Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଗ୍ରୀଡ଼କୋ କାର୍ଯ୍ୟାଳୟ ଘେରାଉ କରିବ ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ବିଜୁଳିକାଟ ଜନିତ ଯନ୍ତ୍ରଣାରୁ ମୁକ୍ତ କରିବା ଓ ଅବିଚାରିତ ବିଦ୍ୟୁତ ଦେୟର ପରିଣାମ ହ୍ରାସ କରିବା ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆସନ୍ତାକାଲି ସୋମବାର ଦିନ ୧୧ ଘଟିକା ସମୟରେ ଭୁବନେଶ୍ଵରସ୍ଥ ଗ୍ରୀଡ଼କୋ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦେଶ କଂଗ୍ରେସ ତରଫରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯିବାର ନିଷ୍ପତି ନିଆଯାଇଛି ।

ଜନସାଧାରଣଙ୍କ ସ୍ଵାର୍ଥ ଦୃଷ୍ଟିରୁ ଆସନ୍ତା ୧୯ ତାରିଖ ଗ୍ରୀଡ଼କୋ କାର୍ଯ୍ୟାଳୟ ଘେରାଉ କାଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ,ଦଳର ସମସ୍ତ ଛାମୁଆ ସଂଗଠନ ଏବଂ ପ୍ରକୋଷ୍ଠ ଓ ବିଭାଗର ସମସ୍ତ କର୍ମକର୍ତ୍ତାଙ୍କୁ ଯୋଗଦେବା ପାଇଁ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ନିବେଦନ କରିଛନ୍ତି। ଏହି ଅବସରରେ ଶ୍ରୀଯୁକ୍ତ ପଟ୍ଟନାୟକ ଜନସାଧାରଣଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ କାଟ ବିରୋଧରେ ଗ୍ରୀଡକୋ ଅଫିସ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର: ବାରମ୍ବାର ବାରମ୍ବାର ବିଦ୍ୟୁତ କାଟ ଏବଂ ଅହେତୁକ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୯ ଜୁନରେ ପ୍ରଦେଶ କଂଗ୍ରେସର ରାଜ୍ୟ ଗ୍ରିଡ଼କୋ ଅଫିସ ସମ୍ମୁଖରେ ବିକ୍ଷୋଭ କରିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପ୍ରଦେଶ ସଭାପତି ଶରତ ପଟ୍ଟନାୟକ।

ଦଳ କହିଛି ଯେ, ସାମାନ୍ୟ ଟିକେ ଖରାଦିନିଆ ମେଘ ପବନ ହେଲେ ରାଜଧାନୀରେ ୬ ଘଣ୍ଟାରୁ ୮ ଘଂଟା ଅନ୍ଧାରରେ ରହୁଛି । ରାଜ୍ୟ ସରକାର ବିଦ୍ୟୁତ ଭିତ୍ତିଭୂମି ପାଇଁ ୨୦୦୦ କୋଟି ଟଙ୍କା ଦେଇଥିଲେ। ତାହା କେଉଁଥିରେ ଖର୍ଚ୍ଚ କରାଗଲା ନା ହାତ ଚିକ୍କଣ କରାଗଲା ବୋଲି ସେ କଟୁ ସମାଲୋଚନା କରିଛନ୍ତି ସଭାପତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

Categories
ବିଶେଷ ଖବର

“ମା, ପୁଅ ଏବଂ ଝିଅର ପାର୍ଟି”: କଂଗ୍ରେସକୁ ଟାର୍ଗେଟ କଲେ ବିଜେପି ସଭାପତି ଜେପି ନଡ୍ଡା

ଶିମଲା: ଭାରତୀୟ ଜନତା ପାର୍ଟି ସଭାପତି ଜେ ପି ନଡ୍ଡା ଆଜି କଂଗ୍ରେସ ଉପରେ ଆକ୍ରମଣ କରି ଏହାକୁ “ମା, ପୁଅ ଏବଂ ଝିଅ” ର ଏକ “ବଂଶବାଦ” ପାର୍ଟି ବୋଲି କହିଛନ୍ତି, ଯାହାର କୌଣସି ଆଦର୍ଶ ନାହିଁ ଏବଂ କ୍ଷମତା ପାଇବା ପାଇଁ ଆପୋଷ ବୁଝାମଣା କରୁଛି। ସେ କହିଛନ୍ତି ଯେ, ଗୋଟିଏ ପଟେ କର୍ମୀ ଭିତ୍ତିକ ବିଜେପି ଏବଂ ଅନ୍ୟ ପଟେ ପରିବାର ଭିତ୍ତିକ ଅଣ-ବିଜେପି ଦଳ ଅଛି। ଶ୍ରୀ ନଡ୍ଡା କହିଛନ୍ତି ଯେ ସେବା, ଉତ୍ତମ ଶାସନ ଏବଂ ଜନ କଲ୍ୟାଣ ଉପରେ ତାଙ୍କ ଦଳର ଧ୍ୟାନ ରହିଛି।

ବିଜେପି ସଭାପତି ନିଜ ରାଜ୍ୟ ଗସ୍ତରେ ତିନି ଦିନିଆ ଗସ୍ତରେ ଅଛନ୍ତି। ସେ କାଙ୍ଗଡା ଜିଲ୍ଲାର ନୁରପୁର ଏବଂ ପାଲାମପୁରରେ ପାର୍ଟି କାର୍ଯ୍ୟାଳୟର ଉଦଘାଟନ କରିବା ପରେ ଏକ ରାଲିରେ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ, ବିଜେପି ଏହାର ଆଦର୍ଶଗତ ସ୍ଥିତିକୁ କେବେ ବି ଦୁର୍ବଳ କରି ନାହିଁ ଏବଂ ଦଳ ନେତୃତ୍ୱାଧୀନ ସରକାର ଜମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ କରି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି, ଭାରତକୁ ମନୋନୀତ ଦେଶ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ପରମାଣୁ ପରୀକ୍ଷଣ କରିଛନ୍ତି। ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତି।

ବିରୋଧୀ ଦଳକୁ ଟାର୍ଗେଟ କରି ଶ୍ରୀ ନଡ୍ଡା କହିଛନ୍ତି ଯେ, ସେମାନେ ଅଭାବୀ ଲୋକଙ୍କ ନିକଟରେ ପହଞ୍ଚନ୍ତି ନାହିଁ। କଂଗ୍ରେସକୁ ‘ମା, ପୁଅ ଏବଂ ଝିଅ’ର ଏକ ଦଳ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ, କ୍ଷମତା ହାସଲ କରିବା ପାଇଁ ଏହାର କୌଣସି ଆଦର୍ଶ ନାହିଁ ଏବଂ ବିପରୀତ ଚିନ୍ତାଧାରାର ଦଳ ସହ ଆପୋଷ ବୁଝାମଣା କରୁଛି। ବିଦେଶ ଗସ୍ତ ସମୟରେ ଦେଶ ବିଷୟରେ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ବିଜେପି କର୍ମୀଙ୍କୁ ଆହ୍ଵାନ କରି ଶ୍ରୀ ନଡ୍ଡା କହିଛନ୍ତି ଯେ, ବିଜେପି ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳ ଭାବରେ ଉଭା ହୋଇଛି। ବିଜେପି ଶାସନ କାଳରେ ବିକାଶ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ କାର୍ଯ୍ୟକାରୀ କରାଯାଇଛି, ଦୃଢ ନିଷ୍ପତ୍ତି ନିଆଯାଇଛି।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ରାଜ୍ୟ ବିଜେପି ସଭାପତି ଡକ୍ଟର ରାଜୀବ ବିନ୍ଦଲ, ରାଜ୍ୟ ବିଧାନସଭାରେ ବିରୋଧୀ ଦଳର ନେତା ଜୟରାମ ଠାକୁର ଏବଂ ହିମାଚଳ ପ୍ରଦେଶରେ ଦଳର ପ୍ରଭାରୀ, ସହ-ପ୍ରଭାରୀ ଅବିନାଶ ରାୟ ଖାନ୍ନା ଏବଂ ସଞ୍ଜୟ ଟଣ୍ଡନ ମଧ୍ୟ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ମିଶିଲା ବଜରଙ୍ଗ ସେନା

ଭୋପାଳ: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ହିନ୍ଦୁବାଦୀ ସଂଗଠନ ବଜରଙ୍ଗ ସେନା ମଙ୍ଗଳବାର ଦିନ କଂଗ୍ରେସ ସହ ମିଶିଛି। ବଜରଙ୍ଗ ସେନା ଅଭିଯୋଗ କରିଛି ଯେ, ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟର ଜନାଦେଶକୁ ବିଶ୍ୱାସଘାତକତା କରି କ୍ଷମତାକୁ ଆସିଥିଲା ​​ଏବଂ ରାସ୍ତାରୁ ଦୂରେଇ ଯାଇଛି। ପୂର୍ବତନ ମନ୍ତ୍ରୀ ଦୀପକ ଯୋଶୀଙ୍କ ଘନିଷ୍ଠ ବଜରଙ୍ଗ ସେନା (ବିଏସ) ର ନେତା। ଜୋଶୀ କଂଗ୍ରେସରେ ଯୋଗଦେବା ପାଇଁ ବିଜେପି ଛାଡିଥିଲେ।

ଏହି ମିଶ୍ରଣ କଂଗ୍ରେସର ମଧ୍ୟପ୍ରଦେଶର ସଭାପତି କମଲ ନାଥଙ୍କ ଉପସ୍ଥିତିରେ ହୋଇଥିଲା। ଏହି ମିଶ୍ରଣକୁ ବିଏସ ରାଷ୍ଟ୍ରୀୟ ସଭାପତି ରଜନୀଶ ପଟେରିଆ ଏବଂ ସଂଯୋଜକ ରଘୁନନ୍ଦ ଶର୍ମା ଘୋଷଣା କରିଛନ୍ତି। ଏହି ଅବସରରେ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ। ବଜରଙ୍ଗ ସେନାର ସଦସ୍ୟମାନେ କମଲ ନାଥଙ୍କୁ ଗଦା ଏବଂ ସ୍ମୃତି ଚିହ୍ନ ଭେଟ କରିଥିଲେ ଏବଂ ‘ଜୟ ଶ୍ରୀ ରାମ’ର ସ୍ଲୋଗାନ ଦେଇଥିଲେ।

