Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ବୈରାଗ୍ୟ ବନାମ ସୋସିଆଲ ମିଡିଆ ଅନୁରାଗ, ଏକ ଭିନ୍ନ ଦୃଷ୍ଟି

କେଦାର ମିଶ୍ର

ଗତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ସବୁକୁ ଆସନ୍ତା ରବିବାର ଦିନ ବନ୍ଦ କରିଦେବାର ଇଚ୍ଛା ପ୍ରକଟ କଲେ, ସ୍ଵାଭାବିକ ଭାବରେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା। ମୋଦୀଙ୍କ ଭକ୍ତମାନେ ତାଙ୍କୁ ବ୍ୟାକୁଳ ହୋଇ “ଏମିତି କରନ୍ତୁ ନାହିଁ ସାର”  ବୋଲି ଅନୁରୋଧ କରିଥିବା ବେଳେ ବିରୋଧୀମାନେ ଏହାକୁ ନେଇ ଆଶଙ୍କା ପ୍ରକଟ କଲେ। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ କେବଳ ଏକ ହାଲୁକା ଟୁଇଟ ବୋଲି ଆମେ ଗ୍ରହଣ କରି ଭୁଲିଯିବା ଉଚିତ ହେବ କି? ଏହି ଟୁଇଟର ଅଳ୍ପ କେଇ ଘଣ୍ଟା ପରେ ପ୍ରଧାନମନ୍ତ୍ରୀ କହିଲେ ଯେ, ରବିବାର ଆନ୍ତର୍ଜାତିକ ମହିଳା ଦିବସ ପଡୁଥିବାରୁ ସେଦିନ ତାଙ୍କର ସୋସିଆଲ ମିଡିଆ ଏକାଉଣ୍ଟ ସବୁ ଉଲ୍ଲେଖନୀୟ ମହିଳାମାନଙ୍କ ପାଇଁ ନିବେଦିତ ରହିବ।

ଏହି ଦୁଇଟି ଯାକ ଟୁଇଟରେ କେବଳ ଲୋକଙ୍କୁ ଭୁଲାଇବାର ଓ ଆତ୍ମ ପ୍ରଚାରର ଉଦ୍ଦେଶ୍ୟ ବାରି ହୋଇପଡୁଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିତ୍ବ ମୂଳତଃ ସୋସିଆଲ ମିଡିଆକୁ ଆଧାର କରି ନିର୍ମାଣ ହୋଇଛି। ଯଦି ସୋସିଆଲ ମିଡିଆ ନଥାନ୍ତା, ତାହେଲେ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ କି ନାହିଁ, ସେ ଏକ ପ୍ରଶ୍ନବାଚୀ ହୋଇ ସବୁବେଳେ ରହିବ। ତେଣୁ ସୋସିଆଲ ମିଡିଆରୁ ମୋଦୀ ଦୂରେଇ ରହିବେ ବୋଲି ଭାବିବାର ସେମିତି କୌଣସି କାରଣ ବର୍ତ୍ତମାନ ନାହିଁ। ହେଲେ ସୋସିଆଲ ମିଡିଆର ଆଚରଣରେ ମୋଦୀ ଓ ତାଙ୍କ ଦଳ ବିଜେପି ଯେ ବିଶେଷ ଖୁସି ନୁହେଁ, ତାହା ଏହି ଘଟଣାରେ ସ୍ପଷ୍ଟ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ ତାଙ୍କ ଇଚ୍ଛା ବ୍ୟକ୍ତ କଳା କ୍ଷଣି ବିଜେପିର ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା କହିଲେ,  ଏ ସବୁ ସୋସିଆଲ ମିଡିଆ ଆଉ ଭରସାଯୋଗ୍ୟ ନୁହନ୍ତି। ଆମକୁ ଆମର ବିକଳ୍ପ ତିଆରି କରିବାକୁ ପଡିବ। ସରକାର ଓ ସରକାରୀ ଦଲପରତି ସମାଲୋଚନାକୁ ଗ୍ରହଣ କରିନେବାର ଗଣତାନ୍ତ୍ରିକ ମାନସିକତା ବିଜେପି ପାଖରେ କେବେ ନଥିଲା। ତେଣୁ, ଆଜି ଯେତେବେଳେ ସୋସିଆଲ ମିଡିଆରେ ମୁକ୍ତ ସମାଲୋଚନାର ଜୁଆର ଆସିଛି, ତାକୁ ନେଇ ବିଜେପି ଚିନ୍ତିତ ହେବା ସ୍ଵାଭାବିକ।

ତେବେ ପ୍ରଧାନମନ୍ତ୍ରୀ ତାଙ୍କର ସୋସିଆଲ ମିଡିଆ ପ୍ରତି ରହିଥିବା ବୈରାଗ୍ୟ ବିଷୟରେ ସୂଚନା ଦେବାକୁ ଯାଇ ଭିନ୍ନ କିଛି ଇଙ୍ଗିତ ଦେଇଛନ୍ତି କି? ଭବିଷ୍ୟତରେ ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲଗାଇବାକୁ ଏ ପ୍ରକାର ଘୋଷଣାକୁ ଏକ ପ୍ରକାର ପରୀକ୍ଷା ନୀରୀକ୍ଷା ବୋଲି ଆମେ କହି ପାରିବା କି? ୟୁପିଏ ସରକାରର ଅନ୍ତିମ ବର୍ଷରେ ଯେତେବେଳେ ସରକାର ପ୍ରତି ପ୍ରବଳ ସମାଲୋଚନା ବଢିବା ଆରମ୍ଭ ହେଲା, ସେତେବେଳେ ଏହା ଉପରେ ଅଙ୍କୁଶ ଲଗାଇବାକୁ ତତ୍କାଳୀନ ଟେଲି ଯୋଗାଯୋଗ ମନ୍ତ୍ରୀ କପିଲ ଶିବଲ ଉଦ୍ୟମ ଆରମ୍ଭ କରିଥିଲେ। ସେତେବେଳେ ଏହାକୁ ତୀବ୍ର ବିରୋଧ କରା ଯାଇଥିଲା। ତେବେ କଂଗ୍ରେସ ଅମଳରେ ବିରୋଧ କଲେ, ତାର କିଛି ଟା ପ୍ରଭାବ ସରକାର ଉପରେ ପଡୁଥିଲା। ବିଜେପି ସରକାର ବିରୋଧୀ ମତ ପ୍ରତି ପ୍ରଚଣ୍ଡ ଭାବରେ ଅସହିଷ୍ଣୁ। ଯଦି ସରକାର ସୋସିଆଲ ମିଡିଆ ଉପରେ ସତରେ ଅଙ୍କୁଶ ଲଗାଇବାର କିଛି ଯୋଜନା କରନ୍ତି, ତାହେଲେ ତାକୁ ବିରୋଧ କରିବା ସହଜ ହେବନାହିଁ।

