Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୩ ମହାନଗର ନିଗମର ମେୟର ପଦବୀ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ସହିତ ରାଜ୍ୟରେ ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସେଥିପାଇଁ ରାଜ୍ୟରେ ମହାନଗର ନିଗମର ମେୟର ପଦବୀ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ କଟକ ମହାନଗର ନିଗମର ମେୟର ପଦବୀକୁ ଅଣସଂରକ୍ଷିତ ଓ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ତେବେ ଆଜି ଏନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହେବା ସହ ଏହା ଉପରେ ଆପତ୍ତି-ଅଭିଯୋଗ ଥିଲେ ୧୫ଦିନ ମଧ୍ୟରେ ପୌର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ କୁହାଯାଇଛି।

Categories
PanchayatElection ବିଶେଷ ଖବର

ପଞ୍ଚାୟତ ନିର୍ବାଚନ ଲାଗି ନୂଆ କରୋନା ଗାଇଡଲାଇନ ଜାରି କଲେ ଏସଆରସି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଲାଗି କରୋନା ଗାଇଡଲାଇନ ଜାରି କରାଯାଇଛି। ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହାକୁ ନେଇ ସ୍ଵତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି।

ଗାଇଡଲାଇନ ଅନୁଯାୟୀ, ପ୍ରଚାରରେ ସାମାଜିକ ଗଣମାଧ୍ୟମ ଉପରେ ଅଧିକ ଗୁରୁତ୍ଵ ଦେବା ପାଇଁ ପରାମର୍ଶ ଦିଆଯାଇଛି। ଘରକୁ ଘର ପ୍ରଚାର ପାଇଁ ସର୍ବାଧିକ ୫ ଜଣଙ୍କୁ ଅନୁମତି ମିଳିଛି। କୋଭିଡ ପଜିଟିଭ ହୋଇଥିଲେ ପ୍ରଚାର ପାଇଁ ଅନୁମତି ନାହିଁ। ସାମାଜିକ ଗଣମାଧ୍ୟମରେ ଆକ୍ରାନ୍ତ ହୋଇଥିବା ପ୍ରାର୍ଥୀ ପ୍ରଚାର କରିପାରିବେ। ଶୋଭାଯାତ୍ରା, ବାଇକ ରାଲି, ସାଇକେଲ ରାଲି ଆଦିକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

କୌଣସି ବଡ ସମାବେଶକୁ ବାରଣ କରାଯାଇଛି। କରୋନା କଟକଣା ଭିତରେ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏସବୁ ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ମିଳିବା ଆବଶ୍ୟକ। ସେହିଭଳି ନାମାଙ୍କନ ସମୟରେ ପ୍ରାର୍ଥୀ ଏବଂ ଜଣେ ପ୍ରସ୍ତାବକଙ୍କୁ ଅନୁମତି ମିଳିବ। ଭୋଟ ଗଣତି ସମୟରେ କେନ୍ଦ୍ର ସମ୍ମୁଖରେ ଗହଳି କରାଯାଇପାରିବ ନାହିଁ। କୌଣସି ବିଜୟ ଶୋଭାଯାତ୍ରା ମଧ୍ୟ ହୋଇପାରିବ ନାହିଁ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେଲା ସତ, ହେଲେ ଏତେ ସପନକୁ ରାତି କାହିଁ !

ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ରାଜନୈତିକ ଦଳ ତରଫରୁ ତତ୍ପରତା ପ୍ରକାଶ ପାଇଛି। ହେଲେ ପ୍ରଶ୍ନ ଉଠୁଛି ଏତେ ସପନକୁ ରାତି କାହିଁ। ଅର୍ଥାତ ରାଜନୈତିକ ଦଳଗୁଡିକ ପଞ୍ଚାୟତ ନିର୍ବାଚନ ପାଇଁ ଯାହା ସବୁ କରିବେ ବୋଲି ଭାବି ଥିଲେ ତାହା ସବୁ ଫସର ଫାଟିଗଲା। ପରିସ୍ଥିତି ଏପରି ହୋଇଛି ଯେ, କେତେକ ଦଳ ସବୁଆଡେ ପ୍ରାର୍ଥୀ ଦେଇପାରିବେ କି ନାହିଁ ସନ୍ଦେହ ହେଲାଣି।

ଏହାର କାରଣ ହେଲା ଯେ, ହାତରେ ମାତ୍ର ଆଉ ଅଳ୍ପ ଦିନ ରହିଲା। ନିର୍ବାଚନ କମିଶନରଙ୍କ ଘୋଷଣା ଅନୁସାରେ ମନୋନୟନ ପତ୍ର ଦାଖଲ ତାରିଖ ହେଉଛି ଜାନୁୟାରୀ 17 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ। ଅର୍ଥାତ ଆଉ ମାତ୍ର ପାଞ୍ଚ ଦିନ ହାତରେ ଅଛି। ଏତେ ସଂଖ୍ୟକ ପ୍ରାର୍ଥୀ ଦଳଗୁଡିକ ଏହି ସମୟ ଭିତରେ କିପରି ଖୋଜିବେ ତାହା ତାଙ୍କ ପାଇଁ ମୁଣ୍ଡବଥାର କାରଣ ହୋଇଛି।

ହେଲେ ଏହି ସ୍ବଳ୍ପ ସମୟକୁ ନେଇ ରାଜ୍ୟର ଜଣେ ବରିଷ୍ଠ ନେତା, ବଡ ମଜଦାର କଥା କହିଲେ। ତାଙ୍କ ହିସାବରେ ବର୍ତ୍ତମାନ ନେତାମାନଙ୍କ ହାତରେ ଆଉ ସମୟ ନାହିଁ। ସେଥିପାଇଁ ସରପଞ୍ଚ ସ୍ତରରେ ଯିଏ ଛିଡା ହେବ ହୁଅନ୍ତୁ। ସେମାନେ ଜିତିକି ଆସିଲେ ତାଙ୍କୁ ଦଳ ଭିତରକୁ ଆଣି ଜିତିବା ସଂଖ୍ୟା ବଢାଇ ଦେଇ ହେବ। ହେଲେ ପ୍ରଶ୍ନ ଉଠୁଛି ଯେ, ବର୍ତ୍ତମାନ ଏହି ସ୍ବଳ୍ପ ସମୟରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଗୁରୁତ୍ବ ମିଳିବ କି ନାହିଁ।

ଅନ୍ୟପକ୍ଷରେ ସବୁଠାରୁ ବଡ ଚିନ୍ତାର ବିଷୟ ହେଉଛି ପ୍ରଚାର ମାଧ୍ୟମ। କାରଣ କରୋନା ପାଇଁ ନିର୍ବାଚନ କମିଶନର ଯେଉଁ କଟକଣା କରିଛନ୍ତି ତାହା ସେମାନଙ୍କୁ ହତାଶ କରିଛି। ଏଥର ନିର୍ବାଚନ ପ୍ରଚାରରେ ପ୍ରାର୍ଥୀ ବା ପ୍ରାର୍ଥିନୀମାନେ କୌଣସି ରାଲି, ସଭା, ସମାବେଶ କିମ୍ବା ଶୋଭାଯାତ୍ରା କରିପାରିବେ ନାହିଁ। ଫଳରେ ଲୋକମାନଙ୍କ ନିକଟରେ ସେମାନଙ୍କର ଶକ୍ତି ପ୍ରଦର୍ଶନ କିପରି କରିବେ ତାହା ମଧ୍ୟ ଚିନ୍ତାର କାରଣ ପାଲଟିଛି।

ନିର୍ବାଚନ କମିଶନର କହିଛନ୍ତି ଯେ, ଡିଜିଟାଲ ମାଧ୍ୟମରେ ପ୍ରାର୍ଥୀମାନେ ପ୍ରଚାର କରିବେ। ଯେତେବେଳେ ସହରାଞ୍ଚଳରେ ଡିଜିଟାଲ ପ୍ରଚାର ଫେଲମାରିଛି ସେତେବେଳେ ଗାଁ ଗହଳିରେ ଏହା କେତେ କାମ କରିବ ତାହା ସନ୍ଦେହ ଜନକ। କାରଣ ଗାଁ ଭୋଟର ନା ଜାଣନ୍ତି ଫେସବୁକ ନା ଜାଣନ୍ତି ଟୁଇଟର ନା ହ୍ବାଟସଆପ। ଏପରି କ୍ଷେତ୍ରରେ ପ୍ରାର୍ଥୀମାନେ କଣ କରିବେ ତାହା ମଧ୍ୟ ସେମାନଙ୍କର ଚିନ୍ତା ବଢାଇ ଦେଇଛି। କମଶନର କହିଛନ୍ତି ଯେ ପ୍ରାର୍ଥୀମାନେ ଭଚ୍ୟୁୟାଲି ପ୍ରଚାର କରିବେ। ହେଲେ ଏମାନେ ନବୀନ ପଟ୍ଟନାୟକ ନୁହଁନ୍ତି ଯେ ତାଙ୍କ ଭିଡିଓ ଦେଖିବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରିବେ।