ଏହି ମିଶ୍ରଣକୁ ସ୍ୱାଗତ କରି କମଲ ନାଥ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଖାଲି ଘୋଷଣା କରୁଛନ୍ତି। ସେ ଦାବି କରିଛନ୍ତି ଯେ, ‘ଶିବରାଜ ଏପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଘୋଷଣା କରିଛନ୍ତି ଯାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଶିବରାଜଙ୍କ ବର୍ତ୍ତମାନ ମହିଳା, ଯୁବକ ଏବଂ କର୍ମଚାରୀଙ୍କ ମନ ପଡୁଛି।

ସେ କହିଛନ୍ତି ଯେ, ଏଥର ଲୋକମାନେ ଘୋଡା କାରବାର ମାଧ୍ୟମରେ କ୍ଷମତାକୁ ଆସିଥିବା ବିଜେପିର ଶାସନକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବହୁ ସଂଖ୍ୟାରେ କଂଗ୍ରେସରେ ଯୋଗଦେଉଥିବା କର୍ମୀମାନେ ବିଜେପିର ପରାଜୟକୁ ନିଶ୍ଚିତ କରିବେ ବୋଲି କହିଛନ୍ତି। ୨୦୧୩ରେ ଛତ୍ରପୁରରେ ବଜରଙ୍ଗ ସେନା ପ୍ରତିଷ୍ଠା କରାଯାଇଥିଲା। ଏହା ଧାର୍ମିକ ଏବଂ ସାମାଜିକ ପ୍ରସଙ୍ଗରେ ଆନ୍ଦୋଳନ କରେ।

ଉଲ୍ଲେଖ ଯୋଗ୍ୟ ଯେ, ୨୦୧୩ ବିଧାନସଭା ନିର୍ବାଚନରେ ​​ମଧ୍ୟପ୍ରଦେଶର ୨୩୦ ଟି ଆସନ ମଧ୍ୟରୁ କଂଗ୍ରେସ ୧୧୪ ଟି ଜିତିଥିଲା। ୧୦୯ ଟି ଆସନ ଜିତି ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା। କଂଗ୍ରେସ ସେତେବେଳେ ସରକାର ଗଠନ କରିଥିଲା, କିନ୍ତୁ ମାର୍ଚ୍ଚ ୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ବିଧାୟକମାନେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ଏହା ପରେ ସରକାର ଭାଙ୍ଗିଯାଇଥିଲା ଏବଂ ବିଜେପି ସରକାର ଗଠନ ହେଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବୀ କଲା ପ୍ରଦେଶ କଂଗ୍ରେସ, ଜଣଙ୍କୁ ଚାକିରୀ ଦାବୀ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଶୋକସନ୍ତପ୍ତ ପରିବାରମାନଙ୍କ ପାଇଁ କଂଗ୍ରେସର ସମବେଦନା ଜ୍ଞାପନ କରିବା ସହ କର୍ତ୍ତବ୍ୟରେ ଅବହେଳା ପାଇଁ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛନ୍ତି।

ପ୍ରାଣ ହରାଇଥିବା ଓ ପଙ୍ଗୁ ହୋଇଯାଇଥିବା ପରିବାରରୁ ଜଣଙ୍କୁ ଚାକିରୀ ଦେବା ପାଇଁ ମଧ୍ୟ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ସ୍ଥାନୀୟ ବାଲେଶ୍ୱର ଓ ବାହାନଗାବାସୀ ଦେବଦୂତସାଜି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବାରୁ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।

ଲୋକସଭାର କଂଗ୍ରେସ ଦଳର ନେତା ଶ୍ରୀ ଅଧିର ରଞ୍ଜନ ଚୌଧୁରୀ, ଓଡ଼ିଶାର ଏଆଇସିସି ପ୍ରଭାରୀ ତଥା ସାଂସଦ ଡକ୍ଟର ଏ ଚେଲା କୁମାର ଓ କର୍ଣ୍ଣାଟକର ଶ୍ରମମନ୍ତ୍ରୀ ସନ୍ତୋଷ ଲାଡଙ୍କ ଦୁର୍ଘଟଣା ସ୍ଥଳକୁ ଗସ୍ତ ତଥା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀ ଏବଂ ଗୁରୁତ୍ୱର ଭାବରେ ଆହତ ହୋଇ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିବା ହେତୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।

୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ରେଳ ବିଭାଗର ୩ ଲକ୍ଷ ୧୨ ହଜାର ପଦବୀରୁ ଅଧିକ ପୂରଣ ନ ହୋଇ ପଡ଼ିରହିଛି। ତନ୍ମମଧ୍ୟରୁ ୧ଲକ୍ଷ ୪୦ ହଜାର ପଦବୀ କେବଳ ସୁରକ୍ଷା ଓ ନିରାପତା କ୍ଷେତ୍ର ପାଇଁ ଉଦ୍ଦିଷ୍ଟ। ବର୍ଷ ବର୍ଷ ଧରି ଏହି ସବୁ ଗରୁତ୍ୱପୂର୍ଣ୍ଣ ପଦବୀ କେନ୍ଦ୍ରର ବିଜେପି ସରକାର ଜାଣିସୁଣି ପୂରଣ କରୁନାହାନ୍ତି। ଗତ ଶୁକ୍ରବାର ଜୁନ ମାସ ୨ ତାରିଖ ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଯେଉଁ ମର୍ମତୁନ୍ଦ ଓ ହୃଦୟ ବିଦାରକ ରେଳ ଦୁର୍ଘଟଣା ଘଟିଲା ତାହା ହେଉଛି ଏ ଶତାବ୍ଦିର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସରକାର ଜାଣିସୁଣି ପ୍ରକୃତ ମୃତକଙ୍କ ସଂଖ୍ୟାକୁ ଲୁଚାଉଛନ୍ତି। ପ୍ରକୃତରେ ମୃତକସଂଖ୍ୟା ସକାରଙ୍କଠାରୁ ପ୍ରକାଶିତ ଢ଼େର ଅଧିକ ବୋଲି ଯେ କେହି ସ୍ୱୀକାର କରିବ। କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାର ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ନଦେବା ପାଇଁ ଶବ ଉପରେ ରାଜନୀତି କରୁଛନ୍ତି ବୋଲି ଅତି କୋଠାର ଭାଷାରେ କହିଥିଲେ।

୨୦୧୨ ମସିହା ଉପା ସରକାର ସମୟରେ ରେଳ ଦୁର୍ଘଟଣା ନିରୋଧ ଯନ୍ତାଂଶକୁ (ଆଂଟି କୋଲିଜନ ଡିଭାଇସ) କଂଗ୍ରେସ ସରକାର ସମୟରେ ବିକଶିତ କରାଯାଇଥିଲା । ପରବର୍ତୀ ୨୦୧୪ ପରେ ନରେନ୍ଦ୍ର ମୋଦି ଏହାର ନାମକୁ ପରିବର୍ତନ କରି କବଚ ବୋଲି ପ୍ରଚାରତନ୍ତ୍ର ମାଧ୍ୟମରେ ପ୍ରଚାର କରି କହିଥିଲେ କବଜ ଦ୍ୱାରା ଭାରତବର୍ଷର ରେଳ ଦୁର୍ଘଟଣା ଆଉ ହେବ ନାହିଁ । ଧନଜୀବନ କ୍ଷତି ହେବ ନାହିଁ ।

କିନ୍ତୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ୯ବର୍ଷରେ ମାତ୍ର ୩୭୩ କୋଟି ଟଙ୍କା ବଜେଟର ଅର୍ଥ ବ୍ୟୟବରାଦ କରିଛନ୍ତି କବଜର କାର୍ଯ୍ୟକାରୀ ପାଇଁ। କିନ୍ତୁ ଏ ପର୍ଯ୍ୟନ୍ତ ଇଷ୍ଟକୋଷ୍ଟ ରେଲୱେ କିମ୍ବା ଦକ୍ଷିଣ ପୂର୍ବ ରେଳ ବିଭାଗରେ ଗୋଟିଏବି ଟ୍ରାକରେ କବଜ ଲଗାଯାଇ ନାହିଁ।ଏଥିପାଇଁ ଏକଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇ ନାହିଁ।

କେନ୍ଦ୍ର ରେଳବାଇ ଓଡ଼ିଶାରୁ ମାଲପରିବହନ ଓ ଯାତ୍ରୀ ପରିବହନ କ୍ଷେତ୍ରରୁ ୨୦ ହଜାର କୋଟି ଟଙ୍କା ବାର୍ଷିକ ଆୟ କରୁଥିଲା ବେଳେ ଯାତ୍ରୀଙ୍କ ସୁରକ୍ଷା ଓ ନିରାପତା ପାଇଁ ୫ ହଜାର କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁନାହାନ୍ତି। କେବଳ ପ୍ରଚାରତନ୍ତ୍ର ଏବଂ ଗୋଦି ମିଡିଆ ମାଧ୍ୟମରେ ହଜାର ହଜାର କୋଟି ଟଙ୍କାର ବ୍ୟୟ ବରାଦର ଡାହା ମିଛ କହିଚାଲିଛନ୍ତି।

ଦୁଇ ଦିନ ପୂର୍ବରୁ ଖୋଦ ରେଳମନ୍ତ୍ରୀ ଘୋଷଣା କରି କହିଲେ ତଦନ୍ତ ଶେଷ ହେଲା, ଦୋଷୀ ଚିହ୍ନଟ ହୋଇ ସାରିଲା ଏବଂ ଦୋଷର କାରଣ କ୍ରାକର ଇଂଟରଲକିଂର ଫେଲୱର କଥା କୁହାଗଲା କିନ୍ତୁ ୮-୧୦ ଘଂଟା ନପୁରୁଣୁ ଏ କଥାକୁ ବଦଳାଇ ଦିଆଗଲା ଏବଂ ସିବିଆଇ ଦ୍ୱାର ଏହାର ତଦନ୍ତ କରାଯିବାକୁ କେନ୍ଦ୍ର ସରକାର ନିଷ୍ପତି ନେଲେ ବୋଲି ଘୋଷଣା କରାଗଲା।