ସୋସିଆଲ ମିଡିଆର “ଅସାମାଜିକ” ପ୍ରଭାବ ମଧ୍ୟ କିଛି କମ ନୁହେଁ। ସାମାଜିକ ବିଦ୍ଵେଷ, ଦଙ୍ଗା ଓ ବିଭାଜନ ସୃଷ୍ଟିରେ ସୋସିଆଲ ମିଡିଆର ଭୂମିକା କିଛି କମ ଭୟଙ୍କର ନୁହେଁ। ଏହାକୁ ଆଳ କରି ସରକାର ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲଗାଇବା କଥା ଚିନ୍ତା କରିପାରନ୍ତି। ଅନ୍ୟ ଦୃଷ୍ଟିରୁ ଦେଖିଲେ କାଶ୍ମୀରରେ ଯେଉଁ ପ୍ରକାର ସ୍ଥିତି ତିଆରି କରାଯାଇଛି, ସରକାର ବିରୋଧୀ କ୍ଷେତ୍ର ଗୁଡିକରେ ସେ ପ୍ରକାର ପରୀକ୍ଷା ଭବିଷ୍ୟତରେ କରା ଯାଇପାରେ। ନାଗରିକତା ସଂଶୋଧନ ଆଇନ ବିରୋଧରେ ଯେତେବେଳେ ଉତ୍ତର ପ୍ରଦେଶରେ ଆନ୍ଦୋଳନ ତୀବ୍ର ହୋଇଥିଲା, ସେଠାରେ ସାମୟିକ ଭାବରେ ଇଣ୍ଟରନେଟକୁ ନିଷିଦ୍ଧ କରା ଯାଇଥିଲା। ସରକାର ବିରୋଧୀ ସ୍ଵରକୁ ଚପାଇବାକୁ ସୋସିଆଲ ମିଡିଆକୁ ନିଷିଦ୍ଧ କରିବା ହେଉ ବା ଅଙ୍କୁଶ ଲଗାଇବାର ପ୍ରୟାସ ହେବା କିଛି ବିଚିତ୍ର ନୁହେଁ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ସୋସିଆଲ ମିଡିଆଠାରୁ ଦୂରତା ରକ୍ଷା କରିବା ବର୍ତ୍ତମାନ ପରିସ୍ଥିତିରେ ଆଦୌ ସହଜ କଥା ନୁହେଁ। ଲୋକଙ୍କ ସହିତ ଯୋଗାଯୋଗ ପାଇଁ ସୋସିଆଲ ମିଡିଆ ବ୍ୟତୀତ ତାଙ୍କର ଅନ୍ୟ ବିକଳ୍ପ ନାହିଁ। ମୁଖ୍ୟ ଧାରାର ଗଣମାଧ୍ୟମ ସହିତ ପ୍ରଧାନମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ କାର୍ୟାଳୟ କେବଳ ସୋସିଆଲ ମିଡିଆ ଜରିଆରେ ହିଁ ସମ୍ପର୍କ ରଖିଥାନ୍ତି। ମୋଦୀଙ୍କ ଶାସନ କାଳରେ ତାଙ୍କର କେହି ପ୍ରେସ ପରାମର୍ଶଦାତା ନାହାନ୍ତି। ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କ ପରି ମୋଦୀ ସିଧାସଳଖ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି ନାହିଁ। ତେଣୁ ସୋସିଆଲ ମିଡିଆ ଛଡା ଜନ ସମ୍ପର୍କ ର ଅନ୍ୟ ବିକଳ୍ପ ପ୍ରଧାନମନ୍ତ୍ରୀଙ୍କ ପାଖରେ ନାହିଁ।

ଆଗକୁ ସୋସିଆଲ ମିଡିଆ ପାଇଁ ମୋଦୀ ସରକାରର କିଛିଟା ସନ୍ଦେଶ ଯେ ରହିଛି, ଏହାର ବାସ୍ନା ଆମେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାରୁ ପାଉଛୁ ନିଶ୍ଚୟ। ତେବେ ସେହି ସନ୍ଦେଶଟି କଣ, ତାହା ସମୟ କ୍ରମେ ସ୍ପଷ୍ଟ ହେବ।

Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କେଜରିଓ୍ବାଲ ତୃତୀୟଥର ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ମୋଦିଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ୍‌କାର ହେବ। ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାକୁ ନେଇ କେଜରିଓ୍ବାଲ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି। ହିଂସାକୁ ନିୟନ୍ତ୍ରଣ କରିବାରେ ନିଷ୍କ୍ରିୟତା ପାଇଁ ଶାସକ ଆମ୍ ଆଦମୀ ପାର୍ଟି ଦିଲ୍ଲୀ ପୋଲିସକୁ ସମାଲୋଚନା କରିଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଦିଲ୍ଲୀରେ ଉପୁଜିଥିବା ଦଙ୍ଗାରେ ଏପର୍ଯ୍ୟନ୍ତ 47ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 200ରୁ ଉର୍ଦ୍ଧ୍ବ ଆହତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଶପଥ ଉତ୍ସବରେ ସାମିଲ୍‌ ହେବାକୁ ମୋଦିଙ୍କୁ ନିମନ୍ତ୍ରଣ କଲେ କେଜରୀଓ୍ବାଲ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଅରବିନ୍ଦ କେଜ୍‌ରୀଓ୍ବାଲ ଆସନ୍ତା 16 ତାରିଖ ଦିନ ଶପଥ ଗ୍ରହଣ କରିବେ। ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରୀଓ୍ବାଲ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ର ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ଅରବିନ୍ଦ କେଜରୀଓ୍ବାଲ। ଦିଲ୍ଲୀ ବିଧାନସଭାରେ ଆପ୍‌ର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରବିନ୍ଦ କେଜ୍‌ରୀଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରାମଲୀଲା ମୈଦାନରେ ଅରବିନ୍ଦ କେଜରୀଓଙ୍ବାଲ ନିଜ କ୍ୟାବିନେଟ୍‌ ସହିତ ଶପଥ ଗ୍ରହଣ କରିବେ। ଏହି ଅବସରର ଅରବିନ୍ଦ କେଜରୀଓ୍ବାଲ ଏକ ଅଡିଓ ମେସେଜ୍‌ ଜରିଆରେ ପୂରା ଦିଲ୍ଲୀବାସୀଙ୍କୁ ଏହି ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ଜଣାଇଛନ୍ତି। ସେହିପରି ଏହି ଉତ୍ସବ ସମାରୋହକୁ ଜଣେ ଖାସ୍‌ ଅତିଥି ଯୋଗ ଦେଉଛନ୍ତି। ଏହି ଖାସ୍‌ ଅତିଥି ଜଣକ ହେଉଛନ୍ତି କୁନି ମଫଲରମ୍ୟାନ୍‌। ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଦିନ ଛୋଟ ଶିଶୁ ଅରବିନ୍ଦଙ୍କ ଗେଟ୍‌ଅପ୍‌ରେ ଆସି ବେଶ୍‌ ଚର୍ଚ୍ଚାରେ ରହିଥିଲେ।

 

Categories
ଆଜିର ଖବର ଜାତୀୟ ଖବର

ଚଳିତ ମାସ ୨୪-୨୫ରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ଚଳିତ ମାସ ୨୪ ଓ ୨୫ ତାରିଖରେ ଭାରତ ଆସିବେ। ଏନେଇ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେବ । ଟ୍ରମ୍ପ୍‌ଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଓ ସହଭାଗିତା ବୃଦ୍ଧିରେ ସହାୟକ ହେବ ବୋଲି ଜଣାପଡିଛି ।  ଗତ ସେପ୍ଟେମ୍ବରରେ ଟେକ୍ସାସରେ ହାଓଡ଼ି ମୋଦି ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପ୍‌ଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଆସିବା ଚର୍ଚ୍ଚା ସହିତ ଗୁଜୁରାଟ ମଧ୍ୟ ଯିବେ ବୋଲି ଚର୍ଚ୍ଚା ରହିଛି । ଟ୍ରମ୍ପ୍‌ ଏହି ଗସ୍ତ କାଳରେ ଅହମ୍ମଦାବାଦ ସ୍ଥିତ ମୋଟେରା ଇଲାକାରେ ପ୍ରସ୍ତୁତ ହେଉଥିବା ସର୍ଦ୍ଦାର ପଟେଲ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ର ଊଦ୍‌ଘାଟନ କରିବା ନେଇ ମଧ୍ୟ ସୂଚନା ରହିଛି । ଏହା ସହିତ ମୋଦିଙ୍କ ‘ହାଉଡୀ ମୋଦି’ କାର୍ଯ୍ୟକ୍ରମ ପରି ଟ୍ରମ୍ପ୍‌ଙ୍କ ‘କେମଛୋ ଟ୍ରମ୍ପ୍‌’ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ସୂଚନା ରହିଛି ।

Categories
ବିଶେଷ ଖବର

ଅସତ୍ୟ ଭାଷଣରେ ଦେଶର ସମସ୍ୟା ଓ ସଙ୍କଟ ଦୂର ହୁଏନାହିଁ ପ୍ରଧାନମନ୍ତ୍ରୀ ମହୋଦୟ!!

