Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜନଅଭିଯୋଗର ସମାଧାନ, ଖର୍ଚ୍ଚ ହେବ ୩୯ କୋଟି ୨୫ ଲକ୍ଷ ଟଙ୍କା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।

ଗତ ଅଗଷ୍ଟ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ ତାଙ୍କୁ ଭେଟି ଆବାସିକ କଲୋନୀଗୁଡିକର ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ଏସବୁ ସମସ୍ୟାର ସମାଧାନ ପାଇଁ ସେମାନଙ୍କର ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।

ଏ ସମ୍ପର୍କରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ବୈଷୟିକ ଟିମ୍ ଗଠନ କରାଯାଇ ସେ ସବୁ ଅଞ୍ଚଳକୁ ଅନୁଧ୍ୟାନ ପାଇଁ ପଠାଯାଇଥିଲା। ବୈଷୟିକ ଟିମ୍ ସେସବୁ ଅଞ୍ଚଳରେ ୪୨୯ଟି ରାସ୍ତା ଯାହା ୮୨ କି.ମି.ରୁ ଉର୍ଦ୍ଧ୍ୱ ଅଞ୍ଚଳ ପରିମିତ ତାକୁ ଚିହ୍ନଟ କରି ଉନ୍ନତିକରଣ ଓ ବିଦ୍ୟୁତୀକରଣ ପାଇଁ ରିପୋର୍ଟ ପ୍ରଦାନ କରିଥିଲେ।

ରିପୋର୍ଟ ପାଇବାପରେ 5T ସଚିବ ସମ୍ପୃକ୍ତ ଆବାସିକ କଲୋନୀଗୁଡିକର ବାସିନ୍ଦାଙ୍କ ସହ ଗତ ସେପ୍ଟମ୍ବର ୨୭ ତାରିଖରେ ସେସବୁ ଅଞ୍ଚଳର ଉନ୍ନତିକରଣ ପାଇଁ ଆଲୋଚନା କରିଥିଲେ। ତଦନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ୪୨୯ଟି ରାସ୍ତା ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି।

ସ୍ମାର୍ଟ ସିଟି ଭୁବନେଶ୍ୱର ନିକଟ ଅତୀତରେ ଦ୍ରୁତ ପରିବର୍ଦ୍ଧିତ ହୋଇ ଜଟଣୀ ଓ ବାଲିଅନ୍ତା ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛି। ସେସବୁ ଅଞ୍ଚଳରେ ବହୁ ଆବାସିକ କଲୋନୀ ଗଢି ଉଠିଛି। ଆବାସିକ କଲୋନୀଗୁଡିକରେ ଆଭ୍ୟନ୍ତରୀଣ ରାସ୍ତା ଓ ବିଦ୍ୟୁତୀକରଣ ସମସ୍ୟା ଦୀର୍ଘ ଦିନର ଦାବୀ ଥିଲା।

ସୂଚନାଯୋଗ୍ୟ ଯେ, ୪୨୯ଟି ରାସ୍ତା ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱର ବ୍ଲକରେ ୧୪୦ଟି, ଜଟଣୀ ବ୍ଲକରେ ୨୪୬ଟି ଓ ବାଲିଅନ୍ତା ବ୍ଲକର ୪୩ଟି ପ୍ରକଳ୍ପ ରହିଛି। ଏସବୁ ଅଞ୍ଚଳରେ ରାସ୍ତା ନିର୍ମାଣ, ଉନ୍ନତିକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟ କରାଯିବ। ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୩ ଲକ୍ଷରୁ ଅଧିକ ଜନସାଧାରଣ ଉପକୃତ ହେବେ। ପ୍ରକଳ୍ପ କାର୍ଯ୍ୟ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ପାଣ୍ଡିଆନ କାହିଁକି ହେଲିକାପ୍ଟର ନେଇଥିଲେ? ମୁଖ୍ୟମନ୍ତ୍ରୀ ଜବାବ ପରେ ବିରୋଧୀ ଚୁପ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ 5ଟି ସଚିବ ଭି କେ ପାଣ୍ଡିଆନ ଗସ୍ତ ଉପରେ ବିସ୍ତୁତ ତଥ୍ୟ ଉପସ୍ଥାପନ କରିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ପରେ ନବୀନ ଏହି ତଥ୍ୟ ରଖିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ଗସ୍ତ ଉପରେ ଯାହା ତଥ୍ୟ ଉପସ୍ଥାପନ କଲେ ତାହା ଶୁଣିବା ପରେ ବିରୋଧୀ ପୁରା ଚୁପ ହୋଇପଡିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋ ସରକାର ଜନସାଧାରଣଙ୍କର ଅଭିଯୋଗ ସମାଧାନ ଉପରେ ସବୁବେଳେ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛି। କୋଭିଡ ମହାମାରୀ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରରେ ଜନସାଧାରଣଙ୍କର ଅଭିଯୋଗ ଶୁଣାଣୀ କରି ସମାଧାନ ପାଇଁ ପଦକ୍ଷେପ ନେଉଥିଲେ।

ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ସେମାନଙ୍କ ଅଭିଯୋଗ ଦାଖଲ କରୁଥିଲେ ଏବଂ ଆମର ସୁଦୃଢ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଜରିଆରେ ସେଗୁଡିକର ସମାଧାନ କରାଯାଉଥିଲା । ରାଜ୍ୟର ସର୍ବୋଚ୍ଚ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ ଜଣାଇବା ବ୍ୟବସ୍ଥା ଲୋକମାନଙ୍କ ମନରେ ବ୍ୟବସ୍ଥା ପ୍ରତି ଆସ୍ଥା ସୃଷ୍ଟି କରୁଥିଲା।

କୋଭିଡ ସମୟରେ କଟକଣା ଯୋଗୁ ପ୍ରାୟ ୨ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା । ପରିସ୍ଥିତି ସ୍ବାଭାବିକ ହେବା ପରେ ଏହା ପୁଣି ଥରେ ତାର କାର୍ଯ୍ୟ ଆରମ୍ଭ କରିଥିଲା । ସେ ଯାହା ହେଉ ନା କାହିଁକି, କୋଭିଡ ପରବର୍ତ୍ତୀ ସମୟରେ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଲୋକଙ୍କ ସଂଖ୍ୟା ତଥା ଅଭିଯୋଗର ହାରାହାରି ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଲା ।

୨ ବର୍ଷ ଧରି କୋଭିଡ କଟକଣା ଲାଗୁ ରହିବା ଫଳରେ ଅଭିଯୋଗ ସମାଧାନରେ ସମସ୍ୟା ଦେଖାଦେଲା ଏବଂ ଲୋକଙ୍କ ଘର ପାଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇ ପହଞ୍ଚାଇବା ପାଇଁ ମୁଁ ଚିନ୍ତା କଲି। ରାଜ୍ୟର ସବୁ ବ୍ଲକ ଓ ସବୁ ସହରାଞ୍ଚଳରେ କମ୍ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିପରି ପହଞ୍ଚି ପାରିବ ସେ ଦିଗରେ ଆମେ ପଦକ୍ଷେପ ନେଲୁ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ଏବଂ ମୋ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକେନ୍ଦ୍ରିତ ଅଭିଯୋଗ ଶୁଣାଣି ପରିଚାଳନା କଲେ ।

୬ ମାସ ମଧ୍ୟରେ ରାଜ୍ୟର ୧୯୦ ରୁ ଅଧିକ ସ୍ଥାନରେ ଏହି ଅଭିଯୋଗ ଶୁଣାଣୀ ଆୟୋଜନ କରାଗଲା। ପ୍ରତ୍ୟେକ ଦିନ ୩ ରୁ ୫ଟି ସ୍ଥାନରେ ଅଭିଯୋଗ ଶୁଣାଣୀ ହେଲା ଏବଂ ଏହି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ଠାରୁ ୫୭୪୪୨ଟି ଦରଖାସ୍ତ ଗ୍ରହଣ କରିଥିଲା ଏବଂ ଆଜି ପର୍ଯ୍ୟନ୍ତ ୪୩୫୩୬ ଦରଖାସ୍ତର ଫୈସଲା କରାଯାଇଛି।

ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥା ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଦ୍ୱାରା ସ୍ୱଚ୍ଛତାର ସହ ସମ୍ପାଦନ କରାଯାଇଛି। ଏହି ସମସ୍ତ ଦରଖାସ୍ତ ଏବଂ ତା ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ତଥା ଫୈସଲାର ବିଭିନ୍ନ ପର୍ଯ୍ୟାୟର ସମ୍ପୂର୍ଣ୍ଣ ବିବରଣୀ ଜନଶୁଣାଣି ପୋର୍ଟାଲରେ ସ୍ଥାନିତ ହୋଇଛି।

ଉତ୍ତରୀଧିକାର ସତ୍ତ୍ୱ ସଂକ୍ରାନ୍ତୀୟ ବିଷୟଗୁଡିକ ବାରମ୍ବାର ଆଲୋଚନା ଜରିଆରେ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ଦୀର୍ଘ ଦିନ ଧରି ପଡି ରହିଥିବା ଏହି ଐତିହାସିକ ସମସ୍ୟା ଗୁଡିକର ଆଗାମୀ ୨ ରୁ ୩ ମାସ ମଧ୍ୟରେ ସମାଧାନ ହୋଇଯିବ ବୋଲି ଆମେ ଆଶାବାଦୀ।

ଅଭିଯୋଗକାରୀ ମାନଙ୍କୁ ଲିଖିତ ଉତ୍ତର ଦିଆଯାଉଛି ଏବଂ ମୋ ସରକାର ଜରିଆରେ ଫୋନ କରାଯାଇ ସେମାନଙ୍କ ଠାରୁ ସେମାନଙ୍କ ମତାମତ ମଧ୍ୟ ସଂଗ୍ରହ କରାଯାଉଛି । ମୁଁ ଦୃଢତାର ସହ କହିପାରେ ଯେ ଦେଶର ଯେ କୌଣସି ସରକାରଙ୍କ ଦ୍ବାରା ପରିଚାଳିତ ଜନସାଧାରଣଙ୍କ ଅଭିଯୋଗର ସମାଧାନ ନିମନ୍ତେ ଥିବା ବ୍ୟବସ୍ଥା ମଧ୍ୟରେ ଏହା ହେଉଛି ସର୍ବୋତ୍କୃଷ୍ଟ ବ୍ୟବସ୍ଥା ।

ଆପଣମାନଙ୍କର ମନେ ଥାଇପାରେ ଯେ କୋଭିଡ ସମୟରେ କୋଭିଡ ପରାଚାଳନା ସଂପର୍କରେ ତଦାରଖ କରିବା ପାଇଁ ବରିଷ୍ଠ ଅଧିକାରୀ ମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସେହି ଟିମ୍‌କୁ ବିଭିନ୍ନ ସ୍ଥାନକୁ ମୁଁ ପଠାଇଥିଲି।

ଯେତେବେଳେ ସମସ୍ତେ ଘର ଭିତର ଆବଦ୍ଧ ଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଟିମ୍ ନିଜ ଜୀବନକୁ ବିପନ୍ନ କରି ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲାରୁ ଜିଲ୍ଲାକୁ ବୁଲି କୋଭିଡ ପରିସ୍ଥିତିର ତଦାରଖ କରୁଥିଲେ ଏବଂ ଲୋକମାନଙ୍କର ମତାମତ ନେଉଥିଲେ।

ଏହି ବ୍ୟବସ୍ଥା ଆମକୁ ତ୍ବରିତ ନିଷ୍ପତ୍ତି ନେବାରେ ସହାୟକ ହୋଇଥିଲା ଏବଂ ଆମେ ଆମ ରାଜ୍ୟବାସୀଙ୍କର ଅମୂଲ୍ୟ ଜୀବନ ରକ୍ଷା କରିବା ସହିତ ଅନ୍ୟ ରାଜ୍ୟ ଗୁଡିକୁ ମଧ୍ୟ ସାହାଯ୍ୟ କରିଆସିଥିଲୁ।

ବର୍ତ୍ତମାନ ଏହି ବ୍ୟବସ୍ଥା ସମ୍ପର୍କରେ ଆପଣମାନଙ୍କର ରାଜନୈତିକ ସମାଲୋଚନା ଉପରେ ମୁଁ କିଛି କହିବାକୁ ଚାହୁଁଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ପରିଚାଳିତ ଏବଂ ଭୁବନେଶ୍ବରରେ ମାନ୍ୟବର ମନ୍ତ୍ରୀ ମାନଙ୍କର ଏହି ବ୍ୟବସ୍ଥାରେ ସାମିଲ ହେବାରେ କୌଣସି ଆବଶ୍ୟକତା ପଡିନାହିଁ। ଗୋଟିଏ ଅଭିଯୋଗ ଦରଖାସ୍ତ ମିଳିବା ପରେ ଏହାକୁ ସଂପୃକ୍ତ ବିଭାଗକୁ ପଠାଯାଇଥାଏ । ତେଣୁ ଏଥିରେ ମାନ୍ୟବର ମନ୍ତ୍ରୀ ବନାମ ଅଫିସର ପ୍ରସଙ୍ଗ ଉଠୁଛି କେଉଁଠି ?

ଅଭିଯୋଗ ଦରଖାସ୍ତର ବିଭାଗୀୟ ସ୍ତରୀୟ ସମାଧାନରେ ବିଭାଗର ମୁଖ୍ୟ ଭାବରେ ମାନ୍ୟବର ମନ୍ତ୍ରୀମାନେ ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି । ଏହା ସର୍ବୋଚ୍ଚ ସ୍ତରରେ ଟିମ୍‌ ୱାର୍କ ଅଟେ ଏବଂ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବୃତ୍ତିଗତ ଭାବରେ ଏହା କରାଯାଇଥାଏ। ଲୋକଙ୍କ ଅଭିଯୋଗର ଯେଭଳି ଠିକ୍‌ ଭାବରେ ସମାଧାନ ହେବ ଏବଂ ଜନସାଧାରଣ ଯେପରି ସର୍ବୋତ୍ତମ ସନ୍ତୁଷ୍ଟି ଲାଭ କରିବେ, ତାହା ହିଁ ଆମର ଲକ୍ଷ୍ୟ।

ଯଦି ସମସ୍ତ ୫୭ ହଜାର ଅଭିଯୋଗକାରୀ (ତନ୍ମଧ୍ୟରୁ ସଂଖ୍ୟାଧିକ ହେଉଛି ଗୋଷ୍ଠୀଗତ ଅଭିଯୋଗ) ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥାନ୍ତେ, ଯିବା ଆସିବା ଓ ରହଣୀରେ ସେମାନଙ୍କର କେତେ ଖର୍ଚ୍ଚ ହୋଇଥାନ୍ତା ? ସେମାନେ କେତେ ମଜୁରୀ ହରାଇ ଥାନ୍ତେ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜନସାଧାରଣଙ୍କ ଘରପାଖକୁ ଯାଇ ଅଭିଯୋଗ ସଂଗ୍ରହ କରିଥିବାରୁ, ଜନସାଧାରଣଙ୍କ ଅର୍ଥ ଓ ସମୟ ବଞ୍ଚିପାରିଛି।

ହେଲିକପ୍ଟର ବ୍ୟବହାର ସଂପର୍କରେ –

ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଆମେ ଯଦି ହେଲିକପ୍ଟର ବ୍ୟବହାର ନ କରି ସଡକ ପଥରେ ଯାଇଥାନ୍ତୁ, ତେବେ ଏଥିପାଇଁ ଆମକୁ ଦେଢ ବର୍ଷ ସମୟ ଲାଗିଥାନ୍ତା । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ୩ ରୁ ୫ଟି ସଭା କରିବା ଏବଂ ତା ପୁଣି ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୦ ଟାରୁ ୩ଟା ମଧ୍ୟରେ କରିବା ଯେ କୌଣସି ମଣିଷ ପାଖରେ ଅସମ୍ଭବ ଅଟେ।