ଭାରତବର୍ଷର ଇତିହାସରେ ରେଳଦୁର୍ଘଟଣାରେ ପ୍ରଥମଥର ପାଇଁ ସିବିଆଇକୁ ଇନକ୍ୱାରୀ କରିବାକୁ ଦିଆଯାଉଛି। ଏଥିରେ କ’ଣ କ୍ରାଇମ ରହିଛି? ଏ କ୍ରାଇମ ସିଣ୍ଡିକେଟ ବାବଦରେ ମନ୍ତ୍ରୀଙ୍କ ପାଖରେ କିଛି ତଥ୍ୟ ରହିଛି କି? ଜାଣିସୁଣି ଏ ଦୁର୍ଘଟଣାର ମୁଖ୍ୟ ଦୋଷୀ ଏବଂ କାରଣକୁ ଚପାଇଦେବା ଉଦ୍ଦେଶ୍ୟରେ ଏହା ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କର ଏକ ବୃହତ ଷଡ଼ଯନ୍ତ୍ର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ ଦାବି କରି କହିଛନ୍ତି ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବା ସହିତ ମୃତକଙ୍କ ପରିବାର ତଥା ଗୁରୁତ୍ୱର ଆହତ ଓ ପଙ୍ଗୁ ପରିବାରଙ୍କୁ ସରକାରୀ ଚାକିରୀ ଦେବାପାଇଁ ଦାବି କରିଛନ୍ତି ତତ୍ ସହିତ ଏଭଳି ଏକ ରେଳ ଦୁର୍ଘଟଣାର ଦାୟୀତ୍ୱ ନିଜେ ରେଳମନ୍ତ୍ରୀ ନେଇ ସେ ଶୀଘ୍ର ଇସ୍ତଫା ପ୍ରଦାନ କରନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର, ଯିବେ ବାଲେଶ୍ବର

ଭୁବନେଶ୍ୱର: ଆଜି ଓଡିଶା ଗସ୍ତରେ ଆସୁଛନ୍ତି ଓଡିଶା ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ସାଂସଦ ଡ଼ ଏ ଚେଲ୍ଲା କୁମାର। ବାଲେଶ୍ୱର ବାହାନାଗା ଠାରେ ମର୍ମନ୍ଦୁତ ରେଳ ଦୁର୍ଘଟଣା ଖବର ପାଇ ଚେଲ୍ଲା କୁମାର ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସେ ଭୁବନେଶ୍ୱର ରେ ପହଞ୍ଚିବା ପରେ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବେ। ସେ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ଓ ଆହତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରଖିଛନ୍ତି।ଚେଲ୍ଲା କୁମାରଙ୍କ ସାଥୀରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏବଂ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ସାମିଲ ହେବେ।

Categories
ଆଜିର ଖବର ରାଜ୍ୟ ଖବର

ଇନ୍ଦିରାଗାନ୍ଧୀ ବିରୋଧରେ ମିଥ୍ୟା ଖବର ପ୍ରସାରଣ ପାଇଁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଏତଲା ଦରଜ

ଭୁବନେଶ୍ୱର: ଓଡ଼ିଶା ଭାସ୍କର ନାମକ ଏକ ୱେବ ପୋର୍ଟାଲ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ଏବଂ ଚରିତ୍ର ସଂହାର ଖବର ପ୍ରସାରଣ କରିଥିବାରୁ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ କ୍ୟାପିଟାଲ ଥାନାରେ ଏକ ଏତଲା ଦରଜ କରାଯାଇଥିଲା। ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ପୋର୍ଟାଲର ମାଲିକ ମଧୁ ମହାନ୍ତି, ୱେବ ପୋର୍ଟାଲର ସମ୍ପାଦକ, ୟୁଟୁବ୍ ଏବଂ ଫେସବୁକ୍ ବିରୋଧରେ ଏତଲା ଦାଖଲ କରାଯାଇଛି।

ଏହି ପୋର୍ଟାଲ ଇନ୍ଦିରା ଗାନ୍ଧୀ, ଇନ୍ଦିରା ଗାନ୍ଧୀଙ୍କ ମା କମଳା ନେହେରୁ, ଜବାହାରଲାଲ ନେହୁରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧୀଙ୍କ ବିରୋଧରେ ଯେଭଳି ନିନ୍ଦନୀୟ ଏବଂ ଅଶ୍ଲୀଳ ଖବର ପ୍ରସାରଣ କରିଛି, ତାହା ସାଧାରଣ ଜନତାଙ୍କ ମନରେ ଆଘାତ ଦେଇଛି। ଏପରିକି ଜାତୀର ଜନକ ମହାତ୍ମାଗାନ୍ଧୀଙ୍କୁ ମଧ୍ୟ ଏହି ପୋର୍ଟାଲରେ ଅପମାନିତ କରାଯାଇଛି।

ଅନ୍ୟପକ୍ଷରେ ମୁସଲମାନ ସଂପ୍ରଦାୟକୁ ମଧ୍ୟ ଆକ୍ଷେପ କରି ମନ୍ତବ୍ୟ ଦିଆଯାଇଛି। ସୁତରାଂ ଏହି ଅପରାଧିମାନଙ୍କୁ ତୁରନ୍ତ ଗିରଫ କରିବା ସହ ଏମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ଅଶୋକ ଦାସ, ପ୍ରଭାବତି ପଟ୍ଟନାୟକ, ଗୀତାଞ୍ଜଳୀ ମହାନ୍ତି, ସୁଭଦ୍ରା ମିଶ୍ର, କୁସୁମ ପ୍ରଧାନ, ଆଶିଷ ମଲ୍ଲିକ, ପମି ମିଶ୍ର, ମାମିନା ବେହେରା, ଶ୍ରୀୟା ପଣ୍ଡା, ରୁପଦିପ୍ତା ମହାପାତ୍ର, ସୌମେନ୍ଦ୍ର ମହାନ୍ତି, ପ୍ରଭାତ ପ୍ରତାପ ସିଂ, ଦେବରାଜ ମିଶ୍ର, ପ୍ରସନ୍ନ ନାୟକ, ଧରବଳିଆର ସିଂ, ସେକ୍ ତାକୱିନ୍‌, ସୁମନ୍ତ ସ୍ୱାଇଁ ଓ ଦେବାଶିଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ତୋଗଲକି ଶାସନର ଅନ୍ୟନାମ ହେଉଛି ନୋଟବନ୍ଦୀ ବୋଲି କହିଲା କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ଦ୍ୱାରା ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସାମ୍ବାଦିକ ମାନଙ୍କୁ ସମ୍ବୋଦ୍ଧିତ କରି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ୨୦୧୬ ନଭେମ୍ବର ମାସ ୮ ତାରିଖରେ ଯେଉଁ ନୋଟବନ୍ଦି ଘୋଷଣା କରାଯାଇଥିଲା ତାହା କାହାର ସ୍ୱାର୍ଥକୁ ପୂରଣ କରିବାପାଇଁ କରାଯାଇଥିଲା ତାହା ଆଜି ଦେଶବାସୀଙ୍କ ସ୍ପଷ୍ଟ ହୋଇଯାଇଛି ।

ଗତକାଲି ଆରବିଆଇ ୨୦୦୦ ଟଙ୍କା ନୋଟକୁ ଫେରାଇ ନେବାପାଇଁ ଘୋଷଣା କରିଛନ୍ତି। ବିମୁଦ୍ରିକକରଣ ସମୟରେ ଭାରତବର୍ଷର ପ୍ରଧାନମନ୍ତ୍ରୀ ସେତବେଳର ପ୍ରଚଳିତ ୫ଶହ ଟଙ୍କିଆ ଏବଂ ହଜାର ଟଙ୍କିଆ ନୋଟକୁ ଅଚଳ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଏହି ବଡ଼ ବଡ଼ ନୋଟ ଯୋଗୁଁ କଳାଧନ ସଂଚୟ, ଆତଙ୍କବାଦ କାର୍ଯ୍ୟକଳାପ, ନକ୍ସଲବାଦୀ, ସୀମାପାର ଆତଙ୍କବାଦ ଓ ଜାଲିନୋଟ କାରବାର ବହୁ ପରିମାଣରେ ବୃଦ୍ଧି ପାଇବା ଯୋଗୁଁ ଏହା ଭାରତର ଅର୍ଥନୀତିକୁ ବହୁ ପରିମାଣରେ ଦୁର୍ବଳ କରିଦେଉଛି।

କିନ୍ତୁ ଦୁର୍ଭାଗ୍ୟର କଥା ବିମୁଦ୍ରିକରଣର କିଛି ଦିନ ପରେ ସରକାର ପୁନଃ ୫୦୦ ଟଙ୍କା ଓ ୧୦୦୦ ଟଙ୍କା ପରିବର୍ତେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କଲେ। କଂଗ୍ରେସ ଦଳ ଏବଂ କଂଗ୍ରେସର ବରିଷ୍ଠ ନେତୃବର୍ଗ ସେତେବେଳେ ୧୦୦୦ ଟଙ୍କା ନୋଟ ଯଦି କଳାଧନ ଠୁଳ କରିବା କଳାଧନ ସଂଚୟ, ଆତଙ୍କବାଦ କାର୍ଯ୍ୟକଳାପ, ନକ୍ସଲବାଦୀ, ସୀମାପାର ଆତଙ୍କବାଦ ଓ ଜାଲିନୋଟ କାରବାର କରିବାରେ ସହାୟକ ହେଉଛି ତାହାହେଲେ ଏହାକୁ ବନ୍ଦ କରି କାହିଁକି ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରାଯାଉଛି।

ଏହାର ବୌଧିକତା କଣ? ଏହାଦ୍ୱାରା କିଭଳି ଭାବରେ ପୂର୍ବ କାରଣ ଗୁଡିକକୁ କମାଯାଇ ପାରିବ। ୨୦୦୦ ଟଙ୍କା ନୋଟ ପ୍ରଚଳନ ପାଇଁ କିଏ ସରକାରଙ୍କୁ ପରାମର୍ଶ ଦେଇଥିଲେ। ସ୍ମରଣଥାଉକି ୨୦୧୬ ମସିହା ନଭେମ୍ବର ମାସରେ ସମୁଦାୟ ୧୭.୪ ଲକ୍ଷ କୋଟି ଟଙ୍କାର ନଗଦ ରାଶି କାରବାର ହେଉଥିଲା ତନ୍ମମଧ୍ୟରୁ କେବଳ ୫ ଶହ ଟଙ୍କା ଓ ୧୦୦୦ ଟଙ୍କିଆ ନୋଟର ରାଶିର ପରିମାଣ ୧୫.୪୧ ଲକ୍ଷ କୋଟି ଟଙ୍କା ଥିଲା।

ବିମୁଦ୍ରିକରଣ ପରେ ପାଖାପାଖି ୯୯.୩୦ ପ୍ରତିଶତ ୫ଶହ ଟଙ୍କା ୧୦୦୦ ଟଙ୍କା ନୋଟ ବ୍ୟାଙ୍କମାନଙ୍କୁ ଫେରି ଆସିଥିଲା ଯାହାର ମୂଲ୍ୟ ଥିଲା ୧୫.୩୧ ଲକ୍ଷ କୋଟି ଟଙ୍କା। କିନ୍ତୁ ଆଜି ୨୦୨୩ ମେ ମାସ ସୁଦ୍ଧା ୩୭ ଲକ୍ଷ କୋଟି ଟଙ୍କାର ନଗଦ ରାଶି କାରବାର ହେଉଛି। ଏହା ଦ୍ୱାରା ନଗଦ ରାଶିର ପ୍ରଚଳନ ପାଖାପଖି ୨ ଗୁଣାରୁ ଅଧିକ ବଢ଼ିଯାଇଛି। ତେଣୁ ଏହାଦ୍ୱାରା କ୍ୟାସଲେସ ଇକୋନୋମି ପରିବର୍ତେ କ୍ୟାସ ମୋର ଇକୋନୋମି ହୋଇଯାଇଛି ।ସେହିଭଳି ଭାବରେ ଆତଙ୍କବାଦ କାର୍ଯ୍ୟକଳାପ ଦେଶରେ ବହୁଗୁଣାରେ ବୃଦ୍ଧି ପାଇଛି।

ଜାଲି ନୋଟ କାରବାର ଏବଂ ଦରିଆପାରୀ ଆତଙ୍କବାଦ କାର୍ଯ୍ୟକଳାପ ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି । ତେଣୁ ଗତକାଲି ଯେଉଁ ୨୦୦୦ ଟଙ୍କିଆ ନୋଟକୁ ଫେରସ୍ତ ନେବାପାଇଁ ନିଷ୍ପତି ନିଆଯାଇଛି ଏହା କାହିଁକି ଏତେ ବିଳମ୍ବରେ ନିଆଗଲା ଏବଂ ୪ଟି ରାଜ୍ୟର ନିର୍ବାଚନ ଆଉ କିଛିମାସ ବାକିଥିବା ବେଳେ ଏଭଳି ନିଷ୍ପତି ନେବା ଆଉ କିଛି ନ୍ୟସ୍ତ ସ୍ୱାର୍ଥକୁ ପୂରଣ କରିବାପାଇଁ କି?

ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ ଏପରିକି ବିଜେପି ଦଳର ବହୁ ସାଂଗଠନିକ କାର୍ଯ୍ୟକର୍ତା କହିଥିଲେ ୨୦୦୦ ଟଙ୍କିଆ ନୋଟରେ ନାନୋଚିପ୍ ଲାଗିଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ କେହି କଳାଧନ ମହଜୁଦକାରୀ ଏହି ୨୦୦୦ ଟଙ୍କା ନୋଟକୁ ଠୁଳକଲେ ତାକୁ ଶୀଘ୍ର ଠାବ କରିହେବ।

ତେଣୁ ପ୍ରଦେଶ କଂଗ୍ରେସର ପ୍ରଶ୍ନ ଯଦି ଏହି ନୋଟକୁ ଠାବ କରିହେବ ତାହାହେଲେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏହାକୁ ପୂର୍ନବାର ବଜାରରୁ ଫେରାଇ ନିଆଯାଉଛି। ୨୦୦୦ ଟଙ୍କିଆ ନୋଟ ଛାପିବା ପାଇଁ ସେତେବେଳେ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ପୁଣି ସେହି ନୋଟକୁ ଫେରାଇ ନେବା ଏବଂ ତାର ରକ୍ଷଣାବେକ୍ଷଣ ଓ ସେ ନୋଟକୁ ନଷ୍ଟକରିବାରେ ମଧ୍ୟ ବହୁ କୋଟି ଟଙ୍କା ଖର୍ଚ୍ଚ ହେବ।

ତେଣୁ ଏସବୁ ଖୋଦ୍ ପ୍ରଧାନମନ୍ତ୍ରୀଙ୍କର ଅହଂଭାବ, ଆତ୍ମଗର୍ବ ଓ ଅର୍ଥନୀତିକୁ ପରିଚାଳନା କରିବା ପାଇଁ ଉପଯୁକ୍ତ ଜ୍ଞାନ ନଥିବା ହେତୁ ଏଭଳି ପରିସ୍ଥିତି ଉପୁଜିଛି। ଏହା ପ୍ରଧାନମନ୍ତ୍ରୀଙ୍କର ତୁଗଲକି ଶାସନର ଦୃଷ୍ଟାନ୍ତ ବୋଲି ଶ୍ରୀ ପ୍ରଶାନ୍ତ କୁମାର ଶତପଥି ସାମ୍ବାଦିକ ମାନଙ୍କୁ କହିଥିଲେ। ସେ କହିଥିଲେ ଯେ ବିମୁଦ୍ରୀକରଣ ଯୋଗୁଁ ପାଖାପାଖି ୨ କୋଟି ଲୋକ ଏବଂ ଲକ୍ଷ ଲକ୍ଷ ଅଣୁ, କ୍ଷ୍ୟୁଦ୍ର, ମଧ୍ୟମ ବର୍ଗ ଶିଳ୍ପ ସଂପୂର୍ଣ୍ଣ ଭାବରେ ଠପ ହୋଇଯାଇଛି ତଦ୍ୱାରା ଭାରତର ଅର୍ଥନୀତି ବିକାଶର ଧାରା ଆଜି ପର୍ଯ୍ୟନ୍ତ ନିମ୍ନଗାମୀ ହେଉଛି।

୨୦୦୦ ଟଙ୍କା ନୋଟ ଛାପିବା ଏ ସରକାରଙ୍କର ବୌଧିକ ଶୂନ୍ୟତାର ଏକ ସ୍ପଷ୍ଟ ପ୍ରମାଣ। ତେଣୁ ଖୋଦ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖମରେ ଆଜି ପ୍ରକାଶ କରନ୍ତୁ ଏଭଳି ଉପଦେଶ କେଉଁମାନେ ଦେଇଥିଲେ। ଏବେ ୨୦୦୦ ଟଙ୍କିଆ ନୋଟ ପାଖାପାଖି ୩.୬୨ ଲକ୍ଷ କୋଟି ଟଙ୍କା ଅର୍ଥନୀତିରେ ପ୍ରଚଳନ ହେଉଛି, ଯାହାକି ପାଖାପାଖି ୨୦୧୭ ମସିହାର ପ୍ରଚଳିତ ୨୦୦୦ ଟଙ୍କିଆ ନୋଟର ଅଧା ଏବେ ପ୍ରଚଳିତ ହେଉଛି। କିନ୍ତୁ ଏହାର ପ୍ରଭାବ ନିଶ୍ଚିତରୂପେ ଭାରତ ବର୍ଷର ଅଣୁ, କ୍ଷ୍ୟୁଦ୍ର ଓ ମଧ୍ୟମ ବର୍ଗ ଶିଳ୍ପ ଉପରେ ପଡ଼ିବ।

ଯଦ୍ୱାରାକି ଏହା ଜିଡିପିକୁ କିଛି ମାତ୍ରାରେ ପ୍ରଭାବିତ କରିବ। ପୁଣି ଲୋକମାନେ ହନ୍ତସନ୍ତ ହେବେ। ୨୦୦୦ ଟଙ୍କିଆ ନୋଟ ଫେରାଇବାପାଇଁ ବ୍ୟାଙ୍କକୁ ଦୌଡ଼ିବେ। ପ୍ରଧାନମନ୍ତ୍ରୀ ଦେଶ ପ୍ରଥମ କହୁଥିଲା ବେଳେ ଦେଶର ଜନସାଧାରଣଙ୍କ ସ୍ୱାର୍ଥକୁ ସବୁବେଳେ ଦଳିଦେବା ଏହା ତାଙ୍କର ଦୌମୁହାଁ ନୀତିକୁ ପ୍ରକାଶ କରୁଛି ବୋଲି କହିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମିଡିଆ ସଂଯୋଜକ ଦୀପକ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।

Categories
ବିଶେଷ ଖବର

ଯେଉଁଠି କଂଗ୍ରେସ ମଜବୁତ, ସେଠାରେ ଅନ୍ୟ ଦଳମାନେ ସାହାଯ୍ୟ କରିବା ଉଚିତ’: ଜେଡ଼ିୟୁ ନେତା

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ୨୦୨୪ ନିର୍ବାଚନ ପାଇଁ ବିରୋଧୀ ଏକତାର ପ୍ରୟାସ ଜୋରଦାର ହୋଇଛି। ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି ଯେ, ଯେଉଁ ରାଜ୍ୟରେ କଂଗ୍ରେସ ମଜବୁତ, ସେଠାରେ ଅନ୍ୟ ଦଳମାନେ ତାଙ୍କୁ ସାହାଯ୍ୟ କରିବା ଉଚିତ୍। ସେହିଭଳି, ଯେଉଁଠାରେ ଅନ୍ୟ ଦଳଗୁଡ଼ିକ ମଜବୁତ, କଂଗ୍ରେସ ମଧ୍ୟ ସେହିଭଳି କରିବା ଉଚିତ୍।

