Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନେ ରୋଜଗାର ପାଇଁ ପାଇବେ ଏକ ନୂଆ ମାଧ୍ୟମ

ମକର : –  ମହିଳାଙ୍କ ନିକଟରୁ ବହୁତ ସାହାଯ୍ୟ ମିଲିବ। ଯଦି ଆପଣ ଦୀର୍ଘ ସମୟ ଧରି ଏକ ଗାଡି କିମ୍ବା ବିଳାସପୂର୍ଣ୍ଣ ଜିନିଷ କିଣିବାକୁ ଯୋଜନା କରୁଥିଲେ, ତେବେ ବର୍ତ୍ତମାନ ଏହାକୁ ଫଳପ୍ରଦ କରିବାର ସମୟ ଆସିଛି।

କୁମ୍ଭ: – ଆଜି, ଆପଣଙ୍କ ସାଥୀଙ୍କ ପରାମର୍ଶରେ, ଆପଣ ଟଙ୍କା ରୋଜଗାରର ଏକ ନୂତନ ଉପାୟ ପାଇବେ। ଆହୁରି ମଧ୍ୟ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡିବ। ସାଙ୍ଗମାନଙ୍କ ସହିତ କିଛି ବିଷୟରେ ଯୁକ୍ତିତର୍କ ହେବାର ସମ୍ଭାବନା ଅଛି।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନଙ୍କର ବୁଧବାର ଦିନ ବ୍ୟବସାୟ କ୍ଷେତ୍ରରେ ପାଇବେ ସୁବର୍ଣ୍ଣ ସୁଯୋଗ

ତୂଳା:- ଆପଣଙ୍କର ବ୍ୟକ୍ତିତ୍ୱ ବୃଦ୍ଧି ପାଇବ ଏବଂ ଆପଣ ଲୋକମାନଙ୍କୁ ସହଜରେ ପ୍ରଭାବିତ କରିବାକୁ ସମର୍ଥ ହେବେ। ପଦୋନ୍ନତି ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କଠାରୁ ଆପଣ ସମର୍ଥନ ଏବଂ ପ୍ରଶଂସା ପାଇବା ଜାରି ରଖିବେ ।

ବିଛା : – ଆଜି ଆପଣ ବ୍ୟବସାୟ ସହ ଜଡିତ ସୁବର୍ଣ୍ଣ ସୁଯୋଗ ପାଇବେ। ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ। ଆପଣ କିଛି ବଡ ଦାୟିତ୍ବ ପାଇବେ। କର୍ମକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ଉତ୍କୃଷ୍ଟ ହେବ।

Categories
ଆଜିର ଖବର ଧର୍ମ

ବୁଧବାରରେ ଏହି ରାଶିର ବ୍ୟକ୍ତିମାନେ ହାସଲ କରିବେ ଉପହାର, ଖୁସି ହେବେ

କର୍କଟ : – ଆପଣଙ୍କର ସହକର୍ମୀମାନଙ୍କ ମଧ୍ୟରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ। ସେହି ସମୟରେ, ଆପଣଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ। ବୃତ୍ତିଗତ ଭାବରେ, ଜିନିଷଗୁଡିକ ସୁଗମ ହେବ ଏବଂ ଭଲ ଅଗ୍ରଗତି ହେବ।

ସିଂହ: – ଆଜି ଆପଣ କାହାଠାରୁ ଉପହାର ପାଇପାରିବେ। ଆଜି ଆପଣଙ୍କର ଅଧିକ ଆତ୍ମବିଶ୍ୱାସ ରହିବ। ଆଜି କିଛି ଲୋକ ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ। ସେମାନେ ମଧ୍ୟ ଆପଣଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିବେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ରୀୟ ଟିମକୁ ବାତ୍ୟା ୟଶର ପ୍ରଥାମିକ ହିସାବ ଦେଲେ ରାଜ୍ୟ ସରକାର, ଜାଣନ୍ତୁ କେତେ ହୋଇଛି କ୍ଷତି

ଭୁବନେଶ୍ବର, ବାତ୍ୟା ୟଶ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଆସିଥିବା କେନ୍ଦ୍ରୀୟ ଦଳ ନିଟକରେ ରାଜ୍ୟ ସରକାର ପ୍ରାଥମିକ ରିପୋର୍ଟ ଉପସ୍ଥାପିତ କରିଛନ୍ତି। ପ୍ରାଥମିକ ଆକଳନ ଅନୁସାରେ ୧୧ ଟି ଜିଲ୍ଲାର ୨୧୩୮ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରାୟ ୧୦୬୪୪ ଗ୍ରାମ ଏବଂ  ୩୦ ଟି ସହରାଞ୍ଚଳର  ପ୍ରାୟ ୪୨୫ ଟି  ଓ୍ୱାର୍ଡ ଏହି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି ।ଏଥିରେ ପ୍ରାୟ ୭୫ ଲକ୍ଷରୁ  ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ୨୬୭୮୧ ଘର ଭାଙ୍ଗି ଯାଇଛି ଏବଂ ୧୨.୭୭ ଲକ୍ଷ ପ୍ରାଣୀ ସଂପଦ ପ୍ରଭାବିତ ହୋଇଛନ୍ତି ବୋଲି ରାଜ୍ୟ ସରକାର ଜଣାଇଛନ୍ତି।

ଉପକୂଳବର୍ତ୍ତୀ ଗ୍ରାମ ଓ ସମ୍ବେଦନଶୀଳ ସ୍ଥାନମାନଙ୍କରେ ବସବାସ କରୁଥିବା ଲୋକମାନଙ୍କର ସୁରକ୍ଷା ନିମନ୍ତେ ପ୍ରାୟ ୭.୧୦ ଲକ୍ଷ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇ ଥିଲା। ଏହାଛଡା ପ୍ରାୟ ୬୩୪୮.୪ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଛି। ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସଠିକ୍ ଆକଳନ କରାଯାଉଛି ଏବଂଏହା ଚଳିତ ସପ୍ତାହ ମଧ୍ୟରେ ଶେଷ ହେବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

BIG NEWS: ୩ୟ ଲହରରେ ପିଲାମାନଙ୍କୁ ଆକ୍ରାନ୍ତ କରିବାର କୌଣସି ତଥ୍ୟ ନାହିଁ; ଏମସ ନିର୍ଦ୍ଦେଶକ

ନୂଆଦିଲ୍ଲୀ, ଏହା ଏକ ଭୁଲ ତଥ୍ୟ ଯେ କୋଭିଡ-୧୯ ମହାମାରୀର ପରବର୍ତ୍ତୀ ପଯ୍ୟାୟୟ ପିଲାମାନଙ୍କଠାରେ ଗୁରୁତର ସଂକ୍ରମଣ ସୃଷ୍ଟି କରିବାକୁ ଯାଉଛି । ପରବର୍ତ୍ତୀ ପଯ୍ୟାୟରେ ପିଲାମାନେ ଗୁରୁତର ଭାବରେ ସଂକ୍ରମିତ ହେବେ ବୋଲି ଦର୍ଶାଇବାକୁ ସର୍ବଭାରତୀୟ ସ୍ତରରେ କୌଣସି ତଥ୍ୟ ନାହିଁ।