ତେବେ ଏହି ପ୍ରଚାରକୁ ନେଇ ଆଉ ଜଣେ ବରିଷ୍ଠ ନେତା ତଥା ବିଧାୟକଙ୍କ ମଧ୍ୟ ଚମତକାର ଚିନ୍ତାଧାର ରହିଛି। ତାଙ୍କ କହିବା ଅନୁସାରେ ପ୍ରଚାର କଟକଣା କରାଗଲା ଭଲ ହେଲା। ଏପରି ନ ହୋଇଥିଲେ ପ୍ରାର୍ଥୀମାନେ ଆମଠାରୁ ପଇସା ଭିଡି ନେଇ ଥାଆନ୍ତେ। ଏଥର ନା ହେବ ରାଲି ନା ହେବ ଶୋଭାଯାତ୍ରା, ତେଣୁ ଆମ ପକେଟ ଏଥର ସୁରକ୍ଷିତ ରହିବ। ହେଲେ ଯେଉଁମାନେ ନିର୍ବାଚନ ପ୍ରତିଦ୍ବନ୍ଦିତା କରିବା ପାଇଁ ଅନେକ କିଛି ସପନ ଦେଖିଥିଲେ ସେମାନଙ୍କ ପାଇଁ ଆଉ ରାତି ନାହିଁ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ଘୋଷଣା ନେଇ ଉତକ୍ଷିପ୍ତ କଂଗ୍ରେସ, ନିର୍ବାଚନ କମିଶନରଙ୍କୁ କହିଲା ଏମିତି କଥା

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନର ଘୋଷଣା ଏବଂ ତତ୍‌ସଂଲଗ୍ନ ମାର୍ଗଦର୍ଶିକା ଓଡ଼ିଆ ପଞ୍ଚାୟତିରାଜ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲା। ଖଳନାୟକ ଭାବରେ ରାଜ୍ୟର ବିଜେଡି ସରକାର ଓ ତାଙ୍କର ବଚସ୍କର ପାଲଟିଥିବା ରାଜ୍ୟ ନିର୍ବାଚନ କମିଶନ୍ ଏହି କଳଙ୍କିତ ଅଧ୍ୟାୟର ସୂତ୍ରଧର ବୋଲି କଂଗ୍ରେସ ଶାଣିତ କଟାକ୍ଷ କରିଛି।

ଦେଶରେ କରୋନା ସଂକ୍ରମଣ ୧ ଲକ୍ଷ ୬୮ ହଜାର। ରାଜ୍ୟରେ ତାହା ୭୦୭୧ । ବିଶେଷଜ୍ଞମାନେ ଏହି ସଂକ୍ରମଣ ଆସନ୍ତା ଫେବୃଆରୀରେ ଶୀର୍ଷରେ ଛୁଇଁବ ବୋଲି ସତର୍କ କରାଇଛନ୍ତି । ବିଜେଡିକୁ ଛାଡ଼ି ରାଜ୍ୟର ସମସ୍ତ ବିରୋଧୀମାନେ ବର୍ତ୍ତମାନ ସମୟରେ ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଚାୟତ ନିର୍ବାଚନକୁ ଘୁଞ୍ଚାଇବାକୁ ଦାବି ରଖିଥିଲେ ।

ମାତ୍ର ନିର୍ବାଚନ କମିଶନ୍ ସେମାନଙ୍କ ଦାବିକୁ କର୍ଣ୍ଣପାତ କଲେନାହିଁ ଏବଂ ନିର୍ବାଚନ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରିକଲେ । ଏହା ନିର୍ବାଚନ କମିଶନଙ୍କ ନିଜସ୍ୱ ନିଷ୍ପତ୍ତି ନୁହେଁ । ରାଜ୍ୟ ସରକାରଙ୍କ ପ୍ରରୋଚନାରେ ଏହା କରିଛନ୍ତି ଯାହାକି ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଚଳିତ ପଞ୍ଚାୟତ ନିର୍ବାଚନରେ ଓ.ବି.ସି. ଓ ଜନଜାତି ସମ୍ପ୍ରଦାୟର ସାମ୍ବିଧାନିକ ଅଧିକାର ପ୍ରତି ହେୟଜ୍ଞାନ କରାଯାଇଛି। ରାଜ୍ୟର ୫୪ ଶତାଂଶ ଲୋକ ଓବିସି ଓ ୨୨.୫ ଶତାଂଶ ଲୋକ ଜନଜାତି ସମ୍ପ୍ରଦାୟର। ଏହି ଦୁଇ ବର୍ଗର ଜନ ସମୁଦାୟକୁ ଚଳିତ ପଞ୍ଚାୟତ ନିର୍ବାଚନାରେ ପ୍ରତାରିତ କରାଯାଇଛି। ଆଦିବାସୀମାନଙ୍କୁ ୨୩ଟି ଜିଲ୍ଲା ଓ ୧୯୫ଟି ବ୍ଲକ୍‌ରେ ସରପଞ୍ଚ ପଦବୀ ଓ ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ଦିଆଯାଇ ନାହିଁ। ଓ.ବି.ସି. ବର୍ଗଙ୍କ ପ୍ରତି ଅବିଚାର କରାଯାଇଛି।

ଓ.ବି.ସି. ସଂରକ୍ଷଣ ସଂକ୍ରାନ୍ତରେ ଆସନ୍ତା ୧୭ ତାରିଖରେ ମାନ୍ୟବର ସୁପ୍ରିମ କୋର୍ଟ ଶୁଣାଣି କରିବେ। ଯଦି ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କର ଓବିସି ବର୍ଗର ସାମ୍ବିଧାନିକ ଅଧିକାର ପ୍ରତି ସମ୍ବେଦନଶୀଳତା ଥାଆନ୍ତା, ତେବେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତିକୁ ୧୭ ତାରିଖ ପରକୁ ଘୁଞ୍ଚାଇ ଦେଇ ପାରିଥାନ୍ତେ। କିନ୍ତୁ ତାହା ନ କରି ତରବରିଆ ଭାବରେ ବିଜ୍ଞପ୍ତି ଜାରି କରିବା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ କହିଛନ୍ତି ।

ପଞ୍ଚାୟତ ନିର୍ବାଚନାରେ ତୃଣମୂଳ ସ୍ତରରେ ଗଣତନ୍ତ୍ର କ୍ରିୟାଶୀଳ ହୋଇଥାଏ । ପଞ୍ଚାୟତର ଲୋକମାନେ ସେମାନଙ୍କର ପ୍ରସଙ୍ଗ ସମସ୍ୟା ସବୁକୁ ନେଇ ନିର୍ବାଚନ ସମୟରେ ମତାମତକୁ ପ୍ରକାଶ କରିଥାଆନ୍ତି । ମାତ୍ର କୋଭିଡ ଆଳରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ ଅତ୍ୟନ୍ତ ସଙ୍କୁଚିତ କରାଯାଇଛି । ନିର୍ବାଚନ ପ୍ରଚାର କାର୍ଯ୍ୟକୁ ସଙ୍କୁଚିତ କରାଯାଇଛି, ଯାହାକି ତୃଣମୂଳ ସ୍ତରରେ ଲୋକଙ୍କ ଗଣତାନ୍ତ୍ରିକ ଭାଗିଦାରିତା ପ୍ରତି ଉପହାସ ବୋଲି କଂଗ୍ରେସ କହିଛି ।

ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କର ସଖୀ କଣ୍ଢେଇ ହୁଅନ୍ତୁ ନାହିଁ । ନିରପେକ୍ଷ ରୁହନ୍ତୁ ବୋଲି କଂଗ୍ରେସ ଅନୁରୋଧ କରିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ମନୋଜ ମହାପାତ୍ର, ଚିନ୍ମୟ ଦାସ ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ପ୍ରଚାର କିପରି ହେବ? ଏହି ଭିଡିଓ କ୍ଲିକ କରି ଦେଖନ୍ତୁ କଣ କହୁଛନ୍ତି ନିର୍ବାଚନ କମିଶନର

ଭୁବନେଶ୍ବର: ଆଜି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ଓଡିଶାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ଓଡିଶାରେ ପାଞ୍ଚୋଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଫେବ୍ରୁଆରୀ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ, ଫେବ୍ରୁଆରୀ ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ, ଫେବ୍ରୁଆରୀ ୨୦ ତାରିଖରେ ତୃତୀୟ ପର୍ଯ୍ୟାୟ, ଫେବ୍ରୁଆରୀ ୨୨ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଏବଂ ଫେବ୍ରୁଆରୀ ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ।