କେଦାର ମିଶ୍ର 

ନରେନ୍ଦ୍ରଭାଇ ଦାମୋଦର ଦାସ ମୋଦୀ ଓରଫ ନରେନ୍ଦ୍ର ମୋଦୀ ଆମ ଦେଶର ପ୍ରଧାନମନ୍ତ୍ରୀ ପଦରେ ବସିଲା ପରେ ଅନେକ ନୂଆ କଥା ଆମର ରାଜନୀତିରେ ଘଟିଛି। ସତୁରୀ ବର୍ଷର ଗାଣତାନ୍ତ୍ରିକ ରାଜନୀତିରେ ଆମେ ଯାହା ଯାହା ସବୁ କଳ୍ପନା ମଧ୍ୟ କରିନଥିଲୁ, ସେସବୁ ଏବେ ସତକୁ ସତ ଘଟି ଚାଲିଛି! ଭାରତୀୟ ରାଜନୀତିରେ ଘଟୁଥିବା ବହୁ ବିଚିତ୍ର ଓ ଅଭୂତପୂର୍ବ ଘଟନା ଭିତରୁ ଗୋଟିଏ ହେଉଛି, ପ୍ରଧାନମନ୍ତ୍ରୀଙ୍କ ନିଜସ୍ଵ ଭାଷଣ। ଏ ଦେଶର କୌଣସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଭାଷଣ ଦେଉନଥିଲେ। ଏହାର ଅର୍ଥ ଏୟା ନୁହଁ ଯେ ଆମର ବାଗ୍ମୀ ପ୍ରଧାନମନ୍ତ୍ରୀ ନଥିଲେ। ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଥିଲେ ତାଙ୍କ ସମୟର ଅନ୍ୟତମ ଶ୍ରେଷ୍ଠ ବକ୍ତା। ପଣ୍ଡିତଜୀଙ୍କର ବକ୍ତବ୍ୟ ରେ ବୌଦ୍ଧିକତା ଯେତିକି ଥିଲା, ଭାରତର ସାଧାରଣ ଜନତାର ଅନୁଭବ ପ୍ରତି ସମ୍ମାନବୋଧ ମଧ୍ୟ ସେତିକି ଥିଲା। ନେହେରୁଙ୍କ ପରେ ପ୍ରାୟ ସବୁ ପ୍ରଧାନମନ୍ତ୍ରୀ ନିଜ ପଦର ଗରିମା ଅନୁଯାୟୀ ଭାଷଣ ଦେଇଛନ୍ତି। ଲୋକଙ୍କୁ ଉଦବୁଦ୍ଧ କରିଛନ୍ତି। ହେଲେ ମୋଦୀଙ୍କ ଭାଷଣ ନିଆରା। ସେ ଅନ୍ୟ ପ୍ରଧାନମନ୍ତ୍ରୀଙ୍କଠୁ ଅଲଗା କାରଣ ସେ ନିଜ ଭାଷଣରେ କିଛି ବି କହିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଯେ ସତ୍ୟନିଷ୍ଠ ଓ ତଥ୍ୟନିଷ୍ଠ ହେବା ଉଚିତ, ଏକଥା ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଆଉ କେହି ଆଶା କରୁନାହାନ୍ତି।

ମୋଦୀଙ୍କର ବହୁ ଭାଷଣ ରହିଛି, ଯେଉଁଥିରେ ଶହ ଶହ ତଥ୍ୟଗତ ତୃଟି ବାହାର କରିହେବ। ଆମେ ସେସବୁକୁ ନଯାଇ ଗତକାଲି ସଂସଦରେ ସେ ଦେଇଥିବା  ଭାଷଣର ତର୍ଜମା କରିବା। ଦେଶର ପ୍ରଧାନମନ୍ତ୍ରୀ ଯେତେବେଳେ ସଂସଦରେ ନିଜର ବକ୍ତବ୍ୟ ରଖନ୍ତି, ସେଥିରେ ସତ୍ୟ ଓ ତଥ୍ୟର ସମାବେଶ ରହିବା ଉଚିତ। ଦେଶ ଯେତେବେଳେ ଏକ ଭୟଙ୍କର ବିଭାଜନ ଓ ପ୍ରତିବାଦର ଅଗ୍ନି ପରୀକ୍ଷା ଦେଇ ଗତି କରୁଛି, ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଅନେକ କଥାର ସମାଧାନ କରି ପାରିଥାନ୍ତା।ହେଲେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ସେମିତି କିଛି ଆଶ୍ଵାସନା ନଥିଲା। ସେଇ ଚିରାଚରିତ ଆକ୍ରାମକ ଶୈଳୀ ଓ ବିରୋଧୀଙ୍କ ପ୍ରତି ଉଗ୍ର ଆଚରଣ। ସତେକି ବିରୋଧୀଙ୍କୁ ଛିଗୁଲାଇଲେ ଏ ଦେଶର ସବୁ ସମସ୍ୟାର ସମାଧାନ ହୋଇଯିବ। ତାରି ଭିତରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁଙ୍କୁ ସମାଲୋଚନା କରିବାକୁ ଭୁଲିନାହାନ୍ତି। କୁଆଡେ ନେହେରୁ ପ୍ରଧାନମନ୍ତ୍ରୀ ହେବେ ବୋଲି ଏ ଦେଶର ବିଭାଜନ ହେଲା! ଅସତ୍ୟ ଓ ଐତିହାସିକ ମିଥ୍ୟାର ଏହା ଏକ ସରଳ ଦୃଷ୍ଟାନ୍ତ।

ସଂସଦରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ କହିଲେ “ ଏ ଦେଶରେ ଆଜି ଅନେକ କିଛି ବଦଳି ଯାଇଛି“ । ଏ ଘୋଷଣା ବି ଅଦ୍ଭୁତ। ଭାରତକୁ ଦୁର୍ନୀତିମୁକ୍ତ ଦେଶ ବୋଲି ପ୍ରମାଣପତ୍ର କିଏ ଓ କେମିତି ଦେଇଛି ଆମେ ଜାଣିନୁ। ହେଲେ ମୋଦୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏ ଦେଶରେ ସବୁଠୁ ବଡ ବ୍ୟାଙ୍କ ଘୋଟାଲା ହୋଇଛି। ଆଗରୁ ଯେଉଁମାନେ ଦୁର୍ନୀତି କରୁଥିଲେ ସେମାନେ ବନ୍ଧା ହେଉଥିଲେ। ଆମେ ମନମୋହନ ସିଂଙ୍କ ସମୟରେ ଦେଖିଛୁ, ଦେଶର ବହୁ କ୍ଷମତାଶାଳୀ ନେତା ଓ ମନ୍ତ୍ରୀ ଜେଲ ଯାଇଥିଲେ। ହେଲେ ମୋଦୀଙ୍କ ସମୟରେ ଦୁର୍ନୀତି କରି ଓ ଲୋକଙ୍କ ଟଙ୍କା ଆତ୍ମସାତ କରି ଲୋକ ବିଦେଶରେ ଯାଇ ଅୟସ କରୁଛନ୍ତି। ଯେମିତି କି-