ଗତ ସାଢେ ତିନି ବର୍ଷ ମଧ୍ୟରେ ଆମେ ହେଲିକପ୍ଟର ବ୍ୟବହାରରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛୁ। ହାରାହାରୀ ଭାବରେ ପ୍ରତି ମାସରେ ହେଲିକପ୍ଟର ବ୍ୟବହାର ବାବଦକୁ ଏକ କୋଟିରୁ ଦେଢ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ୬ ମାସ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବ୍ୟାପକ ଭାବରେ ହେଲିକପ୍ଟର ବ୍ୟବହାର କରାଯାଇଛି, ଯାହାର କି ହାରାହାରି ଖର୍ଚ୍ଚ ମାସ ପିଚ୍ଛା କୋଟିଏ ରୁ ଦେଢ କୋଟି ଟଙ୍କା ମଧ୍ୟରେ ହୋଇଛି। ହେଲିକପ୍ଟର ବ୍ୟବହାରରେ ମାତ୍ରାଧିକ ଖର୍ଚ୍ଚ ସଂକ୍ରାନ୍ତୀୟ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଅଭିସନ୍ଧିମୂଳକ।

ସଂପୂର୍ଣ୍ଣ ବୃତ୍ତିଗତ ଭାବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅଭିଯୋଗ ଶୁଣାଣୀ କରିଛି। ଏହି ଶୁଣାଣୀ ସମୟରେ ଲୋକଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଯାଇଛି। ସଂପୃକ୍ତ ଅଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଏ ସେଥିପାଇଁ ହୋଇଥିବା ଅର୍ଥ ମଂଜୁରୀ ସଂପର୍କରେ ସୂଚନା ଦିଆଯାଇଛି। ଲୋକଙ୍କ ଅଭିଯୋଗର ସମାଧାନ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ମୁଁ ସ୍ବତନ୍ତ୍ର ଭାବରେ ନିର୍ଦ୍ଦେଶ ଦେଇଥିଲି।

ଲୋକଙ୍କ ଅଭିଯୋଗ ଶୁଣାଣୀ ନିମନ୍ତେ ବିଭିନ୍ନ ସ୍ଥାନରେ ଯେଭଳି ବୃତ୍ତିଗତ ଭାବରେ ଦକ୍ଷତାର ସହ ପଦକ୍ଷପ ଗ୍ରହଣ କରାଗଲା, ସେଥିପାଇଁ ମୁଁ ମାନ୍ୟବର ମନ୍ତ୍ରୀଗଣ, ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସରକାରଙ୍କ ବିଭିନ୍ନ ବିଭାଗ ତଥା ଏଥିରେ ସଂପୃକ୍ତ ଥିବା ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି।

ସେମାନଙ୍କ ଅଞ୍ଚଳରେ ଅନେକ ଅଭିଯୋଗର ସମାଧାନ କରାଯାଇଥିବାରୁ, ବିରୋଧୀ ଦଳର ସଦସ୍ୟ ମାନେ ମଧ୍ୟ ଖୁସି ହେବା ଉଚିତ। ମୁଁ ବୁଝିପାରୁ ନାହିଁ, ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପକୁ କିଏ କିପରି ବିରୋଧ କରିପାରିବ ? ଏଭଳି ବିରୋଧ ଜନବିରୋଧୀ ଏବଂ ଜନସାଧାରଣ ଏଭଳି ମନୋବୃତ୍ତିକୁ ଉଚିତ ଜବାବ ଦେବେ ।

ସେ ଯାହା ହେଉ ନା କାହିଁକି, ଆମ ସମସ୍ତେ ଜନତାର ସେବକ। ଜନସାଧାରଣଙ୍କ ଅଭିଯୋଗର ଶୁଣାଣୀ ଆମର ସର୍ବୋଚ୍ଚ ପ୍ରାଥମିକତା ।

ଜନସାଧାରଣ ଖୁସି
ଲୋକ ପ୍ରତିନିଧିମାନେ ଖୁସି

ବିରୋଧୀ ଦଳର ସଦସ୍ୟମାନେ କେବଳ ରାଜନୈତିକ କାରଣ ଦୃଷ୍ଟିରୁ ଅସନ୍ତୁଷ୍ଟ ହେବା ଉଚିତ ନୁହେଁ । ମୋ ସରକାର ପାଇଁ, ଜନସାଧାରଣ ହେଉଛନ୍ତି ପ୍ରଥମ। ଲୋକଙ୍କ ସମସ୍ୟା ସମାଧାନ ଆମର ସର୍ବୋcଚ୍ଚ ପ୍ରାଥମିକତା ଏବଂ ଏହାକୁ ସର୍ବୋତ୍ତମ ଭାବରେ ସଂପାଦନ କରିବା ପାଇଁ ମୁଁ କାମ କରିଚାଲିବି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଏଣିକି ଲୋକଙ୍କ ଜମି ସମସ୍ୟାର ସମାଧାନ କରି ତୁରନ୍ତ ଦିଆଯିବ ପଟ୍ଟା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ଦୀର୍ଘ ବର୍ଷର ସମସ୍ୟା, ଅନ୍ୟ ସ୍ଥାନରେ ସରକାରୀ ଜମିରେ ବହୁ ଦିନ ଧରି ରହୁଥିବା ଲୋକଙ୍କର ଜମି ଅଧିକାର ସମସ୍ୟା, ରୟତ ସମସ୍ୟା ପରି ଅନେକ ସମସ୍ୟା ସଂପର୍କରେ ୫-ଟି ସଚିବଙ୍କୁ ଜଣାଇଥିଲେ।

ଏ ବିଷୟରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଗଞ୍ଜାମ ଓ ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଯୋଗାଇ ଦେବାକୁ ନିଷ୍ପତ୍ତି କରାଯାଇଛି।

ଝାରସୁଗୁଡା ଜିଲ୍ଲାରେ ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ସମସ୍ୟା ୫୦ ବର୍ଷରୁ ଅଧିକ ସମୟର। ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ, ଏହିପରି ୧୯ଟି ଗାଁର ଜମି ସମସ୍ୟାର ସମାଧାନ ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଛି। ୧୭୪୯ଟି ପରିବାରକୁ ପ୍ରାୟ ୩୨୩୧ ଏକର ଜମି ଉପରେ ଅଧିକାର ଦିଆଯିବ। ଡିସେମ୍ବର ମାସରୁ ଲିମେଇତିକ୍ରା, ସାହାସବାଗ, ଲାଛିପଲ୍ଲୀ, ପାତ୍ରପଲ୍ଲୀ ଓ ଡୁଆଁମୁଣ୍ଡା – ଏହି ୫ଟି ଗାଁରେ ପଟ୍ଟା ବଣ୍ଟନ ଆରମ୍ଭ ହେବ।

ଗଞ୍ଜାମ ଜିଲ୍ଲାକୁ ଗତ ଅଗଷ୍ଟ ୨୬ ତାରିଖରେ ୫-ଟି ସଚିବ ଗସ୍ତ କରିଥିଲେ। ସେଠାରେ ଲୋକଙ୍କ ସମସ୍ୟା ଶୁଣିବା ପରେ ମାତ୍ର ୫ ଦିନରେ ଜମି ସମସ୍ୟା ର ସମସ୍ୟା ସମାଧାନ ହୋଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକ୍‌ର ୧୭ଟି ଗ୍ରାମର ୮୮୩ ଜଣ ଲୋକଙ୍କୁ ଘରଡିହ ପଟ୍ଟା ଦିଆଯିବ ଏବଂ ୨୦୨୩ ସେପ୍ଟେମ୍ବର ୨୨ ସୁଦ୍ଧା ସମସ୍ତ ପଟ୍ଟାବଣ୍ଟନ ପ୍ରକ୍ରିୟା ଶେଷ ହେବ। ସେହିପରି ୧୬୮ ଜଣ ଲୋକଙ୍କୁ ଚାଷଜମି ପାଇଁ ପଟ୍ଟା ଦିଆଯିବ ଏବଂ ଏହି ପ୍ରକ୍ରିୟା ଅକ୍ଟୋବର ପହିଲାରୁ ଆରମ୍ଭ ହେବ।

5T ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଙ୍କ ଜିଲା ଗସ୍ତ ସମୟରେ ମିଳିଥିବା ଲୋକଙ୍କ ବିଭିନ୍ନ ଅଭିଯୋଗ ର ସମାଧାନ ନିମନ୍ତେ ସମୟ ବଦ୍ଧ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗ ତଥା ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ସେପ୍ଟେମ୍ବର ମଧ୍ୟ ଭାଗରେ ମୁଖମନ୍ତ୍ରୀ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଯାଜପୁର ଜିଲ୍ଲାବାସୀଙ୍କ ଅଭିଯୋଗ ଶୁଣିଲେ ପାଣ୍ଡିଆନ, ୫୦୦୦ କୋଟି ଟଙ୍କା ପ୍ରକଳ୍ପର କଲେ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ 5T ସଚିବ ଭି କେ ପାଣ୍ଡିଆନ୍ ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି। ସେଠାରେ ସେ ବିଭିନ୍ନ ବିକାଶମୂଳକ କାଯ୍ୟର ଅଗ୍ରଗତି ଏବଂ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଛନ୍ତି।

ସେ ବଡଚଣାର ମହାବିନୟକ ମନ୍ଦିର ଏବଂ ବିଞ୍ଜରପୁରର ବରୁଣେଶ୍ୱର ମନ୍ଦିରର ବିକାଶ ବିଷୟରେ ଆଲୋଚନା କରିଥିଲେ। ସେଠାରେ ସେ ସେବାୟତ, ଟ୍ରଷ୍ଟି ସଦସ୍ୟ ତଥା ସାଧାରଣ ଜନତାଙ୍କ ସହ ମନ୍ଦିରର ବିକାଶ ସଂପର୍କରେ ଆଲୋଚନା କରିଥିଲେ। ସେଠାରେ ଭକ୍ତଙ୍କ ପାଇଁ ଉନ୍ନତ ସୁବିଧା ସହ ମନ୍ଦିରର ରୂପାନ୍ତରୀକରଣ ଉପରେ ପରାମର୍ଶ ଦେଇଥିଲେ। ପର୍ଯ୍ୟଟନ ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ପାଣ୍ଡିଆନ୍ ୯୫୬ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତିର ମଧ୍ୟ ସମୀକ୍ଷା କରିଛନ୍ତି। ବଡଚଣା, ବିଞ୍ଜରପୁର, ଦଶରଥପୁର, ଧର୍ମଶାଳା, ରସୁଲପୁର ଏବଂ ଯାଜପୁର ବ୍ଲକର ସମସ୍ତ ପରିବାରକୁ ଏହି ପ୍ରକଳ୍ପଗୁଡିକ ଜଳ ଯୋଗାଇଦେବ। ଡିସେମ୍ବର ୨୦୨୩ ପରଠାରୁ ଏହି ପ୍ରକଳ୍ପଗୁଡିକ ପର‌୍ୟ୍ୟାୟ କ୍ରମେ କାର‌୍ୟ୍ୟକ୍ଷମ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି। ଠିକ ସମୟରେ କାର‌୍ୟ୍ୟ ଶେଷ କରିବା ସହ କାମ ଠିକ ଭାବେ ହେଉଛି କି ନାହିଁ ତାହା ତଦାରଖ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେ ଆହୁରି ମଧ୍ୟ ୨୨୩ କୋଟି ଟଙ୍କା ବ୍ୟୟରେ ମେଗା ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। କୋଚିଲା ଏବଂ ବୈତରଣୀ ନଦୀରେ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ନିର୍ମାଣ ବିଷୟରେ ଆଲୋଚନା କରିଥିଲେ। ଏହି ପ୍ରକଳ୍ପରେ ୩୭୩ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଶେଷ କରିବାକୁ ସମୟ ଧାର‌୍ୟ୍ୟ କରାଯାଇଛି। ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପ୍ରକଳ୍ପ କାମ ସମୟ ସୀମା ମଧ୍ୟରେ ଶେଷ କରିବାକୁ କହିଥିଲେ।

ଦିନ ସମୟରେ ସେ ବଡଚଣା, ବିଞ୍ଜାରପୁର, ଧର୍ମଶାଳା ଏବଂ ଯାଜପୁରରେ ଅନୁଷ୍ଠିତ ଜନ ଅଭିଯୋଗ ସଭାରେ ଭାଗ ନେଇଥିଲେ। ସେ ସେମାନଙ୍କ ଅଭିଯୋଗ ସମ୍ପର୍କରେ ଜନସାଧାରଣଙ୍କ ସହ କଥାବାର୍ତ୍ତା କରିଥିଲେ। ସେ କହିଛନ୍ତି ଯେ ନାଗରିକଙ୍କ ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଇଛନ୍ତି ଏବଂ ଦାଖଲ ହୋଇଥିବା ଆବେଦନଗୁଡିକର ଶୀଘ୍ର ସମାଧାନ କରାଯିବ। ପାଣ୍ଡିଆନ୍ ଜିଲ୍ଲାର ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଥିଲେ। ସେଗୁଡିକ ମଧ୍ୟରେ ରହିଛି

୧-ଯାଜପୁରରେ ୯୫ କୋଟି ଟଙ୍କା ବ୍ୟୟରେ ୨୫୦ ଶଯ୍ୟା ବିଶିଷ୍ଟ ନୂତନ ଡିଏଚଏଚ କୋଠା ନିର୍ମାଣ

୨-୯୮ କୋଟି ଟଙ୍କା ବ୍ୟୟରେ ସ୍ପୋର୍ଟସ ଷ୍ଟାଡିୟମ ଏବଂ ୪୧ କୋଟି ଟଙ୍କା ବ୍ୟରେ ସ୍ପୋର୍ଟସ ଏକାଡେମୀ ନିର୍ମାଣ

୩-୫ଟି ର ନୀତି ଅନୁସରଣ କରୁଥିବା ବିଭିନ୍ନ ପ୍ରକଳ୍ପଗୁଡିକର ଶୀଘ୍ର ସମାପ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେ ଜିଲ୍ଲାର ପ୍ରମୁଖ ସଡକଗୁଡିକର ଅଗ୍ରଗତି ଉପରେ ମଧ୍ୟ ସମୀକ୍ଷା କରିଛନ୍ତି। ସେଗୁଡିକ ହେଲା

୧- ୨୧ କୋଟି ଟଙ୍କା ବ୍ୟୟରେ ସାୟଦପୁରରୁ ଉତାଙ୍ଗରା ଦେଇ ଭାୟା ଚିଲିକା ରୋଡ ନିର୍ମାଣ ବ୍ୟବସ୍ଥା।

୨-  ୨୯ କୋଟି ଟଙ୍କା ବ୍ୟୟରେ ନରୀଗାଁ, ଦୁବକାଣ ରୁ ଭାୟା ଗରାବନ୍ଧ ଏବଂ ଜୁନଧପୁର ରାସ୍ତା ନିର୍ମାଣ

୩- ୨୦ କୋଟି ଟଙ୍କା ବ୍ୟୟରେ ମଳିଆ ବଳଭଦ୍ରପୁର ଭାୟା କପିଳ ରୋଡ

୪- ୧୩ କୋଟି ଟଙ୍କା ବ୍ୟୟରେ କସ୍ତୁରିଆ ଗଡମାଧବପୁର ବାରମାଣ ଢେଙ୍କାନାଳ ସୀମା ରାସ୍ତାର ଉନ୍ନତିକରଣ।