ଏହି ଘୋଷଣା ସମୟରେ ଆହୁରି ଅନେକ କଥା କହିଲେ ନିର୍ବାଚନ କମିଶନର। ତାହା ହେଲା ନିର୍ବାଚନ ପ୍ରଚାର। ଏଥର କରୋନା ପାଇଁ ପ୍ରଚାରକୁ କଟକଣା କରାଯାଇଛି। ତେବେ ଏ ନେଇ ନିର୍ବାଚନ କମିଶନର ଯାହା କହିଲେ ତାହା ଦେଖିବା ପାଇଁ ଏହି ଭିଡିଓଟି କ୍ଲିକ କରନ୍ତୁ।

ଯେଉଁମାନେ କରୋନା କଟକଣା ଭିତରେ ନିର୍ବାଚନ ପ୍ରଚାର ନ କରିବେ ସେମାନଙ୍କ ବିରୋଧରେ ମହାମାରୀ ଆକ୍ଟ ଦ୍ବାରା ଦଣ୍ଡବିଧାନ କରାଯିବ। ସେଥିପାଇଁ ପୋଲିସ ମୁତୟନ କରାଯିବ ବୋଲି ନିର୍ବାଚନ କମିଶନର ସୂଚନା ଦିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

PANCHAYAT BREAKING: ଘୋଷଣା ହେଲା ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ତାରିଖ

ଭୁବନେଶ୍ବର: ଆଜି ରାଜ୍ୟ ନିର୍ବାଚନ କମିଶନର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଥିସହିତ ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ତାରିଖ ମଧ୍ୟ ସେ ଘୋଷଣା କରିଛନ୍ତି। ଜାଣନ୍ତୁ କେଉଁ ତାରିଖରେ କେଉଁ ନିର୍ବାଚନ ହେବ

ପଞ୍ଚାୟତ ନିର୍ବାଚନ

ବିଜ୍ଞପ୍ତି ପ୍ରକାଶ – ୧୩ ଜାନୁୟାରୀ

ପ୍ରାର୍ଥୀ ପତ୍ର ଦାଖଲ- ୧୭ ଜାନୁୟାରୀ ରୁ ୨୧ ଜାନୁୟାରୀ

ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ୨୫ ଜାନୁୟାରୀ

ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ- ୨୫ ଜାନୁୟାରୀ

ଭୋଟ ଗ୍ରହଣ

ଫେବ୍ରୁଆରୀ ୧୬ – ପ୍ରଥମ ପର୍ଯ୍ୟାୟ

ଫେବ୍ରୁଆରୀ ୧୮ – ଦ୍ୱିତୀୟ ପର୍ଯ୍ୟାୟ

ଫେବ୍ରୁଆରୀ ୨୦ – ତୃତୀୟ ପର୍ଯ୍ୟାୟ

ଫେବ୍ରୁଆରୀ ୨୨ – ଚତୁର୍ଥ ପର୍ଯ୍ୟାୟ

ଫେବ୍ରୁଆରୀ ୨୪ – ପଞ୍ଚମ ପର୍ଯ୍ୟାୟ

ଭୋଟ ଗଣତି- ଫେବୃୟାରୀ ୨୬-୨୭ ଓ ୨୮ ତାରିଖ

ଅନ୍ୟ ପଦବୀ ପାଇଁ ନିର୍ବାଚନ ତାରିଖ

ନାଏବ ସରପଞ୍ଚ- ମାର୍ଚ୍ଚ ୧୧ ତାରିଖ

ପଞ୍ଚାୟତ ସମିତି ଅଧ୍ୟକ୍ଷ -ମାର୍ଚ୍ଚ ୧୨ ତାରିଖ

ପଞ୍ଚାୟତ ସମିତି ଉପାଧ୍ୟକ୍ଷ- ମାର୍ଚ୍ଚ ୨୩ ତାରିଖରେ

ଜିଲ୍ଲା ପରିଷଦ ଅଧ୍ୟକ୍ଷ-ମାର୍ଚ୍ଚ ୧୩ ତାରିଖ

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ- ମାର୍ଚ୍ଚ ୨୫ ତାରିଖ

Categories
ବିଶେଷ ଖବର ରାଜ୍ୟ ଖବର

PANCHAYAT ELECTION: ଆଜିଠାରୁ ଲାଗିଲା ନିର୍ବାଚନ ଆଚରଣ ବିଧି, ଦୁଇଦିନ ପରେ ବିଜ୍ଞପ୍ତି

ଭୁବନେଶ୍ବର: ଶେଷରେ ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ତାରିଖ। ଆଜି ଭୁବନେଶ୍ବରରେ ରାଜ୍ୟ ନିର୍ବାଚନ କମିଶନର ଏହି ତାରିଖ ଘୋଷଣା କରିଛନ୍ତି। ତାରିଖ ଘେଷଣା ସହିତ କମିଶନର ଆଜିଠାରୁ ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ହେଲା ବୋଲି ଘୋଷଣା କରିଛନ୍ତି।

ନିର୍ବାଚନ କମିଶନରଙ୍କ ଘୋଷଣା ଅନୁସାରେ ଆସନ୍ତା ଫେବୃୟାରୀ ୧୬ ତାରିଖରେ ଆରମ୍ଭ ହେବ ଭୋଟିଂ। ଏହାପରେ ୧୮ ଫେବୃୟାରୀ, ୨୦ ଫେବୃୟାରୀ, ୨୨ ଫେବୃୟାରୀ ଏବଂ ଶେଷରେ ୨୪ ଫେବୃୟାରୀରେ ଭୋଟ ଗ୍ରହଣ କରାଯିବ। ଭୋଟ ଗଣତି ମଧ୍ୟ ତିନୋଟି ପର‌୍ୟ୍ୟାୟରେ କରାଯିବ। ସେଗୁଡିକ ହେଲା ଫେବୃୟାରୀ ୨୬, ୨୭ ଏବଂ ୨୮ ତାରିଖ। ସେହିପରି ଆସନ୍ତା ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ହେବ। କମିଶନରଙ୍କ ଘୋଷଣା ଅନୁସାରେ

ବିଜ୍ଞପ୍ତି ପ୍ରକାଶ – ୧୩ ଜାନୁୟାରୀ

ପ୍ରାର୍ଥୀ ପତ୍ର ଦାଖଲ- ୧୭ ଜାନୁୟାରୀ ରୁ ୨୧ ଜାନୁୟାରୀ

ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ୨୫ ଜାନୁୟାରୀ

ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ- ୨୫ ଜାନୁୟାରୀ

ଭୋଟ ଗ୍ରହଣ-

ଫେବ୍ରୁଆରୀ ୧୬ – ପ୍ରଥମ ପର୍ଯ୍ୟାୟ

ଫେବ୍ରୁଆରୀ ୧୮ – ଦ୍ୱିତୀୟ ପର୍ଯ୍ୟାୟ

ଫେବ୍ରୁଆରୀ ୨୦ – ତୃତୀୟ ପର୍ଯ୍ୟାୟ

ଫେବ୍ରୁଆରୀ ୨୨ – ଚତୁର୍ଥ ପର୍ଯ୍ୟାୟ

ଫେବ୍ରୁଆରୀ ୨୪ – ପଞ୍ଚମ ପର୍ଯ୍ୟାୟ

ଭୋଟ ଗଣତି- ଫେବୃୟାରୀ ୨୬-୨୭-୨୮ ତାରିଖ

Categories
PanchayatElection ବିଶେଷ ଖବର

PANCHAYAT BREAKING: ଏଥର ପଞ୍ଚାୟତ ନିର୍ବାଚନରେ ସଭା, ରାଲି, ସମାବେଶ ବନ୍ଦ

ଭୁବନେଶ୍ବର: ଏଥର ପଞ୍ଚାୟତ ନିର୍ବାଚନ ଏକ ଭିନ୍ନ ଧରଣର ହେବ। କରୋନା କଟକଣା ପାଇଁ ଏଥର ପଞ୍ଚାୟତ ନିର୍ବାଚନ ପ୍ରଚାର ବିହୀନ ନିର୍ବାଚନ ହେବ। ଆଜି ରାଜ୍ୟ ନିର୍ବାଚନ କମିଶନର ଏହି ଘୋଷଣା କରିଛନ୍ତି। ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଶନର ଆଦିତ୍ୟ ପାଢୀ କହିଛନ୍ତି ଯେ, କରୋନା ପାଇଁ ଏଥର ପ୍ରଚାର ବନ୍ଦ କରାଯାଇଛି।

ତେବେ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର କେବଳ ଘରକୁ ଘର ବୁଲି କରିପାରିବେ। ସାଥୀରେ ମାତ୍ର ପାଞ୍ଚଜଣ କର୍ମିଙ୍କୁ ନେଇ ଯାଇପାରିବେ। ତେବେ ସେମାନେ ଭଚ୍ୟୁୟାଲି କିମ୍ବା ଡିଜିଟାଲ ମାଧ୍ୟମରେ ପ୍ରଚାର କରିବାପାରିବେ।