ନୀତୀଶ କୁମାରଙ୍କୁ ସର୍ବଭାରତୀୟ ନେତା ଭାବରେ ବର୍ଣ୍ଣନା କରି ଶ୍ରୀଯୁକ୍ତ ତ୍ୟାଗୀ କହିଛନ୍ତି ଯେ, ୨୦୨୪ ନିର୍ବାଚନ ପାଇଁ କୌଣସି ଦଳ ପ୍ରଧାନମନ୍ତ୍ରୀଙ୍କ ପଦ ବିଷୟରେ ଆଲୋଚନା କରିବା ଉଚିତ୍ ନୁହେଁ। ଏହା ବିରୋଧୀ ଶିବିରରେ ଏକ ବିଭାଜନ ଭାବରେ କାର୍ଯ୍ୟ କରିବ।

ଜେଡିୟୁ ନେତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତା ମମତା ବାନାର୍ଜୀ ମଧ୍ୟ କଂଗ୍ରେସ ବିଷୟରେ ସମାନ ମତ ରଖିଥିଲେ। ମମତା ବାନାର୍ଜୀ କହିଥିଲେ ଯେ, ତାଙ୍କ ପାର୍ଟି ସେହି କ୍ଷେତ୍ରରେ କଂଗ୍ରେସକୁ ସମର୍ଥନ କରିବ, ଯେଉଁଠି ସେମାନେ ମଜବୁତ।

ଶ୍ରୀଯୁକ୍ତ ତ୍ୟାଗୀ ଏହା ମଧ୍ୟ କହିଛନ୍ତି ଯେ, ବିରୋଧୀ ଏକତାର ସବୁଠାରୁ ବଡ ସଂଗଠକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ୨୦୨୪ ନିର୍ବାଚନ ପୂର୍ବରୁ ନୀତୀଶ ବିଭିନ୍ନ ବିରୋଧୀଦଳ ନେତାଙ୍କୁ ଭେଟି ବିଜେପି ବିରୋଧୀ ମେଣ୍ଟ ଗଠନ କରୁଛନ୍ତି। ସେ କହିଛନ୍ତି ଯେ, ‘ବିରୋଧୀ ଯେକୌଣସି ମିଳିତ ମେଣ୍ଟରେ ନୀତୀଶ କୁମାରଙ୍କର ଭୂମିକା ରହିବ ଏହା ନିଶ୍ଚିତ। ନୀତୀଶ କୁମାର ଏନଡିଏ ଛାଡିବା ପରେ ହିଁ ଏହି ଜିନିଷ ସାମ୍ନାକୁ ଆସିଛି।

ଜେଡିୟୁ ନେତା କହିଛନ୍ତି ଯେ, କର୍ଣ୍ଣାଟକ ନିର୍ବାଚନରେ ​​କଂଗ୍ରେସ ବିଜେପିକୁ ପରାସ୍ତ କରିବା ପରେ ବିରୋଧୀ ଏକତା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଶୃଙ୍ଖଳିତ ଆଚରଣ ପାଇଁ ଦଳରୁ ନିଲମ୍ବିତ ହେଲେ କଂଗ୍ରେସ ନେତା

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ବୈଠକ କମିଟିର ଅଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗତ ୧୩ ତାରିଖ ଦିନ ରାଉରକେଲା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ହୋଇଥିବା ବିଶୃଙ୍ଖଳିତ କାର୍ଯ୍ୟକଳାପ ସଂପର୍କରେ ଆଲୋଚନା କରାଯାଇଥିଲା ।

ଶୃଙ୍ଖଳା କମିଟିର ସୁପାରିଶ କ୍ରମେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ରାଉରକେଲା ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ଶ୍ରୀ ଉମେଶ ଶରଣଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରିଛନ୍ତି । ସେହିପରି ରାଉରକେଲା ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ବିଭାଗ ପୂର୍ବତନ ଅଧ୍ୟକ୍ଷ ସେକ୍ ସବିର ହୁସେନଙ୍କ ବିରୋଧରେ କାହିଁକି ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ସଂପର୍କରେ ପିସିସି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଯେଉଁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଫେସବୁକ ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ କଂଗ୍ରେସ ଦଳର ଶୀର୍ଷ ନେତାମାନଙ୍କୁ ଓ ଦଳର ଭାବମୂର୍ତିକୁ କ୍ଷୂର୍ଣ୍ଣ କରିବାଭଳି ମନ୍ତବ୍ୟ, ଟିପ୍ପଣୀ ଓ ମତ ରଖୁଛନ୍ତି ଯାହା ଫଳରେ ଦଳ ନିନ୍ଦିତ ହେଉଛି ସେମାନେ ଏଭଳି କାର୍ଯ୍ୟରୁ ବିରତ ରୁହନ୍ତୁ ବୋଲି ଆଜିର ଶୃଙ୍ଖଳା କମିଟି ବୈଠକରେ ବିଷଦ ଆଲୋଚନା ହୋଇଥିଲା । ଆଗକୁ ଯଦି ଏଭଳି ଘଟଣା ପୁଣି ନଜରକୁ ଆସେ ତେବେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଛତିଶଗଡରେ ରାଜନୈତିକ ହଲଚଲ: ଜରୁରୀ ବୈଠକ ଡାକିଲା କଂଗ୍ରେସ

ରାୟପୁର: ଛତିଶଗଡ କଂଗ୍ରେସର ଏକ ଜରୁରୀ ବୈଠକ ଡକାଯାଇଛି। ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା କୁମାରୀ ସୈଲଜାଙ୍କ ଉପସ୍ଥିତିରେ ସିଏମ୍ ହାଉସରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମସ୍ତ କଂଗ୍ରେସ ମନ୍ତ୍ରୀ ଯୋଗ ଦେଇଛନ୍ତି। ଏହି ବୈଠକରେ ଯୋଗଦେବା ପାଇଁ ମନ୍ତ୍ରୀ ଟି.ଏସ୍ ସିଂଦେବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି।

ତେବେ ଏହି ବୈଠକ କେଉଁ ପ୍ରସଙ୍ଗରେ ଅନୁଷ୍ଠିତ ହେଉଛି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ବିଧାନସଭା ବାଚସ୍ପତି ଡକ୍ଟର ଚରଣଦାସ ମହନ୍ତ ମଧ୍ୟ ସିଏମ୍ ହାଉସରେ ପହଞ୍ଚିଛନ୍ତି। କର୍ଣ୍ଣାଟକ ନିର୍ବାଚନ ପରେ ଘଟିଥିବା ଏହି ବୈଠକ ଯୋଗୁଁ ହଠାତ୍ ହଲଚଲ ଦେଖାଦେଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦେଶରେ କଂଗ୍ରେସ କମିଙ୍ଗି, ହେଲେ ଓଡିଶାରେ କଂଗ୍ରେସ ଗୋଇଁଙ୍ଗି…

ଭୁବନେଶ୍ବର: କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ଏକ ବକ୍ତବ୍ୟ ହେଲା କଂଗ୍ରେସ କମିଙ୍ଗି। ହେଲେ ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କଲେ ସେହି ବକ୍ତବ୍ୟ ହେବ, ଦେଶରେ କଂଗ୍ରେସ କମିଙ୍ଗ, ହେଲେ ଓଡିଶାରେ କଂଗ୍ରେସ ଗୋଇଙ୍ଗି। କାରଣ ଜାତୀୟ ସ୍ତରରେ ବର୍ତ୍ତମାନ କଂଗ୍ରେସ ସ୍ଥିତିରେ ସୁଧାର ଆସୁଥିବା ବେଳେ ଓଡିଶାରେ ତାହା ହୋଇପାରୁ ନାହିଁ।

ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନ ଫଳାଫଳକୁ ବିଚାରକୁ ନିଆଯାଉ। ସେଠାରେ କଂଗ୍ରେସର ଦୟନୀୟ ଅବସ୍ଥା ହେଲା। ଅମାନତ ହରାଇଲା। ସେତିକି ନୁହେଁ ଗତ ନିର୍ବାଚନରେ କଂଗ୍ରେସକୁ ଲୋକେ ଯେତିକି ଭୋଟ ଦେଇଥିଲେ ଏଥର ସେତିକି ମଧ୍ୟ  ଦେଲେ ନାହିଁ। ଉଭୟ ବିଜେଡି ଓ ବିଜେପିର ଭୋଟ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ କଂଗ୍ରେସ ଭୋଟ ହରାଇଛି।

ଭୋଟ ଗଣନାରୁ ଜଣାପଡିଛି ଯେ, ଝାରସୁଗୁଡାରେ କଂଗ୍ରେସ ମୋଟ ୪୪୯୬ ଖଣ୍ଡ ଭୋଟ ମିଳିଛି। ହେଲେ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୮୮୨୩ ଖଣ୍ଡ ଭୋଟ ହାତେଇଥିଲେ। ଫଳରେ ଏହି ଉପନିର୍ବାଚନରେ କଂଗ୍ରେସ ୧୪ ୩୨୭ ଖଣ୍ଡ ଭୋଟ ହରାଇଛି। ଏକ ବଡ ବ୍ୟବଧାନ ସୃଷ୍ଟି ହୋଇଛି। କଂଗ୍ରେସ ଜଣେ ଯୁବ ତଥା ପୂର୍ବତନ ବିଧାୟକଙ୍କ ପୁଅଙ୍କୁ ପ୍ରାର୍ଥୀ କରିଥିଲା। ତଥାପି ଏପରି ଦୟନୀୟ ଅବସ୍ଥା ହେବାକୁ ନେଇ କଂଗ୍ରେସ ଚିନ୍ତା କରିବାର ଆବଶ୍ୟକ ରହିଛି।

ଅନ୍ୟପକ୍ଷରେ ଦେଖିଲେ ଉଭୟ ବିଜେଡି ଓ ବିଜେପି ଗତ ବିଧାନସଭା ନିର୍ବାଚନ ଅପେକ୍ଷା ଅଧିକ ଭୋଟ ହାତେଇଛନ୍ତି। ଗତଥର ବିଜେଡି ୯୮୬୨୦ ଖଣ୍ଡ ଭୋଟ ପାଇଥିବା ବେଳେ ଏଥର ଉପନିର୍ବାଚନରେ ଦୀପାଳି ୧୦୭୧୯୮ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଗତ ବିଧାନସଭା ନିର୍ବାଚନରେ ବିଜେପି ୫୨୯୨୧ ଖଣ୍ଡ ଭୋଟ ହାସଲ କରିଥିବା ବେଳେ ଏଥର ବିଜେପକୁ ମିଳିଛି ୫୮୪୭୭ ଖଣ୍ଡ ଭୋଟ। ଅର୍ଥାତ ଗତ ବିଧାନସଭା ନିର୍ବାଚନରୁ ବିଜେଡି ୮୫୭୮ ଖଣ୍ଡ ଏବଂ ବିଜେପି ୫୫୫୬ ଖଣ୍ଡ ଅଧିକ ଭୋଟ ହାସଲ କରିଛନ୍ତି।

ଏଥର କଂଗ୍ରେସ ନୂଆ ନେତୃତ୍ବ ନୂଆ ପ୍ରାର୍ଥୀଙ୍କୁ ଧରି ନିର୍ବାଚନ ମଇଦାନରେ ଓହ୍ଲାଇଥିଲା। ନୂଆ ନେତୃତ୍ବ ମଧ୍ୟରେ ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟ ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ସମସ୍ତେ ଆଶା କରିଥିଲେ ବିଜୟ ପଟ୍ଟନାୟକଙ୍କ ପ୍ରଶାସନିକ ଅଭିଜ୍ଞତାକୁ ପାଥେୟ କରି ଝାରସୁଗୁଡାରେ କିଛି କରି ଦେଖାଇବେ। ହେଲେ ତାହା ଫସର ଫାଟିଛି। ନା ଶରତ ନା ବିଜୟ କାହାକୁ ହେଲେ ଭୋଟର ପସନ୍ଦ କଲେ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ପ୍ରଥମ କ୍ୟାବିନେଟରେ ପୂରଣ କରିବୁ ୫ ଟି ପ୍ରତିଶ୍ରୁତି: କର୍ଣ୍ଣାଟକରେ ବିଜୟ ପରେ ରାହୁଲ ଗାନ୍ଧୀଙ୍କ ଘୋଷଣା

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ବହୁମତ ହାସଲ କରିଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କର୍ଣ୍ଣାଟକବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କର୍ଣ୍ଣାଟକର କଂଗ୍ରେସ ନେତା ତଥା କର୍ଣ୍ଣାଟକର କର୍ମକର୍ତ୍ତାଙ୍କ ସମେତ କର୍ଣ୍ଣାଟକରେ କାର୍ଯ୍ୟ କରୁଥିବା ସମସ୍ତ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ, କର୍ଣ୍ଣାଟକରେ ପ୍ରେମ ଜିତିଛି ଏବଂ ଘୃଣା ହାରିଛି। କର୍ଣ୍ଣାଟକରେ ଗରିବ ଲୋକ ଜିତିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ, କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇଯାଇଛି ଏବଂ ପ୍ରେମ ଦୋକାନ ଖୋଲା ହୋଇଛି। ମୁଁ କର୍ଣ୍ଣାଟକର ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ରାହୁଲ ଗାନ୍ଧୀ କର୍ଣ୍ଣାଟକବାସୀଙ୍କୁ ଜନସାଧାରଣଙ୍କୁ ଦେଇଥିବା ପାଞ୍ଚଟି ପ୍ରତିଶ୍ରୁତି ପୂରଣ କରିବାକୁ କହିଛନ୍ତି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଗଡେ କହିଛନ୍ତି ଯେ, କଂଗ୍ରେସର ବିଜୟ ହେଉଛି ଲୋକଙ୍କ ବିଜୟ। ଜନସାଧାରଣ ଏକ ଦୁର୍ନୀତିଗ୍ରସ୍ତ ସରକାରକୁ ପରାସ୍ତ କରିଛନ୍ତି। ଆମକୁ ଆଗକୁ ବହୁତ କିଛି କରିବାକୁ ପଡିବ। ଆମକୁ ଆମର ପ୍ରତିଶ୍ରୁତି ପୂରଣ କରିବାକୁ ପଡିବ, ଆମେ ଆମର ୫ ପ୍ରତିଶ୍ରୁତି ପୂରଣ କରିବୁ।

Categories
ଆଜିର ଖବର ଜାତୀୟ ଖବର

‘ବର୍ତ୍ତମାନ ନିଶ୍ଚିତ ହେଲା ଯେ କଂଗ୍ରେସ ଜିତିଲା ଏବଂ ପ୍ରଧାନମନ୍ତ୍ରୀ ହାରିଗଲେ’: ଜୟରାମ ରମେଶ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଚାଲିଛି। ଏହା ସହିତ, ଯଦି ଆମେ ଫଳାଫଳ ବିଷୟରେ ଆଲୋଚନା କରିବା ତେବେ କଂଗ୍ରେସ ୧୩୦ରୁ ଉର୍ଦ୍ଧ୍ଵ ଆସନରେ ଆଗୁଆ ରହିଛି। କର୍ଣ୍ଣାଟକରେ ଏହାର ସମ୍ଭାବ୍ୟ ବିଜୟ ପରେ କଂଗ୍ରେସ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି।

ଏହା ସହ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଖୁସି ବ୍ୟକ୍ତ କରି ବିଜେପିକୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, କର୍ଣ୍ଣାଟକରେ ଫଳାଫଳ ଆସିବା ମାତ୍ରେ ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି ଯେ କଂଗ୍ରେସ ଜିତିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାରିଯାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜଲନ୍ଧର ଉପ-ନିର୍ବାଚନ: କଂଗ୍ରେସକୁ ହରାଇ ଲୋକସଭାରେ ପ୍ରବେଶ କଲା ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ପଞ୍ଜାବର ଜଲନ୍ଧର ଲୋକସଭା ଆସନ ପାଇଁ ଉପ-ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି (AAP) ଏକ ବଡ଼ ବିଜୟ ହାସଲ କରିଛି। ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ସୁଶୀଲ ରିଙ୍କୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ କରମଜିତ୍ କୌର ଚୌଧୁରୀଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପାର୍ଟି ମୁଖ୍ୟାଳୟରେ କହିଛନ୍ତି ଯେ, ଆଜି AAP ଲୋକସଭାରେ ପ୍ରବେଶ କରିଛି, ଦେଶର ଜନତା ଚାହିଁଲେ….।”

ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ଅନୁଯାୟୀ ବହୁଜନ ସମାଜ ପାର୍ଟି (ବିଏସପି) ସମର୍ଥିତ ଶିରୋମଣୀ ଅକାଳୀ ଦଳ (SAD) ପ୍ରାର୍ଥୀ ସୁଖବିନ୍ଦର କୁମାର ସୁଖୀ ତୃତୀୟ ସ୍ଥାନରେ ଥିବାବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ଇନ୍ଦର ଇକବାଲ ସିଂ ଅଟୱାଲ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ଆସନ ପାଇଁ ଉପ-ନିର୍ବାଚନ ମେ ୧୦ ତାରିଖରେ ଅନୁଷ୍ଠିତ ହୋଇଥିଲା। ଭୋଟ ଗଣତି ସକାଳ ଆଠଟାରୁ ଆରମ୍ଭ ହୋଇଥିଲା। ଜାନୁଆରୀରେ କଂଗ୍ରେସ ସାଂସଦ ସାନ୍ତୋଖ ସିଂ ଚୌଧୁରୀଙ୍କ ମୃତ୍ୟୁ ହେତୁ ଏହି ଆସନ ଖାଲି ପଡିଥିଲା।

କରମଜିତ କୌର ହେଉଛନ୍ତି ସ୍ୱର୍ଗତ କଂଗ୍ରେସ ନେତାଙ୍କ ପତ୍ନୀ। ଉପ-ନିର୍ବାଚନରେ ​​୧୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ। ଏହି ଆସନ ପାଇଁ ୫୪.୭୦ ପ୍ରତିଶତ ମତଦାନ ହୋଇଥିଲା, ଯାହା ୨୦୧୯ ଲୋକସଭା ନିର୍ବାଚନରେ ​​ରେକର୍ଡ ହୋଇଥିବା ୬୩.୦୪ ପ୍ରତିଶତ ତୁଳନାରେ ବହୁତ କମ୍ ଅଟେ।

Categories
ଆଜିର ଖବର ଜାତୀୟ ଖବର

ଭାରତ ଯୋଡୋ ଯାତ୍ରାର ପ୍ରଭାବ କର୍ଣ୍ଣାଟକ ନିର୍ବାଚନ ଫଳାଫଳରେ ସ୍ପଷ୍ଟ ଦେଖାଯାଉଛି: ଅଶୋକ ଗେହଲୋଟ୍

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଭୋଟ ଗଣତିରେ ଶାସକ ଦଳ ବିଜେପି ଠାରୁ କଂଗ୍ରେସ ବହୁତ ଆଗରେ ଅଛି। ଏହାକୁ ନେଇ କଂଗ୍ରେସ ନେତାମାନେ ବହୁତ ଉତ୍ସାହିତ ଅଛନ୍ତି। ବର୍ତ୍ତମାନ ଗଣତିକୁ ଦେଖିଲା ପରେ କଂଗ୍ରେସ ନେତାମାନେ ବୟାନ ଦେବା ଆରମ୍ଭ କରିଦେଇଛନ୍ତି।

ତେବେ ଏହା ଭିତରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି ଯେ, ଭାରତ ଯୋଡା ଯାତ୍ରା ସମୟରେ କର୍ଣ୍ଣାଟକରେ ଯେଉଁ ପରିବେଶ ଦେଖାଯାଉଥିଲା, ଆଜି ଏହାର ପ୍ରଭାବ କର୍ଣ୍ଣାଟକ ନିର୍ବାଚନ ଫଳାଫଳରେ ସ୍ପଷ୍ଟ ଦେଖାଯାଉଛି। ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ଏକ ବଡ଼ ଅଭିଯାନ କରିଥିଲେ। ସାମ୍ପ୍ରଦାୟିକ ରାଜନୀତିକୁ ପ୍ରତ୍ୟାଖ୍ୟାନ କରି କର୍ଣ୍ଣାଟକ ବିକାଶ ରାଜନୀତିକୁ ବାଛିଛି। ଆଗାମୀ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ​​ମଧ୍ୟ ଏହା ପୁନରାବୃତ୍ତି ହେବ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସରେ ଯୋଗ ଦେଲେ ଯାଜପୁର ଜିଲ୍ଲାର ବହୁନେତା

ଭୁବନେଶ୍ୱର: କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯାଜପୁର ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ଶ୍ରୀମତୀ ଆରତୀ ଦେଓଙ୍କ ସମେତ ବହୁ ବିଜେଡ଼ି କର୍ମୀ ଆଜି ବିଜେଡ଼ି ଛାଡ଼ି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ।

ଏହି ଅବସରରେ ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ସମସ୍ତଙ୍କୁ ପୁଷ୍ପମାଲ୍ୟ, ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ ଏବଂ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ। ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ, ଶ୍ରୀମତୀ ଦେଓଙ୍କ ଯୋଗଦାନ କଂଗ୍ରେସକୁ ଯାଜପୁର ଜିଲ୍ଲାରେ ସୁଦୃଢ଼ କରିବ। ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମନୋଜ ରାଉତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ।

ନିଜ ବକ୍ତବ୍ୟରେ ଶ୍ରୀମତୀ ଦେଓ କହିଲେ ଯେ ଆଗାମୀ ଦିନରେ କଂଗ୍ରେସ ସୁଦୃଢ଼ କରିବାରେ ମୁଁ ନିଷ୍ଠାପର ଭାବରେ ମୋର ଉଦ୍ୟମ ଜାରି ରଖିବି ବୋଲି ସେ କହିଥିଲେ। ଶ୍ରୀମତୀ ଦେଓଙ୍କ ସହ ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଅନ୍ୟ ନେତୃବୃନ୍ଦ ହେଲେ ସର୍ବଶ୍ରୀ ସେକ୍ ଇମ୍‌ତିୟାଜ ଖାନ୍‌, ଏସ୍‌.କେ. ଅଲ୍ଲହାଜ ଅଲ୍ଲୀ, ମନୋଜ ଜେନା, ମଙ୍ଗୁମହାନ୍ତି, ଅନନ୍ତ ଘଡ଼େଇ, ନରେଶ ବେହୁରିଆ, ମମିତା ମଲ୍ଲିକ, ଅଲିଭା ଘଡ଼େଇ, ସନ୍ଧ୍ୟା ମଲ୍ଲିକ, ଦିପୁ ମଲ୍ଲିକ, ଗୋପାଳ ଜେନା ଓ ପ୍ରକାଶ ଦେଓ ପ୍ରମୁଖ।

ଆଜିର ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ମାନସ ଚୌଧୁରୀ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ, ଜାନକୀବଲ୍ଲଭ ପଟ୍ଟନାୟକ, ପୂର୍ବତନ ବିଧାୟକ ଶ୍ରୀ ଚିନ୍ମୟ ପ୍ରସାଦ ବେହୁରା, ରଜନୀ ମହାନ୍ତି, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ, ପ୍ରକାଶ ମିଶ୍ର, ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ୍ ପାତ୍ର, ସୁବ୍ରତ ମହାପାତ୍ର, ପ୍ରଭାତ ପ୍ରତାପ ସିଂ, ବ୍ଲକ ସଭାପତି ଶ୍ରୀ ଅଶୋକ ଦାସ, ଗୀତାଞ୍ଜଳୀ ମହାନ୍ତି, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଧି ଓ ଅମରେଶ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ

କଟକ: ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ଶିଳ୍ପପତି ଅଶୋକ ସାମଲଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ଗତ କିଛିଦିନ ଧରି ଅସୁସ୍ଥତା ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଆଜି କଟକ ତେଲଙ୍ଗାବଜାର ତାଙ୍କ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ଅଶୋକ କଂଗ୍ରେସର ମୁଖପାତ୍ର ସହିତ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରୁଥିଲେ। ସେ କଟକର କଂଗ୍ରେସର ଜଣେ ଟାଣୁଆ ନେତା ଭାବରେ ବେଶ ପରିଚିତ ଥିଲେ। ସରକାରଙ୍କୁ ଶାଣିତ ମାର୍ଗରେ କଟୁ ସମାଲୋଚନା କରିବାରେ କଳା ବେଶ ଜଣାଥିଲା। ତାଙ୍କ ବିୟୋଗରେ ବହୁ କଂଗ୍ରେସ ନେତା ଶୋକ ପ୍ରକାଶ କରିଛନ୍ତି।

 

Categories
ବିଶେଷ ଖବର

ଏହି ଦୁଇଟି ଏକଜିଟ୍ ପୋଲରେ ସଂଖ୍ୟାଗରିଷ୍ଠତା ହାସଲ କରୁଛି ବିଜେପି, ଜାଣନ୍ତୁ କଂଗ୍ରେସ ଏବଂ ଜେଡିଏସର ସ୍ଥିତି

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ଏକଜିଟ୍ ପୋଲର ଆକଳନ ଆସିଛି। ଅନେକ ଏକଜିଟ୍ ପୋଲରେ କଂଗ୍ରେସ ସବୁଠୁ ବଡ ଦଳ ବୋଲି ମନେହୁଏ, କିନ୍ତୁ ସଂଖ୍ୟାଗରିଷ୍ଠତା ହାସଲ କରୁନାହିଁ। ତେବେ ଦୁଇଟି ପ୍ରମୁଖ ସର୍ଭେରେ ବିଜେପି ସରକାର ମଧ୍ୟ ଗଠନ ହୋଇଥିବା ଜଣାପଡିଛି। ନ୍ୟୁଜ୍ ନେସନ୍ ପାଇଁ କରାଯାଇଥିବା ସିଜିଏସ୍ ସର୍ଭେ ଅନୁଯାୟୀ ବିଜେପି ୨୨୪ ଟି ସିଟ୍ ମଧ୍ୟରୁ ୧୧୪ ଟି, କଂଗ୍ରେସ ୮୬, ଜେଡିଏସ୍ ୨୧ ଏବଂ ଅନ୍ୟାନ୍ୟ ୩ ଟି ସିଟ୍ ପାଇପାରନ୍ତି।

ଭୋଟ୍ ପ୍ରତିଶତ ବିଷୟରେ କହିବାକୁ ଗଲେ ସର୍ଭେରେ କୁହାଯାଇଛି ଯେ, ବିଜେପି ୪୫.୩୪ ପ୍ରତିଶତ ଭୋଟ୍ ପାଇବ ବୋଲି ଆଶା କରାଯାଉଛି। ଏଥି ସହିତ କଂଗ୍ରେସ ୩୦.୮୯ ପ୍ରତିଶତ ଏବଂ ଜେଡିଏସ ୧୪.୨୫ ପ୍ରତିଶତ ଭୋଟ୍ ପାଇପାରନ୍ତି। ଅନ୍ୟମାନେ ୯.୫୨ ପ୍ରତିଶତ ଭୋଟ୍ ପାଇପାରନ୍ତି।

ଜନ କି ବାତ ଏହାର ଏକଜିଟ୍ ପୋଲରେ କହିଛନ୍ତି ଯେ, ବିଜେପି ନିଜେ ସରକାର ଗଠନ କରିପାରିବ। ସର୍ଭେ ଅନୁଯାୟୀ ବିଜେପିକୁ ୯୪ ରୁ ୧୧୭ ଟି ଆସନ, କଂଗ୍ରେସ ୯୧ ରୁ ୧୦୬, ଜେଡିଏସ ୧୪ ରୁ ୨୪ ଏବଂ ଅନ୍ୟମାନେ ୦ ରୁ ୨ ଟି ଆସନ ପାଇବେ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ, ଏବିପି ନ୍ୟୁଜ୍ ପାଇଁ ସି-ଭୋଟରଙ୍କ ଏକଜିଟ୍ ପୋଲରେ କଂଗ୍ରେସ ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଛି। କଂଗ୍ରେସ ରାଜ୍ୟର ୨୨୪ ଟି ସିଟ୍ ମଧ୍ୟରୁ ୧୦୦ ରୁ ୧୧୨ ଏବଂ ବିଜେପି ୮୩ ରୁ ୯୫ ଟି ସିଟ୍ ପାଇପାରନ୍ତି। ଜେଡିଏସ୍ ୨୧ ରୁ ୨୯ ସିଟ୍ ଏବଂ ଅନ୍ୟମାନେ ୨ ରୁ ୬ ସିଟ୍ ପାଇବେ ବୋଲି ଆଶା କରାଯାଉଛି। ସରକାର ଗଠନ ପାଇଁ ୧୧୩ ଟି ଆସନ ଆବଶ୍ୟକ, ତେଣୁ ଯଦି ମେ ୧୩ ତାରିଖରେ ସମାନ ଫଳାଫଳ ଆସେ, ତେବେ କଂଗ୍ରେସକୁ ଜେଡିଏସ କିମ୍ବା ଅନ୍ୟମାନଙ୍କୁ ସାଙ୍ଗରେ ନେବାକୁ ପଡ଼ିବ।

ବିଏସ୍ ୟେଦୁରୁପ୍ପା ଏବଂ ବସଭରାଜ ବୋମ୍ମାଇ କ’ଣ କହିଲେ?:

ଏକଜିଟ୍ ପୋଲ୍ ଉପରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇ କହିଛନ୍ତି ଯେ, ଏକଜିଟ୍ ପୋଲ୍ ହେଉଛି ଏକଜିଟ୍ ପୋଲ୍। ଏହା ଶତପ୍ରତିଶତ ସତ ହୋଇନପାରେ। ଆମେ ସଂଖ୍ୟାଗରିଷ୍ଠତା ହାସଲ କରିବୁ ଏବଂ ଆମେ ସରକାର ଗଠନ କରିବୁ। ମୁଁ ଭାବୁଛି ଆମକୁ ମଇ ୧୩ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦୁରୁପ୍ପା କହିଛନ୍ତି ଯେ, ଆମ ସରକାର ଗଠନ ହେବ ବୋଲି ଶତପ୍ରତିଶତ ବିଶ୍ୱାସ ରହିଛି। ତ୍ରିଶଙ୍କୁ ପରିସ୍ଥିତି କିମ୍ବା ମିଳିତ ସରକାରର ପ୍ରଶ୍ନ ନାହିଁ, କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ଜାତୀୟ ନେତୃତ୍ୱ ଗ୍ରହଣ କରିବେ। ଯଦି ଆମେ ୧୧୫ ରୁ ୧୧୭ ସିଟ୍ ପାଇବୁ। କିନ୍ତୁ JDS ସହିତ ଯିବାର ପ୍ରଶ୍ନ ନାହିଁ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ନିର୍ବାଚନ ଆୟୋଗ ପହଞ୍ଚିଲା କଂଗ୍ରେସ: ଆଣିଲା ଏହି ଅଭିଯୋଗ

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓ ବାର୍ତ୍ତାକୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି କଂଗ୍ରେସ କହିଛି। ଦଳ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗକୁ ଅନୁରୋଧ କରିଛି।

ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହା ମଧ୍ୟ କହିଛି ଯେ, ନିର୍ବାଚନ ଆୟୋଗଙ୍କ ପାଇଁ ଏହା ଏକ ଅଗ୍ନି ପରୀକ୍ଷା। କଂଗ୍ରେସର ସାଧାରଣ ସମ୍ପାଦକ ତଥା ଦଳର କର୍ଣ୍ଣାଟକ ଦାୟିତ୍ୱରେ ଥିବା ରଣଦୀପ ସୁରଜେୱାଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିଡିଓ ବାର୍ତ୍ତା ବିରୋଧରେ ନିର୍ବାଚନ ଆୟୋଗରେ ଅଭିଯୋଗ କରିଛନ୍ତି। ଏଥିରେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିବୃତ୍ତି ସମ୍ପର୍କରେ ସେ କହିଛନ୍ତି ଯେ କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ବେଳେ ବିଜେପି ନେତାମାନେ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି।

କଂଗ୍ରେସର ଅଭିଯୋଗ କ’ଣ?:

କଂଗ୍ରେସ ନିର୍ବାଚନ ଆୟୋଗକୁ ଦେଇଥିବା ରିପୋର୍ଟରେ କହିଛି ଯେ, “ଯଦି ଏହି ବିଜେପି ନେତାମାନେ ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୧ ର ଧାରା ୧୨୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନେ ସଂସଦ କିମ୍ବା ବିଧାନସଭା ସଦସ୍ୟତା ଅଯୋଗ୍ୟ ହୋଇପାରନ୍ତି। କଂଗ୍ରେସ ଏହାର ପୂର୍ବ ସ୍ମାରକପତ୍ର ଏବଂ ବିଶିଷ୍ଟ ବିଜେପି ନେତାଙ୍କ ବିବୃତ୍ତି ଆୟୋଗ ସମ୍ମୁଖରେ ମଧ୍ୟ ଉଲ୍ଲେଖ କରିଛି।

ସୁରଜେୱାଲା ଟ୍ୱିଟ୍ କରି କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ନିର୍ବାଚନ ଆୟୋଗର ଆଚରଣ ବିଧି ଏବଂ ନିର୍ଦ୍ଦେଶାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରନ୍ତି, ଯଦି ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରକୁ ସ୍ଥଗିତ ରଖିବା ଏବଂ ଆଇନ ଅନୁଯାୟୀ ଭୋଟ୍ ଦେବା ମଧ୍ୟରେ ଥିବା ବ୍ୟବସ୍ଥାର ଉଲ୍ଲଂଘନ କରନ୍ତି, ଯଦି ପ୍ରଧାନମନ୍ତ୍ରୀ ନିର୍ବାଚନ ଆୟୋଗଙ୍କ ପ୍ରାଧିକରଣ ଗ୍ରହଣ କରିବାକୁ ମନା କରନ୍ତି, ଯଦି ଏହି ସମୟ ମଧ୍ୟରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ପ୍ରଧାନମନ୍ତ୍ରୀ ଚେଷ୍ଟା କରନ୍ତି, ତେବେ ଆୟୋଗ ନୀରବ ତଥା ଅସହାୟ ହୋଇ ରହିବେ ନା ଧାରା ୩୨୪ ଅନୁଯାୟୀ ଆୟୋଗ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବା ଉଚିତ? ‘

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏହି ଆଇନ ପ୍ରଯୁଜ୍ୟ କି ନୁହେଁ ସୁରଜେୱାଲା ପ୍ରଶ୍ନ କରିଛନ୍ତି? କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ପଦକ୍ଷେପ ବିଜେପିର ହତାଶ ଏବଂ ନିରାଶାକୁ ଦର୍ଶାଉଛି। ସେ ଦାବି କରିଛନ୍ତି ଯେ, କର୍ଣ୍ଣାଟକରେ ବିଜେପି ପରାସ୍ତ ହେବ।

ଘଟଣା କଣ?:

ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅଧୀନରେ ବୁଧବାର ଦିନ ଭୋଟ୍ ଦେବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାରଙ୍କ ପ୍ରତ୍ୟାବର୍ତ୍ତନକୁ ଦୃଢ ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ଏହା ଅଦ୍ଵିତୀୟ ସ୍ନେହ ଗ୍ରହଣ କରାଯାଇଛି ଏବଂ ଏହା ରାଜ୍ୟକୁ ସବୁ କ୍ଷେତ୍ରରେ ଏକ ନମ୍ବର କରିବା ପାଇଁ ତାଙ୍କର ସଂକଳ୍ପକୁ ଦୃଢ କରିଛି।

କର୍ଣ୍ଣାଟକକୁ ଦେଶର ଏକ ନମ୍ବର ରାଜ୍ୟ କରିବା ଅଭିଯାନରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆଶୀର୍ବାଦ ଲୋଡିଛନ୍ତି। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେ କହିଛନ୍ତି ଯେ, କର୍ଣ୍ଣାଟକର ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ମୋର ସ୍ୱପ୍ନ। ଆପଣମାନଙ୍କର ସଂକଳ୍ପ ହେଉଛି ମୋର ସଂକଳ୍ପ। ଯଦି ଆମେ ଏକାଠି ହୋଇ ଆମର ଲକ୍ଷ୍ୟକୁ ଗୋଟିଏ ଲକ୍ଷ୍ୟ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା, ତେବେ ଦୁନିଆର କୌଣସି ଶକ୍ତି ଆମକୁ ଅଟକାଇ ପାରିବେ ନାହିଁ। ଆସନ୍ତାକାଲି କର୍ଣ୍ଣାଟକର ସମସ୍ତ ୨୨୪ ବିଧାନସଭା ଆସନ ପାଇଁ ଭୋଟ୍ ଅନୁଷ୍ଠିତ ହେବ। ଭୋଟ୍ ଗଣନା ମେ ୧୩ ତାରିଖ ରେ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସର ବିରାଟ ପଦଯାତ୍ରା

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ାର ଉପନିର୍ବାଚନର ପ୍ରଚାରର ଶେଷ ଦିନ ଥିବାବେଳେ କଂଗ୍ରେସ ଜୋରଦାର ପ୍ରଚାର କରିଛି। ଏହି ଅବସରରେ ଏକ ବିରାଟ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାକୁ ଓପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ।

ମନମୋହନ ସ୍କୁଲ ଛକ ଠାରୁ ପଦଯାତ୍ରା ବାହାରି ଝାରସୁଗୁଡ଼ାର ପୌରାଞ୍ଚଳର ବିଭିନ୍ନ ଅଞ୍ଚଳ ଓ ସହର ପରିକ୍ରମା କରି ଗାନ୍ଧୀ ଗୋଲେଇ ଠାରେ ସମାପ୍ତ ହୋଇଥିଲା। ଏହି ପଦଯାତ୍ରାରେ ଓପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହି, ସି.ଏସ୍‌. ରାଜ୍ଜନ ଏକ୍କା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଭୁଜବଳ ମାଝୀ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ରାଜ୍ୟ ମିହଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ୱାସିର ନୱାଜ, ବାଙ୍କନିଧି ବେହେରା, ସେନ୍ ହେମ୍ବ୍ରମ୍‌, ହରଦିପ୍ ସିଂ, ବୀରେନ୍ ସେନାପତି, ନିରୁପମା ପାତ୍ର, ସ୍ନେହଲତା ଚୌଧୁରୀ ଓ ଶ୍ରୀୟାସ୍ମିତା ପଣ୍ଡା ପ୍ରମୁଖ ରାଜ୍ୟ ନେତୃମଣ୍ଡଳିଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର, ସଂଜୟ ମହାପାତ୍ର, ମନିଶ୍ ବାଜପେୟୀ, ସନ୍ୟାସିସ୍ ପଟେଲ, ଅଜିତ୍ ପାଣ୍ଡେ, ତନ୍ମୟ ପାଣ୍ଡେ, ସାରୁ ଖାଁନ୍‌, ଜିଲ୍ଲା କଂଗ୍ରେସ ସଭାପତି ରାହୁଲ ଠାକୁର୍‌, ଦଲି କାଙ୍ଗୁଲାଲ୍‌, ଆଦର୍ଶ ଗାନ୍ଧୀ, ପୁରୁଷୋତ୍ତମ ପାଣ୍ଡେ, ବେଲ୍‌ପାହାଡ଼ ମ୍ୟୁନିସ୍‌ପାଲଟି ଅଧ୍ୟକ୍ଷ ନିମାଇ ଚରଣ ପଣ୍ଡା ଏବଂ ଝାରସୁଗୁଡ଼ାର ବହୁ ଛାତ୍ର, ଯୁବ ମହିଳା, କଂଗ୍ରେସ ନେତୃବୃନ୍ଦ, କର୍ମୀ, କଗ୍ରେସ ଶୁଭେଚ୍ଛୁ ସାମଲି ହୋଇ ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ
ତରୁଣ ପାଣ୍ଡେଙ୍କୁ ବିପୁଳ ସଂଖ୍ୟାରେ ହାତ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ
ନିବେଦନ କରିଥିଲେ।