୫- ୧୩ କୋଟି ଟଙ୍କା ବ୍ୟୟରେ ନେଉଳପୁର ହରିଦାସପୁର ରୋଡର ସଂପ୍ରସାରଣ।

୬- ୧୬ କୋଟି ଟଙ୍କା ବ୍ୟୟରେ ଧର୍ମଶାଳା ବାଇପାସ ରୋଡର ଉନ୍ନତି କରଣ ସହ ସଂପ୍ରସାରଣ କାମ।

୭-୧୭ କୋଟି ଟଙ୍କା ବ୍ୟୟରେ ଧର୍ମଶାଳାରୁ ନାକପୋଲ ଧର୍ମଶାଳା କବାଟବନ୍ଧ ରୋଡର ସଂପ୍ରସାରଣ ଏବଂ ଉନ୍ନତିକରଣ।

୮-୨୧ କୋଟି ଟଙ୍କା ବ୍ୟୟରେ ଶ୍ରୀବନ୍ତପୁରରୁ ଏନଏଚ-୧୬ ଭାୟା କାନ୍ଧିତାରା, ସାନ୍ତ୍ରିଲୋଚଣାପୁର ରାସ୍ତା ନିର୍ମାଣ।

୯- ୧୧ କୋଟି ଟଙ୍କା ବ୍ୟୟରେ କବାଟବନ୍ଧ ମାଣଝୁରିପଡା ରାସ୍ତା ନିର୍ମାଣ କାର‌୍ୟ୍ୟ।

୧୦- ୨୭ କୋଟି ଟଙ୍କା ବ୍ୟୟରେ କୁଆଖାଇ ଜେନାପୁର ରୋଡର ଉନ୍ନତି କରଣ।

୧୧- ୧୨ କୋଟି ଟଙ୍କା ବ୍ୟୟରେ ଗଡମାଧପୁର ଡନକାରୀ ତୁରୁଙ୍ଗା ରୋଡର ଉନ୍ନତିକରଣ କାର୍ଯ୍ୟ।

୧୨- ୧୫ କୋଟି ଟଙ୍କା ବ୍ୟୟରେ ଅଚ୍ୟୁତପୁର ବଡବାରିସି ରୋଡର ଉନ୍ନତି କରଣ

୧୩- ୩୭ କୋଟି ଟଙ୍କା ବ୍ୟୟରେ ଅଙ୍କୁଲା-ପାନିକୋଇଲି ରାସ୍ତାର ନୁଆପଡା-ତ୍ରିଲୋଚନପୁର ଏବଂ ଅଡଙ୍ଗ ବୁଦ୍ଧଘାଟ (ଞଜଋ) ବୁଦ୍ଧ ଡାହାଣ ବନ୍ଧ ଏବଂ ଅଡାଙ୍ଗ ମୋକିପୁର ରାସ୍ତାର ନବୀକରଣ

୧୪- ୨୯ କୋଟି ଟଙ୍କା ବ୍ୟୟରେ ଦଶରଥପୁର ଆଇବି ରୁ ଶୁଶୁଆ ଶିବ ତାଣ୍ଡବ ରୋଡ ଭାୟା ଛାଚିନା ନାଗପାଟଣା ଆଖୁ ସାହି ରୋଡର ଉନ୍ନତି କରଣ କାର‌୍ୟ୍ୟ।

ଏଗୁଡିକ ଠିକ ସମୟରେ ଶେଷ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା, ଯାଜପୁର ଜିଲ୍ଲପାଳ ଚକ୍ରବର୍ତ୍ତି ସିଂ ରାଠୋର, ଯାଜପୁର ଏସପି ବିନିତ ଅଗ୍ରୱାଲ ଏବଂ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସୌମ୍ୟରଞ୍ଜନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଅନୁଭବ; କହିଲେ, ପ୍ରମାଣ ଦେଲେ ଛାଡି ଦେବି ରାଜନୀତି

ଭୁବନେଶ୍ବର: କିଛିଦିନର ବ୍ୟବଧାନ ପରେ ପୁଣି ଥରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ତାଙ୍କ ଖବର କାଗଜ ସମ୍ବାଦର ଆମଘର ହାଲଚାଲ ସ୍ତମ୍ବରେ ସେ ସିଧା ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି। ପୂର୍ବରୁ ସେ ଏହିପରି ସମାଲୋଚନା କରିଆସୁଛନ୍ତି। ତେବେ ତାଙ୍କର ସମାଲୋଚନା ସେହି ସମାଲୋଚନା ଭିତରେ ହିଁ ରହି କୁଆଡେ ଉଭେଇ ଯାଉଛି।

ତେବେ ଏଥର ସେ ତାଙ୍କ ସ୍ତମ୍ବରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଏକ ରାଜନୈତିକ ବ୍ୟକ୍ତିଭାବେ ପ୍ରମାଣିତ କରିବାକୁ ଚାହିଁଛନ୍ତି। ସେ କହିଛନ୍ତି ଯେ, ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ ବେଳେ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲୋକଙ୍କୁ ଆହ୍ବାନ କରିଛନ୍ତି। ଏହା ଜଣେ ପ୍ରଶାସକ ହିସାବରେ କହିବା ଠିକ ନୁହେଁ ବୋଲି ସୌମ୍ୟରଂଜନ ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ହେଲେ ତାହା ପାଣ୍ଡିଆନ କିପରି କହୁଛନ୍ତି ବୋଲି ସୌମ୍ୟ ତାଙ୍କ ଲେଖାରେ ପ୍ରଶ୍ନ କରିଛନ୍ତି।

ସେହିପରି ସେ ଚନ୍ଦ୍ରଯାନ-୩ ଅଭିଯାନରେ ଛଅ ଶହ କୋଟି ଖର୍ଚ୍ଚ ହୋଇଥିବା ବେଳେ ପାଣ୍ଡିଆନଙ୍କ ଗସ୍ତ ଖର୍ଚ୍ଚ ମଧ୍ୟ ସେହିପରି ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଏପରି ଖର୍ଚ୍ଚ ପଛରେ କଣ ରହିଛି କାରଣ ତାହା ତାଙ୍କୁ ବୁଝାପଡୁ ନାହିଁ ବୋଲି ସୌମ୍ୟରଞ୍ଜନ କହିଛନ୍ତି। ସାରା ଦେଶ ଯେପରି ଚନ୍ଦ୍ର ଭ୍ରମଣକୁ ଆଗ୍ରହ ସହକାର ସ୍ବୀକାର କରୁଛନ୍ତି, ଠିକ ସେହିପରି ଓଡିଶାରେ ମଧ୍ୟ ପାଣ୍ଡିଆନଙ୍କ ଭ୍ରମଣକୁ ସମସ୍ତେ ଗ୍ରହଣ କରୁଥିବାର ମନେ ହେଉଛି ବୋଲି ସେ କହିଛନ୍ତି।

ତେବେ ସୌମ୍ୟରଞ୍ଜନଙ୍କ ଏହି ଲେଖାକୁ କଡା ସମାଲୋଚନା କରିଛନ୍ତି ବିଜେଡି ନେତା ଅନୁଭବ ପଟ୍ଟନାୟକ। ସେ ସୌମ୍ୟରଞ୍ଜନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ ତାଙ୍କ ଟୁଇଟରରେ ସୌମ୍ୟରଞ୍ଜନଙ୍କ ଉଲ୍ଲେଖରେ ଲେଖିଛନ୍ତି ଯେ, ୧୫ ଦିନ ପରେ ଆପଣ ନିଜ ଖବରକାଗଜରେ ଆଉ ଏକ ଲେଖା ଲେଖିଛନ୍ତି, ଯେଉଁଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ଆପଣ ଅତ୍ୟଧିକ ନିରାଶ ଏବଂ ହତାସ ହୋଇ ପଡିଛନ୍ତି।

ଆପଣ ଉଲ୍ଲେଖ କରିଛନ୍ତି ଯେ ୫ଟି ସଚିବ ଭିକେ ପାଣ୍ଡିଆନ ଏକ ବୈଠକରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରାଇବା ପାଇଁ ଲୋକଙ୍କୁ ଆହ୍ବାନ କରିଥିଲେ। ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ କରୁଛି ଯେ ପାଣ୍ଡିଆନ ଏହା କେଉଁଠି କହିଥିଲେ ତାହାର ପ୍ରମାଣ ଦିଅନ୍ତୁ। ୧୨ ଘଣ୍ଟା ମଧ୍ୟରେ ଆପଣ ଏହାକୁ ଆପଣଙ୍କ ଚ୍ୟାନେଲରେ ପ୍ରମାଣ ସହିତ ପ୍ରସାରଣ କରନ୍ତୁ। ଯଦି ଏହା ପ୍ରମାଣିତ କରାଇ ଦେବେ, ତେବେ ମୁଁ ରାଜନୀତିରୁ ସନ୍ୟାସ ନେବି ବୋଲି ଅନୁଭବ ସୌମ୍ୟଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଅନୁଭବ ଆହୁରି କହିଛନ୍ତି ଯେ, ଆପଣ ଯଦି ଏହାର ପ୍ରମାଣ ଦେଇ ନ ପାରିବେ ତେବେ ଓଡିଶା ଲୋକେ ଜାଣିବେ ଯେ, ଆପଣ ଜଣେ ମିଛୁଆ।

୫ଟି ସଚିବଙ୍କ ଗସ୍ତ ଖର୍ଚ୍ଚକୁ ନେଇ ମଧ୍ୟ ଅନୁଭବ ସୌମ୍ୟରଂଜନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ, ଆପଣ ଉଲ୍ଲେଖ କରିଛନ୍ତି ଯେ ୫-ଟି ସଚିବଙ୍କ ଗସ୍ତରେ ୩୦୦ କୋଟି ଖର୍ଚ୍ଚ ହୋଇଛି। ଆପଣଙ୍କ ପାଖରେ କୈଣସି ପ୍ରମାଣ ଅଛି କି? ଆପଣ ଭଲଭାବେ ଜାଣିଛନ୍ତି ଯେ କିଛି ବର୍ଷ ପୂର୍ବେ ଓଡିଶାର ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ବିଜ୍ଞାପନ ପାଇଁ ୬୦୦ କୋଟି ଖର୍ଚ୍ଚ କରିଛନ୍ତି। ସେତେବେଳେ ଆପଣଙ୍କର ବିବେକ କେଉଁଠାରେ ଥିଲା ବୋଲି ପ୍ରଶ୍ନ ପଚାରିଛନ୍ତି ଅନୁଭବ।

ସେ ପୁଣି କହିଛନ୍ତି ଯେ, ଆପଣ ଏବଂ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀଙ୍କ ସହିତ ଚନ୍ଦ୍ରକୁ ଯାଇ ସେଠାରେ ବସନ୍ତୁ। ୫-ଟି ସଚିବ ଯେଉଁ ଓଡିଶା ଗସ୍ତ କରୁଛନ୍ତି ସେଥିରେ ସେ ତାଙ୍କ ପରିବାରକୁ ଭେଟିବାକୁ ଯାଉ ନାହାଁନ୍ତି। ସେ ଓଡିଶାର ଲୋକମାନଙ୍କୁ ଭେଟିବାକୁ ଯାଉଛନ୍ତି, ସେମାନଙ୍କର ଅଭିଯୋଗ ଶୁଣୁଛନ୍ତି ଏବଂ ସେମାନଙ୍କଠାରୁ ନିବେଦନ ଗ୍ରହଣ କରୁଛନ୍ତି। ଏଥିରେ କେଉଁଠି ଭୁଲ ରହିଲା ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି।

ଖଣ୍ଡପଡା ରାଜନୀତିକୁ ନେଇ ଅନୁଭବ ମଧ୍ୟ ସୌମ୍ୟଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ପାଣ୍ଡିଆନଙ୍କ ନୟାଗଡ ଗସ୍ତ ବେଳେ ସେ ଖଣ୍ଡପଡାବାସୀଙ୍କଠାରୁ ସର୍ବାଧିକ ସଂଖ୍ୟକ ନିବେଦନ ଗ୍ରହଣ କରିଛନ୍ତି। ଏହା ଦର୍ଶାଉଛି ଯେ ଖଣ୍ଡପଡାର ଲୋକମାନେ ଆପଣଙ୍କ ଉପରେ ସଂପୂର୍ଣ୍ଣ ବିଶ୍ୱାସ ହରାଇଛନ୍ତି। ଏହା ଆପଣଙ୍କୁ କଷ୍ଟ ଦେଉଛି, ଯେଉଁଥି ପାଇଁ ଆପଣ ଆପଣଙ୍କର ଖବରକାଗଜ ଲେଖା ମାଧ୍ୟମରେ କ୍ରୋଧ ବାହାର କରୁଛନ୍ତି।

ସୌମ୍ୟରଂଜନ ତାଙ୍କ ସମ୍ଭରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି କର୍ମିମାନେ ଘେରାଉ କରିବା ଠିକ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି। ତାହାର ଜବାବ ମଧ୍ୟ ଅନୁଭବ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ବହୁ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ ଚାର୍ଜସିଟ୍ ହୋଇଛନ୍ତି। ସେ ଜାମିନରେ ଆସିଥିବା ଜଣେ ଅପରାଧୀ। ଆପଣଙ୍କ ଚ୍ୟାନେଲ ଏବଂ ଖବରକାଗଜ ମଧ୍ୟ ତାଙ୍କ ଠକେଇ ସଂପର୍କରେ ପ୍ରସାରଣ କରିଥିଲା। ଜାମିନରେ ଆସିଥିବା ଏପରି ଅପରାଧୀଙ୍କୁ ଆପଣ ସମର୍ଥନ କରୁଛନ୍ତି ବୋଲି ଆପଣ ଲଜ୍ଜିତ ନୁହଁନ୍ତି କି ବୋଲି ଅନୁଭବ ସୌମ୍ୟଙ୍କୁ ପ୍ରଶ୍ନ କରିଛନ୍ତି।

ଆପଣଙ୍କର ଏହି ଲେଖାରୁ ଆପଣଙ୍କ ବ୍ୟକ୍ତିଗତ ଏବଂ ରାଜନୈତିକ ଲୋଭ ଓଡ଼ିଶାର ଲୋକଙ୍କ ଆଗରେ ସଂପୂର୍ଣ୍ଣ ଭାବେ ପ୍ରକାଶ ପାଇଛି। ତଥାପି ମୁଁ ଆଶା କରେ ୧୨ ଘଣ୍ଟା ମଧ୍ୟରେ ମୁଁ ମାଗିଥିବା ପ୍ରମାଣ ଆପଣ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ପ୍ରସାରଣ କରିବେ ବୋଲି ଅନୁଭବ ଉଲ୍ଲେଖ କରିଛନ୍ତି।

ସୌମ୍ୟରଂଜନ ପଟ୍ଟନାୟକ ଏବଂ ଅନୁଭବ ପଟ୍ଟନାୟକଙ୍କ ମଧ୍ୟରେ ଏପରି ଜବାବ ପ୍ରତିଜବାବକୁ ନେଇ ଓଡିଶା ରାଜନୀତିରେ ବେଶ ରୋଚକ ଖେଳିଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଧମକ ସତ୍ବେ ପୁଣି ଗଂଜାମ ଗସ୍ତ କଲେ ଭି କେ ପାଣ୍ଡିଆନ

ଭୁବନେଶ୍ବର: ଗତକାଲି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଧମକ ସତ୍ବେ ଆଜି ପୁଣି ଥରେ ଗଞ୍ଜାମ ଗସ୍ତ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ସେ ବିଭିନ୍ନ ଯୋଜନାର ସମୀକ୍ଷା କରିବା ସହିତ ଜନସମାବେଶରେ ଯୋଗଦେଇଛନ୍ତି।

ସେ ପ୍ରଥମେ ମହାନଦୀ ଏବଂ ସାଲିଆ ଡ୍ୟାମରୁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପରେ ୧୬୭୦ କୋଟି ଟଙ୍କାର ବ୍ୟୟ କରାଯିବ ବୋଲି ଅଟକଳ କରାଯାଇଛ।  ଏହା ଦ୍ବାରା ସୋରଡା, ବେଲଗୁଣ୍ଠା, ଭଞ୍ଜନଗର, ଜଗନ୍ନାଥପ୍ରସାଦ, ପୋଲସରା, ବୁଗୁଡା ଏବଂ ଖଲିକୋଟ ବ୍ଲକ୍ ର ସମସ୍ତ ପରିବାରକୁ ପାନୀୟ ଜଳ ଯୋଗାଇବ।

ଏଥିସହ ସେ ପୋଲାସରାର ଧାନେଇ ନଦୀ କୂଳରେ ଥିବା ସାନାବରାଗାଁରେ ଚାଲିଥିବା ଇନଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିରେ ୨୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ସେହିପରି ସେ ଭଞ୍ଜନଗରର ଢୋଲପିତା ରେ ୨୬ କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ଯୋଗାଣ ଏବଂ ଏହି ଅଞ୍ଚଳରେ ଜଳସେଚନ ସୁବିଧା ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଥିଲେ। ଏହି ଦୁଇଟି ପ୍ରକଳ୍ପ ଯଥାକ୍ରମେ ଡିସେମ୍ବର ୨୦୨୩ ଏବଂ ଜାନୁଆରୀ ୨୦୨୪ ସୁଦ୍ଧା ଶେଷ ହେବ ବୋଲି ଧାର୍ଯ୍ୟ କରାଯାଇଛି।

ସଡ଼କ ସଂଯୋଗକୁ ମଜବୁତ କରିବା ଉପରେ ଧ୍ୟାନ ଦେଇ ସେ ବିଭିନ୍ନ ସଡକ ପ୍ରକଳ୍ପ ଅଗ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ। ୨୬ କୋଟି ଟଙ୍କା ବ୍ୟୟରେ କାଣ୍ଟେପାଲ୍ଲୀ-ସୋରଡା ରୋଡର ମଜବୁତ ଏବଂ ପ୍ରଶସ୍ତିକରଣର ଅନୁଧ୍ୟାନ କରିଥିଲେ। ଏହା ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବା ବୋଲି ସମୟ ଧାର୍ଯ୍ୟ କରାଯାଇଛି।

ସେହିପରି ୨୫ କୋଟି ଟଙ୍କା ମୂଲ୍ୟରେ ଆସ୍କା ଠାରୁ ପୋଲସାରା ପର୍ଯ୍ୟନ୍ତ ପିଡ୍ଲୁଡି ରୋଡ୍ ଅନୁଧ୍ୟାନ କରିଥିଲେ। ଏହା ଡିସେମ୍ବର ୨୦୨୪ ସୁଦ୍ଧା ଶେଷ ହେବ। ୪୮ କୋଟି ଟଙ୍କା ବ୍ୟୟରେ ବୁଢାଆମ୍ବା-ବୁଗୁଡା ରାସ୍ତା ନିର୍ମାଣ ହେବ। ଏହାର କାର୍ଯ୍ୟ ଫେବୃଆରୀ ୨୦୨୫ ସୁଦ୍ଧା ଶେଷ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି।

ପାଣ୍ଡିଆନ୍ ମଧ୍ୟ ଭଞ୍ଜନଗର ଏନଏସି, ସୋରଡା ଏନଏସି, ବେଲାଗୁଣ୍ଠା ଏନଏସି, ଆସ୍କା ଏନଏସି, ପୋଲସରା ଏନଏସି, ବୁଗୁଡା ଏନଏସି, ପୁରଷୋତମପୁର ଏନଏସି ଏବଂ ଖଲିକୋଟ ଏନଏସିରେ ୫୧ କୋଟି ଟଙ୍କା ମୂଲ୍ୟରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପଗୁଡିକ ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ବୋଲି କୁହାଯାଇଛି।

ଏଥିସହିତ ସେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ସେଗୁଡିକ ହେଲା- ବାବାନାପୁରରେ ୪୦ କୋଟି ଟଙ୍କା ବ୍ୟୟରେ ନୂତନ ଏସଡିଏଚ ବିଲ୍ଡିଂର ନିର୍ମାଣ କାର୍ଯ୍ୟ। ୨୩ କୋଟି ଟଙ୍କା ମୂଲ୍ୟରେ ଆସ୍କାରେ ଟିପିସରା ନାଳର ଭିତ୍ତିଭୂମି ବିକାଶ। ଏହି ପ୍ରକଳ୍ପଗୁଡିକର କାର୍ଯ୍ୟ ମଧ୍ୟ ଶୀଘ୍ର ଆରମ୍ଭ ହେବ।

ସେ ବିଭିନ୍ନ ସ୍ଥାନରେ ମିଶନ୍ ଶକ୍ତି ଗୋଷ୍ଠୀ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ସହଯୋଗ କରିବା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ବୋଲି କହିଥିଲେ। ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ସୁଧମୁକ୍ତ ଋଣ ବିଷୟରେ ସଚେତନତା ତଥା ପଞ୍ଚାୟତ ସ୍ତରରେ ଋଣ ମେଳା ଆୟୋଜନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ଦିନ ବେଳା ସେ ଭଞ୍ଜାନଗର, ସୋରଡା, ଆସ୍କା, ପୋଲସରା ଏବଂ ଖଲ୍ଲିକୋଟରେ ଜନ ଅଭିଯୋଗ ସଭାରେ ଭାଗ ନେଇଥିଲେ। ସେମାନଙ୍କ ଅଭିଯୋଗ ସମ୍ପର୍କରେ ସେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।

ସେ କହିଛନ୍ତି ଯେ ନାଗରିକମାନଙ୍କ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଇଛନ୍ତି। ଦାଖଲ ହୋଇଥିବା ସମସ୍ତ ଆବେଦନଗୁଡିକର ଶୀଘ୍ର ସମାଧାନ କରିବାକୁ ଚେଷ୍ଠା କରାଯିବ ବୋଲି ପାଣ୍ଡିଆନ ଜନସାଧାରଣଙ୍କୁ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୫ଟି ସଚିବଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ଚିଲିକା ଅଞ୍ଚଳ, ନେତା ଅଫିସରଙ୍କ ଘନଘନ ବୈଠକ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତା ୨୨ ରେ ଚିଲିକା ନିର୍ବାଚନମଣ୍ଡଳି ଗସ୍ତରେ ଆସିବେ ୫ଟି ସଚିବ ଭି କେ ପାଣ୍ଡିଆନ।ଏଥି ପାଇଁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନର ନିଦ ହଜିଯାଇଛି। ପ୍ରତିଦିନ ତୁହାକୁ ତୁହା ଜିଲ୍ଲା ପ୍ରଶାସନର ଚିଲିକା ନିର୍ବାଚନମଣ୍ଡଳି ଗସ୍ତ ଜାରି ରହିଛି। ତେବେ ପୂର୍ବ ନିର୍ଦ୍ଧାରିତ ବାଣପୁର ପଲଟନ ପଡିଆ ବଦଳରେ ନାଚୁଣୀ ହାଇସ୍କୁଲ ପଡିଆରେ ୫ଟି ସଚିବଙ୍କ ଜନସଭା ହେବ ବୋଲି ସୂଚନା ମିଳିଛି।

ଏଥି ନିମନ୍ତେ ଯୁଦ୍ଧକାଳିନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲିପ୍ୟାଡ଼ ଠୁ ନେଇ ଅସ୍ଥାୟୀ ମଞ୍ଚ ନିର୍ମାଣ ଜାରି ରହିଛି। ପାଖାପାଖି ୨୫ ହଜାର ଜନସମାଗମ ଲକ୍ଷ ନେଇ ଆରମ୍ଭ ହେଉଛି ପ୍ରସ୍ତୁତି। ପ୍ରତ୍ୟେକ ଦିନ ଖୋର୍ଦ୍ଧା ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଏଥି ନିମନ୍ତେ ନାଚୁଣୀ ଗସ୍ତ ଜାରି ରଖିଛନ୍ତି। ଗମନାଗମନ ଠାରୁ ନେଇ ସଚିବଙ୍କ ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ତଦାରଖ କରୁଛନ୍ତି।

ତେବେ ଆଜି ବିଜେଡିର ତୁଙ୍ଗ ନେତାମାନେ ନାଚୁଣୀ ଗସ୍ତ କରିଛନ୍ତି। ୫ଟି ସଚିବ ଙ୍କ ଗସ୍ତ କିପରି ସଫଳ ହେବ ସେ ନେଇ ଅଣ୍ଟା ଭିଡିଛି ବିଜେଡି। ଆଜି ଅପରାହ୍ନରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା, ନିର୍ବାଚନମଣ୍ଡଳି ପଯ୍ୟବେକ୍ଷକ ରାଜା ଚକ୍ର, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସମେତ ଚିଲିକା ନିର୍ବାଚନ ମଣ୍ଡଳିର ସମସ୍ତ ଆଗ ଧାଡ଼ିର ବିଜେଡି ନେତାମାନେ ନାଚୁଣୀ ହାଇସ୍କୁଲ ପଡିଆ ତଦାରଖ କରିଛନ୍ତି।

ଏହାପରେ ସୁନାଖେଳା ଡାକବଙ୍ଗଳାରେ ଏକ ବୈଠକର ଆୟୋଜନ ହୋଇଥିଲା। ଅପରାହ୍ନରେ ବଡ଼କୂଳ ପାନ୍ଥନିବାସରେ ଏହି ପରିପ୍ରେକ୍ଷୀରେ ଏକ ବିସ୍ତୃତ ବୈଠକ ହେବ ବୋଲି ଜଣାପଡିଛି। ତେବେ ଆଶ୍ଚର୍ଯ୍ୟର କଥା ଉକ୍ତ ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଏଠାରେ ଦେଖିବାକୁ ମିଳି ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆଗୁଆ ବିଧାନସଭା ନିର୍ବାଚନ ହେବ ବୋଲି କାହିଁକି ହେଉଛି ଚର୍ଚ୍ଚା, କଣ ଅଛି ପ୍ରମାଣ?

ଭୁବନେଶ୍ବର: ବର୍ତ୍ତମାନ ଓଡିଶାରେ ଏକ ବଡ ଚର୍ଚ୍ଚା ଚାଲିଛି। ତାହା ହେଲା ଓଡିଶାରେ ଆଗୁଆ ବିଧାନସଭା ନିର୍ବାଚନ ହେବ। ଚର୍ଚ୍ଚା ଅନୁସାରେ ନବୀନ ପଟ୍ଟନାୟକ କୁଆଡେ ଆସନ୍ତା ସେପ୍ଟେମ୍ବର ମାସରେ ବିଧାନସଭା ଭଙ୍ଗ କରିବେ। ଏହାପରେ ଡିସେମ୍ବରରେ ଦେଶରେ ହେବାକୁ ଥିବା ପାଞ୍ଚୋଟି ବିଧାନସଭା ନିର୍ବାଚନ ସହିତ ଓଡିଶା ନିର୍ବାଚନ ମଧ୍ୟ ହେବ।

ତେବେ ଏହି ଚର୍ଚ୍ଚା ଅନୁସାରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ନବୀନ ପଟ୍ଟନାୟକ ସରକାର ଭାଙ୍ଗିବାକୁ ଘୋଷଣା କରିବେ। ତେବେ ଏ ନେଇ କେନ୍ଦ୍ର ସରକାର କୁଆଡେ ଚାପ ପକାଉଛନ୍ତି ବୋଲି କୁହାଯାଉଛି। କାରଣ କେନ୍ଦ୍ର ସରକାରଙ୍କ କୌଣସି ପ୍ରକାରରେ ରାଜ୍ୟ ବିଧାନସଭା ସହ ଦେଣନେଣ ନାହିଁ। ସେମାନଙ୍କର ସାଂସଦ ଦରକାର, ଲୋକସଭାରେ ସଂଖ୍ୟା ଗରିଷ୍ଠ ଦରକାର।

ହେଲେ ଓଡିଶାରେ ବିଧାନସଭା ସହିତ ଲୋକସଭା ନିର୍ବାଚନ ହେଉଥିବାରୁ ରାଷ୍ଟ୍ରୀୟ ବିଜେପିକୁ ଅଡୁଆ ହେଉଛି। ନବୀନ ପଟ୍ଟନାୟକଙ୍କ ହାୱାରେ ବିଧାନସଭାରେ ସବୁ ଭୋଟ ବିଜେଡି ପୋଛି ନେବା ସହିତ ଲୋକସଭା ଭୋଟ ମଧ୍ୟ ନେଇଯାଉଛନ୍ତି। ସେଥିପାଇଁ ଅମିତ ସାହା ଓଡିଶା ଗସ୍ତବେଳେ କୁଆଡେ ନବୀନ ଏବଂ ପାଣ୍ଡିଆନଙ୍କ ସହିତ ଆଲୋଚନା କରି ଆଗୁଆ ନିର୍ବାଚନ କରିବା ପାଇଁ ଚାପ ପକାଇଛନ୍ତି।

ଘଟଣାଟି ଏବର ନୁହେଁ, ବହୁ ପୂର୍ବରୁ କୁଆଡେ କେନ୍ଦ୍ର ସରକାର ବିଜେଡି ଉପରେ ଚାପ ପକାଇ ଆସୁଛନ୍ତି। ସେଥିପାଇଁ କେନ୍ଦ୍ରରୁ ଆସୁଥିବା ବିଜେପି ନେତାମାନେ କୌଣସି ପ୍ରକାରରେ ବିଜେଡି ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରକାଶ କରୁ ନାହାଁନ୍ତି। ବିଜେଡି ମଧ୍ୟ କେନ୍ଦ୍ର ବିରୋଧରେ କୌଣସି ପ୍ରକାରର ଆଭିମୁଖ୍ୟ ପ୍ରକାଶ କରୁ ନାହିଁ। ବଂର ସବୁ ପ୍ରକାରର ସହାୟତା ପ୍ରଦାନ କରିବାରେ ଲାଗିଛି।

ଅନ୍ୟପକ୍ଷରେ ବର୍ତ୍ତମାନ ବିଜେଡି ସରକାରଙ୍କ କାର୍ଯ୍ୟକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି ଯେ, ରାଜ୍ୟରେ ନିଶ୍ଚିତ ଆଗୁଆ ନିର୍ବାଚନ ହେବ। ବିଜେଡି ସରକାରର ପ୍ରଚାର ପ୍ରସାର କରିବା ପାଇଁ 5ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ନବୀନ ସରକାର କିପରି ଭଲ କାମ କରୁଛନ୍ତି ତାହାକୁ ଜିଲ୍ଲାୱାରୀ ବୁଲି ବୁଲି ସେ ଲୋକ ସମର୍ଥନ ଜୁଟାଇବାରେ ଲାଗିପଡିଛନ୍ତି।

ସେହିପରି ବିଜେଡି ଦଳ ଭିତରେ ମଧ୍ୟ ବେଶ ତତ୍ପରତା ପ୍ରକାଶ ପାଇଛି। କିଛି ମାସ ଧରି ଦଳର ଛାମୁଆ ସଂଗଠନଗୁଡିକ ସଜାଡିବା ସହିତ ଜିଲ୍ଲାରେ ନୂଆନୂଆ ମୁଖିଆ ନିଯୁକ୍ତି ହେବାରେ ଲାଗିଛନ୍ତି। ସେହିପରି ବିଜେଡି ନେତାମାନେ ମଧ୍ୟ ବର୍ତ୍ତମାନ ତୃଣମୂଳ ସ୍ତରରେ ନିଜର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିସାରିଛନ୍ତି।

କାହାକୁ ଟିକେଟ ମିଳିବ ତାହା ଜଣାପଡି ନ ଥିଲେ ମଧ୍ୟ ଆଶାୟୀମାନେ ଗାଁକୁ ଗାଁ ବୁଲିବାରେ ଲାଗିଛନ୍ତି। ବିଜେଡି ଦଳ ଏବଂ ବିଜେଡି ସରକାରର ଏପରି ତତ୍ପରତା ଯୋଗୁଁ ରାଜ୍ୟରେ ଆଗୁଆ ନିର୍ବାଚନ ସମ୍ଭାବନାକୁ ଅଧିକ ଦୃଢିଭୂତ କରିବାରେ ଲାଗିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଞ୍ଚଲିଙ୍ଗେଶ୍ବର ମନ୍ଦିରର ହେବ ରୂପାନ୍ତର, ପାଣ୍ଡିୟାନଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି

ଭୁବନେଶ୍ବର: ବାଲେଶ୍ବରର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର ମନ୍ଦିରର ଉନ୍ନତିକରଣ, ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କରାଯିବ। ୫-ଟି ଉପକ୍ରମରେ ସମଗ୍ର ପୀଠର ହେବ ରୂପାନ୍ତର। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୫୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ଜୁନ୍ ମାସ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବାଲେଶ୍ବର ଗସ୍ତ କରି ପଞ୍ଚଲିଙ୍ଗେଶ୍ବର ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରର ସେବାୟତ, ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ପରେ ଏହାର ରୂପାନ୍ତର ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମନ୍ଦିରର ରୂପାନ୍ତର ପାଇଁ ହୋଇଥିବା ମାଷ୍ଟରପ୍ଲାନ ଅନୁଯାୟୀ ସଂପୂର୍ଣ୍ଣ ପ୍ରକଳ୍ପକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇ ବିକଶିତ କରାଯିବ। ଏହି ୪ଟି ଜୋନ୍‌ ହେଲା – ବଡମ୍ବା ମନ୍ଦିର, ପଞ୍ଚଲିଙ୍ଗେଶ୍ବର ମନ୍ଦିର ଓ ଜଳପ୍ରପାତ ଅଞ୍ଚଳ, ସପିଂ କମ୍ପ୍ଲେକ୍‌ସ ଓ ପାର୍କ ଏବଂ ପାନ୍ଥଶାଳା ଅଞ୍ଚଳ।

ଜୋନ୍‌-୧ ବଡମ୍ବା ମନ୍ଦିରରେ ଭକ୍ତ ମାନଙ୍କ ପାଇଁ ଅଧିକ ସୁବିଧା କରାଯାଇ ପଥର ପାହାଚ, ବେଞ୍ଚ, ୱାଚ ଟାୱାର, ବସିବା ସ୍ଥାନ, ଗ୍ରନାଇଟର ଚଲାପଥ ଆଦି ବିକଶିତ କରାଯିବ।

ଜୋନ୍‌-୨ରେ ପଞ୍ଚଲିଙ୍ଗେଶ୍ବର ମନ୍ଦିର ଓ ଜଳପ୍ରପାତ ଅଞ୍ଚଳର ବିକାଶ ହେବ। ପୁରା ମନ୍ଦିରର ବେସ ଏରିଆର ପୁନର୍ବିକାଶ ସହିତ ଗୁମ୍ଫା ଓ ଯଜ୍ଞ ମଣ୍ଡପକୁ ପ୍ରବେଶ ପଥ ନିର୍ମାଣ କରାଯିବ। ପୂଜାର୍ଚ୍ଚନା ସ୍ଥାନର ପରିବର୍ଦ୍ଧନ କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବ। ଏହାଛଡା ଅତିରିକ୍ତ ଶୌଚାଳୟ ଓ ଚେଞ୍ଜିଂ ରୁମ ମଧ୍ୟ ନିର୍ମାଣ କରାଯିବ।

ଜୋନ୍‌-୩ ରେ ସପିଂ କମ୍ପ୍ଲେକ୍‌ସ ନିର୍ମାଣ କରାଯିବ ଏବଂ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ପାର୍କ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ।

ଜୋନ୍‌-୪ ପାନ୍ଥଶାଳା ଅଞ୍ଚଳରେ ଗାଡିମଟର ପାର୍କିଂ ତଥା ପିକ୍‌ନିକ୍‌ ପାଇଁ ପିଣ୍ଡିର ବ୍ୟବସ୍ଥା ମଧ୍ୟ କରାଯିବ। ଏଠାରେ ଫୁଡକୋର୍ଟ, ଜଳକ୍ରୀଡା ଓ ପିଲାମାନଙ୍କ ଖେଳ ପାଇଁ ସୁବିଧା କରାଯିବ।

ପଞ୍ଚଲିଙ୍ଗେଶ୍ବର ମନ୍ଦିର ରାଜ୍ୟର ଏକ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ। ଜଙ୍ଗଲ, ପାହାଡ, ଜଳପ୍ରପାତ ଆଦିର ମନୋରମ ପରିବେଶ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରି ଗଢିତୋଳିଛି। ପ୍ରତିଦିନ ବିଭିନ୍ନ ସ୍ଥାନରୁ ଶହ ଶହ ପର୍ଯ୍ୟଟକ ଏ ପୀଠକୁ ଆସି ଆଧ୍ୟାତ୍ମିକ ତଥା ମାନସିକ ଶାନ୍ତି ଲାଭ କରିଥାନ୍ତି। ଏ ପୀଠର ବିକାଶ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ।

Categories
ଆଜିର ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ, ୭୦ ଟି ଶିକ୍ଷାନୁଷ୍ଠାନକୁ 5T ରେ ସାମିଲ ପାଇଁ ଘୋଷଣା

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲା ଗସ୍ତ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ପ୍ରଥମ ଦିନର ଗସ୍ତରେ ସେ ପ୍ରଥମେ ବାଲିକୁଦା ବ୍ଲକ୍‌ ଶିଆଳିରେ ପହଞ୍ଚିଛନ୍ତି। ସେଠାରେ ସେ ଶିଆଳି ବେଳାଭୂମି ସୁରକ୍ଷା ଅନୁଧ୍ୟାନ କରିଥିଲେ। ଏହାପରେ ଆୟୋଜିତ ଏକ ସଭାରେ ହଜାର ହଜାର ଲୋକ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ। ମିଶନ ଶକ୍ତି ମାଆ ଓ ସ୍ଥାନୀୟ ଲୋକ ଫୁଲ ଓ ହୁଳହୁଳି ପକାଇ ସ୍ବାଗତ କରିଥିଲେ।

ମନ୍ଦିର, ମସଜିଦ୍, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଉନ୍ନତି ନେଇ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭଲ ଖବର ଦେବେ ବୋଲି 5T ସଚିବ କହିଛନ୍ତି। ଚାଷୀ ଓ ଚାଷକୁ ସରକାର ଗୁରୁତ୍ବ ଦେଉଥିବାରୁ ସେ ସମସ୍ୟାର ସମାଧାନ ହେବ ବୋଲି ଭିକେ ପାଣ୍ଡିଆନ୍‌ କହିଛନ୍ତି।

ବାଲିକୁଦା ଓ ଏରସମାର ଘରେ ଘରେ ବିଶୁଦ୍ଧ ପିଇବା ପାଣି ପହଞ୍ଚିବା ପାଇଁ ୮୦୦ କୋଟି ଟଙ୍କା ବ୍ୟୟରେ ହେଉଥିବା ମେଗା ପାଇପ ଜଳ ପ୍ରକଳ୍ପ ସେପ୍ଟେମ୍ବରରେ ସରିବ ବୋଲି ପାଣ୍ଡିଆନ କହିଛନ୍ତି।

ସେହିପରି ଜିଲ୍ଲା ୭୦ ଟି କଲେଜ ଏବଂ ହାଇସ୍କୁଲକୁ 5T ରୂପାନ୍ତରରେ ସାମିଲ କରାଯିବ ବୋଲି ସେ ଘୋଷଣା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆଇଏଏସଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଚିଠିଟି ବଡ ବିଚିତ୍ର: କଂଗ୍ରେସ

ଭୁବନେଶ୍ୱର: ଗତ ୨୬ ତାରିଖରେ କେନ୍ଦ୍ରର କେନ୍ଦ୍ର ର DoPT ବିଭାଗ ପକ୍ଷରୁ ଓଡ଼ିଶାର ମୂଖ୍ୟ ଶାସନ ସଚିବ ଙ୍କ ପାଖକୁ ଯେଉଁ ଚିଠି ଆସିଛି ତାହା ଏକ ଗୁରୁତ୍ଵ ହୀନ ଚିଠି ବୋଲି କଂଗ୍ରେସ କହିଛି। ଏମିତି ଚିଠି କେନ୍ଦ୍ର ସରକାରଙ୍କ ଅଫିସର କେମିତି ଲେଖି ପାରିଲେ ବୋଲି କଂଗ୍ରେସ ଆଶ୍ଚର୍ଯ୍ୟ ପ୍ରକଟ କରିଛି।

ଏହି ଚିଠି ରେ କେଉଁ ଆଇଏଏସ ଅଫିସର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାଙ୍କର ନାମ ଉଲ୍ଲେଖ କରାଯାଇ ନାହିଁ। କି ଭଳି ଏବଂ କେଉଁ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ଓ କେତେଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ବିଷୟରେ କୌଣସି ଉଲ୍ଲେଖ ନାହିଁ। ଏହା ଏକ ବିଚିତ୍ର ପ୍ରକାରର ଚିଠି ବୋଲି କହିବା ସହିତ ଏଭଳି ଚିଠି ର କୌଣସି ଗୁରୁତ୍ଵ ନାହିଁ ବୋଲି କଂଗ୍ରେସ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ସାମ୍ବାଦିକ ମାନଙ୍କୁ କହିଛନ୍ତି।

ଶ୍ରୀ ଦାସ ସମ୍ବିଧାନ ର ଧାରା ୩୦୯, ୩୧୯ ଓ ୩୨୦ ରେ ସର୍ବ ଭାରତୀୟ ପ୍ରସନିକ ସେବା ବିଷୟରେ ବିଶଦ ଉଲ୍ଲେଖ କରାଯାଇଛି ଏବଂ ତାର ନିୟମ କାନୁନ୍ କେଉଁ କେଉଁ କାରଣରୁ ଉଲଙ୍ଘନ ହୁଏ ଏବଂ ସେ କ୍ଷେତ୍ରରେ କିଭଳି କାଜ୍ୟନୁଷ୍ଠାନ ନିଆଯିବ, ସେସବୁ ବିସୟରେ ସବିସଦ ବର୍ଣ୍ଣନା କରାଯାଇଛି। ଏ ଚିଠି ରେ ସେ ବିଷୟରେ କୌଣସି ଉଲ୍ଲେଖ ନାହିଁ।

ପୁନଶ୍ଚ କେନ୍ଦ୍ର ସରକାର ଙ୍କ ମଧ୍ୟ ନିଜସ୍ଵ ଗୁଇନ୍ଦା ସଂସ୍ଥା ରହିଛି। ତା ମାଧ୍ୟମରେ ମଧ୍ୟ କେନ୍ଦ୍ର ସରକାର ଯେ କୌଣସି ସର୍ବଭାରତୀୟ ସେବା ଅଧିକାରୀ ଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ପାରିବେ ଏବଂ ସେ ତାଙ୍କର ଚାକିରୀ ର ନିୟମ କାନୁନ୍ କୁ ଉଲ୍ଲଂଘନ କରୁଛନ୍ତି କି ନାହିଁ ତାହା ଜାଣି ପାରିବେ। ସେ କଥା ନକରି କେନ୍ଦ୍ର ସରକାର ଅଭିଯୋଗ କୁ ଆଖିଠାର ମାରିଲା ଭଳି ଗୋଟିଏ ବାକ୍ୟର ଚିଠି ଟିକୁ ଲେଖିବା ପଛରେ ଅଭିଯୋଗ ର ଗୁରୁତ୍ଵ କୁ ହାଲୁକା କରିବାର ପ୍ରୟାସ କରିଛନ୍ତି ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି।

ଏଭଳି ଗୁରୁତ୍ଵ ବିହୀନ ଚିଠି କୁ ନେଇ ବିଜେପି ନେତା ମାନେ ଯେଉଁ ଟୁମ୍ଭି ତୋଫାନ କରୁଛନ୍ତି ତାହା ମଧ୍ୟ ବେଶ ହାସ୍ୟାସ୍ପଦ। ବାସ୍ତବରେ ବିଜେପି ମୁଖ୍ୟ ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ବିଜେଡି କୁ ଅସନ୍ତୁଷ୍ଟ କରିବାକୁ ଚାହେଁ ନାହିଁ।

କେବଳ ଲୋକ ଦେଖlଣିଆ ଭାବରେ ସେମାନଙ୍କ ବିରୋଧ ସୀମିତ। ସେଥିରେ ଆନ୍ତରିକତା କମ, ସଠତା ବେଶୀ ବୋଲି ଶ୍ରୀ ଦାସ କଟାକ୍ଷ କରିଛନ୍ତି। ଅପର ପକ୍ଷରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତି କେହି କୁଠାରଘାତ କଲେ କଂଗ୍ରେସ ତାହାର ପ୍ରତିବାଦ କରିବ ବୋଲି ଶ୍ରୀ ଦାସ କହିଛନ୍ତି।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ‘ଏକାମ୍ର ପ୍ରକଳ୍ପ’ ରେ ରହିଛି କଣ ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମନ୍ଦିର ସମ୍ମୁଖରେ ପହଞ୍ଚି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପରେ ଯଜ୍ଞ ସ୍ଥଳୀକୁ ଯାଇ ଗତ ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଯଜ୍ଞର ପୂର୍ଣ୍ଣାହୁତିରେ ସାମିଲ ହୋଇଥିଲେ।

ଏକାମ୍ର ପ୍ରକଳ୍ପ ନିମନ୍ତେ ଜମି ପ୍ରଦାନ କରିଥିବା ୧୪ ଜଣ ବ୍ୟକ୍ତିବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ବ୍ରାହ୍ମଣ ନିଯୋଗ, ବଡ଼ୁ ନିଯୋଗ ଏବଂ ସମର୍ଥା ନିଯୋଗର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦାମୋଦର ବେଶର ଏକ ଫଟୋଚତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ୫-‘ଟି’ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ଏକାମ୍ର କ୍ଷେତ୍ରର ସୁବିଧା ଏବଂ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନା ତଥା ‘ଏକାମ୍ର ପ୍ରକଳ୍ପ’ ୨୦୧୯ ରେ ଆରମ୍ଭ କରାଯାଇଥିଲା। ବିଭିନ୍ନ ସ୍ମାରକୀ, ପବିତ୍ର ପୁଷ୍କରିଣୀ ଓ ଅନ୍ୟାନ୍ୟ ଜଳାଶୟର ପୁନରୁଦ୍ଧାର ସମେତ ଶ୍ରୀଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ର ୮୦ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣର ଲକ୍ଷ୍ୟ ରଖାଯାଇଛି।

ଜୁନ୍‌ ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ତିନି ଦିନିଆ ଉତ୍ସବରେ ପର୍ଯ୍ୟଟକ ଏବଂ ଭକ୍ତମାନେ ଏକାମ୍ର କ୍ଷେତ୍ରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପରମ୍ପରାରେ ନିମଜ୍ଜିତ ରହିବାର ସୁଯୋଗ ପାଇଥିଲେ। ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ, ମୁକ୍ତେଶ୍ୱର ମନ୍ଦିର, ବିନ୍ଦୁସାଗର ପୁଷ୍କରିଣୀ ଏବଂ ଅନ୍ୟାନ୍ୟ ଛୋଟ ମନ୍ଦିରଗୁଡ଼ିକ ଆଲୋକମାଳାରେ ସୁସଜ୍ଜିତ ହୋଇ ଏକ ଅପୂର୍ବ ଆକର୍ଷଣୀୟ ପରିବେଶ ସୃଷ୍ଟି କରିଥିଲା। ପାରମ୍ପାରିକ ଯଜ୍ଞ ରୀତିନୀତି ମାଧ୍ୟମରେ ଏହି ଉତ୍ସବର ପବିତ୍ରତା ବୃଦ୍ଧି ପାଇ ଏକ ଶାନ୍ତ ତଥା ପବିତ୍ର ବାତାବରଣ ସୃଷ୍ଟି ହୋଇଥିଲା।

ଧାର୍ମିକ ସମାରୋହ ବ୍ୟତୀତ, ଉପସ୍ଥିତ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଆକର୍ଷଣୀୟ ସ୍କାଏ ପ୍ରୋଜେକ୍‌ସନ୍‌, ଲାଇଟ୍‌ ଏବଂ ସାଉଣ୍ଡ ସୋ, ଭଜନ ସମାରୋହ, ନୃତ୍ୟ ପ୍ରଦର୍ଶନ ସହ ପ୍ରକଳ୍ପର ମଡେଲ ଏବଂ ତଥ୍ୟସମ୍ବଳିତ ପ୍ରଦର୍ଶନୀ ଦେଖିବାର ସୁଯୋଗ ପାଇଥିଲେ।

ପ୍ରଥମ ପର୍ଯ୍ୟାୟରେ ଏକାମ୍ର କ୍ଷେତ୍ରର ପ୍ରତ୍ନତତ୍ତ୍ୱ ଏବଂ ପ୍ରତ୍ନତାତ୍ତ୍ୱିକ ଐତିହ୍ୟର ପୁନରୁଦ୍ଧାର ପରି ପ୍ରମୁଖ କାର୍ଯ୍ୟକ୍ରମର ରୂପାୟନ କରାଯିବ। ଯାନବାହନ ଚଳାଚଳକୁ ସୁଗମ କରିବା ନିମନ୍ତେ ୧୨ରୁ ୧୮ ମିଟର ଚଉଡ଼ା ରାସ୍ତା, ପଥଚାରୀଙ୍କ ପାଇଁ ୪ରୁ ୧୦ ମିଟର ଚଉଡ଼ା ଚଲାପଥ ଏବଂ ପାର୍କିଂ ବ୍ୟବସ୍ଥା କରାଯିବ।

ଏଥି ସହ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଆନ୍ତଃସଂଯୋଗ କରୁଥିବା ମୁକ୍ତସ୍ଥାନ, ୩୦୦ ବର୍ଗମିଟରର ଦର୍ଶନ ସୁବିଧା, ଜରୁରୀକାଳୀନ ସେବା ନିମନ୍ତେ ୧୬୦୦ ବର୍ଗମିଟରର ସୂଚନା ଓ ନିୟନ୍ତ୍ରଣ କେନ୍ଦ୍ର, ବିନ୍ଦୁସାଗର ଚତୁଃପାଶ୍ୱର୍ରେ ଉତ୍ସର୍ଗୀକୃତ ଚଲାପଥ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ଓଡ଼ିଶା ସେତୁ ନିର୍ମାଣ ନିଗମକୁ ଦାୟିତ୍ୱ ଦିଆଯାଇଛି ଏବଂ ଉନ୍ନୟନ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ।

Categories
ବିଶେଷ ଖବର ରାଜ୍ୟ ଖବର

୫ଟି ସଚିବଙ୍କ କନ୍ଧମାଳ ଗସ୍ତ, ୫୦୦ କୋଟି ଟଙ୍କା ବ୍ୟୟରେ ହେବ ମେଗା ଜଳ ପ୍ରକଳ୍ପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ
ଶ୍ରୀ ଭି.କେ. ପାଣ୍ଡିଆନ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏଥିସହିତ ସେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନଙ୍କ ସହ ମିଶି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଶୁଣିବା ସହିତ ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି।

ଶ୍ରୀ ପାଣ୍ଡିଆନ ପ୍ରଥମେ ଖଜୁରିଆପଡା ବ୍ଲକସ୍ଥିତ ମା ବରାଳଦେବୀ ମନ୍ଦିର ପରିଦର୍ଶନ କରି ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରର ପରିଚାଳନା କମିଟି ସଦସ୍ୟମାନଙ୍କ ସହିତ ମନ୍ଦିରର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଏଥିପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଫୁଲବାଣୀରେ ନିର୍ମାଣାଧୀନ ବସ ଷ୍ଟାଣ୍ଡ ପ୍ରକଳ୍ପ ପରିଦର୍ଶନକରି ଏହାର ନିର୍ମାଣ କାମ ସମୀକ୍ଷା କରିଥିଲେ। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ଭିତ୍ତିଭୂମିର ଉପଯୁକ୍ତ ନିର୍ମାଣ ଉପରେ ଶ୍ରୀ ପାଣ୍ଡିଆନ ଗୁରୁତ୍ୱ ଦେଇଥିଲେ। ଏହି ପ୍ରକଳ୍ପ ପାଇଁ ୫.୨୯ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ସମସ୍ତ ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ଫୁଲବାଣୀ ସ୍ପୋର୍ଟ୍‌ସ୍ କମ୍ପ୍ଲେକ୍ସ ଠାରେ ସାଧାରଣ ଜନତା, ନାଗରିକ ସମାଜ ଓ ବିଭିନ୍ନ ସଂଘର ପ୍ରତିନିଧିମାନଙ୍କ ସହିତ ଜିଲ୍ଲାର ସାମଗ୍ରୀକ ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କନ୍ଧମାଳରେ ପର୍ଯ୍ୟଟନର ବିକାଶ ପାଇଁ ସମସ୍ତେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲାରେ ପର୍ଯ୍ୟଟନର ସାମଗ୍ରିକ ବିକାଶ ପାଇଁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ନିଜର ଅଭିଭାଷଣ ରଖି ୫ଟି ସଚିବ ଶ୍ରୀ ପାଣ୍ଡିଆନ କହିଥିଲେ ଯେ କନ୍ଧମାଳରେ ଏକ ଅତ୍ୟାଧୁନିକ ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ମାଣ କରାଯାଉଛି। ଏହାର କାମ ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ସରିବ ବୋଲି ସେ କହିଥିଲେ। ଏକ ହଜାର କୋଟି ଟଙ୍କାରେ ନିର୍ମିତ ଏହି କଲେଜ ଓ ହସ୍ପିଟାଲ ଦ୍ୱାରା କନ୍ଧମାଳ ଓ ଆଖପାଖ ଜିଲ୍ଲାର ଲୋକମାନେ ଉନ୍ନତମାନର ଚିକିତ୍ସା ପାଇପାରିବେ ବୋଲି ସେ କହିଥିଲେ।

ଏହି ଅବସରରେ ସେ କହିଥିଲେ ଯେ କନ୍ଧମାଳ ଜିଲ୍ଲାରେ ଲୋକଙ୍କୁ ଭଲ ପିଇବା ପାଣି ଯୋଗାଇ ଦେବା ପାଇଁ ୪୯୯.୯୧ କୋଟି ଟଙ୍କାରେ ଏକ ମେଗା ପାଇପ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ବୌଦ୍ଧ ଜିଲ୍ଲାରେ ପ୍ରବାହିତ ମହାନଦୀରୁ ପାଇପ ଯୋଗେ ପାଣି ଅଣାଯିବ । ଏହା ଦ୍ୱାରା ଫୁଲବାଣୀ, ଖଜୁରିଆପଡା, ଫିରିଙ୍ଗିଆ ଓ ଚକାପାଦ ଆଦି ବ୍ଲକ ଅଞ୍ଚଳର ଲୋକମାନେ ସ୍ୱଚ୍ଛ ପାନୀୟ ଜଳ ପାଇପ ଯୋଗେ ପାଇ ପାରିବେ ।

ଫୁଲବାଣୀ ରିଜର୍ଭ ପୋଲିସ୍‌ ପଡିଆରେ ସେ ଜିଲ୍ଲାର କଲେଜ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ। ୫ଟି ସଚିବ କହିଥିଲେ ଯେ ଜିଲ୍ଲାର ସମସ୍ତ ୩୬ଟି ଶିକ୍ଷାନୁଷ୍ଠାନକୁ 5T ରୂପାନ୍ତର କାର୍ଯ୍ୟକ୍ରମରେ ଗ୍ରହଣ କରାଯାଇଛି ଏବଂ ଏସବୁଗୁଡିକର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଛି ଏବଂ ଏଥିପାଇଁ ୧୮.୭୫ କୋଟି ଟଙ୍କା ବିନିଯୋଗ କରାଯିବ। ଜିଲ୍ଲାର ୧୧ଟି ଡିଗ୍ରୀ କଲେଜ ପାଇଁ ୭.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ୨୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୧୧.୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ସମସ୍ତ ଶିକ୍ଷାନୁଷ୍ଠାନଗୁଡିକରେ ୨୩,୭୭୭ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। କାର୍ଯ୍ୟଗୁଡିକର ନିୟମିତ ସମୀକ୍ଷା କରି ଠିକ୍‌ ସମୟରେ କାର୍ଯ୍ୟ ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଫୁଲବାଣୀ ଜିଲ୍ଲାର ଅଭିଷେକ ପଡିଆରେ ମିଶନ ଶକ୍ତି ସଦସ୍ୟା, ବ୍ୟାଙ୍କ ମିତ୍ର ଏବଂ ଅନ୍ୟାନ୍ୟ ପ୍ରତିନିଧିମାନଙ୍କ ସହିତ ମିଶନ ଶକ୍ତି କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ସମାଜର ପରିବର୍ତ୍ତନ ଓ ମହିଳା ସଶକ୍ତିକରଣ ଦିଗରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଏକ ବଳିଷ୍ଠ ପ୍ଲାଟଫର୍ମ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ। ମିଶନ ଶକ୍ତି ସଦସ୍ୟାମାନଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରି ଏଥିରେ ଆହୁରି ଉନ୍ନତି ଆଣିବା ପାଇଁ ପରାମର୍ଶ ଦେଇଥିଲେ।

ଏହି ପରିଦର୍ଶନ ସମୟରେ କ୍ରୀଡା ସଚିବ ଶ୍ରୀ ଭିନିଲ୍ କ୍ରୀଷ୍ଣା ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ଭଦ୍ରକ ଗସ୍ତର ୨ ଦିନ, ୬ ମାସରେ ଜିଲ୍ଲାର ସବୁ କଲେଜ ହେବ ରୂପାନ୍ତର

ଭଦ୍ରକ: ମୁଖ୍ୟମନ୍ତ୍ରୀ ଶ୍ରୀୟୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭଦ୍ରକ ଗସ୍ତରେ ଥିବା ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର, ଭଣ୍ଡାରିପୋଖରୀ ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶମୂଳକ କାର‌୍ୟ୍ୟର ଅଗ୍ରଗତି ଦେଖିବା ସହ ବହୁ ପ୍ରକଳ୍ପର ସମୀକ୍ଷା କରିଛନ୍ତି।

ଆଜି ପ୍ରଥମେ ଚାନ୍ଦବାଲି ବ୍ଲକ କୁ ଗସ୍ତକରି ବାଁଶଡାଠାରେ ମନ୍ତେଇ ନଦୀ ଉପରେ ନବ ନିର୍ମିତ ମନ୍ତେଇ ପୋଲ ପରିଦର୍ଶନ କରିବା ସହିତ ନିର୍ମାଣାଧିନ ସଂଯୋଗୀକରଣ ରାସ୍ତା କାମ ଶୀଘ୍ର ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଚାନ୍ଦବାଲିରେ ନୂତନଭାବେ ଉଦ୍ଘାଟିତ ହୋଇଥିବା ମିଶନ କାଫେ ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ଏହା ରାଜ୍ୟର ସର୍ବଶ୍ରେଷ୍ଠ ମିଶନ ଶକ୍ତି କାଫେ ବୋଲି ପ୍ରକାଶ କରିଥିଲେ।

ଜନସାଧାରଣ ଓ ବିଭିନ୍ନ ସଂଗଠନ ର ଦାବି, ଅଭିଯୋଗ, ସମସ୍ୟା ଶୁଣିବା ଓ ଆଲୋଚନାପାଇଁ କାଳୀ ପଡିଆରେ ପହଞ୍ଚି ଶ୍ରୀ ପାଣ୍ଡିଆନ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ ନୂଆ ବର୍ଷ ପୂର୍ବରୁ ଶେଷ କରିବାପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। କୌଣସି ପ୍ରକଳ୍ପପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ। ଅନୁମୋଦନ ଅପେକ୍ଷାରେ ଥିବା ପ୍ରଦତ୍ତ ସମସ୍ତ ପ୍ରକଳ୍ପକୁ ମଞ୍ଜୁର କରାଯିବବୋଲି କହିଥିଲେ।

ତିନିତର ଘାଟ ବ୍ରିଜର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଚାନ୍ଦବାଲିବାସୀଙ୍କ ବହୁଦିନର ଆଶା ମନ୍ତେଇ ବ୍ରିଜ ନିର୍ମାଣ ଯୋଗୁଁ ଚାନ୍ଦବାଲିରୁ ଧାମରା ଗମନାଗମନରେ ୪ ଘଣ୍ଟା ସମୟ ବଦଳରେ ମାତ୍ର ୪୫ ମିନିଟ୍ ସମୟ ଲାଗିବା କଥା ପ୍ରକାଶ କରିଥିଲେ।

ଚାନ୍ଦବାଲି, ଧାମନଗର, ତିହିଡି ଓ ବାସୁଦେବପୁର ଚାରିଟି ବ୍ଲକର ୯୨ ଗ୍ରାମ ପଞ୍ଚାୟତର ଲବଣାକ୍ତ ଅଞ୍ଚଳରେ ଥିବା ୫୨୬ ଗ୍ରାମର ଘରକୁ ଘର ପାଇପ ଦ୍ୱାରା ପାନୀୟ ଜଳ ଯୋଗାଣ ପାଇଁ ନିର୍ମିତ ମେଗା ପାଇପ ୱାଟର ସପ୍ଲାଇ ପ୍ରକଳ୍ପ ପରିଦର୍ଶନ କରି ସହରାଞ୍ଚଳପାଇଁ ମଧ୍ୟ ଏହିଭଳି ପ୍ରକଳ୍ପ ନିର୍ମାଣ କରାଯାଇ ଘରକୁ ଘର ଜଳ ଯୋଗାଇ ଦିଆଯିବାପାଇଁ ପଦକ୍ଷେପ ନିଆଯିବବୋଲି ପ୍ରକାଶ କରିଥିଲେ।

ଚାନ୍ଦବାଲିରୁ ଯାଇ ବାସୁଦେବପୁର ଯାଦବ ପଡିଆରେ ପହଞ୍ଚି ଶ୍ରୀ ପାଣ୍ଡିଆନ ସାଢେ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେଉଥିବା ବି-ଟାଇପ ମଡେଲ ବସ ସ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ବିଷୟରେ ସମୀକ୍ଷା କରି ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାପାଇଁ ନିର୍ଦ୍ଦେଶ ପ୍ରଦାନ କଲେ।

ଆମ ହସ୍ପିଟାଲ ଯୋଜନାରେ ବାସୁଦେବପୁର ସି.ଏଚ.ସି ର ରୂପାନ୍ତରଣ କାର‌୍ୟ୍ୟ ସମୀକ୍ଷା କରି ନିର୍ମାଣାଧୀନ ସମସ୍ତ କାର‌୍ୟ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାପାଇଁ କହିଥିଲେ। ଡାକ୍ତରଖାନାର ୱାର୍ଡ ବୁଲି ରୋଗୀ, ଡାକ୍ତର ଓ ନର୍ସମାନଙ୍କସହ ମତ ବିନିମୟ କରିଥିଲେ।

ବି.ସି.ସି.ୟୁ.ବି.ବି ହାଇ ସ୍କୁଲ ପଡିଆ, ମନ୍ଦାରୀରେ ପହଞ୍ଚି ଶ୍ରୀ ପାଣ୍ଡିଆନ ତୃତୀୟ ଦଫାର ହାଇ ସ୍କୁଲ ରୂପାନ୍ତରିକରଣ କାର‌୍ୟ୍ୟକ୍ରମ ସମ୍ବନ୍ଧରେ ସମୀକ୍ଷା କରିଥିଲେ । ୫-ଟି ଉପକ୍ରମରେ ଶିକ୍ଷାର ଉନ୍ନତ୍ତି, ସ୍ମାର୍ଟ ଶ୍ରେଣୀ ଗୃହ, ପାଠାଗାର, ଖେଳପଡିଆ, ଶୌଚାଶଳୟ ଆଦିର ପ୍ରଭାବ ବିଷୟରେ ପିଲାଙ୍କସହ ମତ ବିନିମୟ କରିଥିଲେ।

ପରେ ପରେ ବାସୁଦେବପୁର ଗସ୍ତର ଅନ୍ତିମ କାର‌୍ୟ୍ୟକ୍ରମ ରକ୍ତତୀର୍ଥ ଇରମରେ ପହଞ୍ଚି ଶହୀଦ ସୃତି ସ୍ତମ୍ଭ ଓ ଶହୀଦ ସୃତି ପୀଠରେ ପୁଷ୍ପ ଗୁଚ୍ଛ ପ୍ରଦାନକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସୃତି ପୀଠର ଉନ୍ନତି କାମ ସମୀକ୍ଷା କରିଥିଲେ। ଇରମକୁ ଓଡିଶାର ଅଗ୍ରଗଣ୍ୟ ସହିଦ ପୀଠ କରିବାପାଇଁ ଭିତ୍ତିଭୂମିର ବିକାଶ କରାଯିବାନେଇ ଘୋଷଣା କରିଥିଲେ।

ବାସୁଦେବପୁରରୁ ଧାମନଗର ବ୍ଲକକୁ ଗସ୍ତରେ ଯାଇ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ। ନିର୍ଦ୍ଧାରିତ ସମୟରେ କାର‌୍ୟ୍ୟ ଶେଷ କରିବା ଓ ଗୁଣାତ୍ମକମାନରେ କାର‌୍ୟ୍ୟ କରିବାକୁ ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ତାପରେ ଧାମନଗର ସି.ଏଚ.ସି କୁ ଯାଇ ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରିକରଣ କାର‌୍ୟ୍ୟ ସମୀକ୍ଷା କରିଥିଲେ।

ପରେ ପରେ ନିର୍ମାଣଧିନ ସମନ୍ୱିତ ଭିତ୍ତିଭୂମି ପ୍ରତିଷ୍ଠାନ (ଆଇ.ଆଇ.ସି) ପରିଦର୍ଶନକରି କାର‌୍ୟ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ସେଠାରେ ଜନସାଧାରଣ ଓ ସଂଗଠନମାନଙ୍କଠାରୁ ଅଭିଯୋଗ ଗ୍ରହଣ କରିଥିଲେ। ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଠା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମପୀଠର ଉଚ୍ଚକୋଟିର ରୂପାନ୍ତରିକରଣ କରାଯିବାନେଇ ମଧ୍ୟ ଘୋଷଣା କରିଥିଲେ।

ପୂର୍ବଦିନ ଜୁନ୍ ୧୧ ତାରିଖରେ ଶ୍ରୀ ପାଣ୍ଡିଆନ କେନ୍ଦୁଝର ଗସ୍ତ ଶେଷ କରି ଭଦ୍ରକରେ ପହଞ୍ଚି ଥିଲେ। ସେଠାରେ ସେ ଷ୍ଟାଡିୟମ ର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ। ଷ୍ଟାଡିୟମର ଉନ୍ନତି ପାଇଁ ଥିବା ଯୋଜନା ବିଷୟ ଗୁଡିକୁ ୫ଞ ସଚିବ ଙ୍କୁ ଜିଲ୍ଲାପାଳ ଅବଗତ କରାଇବା ପରେ ଶ୍ରୀ ପାଣ୍ଡିଆନ ଭଲ କ୍ରିକେଟ ଗ୍ରାଉଣ୍ଡ ପାଇଁ ଫ୍ଲଡ ଲାଇଟ ର ସୁବିଧା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ବ୍ୟାଡମିଣ୍ଟନ , ଭଲିବଲ , ବାସ୍କେଟବଲ ଖେଳ ପାଇଁ ଲୋକେ ଦାବି କରିବାରୁ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ସବୁ ସୁବିଧା କରାଯିବ ବୋଲି ପ୍ରକାଶ କରିଥିଲେ।

ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଜିଲ୍ଲା ର ବିଭିନ୍ନ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁ ଆସିଥିବା ଦୁଇ ହଜାର ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ଙ୍କ ସହ ମତ ବିନିମୟ କରିଥିଲେ। ୫ଞ ଉପକ୍ରମ ରେ ବିଦ୍ୟାଳୟ ମାନଙ୍କ ରୂପାନ୍ତରଣ ଭଳି ଆଗାମୀ ଦିନ ରେ ମହାବିଦ୍ୟାଳୟ ମାନଙ୍କ ର ରୂପାନ୍ତରକରଣ ରେ ସ୍ମାର୍ଟ କ୍ଳାସ , ଇ-ଲାଇବ୍ରେରୀ ,ଶୌଚାଳୟ ଇତ୍ୟାଦି କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଞ୍ଜୁର କାରିଥିବାର ବୋଲି ଘୋଷଣା କରିଥିଲେ।

ସେଠା ରୁ ଯାଇ ଗେଲପୁର ନିକଟ ରେ ନୂତନ ଭାବେ କାର‌୍ୟ୍ୟକାରୀ ହେବାକୁଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ର ସମ୍ପୂର୍ଣ ହୋଇ ଆସୁଥିବା ନିର୍ମାଣ କାର‌୍ୟ ର ସମୀକ୍ଷା କରିବା ସହିତ ମାତୃ -ଶିଶୁ ଯତ୍ନ ଡାକ୍ତରଖାନା ନିକଟ ରେ ଆରମ୍ଭ ହୋଇଥିବା ଚିକିତ୍ସା ବ୍ୟବସ୍ତା ସମ୍ବନ୍ଧ ରେ ପଚାରି ବୁଝିଥିଲେ। ରୋଗୀ ଓ ଡାକ୍ତର ମାନଙ୍କ ସହ ମତ ବିନିମୟ କରିଥିଲେ। ଡାକ୍ତରଖାନା ର ମିରମାନ ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଜନସମାବେଶରେ ଯୋଗଦେଇ ବିଭିନ୍ନ ସଂଗଠନ ଓ ଜନସାଧାରଣଙ୍କଠାରୁ ଅଭିଯୋଗ ଗ୍ରହଣ କରିଥିଲେ।

ଧାମରା ବନ୍ଦର ଭଦ୍ରକ ପାଇଁ ସବୁଠୁ ବଡ ଅଦଦାନ ଏବଂ ଧାମରାଠାରେ ଶିଳ୍ପ ପ୍ରାର୍କ, ଧାମନଗର ଛକଠାରେ ଟେକ୍ସଟାଇଲ ପ୍ରକଳ୍ପପାଇଁ ପ୍ରତିଷ୍ଠା ଚାଲିଛି। ତାହା ଦିନେ କେବଳ ଭଦ୍ରକ ନୁହେଁ ସାରା ରାଜ୍ୟ ଅର୍ଥନୀତିପାଇଁ ପ୍ରଭାବ ହେବବୋଲି ପ୍ରକାଶ କରିଥିଲେ। ଆନନ୍ଦପୁର ବ୍ୟାରେଜ ପାଇଁ ଅକ୍ଟେବର ସୁଦ୍ଧା ସାଳନ୍ଦୀରେ ଅଧିକ ପାଣି ଆସିବ। ନାଜର ନାଳ ପାଇଁ ଅତିଶିଘ୍ର କାର୍ଯ୍ୟ ଆରମ୍ଭ ହେବାନେଇ ମଧ୍ୟ ସୁଚନା ଦେଇଥିଲେ।

ପ୍ରଥମ ଦିନ ର ଗସ୍ତ ର ଶେଷ କାର‌୍ୟକ୍ରମ ମା ଭଦ୍ରକାଳୀ ମନ୍ଦିର କୁ ଗସ୍ତ କରି ମା ଙ୍କୁ ଦର୍ଶନ କରିବା ସହିତ ପୂଜା ଅର୍ଚନା କରିଥିଲେ। ମନ୍ଦିର ର ସୌନ୍ଦରଜିକରଣ ପାଇଁ ନିଆ ଯାଇଥିବା ଓ ନିଆ ଯିବାକୁ ଥିବା ପଦକ୍ଷେପ ସମ୍ବନ୍ଧ ରେ ସମୀକ୍ଷା କରିଥିଲେ।

ମନ୍ଦିର ଫେଜ -୧ କାମ ସମାପ୍ତ ହୋଇଥିବା ରୁ ଖୁସି ବ୍ୟକ୍ତ କରିଥିଲେ। ଏବଂ ଫେଜ-୨ ପାଇଁ ସବିଶେଷ ପ୍ରକଳ୍ପ ରିପୋର୍ଟ ତିଆରି କରି ଅବିଳମ୍ବେ ପଠାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ମା ଭଦ୍ରକାଳୀ ମନ୍ଦିର କୁ ଭଦ୍ରକ ସହର ରୁ ଯିବା ପାଇଁ ଉପଯୁକ୍ତ ମାର୍ଗକୁ ଜିଲ୍ଲାପାଳ ଚିହ୍ନଟ କରି ସୁପାରିଶ କଲେ ସେହି ରାସ୍ତା ର ଉନ୍ନତିକରଣ ପାଇଁ ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

୫-ଟି ସଚିବଙ୍କ ନୂଆପଡ଼ା ଗସ୍ତ, ପାଞ୍ଚୋଟି ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଳାହାଣ୍ଡି ଓ ନୂଆପଡାକୁ ତିନି ଦିନିଆ ଗସ୍ତରେ ଯାଇଥିବା ୫-ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ଆଜି ତୃତୀୟ ଦିନରେ ନୂଆପଡ଼ା, ସିନାପାଲି, ଖରୀଆର, ବୋଡ଼େନ, କୋମନା ଆଦି ବ୍ଲକ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କ ସହିତ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି।

ଶ୍ରୀ ପଣ୍ଡିଆନ ପ୍ରଥମେ ଗଡରମାଲ ଠାରେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରି ସେଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପରେ ୮୧୯ ହେକ୍ଟର ଜମି କୁ ପାଣି ଦିଆ ଯାଉଥିବା ବେଳେ ୧୬୩୦ ଚାଷୀ ପରିବାର ଏହାଦ୍ବାରା ଉପକୃତ ହେଉଛନ୍ତି। ପାରମ୍ପରିକ ଚାଷକୁ ଛାଡି ମକା, ବାଦାମ, କାଜୁ, ଓ ପନିପରିବା ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ।

ଏହି ପ୍ରକଳ୍ପକୁ ଆହୁରି ସମ୍ପ୍ରସାରଣ କରାଯାଇ ଚାଷୀ ମାନଂକୁ କିପରି ଅଧିକ ଜଳ ସେଚନ ସୁବିଧା ଦିଆ ଯାଇ ପାରିବ, ଶ୍ରୀ ପାଣ୍ଡିଆନ ସେ ସଂପର୍କରେ ଜଳ ସେଚନ ବିଭାଗ ଯନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏ ସଂପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି ତୁରନ୍ତ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି କୋନବିରା ରେ ଜଳ ସେଚନ ସମ୍ଭାବନାକୁ ଦୃଷ୍ଟିରେ ରଖି ସେ ସ୍ଥାନୀୟ ଲୋକ ଓ ଜଳ ସେଚନ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଏକ ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆପଡ଼ାର କେତକ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ର ବିକାଶ ପାଇଁ ମଧ୍ୟ ଶ୍ରୀ ପାଣ୍ଡିଆନ ନିଷ୍ପତ୍ତି ନେଇଛନ୍ତି। ପାଟୋରା ସ୍ଥିତ ଯୋଗେଶ୍ଵର ମହାଦେବ ମନ୍ଦିରର ରୂପାନ୍ତର ସଂପର୍କରେ ସେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରର ରୁପାନ୍ତର ଓ ସୌନ୍ଦର୍ଯ୍ୟ କରଣ ସହିତ ସେଠାରେ ପର୍ଯ୍ୟଟନ ଓ ଜଳ କ୍ରୀଡା ସୁବିଧାର ବିକାଶ ନିମନ୍ତେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ପାତାଲଗଙ୍ଗା ଠାରେ ସେ ଜଗନ୍ନାଥ ମନ୍ଦିର ଓ ରାଧକୃଷ୍ଣ ମନ୍ଦିର ପରିଦର୍ଶନ କରି ସେଠାରେ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରି ଏହାର ଉନ୍ନତି ସଂପର୍କରେ ସବିଶେଷ ତଥ୍ୟ ନେଇଥିଲେ। ଏହାର ରୁପାନ୍ତର ପାଇଁ ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସୁନାବେଡ଼ା ର ସୁନଦେଇ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ ପାଇଁ ସେବାୟତ ଓ ସ୍ଥାନୀୟ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ। ସେମାନେ ମନ୍ଦିର ସହିତ ସ୍ଥାନୀୟ ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ତେଣୁ ସୁନାବେଡ଼ା ପାର୍ବତ୍ୟଞ୍ଚଳର ସାମଗ୍ରୀକ ବିକାଶ ପାଇଁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇ ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ।

ବୋଡ଼େନ ଠାରେ ମିଶନ ଶକ୍ତି କେଫ ପରିଦର୍ଶନ କରି ସେଠାରେ ମିଶନ ଶକ୍ତି ର ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରି ସେମାନଙ୍କୁ ଅଧିକ ସୁବିଧା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଲିତିସର୍ଗୀ ଠାରେ ସେ ରୂପାନ୍ତରିତ ଗୋପୀନାଥ ହାଇ ସ୍କୁଲ୍ ପରିଦର୍ଶନ କରି ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ପୁରାତନ ଛାତ୍ର ମାନଙ୍କ ସହ ଆଲୋଚନା କରିଥିଲେ। ପିଲା ମାନଙ୍କ ପାଇଁ ଆଧୁନିକ ଶିକ୍ଷାର ସୁବିଧା ହୋଇ ଥିବାରୁ ସେମାନେ ଖୁସି ପ୍ରକାଶ କରିଥିଲେ। ପିଲା ମାନେ ଭଲ ପାଠ ପଢି ଓଡ଼ିଶାର ଉନ୍ନତି ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଆମ ହସ୍ପିଟାଲ୍ କାର୍ଯ୍ୟକ୍ରମର ସମୀକ୍ଷା କରି ବ୍ୟବସ୍ଥାର ବିଭିନ୍ନ ମାପଦଣ୍ଡ ସଂପର୍କରେ ଅନୁଧ୍ୟାନ କରିଥିଲେ। ରୋଗୀ ମାନଙ୍କ ସହ ଆଲୋଚନା କରି ସେମାନେ ଏହି ବ୍ୟବସ୍ଥା ଦ୍ବାରା କେତେ ସୁବିଧା ପାଉଛନ୍ତି, ସେମାନେ ଖୁସି ଅଛନ୍ତି ନା ନାହିଁ, ସେ ସଂପର୍କରେ ପଚାରି ବୁଝିଥିଲେ ଓ ସ୍ଵାସ୍ଥ୍ୟ ଅଧିକାରୀ ମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ

ଖଡିଆଳ ସବଡିଭିଜିନାଲ ହସ୍ପିଟାଲ ରେ ସେ ଆମ ହସ୍ପିଟାଲ୍ କାର୍ଯ୍ୟକ୍ରମ ସମୀକ୍ଷା କରି ରୋଗୀ ମାନଙ୍କୁ ସେମାନଙ୍କୁ ମିଳୁଥିବା ସୁବିଧା ସଂପର୍କରେ ପଚାରି ବୁଝି ଥିଲେ। ବ୍ୟବସ୍ଥାର ଉନ୍ନତି ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ସିଲଦା ଠାରେ ସେ ମିଶନ ଶକ୍ତି ସଦସ୍ୟା, ଗ୍ରାମ ପଞ୍ଚାୟତ ଫେଡେରସନ, ବ୍ଲକ୍ ସ୍ତରୀୟ ଫେଡେରସନ ଓ ଜିଲ୍ଲା ସ୍ତରୀୟ ଫେଡେରସନ ର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପରେ ମହିଳା ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ନୂଆପଡ଼ା ଠାରେ ନିର୍ମାଣାଧୀନ ମଡେଲ ବସ ଷ୍ଟାଣ୍ଡ ପରିଦର୍ଶନ କରି ଏହାକୁ ନିର୍ଦ୍ଧାରତ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରିଶେଷରେ ସେ ନୂଆପଡ଼ା ନ୍ୟାସନାଲ କଲେଜ ପ୍ରାଙ୍ଗଣରେ ସ୍ଥାନୀୟ ଲୋକ ମାନଙ୍କ ସୁବିଧା ଅସୁବିଧା ଓ ଅଭିଯୋଗ ଶୁଣିଥିଲେ। ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହିତ ଯେଉଁ ସବୁ କାର୍ଯ୍ୟ ପାଇଁ ସରକାରଂକ ଅନୁମତି ଆବଶ୍ୟକ ସେସବୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ଗସ୍ତ ସମୟରେ ସ୍ବାସ୍ଥ୍ୟ ବିଭାଗ ସଚିବ ଶ୍ରୀମତୀ ଶାଲୀନି ପଣ୍ତିତ, କ୍ରୀଡା ବିଭାଗ ସଚିବ ଶ୍ରୀ ଆର. ଭିନିଲ କ୍ରିଷ୍ଣା, ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ, ଉତ୍କେଲା ବିମାନ ଘାଟି ସଂପ୍ରସାରଣ ପାଇଁ ପରାମର୍ଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଗସ୍ତରେ ଯାଇ ପ୍ରଥମ ଦିନରେ ଉତ୍କେଲା ମଦନପୁର ଓ ଭବାନୀପାଟଣା ଯାଇ ବିଭିନ୍ନ ବିକାଶ କାମ ବୁଲିଦେଖିବା ସହ ଛାତ୍ରଛାତ୍ରୀ, ମହିଳା,କ୍ରୀଡାବିତ୍ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।

ପ୍ରଥମେ ଶ୍ରୀ ପାଣ୍ଡିଆନ୍ ଉତ୍କେଲା ବିମାନ ଘାଟି ର ବିକାଶ କାମ ଅନୁଧ୍ୟାନ କରିଥିଲେ।କଳାହାଣ୍ଡି କୁ ବିମାନ ଯୋଗାଯୋଗ ର ବିକାଶ ପାଇଁ ଉତ୍କେଲା ବିମାନ୍ ଘାଟି ରନୱେର ସମ୍ପ୍ରସାରଣ କାମ ଡିସେମ୍ବର ୨୩ ସୁଦ୍ଧା ଶେଷ କରିବାକୁ ୫ଟି ସଚିବ ପରାମର୍ଶ ଦେଇଥିଲେ।

ପରେ ଶ୍ରୀ ପାଣ୍ଡିଆନ୍ ବେଲଖଣ୍ଡି ର ପ୍ରସିଦ୍ଧ ଉମା ମହେଶ୍ବର ଧବଳେଶ୍ଵର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ର ବିକାଶ ସମ୍ପର୍କରେ ସେବାୟତ ଓ କମିଟି ସଭ୍ୟ ମାନଙ୍କ ସହ ଆଲୋଚନା କରି ମନ୍ଦିର ବିକାଶ ପାଇଁ ୧୫ ଦିନ ଭିତରେ ଡିପିଆର ପ୍ରସ୍ତୁତି ପାଇଁ ଜିଲ୍ଲା ପାଳ ଙ୍କୁ ପରାମର୍ଶ ଦେଇଥିଲେ।

ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରୂପାନ୍ତର କାମ ୫ଟି ସଚିବ ବୁଲି ଦେଖିବା ସହ ଆମ ହସ୍ପିଟାଲ କାମ ଆଗାମୀ ଛ ମାସ ମଧ୍ୟରେ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ନିରାମୟ କେନ୍ଦ୍ର ରେ ମାଗଣା ଔଷଧ ବଣ୍ଟନ କାମ ଅନୁଧ୍ୟାନ କରିଥିଲେ।

ତେଲ ନଦୀ ଉପରେ ନିର୍ମାଣ ହେଉଥିବା ସାନଡୁଲ ବ୍ୟାରେଜ କାମ ର ଅଗ୍ରଗତି ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିବା ସହ କାମ ଶୀଘ୍ର ଶେଷ କରିବାକୁ ପରାମର୍ଶ ଦେଇଥିଲେ। ମାର୍ଚ୍ଚ ୨୪ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ଥିବା ବିଷୟ ବିଭାଗୀୟ କର୍ତ୍ତୁପକ୍ଷ ତାଙ୍କୁ ଅବଗତ କରିଥିଲେ। ଏହି ବ୍ୟାରେଜ କାମ ଶେଷ ହେଲେ ନର୍ଲା ,କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକ ର ୨୯ ଟି ଗାଆଁ ର ଚାଷ ଜମିକୁ ଭୂତଳ ପାଇପ ଦ୍ଵାରା ପାଣି ମିଳିପାରିବ। ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ନର୍ଲା ଷ୍ଟାଡିୟମ୍ ଓ ମିଶନ ଶକ୍ତି କାଫେ ଯାଇ ଖେଳାଳି ଓ ମିଶନ ଶକ୍ତି ମା ମାନଙ୍କ ସହ ଆଲୋଚନା କରିଥିଲେ।

ଭବାନୀପାଟଣା ରେ ୫ଟି ସଚିବ ପୋଲିସ ହାଇସ୍କୁଲ ଯାଇ ଶିକ୍ଷକ ଓ ପିଲାମାନଙ୍କ ସହ ସ୍କୁଲର ରୂପାନ୍ତର ସୁବିଧା ବିଷୟରେ ଆଲୋଚନା କରିଥିଲେ। ଏହି ହାଇସ୍କୁଲର ତୃତୀୟ ପର‌୍ୟ୍ୟାୟରେ ରୂପାନ୍ତର କାର‌୍ୟ୍ୟକ୍ରମ ରେ ସାମିଲ ହେଉଛି। ପରେ ଶ୍ରୀ ପାଣ୍ଡିଆନ୍ ଆଶା ସାଗର ବୁଲି ଦେଖିଥିଲେ ଏବଂ ଏହାର ଉନ୍ନତିକରଣ ପାଇଁ ୩୦ ଦିନ ଭିତରେ ଡିପିଆର ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଥିଲେ।

ସେଠାରୁ ଭବାନୀପାଟଣା ବୁଷ୍ଟରମିନାଲ କୁ ଯାଇ କାମ ର ଅଗ୍ରଗତି ସମୀକ୍ଷା କରି ନିର୍ଦ୍ଧାରିତ ସମୟ ରେ କାମ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ଏହି ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ୍ କଳାହାଣ୍ଡି ମେଡିକାଲ କଲେଜ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁ ଯାଇ ବୁଲି ଦେଖିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ଓ ବିକାଶ ବିଷୟରେ ଆଲୋଚନା କରିଥିଲେ।

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ ସ୍ମାର୍ଟ କ୍ଲାସରୁମ ଓ ପାଠାଗାରର ଉନ୍ନତ ପରୀକ୍ଷାଗାରର ବିକାଶ କରାଯିବ ବୋଲି ୫ଟି ସଚିବ ସୂଚନା ଦେଇଥିଲେ। କଳାହାଣ୍ଡି ଟାଉନ ହଲ୍ ରେ ୫ଚି ସଚିବ ମିଶନ ଶକ୍ତି ମାନଙ୍କୁ ଭେଟିଥିଲେ। ଜୁନାଗଡ ଠାରେ ପ୍ରସିଦ୍ଧ ଲଙ୍କେଶ୍ଵରୀ ମନ୍ଦିର ର ବିକାଶ ସମ୍ପର୍କରେ ମନ୍ଦିର କମିଟି ସହ ଆଲୋଚନା କରିଥିଲେ ଓ ଶୀଘ୍ର ଉନ୍ନତିକରଣ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲା ପାଳ ଙ୍କୁ ପରାମର୍ଶ ଦେଇଥିଲେ। ଜୁନାଗଡର ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ କାମ ଅଗ୍ରଗତି ର ୫ଟି ସଚିବ ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ରାଜ୍ୟ ଖବର

ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତିରି କଥା କହିଲେ ୫ଟି ସଚିବ ଭି କେ ପାଣ୍ଡିଆନ

ଭୁବନେଶ୍ବର: ଓଡିଶାର ଏକ ବଡ ଟିମ ଦୁବାଇ ଗସ୍ତରେ ଅଛନ୍ତି। ଦୁବାଇରେ ଆୟୋଜିତ ଓଡିଶା ଦିବସରେ ଯୋଗ ଦେବା ପାଇଁ ସେମାନେ ଯାଇଛନ୍ତି। ଏଥିରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହିତ କେତେକ ବିଧାୟକ ଅଛନ୍ତି। ସେହିପରି ଉନ୍ନୟନ କମିଶନରଙ୍କ ସହିତ କେତେକ ଅଧିକାରୀ ମଧ୍ୟ ଯାଇଛନ୍ତି। ସେହି ଟିମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିଆନ।

ଦୁବାଇର ଏକ ବଡ ପ୍ରେକ୍ଷାଳୟରେ ଭରପୁର ଓଡିଆଙ୍କୁ ସମ୍ବୋଧିତ କରିଥିଲେ ପାଣ୍ଡିଆନ। ଏଥସହିତ ସେ ଓଡିଆ ଲୋକଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ପ୍ରଦାନ କରିଥିଲେ। ସେଥିରେ ଜଣେ ପ୍ରବାସୀ ଓଡିଆ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ, ଆପଣ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସବୁବେଳେ ରହୁଛନ୍ତି, ତାଙ୍କଠାରୁ କଣ ଶିକ୍ଷା ଲାଭ କରିଛନ୍ତି କିମ୍ବା ଆପଣଙ୍କୁ ତାଙ୍କର କେଉଁ ଗୁଣ ଉଦବୋଧ କରିଛି।

ଏହାର ଉତ୍ତରରେ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ସହିତ ଅଙ୍ଗେ ନିଭା କଥା କେତୋଟି ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ, ମୋର ସୌଭାଗ୍ୟ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କାମ କରୁଛି। ମୁଖ୍ୟତଃ ତାଙ୍କର ସମୟାନୁବର୍ତ୍ତିତା, ଶାଳୀନତା, ସାଧାରଣ ଚାଲିଚଳଣୀ ମୋତେ ବେଶ ଉଦବୋଧ କରିଛି ବୋଲି ପାଣ୍ଡିଆନ ଭରପୁର ପ୍ରେକ୍ଷାଳୟରେ ଲୋକଙ୍କୁ କହିଥିଲେ।

ସେ କହିଥିଲେ ଯେ, ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ କାମ ଆରମ୍ଭ କଲି ସେତେବେଳେ ସେ ମାରୁତି ଏସଟିମ୍ ଗାଡିରେ ଯିବା ଆସିବା କରୁଥିଲେ। ପରବର୍ତ୍ତି ସମୟରେ ମାରୁତି କଂପାନୀ ଏହି ଗାଡି ଉତ୍ପାଦନ ବନ୍ଦ କରିଦେଲା। ସେତେବେଳେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଏହି ଗାଡି ପରିବର୍ତ୍ତନ କରିବା ପାଇଁ ଅନୁରୋଧ କରିଥିଲେ। ସେ ମନା କଲେ, କହିଲେ ଏବେ ଚାଲୁଛି ତ ଚାଲୁ।

ଏହା ପରେ ସେହି ଗାଡି କିଛି ମାସ ଚାଲିଲା। ହେଲେ ହଠାତ ଦିନେ ସେ ଗାଡିଟି ରାସ୍ତାରେ ଅଟକିଗଲା। ସେତେବେଳେ ସାରଙ୍କୁ କହିଲେ ଯେ, ଏହି ଗାଡି ପରିବର୍ତ୍ତନ କରିବା। ମୁଖ୍ୟମନ୍ତ୍ରୀ କିଛି ସମୟ ଚିନ୍ତା କରି କହିଲେ ଯେ, ଠିକ ଅଛି, ତେବେ ମାରୁତି କଂପାନୀ ଏହି ଗାଡିକୁ ପରିବର୍ତ୍ତନ କରି କଣ ନୂଆ ଗାଡି କାଢିଛି ଜାଣିଛ କି ? ଏହାର ଉତ୍ତରେ ସେ କହିଥିଲ ଯେ, ସାରେ ଏହା ବଦଳରେ ମାରୁତି କଂପାନୀ ଏସଏକ୍ସଫୋର ବାହାର କରିଛି। ମୁଖ୍ୟମନ୍ତ୍ରୀ କହିଲେ ସେହି ଗାଡିଟି ଆଣ।

ଏହାପରେ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇବାକୁ ପଡିଲା ଯେ, ସାରେ ସେ ଗାଡିଟି ନିଚା, ଆପଣଙ୍କ ଉଚ୍ଚତା ଛଅ ଫୁଟ ଉପରେ, ଆମେ ଟିକି ଉଚ୍ଚା ଗାଡି କିଣିବା। ହେଲେ ସେ ମନା କଲେ, କହିଲେ ଏହା ହେଉଛି ଓଡିଶା ଲୋକଙ୍କ ପଇସା। ଲୋକଙ୍କ ପଇସା ମୁ ବରବାଦ କରିବାକୁ ଚାହେଁ ନାହିଁ ବୋଲି ସେତେବେଳେ ମୁଖ୍ୟମନ୍ତ୍ରୀ କହିଥିବାର ଉପସ୍ଥିତ ଦର୍ଶକଙ୍କୁ ଜଣାଇଥିଲେ ପାଣ୍ଡିଆନ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ନିଷ୍ପତି ମୋତେ ଆଶ୍ଚର୍ଯ୍ୟ କରିଥିଲା ବୋଲି ପାଣ୍ଡିଆନ କହିଥିଲେ। ତାହା ହେଲା ପୁରୀ ସ୍ବର୍ଗଦ୍ବାରରୁ ବିଜୁବାବୁଙ୍କ ସମାଧୀକୁ ସ୍ଥାନାନ୍ତରିତ କରିବା ନିଷ୍ପତି। ସ୍ବର୍ଗଦ୍ବାର ବିକାଶରେ ବିଜୁବାବୁଙ୍କ ସମାଧୀ ସମସ୍ୟା ସୃଷ୍ଟି କରୁଛି ବୋଲି ମୁଖ୍ୟମନ୍ତ୍ରୀ ଜାଣିବା ପରେ ସେ ଏହାକୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଓଡିଶା ଲୋକଙ୍କ ପାଇଁ ନିଜ ବାପା ତଥା ଓଡିଶୀର ପ୍ରବାଦ ପୁରୁଷଙ୍କ ସମାଧୀ ପିଠକୁ ହଠାଇବା ନିଷ୍ପତି ସେତେବେଳେ ଆମକୁ ଆଶ୍ଚର୍ଯ୍ୟ କରିଥିଲା ବୋଲି ପାଣ୍ଡିଆନ କହିଥିଲେ।