ପୂର୍ବରୁ ଯେପରି ରାଲି, ସମାବେଶ, ଶୋଭାଯାତ୍ରା, ମଟର ରାଲି, ସାଇକେଲ ରାଲି, ସଭା ପ୍ରଭୃତି ପ୍ରଚାର ମାଧ୍ୟମ ବନ୍ଦ କରାଯାଇଛି। ଏହି ନିୟମକୁ ଯେ ଅମାନ୍ୟ କରିବ ତାଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ନିର୍ବାଚନ କମିଶନର ସତର୍କ କରାଇଛନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

BREAKING NEWS: ଆଜି ଘୋଷଣା ହେବ ପଞ୍ଚାୟତ ନିର୍ବାଚନ ତାରିଖ, ଜାଣନ୍ତୁ କେତେବେଳେ

ଭୁବନେଶ୍ବର: ଆଜି ଓଡିଶା ରାଜ୍ୟ ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବେ। ଏ ନେଇ କମିଶନର କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ସେହି ଅନୁସାରେ ଆଜି ଦିନ 11ଟା  30 ମିନଟରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ଗୀତଗୋବିନ୍ଦ ସଦନରେ ଏହି ସାମ୍ବାଦିକ ସମ୍ମିଳନୀ କରିବେ। ଏଥିରେ ସେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବେ।

ଗତକାଲି ନିର୍ବାଚନ କମିଶନର ସର୍ବଦଳୀୟ ବୈଠକ କରିଥିଲେ। ଏହାପରେ ସେ ଆଇନ ଶୃଙ୍ଖଳା ନେଇ ପୋଲିସ ଡିଜିଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ପରେ ସଂଧ୍ୟାରେ ନିର୍ବାଚନ କମିଶନର ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ। ଏହିସବୁ ପଦକ୍ଷେପରୁ ସ୍ପଷ୍ଟ ହୋଇଥିଲା ଯେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବା ନିଶ୍ଚିତ ରହିଛି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ, ଆଇନି ଶୃଙ୍ଖଳା ନେଇ ବୈଠକ କଲେ ନିର୍ବାଚନ କମିଶନର

ଭୁବନେଶ୍ବର: ବର୍ତ୍ତମାନ ଓଡିଶା ରାଜ୍ୟ ନିର୍ବାଚନ କମିଶନରଙ୍କ ଗତିରୁ ସ୍ପଷ୍ଟ ଜଣାପଡିଲାଣି ଯେ, ଓଡିଶାରେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟ ମଧ୍ୟରେ ହେବ। କାରଣ କମିସନର ଆଦିତ୍ୟ ପ୍ରସାଦ ପାଢୀ ଘନଘନ ବୈଠକ କରି ବିଭିନ୍ନ ମତାମତ ସଂଗ୍ରହରୁ ଏହା ନିଶ୍ଚିତ କରିଛି। କରୋନା ପାଇଁ ନିର୍ବାଚନ ଘୁଞ୍ଚିବ ବୋଲି ଯେଉଁ ଆଶଙ୍କା ରହିଥିଲା ତାହା ସମାପ୍ତ ହୋଇଛି।

ସୋମବାର ଦିନ କମିଶନର ରାଜ୍ୟର ଆଇନି ଶୃଙ୍ଖଳା ନେଇ ପୋଲିସ ଡିଜି ସୁନୀଲ ବଂଶଲଙ୍କ ସହିତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ କରାଗଲେ ଆଇନି ଶୃଙ୍ଖଳା ପରିସ୍ଥିତି କିପରି ରହିବ ସେ ନେଇ ମତ ମାଗିଥିଲେ। ବିଶେଷ ସୁତ୍ରର ଖବର ଅନୁସାରେ ପଞ୍ଚାୟତ ନିର୍ବାଚନ ହେଲେ ଆଇନି ଶୃଙ୍ଖଳା ପରିସ୍ଥିତିରେ କୌଣସି ଅସୁବିଧା ହେବ ନାହିଁ ବୋଲି ମତ ରଖିଛନ୍ତି।

Categories
PanchayatElection ବିଶେଷ ଖବର

ପଞ୍ଚାୟତ ନିର୍ବାଚନ ନେଇ ସରିଲା ସର୍ବଦଳୀୟ ବୈଠକ: ଜାଣନ୍ତୁ କ’ଣ ହେଲା ନିଷ୍ପତ୍ତି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ସର୍ବଦଳୀୟ ବୈଠକ ବସିଛି। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ନେତୃତ୍ଵରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନକୁ ନେଇ ସବୁ ଦଳର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଶାସକ ଦଳ ବିଜେଡ଼ି ନିର୍ବାଚନ କରିବା ଲାଗି ମତ ରଖିଥିବା ବେଳେ ବିରୋଧୀ ଦଳ ଭିନ୍ନ ମତ ଦେଇଛନ୍ତି। ଗାଇଡଲାଇନ ଅନୁଯାୟୀ ନିର୍ବାଚନ କରିବା ଲାଗି ବିଜେଡ଼ି ପ୍ରସ୍ତାବ ରଖିଛି।

ସେପଟେ ଆଉ ୩ ମାସ ପରେ ନିର୍ବାଚନ କରାଇବାକୁ ଭାରତୀୟ ଜନତା ପାର୍ଟି ମତ ରଖିଛି। ସେହିଭଳି ଏହି ପରିସ୍ଥିତିରେ ନିର୍ବାଚନ କରିବା ସପକ୍ଷରେ କଂଗ୍ରେସ ନାହିଁ। କରୋନାର ତୃତୀୟ ଲହରୀ ମଧ୍ୟରେ ନିର୍ବାଚନ ନକରିବାକୁ ଉବାୟ ଦଳ ଦାବି କରିଛନ୍ତି। ସେପଟେ ଓବିସି ସଂରକ୍ଷଣ ପ୍ରସଙ୍ଗ ମଧ୍ୟ ବିରୋଧୀ ଦଳ ଉଠାଇଥିଲେ। ଯେପର୍ଯ୍ୟନ୍ତ ଏହାର ସମାଧାନ ନହୋଇଛି, ସେପର୍ଯ୍ୟନ୍ତ ନିର୍ବାଚନ ବନ୍ଦ ରଖିବାକୁ ବିରୋଧୀ ଦଳ ଦାବି କରିଛି।

ତେବେ ଏହି ବୈଠକ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢି ପ୍ରତିକ୍ରିୟା ଦେଇଛନ୍ତି। କେନ୍ଦ୍ର ନିର୍ବାଚନ କମିଶନରଙ୍କ ଗାଇଡଲାଇନ ଅନୁଯାୟୀ ଗାଇଡଲାଇନ ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀ ପାଢି କହିଛନ୍ତି। ତେଣୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଏହି ସୂଚନା ପରେ ନିର୍ବାଚନ ହେବା ନେଇ ସଙ୍କେତ ମିଳୁଥିବା ଦେଖାଯାଉଛି। ସୂଚନା ଅନୁଯାୟୀ, ପଞ୍ଚାୟତ ନିର୍ବାଚନ ଲାଗି ଖୁବ ଶୀଘ୍ର ନିର୍ବାଚନ କମିଶନର ଏକ ଗାଇଡ ଲାଇନ ଜାରି କରିପାରନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନର କରିବେ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆଜି ଓଡିଶା ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସର୍ବଦଳୀୟ ବୈଠକ ଡାକିଛନ୍ତି। ପୂର୍ବରୁ ଏ ନେଇ ସେ ଆଉ ଏକ ବୈଠକ କରିଥିଲେ। ତେବେ ବର୍ତ୍ତମାନ ରାଜ୍ୟରେ କରୋନା ପରିସ୍ଥିତି ନେଇ କିପରି ନିର୍ବାଚନ ହେବ ସେ ନେଇ ମତ ଲୋଡିବେ। ଏଥିରେ ରାଜ୍ୟର ସବୁ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେବେ।

ପୂର୍ବରୁ ନିର୍ବାଚନ କମିଶନର ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିସାରିଛନ୍ତି। ବର୍ତ୍ତମାନ କରୋନା ପରିସ୍ଥିତି କିପରି ଅଛି ଏବଂ କଣ ମୁକାବିଲା ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ଆଲୋଚନା କରିଛନ୍ତି। ଆଜି ରାଜନୈତିକ ଦଳର ମତାମତ ନେବା ପରେ କମିଶନର ନିର୍ବାଚନ ନେଇ ଘୋଷଣା କରିବେ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