ଆଜି ପିଆଇବି ଦିଲ୍ଲୀରେ କୋଭିଡ-୧୯ ସଂପର୍କରେ ଗଣମାଧ୍ୟମକୁ ବିବୃତି ଦେବା ଅବସରରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ବା ଏମସ ଦିଲ୍ଲୀର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ ଏହି ସୂଚନା ଦେଇଛନ୍ତି । ଡକ୍ଟର ଗୁଲେରିଆ ଦର୍ଶାଇଛନ୍ତି ଯେ, ଭାରତରେ ଦ୍ୱିତୀୟ ତରଙ୍ଗ ସମୟରେ ଯେଉଁ ପିଲା ସଂକ୍ରମିତ ହୋଇଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତରୁ ୭୦ ପ୍ରତିଶତ ସାଂଘାତିକ ରୋଗୀ ଥିଲେ ଅବା ତାଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲା। ସୁସ୍ଥ ପିଲାମାନେ ସାମାନ୍ୟ ଅସୁସ୍ଥ ହେଲେ ଡାକ୍ତରଖାନାରେ ଭର୍ତ୍ତି କରିବାର ଆବଶ୍ୟକତା ନାହିଁ । ସେମାନେ ଘରେ ଔଷଧ ଖାଇ ଆରୋଗ୍ୟ ହେଉଛନ୍ତି ।

ଭବିଷ୍ୟତ ସଂକ୍ରମଣକୁ ରୋକିବା ପାଇଁ କୋଭିଡ ଉପଯୁକ୍ତ ଆଚରଣ ହେଉଛି ଚାବିକାଠି

କୌଣସି ମହାମାରୀରେ ବିଭିନ୍ନ ତରଙ୍ଗ କାହିଁକି ଆସେ ସେ ସଂପର୍କରେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ବ୍ୟାଖ୍ୟା କରି କହିଥିଲେ । ଶ୍ୱାସକ୍ରିୟାରେ ଭୂତାଣୁ ଯୋଗୁଁ ସାଧାରଣତଃ ମହାମାରୀରେ ତରଙ୍ଗ ସୃଷ୍ଟି ହୁଏ; ୧୯୧୮ ସ୍ପାନିସ୍ ଫ୍ଲୁ, H1N1 (ସ୍ୱାଇନ) ଫ୍ଲୁ ଏହାର ଉଦାହରଣ ବୋଲି ଡକ୍ଟର ଗୁଲେରିଆ କହିଛନ୍ତି । ୧୯୧୮ ସ୍ପାନିସ୍ ଫ୍ଲୁର ଦ୍ୱିତୀୟ ତରଙ୍ଗ ସବୁଠାରୁ ବଡ ଥିଲା, ଏହା ପରେ ଏକ ଛୋଟ ତୃତୀୟ ତରଙ୍ଗ ଥିଲା।

ଆମେ ଯେପରି ଜାଣୁ, SARS-Cov-2 ୨ ହେଉଛି ଏକ ଶ୍ୱାସକ୍ରିୟା ଜନିତ ଭୂତାଣୁ।

୧.ସମ୍ଭାବ୍ୟ ସଂକ୍ରମିତ ଜନସଂଖ୍ୟା ଥିବାବେଳେ ଏକାଧିକ ତରଙ୍ଗ ହୁଏ

ଯେତେବେଳେ ଜନସଂଖ୍ୟାର ଏକ ବଡ଼ ଅଂଶ ସଂକ୍ରମଣ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ହାସଲ କରେ, ସେତେବେଳ ଭୂତାଣୁ ନିଷ୍କ୍ରିୟ ହୋଇଯାଏ ଏବଂ ସଂକ୍ରମଣ ଋତୁକାଳୀନ ହୋଇଯାଏ– ଏଚ୧ଏନ୧ (H1N1) ପରି ଯାହା ସାଧାରଣ ଭାବେ ମୌସୁମୀ କିମ୍ବା ଶୀତଋତୁ ସମୟରେ ବ୍ୟାପିଥାଏ।  ଭୂତାଣୁରେ ପରିବର୍ତ୍ତନ ହେତୁ ତରଙ୍ଗ ଆସିପାରେ (ଯେପରିକି ନୂତନ ପ୍ରକାରଭେଦ ) ଯେହେତୁ ନୂତନ ପରିବର୍ତ୍ତନ ଗୁଡିକ ଅଧିକ ସଂକ୍ରାମକ ହୋଇଯାଏ, ତେଣୁ ଭୂତାଣର ବ୍ୟାପକତା ନେଇ ଅଧିକ ସମ୍ଭାବନା ଥାଏ ।

2.ତରଙ୍ଗ ପଛର ଗୋଟିଏ କାରଣ ହେଉଛି ମାନବୀୟ ଆଚରଣ

ଡକ୍ଟର ଗୁଲେରିଆ ସତର୍କ କରାଇ ଦେଇ କହିଛନ୍ତି: “ଯେତେବେଳେ ମାମଲା ସଂଖ୍ୟା ବୃଦ୍ଧି ପାଇଥାଏ, ଲୋକଙ୍କ ଭିତରେ ଭୟ ଥାଏ ଏବଂ ମାନବୀୟ ଆଚରଣରେ ପରିବର୍ତ୍ତନ ଆସିଥାଏ। ଯଦି ଲୋକମାନେ କଡାକଡି ଭାବେ କୋଭିଡ ନିୟମ ଅନୁସରଣ କରନ୍ତି, ଉପଯୁକ୍ତ ଆଚରଣ ପ୍ରଦର୍ଶନ କରନ୍ତି ଏବଂ ଅଣ ଫାର୍ମାସ୍ୟୁଟିକାଲ୍ ହସ୍ତକ୍ଷେପ ଦ୍ୱାରା ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବାରେ ସାହାଯ୍ୟ କରେ ।

କିନ୍ତୁ ଯେତେବେଳେ ପୁନଃ ଅନଲକ୍ ଆରମ୍ଭ ହୁଏ, ଲୋକମାନେ ଭାବନ୍ତି ଯେ ଅଧିକ ସଂକ୍ରମଣ ହେବ ନାହିଁ ଏବଂ କୋଭିଡ ଉପଯୁକ୍ତ ଆଚରଣ ଅନୁସରଣ କରନ୍ତି ନାହିଁ । ଏହି କାରଣରୁ, ଭୂତାଣୁ ପୁନର୍ବାର ସମୁଦାୟରେ ବ୍ୟାପିବା ଆରମ୍ଭ କରି ଅନ୍ୟ ଏକ ତରଙ୍ଗର ରୂପ ନେଇଯାଏ।

ଏମ୍ସ ନିର୍ଦ୍ଦେଶକ କହିଛନ୍ତି ଯେ ଯଦି ଆମକୁ ପରବର୍ତ୍ତୀ ତରଙ୍ଗ ବନ୍ଦ କରିବାକୁ ପଡିବ, ତେବେ ଆମକୁ ଆକ୍ରମଣାତ୍ମକ ଭାବରେ କୋଭିଡ ଉପଯୁକ୍ତ ଆଚରଣ ଅନୁସରଣ କରିବା ଆବଶ୍ୟକ, ଯେପର‌୍ୟ୍ୟନ୍ତ ଆମ ଜନସଂଖ୍ୟାର ବହୁ ସଂଖ୍ୟକ ଲୋକଙ୍କୁ ଟିକାକରଣ କରା ନଯାଇଛି କିମ୍ବା ପ୍ରାକୃତିକ ପ୍ରତିରୋଧକ ଶକ୍ତି ହାସଲ ନହୋଇଛି ସେ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡିବ।