  • ଲଳିତ ମୋଦୀ, ଆଇପିଏଲ ଘୋଟାଲାରେ ସଂପୃକ୍ତ ଏହାଙ୍କର କୌଣସି ଖୋଜ ଖବର ଏବେ ମିଳୁନାହିଁ।
  • ବିଜୟ ମାଲ୍ୟା, ବିଜେପି ସହାୟତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ମାଲ୍ୟା ବଡ ଆନନ୍ଦରେ ଦେଶ ଛାଡି ଲଣ୍ଡନ ପଳାଇଲେ। ପନ୍ଦର ହଜାର କୋଟି ଟଙ୍କା ଏ ଦେଶର ପାଣିରେ ପଡିଲା।
  • ମେହୁଲ ଚୋକସି, ୟାଙ୍କୁ ପ୍ରଧାନମନ୍ତ୍ରୀ ସର୍ବ ସାଧାରଣରେ ମେହୁଲ ଭାଇ ବୋଲି ସମ୍ବୋଧନ କରୁଥିଲେ। ଏ ବାବୁ ଏବେ ଆଣ୍ଟିଗୁଆ ରେ ନାଗରିକତ୍ଵ ଗ୍ରହଣ କରି ଆନନ୍ଦରେ ଅଛନ୍ତି।
  • ନୀରବ ମୋଦୀ, ଦେଶର ଟଙ୍କା ଖାଇ ଫେରାର ହେବା ଆଗରୁ ଯେ ପ୍ରଧାନମନ୍ତ୍ରୀଙ୍କ ସହିତ ଦାଭୋସ ରେ ବଢିଆ ଫଟୋ ଉଠାଇଥିଲେ।
  • ଦ୍ବାରିକାଦାସ ସେଠ ଓ ପରିବାର- ଏମାନେ କେବେ ଦେଶର ଟଙ୍କା ଖାଇ ଦେଶ ଛାଡି ଚାଲିଗଲେ, କେହି ତାର ଖବର ପାଇଲେ ନାହିଁ।
  • ଚନ୍ଦା କୋଚର ଓ ପରିବାର, ଆଇସିଆଇସିଆଇ ବ୍ୟାଙ୍କର ମୁଖିଆ ଥିବା ଚନ୍ଦା କୋଚର ଓ ତାଙ୍କ ସ୍ଵାମୀ ବ୍ୟାଙ୍କକୁ ଖୋଳ କରି ଚାଲିଥିବା ବେଳେ ଆଜି ମଧ୍ୟ ଅର୍ଥମନ୍ତ୍ରୀ ଏହାଙ୍କ ରକ୍ଷା କବଚ ହୋଇ ଛିଡା ହୋଇଛନ୍ତି।

ତଥାପି ପ୍ରଧାନମନ୍ତ୍ରୀ ଯଦି କହୁଛନ୍ତି ସେ ଏ ଦେଶରୁ ଭ୍ରଷ୍ଟାଚାର ଦୂର କରିଦେଲେ, ତାହେଲେ ତାର ବିଚାର ଏ ଦେଶର ଜଣ ସାଧାରଣ କରିବେ। କିନ୍ତୁ ପ୍ରଧାନମନ୍ତ୍ରୀ ପଦ ଓ ମର୍ୟାଦା  ଦୃଷ୍ଟିରୁ ସତ୍ୟ ନିଷ୍ଠା ଓ ତଥ୍ୟ ନିଷ୍ଠା ତାଙ୍କ ଭାଷଣର ଆଧାର ହେଉ ବୋଲି ଆମେ ଆଜି ବି ପ୍ରାର୍ଥନା କରୁଛୁ!!ମିଛ ଭାଷଣରେ ଦେଶ ସମସ୍ୟାର ସମାଧାନ କରି ହୁଏନାହିଁ।

Categories
ଆଜିର ଖବର ଜାତୀୟ ଖବର

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା : ସିଏଏ କୌଣସି ଭାରତୀୟ ନାଗରିକଙ୍କୁ ପ୍ରଭାବିତ କରିବ ନାହିଁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ବିବୃତ୍ତି ରଖିଛନ୍ତି ।ନାଗରିକତା ସଂଶୋଧନ ଆଇନ ସଂକ୍ରାନ୍ତରେ ବିସ୍ତୃତ ବିବୃତ୍ତି ରଖି ପ୍ରଧାନମନ୍ତ୍ରୀ ଗୃହକୁ ଆଶ୍ୱାସନା ଦେଇଥିଲେ ଯେ ଏହି ଆଇନ ଦ୍ୱାରା କେହି ଜଣେ ହେଲେ ଭାରତୀୟ ନାଗରିକ ପ୍ରଭାବିତ ହେବେ ନାହିଁ ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ପୂର୍ବ ସରକାରଗୁଡ଼ିକର କାର୍ଯ୍ୟ ପ୍ରକ୍ରିୟା ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁମାନେ ଏହି ସମାନ ମାର୍ଗରେ ହିଁ ଚାଲିଥିଲେ । ମୋଦୀ କହିଥିଲେ ଯେ, ପଡ଼ୋଶୀ ଦେଶରେ ଉତ୍ପୀଡ଼ନର ଶିକାର ହେଉଥିବା ଶରଣାର୍ଥୀମାନଙ୍କୁ ଭାରତରେ ଆଶ୍ରୟ ଦେବା ପାଇଁ ଆବଶ୍ୟକ ହେଲେ ଆଇନରେ ସଂଶୋଧନ ଆଣିବା ଲାଗି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ମଧ୍ୟ ଚାହୁଁଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେତେକ ରାଜନୈତିକ ଦଳ ଭାରତକୁ ଭାଗ ଭାଗ କରିବା ଲାଗି ପାକିସ୍ତାନର ଏଜେଣ୍ଡାକୁ ଆଗେଇ ନେବାର କାର୍ଯ୍ୟ କରୁଛନ୍ତି । ସିଏଏ କୌଣସି ଭାରତୀୟ ନାଗରିକଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ସେ ଲୋକସଭାରେ ଆଶ୍ୱାସନା ଦେଇଥିଲେ । ସିଏଏ ଲାଗୁ ହେବା ଦ୍ୱାରା ଧର୍ମ, ବିଶ୍ୱାସ ନିର୍ବିଶେଷରେ ଭାରତର କେହି ଜଣେ ହେଲେ ନାଗରିକ ପ୍ରଭାବିତ ହେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ମୋଦିଙ୍କୁ ଜବାବ ଦେଲେ ରାହୁଲ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକସଭାରେ ଭାଷଣ ଦେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ, ଏବେ ରାହୁଲ୍‌ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜବାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଉଛନ୍ତି ବୋଲି କହିଛନ୍ତି ରାହୁଲ୍‌ । କଂଗ୍ରେସ କଥା କହୁଛନ୍ତି, ଜବାହରଲାଲ ନେହେରୁଙ୍କ କଥା କହୁଛନ୍ତି, ପାକିସ୍ତାନର କଥା କହୁଛନ୍ତି କିନ୍ତୁ  ପ୍ରଧାନମନ୍ତ୍ରୀ ଦେଶର ମୁଖ୍ୟ ପ୍ରସଙ୍ଗ ବିଷୟରେ କିଛି କହୁନାହାନ୍ତି ବୋଲି ଯୁକ୍ତି ବାଢିଛନ୍ତି ରାହୁଲ୍‌ । ରାହୁଲ୍‌ କହିଛନ୍ତି ଯେ, ଏବେ ଦେଶର ମୁଖ୍ୟ ସମସ୍ୟା ହେଉଛି ରୋଜଗାର । ଦେଢ ଘଣ୍ଟାର ଲମ୍ବା ଚଉଡା ଭାଷଣରେ ରୋଜଗାର ସମ୍ପର୍କରେ ଗୋଟିଏ ବି ଶବ୍ଦ ବି ପ୍ରଧାନମନ୍ତ୍ରୀ କହିନାହାନ୍ତି । ରାଷ୍ଟ୍ରପତି ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚାର ଜବାବ ଦେଇ ମୋଦି ଲୋକସଭାରେ କଂଗ୍ରେସକୁ କଟାକ୍ଷ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ରାଲିକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ରହିଛି ମାତ୍ର ଚାରି ଦିନ। ସମସ୍ତ ରାଜନୈତିକ ଦଳମାନେ ଜୋରସୋର୍‌ରେ ପ୍ରଚାର ପ୍ରସାର କରୁଥିବାବେଳେ ବିଜେପିର ମଧ୍ୟ ଦଳୀୟ ତୁଙ୍ଗ ନେତୃବୃନ୍ଦମାନେ ତୁଫାନୀ ଗସ୍ତ କରି ଆକ୍ରମକ ପ୍ରଚାରରେ ଲାଗିପଡିଛନ୍ତି। ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ତରଫରୁ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି। ସେ କଡ଼କଡ଼ଡୁମାର ସିବିଡି ପଡ଼ିଆରେ ନିର୍ବାଚନ ରାଲିକୁ ସମ୍ବୋଧନ କରିବେ। ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ମୋଦୀଙ୍କ ପ୍ରଥମ ପ୍ରଚାର ରାଲି। ଦିଲ୍ଲୀ ଓ ଉତ୍ତର ପୂର୍ବ ଲୋକସଭା ଅନ୍ତର୍ଗତ ଲୋକସଭାର ପ୍ରାୟ ୨୦ଟି ବିଧାନସଭାର ପ୍ରାର୍ଥୀ ଏହି ରାଲିରେ ଉପସ୍ଥିତ ରହିବେ।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ ରାଲି ଫେବୃଆରୀ ୪ରେ ପଶ୍ଚିମ ଦିଲ୍ଲୀର ଦ୍ୱାରକାରେ ଅନୁଷ୍ଠିତ ହେବ । ଦିଲ୍ଲୀରେ ୨୦ରୁ ଅଧିକ ଷ୍ଟାର ପ୍ରଚାରକଙ୍କୁ ନିୟୋଜିତ କରିଛି। ରବିବାର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନ୍ୟାନ୍ୟ ମୁଖ୍ୟ ନେତୃବୃନ୍ଦମାନେ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ମୋଦିଙ୍କ ହିନ୍ଦୁତ୍ବବାଦୀ ଚିନ୍ତାଧାରାକୁ ଆମେରିକୀୟ ଶିଳ୍ପପତିଙ୍କ ସମାଲୋଚନା