କରୋନା ପରିସ୍ଥିତିରେ ପଞ୍ଚାୟତ ନିର୍ବାଚନ କରିବା ଠିକ୍ ହେବ କି ? ବୈଠକରେ ହେଲା ଆଲୋଚନା

ଭୁବନେଶ୍ବର: ବର୍ତ୍ତମାନ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୂର୍ବରୁ ଓଡିଶାର ସ୍ଥିତି ଯେପରି ଭୟଙ୍କର ଥିଲା ବର୍ତ୍ତମାନ ସେହି ଆଡକୁ କରୋନା ଗତି କରୁଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଭବିଷ୍ୟବାଣୀ ଅନୁସାରେ ଆସନ୍ତା ଫେବୃୟାରୀ ମାର୍ଚ୍ଚରେ ସ୍ଥିତି ଅସମ୍ଭାଳ ହେବ। ତେବେ ଏପରି ପରିସ୍ଥିତିରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରିବା ସମ୍ଭବ କି ? ଏହିପରି ପ୍ରଶ୍ନ ବର୍ତ୍ତମାନ ସାଧାରଣରେ ଆଲୋଚନା ହେବାରେ ଲାଗିଛି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢୀ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ। ଶନିବାର ଦିନ ଆୟୋଜିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ସ୍ବାସ୍ଥ୍ୟ ସଚିବ ରାଜକୁମାର ଶର୍ମା ଏବଂ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଯୋଗ ଦେଇଥିଲେ।

ଏଥିରେ ସ୍ବାସ୍ଥ୍ୟ ସଚିବ ରାଜକୁମାର ଶର୍ମା ରାଜ୍ୟରେ କୋଭିଡ ଟିକାକରଣ ସହିତ କରୋନା ମୁକାବିଲା ପ୍ରସ୍ତୁତି ଉପରେ ତଥ୍ୟ ରଖିଥିଲେ। ସେହିପରି ଉନ୍ନୟନ କମିଶନର ପ୍ରଦୀପ ଜେନା ମଧ୍ୟ ଭବିଷ୍ୟତରେ ବୁଷ୍ଟର ଡୋଜ ପ୍ରଦାନ ଉପରେ ଆଲୋତପାତ କରିଥିଲେ। ରାଜ୍ୟ ସରକାରଙ୍କ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ ଓଡିଶା ରାଜ୍ୟ ନିର୍ବାଚନ କମିଶନର। ଏହାପରେ ସେ ଓଡିଶାରେ ପଞ୍ଚାୟତ ନିର୍ବାଚନ ହେବ କି ନାହିଁ ତାହା ନିଷ୍ପତି ଗ୍ରହଣ କରିବେ।

ତେବେ ରାଜନୈତିକ ସମୀକ୍ଷକଙ୍କ ମତ ଅନୁସାରେ ଓଡିଶାର ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ। କାରଣ ଭାରତ ନିର୍ବାଚନ କମିଶନର ବର୍ତ୍ତମାନ ଏହି ପରିସ୍ଥିତିରେ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ କରିବା ପାଇଁ ତାରିଖ ଘୋଷଣା କରିସାରିଲେଣି। ଏହା ପୂର୍ବରୁ କେତେକ ରାଜ୍ୟରେ ମଧ୍ୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ତେଣୁ ଓଡିଶାରେ ମଧ୍ୟ ପଞ୍ଚାୟତ ନିର୍ବାଚନ ହେବାର ଯଥେଷ୍ଠ କାରଣ ରହିଛି ବୋଲି ସେମାନେ କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସବୁଜ ସଙ୍କେତ ଦେଇ ସାରିଲେଣି। ଏ ନେଇ ସରକାର ତିନୋଟି ଗେଜେଟ ନୋଟିଫିକେସ ଜାରୀ କରିସାରିଲେଣି। ଏଥିରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଯିବ ବୋଲି ସଙ୍କେତ ପ୍ରଦାନ କରିସାରିଛନ୍ତି। ଏପରି ପରିସ୍ଥିତିରେ ରାଜ୍ୟ ନିର୍ବାଚନ କମିଶନର ଖୁବ ଶିଘ୍ର ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବେ ବୋଲି ଜଣାପଡିଛି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ କରିବାକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ, ବାହାରିଲା ଗେଜେଟ ବିଜ୍ଞପ୍ତି

ଭୁବନେଶ୍ବର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରିବାକୁ ରାଜ୍ୟ ସରକାର ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ତିନୋଟି ଗେଜେଟ ନୋଟିଫିକସନ ପ୍ରକାଶ କରାଯାଇଛି। ଏଥିରେ ଓଡ଼ିଶା ଜିଲ୍ଲା ପରିଷଦ ଆକ୍ଟ ପ୍ରାବଧାନ ଅନୁସାରେ ସମସ୍ତ ଜିଲ୍ଲା ପରିଷଦରେ ସଭ୍ୟ ନିର୍ବାଚନ କରିବାକୁ ସମ୍ମତି ଦେଇଛନ୍ତି ।

ସେହିପରି ପଞ୍ଚାୟତ ସମିତି ଆକ୍ଟ ଓ ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ରୁଲସ ପ୍ରାବଧାନ ଅନୁସାରେ ସମସ୍ତ ପଞ୍ଚାୟତ ସମିତିରେ ସଭ୍ୟ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି। ତେବେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ଢ଼ିଙ୍କିଆ ଗ୍ରାମ ପଞ୍ଚାୟତକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ପଞ୍ଚାୟତରେ ୱାର୍ଡ ସଭ୍ୟ ଓ ପଞ୍ଚାୟତ ନିର୍ବାଚନ କରିବାକୁ ଏହି ସମ୍ମତି ପ୍ରକାଶ କରିଛନ୍ତି। ଅନ୍ୟପଟେ ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରତିନିଧୀଙ୍କୁ ଡାକି ଆଲୋଚନା କରିଛନ୍ତି। ବର୍ତ୍ତମାନ କରୋନା ପରିସ୍ଥିତିରେ ପଞ୍ଚାୟତ ନିର୍ବାଚନ ସମ୍ଭବ କି ନାହିଁ ମତାମତ ନେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଥମେ ସଂରକ୍ଷଣ ଓ ପରେ ନିର୍ବାଚନ ଦାବୀ କଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ଶ୍ରୀ ସନ୍ତୋଷ ସିଂ ସାଲୁଜା, ବିଧାୟକ, ଶ୍ରୀ ଜ୍ଞାନଦେବ ବେଉରା, ଅଧ୍ୟକ୍ଷ ପଛୁଆ ବର୍ଗ ବିଭାଗ ପ୍ରଦେଶ କଂଗ୍ରେସ କମିଟି ଓ ଶ୍ରୀ ଚିନ୍ମୟ ସୁନ୍ଦର ଦାସ ଆଜି ଲୋକସଭା ଭବନରେ ପଂଚାୟତରାଜ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଭେଟି ଓଡ଼ିଶାରେ ଆଗାମୀ ପଂଚାୟତ ନିର୍ବାଚନରେ ପଛୁଆବର୍ଗମାନଙ୍କ ପାଇଁ ଉଚ୍ଛେଦ କରାଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ପୂନଃ କାଏମ କରିବାପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

କଂଗ୍ରେସ ଦଳ ତରଫରୁ ପ୍ରଥମେ ସଂରକ୍ଷଣ ଓ ପରେ ନିର୍ବାଚନ ଦାବିକୁ ଗ୍ରହଣ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି । ଏହି ଦାବିପତ୍ର ଗ୍ରହଣ କରି ପ୍ରମୁଖ ଶାସନ ସଚିବ, ଏହାଉପରେ ସରକାର ତର୍ଜମା କରିବା ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ଦଳ ତରଫରୁ ପ୍ରଦାନ କରାଯାଇଥିବା ଦାବି ପତ୍ରକୁ ସରକାର ବିଚାରକୁ ନନେଲେ କଂଗ୍ରେସ ଦଳ ଖୁବଶୀଘ୍ର ନ୍ୟାୟଳୟକୁ ଯିବାପାଇଁ ନିଷ୍ପତି ନେଇଥିବା ପ୍ରକାଶ ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଓଡିଶା ପଞ୍ଚାୟତ ନିର୍ବାଚନ ପାଇଁ ଜାରୀ ହେଲା ପ୍ରାର୍ଥୀମାନଙ୍କ ଚିହ୍ନ, ଜାଣନ୍ତୁ କାହାକୁ କଣ ମିଳିବ