ଯେତେବେଳେ ପଯ୍ୟାପ୍ତ ଲୋକଙ୍କୁ ଟୀକାକରଣ କରାଯାଏ କିମ୍ବା ଯେତେବେଳେ ଆମେ ସଂକ୍ରମଣ ବିରୁଦ୍ଧରେ ପ୍ରାକୃତିକ ପ୍ରତିରୋଧ ଶକ୍ତି ହାସଲ କରିବୁ, ସେତେବେଳେ ଏହି ତରଙ୍ଗ ବନ୍ଦ ହୋଇଯିବ। ଏହାର ଏକମାତ୍ର ଉପାୟ ହେଉଛି କୋଭିଡ ଉପଯୁକ୍ତ ଆଚରଣକୁ କଡାକଡି ଭାବେ ଅନୁସରଣ କରିବା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଗତ ୯ ବର୍ଷରେ ୯୮ ଟି ବାତ୍ୟାର ମୁକାବିଲା କରିଛି ବୋଲି କେନ୍ଦ୍ରୀୟ ଦଳକୁ ଜଣାଇଲେ ରାଜ୍ୟ ସରକାର

ଭୁବନେଶ୍ବର, ବାତ୍ୟା କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା କେନ୍ଦ୍ରୀୟ ଦଳକୁ ରାଜ୍ୟ ସରକାରଙ୍କ ତରଫରୁ ବିସ୍ତୁତ ରିପୋର୍ଟ ପ୍ରଦାନ କରାଯାଇଛି। ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଓଡିଶାର ବାତ୍ୟା ଇତିହାସ ସଂପର୍କରେ ଟିମକୁ ଅବଗତ କରାଇଥିଲେ। ସେ କହିଥିଲେ ଯେ, ୧୯୯୧ ମସିହାରୁ ୨୦୦୦ ମସିହା ମଧ୍ୟରେ ଓଡ଼ିଶା ପ୍ରାୟ ୯୮ ଟି ବାତ୍ୟାର ମୁକାବିଲା କରିଛି। ସେହିପରି ପଶ୍ଚିମ ବଙ୍ଗଳା ୬୯ଟି, ତାମିଳନାଡୁ ୬୨ଟି, ଗୁଜୁରାଟ ୨୮ଟି, କେରଳ ୩ଟି ଏବଂ କର୍ଣ୍ଣାଟକ ୨ଟି ବାତ୍ୟାର ସମ୍ମୁଖୀନ ହୋଇଛନ୍ତି ।

କେବଳ ୧୯୯୯ ରୁ ୨୦୨୧  ମଧ୍ୟରେ ଓଡ଼ିଶା ୮ ଟି ମହାବାତ୍ୟା ବା ଅତିଭୀଷଣ ବାତ୍ୟାରେ  କ୍ଷତିଗ୍ରସ୍ତ ହୋଇଛି ।   ବାତ୍ୟା ୟାସ୍ ପାଇଁ କରାଯାଇଥିବା ଆଗୁଆ ପ୍ରସ୍ତୁତି, ନିରାପଦ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତରୀକରଣ, ଉଦ୍ଧାର, ରିଲିଫ୍ ଏବଂ ପୁନଃ ଥଇଥାନ ଆଦି କାର‌୍ୟ୍ୟ ବିଷୟରେ ଜେନା ସବିଶେଷ ସୂଚନା ଦେବାସହ  ୟାସ୍ ର ପ୍ରଭାବ ବିଷୟ ଉପସ୍ଥାପନ  କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ରାଜ୍ୟଗୁଡିକୁ ଟିକା ବାଣ୍ଟିବା ପାଇଁ 44 କୋଟି ଡୋଜ କିଣିବାକୁ ଅର୍ଡର ଦେଲା କେନ୍ଦ୍ର, ଜାଣନ୍ତୁ କେଉଁଥିରୁ କେତେ

ନୂଆଦିଲ୍ଲୀ, ଭାରତ ସରକାର ପ୍ରଭାବୀ ଟିକାକରଣ ଅଭିଯାନ ନିମନ୍ତେ ‘ସମ୍ପୂର୍ଣ୍ଣ ସରକାର’ ଦୃଷ୍ଟିକୋଣ ସହିତ ଚଳିତ ବର୍ଷ ଜାନୁଆରୀ 16 ତାରିଖ ଠାରୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପ୍ରୟାସରେ ସହାୟତା କରି ଆସୁଛନ୍ତି। କେନ୍ଦ୍ର ସରକାରଙ୍କୁ ମିଳିଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକର ଆଧାରରେ ଭାରତ ସରକାର ଟିକାକରଣ ନୀତିକୁ ଉଦାରୀକରଣ କରିଥିଲେ।

ଏହି ଉଦାର ନୀତି ଅନୁଯାୟୀ, 1 ମଇ, 2021 ଠାରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା। ଏଥିରେ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟିକାକରଣ କରାଯାଉଛି। ଏବେ ଦେଶବ୍ୟାପୀ ଟିକାକରଣ ଅଭିଯାନକୁ ଆହୁରି ଅଧିକ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ 18 ବର୍ଷରୁ ଅଧିକ ଆୟୁର ସମସ୍ତ ନାଗରିକମାନଙ୍କୁ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସମ୍ପୂର୍ଣ୍ଣ ଭାବେ ମାଗଣାରେ ଟିକା ଦିଆଯିବ।

ପ୍ରଧାନମନ୍ତ୍ରୀ ଏ ସଂକ୍ରାନ୍ତରେ ଘୋଷଣା କରିବାର ତୁରନ୍ତ ପରେ ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ମାର୍ଗଦର୍ଶିକାରେ ଗତକାଲି ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ 25 କୋଟି ଡୋଜ୍ କୋଭିଶିଲ୍ଡ କିଣିବା ଲାଗି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆକୁ ଅର୍ଡର ଦିଆଯାଇଥିବା ବେଳେ 19 କୋଟି ଡୋଜ୍ କୋଭାକ୍ସିନ କ୍ରୟ ନିମନ୍ତେ ଭାରତ ବାୟୋଟେକକୁ ଅର୍ଡର ଦିଆଯାଇଛି।

କୋଭିଡ-19 ଟିକାର ଏହି 44 କୋଟି ଡୋଜ୍ ଆଜିଠାରୁ ଡିସେମ୍ବର 2021 ମଧ୍ୟରେ ଉପଲବ୍ଧ ହେବ। ଏହାବ୍ୟତୀତ ଦୁଇ କୋଭିଡ ଟିକା କ୍ରୟ ନିମନ୍ତେ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକକୁ 30 ପ୍ରତିଶତ ଅଗ୍ରୀମ ରାଶି ଜାରି କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ପର୍ଯ୍ୟାୟ କ୍ରମେ ଖୋଲିବ ଲକ ଡାଉନ, ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ବର, ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ  ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି।