ଡାଭୋସ୍‌ : ସ୍ବିଜରଲ୍ୟାଣ୍ଡର ଡାଭୋସ୍‌ରେ ଅନୁଷ୍ଠିତ ବିଶ୍ବ ଅର୍ଥନୈତିକ ସମ୍ମିଳନୀରେ ଆମେରିକୀୟ ଶିଳ୍ପପତି ଜର୍ଜ ସୋରୋସ୍‌ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି । ମୋଦିଙ୍କ ଉଗ୍ର ହିନ୍ଦୁତ୍ବବାଦୀ ଚିନ୍ତାଧାରାକୁ ସୋରୋସ୍‌ ସମାଲୋଚନା କରିଛନ୍ତି । ସେହିପରି ସମଗ୍ର ବିଶ୍ବରେ ଦକ୍ଷିଣପନ୍ଥୀ ରାଜନୈତିକ ଦଳ ମାନଙ୍କର ବର୍ଦ୍ଧିତ ପ୍ରଭାବ ନେଇ ମଧ୍ୟ ସୋରୋସ୍‌ ଚିନ୍ତା ବ୍ୟକ୍ତ କରିଥିଲେ । ସେହିପରି ବିଭିନ୍ନ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମର ଅପବ୍ୟବହାର ନେଇ ସୋରୋସ୍‌ ମତ ରଖିଥିଲେ । ଭାରତରେ ରାଜନୈତିକ ଫାଇଦା ପାଇଁ ଫେସ୍‌ବୁକ୍‌ର ବ୍ୟବହାର କରାଯାଉଛି ବୋଲି ସୋରସ୍‌ କହିଥିଲେ । କାଶ୍ମୀରରୁ ଧାରା 370 ଉଚ୍ଛେଦ ଏବଂ ବର୍ତ୍ତମାନ ସିଏଏ ଲାଗୁ କରାଯାଇ ମୁସଲିମ ମାନଙ୍କର ନାଗରିକତ୍ବ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି ବୋଲି ସୋରୋସ୍‌ କହିଛନ୍ତି ।

Categories
ଆଜିର ଖବର ଖେଳ ଜାତୀୟ ଖବର

ପରୀକ୍ଷା ପେ ଚର୍ଚ୍ଚା ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅନୀଲ କୁମ୍ବଲେ

ନୂଆଦିଲ୍ଲୀ : ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅନୀଲ କୁମ୍ବଲେ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ଦୁଇ ଦିନ ପରେ କୁମ୍ବଲେ ମୋଦିଙ୍କୁ ଟ୍ବିଟ୍ଟର ଜରିଆରେ ଧନ୍ୟବାଦ ଜଣାଇଛନ୍ତି । ମୋଦି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସମୟରେ ହନୁହାଡ ଭାଙ୍ଗିଥିବା ସତ୍ତ୍ବେ କୁମ୍ବଲେ ବୋଲିଂ କରିଥିବା ଘଟଣାର ଉଦାହରଣ ଦେଇଥିଲେ । ଏକ ଟ୍ବିଟ୍‌ କରି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପରୀକ୍ଷା ପେ ଚର୍ଚ୍ଚାରେ ତାଙ୍କ ନାମ ନେଇଥିବାରୁ କୁମ୍ବଲେ ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, 2002ରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଆଣ୍ଟିଗୁଆ ଟେଷ୍ଟରେ କୁମ୍ବଲେ ମୁଣ୍ଡରେ ପଟି ବାନ୍ଧି 14 ଓଭର ବୋଲିଂ କରିବା ସହିତ ବ୍ରାଏନ୍‌ ଲାରାଙ୍କ ଓ୍ବିକେଟ ଦଖଲ କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଏନ୍‌ଆରସିକୁ ନେଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ମଧ୍ୟରେ ଚାଲିଛି ବିବାଦ : ଭୂପେଶ ବଘେଲ

ଛତିଶଗଡ଼ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର୍‌) ଲାଗୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା କହିଛନ୍ତି। ରାୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଘେଲା ଏଭଳି ମନ୍ତବ୍ୟ ଦେଇଛନ୍ତି। ମୋଦି ଏନ୍‌ଆର୍‌ସି ଲାଗୁ ନ କରିବାକୁ କହୁଥିବାବେଳେ ଗୃହମନ୍ତ୍ରୀ ଅମିତ୍‌ ଶାହା ଏହାକୁ ସିଏଏର ଅଂଶ ବିଶେଷ ବୋଲି କହୁଛନ୍ତି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଏପରି ବିବାଦ ପାଇଁ ସାଧାରଣ ଲୋକେ ପେଶି ହେଉଛନ୍ତି । ଆଜି ଦେଶରେ ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାର ରହିଥିବାବେଳେ ଏହାର ଚର୍ଚ୍ଚା ନାହିଁ । ଚର୍ଚ୍ଚା ତ କେବଳ ନାଗରିକତାର ହେଉଛି । ବଘେଲ ଆହୁରି ମଧ୍ୟ କହିଛନ୍ତି ଯେ, ଛତିଶଗଡ଼ରେ ଗରିବ ରେଖା ତଳେ ରହୁଥିବା ଲୋକକଙ୍କ ସଂଖ୍ୟା ସର୍ବାଧିକ । ଏମାନଙ୍କ ପାଖରେ ଜମି ନାହିଁ, ଏମାନେ ସ୍କୁଲ ମଧ୍ୟ ଯାଇନାହାନ୍ତି । ଏମାନେ ନିଜକୁ କିପରି ଭାରତୀୟ ନାଗରିକ ବୋଲି ପ୍ରମାଣ କରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସାମରେ ଏନ୍‌ଆରସି ଲାଗୁ ହେଲା ସେଠାରେ ଲୋକେ ବହୁତ ହଇରାଣ ହେଲେ । ସେହିପରି ଫୁଲ୍‌ଓ୍ବାମା ଆକ୍ରମଣ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଏହି ଘଟଣା ପାଇଁ ଦାୟୀ କିଏ ? (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କନୌଜଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨୦ ମୃତ, ୨୧ ଆହତ, ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି ଓ ଯୋଗୀ

କନୌଜ : ଉତ୍ତରପ୍ରଦେଶ କନୌଜଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨୦ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୧ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଯାତ୍ରୀବସ କନୌଜର ଗୁରସହାୟଗଞ୍ଜ ଠାରୁ ଜୟପୁର ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ଏହି ଘଟଣା ଘଟିବା ପରେ ବସ ଜଳିବାକୁ ଲାଗିଥିଲା । ଏହି ବସରେ ପାଖାପାଖି ୪୩ ଜଣ ଯାତ୍ରୀ ଥିଲେ । ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିବା ବେଳେ ଆହତମାନଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଓ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସେହିପରି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