ଭୁବନେଶ୍ବର: ଆଜି ଓଡିଶା ରାଜ୍ୟ ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପ୍ରାର୍ଥୀଙ୍କ ନିର୍ବାଚନ ଚିହ୍ନ ଜାରୀ କରିଛନ୍ତି। ଖୁବ୍ ଶିଘ୍ର ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବାରୁ ପ୍ରଥମେ ଏହି ଚିହ୍ନ ଜାରୀ କରାଯାଇଛି। ପୂର୍ବରୁ ନିର୍ବାଚନ କମିଶନର ନିର୍ବଚନ ଆଚରଣ ବିଧି ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାପରେ ଦ୍ବିତୀୟ ପଦକ୍ଷେପ ସ୍ବରୂପ ଏହି ନିର୍ବାଚନ ସଙ୍କେତ ଜାରୀ କରିଛନ୍ତି।

କମିଶନରଙ୍କ ବିଜ୍ଞପ୍ତି ଅନୁସାରେ ୱାର୍ଡ ମେମ୍ବରଙ୍କ ପାଇଁ 15ଟି, ସରପଞ୍ଚଙ୍କ ପାଇଁ 32 ଟି ଏବଂ ସମିତି ସଭ୍ୟଙ୍କ ପାଇଁ 19ଟି ଚିହ୍ନ ଜାରୀ କରାଯାଇଛି। ଏହି ଚିହ୍ନଗୁଡିକ କେଉଁ ପ୍ରାର୍ଥୀଙ୍କୁ କଣ ଦିଆଯିବ ତାହା ସ୍ଥାନୀୟ ନିର୍ବାଚନ ଅଧିକାରୀ ସ୍ବୀକୃତୀ ଦେବେ।ୱାର୍ଡ ମେମ୍ବରଙ୍କ ପାଇଁ ଶଗଡଗାଡି, ନିକିତି, କଲମ, ନଡିଆଗଛ ପରି ବିଭିନ୍ନ ଚିହ୍ନ ଜାରୀ କରାଯାଇଛି। ସେହିପରି ସରପଞ୍ଚଙ୍କ ପାଇଁ ଲଣ୍ଠନ, ମହମବତୀ, ନିଶୁଣି, କ୍ୟାମେରା, ପାନିଆଁ ପ୍ରଭଡି ଚିହ୍ନ ପ୍ରଦାନ କରାଯାଇଛି। ସମିତି ସଭ୍ୟଙ୍କ ପାଇଁ କେଟିଲ୍, ଫୁଟବଲ, ବଂଶୀ, ମକା ଏବଂ ଘଣ୍ଟି ପରି ଚିହ୍ନ ପ୍ରଦାନ କରାଯିବ।

ନିର୍ଦ୍ଧିଷ୍ଠ ପ୍ରାର୍ଥୀଙ୍କୁ ନିର୍ଦ୍ଧିଷ୍ଠ ଚିହ୍ନ ପ୍ରଦାନ କରିବା ପରେ ସେମାନେ ସେମାନଙ୍କର ପୋଷ୍ଟର ବ୍ୟାନର ଛପାଇପାରିବେ। ସେଥିପାଇଁ ନିର୍ବାଚନ କମିଶନର କେତେକ ଗାଇଡ ଲାଇନ ଜାରୀ କରିଛନ୍ତି। ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ଯେଉଁ ପ୍ରେସରେ ଛାପିବେ ତାହାର ସଂପୂର୍ଣ୍ଣ ବିବରଣୀ ସେହି ପୋଷ୍ଟରେ ରଖିବେ। ନଚେତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।

ସେହିପରି ପୋଷ୍ଟର କିମ୍ବା ବ୍ୟାନର ମାରିବା ପାଇଁ ମଧ୍ୟ କଟକଣା ଜାରୀ କରାଯାଇଛି। କୌଣସି ସରକାରୀ କୋଠା, ସ୍କୁଲ କଲେଜ କାନ୍ଥ, ସର୍ବସାଧାରଣ ବ୍ୟବହାର ହେଉଥିବା ସ୍ଥାନମାନଙ୍କରେ ପ୍ରାର୍ଥୀମାନେ ସେମାନଙ୍କର ପୋଷ୍ଟର ମାରିପାରିବେ ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିର ଐତିହାସିକ ନିଷ୍ପତ୍ତି; ପଞ୍ଚାୟତ ଆଉ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ

ଭୁବନେଶ୍ୱର : ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ ସହିତ ସେମାନଙ୍କୁ ନ୍ୟାର୍ଯ୍ୟ ରାଜନୈତିକ ଅଧିକାର ପ୍ରଦାନ ପାଇଁ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦେବା ସଂକ୍ରାନ୍ତରେ କାର୍ଯ୍ୟକାରିଣୀରେ ସର୍ବସମ୍ମତ ମତ ପ୍ରକାଶ ପାଇବା ସହିତ ଏହା ଉପରେ ମୋହର ଲାଗିଛି ।

ବିଜେଡି କାର୍ଯ୍ୟକାରିଣୀରେ ଏହି ପ୍ରସଙ୍ଗ ଉପରେ ଆଜି ବିସ୍ତୃତ ଆଲୋଚନା ହୋଇଥିଲା । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦେବାପାଇଁ ବୈଠକରେ ପ୍ରସ୍ତାବ ଆଗତ କରିଥିଲେ । ସର୍ବସମ୍ମତ କ୍ରମେ ପ୍ରସ୍ତାବ ସପକ୍ଷରେ ମତପ୍ରକାଶ ପାଇବାପରେ ଏହାକୁ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ଯାହାକୁ ମୁଖ୍ୟମନ୍ତ୍ରୀ ସବୁଜ ସଙ୍କେତ ପ୍ରଦାନ କରିଛନ୍ତିି । ଏହା ଫଳରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ହେବା ନିଶ୍ଚିତ ହୋଇଯାଇଛି ।

ଉଲ୍ଲେଖନୀୟ ଯେ ନିକଟରେ ମାନ୍ୟବର ସୁପ୍ରିମ୍‍ କୋର୍ଟଙ୍କ ରାୟ ପରେ ସାରା ଦେଶରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ପଞ୍ଚାୟତିରାଜ ଓ ପୌରପାଳିକା ନିର୍ବାଚନରୁ ଉଠାଇ ଦିଆଯାଇଥିବାରୁ ଏହି ଜାତୀୟ ପ୍ରସଙ୍ଗ ଉପରେ ପଛୁଆବର୍ଗଙ୍କୁ ଉପଯୁକ୍ତ ନ୍ୟାୟ ଦେବାପାଇଁ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। କେନ୍ଦ୍ର ସରକାର ଏ ଦିଗରେ ଯାହା ଆଇନ୍‍ଗତ ଏବଂ ବୈଧାନିକ ନିଷ୍ପତ୍ତି ନେବେ ଉଭୟ ବିଜୁ ଜନତା ଦଳ ଏବଂ ସରକାର ତାକୁ ଆନ୍ତରିକତାର ସହ ସମର୍ଥନ କରିବେ ।

କାର୍ଯ୍ୟକାରିଣୀ ସଦସ୍ୟମାନେ ଦର୍ଶାଇଥିଲେ ଯେ ବିଜୁ ଜନତା ଦଳ ସବୁବେଳେ ଆର୍ଥିକ ଅନଗ୍ରସର ବର୍ଗର ଜନସାଧାରଣଙ୍କ ଉନ୍ନତି ଏବଂ ସମାନ ଅଧିକାର ପାଇଁ ସବୁ ରକମର ପଦକ୍ଷେପ ଗ୍ରହଣ କରିଆସୁଛି । ନିକଟରେ ମହିଳାଙ୍କ ପାଇଁ ସଂସଦ ଏବଂ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ଲାଗି ଆହ୍ୱାନ ଦେଇ ସମଗ୍ର ଭାରତ ବର୍ଷରେ ଆଲୋଡନ ସୃଷ୍ଟି କରିଥିବା ବିଜୁ ଜନତା ଦଳ ପ୍ରଥମେ ନିଜ ଆଡୁ ୨୦୧୯ ଲୋକସଭା ନିର୍ବାଚନରେ ଏକ ତୃତୀୟାଂଶ ମହିଳାଙ୍କୁ ପ୍ରାର୍ଥୀ କରି ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରିଥିଲା ।

ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜୁ ଜନତା ଦଳ ରାଜ୍ୟର ଆର୍ଥିକ ଅନଗ୍ରସର ବର୍ଗଙ୍କ ସଶକ୍ତିକରଣ ପ୍ରତି ନିଜର ପ୍ରତିବଦ୍ଧତା ପୁନଶ୍ଚ ଦୋହରାଇ ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସର୍ବସମ୍ମତି କ୍ରମେ ଏକ ଐତିହାସିକ ପ୍ରସ୍ତାବ ପାରିତ କରିଛି । ତଦନୁଯାୟୀ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନରେ ଦଳ ଅନ୍ୟୁନ ୪୦ ପ୍ରତିଶତ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦିତା କରିବା ନିମନ୍ତେ ମନୋନୀତ କରି ସେମାନଙ୍କୁ ତାଙ୍କର ନ୍ୟାର୍ଯ୍ୟ ରାଜନୈତିକ ଅଧିକାର ପ୍ରଦାନ କରିବ ।