କିନ୍ତୁ ଯେଉଁ ଜିଲ୍ଲା ଗୁଡିକରେ ସଂକ୍ରମଣ ହାର କମୁଛି, ସେଠାରେ ପଯ୍ୟାୟକ୍ରମେ ଅନ୍‌-ଲକ୍ ପ୍ରକ୍ରିୟା ଆରମ୍ଭ କରିବା ବିଷୟ ସରକାରଙ୍କ ବିଚରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଫଳରେ ଜୁନ 17 ତାରିଖ ପରେ ଯେଉଁ ଜିଲ୍ଲାରେ ସଂକ୍ରାମଣ ସଂଖ୍ୟା ହ୍ରାସ ପାଇଛି ସେଗୁଡିକ କେବ ଅନ୍ ଲକ ହେବ।

ଏହି ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟା ପ୍ରଭାବିତ ଅଞ୍ଚଳରେ କୋଭିଡ ସଂକ୍ରମଣରେ କୌଣସି ବୃଦ୍ଧି ଘଟି ନ ଥିବା ଆଶ୍ବସ୍ତିର ବିଷୟ ।

ରାଜ୍ୟରେ ପିଜିଟିଭିଟି ହାର କମି ଥିବାରୁ ICU ଓ ଅକ୍‌ସିଜେନ ସଂଯୁକ୍ତ ବେଡ୍ ଉପରେ ଚାପ ହ୍ରାସ ପାଇଛି । ଖୁବଶୀଘ୍ର ସଂକ୍ରମଣ ୫ ପ୍ରତିଶତକୁ ହ୍ରାସ ପାଇବ ବୋଲି ସେ ଆଶାପ୍ରକାଶ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ତୃତୀୟ ଲହର ମୁକାବିଲା ପାଇଁ ନବୀନଙ୍କ ନୂଆ ପଦକ୍ଷେପ, ତାଲିମ ନେବେ ୧୧୧୪ ଡାକ୍ତର

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । କୋଭିଡ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ସଂପର୍କରେ ବିଶେଷଜ୍ଞମାନେ ମତ ଦେଉଥିବାରୁ, ଏବେଠାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପିଲାମାନଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ଚିକିତ୍ସା ସୁବିଧାର ବିକାଶ, ଆବଶ୍ୟକ ଉପକରଣ ଏବଂ ଔଷଣ ମହଜୁଦ ରଖିବା ସଂଗେ ସଂଗେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଶିଶୁ ରୋଗ ସଂପର୍କରେ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ତୃତୀୟ ଲହର ପାଇଁ ଗଠିତ Technical Task force committee ର ସୁପାରିଶ ଅନୁଯାୟୀ ଆଗୁଆ ପ୍ରସ୍ତୁତି କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ଦୈନିକ ଟିକାକରଣ ଦେଢ ଲକ୍ଷ ଥିବାବେଳେ, ଏହାକୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୋଭିଡର ସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ପ୍ରଦୀପ୍ତ ମହାପାତ୍ର କହିଥିଲେ ରାଜ୍ୟରେ ବର୍ତ୍ତମାନ ୮୬ ପ୍ରତିଶତ କୋଭିଡ ରୋଗୀ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ଡାକ୍ତରଖାନାରେ ୬୮ ପ୍ରତିଶତ ବେଡ ଖାଲି ରହିଛି । ରାଜ୍ୟରେ ଅକ୍‌ସିଜେନ ଯୋଗାଣ ଠାରୁ ଆରମ୍ଭ କରି ସମସ୍ତ ଆବଶ୍ୟକ ଔଷଧ ପଯ୍ୟାପ୍ତ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ମେଡିକାଲ କଲେଜ ପର‌୍ୟ୍ୟନ୍ତ ୧୧୧୪ ଡାକ୍ତର ଓ ୧୦୩୬ ସ୍ବାସ୍ଥ୍ୟକର୍ମୀଙ୍କୁ ଶିଶୁ କୋଭିଡ ରୋଗୀଙ୍କ ତାଲିମ ଆରମ୍ଭ କରାଯିବ। ଏହାସହିତ ତୃତୀୟ ଲହରର ମୁକାବିଲା ପାଇଁ ୩୦୦୦ ବେଡ୍, ୨୩୯୦ Isolation Bed , ୬୧୦ ICU Bed ପ୍ରସ୍ତୁତ ରଖାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ । ଏହାସହିତ ଜୁନ୍ ମଧ୍ୟ ଭାଗରୁ ଗଞ୍ଜାମ, କୋରାପୁଟ ଓ ରାୟଗଡା ଜିଲ୍ଲାରେ ଚତୁର୍ଥ sero survey  ଆରମ୍ଭ କରାଯିବ ଏବଂ ଏଥିରେ ପିଲାମାନଙ୍କ ବିଷୟରେ ବିଶେଷ ତଥ୍ୟ ସଂଗ୍ରହ କରାଯିବ ବୋଲି ସେ ସୂଚନା ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଅଧିକ ସଂକ୍ରମଣ ହାର ଥିବା ରାୟଗଡା, ଯାଜପୁର, ପୁରୀ ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ତଥା ଭୁବନେଶ୍ବର ଓ କଟକ ମୁନିସ୍‌ପାଲ କମିଶନର ମାନଙ୍କ ସହିତ ସ୍ଥାନୀୟ ପରିସ୍ଥିତି ସଂପର୍କରେ ପଚାରି ବୁଝିଥିଲେ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୩ ଲକ୍ଷ ୬୨ ହଜାର ୧୦୫ ଡୋଜ୍ ଟିକା ଦିଆଯାଇଛି ଏବଂ ଟିକାକରଣ କ୍ଷେତ୍ରରେ ଭୁବନେଶ୍ବର ସବୁଠାରୁ ଆଗରେ ରହିଛି ବୋଲି ଜଣାଯାଇଛି । ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ବରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ସବୁ ଲୋକଙ୍କର ଦୁଇଟି ଡୋଜ ଟିକାକରଣ ହେବା ସହିତ ୧୮ ରୁ ୪୪ ବର୍ଷ ସମସ୍ତଙ୍କ ପ୍ରଥମ ଡୋଜ ସଂପୂର୍ଣ୍ଣ ହୋଇଯିବ ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାଯ୍ୟକ୍ରମକୁ ସଂଚାଳନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ଡିଜି, ଅଗ୍ନିଶମ ସେବା ଡିଜି, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍.ପି ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ପାଣି ନମିଳିବାରୁ ଶୋଷରେ ଛଟପଟ ହୋଇ ୫ ବର୍ଷର ଝିଅର ଗଲା ଜୀବନ: ଅଚେତ ହେଲେ ଜେଜେମା’

ନୂଆଦିଲ୍ଲୀ: ପାଣି ପାଇଁ ୫ ବର୍ଷର ଶିଶୁ କନ୍ୟାଟିର ଛଟପଟ ହୋଇ ଜୀବନ ଚାଲିଯାଇଛି। ଏହା ସହ ଝିଅଟିର ଜେଜେମା’ ମଧ୍ୟ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରାଜସ୍ଥାନର ଜାଲୋର ଜିଲ୍ଲାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଜାଲୋର ଜିଲ୍ଲା ଅନ୍ତର୍ଗତ ରାଣୀୱାଡ ଗ୍ରାମର ସୁଖୀ ନାମକ ଜଣେ ମହିଳା ଏବଂ ତାଙ୍କର ନାତୁଣୀ ମଞ୍ଜୁ (୫ ବର୍ଷ) ରୋଡ଼ା ଗାଁର ସମ୍ପର୍କୀୟଙ୍କ ଘରକୁ ଚାଲି ଚାଲି ଯାଉଥିଲେ। ରାସ୍ତାରେ ଉଭୟଙ୍କୁ ଶୋଷ ଲାଗିଥିଲା। କିନ୍ତୁ ପାଖାପାଖି ଅଞ୍ଚଳରେ ସେମାନଙ୍କୁ ପାଣି ମିଳିଲା ନାହିଁ। ଫଳରେ ଉଭୟ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ କିଛି ଲୋକ ଉଭୟଙ୍କୁ ଅଚେତ ଅବସ୍ଥାରେ ଦେଖି ତୁରନ୍ତ ଗାଁର ସରପଞ୍ଚଙ୍କୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା।

ସେଠାରେ ପୋଲିସ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇ ଦେଇଥିଲା। ହେଲେ ଡାକ୍ତର ମଞ୍ଜୁକୁ ମୃତ୍ୟୁ ଘୋଷିତ କରିଥିବା ବେଳେ ମହିଳା ଜଣଙ୍କ ଡିହାଇଡ୍ରେସନ ଯୋଗୁଁ ଅଚେତ ହୋଇଯାଇଥିଲେ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଡାକ୍ତରଖାନାକୁ ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ କଲେ ଓଡିଶା ସାମ୍ବାଦିକ ୟୁନିୟନ ରେଢାଖୋଲ ଶାଖା

କନ୍ଦର୍ପ ବେହେରା
ନାକଟିଦେଉଳ: ରେଢାଖୋଲ ଡାକ୍ତରଖାନାକୁ ଓଡିଶା ସାମ୍ବାଦିକ ୟୁନିୟନ ତରଫରୁ ଏକ ଅକ୍ସିଜେନ୍ କନସେନ ଟ୍ରେଟର ପ୍ରଦାନ କରାଯାଇଛି। ନାକଟିଦେଉଳ ଅଂଚଳରେ ଯେଉଁ ରୋଗୀମାନେ ଅମ୍ଳଜାନ ପାଇପାରିବେ ନାହିଁ ସେମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ସାମ୍ବାଦିକ ସଂଘର ସଭାପତି ରମାକାନ୍ତ ମହାନନ୍ଦ ପ୍ରକାଶ କରିଛନ୍ତରି।

ସଂଘ ତରଫରୁ ନାକଟିଦେଉଳ ଡାକ୍ତରଖାନାର ଅଧିକ୍ଷକ ଡା. ଅମୂଲ୍ୟରତ୍ନ ମହନ୍ତ ଓ ଡାକ୍ତର ମାନସ ଉଦୟ ରଞନ ସାହୁଙ୍କୁ ଅକ୍ସିଜେନ୍ କନରେନ୍‌ଟ୍ରେଟର ପ୍ରଦାନ କରାଯାଇଥିଲା। ଏହି ପ୍ରଦାନ ଦିବସରେ ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁ ଉପସ୍ଥିତ ରହି ସାମ୍ବାଦିକ ସଂଘର ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ବାସୁ ଫାଉଣ୍ଡେସନ୍, ବ୍ରଜରାଜନଗର ତରଫରୁ କରୋନା ରୋଗୀମାନଙ୍କ ଅଧିକ ସୁବିଧା ପାଇଁ ଅକ୍ସିଜେନ୍ ବ୍ୟାଙ୍କର ସୁବିଧା କରାଯିବ ବୋଲି ସଂଘକୁ ଦାୟିତ୍ୱ ଦିଆଯାଇଛି ବୋଲି ସଂଘ ତରଫରୁ ସୂଚନା ଦିଆଯାଇଥିଲା।

ରେଢାଖୋଲ ଓୟୁଜେ ଶାଖାର ସଭାପତି ରମାକାନ୍ତ ମହାନନ୍ଦ , ସଂପାଦକ କନ୍ଦର୍ପ ବେହେରା ଉପସଭାପତି ଜୟନ୍ତ ଖଡିରତ୍ନ, ଶଙ୍କର ପୃଷ୍ଟି, ଜିତେନ୍ଦ୍ର କୁମାର ସାହୁ, ରବିନ୍ଦ୍ର ପ୍ରଧାନ, ଶରତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ସାମ୍ବାଦିକ କନ୍ଦର୍ପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଚିଲିକା କରୋନା ଅପଡେଟ୍: ତଳ ମୁହାଁ ସଂକ୍ରମଣ, ବଢୁଛି ସୁସ୍ଥହାର, ଆସନ୍ତାକାଲି ଦିଆଯିବ ୭ଶହ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଲଗାତାର ଭାବେ ନିମ୍ନଗାମୀ ହେଉଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨୫ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୬ ଜଣ, ଚିଲିକା ବ୍ଲକରେ ୧୨ ଜଣ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୫ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୩ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୫ ଜଣ, ଚିଲିକା ବ୍ଲକରୁ ୧୨ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୨୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୪ ଜଣ, ଚିଲିକା ବ୍ଲକରେ ୬୫ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୪୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ ଟୀକାକରଣ ଚାଲୁ ରହିବ। ବାଣପୁର ମାଇନର ସ୍କୁଲ, ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସୁନାଖେଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଆସନ୍ତାକାଲି ୧୦୦ ଗୋଟି ଲେଖାଏଁ ୪୦୦ ଟି ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ।

ସେହିଭଳି ବାଲୁଗାଁ ଉଚ୍ଚ ବିଦ୍ୟାଳୟ, ନଈରୀ ଏବଂ ଜରିପଡା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୦ ଗୋଟି ଲେଖାଏଁ ୩୦୦ ଟି ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ। ତେବେ ପ୍ରଥମ ଡୋଜ ନେବାର ୮୪ ଦିନ ବିତିଯାଇଥିବା ନାଗରିକମାନେ ଦ୍ଵିତୀୟ ଡୋଜ ଟୀକା ନେଇପାରିବେ ବୋଲି ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୬୬୧: ସୁସ୍ଥ ହେଲେ ୧୩୫୭ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୬୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୬୬୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫୦୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୫୭୦ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୩୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୭୩ ହଜାର ୯୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ ହଜାର ୨୨୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୬୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮ ହଜାର ୮୩୬ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮ ହଜାର ୮୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୦୯୫, କଟକରୁ ୯୫୬, ସୁନ୍ଦରଗଡରୁ ୫୯୦, ଯାଜପୁରରୁ ୪୯୯, ଅନୁଗୁଳରୁ ୪୯୦, ଭଦ୍ରକରୁ ୪୬୨, ମୟୂରଭଞ୍ଜରୁ ୪୫୩, ପୁରୀରୁ ୪୦୫, କେନ୍ଦ୍ରାପଡାରୁ ୩୮୪, ବୌଦ୍ଧରୁ ୩୧୦, କଳାହାଣ୍ଡିରୁ ୩୧୦, ବରଗଡରୁ ୨୭୬, ନୟାଗଡରୁ ୨୭୩, ଜଗତସିଂହପୁରରୁ ୨୪୨, କୋରାପୁଟରୁ ୨୦୬, ନବରଙ୍ଗପୁରରୁ ୧୯୭, କେନ୍ଦୁଝରରୁ ୧୯୬, ସୋନପୁରରୁ ୧୪୦, ସମ୍ବଲପୁରରୁ ୧୨୬, ବଲାଙ୍ଗୀରିରୁ ୧୧୮, ଝାରସୁଗୁଡାରୁ ୧୦୮, ଗଞ୍ଜାମରୁ ୧୦୫, ମାଲକାନାଗିରିରୁ ୧୦୪, ବାଲେଶ୍ବରରୁ ୧୦୧, ଢେଙ୍କାନାଳାରୁ ୯୦,ଗଜପତିରୁ ୮୬, କନ୍ଧମାଳରୁ ୮୬, ରାୟଗଡାରୁ ୮୫, ଦେବଗଡରୁ ୬୪, ନୂଆପଡାରୁ ୫୨ ଏବଂ ଷ୍ଟେଟ ପୁଲରୁ ୨୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୭ ଲକ୍ଷ ୫୬ ହଜାର ୬୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୨୫ ହଜାର ୧୧୦ କୁ ବୃଦ୍ଧି ହୋଇଥିବାବେଳେ  ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୫ ହଜାର ୩୩୬ ଜଣ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ଗଣପର୍ବ ରଜକୁ ଭୁଲ ନ ଲେଖିବା ପାଇଁ ଆରମ୍ଭ ହେଲା ସୋସିଆଲ ମିଡିଆ କ୍ୟାମ୍ପେନ

ଭୁବନେଶ୍ବର, ଓଡିଶାର ଗଣପର୍ବ ହେଉଛି ରଜ। ଏହା କାହିଁ କେଉଁ କାଳରୁ ଓଡିଶାର ସଂସ୍କୃତି ସହିତ ଜଡିତ ହୋଇ ରହିଛି। ହେଲେ ଏହି ପର୍ବର ବନାନକୁ ନେଇ ଗତ କିଛି ବର୍ଷ ଧରି ଭୁଲ ଲେଖାଯାଉଛି। ଯାହାକୁ ନେଇ ସ୍ବର ଉଠାଇଛନ୍ତି ସାମ୍ବାଦିକ ସୌମ୍ୟା ପରିଡା ଏବଂ ସ୍ତମ୍ଭକାର ରୁଦ୍ର ପ୍ରସାଦ ରଥ। ଗତ ତିନି ବର୍ଷ ଧରି ସେମାନେ ସୋସିଆଲ ମିଡିଆରେ ଏହି କ୍ୟାମ୍ପନ କରୁଛନ୍ତି।

କେତେକ ସଂସ୍ଥା ସେମାନଙ୍କର ରଜ ସମୟର ବିଜ୍ଞାପନରେ ରଜୋ ଲେଖି ପ୍ରକାଶିତ କରିଥାନ୍ତି। ଏହାକୁ ଦେଖି ଅନେକ ମଧ୍ୟ ସେହି ରଜୋ ଶଦ୍ଦକୁ ବ୍ୟବହାର କରିଥାନ୍ତି। ଏହାର କାରଣରେ କୁହାଯାଉଛି ଯେ ରଜକୁ ଅନେକ ଇଂରାଜୀରେ Rajo ବୋଲି ଲେଖିଥାନ୍ତି। ତାହା ଓଡିଆରେ ରଜୋ ବୋଲି ଉଚ୍ଚାରଣ ହୋଇଥାଏ । ସେଥିପାଇଁ ଯେଉଁମାନେ ଓଡିଆ ସଂସ୍କୃତି ସହିତ ପରିଚିତ ନ ଥାନ୍ତି ସେମାନେ ଏହାକୁ ରଜୋ ବୋଲି ଲେଖିଥାନ୍ତି। ତେବେ ଏହା ସଂପୂର୍ଣ୍ଣ ଭୁଲ ଶଦ୍ଦ। ସେଥିପାଇଁ ରଜକୁ ରଜୋ ନ ଲେଖିବା ପାଇଁ ଉଭୟ ଏହି ରଜ ସମୟରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି।

Categories
ଆଞ୍ଚଳିକ

ମଣିଜଙ୍ଗା ବଜାରରେ ଅଜଣା ମାନସିକ ବିକୃତ ବ୍ୟକ୍ତିଙ୍କୁ ସହାୟ ହେଲେ ଔଷଧ ଦୋକାନୀମାନେ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ମଣିଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଗେଟ୍ ନିକଟସ୍ଥ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତା କଡରେ ଉଲଗ୍ନ ହୋଇ ବସିଥିବା ଜଣେ ଅଜଣା ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ସହାୟ ହେଲେ ସ୍ଥାନୀୟ ଔଷଧ ଦୋକାନୀମାନେ। ନୂଆକରି ମଣିଜଙ୍ଗା ବଜାରରେ ବୁଲୁଥିବା ଏହି ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଜଣକ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟସ୍ଥ କଟକ-ପାରାଦ୍ବୀପ ରାସ୍ତା କଡରେ ଉଲଗ୍ନ ହୋଇ ମୁର୍ମୁଷ ଅବସ୍ଥାରେ ବସିଥିବା ବେଳେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିବା ଦେଖି ସ୍ଥାନୀୟ କିଛି ଔଷଧ ଦୋକାନୀ ସାଇ ମେଡିସିନ୍ ଷ୍ଟୋର୍ ଦେୱାନ ନାଥ, ଜଗନ୍ନାଥ ମେଡିସିନ୍ ଷ୍ଟୋର୍ ପ୍ରିତମ୍ ରାୟ(ଟୁବୁ),ମହାବୀର ମେଡ଼ିସିନ୍ ଷ୍ଟୋର୍ ମନୋଜ୍ ସାହୁ, ସ୍ୱସ୍ଥି ମେଡ଼ିସିନ୍ ଷ୍ଟୋର୍ ସଞ୍ଜିତ୍ ରାୟ, ପ୍ରଦ୍ୟୁମ୍ନ ପଶାୟତ୍ ପ୍ରମୁଖ ଦୁଃଖ ପ୍ରକାଶ କରିବା ସହିତ ଉଲଗ୍ନ ହୋଇ ବସିଥିବା ଉକ୍ତ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିକୁ କିଛି ବସ୍ତ୍ର ଆଣି ପିନ୍ଧାଇଦେବା ସହିତ ଖାଦ୍ୟ ପାନୀୟର ବ୍ୟବସ୍ଥା କରିଥିଲେ।

ଏଥିସହିତ ଲକଡାଉନ୍ ସମୟରେ ଏପରି ଅସହାୟ ଅବସ୍ଥାରେ ଘୁରି ବୁଲୁଥିବା ମାନସିକ ବିକାରଗ୍ରସ୍ଥ ମାନଙ୍କୁ ସରକାରଙ୍କ ପକ୍ଷରୁ ଥଇଥାନର ବ୍ୟବସ୍ଥା କରାଯିବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଉଠା ଦୋକାନୀ ମହାସଂଘ