ଶିଳ୍ପପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଦେଶର ଅର୍ଥନୈତିକ ମାନ୍ଦାବସ୍ଥାର ମୁକାବିଲା କରିବା ପାଇଁ ଶିଳ୍ପପତି ମାନଙ୍କକୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଜେଟ୍‌ ଅଧିବେଶନ ନିକଟତର ହେଉଥିବାରୁ ଏହି ଆଲୋଚନାରେ ନୂତନ ନିଯୁକ୍ତି ସୃଷ୍ଟି କରିବା ଏବଂ ଅର୍ଥନୈତିକ ବ୍ୟବସ୍ଥାକୁ ସୁଧାରିବା ଉପରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସୋମବାର ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରିଲାଏନ୍ସ ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ, ଟାଟା ସନ୍ସର ରତନ ଟାଟା, ମହିନ୍ଦ୍ରା ଗ୍ରୁପ୍‌ ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା, ଭାରତୀ ଏୟାରଟେଲ ମୁଖ୍ୟ ସୁନୀଲ ଭାରତୀ ମିତ୍ତଲ ଏବଂ ଗୌତମ ଅଦାନୀ ଏହି ବୈଠକରେ ଉପସ୍ଥିତ ଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ନୂତନ ଭାରତ ନିର୍ମାଣରେ ବିଜ୍ଞାନର ଭୂମିକା ଗୁରୁତ୍ବପୂର୍ଣ୍ଣ : ନରେନ୍ଦ୍ର ମୋଦି

ବେଙ୍ଗାଲୁରୁ, 03/01 : ବେଙ୍ଗାଲୁରୁରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ କଂଗ୍ରେସ ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂତନ ଭାରତ ନିର୍ମାଣରେ ବିଜ୍ଞାନର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ମୋଦି କହିଛନ୍ତି । ନୂତନ ଉଦ୍ଭାବନ କରିବା ସହିତ ଯୁବ ବୈଜ୍ଞାନିକ ମାନେ ଦେଶକୁ ପ୍ରଗତିର ରାସ୍ତାରେ ନେବା ଉଚିତ୍‌ ବୋଲି ଯୁବ ବୈଜ୍ଞାନିକ ମାନଙ୍କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ମୋଦି । ନବବର୍ଷର ଆରମ୍ଭରେ ଅନୁଷ୍ଠିତ ବିଜ୍ଞାନ କଂଗ୍ରେସକୁ ମୋଦି ପ୍ରଶଂସା କରିବା ସହିତ ବିଜ୍ଞାନ, ବୈଷୟିକ କୌଶଳ ଏବଂ ଉଦ୍ଭାବନରେ ଏହାର ଅବଦାନ ଅନନ୍ୟ ବୋଲି ଅଭିହିତ କରିଥିଲେ । ଏହା ସହିତ ବୈଜ୍ଞାନିକ ଉଦ୍ଭାବନରେ ଭାରତର ମାନ ବୃଦ୍ଧି ନେଇ ମଧ୍ୟ ମୋଦି ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ମାନକରେ ଭାରତ ପୂର୍ବରୁ 57 ତମ ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ଏହା 52 ତମ ସ୍ଥାନରେ ପହଞ୍ଚିଛି । (ଏଜେନ୍ସୀ)

Categories
ଆଜିର ଖବର

ସରକାରଙ୍କୁ ମିଳିଲା ଉଦ୍ଧବଙ୍କ ସାଥ୍‌ : ପ୍ରଧାନମନ୍ତ୍ରୀଙ୍କ ଉପରେ ଭରସା ରହିଛି

ମୁମ୍ବାଇ, 25/12: ନାଗରିକତା ସଂଶୋଧନ ଆଇନ ଓ ଏନ୍‌ଆରସିକୁ ନେଇ ବିରୋଧୀ  ସରକାରଙ୍କୁ ଘେରିଥିବାବେଳେ ସେହିପରି ବିଜେପିର କିଛି ସହଯୋଗୀ ଦଳ ମଧ୍ୟ ବିରୋଧ କରିଛନ୍ତି । ଇତିମଧ୍ୟରେ ଶିବସେନା ପୁଣିଥରେ ସରକାରଙ୍କୁ ସମର୍ଥନ କରିବାର ନଜର ଆସିଛି । ଶିବସେନାର ମୁଖ୍ୟ ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ, ରାମଲୀଲା ମଇଦାନରେ ପ୍ରଧାନମନ୍ତ୍ରୀ ଦେଇଥିବା ବୟାନ ଉପରେ ତାଙ୍କର ଭରସା ରହୈିଛି ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମୁସଲମାନ ନେତାଙ୍କ ସହିତ ସାକ୍ଷାତ କରି ବୟାନ ଦେଇ କହିଛନ୍ତି ଯେ, ମୋତେ ପ୍ରଧାନମନ୍ତ୍ରୀଙ୍କ କଥା ଉପରେ ଭରସା ଅଛି । ରାମଲୀଲା ମଇଦାନରେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ ଶିବସେନା ଭରସା କରିଥିବାର କହିଛନ୍ତି ଉଦ୍ଧବ । ମୁସଲମାନ ନେତାଙ୍କ ସାକ୍ଷାତ ସମୟରେ ଉଦ୍ଧବଙ୍କ ସହିତ ସମାଜବାଦୀ ପାର୍ଟିର ନେତା ଅବୁ ଆଜ୍‌ମୀ ମଧ୍ୟ ସାମିଲ୍‌ ରହିଥିଲେ ।

ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ଦେଶର ବିଭିନ୍ନ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ତେବେ ଗୃହମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି ଯେ, ନ୍ୟାସନାଲ୍‌ ପପୁଲେସନ୍‌ ରେଜିଷ୍‌ଟାର୍‌ (ଏନ୍‌ପିଆର) ଓ ଏନ୍‌ଆରସି ମଧ୍ୟରେ ଫରକ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲୀଲା ମଇଦାନରେ ତାଙ୍କର ସରକାର ଏବେ ଏନ୍‌ଆରସିକୁ ନେଇ କୌଣସି ଆଲୋଚନା କରିନଥିବାର କହିଥିଲେ । (ଏଜେନ୍ସି)

Categories
ଆଜିର ଖବର

ଡିସେମ୍ବର 25ରେ ଅଟଳଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ ମୋଦି

ଲକ୍ଷ୍ନୌ,21/12 : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଜପେୟୀଙ୍କ ଜନ୍ମଜୟନ୍ତୀରେ ଆସନ୍ତା ଡିସେମ୍ବର 25 ତାରିଖରେ ଲକ୍ଷ୍ନୌରେ ମୋଦି ଏହି ପ୍ରତିମୂର୍ତ୍ତିର ଅନାବରଣ କରିବେ । ବାଜପେୟୀଙ୍କ ଜନ୍ମଜୟନ୍ତୀ ପାଇଁ ଲକ୍ଷ୍ନୌରେ ତିନି ଦିନିଆ ଉତ୍ସବ ପାଳନ ହେଉଛି । ଡିସେମ୍ବର 23 ତାରିଖରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଲୋକ ଭବନରେ ପ୍ରତିମୂର୍ତ୍ତି ଅନାବରଣ କରିବେ । ଏହା ସହିତ ଅଟଳ ବିହାରୀ ବାଜପେୟୀ ମେଡିକାଲ ବିଶ୍ବବିଦ୍ୟାଳୟ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି । (ଏଜେନ୍ସୀ)

Categories
ବିଶେଷ ଖବର

ବୁଡି ଯାଉଥିବା ଅର୍ଥନୀତି ଓ ଏକ ଘୋର ସନ୍ଦେହୀ ସରକାର ପାଇଁ ଡକ୍ଟର ମନମୋହନ ସିଂଙ୍କର ଉପଦେଶ 

କେଦାର ମିଶ୍ର 

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯେତେବେଳେ କିଛି କହନ୍ତି ବା ଲେଖନ୍ତି, ତାର ଏକ ଭିନ୍ନ ପ୍ରଭାବ ରହିଥାଏ। ଡକ୍ଟର ସିଂ କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ବା ଅର୍ଥମନ୍ତ୍ରୀ ନୁହନ୍ତି, ସେ ପୃଥିବୀର ଜଣେ ବିଖ୍ୟାତ ଅର୍ଥନୀତି ବିଷାରଦ ଓ ତାଙ୍କର ଅର୍ଥନୈତିକ ପ୍ରଜ୍ଞା ଆଗରେ ଅନେକ ବଡ ବଡ ବିଦ୍ଵାନ ମୁଣ୍ଡ ନୁଆଁଇଥାନ୍ତି। ହେଲେ ଆଜିର ସମୟରେ ରାଜନୀତି ଆମର ଏତେ ଭୟଙ୍କର ମାନସିକ ରୋଗଗ୍ରସ୍ତ ଯେ ସେଠାରେ ଜ୍ଞାନୀ ଲୋକେ କିଛି କହିବା ଆଗରୁ ହଜାରଥର ଚିନ୍ତା କରିବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ଦେଶରେ ଏକ ଟ୍ରୋଲ ସରକାର ଚାଲିଛି, ତେଣୁ ବିତର୍କ ଅପେକ୍ଷା କୁତ୍ସାରଟନା ଓ ଅପମାନିତ କରିବାର ଦୃଷ୍ଟିଭଙ୍ଗୀ ନେଇ ମନମୋହନ ସିଂଙ୍କ ଲେଖାର ଆକଳନ ଏ ସରକାର କରିବ। ତେଣୁ ଡକ୍ଟର ସିଂ ତାଙ୍କ ଲେଖାର ଆରମ୍ବରୁ ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ଲେଖାଟିକୁ ଜଣେ ବିରୋଧୀ ନେତା ଭାବରେ ନୁହଁ, ବରଂ ଜଣେ ସାଧାରଣ ନାଗରିକ ଓ ଅର୍ଥନୀତିର ଛାତ୍ର ଭାବରେ ଲେଖିଛନ୍ତି। ତେଣୁ ଦେଶର ଅର୍ଥନୀତି ଆଜି ଯେତେବେଳେ ସଙ୍କଟଜନକ ପରିସ୍ଥିତିରେ ରହିଛି, ସେତେବେଳେ ସରକାର ମନମୋହନ ସିଂଙ୍କ କଥା ଶୁଣିବେ କି?

ତେବେ କଣ କହିଛନ୍ତି ମନମୋହନ ସିଂ? ଗତକାଲି ପ୍ରସିଦ୍ଧ ଇଂରାଜୀ ସଂବାଦପତ୍ର “ଦି ହିନ୍ଦୁ”ର  ସଂପାଦକୀୟ ପୃଷ୍ଠାରେ ଡକ୍ଟର ସିଂଙ୍କ ଲେଖାର ଶୀର୍ଷକ ରହିଛି- “ଭାରତୀୟ ଅର୍ଥନୈତିକ ଦୁର୍ଗତିର ମୂଳ ଉତ୍ସ”। ଆଜିର ତାରିଖରେ ଗତ ୧୫ ବର୍ଷ ଭିତରେ ସବୁଠୁ କମ ଅଭିବୃଦ୍ଧି, ୪୫ ବର୍ଷରେ ସବୁଠୁ ଅଧିକ ବେକାରି, ୪୦ ବର୍ଷରେ ସବୁଠୁ କମ ଖର୍ଚ୍ଚ କରିବାର କ୍ଷମତା, ୧୫ ବର୍ଷରେ ସବୁଠୁ କମ ବିଦ୍ୟୁତ ଉତ୍ପାଦନ ଭଳି ସୂଚନା, ଆମର ଅର୍ଥନୈତିକ ଦୁରବସ୍ଥାର ସୂଚନା ଦେଉଛି। ସରକାର ଉପରେ ଦୋଷ ଲଦିବା ଅପେକ୍ଷା ଦୋଷ ଲଦି ଖସିଯିବାର ପ୍ରବଣତାରୁ ସରକାର ମୁକ୍ତ ରୁହନ୍ତୁ ବୋଲି ଶ୍ରୀ ସିଂ କହିଛନ୍ତି। ମୋଦୀ ସରକାରରେ ଅର୍ଥନୀତିର କୁପରିଚାଳନା ଲାଗି ଏହାର ସନ୍ଦେହୀ ଚରିତ୍ର ଦାୟୀ ବୋଲି ସେ କହିଛନ୍ତି। ବଜାର ଅର୍ଥନୀତିରେ ଶିଲ୍ପପତି, ବ୍ୟବସାୟୀ ଓ ପୁଞ୍ଜି ଲଗାଣକାରୀଙ୍କ ପ୍ରତି ମୋଦୀ ସରକାରର ଘୋର ସନ୍ଦେହ ରହିଛି। ଏପରିକି ସାଧାରଣ ଭାରତୀୟ ପ୍ରତି ମଧ୍ୟ ମୋଦୀ ସରକାର ସନ୍ଦେହୀ ହୋଇ ରହିଛି। ମୋଦୀ ସରକାର ନିଜକୁ ନୈତିକ ପୁଲିସ ବୋଲି ବିବେଚନା କରୁଥିବାରୁ ବଜାରରେ ବିଶ୍ବାସର ବାତାବରଣ ନାହିଁ।

ସରକାର ଲୋକଙ୍କୁ ସନ୍ଦେହ କରୁଛନ୍ତି ଓ ଲୋକମାନେ ସରକାରକୁ ଭୟ କରୁଛନ୍ତି, ଏମିତି ବାତାବରଣରେ ପୃଥିବୀର କୌଣସି ଅର୍ଥନୀତି ଆଗକୁ ବଢିପାରିବ ନାହିଁ। ଭୟ ଓ ସନ୍ଦେହର ବନ୍ଧନୀରେ ଭାରତର ଅର୍ଥ ବ୍ୟବସ୍ଥା ଅଣନିଃଶ୍ଵାସୀ ହୋଇ ପଡୁଛି ବୋଲି ମନମୋହନ କହିଛନ୍ତି। ତାଙ୍କ କଥାର ଯଥାର୍ଥତା ଗୋଟେ ଦୁଇଟି ଉଦାହରଣରୁ ବାରି ହୋଇ ପଡିବ। ନିକଟରେ ଗୋଟେ ଖବର ବାହାରିଥିଲା, ଯେଉଁଠି ବରିଷ୍ଠ ଆୟକର ଓ ଅବକାରୀ ବିଭାଗର ଅଧିକାରୀମାନେ ଚାକିରି ଛାଡିବାକୁ ଆବେଦନ କରୁଛନ୍ତି। ଚଳିତ ବର୍ଷ ପ୍ରତ୍ୟକ୍ଷ କର ସଂଗ୍ରହ ୧୭% ବଢାଇବାକୁ ଲକ୍ଷ୍ୟ ଧାର୍ୟ କରାଯାଇଛି। ଏହା ଅସମ୍ଭବ ବୋଲି କୁହାଯାଉଛି, କାରଣ କର୍ପୋରେଟ ଟିକସ ହ୍ରାସ ପରେ ପ୍ରତ୍ୟକ୍ଷ ଟିକସ ବଢିବାର ସମ୍ଭାବନା କମ। ଅନେକ ସମୟରେ ଟିକସ ଓ କର ଅଧିକାରୀଙ୍କୁ ରାଜନୈତିକ ବିରୋଧୀଙ୍କ ପଛରେ ଗୁଣ୍ଡା ଭଳି ନିୟୋଜିତ କରାଯାଉଛି। ଏହା ଅନେକାଂଶରେ ଦେଶର ଅର୍ଥନୀତିକୁ ଏକ ପ୍ରକାର ଦିଶାହୀନ ଅବସ୍ଥାକୁ ନେଇ ଯାଇଛି।

ମନମୋହଙ୍କ ଆକଳନ ଅନୁସାରେ ୩ ଟ୍ରିଲିଅନ ଡଲାରର ବିଶାଳକାୟ ଅର୍ଥନୀତିକୁ ଜଣେ ବ୍ୟକ୍ତି ନିଜ ନିୟନ୍ତ୍ରଣରେ ରଖିପାରିବ ବୋଲି ଭାବିବା ଏକ ପ୍ରକାର ନିର୍ବୋଧତା। ଆମ ଅର୍ଥନୀତିର ବଡ ସମ୍ବଳ ଘରୋଇ ଉଦ୍ୟୋକ୍ତାଙ୍କ ପାଖରେ ରହିଛି। ସେମାନଙ୍କୁ ସରକାରୀ ଭୟ ଭିତରେ ବାନ୍ଧି ରଖିବା ଏକ ଭୟଙ୍କର ଭୁଲ ହେବ। ଆଜିର ତାରିଖରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଲାଗି ବ୍ୟାପକ ସୁଯୋଗ ରହିଥିଲା। କାରଣ ଏହି ସମୟରେ ଚୀନର ଅର୍ଥନୀତି ମାନ୍ଦା ପଡିଛି ଓ ସେହି ସୁଯୋଗରେ ଆମେ ଆମର ରପ୍ତାନି ବଢାଇ ପାରିଥାନ୍ତେ।

ରାଜନୈତିକ ଦୃଷ୍ଟିରୁ ସରକାର ପାଖରେ ସଂସଦରେ ନିରଙ୍କୁଶ ସମର୍ଥନ ରହିଛି, ତେଣୁ ନୀତି ନିର୍ଦ୍ଧାରଣରେ ସମସ୍ୟା ରହିବା କଥା ନୁହେଁ। ତା ସତ୍ତ୍ୱେ ଆମର ଏ ଦୁର୍ଗତି କାହିଁକି? ଏଥିରୁ ମୁକୁଳିବାର ବାଟ ଖୋଜିବାକୁ ମନମୋହନଙ୍କ ପରାମର୍ଶ ବା ଉପଦେଶ କୁ ନରେନ୍ଦ୍ର ମୋଦୀ ସରକାର ଶୁଣିବେ କି?

 

Categories
ଆଜିର ଖବର

ବଡୋଦରାଠାରେ ଶୁଟିଂ ହେଲା ମୋଦୀଙ୍କ ବାୟୋପିକ୍‌ର ଗୋଧ୍ରାକାଣ୍ଡ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ର ସୁଟିଂ ବଡୋଦରାଠାରେ କରାଯାଇଛି। ‘ପିଏମ୍‌ ନରେନ୍ଦ୍ର ମୋଦୀ’ ସିନେମାରେ ଥିବା ଗୋଧ୍ରା କାଣ୍ଡ ସିନ୍‌ର ପିକଚରାଇଜେସନ୍‌ ୨୦୦୨ ଫେବୃଆରି ୨୭ ତାରିଖରେ ସାବରମତୀ ଏକ୍ସପ୍ରେସର ଏସ୍‌-୬ କୋଚ୍‌ରେ ନିଆଁ ଲାଗିଯାଇଥିଲା। ଏଥିରେ ୫୯ ଜଣଙ୍କର ପ୍ରାଣହାନି ଘଟିଥିଲା।  ଏହି ଅଗ୍ନିକାଣ୍ଡ ପରେ ଗୁଜରାଟରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା।  ତେବେ ଫିଲ୍ମରେ ଗୋଧ୍ରା କାଣ୍ଡକୁ ସ୍ଥାନିତ କରିବାକୁ ନେଇ ବେଶ୍‌ ଚର୍ଚ୍ଚା ରହିଥିଲା । ତେବେ ଫିଲ୍ମ ରିଲିଜ୍‌ ପରେ ଜଣାପଡ଼ିବ ଏହି ବିଷୟବସ୍ତୁକୁ କିପରି ଚିତ୍ରାୟଣ କରାଯାଇଛି ।  ଓମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ‘ପିଏମ୍‌ ନରେନ୍ଦ୍ର ମୋଦୀ’ ଫିଲ୍ମରେ ବିବେକ ଓବେରଏ ନରେନ୍ଦ୍ର ମୋଦୀ ଭୂମିକା ନିଭାଉଛନ୍ତି। ଏଥିରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ବର୍‌ଖା ବିଷ୍ଟ୍‍, ଜରିନା ଓ୍ଵାହାବ, ବୋମନ୍‌ ଇରାନୀ ଏବଂ ମନୋଜ ଯୋଶୀ ପ୍ରମୁଖ କଳାକାର ଅଭିନୟ କରୁଛନ୍ତି।

Categories
ବିଶେଷ ଖବର

କୋଲକାତା ହାଇଡ୍ରାମା : ଦିଦି ବନାମ ମୋଦି

ଚିଟଫଣ୍ଡ ଦୁର୍ନୀତି ମାମଲାରେ କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ଯାଇଥିବା ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ପୁଲିସ ଧରି ନେଇ ଥାନାରେ ଅଟକ ରଖିବା ଯୋଗୁଁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ସିବିଆଇକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଇଦାନକୁ ଓହ୍ଲାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ସଭାପତି ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି। ଅନ୍ୟ କୌଣସି ବାଟ ନ ପାଇ ମୋଦି ସରକାର ଯାଞ୍ଚ ଏଜେନ୍ସି ଦ୍ୱାରା ହଇରାଣ କରିବାକୁ ଏଭଳି କାର୍ଯ୍ୟ କରୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି । ଏଭଳି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ଭାବେ  ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କୁ ଦର୍ଶାଇଛନ୍ତି ମମତା । ତେବେ କେନ୍ଦ୍ରର ଏଭଳି ରାଜନୀତିର ବିରୋଧ କରି କଡ଼ା ଟକ୍କର ଦେବାକୁ ଦିଦି ଧାରଣାରେ ବସିଛନ୍ତି ।  କେନ୍ଦ୍ର ସରକାର ମଧ୍ୟ ମମତାଙ୍କ ଏଭଳି ଆଚରଣର ସମାଲୋଚନା କରିଛନ୍ତି । ସେ ସିବିଆଇ ତଦନ୍ତରେ ବାଧା ଦେଉଥିବାରୁ କେନ୍ଦ୍ର ସରକାର ମମତା ବାନାର୍ଜୀଙ୍କ ବିରୋଧରେ ସୁପ୍ରିମକୋର୍ଟକୁ ଯାଇଛନ୍ତି । ସିବିଆଇ ବନାମ ମମତାଙ୍କ କଳି ବର୍ତ୍ତମାନ କେନ୍ଦ୍ର ବନାମ ମମତାଙ୍କ କଳିରେ ରୂପାନ୍ତରିତ ହୋଇସାରିଛି । ତେବେ ଏହି ଘଟଣାରେ ଆସନ୍ତାକାଲି ଶୁଣାଣି ହେବ ବୋଲି ସିଜିଆଇ ନିଷ୍ପତ୍ତି ନେଇଛନ୍ତି । ମମତାଙ୍କୁ ସମସ୍ତ ବିରୋଧୀ ଦଳ ସମର୍ଥନ ଦେଇଛନ୍ତି । ଅରବିନ୍ଦ କେଜ୍‌ରୀୱାଲଙ୍କଠାରୁ ଆରମ୍ଭ କରି ରାହୁଲ୍‌ ଗାନ୍ଧି ଓ ଅଖିଳେଶ ଯାଦବ ସମସ୍ତେ କେନ୍ଦ୍ର ବନାମ ରାଜ୍ୟରେ ସାମିଲ୍‌ ହେବାକୁ ରହିଛନ୍ତି । ନିର୍ବାଚନ ହେବାକୁ ଆଉ କିଛି ମାସ ରହିଥିବାବେଳେ କେନ୍ଦ୍ର ବିପକ୍ଷରେ ସମସ୍ତ ବିରୋଧୀ ଗୋଷ୍ଠୀଙ୍କର ଏଭଳି ଦୃଢ ସଂଗଠନ ଆଗାମୀ ନିର୍ବାଚନୀ ଫଳାଫଳକୁ କିଛି ସ୍ପଷ୍ଟ କରୁଥିବାର ଅନୁମାନ ହେଉଛି ।