ଆଜିର ଏହି କାର୍ଯ୍ୟକାରିଣୀ ବୈଠକରେ ବିଜେଡି ସାଂଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ, ଦଳର ଉପସଭାପତି ତଥା ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ସର୍ବଶ୍ରୀ ପ୍ରତାପ ଜେନା, ଅରୁଣ ସାହୁ, ସମୀର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସାରକା, ବିଧାୟକ ସର୍ବଶ୍ରୀ ପ୍ରଫୁଲ ସାମଲ, ଅତନୁ ସବ୍ୟସାଚୀ ନାୟକ, ଧ୍ରୁବ ସାହୁ, ପ୍ରୀତି ରଞ୍ଜନ ଘଡାଇ, ଚନ୍ଦ୍ର ସାରଥି ବେହେରା, ରୋହିତ ପୂଜାରୀ, ଅନନ୍ତ ନାରାୟଣ ଜେନା ଯୋଗଦେଇଥିଲେ।

ସେହିପରି ଶ୍ରୀକାନ୍ତ ସାହୁ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ପ୍ରଶାନ୍ତ ମୁଦୁଲି, ସୁଶାନ୍ତ ରାଉତ, ରମେଶ ବେହେରା, ବ୍ରଜ କିଶୋର ପ୍ରଧାନ, ସାଂସଦ ସର୍ବଶ୍ରୀ ଡକ୍ଟର ସସ୍ମିତ ପାତ୍ର, ସୁବାସ ସିଂହ, ମୁନ୍ନା ଖାଁ, ରାଜଶ୍ରୀ ମଲ୍ଲିକ ଏବଂ ସାଧାରଣ ସମ୍ପାଦକ ସର୍ବଶ୍ରୀ ମାନସ ମଙ୍ଗରାଜ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅରୂପ ପଟ୍ଟନାୟକ, କଳିକେଶ ନାରାୟଣ ସିଂହଦେଓ, ସାନନ୍ଦ ମାରାଣ୍ଡି, ସ୍ୱାଧୀନ ନାୟକ ଏବଂ ଦେବାଶିଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ସଦସ୍ୟମାନେ ଭର୍ଚୁଆଲ ଜରିଆରେ କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ଯୋଗ ଦେଇଥିଲେ ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଲାଗି ଗେଜେଟ୍ ବିଜ୍ଞପ୍ତି ଜାରି କଲା ଆଇନ ବିଭାଗ

ଭୁବନେଶ୍ଵର: ପଞ୍ଚାୟତ ନିର୍ବାଚନ ଲାଗି ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ଆଇନ ବିଭାଗ ପକ୍ଷରୁ ଏହି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଣିକି ସତ୍ୟପାଠ ଜରିଆରେ ପ୍ରାର୍ଥୀମାନେ ନିଜର ତଥ୍ୟ ପ୍ରଦାନ କରିବେ। ନାମାଙ୍କନ ଦାଖଲ ସମୟରେ ନିଜର ତଥ୍ୟ ପ୍ରଦାନ କରିବେ। ପ୍ରାର୍ଥୀମାନେ ଅପରାଧିକ ମାମଲା, ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ତଥ୍ୟ ଲୁଚାଇଲେ ପ୍ରାର୍ଥୀଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ ଓ ଜରିମାନା ଦେବାକୁ ପଡିବ। ଜିଲ୍ଲା ପରିଷଦ, ସମିତି ସଭ୍ୟ ଓ ସରପଞ୍ଚମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଏହାସହିତ ପଞ୍ଚାୟତ ନିର୍ବାଚନମାନଙ୍କୁ ବିପର୍ଯ୍ୟୟ ମୁକାବିଲା ପାଇଁ ଅଧିକ କ୍ଷମତା ମିଳିବ। ପଞ୍ଚାୟତ ସମିତି ସ୍ତରରେ ରିଲିଫ, ପୁନଃଥଇଥାନ, ପୁନଃନିର୍ମାଣ କାର୍ଯ୍ୟରେ ସାମିଲ ହେବେ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଓଡିଶାର ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପାଇଁ ହେଲା ନିଷ୍ପତି, ଜାଣନ୍ତୁ କେବେ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ନିୟମ ଅନୁସାରେ ଏହି ନିର୍ବାଚନ ଆସନ୍ତା ଫେବୃୟାରୀରେ ହେବା ଆବଶ୍ୟକ। ଆଉ ସେଥିପାଇଁ ଜାନୁୟାରୀ ମାସଟି ପୁରା ନିର୍ବାଚନ ପାଇଁ ରହିବ। ଏହାକୁ ହିସାବ କଲେ ଆସନ୍ତା ସପ୍ତାହରେ କେବେ ନିର୍ବାଚନ ହେବ ତାହାର ତାରିଖ ଘୋଷଣା ହେବ।

କମିଶନରଙ୍କ କାର୍ଯ୍ୟଳୟର ଜଣେ ଅଧିକାରୀଙ୍କ ଅନୁସାରେ କମିଶନର ଆସନ୍ତା ସପ୍ତାହରେ ଏହି ତାରିଖ ଘୋଷଣା କରିବେ ବୋଲି ନିଷ୍ପତି ଗ୍ରହଣ କରିଛନ୍ତି। ସେଥିପାଇଁ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ଫଳରେ ବଡଦିନ ଡିସେମ୍ବର 25 ତାରିଖ ପରେ କେତେବେଳେ ବି ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଜଣାପଡିଛି।

ଚଳିତ ଥର ୬୭୯୪ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଭ୍ୟ, ୯୧,୯୧୬ ୱାର୍ଡମେମ୍ବର ଓ ୮୫୩ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ପର୍ଯ୍ୟାୟ ମଧ୍ୟରେ ଦିନେ ଦୁଇ ଦିନ ବ୍ୟବଧାନ ରହିବ। ପ୍ରତି ବ୍ଲକ୍‌କୁ ଗୋଟିଏ ୟୁନିଟ୍ ଭାବେ ଧରାଯିବ।

ପ୍ରଥମ ଥର ପାଇଁ ସମସ୍ତ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଓ ୱାର୍ଡ ପାଇଁ ଭୋଟ୍ ଗ୍ରହଣ ଗୋଟିଏ ଦିନରେ କରାଯିବ। ଏଥର ବୁଥରେ ଭୋଟ୍ ଗଣତି ନ ହୋଇ ସମ୍ପୂର୍ଣ୍ଣ ପାଞ୍ଚ ପର୍ଯ୍ୟାୟ ମତଦାନ ଶେଷ ହେଲା ପରେ ବ୍ଲକ୍ ସ୍ତରରେ ଭୋଟ୍ ଗଣତି ହେବ। ଏହା ମଧ୍ୟରେ ଭୋଟର୍ ତାଲିକା ସଂଶୋଧନ ଶେଷ ହୋଇଛି। ୨୦୨୧ ନଭେମ୍ବର ୧ ତାରିଖ ସୁଦ୍ଧା ୧୮ ବର୍ଷରେ ପଦାର୍ପଣ କରିଥିବା ନାଗରିକମାନଙ୍କୁ ଭୋଟର୍ ତାଲିକାରେ ନିଆଯାଇଛି। ୨.୬୧ କୋଟିରୁ ଅଧିକ ମତଦାତା ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ।

ପଞ୍ଚାୟତ ତାରିଖ ଘୋଷଣା ପୂର୍ବରୁ କମିଶନରଙ୍କ ତରଫରୁ ନିର୍ବାଚନ ଆଚରଣ ବିଧି ଘୋଷଣା କରାଯାଇଛି। ଯେଉଁମାନେ ପ୍ରାର୍ଥ ହେବେ ସେମାନେ ଏହି ଆଚରଣ ବିଧି ଅନୁସାରେ କାର୍ଯ୍ୟ କରିବେ ବୋଲି ସେମାନଙ୍କ ଉଦ୍ଦେଶ୍ୟରେ ଏହା ପ୍ରଦାନ କରାଯାଇଛି। ଯେଉଁଧିନ ନିର୍ବାଚନ ତାରିଖ ଘୋଷଣା ହେବ ସେହିଦିନଠାରୁ ଏହା ଲାଗୁ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ, ପଞ୍ଚାୟତ ପାଇଁ ହୋଇପାରେ କିଛି ବଡ ନିଷ୍ପତି

ଭୁବନେଶ୍ବର: ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଆସନ୍ତା ସପ୍ତାହରେ ପଞ୍ଚାୟତ ନିର୍ବାଚନ ଘୋଷଣା ହେବାକୁ ଥିବାରୁ ଏହି ବୈଠକ ବେଶ ଗୁରୁତ୍ବ ବହନ କରୁଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରସିଂରେ ଯୋଗଦେବେ। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଏହି କ୍ୟାବିନେଟ ବୈଠକରେ ସେହିପରି କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ବାହାରିଲା ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଚିଠା, ନେତା ମନ୍ତ୍ରୀମାନଙ୍କ ପାଇଁ ବିଶେଷ କଟକଣା

ଭୁବନେଶ୍ବର: ଆଜି ଓଡିଶା ରାଜ୍ୟ ନିର୍ବାଚନ କମିଶନର ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ କରିଛନ୍ତି ସ୍ବତନ୍ତ୍ର ନିର୍ବାଚନ ଆଚରଣ ବିଧି ଚିଠା। ଯେଉଁଦିନ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ ସେହିଦିନଠାରୁ ଏହା କାର୍ଯ୍ୟକାରି କରାଯିବ ବୋଲି କମିଶନରଙ୍କ ତରଫରୁ କୁହାଯାଇଛି।

ଏହି ଚିଠା ତାଲିକାରେ ରହିଛି ମୋଟ 12 ପୃଷ୍ଟା। ଏଥିରେ ରହିଛି ପାଞ୍ଚୋଟି ପରିଚ୍ଛେଦ। ଏଥିସହିତ ଆଚରଣ ବିଧି ଉଲଂଘନ କଲେ କଣ ଦଣ୍ଡବିଧାନ ହେବ ତାହା ମଧ୍ୟ ଉଲ୍ଲେଖ କରାଯାଇଛି। ମୁଖ୍ୟତଃ ହାଇ ପ୍ରୋଫାଇଲ ବ୍ୟକ୍ତିମାନେ ନିର୍ବାଚନ ପ୍ରଚାର ବେଳେ କିପରି କଟକଣା ଭିତରେ ରହିବେ ତାହା ସଚେତନ କରାଯାଇଛି।

ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ କମିଶନରଙ୍କ ତରଫରୁ ଏହି ଆଚରଣ ବିଧି ପ୍ରକାଶ କରିବାର କାରଣ ରହିଛି। ତାହା ହେଲା ଯେଉଁମାନେ ପ୍ରାର୍ଥୀ ହେବେ ସେମାନେ ବର୍ତ୍ତମାନଠାରୁ ତାହା ଆବଗତ ହେବା ଆବଶ୍ୟକ। ସେହି ଅନୁସାରେ ସେମାନେ ନିର୍ବାଚନ ପ୍ରଚାର କରିବେ। ଏପରିକି ଏହି ଆଚରଣ ବିଧି ଅନୁସାରେ ସେମାନେ ପ୍ରଚାର ପତ୍ର ଛପାଇ ପାରିବେ।

ଏହି ଆଚରଣ ବିଧିର ପ୍ରଥମ ପରିଚ୍ଛଦ ହେଉଛି ସାଧାରଣ ଆଚରଣ ବିଧି। ଯେଉଁଥିରେ କମିଶନର 6ଟି ପଏଣ୍ଟ ଜାରୀ କରିଛନ୍ତି। ସାଧାରଣ ଆଚରଣ ବିଧିରେ ପ୍ରାର୍ଥୀମାନେ କିପରି ପ୍ରଚାର କରିବେ, କିପରି ଭାଷା ପ୍ରୟୋଗ କରିବେ, ହିଂସା ଉଦ୍ରେକ ପରି କଥା କହିପାରିବେ ନାହିଁ ତାହା ଉଲ୍ଲେଖ କରାଯାଇଛି। ସେହିପରି ପ୍ରଚାର ବେଳେ ସେମାନେ ଯେପରି କୌଣସି ସରକାରୀ କୋଠା, ସ୍କୁଲ କଲେଜ ବ୍ୟବହାର ନ କରିବେ ସେ ନେଇ ତାଗିଦ କରାଯାଇଛି।

ସେହିପରି ପରିଚ୍ଛଦ-2 ରେ ରହିଛି ସଭା, ସମିତି, ଶୋଭାଯାତ୍ରା ବେଳେ କିପରି ସାବଧନତା ଅବଲମ୍ବନ କରିବେ। ଏହି ପରିଚ୍ଛଦରେ କମିଶନର 10ଟି ପଏଣ୍ଟ ଜାରୀ କରିଛନ୍ତି। ଶୋଭାଯାତ୍ରାବେଳେ କୌଣସି କୁଶପୂତଳିକା ଦାହ ନ କରିବା, କୌଣସି ପ୍ରାର୍ଥୀଙ୍କ ବିରୋଧରେ ବ୍ୟକ୍ତିଗତ କୁତ୍ସାରଟନା ନ କରିବା ନିୟମ ରହିଛି। ଏଥିସହିତ ସଭାସମିତି ଶୋଭାଯାତ୍ରା ପାଇଁ ଅନୁମତି ଆଣିବା ପାଇଁ ଏହି ପରିଚ୍ଛଦରେ ଉଲ୍ଲେଖ କରାଯାଇଛି।

ପରିଚ୍ଛଦ-3ରେ ରହିଛି ନିର୍ବାଚନ ସମୟରେ ପ୍ରାର୍ଥୀମାନେ କିପରି କାର୍ଯ୍ୟ କରିବେ। ଏଥିରେ ସେମାନେ ଭୋଟ ଗ୍ରହଣ କେନ୍ଦ୍ରରୁ ଶହେ ମିଟର ଭିତରେ କୌଣସି କାର୍ଯ୍ୟକଳାପ କରିପାରିବେ ନାହିଁ। ଭୋଟ ଗ୍ରହଣ ସମୟରେ ପୁସିଂ କାର୍ଡ ପ୍ରଦାନ କରିପାରିବେ ନାହିଁ। ଭୋଟ ଗ୍ରହଣର 24 ଘଣ୍ଟା ପୂର୍ବରୁ ପ୍ରାର୍ଥୀ ସେମାନଙ୍କ କର୍ମିଙ୍କୁ କୌଣସି ନିଶା ଦ୍ରବ୍ୟ ସେବନ କରିବାକୁ ଦେଇପାରିବେ ନାହିଁ ପ୍ରଭୃତି ରହିଛି।

ପରିଚ୍ଛଦ-4 ଟି ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। କାରଣ ଏଥିରେ କମିଶନର କ୍ଷମତାସିନ ଦଳ ଏବଂ ଉଚ୍ଚ ପଦବୀର ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆଚରଣ ବିଧି ଉଲ୍ଲେଖ କରାଯାଇଛି। ମୁଖ୍ୟତଃ ଉଭୟ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀଗଣ, ବିଧାୟକ, ସାଂସଦ, କୌଣସି ସଂସ୍ଥାର ଅଧ୍ୟକ୍ଷମାନେ ପ୍ରଚାର କରିବାକୁ ହେଲେ କଣ କରିବେ ତାହା ଉଲ୍ଲେଖ କରାଯାଇଛି। ଏଥିରେ ସେମାନେ ପ୍ରଚାର ବେଳେ କୌଣସି ସରକାରୀ ଗାଡି, ସରକାରୀ ବଙ୍ଗଳା ବା ଗେଷ୍ଟହାଉସ, ସର୍କିଟ ହାଉସ ବ୍ୟବହାର କରିପାରିବେ ନାହିଁ। ସେହିପରି ସେମାନେ ଭାଷଣ ଦେବାବେଳେ କୌଣସି ଘୋଷଣା, ଆର୍ଥିକ ସହାୟତା, କିମ୍ବା ସରକାରୀ ପ୍ରକଳ୍ପର ଘୋଷଣା କରିପାରିବେ ନାହିଁ।

ସେହିପରି ଅନ୍ୟାନ୍ୟ ପରିଛଦରେ କମିଶନର କୌଣସି ପ୍ରାର୍ଥୀ, କର୍ମି, ମନ୍ତ୍ରୀ କିମ୍ବା ନେତା ଆଚରଣ ବିଧୀ ଉଲ୍ଲଘନ କଲେ ସେମାନଙ୍କ ପାଇଁ ଦଣ୍ଡବିଧାନ ପ୍ରାବଧନ କରିଛନ୍ତି। ଓଡିଶା ଗ୍ରାମ ପଞ୍ଚାୟତ ଆଇନ 1964 ଅନୁସାରେ ଏହି ଦଣ୍ଡବିଧାନ କରାଯିବ ବୋଲି ନିର୍ଦ୍ଦେଶ ରହିଛି।

ବର୍ତ୍ତମାନ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ହୋଇଛି ଯେ, ପ୍ରଥମେ ପଞ୍ଚାୟତ ନିର୍ବାଚନ ହେବ। ସେଥିପାଇଁ କମିଶନରଙ୍କ ତରଫରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି।