ ସ୍ଥାନରେ ହିଂସା କାଣ୍ଡ ଘଟିଥିଲା। ଏହି ହିଂସାକାଣ୍ଡରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ। ହିଂସାକାଣ୍ଡରେ କିଏ ସମ୍ପୃକ୍ତ ତାହା ଜଣାପଡ଼ିନଥିଲେ ମଧ୍ୟ ବିଜେପି ନିଶ୍ଚିତଭାବେ ଏହାର ଫାଇଦା ଉଠାଇଛି। ୧୯୯୧ ଲୋକସଭା ନିର୍ବାଚନରେ ୧୨୦ଟି ଆସନ ଜିତିଥିବା ବିଜେପି ୧୯୯୬ରେ ୧୬୧ଟି ଆସନ ରେ ବିଜୟୀ ହୋଇଥିଲା। ସାମ୍ପ୍ରଦାୟିକ ହିଂସାରେ ସର୍ବାଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ର, ରାଜସ୍ଥାନ ଭଳି ରାଜ୍ୟର ନିର୍ବାଚନରେ ମଧ୍ୟ ବିଜେପିକୁ ସଫଳତା ମିଳିଛି।
ମୁସ୍ତାଫା ମସଜିଦ ଓ ଦିଲ୍ଲୀ ସରକାରରେ ହିଂସା
୧୯୯୨-୯୩ ମସିହାରେ ରାଜଧାନୀ ଦିଲ୍ଲୀର ପୁରୁଣା ଅଞ୍ଚଳରେ ଏକ ଗୁଜବ ଯୋଗୁଁ ସାମ୍ପ୍ରଦାୟିକ ହିଂସା କାଣ୍ଡ ଘଟିଥିଲା। ଏହି ହିଂସାକାଣ୍ଡରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ହିଂସାର ମୁଖ୍ୟ କାରଣ ଥିଲା ମୁସ୍ତାଫା ମସଜିଦ।
ସେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା ଏବଂ ଦିଲ୍ଲୀ ବିଜେପି ନେତାମାନେ ଏହାକୁ ନେଇ ଏକ ବଡ଼ ପ୍ରସଙ୍ଗ କରିଥିଲେ । ୧୯୯୩ ବିଧାନସଭା ନିର୍ବାଚନରେ ବିଜେପିକୁ ବଡ଼ ବିଜୟ ମିଳିଥିଲା। ବିଜେପି ୪୯ଟି ଆସନରେ ବିଜୟୀ ହୋଇ ପ୍ରଥମ ଥର ପାଇଁ ଦିଲ୍ଲୀରେ ସରକାର ଗଠନ କରିଥିଲା।
ଗୋଧ୍ରା ପରେ ଗୁଜରାଟରେ ବିଜେପି ମଜଭୂତ
୨୦୦୨ରେ ଗୁଜରାଟର ଗୋଧ୍ରାରେ ସାମ୍ପ୍ରଦାୟିକ ହିଂସା ଘଟିଥିଲା। ଏହି ହିଂସାକାଣ୍ଡରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣା ସମୟରେ ସେଠାରେ ବିଜେପି ସରକାର ଥିଲା ଏବଂ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିଲେ। ଗୋଧ୍ରା ହତ୍ୟାକାଣ୍ଡର ୭ ମାସ ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ବିଜେପି ୧୨୭ଟି ଆସନରେ ବିଜୟୀ ହୋଇଥିଲା। ୧୯୯୮ମସିହାରେ ଏହି ସଂଖ୍ୟା ୧୧୭ରୁ ୧୦ ଅଧିକ ଥିଲା। ଗୋଧ୍ରା ହତ୍ୟାକାଣ୍ଡ ପରେ ଗୁଜୁରାଟରେ ବିଜେପି କେବେବି ନିର୍ବାଚନ ହାରିନାହିଁ। ବର୍ତ୍ତମାନ ଗୁଜରାଟକୁ ବିଜେପିର ଶକ୍ତିଶାଳୀ ଗଡ଼ ବୋଲି କୁହାଯାଉଛି।
୨୦୦୬ରେ ଗୁଜରାଟର ବରୋଦାରେ ଦଙ୍ଗା
୨୦୦୬ରେ ଗୁଜରାଟର ବରୋଦାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ସଂଘର୍ଷର କାରଣ ଥିଲା ଏକ ଦରଗାହ ହଟାଇବା। ଏହି ହିଂସାକାଣ୍ଡରେ ୮ ଜଣ ପ୍ରାଣ ହରାଇଥିଲେ। ଏହି ହିଂସାକାଣ୍ଡରେ ୪୨ ଜଣ ଆହତ ହୋଇଥିଲେ। ଏହି ମାମଲାରେ ଅନେକ ରାଜନୀତି ହୋଇଥିଲା ଏବଂ ୧୮ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ଏହି ହିଂସା ପରେ ୨୦୦୭ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ଫାଇଦା ମିଳିଥିଲା। ବରୋଦା ଏବଂ ଏହାର ଆଖପାଖ ଜିଲ୍ଲାର ଆସନରେ ବିଜେପି ଏକତରଫାଭାବେ ବିଜୟୀ ହୋଇଛି।
ଇନ୍ଦୋର ଦଙ୍ଗା
୨୦୦୮ ପ୍ରାରମ୍ଭରେ ସରକାର କଶ୍ମୀରର ଅମରନାଥ ମନ୍ଦିରର ଜମି ଆବଣ୍ଟନକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହାକୁ ଇନ୍ଦୋରବାସୀ ତୀବ୍ର ବିରୋଧ କରିଥିଲେ। ଏହି ପ୍ରତିବାଦ ଧୀରେ ଧୀରେ ସାମ୍ପ୍ରଦାୟିକ ହିଂସାରେ ପରିଣତ ହୋଇଥିଲା। ଏହି ହିଂସାକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ହିଂସାକାଣ୍ଡ ପରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ସଫଳତା ମିଳିଥିଲା। ଖାଲି ସେତିକି ନୁହେଁ ଆଖପାଖ ଜିଲ୍ଲାଗୁଡ଼ିକରେ ବିଜେପିର ପ୍ରଦର୍ଶନ ମଧ୍ୟ ଚମତ୍କାର ଥିଲା ଏବଂ ଶିବରାଜଙ୍କ ନେତୃତ୍ୱରେ ବିଜେପି କ୍ଷମତାକୁ ଫେରିଥିଲା।
ମୁଜାଫରନଗର ଦଙ୍ଗା
୨୦୧୩ର ମୁଜାଫରନଗର ଦଙ୍ଗା ୟୁପି ରାଜନୀତିକୁ ବଦଳାଇ ଦେଇଥିଲା। ପ୍ରାୟ ୨ମାସ ଧରି ଏହି ଦଙ୍ଗା ଜାରି ରହିଥିଲା। ସରକାରୀ ରେକର୍ଡ ଅନୁଯାୟୀ ଏହି ହିଂସାକାଣ୍ଡରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ୮ ମାସର ହିଂସା ପରେ ଲୋକସଭା ନିର୍ବାଚନ ହୋଇଥିଲା ଏବଂ ପଶ୍ଚିମ ୟୁପିରେ ବିଜେପି କ୍ଲିନ୍ ସୁଇପ୍ କରିଥିଲା। ଏଠାରେ ମୋଟ ୨୬ଟି ଲୋକସଭା ଆସନ ରହିଛି। ୨୦୧୭ ନିର୍ବାଚନରେ ମୁଜାଫରନଗର ହିଂସା ବିଜେପିକୁ ଫାଇଦା ଦେଇଥିଲା ଏବଂ ପଶ୍ଚିମ ୟୁପିରେ ବିଜେପି ଏକତରଫା ବିଜୟ ହାସଲ କରିଥିଲା।
ନଦିଆ ଦଙ୍ଗା
୨୦୧୫ରେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ପ୍ରଥମ ଥର ପାଇଁ ସାମ୍ପ୍ରଦାୟିକ ହିଂସା ଆରମ୍ଭ ହୋଇଥିଲା। ନଦିଆ ଦଙ୍ଗା ପରେ ପଶ୍ଚିମବଙ୍ଗରେ ବିଜେପି ଶକ୍ତିଶାଳୀ ହୋଇଥିଲା। ଏହି ହିଂସାକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଥିଲେ। ଏହି ହିଂସାକାଣ୍ଡ ସମୟରେ ଉଭୟ ପକ୍ଷ ପରସ୍ପର ଉପରକୁ ଗୁଳିମାଡ଼ କରିବା ସହ ଅଞ୍ଚଳର ଅଧିକାଂଶ ଘର ଧ୍ୱଂସ ହୋଇଯାଇଥିଲା। ୨୦୧୫ରୁ ୨୦୧୯ ମଧ୍ୟରେ ପଶ୍ଚିମବଙ୍ଗରେ ୫ଟି ସାମ୍ପ୍ରଦାୟିକ ହିଂସା କାଣ୍ଡ ଘଟିଛି। ବିଜେପି ଏହାକୁ ଏକ ବଡ଼ ପ୍ରସଙ୍ଗ କରି ପଶ୍ଚିମବଙ୍ଗ ସରକାରଙ୍କର ତୁଷ୍ଟୀକରଣ ଅଭିଯୋଗ କରିଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବିଜୟୀ ହୋଇଥିଲା ଏବଂ ପ୍ରଥମ ଥର ପାଇଁ ବିଜେପି ସେଠାରେ ୧୮ଟି ଆସନ ଜିତିବାରେ ସଫଳ ହୋଇଥିଲା।
ଦଙ୍ଗା ଯୋଗୁ ବିହାର-ୟୁପିରେ କଂଗ୍ରେସ ସଫା
ଏହି ଦଙ୍ଗାରେ ବିଜେପି ରାଜନୈତିକ ଫାଇଦା ଉଠାଇଥିବାବେଳେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଏହାର ଶିକାର ହୋଇଛନ୍ତି। ଉଦାହରଣସ୍ୱରୂପ ଭାଗଲପୁର ଦଙ୍ଗା ପରେ ବିହାରରେ କଂଗ୍ରେସ ସମ୍ପୂର୍ଣ୍ଣଭାବେ ନିଷ୍କ୍ରିୟ ହୋଇଯାଇଥିଲା । ହାସିମପୁରା ଦଙ୍ଗା ପରେ ଦଳର ୟୁପିରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଉଭୟ ଦଙ୍ଗା ସମୟରେ ରାଜ୍ୟରେ କଂଗ୍ରେସ ଶାସନ କରୁଥିଲା। ୨୦୧୩ରେ ମୁଜାଫରନଗର ଦଙ୍ଗା ତତ୍କାଳୀନ ଶାସକ ସମାଜବାଦୀ ପାର୍ଟିର ବହୁତ କ୍ଷତି କରିଥିଲା। ଏହାପରେ ପଶ୍ଚିମ ୟୁପିରେ ସମାଜବାଦୀ ପାର୍ଟି ସଫା ହୋଇଯାଇଛି।
ନିକଟରେ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଦଙ୍ଗାର ଶିକାର ହେବାକୁ ପଡ଼ିଥିଲା। ୨୦୨୨ମସିହାରେ ରାଜସ୍ଥାନର ଉଦୟପୁର, ଭିଲଓ୍ଵାରା ଓ ଯୋଧପୁର ଜିଲ୍ଲା ସାମ୍ପ୍ରଦାୟିକ ହିଂସାରେ ସର୍ବାଧିକ ପ୍ରଭାବିତ ହୋଇଥିଲା। ଏହାର ପ୍ରଭାବ ୨୦୨୩ ବିଧାନସଭା ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା। ଅଶୋକ ଗେହଲଟଙ୍କ ନିଜ ଜିଲ୍ଲା ହୋଇଥିଲେ ମଧ୍ୟ ୨୦୨୩ରେ କଂଗ୍ରେସ ଯୋଧପୁରର ୮୦ ପ୍ରତିଶତ ଆସନ ହରାଇଥିଲା। ଭିଲଓ୍ଵାଡାରେ ଦଳ ସମ୍ପୂର୍ଣ୍ଣ ସଫା ହୋଇଯାଇଥିଲା।
ସାମ୍ପ୍ରଦାୟିକ ହିଂସା ଓ ୫ ବର୍ଷରେ ମୁସଲମାନଙ୍କ ସ୍ଥିତି
ଡିସେମ୍ବର ୨୦୨୨ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଥିଲା ଯେ ୨୦୧୭ରୁ ୨୦୨୧ ମଧ୍ୟରେ ୨୯୦୦ ସାମ୍ପ୍ରଦାୟିକ ହିଂସା ମାମଲା ସାମ୍ନାକୁ ଆସିଛି। ଗୃହ ମନ୍ତ୍ରାଳୟ ଅନୁଯାୟୀ, ୨୦୨୦ରେ ସର୍ବାଧିକ ସାଂପ୍ରଦାୟିକ ହିଂସା ମାମଲା ଆସିଛି। ମନ୍ତ୍ରାଳୟ ଅନୁଯାୟୀ, ୨୦୧୭ରେ ୭୨୩, ୨୦୧୮ରେ ୫୧୨, ୨୦୧୯ରେ ୪୩୮, ୨୦୨୦ରେ ୮୫୭ ଓ ୨୦୨୧ରେ ୩୭୮ ମାମଲା ସାମ୍ନାକୁ ଆସିଛି। ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ୍ ହ୍ୟୁମାନ ରାଇଟ୍ସ ୱାଚ୍ର ଏକ ରିପୋର୍ଟ ଅନୁଯାୟୀ, ଗତ କିଛିବର୍ଷ ମଧ୍ୟରେ ହିନ୍ଦୁ ପର୍ବପର୍ବାଣୀ ଅବସରରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ବୃଦ୍ଧି ପାଇଛି। ଏଭଳି ହିଂସା ପଛରେ ରାଜନୈତିକ ପୃଷ୍ଠପୋଷକତା ଥିବା ଏକ ନିର୍ଭୀକ ଭିଡ଼ ରହିଛି।
ନିଷ୍ପତ୍ତି ନେବା କ୍ଷେତ୍ରରେ ମୁସଲମାନମାନଙ୍କୁ ଅଣଦେଖା
ବର୍ତ୍ତମାନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ଦେଶରେ ୭ଟି ବଡ଼ ପଦବୀରେ ମୁସଲମାନ ନାହାନ୍ତି।
୧୪ ପ୍ରତିଶତ ଜନସଂଖ୍ୟା ଥାଇ ବି କୌଣସି ରାଜ୍ୟରେ ଜଣେ ବି ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି।
କେନ୍ଦ୍ର ସମେତ ୧୫ଟି ରାଜ୍ୟରେ ଜଣେ ବି ମୁସଲମାନ ମନ୍ତ୍ରୀ ନାହାନ୍ତି।
କମିଶନ ଓ ନିଗମରେ ମୁସଲମାନମାନଙ୍କ ଅଂଶୀଦାର ଶୂନ୍ୟ ରହିଛି।
ବୈଦେଶିକ ସମ୍ପର୍କ ପରିଷଦର ଏକ ରିପୋର୍ଟ ଅନୁଯାୟୀ, ବିଜେପି କ୍ଷମତାକୁ ଆସିବା ପରେ ମୁସଲମାନମାନଙ୍କ ପ୍ରତି ଭେଦଭାବର ଅନେକ ଘଟଣା ଘଟିଛି। କ୍ଷମତା ବଣ୍ଟନ ପ୍ରସଙ୍ଗ ହେଉ ଅବା ଯୋଜନାର ଲାଭ ଉଠାଇବା ପ୍ରସଙ୍ଗ ସବୁଠି ମୁସଲମାନମାନେ ପଛରେ ପଡ଼ିଯାଇଥିଲେ। ବର୍ତ୍ତମାନ ଦେଶରେ ୭ଟି ବଡ଼ ପୋଷ୍ଟରେ ଜଣେ ବି ମୁସଲମାନ ନାହାନ୍ତି। କୌଣସି ରାଜ୍ୟରେ ମୁସଲମାନ ମୁଖ୍ୟମନ୍ତ୍ରୀ ନାହାନ୍ତି ଏବଂ ୧୫ଟି ରାଜ୍ୟରେ ଜଣେ ବି ମୁସଲମାନ କ୍ୟାବିନେଟ୍ ମନ୍ତ୍ରୀ ନାହାନ୍ତି।
ହ୍ୟୁମାନ ରାଇଟ୍ସ ୱାଚ୍ ଅନୁଯାୟୀ, ଉତ୍ତରପ୍ରଦେଶ ଓ ଗୁଜରାଟ ଭଳି ରାଜ୍ୟରେ ମୁସଲମାନମାନଙ୍କୁ ଦମନ କରିବା ପାଇଁ ବୁଲଡୋଜର ପ୍ରବୃତ୍ତି ମଧ୍ୟ କାମ କରୁଛି। ହିନ୍ଦୁତ୍ୱର ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ପାଇଁ ଏଭଳି କାର୍ଯ୍ୟ କରାଯାଉଛି ବୋଲି ସଂଗଠନ କହିଛି।