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ୍ ପାଣ୍ଠିରୁ କରୋନାର ଦ୍ୱିତୀୟ ଲହରରେ କ୍ଷତିଗ୍ରସ୍ତ ହୋଇଥିବା ସହରାଞ୍ଚଳ ଉଠାଦୋକାନୀ ମାନଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଥିବାରୁ ଓଡ଼ିଶା ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ କହିଛନ୍ତି ଯେ, ଫନି ସମୟରେ ଉଠାଦୋକାନୀମାନଙ୍କୁ ୧୦ ହଜାର ଟଙ୍କା, କରୋନାର ପ୍ରଥମ ଲହରରେ ଉଠାଦୋକାନୀମାନଙ୍କୁ ୩ ହଜାର ଟଙ୍କା ପ୍ରଦାନ କରିଥିଲେ । ଏବେ କରୋନାର ଦ୍ୱିତୀୟ ଲହରରେ ୮୭ ହଜାର ୬ଶହ ୫୬ଜଣ ଉଠାଦୋକାନୀ ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ପାଇଁ ଘୋଷଣା କରିଛନ୍ତି । ଏଥିପାଇଁ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ପୋଲିସ ଏବଂ ଅବକାରୀ ବିଭାଗର ଚଢାଉ: ନଷ୍ଟ କରାଗଲା ୬ ହଜାର ଲିଟରରୁ ଉର୍ଦ୍ଧ୍ଵ ମଦ ପୋଚ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆ ବରବରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଦାମିଆ ବରବରାର କୋଷରଡ଼ା ଏବଂ ପ୍ରଧାନ ସାହି ଗ୍ରାମରେ ଆଜି ସକାଳ ୭ ଘଟିକାରୁ ପୂର୍ବାହ୍ନ ୧୧ ଘଟିକା ଯାଏଁ ଉକ୍ତ ଚଢ଼ାଉ ଜାରି ରହିଥିଲା।

ଖୋର୍ଦ୍ଧା ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମ ଏବଂ ବାଣପୁର ପୋଲିସ ଏସ ଆଈ ପ୍ରସନ୍ନ ଜେନାଙ୍କ ମିଳିତ ନେତୃତ୍ବରେ ଉକ୍ତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ମୋଟ ୬ ହଜାର ଲିଟର ଦେଶୀ ମଦ ପୋଚ ଏବଂ ୧୭୫ ଲିଟର ରନ୍ଧା ମଦ ଜବତ କରି ନଷ୍ଟ କରିଦିଆଯାଇଛି।

ଉକ୍ତ ଚଢାଉରେ ବାଣପୁର ଅତିରିକ୍ତ ତହସିଲଦାର ପ୍ରମୋଦ ପାଢ଼ୀ, ବାଲୁଗାଁ ଅବକାରୀ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ, ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଭୁବନେଶ୍ବର ଅବକାରୀ ସବ ଇନ୍ସପେକ୍ଟର ନାରାୟଣ ଜେନା, ଅଂଶୁମାନ ଜେନା ଏବଂ ପୋଲିସ ଫୋର୍ସ ସାମିଲ ଥିଲେ। କିନ୍ତୁ ଦେଶୀ ମଦ ବେପାରୀ ପାହାଡିଆ ଅଞ୍ଚଳର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ କରିବ ବିକ୍ଷୋଭ, ଜାଣନ୍ତୁ କେବେ ?

ଭୁବନେଶ୍ୱର, କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦୀ ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରିବାରେ ଲାଗିଛନ୍ତି। ଦେଶର କେତେକ ଅଂଚଳରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି ଓ ଜନସାଧାରଣଙ୍କୁ ଏହା ଅତ୍ୟନ୍ତ ପୀଡ଼ାଦାୟକ ହୋଇଛି, ଯାହାଦ୍ବାରା ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁରେ ପହଂଚିଛି । ଏହା ବିରୋଧରେ ପ୍ରଦେଶ କଂଗ୍ରେସ କରିବ ବିକ୍ଷୋଭ। ଆଜି ଏକ ପ୍ରେସ ବିଜ୍ଞପ୍ତିରେ କଂଗ୍ରେସ ତରଫରୁ ଏହା କୁହାଯାଇଛି।

କଂଗ୍ରେସ କହିଛି ଯେ, ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦେଶ ମୁତାବକ ଜୁନ ୧୧ ତାରିଖ ଶୁକ୍ରବାରରେ ଏହି ବିକ୍ଷୋଭ କରାଯିବ। ସେଦିନ ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସହରାଂଚଳ ଓ ଗ୍ରାମାଚଂଳର ପେଟ୍ରୋଲ ପମ୍ପ ଆଗରେ ସାଂକେତିକ ଭାବେ ଧାରଣା ଓ ବିକ୍ଷୋଭ କରାଯିବ ବୋଲି ନିଷ୍ପତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଶୋଇଥିବା ବେଳେ ସର୍ପାଘାତ: ୨ ନାବାଳିକା ଭଉଣୀଙ୍କ ଗଲା ଜୀବନ

କନ୍ଦର୍ପ ବେହେରା
ନାକଟିଦେଉଳ: ରାତିରେ ଶୋଇଥିବା ସମୟରେ ୨ ଭଉଣୀକୁ ସାପ କାମୁଡିବା ଭଳି ଦୁଃଖଦ ଘଟଣା ଘଟିଛି କିସିଣ୍ଡା ଥାନା ହିରାଲୋଇ ଗ୍ରାମରେ।

ସୂଚନାରୁ ପ୍ରକାଶ ଯେ, କିସିଣ୍ଡା ଥାନା ହିରାଲୋଇ ଗ୍ରାମର ଆଶ୍ରିତା ସୋରେନ୍ ଙ୍କ ଝିଅ ଲଳିତା ସୋରେନ୍ (୯ବର୍ଷ), ଓ ଶୁଶ୍ମିତା ସୋରେନ୍ (୧୧ବର୍ଷ) ରାତିରେ ଶୋଇଥିବା ବେଳେ କୈାଣସି ଏକ ବିଷଧର ସାପ ୨ ଭଉଣୀକୁ କାମୁଡି ଦେଇଥିଲା। ରାତି ସମୟରେ ଗାଡିର ସୁବିଧା ହୋଇ ନ ପାରିବାରୁ ସେମାନେ ଡାକ୍ତରଖାନକୁ ନେବାରେ ବିଳମ୍ବ ହେବାରୁ ୨ ଭଉଣୀ ମୃତ୍ୟୁ ବରଣ କରିଥିଲେ। ସକାଳୁ ସକାଳୁ ରେଢାଖୋଲ ଡାକ୍ତରଖାନାକୁ ଆଣିଥିଲେ।

ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସରକାରଙ୍କ ତରଫରୁ ଆବଶ୍ୟକ ସାହାଯ୍ୟ ପ୍ରଦାନ କରାଯିବ ବୋଲି ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଚିକିତ୍ସା ସମୟରେ ରୋଗୀଙ୍କୁ ନିଜର କରିନିଅନ୍ତି ସମ୍ କୋଭିଡ୍ ଓ ସମ୍ ଅଲ୍ଟିମେଟ୍ ମେଡିକେୟାର ଟିମ୍

ଭୁବନେଶ୍ୱର: ପରିବାରର କେହି କରୋନା ସଂକ୍ରମିତ ହୋଇଗଲେ ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟତିବ୍ୟସ୍ତ ହୋଇଉଠୁଛୁ। ଏହି ଅଦୃଶ୍ୟ ଶତ୍ରୁ ଦ୍ୱାରା କବଳିତ ହେବା ପରେ ସେହି ଆତ୍ମିୟ ଜଣଙ୍କ ପାଖରେ ଯଦି କେହି ନିଜ ଲୋକ ରହିପାରିବା ସମ୍ଭବପର ନ ହୁଏ, ତେବେ ଉଭୟ ସଂକ୍ରମିତ ଏବଂ ପରିବାର ସଦସ୍ୟଙ୍କ ମନୋବଳ ଭାଙ୍ଗିପଡ଼ିଥାଏ। ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ପରିବାର ବର୍ଗ ବିବ୍ରତ ହୋଇପଡ଼ନ୍ତି।

ତେବେ ସଂକ୍ରମିତ ବ୍ୟକ୍ତିଙ୍କର ପରିବାର ଲୋକେ ରାଜ୍ୟ ବାହାରେ ଥାଆନ୍ତୁ ଅଥବା ଦେଶ ବାହାରେ ସେମାନଙ୍କର ଚିକିତ୍ସା ଏବଂ ଯତ୍ନ ଖୁବ ସୁଚାରୁରୂପେ ତୁଲାଇଥାନ୍ତି ସମ୍ କୋଭିଡ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ ମେଡିକେୟାର। ଖାଲି ସେତିକି ନୁହେଁ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ନିରନ୍ତର ସଂପୃକ୍ତ ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିବା ସହ ଭିଡିଓ କଲ୍ ଦ୍ୱାରା ପରିବାର ସହ ଯୋଡିଥାନ୍ତି।

ଗତ ଏପ୍ରିଲ୍ ମାସ ୨୬ ତାରିଖରେ କରୋନା ସଂକ୍ରମିତ ହୋଇ ମେ ୫ ତାରିଖରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ ପ୍ରଦୀପ କୁମାର ମାଧୁପ୍। ରେଳ ବିଭାଗ ଅଧିନସ୍ଥ ରାଇଟ୍‌ସ ର ଏହି ବରିଷ୍ଠ ଅଧିକାରୀ ଶ୍ରୀ ମାଧୁପ୍ ଝାରସୁଗୁଡାରେ କାର୍ଯ୍ୟରତ ଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ। ସ୍ୱାସ୍ଥ୍ୟାବସ୍ଥା ବିଗିଡି ବାରୁ ତାଙ୍କୁ ପ୍ରଥମେ ଏମ୍‌ସିଏଲ୍ ହସ୍ପିଟାଲ୍ ଏବଂ ପରେ ସମ୍ କୋଭିଡ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା।

କିନ୍ତୁ ତାଙ୍କ ଅବସ୍ଥା ସମ୍ପର୍କରେ ଅଧିକ ଜାଣିବା ପାଇଁ ତାଙ୍କ ପାଖରେ ତାଙ୍କର ପରିବାର ନଥିଲେ। କାରଣ ତାଙ୍କ ପତ୍ନୀ ଏବଂ ପିଲାମାନେ ମଧ୍ୟ କରୋନା ସଂକ୍ରମିତ ହୋଇ ଓଡ଼ିଶା ବାହାରେ ଚିକିତ୍ସିତ ହେଉଥିଲେ। ସିଂଗାପୁରରେ ଥିବା ତାଙ୍କ ସମ୍ପର୍କୀୟ ସମ୍ କୋଭିଡ ହସ୍ପିଟାଲ୍ ସହ ଯୋଗାଯୋଗ କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସର୍ମ୍ପକରେ ହେଲ୍‌ପ୍ ଡେସ୍କ ଟିମ୍ ସମସ୍ତ ତଥ୍ୟ ନିୟମିତ ଭାବେ ପ୍ରଦାନ କରୁଥିଲେ ଏବଂ ଡାକ୍ତର ଓ ନର୍ସମାନେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ସୁଧାରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ।

ଦୀର୍ଘ ୧୨ ଦିନ ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ତାଙ୍କୁ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ପଲ୍‌ମୁନାରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ୍ ଓ କ୍ରିଟିକାଲ କେୟାର ୟୁନିଟ୍‌ର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ
ତତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଇଥିଲା। ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୋମବାର ସମ୍ ଅଲ୍ଟିମେଟ୍‌ରୁ ଡିସ୍‌ଚାର୍ଜ ହୋଇ ନିଜ ଘର ବିହାରର ପାଟନାକୁ ଫେରିଯାଇଛନ୍ତି।

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ସମୟରେ ଶ୍ରୀ ମଧୁପ୍ ଭାବବିହ୍ୱଳ ହୋଇପଡିଥିଲେ। ସେ କହିଛନ୍ତି ମୁଁ ସମ୍ କୋଭିଡ୍ ହସ୍ପିଟାଲ୍‌କୁ ଆସିବା ବେଳେ ମୋ ପାଖରେ କେହି ନଥିଲେ। ମୋ ପରିବାର ମୋ ଠାରୁ ବହୁ ଦୂରରେ ଥିଲେ। କିନ୍ତୁ ଦୁଇଟି ହସ୍ପିଟାଲ୍‌ର, ସମ୍ କୋଭିଡ ଓ ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସେବା, ଯତ୍ନ, ସାହାଯ୍ୟ ଓ ସହଯୋଗ ଫଳରେ ମୁଁ ନୂଆ ଜୀବନ ପାଇ ଆଜି ଘରକୁ ଫେରିପାରୁଛି।

ସେହିପରି ସିଂଗାପୁରରେ ଥିବା ତାଙ୍କ ସମ୍ପର୍କୀୟ ଶ୍ରୀ କୁମାର ଆନନ୍ଦ ମଧ୍ୟ ଏ ନେଇ ଆନ୍ତରିକ କୃତଜ୍ଞତା ଜଣାଇବା ସହ ବିଶେଷ ଭାବେ ସମ୍ କୋଭିଡ ହସ୍ପିଟାଲ୍‌ର ହେଲ୍‌ପ୍ ଡେସ୍କ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି।

ସେହିପରି ଗତ ଏପ୍ରିଲ୍ ୨୭ ତାରିଖରେ ପ୍ରିୟମ୍ବଦା ଦାସ (୫୯) ନାମକ ଜଣେ ମହିଳା କୋଭିଡ ସଂକ୍ରମିତ ହେବା ପରେ ପ୍ରଥମେ ସମ୍‌ କୋଭିଡ୍ ହସ୍ପିଟାଲ୍ ଏବଂ ପରବର୍ତ୍ତୀ ସମୟରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି ହୋଇଥିଲେ। ସେ ମଧ୍ୟ ଗତ ମେ ୫ ତାରିଖରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରିୟମ୍ବଦା ସଂକ୍ରମିତ ହେବା ପରେ ମେଲ୍‌ବୋର୍ଣ୍ଣରେ ଥିବା ତାଙ୍କ ପୁଅ ସମ୍ଭବ ଦାସ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟସ୍ତ ହୋଇପଡ଼ିଥିଲେ।

ସୁଦୂର ଅଷ୍ଟ୍ରେଲିଆରେ ଥିବା ପୁଅ ମା ପାଖକୁ ଆସି ପାରୁନଥିବାରୁ ଦୁଃଖରେ ଥିବା ବେଳେ ମା ସୁସ୍ଥ ହୋଇ ଘରକୁ ଫେରିବା ପରେ ଦୁଇଟି ହସ୍ପିଟାଲ୍‌ର ସମସ୍ତ ସ୍ୱାସ୍ଥ୍ୟସେବା କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି।